Thursday, July 22, 2021

ଓଡି଼ଶା, ଓଡ଼ିଆ ଓ ବାଘ

ପରଜା ଉପନ୍ୟାସରେ ଗୋପୀନାଥ ମହାନ୍ତି ❛ବାଘଡୁମ୍ମା❜ ବୋଲି ଏକ ଶବ୍ଦ ଵ୍ୟଵହାର କରି ଲେଖିଛନ୍ତି
 
❛❛ଦି ପହରେ ବାଘଡୁମ୍ମା ବୁଲେ । ଯେତେ ଲୋକଙ୍କୁ ବାଘ ଖାଇଥାଏ, ତାଙ୍କରି ପ୍ରେତ ସେ । ପିଲାପରି ଚେହେରା, ମାଈ ଅଣ୍ଡିରା ଜଣାପଡ଼େ ନାହିଁ । ମୁଣ୍ଡନାଲି, ଆଖିନାଲି, ଦେହଯାକ ବଡ଼ବଡ଼ ରୁମ । ଲୋକେ କହନ୍ତି କେତେପ୍ରକାର ଶବ୍ଦକରେ ସେ। କୁନ୍ଥେଇଲା ପରି, ଗର୍ଜିଲା ପରି, କାଠ ଭାଙ୍ଗିଲା ପରି, ବାଘଡୁମ୍ମା ଡରାଇ ଡରାଇ ଖେଦେ ।❜❜

ତେବେ ଏହି  ❛ବାଘଡ଼ୁମ୍ମା❜ କ'ଣ ?

ଓଡ଼ିଆ ଭାଷାରେ ଡୁମା ଶବ୍ଦର ଅନେକ ଅର୍ଥରେ ଵ୍ୟଵହାର ରହିଛି । ବଡ଼ଜାତିଆ ❛ଅଣ୍ଡିରା ଗୋଵରା ଚଢ଼େଇ❜କୁ ଆମ ଭାଷାରେ ❛ଡୁମା❜ କୁହାଯାଏ । ଗଡ଼ଜାତ ଅଞ୍ଚଳରେ ପ୍ରେତ,ମୃତ ଵ୍ୟକ୍ତିର ଆତ୍ମା,ଆତ୍ମା, ଅସୁର ଓ ଡାହାଣୀକୁ ଡୁମା କହିଥାନ୍ତି । ସେହିପରି ଅଵିଭକ୍ତ କୋରାପୁଟର କଥିତ ଦେଶିଆ କୋଟିଆ ଭାଷାରେ ଡୁମ୍ମାର ଅର୍ଥ ଭୂତ ଵା ପ୍ରେତ ଏଵଂ ଏହା ଦେଶିଆ ଓଡ଼ିଆରେ ପ୍ରଚଳିତ ଜନଜାତୀୟ ମୂଳର ଏକ ଓଡ଼ିଆ ଶବ୍ଦ ହୋଇଥିଵା ସମ୍ଭଵ କିଂଵା ତତ୍ସମ ❛ଦାନଵ❜ ଶବ୍ଦର ସ୍ଥାନୀୟ ରୂପ ହୋଇଥାଇପାରେ । ଏଣୁ ବାଘଡୁମ୍ମା ଶବ୍ଦର ଆକ୍ଷରିକ ଅର୍ଥ ବାଘର ଭୂତ ଅଟଇ । 

ଅଵିଭକ୍ତ କୋରାପୁଟ ଅଞ୍ଚଳରେ ଲୋକଵିଶ୍ଵାସ ରହିଛି ଯେ ଯେଉଁମାନେ ବଣଜଙ୍ଗଲରେ ବାଘର ଆକ୍ରମଣରେ ମରିଯାଆନ୍ତି, ସେମାନଙ୍କର ଆତ୍ମା ❛ବାଘଡୁମ୍ମା❜ ହୋଇଯାଏ ।

ସେହିପରି ବାଘ ଦ୍ଵାରା ନିହତ ହୋଇଥିଵା ମଣିଷର ଶଵକୁ କୋରାପୁଟରେ ❛ବାଗ୍‌ମଡ଼ା❜ କୁହାଯାଏ । କୌଣସି ଲୋକ ବାଘ ହାବୁଡ଼ରେ ପଡ଼ି ମୃତ୍ୟୁଵରଣ କଲେ ତାର ଶଵକୁ ଜଙ୍ଗଲରେ ହିଁ ପୋତି ଦିଆଯାଏ। କାଳେ ଡୁମ୍ମା ହୋଇ ସେ ମୃତାତ୍ମା ଜୀଵିତଲୋକଙ୍କୁ ହଇରାଣ କରିଵ ବୋଲି ଶଵ ପୋତିଵା ଜାଗାରେ ଲୁହାକଣ୍ଟା ପିଟାଯିଵାର ଚଳଣି ରହିଛି । ତେବେ ବାଗ୍‌ମଡ଼ା ଶବ୍ଦଟି ଏକ ଗାଳି ଭାବେ   ❛❛ବାଘ ତୋତେ ମାରୁ❜❜ କିଂଵା  ❛❛ତୁ ବାଘ ହାତରେ ମରି ମଡ଼ା ହୋଇଯା ଅର୍ଥାତ୍ ବାଗ୍'ମଡ଼ା ହୋଇଯାଆ❜❜ ଏହି ଅର୍ଥରେ ଵ୍ୟଵହାର କୁହାଯାଏ । ଏହା କୋରାପୁଟ ଜିଲ୍ଲାର ଏକ ଜଣାଶୁଣା ଗାଳି । ପଶ୍ଚିମ ଓଡ଼ିଶାରେ ସମାନ ଭାବେ ବାଘଧରା,ବାଘର୍ଚରା ଆଦି ଶବ୍ଦ ଗାଳି ଭାବେ ଵ୍ୟଵହୃତ ହୋଇଥାଏ ।‌

କୁହାଯାଏ ବାଘଡୁମ୍ମା କାହାଠେଇଁ ଲାଗିଲେ ସେ ଲୋକ ସହଜରେ ଭଲ ହୁଏ ନାହିଁ । କେତେକ ବାଘଡୁମ୍ମା ଲାଗିଥିଵା ଲୋକ ଝାଡ଼ାଵାନ୍ତିରେ ମୃତ୍ୟୁଵରଣ କରିଥାନ୍ତି । ଏହାର ପ୍ରତିକାରସ୍ଵରୂପ ସ୍ଥାନୀୟ ଲୋକେ ଗୁଣିଆ, ଦିଶାରୀ ଵା ଗୁରୁମାଈ ପ୍ରଭୃତିଙ୍କୁ ଡାକି ଝଡ଼ାଫୁଙ୍କା, ମନ୍ତ୍ରପାଠ ଇତ୍ୟାଦି କରିଵା ସହ ଡୁମାପୂଜା ମଧ୍ୟ କରିଥାନ୍ତି ।  ଏମାନେ ରୋଗୀକୁ କେତେକ ଗଛର ଚେରମୂଳ ଦେହରେ ବାନ୍ଧିଵା ପାଇଁ ଦେଇଥାନ୍ତି ଓ କେତେକ ଗଛର ବକଳକୁ ଛେଚି ତା'ର ରସ ପିଇଵାକୁ ଦେଇଥାନ୍ତି । ଏକ ପ୍ରକାର ଗଛର ଡାଳ ଵା  ଝାଟିରେ ରୋଗୀର ଦେହକୁ ଝାଡ଼ାଯାଏ । ଏହିପରି ଝଡା଼ଫୁଙ୍କା ପଦ୍ଧତି ଓଡ଼ିଶାର ସମତଳ ଅଞ୍ଚଳରେ କାଳସୀ ଲାଗିଵା,ଚିରଗୁଣୀ,
ହାଡ଼ବାଇ, ଡାହାଣୀ ଆଦି ଲାଗିଲେ ପ୍ରୟୋଗ କରାଯାଏ ।

ବାଘ ସହିତ ଆଉ ଏକ ଲୋକଵିଶ୍ଵାସ ଓଡ଼ିଶାର କନ୍ଧ ସମାଜ ମଧ୍ୟରେ ରହିଛି । କନ୍ଧମାନେ ଯେଉଁ ସ୍ଥାନରେ ମୁର୍ଦ୍ଦାର ପୋତନ୍ତି ସେହି ଚିତାଭସ୍ମ ଉପରେ ଉଠିଥିଵା ଗଛକୁ  ❛ଖୁଣ୍ଟବାଘ❜ କୁହାଯାଏ ।  କଥିତ ଅଛି, ଚରୁଥିଵା ଗୋରୁର ଦେହରେ ଏ ଗଛ ବାଜିଲେ ବାଘ ଧଇଲା ପରି ସେ ଗୋରୁ ବୋବାଳି ଛାଡ଼େ ଓ ସେ ସ୍ଥାନରୁ ଯାଇ ପାରେ ନାହିଁ। ରଖୁଆଳ ଗୋରୁର ସେହି ଅଂଶରେ ଦି ବାଡ଼ି ପାକାଇଲେ ଗୋରୁ ଚାଲିଯାଏ ଓ ସେହି ସ୍ଥଳରେ ଗୋଟିଏ କ୍ଷତ ହୁଏ। ସେହି କ୍ଷତରେ ଟୁଙ୍ଗାଚେର ଓ ମାଣସାରୁ ବୋଳିଲେ ଭଲ ହୋଇଯାଏ ।

ବାଘକୁ ନେଇ ଆମ ଓଡ଼ିଶାରେ ଏହିପରି ଅନେକ ଲୋକ ଵିଶ୍ଵାସ ରହିଛି । ଯେହେତୁ ଆମ ଓଡ଼ିଶା ଜଙ୍ଗଲ ପାହାଡ଼ରେ ପୂର୍ଣ୍ଣ ଏକ ସୁନ୍ଦର ଅଞ୍ଚଳ ତେଣୁ ମାନଵ ଜନଵସତି ବଢି଼ଵା ପୂର୍ଵରୁ ବାଘଙ୍କ ପାଇଁ ଏହା ଥିଲା ଭୂସ୍ଵର୍ଗ । ଆଜି ସିନା ବାଘ ବଂଶ ଲୋପ ହେଵାକୁ ବସିଛି କିନ୍ତୁ ଏଇମାତ୍ର କିଛି ଦଶନ୍ଧୀ ତଳେ ଓଡ଼ିଶାରେ ହଜାର ହଜାର ବାଘ ଥିଲେ । ତେବେ ବାଘଙ୍କ ସଂଖ୍ୟା ସମତଳ ଅଞ୍ଚଳ ଅପେକ୍ଷା ଓଡ଼ିଶାର ପାର୍ଵତ୍ଯ ଅଞ୍ଚଳ ଅପେକ୍ଷାକୃତ କମ୍ ଜନଵସତି କାରଣରୁ ନିଶ୍ଚିତ ଅଧିକ ଥିଲା । ବାଘ ଵିଷୟରେ ଅନେକ କଥା ଆମ ଭାଷାର ଶବ୍ଦ,ଲୋକଗଳ୍ପ,ଲୋକଗୀତ ମଧ୍ୟରେ ଭରି ରହିଛି । 

ବାଘ ଯେତେବେଳେ ପାହାଡ଼ରୁ ଵା ଜଙ୍ଗଲରୁ ଆସି ସମତଳ ଅଞ୍ଚଳରେ ପଶିଯାଉଥିଲା କିଂଵା ଗ୍ରାମାଞ୍ଚଳରେ ବୁଲୁଥିଲା ତାକୁ ❛❛ବାଘ ଗଡି଼ଵା❜❜ କୁହାଯାଉଥିଲା ।

ମନୁଷ୍ଯକୁ ଦେଖିଲେ ଭୟ ଉତ୍ପାଦନ କରିଵା ନିମନ୍ତେ ବାଘ ଗାଲ ଫୁଡ଼କି କରେ, ସ୍ବର ଓ ଅଙ୍ଗଭଙ୍ଗି ଆଦି କରିଥାଏ ତାକୁ ଆମ ଭାଷାରେ ❛❛ବାଘ ଭେଳିକି❜❜ କୁହାଯାଏ । ଉକ୍ତ ❛❛ବାଘଭେଳିକି❜❜ ଶବ୍ଦ କିଂକର୍ତ୍ତଵ୍ୟଵିମୂଢ଼ତା ଅର୍ଥରେ ମଧ୍ୟ ଵ୍ୟଵହାର ହେଉଥିଲା । ପୂର୍ଵକାଳରେ ଜଙ୍ଗଲ ଅଧିକ ଥିଵାରୁ ବାଘମାନଙ୍କ ସଂଖ୍ୟା ଅଧିକ ଥିଲା । ଆଗେ କୌଣସି ବାଘ ମଣିଷ ମାଂସ ଖାଇଲେ ନରଖାଦକ ପାଲଟୁଥିଲା । ତାକୁ ବାଘ ମାତିଵା କୁହାଯାଉଥିଲା ।  କୁହାଯାଏ ଅନ୍ଯମାନଙ୍କ ରକ୍ତ ଅପେକ୍ଷା ମନୁଷ୍ଯରକ୍ତ ସୁସ୍ବାଦୁ। ଯେଉଁ ବାଘ ଥରେ ମନୁଷ୍ଯ ମାରି ମନୁଷ୍ଯର ରକ୍ତର ସ୍ବାଦ ପାଇଥାଏ ସେ ନରରକ୍ତଲୋଲୁପ ହୁଏ ଓ ମଣିଷଖିଆ ବାଘ ବୋଲି ଵିଖ୍ଯାତ ହୋଇଥାଏ । ସେହି ବାଘ କୁ ଲୋକେ କହନ୍ତି ଏ ବାଘ ରକ୍ତମୁଖା ହୋଇଛି ।

ବାଘ ଭେଳିକି ଦେଖାଇ ଲୋକମାନଙ୍କୁ ଭୟଭୀତ ଓ ଦ୍ଵନ୍ଦ୍ଵରେ ପକାଇ ମାରିଦିଏ । ସେଥିପାଇଁ ବାଘ ନିଜ ମୁହଁର ଭାଵଭଙ୍ଗୀଦ୍ଵାରା ମାନଵ ମନରେ  ଦ୍ଵନ୍ଦ୍ଵ ଉତ୍ପନ୍ନ କରେ ବୋଲି ଏହି ଵିଚାରରୁ ଆଉ ଏକ ଓଡ଼ିଆ ଶବ୍ଦ ସୃଷ୍ଟି ହେଲା ❛❛ବାଘମୁହାଁ ଵା ବାଘମୁହିଁ❜❜ ।

ପୂର୍ଵକାଳରେ ଆଜିଭଳି ନିରପତ୍ତା ଆଇନ ଵ୍ୟଵସ୍ଥା ସୁଦୃଢ଼ ନଥିଵାରୁ ଚୋରଭୟ ଅଧିକ ଥିଲା । ତେଣୁ ଘର ଭିତରକୁ ପଶିଵା ଦୁଆରଆଗରେ ଘର ମଧ୍ୟରେ ଗୋଟିଏ ଆଡ଼ିକାନ୍ଥ ଦିଆଯାଉଥିଲା । ତାକୁ ଆମ ଭାଷାରେ ❛❛ବାଘମୁହାଁ ଵା ବାଘମୁହିଁ❜❜ କୁହାଯାଉଥିଲା । ଏହି କାନ୍ଥ ଯୋଗୁଁ ଆଗନ୍ତୁକ ଵ୍ୟକ୍ତି ହଠାତ୍ ଗୃହମଧ୍ଯକୁ ପଶି ନ ପାରି ବାଉଳା ହେଉଥିଲା ଓ ଏ କାନ୍ଥ ପ୍ରତିବନ୍ଧକ ଥିଵାରୁ ବାହାରେ ଠିଆ ହେଵା ଲୋକକୁ ଘରର ଭିତର ଦେଖାଯାଉ ନଥିଲା ।ଘରର ଦୁଇ ଵିପରୀତ ଦିଗରେ ଦୁଆର ପରସ୍ପର ସମ୍ମୁଖରେ ବସି ନ ଥିଵା ଏଭଳି ଘରକୁ ଆଡ଼ମୁହଁ ଘର କୁହାଯାଉଥିଲା । ତେବେ ଏହି ସମାନ ସ୍ଥିତି ପୋଖରୀର ପଥର ପାହାଚମାନଙ୍କରେ ଦେଖାଯାଉଥିଲା । ତେଣୁ ପାହାଚର ମଝିରେ ମଝିରେ ପାଣି ଉପରକୁ ବାହାରିଥିଵା ପଥରଖଣ୍ଡକୁ ମଧ୍ୟ ଲୋକେ ❛ବାଘମୁହିଁ❜ କହୁଥିଲେ ।

ବାଘ ଭଳି ଦେଖାଯାଏ ବୋଲି ଓଡ଼ିଶାରେ ବିଲେଇକୁ ❛❛ବାଘର ମାଉସୀ❜❜ କୁହାଯାଏ । ନିର୍ଭୀକ ଵ୍ୟକ୍ତି ଵିଶେଷତଃ ନାରୀମାନଙ୍କ ପ୍ରତି ମଧ୍ୟ ଏ ଶବ୍ଦର ପ୍ରୟୋଗ ହେଉଥିଲା ।

ବାଘ ମାଂସ ଖାଉଥିଵାରୁ ତା ପାଟି ଦୁର୍ଗନ୍ଧ କରିଵା ସ୍ଵାଭାଵିକ କଥା ତେଣୁ କଥା କହିଵା ସମୟରେ ଯେଉଁ ଲୋକଙ୍କର ପାଟିରୁ ଦୁର୍ଗନ୍ଧ ବାହାରୁଥିଲା ତାକୁ ଲୋକେ ❛ବାଘରାମୁହାଁ❜ କହୁଥିଲେ । ବାଘପରି ଵିକଟ ଓ ବଡ଼ ମୁଖଯୁକ୍ତ ଲୋକକୁ ❛ବାଘା❜ କୁହାଯାଉଥିଲା । ଯେକୌଣସି ବଡ଼ ଓ ଆକ୍ରାମକ ପ୍ରଜାତିର ଜୀଵଜାତିକୁ ମଧ୍ୟ ବାଘୁଆ ଶବ୍ଦ ଯୁକ୍ତ କରି ଓଡ଼ିଆ ଭାଷାରେ ନାମିତ କରାଯାଉଥିଵା ଦୃଶ୍ୟ ହୋଇଥାଏ ଯଥା— ❛❛ବାଘୁଆ ମାଛି,ବାଘୁଆ ପୋକ,ବାଘୁଆ ବିରୁଡି଼,ବାଘୁଆ ମହୁମାଛି,ବାଘୁଆ କଙ୍କି❜❜ ଇତ୍ୟାଦି ଇତ୍ୟାଦି । ସେହିପରି ଭୀଷଣ ଶୀତ ଵିଶେଷତଃ ମାଘମାସର ଶୀତକୁ ଓଡ଼ିଆ ଭାଷାରେ ❛ବାଘୁଆଶୀତ❜ କୁହାଯାଏ । ସମ୍ଭଵତଃ ବାଘ ଦେଖିଲେ ମନୁଷ୍ୟ ଯେମିତି ଅତି ଭୟଭୀତ ହୋଇ ଥରେ ଠିକ୍ ସେହିପରି ଏହି ଶୀତ ହେଲେ ମନୁଷ୍ୟମାନେ ଥରୁଥିଵାରୁ ମାଘ ମାସର ଶୀତକୁ ❛ବାଘୁଆ ଶୀତ❜ କୁହାଯାଉଥିଲା ।

ପୂର୍ଵକାଳରେ ବାଘଠାରୁ ଦୁଧ ଦୁହିଁକରି ଆଣିଵା କୌଣସି ସାଧାରଣ ମନୁଷ୍ଯ ପକ୍ଷରେ ଅସମ୍ଭଵ ଥିଲା ତେଣୁ ଓଡ଼ିଆ ଭାଷାରେ ଅସମ୍ଭଵ କଥା ଓ ଅପ୍ରାପ୍ୟ ଵସ୍ତୁକୁ ❛ବାଘଦୁଧ❜ ସହିତ ତୁଳନା କରାଯାଉଥିଲା ।

ଲୋକେ ❛ବାଘନଖ❜ର କେତେକ ଅଂଶକୁ ସୁନା ଵା ରୂପା ଛାଆଣି କରି ବେକର ହାରରେ, ହାତରେ, ବାଜୁବନ୍ଧରେ ବାନ୍ଧୁଥିଲେ ଵା ପିନ୍ଧୁଥିଲେ  । ଶ୍ରୀଜିଉଙ୍କର ଏକ ଜାତୀୟ ସୁଵର୍ଣ୍ଣ ନିର୍ମିତ ଅଳଙ୍କାରକୁ ମଧ୍ୟ ବାଘନଖ କୁହାଯାଏ ।‌

ବାଘ ସମ୍ବନ୍ଧୀୟ କେତେକ ଶବ୍ଦ ମଧ୍ୟ ଓଡ଼ିଆ ଭାଷାରେ ପ୍ରଚଳିତ ଥିଲା।  ଯଥା—

🔵ଗୋରୁକୁ ବାଘ ଧଇଲେ ଗୋରୁ ପ୍ରାଣବିକଳରେ ଗଁ ଗଁ ହୋଇ ରଡ଼ି ଛାଡ଼ିଵାକୁ ❛❛ଗର ତୋଳିଵା❜❜ କୁହାଯାଉଥିଲା ।

🔵ବାଘକୁ ପ୍ରଲୋଭିତ କରି ମଞ୍ଚା ନିକଟକୁ ଆଣିଵା ଲାଗି ବନ୍ଧା ଯାଇଥିଵା ଛେଳି ଆଦି ପଶୁଙ୍କୁ ❛ଗାରା❜ କୁହାଯାଉଥିଲା ।

🔵ବାଘ ଗର୍ଜନ କରିଵାକୁ ଆମ ଭାଷାରେ ❛ନାହାଳିଵା❜ କୁହାଯାଉଥିଲା ।

🔵ଏକପ୍ରକାରର ଅଭିମନ୍ତ୍ରିତ ଜଡ଼ିକୁ ❛ପତି❜ କୁହାଯାଉଥିଲା । ଶିକାରୀମାନଙ୍କ ମଧ୍ୟରେ ପୂର୍ଵେ ଏକ ଲୋକଵିଶ୍ଵାସ ପ୍ରଚଳିତ ଥିଲା ଯେ ଶ୍ବେତ ଅପରାଜିତା ପତ୍ରକୁ ଅଭିମନ୍ତ୍ରିତ କରି ବାଘର ଖୋଜକୁ ଉଣ୍ଡି ଅକ୍ଷତ ଖୋଜ ଚିହ୍ନ ଉପରେ ଉକ୍ତ ପତ୍ରକୁ ପକାଇଲେ ବାଘ ସେହି ବାଟେ ଫେରି ଆସୁଥାଇ ଓ ଶିକାରୀ ସେହି ବାଟକୁ ଜଗି ରହି ବାଘକୁ ମାରୁଥିଲେ ।

🔵ବାଘ ଆଦି ହିଂସ୍ର ଜନ୍ତୁଙ୍କୁ ଶିକାର କରିଵାକୁ ଶିକାରୀ ଜଗି ରହିଵା ପାଇଁ ଭୂମିରେ ଖୋଳାଯାଇ ଡାଳ ପତ୍ର ଆଦିରେ ଘୋଡା଼ଯାଇ ଭୂମିରେ ଖୋଲାଯାଇଥିଵା  ଗାତକୁ ❛ପଲା❜ କୁହାଯାଉଥିଲା ।

🔵ବାଘ ଆଦି ହିଂସ୍ର ଜୀଵକୁ ଦେଖକି ଗାଈ ମଈଷୀ ଆଦି ହୁରୁଡ଼ିଵା ଓ ରାଵ କରିଵାକୁ ଆମ ଭାଷାରେ ❛ବିରିଜାଇଵା❜ କହୁଥିଲେ ।

🔵ବାଘ, ଆଗରେ ଶିକାରକୁ ଦେଖି ଗାଲ ସାହାଯ୍ୟରେ ଵିକଟ ମୁଖଶବ୍ଦ କରିଵାକୁ ❛❛ଗାଲ ଫିଡ଼କା ମାରିଵା❜❜ କୁହାଯାଉଥିଲା ।

🔵ହୁଣ୍ଟାରିଵା,ହେଣ୍ଟାଳ ମାରିଵା ଆଦି କ୍ରିୟାଶବ୍ଦ ବାଘ ଗର୍ଜନ କରିଵା ଅର୍ଥରେ ଵ୍ୟଵହୃତ ହେଉଥିଲା ।

🔵 ଯେଉଁମାନେ ରାତିରେ ଜଙ୍ଗଲ ସୀମାକୁ ଜଗି ସକାଳେ ଶିକାରୀମାନଙ୍କୁ ବାଘ ଆଦି ଜନ୍ତୁଙ୍କର ଖବର ଦେଉଥିଲେ ସେମାନଙ୍କୁ ରଖିଆ କୁହାଯାଉଥିଲା ।

🔵ଗଡଜାତ ଅଞ୍ଚଳରେ ଶିକାରୀ ବନ୍ଧୁକ ଧରି ଦୁଇ ଜଣ ଲୋକଙ୍କ ସଙ୍ଗେ ଚନ୍ଦ୍ରପକ୍ଷ ରାତିରେ ଲୁଚି ଲୁଚି ବାଘ ପ୍ରଭୃତି ଶିକାର ଖୋଜିଵାକୁ ଲମରା ବୁଲା କୁହାଯାଉଥିଲା ।

🔵ଓଡ଼ିଆ ଭାଷାରେ ଵିଭିନ୍ନ ଜାତୀୟ ବାଘମାନଙ୍କର ନାନା ନାମକରଣ ମଧ୍ୟ କରାଯାଇଥିଲା ଯଥା— କେନ୍ଦୁଆ,ଘୋଡିଙ୍ଗ(ଏକ ଜାତୀୟ ଫିକା ହଳଦିଆ ରଙ୍ଗର ବାଘ),ଚିତାବାଘ,ହେଟାବାଘ,ଡୁର୍କା,ନେପାଳି ବାଘ,ନିମିଟି ବାଘ,ପଟାହାରିଆ ବାଘ(ମହାଵଳ ବାଘ),ପେଣ୍ଡରା(ହେଟା) ଓ କଲରାପତ୍ରିଆ ବାଘ ଆଦି..


ବାଘର ପ୍ରଭାଵ ଓଡ଼ିଆ ସମାଜ ଉପରେ ଏତେ ଅଧିକ ଥିଲା ଯେ ଆମ ଓଡ଼ିଶାରେ କେଵଳ ବାଘ ସମ୍ବନ୍ଧୀୟ ଶବ୍ଦ ହିଁ ନୁହେଁ ବାଘକୁ ନେଇ ନାନାପ୍ରକାରର ଖେଳ, ଢଗଢମାଳି, ଲୋକଗୀତ,ଲୋକଗଳ୍ପ ଓ ଲୋକଵିଶ୍ଵାସ ପ୍ରଚଳିତ ହୋଇଥିଲା । ❛ବାଘଛେଳି❜,❛ବାଘବଜାରି❜ ଓ ❛ପାନିଆଖେଳ(ତ୍ରିଭୂଜାକାର ବଘଛେଳି ଖେଳ)❜ ଭଳି ଖେଳ ମାଧ୍ଯମରେ ଆମ ପୂର୍ଵଜ ଆମକୁ ଛୋଟବେଳୁ ବାଘ କେମିତି ସୁଯୋଗ ପାଇଲେ ଛେଳି ଭଳି ଜୀଵଙ୍କୁ ମାରି ଖାଇପାରେ ତାହା ଜଣାଇ ବେଳହୁଁ ସାଵଧାନ କରେଇଵାରେ ସଫଳ ହୋଇଥିଲେ । କୌତୁକ ମଧ୍ୟରେ ବି ପିଲାଙ୍କୁ ବାଘଠାରୁ ସାଵଧାନ ରହିଵାର ଶିକ୍ଷା ଆମ ସମାଜରେ ନିଆରା ଢଙ୍ଗରେ ପ୍ରଚଳିତ ଥିଲା ।

ପୂର୍ଵେ କୌତୁକ ଦେଖିଵାକୁ ବୟସ୍କମାନେ ଶିଶୁମାନଙ୍କୁ ନିକଟକୁ ଡାକି ସେମାନଙ୍କ ମୁହିଁ ସାମନାରେ ଆପଣାର ମୁହଁକୁ ରଖି ପଚାରୁଥିଲେ...

ପ୍ରଶ୍ନ—ତୋଟାକୁ ଯିବୁ ?
ଉତ୍ତର—ହଁ
ପ୍ରଶ୍ନ—ଆମ୍ବ ଖାଇବୁ ?
  ଉତ୍ତର—ହଁ
  ପ୍ରଶ୍ନ—ବାଘ ଦେଖିଲେ ତ ଡରିବୁ ନାହିଁ ?
  ଉତ୍ତର—ନାଁ
  ଶିଶୁ ଏହା କହିଵା ମାତ୍ରେ ଵୟସ୍କ ଵ୍ୟକ୍ତି ଶିଶୁର ଆଖିକୁ ହାପୁ ଵା ହାଫୁ କରି ଫୁଙ୍କି ଦେଉଥିଲେ ଏଵଂ ଶିଶୁ ଯଥାଶକ୍ତି ଚେଷ୍ଟା କଲେ ସୁଦ୍ଧା ତା ଆଖି ବୁଜି ହୋଇଯାଉଥିଲା । ତହୁଁ ଵୟସ୍କ ଵ୍ୟକ୍ତିଜଣକ କହୁଥିଲା “ତୁ ତ ଡରିଗଲୁ ! ତୋତେ ଆଉ ତୋଟାକୁ ନେବି ନାହିଁ"

ପିଲାମାନଙ୍କୁ ଲୋକଗୀତ ଓ ଗଳ୍ପ ମାଧ୍ୟମରେ ମଧ୍ୟ ବାଘପ୍ରତି ଛୋଟବେଳୁ ସାଵଧାନ ରହିଵାକୁ ଶିକ୍ଷା ଦିଆଯାଉଥିଲା । ଏ କ୍ଷେତ୍ରରେ ❛ବଉଳା ଗାଈ❜ ଓ ❛ଟୁଆଁଟୁଇଁ❜ ଗପର ନାମ  ଉଲ୍ଲେଖ ଯୋଗ୍ୟ ଅଟଇ । ଓଡ଼ିଆ ଭାଷାରେ ବାଘ ସମ୍ବନ୍ଧୀୟ ଅନେକାନେକ ଢଗଢମାଳି, ଵଚନ  ,ନ୍ୟାୟ ଓ ନାଁଦିଆ ମଧ୍ୟ ପ୍ରଚଳିତ ରହିଛି । ଯଥା—

🔴❛❛ବାଘଛେଳି ଏକା ଘାଟରେ ପାଣି ପିଇଵା❜❜
🔴❛❛ବାଘ ଗଲେ(ଘରେ) ମିରଗ ନାଟ❜❜
🔴 ❛❛ବାଘ ନଦେଖିଲେ ବିଲେଇ ଦେଖ
     ମା ନ ଦେଖିଲେ ମାଉସୀ ଦେଖ❜❜
🔴 ❛❛ପଇସା ଥିଲେ ବାଘ ଦୁଧ ମିଳେ❜❜

🔴 ❛❛କୁଅ ମୂଳେ ତେଲ ଘଡି
       ବାଘ ନେଲା ଗେଲ କରି
     ଚୁନ୍ ମୁନ୍ ଖଇର କାତି
           ରଜା ବିଜେ କଲେ ଡଗର ହାତୀ❜❜

🔴 ❛❛ଡେଇଁ ଡେଇଁ ଗଲା ବଣି
ସଞ୍ଜ ଦେଉଥିଲା ନଣଦ କାଣିଲୋ
     ବାଘ ନେଇଗଲା ଟାଣି ।❜❜
    
🔴 ❛❛ଅଣଖୁଆ କାହିଁ ଆଖୁ ହୋଇବ କି
     ବଣଭୁଆଁ ହେବ ବାଘ ?
     କଣ ଭୁଆସୁଣୀ ସଭାରେ ବସିବ
     ଛଣ ଗୁଣ୍ଡି ହେବ ଶାଗ ।❜❜
     (ଦନାଇ ଵଚନ)

🔴 ❛❛ଅଠାକାଠି ଷୋଳ ପଞ୍ଜରା
     ପେଟ ଭିତରେ ଅନ୍ତ ବୁଜୁଳା
     ବ୍ରାହ୍ମଣ ନୁହଁଇ ପଇତା ଥାଏ
     ବାଘ ନୁହଇଁ ଘୁମୁରୁ ଥାଏ
     ତା ଅଇଁଠା ଯିଏ ନ ଖାଏ
     ଲଙ୍ଗଳା ହେଇ ବୁଲୁଥାଏ ।❜❜
    (ନାଁଦିଆ/ଉତ୍ତର—ଅରଟ)

🔴 ❛❛ନାଗର ପୁଅ ନାଗ
      ବାଘର ପୁଅ ବାଘ❜❜

🔴 ❛❛ପାଣିରେ କୁମ୍ଭୀର କୁଳରେ ବାଘ❜❜

🔴 ❛❛ଥିଲେ ବାଘ ବଦାରି ,
     ନ ଥିଲେ କରମ ଆଦରି।❜❜

🔴 ❛❛ଭୋଡୁଆ ମାସର ଖରା
      ବାଘ୍ ନଯାଏ ଚରା।❜❜
🔴❛❛ଆଗପୁଅ ବାଘ❜❜

🔴❛❛ବାଘ ମଲା ଜନ୍ତାରେ
ଘିଡ଼ ଘିଡ଼ ଶବଦ କଲା
ସମୁଦ୍ର ପନ୍ତାରେ।❜❜
( ତୁତୁଖେଳ ଶିଶୁଗୀତ। )

🔴❛❛କାଠ ହାଣୁ ଠୋ ଠୋ
ବାଘ ମାମୁଁ ତୁ ଅଳ୍ପେଇସିୟା❜❜
(ଟିପାଟିପି କାହାଣୀ)

🔴❛❛ବାଘ ବଳଦ ବାନ୍ଧିଲି ହଳେ।
ଚାଷ କଲି ମଇନ୍ଦର ମାଳେ❜❜—
(ଗଞ୍ଜାମ ରାଇଲ ଗୀତ/ମଇନ୍ଦର= ମହୀନ୍ଦ୍ରଗିରି)

🔴❛❛ହଗା ଆଗରେ ବାଘର କି ଡ଼ର ଭୟ❜❜

ଓଡ଼ିଶାରେ ❛ବାଘ❜ ଓ ❛ବାଘସିଂହ❜ ଉପନାମ ରହିଥିଵା ମଧ୍ୟ ଜଣାଯାଏ । ଉତ୍ତର ଓଡ଼ିଶାରେ ❛ବାଘ❜ ଓ ଦକ୍ଷିଣ ଓଡ଼ିଶାରେ ❛ବାଘସିଂହ❜ ଆଦି ଉପନାମ ଦୈହିକ ଵଳଶାଳୀ ଵ୍ଯକ୍ତି ପ୍ରତି ରାଜଦତ୍ତ ଉପାଧି ଭାବରେ ପ୍ରଦତ୍ତ ହୋଇଥିଲା ଯାହା ପରେ ସାଙ୍ଗିଆରେ ପରିଣତ ହୋଇଅଛି ।

ଦକ୍ଷିଣ ଓଡ଼ିଶାରେ  ❛❛କୁଲାଡ଼ଗଡର ବାଘଦେଵୀ❜❜ ଓ  ❛❛ଗଞ୍ଜାମର ବାଘନାଚ❜❜, ଓଡ଼ିଆ ସମାଜରେ ବାଘର ପ୍ରଭାଵ କେତେ ଗୁରୁତ୍ୱପୂର୍ଣ୍ଣ ତାହା ସ୍ପଷ୍ଟ କରିଥାଏ ।  ସେହିପରି ପୂର୍ଵାଞ୍ଚଳର ଲୋକେ ❛❛ବାଘକୁ ମାମୁଁ❜❜ ସଂଜ୍ଞା ଦେଇଥିଵାବେଳେ ଅଵିଭକ୍ତ କୋରାପୁଟର ଲୋକେ  ❛❛ବାଘକୁ ଏକ ଦେଵତା❜❜ ଭାଵରେ ପୂଜା କରୁଥିଲେ ।
ସେହି ବାଘ ଦେଵତାର ପୂଜାକୁ ସ୍ଥାନୀୟ ଲୋକମାନେ  ❛ବାଗ୍'ଯାତ୍ରା❜ କହିଥାନ୍ତି   ।  ଗୋରୁଗାଈ ଓ ମଣିଷଙ୍କୁ ବାଘ ଭାଲୁଙ୍କ କଵଳରୁ ରକ୍ଷା କରିଵାପାଇଁ ବାଘକୁ ଦେଵତା ରୂପେ ପୂଜା କରାଯାଏ । ଚିତାଲାଗି ଅମାଵାସ୍ୟା ପୂର୍ଵରୁ ଏହି ପୂଜା କରାଯାଇଥାଏ । ମାଈ କଳା କୁକୁଡ଼ା, ଛେଳି, ଅଣ୍ଡା, ନଡ଼ିଆ, ଗୁଡ଼ ଓ କ୍ଷୀର ଭୋଗ ଲଗାଇ ବଣରେ ❛ବାଘଦେଵତା❜ର ପୂଜା କରାଯାଏ ।

ଜୀଵଵିଜ୍ଞାନୀମାନେ ମହାବଳ ବାଘର ଵୈଜ୍ଞାନିକ ନାମ
Panthera tigris ରଖିଅଛନ୍ତି । ମିଳିଥିଵା ତଥ୍ୟ ଅନୁସାରେ ବାଘର ମୋଟ ପାଞ୍ଚଟି ଉପଜାତି ଵା Subspecies ମଧ୍ୟରେ ଅଧୁନା କେଵଳ Panthera tigris(ଭାରତୀୟ ବାଘ) ଓ Panthera sondaica(ସୁନ୍ଦା ବାଘ) ହିଁ ପୃଥିଵୀରେ ଦେଖାଯାଆନ୍ତି ଏଵଂ ବାଘ ଜାତୀୟ ତିନୋଟି ଉପଜାତି  Panthera acutidens(ୱାହ୍ନେସୀୟ ବାଘ),Panthera soloensis(Ngandong ବାଘ) ଓ Panthera trinilensis(ତ୍ରିନୀଲ ବାଘ) ଵର୍ତ୍ତମାନ ଲୁପ୍ତ ହୋଇ ସାରିଛନ୍ତି । ବାଘ ଏସିଆ ମହାଦେଶ ଵିଶେଷତଃ ଦକ୍ଷିଣ ପୂର୍ଵ ଏସିଆ ତଥା ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜର ଜୀଵ ।
ପ୍ରାଚୀନ କାଳରେ ବାଘମାନେ ତୁର୍କୀଠାରୁ ଜାପାନ ଯାଏଁ ଦେଖାଯାଉଥିଲେ । ଆଜିକାଲି ତନ୍ମଧ୍ୟରେ ମାତ୍ର ଛଅଭାଗ ଅଞ୍ଚଳରେ ହିଁ ବାଘ ଦେଖାଯାଆନ୍ତି ।

ଵିଭିନ୍ନ କାରଣରୁ ବାଘବଂଶ ଆଜି ପୃଥିଵୀରୁ ଲୁପ୍ତ ହେଵାକୁ ବସିଛି ।  ପୃଥିଵୀର ମୋଟ ବାଘ ମଧ୍ୟରେ ସତୁରୀଭାଗ ଭାରତରେ ଅଛନ୍ତି ଏଵଂ ଗତ କିଛି ଵର୍ଷ ହେଵ ଭାରତରେ ବାଘ ସଂଖ୍ୟା ସାମାନ୍ୟ ଵୃଦ୍ଧିପାଇଛି କିନ୍ତୁ ଓଡ଼ିଶାରେ ଗତ ଛଅ ଵର୍ଷ ମଧ୍ୟରେ ବାଘସଂଖ୍ୟାରେ ଅନ୍ୟ ରାଜ୍ୟ ତୁଳନାରେ କୌଣସି ଵୃଦ୍ଧି ହୋଇନାହିଁ । ଦୃତଗତିରେ ଜଙ୍ଗଲକଟା ଯିଵା ତଥା ଜନଵସତି ଵୃଦ୍ଧି ଯୋଗୁଁ ବାଘବଂଶ ଲୁପ୍ତ ହେଵାର ସମ୍ଭାଵନା ଵୃଦ୍ଧି ପାଇଛି । ଗତ ଦଶ ଵର୍ଷ ମଧ୍ୟରେ ଉତ୍ତର ଭାରତରେ ବାଘ ଆକ୍ରମଣର ମଧ୍ୟ ଘଟଣା ବଢି଼ଥିଵା ଜଣାଯାଏ ଏଵଂ ଏଥିଯୋଗୁଁ ବାଘମାନଙ୍କ ପ୍ରତି ଉତ୍ତର ଭାରତରେ ଜନ ଅସନ୍ତୋଷ ବୃଦ୍ଧି ହୋଇଛି ।

ଜନଵସତି ବୃଦ୍ଧି,ଜଙ୍ଗଲକଟା ଯୋଗୁଁ ବଣରେ ଖାଦ୍ୟାଭାଵ ତଥା ଲୁଚାଛପା ଶିକାର ଯୋଗୁଁ ବାଘଙ୍କ ସଂଖ୍ୟା ଗତ ପାଞ୍ଚ ଦଶ ଦଶନ୍ଧି ଧରି କ୍ରମାଗତ ହ୍ରାସ ହୋଇ ହୋଇ ଯାଇଛି । ମାନଵର ଏହି ଏକଛତ୍ରଵାଦୀ ଶାସନ ଯୋଗୁଁ ପୃଥିଵୀରେ  ❛❛ପ୍ରାଣୀ ଜୀଵନଚକ୍ର❜❜ର
ଏକ ଅପରିହାର୍ଯ୍ୟ ଅଙ୍ଗ ❛ବାଘ❜ ଦିନେ ଲୁପ୍ତ ହୋଇଯାଇପାରେ ବୋଲି ପ୍ରକୃତିପ୍ରେମୀମାନେ ସନ୍ଦେହ କରନ୍ତି ।

Wednesday, July 21, 2021

ବିଲୁଆର ବୁଦ୍ଧି

ଥରେ ବାଘର ଗୁମ୍ଫା ଭିତରେ ଭୁଲଵଶତଃ ଗୋଟିଏ ବିଲୁଆ ପଶିଥିଲା । ଏତିକି ବେଳେ ବାଘ ଶିକାର କରି ଫେରୁଥାଏ । ଗୁମ୍ପା ଆଡ଼କୁ କାହାର ପାଦ ଚିହ୍ନ ଯାଇଛି ଜାଣି ସେ ଗୋଟିଏ ରଡି ଛାଡ଼ିଲା । ଗୁମ୍ପା ଭିତରେ ଏଣେ ବିଲୁଆର ଅଵସ୍ଥା କହିଲେ ନସରେ । ବାଘ ଗୁମ୍ଫା ଭିତରକୁ ପଶଲେ ତାକୁ ତ ନିଶ୍ଚେ ମାରି ଖାଇଦଵ । ତେବେ ବିଲୁଆ  ବଡ଼ ବୁଦ୍ଧିମାନ ସେ ଗୋଟିଏ ଉପାୟ ପାଞ୍ଚିଲା  ।  ଗୁମ୍ଫା ଭିତରୁ ବଡ଼ ପାଟିରେ କହିଲା

“ଆଖି ମଟମଟ କାନ ପଟପଟ,
ଆଣଟିରେ ସେ ତେନ୍ତୁଳୀ ଛାଟ,
ସିଂହ ମାଇଲି ଶାର୍ଦୁଳ ମାଇଲି
  କାହିଁ ଗଲା ସେ ଶଳା ବାଘ ।”
 
ବାଘ ଏକଥା ଶୁଣିକରି ଶଙ୍କିଗଲା, ଗୁମ୍ଫାରେ ଏଇନାଗେ ମୋଠୁ ବେଶି ବଳୁଆ ଜୀଵଟେ ଅଛି ଆଉ ଭିତରକୁ ଗଲେ ସେ ମତେ ଖାଇଦେଵ ବୋଲି ଵିଚାରକରି ଭୟରେ ଲାଙ୍ଗଡ଼ ଜାକି ବୋପାଲୋ ମାଆଲୋ କହି ପଳାଇ ଗଲା ।

Saturday, July 17, 2021

ଓଡ଼ିଆ ଭାଷାର ନିଆରା ଶବ୍ଦ ବାଇନ

ଓଡ଼ିଆ ଭାଷାରେ ବାଇନ ବୋଲି ଶବ୍ଦଟିଏ ଅଛି କିନ୍ତୁ ଏ ଶବ୍ଦଟି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସ୍ଥାନ ପାଇନାହିଁ କି ପୁରାତନ ସାହିତ୍ୟରେ ମଧ୍ୟ ବାଇନ ଶବ୍ଦ ଵ୍ୟଵହାର ହୋଇଥିଵା ଜଣାଯାଏ ନାହିଁ । ସମ୍ଭଵତଃ ପ୍ରାୟ ଶହେ ଵର୍ଷ ତଳେ ବାଇନ ଶବ୍ଦ ଏକ ଅଞ୍ଚଳ ଵିଶେଷରେ ପ୍ରଚଳିତ ଏକ ଅଲୋକପ୍ରିୟ ଓଡ଼ିଆ ଶବ୍ଦ ଥିଲା କିଂଵା ଏହା ଏଇ କେଇ ଦଶନ୍ଧି ଧରି ସୃଷ୍ଟି ହୋଇଥିଵା ଏକ ଆଧୁନିକ ଓଡ଼ିଆ ଶବ୍ଦ ହୋଇଥାଇପାରେ ।

ଵର୍ତ୍ତମାନ ସମୟର ଓଡ଼ିଆ ସାହିତ୍ୟରେ ଓ କଥିତ ଓଡ଼ିଆ ଭାଷାରେ ବାଇନ ଶବ୍ଦ ଵିଶେଷ ଭାବେ ପ୍ରଚଳିତ । ଅନେକ ଓଡ଼ିଆ ଲୋକଙ୍କ ନାମ ମଧ୍ୟ ବାଇନ ରଖାଯାଇଥିଵା ଦେଖାଯାଏ । ଏହି ବାଇନ ଶବ୍ଦଟି ଅଧୁନା ସ୍ନେହସୂଚକ ଓ ଵ୍ୟଙ୍ଗାତ୍ମକ ସମ୍ବୋଧନ ହେତୁକ ପ୍ରୟୋଗ କରାଯାଉଛି । ତେବେ ପ୍ରତ୍ୟେକ ଶବ୍ଦର କୌଣସି ନା କୌଣସି ଏକ ଉତ୍ସ ନିଶ୍ଚୟ ରହିଥାଏ । ବାଇନ ଶବ୍ଦର ମୂଳକୁ ନେଇ ବି ନାନାମତ ରହିଛି ।

ଆମ ଓଡ଼ିଶାରେ ପ୍ରାଚୀନ ସାହିତ୍ୟରେ ଅଵ୍ୟଵହୃତ ଗୋଟିଏ ଆଧୁନିକ ଓଡ଼ିଆ ଶବ୍ଦ ଦେଖିଲେ ପ୍ରଥମେ ଵୈଦେଶିକ ଭାଷାରେ ଉକ୍ତ ଶବ୍ଦକୁ ଉଣ୍ଡିଵାକୁ ଚେଷ୍ଟା କରନ୍ତି । ଓଡ଼ିଶାର କେତେକ ଲୋକ ମନେ କରନ୍ତି ଯେ ଓଡ଼ିଆ ଭାଷାରେ ପ୍ରଚଳିତ ବାଇନ ଶବ୍ଦଟି ଆରବୀ  بَيْنَ‎ (bayna) ଶବ୍ଦର ଓଡ଼ିଆ ରୂପ ହୋଇଥାଇପାରେ । କିନ୍ତୁ ଆରବୀରେ ପ୍ରଚଳିତ بَيْنَ‎ (bayna) ଶବ୍ଦର ଅର୍ଥ ସହ ଓଡ଼ିଆ ଭାଷାରେ ଚଳୁଥିଵା ବାଇନ ଶବ୍ଦର ଵ୍ୟଵହାର ଆଦୌ ମିଶେ ନାହିଁ । ଆରବୀ ଭାଷାରେ بَيْنَ‎ ଶବ୍ଦକୁ ମଧ୍ୟରେ,ଵିଭାଜିତ,(ଦୁଇଟି ଵସ୍ତୁ ମଧ୍ୟରେ) ଵ୍ୟଵଧାନ,ଅନ୍ତର,ଵିଯୋଗ ଅର୍ଥରେ ଵ୍ୟଵହାର କରାଯାଏ । ତେବେ ପ୍ରାଚୀନ ଆରବୀରେ بَيْنَ‎ (bayna) ଶବ୍ଦଟି (ବନ୍ଧୁ ଵା ସାଥିମାନଙ୍କ) ସଙ୍ଘ ଅର୍ଥରେ ମଧ୍ୟ ଵ୍ୟଵହାର କରାଯାଉଥିଵାର ଜଣାଯାଏ କିନ୍ତୁ ଏହି ଵ୍ୟଵହାର ଵର୍ତ୍ତମାନ ଅପ୍ରଚଳିତ  ।

ଅନ୍ୟ ଏକ ମତରେ ବାଇନ ଶବ୍ଦଟି ଓଡ଼ିଆ ଭାଇନା ଶବ୍ଦର ଏକ ରୂପ ହୋଇଥାଇପାରେ ବୋଲି କିଛି ଲୋକ ମତ ଦେଇଥାନ୍ତି । ହେଲେ ଭାଇନା ଶବ୍ଦକୁ ପୂର୍ଵାଞ୍ଚଳରେ ଭିଣୋଇ ତଥା ଦକ୍ଷିଣ ଓଡିଶାରେ ବଡ଼ଭାଇଙ୍କୁ ସମ୍ବୋଧନାର୍ଥ ଵ୍ୟଵହାର କରାଯାଏ । ଦକ୍ଷିଣ ଓଡ଼ିଶାରେ ଭ ଵର୍ଣ୍ଣ ଵର୍ଗ୍ୟ ବ ଉଚ୍ଚାରଣ ହେଉଥିଵାରୁ ଭାଇନା ଶବ୍ଦଟି ବାଇନା ଓ ଶେଷରେ ବାଇନ ହୋଇଥିଵା ଅନୁମାନ କରାଯାଏ ।

ପ୍ରାଚୀନ ଓଡ଼ିଆ ସାହିତ୍ୟରେ ବାଇମନ ଶବ୍ଦର ଏକ ସମ୍ବୋଧନଵାଚକ ଶବ୍ଦ ଭାବେ ଵ୍ୟଵହାର ହୋଇଥିଵା ଜଣାଯାଏ ।

ଅଚ୍ୟୁତାନନ୍ଦ ଦାସ ଏହି ଶବ୍ଦର ଅନେକ ସ୍ଥଳରେ ପ୍ରୟୋଗ କରିଛନ୍ତି । ଯଥା—

“ବାଇମନ ହୋ, ବସି ହଂସକୁ ଖେଳା
ହଂସ ଉଡିଗଲେ ବୁଡ଼ିବ ଭେଳା ।”

“ବାଇମନ ହୋ। ତୁ ତ ଅବନାଵନ,
ଅବନା ବନିଲେ ଅମପା ମାପିଲେ
ଅଜପାରେ ଜପ ହୋଇବ ଧନ।"

ଆଜି ବି ଏ ଶବ୍ଦଟି ଭଜନ ଲେଖିଵା ସମୟରେ କଵି ଗୀତିକାରମାନେ ଵ୍ୟଵହାର କରିଥାନ୍ତି । ଵସ୍ତୁତଃ ବାଇମନ ଶବ୍ଦକୁ କଵି ନିଜର ସଂସାର ମୋହମାୟାରେ ବାୟା ହୋଇଥିଵା ମନପ୍ରତି ତଥା  ସଂସାରୀପାଠକଙ୍କ ପ୍ରତି ସମ୍ବୋଧନ ହେତୁକ ଵ୍ୟଵହାର କରିଥାଏ । 

ଓଡ଼ିଆ ଲୋକସାହିତ୍ୟରେ ଆଉ ଏକ ଶବ୍ଦ "ବାଇଧନ" ରହିଛି ଯହିଁର ଵ୍ୟଵହାର ଠିକ୍ ବାଇନ ଶବ୍ଦ ଭଳି ହେଉଥିଲା ଅର୍ଥାତ୍ କାହାକୁ ସ୍ନେହସୂଚକ ସମ୍ବୋଧନ ପାଇଁ ଉକ୍ତ ଶବ୍ଦର ଵ୍ୟଵହାର କରାଯାଉଥିଲା । କଥିତ ଓଡ଼ିଆ ଶବ୍ଦକୋଷ ଅନୁସାରେ ପୋତାମାଲକୁ ଓ ଦଣ୍ଡ ନାଟର ନାଟୁଆଙ୍କୁ ମଧ୍ୟ ଓଡ଼ିଶାର କେତେକ ଅଞ୍ଚଳରେ ବାଇଧନ କୁହାଯାଏ ।

ବାଇଧନ ଶବ୍ଦଟି ପ୍ରିୟତମ ଵ୍ୟକ୍ତିକୁ ସ୍ନେହସୂଚକ ସମ୍ବୋଧନ ଭାବରେ ଵ୍ୟଵହାର କରାଯାଉଥିଵାର ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଉଲ୍ଲେଖରୁ ଜଣାଯାଏ ।

ପୂର୍ଵକାଳରେ କେଳାମାନେ ସାଧାରଣତଃ କେଳାଗୀତ ଗାଇଵା ସମୟରେ ଏହି ବାଇଧନ ଶବ୍ଦର ପ୍ରୟୋଗ କରି ଗାଉଥିଲେ...

"ବାଇଧନ ତ! ବାଇଧନ ଗଲେ ଵୃନ୍ଦାଵନ ତ।"

"ବାଇଧନ! ବାଇଧନ।
ବାଇଧନକୁ ମୁଁ ଛାଡ଼ି ଅଇଲି,
ଜାଗର ଯାତରା ଦିନ।"

"ମୋ ବାଇଧନ।
ପିଠା କରିଦେବି ପଅରଦିନ"

ଆମ ଓଡ଼ିଶାରେ ସାନମାନଙ୍କୁ ବଡ଼ମାନେ ସ୍ନେହରେ ବାଇଆ ! ବାୟା ! ବାୟା ଟା ! ଇତ୍ୟାଦି ସମ୍ବୋଧନ କରିଥାନ୍ତି ପୁଣି ମାଆବାପା ପୁଅକୁ ସ୍ନେହରେ ଧନ ସମ୍ବୋଧନ କରନ୍ତି । ଯୋଗିନ୍ଦ୍ର ଵିପ୍ରଙ୍କ ଟୀକା ଗୋଵିନ୍ଦ ଚନ୍ଦ୍ରରେ ତହିଁର ଏକ ଉଦାହରଣ

"ଗହନ ଵନସ୍ତ ପୋଡ଼ିଲେ ଧନରେ
ଜସ ଜଗତ ଜାଣନ୍ତି
  ମାତା କ୍ଷୀରଵତୀ ହୃଦୟ ପୋଡ଼ିଲେ
  ତାହା କେହି ନ ଜାଣନ୍ତି ।”
 
ଆଧୁନିକ ଯୁଗର ଓଡ଼ିଆ ସମାଜରେ ପତି ପତ୍ନୀ କିଂଵା ପ୍ରେମିକ ପ୍ରେମିକା ପରସ୍ପରକୁ ଇଂରାଜୀର dear ଭଳି ଧନ ସମ୍ବୋଧନ କରୁଥିଵା ଦୃଶ୍ୟ ହୋଇଥାଏ । କଵିସୂର୍ଯ୍ୟ ଵଳଦେଵ ରଥଙ୍କ ସମୟରେ ମଧ୍ୟ ଧନ ଶବ୍ଦକୁ ପ୍ରିୟତମ ଵା ପ୍ରିୟତମାକୁ ସମ୍ବୋଧନ କରିଵା ହେତୁକ ଵ୍ୟଵହାର ହେଉଥିଲା

ଖିଆଲ ପରି କି ଧନ ମନରେ ଭାଳିଲୁ ରେ,
ଖଳିକାର ନୋହିଁ କଳା ନାଗକୁ ଚାଳିଲୁରେ ।
(କିଶୋରଚନ୍ଦ୍ରାନନ୍ଦ ଖ ଚମ୍ପୂ)

ଭକ୍ତ ସାଲବେଗ ତ ସ୍ଵୟଂ ଶ୍ରୀଜଗନ୍ନାଥଙ୍କୁ ଧନ ସମ୍ବୋଧନ କରି ଗାଇଛନ୍ତି

"କାଳିଆ ଧନ,
ତୋ ଲାଗି ଯାଉ ଏ ଜୀଵନ ।
ବାରେ ନ ଦେଲୁ ଦରଶନ ।"

ହୁଏତ ଏହି ବହୁ ପ୍ରଚଳିତ ଓ ପ୍ରାଚୀନ ବାଇଧନ ଶବ୍ଦଟି ଲୋକମୁଖରେ ବାଇନରେ ପରିଵର୍ତ୍ତିତ ହୋଇଯାଇଥିଵ । ବାଇନ ଶବ୍ଦର ମୂଳ ଯାହା ହୋଇଥାଉ ଏ ଶବ୍ଦ ଏବେ ଓଡ଼ିଶାର କଥିତ ଶୈଳୀରେ ଏଵଂ ଆଧୁନିକ ଓଡ଼ିଆ ସାହିତ୍ୟରେ ବହୁଳ ପରିମାଣରେ ଵ୍ୟଵହୃତ ହେଉଅଛି ଏଵଂ ଜନାଦୃତ ମଧ୍ୟ ହୋଇଛି ।

Tuesday, July 13, 2021

କ୍ତ ଓ ତ୍କ ; ଦ୍ଵନ୍ଦ୍ଵ ଓ ଭେଦ

   🔴🔴🔴କ୍ତ ଓ ତ୍କ; ଦ୍ଵନ୍ଦ୍ଵ ଓ ଭେଦ🔴🔴🔴

କ୍ତ ଓ ତ୍କ କୁ ନେଇ ଓଡ଼ିଆ ଲୋକଙ୍କ ମନରେ ଅନେକ ସମୟରେ ଦ୍ଵନ୍ଦ୍ଵ ଜାତ ହୁଏ । ଵିଶେଷତଃ ଓଡ଼ିଆ ଭାଷା ଓ ଲିପିଠାରୁ ଦୂରେଇ ଯାଇଥିଵା ଏଵଂ ହିନ୍ଦୀ ଇଂରାଜୀର ବହୁଳ ଵ୍ୟଵହାର କରୁଥିଵା ଓଡ଼ିଆ ଵଂଶୋଦ୍ଭଵମାନେ ଏହି ଦୁଇଗୋଟି ଯୁକ୍ତାକ୍ଷର କ୍ଷେତ୍ରରେ ଦ୍ଵନ୍ଦ୍ଵରେ ପଡ଼ନ୍ତି ।

ତେବେ ସାମାନ୍ୟ ଅଭ୍ୟାସକଲେ ଏହି ଦ୍ଵନ୍ଦ୍ଵ ଉପୁଜେ ନାହିଁ ।

ମନେ ରଖିଵାକୁ ହେଵ ଯେ...

'କ୍' ସହିତ 'ତ' ଯୁକ୍ତ ହେଲେ #କ୍ତ ହୁଏ
କ୍+ତ = କ୍ତ

ଏଵଂ

'ତ୍' ସହିତ 'କ' ଯୁକ୍ତ ହେଲେ #ତ୍କ ହୋଇଥାଏ
ତ୍+କ = ତ୍କ

ତାହେଲେ ଆମ ଭାଷାରେ  ଏଭଳି ଦୁଇଗୋଟି ଚିହ୍ନ ଯୁକ୍ତିଯୁକ୍ତ କି ? ଏହା ଅଵୈଜ୍ଞାନିକ କି ?

ଏହାର ଉତ୍ତର ...

ଆଦୌ ନୁହେଁ !

ଓଡ଼ିଆ ଲିପିକୁ ଗୂଢ଼ଭାଵରେ ଜାଣିଵାକୁ ହେଲେ ବ୍ରାହ୍ମୀ ଓ ଅନ୍ୟ ଭାରତୀୟ ଲିପିଗୁଡି଼କୁ ଜାଣିଵାକୁ ହେଵ । କାରଣ ବ୍ରାହ୍ମୀ ଭାରତର ପୁରାତନ ଲିପି ଏଵଂ ଓଡ଼ିଆ ଲିପି ମଧ୍ୟ ଅନ୍ୟ ଅଧିକାଂଶ ଲିପିପରି ବ୍ରାହ୍ମୀଲିପି ମୂଳର ଏଣୁ ବ୍ରାହ୍ମୀ ଲିପିରୁ ଜାତ ପ୍ରତ୍ୟେକ ଭାରତୀୟ ଲିପି ସହିତ ଓଡ଼ିଆ ଲିପିର କିଛି କିଛି ସାମଞ୍ଜସ୍ୟ ଦୃଶ୍ୟ ହୁଏ ।

ବ୍ରାହ୍ମୀଲିପିରେ
କ୍ତ = 𑀓𑁆𑀢
ଏଠାରେ 𑀓  = କ
ଏଵଂ 𑀢 = ତ
ଯୁକ୍ତାକ୍ଷର ଲେଖିଵା ସମୟରେ ବ୍ରାହ୍ମୀଲିପିରେ ଯେଉଁ ପ୍ରଥମ ଅକ୍ଷର ସହ ଅନ୍ୟ ଅକ୍ଷର ଯୁକ୍ତ ହୁଏ ସେହି ପ୍ରଥମ ଅକ୍ଷର ଉପରେ ଗାରଟିଏ ଟଣାଯାଏ । ଦକ୍ଷିଣ ବ୍ରାହ୍ମୀରେ ପ୍ରଥମ ଅକ୍ଷର ଉପରେ ଗାର ନଦେଇ ଉଭୟ ଅକ୍ଷର ମଝିରେ ବିନ୍ଦୁଟିଏ ଦିଆଯାଏ ।  ଏହି ଗାର ଵା ଵିନ୍ଦୁ, ହଳନ୍ତ ଚିହ୍ନ ଓ ଦୁଇଟିଯାକ ଅକ୍ଷର ଯୁକ୍ତ ହୋଇଥିଵାର ସଂକେତ ମଧ୍ୟ ଅଟଇ ।

ବ୍ରାହ୍ମୀ ଲିପି ଏଥିପାଇଁ ଲିଖନ ଦୃଷ୍ଟିରୁ ସହଜ ଏଵଂ ପୂର୍ଵେ ଅକ୍ଷର ଲିଖନ ସରଳ ଥିଲା କିନ୍ତୁ ବ୍ରାହ୍ମୀ ଲିପିରେ ଅଞ୍ଚଳ ଭେଦରେ ପରିଵର୍ତ୍ତନ ହେଵାରୁ ଧିରେଧିରେ ତାହା କଳିଙ୍ଗ, ଗୁପ୍ତ,କାମରୂପୀ, କଦମ୍ବ ଓ ନାଗରୀ ଆଦି ରୂପ ଘେନି ପ୍ରଚଳିତ ହେଲା ।

ତେବେ ମୂଳ ପ୍ରସଙ୍ଗ ହେଲା କ ତଳେ ତ ପାଇଁ ଦିଆଯାଉଥିଵା ସାଂକେତିକ "୨ ସଂଖ୍ୟା ଚିହ୍ନ" ଠିକ୍ କି ?

ଏହାର ଉତ୍ତର ଜାଣିଵାକୁ ହେଲେ ଭାରତର ଵିଭିନ୍ନ ଲିପିରେ 'ତ' ଅକ୍ଷରର ସ୍ଵରୂପକୁ ଜାଣିଵାକୁ ହେଵ ।

ବ୍ରାହ୍ମୀ ଲିପିରେ  '𑀢(ତ)'  ଉପରେ ଧ୍ୟାନ ଦିଅନ୍ତୁ  । ଏହି ଅକ୍ଷରଟି ପରଵର୍ତ୍ତୀ ସମୟରେ ଓଡ଼ିଆ ଲିପିରେ ଅକ୍ଷରଚିହ୍ନ ଭାବେ ଲିଖନ ସୁଵିଧା ହେତୁକ ଓଡ଼ିଆ "ଦୁଇସଂଖ୍ୟା—୨" ରୂପ ଧାରଣ କରିଛି ।‌ ବ୍ରହ୍ମୀ
'𑀢(ତ)' ଅକ୍ଷର ହେଉ କି ଓଡ଼ିଆ 'ତ'
ଅକ୍ଷର ସାମାନ୍ୟ ପରିଵର୍ତ୍ତନ କଲେ ତାହା '୨(ଦୁଇ)' ସଂଖ୍ୟା ପରି ଦୃଶ୍ୟ ହୋଇପାରେ । କିନ୍ତୁ ଅନେକଙ୍କୁ ସହଜରେ ଵିଶ୍ଵାସ ହୁଏନାହିଁ ଯେ “ ଓଲଟା 'Y' ” = '𑀢(ତ)' ରୁ କେମିତି 'ତ'ର ଯୁକ୍ତାକ୍ଷର ଚିହ୍ନଟି ଓଡ଼ିଆ '୨(ଦୁଇ)' ସଂଖ୍ୟା ପରି ହେଵ ?

ମୈଥିଳୀ ଭାଷାର ତ୍ରିହୂତ ଲିପିର ଉଦାହରଣ ଦେଲେ ଆମ ଲିପିରେ 'କ୍ତ' ତଳେ କାହିଁକି କେମିତି 'ତ' ପାଇଁ '୨' ସଂଖ୍ୟା ପରି ଚିହ୍ନ ହେଲା ତାହା ସହଜରେ ଜାଣିହେଵ ।

ତ୍ରିହୂତ ଲିପିରେ ତ = 𑒞(ত)
ତ୍ରିହୂତ ଲିପିର 𑒞 ଦେଖିଵାକୁ  ବଙ୍ଗାଳୀ - ଅହମିୟା ଅକ୍ଷର 'ত' ଭଳି । 

ସେହିପରି ଓଡ଼ିଆ ଲିପିର 'ତ'ରୁ ମୁଣ୍ଡୁଳା ହଟେଇ ଦେଲେ ରହିଯାଏ ତାହାର ମୂଳ ଅର୍ଦ୍ଧଚନ୍ଦ୍ରାକାର ରୂପ ଏଵଂ ସେହି ରୂପ ମୂଳ ବ୍ରାହ୍ମୀଲିପିର ଓଲଟା Y = '𑀢(ତ)'ରେ ମଧ୍ୟ ଥିଲା ।

ବଙ୍ଗାଳୀ, ଅହମିୟା ଓ ମୈଥିଳୀର ତ୍ରିହୂତ ଲିପିରେ ପ୍ରଚଳିତ ত('ତ') ଉପରେ ଗାର ନଦେଇ ମୁଣ୍ଡୁଳା ବୁଲାଇ ଦେଲେ ତାହା ଓଡ଼ିଆ 'ତ' ଭଳି ହୋଇଯାଏ ।

ତେଣୁ 'କ୍ତ' ଲେଖିଵା ଆଦୌ ଅଵୈଜ୍ଞାନିକ ନୁହେଁ ଵରଂ 'କ'  ଅକ୍ଷର ତଳେ 'ତ' ର ମୂଳ ରୂପ '୨' ରହିଛି ଏଵଂ ଏହି ଦୁଇ ସଂଖ୍ୟାକୃତି ସାଂକେତିକ 'ତ' ଚିହ୍ନ ଉପରେ ମୁଣ୍ଡୁଳା ବୁଲାଇ ଦେଲେ ତାହା 'ତ' ହୋଇଯାଏ ।

ଆମ୍ଭମାନଙ୍କର ଦ୍ଵିତୀୟ ଦ୍ଵନ୍ଦ ଥିଲା,
'ତ୍' ଅକ୍ଷର ସହିତ 'କ' ଯୁକ୍ତ ହେଲେ 'ତ୍କ' ହୁଏ କିନ୍ତୁ ଏହା କ'ଣ ଠିକ୍ ଓ ଵୈଜ୍ଞାନିକ ଅଟେ ?

ବ୍ରାହ୍ମୀ ଲିପିରେ
ତ = 𑀢
ଏଵଂ
କ = 𑀓
ଏ ଲିପିରେ 'ତ୍କ' ଏହିପରି '𑀢𑁆𑀓'(ତ୍କ) ଲେଖାଯାଏ ।

ଏଠାରେ "ଓଲଟା Y" ଵା 𑀢(ତ) ରୁ ଉପର ଲାଞ୍ଜ କାଟିଦେଲେ ରହିଯାଏ 'ତ'ର ସାଂକେତିକ ହଳାକାରଚିହ୍ନ ।

ସେହିପରି ଦେଵନାଗରୀରେ
ତ = त
ଏଵଂ ଦେଵନାଗରୀରେ
ତ୍+କ = त्क

ଏବେ ଆପଣ त्क ଓ ତ୍କ ମଧ୍ୟରେ ସମାନତା ଦେଖିପାରୁଛନ୍ତି କି ?

"त्क ଓ ତ୍କ"କୁ ଦେଖିଲେ ଜଣାଯାଉଛି ଯେ ଏଠାରେ ଦେଵନାଗରୀ ଅକ୍ଷର ଉପରୁ ଗାର ଏଵଂ ଓଡ଼ିଆ ଅକ୍ଷର ଉପରୁ ମୁଣ୍ଡଳା ହଟାଇଦେଲେ ଉଭୟର ଆକାର ପ୍ରାୟତଃ ସମାନ ହୋଇଯିଵ ।

ଏଠାରେ ଅନ୍ୟ ଭାରତୀୟ ଲିପିଗୁଡି଼କରେ 'ତ୍କ'ର ସ୍ଵରୂପ କେମିତି ତାହାର ଉଦାହରଣ ଦିଆଗଲା

ଅହମିୟା—ৎক
ବାଲିନିଜ୍—ᬢ᭄ᬓ
ଗୁଜରାଟୀ— ત્ક
ବର୍ମୀଜ୍— တ္က
ବଙ୍ଗାଳୀ— ৎক
ଚାମ୍— ꩅꨆ
ଗ୍ରନ୍ଥ ଲିପି— 𑌤𑍍𑌕
ଗ୍ରନ୍ଥ ଲିପି—ത്ക(ପାଣ୍ଡ୍ୟ)
ଜାଭାନିଜ୍—ꦠ꧀ꦏ
କୈଥୀ—𑂞𑂹𑂍(ହିନ୍ଦୀର ପୁରୁଣା ଲିପି)
କନ୍ନଡ଼—ತ್ಕ
ଖରୋଷ୍ଠି—𐨟𐨿𐨐
ଲାଓ—ຕ຺ກ(ପାଲୀ),ຕກະ(ଆଧୁନିକ)
ମଳୟାଳମ—ത്ക
ନେୱା—𑐟𑑂𑐎(ନେପାଳ ଭାଷା)
ଗୁରମୁଖି—ਤ੍ਕ
ସୌରାଷ୍ଟ୍ର ଲିପି— ꢡ꣄ꢒ
ଶାରଦା ଲିପି—𑆠𑇀𑆑
ସୈଲହଟୀ ନାଗରୀ—ꠔ꠆ꠇ
ତାମିଲ—த்க
ତେଲୁଗୁ—త్క
ଥାଇ—ตฺก
ତିବେତାନ୍—ཏྐ
ତ୍ରିହୂତ—𑒞𑓂𑒏(ପ୍ରାଚୀନ ମୈଥିଳୀ ଲିପି)

ଵିଭିନ୍ନ ଲିପିରେ ତ୍କ ପାଇଁ ଥିଵା ଯୁକ୍ତାକ୍ଷରଗୁଡି଼କୁ ଅନୁଧ୍ୟାନ କଲେ
ଗୁଜରାଟୀ ଲିପିରେ ତ୍କ =  ત્ક,
ନେୱା ଵା ନେପାଳ ଭାଷାର ଲିପିରେ ତ୍କ = 𑐟𑑂𑐎
କୈଥୀ ଲିପିରେ ତ୍କ = 𑂞𑂹𑂍
ଏଵଂ ଦେଵନାଗରୀରେ ତ୍କ = त्क
ଏତିକି ମାତ୍ର ଭାଷାର ଯୁକ୍ତାକ୍ଷର ત્ક,𑐟𑑂𑐎,𑂞𑂹𑂍,त्क ସହିତ ଓଡ଼ିଆ ଲିପିର 'ତ୍କ' ସାମଞ୍ଜସ୍ୟ ସର୍ଵାଧିକ ରହିଛି ।

ତେବେ ଦେଵନାଗରୀରେ ତ୍ ସହିତ ଯେଉଁ ଅକ୍ଷର ବି ଯୁକ୍ତ କଲେ ସେହି ସମାନ ରୂପେ ହୋଇଥାଏ
ଯଥା—
त्क,त्ख,त्ग,त्घ,त्ज,त्थ,त्म ଇତ୍ୟାଦି

त्र(ତ୍ର) ଓ त्त(ତ୍ତ) ଏହାର ଵ୍ୟତିକ୍ରମ

କିନ୍ତୁ ଓଡ଼ିଆ ଲିପିରେ ଲେଖିଲାବେଳେ କେଵଳ
ତ୍କ,ତ୍ନ,ତ୍ପ,ତ୍ମ,ତ୍ସ ଏତିକି ଯୁକ୍ତାକ୍ଷରରେ ହିଁ 'କ' ଅକ୍ଷର ତଳେ 'ତ' ର ସାଂକେତିକ ହଳାକାର ଚିହ୍ନ ରହିଥାଏ ।

ବାକି ତ୍ଖ,ତ୍ଗ,ତ୍ଘ,ତ୍ଙ,ତ୍ଚ,ତ୍ଛ,ତ୍ଝ,ତ୍ଟ,ତ୍ଠ,ତ୍ଡ,ତ୍ଣ,ତ୍ଥ,ତ୍ଦ,ତ୍ଧ,ତ୍ଫ,ତ୍ଭ,ତ୍ଶ,ତ୍ଷ,ତ୍ହ
ଆଦିରେ ଦ୍ଵିତୀୟ ଅକ୍ଷର ପୂର୍ଣ୍ଣତଃ ଚିହ୍ନ ରୂପେ ଵ୍ୟଵହାର ହୁଏ ।

ପୁନଶ୍ଚ ଓଡ଼ିଆ ଲିପିରେ 'ତ' ସହ କେତେକ ଅକ୍ଷର ଯୁକ୍ତ ହେଲେ ସ୍ଵତନ୍ତ୍ର ଫଳା ଚିହ୍ନ ହୁଏ ଯଥା...
ଢ=ତ୍ଢ(ତ୍+ଢ)
ବ=ତ୍ବ(ତ୍+ବ)
ଵ=ତ୍ଵ(ତ୍+ଵ)
ଯ=ତ୍ଯ(ତ୍+ଯ)
ର=ତ୍ର(ତ+ର)
ଳ=ତ୍ଳ(ତ୍+ଳ)
ଲ= ତ୍ଲ(ତ୍+ଲ)

ସେହିଭଳି 'ତ୍' ସହିତ 'ତ' ମିଶିଲେ ଆମ ଲିପିରେ ଯୁକ୍ତାକ୍ଷର 'ତ୍ତ' ହୁଏ ।

ଓଡ଼ିଆ ଲିପିରେ କ୍ତ ଓ ତ୍କ ଯୁକ୍ତାକ୍ଷର ସହିତ ଅନ୍ୟ ଭାରତୀୟ ଲିପିର ସମାନ ଯୁକ୍ତାକ୍ଷର ମେଳ କରି ଆମେ ଜାଣିଲେ ଯେ ଦୁଇଗୋଟି ଭିନ୍ନ ଭିନ୍ନ ଦିଗରୁ 'ତ' ର  ସାଂକେତିକ ଚିହ୍ନ ପରିଵର୍ତ୍ତିତ ହୋଇଅଛି ଫଳତଃ ଏହା ଅଵୈଜ୍ଞାନିକ ନୁହେଁ ଵରଂ ଲିପି ମାନକୀକରଣର ଏକ ଉଦାହରଣ ।


ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...