Monday, July 8, 2019

/////ପ୍ରତ୍ଯୁତ୍ତର/////

🐔‘ପୋଇରାଣୀ’ର ଵାହାଘର 🦅‘ବାଜବାବୁ’ଙ୍କ ସହ ହେଇଗଲାରୁ  ସେହି ଉତ୍କଣ୍ଠିତ ନଵଦମ୍ପତି
👥ମୁଖପୁସ୍ତିକାରେ ଗଦେ 🤳ଆଲୋକଚିତ୍ର
ଛାଡ଼ିଦେଲେ ।

ତାଙ୍କ ଚିତ୍ର ତଳେ
ଵିଭିନ୍ନ ଜାତିର ପକ୍ଷୀ ମନ୍ତଵ୍ଯ ଦେଇଥିଲେ ଜଣେ ସମ୍ପର୍କୀୟ ଭାଇ ପେଚା ଶୁଭକାମନା ଲେଖି ମଙ୍ଗଳ ମନାସି ଥିଲା ।

ପୋଇର ଵିଦେଶିନୀ ମାମୁଁଝିଅ ପେଙ୍ଗୁଇନ୍ ଲେଖିଥିଲା—“ବେଷ୍ଟ୍ ଜୋଡ଼ି ଏଭର୍” ।
ବାଜପକ୍ଷୀର ଦଦାପୁଅ କାଉ ସେ ଚିତ୍ରଗୁଡ଼ିକୁ ଡେଗେଇଦେଇ ଲେଖିଥିଲା—
“ମାଇଁ ଭୈୟା ଆଣ୍ଡ୍ ଭାବୀ ! ବେଷ୍ଟ ୱିଶେସ୍ ୟୁ ଲଭଲି କପଲ୍”

ଏମିତି ଏମିତି ପାଞ୍ଚଶ ପନ୍ଦର ମନ୍ତଵ୍ଯ ଓ ଏକ ସହସ୍ରାଧିକ ପସନ୍ଦ ମିଳିଥିଲା ତାଙ୍କ ପୋଷ୍ଟଟିକୁ ।

ତେବେ ସେହି ପୋଷ୍ଟରେ କେଵଳ ଗୋଟିଏ ମନ୍ତଵ୍ଯ ତଳେ ଦେଢ଼ ଶହରୁ ଅଧିକ ପ୍ରତ୍ଯୁତ୍ତର ଆସିଥିଲା ।

ସେ ମନ୍ତଵ୍ଯଟା ପୋଇରାଣୀର ପ୍ରେମିକ
ଗଞ୍ଜା🐓ଚୁଳେଶ୍ଵରଙ୍କର ଥିଲା ।

ରୁଷ୍ଟ ପ୍ରେମିକ ଚୁଳେଶ୍ଵର ବାବୁ ଲେଖିଥିଲେ —

“ଆଲୋ ଛଇଳୀ ! କିମ୍ପା କଲୁ ଛଳନା,
ମନ ମୋ କରିନପାରିଲା ତାହା କଳନା ।
କି ଦୋଷ ଅନ୍ଯାୟ କରିଛି କହନ୍ତୁ ଟିକେ,
ତୋ ଵିନା ବଞ୍ଚିଛି ଲୋ ଦୁଃଖରେ କେତେ  ।।”

ତା ମନ୍ତଵ୍ଯ ତଳେ ପୋଇରାଣୀ ପ୍ରତ୍ୟୁତ୍ତର ଦେଇଥିଲା—

“ଆହେ ଜଗର ! କିବା କରନ୍ତି
ପାଦେ ବେଡ଼ି ଯେ ମୋର,
ପିତା ଲୋଡୁ଼ଥିଲେ ଜଣେ  ଆକାଶଵାହିନୀ ଯୋଦ୍ଧା,
ମାତା ଉଣ୍ଡୁଥିଲେ ରୂପ
ଦୌଲତେ ଜଗତଜିତା !
ଭାଗ୍ଯକୁ ମିଳିଲେ ଏହି
ଵୀର ଫଣୀ ନାଶକ,
ଵିଵାହ ମୋର ହେଲା
ତେଣୁ ବୁଝୁଥିଵ ନାୟକ ।।”

ରୁଷ୍ଟ ପ୍ରେମିକ ଟିକିଏ ଦବିଗଲା ବେଳକୁ
ତାଙ୍କ ମନ୍ତଵ୍ୟ ତଳେ ଏଣେ ପ୍ରତ୍ଯୁତ୍ତର ରୂପକ ଗାଳୀ ଵର୍ଷା ହୋଇଗଲାଣି ।

କାଉ ଚିଲ ଶାଗୁଣା ଇଗଲ ଓ କଜଳପାତୀ ଆଦି
ବାଜବାବୁଙ୍କ ବନ୍ଧୁ-ଭାଇ
ତଥା ଶାରୀ,ଶୁକ,ଚେମେଣୀ,ଚଟେଇ,ଚକୋର,ବଣି ଇତ୍ୟାଦି ପୋଇରାଣୀଙ୍କ ସଖୀ-ଭଗ୍ନୀ ସଭିଏଁ ମିଶି
ଵିଚରା ଗଞ୍ଜା ଭାଇଟାକୁ ଗାଳୀ ଦେଇ ଦେଇ ନାକେଦମ୍ କରିଦେଲେ ।

ଘରଚଟିଆ ଭାଇ ଏକଥା ତା ସାଙ୍ଗ ବାଇଚଢେ଼ଇକୁ କହୁଥାଏ ।
ସବୁ ଶୁଣି ବାଇଚଢେ଼ଇ କହିଲା—
“ଜାଣିଛୁ ସାଙ୍ଗ ! ଯଦି ଗଞ୍ଜାଭାଇଟା
ପୋଇନନୀ ସହ ବାହା ହୋଇଯାଇଥାନ୍ତା ନା ଏଇ ଗାଳୀ ଦେଉଥିଵା ଲୋକେ ତା ବାହାଘର ଭୋଜୀ ଖାଇ,ମଦ ପିଇ ତା ରୋଷଣୀରେ ନାଚି ନାଚି ତାହାର ଏବେ କେତେ ଯେ ପ୍ରଶଂସା କରୁଥାନ୍ତେ ! ଆଉ ପୋଇନନୀର ଏଇ  ସଖୀ ଭଗିନୀ ମାନେ ତା’ ରୂପଗୁଣର ଭଲମନ୍ଦକଥାମାନ କହି କହି ଗଞ୍ଜାଭାଇକୁ ଓ ପୋଇନନୀକୁ ବହେ ଚିଡ଼ଉଥାନ୍ତେ ଯେ !!! ଛାଡ଼ ହୋ !!!

“ବିଧି ବାମ ହେଲେ
କି କରିପାରିଵ ଜନ !
କେଵଳ କରିଵ ଯଦି
କରିଵ ପ୍ରଭୁ ଭଜନ !”

—ଶବ୍ଦାର୍ଥ—
ପୋଇ(ଗଡ଼ଜାତ)—ପେଣ୍ଠୀ;ମାଈକୁକୁଡା଼
ମୁଖପୁସ୍ତିକା—ଫେସବୁକ୍
ଆଲୋକ ଚିତ୍ର—ଫୋଟୋ
ମନ୍ତଵ୍ଯ—କମେଣ୍ଟ୍
ପ୍ରତ୍ଯୁତ୍ତର—ରିପ୍ଲାଇ
ଡେଗେଇ ଦେଵା(ଗଡ଼ଜାତ)—ସେୟାର୍ କରିଵା
ଫଣୀ—ସାପ
ଉଣ୍ଡିଵା—ଖୋଜିଵା

© ଶିଶିର ସାହୁ ମନୋଜ
ଗ୍ରାମ—କନ୍ତିଓ
ନିକଟସ୍ଥ ନଗର—ମଢୀ଼(କାମାକ୍ଷାନଗର)
ମହ୍ଲାର ଦେଶ(ଢେଙ୍କାନାଳ)
କଳିଙ୍ଗ ରାଷ୍ଟ୍ର (ଵିଶାଳ ଓଡ଼ିଶା)

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...