Sunday, May 24, 2020

ଓଡ଼ିଆ ଭାଷାରେ ଅକ୍ଷର ସଂଖ୍ୟା ଓ କାର,ମାତ୍ରା ଓ ଫଳା

ଵିଶ୍ଵରେ ଵର୍ତ୍ତମାନ ଭୀଷଣ କରୋନା ଵିପତ୍ତି ପଡି଼ଛି କିନ୍ତୁ ଏହା ମଧ୍ଯରେ ଗୋଟାଏ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନକୁ ନେଇ ଓଡ଼ିଶାର ବୁଦ୍ଧିଜୀଵୀ ମହଲରେ ଆଉଥରେ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଯାଇଛି ତାହା ହେଲା...

"ଓଡ଼ିଆ ଵର୍ଣ୍ଣମାଳାରେ କେତୋଟି ଅକ୍ଷର ,କେତୋଟି ମାତ୍ରା ଓ କେତେଗୋଟି ଫଳା ରହିଛି ।"

ଏ ଵିଷୟରେ ପ୍ରାୟ ପାଞ୍ଚ ଛଅ ମାସ ପୂର୍ଵେ ଏକ ଆଲେଖ୍ଯ ପ୍ରସ୍ତୁତ କରାଯାଇଥିଲା ତାହା ନିମ୍ନରେ ଉଦ୍ଧାର କରାଗଲା...

■ଓଡ଼ିଆ ଵର୍ଣ୍ଣମାଳାରେ ଅକ୍ଷର ସଂଖ୍ୟା କେତେ ? ■

ଓଡ଼ିଆ ଲିପି ସମ୍ବନ୍ଧୀୟ ପ୍ରାଥମିକ ମତ  ପ୍ରଥମେ ଓଡ଼ିଆ ଭାଗଵତ ରଚୟିତା ଜଗନ୍ନାଥ ଦାସ ପଦ୍ୟାକାରରେ ଦେଇଯାଇଛନ୍ତି । ନିମ୍ନରେ ତାହା ଉଦ୍ଧାର କରାଗଲା ...

"ତ୍ରୟସ୍ୱରୂପୀ ବ୍ରହ୍ମ ଜ୍ୟୋତି । ବ୍ରହ୍ମ ପ୍ରକାଶ ହୋଇଛନ୍ତି ।ଏକାକ୍ଷର ବ୍ରହ୍ମ ପ୍ରଣଵ । ଶବଦ ରୂପୀ ବୀଜ ସର୍ବ
ତାହାଙ୍କ ତହୁଁ ଉତପନ୍ନ । ଚଉଦ ଆକାରାଦି ବର୍ଣ୍ଣ
ଚଉଦ ସ୍ୱର ଏ ବୋଲାନ୍ତି । ଏ ଭାବେ ଅକ୍ଷରର ଗତି ।
କ କାର ଆଦି ଚଉତିଶ । ବ୍ୟଞ୍ଜନ ଶବଦ ବିଶେଷ ।ସ୍ୱରମାନେ ଯେ ଦୀର୍ଘ ହ୍ରସ । ପ୍ଲୁତ ନାମରେ ପରକାଶ ।
ସନ୍ଧି ଅକ୍ଷର ଏ ବୋଲାଇ । ଏ କାର ଆଦି ଚାରି ସେହି ।
ପଚିଶ ବର୍ଣ୍ଣେ ପଞ୍ଚ ପଞ୍ଚ । ପାଞ୍ଚ ବର୍ଣ୍ଣରେ ବର୍ଗ ସଞ୍ଚ ।
ଏ ଅନ୍ତେ ଅନ୍ତଃସ୍ଥ ଏ ଜାଣ । ଯ ର ଳ ଵ ଏ ଚାରିବର୍ଣ୍ଣ ।
ଶ ଷ ସ ହ ଏ ଚାରିଵର୍ଣ୍ଣ । ଉଷ୍ମଵର୍ଣ୍ଣ ବୋଲିଣ ଜାଣ ।
ବିନ୍ଦୁନୁସ୍ଵାର ଏ ବୋଲାଇ । ଏସବୁ ବିନ୍ଦୁ ଦୁଇ ହୋଇ ।
ଵିସର୍ଗ ନାମ ଯେ ବୋଲାଇ । ଗଜ ଶଣ୍ଢାକୃତି ସେ ହୋଇ ।
ଏମନ୍ତ ହୋଇ ଶବ୍ଦ ବ୍ରହ୍ମ । ପଞ୍ଚାଶ ଵର୍ଣ୍ଣ ଭେଦ ନାମ ।।"

ତେଵେ ଓଡ଼ିଆ ଵର୍ଣ୍ଣମାଳାରେ ସମୁଦାୟ ଅକ୍ଷର ସଂଖ୍ୟା ୫୪ ବୋଲି ଅନେକ ଵୈୟାକରଣିକ ମତ ଦିଅନ୍ତି ।  ଵର୍ତ୍ତମାନ ସମୟରେ କେହି କେହି
ଦୀର୍ଘ ୠ,ହର୍ସ୍ଵ ଌ,ଦୀର୍ଘ  ୡ ଇତ୍ୟାଦିକୁ ଵର୍ଣ୍ଣମାଳାରୁ ବାଦ୍ ଦେଇ ଗଣନା କରନ୍ତି ପୁଣି ଅଵର୍ଗ୍ଯ ‛ଵ’ କୁ ଅର୍ଦ୍ଧସ୍ଵର ୱ ଵିଚାର କରି ସମୁଦାୟ ଅକ୍ଷର ସଂଖ୍ୟା ୫୦ ବୋଲି ମତ ଦିଅନ୍ତି । କେହି କେହି କ୍ଷ କୁ ସ୍ଵତନ୍ତ୍ର ଵର୍ଣ୍ଣ ନମାନି ୪୯ ବୋଲି ମଧ୍ୟ ମତ ଦେଇଥାନ୍ତି ।

ଦକ୍ଷିଣ ଭାରତରେ ଦୀର୍ଘ ୠ,ହର୍ସ୍ଵ ଌ ଓ ଦୀର୍ଘ  ୡ ର ଵ୍ଯଵହାର ଏଵେ ବି ରହିଛି କିନ୍ତୁ ଓଡ଼ିଆ ଭାଷାରେ ଉତ୍ତର ଭାରତୀୟ ଭାଷା ଶୈଳୀର ପ୍ରଭାଵ ବଢି଼ଵା ଯୋଗୁଁ ଏସବୁ ଵର୍ଣ୍ଣର ଵ୍ଯଵହାର ଅନେକାଂଶରେ ହ୍ରାସ ପାଇଛି ।

ଵର୍ଗ୍ଯ ବ,ଅଵର୍ଗ୍ଯ ଵ ଓ ଅର୍ଦ୍ଧସ୍ଵର ୱ ଇତ୍ୟାଦିର ଭିନ୍ନତା
ବୁଝିଵାକୁ ହେଲେ ଇଂରାଜୀର B,V ଓ W ଇତ୍ୟାଦିର ତର୍ଜମା ଆଵଶ୍ୟକ ।

ଇଂରାଜୀରେ B = ବ (ଓଡ଼ିଆ)
ଇଂରାଜୀରେ V = ଵ (ଓଡ଼ିଆ)
ଇଂରାଜୀରେ W = ୱ (ଓଡ଼ିଆ)

ତେଣୁ ଓଡ଼ିଆ ଭାଷାରେ
Boat = ବୋଟ୍
Vote = ଵୋଟ୍
Watt = ୱାଟ୍
ଲେଖାଯିଵା ଵିଧେୟ ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପ୍ରଣୟନ ସମୟରେ ତାୱା ହାୱା ଭଳି ଅନେକ ଵୈଦେଶିକ ଶବ୍ଦ ଲେଖାଯିଵା ପାଇଁ ଏକ ସ୍ବତନ୍ତ୍ର ଵର୍ଣ୍ଣ ଆଵଶ୍ଯକ ହେଵାରୁ ଅଭିଧାନକାର ଅର୍ଦ୍ଧସ୍ଵର ‘ୱ’ ପ୍ରଣୟନ କରିଵାକୁ ଵାଧ୍ଯ ହୋଇଥିଲେ । ‘ୱ’ କୁ ‘ଉ ତଥା ‘ଅ' ସ୍ଵରର ଦୃତ ଉଚ୍ଚାରଣ ଦ୍ଵାରା ପ୍ରାପ୍ତ କରାଯାଇଥାଏ ତେଣୁ ଏହାକୁ ଅର୍ଦ୍ଧସ୍ଵର କୁହାଯାଏ  ।

ସେଇଭଳି କିଛି ଲୋକ ଅନସ୍ଵାର(ଂ),ଚନ୍ଦ୍ରଵିନ୍ଦୁ(ଁ) ଓ ଵିସର୍ଗ(ଃ)କୁ ଚିହ୍ନ ଵିଚାର କରି ଵର୍ଣ୍ଣମାଳାରେ ଗଣିଵାକୁ କୁଣ୍ଠାବୋଧ କରନ୍ତି । ଏଭଳି ଲୋକେ ଅର୍ଦ୍ଧ ଅ (ଽ), ଓମ୍ (ॐ), ଦିଵଙ୍ଗତ (୰) ,ଶତକଡ଼ା(%) ଓ
ସ୍ଵସ୍ତିକ(‍卐)ର ଉଦାହରଣ ଦେଇ କୁହନ୍ତି ଯେ ଂ,ଁ ଓ ଃ କେଵଳ ଚିହ୍ନ ମାତ୍ର ।

ତେଵେ ଅନେକ ପ୍ରାଚୀନ ଭାରତୀୟ ବର୍ଣ୍ଣ ସୂଚୀରେ ଅନସ୍ଵାର,ଚନ୍ଦ୍ରଵିନ୍ଦୁ ଓ ଵିସର୍ଗକୁ ବର୍ଣ୍ଣମାଳାରେ ସ୍ଥାନ ଦିଆଯାଇଥିଵାରୁ ସେଇ ପରମ୍ପରାକୁ ରକ୍ଷାକରି କେହି କେହି ଏଗୁଡ଼ିକୁ ବର୍ଣ୍ଣମାଳା ମଧ୍ୟରେ ଗଣନା କରିଥାନ୍ତି ।

ଆଉ କେତେକ ଲୋକ ଅଛନ୍ତି ଯେଉଁମାନେ ‛କ୍ଷ’କୁ ଏକ ଯୁକ୍ତାକ୍ଷର ବୋଲି ମତ ଦେଇ ତାକୁ ଵର୍ଣ୍ଣମାଳାରେ ରଖନ୍ତି ନାହିଁ । ତେଵେ ହିନ୍ଦୀର क्ष(क+ष;ksha) ଠାରୁ ଓଡ଼ିଆ ‛କ୍ଷ’ର ଉଚ୍ଚାରଣ ଭିନ୍ନ ପୁଣି ଓଡ଼ିଆ  ଭାଷାରେ “କ―ଖ―ଷ―କ୍ଷ―ଚ―ଛ―ଝ―ଜ” ଇତ୍ୟାଦି ଵର୍ଣ୍ଣର ଏକ ମଧ୍ଯାଵର୍ତ୍ତୀ ଉଚ୍ଚାରଣରୁ କ୍ଷ(khya) ସୃଷ୍ଟ ହୋଇଥିଵାରୁ ଵର୍ଣ୍ଣମାଳାରେ ସ୍ଥାନ ପାଇଵାକୁ ଯୋଗ୍ଯ ଅଟେ ବୋଲି କେତେକ ଭାଷାଵିଦ୍ ମତ ଦିଅନ୍ତି ।

ଵର୍ତ୍ତମାନ ପର୍ଯ୍ୟନ୍ତ ଯେତେ ବୁଦ୍ଧିଜୀଵୀ  ଵର୍ଣ୍ଣଗୁଡି଼କର  ସୂଚୀ କରିଛନ୍ତି  ସେ ସମସ୍ତ ଆଧାରରେ ଓଡ଼ିଆ ଭାଷାର ସମୁଦାୟ ଅକ୍ଷର ସଂଖ୍ୟା ୫୪ ହୋଇଥାଏ ।

ଓଡ଼ିଆ ଲିପିରେ ସ୍ଵରଵର୍ଣ୍ଣରେ  ଅ,ଆ,ଇ,ଈ,ଉ,ଊ,ଋ,ୠ,ଏ,ଐ,ଓ,ଔ,ଌ,ୡ
ଇତ୍ୟାଦି ଅକ୍ଷର ରଖାଯାଇଥାଏ ଏଵଂ ତନ୍ମଧ୍ୟରୁ
ୠ,ଌ ଓ ୡର ଵ୍ଯଵହାର ଆଉ ନାହିଁ ।

ଵ୍ଯଞ୍ଜନ ଵର୍ଣ୍ଣକୁ ଦୁଇଭାଗରେ ଵିଭକ୍ତ କରାଯାଇଛି ।
ଵର୍ଗ୍ଯ  ଓ ଅଵର୍ଗ୍ଯ । ଵର୍ଗ୍ଯ ଵ୍ଯଞ୍ଜନ ଵର୍ଣ୍ଣଗୁଡି଼କୁ
କ,ଚ,ଟ,ତ,ପ ଭେଦରେ ଵର୍ଗିକୃତ କରାଯାଇଛି ।
କ ଵର୍ଗ=କ,ଖ,ଗ,ଘ,ଙ
ଚ ଵର୍ଗ=ଚ,ଛ,ଜ,ଝ,ଞ
ଟ ଵର୍ଗ=ଟ,ଠ,ଡ,ଢ,ଣ
ତ ଵର୍ଗ=ତ,ଥ,ଦ,ଧ,ନ
ପ ଵର୍ଗ=ପ,ଫ,ବ,ଭ,ମ

ଅଵର୍ଗ୍ଯ ଵ୍ଯଞ୍ଜନ ଵର୍ଣ୍ଣରେ  ଯ,ୟ,ର,ଳ,ଲ,ଵ,ଶ,ଷ,ସ,ହ,କ୍ଷ,ୱ
ଇତ୍ୟାଦି ରଖାଯାଇଛି ।

ପୂର୍ଵର ଅନେକ ଵର୍ଣ୍ଣମାଳା ସୂଚୀ ମଧ୍ୟରେ ଂ,ଁ,ଃ ଇତ୍ୟାଦିକୁ କେଉଁଠି କେଉଁଠି ସ୍ଵରଵର୍ଣ୍ଣ ମଧ୍ୟରେ ରଖାଯାଇଥିଵାଵେଳେ ଆଉ କେଉଁଠି ଵ୍ଯଞ୍ଜନ ଵର୍ଣ୍ଣର ତଳେ ସ୍ଵତନ୍ତ୍ର ଵିଭାଗରେ ରଖାଯାଇଛି ।

ଅନସ୍ଵାର,ଚନ୍ଦ୍ରଵିନ୍ଦୁ ଓ ଵିସର୍ଗକୁ ବାଦ୍ ଦେଲେ ଓଡ଼ିଆ ଭାଷାର ଲିପିରେ ମୋଟ୍ ଅକ୍ଷର ସଂଖ୍ୟା ୫୧ ହୋଇଥାଏ !
ଯଥା―
ସ୍ଵର―ଅ,ଆ,ଇ,ଈ,ଉ,ଊ,ଋ,ୠ,ଌ,ୡ ଏ,ଐ,ଓ,ଔ
ଵ୍ଯଞ୍ଜନ―କ,ଖ,ଗ,ଘ,ଙ,ଚ,ଛ,ଜ,ଝ,ଞ,ଟ,ଠ,ଡ,ଢ,ଣ,ତ,ଥ,ଦ,ଧ,ନ,ପ,ଫ,ବ,ଭ,ମ,ଯ,ୟ,ର,ଳ,ଲ,ଵ,ଶ,ଷ,ସ,ହ,କ୍ଷ,ୱ

ଏଥିପାଇଁ ଓଡ଼ିଆ ଭାଷାରେ ଅକ୍ଷର ସଂଖ୍ଯାକୁ ନେଇ ସାଧାରଣରେ ଭିନ୍ନ ଭିନ୍ନ ମତ ଚଳୁଅଛି । କେହି ୪୯ କହୁଛି ତ ଆଉ କେ ୫୦ କି ୫୧ ତେଵେ ସର୍ଵ ମୋଟ ଓଡ଼ିଆ ଅକ୍ଷର ସଂଖ୍ୟା ୫୪ ବୋଲି ଵ୍ଯାକରଣ ଶାସ୍ତ୍ର ଜ୍ଞାତା ଓଡ଼ିଆ ଵିଦ୍ଵାନମାନେ ମତ ଦେଇଥାନ୍ତି ।

■■ଆମ ଲିପିରେ ଫଳାର ସଂଖ୍ୟା କେତେ ?■■

ଵ୍ଯଞ୍ଜନ ଵର୍ଣ୍ଣରେ ଅନ୍ୟ ଵ୍ଯଞ୍ଜନ ଵର୍ଣ୍ଣ ସଂଯକ୍ତ ହେଵାର ଆକୃତିକୁ ଫଳା କୁହାଯାଏ । ପ୍ରଥମ ଵ୍ଯଞ୍ଜନଵର୍ଣ୍ଣରେ ଦ୍ଵିତୀୟ ଵ୍ଯଞ୍ଜନଵର୍ଣ୍ଣ ଯୁକ୍ତ ହେଲାଵେଳେ ଦ୍ଵିତୀୟ  ଵ୍ଯଞ୍ଜନ ଵର୍ଣ୍ଣକୁ ପ୍ରକାଶ କରୁଥିଵା ଯେଉଁ ସାଙ୍କେତିକ ଚିହ୍ନ ଵ୍ଯଵହୃତ ହୋଇଥାଏ ତାହାକୁ ଫଳା କୁହାଯାଇଥାଏ । ଓଡ଼ିଆରେ ସାଧାରଣତଃ ୧୭ଗୋଟି ଫଳା ରହିଛି ।  ଏହାକୁ ପିଲାମାନେ ସାଧାରଣତଃ ଵର୍ଣ୍ଣପରିଚୟ ପରେ ଶିଖିଥାଆନ୍ତି ।

ନିମ୍ନଲିଖିତ ୧୭ଟି ଫଳା ଓଡ଼ିଆ ଵର୍ଣ୍ଣ ପରିଚୟରେ ପିଲାମାନେ ଶିଖନ୍ତି

୧)କ ଫଳା
●କ୍କ,ସ୍କ,ଲ୍କ

୨)ଟ ଫଳା
●କ୍ଟ,ଷ୍ଟ,ପ୍ଟ

୩)ତ ଫଳା
★ଵର୍ଣ୍ଣର ପରେ
●କ୍ତ,ନ୍ତ,ପ୍ତ,ଫ୍ତ,ସ୍ତ
★ଵର୍ଣ୍ଣର ପୂର୍ଵେ
●ତ୍କ,ତ୍ସ,ତ୍ନ,ତ୍ପ

୪)ଥ ଫଳା
●ନ୍ଥ,ସ୍ଥ

୫)ନ ଫଳା
●କ୍ନ,ତ୍ନ,ନ୍ନ,ପ୍ନ

୬)ବ ଫଳା(ଵର୍ଗ୍ଯ ଓ ଅଵର୍ଗ୍ଯ)
●ମ୍ବ,ଦ୍ବ,କ୍ବ, ଜ୍ବ, ଡ଼୍ବ, ତ୍ବ, ନ୍ବ

[ମ ଓ ଦ ଅକ୍ଷର ଛଡ଼ା ଅନ୍ୟ ଅକ୍ଷର ସଙ୍ଗେ 'ବ' ଫଳା ଯୁକ୍ତ ହେଲେ ଉକ୍ତ 'ବ' ଫଳା  ଅଵର୍ଗ୍ଯ ଵ ରୂପେ ଉଚ୍ଚାରିତ ହୁଏ ।  'ମ'ରେ 'ବ' ଫଳା ଯୁକ୍ତ ହେଲେ ଉକ୍ତ ଫଳା କେଵେ 'ଵର୍ଗ୍ଯ ବ' ତ କେଵେ ଅଵର୍ଗ୍ଯ 'ଵ' ରୂପେ ଉଚ୍ଚାରିତ ହୁଏ...
ଯେମିତିକି
◆ଅମ୍ବର (ଵର୍ଗ୍ଯ ବ ଉଚ୍ଚାରଣ)
◆ଚମ୍ବାହରଣ (ଅଵର୍ଗ୍ଯ ବ ଉଚ୍ଚାରଣ)

'ଦ'ରେ 'ବ'ଫଳା ଯୁକ୍ତ ହେଲେ ମଧ୍ୟ ଦୁଇ ପ୍ରକାରେ ଉଚ୍ଚାରିତ ହୁଏ
ଯଥା—

◆ସଦ୍ବଳ (ଵର୍ଗ୍ଯ ବ ଉଚ୍ଚାରଣ)
◆ଅଦ୍ବୈତ (ଅଵର୍ଗ୍ଯ ଵ ଉଚ୍ଚାରଣ)]

୭)ମ ଫଳା
●କ୍ମ, କ୍ଷ୍ମ, ତ୍ମ, ଦ୍ମ, ଧ୍ମ, ନ୍ମ, ମ୍ମ

୮)ଯ ଫଳା
●କ୍ଯ, ଖ୍ଯ, ଗ୍ଯ, ଚ୍ଯ, ଜ୍ଯ
(ୟ ଏକ ଦ୍ଵିସ୍ଵର ;ଇ+ଅ)

୯)ର ଫଳା
★ଵର୍ଣ୍ଣର ପରେ
●କ୍ର, ଖ୍ର, ଗ୍ର
★ଵର୍ଣ୍ଣର ପୂର୍ଵେ)
●ର୍କ, ର୍ଖ, ର୍ଗ।
[ ଓଡ଼ିଆ ଭାଷାର ନିଜସ୍ୱ ସ୍ଵାଭାଵିକ ଵ୍ଯାକରଣ ଅନୁସାରେ ଵର୍ଣ୍ଣର ପୂର୍ଵେ "ର" ଵର୍ଣ୍ଣ  ଯୁକ୍ତ ହେଲେ ଉକ୍ତ ଵର୍ଣ୍ଣ ଵିକଳ୍ପେ ଦ୍ବିତ୍ବ ହୁଏ ଏଵଂ ଏହାକୁ ଵର୍ଣ୍ଣଦ୍ଵିତକରଣ କୁହାଯାଏ । ଏହାର ଉଦାହରଣ ଯଥା—ର୍ଚ୍ଚ, ର୍ଜ୍ଜ, ର୍ତ୍ତ, ର୍ତ୍ଥ, ର୍ଦ୍ଦ।]

୧୦)ଳ ଫଳା
●କ୍ଳ, ଖ୍ଳ, ଗ୍ଳ, ଘ୍ଳ

୧୧)ଲ ଫଳା
●ସ୍ଲ, ଲ୍ଲ

୧୨)ରେଫ+ନ ଫଳ
●ର୍କ୍ନ

୧୩)ରେଫ୍+ଯ ଫଳା
●ର୍କ୍ଯ

୧୪)ରେଫ୍+ମ ଫଳା
●ର୍କ୍ମ

୧୫)ରେଫ୍+ବ ଫଳା
●ର୍କ୍ବ

୧୬)ରେଫ୍+ର ଫଳା
●ର୍କ୍ର

●ରେଫ+ଲ ଫଳା ଯଥା
●ର୍କ୍ଲ

☆☆ଫଳାକୁ ନେଇ କେତେକ ମହତ୍ତ୍ୱପୂର୍ଣ୍ଣ ତଥ୍ୟ☆☆

୧)ଭାରତୀୟ ଆର୍ଯ୍ୟଭାଷାଗୁଡି଼କ ମଧ୍ୟରେ ଓଡ଼ିଆ ଭାଷାର ଲିପିରେ ହିନ୍ଦୀ ଓ ବଙ୍ଗାଳୀ ଅପେକ୍ଷା ଯୁକ୍ତାକ୍ଷରର ଫଳାଗୁଡି଼କ ସ୍ପଷ୍ଟ ବାରିହୋଇଯାଏ

୨)ଓଡ଼ିଆ ଭାଷାରେ ସଂସ୍କୃତ ସହ ସର୍ଵାଧିକ ଫଳା ପ୍ରଚଳିତ

୩)ତଦ୍ଭଵ ଫଳା ଶବ୍ଦଟି ତତ୍ସମ ଫଳ/ଫଳକ ସହିତ ସମଦ୍ଧୃତ ଏଵଂ ଏ ଉଭୟ ଶବ୍ଦର ଏକ ଅର୍ଥ ଚିହ୍ନ ଅଟଇ । ଦୁଇଗୋଟି ଵ୍ଯଞ୍ଜନଵର୍ଣ୍ଣ ପରସ୍ପର ସହ ଯୁକ୍ତ ହେଲାଵେଳେ ଦ୍ଵିତୀୟ ଵ୍ଯଞ୍ଜନଵର୍ଣ୍ଣକୁ ବୁଝାଉଥିଵା ତାହାର ଏକ ସାଙ୍କେତିକ ରୂପ ପ୍ରଥମ ଵ୍ଯଞ୍ଜନଵର୍ଣ୍ଣରେ ଲାଗୁଥିଵା ହେତୁ ଏହାକୁ ଚିହ୍ନ ଅର୍ଥରେ ଫଳା ବୋଲି ଅଭିହିତ କରାଯାଇଥାଏ ।

୪)ହିନ୍ଦୀ ଓ ବଙ୍ଗାଳୀରେ ଏହି ଫଳା ଵା ଚିହ୍ନ ଅସ୍ପଷ୍ଟ ହୋଇଥିଵା ହେତୁ ସେଗୁଡ଼ିକୁ ଫଳା କହିଵା ଉଚିତ୍ କି ଅନୁଚିତ ତାହା ଗଵେଷଣା ସାପେକ୍ଷ ...

୫)ଅନୁନାସିକ ଵର୍ଣ୍ଣ ସଙ୍ଗେ ସେହି ଵର୍ଗର ଵ୍ଯଞ୍ଜନ ଵର୍ଣ୍ଣ ଯୁକ୍ତ ହେଲେ ତାହାକୁ ଫଳା ବୋଲାଯାଏ ନାହିଁ।
ଯଥା—
●ଙ+କ=ଙ୍କ ବା ଙ୍କ
●ଙ+ଖ=ଙ୍ଖ ବା ଙ୍ଖ
●ଙ+ଗ =ଙ୍ଗ ବା ଙ୍ଗ
●ଙ+ଘ=ଙ୍ଘ ବା ଘଂ
●ଞ+ଚ=ଞ୍ଚ, ଞ+ ଛ=ଞ୍ଛ
●ଞ+ଜ=ଞ୍ଜ
●ଞ+ଝ=ଞ୍ଝ
●ଣ+ଟ=ଣ୍ଟ
●ଣ+ଠ=ଣ୍ଠ
●ଣ+ଡ=ଣ୍ଡ
●ଣ+ଢ=ଣ୍ଢ
●ନ+ଦ= ନ୍ଦ
●ନ+ଧ=ନ୍ଧ
●ମ+ପ=ମ୍ପ
●ମ+ଫ=ମ୍ଫ

୩)ଦ୍ବିତ ଵ୍ଯଞ୍ଜନକୁ ମଧ୍ୟ ଫଳା ବୋଲାଯିଏ ନାହିଁ
ଯଥା—
●ଚ୍ଚ,ଚ୍ଛ, ଜ୍ଜ, ଜ୍ଝ, ଟ୍ଟ,ଠ୍ଠ,ଡ୍ଡ, ଡ଼୍ତ, ତ୍ତ, ତ୍ଥ, ଦ୍ଦ, ଦ୍ଧ, ବ୍ଧ, ବ୍ଭ ଇତ୍ୟାଦି

ତେଵେ ଆମ ଲିପିରେ ଅକ୍ଷର ସଂଖ୍ୟାକୁ ନେଇ ଯେତେ ମତପାର୍ଥକ୍ଯ ରହିଛି ସେହିପରି ଵିଵାଦ ଫଳାର ସଂଖ୍ଯା ଓ  ଵିଭାଗ ସମ୍ବନ୍ଧୀୟ ତଥ୍ଯକୁ ନେଇ ମଧ୍ୟ ଦୃଷ୍ଟିଗୋଚର ହୋଇଥାଏ ।  କେତେକ ଲୋକ  ଋ ଏକ ସ୍ବରଵର୍ଣ୍ଣ ହେଲେ ସୁଦ୍ଧା ବ୍ଯଞ୍ଜନ ଵର୍ଣ୍ଣ ସହିତ ମିଶିଲେ ଫଳା କହନ୍ତି। ବଙ୍ଗଦେଶରେ ଏଭଳି ମତ ଆଗେ ପ୍ରଚଳିତ ଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଉଲ୍ଲେଖରୁ ଜଣାଯାଏ ।

■■ଓଡ଼ିଆ ଭାଷାରେ ମାତ୍ରା ଵା କାର  ଓ ତହିଁର ସଂଖ୍ୟା■■

ଓଡ଼ିଆ ଭାଷାରେ ଵ୍ଯଞ୍ଜନ ଵର୍ଣ୍ଣରେ ଯୁକ୍ତ ହେଵା ସ୍ବରଵର୍ଣ୍ଣର ଚିହ୍ନମାନଙ୍କୁ 'ମାତ୍ରା' ବୋଲାଯାଏ । ଵ୍ଯଞ୍ଜନ ଵର୍ଣ୍ଣରେ ଆ, ଇ ,ଉ,ଏ ,ଓ ,ଔ ଆଦି ସ୍ବରଵର୍ଣ୍ଣର ପ୍ରତିନିଧିତ୍ଵ କରୁଥିଵା ସାଙ୍କେତିକ ଚିହ୍ନ ଵିଶେଷ ସାଧାରଣତଃ ମାତ୍ରା କୁହାଯାଉଥିଲେ ହେଁ କେହି କେହି ଫଳାଗୁଡି଼କୁ ବି ମାତ୍ରା କହିଥାଆନ୍ତି । ଓଡ଼ିଶାରେ ମାତ୍ରା ଅପେକ୍ଷା ତତ୍ସମ "କାର" ଶବ୍ଦର ପ୍ରୟୋଗ The sign of a vowel ଵା ସ୍ଵରଵର୍ଣ୍ଣର ଚିହ୍ନ ଅର୍ଥରେ ଵିଶେଷ ଭାଵେ ଵ୍ଯଵହୃତ ହୋଇଥାଏ ।

ପ୍ରଥମ ସ୍ଵରଵର୍ଣ୍ଣ "ଅ"ର କୌଣସି ମାତ୍ରା ନାହିଁ କିନ୍ତୁ "ଅ"ର ଅର୍ଦ୍ଧସ୍ଵର ଚିହ୍ନ (ଽ ) ରହିଛି  ଏଵଂ ଦୀର୍ଘ "ଋ"ର ମାତ୍ରା ଓଡ଼ିଆ ଭାଷାରେ ସାଧାରଣତଃ ଦୃଶ୍ଯ ହୁଏନାହିଁ କିନ୍ତୁ ଏହାର ମାତ୍ରା ବା କାର ରହିଛି ।

ନିମ୍ନୋକ୍ତ ମାତ୍ରାଗୁଡି଼କ ଓଡ଼ିଆ ଭାଷାରେ ପ୍ରଚଳିତ

ଆକାର■ା (ଦକ୍ଷଣ ପାର୍ଶ୍ଵରେ ଵ୍ଯଵହୃତ ହୁଏ- କା)
ଇକାର■ି(ଉପରେ-କି) ଓ (ନିମ୍ନରେ - ଖି)
ଈକାର■ୀ  ଈ: ୀ (ଦକ୍ଷିଣ ପାଶ୍ୱର୍ରେ- କୀ)
ଉକାର■ୁ(ନିମ୍ନରେ = କୁ)
ଊକାର■ୂ(ନିମ୍ନରେ = କୂ)
ଋକାର■ୃ (ନିମ୍ନରେ = କୃ)
ୠକାର■ୄ (ନିମ୍ନରେ = କୄ)
ଌକାର■ୢ (ନିମ୍ନରେ = କୢ)
ୡକାର■ୣ (ନିମ୍ନରେ = କୣ)
ଏକାର■େ (ଵାମ ପାର୍ଶ୍ଵରେ = କେ)
ଐକାର■ୈ (ଅକ୍ଷରର ବାମ ପାଖରେ ଓ ଆଙ୍କୁଡି଼ ଉପରେ = କୈ)
ଓକାର■ୋ (ଅକ୍ଷରର ଉଭୟ ପାର୍ଶ୍ଵରେ = କୋଟି)
ଔକାର■ୌ (ଅକ୍ଷର ଉଭୟ ପାର୍ଶ୍ଵରେ ତଥା ଆଙ୍କୁଡି଼ ଉପରିଭାଗରେ = କୌ)

ଓଡ଼ିଆ ଭାଷାରେ ତେରଗୋଟି କାର ଥିଲେ ହେଁ ଦୀର୍ଘ ୠ,ହ୍ରସ୍ଵ ଌ ଓ ଦୀର୍ଘ ୡ ଇତ୍ୟାଦିର ବ୍ୟବହାର ସାଧାରଣତଃ ଅତି ଅଳ୍ପ ହୋଇଥାଏ ।

No comments:

Post a Comment

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...