Monday, August 30, 2021

ସଂଗ୍ରାମୀକଵି ଉଦୟନାଥ ଷଡ଼ଙ୍ଗୀ

ଓଡ଼ିଶାରେ ଏମିତି ଅନେକ କଵି ଲେଖକ ଓ ସ୍ଵାଧୀନତା ସଂଗ୍ରାମୀ ଜନ୍ମ ଲଭିଛନ୍ତି ଯାହାଙ୍କ ଵିଷୟରେ ଵର୍ତ୍ତମାନର ଯୁଵପିଢି଼ ଜାଣିଵା ତ ଦୂରେ ଥାଉ ତାଙ୍କ ନାମ ସୁଦ୍ଧା ଜାଣି ନଥାନ୍ତି । ଏକଵିଂଶ ଶତାବ୍ଦୀରେ ଓଡ଼ିଶାର ଯୁଵପିଢି଼ କ୍ରମଶଃ ହିନ୍ଦୀ ଓ ଇଂରାଜୀ ଭାଷା ପ୍ରତି ଅଧିକ ଆକର୍ଷିତ ହେଉଥିଵାରୁ ତଥା ଓଡ଼ିଶାର ମହାପୁରୁଷଙ୍କ ଵିଷୟରେ ସର୍ଵତ୍ର ତଥ୍ୟ ମିଳୁନଥିଵାରୁ ଵା ଵିଦ୍ୟାଳୟରେ ସେମାନଙ୍କ ସମ୍ବନ୍ଧରେ ପଢ଼ା ଯାଉନଥିଵାରୁ ଆଜିର ଯୁଵସମାଜ ସେମାନଙ୍କର କୀର୍ତ୍ତି ସମ୍ପର୍କରେ ଜାଣିପାରେ ନାହିଁ ।

ସେହିପରି ଜଣେ ସ୍ଵାଭିମାନୀ ଓଡ଼ିଆଙ୍କୁ ଏ ଜାତି କ୍ରମଶଃ ପାଶୋରି ଯିଵାକୁ ବସିଛି । ସେହି ମହାମାନଵ ହେଉଛନ୍ତି ଆଧୁନିକ ଓଡିଆ ସାହିତ୍ୟର ଜଣେ ଅନନ୍ୟ ସ୍ରଷ୍ଟା ୰ଶ୍ରୀଉଦୟନାଥ ଷଡଙ୍ଗୀ । ଉଦୟନାଥ ଷଡ଼ଙ୍ଗୀଙ୍କର ଜନ୍ମ ୧୯୦୫ ମସିହା ମାର୍ଚ୍ଚ ୧୬ତାରିଖରେ  ଜଗତସିଂହପୁର ଜିଲ୍ଲାରେ ଅଵସ୍ଥିତ ସିପି ଗ୍ରାମରେ ହୋଇଥିଲା  । ସେ  ଏକ ସାଧାରଣ ପରିଵେଶ ମଧ୍ୟରେ ଜନ୍ମ ଲାଭ କରିଥିଲେ ମଧ୍ୟ ଵିରଳ କାଵ୍ୟ ପ୍ରତିଭାର ଅଧିକାରୀ ହୋଇଥିଲେ ।

ଵାଲ୍ୟକାଳରେ ତାଙ୍କ ସୁଗୁଣ କ୍ରମେ ଵିକଶିତ ହେଵାକୁ ଲାଗିଲା ଏଵଂ ଵୟସ ଵୃଦ୍ଧି ସହ ଉଦୟନାଥଙ୍କ ହୃଦୟରେ ଦେଶପ୍ରେମ ଵୀଜ ଅଙ୍କୁରିତ ହେଲା । ସେତେବେଳକୁ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନ ଚରମ ସ୍ତରରେ ପହଞ୍ଚିଯାଇଥାଏ । ମହାତ୍ମାଗାନ୍ଧୀଙ୍କ ଡାକରାରେ ଦେଶଯାକର  ଅନେକ ଛାତ୍ରଛାତ୍ରୀ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଯୋଗ ଦେଇଥିଲେ  । ଉଦୟନାଥ ମଧ୍ୟ ତନ୍ମଧ୍ୟରେ ଜଣେ ଥିଲେ ଏଵଂ ତାଙ୍କ ଘଟଣା ବହୁଳ ଜୀବନର ଏକ ଅଧ୍ୟାୟ  ସ୍ୱାଧୀନତା ସଂଗ୍ରାମର ମୁକ୍ତିତୀର୍ଥ ଅଳକାଶ୍ରମରୁ ଆରମ୍ଭ ହୋଇଥିଲା । ଅଳକାଶ୍ରମରେ ସୂତାକଟା, ଲୁଗାବୁଣା ଓ ଅନ୍ୟାନ୍ୟ ଧନ୍ଦାମୂଳକଶିକ୍ଷା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ  ଦିଆଯାଉଥିଲା ।   ଏଠାରେ ରହି ଉଦୟନାଥ ଏସବୁ ଶିକ୍ଷାକୁ ଜୀଵନର ଵ୍ରତ ରୂପେ ଗ୍ରହଣ କରିନେଲେ ।  ପରଵର୍ତ୍ତୀ ପର୍ଯ୍ୟାୟରେ ଶ୍ରୀଉଦୟନାଥ ଷଡ଼ଙ୍ଗୀ, ବକୁଳଵନର ଛୁରୀଅନା କୁଞ୍ଜ ତଳେ ଗଢ଼ି ଉଠିଥିଵା ସତ୍ୟଵାଦୀ ଵନଵିଦ୍ୟାଳୟର ଛାତ୍ର ହୋଇଥିଲେ ।


ସେତେବେଳେ ଆର୍ଯ୍ୟ ହରିହର, ପଣ୍ଡିତ ନୀଳକଣ୍ଠ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପରି ଯୋଗଜନ୍ମା, ଜ୍ଞାନୀ, ଗୁଣୀ ଓ ସାରସ୍ୱତ ସାଧକମାନଙ୍କ ସଂସ୍ପର୍ଶରେ ଆସି ଶ୍ରୀଉଦୟନାଥଙ୍କ ଜୀଵନର ଗତିପଥ ବଦଳିଯାଇଥିଲା ।   ପରେ ସମାଜ ସମ୍ପାଦକ ରାଧାନାଥ ରଥଙ୍କ ସାହଚର୍ଯ୍ୟ ତାଙ୍କୁ ସାହିତ୍ୟ ସାଧନା କ୍ଷେତ୍ରରେ ଆଗକୁ ବଢ଼ିଵା ପାଇଁ ଵିଶେଷ ପ୍ରେରଣା ଦେଇଥିଲା ।

ତେବେ ଶ୍ରୀଉଦୟନାଥ ଷଡଙ୍ଗୀ କେଵଳ କବି ନୁହଁନ୍ତି, ଜଣେ ସଚ୍ଚା ସ୍ୱାଧିନତା ସଂଗ୍ରାମୀ , ଉଚ୍ଚ ଧରଣର ସ୍ତମ୍ଭକାର, ପ୍ରଖ୍ୟାତ ସାମ୍ବାଦିକ, ଵିଶିଷ୍ଟ ଅନୁଵାଦକ ଭାବେ ସେ ଖ୍ୟାତି ଅର୍ଜ୍ଜନ କରିଅଛନ୍ତି । ସେ ଜଣେ ସଫଳ ଅନୁଵାଦକ ଭାବେ ଅନୁଦିତ ସାହିତ୍ୟ କ୍ଷେତ୍ରରେ ନିଜର ଦକ୍ଷତାର ପ୍ରମାଣ ଛାଡି଼ଯାଇଛନ୍ତି । ସେ ଵିଭିନ୍ନ ଭାଷାର ଶିଶୁ ସାହିତ୍ୟକୁ ଓଡ଼ିଆ ଭାଷାରେ ଅନୁଵାଦ କରିଥିଲେ ।ତାଙ୍କ ଅନୁଦିତ ପୁସ୍ତକ ମଧ୍ୟରେ ଆରବ୍ୟ ରଜନୀ, ଇଦ୍ ପର୍ଵ, ଆଲିବାବା, ସିନ୍ଦ୍ ବାବା, ଗୌତମ ବୁଦ୍ଧ ଆଦି ଉଲ୍ଲେଖ ଯୋଗ୍ୟ । କିନ୍ତୁ ଅନୁଵାଦ ସାହିତ୍ୟ ହୋଇଥିଲେ ବି "ଟମ୍ କକାଙ୍କ କୁଟୀର" ଉପନ୍ୟାସ ପାଇଁ ଶ୍ରୀଉଦୟନାଥ ଅଜସ୍ର ଖ୍ୟାତି ଅର୍ଜନ କରିଥିଲେ । ଷ୍ଟୋବେ"ଙ୍କ ଲିଖିତ "Uncle Tom's Cabin"ର ଓଡ଼ିଆଭାଷାରେ ଏହା ଭାଵାନୁଵାଦ ଏଵଂ ଆମେରିକା ଦାସପ୍ରଥା ଉପରେ ଆଧାରିତ ଥିଲା । ଏହି ଉପନ୍ୟାସ  ତାଙ୍କଦ୍ଵାରା ଅନୁଦିତ ହୋଇଥିଲେ ମଧ୍ୟ ସବୁଥିରେ ତାଙ୍କ ନିଜସ୍ୱ ମୌଳିକତାର ଛାପ ସ୍ପଷ୍ଟ ବାରିହୋଇଯାଏ । ସେ "କୋନାନ ଡଏଲ"ଙ୍କ ଲିଖିତ ଇଂରାଜୀ ବହି "Valley of Fears"କୁ ମଧ୍ୟ ଓଡ଼ିଆ ଭାଷାରେ ଅନୁଵାଦ କରିଥିଲେ ।

ଶ୍ରୀ ଉଦୟନାଥ ଷଡ଼ଙ୍ଗୀ କେତେକ ଜାତୀୟତାଵାଦୀ ଓ ଦେଶାତ୍ମବୋଧକ କଵିତା ଲେଖିଛନ୍ତି କିନ୍ତୁ ସେ ଜଣେ ଶିଶୁ ସାହିତ୍ୟିକ ଭାବେ ଵିଶେଷ ଲୋକପ୍ରିୟ ହୋଇଥିଲେ । ଯେଉଁମାନେ ତାଙ୍କ ଶିଶୁ ସାହିତ୍ୟ ସହିତ ପରିଚିତ ସେମାନେ କୁହନ୍ତି ତାହା ଅତ୍ୟନ୍ତ ରସଯୁକ୍ତ ଓ ପ୍ରାଣଵନ୍ତ , ତାଙ୍କର ଶିଶୁକଵିତା ପାଠକରି ଵା ଶୁଣି ଶିଶୁପ୍ରାଣ ଆତ୍ମହରା ଉଠିଵ । ଯଥାର୍ଥରେ ସେ ଥିଲେ ଶିଶୁ ପ୍ରାଣର ଆଶା,ଆକାଂକ୍ଷା ଓ ସୁଖଦୁଃଖର ସାର୍ଥକ ରୂପକାର ।



ଶ୍ରୀଉଦୟନାଥ ଷଡ଼ଙ୍ଗୀଙ୍କର ଟୁଉକୁମୂଷି, ଚକାଚକା ଭଉଁରୀ, ଜହ୍ନମାମୁଁ, କଥା କବିତା,ବିଲୁଆନନାର ବାହାଘର,ମିନିର ମନକଥା,ତେଲ ଲୁଣର ସଂସାର,ଓଡ଼ିଶାର ଇତିହାସ କଥା,ଭାରତର ଇତିହାସ କଥା,ପରୀରାଇଜ,ଜଳଜନ୍ତୁ ସିରିଜ୍,ଆମ ଗ୍ରହ-ଉପଗ୍ରହ, ଏମାନଙ୍କୁ ଜାଣିରଖ, ତେଲ ଲୁଣର ସଂସାର,ଜାଣିଵା କଥା ଓ ବିଚିତ୍ର ପଶୁ ଆଦି ପୁସ୍ତକ ଵିଶେଷ ଜନାଦୃତ ହୋଇଥିଲା । ତାଙ୍କର ଆତ୍ମଜୀଵନୀ “ଗାନ୍ଧି ମହାରାଜାଙ୍କ ଶିଷ୍ୟ”ରେ ତାଙ୍କ ଜୀଵନରେ ଅନେକ ଅଜଣା କଥା ଜାଣିଵାକୁ ମିଳିଥାଏ ‌ ।



ଜଣେ ଅନନ୍ୟ ପ୍ରତିଭାସମ୍ପନ୍ନ ସାହତ୍ୟ ସାଧକ ଭାବେ ଉଦୟନାଥ ଷଡ଼ଙ୍ଗୀ ନିଜ ପାଇଁ ଏକ ନିଆରା ପରିଚୟ ସୃଷ୍ଟି କରିପାରିଥିଲେ । ତାଙ୍କର  ସାମଗ୍ରିକ ସାହିତ୍ୟ କୃତି ପାଇଁ ସେ ଅନେକ ସମ୍ମାନର ଅଧିକାରୀ ହୋଇପାରିଥିଲେ  । ଶ୍ରୀ ଉଦୟନାଥ ଷଡ଼ଙ୍ଗୀ ପ୍ରଜାତନ୍ତ୍ର ପ୍ରଚାର ସମିତି , ଓଡ଼ିଶା ସାହିତ୍ୟ ଏକାଡ଼େମୀ , ଉତ୍କଳ ପାଠକ ସଂସଦ, ଗୋକର୍ଣ୍ଣିକା ସାହିତ୍ୟ ସମାଜ ଆଦି ବହୁ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥିଲେ ।



ଶ୍ରୀ ଷଡ଼ଙ୍ଗୀଙ୍କର ୧୯୯୯ ମସିହା ଜାନୁୟାରୀ ୮ତାରିଖରେ ତିରୋଧାନ ହୋଇଯାଇଥିଲା । ସଂଗ୍ରାମୀକଵି ଶ୍ରୀଉଦୟନାଥ ଷଡ଼ଙ୍ଗୀ ଆଜି ଆଉ ଆମ ଗହଣରେ ନାହାଁନ୍ତି ସତ କିନ୍ତୁ ତାଙ୍କର ଉଦବୋଧନୀ ଵା ଦେଶାତ୍ମବୋଧକ କଵିତା ଓ ଅନ୍ୟାନ୍ୟ ସାହିତ୍ୟିକ କୃତି ଓଡ଼ିଆ ଜାତିର ଅସ୍ତିତ୍ବ ଥିଵା ଯାଏଁ ଅମର ରହିଥିଵ  ।


ମୁକର ପତ୍ରିକାରେ ବହୁ ଵର୍ଷ ତଳେ ସଂଗ୍ରାମୀକଵି ଶ୍ରୀଉଦୟନାଥ ଷଡ଼ଙ୍ଗୀଙ୍କର ଗୋଟିଏ ଜାତୀୟତାଵାଦୀ କଵିତା “ଭାସିଯାଆ ମୋର ବୋଇତ” ପ୍ରକାଶିତ ହୋଇଥିଲା ତାହା ନିମ୍ନରେ ପ୍ରଦତ୍ତ ହେଲା...



⛵⛵⛵⛵⛵⛵⛵⛵⛵⛵⛵⛵
   ⛵⛵ଭାସିଯାଆ ମୋର ବୋଇତ ⛵⛵
⛵⛵⛵⛵⛵⛵⛵⛵⛵⛵⛵⛵
     (📝କଵି—୰ଶ୍ରୀଉଦୟନାଥ ଷଡ଼ଙ୍ଗୀ)

                            (୧)
ଭାସିଯାଆ ମୋର ବୋଇତ ଭାସି ଯାଆରେ ଖରେ, ଭେଟିବୁ ଓଡ଼ିଆ ବଣିକେ ଏହି ଦରିଆ ପାରେ ।
ଦେଖିବୁ କେତେ ଯେ ବୋଇତ ଜାଭା ବୋର୍ଣ୍ଣିଓ କୂଳେ, ଚିହ୍ନିବୁ ଵିଜୟୀ-ବଣିକେ, ତୋର ଭାଇ ସକଳେ । ଚାରୁଶିଳ୍ପ-ଭୂଷା-ଉତ୍ତୁଙ୍ଗ ପାଲ ଦେଖିବୁ ଯହିଁ
ଜାଣିବୁ ସେ ପୋତ ଗଢି଼ଛି ତୋର ଓଡ଼ିଆ ଭାଇ ।
କାନ୍ଦି କନ୍ଦାଇବୁ ବଣିକେ ଓଡ଼ିଶାର ସର୍ଵସ୍ଵ
ତାଙ୍କ ଵିନେ ମାତା କାଙ୍ଗାଳୀ, ସୁଧା ହୋଇଛି ଵିଷ !

                            (୨)

ଭାସିଯାଆ ମୋର ତରୀଟି ଟେକି ତୋ  କ୍ଷୁଦ୍ର ପାଲ, ଭେଟିବୁ ସେ ଦେଶ, ଯେ ଦେଶେ ଗଲେ ଓଡ଼ିଆ-ଵୀର ଖାଇବେଳ, ଐର ସମ୍ରାଟ ମାତା ମୁକୁଟ-ମଣି,
ଦଳିଥଲେ ପରା ସଦର୍ପେ ପଞ୍ଚନଦ-ଵାହିନୀ ।
ପଵିତ୍ର ଗାଙ୍ଗେୟ ପ୍ରଦେଶୁଁ ଦୂର କୁମାରୀ ଯାଏ, ଉଡା଼ଇଲେ ଜୟ-କେତନ ତୋର ଯୋଗୁଁ ନିର୍ଭୟେ ।
ଧନ-ରତ୍ନ ପୂର୍ଣ୍ଣ ବନ୍ଦର ଉଚ୍ଚେ ଟେକିଲେ ମଥା,
ଆଜି ବାୟୁ ସଙ୍ଗେ କେଵଳ ଯହିଁ ଖେଳେ ସିକତା ।

                           (୩)
ଭାସିଯାଆ ମୋର ବୋଇତ ପଛେ ନ ଚାହାଁ ଫେରି, ମର-ବଇକୁଣ୍ଠ ହୋଇଛି ଆଜି ଵିଗତ-ଶିରୀ ।
ଏହି ତ ସେ ଦେଶ, ଯେ ଦେଶେ କାଞ୍ଚି-କାଞ୍ଚନ-ଜେମା, ଜିଣି ଆଣିଥିଲେ ଵିଜୟୀ, ଦୂରୁଁ ମର୍ତ୍ତ୍ୟର ରମା ।
ଏହି ସେ ଚିଲିକା ଯା ଵକ୍ଷ ଶତ ଓଡ଼ିଆ ତରୀ,
ଭସୁଥିଲା ଦିନେ ଉଲ୍ଲାସେ ଜୟ-କେତନ ଧରି । ସାଧଵାଣୀ ମନ ପୁଲକେ ଆଣି ଅରଘଥାଳୀ,
ନେଉଥିଲା ବଇତେ ଘରେ ବନ୍ଦାଇ ତରୀ ।

                          (୪)

ଭାସିଯାଆ ମୋର ବୋଇତ ନୋହି ନିରାଶ ତିଳେ,
ଅସିଵ ସେଦିନ, ପୂଜିଵେ ତୋତେ ଓଡି଼ଆ-ଵୀରେ । ଉଠିଵ ଓଡ଼ିଶା ଆକାଶେ ଵୀର ଓଡି଼ଆ ଗାନ,
ଉଡି଼ଵ ପଵନ ଲହରେ ତୋର ଜୟ-କେତନ ।
ନିଳାମ୍ବୁ -ଚିଲିକା ହରଷେ ଦିନେ ଉଠିଵ ନାଚି,
ଭାସିଵ ସହସ୍ର ବୋଇତ ଭାଙ୍ଗି ସାଗର ଵୀଚି । ଓଡି଼ଆ-ଗୌରଵ-ଭଣ୍ଡାର କୋଣାରକ ତ ଦିନେ,
ତେଜି ଜୀର୍ଣ୍ଣଵପୁ ହସିଵ ସେହି ଦୂର-ପୁଳୀନେ I
ଖଣ୍ଡ ଖଣ୍ଡ ଵପୁ ତାହାର ଏକ ହୋଇଵ ମିଶି,
ଭାଇ ଭାଇ ଘରେ ଆସିଵ କୋଳ  କରିଵ ହସି ।
ଗାଇବ ଵିଜୟ-ସଙ୍ଗୀତ ଉଚ୍ଚେ ଓଡ଼ିଆ ଭାଟ,
ବୋହିଵ ଓଡ଼ିଆ ଵାହୁରେ ପୂର୍ଵ ଶୋଣିତ ସ୍ରୋତ ।
ଭାସିଯାଆ ମୋର ବୋଇତ ଭାସିଯାଆ ମଉନେ, ସେତେବେଳେ ବାନ୍ଧି ଆଣିବି ମୁହିଁ ପୁଲକ ପ୍ରାଣେ ।

                ————×————

Saturday, August 28, 2021

ବାମଣ୍ଡା (ଭ୍ରମଣକାରୀର ପତ୍ର)


#ରୋହିଲା'ରୁ ପ୍ରାୟ ଦୁଇକୋଶ ଯାଇ ଆମ୍ଭେମାନେ ବାମଣ୍ଡା ରାଜ୍ୟରେ ପ୍ରଵିଷ୍ଟ ହେଲୁ । ଅରଣ୍ୟରେ କେତେଦୂର ଯାଇଁ ସର୍ଵ ପ୍ରଥମରେ #ବ୍ରାହ୍ମଣୀ ତୀରଵର୍ତ୍ତୀ #ଜୁଆଳିବନ୍ଧା ଗ୍ରାମ ଦେଖୁ । ଏ ଗ୍ରାମଟି ଅତି କ୍ଷୁଦ୍ର, ମାତ୍ର ଅତି ପରିଷ୍କୃତ, ଗ୍ରାମରେ ପ୍ରତ୍ୟେକ ଦାଣ୍ଡ ଏଵଂ ଗଳିମାନଙ୍କରେ ସଡ଼କ ଦେଖି ଆମ୍ଭେମାନେ ଆଶ୍ଚର୍ଯ୍ୟାନ୍ବିତ ହେଲୁ । ଜୁଆଳିବନ୍ଧାରୁ ନଈକୂଳକୁ ଯିଵାକୁ ପ୍ରାୟ ଏକଘଣ୍ଟା ସମୟ ଲାଗିଵ । ନଈକୂଳ ବ୍ରାହ୍ମଣୀ ତୀରଵର୍ତ୍ତୀ ଗୋଟିଏ ପ୍ରଧାନ ସ୍ଥାନ । ଗୋଟିଏ କ୍ଷୁଦ୍ର ସହର ପ୍ରାୟ ବୋଧ ହେଲା । ଏଠାରେ ଥାନା, ସ୍କୁଲ, ଗୋଦାମ ଏଵଂ ଅନ୍ୟାନ୍ୟ ରାଜକୀୟ କାର୍ଯ୍ୟାଳୟ ଅଛି । ନଦୀର ସମାନ୍ତରାଳ ହୋଇ ଗୋଟିଏ ସଡ଼କ ଗ୍ରାମକୁ ଦୁଇ ଭାଗରେ ଵିଭକ୍ତ କରିଅଛି । ପୂର୍ଵୋକ୍ତ #ରେଙ୍ଗାଳି ସଡ଼କ ଏହି ସଡ଼କରେ ସଂଯୁକ୍ତ ହୋଇଅଛି ଏବଂ ଏହି ସଡ଼କ ନାନା ଗ୍ରାମ ଓ ଅରଣ୍ୟ ଭେଦକରି #ବାମଣ୍ଡା ରାଜଧାନୀ #ଦେଵଗଡ଼ ପର୍ଯ୍ୟନ୍ତ ଵିସ୍ତୃତ ହୋଇଅଛି । ସ୍ଥାନଟି ଅତି ପରିଷ୍କୃତ, ଵିଶେଷତଃ ଲୋକମାନେ ଏହାକୁ ପରିଷ୍କୃତ ରଖିଵା ଵିଷୟରେ ଅଭ୍ୟସ୍ତ ହୋଇଥିଵାର ସମ୍ପୂର୍ଣ୍ଣ ପରିଚୟ ମିଳିଲା । ପ୍ରାତଃକାଳରେ ଆମ୍ଭେମାନେ ନଈକୂଳ ପରିତ୍ୟାଗ କରି #ଗୋଗୁଆ'ରେ ଉପସ୍ଥିତ ହେଲୁ । ଗୋଗୁଆ ବ୍ରାହ୍ମଣୀ ତୀରଵର୍ତ୍ତୀ ଗୋଟିଏ ପ୍ରଧାନ ପଲ୍ଲୀ ଏବଂ ପୂର୍ଵୋକ୍ତ ପ୍ରଧାନ ସଡ଼କଦ୍ବାରା ଦ୍ଵିଧା ଵିଭକ୍ତ । ଏଠାରେ ଗୋଟିଏ ଵୃହତ୍ ଗୋଦାମ ଏଵଂ ଗୋଟିଏ ଵିଦ୍ୟାଳୟ ମଧ୍ୟ ଅଛି । ପଥିକମାନଙ୍କ ଅଵସ୍ଥାନ ନିମନ୍ତେ ଭତ୍ତମ ଗୃହ ମଧ୍ୟ ଅଛି । ଗୋଗୁଆରୁ #ଗାଙ୍ଗନାଳ ପ୍ରାୟ ଓଳିକର ବାଟ । #ସମ୍ବଲପୁର'ରୁ #ମେଦିନୀପୁର ପର୍ଯ୍ୟନ୍ତ ଵିସ୍ତୃତ ପ୍ରାଚୀନ ସାମରିକ ସଡ଼କ ପାର୍ଶ୍ବରେ ଗାଙ୍ଗନାଳ ଅଵସ୍ଥିତ । ପଥକମାନଙ୍କର ରହିଵା ସକାଶେ ଏଠାରେ ପଟାର ମଞ୍ଚ ଏବଂ ଅନ୍ୟାନ୍ୟ ଗୃହାଦି ଅଛି । ଗୋଟିଏ ଗିରିନଦୀ ପ୍ରଵାହିତ ହୋଇ ସ୍ଥାନକୁ ଵାସଯୋଗ୍ୟ କରାଇଅଛି । ବାମଣ୍ଡାର ଅନ୍ୟାନ୍ୟ ଗ୍ରାମ ପରି ଏଠାରେ ମଧ୍ୟ ସଡ଼କର ଅଭାଵ ନାହିଁ ଏଵଂ ଲୋକମାନେ ଅତ୍ୟାଚାର ଵ୍ୟତୀତ ମ୍ୟୁନିସିପାଲିଟିର ସମସ୍ତ ସୁଵିଧା ଉପଭୋଗ କରୁଥିଵାର ବୋଧହେଲା । ବାମଣ୍ଡା ଗାଙ୍ଗନାଳରୁ ଆମ୍ଭେମାନେ ପ୍ରାୟ ତିନି କ୍ରୋଶ ଯାଇ ଗିରିନଦୀ ତୀରଵର୍ତ୍ତୀ #ସୁଗଡ଼ା ଗ୍ରାମରେ ଉପସ୍ଥିତ ହେଲୁ । ସୁଗଡ଼ା ଗୋଟିଏ ସମୃଦ୍ଧିଶାଳୀ ପଲ୍ଲୀ, ଏହି ସ୍ଥାନରୁ ଦେଵଗଡ଼ ତିନି କ୍ରୋଶରୁ ଅଧିକ ନୁହେଁ । ସୁଗଡ଼ାରେ ଆହାରାଦି କରି ଅମ୍ଭେମାନେ #ଵାସୁଦେଵପୁର ଶାସନ ଦେଖିଵା ଉଦ୍ଦେଶ୍ୟରେ ସଡ଼କ ପରିତ୍ୟାଗପୂର୍ଵକ ପଶ୍ଚିମାଭିମୁଖ ହେଲୁ । ଵାସୁଦେଵପୁର ଶାସନ ବାମଣ୍ଡାର ଵର୍ତ୍ତମାନ ମହାରାଜାଙ୍କ କର୍ତ୍ତୃକ ସ୍ଥାପିତ ଏଵଂ ତାହାଙ୍କ ନାମାନୁସାରେ ନାମିତ । ଗ୍ରାମ ମଧ୍ୟରେ ପ୍ରଵେଶ କରି ଗ୍ରାମର ସୁଵ୍ୟଵସ୍ଥା ଦେଖି ଆମ୍ଭେମାନେ ଆଶ୍ଚର୍ଯ୍ୟାନ୍ବିତ ହେଲୁ । ମଝିରେ ପ୍ରଶସ୍ତ ସଡ଼କ ଏବଂ ଉଭୟ ପାର୍ଶ୍ଵରେ ସାହେବମାନଙ୍କ ବଙ୍ଗଳା ପରି ଏକାକୃତି ଓ ଏକାଵୟଵଵିଶିଷ୍ଟ ଖଡ଼ିମାଟିଧୌତ ମାଟିର ବଙ୍ଗଳାମାନ ଶ୍ରେଣୀଵଦ୍ଧ ହୋଇ ରହିଛି । ଗ୍ରାମର ଅନତିଦୂରରେ ଵନ କର୍ତ୍ତିତ ହୋଇ ହସ୍ତୀଦ୍ଵାରା ପ୍ରଚୁର ଭୂମି ଆଵାଦ ହୋଇ ଅଛି । ଏହି ଭୂମି ବ୍ରାହ୍ମଣମାନେ ଵୃତ୍ତିସ୍ବରୂପ ପାଇଅଛନ୍ତି । ଅନାବୃଷ୍ଟି ଭୟରୁ ମଧ୍ୟ ବ୍ରାହ୍ମଣମାନେ ସୁରକ୍ଷିତ । ଗ୍ରାମର ଉତ୍ତରରେ ଗୋଟିଏ ଉଚ୍ଚ ସେତୁଦ୍ବାରା #ସ୍ଵଗିରିନଦୀ'ର ଜଳ ସଞ୍ଚୟ ହୋଇ ପ୍ରାୟ ଅର୍ଦ୍ଧକୋଶଵ୍ୟାପି ଗୋଟିଏ ଵୃହତ୍ ହ୍ରଦରୂପେ ପରିଣତ ହୋଇଅଛି । ଶୁଣି ଅତ୍ୟନ୍ତ ଦୁଃଖିତ ହେଲି ଯେ, ଏହି ବ୍ରାହ୍ମଣମାନେ ଏତେ ସୁଵିଧା ପାଇ ସୁଦ୍ଧା ଵିଦ୍ୟା ଅଧ୍ୟୟନ ଵିଷୟରେ ଆଶାନୁରୂପ ମନୋଯୋଗୀ ହୋଇନାହାନ୍ତି। ଵାସୁଦେଵପୁର ଶାସନ ଦର୍ଶନ ଉତ୍ତାରୁ ଆମ୍ଭେମାନେ ଅରଣ୍ୟମାର୍ଗରେ ଯାଇ ପୂର୍ଵୋକ୍ତ ପ୍ରଧାନ ସଡ଼କରେ ଉପସ୍ଥିତ ହେଲୁ । ଦେଵଗଡ଼ ଅତି ସୁନ୍ଦର, ପରିଷ୍କୃତ, କ୍ଷୁଦ୍ର ନଗର, ଉତ୍ତରରୁ ଦକ୍ଷିଣକୁ ପ୍ରସାରିତ । ସଡ଼କମାନ ସୁସଂସ୍କୃତ ଅଵସ୍ଥାରେ ପରିରକ୍ଷିତ ଏଵଂ ସମାନ୍ତରାଳ ପଯୁଃପ୍ରଣାଳୀଦ୍ୱାରା ପରିଶୋଭିତ । ଉତ୍ତର ପାର୍ଶ୍ଵରେ ଶ୍ୟାମାଙ୍ଗ #ପ୍ରଧାନପାଟ ଶୈଳ-ପ୍ରାଚୀର ପ୍ରାୟ ଦଣ୍ଡାୟମାନ, ଵକ୍ଷ ସ୍ଥଳରେ ସ୍ୱଚ୍ଛ ପ୍ରପାତ କୌସ୍ତୁଭମଣି' ପ୍ରାୟ ଶୋଭା ପାଉଅଛି ।

(ଭ୍ରମଣକାରୀର ପତ୍ର,କଵିଵର ରାଧାନାଥ ରାୟ)

Friday, August 27, 2021

ଓଡ଼ିଶାର ନିମକ୍ ହରାମ୍ ଜାଗିରଦାର୍


ମରାଠା ଓ ଇଂରେଜମାନଙ୍କ ଦ୍ଵାରା ଓଡ଼ିଶା ପରାଧୀନ ଥିଵା ସମୟରେ “ପ୍ରଭୁଙ୍କ ଅପକାର କରିଵା ଯୋଗୁଁ ପ୍ରଭୁଙ୍କ ଵିପକ୍ଷଙ୍କ ଠାରୁ ପୁରସ୍କାର ସ୍ବରୂପ ଜାଗିରି ପାଇଥିଵା ନିମକହରାମ ଭୃତ୍ୟକୁ”, “ନିମକହରାମ୍ ଜାଗିରିଦାର୍” କୁହାଯାଉଥିଲା ।

ମରହଟ୍ଟାଙ୍କର ଅଧିକୃତ କଳିଙ୍ଗୋତ୍କଳ ରାଜ୍ଯର ଚିଲିକା ନିକଟଵର୍ତ୍ତୀ ସୀମାନ୍ତକୁ ରକ୍ଷା କରିଵା ନିମନ୍ତେ ଚିଲିକା ମଧ୍ଯସ୍ଥ ମାଲୁଦ ଦ୍ବୀପକୁ ପ୍ରଥମେ ଜଣେ ବ୍ୟକ୍ତି ଜାଗିରି ସ୍ବରୂପ ପାଇଥିଲା । ୧୮୦୩ ମସିହାରେ ସେହି ମରହଟ୍ଟା ଜାଗିରିଦାର୍ ଇଂରେଜ ସୈନିକମାନଙ୍କୁ ରାସ୍ତା ଛାଡ଼ି ଦେଇ ସକଳ ରହସ୍ଯ ଖୋଲି ଦେଇଥିଵାରୁ ମରହଟ୍ଟାମାନଙ୍କଠାରୁ ସେ ନିମକହରାମ୍ ଜାଗିରଦାର୍ ନାମ ପାଇଥିଲା । ଅର୍ଥାତ୍ ମରାଠାମାନଙ୍କ ଦ୍ଵାରା ପ୍ରଥମେ ଏହି ପଦର ପ୍ରଚଳନ ହେଇଥିଲା ।

୧୮୦୩ ମସିହାରେ ଇଂରେଜ ଜେନେରାଲ ହାରକୋଟ ଖୋର୍ଦ୍ଧା ଆକ୍ରମଣ କଲେ । ହାରକୋଟ୍ ମାଡ୍ରାସଠାରୁ ପୁରୀ ଆସିଵା ନିମନ୍ତେ ନିଜର ସୈନ୍ୟଵାହିନୀ ସହ ସମୁଦ୍ର କୂଳ ବାଟ ଦେଇ ଅଗ୍ରଗତି କରୁଥିଲେ । ଏବେ ବି ମାଡ୍ରାସରେ ଦକ୍ଷିଣ ହାର୍‌କୋଟ୍ ଏବଂ ଉତ୍ତର ହାର୍‌କୋଟ୍ ଦୁଇଟି ଜିଲ୍ଲା ତାଙ୍କର ନାମ ଅନୁସାରେ ରହିଛି । ହାରକୋଟ୍‌ଙ୍କ ଆକ୍ରମଣରେ ସର୍ଵଶେଷରେ ୧୮୦୫ ମସିହା ବେଳକୁ ଓଡ଼ିଶା ଇଂରେଜ ଶାସନାଧୀନ ହେଲା ।

ତେବେ ଜେନେରାଲ ହାରକୋଟ୍ ସମୁଦ୍ର କୂଳ ବାଟରେ ଆସି ମାଲୁଦଠାରେ ପାରିକୁଦରେ ପହଞ୍ଚିଲେ । ଚାରିପଟେ ଚିଲିକା ହ୍ରଦ ଏଵଂ ପାରିକୁଦ ଗୋଟିଏ ଦ୍ଵୀପାଞ୍ଚଳ । ପାରିକୁଦ ଗଡ଼ଠାରୁ ମାଲୁଦ ୧୦ କିଲୋମିଟର ଦୂର । ପ୍ରଥମେ ପାରିକୁଦ ରାଜ୍ୟଟି ବଙ୍କାଡ଼ ଗଡ଼ ଅଧୀନରେ ଥିଲା । ତାହା ଏବେର ବାଣପୁର ।

ବାଣପୁର ବାଣାସୁରର ରାଜଧାନୀ ବୋଲି ପ୍ରଵାଦ ରହିଛି । ପାରିକୁଦ ଇତିହାସ ନାମକ ପୁସ୍ତକରେ ଡାକ୍ତର ରାଧାଚରଣ ପଣ୍ଡା ଲେଖିଛନ୍ତି ଯେ ବଙ୍କାଡ଼ ଗଡ଼ର ରାଜା ଶ୍ରୀହରି ସେଵକ ମାନସିଂହ ଖୋର୍ଦ୍ଧା ରାଜାଙ୍କଦ୍ୱାରା ଆକ୍ରମିତ ହେଵାପରେ ପରାସ୍ତ ହୋଇ ପଳାୟନ କଲେ ।

୧୭୭୧ ଖ୍ରୀଷ୍ଟାବ୍ଦରେ ଶ୍ରୀହରି ସେଵକ ମାନସିଂହ ପାରିକୁଦକୁ ଚାଲି ଆସିଲେ ଓ ଗୁରୁବାଇଠାରେ ନିଜର ନୃସିଂହଗଡ଼ ପ୍ରତିଷ୍ଠା କଲେ । ପରେ ପରେ ୧୭୯୮ ଖ୍ରୀ:ରେ ତାଙ୍କର ସୁପୁତ୍ର ଭାଗିରଥୀ ମାନସିଂହ ନିଜର ରାଜଧାନୀ ପାରିକୁଦ ଗଡ଼କୁ ଉଠାଇ ଆଣିଲେ । ଗୋଟିଏ ଗଉଡ଼ ଗାଈ ଚରାଉଥିବାବେଳେ ଗୋଟିଏ ବଗ, ଛଞ୍ଚାଣକୁ ମାଡ଼ି ବସିଥିଵାର ଦେଖିଲା ଏଵଂ ରାଜାଙ୍କୁ ଏ ଵିଷୟରେ ଖବର ଦେଲା । ତେଣୁ ରାଜା ଭାଗିରଥୀ ମାନସିଂହ ତାଙ୍କର ନୂତନଗଡ଼ ସେଠାରେ ପ୍ରତିଷ୍ଠା କଲେ । ପୁରସ୍କାର ସ୍ବରୂପ ସେହି ଗଉଡ଼ର ନାମରେ ଏ ଗଡ଼ର ନାମ କୃଷ୍ଣପ୍ରସାଦ ଗଡ଼ ନାମରେ ନାମିତ ହେଲା । ଭାଗିରଥୀ ମାନସିଂହ ୧୭୯୮ ଖ୍ରୀଷ୍ଟାବ୍ଦରେ ରାଜବାଟି ନିର୍ମାଣ କରିଥିଲେ ଏବଂ ଭାଗିରଥୀପୁର ଶାସନ ନାମରେ ଏକ ବ୍ରାହ୍ମଣ ଶାସନ ପ୍ରତିଷ୍ଠା କରିଥିଲେ ।

୧୯୦୩ ମସିହାରେ ଜେନେରାଲ ହାର୍‌କୋଟ୍ ମାଲୁଦ ଅଞ୍ଚଳରେ ସୈନ୍ୟ ନେଇ ପହଞ୍ଚିଲେ ।  ଚିଲିକାର ମାଲୁଦ ପାଖରେ ଥିଵା ‘କନ୍ଦାଖାଇ’ ଗଣ୍ଡ ସେତେବେଳେ ଗଭୀର ଏବଂ ଵିପଜ୍ଜନକ ଗଣ୍ଡ ଥିଲା । ଏହାକୁ ପାର କରିଦେଵାପାଇଁ ମାଲୁଦ ଅଞ୍ଚଳରେ ମରାଠୀ ଶାସକଙ୍କ ଦ୍ଵାରା ଫତେ ମହମ୍ମଦ ନାମକ ଜଣେ ଵ୍ୟକ୍ତି ନିଯୁକ୍ତ ହୋଇଥାନ୍ତି ।

ଜେନେରାଲ ହାର୍‌କୋଟ୍ ସେ ସମୟରେ ପୁରୀକୁ ରାସ୍ତା ଜାଣି ପାରୁନଥାନ୍ତି ଏବଂ କୌଣସି ଵ୍ୟକ୍ତି ତାଙ୍କୁ ଏ ଦିଗରେ ସହାୟତା କରିଵା ଲାଗି ଆଗେଇ ଆସୁ ନଥାନ୍ତି ।

ଫଳରେ ଚିଲିକାର ଵିପଦସଙ୍କୁଳ ଵକ୍ଷ ପାର ହେଵା ଓ ପୁରୀ ପହଞ୍ଚିଵା ତାଙ୍କ ପାଇଁ କଠିନ ହୋଇ ପଡ଼ିଥିଲା । ସେହି ସମୟରେ ଫତେ ମହମ୍ମଦ ନାମକ ସେହି ଜାଗିରଦାର୍ ଜେନେରାଲ ହାର୍‌କୋଟ୍‌ଙ୍କୁ ଚିଲିକା ପାରି କରାଇ ଦେଵାକୁ ପ୍ରତିଶ୍ରୁତି ଦେଲା ଓ ପୁରୀକୁ ରାସ୍ତା ଦେଖାଇ ଦେଵା ପାଇଁ ରାଜି ହେଲା । କିନ୍ତୁ ସେ ଜେନେରାଲ ହାରକୋଟ୍‌ଙ୍କ ସମ୍ମୁଖରେ ଏଥିପାଇଁ ଏକ ସର୍ତ୍ତ ରଖିଲା । ସର୍ତ୍ତ ଥିଲା ସେ ହାର୍‌କୋଟ୍‌ଙ୍କୁ ପୁରୀକୁ ରାସ୍ତା ଦେଖାଇ ଦେଵ ଏଵଂ  ପ୍ରତିବଦଳରେ ସେ ଯେଉଁ ଯେଉଁ ବାଟ ଦେଇ ପୁରୀ ଯିଵେ, ସେଇ ସବୁ ଭୂଭାଗ  ତାଙ୍କର ଅର୍ଥାତ୍ ଫତେ ମହମ୍ମଦର ହୋଇଯିଵ ।

ଜେନେରାଲ ହାରକୋଟ୍ ତାଙ୍କ ସର୍ତ୍ତରେ ରାଜି ହେଲେ ଏବଂ ଫତେ ମହମ୍ମଦ ତାଙ୍କୁ ଓ ତାଙ୍କର ସୈନ୍ୟମାନଙ୍କୁ ଚିଲିକା ପାରି କରାଇ ଦେଲା ଓ ପୁରୀ ଅଭିମୁଖରେ ଯାତ୍ରା କରିଵାକୁ ବାଟ ବତାଇ ଦେଲା  ।  ଫଳତଃ ଫତେ ମହମ୍ମଦ ଯେଉଁ ମାହାଲ ଇଂରେଜ ସରକାରଙ୍କଠାରୁ ପାଇଲା ତାହା ନିମକ ହାରାମ ଜାଗିରି ନାମରେ ଖ୍ୟାତ ହେଲା । ଏହି ଘଟଣାର ଇତିଵୃତ୍ତ ସେ ସମୟରେ ଓଡ଼ିଶା ଗେଜେଟ୍‌ରେ ପ୍ରକାଶ ପାଇଥିଲା । ହେଲେ ଫତେ ମହମ୍ମଦ ଏକମାତ୍ର ନିମକ ହରାମ୍ ଜାଗିରଦାର୍ ନଥିଲା କିନ୍ତୁ ସମ୍ଭଵତଃ ସେ ଥିଲା ପ୍ରଥମ ନିମକହରାମ୍ ଜାଗିରଦାର୍ ‌।

ଫତେ ମହମ୍ମଦର ଵିଶ୍ବାସଘାତକତାରୁ ଇଂରେଜମାନେ ଶିକ୍ଷା କଲେ ଯେ ସମ୍ପୂର୍ଣ୍ଣ ଓଡ଼ିଶା ଅଧିକାର କରିଵାକୁ ହେଲେ ଏ ଅଞ୍ଚଳର ଏହିପରି ଅନ୍ୟ ଅନେକ ବିଶ୍ବାସଘାତକମାନଙ୍କର ଆଵଶ୍ଯକତା ପଡି଼ଵ ।

ଏହିକ୍ରମରେ ୧୮୦୪ ଡିସେମ୍ବର ବେଳକୁ ଖୋରଧା ରାଜ୍ୟର ହଳଦିଆଗଡ଼ର ଜମିଦାର ଭଗବାନ ଵୀରଵର ଜଗଦେବ ଇଂରେଜମାନଙ୍କ ଆନୁଗତ୍ୟ ସ୍ବୀକାର କରି ସେମାନଙ୍କୁ ସାହାଯ୍ୟ କରିଥିଲେ । ଦକ୍ଷିଣ ଖୋରଧାର ବେଗୁନିଆଗଡ଼ ଓ ଝାରଗଡ଼ର ଜମିଦାର ଭୟରେ ଇଂରେଜମାନଙ୍କୁ ସମର୍ଥନ କରିଵାକୁ ଵାଧ୍ୟ ହେଲେ । ବଡ଼ତୋଟା, ଭୀମପୁର, ପଦନପୁରର ବେହେରା, ପ୍ରଧାନମାନେ ଇଂରେଜମାନଙ୍କ ପକ୍ଷ ନେଲେ । ଓଳସିଂହର ସାମନ୍ତ କାନଗୋଈ ଧନଲୋଭରେ ଇଂରେଜମାନଙ୍କୁ ଗୁପ୍ତ ତଥ୍ୟ ଏବଂ ପଥ ଦେଖାଇଦେଲେ । ଜଟଣୀ ଅଞ୍ଚଳର କୁଦିଆରୀ ଗ୍ରାମର ଚରଣ ପଟ୍ଟନାୟକ ଇଂରେଜମାନଙ୍କୁ ଖୋର୍ଦ୍ଧା ରାଜ୍ୟର ସମସ୍ତ ଗୁପ୍ତ ତଥ୍ୟ ଯୋଗାଇ ନିମକହାରାମ ଜାଗିରି ପାଇଥିଲା । ଇଂରେଜମାନେ ଚରଣ ପଟ୍ଟନାୟକକୁ ସେ ଅଞ୍ଚଳର ସରବରାକାର ନିଯୁକ୍ତ କଲେ । ମାତ୍ର  ୧୮୦୪ ମସିହାରେ ପାଇକମାନେ ଉତ୍ୟକ୍ତ ହୋଇ ଚରଣ ପଟ୍ଟନାୟକର ଘର ଲୁଣ୍ଠନ କରିଵା ସହ ତାକୁ ପୋଡ଼ି ମାରି ଦେଇଥିଲେ ।  ଏହି ହତ୍ୟା  ଅଭିଯୋଗରେ ପରେ ସ୍ଵାଧୀନତା ସଂଗ୍ରାମୀ ଶ୍ରୀପର୍ଶୁରାମ ରାଉତରାୟଙ୍କୁ ଫାଶୀ ଦିଆ ଯାଇଥିଲା।

ଇତିହାସରେ ଆଉଜଣେ ନିମକହାରାମ ଜାଗିରଦାରର କଥା ଲିପିଵଦ୍ଧ ।  ତାପଙ୍ଗ ଗଡର ଦଳବେହେରା ମାଧଵ ଚନ୍ଦ୍ର ରାଉତରାୟଙ୍କୁ ଧରେଇ ଦେଵାରେ ବିଶେଷ ସାହାଯ୍ୟ କରିଥିଵାରୁ ଇଂରେଜମାନେ “କରଣ ମୌସମ” ନାମକ ଜଣେ ଵ୍ୟକ୍ତିକୁ “ନିମକ ହାରାମ” ଜାଗିର ଦେଇଥିଵା ଜଣାଯାଏ । ଏହି ବିଶ୍ବାସଘାତକତା ଯୋଗୁଁ  ତାପଙ୍ଗଗଡ଼ ଇଂରେଜମାନଙ୍କ ଆୟତ୍ତକୁ ଚାଲିଯାଇଥିଲା।

ଦୁଃଖର ଵିଷୟ ଓଡ଼ିଶା ଇତିହାସର ଏହି ତିନି ବିଶ୍ବାସଘାତକ ଫତେ ମହମ୍ମଦ,ଚରଣ ପଟ୍ଟନାୟକ ଓ କରଣ ମୌସମଙ୍କ ମଧ୍ୟରେ ଓଡ଼ିଶାର ଲୋକ କେଵଳ ଚରଣ ପଟ୍ଟନାୟକକୁ ମନେ ରଖିଲେ । ଓଡ଼ିଶାର ଅନେକ ଲୋକଙ୍କର ଗୋଟିଏ ଭ୍ରମ ଧାରଣା ଯେ କୁଦିଆରୀର ଚରଣ ପଟ୍ଟନାୟକ ହିଁ ଚିଲିକାର ମାଲୁଦ ଅଞ୍ଚଳରେ ଥିଵା କନ୍ଦାଖାଇ ଗଣ୍ଡରୁ ଇଂରେଜମାନଙ୍କୁ ପାର କରେଇ ଦେଇଥିଲେ । ସମ୍ଭଵତଃ ଚରଣ ପଟ୍ଟନାୟକକୁ ଆଗକରି
କନ୍ଦାଖାଇ ଘାଟରେ ଇଂରେଜମାନଙ୍କୁ ପାର କରେଇ ଦେଇଥିଵା  ବିଶ୍ବାସଘାତକ ଫତେ ମହମ୍ମଦକୁ ସମସ୍ତ ଓଡ଼ିଆ ଜାତି ଭାଇଚାରା ନାଆଁରେ ଭୁଲିଗଲା । ସେହିପରି ହୋଇପାରେ ଆମ ଐତିହାସିକମାନେ ଶାନ୍ତିପ୍ରିୟ ଜାତିର ଵ୍ୟକ୍ତି ଵିଶେଷ ବୋଲି ଫତେ ମହମ୍ମଦର ନାମ ନେଵାକୁ ଭୟ କରିଥିଲେ । ଅତଏଵ୍ ଚରଣ ପଟ୍ଟନାୟକକୁ ଓଡ଼ିଶାରେ ନିମକ୍ ହରାମ୍ ଜାଗିରଦାର୍ ଭାବେ ସମସ୍ତେ ଜାଣିଲେ କିନ୍ତୁ ଫତେ ମହମ୍ମଦର ବିଶ୍ବାସଘାତକତା ଏମନ୍ତକି ତାହାର ନାମ ସୁଦ୍ଧା ଓଡ଼ିଶାର ଅନେକ ଲୋକ ଜାଣିନାହାନ୍ତି ।

Thursday, August 26, 2021

ତିରିଶ ଵର୍ଷର ସରକାର

କଂଗ୍ରେସକୁ ରାଜତ୍ଵ କରୁ  କରୁ ତିରିଶି ଵର୍ଷ ଗତ ହୋଇଗଲାଣି । କିଛି ଲୋକ କୁହନ୍ତି , ତିନିଶହ ଵର୍ଷ ବିତିଗଲାଣି ,ପୁରା ଭୂଲ କଥା । ମାତ୍ର  ତିରିଶ ଵର୍ଷ ହୋଇଅଛି । ଏହି ତିରିଶ ଵର୍ଷ ଭିତରେ କେଵେ ଦେଶ ଆଗକୁ ବଢ଼ିଛି ତ କେବେ କଂଗ୍ରେସ ଆଗକୁ  ବଢ଼ିଯାଇଛି ।  କେଵେ ଉଭୟ  ଆଗକୁ ବଢି଼ଗଲେ ପୁଣି କେତେବେଳେ ଦିହେଁ ଯାକ ବଢ଼ି ପାରିନଥିଲେ । 

ତାପରେ ଏମିତି ହେଲା ଯେ ଦେଶ ତ ଆଗେଇ ଗଲା କିନ୍ତୁ କଂଗ୍ରେସ ଆଗକୁ ଯାଇପାରିଲାନାହିଁ  ।। ତିରିଶ ଵର୍ଷର ଏହି ଯାତ୍ରା କଂଗ୍ରେସର ମହାଯାତ୍ରା ଅଟଇ। କଂଗ୍ରେସର ଏ ଯାତ୍ରା ଖଦଡ଼ ଭଣ୍ଡାରରୁ ଆରମ୍ଭ ହୋଇ ସଚିଵାଳୟରେ ସମାପ୍ତ ହୋଇ ଗଲା।

ସମ୍ପୂର୍ଣ୍ଣ ତିରିଶ ଵର୍ଷ ଯାଏଁ କଂଗ୍ରେସ ଆମ ଦେଶରେ ତମ୍ବୂ ପରି ଲାଗିରହିଛି, ବେଲୁନ ପରି ଫୁଲି ରହିଛି, ପଵନ ପରି ସାଇଁ ସାଇଁ ବହିଚାଲିଛି , ବରଫ ଭଳିଆ ଜମାଟ ବାନ୍ଧି ପଡ଼ିରହିଛି । ପୁରା ତିରିଶ ଵର୍ଷ ଯାଏଁ କଂଗ୍ରେସ ଦେଶର ଇତିହାସ ଗଢି଼ଛି, ସେ ଇତିହାସକୁ ସରକାରୀ କର୍ମଚାରୀ ଲେଖିଲେ ଆଉ ଵିଧାନସଭାର  ସଦସ୍ଯମାନେ ପଢ଼ିଲେ । ପୋଷ୍ଟର, ପୁସ୍ତକ ,ସିନେମାର  ସ୍ଲାଇଡୋଂ, ଏମନ୍ତ କି ଦେଶର କୋଣେ କୋଣେ କଂଗ୍ରେସ ହିଁ କଂଗ୍ରେସର  ନାମ ଲେଖା ରହିଲା ।

ରେଡିଓ, ଟିଵି ଡାକ୍ୟୁମେଣ୍ଟ୍ରୀ, ସରକାରୀ ଵୈଠକ ଓ ସମ୍ମିଳନୀରେ  ସବୁଠି ସବୁଆଡେ଼ ଦଶଦିଗରେ କେଵଳ ଗୋଟିଏ ହିଁ ଗୁଞ୍ଜରଣ ଶୁଣିଵାକୁ ମିଳୁଥିଲା କଂଗ୍ରେସ !

କଂଗ୍ରେସ ଆମର ଅଭ୍ୟାସରେ ପରିଣତ ହୋଇଯାଇଛି  । ଠିକ୍ କେବେ ନ ଛାଡି଼ପାରିଲା ଭଳି ଵଦଭ୍ୟାସଟିଏ ପରି   । ଆମେ ସବୁ ଏଠି ସେଠି ମନ ,ବୁଦ୍ଧି ଓ ହୃଦୟରୁ କଂଗ୍ରେସୀ ହେଵାକୁ ଲଗିଲେ। ଏହି ତିରିଶ ଵର୍ଷ ମଧ୍ୟରେ ପ୍ରତ୍ୟେକ ଭାରତଵାସୀର ଦିହରେ କଂଗ୍ରେସ ଗ୍ୟାସଟ୍ରିକ୍ ଟ୍ରବଲ ପରି ରହିଯାଇଛି ।

ଯେମିତି ସ୍ଵାଧୀନତା ମିଳିଲା କଂଗ୍ରେସକୁ ଅନୁଭୂତ ହେଲା ଯେ ଖାଦୀ ଵା ଖଦଡ଼ କପଡ଼ା ମୋଟା, ଅସୁନ୍ଦର ଓ ଟାଣ୍ ହୋଇଥିଲାଵେଳେ ମାନଵ ଶରୀର ବହୁତ କୋମଳ ଏଵଂ ସମ୍ବେଦନଶୀଳ ଅଟେ । ତେଣୁ କଂଗ୍ରେସ  ଖାଦୀକୁ ପତଳା ଓ କଁଅଳିଆ କରିଵାର ପ୍ରଯତ୍ନରେ ଲାଗିପଡି଼ଲା , ତାପରେ ଖାଦୀକୁ  ରେଶମ ଓ ଟେରେଲୀନ କରାଯିଵାର ଚେଷ୍ଟା ବି କରାଗଲା ‌।

ଇଂରେଜଙ୍କ  ଜେଲରେ ତଥାକଥିତ କଂଗ୍ରେସୀମାନଙ୍କ ଉପରେ ବହୁତ ଅତ୍ୟାଚାର ହୋଇଥିଲା ।  ସେମାନଙ୍କୁ ପଥର ଓ ସିମେଣ୍ଟର  ‘ମେଜ’ରେ ଶୋଇଵାକୁ ପଡ଼ିଥିଲା ।

ସ୍ଵାଧୀନତାପରେ ଉତ୍ତମ ଗୁଣାତ୍ମକ ମାନର କପା  ଉତ୍ପାଦନ ଵୃଦ୍ଧି କରାଗଲା, ତାକୁ ଗଦ୍ଦି-ମାଣ୍ଡିରେ ଭର୍ତ୍ତି କରାଗଲା ଏଵଂ ସେହି ତଥାକଥିତ କଂଗ୍ରେସୀମାନେ ଉକ୍ତ ଗଦି ଓ ମୁଚୁଳା  ଉପରେ ଵିରାଜମାନ ହୋଇ ଦେଶର ସମସ୍ୟାଗୁଡ଼ିକ ଵିଷୟରେ ଚିନ୍ତନ କରିଵାକୁ ଲଗିଲେ। ଦେଶରେ ବହୁତ ସମସ୍ଯା  ଥିଲା , କଂଗ୍ରେସୀ ମଧ୍ୟ ଅନେକ ଥିଲେ । ସମସ୍ଯା ବଢ଼ି ଚାଲିଥିଲା, କଂଗ୍ରେସ ବି ଉତ୍ତରୋତ୍ତର ବୃଦ୍ଧି ପାଉଥିଲା । ଦିନ ଏମିତି ଆସିଗଲା ଯେ ସମସ୍ୟାଗୁଡ଼ିକ କଂଗ୍ରେସ ହୋଇଗଲା ଓ  ଦେଶରେ କଂଗ୍ରେସ ହିଁ ଏକ ବଡ଼ ସମସ୍ଯା ଭାବେ ପରିଗଣିତ ହେଵାକୁ ଲାଗିଲା । କ୍ରମେ ଉଭୟ ବଢ଼ିଵାକୁ ଲାଗିଲେ ।

ଏଇ ତିରିଶ ଵର୍ଷ ଯାଏଁ ଦେଶ ବୁଝିଵାକୁ ଚେଷ୍ଟା କରିଛି ଯେ ପ୍ରକୃତରେ ଏ କଂଗ୍ରେସଟା କ'ଣ ? 

ସ୍ଵୟଂ କଂଗ୍ରେସୀ ବି ବୁଝିପାରିଲେ ନାହିଁ ଯେ କଂଗ୍ରେସ କ'ଣ ଅଟଇ !

ଲୋକେ  କଂଗ୍ରେସକୁ ବ୍ରହ୍ମ ଭଳି  ନେତି-ନେତି ଉପାୟରେ ବୁଝିଲେ ।   ଯାହା ଡାହାଣରେ ନାହିଁ ତାହା କଂଗ୍ରେସ ଅଟେ । ଯାହା ବାଆଁ ପଟରେ ନାହିଁ ତାହା ବି କଂଗ୍ରେସ ।  ଯୋଉଟା ମଧ୍ୟଭାଗରେ ନାହିଁ ତାହା ବି କଂଗ୍ରେସ ଅଟଇ । ଯାହା ମଧ୍ୟରୁ ବାମକୁ ଅଛି ତାହା ମଧ୍ୟ କଂଗ୍ରେସ ଅଟେ ।  ମନୁଷ୍ଯ ଯେତେ ରୂପରେ  ମିଳନ୍ତି କଂଗ୍ରେସ ତାହାଠାରୁ ଅଧିକ ଗୁଣରେ ମିଳିଥାଏ ।  କଂଗ୍ରେସ ସର୍ଵତ୍ର ଅଛି । ଶାସନର ସବୁ ସିଂହାସନରେ ବସିରହିଛି । ସବୁ ସିଂହାସନର ପଛରେ ଦଣ୍ଡାୟମାନ ଅଛି । ପ୍ରତ୍ୟେକ ସିଂହାସନର ଆଗରେ ବି କଂଗ୍ରେସ ଠିଆ ହୋଇଅଛି । ସମସ୍ତ ସିଦ୍ଧାନ୍ତ କଂଗ୍ରେସର ସିଦ୍ଧାନ୍ତ ଅଟେ । ସେହି ସବୁ ସିଦ୍ଧାନ୍ତକୁ ପାଥେୟ କରି କଂଗ୍ରେସ ତିରିଶ ଵର୍ଷ ଯାଏଁ ଅଚଳ ଭାବେ ଠିଆ ହୋଇ ହଲୁଅଛି, ଦୋହଲୁଛି କିନ୍ତୁ ନଇଁଯାଇନାହିଁ କି ଭାଙ୍ଗିଯାଇନାହିଁ ।

ତିରିଶ ଵର୍ଷର ଇତିହାସ ସାକ୍ଷୀ ଯେ କଂଗ୍ରେସ ସଦାବେଳେ ସନ୍ତୁଳନର ନୀତିକୁ ମାନି ଚଳିଆସିଛି । ଯାହା କହିଛି କରି ନାହିଁ, ଯାହା କଲା ତାହା କହିଲା ନାହିଁ, ଯାହା କହିଲା ତାହା ପ୍ରକୃତରେ ସେମିତି ନଥିଲା ଆଉ ଯାହା ଥିଲା ତାହା ବି ଭୁଲ୍ ଥିଲା ।

ଅହିଂସାର ନୀତି ଉପରେ ଵିଶ୍ଵାସ କଲା ଆଉ ସେହି ନୀତିକୁ  ସନ୍ତୁଳିତ ବି କଲା ଲାଠୀମାଡ଼  ଓ ଗୁଳିଚାଳନା ଦ୍ଵାରା,  ସତ୍ଯର ନୀତିକୁ ନେଇ  କାର୍ଯ୍ୟ କଲା କିନ୍ତୁ ସତ କହୁଥିଵା ଲୋକଙ୍କ ପ୍ରତି ସର୍ଵଦା ଅସନ୍ତୁଷ୍ଟ ରହିଲା । ଵୃକ୍ଷରୋପଣର ଆନ୍ଦୋଳନ ଚଳାଇ ଏଣେ ଠିକା ଦେଇ  କେତେ ନା କେତେ ଜଙ୍ଗଲ ସଫା କରିପକାଇଲା । ଜନସଭାରେ ମୂଲ୍ୟ ହ୍ରାସର ଆଶ୍ଵସନା ଦେଲା ମାତ୍ର ପରଵର୍ତ୍ତୀ କ୍ଷଣରେ ଟ୍ୟାକ୍ସ ବି  ବଢ଼ାଇ ଦେଲା । ମଦର ଠିକା ଦେଲା, ମଦ  କାରଖାନା ଖୋଲିଲା; କିନ୍ତୁ ନିଶା ନିଵାରଣ ଆନ୍ଦୋଳନର ଢେର୍ ସମର୍ଥନ ମଧ୍ୟ କରିଚାଲିଲା ।

ଭାରତୀୟ ଭାଷାଗୁଡି଼କ ପକ୍ଷରେ ରହି କହିଲା ମାତ୍ର ପ୍ରଶାସନିକ କ୍ଷେତ୍ରରେ ଇଂରାଜୀକୁ ଚଳେଇ  ରଖିଲା। ଯୋଜନା କଲା ତ ତାକୁ ଲାଗୁ ହେଵାକୁ ଦେଲାନି । ଲାଗୁ କଲେ ବି ତାକୁ ଅଧାଖଣ୍ଡିଆ କରି ଥୋଇଦେଲା । ଅସମ୍ପୂର୍ଣ୍ଣ ଯୋଜନା ପଡି଼ ରହି ଲୋକଙ୍କ ପିଲାଙ୍କ ପିଲା ହୋଇଗଲେ କିନ୍ତୁ ତାକୁ କଂଗ୍ରେସ ପୁଣି ଚାଲୁ କଲା ନାହିଁ । ସମସ୍ଯା ହେଲାରୁ କମୀଶନ ବସିଲା, ରିପୋର୍ଟ ଆସିଲା ତ ତାକୁ ପଢ଼ିଲା ନାହିଁ।

କଂଗ୍ରେସର ଇତିହାସ ନିରନ୍ତର ସନ୍ତୁଳନର ଇତିହାସ । ସମାଜଵାଦର ସମର୍ଥକ ହେଲା, କିନ୍ତୁ ପୁଞ୍ଜିଵାଦକୁ ଅସନ୍ତୁଷ୍ଟ ହେଵାର କୌଣସି ମଉକା ଦେଲା ନାହିଁ । ଦାରିଦ୍ର୍ୟ ଦୂରୀକରଣ ଓ ଵିକାଶ ଆଦିର ସ୍ଲୋଗାନ୍ ଦେଲା ହେଲେ ତାକୁ ସାକାର କଲା ନାହିଁ । ପ୍ରାଇଵେଟ୍ ସେକ୍ଟର ଵିପକ୍ଷରେ ପବ୍ଲିକ ସେକ୍ଟରକୁ ଠିଆ କରେଇଲା , ପବ୍ଲିକ ସେକ୍ଟର ଵିରୁଦ୍ଧରେ ପ୍ରାଇଵେଟ୍ ସେକ୍ଟରକୁ ଛିଡ଼ା କରେଇଲା । ଦୁହିଁଙ୍କ ମଧ୍ୟରେ କଂଗ୍ରେସ ନିଜେ ଠିଆ ହୋଇଗଲା। ହଁ ଆଉ ଏହି  ତିରିଶ ଵର୍ଷଯାଏଁ ସେଇମିତି ଠିଆହୋଇ ରହିଲା ।

ଜଣକୁ ବଢ଼ିଵାକୁ ଦେଲାନି । ଆନଜଣକର କେବେ ଊଣା ହେଵାକୁ ଦେଲା ନାହିଁ ।   ଆତ୍ମନିର୍ଭରତା ଉପରେ ଭାଷଣ ଦେଲା ଏଣେ ଵିଦେଶରୁ ସାହାଯ୍ୟ ମାଗି ଚାଲିଲା  । 'ଯୁଵପିଢି଼'କୁ ଗୁରୁତ୍ୱ ଦେଲା, ବୁଢାମାନଙ୍କୁ ଟିକେଟ୍ ଦେଲା । ଯିଏ ଜିତିଲା ସେ ମୁଖ୍ଯମନ୍ତ୍ରୀ ହେଲା, ଯିଏ ହାରିଲା ସେ ଗଵର୍ନର ହୋଇ ଗଲା । ଯିଏ କେନ୍ଦ୍ରରେ  ଵିଫଳ ହେଲା ତାକୁ ରାଜ୍ଯକୁ ପଠାଇ ଦେଲା , ଯିଏ ରାଜ୍ଯରେ ଵିଫଳ ହେଲା ତାକୁ କେନ୍ଦ୍ରକୁ ନେଇ ଆସିଲା । ଯିଏ ଦୁଇଟିଯାକ ସ୍ଥାନରେ ଵିଫଳ ହୋଇଥିଲେ ତାକୁ ଆମ୍ବାସଡାର କରି ଦେଲା ଏଵଂ ସେ ଦେଶର ପ୍ରତିନିଧିତ୍ଵ କରିଵାକୁ  ଲଗିଲା ।

ଏକତା ଉପରେ ଭାଷଣ ଦେଲେ ଏଣେ  ପରସ୍ପର ମଧ୍ୟରେ ଲଢେ଼ଇ ଲଗାଇ ଦେଲେ । ଜାତିଵାଦର ଵିରୋଧ କଲେ, କିନ୍ତୁ ଆପଣାଲୋକଙ୍କର ଲାଭକୁ ସର୍ଵଦା ଜଗିରହିଲେ । ସମସ୍ତଙ୍କ ଗୁହାରି ଶୁଣିଲେ କିନ୍ତୁ ଭୂଲି ବି ଗଲେ । ଆଶ୍ଵାସନ ଦେଲେ, ମାତ୍ର ତାହା କାର୍ଯ୍ୟରେ ପରିଣତ କଲେ ନାହିଁ । ଆଉ ଯେଉଁ କାମକୁ କାର୍ଯ୍ୟକାରୀ କଲେ ଲୋକେ ତାହାପ୍ରତି  ଆଶ୍ଵସ୍ତ ହେଲେନି । ପରିଶ୍ରମ ଉପରେ ଗୁରୁତ୍ୱାରୋପ କଲେ, ଅଭିନନ୍ଦନ କରିଚାଲିଲେ । ଜନତାଙ୍କ କଥା ଶୁଣିଲେ ସିନା ଅଫିସରଙ୍କ କଥା ମାନି ଚଳିଲେ ।
। ଶାନ୍ତିର ସମର୍ଥନ କଲେ, ଭାଷଣ ଦେଇ ଚାଲିଲେ ।  ସ୍ଵୟଂ କିଛି କଲେ ନାହିଁ କି ଅନ୍ୟକୁ କରିଵାକୁ ଦେଲେନି । କଥା ଶେଷରେ ଏମନ୍ତ ହେଲା ଯେ ,ଉତ୍ତରରେ ଯେଵେ ସଶକ୍ତ ଥିଲେ ସେତେବେଳେ ଦକ୍ଷିଣରେ ଦୁର୍ଵଳ ଥିଲେ । ଆଶ୍ଚର୍ଯ୍ୟ କଥା ! ଦକ୍ଷିଣରେ ଜିତିଵାକୁ ଲାଗିଵାରୁ ଉତ୍ତରରେ ହାରି ଗଲେ ।

ପୁରା ତିରିଶ ଵର୍ଷ ଯାଏଁ ,ହଁ ହଁ ପୁରା ତିରିଶ ଵର୍ଷ ଯାଏଁ  କଂଗ୍ରେସ ଏକ ସରକାର ନୁହେଁ, ଏକ ସନ୍ତୁଳନର ନାମ ଥିଲା ।  ଏ ସନ୍ତୁଳନ ଯାହା ଏହି ଦେଶରେ ତିରିଶ ଵର୍ଷ ଯାଏଁ— ତମ୍ବୁ ପରି ଲାଗିରହିଲା, ବେଲୁନ ପରି ଫୁଲି ରହିଲା, ପଵନ ପରି ସାଇଁ ସାଇଁ ବହିଚାଲିଲା , ବରଫ ଭଳିଆ ଜମାଟ ବାନ୍ଧି ପଡ଼ିରହିଲା । ପୁରା ତିରିଶ ଵର୍ଷ ଯାଏଁ !

କଂଗ୍ରେସ ଅମର । ସେ ମରି ପାରେନା କି ତାକୁ କେହି ମାରିପାରେନା। ତାହାର ଦୋଷ କେବେ ଯିଵ ନାହିଁ ଆଉ ଗୁଣଯାକ କର୍ମଫଳ ପ୍ରାପ୍ତି ହେଲାପରି ଵିଭିନ୍ନ ସମୟରେ ମିଳିଚାଲିଵ ।

ଯେବେଯାଏଁ ଏ ଦେଶର ଲୋକଙ୍କ ମଧ୍ୟରେ ପକ୍ଷପାତ ,ନିର୍ଣ୍ଣୟହୀନତା, ଆଳସ୍ୟ, ଦୋମୁହାଁପଣ, ପୂର୍ଵାଗ୍ରହ,କପଟ,ଶସ୍ତା ଆକାଂକ୍ଷା, ଲୋଭ ଓ ଦେଖେଇହେଵା ଗୁଣ ଆଦି ଭରି  ରହିଥିଵ ସେତେଦିନ ଯାଏଁ ଏହି ଦେଶରୁ  କଂଗ୍ରେସକୁ  କେହି ସମାପ୍ତ  କରିପାରିଵନାହିଁ ।  ହଁ ! ସେତେଦିନ ଯାଏଁ କଂଗ୍ରେସ ଜୀଵିତ ରହିଥିଵ  ।

ଏ ଦେଶରେ ଡାହାଣ, ବାଆଁ, ମଝି, ମଝିର ମଝି, ଏମନ୍ତ କି କେଉଁଠି ବି କୌଣସି ରୂପରେ ମଧ୍ୟ ଆପଣଙ୍କୁ କଂଗ୍ରେସ ହିଁ ଦୃଶ୍ୟ ହେଵ । ଏ  ଦେଶରେ ଯାହା ବି ହୋଇଥାଏ  ଅନ୍ତତଃ କଂଗ୍ରେସ ହୋଇଥାଏ । ଜନତା ପାର୍ଟୀ ବି ଶେଷରେ କଂଗ୍ରେସ ହୋଇ ଯିଵ । ଯାହା କିଛି ହେଵାକୁ ଯାଉଛି  ତାହା ଶେଷକୁ  କଂଗ୍ରେସ ହିଁ ହେଵାକୁ ଯାଉଛି । ତିରିଶ ନୁହେଁ ତିନିଶହ ଵର୍ଷ ବିତିଯିଵ , କିନ୍ତୁ କଂଗ୍ରେସ ଏ ଦେଶର ପିଛା ଛାଡି଼ଵ ନାହିଁ ।।


⚫⚫⚫⚫⚫⚫⚫⚫⚫⚫⚫
ମୂଳ— तीस साल का इतिहास (ହିନ୍ଦୀ/ଵ୍ୟଙ୍ଗ୍ୟ)
ସଂକଳନ—“जादू कि सरकार"(ଵ୍ୟ. ସଂ.)
ଵ୍ୟଙ୍ଗ୍ୟକାର— ୰ शरद जोशी
(ଵ୍ୟଙ୍ଗକାର ଶରଦ ଯୋଶୀଙ୍କ "जादू कि सरकार" ଵ୍ୟଙ୍ଗ୍ୟ ସଂକଳନର  ଏକ ଵ୍ୟଙ୍ଗ୍ୟ "तीस साल का इतिहास" ର ଓଡ଼ିଆ ଭାଵାନୁଵାଦ ।  ବହୁତ ଵର୍ଷ ପୂର୍ଵେ ଜନତା ଦଳ ଗଠନର କେତେକ ସମୟ ପରେ ଶରଦ ଯୋଶୀଙ୍କ ଦ୍ଵାରା ଲେଖାଯାଇଥିଲା  )
⚫⚫⚫⚫⚫⚫⚫⚫⚫⚫⚫⚫
⚫⚫⚫⚫⚫⚫⚫⚫⚫⚫⚫⚫
ନିମ୍ନରେ ମୂଳଲେଖାଟି ହିନ୍ଦୀରେ ପାଠକରନ୍ତୁ ...

🟢🟢🟢🟢🟢🟢🟢🟢🟢🟢🟢🟢
व्यंग —तीस साल का इतिहास
संकलन— “जादू कि सरकार"
लेखक— ୰ शरद जोशी
🟢🟢🟢🟢🟢🟢🟢🟢🟢🟢🟢🟢
कांग्रेस को राज करते करते तीस साल बीत गए . कुछ कहते हैं , तीन सौ साल बीत गए . गलत है .सिर्फ तीस साल बीते . इन तीस सालों में कभी देश आगे बढ़ा , कभी कांग्रेस आगे बढ़ी . कभी दोनों आगे बढ़ गए, कभी दोनों नहीं बढ़ पाए .फिर यों हुआ कि देश आगे बढ़ गया और कांग्रेस पीछे रह गई. तीस सालों की यह यात्रा कांग्रेस की महायात्रा है. वह खादी भंडार से आरम्भ हुई और सचिवालय पर समाप्त हो गई.

पुरे तीस साल तक कांग्रेस हमारे देश पर तम्बू की तरह तनी रही, गुब्बारे की तरह फैली रही, हवा की तरह सनसनाती रही, बर्फ सी जमी रही. पुरे तीस साल तक कांग्रेस ने देश में इतिहास बनाया, उसे सरकारी कर्मचारियों ने लिखा और विधानसभा के सदस्यों ने पढ़ा. पोस्टरों ,किताबों ,सिनेमा की स्लाइडों, गरज यह है कि देश के जर्रे-जर्रे पर कांग्रेस का नाम लिखा रहा. रेडियो ,टीवी डाक्यूमेंट्री , सरकारी बैठकों और सम्मेलनों में, गरज यह कि दसों दिशाओं में सिर्फ एक ही गूँज थी और वह कांग्रेस की थी. कांग्रेस हमारी आदत बन गई. कभी न छुटने वाली बुरी आदत. हम सब यहाँ वहां से दिल दिमाग और तोंद से कांग्रेसी होने लगे. इन तीस सालों में हर भारतवासी के अंतर में कांग्रेस गेस्ट्रिक ट्रबल की तरह समां गई.
जैसे ही आजादी मिली कांग्रेस ने यह महसूस किया कि खादी का कपड़ा मोटा, भद्दा और खुरदुरा होता है और बदन बहुत कोमल और नाजुक होता है. इसलिए कांग्रेस ने यह निर्णय लिया कि खादी को महीन किया जाए, रेशम किया जाए, टेरेलीन किया जाए. अंग्रेजों की जेल में कांग्रेसी के साथ बहुत अत्याचार हुआ था. उन्हें पत्थर और सीमेंट की बेंचों पर सोने को मिला था. अगर आजादी के बाद अच्छी क्वालिटी की कपास का उत्पादन बढ़ाया गया, उसके गद्दे-तकिये भरे गए. और कांग्रेसी उस पर विराज कर, टिक कर देश की समस्याओं पर चिंतन करने लगे. देश में समस्याएँ बहुत थीं, कांग्रेसी भी बहुत थे.समस्याएँ बढ़ रही थीं, कांग्रेस भी बढ़ रही थी. एक दिन ऐसा आया की समस्याएं कांग्रेस हो गईं और कांग्रेस समस्या हो गई. दोनों बढ़ने लगे.
पुरे तीस साल तक देश ने यह समझने की कोशिश की कि कांग्रेस क्या है? खुद कांग्रेसी यह नहीं समझ पाया कि कांग्रेस क्या है? लोगों ने कांग्रेस को ब्रह्म की तरह नेति-नेति के तरीके से समझा. जो दाएं नहीं है वह कांग्रेस है.जो बाएँ नहीं है वह कांग्रेस है. जो मध्य में भी नहीं है वह कांग्रेस है. जो मध्य से बाएँ है वह कांग्रेस है. मनुष्य जितने रूपों में मिलता है, कांग्रेस उससे ज्यादा रूपों में मिलती है. कांग्रेस सर्वत्र है. हर कुर्सी पर है. हर कुर्सी के पीछे है. हर कुर्सी के सामने खड़ी है. हर सिद्धांत कांग्रेस का सिद्धांत है है. इन सभी सिद्धांतों पर कांग्रेस तीस साल तक अचल खड़ी हिलती रही.

तीस साल का इतिहास साक्षी है कांग्रेस ने हमेशा संतुलन की नीति को बनाए रखा. जो कहा वो किया नहीं, जो किया वो बताया नहीं,जो बताया वह था नहीं, जो था वह गलत था. अहिंसा की नीति पर विश्वास किया और उस नीति को संतुलित किया लाठी और गोली से. सत्य की नीति पर चली, पर सच बोलने वाले से सदा नाराज रही.पेड़ लगाने का आन्दोलन चलाया और ठेके देकर जंगल के जंगल साफ़ कर दिए. राहत दी मगर टैक्स बढ़ा दिए. शराब के ठेके दिए, दारु के कारखाने खुलवाए; पर नशाबंदी का समर्थन करती रही. हिंदी की हिमायती रही अंग्रेजी को चालू रखा. योजना बनायी तो लागू नहीं होने दी. लागू की तो रोक दिया. रोक दिया तो चालू नहीं की. समस्याएं उठी तो कमीशन बैठे, रिपोर्ट आई तो पढ़ा नहीं. कांग्रेस का इतिहास निरंतर संतुलन का इतिहास है. समाजवाद की समर्थक रही, पर पूंजीवाद को शिकायत का मौका नहीं दिया. नारा दिया तो पूरा नहीं किया. प्राइवेट सेक्टर के खिलाफ पब्लिक सेक्टर को खड़ा किया, पब्लिक सेक्टर के खिलाफ प्राइवेट सेक्टर को. दोनों के बीच खुद खड़ी हो गई . तीस साल तक खड़ी रही. एक को बढ़ने नहीं दिया.दूसरे को घटने नहीं दिया.आत्मनिर्भरता पर जोर देते रहे, विदेशों से मदद मांगते रहे. 'यूथ' को बढ़ावा दिया, बुड्द्धों को टिकेट दिया. जो जीता वह मुख्यमंत्री बना, जो हारा सो गवर्नर हो गया. जो केंद्र में बेकार था उसे राज्य में भेजा, जो राज्य में बेकार था उसे उसे केंद्र में ले आए. जो दोनों जगह बेकार थे उसे एम्बेसेडर बना दिया. वह देश का प्रतिनिधित्व करने लगा.

एकता पर जोर दिया आपस में लड़ाते रहे. जातिवाद का विरोध किया, मगर अपनेवालों का हमेशा ख्याल रखा. प्रार्थनाएं सुनीं और भूल गए. आश्वासन दिए, पर निभाए नहीं. जिन्हें निभाया वे आश्वश्त नहीं हुए. मेहनत पर जोर दिया, अभिनन्दन करवाते रहे. जनता की सुनते रहे अफसर की मानते रहे.शांति की अपील की, भाषण देते रहे. खुद कुछ किया नहीं दुसरे का होने नहीं दिया. संतुलन की इन्तहां यह हुई कि उत्तर में जोर था तब दक्षिण में कमजोर थे. दक्षिण में जीते तो उत्तर में हार गए. तीस साल तक पुरे, पुरे तीस साल तक, कांग्रेस एक सरकार नहीं, एक संतुलन का नाम था. संतुलन, तम्बू की तरह तनी रही,गुब्बारे की तरह फैली रही, हवा की तरह सनसनाती रही बर्फ सी जमी रही पुरे तीस साल तक.
कांग्रेस अमर है. वह मर नहीं सकती. उसके दोष बने रहेंगे और गुण लौट-लौट कर आएँगे. जब तक पक्षपात ,निर्णयहीनता ढीलापन, दोमुंहापन, पूर्वाग्रह , ढोंग, दिखावा, सस्ती आकांक्षा और लालच कायम है, इस देश से कांग्रेस को कोई समाप्त नहीं कर सकता. कांग्रेस कायम रहेगी. दाएं, बाएँ, मध्य, मध्य के मध्य, गरज यह कि कहीं भी किसी भी रूप में आपको कांग्रेस नजर आएगी. इस देश में जो भी होता है अंततः कांग्रेस होता है. जनता पार्टी भी अंततः कांग्रेस हो जाएगी. जो कुछ होना है उसे आखिर में कांग्रेस होना है. तीस नहीं तीन सौ साल बीत जाएँगे, कांग्रेस इस देश का पीछा नहीं छोड़ने वाली...
______________________
साभार, व्यंगकार श्री शरद जोशी जी के संकलन "जादू की सरकार" के "तीस साल का इतिहास" से !!!

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...