Wednesday, October 25, 2017

●--^--କଲରେଇଫୁଲ କଥା--^--●

ଏକ ଦେଶରେ ଜଣେ ରାଜା ଥିଲେ ଯେ ତାଙ୍କର
ସାତ ପୁଅ ଗୋଟିଏ ବୋଲି ଝିଅ ।
ଝିଅର ନାଆଁ କଲରେଇଫୁଲ ।
ଦିନେ ରାଜାଙ୍କ ମଝିଆଁ ପୁଅ
କର୍ଣ୍ଣ ପାଞ୍ଚକୁଡୁମଇ ଗଛରୁ ନାଲି ଟହଟହ ଫଳଟିଏ
ଆଣି ଘରେ ରଖି ମାଆକୁ କହିଲା -

‛ଏ ଫଳ ମୋର ସଂପତ୍ତି,ମୁଁ ବଡ଼ କଷ୍ଟ କରି ଆଣିଛି
ଏ ଫଳକୁ ଯେ ଖାଇବ ସେ ମର୍କଟୀ ହେଉ ଭ୍ରୁକୁଟି ହେଉକି କି ରାକ୍ଷସୀ ହେଉ, ମୁଁ ମା ମଙ୍ଗଳାଙ୍କ ରାଣ ପକେଇ କହୁଛି ତାକୁ ମୁଁ ନିଶ୍ଚିତ ବାହା ହେବି !’

ଭାଇ ଘରେ ନଥିଲା ବେଳେ
କଲରେଇଫୁଲ ଫଳଟି ଖାଇଦେଲା ।
କର୍ଣ୍ଣ ଜିଗର କଲା, ସେ ତା ପ୍ରତିଜ୍ଞା ରକ୍ଷା କରିବ....

ସମସ୍ତେ ବହୁତ ବୁଝେଇଲେ ।
ରାଜାପୁଅ ଯାହା ବୁଝିଛି ସେଇଆ ସେ ନିଜକଥାରୁ ଟଳିଲାନି....
ଶେଷକୁ ରାଜାଘର ଲୋକ ବିବାହ ଆୟୋଜନରେ ଲାଗିଗଲେ ।
ବେଦୀରେ ବର ବସିଲା-
କଲରେଇଫୁଲ ମନଦୁଃଖରେ ଯାଇ
ଏକ ବହୁତ ବଡ଼ ତଡାଗରେ
ବେକେ ପାଣିରେ ରହିଲା....

ସେ ନିଶ୍ଚୟ କରିନେଇଛି
ବରଂ ଆତ୍ମହତ୍ୟା ତା ପାଇଁ ଶତ ଶ୍ରେୟସ୍କର କିନ୍ତୁ
ଭାଇକୁ ବିବାହ କରିବ ନାହିଁ କି କୁଳରେ କଳଙ୍କ ଲଗାଇବ ନାହିଁ........

ମାଆ ଯାଇ ତାକୁ ଡାକୁଛନ୍ତି ...

“ଆସ ଲୋ ଆସ ଲୋ କଲରେଇଫୁଲ,
ବିଭାହେବୁ ପରା !
ବେଦୀର ବର ଯେ ବୁଢା ହୋଇଲା,
ବେଦୀ ତଳେ ପାଣି ଆଣ୍ଠୁଏ ହେଲା,
ନାହକ ବ୍ରାହ୍ମଣ ବସି ରହିଲା,
ହଳଦୀକାଠୁଆ ଫିମ୍ପି ମାଇଲା,
ପେଡି଼ ଲୁଗାଯାକ ଉଈ ଖାଇଲା
ବିବାହ ର ତିଥି ଗଡି଼ ଗଡି଼ ଯାଏ ପରା !”

କିନ୍ତୁ
କଲରେଇଫୁଲ ଅଭିମାନରେ
କହୁଛି ...
ସେ ମରିଯିବ ପଛେ ଅନ୍ୟାୟ କରିବ ନାହିଁ
ମାଆ ତାକୁ ପୁଣି ବୁଝାଉଛନ୍ତି
ତହୁଁ
କଲରେଇଫୁଲ ଫୁଲ କହୁଛି

‛ଆଗେ ହେଇଥିଲ ମାଆ

ଏବେ ହେବ ତୁମେ ଶାଶୁ

ତୁମ ମୁହଁ ମୁହିଁ କିବା ଚାହିଁବି

ଏଇ ପୋଖରୀ ରେ ବୁଡ଼ି ମରିବି’

କଲରେଇଫୁଲ କୁ ତା ମାଆ ବୁଝାଇ ପାରିଲାନି
ତହୁଁ ତା ବାପା ଆସି ତାକୁ
କହିଲା
ଯେ ସେ ପୁଣି ସେହିପରି
ମନା କରିଛି

“ଆଗେ ଥିଲ ବାପ ତେମେ
ଏବେ ହେବ ଶଶ୍ଵର ଯେ
ତୁମ ମୁହଁ ମୁହିଁ ଯାହା ଚାହିଁବି
ଏ ପୋଖରୀ ଏଭେ ବୁଡି଼ ମରିବି”

ତାପରେ
କଲରେଇଫୁଲ ର ସବା ବଡ଼ ଭାଇ
ଆସି ତାକୁ ବୁଝାଉଛନ୍ତି
ଯେ ସେ ପୁଣି କହୁଛି

“ତୁମେ ଆଗେ ହୋଇଥିଲ ଭାଇ ଯେ,
ଏବେ ହେବ ଦେଢଶୁର ଯେ ।
ତୁମ ମୁହଁ ମୁହିଁ ଯାହା ଚାହିଁବି
ଏହି ପାଣିରେ ବୁଡି଼ ମରିବି ।
ବୁଡୁ଼ରେ ଡଙ୍ଗା ବୁଡ଼ ରେ......!”

ଧର୍ମଦେବତା ଆଉ ସହି ପାରୁନଥିଲେ
ଗୋଟିଏ ନାରୀର ଧର୍ମରକ୍ଷା ପାଇଁ
ସେ ତୁଠ ପଥରରେ ଥିବା
ତେଲ ହଳଦୀ ଦୈବୀ ଯୋଗରେ ପାଣିରେ
ପଡିଗଲା ଯେ ତାହା ଏକ କୋଶଳି (ଛୋଟ ଡଙ୍ଗା) ହୋଇଗଲା ।

ଦାନ୍ତକାଠି କାତ ହୋଇଗଲା ।
ଏହି ଡଙ୍ଗାରେ ବସି କଲରେଇଫୁଲ ତଡା଼ଗ ମଝିକି ଚାଲିଗଲା ଓ ପାଣିରେ ବୁଡି଼ ମରିଗଲା ।
କିନ୍ତୁ ଧର୍ମରକ୍ଷା ପାଇଁ ପ୍ରାଣତ୍ୟାଗ କରିଥିବାରୁ
ଦୈବୀ ପ୍ରଭାବରେ ସେ କଲରା ମଞ୍ଜି ହୋଇ ତଡାଗ ତୁଠରେ ପଡି଼ରହିଲା ।
ତହିଁ ପରଦିନ ଜଣେ ଋଷି  ସେପଟେ ଯାଉଥିଲା ବେଳେ ଅତ୍ୟଧିକ ରୌଦ୍ରତାପ ଯୋଗୁଁ
ସ୍ନାନ କରିବାକୁ ଇଚ୍ଛା କଲେ ।

ସେ ସେହି ଘାଟକୁ ଗଲେ
ସ୍ନାନ କଲେ...
ସ୍ନାନ କରି ଫେରିଲା ବେଳକୁ
ତାଙ୍କ ଆଖିକୁ ଦିଶିଗଲା
ସ୍ଵାଭାବିକ ଆକାର ଠାରୁ ଯଥେଷ୍ଟ ବଡ଼
କଲରା ମଞ୍ଜିଟିଏ....

ଋଷି ଭାବିଲେ
ଏ ମଞ୍ଜିକୁ ଲଗାଇଲେ
ନିଶ୍ଚୟ ବଡ଼ ବଡ଼ କଲରା ଫଳିବ....

ତେଣୁ ସେ ତାକୁ ନେଇ ବିଭିନ୍ନ ମଞ୍ଜି ରଖାଯାଉଥିବା ଝୁଲାରେ ରଖିଦେଲେ ।

କଲରେଇଫୁଲ ପାଣିରେ ବୁଡ଼ି ମରିଥିଲେ ବି
ତା ଶରୀର କଲରାମଞ୍ଜି ହୋଇଯାଇଥାଏ  ।
ସେ ନିଶାରାତ୍ରୀରେ ଋଷିଙ୍କ ମଞ୍ଜି ଝୁଲିରୁ
ମନୁଷ୍ୟ ରୂପରେ ବାହାରି,ଘର ପାଇଟି କରି
ପୁଣି ଝୁଲି ଭିତରେ ପଶି  ମଞ୍ଜି ପାଲଟି ଯାଉଥିଲା ।
ଋଷି ବହେ ଦିନ ତାହା ଶ୍ରୀଲକ୍ଷ୍ମୀଙ୍କର ତାଙ୍କ ଭକ୍ତ ପ୍ରତି ସ୍ନେହ ମନେକରି ରହିଥାନ୍ତି ।
ଦିନେ ପ୍ରତ୍ୟୁଷ ପୂର୍ବରୁ ଉଠିପଡି଼ଲାରୁ
କଲରେଇଫୁଲ ଋଷିଙ୍କ ହାବୁଡ଼ରେ ପଡିଗଲା ।

ତହୁଁ ଋଷି ତାକୁ ତା’ ବିଷୟରେ ପୁଚ୍ଛା କରନ୍ତେ
ସେ ସବୁକଥା ଗୋଟି ଗୋଟି କରି କହିଗଲା ।
କଲରେଇଫୁଲ ସେଇଠୁ କିଛି ଦିନ ଋଷିଙ୍କ ଆଶ୍ରମରେ ତାଙ୍କ ଧରମଝିଅ ହୋଇ ରହିଲା ।
ଋଷି ଆଶ୍ରମରେ ସେ ବଡ଼ ଖୁସି ରେ ରହୁଥିଲା ହେଲେ
ଘର କଥା ମନେ ପଡିଲେ
ଲୁଚି ଲୁଚି କାନ୍ଦେ
ଦିନେ କଲରେଇଫୁଲ କାନ୍ଦୁଥିବାର ଦେଖିପାରିଲେ ଋଷି....

ଋଷି ତାକୁ ନେଇ ତା’ ଘରେ ଛାଡ଼ି ଆସିଲେ ।
ହଜିଲା ଝିଅକୁ ପାଇ ସମସ୍ତେ ଆନନ୍ଦିତ ହେଲେ ।
ଭାଇର ପ୍ରତିଜ୍ଞା ଅପୂର୍ଣ୍ଣ ରହିଲା ।
ମଲାଝିଅ ବଞ୍ଚି ଫେରିଆସିଲା ଏବଂ ତାହା ତା’ର ଆଉ ଏକ ଜନ୍ମ ଥିଲା ।
କଳଙ୍କ ରୁ ସେ ନିଜେ ଓ କୁଟୁମ୍ବ ରକ୍ଷା ପାଇଲେ ।

Tuesday, October 24, 2017

--^--ଶାସନ ଓ ଶାସକ--^--

ଶାସନ ଓ ଶାସକ
ଏମିତି ସେମିତି ଶବ୍ଦ ନୁହେଁ ....

ଟିକିଏ ଭିତରେଇକି ଦେଖିଲେ
ଏ ଶବ୍ଦ ବଡ଼ ରୋଚକ ଲାଗେ....

ସଂସ୍କୃତ ନିରୁକ୍ତୀ ନିୟମ ଅନୁଯାୟୀ
ଶାସ୍ ଧାତୁ+(ଭାବ)ଅନ ପ୍ରତ୍ୟୟ =>ଶାସନ

ଏବଂ
ଶାସ୍ ଧାତୁ(କର୍ତ୍ତୁ)ଅକ=> ଶାସକ

ସହଜ ଭାଷାରେ କହିଲେ
“ଯେ ଶାସନ କରେ ସେ ଶାସକ”

ଏ ଶବ୍ଦ ଦ୍ଵୟର ମୂଳ
ଶାସ୍ ଧାତୁ ଶବ୍ଦ.....

ତେବେ
ଶାସ୍ ଧାତୁର ଅର୍ଥ ପୁଣି ବିସ୍ତୃତ.....
ଯଥା:-

୧.ଶାସନ କରିବା
୨.ଦମନ କରିବା
୩.ଆଦେଶ ଦେବା
୪.ଉପଦେଶ ଦେବା
୫.ଶିକ୍ଷା ଦେବା
୬.କହିବା (ଇଂରାଜୀ ର say ସହ ସାମଜସ୍ୟତା ?)
୭.ବ୍ୟବସ୍ଥା କରିବା
୮.ନିୟମ ପ୍ରଣୟନ କରିବା
୯.ଦଣ୍ଡ ଦେବା
୧୦.ଇଛା କରିବା
୧୧.ପୋଷିବା
୧୨.ବଶ କରିବା

ଏ ସବୁ ଗୁଣ ତଥା କର୍ମ ମାନ ଜଣେ ଶାସକ ପାଖରେ ଥିବା ଦରକାର.....

ଜଣେ ଶାସକ କୌଣସି ଦେଶରେ
ଶାସନ କରୁଥିଲେ
ତା’ର ପରମକର୍ତ୍ତବ୍ୟ ଯେ ସେ
i.ସେ ଉକ୍ତ ଦେଶରେ
ଦୁଷ୍ଟ ଶକ୍ତିକୁ ଦମନ କରି ଶାନ୍ତି ସ୍ଥାପନା କରିବ ।
ii.ଦେଶର ଉନ୍ନତି ହେତୁ ଲୋକହିତକର ଆଦେଶ ପ୍ରଣୟନ କରିବ ।
iii.ଭବିଷ୍ୟତ ପିଢ଼ି କୁ ଧର୍ମଯୁକ୍ତ ଉପଦେଶ ଦେଇ ଦେଶର କଲ୍ୟାଣ କରୁଥିବ ।
iv.ଭବିଷ୍ୟତର ନାଗରିକଙ୍କୁ ଶିକ୍ଷିତ ଓ ଯୋଗ୍ୟ କରିବା ହେତୁ ଦେଶରେ ଶିକ୍ଷାଦାନର ବ୍ଯବସ୍ଥା କରାଇବ ।
v. ସ୍ଵ-ସ୍ଵାର୍ଥର ନୁହେଁ ବରଂ ଦେଶ ସ୍ଵାଭିମାନର କଥା କହୁଥିବ
vi.ଜନହିତକର ବ୍ୟବସ୍ଥା ଓ ନିୟମ ପ୍ରଣୟନ କରି ଦେଶରେ ଶାନ୍ତି ସୃଙ୍ଖଳା ବଜାୟ ରଖିବ ।
vii.ଦେଶ ଓ ଧର୍ମ ବିରୋଧୀ ଅପରାଧୀ ମାନଙ୍କୁ
କଡା଼ କଡା଼ ଦଣ୍ଡ ବିଧାନ କରୁଥିବ
viii.ଦେଶର ଉନ୍ନତି ଓ ଜନତା ର ସମୃଦ୍ଧି ଇଛା କରୁଥିବ....
ix.ଜନତାକୁ ବିପଦାପଦରେ
ରକ୍ଷା କରିବା ସହ ସମାଜର ପାଳନପୋଷଣ ଦାୟିତ୍ୱ ତୁଲଉଥିବ ....
X.ଦେଶର ଜନତାକୁ କାୟମନୋବାକ୍ୟରେ
ବଶୀଭୁତ କରି ପାରିବାର ସାମର୍ଥ୍ୟ ଥିବ ....

ଏ ସବୁ ଗୁଣର ଅଧିକାରୀ ହୋଇପାରିଲେ ହିଁ
ଯାଇ ଜଣେ ଭଲ ସୁଶାସକ  ହୋଇପାରିବ....

Monday, October 23, 2017

●ମୂର୍ତ୍ତି●

କୌଣସି ଏକ ଗ୍ରାମରେ ଜଣେ ଶିଳ୍ପକାର ଥାଏ ।
ଦିନେ ସେ ଜଙ୍ଗଲରୁ ଏକ ଶୁଭ୍ର ସ୍ପଟିକ ପଥର ପାଇଲା ।

ଉକ୍ତ ବିଶିଷ୍ଟ ପଥରକୁ ସେ ଘରକୁ ନେଇଆସିଲା ଏବଂ ଅନେକ ଦିନଯାଏଁ  ତହିଁରୁ ମୂର୍ତ୍ତି ଗଢିବାକୁ ଲାଗିଥାଏ ।

ସେ ପଥରର ସବୁଠାରୁ ବଡ଼ ଦୋଷ ଥିଲା ତହିଁରେ
ସାମାନ୍ୟ ଅନ୍ୟମନସ୍କ ହେଲେ ତାହା ଭାଙ୍ଗି ଯାଉଥିଲା ।
ତଥାପି ଶିଳ୍ପକାର ଯେନତେନ ପ୍ରକାରେ
ଉକ୍ତ ସ୍ପଟିକକୁ ଏକ ମୂର୍ତ୍ତି ରେ ପରିଣତ କରିବାରେ
ସଫଳ ହୋଇଗଲା ।

ମୂର୍ତ୍ତି ତିଆରି ସମ୍ପୂର୍ଣ୍ଣ ହେଲାରୁ
ଶିଳ୍ପକାର ସେହି ମୂର୍ତ୍ତିଟି ଏକ ବଡ଼ମନ୍ଦିରକୁ ପ୍ରଦାନ କରିଦେଲା ।

ନିର୍ଦ୍ଦିଷ୍ଟ ଦିନ ଶୁଭ ଲଗ୍ନାଦି ଦେଖି
ସେହି ମୂର୍ତ୍ତି କୁ ମନ୍ଦିରରେ ପ୍ରତିଷ୍ଠା କରାଗଲା ।
ଦେଶଯାକର ଲୋକେ ସେହି ମୂର୍ତ୍ତି କୁ ଦେଖି
ବାଃ ବାଃ କଲେ ।

ଏ କାନରୁ ସେ କାନ ହୋଇ
ମୂର୍ତ୍ତି କଥା
ସେ ଦେଶର ରଜାଙ୍କ କାନକୁ ଗଲା.....

ଦିନେ ରାଜା ମନ୍ଦିର ବିଜେ କଲେ
ଏବଂ ସେ ମଧ୍ୟ ଉକ୍ତ ଉତ୍କୃଷ୍ଟ ସ୍ପଟିକ ବିଗ୍ରହ ଦେଖି
ମୁଗ୍ଧ ହୋଇଗଲେ ।

ରାଜା ଶିଳ୍ପକାର କୁ ପୁରସ୍କାର ଦେବାପାଇଁ ଚାହୁଁଥିଲେ ।
ସେ ଶିଳ୍ପକାର କୁ ଦୂତ ଦ୍ବାରା ଡକାଇ ପଠାଇଲେ ।
ଶିଳ୍ପକାର ଆସି ପହଞ୍ଚିଲା
ରାଜା ତା’ର କାର୍ଯ୍ୟ ର ଖୁବ୍ ପ୍ରଶଂସା କଲେ ।

ରାଜାଙ୍କ କଥା ଶୁଣି
ଶିଳ୍ପକାର ସହଜ ସ୍ଵରରେ କହିଲା

“ମଣିମା,
ମୁଁ ତ କିଛି ବି କରିନାହିଁ
ସେ ପଥରରେ ତ ଈଶ୍ଵର ପୂର୍ବରୁ ଥିଲେ
ମୁଁ ଖାଲି କେତୋଟି ପଥର ମାତ୍ର କାଟିଛି !
ପ୍ରକୃତରେ ଯାହା ବି ହୁଏ ସବୁ ସେହି ପରମେଶ୍ବରଙ୍କର ଇଛାରେ ହିଁ ହୋଇଥାଏ”

ରାଜା ସେହି ଶିଳ୍ପକାରର ବିନମ୍ର ଧର୍ମଯୁକ୍ତ ବଚନ ଶୁଣି ପ୍ରସନ୍ନ ହୋଇ ତାକୁ ଅନେକ ଧନଧାନ୍ୟ ପ୍ରଦାନ ପୂର୍ବକ ବିଦା କଲେ.....


Sunday, October 22, 2017

-------------------------କଳ୍ପଲତା-------------------------- --------------------କବି ଅର୍ଜୁନ ଦାସ -------------------- ----ଓଡ଼ିଆ ପଦ୍ୟ କଳ୍ପଲତାର କଥା ମୁଖ୍ୟାଂଶ------

ସ୍ଵର୍ଗଲୋକରେ ବସନ୍ତକ
ଗନ୍ଧର୍ବର ସୁରେଖା ଅପ୍ସରା ପ୍ରତି ଅନୁରାଗ ଉତ୍ପନ  ହେଲା ।
ଦିନେ ଯେବେ ସେ ଦିହେଁ ପରସ୍ପର ପ୍ରୀତିବାର୍ତ୍ତାଳପରେ ନିମଗ୍ନ ଥିଲେ
ଦେବରାଜ ଇନ୍ଦ୍ର ସୁରେଖା ଅପ୍ସରାକୁ ନୃତ୍ୟ ହେତୁ ସ୍ମରଣ କଲେ ।

ବସନ୍ତକର କାନ୍ତା ବିନା ବିରହ ବେଦନା
ଅସହ୍ୟ ହେଲାରୁ ସେ ମଧ୍ୟ ଇନ୍ଦ୍ର ସଭାରେ
ଯାଇ ଉପସ୍ଥିତ ହେଲା ।

ବସନ୍ତକ କୁ ନିଜ ସମ୍ମୁଖରେ ଦେଖି ସୁରେଖା
ଅପ୍ସରୀ ର ନୃତ୍ୟତାଳରେ
ଅନେକ ତୃଟି ହେବାକୁ ଲାଗିଲା ।

ଦେବରାଜ ତ ସ୍ଵୟଂ ତ୍ରୀକାଳଦର୍ଶୀ
ଧ୍ୟାନମଗ୍ନ ହୋଇ
ସେ ସବୁକିଛି ଜାଣିଗଲେ.....

ସ୍ଵର୍ଗର ନିୟମ ଭଙ୍ଗ କରିଥିବାରୁ
ଦେବରାଜ ଇନ୍ଦ୍ର
ବସନ୍ତକ ଏବଂ ସୁରେଖା ଅପସରା କୁ
ମର୍ତ୍ତ୍ୟରେ ମନୁଷ୍ୟ ଯୋନି ଲାଭକରିବାର
ଅଭିଶାପ ଦେଲେ ।

ଏହି ଅପ୍ରତ୍ୟାଶିତ ଅଭିଶାପ ରେ ବ୍ୟଥିତ ହୋଇ
ଦୁଇ ପ୍ରେମୀ
ଇନ୍ଦ୍ରଙ୍କୁ ଅନୁନୟ ବିନୟ ପୂର୍ବକ
ସ୍ତୁତି କରିବାକୁ ଲାଗିଲେ ....

ଇନ୍ଦ୍ର ଶାନ୍ତ ହୋଇ
ବୋଇଲେ
“ଆମ୍ଭ ଅଭିଶାପ ଅବ୍ୟର୍ଥ
ତେବେ ଆମ୍ଭେ ତୁମ୍ଭ ଦୁହିଁଙ୍କୁ
ଏହି ଆଶିର୍ବାଦ ଦେଉଅଛୁ
ଯେ ତୁମ୍ଭମାନଙ୍କର ମନୁଷ୍ୟ ଜନ୍ମ ହେଲେ ହେଁ ତୁମ୍ଭେମାନେ ଜାତିସ୍ମର ହୋଇବ
ଏବଂ ସେହି ଜନ୍ମ ରେ ତୁମ୍ଭର ପୂର୍ଣ୍ଣଃମିଳନ ଘଟିବ !”

ଶ୍ରାପ ପ୍ରଭାବ ରେ ବସନ୍ତକ ର ଜନ୍ମ
ବଲ୍ଲାଳଦେଶରେ ହେଲା ଏବଂ ପରେ
ସେ ଅମରଶୀଖର ନାମରେ ପ୍ରଶିଦ୍ଧ ହେଲା ।

ଏଣେ ସୁରେଖା ଅପ୍ସରା କର୍ଣ୍ଣାଟ ଦେଶରେ ଜନ୍ମ ଲାଭ କଲା ତା’ର ନାମ ରଖାଗଲା କଳ୍ପଲତା.....

କର୍ଣ୍ଣାଟ ଦେଶରେ ସେ ରାଜଜେମା
କଳ୍ପଲତା ବାଲ୍ୟକାଳରୁ
ନିତ୍ୟ କୃଷ୍ଣାନଦୀରେ ସ୍ନାନ କୌତୁକ ଆଦି ହେତୁ
ନିଜ ସଖୀ ମଦନମତ୍ତା ସହ ଯାଉଥିଲେ ।

ଦିନେ ବନବିହାର କରି ଯାଇଥିବା
ବଲ୍ଲାଳଦେଶର ଯୁବରାଜ ଅମରଶୀଖର
ଦିଗଭ୍ରାନ୍ତ ହୋଇ ଆସି ସର୍ବେଶ୍ଵର ଯୋଗୀଙ୍କ ଆଶ୍ରମରେ ପହଞ୍ଚିଲେ ।

ଆଶ୍ରମରେ ଋଷିଙ୍କର ସାନିଧ୍ୟ ରେ ଧର୍ମ କର୍ମାଦୀ ବିଷୟରେ ନାନାବିଧ ଚର୍ଚ୍ଚା ସମୟରେ
ଯୁବରାଜଙ୍କର ଆଖି ହଟାତ୍ ଏକ ତୈଳ ଚିତ୍ର
ପଡିଲା ....

ସେ ଚିତ୍ର ଦେଖିଲା ମାତ୍ରକେ
ତାଙ୍କର ପୂର୍ବ ଜନ୍ମ ର କଥାମାନ
ସ୍ମରଣ ହେଵାକୁ ଲାଗିଲା....

ଋଷି ସର୍ବେଶ୍ଵର ଙ୍କୁ
ସେ ତୈଳ ଚିତ୍ର ବିଷୟରେ
ପଚାରି ବୁଝନ୍ତେ
ଜଣାଗଲା
ଯେ
ତାହା ପ୍ରକୃତରେ କର୍ଣ୍ଣାଟ ରାଜଜେମାଙ୍କର ତୈଳ ଚିତ୍ର ....
ସେ ଥରେ ସପରିବାର ଋଷିଙ୍କ ଦର୍ଶନାର୍ଥେ
ଆସିଥିଲେ ଏବଂ ଗଲାବେଳେ ରାଜଜେମା  ଉକ୍ତ ତୈଳ ଚିତ୍ରଟି ଋଷିଙ୍କ ଆଶ୍ରମରେ
ଛାଡ଼ି ଯାଇଛନ୍ତି......
 
ଋଷିଙ୍କ ଠାରୁ ଏସବୁ କଥାମାନ ଜାଣିଲା ପରେ
ଯୁବରାଜ ଅମରଶିଖର ଠିକ୍ କଲେ ଯେ ସେ
ଛଦ୍ମ ରୂପ ଧାରଣ ପୂର୍ବକ କର୍ଣ୍ଣାଟ ଦେଶ ଯିବେ ।

ଏପଟେ ରାଜକୁମାରୀ କଳ୍ପଲତା ପାଇଁ
ତା’ ପରିବାରଜନ ଉତ୍ତମ ବରପାତ୍ର ଦେଖୁଥାନ୍ତି ।

କର୍ଣ୍ଣାଟ ଦେଶର ରାଜା
ନିଜ ପୁତ୍ର ପ୍ରତାପ ପଞ୍ଚାନନକୁ
ବିଭିନ୍ନ ଦେଶ ଭ୍ରମଣ କରି
କଳ୍ପଲତା ପାଇଁ ଜଣେ ଉତ୍ତମ ବର
ଅନ୍ବେଷଣ କରିବାର କାମ ଦେଲେ ।

ବାଟେ ଯାଉ ଯାଉ
ଚୋଡ଼ ଦେଶର ଘନ ଜଙ୍ଗଲରେ
ଯୁବରାଜ ପ୍ରତାପଙ୍କୁ
ଏକ ବାଘ ଦଳର ସାମ୍ନା କରିବାକୁ ହେଲା ।
ଏତିକି ବେଳେ ଶିକାର କରିବାକୁ ଆସିଥିବା ଚୋଡ଼ ରାଜକୁମାର ଅବନୀତିଳକ
ଅଦମ୍ୟ ବିରତ୍ଵର ପରିଚୟ ପ୍ରଦାନ କରିବାକୁ
ଯାଇ କର୍ଣ୍ଣାଟ ରାଜକୁମାରଙ୍କ ଜୀବନ ରକ୍ଷା କରିଥିଲେ ।

କର୍ଣ୍ଣାଟ ଦେଶ ଫେରି
ଯୁବରାଜ ପ୍ରତାପ ପଞ୍ଚାନନ
ଚୋଡ଼ ଦେଶ ରାଜକୁମାର ଅବନୀତିଳକ ତଥା ତାଙ୍କ ପରାକ୍ରମ କଥା ବଖାଣିବା ସହ କହିଲେ
ପ୍ରକୃତରେ ସେ ହିଁ ଭଗ୍ନୀ କଳ୍ପଲତା ପାଇଁ ଉପଯୁକ୍ତ ବରପାତ୍ର ଅଟନ୍ତି ।

ରାଜଦମ୍ପତ୍ତି ମଧ୍ୟ ଏକଥାରେ ରାଜି ହୋଇଯାଇ
ଦୂତ ଦ୍ଵାରା ଚୋଡ଼ ଦେଶକୁ
ଅବନୀ ତିଳକ ଓ କଳ୍ପଲତା ଙ୍କ ବିବାହ ପ୍ରସ୍ତାବ
ପଠାଇଦେଲେ ।

କିନ୍ତୁ !
ରାଜକୁମାରୀ
କଳ୍ପଲତା.......

ହାୟ.......
ତାଙ୍କ ମନର ଭାବାବେଗ
କିଏ ବୁଝି ପାରିବ ?

ମନରେ କେତେ କ’ଣ ଭାବି
ରାଜକୁମାରୀ
ନିଜ ଭବନକୁ ଲେଉଟି ଗଲେ.....

କଳ୍ପଲତା ଜନ୍ମରୁ ଜାତିସ୍ମର ଥିଲେ
ତେଣୁ ସେ ନିଜ ପୂର୍ବ ଜନ୍ମର
ପ୍ରାଣସଖା ବସନ୍ତକ ଙ୍କ ବିରହ ଅଗ୍ନିରେ
ଜଳିବାକୁ ଲାଗିଲେ ....

ମନ ପାଇଁ ବିରହ ଜ୍ଵାଳା ବି କମ ବିଷାକ୍ତ ନୁହେଁ ।
ଶକ୍ତିଶାଳୀ ମନୁଷ୍ୟ ବି ମନୋବଳ ହ୍ରାସ ହୁଅନ୍ତେ ଜୀବନରେ ହାରିଯାଅନ୍ତି.....

ବିବାହ ଦିନ ପାଖେଇଲାରୁ
ସବୁ ଲୋକ ବିବାହ ଆୟୋଜନ
କରିବାରେ ଲାଗିଯାଇଥିଲେ
ଏଣେ ରାଜକୁମାରୀ
କଳ୍ପଲତା ବିଷପାନ କରିଦେଲେ....

ସେ ନିଜ ମନ ଠାରୁ ହାରିଯାଇଥିଲେ....

ରାଜକୁମାରୀ ଙ୍କ ମୃତ୍ୟୁ ଯୋଗୁଁ
ପୁଷ୍ପରେ ସଜ୍ଜିତ କର୍ଣ୍ଣାଟ ଦେଶର ରାଜଭବନ
କିଛି କ୍ଷଣ ମଧ୍ୟରେ ଶ୍ରୀହୀନ ନିସ୍ତବ୍ଧ ହୋଇ ରହିଗଲା ।

ଭାରାକ୍ରାନ୍ତ ମନରେ କର୍ଣ୍ଣାଟ ରାଜା
ନିଜ କନ୍ୟା କଳ୍ପଲତା ର ଅନ୍ତିମ ସଂସ୍କାର
ହେତୁ କୃଷ୍ଣାନଦୀ ତଟରେ
ଦାହସଂସ୍କାରର ସମସ୍ତ ବ୍ୟବସ୍ଥା କରିବାକୁ ଆଦେଶ ଦେଲେ ।

କୃଷ୍ଣାନଦୀ କୂଳରେ
ରାଜକୁମାରୀ ଙ୍କର ମୃତ୍ୟୁଶଯ୍ୟା ସ୍ଥାପନ ହୋଇଗଲା ।

ରାଜା ମୃତ ଶରୀର ରେ ଅଗ୍ନୀ ସଂଯୋଗ କରିବାକୁ ଯାଉଥିଲେ କି ଏତିକି ବେଳେ
ଜଣେ ଯୁବକର ଗୁରୁ ଗମ୍ଭୀର ସ୍ଵର
ଶୁଣା ଗଲା.......

ରୁହ...........ରହି ଯାଅ......

ସେ ଅପରିଚିତ ଯୁବକ ରାଜାଙ୍କ ସମ୍ମତି କ୍ରମେ
ତାଙ୍କ ନିକଟକୁ ଗଲା....

ସେ କହିଲା -
“ରାଜନ୍
ମୁଁ ଅମୃତ ଦ୍ଵାରା ଯେକୌଣସି ମୃତବ୍ୟକ୍ତିକୁ ଜୀବିତ କରିଦେବାର ଶକ୍ତି ରଖିଅଛି
ମୁଁ ଚାହିଁଲେ ତୁମ ଝିଅ
ପୁନର୍ବାର ବଞ୍ଚି ଉଠିବ....
ହେଲେ ମୋର
ଏକ ମାତ୍ର ସର୍ତ୍ତ
ତା’ର ବିବାହ ମୋ ସହ କରିବାକୁ ହେବ ”

ରାଜା ପୁତ୍ରୀମୋହରେ ଆଗପଛ କିଛି ନ ବିଚାରି
ସେ ଅପରିଚିତ ଯୁବକ କଥାରେ ରାଜି ହୋଇଗଲେ.....

ରାଜା ସ୍ଵୀକୃତି ଦେଲାରୁ
ସେ ଅପରିଚିତ ଯୁବକ
ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ ପୂର୍ବକ
ରାଜକୁମାରୀ ଙ୍କୁ ବଞ୍ଚାଇ ଦେଲା......

ବାଧ୍ଯ ହୋଇ ରାଜା ନିଜ କନ୍ୟା ସହ
ସେହି ଅପରିଚିତ ଯୁବକର ବିବାହ
ହେତୁ ଆୟୋଜନ ଆଦିରେ ଲାଗିପଡିଲେ ।

ଇଆଡେ
ଚୋଡ଼ ଦେଶର ରାଜା ଯେତେବେଳେ
ରାଜକୁମାରୀ କଳ୍ପଲତା ଜୀବିତ ଥିବା
ତଥା ଅନ୍ୟ ବ୍ୟକ୍ତି ସହ ତାହାର ବିବାହ ହେଉଥିବା କଥା ଜାଣିଲେ,
ସେ ଦଳବଳ ଘେନି କର୍ଣ୍ଣାଟ ଦେଶ ଉପରେ
ଚଢାଉ କରିଦେଲେ ।
କର୍ଣ୍ଣାଟ ଦେଶ ଓ ଚୋଡ଼ ଦେଶ ମଧ୍ୟରେ
ଭୀଷଣ ଯୁଦ୍ଧ ହେଲା....
କିନ୍ତୁ
କର୍ଣ୍ଣାଟ ଦେଶର ଶକ୍ତି କ୍ଷୀଣ ହେଉଥିବା
ଦେଖି ଶେଷକୁ
ରାଜକୁମାରୀ କୁ ଜୀବିତ କରିଦେଇଥିବା ସେହି ଅପରିଚିତ ଯୁବକ ନିଜର ପ୍ରକୃତ
ପରିଚୟ ଦେବାକୁ ଯାଇ
ତା ପୂର୍ବ ଜନ୍ମ ର ସମସ୍ତ ବୃତ୍ତାନ୍ତ କହି ଶୁଣାଇଲା ।

ରାଜା ଯେତେବେଳେ ଜାଣିଲେ
ଯେ ଅଦ୍ଭୁତ ଶକ୍ତି ସମ୍ପନ୍ନ ଉକ୍ତ ଯୁବକ ଜଣକ
ବଲ୍ଲାଳଦେଶର ଯୁବରାଜ ଅମରଶିଖର
ସେ ଖୁବ୍ ଖୁସି ହୋଇଗଲେ ।

ତତ୍ପରେ ବଲ୍ଲାଳଦେଶ ଓ କର୍ଣ୍ଣାଟଦେଶର
ସମ୍ମିଳିତ ସେନା ଚୋଡ଼ ରାଜାଙ୍କ
ସୈନ୍ୟ ସାମନ୍ତଙ୍କ ବିରୋଧରେ ଭୟାନକ ଯୁଦ୍ଧ କଲେ ଏବଂ ଅନ୍ତତଃ ଚୋଡ଼ ରାଜା ପରାସ୍ତ ହୋଇ ସ୍ବଦେଶ ପଳାୟନ କଲେ....

କର୍ଣ୍ଣାଟ ଦେଶରେ ସେ ସମୟରେ ଦ୍ଵୀଗୁଣ
ଖୁସିରେ ସମସ୍ତେ
ନାଚି ଉଠିଲେ.....

ବଡ଼ ଆଡ଼ମ୍ଵର ସହକାରେ
କିଛି ଦିନ ମଧ୍ୟରେ କଳ୍ପଲତା ଓ ଅମରଶିଖରଙ୍କର ବିବାହସମ୍ପନ୍ନ ହୋଇଗଲା ।
ହେଲେ ଅମରଶିଖର ଆହୁରି କିଛି ଦିନ କର୍ଣ୍ଣାଟ ଦେଶରେ ରହିବାକୁ ଚାହୁଁଥିଲେ ....

ଦିନେ କଳ୍ପଲତା ନିଜ ପତି ଅମରଶିଖରଙ୍କ ସ୍ଵ-ଭବନରେ ଜଳକ୍ରୀଡା କରୁଥିଲା ବେଳେ
ହଟାତ୍ ସେହି ଜଳରେ
ଅମରଶିଖର କେଉଁ ଆଡେ଼ ଅଦୃଶ୍ୟ ହୋଇଗଲେ.....

ଚାରିଆଡ଼େ ଖୋଜାଖୋଜି କଲାରୁ ମଧ୍ୟ ଯେବେ ଅମରଶିଖର ନମିଳିଲେ
ତହୁଁ ରାଜକନ୍ୟା କଳ୍ପଲତା
ପତି ବିନା ଅନ୍ନଜଳ ତ୍ୟାଗ କରି
  ଆତ୍ମଦାହ ର ବ୍ରତ ରଖିନେଲା....

କର୍ଣ୍ଣାଟ ରାଜା ନିଜ କନ୍ୟାକୁ ଅନେକ ବୁଝାଇ
ଅନ୍ତତଃ ଆଉ ଆଠ ଦିନ ଅପେକ୍ଷା କରିବାକୁ
କହିଲେ....

ଚାହୁଁ ଚାହୁଁ ଆଠଦିନ ବି ଗତ ହୋଇଗଲା
ଶେଷକୁ
ପତି ବିରହିଣୀ
କଳ୍ପଲତା  ଚିତାଗ୍ନୀ ରେ ବସି ତହିଁ ରେ ଅଗ୍ନୀ ସଂଯୋଗ ହେତୁ
ଉଦ୍ୟତ ହୁଅନ୍ତେ
ଅକୃତକାର୍ଯ୍ୟ ହେଲେ.....

ଏତିକିବେଳେ ମେଘ ମାନେ ତାଙ୍କର ଜଳାଭିଷେକ କଲେ
ଆକାଶରୁ ପୁଷ୍ପବୃଷ୍ଟି ହେବାକୁ ଲାଗିଲା

ଏବଂ
ଶଙ୍ଖ ଧ୍ଵନି ସହ ଆକାଶବାଣୀ ହେଲା
“ହେ ସୁରେଖା ମୁଁ ତୁମ୍ଭର ନିଷ୍ଠା ଦେଖି ପ୍ରସନ୍ନ ହେଲି.....
ତୁମର ପରୀକ୍ଷା ନେବା ପାଇଁ ହିଁ ମୁଁ ନାଗ କନ୍ୟା ଙ୍କ ଦ୍ଵାରା ବସନ୍ତକ ର ଅପହରଣ କରାଇଥିଲି
ମୁଁ ଏବେ ତୁମକୁ ତୁମ ପ୍ରିୟତମକୁ ଫେରାଇ ଦେଉଛି । ତୁମ ଦୁହିଁଙ୍କ ପ୍ରେମ କାହାଣୀ ସଦା ଅମର ରହିବ । ଯିଏ ଏହି ପବିତ୍ର କଥା କହିବ,ଗାଇବ ଅବା କହି ଶୁଣେଇବ ତା’ର
ପ୍ରେମ ନିଶ୍ଚୟ ସଫଳ ହୋଇବ ।”

●●●●●●●●●●●●●●●
ଦ୍ରଷ୍ଟବ୍ୟ:-
କଳ୍ପଲତା କାବ୍ୟର କଥା କାଳ୍ପନିକ
ତଥା ଏହାର କୌଣସି ପୌରାଣିକ ସନ୍ଦର୍ଭ ମିଳେନାହିଁ  କିନ୍ତୁ  ପ୍ରକୃତରେ ଏ କଥା ସହ କେତେକ ଐତିହାସିକ ଘଟଣାର ସମ୍ଵନ୍ଧ ରହିଛି ।
ପନ୍ଦରଶହ ଶତାବ୍ଦୀରେ ଦକ୍ଷିଣ ଭାରତୀୟ ସାମ୍ରାଜ୍ୟର ପାରସ୍ପରିକ କଳହକୁ ଦର୍ଶାଇ ଥାଏ ଏ କଥା ! କଳ୍ପଲତା ଭଳି କାଳ୍ପନିକ କାବ୍ୟ ପନ୍ଦରଶହ ଶତାବ୍ଦୀରେ ଲେଖି ଅର୍ଜୁନ ଦାସ ଓଡ଼ିଆ ଭାଷା ସମୃଦ୍ଧି କ୍ଷେତ୍ରରେ ଯେଉଁ ଅମୂଲ୍ୟ ଯୋଗଦାନ ଦେଇଅଛନ୍ତି ସେଥିପାଇଁ ସେ  ଆମ୍ଭ ମାନଙ୍କର ଚିର ନମସ୍ୟ ହୋଇ ରହିବେ । ଏଠାରେ ଜଣାଇ ରଖୁଁ ଯେ ଓଡିଆ ଭାଷାରେ ସର୍ବେ ପ୍ରଥମେ ଲମ୍ଵା କାଳ୍ପନିକ କାବ୍ୟ ଲେଖିଥିଲେ କବି ଅର୍ଜୁନ ଦାସ ଏବଂ ଉକ୍ତ କାବ୍ୟର ନାମ ଥିଲା ରାମବିଭା .....
ଏ ପଞ୍ଚଦଶ ଶତାବ୍ଦୀ ଅର୍ଥାତ୍ ପଞ୍ଚଶଖା ଯୁଗର ଅନ୍ୟତମ କବି ।
କବି ତାଙ୍କର ରାମବିଭା କାବ୍ୟ ଲେଖି ସାରିଲା ପରେ କଳ୍ପଲତା ଲେଖିଥିଲେ । ଏହାଙ୍କର
କାବ୍ୟରେ କେଉଁଠି କେଉଁଠି ଅର୍ଜୁନୀ ଦାସ ତ ଆଉ କେଉଁଠି ଶିଶୁ ଅର୍ଜୁନୀ ଦାସ ନାମ ମଧ୍ୟ ଦୃଷ୍ଟିଗୋଚର ହୋଇଥାଏ ।
●●●●●●●●●●●●●●●●

Thursday, October 19, 2017

●ରଝୌ ରଝୌ ଓ ଫିମ୍ପି ବରଷା●

ବର୍ଷାର ବର୍ଷଣ ପ୍ରକାର ନେଇ
ଆମ ଭାଷାରେ
ଅନେକ ଶବ୍ଦ ଅଛି
ଯେମିତିକି
ମୁଷଳଧାରା ବର୍ଷା,ଝିପି ଝିପି ବର୍ଷା,ଟୁପୁରୁ ଟାପୁରୁ ବର୍ଷା,ଫିମ୍ପି ବରଷା,ରଝୌ ରଝୌ ବର୍ଷା ଆଦି ଆଦି.....

ସାହିତ୍ୟରେ ଭୀଷଣ ବର୍ଷାର ଅର୍ଥ ପ୍ରକାଶ ହେତୁ
ମୁଷଳଧାରରେ ବର୍ଷା ହେଉଛି ବୋଲି
କୁହାଯାଏ ।
ଢେଙ୍କାନାଳରେ ମୁଷଳଧାରର ଅର୍ଥ ପ୍ରକାଶ ହେତୁ
ଅଛି ନିଆରା ଶବ୍ଦ ଟିଏ
ରଝୌ ରଝୌ ....
ଲୋକେ କଥା ଛଳରେ କୁହନ୍ତି
“ଆଜି କି ରଝୌ ରଝୌ ବର୍ଷା ହେଉଛି”

ଢେଙ୍କାନାଳରେ
କେହି କେହି ରଝୌ ରଝୌ ନକହି
କୁହନ୍ତି ବର୍ଷା କୁଟୁଛି 😂
ଧାନ କୁଟିଲା ଭଳିଆ.....
ସତରେ କଣ୍ ବର୍ଷା କୁଟେ କାହାକୁ ଢେଙ୍କୀରେ ପକେଇ ?
ନା ନା ଏହା ଆମ ଓଡ଼ିଆ ଭାଷାର ଏକ ମୁହାଵରା ଭଳି ...

ସେଇଭଳି ନିରବଚ୍ଛିନ୍ନ ଭାବରେ ଅଳ୍ପ ଦୃତ ବୃଷ୍ଟିପାତ କୁ ଝିପି ଝିପି ଓ ଟୁପୁରୁ ଟାପୁରୁ ବର୍ଷା କୁହାଯାଏ ।

ସେହିପରି
ଅତିକ୍ଷୁଦ୍ର ଓ ହାଲୁକା ଜଳବିନ୍ଦୁ ବରଷିଲେ
ତାହାକୁ ଫିମ୍ପି ବରଷା କୁହାଯାଏ ।
ଖାଦ୍ୟ ଦ୍ରବ୍ୟ ସଢିଲେ ତହିଁରେ ଜନମୁଥିବା
ଫିମ୍ପି ଆକାରର ହୋଇଥିବାରୁ
ଏଭଳି ପ୍ରକାରର ବରଷା ର ଏମନ୍ତ ନାମକରଣ କରାଯାଇଛି ବୋଧହୁଏ ।

●ଓଡ଼ିଶାରେ ଆକାଶଦୀପ କାହିଁକି ପ୍ରତିଷ୍ଠା କରାଯାଏ●

ଓଡ଼ିଶାରେ କୁମାର ପୂର୍ଣ୍ଣିମା ଠାରୁ କାର୍ତ୍ତିକ ପୂର୍ଣ୍ଣିମା ଯାଏଁ
ଆକାଶଦୀପ ପ୍ରତିଷ୍ଠା କରାଯାଇଥାଏ ।
ବୁଦ୍ଧିଜୀବୀ ଗଣଙ୍କ ମଧ୍ୟରେ
ଆକାଶ ଦୀପକୁ ନେଇ ଭିନ୍ନ ଭିନ୍ନ ମତ ପ୍ରଚଳିତ ।

                   ★ଧର୍ମମତ★
କାର୍ତ୍ତିକ ମାସ ବେଳକୁ ପିତୃପକ୍ଷ ଆରମ୍ଭ ହୋଇଯାଇଥାଏ ।
ପ୍ରେତପୁରୁଷ ତଥା ପିତୃଗଣଙ୍କୁ ପଥ ପ୍ରଦର୍ଶନ ଏବଂ ସେମାନଙ୍କ ଅନ୍ଧକାରାଚ୍ଛନ୍ନ ଦୁର୍ଗମ ପଥକୁ ଆଲୋକିତ କରିବା ସକାଶେ ଉଚ୍ଚ ସ୍ଥାନରେ ଏହି ପ୍ରଦୀପ ପ୍ରଜ୍ଜଳନ ବିଧି ପ୍ରଚଳିତ ।
ତେଣୁ ପ୍ରାୟତଃ ପ୍ରତ୍ୟେକ ଗ୍ରାମରେ ଏକ ଉଚ୍ଚ ବାଉଁଶ ଖୁଣ୍ଟଉପରେ ପ୍ରତି ସନ୍ଧ୍ୟାରେ ଆକାଶଦୀପ ରଖାଯାଉଥାଏ ।

               ★ଐତିହାସିକ ମତ★

କେତେକ ଐତିହାସିକଙ୍କ ମତରେ
ଆଗେ ଓଡ଼ିଶାରେ
କୁମାର ପୂର୍ଣିମା ଠାରୁ କାର୍ତ୍ତିକ ପୁର୍ଣିମା ରାତି ପର୍ଯ୍ୟନ୍ତ ଆକାଶ ପ୍ରଦୀପ ଜଳାଯାଉଥିଲା ।
ଏବଂ ଏହା ଜଳାଯାଉଥିଲା ଦ୍ରବ୍ୟ ସଂଗ୍ରହ ତଥା ଦେବତା ଆବାହନ ଉଦ୍ଦେଶ୍ୟାର୍ଥେ.....

କୁହାଯାଏ ପୂର୍ବେ ଆମ ଅଞ୍ଚଳରେ
ଦ୍ରବ୍ୟ ସଂଗ୍ରହ ପରିମାଣ ଅନୁଯାୟୀ
ଆକାଶ ଦୀପ କ୍ରମଶଃ ଉପରକୁ ଉପରକୁ ଉଠାଯାଉଥିଲା ।
ସାଧବ ମାନେ ମାଝୀ (ବୋଇତ ପରିଚାଳକ) ମାନଙ୍କୁ ଚଉଠ ସଂଗ୍ରହ ପାଇଁ ସୁଯୋଗ ଦେଉଥିଲେ ।
ବୋଇତ ମାଝୀ ମାନଙ୍କ ଘର ଚଉରାମୂଳରେ ମଧ୍ୟ ଆକାଶ ଦୀପ ଜଳୁଥିଲା ।
ଏହି ଆକାଶଦୀପ ସଂସ୍ଥାପନର ମୂଳ  ଉଦ୍ଦେଶ୍ୟ ଥିଲା -ଦ୍ରବ୍ୟ ସଂଗ୍ରହ ଓ ଦେବତା ଆବାହନ କରିବା......
ଯେଉଁମାନଙ୍କର ସଂଗ୍ରହ ସମ୍ପୂର୍ଣ ହୋଇଯାଉଥିଲା  ସେମାନେ ମଧ୍ୟ ସବୁ ସଂଧ୍ୟରେ ପୂର୍ଣରୂପରେ ପ୍ରଦୀପ ଆକାଶକୁ ଉଠାଉଥିଲେ ଓ ସେମାନଙ୍କ ଉଦ୍ଦେଶ୍ୟ ମଧ୍ୟ ଦ୍ରବ୍ୟ ସଂଗ୍ରହ ଓ ଦେବତା ଆବାହନ ରହୁଥିଲା ଏହି ଦୀପ ଦାନ କ୍ରମେ ଧର୍ମୀୟ ପରମ୍ପରା ରେ ପରିଣତ ହୋଇଛି ।

★ବୈଜ୍ଞାନିକ କାରଣ★

ଓଡ଼ିଶା ହେଉଛି ଏକ କୃଷିଭିତ୍ତିକ ଅଞ୍ଚଳ ।
ଏଠାରେ ସାଧାରଣତଃ କାର୍ତ୍ତିକ ମାସରେ
ପୋକଜୋକଙ୍କ ସଂଖ୍ୟାରେ ମାତ୍ରାଧିକ ବୃଦ୍ଧି ହୋଇଥାଏ ।
ଆମ ପୂର୍ବଜ ଏ ସମସ୍ୟାର ସମାଧାନ ପାଇଁ
ମାସଯାକ ଦୀପାବଳି ପାଳନ କଲେ
ଏବଂ ସାମାଜିକ ନିୟମ ପ୍ରଣୟନ ହେଲା
ଯେ କାର୍ତ୍ତିକ ମାସ ସାରା ଚଉରା ମୂଳରେ ତଥା ଅନ୍ୟ ଧାର୍ମିକ ପ୍ରତିଷ୍ଠାନରେ ଦୀପ ପ୍ରଜ୍ଵଳନ
ତଥା ଆକାଶଦୀପ ସଂସ୍ଥାପନ ।

ଆକାଶଦୀପ ପ୍ରତିଷ୍ଠା ଓଡ଼ିଶାର ନିଜସ୍ବ
ପରମ୍ପରା
ଭାରତର ଅନ୍ୟତମ ନିଆରା
ସଂସ୍କୃତିର ଏହା ପରିଚୟ ପ୍ରଦାନ କରେ ।

★..... ଢେଙ୍କାନାଳରେ ଦୀପାବଳି .....★

ଆଲୋକର ପର୍ବ ଦୀପାବଳି
ସାରା ଭାରତରେ ଭିନ୍ନ ଭିନ୍ନ ମତକୁ ନେଇ
ବିଭିନ୍ନ ଶୈଳୀରେ ପାଳିତ ହୋଇଥାଏ ।

ଉତ୍ତରଭାରତୀୟ ରାମଙ୍କର ଅଯୋଧ୍ୟା ଆଗମନ ଖୁସିରେ ଦୀପାବଳି ପାଳନ୍ତି ।
ଶକ୍ତି ଉପାସକଙ୍କ ପାଇଁ ଦୀପାବଳି ଦେବୀ କାଳିଙ୍କର ଅନ୍ୟତମ ପୂଜାର୍ଚ୍ଚନା ର ଦିବସ ।
ଦକ୍ଷିଣ ଭାରତୀୟ ମାନେ ନରକାସୁର ବଧ ତଥା କେତେକ ଅଞ୍ଚଳରେ ରାଜା ବଳୀଙ୍କ ପାଇଁ ପାଳନ୍ତି ଦୀପାବଳି ପର୍ବ....

ଓଡ଼ିଶାରେ ସ୍ବତନ୍ତ୍ର ଶୈଳୀରେ ଦୀପାବଳି ପାଳନ ହେଉଥିଲେ ହେଁ ତାହା ଯେ
ରାଜା ବଳୀଙ୍କ ସକାଶେ ଉଦିଷ୍ଟ
ତାହା ଅଧିକାଂଶ ବୁଦ୍ଧିଜୀବୀ ମାନନ୍ତି ।

ଓଡ଼ିଶାରେ କାର୍ତ୍ତିକ ଅମାବାସ୍ୟା କୁ ପିପେଇ ଅମାବାସ୍ୟା କୁହାଯାଏ ।
ଆଞ୍ଚଳିକ ଶୈଳୀରେ ଏହି ଶବ୍ଦ
ପିପେଇ,ପିମ୍ପେଇ,ପିପାଇ,ପିପୋଇ,ପିମ୍ପା,ପିମ୍ପାଇ ଆଦି ହୋଇଅଛି ।

ପିପେଇ ର ଅର୍ଥ ପୂପଦୀପ ବା ପୂପାଳି
ଆଗେ ଏ ଦିନ ଓଡ଼ିଶାରେ
ପୂପ ବା ପିଠାରେ ଦୀପକାଠି ପୋତି ପିତୃପୁରୁଷଙ୍କୁ
ଶ୍ରାଦ୍ଧ କରାଯାଉଥିଲା ବୋଲି କାର୍ତ୍ତିକ ଅମାବାସ୍ୟା କୁ
ପିପେଇ ଅମାବାସ୍ୟା କୁହାଯାଏ ।

ଓଡ଼ିଶାରେ କାର୍ତ୍ତିକ ଅମାବାସ୍ୟା ଦିନ ସଂଧ୍ୟା ପରେ ପିଣ୍ଡବର୍ଜିତ ମହାଳୟା ଶ୍ରାଦ୍ଧ କରାଯାଏ ।
ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ଦିପାବଳୀ ଉତ୍ସବର ପାଳନ ବିଧି ପ୍ରାଚୀନ ଓଡ଼ିଆ ବିଧିବିଧାନ ଠାରୁ ସାମାନ୍ୟ ଭିନ୍ନ ପରିଲକ୍ଷିତ ହୁଏ ।
ଢେଙ୍କାନାଳରେ
ପ୍ରଥମେ ରୋଷେଇ ଘରେ(ଭିତର ଘରେ)
ଐଶାନ୍ୟ କୋଣର ସ୍ଥାପିତ ଦେବତାଙ୍କୁ ପୂଜାର୍ଚ୍ଚନା କରି ତତ୍ପରେ  ଘର ଦୁଆରରେ
ଲିପାପୋଛା କରାଯାଏ ।
ତତ୍ପରେ ଦୁଆରରେ ଝୋଟି ପକାଇ ସାତୋଟି ପିଣ୍ଡ ସ୍ଥାପନ କରାଯାଏ ।
ସପ୍ତ ପିଣ୍ଡରେ ପିଠା,କାକରା,ଆରିସା ଆଦି ମିଷ୍ଟାନ୍ନ ସହ ତାଳଟାଙ୍କୁଆ ଭୋଗ ଲଗାଯାଏ ।

ଆଗେ
ରାତ୍ରରେ ପିତୃଲୋକଙ୍କୁ ପୂପଦୀପ ଅର୍ଥାତ୍
ପିଠା ଉପରେ ଦୀପ ପୋତି ଦାନକରାଯାଉଥିଲା ବୋଲି ଓଡ଼ିଆ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ରେ ଲେଖା ଅଛି ତେବେ
ଆଧୁନିକ ଯୁଗରେ ପିଠାରେ ଦୀପ ପୋତିବା ବିଧି କେତେକ ଅଞ୍ଚଳରେ ଆଉ ନାହିଁ ବିଶେଷତଃ ଢେଙ୍କାନାଳ ଜିଲ୍ଲାରେ......

ଓଡ଼ିଶାରେ ପାଳିତ ହେଉଥିବା
ଦୀପାବଳି ରେ  କାଉଁରିଆ କାଠି ଦରକାର ହୁଏ ।
ଢେଙ୍କାନାଳରେ କାଉଁରିଆ କାଠିରେ ଗୃହ ସଦସ୍ୟଙ୍କ ସଂଖ୍ୟା ଅନୁଯାୟୀ ପିମ୍ପେଇ କାଠି ତିଆରି ହୁଏ । ଏହି ପିମ୍ପେଇ କାଠିର ଓଡ଼ିଶାରେ ସ୍ଥାନ ବିଶେଷରେ ଭିନ୍ନ ଭିନ୍ନ ନାମ ପ୍ରଚଳିତ ଉଦାହରଣ ସ୍ଵରୂପ  ବାଲେଶ୍ବରରେ ଏହାକୁ
ପୟା କାଠି ମଧ୍ୟ କୁହାଯାଏ ।

ପିମ୍ପେଇ କାଠି ବା ପୟାକାଠି ତିଆରି କରିବା ବିଧି ସହଜ ....
ଦୁଇ ହାତ ଲମ୍ଵ ମୁଠାଏ କାଉଁରିଆ କାଠିକୁ 
ଝୋଟରେ ବାନ୍ଧି ତହିଁରେ ସୁଆମ ଲଈ(ଲତା)
ଓ ବାଳୁଙ୍ଗା ଗଛ,ରାଶିଫୁଲ ଦେଇ
ପିମ୍ପେଇ କାଉଁରିଆ ଆଗରୁ ତିଆରି କରି ରଖାଯାଇଥାଏ ।

ଦୁଆରରେ ତିଆରି କରାଯାଇଥିବା
ଝୋଟି ମଧ୍ୟରେ ପିଣ୍ଡ ସ୍ଥାପନ ସମ୍ପୂର୍ଣ୍ଣ ହୋଇଗଲା ପରେ
ଅବ୍ରାହ୍ମଣ ପୂଜା ହୋଇଥାଏ ।
ସ୍ତ୍ରୀଲୋକ ମାନେ ହୁଳହୁଳି ମଙ୍ଗଳ ଆଳତୀ ସହ
ପ୍ରଥମେ ରୋଷେଇ ଘରର ଐଶାନ୍ୟକୋଣରେ
କୁଳ ଦେବତାଙ୍କୁ ଧୂପ ଦୀପ ଦିଅନ୍ତି ।

ରୋଷେଇ ଘରେ ପିମ୍ପେଇ କାଠିରେ  ଅଗ୍ନି ସଂଯୋଗ କରି ତାହାକୁ
ଝୋଟି ଉପରେ ସ୍ଥାପିତ ସପ୍ତ ପିଣ୍ଡ ପାଖକୁ ଅଣାଯାଏ ।
ସେଠାରେ ହୁଳହୁଳି ଆଦି ମଙ୍ଗଳ ଧ୍ଵନି ଓ ବନ୍ଦାପନା କରି ନିଆଁ ଧରାଇଥିବା
ପିମ୍ପେଇ କାଉଁରିଆ ମାନ ଧରି ଗୃହର ସଦସ୍ୟ ମାନେ ଜଣ ଜଣ କରି ଦାଣ୍ଡକୁ ଆଣନ୍ତି ଏବଂ
ଆଣିଲା ବେଳେ
ଗାଅନ୍ତି

“ଗଙ୍ଗା ଯା ଗୟା ଯା
ଶ୍ରୀପୁରସ୍ତମ ଯା
ଶରଧାବାଲିରେ ଗଡ଼ଗଡା଼ଉ ଥା ....
ହେ ବଡ଼ବଡୁଏ.....!
ଅନ୍ଧାରେ ଆସି ଆଲୁଏ ଯା
ବାଇଶି ପାବଚ୍ଛେ ଗଡ଼ଗଡା଼ଉ ଥା”
ହେ ବଡ଼ବଡୁଏ....! ”

ବଡ଼ବଡି଼ଆ ବା ବଡ଼ବଡୁ଼ଆଙ୍କୁ ଡକାଯାଉଥିବାରୁ
କାର୍ତ୍ତିକ ଅମାବାସ୍ୟା କୁ କେହି କେହି ବଡ଼ବଡି଼ଆ/ବଡ଼ବଡୁ଼ଆ ଅମାବାସ୍ୟା ବି କହିଥାନ୍ତି ।

ଢେଙ୍କାନାଳରେ ଏଇ ଭଳି ସମ୍ପାଦିତ ହୋଇଥାଏ ଦୀପାବଳି.....

Monday, October 16, 2017

●●ବର୍ତ୍ତମାନ ଠାରୁ ଅତୀତ ଆଡ଼କୁ ଦୃଷ୍ଟିପାତ●●

★60 ଵର୍ଷ ପୂର୍ଵରୁ
ସଙ୍ଗଣକ(କମ୍ୟୁଟର)ର ଆଵିଷ୍କାର

★130 ଵର୍ଷ ପୂର୍ଵେ
ଦୂରଭାଷା ଯନ୍ତ୍ର (ଟେଲିଫୋନ)ର ଆବିଷ୍କାର

★180 ଵର୍ଷ ପୂର୍ଵେ
-ଜୀଵାସ୍ମ ଇନ୍ଧନର ଯୁଗାରମ୍ଭ (କୋଇଲା,ପେଟ୍ରୋଲିୟମ)

★540 ଵର୍ଷ ପୂର୍ଵେ
ଛପାକଳର ପ୍ରଚଳନ ଆରମ୍ଭ

★5,500 ଵର୍ଷ ପୂର୍ଵେ
ଚକ ଓ ଲେଖା ପଢାର ଆରମ୍ଭ

★6500 ଵର୍ଷ ପୂର୍ଵେ
ଧାନ ଚାଷ ହେବାକୁ ଲାଗିଲା

★7,600 ଵର୍ଷ ପୂର୍ଵେ
ପୃଥିବୀର ଘୂର୍ଣ୍ଣନ ବିନ୍ଦୁ ପରିଵର୍ତ୍ତନ ଯୋଗୁଁ ଉତ୍ତର ଆଫ୍ରିକୀୟ ସବୁଜ ଅଞ୍ଚଳ ସାହାରା ମରୁଭୂମିରେ ପରିଵର୍ତ୍ତିତ ହେଲା ।

★10,300 ରେ  “Wisconsin glaciation”ର ଅଵସାନ ଘରିଲା । ଏହି ହିମାଚ୍ଛାଦନ ୨୧ରୁ ୨୫ ସହସ୍ର ଵର୍ଷ ତଳେ ଉତ୍ତର ଆମେରିକାର ସୁପରିଅର୍ ହ୍ରଦ ଅଞ୍ଚଳ, ଆଫ୍ରିକାର ପଶ୍ଚିମଭାଗ ତଥା ପଶ୍ଚିମ ୟୂରୋପର ଅଧିକାଂଶ ଅଞ୍ଚଳରେ ଆରମ୍ଭ ହୋଇଥିଲା । ଫଳରେ ଏଠାରେ ପର୍ଵତାକାର ହିମ ଆଚ୍ଛାଦିତ ରହିଥିଲା ।

★12,700 - 11,500 ବର୍ଷ ତଳେ 
Younger Dryas ପୃଥିଵୀରେ ତାପମାତ୍ରା ସମ୍ବନ୍ଧୀୟ ପରିବର୍ତ୍ତନ ଘଟିଥିଲା । ଵେଜ୍ଞାନିକଙ୍କ ମତରେ ଏହା ସାମୁଦ୍ରିକ ସ୍ରୋତରେ ଵିଶେଷ ପରିଵର୍ତ୍ତନ ଯୋଗୁଁ ସଙ୍ଗଠିତ ହୋଇଥିଲା । ଫଳରେ ଉତ୍ତର ଆମେରିକା ଓ ୟୁରୋପରେ ହିମ ତରଳିଵା ଆରମ୍ଭ ହୋଇଥିଲା ।

★18,000 ଢର୍ଷ ପୂର୍ଵେ

ପ୍ରଥମେ ଚାଷଵାସ ଓ ପଶୁପାଳନ ଆରମ୍ଭ ହୋଇଥିଲା ଏଵଂ ହୋମୋ ସାପିଏନ୍ସ ଆମେରିକାରେ ପଦାର୍ପଣ କଲେ ।

★21,000 ପୂର୍ଵେ

ଶେଷ ସର୍ଵାଧିକ ହୀମନଦ
ଘଟଣାରେ ବୃହତ୍ତ ହ୍ରଦ ଅଞ୍ଚଳରେ ଥିଵା ବରଫ ତରଳି ରାଇନ୍ ନଦୀର ମୁହାଣ ବାଟ ଦେଇ ବ୍ରିଟିଶ ଦ୍ବୀପପୁଞ୍ଜ ଆଖପାଖରେ ଆସି ପଡ଼ିଲା । ଫଳରେ ସେ ଅଞ୍ଚଳରେ ତାପମାତ୍ରା କମ୍ ହେଵା ଯୋଗୁଁ ଉକ୍ତ ସ୍ଥାନରୁ ଇଉରୋପ ରେ ପ୍ରଭାଵିତ ଉଷ୍ମ ବାଷ୍ପ ଶୀତଳ ହେଲା । ଏଥିପାଇଁ ଇଉରୋପ ମହାଦେଶ ତଥା ଆଫ୍ରିକା ର ଉତ୍ତର ଭାଗ ସହସ୍ରାଧିକ ଵର୍ଷଯାଏଁ ବରଫାବୃତ୍ତ ହୋଇ ରହିଲା ।

★32,000 ଵର୍ଷ ପୂର୍ଵେ ....

ଆଜିଯାଏଁ ମିଳିଥିବା ସର୍ଵ ପ୍ରାଚୀନ ଗୁମ୍ଫାଚିତ୍ର ଏହିଯୁଗରେ ଆଦି ମାନବ ଦ୍ଵାରା ଅଙ୍କିତ ହୋଇଥିଲା ।

★35,000 ବର୍ଷ ପୂର୍ବେ
Homo sapiens ମାନେ Europe ରେ ପଦାର୍ପଣ କଲେ ।
★50,000 ବର୍ଷ ପୂର୍ବେ
- Homo sapiens ମାନେ central Asia ରେ ବସତି ସ୍ଥାପନ କଲେ ।
★100,000 ବର୍ଷ ପୂର୍ବେ
- Homo sapiens ମାନେ Middle East ରେ ରହିବା ଆରମ୍ଭ କଲେ ।
★110,000 ବର୍ଷ ପୂର୍ବେ
Wisconsin glaciation ର ଅୟମାରମ୍ଭ ହେଲା ।
★130,000 ବର୍ଷ ପୂର୍ବେ-
Eemian interglacial ଅୟମାରମ୍ଭ ହେଲା

★200,000 ବର୍ଷ ପୂର୍ବେ-
Wolstonian glaciation ର ଅୟମାରମ୍ଭ ହେଲା

★250,000 ବର୍ଷ ପୂର୍ବେ
ପ୍ରଥମ  Homo sapiens ସୃଷ୍ଟି ହେଲା

★350,000 ବର୍ଷ ପୂର୍ବେ
ପ୍ରଥମ Homo neanderthalensis ର ସୃଷ୍ଟିକାଳ...
★380,000 ବର୍ଷ ପୂର୍ବେ....
Hoxnian interglacial ଯୁଗ ର ଅୟମାରମ୍ଭ ହେଲା ।
★450,000 ବର୍ଷ ପୂର୍ବେ
Kansan glaciation ଯୁଗର ଅୟମାରମ୍ଭ ହେଲା ।

★620,000 ବର୍ଷ ପୂର୍ବେ -
Cromerian interglacial ର ଆରମ୍ଭ ସମୟ

★1.4 ନିୟୁତ ବର୍ଷ ପୂର୍ବେ-
ନିଆଁର ପ୍ରଥମ ବ୍ୟବହାର କରିଥିଲା ପ୍ରୋ-ମାନବ ଜାତି
★1.9 ନିୟୁତ-
ପ୍ରଥମ Homo erectus ସୃଷ୍ଟି ହେଲା ।
★2.5 ନିୟୁତ-
ପ୍ରଥମ  Homo habilis ଦୁନିଆ କୁ ଆସିଲେ

★3 ନିୟୁତ-
- ଶୀତଯୁଗ ଯୋଗୁଁ
ଉତ୍ତର ଗୋଲାର୍ଦ୍ଧ ବରଫାବୃତ୍ତ ହୋଇଗଲା ।

★3.9 ନିୟୁତ ବର୍ଷ ପୂର୍ବେ....
- ପ୍ରଥମ
Australopithecus afarensis ସୃଷ୍ଟି କାଳ

★5 ନିୟୁତ ବର୍ଷ ପୂର୍ବେ.... 
- ମୂଳ ବାନର କୁଟୁମ୍ବ ରୁ ମନୁଷ୍ୟ ଜାତିର କ୍ରମଵିଵର୍ତ୍ତନ ହେଲା ।

★21 ନିୟୁତ ବର୍ଷ ପୂର୍ବେ....
-ପ୍ରାଚୀନ ମର୍କଟ ମହାଜାତିରୁ ଆଧୁନିକ ବାନର(ଗରିଲା,ସିମ୍ପାଞ୍ଜି) ଙ୍କ ପୂର୍ଵଜ ଙ୍କ ଅଭ୍ୟୁଦୟ ଘଟିଲା ।

★24 ନିୟୁତ ବର୍ଷ ପୂର୍ବେ....
- ଶୀତଯୁଗ ପ୍ରଭାବ ରେ
ପୃଥିବୀର ବିସ୍ତୃତ ସ୍ଥଳଭାଗ ବରଫାବୃତ୍ତ ହୋଇଯାଇଥିଲା । ଏ ଯୁଗରେ ଆଣ୍ଟାର୍କଟିକାରେ ବରଫ ଜମିବା ଆରମ୍ଭ ହୋଇଯାଇଥିଲା ।

★34 ନିୟୁତ ବର୍ଷ ପୂର୍ବେ....
-
ଭୂଚଳନ ଯୋଗୁଁ
ପ୍ରାଚୀନ
ଗଣ୍ଡଵାନାଲ୍ୟାଣ୍ଡ ଭାଙ୍ଗି ଯାଇ
ଅଷ୍ଟ୍ରେଲିଆ ସାଉଥ ଆଫ୍ରିକା ଓ ଆଣ୍ଟାର୍କଟିକା ପରସ୍ପର ଠାରୁ  ଅଲଗା ହୋଇଯାଇଥିଲେ ।
 
★50 ନିୟୁତ ବର୍ଷ ପୂର୍ବେ....
-
ଭୂଚଳନ ଯୋଗୁଁ ଗଣ୍ଡଵାନାଲ୍ୟାଣ୍ଡ ର ଉତ୍ତର ଭାଗରେ ଥିବା ପ୍ରାଚୀନ ଭାରତ ଭୂଖଣ୍ଡ
ଉତ୍ତର ଆଡକୁ ଗତି କରି ଆସି ଏସିଆର ଦକ୍ଷିଣ ଭାଗରେ ଧକ୍କା ଦେଲା ଫଳରେ  ହିମାଳୟ ପର୍ବତମାଳା ଜନ୍ମଲାଭ କଲା ।
I

★67 ନିୟୁତ ବର୍ଷ ପୂର୍ବେ....
-
ଏକ ବଡ଼ ଧରଣର ଉଳକା ଆସି ମେକ୍ସିକୋ ଅଞ୍ଚଳରେ ପଡିବାରୁ ଡାଇନୋସର ସମେତ ପୃଥିବୀରେ ସେସମୟରେ ଥିବା ପ୍ରାୟ 50℅ ପ୍ରଜାତି ବିଲୁପ୍ତ ହୋଇଯାଇଥିଲା । ଏହାର କିଛି ଶହ ବର୍ଷ ପରେ ପୃଥିବୀ ଶୀତଯୁଗ ରେ ପହଞ୍ଚି ଯାଇଥିଲା ।
★114 ନିୟୁତ ବର୍ଷ ପୂର୍ବେ....
- ପ୍ରଥମ ଆଧୁନିକ ସ୍ତନ୍ୟପାୟୀ ପ୍ରାଣୀଙ୍କ ଆବିର୍ଭାବ ଏଇସମୟରେ ହୋଇଥିଲା ।

★150 ନିୟୁତ ବର୍ଷ ପୂର୍ବେ....
-
ଵିଵର୍ତ୍ତନଵାଦ ଯୋଗୁଁ ପୃଥିବୀରେ ପ୍ରଥମ ପକ୍ଷୀ ସୃଷ୍ଟିର ସମ୍ଭଵ ହେଲା ।

★200 ନିୟୁତ ବର୍ଷ ପୂର୍ବେ....
-
ପ୍ରାଚୀନ
ପାଞ୍ଜିଆ ମହାଦ୍ଵୀପ ସମ୍ପୂର୍ଣ୍ଣ ଭାବେ ତିନିଟି ଭାଗରେ ବିଭକ୍ତ ହୋଇ ଦକ୍ଷିଣ ରେ ଗଣ୍ଡଵାନାଲ୍ୟାଣ୍ଡ ଏବଂ ଉତ୍ତରରେ ଲୌରାସିଆ ରେ ଦୁଇଭାଗରେ ବିଭକ୍ତ ହୋଇଗଲା । ସେତେବେଳେ ନବଗଠିତ ଦୁଇ ମହାଦ୍ଵୀପ ମଧ୍ୟରେ ଏକ ସଂକୀର୍ଣ୍ଣ ସାଗର ଥିଲା ଯାହାକୁ ଟେଥିସ୍ ସାଗର କୁହାଯାଏ(ଆଜିର ଭୂମଧ୍ୟ ସାଗର ସେହି ଟେତ ସାଗରର ଏକ ଅଂଶ ବୋଲି ଵିଶ୍ଵାସ କରାଯାଏ)

★205 ନିୟୁତ ବର୍ଷ ପୂର୍ବେ....
-  Triassic-Jurassic ବିଲୁପ୍ତିକରଣ ଆରମ୍ଭ ହୋଇଯାଇଥିଲା । ଏ ଯୁଗରେ
ପୃଥିବୀରେ ଥିବା ବିଶାଳକାୟ ସରିସୃପ ଓ ଉଭୟଚର ଜୀବମାନେ
ଲୁପ୍ତ ହୋଇଯାଇଥିଲେ ।

★235 ନିୟୁତ ବର୍ଷ ପୂର୍ବେ....
- ପୃଥିବୀରେ ପ୍ରଥମ ଡାଇନୋସର ଓ ଫୁଲ ସୃଷ୍ଟି ର ସମୟ

★250 ନିୟୁତ ବର୍ଷ ପୂର୍ବେ....
-  Permian-Triassic ବିଲୁପ୍ତିକରଣ ଯୁଗ  । ଏସମୟରେ ପୃଥିବୀରେ ଭୀଷଣ ଭୂଚଳନ ଓ ଭୂକମ୍ପ ଯୋଗୁଁ
ପ୍ରାୟ 90% ପ୍ରଜାତି ଵିଲୁପ୍ତ ହୋଇଯାଇଥିଲେ ।
Pangaea  ମହାଦ୍ଵୀପ ର ଭୂଚଳନ ଯୋଗୁଁ
ଵିଭାଜନ ଆରମ୍ଭ ହୋଇଯାଇଥିଲା ।
(ସେ ସମୟରେ ପାଞ୍ଜିଆ
ଚତୁଃପାର୍ଶ୍ବ ରେ ପରିବେଷ୍ଟିତ ଜଳଭାଗକୁ Panthalassa  ନାମ ଦିଆଯାଇଛି)

★313 ନିୟୁତ ବର୍ଷ ପୂର୍ବେ....
- ପ୍ରଥମ ସରସୃପ ଉଦ୍ଭବର କାଳ

★365 ନିୟୁତ ବର୍ଷ ପୂର୍ବେ....
-
ଶେଷ Devonian extinction ଯୁଗ
  70% ସାମୁଦ୍ରିକ ଜୀବ ବିଲୁପ୍ତ ହୋଇଯାଇଥିଲେ । ଏ ଯୁଗରେ ଜଳଭାଗ ର ବିଷମ ପରିସ୍ଥିତି ରୁ ଵର୍ତ୍ତିଯାଇଥିଵା ଜୀଵ ମଧ୍ୟରୁ କିଛି ଜୀଵ ଉଭୟଚର ହୋଇଯାଇଥିଲେ ।
ପରେ ଧୀରେ ଧୀରେ
ପୃଥିବୀର ସ୍ଥଳଭାଗରେ ମଧ୍ୟ ଗଛ ହେବାକୁ ଲାଗିଲା ।

★395 ନିୟୁତ ପୂର୍ଵେ -
ପ୍ରଥମ କୀଟପତଙ୍ଗର ସୃଷ୍ଟି ହୋଇଥିଲା ବୋଲି ଅନୁମାନ କରାଯାଏ

★415 ନିୟୁତ ବର୍ଷ ପୂର୍ବେ -
ପ୍ରାଚୀନ ବାଲୁପଥର ମହାଦେଶ  Laurussia ଭାଙ୍ଗି ଯାଇ Baltica ଏବଂ Laurentia ରେ ଵିଭାଜିତ ହୋଇଯାଇଥିଲା ଏବଂ Devonian କାଳର ଅୟମାରମ୍ଭ ହୋଇଥିଲା ।

★440 ନିୟୁତ ଵର୍ଷ ପୂର୍ଵେ - Ordovician-Silurian ପ୍ରଳୟକାଳ .
ସମୁଦ୍ର ମଧ୍ୟରେ ଵାସକରୁଥିବା ଅଧିକାଂଶ ପ୍ରାଚୀନ ଜୀଵ ମରିହଜି ଯାଇଥିଲେ ।

★670 ନିୟୁତ ଵର୍ଷ ପୂର୍ଵେ-
ପ୍ରଥମ ପଶୁର ସୃଷ୍ଟି କାଳ

★630-850 ନିୟୁତ ଵର୍ଷ ପୂର୍ଵେ -
  Cryogenian ସମୟକାଳ । ଏହାକୁ
Snowball Earth ସମୟ ମଧ୍ଯ କୁହାଯାଇଥାଏ । ଏହା ପୃଥିବୀର ଇତିହାସ ରେ ସବୁଠାରୁ ନିକୃଷ୍ଟତମ ହୀମଯୁଗ ବୋଲି କୁହାଯାଇଥାଏ । 

★800 ନିୟୁତ ଵର୍ଷ ପୂର୍ଵେ-

ଵିଶାଳ ମହାଦ୍ଵୀପ  Rodinia ଖଣ୍ଡବିଖଣ୍ଡିତ ହୋଇଥିଲା ।
★1. ବିଲିଅନ ଵର୍ଷ ପୂର୍ଵେ -
  ପ୍ରାଚୀନ Rodinia ମହାଦ୍ଵୀପ ଭାଙ୍ଗିବା ଆରମ୍ଭ ହୋଇଥିଲା ଫଳରେ ଭୂକମ୍ପ ଭୂଚଳନ ଆଦି ଯୋଗୁଁ ପୃଥିବୀର ନାନାଵିଧ ପ୍ରଳୟ ସଂଘଟିତ ହୋଇଥିଲା ।
★1.3 ବିଲିଅନ ବର୍ଷ ପୂର୍ବେ -
ପ୍ରଥମ ପାଦପ ସୃଷ୍ଟି କାଳ
★1.6 ବିଲିଅନ ଵର୍ଷ ପୂର୍ଵେ-
ପ୍ରଥମ  blue-green algae ସୃଷ୍ଟି କାଳ.

★2.4 billion years ago -
ପୃଥିବୀରେ ସାୟନୋଵ୍ୟାକଟେରିଆ ନାମକ ଏକ ଜୀଵ ଯୋଗୁଁ ଅମ୍ଳଜାନ ସଂକଟ ଦେଖା ଦେଇଥିଲା । ଏହାକୁ the great Oxidation Event ମଧ୍ଯ କୁହାଯାଏ । ଅଙ୍ଗାରକାମ୍ଳୀୟ ପୃଥିବୀରେ ସାୟନୋଵ୍ୟାକଟେରିଆ ଯେତେବେଳେ ଆପଣା ଖାଦ୍ୟ ପ୍ରସ୍ତୁତି ହେତୁ ଅଙ୍ଗାରକାମ୍ଳ ଶୋଷଣ କରି ଅମ୍ଳଜାନ ଛାଡି଼ବାକୁ ଲାଗିଲା ସେତେବେଳେ ପୃଥିବୀର ମୁକ୍ତ ଵାୟୁମଣ୍ଡଳରେ ଅମ୍ଳଜାନ ମିଶିବାକୁ ଲାଗିଲା ।

★3 ବିଲିଅନ ଵର୍ଷ ପୂର୍ବେ  -
ଵିଶ୍ଵର ସର୍ଵପ୍ରଥମ ମହାଦ୍ଵୀପ ଭାଙ୍ଗିଵାକୁ ଆରମ୍ଭ କରିଥିଲା ।
★3.8 - 4 ବିଲିଆନ ଵର୍ଷ ତଳେ-
The Late Heavy Bombardment ଵା “ପ୍ରାଚୀନ ଭୀଷଣ ବୋମାଵର୍ଷଣ” ଵିଶିଷ୍ଟ ଘଟଣା ସଂଗଠିତ ହୋଇଥିଲା । ଏହି ମହାଜାଗତିକ ଘଟଣା ଯୋଗୁଁ ପୃଥିବୀ, ଚନ୍ଦ୍ର, ମଙ୍ଗଳ ତଥା ବୃହସ୍ପତି ଆଦି ଗ୍ରହ ଉପଗ୍ରହ ଉପରେ ଭୀଷଣ ଉଲକାପାତ ହୋଇଥିଲା ।

★4 ବିଲିଅନ ଵର୍ଷ ପୂର୍ଵେ-ପୃଥିବୀରେ ପ୍ରଥମ ଜୀଵନ ସୃଷ୍ଟି ର ସମୟ ।

★4.45 ବିଲିଆନ ଵର୍ଷ ତଳେ -
ପୃଥିବୀର ଗଠନ ସମ୍ପୂର୍ଣ୍ଣ ହୋଇଯାଇଥିଲା ।  କ୍ଷୁଦ୍ରଗ୍ରହ ସହ ବାରମ୍ବାର ଟକ୍କର ଯୋଗୁଁ ପୃଥିବୀରେ ବଡ଼ ବଡ଼ ବୈଦୁତିକ ତୋଫାନ ଲାଗିରହିଥିଲା ।
★4.5 ବିଲିଆନ ଵର୍ଷ ତଳେ-
ଚନ୍ଦ୍ରମା ସୃଷ୍ଟିର କାଳ- ବୈଜ୍ଞାନିକ ମାନେ ଆକଳନ କରିଛନ୍ତି ଯେ ଏ ସମୟରେ ଥିଆ ନାମକ ଏକ ଵିଶାଳ ଗ୍ରହ ସହ ଧକ୍କା ଲାଗିବାରୁ ପ୍ରୋଟୋ-ପୃଥ୍ଵୀର ପାଞ୍ଚ ଭାଗରୁ ଏକ ଭାଗ ଅଲଗା ହୋଇଯାଇ ତହିଁର ଚର୍ତୁପାର୍ଶ୍ଵରେ ବୁଲିବାକୁ ଲାଗିଲା । ଏହା ପରଵର୍ତ୍ତୀ କାଳରେ ଚନ୍ଦ୍ରମା ବୋଲାଇଲା । ତେବେ ପୃଥିବୀର ଚନ୍ଦ୍ରମା ଛଡା଼ ଆଉ ଏକ କ୍ଷୁଦ୍ର ଉପଗ୍ରହ ମଧ୍ଯ ଅଛି କିନ୍ତୁ ତାହା ଏଇ ମାତ୍ର ଏକ ଶତାବ୍ଦୀ ହେଲା ପୃଥିବୀର ପ୍ରଦକ୍ଷିଣା କରୁଅଛି । ଵୈଜ୍ଞାନିକମାନେ ତାର ନାମ “2016 HO3” ଦେଇଛନ୍ତି । ଏହା ପୃଥିବୀର ଏକ
quasi-satellite ଯାହା ପୃଥିବୀ ଓ ସୂର୍ଯ୍ୟ ଉଭୟର ପ୍ରଦକ୍ଷିଣା କରିଥାଏ । 2016 ରେ ଏହାକୁ ଖୋଜାଯାଇଥିଲା ।

★4.55 ବିଲିଅନ ଵର୍ଷ ତଳେ-
ସୌରମଣ୍ଡଳର ସୃଷ୍ଟି କାଳ

★13.3 ବିଲିଆନ ଵର୍ଷ ତଳେ - Reionization : ହାଇଡ୍ରୋଜନ ଗ୍ୟାସ ଘନିଭୂତ ହୋଇ ପ୍ରଥମ ତାରକା ସୃଷ୍ଟି ହେଲା

★13.3 - 13.7 ବିଲିଆନ ଵର୍ଷ ତଳେ -
ସୃଷ୍ଟି ଆରମ୍ଭ ପରଵର୍ତ୍ତୀ ଅନ୍ଧକାର ଯୁଗ ।
ହାଇଡ୍ରୋଜନ ଘନିଭୂତ ହେବା ତଥା ପ୍ରଥମ ତାରକା ସୃଷ୍ଟି ର ମଧ୍ୟ କାଳ ।
★13.7 ବିଲିଆନ ଵର୍ଷ ତଳେ-
ବିଗବ୍ୟାଙ୍ଗ ଯୋଗୁଁ ସୃଷ୍ଟି ପରିଵ୍ୟାପ୍ତ ହେବାକୁ ଲାଗିଲା

(Source-Internet)

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...