Wednesday, July 31, 2019

ଶ୍ରାଵଣ ଅମାଵାସ୍ଯା ; କିଛି ଜାଣିଵା କଥା

ସ୍ନାନ  ପୂର୍ଣ୍ଣିମାରେ  ମହାପ୍ରଭୂମାନଙ୍କର  ମସ୍ତକରେ  ଯେଉଁ  ଚତାମାନ ‘ଉଲାଗି’  କରାଯାଇଥାଏ,  ସେଗଡ଼ିକ ‘ଲାଗି’  କରବା ହେଉଛି ଶ୍ରୀମନ୍ଦିରରେ  ଏହି ଦିନର ଧାର୍ମକ  ପରମ୍ପରା ।

କେତେକ ଐତିହାସିକଙ୍କ ମତରେ ଏହା   ତ୍ରୟୋଦଶ  ଶତାବ୍ଦୀରୁ  ଶ୍ରୀମନ୍ଦିରରେ ପ୍ରଚଳିତ ହୋଇଥିଲା ।
  ପରୀ,  ଗଞ୍ଜାମ, ନୟାଗଡ଼, ଅଵିଭକ୍ତ କଟକ ଓ ଢେଙ୍କାନାଳ  ଆଦି ଅଞ୍ଚଳରେ  ଏହା  ଚିତଉ  ଅମାବାସ୍ଯା ଭାଵେ ଖ୍ୟାତ ।  ଏହି ଅବସରରେ ଏଠାକାର  ଘରେ ଘରେ  ଚତଉ  ପଠା  ଓ  କ୍ଷୀରି ହୋଇଥାଏ ଏଵଂ କୂଳଦେଵତାଙ୍କୁ  ଅପଣ କରାଯାଏ ।  ଏହା ମଧ୍ଯ ଓଡ଼ିଶାର ଅନ୍ଯତମ କୃଷିଭିତ୍ତିକ ପର୍ଵ  ।  କଷକମାନେ   ଏହି  ଦିନରେ ଭୂମି ପୂଜନ କରିଥାନ୍ତି ।
ଭୂମିକୁ  ଅର୍ଘ୍ଯ ଦେଇ, ଚତଉ  ପଠା  ବିଲରେ  ପୋତି ଆସନ୍ତି । ଲୋକ ଵିଶ୍ଵାସ ଅଛି ଯେ ଏମନ୍ତ କଲେ  ଅଧିକ  ଅମଳ ହୁଏ । 

ଆଜି ସିନା ଏତେ ଦୋକନ ବଜାର ଅଛି ହେଲେ ଆଗେ ଗାଆଁଗଣ୍ଡାରେ ବର୍ଷାଦିନିଆ   ଏତେ ମୁଗ,ବିର୍ହି ମିଳୁନାଥିଲା । ତେଣୁ,  ଅରୁଆ  ଚାଉଳରେ  ଚତଉ ପିଠା ପ୍ରସ୍ତୁତ  କରାଯାଉଥିଲା । ସେଇ ପରମ୍ପରା ଆଜି ଭିନ୍ନ ରୂପ ଧାରଣ କରିନେଇଛି ଯାହାକୁ ଆମେ ଚିତଉ ଅମାଵାସ୍ୟା ଭାଵେ ଜାଣିଛନ୍ତି  ।

ବାେଲଶ୍ଵର  ଓ  କେଉଁଝରରେ ଏହି ଦିନ  ‘ଗେଣ୍ଡାକଟା  ଅମାଵାସ୍ଯା’ ପାଳିତ ହୋଇଥାଏ ।  ବର୍ଷାଦିନେ  ବିଲରେ  ଅସ˚ଖ୍ଯ  ଗେଣ୍ଡା  ଜନ୍ମ  ହୁଅନ୍ତି । 

ଏମାନଙ୍କ ଦ୍ଵାରା ଚାଷୀଙ୍କ ଗୋଡ଼  କଟିଯିଵାର  ଆଶଙ୍କା  ଥାଏ।  ତେଣୁ,  ଗେଣ୍ଡାଙ୍କୁ ସନ୍ତୁଷ୍ଟ  କରିଵା  ପାଇଁ  ବିଲ ଗାଡ଼ିଆରେ  ଚିତଉ  ପିଠା ପକାଯାଏ। ଉତ୍ତର ଓଡ଼ିଶାର କେତେକ ଅଞ୍ଚଳରେ ଏହାକୁ ଗେଣ୍ଡେଇସୁଣୀ  ପୂଜା କୁହାଯାଇଥାଏ ।  ଏହି ଅଵସରରେ  ଚାଷୀ  ଘରର  ମହିଳାମାନେ  ପିଠା ପକାଇ  ଗୀତ ବୋଲନ୍ତି—
“ଗେଣ୍ଡେଇସୁଣୀ  ଲୋ ଗେଣ୍ଡେଇସୁଣୀ,
ମୋ  ବାପା-ଭାଇ  ଗୋଡ଼  କାଟିଵନାହିଁ। 

କେତେକ ଅଞ୍ଚଳରେ ଏହିଦିନ
ସମୁଦ୍ରର ଜଳର ଅଧିଷ୍ଠିତ ଦେଵତା ଵରୁଣ ଦେଵଙ୍କୁ ଚିତଉପିଠା ଅର୍ପଣ କରାଯାଏ । ଆଗେ ଶ୍ରାଵଣ ଅମାଵାସ୍ଯାରେ ଵନ୍ଯାଭୟ ଅଧିକ ଥିଵାରୁ ଲୋକେ ଵରୁଣଦେଵଙ୍କୁ ସନ୍ତୁଷ୍ଟ କରିଵା ପାଇଁ ପୂଜା କରୁଥିଲେ । ଶହ ଶହ ଵର୍ଷପରେ ଆଜି ସେହି ପୂଜା ସହ ଚିତଉ ଵା ଚିତାଲାଗି ଅମାଵାସ୍ଯାର ଅଭିନ୍ନ ସମ୍ପର୍କ ଯୋଡ଼ି ହୋଇଯାଇଛି ।

✓ବୈଲପୋଳା ଅମାଵାସ୍ଯା—
ମହାରାଷ୍ଟ୍ରର ଵିଦର୍ଭ ଓ ତେଲେଙ୍ଗାନା ସୀମାନ୍ତ ଅଞ୍ଚଳରେ ଶ୍ରାଵଣ ଅମାଵାସ୍ଯା ଦିନ ବଳଦ ମାନଙ୍କର ଵିଶେଷ ପୂଜାର୍ଚ୍ଚନା କରାଯାଇଥାଏ ଯାହାକୁ  ସ୍ଥାନୀୟ ଅଧିଵାସୀ ପୋଳା ଵା ବୈଲପୋଳା ଅମାଵାସ୍ଯା କହିଥାନ୍ତି ।

✓ହରିୟାଲୀ ଅମାଵାସ୍ୟା
ଛତିଶଗଡ, ମଧ୍ଯପ୍ରଦେଶ, ଗୁଜରାଟର ପୂର୍ଵଭାଗ, ଉତ୍ତରପ୍ରଦେଶ, ନେପାଳ ଓ ମହାରାଷ୍ଟ୍ରର କେତେକ ଅଞ୍ଚଳରେ ଶ୍ରାଵଣ ଅମାଵାସ୍ଯା ଦିନ
ଅଶ୍ଵତ୍ଥ ଭଳି ପଵିତ୍ର ଵୃକ୍ଷ ପୂଜା ହୋଇଥାଏ ଯାହା ହରିୟାଲୀ ଅମାଵାସ୍ଯା ଭାଵେ ଜଣାଶୁଣା । ତେଲୁଗୁ ଅଞ୍ଚଳରେ ଏହିଦିନକୁ ଶ୍ରାଵଣ ବହୁଳ ଅମାଵାସ୍ଯା ନାମରେ ପାଳନ କରାଯାଏ ।

✓କୁଶଗ୍ରାହିଣୀ ଅମାଵାସ୍ଯା -
ଗୁଜରାଟରେ ଶ୍ରାଵଣ ମାସର ଅମାଵାସ୍ଯା ଦିନ ଭଗଵାନଙ୍କୁ କୁଶ ଅର୍ପଣ କରାଯାଏ । ଶାସ୍ତ୍ରରେ
ଦଶପ୍ରକାରର କୁଶ ଅର୍ପଣ କଥା କୁହାଯାଇଛି

“କୁଶାଃ କାଶା ଯଵା ଦୂର୍ଵା ଉଶୀରାଚ୍ଛ ସକୁନ୍ଦକାଃ ।
ଗୋଘୂମା ବ୍ରାହ୍ମୟୋ ମୌନ୍ଜା ଦଶ ଦର୍ଭାଃସବଲ୍ଵଜାଃ ।।”

ଏହି ଦଶପ୍ରକାର କୁଶ ମଧ୍ୟରୁ ଯେଉଁ ଯେଉଁ ଘାସ ପ୍ରାପ୍ତ ହୁଏ ତାହା ଏହି ଦିନ ଅକ୍ଷତାଵସ୍ଥାରେ ଇଶ୍ଵରଙ୍କୁ ଅର୍ପଣ କରାଯାଇଥାଏ ।

Tuesday, July 30, 2019

ହିନ୍ଦୀ ଶାଶୁମା

ହିନ୍ଦୀ ହିଙ୍ଗୋଡି଼ଆଙ୍କର ଶାଶୁମାଆ
ତା ପାଇଁ ଛାଡି଼ଲେଣି ଏ ୬୨ ମାଆ ।।

ଶାଶୁର ଅଛନ୍ତି ୯୦ଟି ପାଳିତ କନ୍ଯା
ଉଚ୍ଛୁଳଇ ଆଙ୍କ ମନେ ପ୍ରେମର ଵନ୍ଯା ।।

ହିଙ୍ଗୋଡି଼ଆ ମନ ହୁଏ ବଡ଼ ହାଇଁପାଇଁ
ହିନ୍ଦୀ ସପକ୍ଷରେ ସିଏ  ଯୁକ୍ତି କରୁଥାଇ ।।

ମାଆମାନେ କାନ୍ଦନ୍ତି ହେଇ କଇଁ କଇଁ
ପୁଅର କିନ୍ତୁ ତେଣେ ଯମା ନିଘା ନାହିଁ ।।

ମାଆର ସଖିଏ ଯାଇ ପୁଅଶାଶୁକୁ ଖଟନ୍ତି
ପୁଏ ମାତ୍ର ଏହାର ଭେଦ ବୁଝିନପାରନ୍ତି ।।

ଆପଣାର ଦୁଃଖେ କାନ୍ଦୁଅଛନ୍ତି ମାଆ ।
କେ କହୁନାହିଁ ତ ପଦେ ଆହା ଆହା ।।

ଲରିଆ, ସାଦ୍ରୀ ଓ  ଭାଷା କୁଡ଼ମଲୀ
ଆଜି ହିନ୍ଦୀ ଶାଶୁ ପାଦର ପୋଇଲି ।।

ସମ୍ବଲପୁରୀ - ଦେଶିଆ - ବାଥୁଡି଼ ଆଦି
ପୋଇଲି ଖଟଣିକୁ ଇଛା କରେ ହିନ୍ଦୀ ।।

ହେଲେ ଏ ହିଙ୍ଗୋଡା଼ କି ବୁଝିଵ ଏତା
ମୂର୍ଖାଣ୍ଡିଆ ଭଳି ଯୁକ୍ତି କରେ କେନ୍ତା ।।

ଉଠ ଉଠ ଆରେ କଳିଙ୍ଗ ସନ୍ତାନ
ଫେରାଅରେ ୬୨ ମାତାଙ୍କ ସମ୍ମାନ ।।

ଏଵେ ନ ଉଠିଲେ ଵିନିଷ୍ଟ ହୋଇଵ
ସେତେଵେଳେ ଆଉ କିଛି ନ ରହିଵ ।।

ଏଵେହୁଁ ସମ୍ଭାଳ ତମେ ଆପଣା ମନକୁ
ଅତି ଶାଶୁଭକ୍ତି ମୁଟେ ଠିକ୍ ନୁହେଁ ବାବୁ !!

ଶାଶୁଭକ୍ତି ଛାଡ଼ି ଆରେ ମାତୃଭକ୍ତି କର
ଆନ ଭାତୃ ଭଗିନୀଙ୍କୁ କେଣ୍ଟି ନକର ।।

କଳିଙ୍ଗମାତାର ବାଷଠି ଭାଖା କନ୍ଯା
ତାଙ୍କ ସମାହାରେ ଲାଗେ ଏ ଅନନ୍ଯା ।।

Monday, July 29, 2019

ରୋକିଵା ଏକ ଓଡ଼ିଆ ଦେଶଜ କ୍ରିୟା ହିନ୍ଦୀରୁ ହନୁକରଣ ନୁହେଁ

ଆଜିକାଲି କିଛିଲୋକ କହିଛନ୍ତି ଯେ ଓଡ଼ିଆ ଭାଷାରେ ପ୍ରଚଳିତ ‘ରୋକିଵା’ କ୍ରିୟାଶବ୍ଦଟି 

ହିନ୍ଦୀଭାଷାରୁ ଆନୀତ । ଆଜିକାଲି ପଡୋ଼ଶୀଙ୍କ ଭାଷାରେ ଚଳୁଥିଵା ଆମ ଭାଷାର ଶବ୍ଦ ସହିତ ସମ ସାଦୃଶ୍ୟ ଶବ୍ଦଗୁଡ଼ିକୁ ଅନୁକରଣ ଶବ୍ଦ କହିଵାର ପରମ୍ପରା ଆରମ୍ଭ ହୋଇଛି । ଓଡ଼ିଶାର ଓଡ଼ିଆ ଭାଷାର ପ୍ରଥମ ଭାଷାଵିତ୍ ଶ୍ରୀ ଗୋପୀନାଥ ନନ୍ଦଶର୍ମା ସେଭଳି ଲୋକଙ୍କ ଉଦ୍ଦେଶ୍ୟରେ ତାଙ୍କ “ଓଡି଼ଆ ଭାଷା ସନ୍ଦର୍ଭ” ପ୍ରବନ୍ଧରେ କହିଛନ୍ତି—


“ଆମ୍ଭମାନଙ୍କ ଭାଷାରେ ଏପରି କେତେକ ଶବ୍ଦ ଅଛି, ଯାହା କି ସସ୍ଵରୂପରେ ଅନ୍ୟାନ୍ୟ ଭାଷାରେ ମଧ୍ୟ ଚଳେ । ସେପରି ଶବ୍ଦଗୁଡ଼ିକ ଓଡ଼ିଆ ଭାଷା ସହ ଯେଉଁ ଭାଷାର ସମାଧିକ ପାର୍ଥକ୍ୟ ନାହିଁ, ତହିଁରେ ପ୍ରାୟ ସମାନ ରୂପ ଓ ତୁଲ୍ଯାର୍ଥଵାଚକ ରହେ । ତାହା ବୋଲି ସେପରି ଶବ୍ଦଗୁଡ଼ିକୁ ଓଡ଼ିଆ ନ କହିଵା ସଙ୍ଗତ ନୁହେଁ । ଯଥାର୍ଥତଃ ଓଡ଼ିଆଭାଷା ଅନେକ ଭାଷା ଅପେକ୍ଷା ପ୍ରାଚୀନା ଅଟେ । ପ୍ରାକୃତଭାଷାର ଏକ ଅଂଶ ରୂପେ ଵା ଅଵୟଵରୂପେ ଉଡ୍ର ଵା ଉଡ୍ର ଭାଷା ବହୁକାଳରୁ ବିଦ୍ୟମାନ ଅଛି । ତାହା ଓଡ଼ିଆର ନାମାନ୍ତର ମାତ୍ର । ପ୍ରାଚୀନ କାଳରୁ ପ୍ରଚଳିତ ଓଡ଼ିଆ ଭାଷାର ସନ୍ନିହିତ ଏଵଂ ବହୁ ପରିମାଣରେ ସଦୃଶରୂପ (ଆଧୁନିକ ହିନ୍ଦୀ)ବଙ୍ଗ ଭାଷାରେ ଓଡ଼ିଆର ଯେଉଁ କେତେକ ଶବ୍ଦ ଅବିକଳତଃ ଵ୍ଯଵହୃତ ହେଉଅଛି, ସେଗୁଡ଼ିକୁ ଯଥାର୍ଥତଃ ଚିହ୍ନି ଓଡ଼ିଆ ଶବ୍ଦ ବୋଲି ସ୍ଵୀକାର କରିଵା ଉଚିତ ।”


ତେବେ କ’ଣ ସତରେ “ରୋକିଵା” ଶବ୍ଦଟି ହିନ୍ଦୀ ଅନୁକରଣ କି ? 


ଆମେ ସମସ୍ତେ ଜାଣନ୍ତି ହିନ୍ଦୀରେ रुकना କ୍ରିୟାଶବ୍ଦ ଅଛି ଏବଂ ଏହା रोक ଶବ୍ଦରୁ ଆସିଅଛି । ରୋକ ଶବ୍ଦ ରୋଧକ ଶବ୍ଦର ପରିବୃତ୍ତିରୁ ସୃଷ୍ଟ ଅଥଵା ରୋଧ(କ) ଶବ୍ଦ ସହିତ ସମଦ୍ଧୃତ ଅଟେ ! 


ଏହା ପାର୍ସୀରେ  ରୁକ୍ ହେଇ ଚଳୁଥାଇପାରେ କିନ୍ତୁ ଓଡ଼ିଆଭାଷାରେ ଵ୍ଯଵହୃତ ରୋକିଵା ଶବ୍ଦକୁ ବୈଦେଶିକ ମନେ କରି ତାହାର ଵ୍ଯଵହାର ନକରିଵା ଅନୁଚିତ ହେବ !


ଯେହେତୁ ରୋକ ଏକ ମୂଳ ଭାରତୀୟ ଦେଶଜ ଶବ୍ଦ ତେଣୁ ଏହାକୁ ହିନ୍ଦୀର ରୁକ୍ ଶବ୍ଦରୁ ନିଆଯିବା କହିଵା ବି ଠିକ୍ ନୁହେଁ କାରଣ ରୁକ୍ ନୁହେଁ ଵରଂ ରୋକ ହେଉଛି ମୂଳ ଶବ୍ଦ !  


ତେଵେ ସଂସ୍କୃତରେ ବି ରୋକ ଶବ୍ଦ ଅଛି କି ? 


ହଁ ଅଛି !!! 


ସଂସ୍କୃତରେ ରୋକ ଶବ୍ଦର ବହୁଳ ଵ୍ଯଵହାର ନଗଦ ଅର୍ଥରେ ହୁଏ ଏବଂ ଏହି ଶବ୍ଦ ସହ ସମଦ୍ଧୃତ ଶବ୍ଦ ପାର୍ସୀ ଓ ହିନ୍ଦୀରେ ଚଳେ ଯଥା :-


ରୋକ୍କା,ରୁଖସତ୍ ଓ ରୋକ୍କଡ଼ା ଇତ୍ଯାଦି !


ଓଡ଼ିଆରେ ଆମେ ଯେତେବେଳେ ରୋକ୍ ଠୋକ୍ ଶବ୍ଦକୁ ଵ୍ଯଵହାର କରନ୍ତି ଆମେ ଜାଣିନଥାନ୍ତି ଯେ ଉକ୍ତ ରୋକ୍ ଶବ୍ଦ ମଧ୍ଯ ଶାସ୍ତ୍ରୀୟ ରୋକ ଶବ୍ଦ ସହିତ ସମଦ୍ଧୃତ ଅଟେ !


ଏ ରୋକ ଶବ୍ଦ ୟୁରୋପକୁ ଯାଇ ଲାଟିନ୍ ଭାଷାରେ lux ରେ ରୂପାନ୍ତରୀତ ହୋଇଛି (ଅର୍ଥାତ୍ ଏଠାରେ ର ବର୍ଣ୍ଣ ଲ ହୋଇଯାଇଛି) ଏବଂ ୟୁରୋପର ବିଭିନ୍ନ ଭାଷାରେ ନାନା ଗୌଣ ଅର୍ଥ ଓ ରୂପ ଧାରଣ ପୂର୍ବକ ଚଳୁଅଛି ! 


ତେବେ ଦେଶଜ 'ରୋକ' ଶବ୍ଦ ସହିତ ସମାନ ଅର୍ଥ ଥିବା କିଛି ଶାସ୍ତ୍ରୀୟ ଶବ୍ଦ ଯଥା ;ନିଗ୍ରହ,ନିରୋଧନ,ଆପତ୍ତି,କ୍ଷମ,ନିବାର,ନିୟମ,ପ୍ରସହ,ବଞ୍ଚନ ଓ କୀଳନ ଇତ୍ଯାଦି ...


ରୋକିବା ଶବ୍ଦ ସହ ସମାନ ଅର୍ଥ ରଖୁଥିବା କିଛି ଓଡ଼ିଆ କ୍ରିୟା ହେଲା:-


ଅକଟାଇବା,ଅଟକାଇବା,ଅଲଝାଇବା,ଆକଟକରିବା,ଆଡ଼ କରିବା,

ଆଡ଼ିବା,ଆବୋରିବା(ଆଗରେ ଅଟକାଇବା:ଓଗାଳିବା),ଓଗାଳିବା,କବଜିବା(ବୈ?),କାଟିବା(ଶର ପ୍ରାହାର ଅଟକାଇବା),ଥମା(ମେ)ଇବା,ନିରୋଧିବା,ଦାଣ୍ଡିବା,ବନ୍ଦ କରିବା,

ବାନ୍ଧିବା,ବାରିବା,ରୋଧ କରିବା,ରୁ(ରୋ)ଧିବା,ବାଧା ଦେବା,ରୁହାଇବା ଓ ରଖିବା ଇତ୍ଯାଦି !

 

ଏଠାରେ ଧ୍ଯାନ ଦେଲାଭଳିଆ କଥା ହେଲା ଉପରୋକ୍ତ ଓଡ଼ିଆ କ୍ରିୟାଗୁଡ଼ିକ ମଧ୍ଯରେ କିଛି କ୍ରିୟାଶବ୍ଦ କେତେକ ନିର୍ଦ୍ଧିଷ୍ଟ ସ୍ଥଳ ଵା ଦ୍ରବ୍ଯ ପାଇଁ ବ୍ଯବହାର ହୋଇଥାଏ !

ବାହାରିଆ ପର଼ଵ ପାଳନ ଯୋଗୁଁ ଓଡ଼ିଶାର ନିଜସ୍ଵ ପର୍ଵମାନ ଲୁପ୍ତ ହୋଇ ହୋଇ ଯାଉଛି

ପୂର୍ଵେ ଶ୍ରାଵଣ ମାସରେ ଓଡ଼ିଆ ଲୋକେ ଅନେକ ପର୍ଵ ପାଳୁଥିଲେ । ଏଵେ ସେଇ ସବୁ ସ୍ଥାନ ଉତ୍ତର ଭାରତରୁ ଉତ୍ପତ୍ତି ଲାଭ କରିଥିଵା କିଛି ପର୍ଵ ନେଇଯାଇଛି । ସେଥିମଧ୍ୟରୁ କାଉଡ଼ି ଯାତ୍ରା ଓ ରକ୍ଷା ବନ୍ଧନ ଅନ୍ୟତମ । ସମୟକ୍ରମେ ନୂଆ ନୂଆ ପର୍ଵ ଓଡ଼ିଆ ଲୋକଙ୍କୁ ଆକର୍ଷିତ କରୁଛି, ପୁରୁଣାରୁ ଆଗ୍ରହ ତୁଟିଯାଉଛି । ଧର୍ମ ଉପରେ ଆଧାରିତ ପର୍ଵ ବଦଳରେ ଵ୍ୟଵସାୟୀକ ପର୍ଵ ଲୋକପ୍ରିୟ ହେଉଛି । ଵର୍ତ୍ତମାନ ଅନୁଶୀଳନ କରାଗଲେ ଜାଣିଵା ଯେ, ଓଡ଼ିଶାର ପୁରପଲ୍ଲୀରେ ଆଗକାଳରେ ପାଳିତ ହେଉଥିଵା ଶ୍ରାଵଣ ମାସର ଖାଣ୍ଟି ଓଡ଼ିଆ ପର୍ଵପର୍ଵାଣୀର ପାଳନ ଅନେକାଂଶରେ କମିଯାଇଛି ।ଶ୍ରାଵଣମାସରେ ପାଳିତ ହେଉଥିଵା କେତେକ ମୁଖ୍ୟ ଓଡ଼ିଆ ପର୍ଵଗୁଡ଼ିକୁ ଜାଣନ୍ତୁ…

୧) ଅନ୍ନଦାନ ଏକାଦଶୀ —


ଶ୍ରାଵଣ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଦରିଦ୍ର ଜନଙ୍କୁ ଅନ୍ନଦାନ ଦେଵାର ମହନୀୟ ଵ୍ରତ ପାଳନ ହେଉଥିଲା । ଏହାକୁ ଗାନ୍ଧାରୀ ଏକାଦଶୀ ମଧ୍ୟ କୁହାଯାଏ । ଓଡ଼ିଶାରେ ଏହି ଏକାଦଶୀକୁ ଚକ୍ରବୁଲା ଏକାଦଶୀ କୁହାଯାଇଥାଏ । କାରଣ ଏ ଦିନ ଜଗନ୍ନାଥଙ୍କ ପ୍ରତିନିଧିସ୍ବରୂପ ସୁଦର୍ଶନଚକ୍ରକୁ ଵିମାନରେ ପୁରୀର ସାତ ସାହିରେ ବୁଲାଯାଏ । ତେଵେ ଆଜି ପ୍ରୋକ୍ତ ଅଧିକାଂଶ ଉପଯୋଗୀ ପର୍ଵ ଲୁପ୍ତ ହୋଇଅଛି ।

୨) ଆଖେଟକ ପର୍ଵ —


ଶ୍ରାଵଣ ଶୁକ୍ଳ ତ୍ରଯୋଦଶୀ ଦିନ ଆଖେଟେକ ପର୍ଵ ପାଳନ କରାଯାଉଥିଲା । ଏହି ଦିନ କ୍ଷତ୍ରିୟ ଓ କାରିଗରମାନେ ଅସ୍ତ୍ରଶସ୍ତ୍ରାଦିର ପୂଜା କରୁଥିଲେ । ଆଜି ଏ ପର୍ଵ ମଧ୍ୟ ଲୁପ୍ତ ହୋଇ ସାରିଛି ।

୩) ପଵିତ୍ରାରୋପଣ ଚତୁର୍ଦ୍ଦଶୀ —


ଶ୍ରାଵଣ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଶ୍ରୀଲିଙ୍ଗରାଜଙ୍କ ଭଗଵାନଙ୍କର ଯାତ୍ରା ହେଉଥିଲା । ଶ୍ରାବଣ ଶୁକ୍ଳ ଦ୍ବାଦଶୀ ତିଥିରେ ଵିଷ୍ଣୁ ପ୍ରଭୃତି ଦେଵତାଙ୍କୁ ପଇତା ପିନ୍ଧାଯାଏ । ତେଵେ ଯେଉଁ ଦିନଠୁଁ ପ୍ରଭୁଙ୍କ ଭକ୍ତ ପ୍ରାଚୀନ ପର୍ଵ ଛାଡ଼ି ବାହାରିଆ ଅର୍ଵାଚୀନ ପରଵ ପଛରେ ଗୋଡ଼େଇଛନ୍ତି ସେଇଦିନଠୁଁ ଏହାଙ୍କର ଅନେକ ପର୍ଵ ଏଵଂ ଏହି ପ୍ରଭୁ ନିଜେ ଅଵହେଳିତ ଅଛନ୍ତି ।

୪)ଜାଗୁଳାଈ ପଞ୍ଚମୀ —


ଶ୍ରାବଣ ଶୁକ୍ଳ ପଞ୍ଚମୀଦିନ ଏହି ପର୍ଵ ପାଳନ ହେଉଥିଲା । ଆଗେ ଏ ଦିନ ରାତିରେ ଗ୍ରାମର ଭଣ୍ଡାରି ଗୋଟିଏ ମାଟିର ଜାଗୁଆଳି ମୂର୍ତ୍ତି ନିର୍ମାଣ କରି ଗ୍ରାମର ଦ୍ବାରେ ଦ୍ବାରେ ନେଇ ବୁଲାଉଥିଲା ଓ ଗୃହସ୍ଥମାନଙ୍କୁ ଦ୍ବାରରେ ଉକ୍ତ ଠାକୁରାଣୀଙ୍କୁ ଚକୁଳି ପୂଜା ଦିଆଯିଵା ପରେ ଉକ୍ତ ପ୍ରତିମାକୁ ନେଇ ପାଣିରେ ପକାଇ ଦେଉଥିଲା । କିନ୍ତୁ ବାହାରିଆ ପର୍ଵଟେ ପାଳୁ ପାଳୁ ଦେଖାଶିଖା ଓଡ଼ିଆ ଜାତି ନିଜ ପର୍ଵଟା ଗୋଟାପଣେ ପାଶୋରି ଦେଲା ।

୫) ଝୁଲଣ ଯାତ୍ରା —


ଆଗେ ଝୁଲଣ ଯାତ୍ରା ଓଡ଼ିଶାର ଘରେ ଘରେ ପ୍ରସିଦ୍ଧ ଥିଲା । ଯେଉଁଦିନଠୁ ଭାଙ୍ଗ ଗଞ୍ଜେଇଖିଆ ଠାକୁରଙ୍କ ନାଆଁ ବଦନାମ କଲେଣି ସେଇ ଦିନଠୁ ଏ ପର୍ଵର ପ୍ରସିଦ୍ଧି ଅନେକାଂଶରେ କମିଯାଇଛି । ଆଜି ଓଡିଶାର ଲୋକ ଝୁଲଣ ଯାତ୍ରା କ’ଣ ଜାଣିଵାକୁ ଅଭିଧାନ ଅଣ୍ଡାଳନ୍ତି ସେଥିରେ ଲେଖାଥାଏ “ଶ୍ରାଵଣ ଶୁକ୍ଲଦଶମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ରାଧାକୃଷ୍ଣ ଯୁଗଳ ମୂର୍ତ୍ତିଙ୍କର ଦୋଳିରେ ଝୁଲିବା ଉତ୍ସବକୁ ଝୁଲଣ ଯାତ୍ରା କୁହାଯାଏ” ।।

୬) ନାଗ ପଞ୍ଚମୀ —


ଓଡ଼ିଶାରେ ନାଗଗୋତ୍ରୀ ଲୋକ ଅଧିକ । ସେମାନେ ଵିଶେଷ ଭାଵେ ନାଗପଞ୍ଚମୀ ପାଳୁଥିଲେ । ଏହା ଶ୍ରାବଣ କୃଷ୍ଣପଞ୍ଚମୀ ତିଥିରେ ପାଳିତ ହେଉଥିଲା ଏଵଂ ଏହାର ଅନ୍ୟ ନାମ ମନସା ପଞ୍ଚମୀ । ଏ ଦିନ ନାଗପୂଜା ଓ ମନସା ପୂଜା ହେଉଥିଲା । ମତାନ୍ତରେ କେହି କେହି ଶ୍ରାବଣ ଶୁକ୍ଳପଞ୍ଚମୀ ଵା ଜାଗୁଳେଇ ପଞ୍ଚମୀ ଦିନ ଏ ପୂଜା କରୁଥିଲେ । ତେଵେ ଦେଵୀ ପୁରାଣମତେ ଆଷାଢ଼ କୃଷ୍ଣପଞ୍ଚମୀ ଦିନ ନାଗପଞ୍ଚମୀ ତିଥି ପଡ଼ିଥାଏ । ଏ ଦିନ ଅଷ୍ଟନାଗ ଵା ତ୍ରୟୋଦଶ ନାଗ ସିଝୁଗଛମୂଳେ ପୂଜା କରାଯାଉଥିଲା। ଏଦିନ ଘରେ ନିମ୍ବପତ୍ର ଆଣି ରଖାଯାଉଥିଲା ଓ ଖିଆଯାଉଥିଲା ମଧ୍ୟ । ଲୋକ ଵିଶ୍ଵାସ ଥିଲା ଏ ପର୍ଵ ପାଳିଲେ ଵର୍ଷକ ପାଇଁ ସର୍ପଭୟ ରହେ ନାହିଁ ।

୭) ମନ୍ଵନ୍ତରା ପର୍ଵ —


ଏ ପର୍ଵ ଆଷାଢ଼ ଶୁକ୍ଳଦଶମୀ, ଶ୍ରାଵଣ କୃଷ୍ଣଅଷ୍ଟମୀ ଓ ଭାଦ୍ର ଶୁକ୍ଳତୃତୀୟାରେ ଅନୁଷ୍ଠିତ ହେଉଥିଲା । ଆଜି ଏହା ଅନେକାଂଶରେ ଲୁପ୍ତ ।

୮) ଶ୍ରାଵଣ ମାଣଵସା —


କେତେକ ଅଞ୍ଚଳରେ ଶ୍ରାଵଣ ମାସର ଗୁରୁଵାରରେ ମାଣଵସା ଓଷା ହେଉଥିଲା । ତାହା ଏଵେ ଅଛି କି ଲୁପ୍ତ ହେଲାଣି ପାଠକ କହିଵେ ।

୯) ହରିଆଲି ଉଆଁସ / ହରେଇଲି ଉଆଁସ —


ପଶ୍ଚିମାଞ୍ଚଳର ଵିଶିଷ୍ଟ ପର୍ଵ ହରିଆଲି ଓ ସାତପୁରି ଅମାବାସ୍ଯା ଵା ଶ୍ରାଵଣ ଅମାଵାସ୍ଯା ଭାଵେ ଖ୍ୟାତ ପର୍ଵଟି ଅଛି କି ନାହିଁ ତାହା ସ୍ପଷ୍ଟ ନୁହେଁ । ଆଗେ ସ୍ଥାନୀୟ ଲୋକ ଏ ଅମାବାସ୍ଯା ଦିନ ଗ୍ରାମର ଗାଈ ଚରାଇବଵ ଲୋକ ଶତାଵରୀ ଡାଳ ଆଣି ଗ୍ରାମର ପ୍ରତ୍ଯେକ ଵ୍ଯକ୍ତିଙ୍କ ଘରେ ଖୋସିଯାଉଥିଲା । ଲୋକଵିଶ୍ବାସ ଥିଲା ଏହାଦ୍ବାରା ଗ୍ରାମଵାସୀମାନେ କୁଶଳରେ ରହନ୍ତି । କିନ୍ତୁ ଆଜି ପ୍ରତ୍ୟେକ ଓଡ଼ିଆ ଲୋକ ହିନ୍ଦିଆ ହନୁକରଣରେ ବାଇ ନିଜ ପର୍ଵ ଦିଶେନି ।

୧୦) ଗହ୍ମା ପୂର୍ଣ୍ଣିମା 


ଏ ମାସର ସବୁଠାରୁ ମୁଖ୍ୟ ଦିନ । କିନ୍ତୁ ଓଡ଼ିଆ ଲୋକଙ୍କଦ୍ଵାରା ସବୁଠାରୁ ଅଧିକ ଅଵହେଳିତ ନିଜସ୍ଵ ପର୍ଵ ହେଲା ଗହ୍ମା ପୂନେଇଁ । ଉତ୍ତର ଭାରତରେ ଗୋପଳନର ଭାଷଣ ଦିଅନ୍ତି ଓଡ଼ିଶାରେ ଏହି କଥାକୁ ପର୍ଵାକାରରେ ପାଳନକରି ଲୋକଙ୍କୁ ଶିକ୍ଷା ଦିଆଯାଉଥିଲା । ଆଗେ ଓଡ଼ିଶାର ଵ୍ଯକ୍ତି ଵିଶେଷ ନିଜ ନିଜ ଗୃହରେ ଏହିଦିନ ସମସ୍ତେ ବଳଦେବଙ୍କୁ ପୂଜା କରୁଥିଲେ । ଗ୍ରାମପ୍ରାନ୍ତରେ ଗୋଟିଏ ହସ୍ତପଦ ଅଙ୍କିତ ବଳଦ ଶୋଇଵା ଆକାରର ମୃତ୍ତିକାସ୍ତୂପ ନିର୍ମାଣ କରାଯାଇ ଏଠାରେ ଗ୍ରାମର ସାଧାରଣ ବଳଦେବ ପୂଜା ଓ ଭୋଗ ହୁଏ ଓ ଗୋଟିଏ ଅଣ୍ଡିରା ବାଛୁରିକୁ ଏ ସ୍ତୂପକୁ ଆଡ଼ବାଗରେ ଡ଼ିଆଁଉଥିଲେ ଓ ସେଠାରେ ହୋଇଥିବା ଭୋଗ ଗ୍ରାମବାସୀମାନଙ୍କ ମଧ୍ଯରେ ବଣ୍ଟନ କରାଯାଉଥିଲା । ଆଜି କିନ୍ତୁ ରାକ୍ଷୀ ଭଳି ବାହାରିଆ ପର୍ଵ ଯୋଗୁଁ ଆମ ମାଟିର ପର୍ଵ ଆମଦ୍ଵାରା ହିଁ ଅଵହେଳିତ ।


୧୨)ଚିତାଲାଗି ଅମାଵାସ୍ୟା/ଚିତଉ ଅମାବାସ୍ଯା

ଏହି ଦିନ ଶ୍ରୀ ଜଗନ୍ନାଥଙ୍କର ଚିତାଲାଗି ହୁଏ ଅର୍ଥାତ୍ ଶ୍ରୀଜୀଉମାନଙ୍କ ଅଙ୍ଗରେ ଚନ୍ଦନ ଲାଗିହୁଏ ଓ  ଚିତଉ ପିଠା ଭୋଗ ଲାଗେ 


। କଳିଙ୍ଗଦେଶରର ଗୃହିଣୀମାନେ ମଧ୍ଯ ଚିତଉ ପିଠା କରି ଦେଵଦେଵୀଙ୍କୁ ଵିଶେଷତଃ ଇଷ୍ଟଦେଵଙ୍କୁ ଭୋଗ ଦେଇ ଏ ଉତ୍ସଵ ପାଳନ କରିଥାନ୍ତି।


ପ୍ରୋକ୍ତ ଅଧିକାଂଶ ପର୍ଵ ଶ୍ରାଵଣ ମାସରେ ପଡ଼େ ହେଲେ ଯେଉଁଦିନଠୁ ବାହାରିଆ ପର୍ଵ ପାଳନ ବଢି଼ଛି ସେଇଦିନଠାରୁ ଏସବୁ ପର୍ଵ ପାଳନ ଅନେକାଂଶରେ ହ୍ରାସ ପାଇଅଛି । ଓଡ଼ିଆ ଲୋକେ ନିଜେ ଏସବୁ ପର୍ଵ ଛାଡ଼ି ଦେଇଛନ୍ତି । ବାହାରର ଅଲୋଡା଼ ଵସ୍ତୁ ଗ୍ରହଣ କରିଵାକୁ ଯାଇ ଆପଣାର ମୂଲ୍ଯଵାନ ଵସ୍ତୁ ତ୍ଯାଗ କେଉଁଠିକାର ପାଣ୍ଡିତ୍ଯତା ?

ଶ୍ଲୋକାର୍ଥ—୧୯

ନ ଵିଶ୍ଵସେଦଵିଶ୍ଵସ୍ତେ ଵିଶ୍ଵସ୍ତେ ନାତିଵିସ୍ଵସେତ୍ ।
ଵିଶ୍ଵାସାଦ୍ ଭୟମୁତ୍ପନ୍ନମପି ମୂଲାନି କୃନ୍ତତି ॥

ଯିଏ ଵିଶ୍ଵାସପାତ୍ର ନୁହେଁ, ତାକୁ କେଵେଵି ଵିଶ୍ଵାସ କରିଵା ଉଚିତ ନୁହେଁ ଏଵଂ ଯିଏ ଵିଶ୍ଵାସପାତ୍ର ତାକୁ ମଧ୍ୟ ଅଧିକ ଵିଶ୍ଵାସ  କରନା କାରଣ ଵିଶ୍ଵାସରୁ ଉତ୍ପନ୍ନ ହୋଇଥିଵା ଭୟ ମନୁଷ୍ଯର  ମୂଳୋଚ୍ଛେଦ କରି ଦେଇଥାଏ ।

ଶ୍ଲୋକାର୍ଥ—୧୮

ଅନାଗତଵିଧାତା ଚ
ପ୍ରତ୍ଯୁତ୍ପନ୍ନମତିସ୍ତଥା ।
ଦ୍ଵାଵେତୋ ସୁଖମେଧତେ
ଯଦଭଵିଷ୍ଯୋ ଵିନଶ୍ଯତି ॥

ଭଵିଷ୍ଯ ନିର୍ମାତା ଓ ପ୍ରତ୍ଯୁପ୍ନମତି ଵ୍ଯକ୍ତି ସଦା ସମୃଦ୍ଧ ହୁଅନ୍ତି କିନ୍ତୁ
“ଯେମିତି ହେଵାର ଥିଵ ହେଵ
ଯେତେଵେଳେ ହଵ
ସେତେଵେଳେ ଦେଖାଯିଵ”
ଏଭଳି ଚିନ୍ତାକରୁଥିଵା
ଲୋକର ତା ସମାଜର ଵିନାଶ  ସୁନିଶ୍ଚିତ ।

Friday, July 26, 2019

ଜୟନ୍ତୀ ଓ ଜୟନ୍ତ ଶବ୍ଦ— କିଛି ଜାଣିଵା କଥା

ଜୟନ୍ତୀ ଶବ୍ଦର ଅନେକ ଅର୍ଥ ରହିଛି । ଆଜି ଏକ ନାମଵାଚକ ଶବ୍ଦ ଭାଵେ ଏହା ଓଡ଼ିଶାରେ ଲୋକପ୍ରିୟ ଅଟେ ‌ । ତେଵେ ପୁରାଣରେ ଇନ୍ଦ୍ରଙ୍କ କନ୍ଯା,ପାର୍ଵତୀ ଓ ଦୁର୍ଗାଙ୍କୁ ଜୟନ୍ତୀ କୁହାଯାଇଛି ।  ପୁରାଣୋକ୍ତ ଆଠଜଣ ଦେଵୀଙ୍କ ମଧ୍ୟରେ ଜୟନ୍ତୀ ଅନ୍ୟତମ । ସେହି ଆଠଜଣ ଦେଵୀ ହେଲେ—
୧-ମଙ୍ଗଳା
୨-ବିଜୟା
୩-ଭଦ୍ରା
୪-ଜୟନ୍ତୀ
୫-ଅପରାଜିତା
୬-ନନ୍ଦିନୀ
୭-ନାରସିଂହୀ
୮-କୌମାରୀ

ଯେଉଁ ସ୍ତ୍ରୀ ସର୍ଵଦା ଵିଜୟ ଲାଭ କରେ ତାକୁ ମଧ୍ୟ ଜୟନ୍ତୀ କୁହାଯାଏ ।
କେତେକ ଜାତୀୟ ପାଦପଙ୍କୁ ମଧ୍ୟ ଜୟନ୍ତୀ କୁହାଯାଏ ।
✓ହଳଦୀ ପାଦପର ଏକ ଶାସ୍ତ୍ରୀୟ ନାମ ମଧ୍ୟ ଜୟନ୍ତୀ ଅଟେ ।
✓ଅଗଵଥୁ ଗଛର ଶାସ୍ତ୍ରୀୟ ନାମ ଜୟନ୍ତୀ ଅଟେ ।
✓ଅପରାଜିତା ଲତାର ଅନ୍ଯନାମ ମଧ୍ୟ ଜୟନ୍ତୀ ଅଟଇ ।
✓Abutilon ପ୍ରଜାତିର ଏକ ଜାତୀୟ ପାଦପକୁ ମଧ୍ୟ ଜୟନ୍ତୀ କୁହାଯାଏ ।
✓ଆଗେ ଵିଜୟାଦଶମୀ ଦିନ ପୁରୋହିତମାନେ ଯଜମାନଙ୍କ ମଙ୍ଗଳାକାମନା ହେତୁ ଯଵର ଛୋଟ ଚାରା ଦେଉଥିଲେ ତାହାକୁ ମଧ୍ଯ ଜୟନ୍ତୀ କୁହାଯାଇଥିଲା ।

ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ
ଶ୍ରାବଣ କୃଷ୍ଣ ଅଷ୍ଟମୀ ଅର୍ଦ୍ଧରାତ୍ରର କଳାମାତ୍ର ଅଧଃ ବା ଉର୍ଦ୍ଧ୍ଵରେ ରୋହିଣୀ ନକ୍ଷତ୍ରଯୁକ୍ତ ହେଲେ ଯେଉଁ ଶୁଭଯୋଗ ହୁଏ ତାକୁ ମଧ୍ୟ
ଜୟନ୍ତୀ କୁହାଯାଇଥାଏ । ଵିଷ୍ଣୁପୁରାଣରେ ଏହିଦିନକୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ କୁହାଯାଇଛି କିନ୍ତୁ ଭାରତରେ ଅଧିକାଂଶତଃ ଭାଦ୍ର କୃଷ୍ଣ ଅଷ୍ଟମୀକୁ ହିଁ ଜନ୍ମାଷ୍ଟମୀ ଭାଵେ ପାଳନ କରାଯାଇଥାଏ ‌ ।

ପତାକା ଵା Flag  ଶବ୍ଦର ଏକ ଶାସ୍ତ୍ରୀୟ ପ୍ରତିଶବ୍ଦ ହେଉଛି ଜୟନ୍ତୀ ।

ସନାତନୀମାନେ ଵର୍ଷକ ମଧ୍ଯରେ ଯେଉଁ ୬ଗୋଟି ପ୍ରଧାନ ଵ୍ରତ ପାଳନ  କରିଥାନ୍ତି ସେଗୁଡି଼କୁ  ମଧ୍ଯ ଜୟନ୍ତୀ କୁହାଯାଏ ।

ସେହି ଛଅଟି ମୁଖ୍ଯ ଉପଵାସ ଵ୍ରତ ହେଲା
✓ଶିଵରାତ୍ରି
✓ଜନ୍ମାଷ୍ଟମୀ
✓ନୃସିଂହଜନ୍ମ
✓ଵାମନଜନ୍ମ
✓ରାମନଵମୀ
✓ମହାଷ୍ଟମୀ

ଏହି ପର୍ଵ ସମୂହକୁ ଷଡ଼ଜୟନ୍ତୀ ମଧ୍ଯ ବୋଲାଯାଏ ।

ସେହିପରି ଆଧୁନିକ ମୁଖଲିଙ୍ଗମ୍ ର ପ୍ରାଚୀନ  ନାମ ଥିଲା ଜୟନ୍ତୀ କ୍ଷେତ୍ର ।

ଆଗେ କେଵଳ ଈଶ୍ଵରଙ୍କ ସ୍ଵନକ୍ଷତ୍ର ଦିଵସକୁ ଜୟନ୍ତୀ କୁହାଯାଉଥିଲା ଏଵଂ ଷଡ଼ଜୟନ୍ତୀର କଳ୍ପନା କରାଯାଇଥିଲା । ଆଜି ଆଧୁନିକ ଯୁଗରେ ବଡ଼ ଲୋକଙ୍କ ଜନ୍ମତିଥିକୁ ମଧ୍ୟ ଜୟନ୍ତୀ ନାମ ଦେଇ ପାଳନ କରିଵାର ପରମ୍ପରା ଆରମ୍ଭ ହୋଇଛି !!!

ତେଵେ ସେହିଭଳି ଜୟନ୍ତ ଶବ୍ଦର ମଧ୍ଯ ନିମ୍ନ ଅର୍ଥ ରହିଛି

୦)ଵିଜୟୀ
୧)ଇନ୍ଦ୍ରପୁତ୍ର; ଉପେନ୍ଦ୍ର
୨)ଵିରାଟଭଵନରେ ଭୀମଙ୍କର ଛଦ୍ମ ନାମ
୩)ଦଶରଥଙ୍କ ମନ୍ତ୍ରୀ
୪)ଚନ୍ଦ୍ର
୫)ସଙ୍ଗୀତରେ ଧ୍ରୁଵକ ଜାତୀୟ ଏକ ରାଗିଣୀଵିଶେଷ
୬)ଶିଵ
୭)ବହୁରୂପୀ
୮)ଏକ ରୁଦ୍ରଙ୍କ ନାମ
୯) କାର୍ତ୍ତିକେୟ
୧୦)ଧର୍ମଙ୍କର ଏକ ପୁତ୍ରର ନାମ
୧୧)ଅର୍କୁରଙ୍କ ପିତାଙ୍କ ନାମ
୧୨)ଏକ ପର୍ଵତର ନାମ;ଜୟନ୍ତିକା ପର୍ଵତ
୧୩)ଜୈନଙ୍କର ଅନୁଚର ଦେଵଙ୍କ ଏକ ଭେଦ
୧୪) ଜ୍ୟୋତିଷ ଶାସ୍ତ୍ରରେ ଵର୍ଣ୍ଣିତ ଏକ ଯାତ୍ରା ଯୋଗ । ଏହି ଯୋଗ ସେତେଵେଳେ ପଡେ଼ ଯେତେଵେଳେ ଚନ୍ଦ୍ରମା ଉଚ୍ଚ ହୋଇ ଯାତ୍ରୀର ରାଶୀଚକ୍ରେ ୧୧ତମ ସ୍ଥାନରେ ପହଞ୍ଚିଯାଇଥାଏ । ଆଗେ ଯୁଦ୍ଧାଦି ଯାତ୍ରାକାଳରେ ଏହାର ଵିଚାର ଲୋକପ୍ରିୟ ଥିଲା  କାରଣ ଏହି ଯୋଗ ପଡି଼ଵାର ଅର୍ଥ ଶତ୍ରୁପକ୍ଷର ଵିନାଶ ବୋଲି ଵିଶ୍ଵାସ କରାଯାଉଥିଲା ।

Thursday, July 25, 2019

ମାଆ ମାଆ ବୋଲି ଡାକୁଛ

ମୁକୁର,ଓଡ଼ିଆଭାଷାରେ ପ୍ରକାଶିତ ଆଦ୍ୟ ସାହିତ୍ୟ ପତ୍ରିକା ମାନଙ୍କମଧ୍ୟରୁ ଅନ୍ୟତମ । ଏହା ଏକ ମାସିକ ପତ୍ରିକା ଥିଲା ଏବଂ ଏହାର ପ୍ରକାଶନ ୧୩୧୩ ଉତ୍କଳୀୟ ଵର୍ଷ ବୈଶାଖ ମାସଠାରୁ ଅର୍ଥାତ୍ ଇଂରାଜୀ ୧୯୦୫ ଖ୍ରୀଷ୍ଟାବ୍ଦ ଏପ୍ରିଲ ମାସଠାରୁ ଆରମ୍ଭ ହୋଇଥିଲା । ଏହାର ସମ୍ପାଦକ ଥିଲେ ଵିଶିଷ୍ଟ କଵି ତଥା ଉତ୍କଳ ସମ୍ମିଳନୀର ଏକଦା ସମ୍ପାଦକ ଶ୍ରୀ ବ୍ରଜ ସୁନ୍ଦର ଦାସ । ମୁକୁର ପତ୍ରିକାଟି ପ୍ରଥମେ ଓଡ଼ିଶା ମିଶନ ପ୍ରେସ କଟକରୁ ମୁଦ୍ରିତ ହେଉଥିଲା | ପରେ ଏହା ନିଜସ୍ୱ ମୁକୁର ପ୍ରେସ କଟକରୁ ପ୍ରକାଶିତ ହେଵାକୁ ଲାଗିଲା ।ମୁକୁର ପତ୍ରିକାରେ ଧର୍ମ, ଦର୍ଶନ, ସାମାଜିକ ସଚେତନତା, ସଂସ୍କାରଧର୍ମୀ ପ୍ରବନ୍ଧ ପ୍ରକାଶ ପାଉଥିଲା ।

ଉତ୍କଳମାତାଙ୍କ ଵ୍ଯଥା "ମାଆ ମାଆ ବୋଲି ଡାକୁଛ କି" କଵିତା ମାଧ୍ୟମରେ କଵି ପ୍ରକାଶ କରିଛନ୍ତି ଓ ମତାନ୍ତରେ ଏହା ସୁପ୍ତ ଓଡ଼ିଆ ଜାତି ପାଇଁ ଏକ ଆହ୍ଵାନ ମୂଳକ ଉଦବୋଧନୀ କଵିତା କହିଲେ ମଧ୍ୟ ଅତ୍ୟୁକ୍ତି ହେଵ ନାହିଁ । ଶ୍ରୀ ବ୍ରଜସୁନ୍ଦର ଦାସଙ୍କ ମାଆ ମାଆ ବୋଲି ଡାକୁଚ ମୋତେ ଜାତୀୟତାଵାଦୀ କଵିତାଟି ନିମ୍ନରେ ପ୍ରଦତ୍ତ କରାଗଲା ...




••••••••••ମାଆ ମାଆ ବୋଲି ଡାକୁଛ କି ?••••••••••

ମାଆ ମାଆ ବୋଲି ଡାକୁଛ କି ମୋତେ
ଆରେ ମୋ ଦୁଃଖପାସୋରା
କାହିଁ ଯାଇଁ ଚେଇଁ ଶୋଇଥିଲ ବାପ
ମୋ ମନ ନୟନ ତାରା ।।

ଦିଏଁ ନୀର କ୍ଷୀର ରୂପେ ମୋ ରୁଧୀର
ଵିଦାରି ହୃଦୟ ଯୋଗାଏଁ ଆହାର
ମୋ ସୁଖ ସମ୍ପଦ କରିଅଛି ଜୂର
ଭୂଲି ଯାଉଅଛ ପରା ।।

ମୁଣ୍ଡ ଗଣ୍ଡି ମୋର ହୋଇ ଖଣ୍ଡ ଖଣ୍ଡ
ମୋ ସୁନା ସଂସାର ହେଲା ଲଣ୍ଡ ଭଣ୍ଡ
ଦେଖୁଥିଵ କିରେ ମା’ର ଏହି ଦଣ୍ଡ
ମୋ ଦିନ—ସରା—ପସରା ।।

ହାତ ଓଠ ଧରି କହୁଛି ରେ ଧନ
ମୋ ଦୁଃଖ ନାଶନେ ବଳା ଏଵେ ମନ
ଛାଡ଼ ହିଂସା ଦ୍ଵେଷ ମାନ ଅଭିମାନ
ମାତା—ଦୁଃଖ—ଶୋକହରା ।।

ମୋ ବାପ ପରାରେ ଜଗତର ପିତା
ଦୁଃଖିନୀ ବୋଲି କି ହେଵି ତାଙ୍କୁ ପିତା
ପୂତ ବଳେ ମୁଁ ତ ହେଵି ଜଗଜ୍ଜିତା
ପୁଏ ପଣ କଲେ ପରା ।।

©ଶ୍ରୀବ୍ରଜସୁନ୍ଦର ଦାଶ

Tuesday, July 23, 2019

ଢେଙ୍କାନାଳର ଶବ୍ଦ ୩

•କାତି—କଟୁରୀ, କୁରାଢ଼ି

•କୁଟ୍’ କୁଟା—ଛୋଟ ଛୋଟ ଟୁକୁଡା଼,ଅତି କ୍ଷୁଦ୍ର ଖଣ୍ଡ ଅଵସ୍ଥା

•କୁଟକୁଟିଆ—କପଟିଆ,ଵିଚ୍ଛିନ୍ନତାଵାଦୀ ଘରଭଙ୍ଗା ଲୋକ ଯେଉଁମାନେ କୌଶଳରେ କଥା କହି ଲୋକଙ୍କ ଘର ଭାଙ୍ଗନ୍ତି । ଉଦାହରଣ ସ୍ୱରୂପ— ଶକୁନି !
(ତୁଳନା—ଖୁଟୁଖୁଟିଆ-ଅଶାନ୍ତ, ରାୟଗଡ଼ା)

•କୁଡି଼(କୋଡ଼ି)—କୋଦାଳ

•କୁରୁଟ—କୋରଟ;ତାଳ ବାହୁଙ୍ଗାରୁ ପ୍ରସ୍ତୁତ ଦଉଡି଼

•କୁର୍ହିଆ—ଛୋଟ ଅସ୍ଥାୟୀ ଘର; ପିଲାଙ୍କ ଖେଳିଵା ପାଇଁ ପ୍ରସ୍ତୁତ ଵାସୋପଯୋଗୀ କୁଡି଼ଆ ଗୃହ 

•କୁଲୁଙ୍କୁ—ମୁରୁଜ

•କୁହୁଲା(ପାଗ)— ବର୍ଷାଦିନେ ଥଣ୍ଡାପାଗ

•କେନ୍ତେରା ଖଟା—ଏକପ୍ରକାରର ଆମ୍ଵ ଖଟା
[ତୁଳନା—:କେନ୍ତରା—ଚିରାଚିରା(ଭ),କେନ୍ତାରୀ—ଛିନଭିନ୍(ଭ);ଏ ଖଟା ମଧ୍ୟ କଞ୍ଚାଆମ୍ଵକୁ ଅତି ଛୋଟ ଲମ୍ଵା ପରସ୍ତ ପରସ୍ତ ଟୁକୁଡା଼ କରି ବନାଯାଏ]

•କେରେକେରେ—ହୋ ହାଲ୍ଲା ପାଟିତୁଣ୍ଡ କରିଵା;ବେଶି ବଲବଲ ହେଵା(ବଲାଙ୍ଗୀର—ବିଡା଼ଏ)

•କେରାୟେ—କାକୁଡି଼

•କୋଟା—ଭାଗ

•କଙ୍କତ—ପାନିଆ(ସଂ—କଙ୍କତିକା)

•କ୍ରୋଟ—ଖାଲ

•ଖଅଡି଼ଵା—ଖରଡି଼ଵା;ପାଣି ନଦେଇ ଭାଜିଵା

•ଖଇ—ନିଆ/ଲିଆ ସାଥିରେ ଥିଵା ଧାନ ଚୋପା

•ଖଜବଜ— ଚୁଙ୍ଗ ଚୁଙ୍ଗ ହେଵା;ଅସ୍ତିର ହୋଇ କାର୍ଯ୍ୟ କରିଵା

•ଖଞ୍ଜା—ଗୋଟିଏ କୁଟୁମ୍ବ ଏକାଠି ରହୁଥିଲେ ତାଙ୍କର ସମସ୍ତ ଘରକୁ ସାମୁହିକ ଭାଵେ ଖଞ୍ଜା କୁହାଯାଏ ।

•ଖଡ଼ମ—କଠଉ

•ଖଡ଼ଖଡି଼ଆ— ଭଲରେ ତେଲ ଦେଇ ଭଜାଯିଵା ଅଵସ୍ଥା;ନୂଆ ଅର୍ଥରେ ନୋଟ୍ ସହ ଏ ଶବ୍ଦର ଵ୍ଯଵହାର ହୁଏ ଯଥା ଖଡ଼ଖଡିଆ ନୋଟ । କଳାହାଣ୍ଡିରେ ଖୁଡ଼୍ ଖୁଡା଼ ଶବ୍ଦ ଏଇ ଅର୍ଥରେ ଚଳୁଅଛି ।

•ଖଣ୍ଡମଣ୍ଡଳ—ସାରା ଅଞ୍ଚଳ(କଟକାଞ୍ଚଳରେ
                  ବିଏ ଶବ୍ଦ ଚଳେ)
•ଖଣ୍ଡିଆଖାବେରା—ଖଣ୍ଡିଆଦଣ୍ଡିଆ,କ୍ଷତାକ୍ତ

•ଖଲୁ—ଭଲ(ଢେଙ୍କାନାଳରେ ‘ଖାସା’ ମାନେ ଖୁଵ୍ ଭଲ କିନ୍ତୁ ଅନୁଗୋଳରେ ‘ଖଲୁଆ’ ଶବ୍ଦର ଅର୍ଥ ଦୁଷ୍ଟ ତୁଳନା କର ‘ଖଳ’)

•ଖାଆଟା—ଲୁଗା

•ଖାଳ—ଶାଖା(କାମାକ୍ଷାନଗର ଅଞ୍ଚଳରେ ଗଛର ଶାଖା ପାଇଁ ବାହିଶବ୍ଦ ମଧ୍ୟ ପ୍ରଚଳିତ)

•ଖିଆ ପକେଇଵା—ଧାନ ଵା ଖାଦ୍ଯଶସ୍ଯକୁ ପଵନରେ ଉଡେ଼ଇଵା(ଶସ୍ଯ ଖିଆ ଯାଏ ତେଣୁ ଏଭଳି ଵ୍ଯଵହାର ହୋଇଛି)

•ଖୁକୁଡି଼―ଶୁଖିଲା ତାଳପତ୍ରର ବାହୁଙ୍ଗି
(ତୁଳନା— କଳାହାଣ୍ଡିରେ ତାଳଟାଙ୍କୁଆ ଗଜାକୁ ଖୁକ୍'ଡି଼ କୁହାଯାଏ;ସଵର୍ଣ୍ଣପୁରରେ ଖୁଖୁଡ଼ = ତାଳଗଜା, ମୟୁରଭଞ୍ଜରେ ଖୁଙ୍କୁଡି଼=ତାଳ ଟାଙ୍କୁଆ ଭିତରର ଶଶ)

•ଖୁନ୍ଦା—ହାତରେ ମୁଠା କରିଵା ପ୍ରକାର ଭେଦ

•ଖୁସିଵା = ଖୋସିଵା

•ଖୁଜୁବୁଜୁ—ଅସ୍ଥିର ହେଵା

•ଖୁଜୁବୁଜିଆ— ଚଞ୍ଚଳିଆ, ଅସ୍ଥିରମନା

•ଖୁସେଇଵା— ଛୋଟ ଗଛର ଚିରିପାଖରେ ଛୋଟ କାଠି କିଂଵା କାଙ୍କ ଦ୍ଵାରା ଅଳ୍ପ ଅଳ୍ପ ମାଟି ଖୋଳିଵା ; ଏହା ଦ୍ଵାରା ଗଛ ଭଲ ବଢ଼େ । ଏ ଶବ୍ଦ ନୟାଗଡ଼ରେ ଖୁଞ୍ଚେଇଵା ଭାଵେ ଚଳୁଅଛି ।

•ଖୁଡୁତାଶୁର—ମାମୁଁ ଶଶୁର;ସ୍ଵାମୀର ମାମୁଁ

କ୍ରମଶଃ...

Monday, July 22, 2019

ଭଗଵାନ କେଉଁଠି ଥାଆନ୍ତି ?

ନା ହଂ ତିଷ୍ଠାମି ଵୈକୁଣ୍ଠେ ଯୋଗିନାଂ ହୃଦୟେ ନ ଚ !
ମଦଭକ୍ତ୍ଯା ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ !!

“ନା ମୁଁ  ରୁହଇ ଵୈକୁଣ୍ଠେ
ନା ରୁହେ ଯୋଗୀର  ହୃଦୟେ ।
ଯହିଁ ମୋ ଭକ୍ତ ଥାଏ ହେ ନାରଦ
ସେଇଠି ହିଁ ମୁଁ ମିଳିଯାଏ ।।”

ଶ୍ରୀଭଗଵାନ ପଦ୍ମପୁରାଣର ଏକ ପ୍ରସଙ୍ଗରେ ଏହିକଥା ନାରଦଙ୍କୁ କହିଛନ୍ତି । ହେ ନାରଦ ତୁମ୍ଭେ ମୋତେ କେଉଁଠି ଉଣ୍ଡିଲେ ପାଇଵ ? ଵୈକୁଣ୍ଠ କି ଯୋଗୀର ହୃଦୟ ହୁଏତ ଶ୍ରୀଭଗଵାନ ମିଳିନପାରନ୍ତି ଵରଂ ମୋତେ ତୁମେ ମୋ ଭକ୍ତ ନିକଟରେ ହିଁ ପାଇପାରିବ । ପ୍ରହ୍ଲାଦ ଭଳି ଶ୍ରେଷ୍ଠ ଭକ୍ତ ନିକଟରେ ଶ୍ରୀଭଗଵାନ ଥାଆନ୍ତି । ଧୃଵଙ୍କ ପରି ପରମ ଭକ୍ତ ନିକଟରେ ସେ ରହିଥାନ୍ତି ‌ ।

Sunday, July 21, 2019

ମହାକଵି ପ୍ରୟୋଗ

ମହାକଵିମାନେ ସେମାନଙ୍କର ରଚନାରେ ଵ୍ଯଵହାର କରିଥିଵା ଵ୍ଯାକରଣଵିରୁଦ୍ଧ ବା ଭାଷାର ରୀତି ବିରୁଦ୍ଧ ପ୍ରୟୋଗକୁ ମହାକଵି ପ୍ରୟୋଗ କୁହାଯାଏ । ଏହା ଵ୍ଯାକରଣ ଵିରୁଦ୍ଧ ହୋଇଥିଲେ ହେଁ ଲୋକପ୍ରିୟ ହେଲେ ଶିଷ୍ଟ ପ୍ରୟୋଗରେ ଗଣାହୁଏ ।

ଓଡି଼ଆରେ ଢ଼ଗ ଅଛି
'କଵି ତୁଣ୍ଡ ମେଣ୍ଡା ମୁଣ୍ଡ'

ଅର୍ଥାତ୍

ମେଣ୍ଡା ମୁଣ୍ଡ ଯେପରି କୌଣସି ଵାଧା
ମାନେ ନାହିଁ, କଵି ତୁଣ୍ଡ ମଧ୍ଯ ସେହିପରି ଵ୍ଯାକରଣର ନିୟମକୁ ସବୁ ଵେଳେ ମାନେ ନାହିଁ।

ସବୁ ଦେଶର ସବୁ ମହାକବିମାନଙ୍କ ରଚନାରେ ଅନେକ ସ୍ଥଳରେ ଵ୍ଯାକରଣଵିରୁଦ୍ଧ ଓ ରୀତି ଵିରୁଦ୍ଧ ପ୍ରୟୋଗମାନ ଦେଖାଯାଏ । ତେଵେ ସେମାନେ ଵ୍ଯାକରଣଵିରୁଦ୍ଧ ହେଲେ ମଧ୍ଯ ମହାକଵିଙ୍କ ପ୍ରୟୋଗ ଥିଵାରୁ ଅଶୁଦ୍ଧ ବୋଲି ବୋଲାଯାଏ ନାହିଁ। ଵିଶ୍ବାସ ଶବ୍ଦ ବିଶେଷ୍ଯ, ମାତ୍ର ମହାକଵି ଜଗନ୍ନାଥ ଦାସ ଭାଗବତରେ 'ସେ ମୋର ଭକତ ଵିଶ୍ବାସ' ଏ ସ୍ଥଳରେ ଏ ଶବ୍ଦକୁ ଵିଶେଷଣ ରୂପେ ଵ୍ଯଵହାର କରିଅଛନ୍ତି। ସୁତରାଂ ଏହାକୁ ମହାକବି ପ୍ରୟୋଗ ବୋଲାଯିଵ ।।

(ପୂର୍ଣ୍ଣଚନ୍ଦ୍ର ଭାଷାକୋଷ)

ମାଗଣା ମହାଳିଆ ଉଠିଆ

ମାଗଣା ଅର୍ଥରେ ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ନାନା ଶବ୍ଦ ଚଳୁଅଛି ।

କଳାହାଣ୍ଡୀରେ ମାଗଣା ଅର୍ଥରେ #ଉଖ୍'ଲା ଶବ୍ଦ ଚଳୁଅଛି ତେଵେ ବୌଦ୍ଧରେ ଏ ଶବ୍ଦର ଅର୍ଥ ଆଗଚଲା ଅର୍ଥାତ୍ ଯେ ଆଗରେ ଚାଲେ;ନେତା ଅଟେ । ସେଇଭଳି ସମ୍ଵଲପୁରରେ ଉଖ୍'ଲା ହେଵା ଅର୍ଥ ମାନ ମହତ ପଦା ରେ ପକେଇଵା ଏଵଂ ସୁନ୍ଦରଗଡ଼ରେ
ଉଖଲା କରଵାର  ଅର୍ଥ ହୀନସ୍ତା ହେଵା ଅଟେ ‌।

କନ୍ଧମାଳରେ ମାଗଣା ଅର୍ଥରେ
ଉପ୍'କା ଵା ଉପ'ଲା କୁହାଯାଏ । ହିନ୍ଦୀରେ କିନ୍ତୁ ଉପଲା ମାନେ ଘସି ଅଟେ ।

ମାଲକାନଗିରିରେ ଏ ଶବ୍ଦ ମାହାଳିଆ ଅର୍ଥରେ
ଉବ'କା ହୋଇ ପ୍ରଚଳିତ ।

ନଵରଙ୍ଗପୁରରେ ଉପୁରୀ ଶବ୍ଦର ଅର୍ଥ ଵିନା ପରିଶ୍ରମେ ଲବ୍ଧ ପଦାର୍ଥ । ଏ ଶବ୍ଦ ପୂର୍ଵାଞ୍ଚଳରେ ଲାଞ୍ଜ ଅର୍ଥରେ ଵ୍ଯଵହୃତ ହୋଇଥାଏ ।

ସେହିଭଳି ନଵରଙ୍ଗପୁରରେ  ଉଲ୍’ଫା ଶବ୍ଦର ଅର୍ଥ ତୁଛାରେ କିନ୍ତୁ କୋରାପୁଟରେ ଏହି ଶବ୍ଦ ମାହାଳିଆ ଅର୍ଥରେ ଵ୍ଯଵହୃତ ହୋଇଥାଏ ।

ଦେଓଗଡ଼ରେ ଉଝେଇ ଶବ୍ଦର ଅର୍ଥ ମାଗଣା ଵା ମାହାଳିଆ କିନ୍ତୁ ପୁରୀରେ ପହଞ୍ଚିଲାଵେଳକୁ ଏ ଶବ୍ଦର ଅର୍ଥ ତୁଚ୍ଛା ହୋଇଯାଏ ।

ଆମ ଭାଷାରେ ମାହାଳିଆ ଵା ମାଗଣା ଅର୍ଥରେ ଥିଵା ଆଉ କିଛି ପ୍ରତିଶବ୍ଦର ଉଲ୍ଲେଖ କରାଗଲା...

✓ଅଧୀଷ୍ଟ(ଏହାର ଏକ ଅର୍ଥ ଅଵୈତନିକ)
✓ଅଶୁଳ୍କ
✓ମୂଲ୍ଯରହିତ
✓ଉଠିଆ
✓ଉଦା
✓ଉପରି(ଏହାର ଲୋକପ୍ରିୟ ଅର୍ଥ ଲାଞ୍ଜ ହେଲାଣି)
✓ନକଉଡ଼ିଆ
✓ପଲା
✓ମୋଫତ୍
✓ମାହାଳିଆ/ମାହୁଳିଆ
✓ଫୋକଟ
✓ମାଗଣା/ମାଗେଣା
✓ଫାଙ୍କତାଳ
✓ବେ ଆରିଙ୍ଗ୍
✓ଯଚ୍ନିଆ(ଯାହା ଯାଚି କି ଦିଆଯାଏ)

ସେହିଭଳି ଆମ ଓଡ଼ିଶାର ଜନଜାତୀୟ ଭାଷାରେ ମଧ୍ୟ ମାଗଣାର ପ୍ରତିଶବ୍ଦ ଚଳୁଅଛି ।
ଯଥା—

✓କୁଇ—ଆରେନେ
✓ଖରିଆ—ମଙ୍ଗନା(ଓ—ମାଗଣା)
✓ମୁଣ୍ଡା—ସାମାତେ

ଆପଣଙ୍କ ଅଞ୍ଚଳରେ ମାଗଣା ଅର୍ଥରେ ଏଇଭଳି କୌଣସି ନିଆରା ଶବ୍ଦ ଚଳୁଥିଲେ ନିଶ୍ଚୟ ଜଣାନ୍ତୁ ...

Saturday, July 20, 2019

*ପ୍ରଶ୍ନ*

ଜାଣିନଥିଲେ ପ୍ରଶ୍ନ
କାହୁଁ ପାଇଵ ଉତ୍ତର ?
ପ୍ରଶ୍ନ ହିଁ ତ ଜନକ
ଯେ ଜନ୍ମ ଦିଏ ଉତ୍ତର !

ପ୍ରଶ୍ନ ସତ୍ଯ ଆଦି ଅନନ୍ତ
ଉତ୍ତର ତା ବହୁତ
ପ୍ରଶ୍ନ ସଦା ଗୋଟିଏ ହିଁ
ଉତ୍ତର ତ ବହୁତ ।।

ପ୍ରଶ୍ନ ଯଦି ବୃକ୍ଷ ମୂଳ
ଉତ୍ତର ଶାଖାପ୍ରଶାଖା
ପ୍ରଶ୍ନ ବିନା ଉତ୍ତରର
ଆଉ କେ ଵା ପୁରୁଖା ।

ପ୍ରଶ୍ନ ହିଁ ତ ଵିକାଶର
ମୂଳମନ୍ତ୍ର ଅଟଇ
ପ୍ରଶ୍ନ ଯୋଗୁଁ ଜଗତରେ
ଉଦ୍ଭାବନ ହୁଅଇ ।।

ପ୍ରଶ୍ନ ଯଦି ନ ଆସନ୍ତା
ଵୈଜ୍ଞାନିକ ମନକୁ
ଉତ୍ତର କି ଉଣ୍ଡିଥାନ୍ତା
ସେ ତା'ର ମନକୁ ?

ପ୍ରଶ୍ନ ଵିନା ଆଵିଷ୍କାର
ନହୁଅଇ ସମ୍ଭଵ
ପ୍ରଶ୍ନ ହିଁ ତ ପୁଚ୍ଛା କରି
ଶ୍ରେଷ୍ଠ ହେଲା ମାନଵ ।।

ପ୍ରଶ୍ନ ହେଉ ଭଗଵାନ
ପ୍ରତି ଵିଜ୍ଞ ଜନର
ପ୍ରଶ୍ନ ଵିନା ଗତି କାହିଁ
ସେହି ଏକା ଈଶ୍ଵର ।।

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...