Thursday, July 25, 2019

ମାଆ ମାଆ ବୋଲି ଡାକୁଛ

ମୁକୁର,ଓଡ଼ିଆଭାଷାରେ ପ୍ରକାଶିତ ଆଦ୍ୟ ସାହିତ୍ୟ ପତ୍ରିକା ମାନଙ୍କମଧ୍ୟରୁ ଅନ୍ୟତମ । ଏହା ଏକ ମାସିକ ପତ୍ରିକା ଥିଲା ଏବଂ ଏହାର ପ୍ରକାଶନ ୧୩୧୩ ଉତ୍କଳୀୟ ଵର୍ଷ ବୈଶାଖ ମାସଠାରୁ ଅର୍ଥାତ୍ ଇଂରାଜୀ ୧୯୦୫ ଖ୍ରୀଷ୍ଟାବ୍ଦ ଏପ୍ରିଲ ମାସଠାରୁ ଆରମ୍ଭ ହୋଇଥିଲା । ଏହାର ସମ୍ପାଦକ ଥିଲେ ଵିଶିଷ୍ଟ କଵି ତଥା ଉତ୍କଳ ସମ୍ମିଳନୀର ଏକଦା ସମ୍ପାଦକ ଶ୍ରୀ ବ୍ରଜ ସୁନ୍ଦର ଦାସ । ମୁକୁର ପତ୍ରିକାଟି ପ୍ରଥମେ ଓଡ଼ିଶା ମିଶନ ପ୍ରେସ କଟକରୁ ମୁଦ୍ରିତ ହେଉଥିଲା | ପରେ ଏହା ନିଜସ୍ୱ ମୁକୁର ପ୍ରେସ କଟକରୁ ପ୍ରକାଶିତ ହେଵାକୁ ଲାଗିଲା ।ମୁକୁର ପତ୍ରିକାରେ ଧର୍ମ, ଦର୍ଶନ, ସାମାଜିକ ସଚେତନତା, ସଂସ୍କାରଧର୍ମୀ ପ୍ରବନ୍ଧ ପ୍ରକାଶ ପାଉଥିଲା ।

ଉତ୍କଳମାତାଙ୍କ ଵ୍ଯଥା "ମାଆ ମାଆ ବୋଲି ଡାକୁଛ କି" କଵିତା ମାଧ୍ୟମରେ କଵି ପ୍ରକାଶ କରିଛନ୍ତି ଓ ମତାନ୍ତରେ ଏହା ସୁପ୍ତ ଓଡ଼ିଆ ଜାତି ପାଇଁ ଏକ ଆହ୍ଵାନ ମୂଳକ ଉଦବୋଧନୀ କଵିତା କହିଲେ ମଧ୍ୟ ଅତ୍ୟୁକ୍ତି ହେଵ ନାହିଁ । ଶ୍ରୀ ବ୍ରଜସୁନ୍ଦର ଦାସଙ୍କ ମାଆ ମାଆ ବୋଲି ଡାକୁଚ ମୋତେ ଜାତୀୟତାଵାଦୀ କଵିତାଟି ନିମ୍ନରେ ପ୍ରଦତ୍ତ କରାଗଲା ...




••••••••••ମାଆ ମାଆ ବୋଲି ଡାକୁଛ କି ?••••••••••

ମାଆ ମାଆ ବୋଲି ଡାକୁଛ କି ମୋତେ
ଆରେ ମୋ ଦୁଃଖପାସୋରା
କାହିଁ ଯାଇଁ ଚେଇଁ ଶୋଇଥିଲ ବାପ
ମୋ ମନ ନୟନ ତାରା ।।

ଦିଏଁ ନୀର କ୍ଷୀର ରୂପେ ମୋ ରୁଧୀର
ଵିଦାରି ହୃଦୟ ଯୋଗାଏଁ ଆହାର
ମୋ ସୁଖ ସମ୍ପଦ କରିଅଛି ଜୂର
ଭୂଲି ଯାଉଅଛ ପରା ।।

ମୁଣ୍ଡ ଗଣ୍ଡି ମୋର ହୋଇ ଖଣ୍ଡ ଖଣ୍ଡ
ମୋ ସୁନା ସଂସାର ହେଲା ଲଣ୍ଡ ଭଣ୍ଡ
ଦେଖୁଥିଵ କିରେ ମା’ର ଏହି ଦଣ୍ଡ
ମୋ ଦିନ—ସରା—ପସରା ।।

ହାତ ଓଠ ଧରି କହୁଛି ରେ ଧନ
ମୋ ଦୁଃଖ ନାଶନେ ବଳା ଏଵେ ମନ
ଛାଡ଼ ହିଂସା ଦ୍ଵେଷ ମାନ ଅଭିମାନ
ମାତା—ଦୁଃଖ—ଶୋକହରା ।।

ମୋ ବାପ ପରାରେ ଜଗତର ପିତା
ଦୁଃଖିନୀ ବୋଲି କି ହେଵି ତାଙ୍କୁ ପିତା
ପୂତ ବଳେ ମୁଁ ତ ହେଵି ଜଗଜ୍ଜିତା
ପୁଏ ପଣ କଲେ ପରା ।।

©ଶ୍ରୀବ୍ରଜସୁନ୍ଦର ଦାଶ

No comments:

Post a Comment

Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...