Tuesday, January 31, 2023

betelgeuse ଵା ଆର୍ଦ୍ରା ନକ୍ଷତ୍ର ସୁପରନୋଵା ଵିସ୍ଫୋରଣ ଯୋଗୁଁ କେବେବି ଫାଟିଯାଇପାରେ

Astronomyର ଵୈଜ୍ଞାନିକ ଭାଷାରେ ଯେଉଁ ନକ୍ଷତ୍ରକୁ "Alpha Orionis" କୁହାଯାଏ ତାକୁ ୟୁରୋପର ସାଧାରଣ ଭାଷାରେ Betelgeuse ଏଵଂ ଭାରତରେ #ଆର୍ଦ୍ରା ନକ୍ଷତ୍ର କହିଥାନ୍ତି । ଏହି Betelgeuse ଵା ଆର୍ଦ୍ରା ନକ୍ଷତ୍ରକୁ Orion ଵା କାଳପୁରୁଷ ନକ୍ଷତ୍ରପୁଞ୍ଜରେ ରଖାଯାଇଛି । 



betelgeuse ଏକ ଲାଟିନ୍ ଶବ୍ଦ କିନ୍ତୁ ଏହି ନାମଟି ମୂଳତଃ ଆରବୀୟ يَد الجَوْزَاء‎ (yad al-jawzāʾ)ରୁ ଲାଟିନକୃତ ହୋଇ ଗୃହୀତ ।‌ ଆରବୀୟ Yad al-Jauza ଶବ୍ଦ ଲାଟିନରେ Bedalgeuze ହୋଇ ଶେଷରେ betelgeuse ହୋଇଅଛି ।‌ ଏହି Betelgeuse ଶବ୍ଦର ଵର୍ତ୍ତମାନ ଉଚ୍ଚାରଣ କେହି କେହି Beetle juice ଭଳି କରିଥାନ୍ତି ।‌
ପ୍ରାଚୀନ ଭାରତୀୟମାନେ betelgeuseକୁ ଆର୍ଦ୍ରା ନାମ ଦେଇଥିଲେ ଓ ତହିଁର ନିରୁକ୍ତି ଆର୍ଦ୍ର+ଟାପ୍(ଆ) ଅଟେ । 

 ପ୍ରାଚୀନ ଭାରତୀୟ ଜ୍ଯୋତିଷମାନେ ଅଶ୍ଵିନ ଆଦି ୨୭ଗୋଟି ମୁଖ୍ୟ ନକ୍ଷତ୍ର ମଧ୍ୟରେ ଷଷ୍ଠନକ୍ଷତ୍ର ଭାବେ ଆର୍ଦ୍ରା ନକ୍ଷତ୍ରର ଗଣନା କରିଥିଲେ । ଭାରତୀୟ ଜ୍ଯୋତିଷ ସମ୍ବନ୍ଧୀୟ ଶାସ୍ତ୍ର 
 କୋଷ୍ଠୀପ୍ରଦୀପଃ ଅନୁସାରେ ଏହି ନକ୍ଷତ୍ରରେ ଜାତ ହେଉଥିଵା ଫଳର ଉଲ୍ଲେଖ ଏମନ୍ତ ଅଛି । 
 
“କ୍ଷୁଧାଧିକୋ ରୁକ୍ମଶରୀରକାନ୍ତିଃ କଳଗପ୍ରିୟଃ କୋପୟୁତୋଽଵିନୀତଃ । 
ପ୍ରମୂତିକାଳେ ଚ ଭଵେତ୍ କିଳାର୍ଦ୍ରା ନଚାର୍ଦ୍ରଚେତାଃ ଶରଣାଗତେଽପି” ।” 

ଯଦି Betelgeuse ଵା ଆର୍ଦ୍ରା ନକ୍ଷତ୍ରକୁ ଆମ ସୌର ମଣ୍ଡଳର କେନ୍ଦ୍ରରେ ରଖିଦିଆଯାଏ , ତେବେ ଏହାର ପୃଷ୍ଠ ସୀମା   
 ବୁଧ, ଶୁକ୍ର, ପୃଥିଵୀ ଓ ମଙ୍ଗଳ ଗ୍ରହର ଅକ୍ଷପଥ ପାର କରି ମଙ୍ଗଳ ତଥା ଵୃହସ୍ପତି ମଧ୍ୟରେ ଥିଵା ଗ୍ରହାଣୁ ବଳୟ ପର୍ଯ୍ୟନ୍ତ ପହଞ୍ଚିଯିଵ । Betelgeuse/ଆର୍ଦ୍ରା ଦ୍ରଵ୍ଯମାନ ଦୃଷ୍ଟିରୁ ସୂର୍ଯ୍ୟଠାରୁ ଦଶରୁ କୋଡ଼ିଏ ଗୁଣ ଵିଶାଳ ନକ୍ଷତ୍ର ।‌ ଏହାର ଵୟସ ୮.୦-୮.୫ Myr ଵର୍ଷ ବୋଲି ଵୈଜ୍ଞାନିକମାନେ ଗଵେଷଣାରୁ ଜାଣିପାରିଛନ୍ତି । Myrର ଅର୍ଥ Mega year ଵା ମହାଵର୍ଷ ଏଵଂ ଏକ Mega year ଵା ମହାଵର୍ଷ = ୧୦୦୦୦୦୦ ଵର୍ଷ । ଅର୍ଥାତ୍ ଏହି ତାରକାର ଵୟସ ପାଖାପାଖି ଏକ କୋଟି ଵର୍ଷ । 

ଏହି betelgeuse ଵା ଆର୍ଦ୍ରା ନକ୍ଷତ୍ର ଆମଠାରୁ ପାଖାପାଖି ୫୫୦ରୁ ୬୦୦ ଆଲୋକଵର୍ଷ ଦୂରରେ ଅଵସ୍ଥିତ । ଆସନ୍ତା ଏକ ଲକ୍ଷ ଵର୍ଷ ମଧ୍ୟରେ ଏହି ନକ୍ଷତ୍ରଟି ନିଜର ଵିଶାଳ ଆକାର ତଥା ଆଭ୍ୟନ୍ତରୀଣ ଅସ୍ଥିର ସ୍ଥିତି ଯୋଗୁଁ ଫାଟିଯାଇ ଏକ 
supernovaରେ ପରିଣତ ହେଵ । ତେବେ ଏ ନକ୍ଷତ୍ର ଆମଠାରୁ ବହୁତ ଦୂରରେ ଅର୍ଥାତ୍ ପ୍ରାୟ ପାଞ୍ଚରୁ ଛଅଶହ ଆଲୋକଵର୍ଷ ଦୂରରେ ଥିଵାରୁ ଆମ ପାଖକୁ ଏହାର ସୁପରନୋଵା ସମ୍ବନ୍ଧୀୟ ଵିକିରଣ ପହଞ୍ଚିଵାକୁ ଛଅଶହ ଵର୍ଷ ଲାଗିଯିଵ ଏଵଂ ସେତେବେଳକୁ ସେ ଵିପଦଜନକ ମହାକାଶୀୟ ଵିକିରଣର ଶକ୍ତି କ୍ଷୀଣ ହୋଇଯାଇଥିଵ । ଅସ୍ତୁ betelgeuse ଵା ଆର୍ଦ୍ରା ନକ୍ଷତ୍ର ଫାଟିଲା ବେଳର ଦୃଶ୍ୟ ଦେଖିଵାକୁ ଯଦି ସେ ସମୟରେ ମନୁଷ୍ୟାଦି ଜୀଵ ପୃଥିଵୀ ପୃଷ୍ଠାରେ ଜୀଵିତ ଥାଆନ୍ତି ସେମାନେ ଆକାଶରେ ଏକାଧିକ ସୂର୍ଯ୍ୟ ଥିଵା ଅନୁଭଵ କରିବେ । betelgeuse/ ଆର୍ଦ୍ରା ନକ୍ଷତ୍ର ସୁପରନୋଵା ଵିସ୍ଫୋରଣ ଯୋଗୁଁ ଫାଟିଯିଵା ପରେ ଏହା କେଵଳ କୋଡି଼ଏ କିମି ଵ୍ୟାସଯୁକ୍ତ ଏକ ନ୍ୟୁଟ୍ରନ ତାରକା ହୋଇ ରହିଯିଵ ବୋଲି ଗଵେଷକମାନେ ଏହାର ଆକାର ଓଜନ ଆଦି ଆଧାରରେ ନିର୍ଣ୍ଣୟ କରିଛନ୍ତି । 

ପ୍ରାଚୀନ ରୋମାନ୍ ଓ ଚୀନ ଦେଶରୁ ମିଳିଥିଵା ପ୍ରାଚୀନ ପୋଥିରୁ ଜଣାଯାଏ ଯେ ଆଜକୁ ପ୍ରାୟ ୧୮୩୭ଵର୍ଷ ପୂର୍ଵେ RCW 86 ନାମକ ଏକ ନକ୍ଷତ୍ର (ଵର୍ତ୍ତମାନ ସୁପରନୋଵା) ଫାଟିଵା ଯୋଗୁଁ ଆଠ ମାସ ଯାଏଁ ଲୋକେ ଆକାଶରେ ରାତିରେ ଦୁଇଟି ଚନ୍ଦ୍ର ଓ ଦିନରେ ଦୁଇଗୋଟି ସୂର୍ଯ୍ୟ ଦେଖିଵାକୁ ପାଇଥିଲେ ।‌ କେହି କେହି ଗଵେଷକ କୁହନ୍ତି betelgeuse ଫାଟିଲେ ଦୁଇ ନୁହେଁ ଵରଂ ଦଶଗୋଟି ସୂର୍ଯ୍ୟ ଯେତିକି ଆଲୋକ ଦିନ ଆକାଶରେ ଦେଖିଵାକୁ ମିଳିଵ ଏଵଂ ରାତିରେ ଏତେ ଆଲୋକ ହେଵ ଯେ ଜହ୍ନ କି ତାରା କିଛି ଦେଖାଯିଵ ନାହିଁ । ଆଜକୁ ପ୍ରାୟ ୪୩୨୫ Bce ଵା ଛଅହଜାର ଵର୍ଷ ତଳେ ଭାରତୀୟ ଜ୍ଯୋତିଷମାନେ ଆର୍ଦ୍ରା ନକ୍ଷତ୍ରର ସର୍ଵପ୍ରଥମେ ନାମୋଲ୍ଲେଖ କରିଥିଵାର ଜଣାଯାଏ । ସେହିପରି କାଳିଦାସ ଏହି ନକ୍ଷତ୍ରର ରଙ୍ଗ ଵିଷୟରେ ଏମନ୍ତ ଉଲ୍ଲେଖ କରିଥିଵା କଳ୍ପଦ୍ରୁମ ସଂସ୍କୃତ ଅଭିଧାନରୁ ଜଣାପଡ଼ିଛି ।   

“ପଦ୍ମାକୃତ୍ଯୁଜ୍ଜ୍ଵଳୈକତାରକାମୟଂ ।
           ଅସ୍ଯା ଅଧିଷ୍ଠାତ୍ରୀ ଦେଵତା ଶିଵଃ ।”

୨୧୦୦ ଵର୍ଷ ପୂର୍ଵେ ଚୀନ ଦେଶୀୟ ଜ୍ୟୋତିଷମାନେ ଏହି ଆର୍ଦ୍ରା ଵା betelgeuse ନକ୍ଷତ୍ରର ରଙ୍ଗ ଧଳା ମିଶା ହଳଦିଆ ବୋଲି ଉଲ୍ଲେଖ କରିଛନ୍ତି କିନ୍ତୁ ଏହାର ତିନିଶହ ଵର୍ଷ ପରେ ଦ୍ଵିତୀୟ ଶତାବ୍ଦୀର ଐତିହାସିକ Ptolemyଙ୍କ ଵର୍ଣ୍ଣନା ଅନୁସାରେ ଏହି ନକ୍ଷତ୍ରର ରଙ୍ଗ କମଳା ଵା ନାରଙ୍ଗୀ ରଙ୍ଗ ହୋଇଯାଇଥିଲା ।‌ ଏଥିରୁ ଜଣାଯାଏ ଯେ ଵିଗତ ପାଞ୍ଚ ହଜାର ଵର୍ଷ ମଧ୍ୟରେ ଏ ନକ୍ଷତ୍ର ନିଜ ଜୀଵନର ଶେଷ ଚରଣରେ ପହଞ୍ଚି ଯାଇଛି ।‌ 

ଆର୍ଦ୍ରା ଵା Betelgeuse ନକ୍ଷତ୍ରର ଆଲୋକ ମଧ୍ୟରେ ଵର୍ଷାନ୍ତରରେ ପ୍ରଭେଦ ଦେଖାଯାଏ । ସାର୍ ଜନ ହର୍ସେଲ ପ୍ରଥମେ ୧୮୩୬ ମସିହାରେ ଏ ଵିଷୟରେ ଗଵେଷଣା କରି ତାଙ୍କ ପୁସ୍ତକ 
Outlines of Astronomyରେ ଉଲ୍ଲେଖ କରିଥିଲେ । ଆଧୁନିକ ଗଵେଷକଙ୍କ ଅନୁସାରେ ଅଦୃଶ୍ୟ ବ୍ଲାକହୋଲ୍ କିମ୍ବା Gravitational 
Darkening ଯୋଗୁଁ betelgeuse ଵା ଆର୍ଦ୍ରା ନକ୍ଷତ୍ରର ଆଲୋକ ଏଭଳି କମ୍ ବେଶି ଜଣା ପଡ଼ୁଛି । ସେହିପରି Nasa ପକ୍ଷରୁ ହୋଇଥିଵା ଏକ ପର୍ଯ୍ୟଵେକ୍ଷଣରୁ ଜଣାପଡ଼ିଛି ଯେ betelgeuse ଵା ଆର୍ଦ୍ରା ନକ୍ଷତ୍ରରୁ ନିସୃତ dust cloud ଯୋଗୁଁ ଆମ ପାଖକୁ ଏହାର ଆଲୋକ ଠିକରେ ପହଞ୍ଚି ପାରୁନାହିଁ । ଏହା ବି ଏକ ପ୍ରମାଣ ଯେ ଭଵଷ୍ୟତରେ ଆର୍ଦ୍ରା ଵା betelgeuse ଏକ ସୁପରନୋଵା ଵିସ୍ଫୋରଣ ଯୋଗୁଁ ଫାଟିଵାକୁ ଯାଉଛି କାରଣ ଯେତେବେଳେ ବି କୌଣସି ତାରକା ବୁଢ଼ା ହୁଏ ସେ ମହାକାଶରେ energy (ଶକ୍ତି) ଓ matter (ଵସ୍ତୁ) ନିର୍ଗତ କରିଥାଏ । ଏହାକୁ ଵୈଜ୍ଞାନିକମାନେ surface mass emission ଵା SME କହିଥାନ୍ତି । Betelgeuse ପାଖାପାଖି ଆଠ ଟ୍ରିଲିଅନ ଏଵରେଷ୍ଟ ପର୍ଵତ ଓଜନ ଵିଶିଷ୍ଟ ଵସ୍ତୁ ଓ ଶକ୍ତି ନିର୍ଗତ କରୁଛି ବୋଲି ଗଵେଷକମାନେ ଆକଳନ କରିଛନ୍ତି । ଯେତେବେଳେ ଏହି ଅସ୍ଥିର ଅଵସ୍ଥା ଏହାର ଶେଷ ପର୍ଯ୍ୟାୟରେ ପହଞ୍ଚିଯିଵ ଏଵ ନ୍ୟୁକିୟସ୍ ଫ୍ୟୁଜନ୍ ତଥା ଗ୍ରାଵିଟି ମଧ୍ୟରେ ସନ୍ତୁଳନ ରକ୍ଷା ଅସମ୍ଭାଳ ହେଵ ସେତେବେଳେ betelgeuse ଵା ଆର୍ଦ୍ରା ନକ୍ଷତ୍ର ସୁପରନୋଵା ଵିସ୍ଫୋରଣ ଯୋଗୁଁ ନ୍ୟୁଟ୍ରନ ତାରକାରେ ପରିଣତ ହୋଇଯିଵ ।‌


ତେବେ ଆର୍ଦ୍ରା ନକ୍ଷତ୍ରର ଏଭଳି ନାମକରଣ ପଛରେ କ'ଣ କାରଣ ରହିଛି ? 

ଆର୍ଦ୍ର ଶବ୍ଦର ଅର୍ଥ ତ ଓଦା, ସନ୍ତସନ୍ତିଆ, ଶିଥିଳ,ମୃଦୁ,କୋମଳ,ଚଟଚଟିଆ,ଅଠାଳିଆ ଇତ୍ୟାଦି । କ'ଣ ଆର୍ଦ୍ରା ନକ୍ଷତ୍ରର ଵର୍ଷାନ୍ତରରେ କମ୍ ବେଶି ହେଉଥିଵା ଆଲୋକ ଆଧାରରେ ଏଭଳି ନାମକରଣ ହୋଇଥିଲା କି ? 


 

Friday, January 27, 2023

ଭୁଲ୍ ବୁଝାମଣା


ଗଡ଼ଜାତିଆ ଟୁକେଲ ଗୁଟେ ବାଲେଶ୍ଵରିଆ ଟୁକା ସାଁଘେ ଵାହା ହେଲା । ଶ୍ଵଶୁରଘରେ ଟୁକା ଛେନା ତରକାରୀ ମାଗିଲାରୁ ତାକୁ ଟୁକେଲ ଗୋବର ଘସି ରାନ୍ଧି ବାଢ଼ିଦେଲା । 
ବାଲେଶ୍ଵରରେ ନିଇତି ସକାଳେ ସନ୍ଧ୍ୟାରେ ଟୁକା ତୁଣ-ଭୁଜା ଖାଉଥିଲା ଅଥଚ ଗଡ଼ଜାତିଆ ଝୀ କେ ଚାହାରେ ଭୁଜା ମିଶାଇକରି ଖାଏଵାରକେ ଭଲ ଲାଗେ । 

ଦିନେ ତାଙ୍କ ଘରେ ଭୁଜା ସରି ଯାଇଥିଲା । ସେଇଠୁ ଗଡ଼ଜାତିଆଣୀ କହିଲା, "ଭୁଜା ସରି ଯାଇଛେଁ ; ଛୁଚା ତୁନ୍ ଖାଏଵ କାଁଏ ?”

ବାଲେଶ୍ଵରିଆ ଵର ବୋଇଲା, "ଏ ବାପ ! ସେଦିନ ଗୋବର ଘସି ତରକାରୀ ରାନ୍ଧିଥିଲ, ଦେଇକି ଆଜି ଏରକଁ କିସ ଛୁଚା ତରକାରୀ ଖୁଆଇଵ ?"
କଥା କ'ଣ ବୁଝିଵାକୁ କିଛି ଦିନ ଲାଗିଗଲା ।
ପ୍ରକୃତରେ ଗଡ଼ଜାତରେ ଛୁଚା ଅର୍ଥାତ୍ ତୁଚ୍ଛା (ଖାଲି) କିନ୍ତୁ ବାଲେଶ୍ଵରିଆ ଓଡ଼ିଆ ଶୈଳୀରେ ଛୁଚା ବୋଇଲେ 'ଚୁଚୁନ୍ଦ୍ରା' । ତେଣୁ ଛୁଚା ତରକାରୀ ମାନେ ଗଡ଼ଜାତିଆଣୀ ଚୁଚୁନ୍ଦ୍ରା ତରକାରୀ ରାନ୍ଧିଥିଵ ବୋଲି ଟୁକା ଭାଵିଲା । 

ବୁଝିଲା ପରେ, ବାଲେଶ୍ଵରିଆ ଟୁକା କହିଲା, ସେଦିନ ତୁମ କଥା ଶୁଣିକିନା ମୁଁ ଏକାବେଳେକେ ରାଗିକି 'ନିଆଁ-ବାଣ୍' ହୋଇଯାଇଥିଲି ।
ଟୁକେଲ୍ କହିଲା, "ଈ ବୁଆ ଗୋ ! ତୁମର୍ ସେନେ ନିଆଁ ଲାଗିଗଲା କାଏଁ ?!"

...

Thursday, January 26, 2023

: ଦୀର୍ଘ ଦୁଇ ନିୟୁତ ଵା ୨୦ ଲକ୍ଷ ଵର୍ଷର‌ ଲଗାଣ ଵର୍ଷା :

Alastair Ruffell ତାଙ୍କର ଜନ୍ମସ୍ଥାନ 
Somerset(UK)ଠାରେ Triassic ଯୁଗୀୟ ପାହାଡ଼ରୁ କେତେକ ଅଦ୍ଭୁତ କମଳା-ଲାଲ୍ ରଙ୍ଗର 
ଶିଳାସ୍ତର ପାଇଲେ ।ସେହି ପ୍ରାଚୀନ ଶିଳାସ୍ତରର ପରୀକ୍ଷଣରୁ ତାଙ୍କର ଵିଶ୍ଵାସ ହେଲା ଯେ ସେହି ଅଞ୍ଚଳ ଆଗେ ଏକ ଅତିଶୁଷ୍କ ଭୂଭାଗ ଥିଲା ଏଵଂ ପ୍ରଚଣ୍ଡ ସୂର୍ଯ୍ୟରଶ୍ମୀଦ୍ଵାରା ତାହା ଲାଲ୍ ଵର୍ଣ୍ଣର ହୋଇଥିଲା । କିନ୍ତୁ ସମରସେଟ୍‌ର ସେହି ପାହାଡ଼ରେ ତତ୍ପରଵର୍ତ୍ତୀକାଳୀନ ଆଉ ଏକ ଧୂସର- ବାଦାମୀ ରଙ୍ଗର ଶିଳାସ୍ତର ମଧ୍ୟ ପରେ ପରେ ଗଵେଷକ Ruffellଙ୍କୁ ପ୍ରାପ୍ତ ହେଲା । ଏହି ପରଵର୍ତ୍ତୀକାଳୀନ ଶିଳାସ୍ତରରୁ ଜଣାଗଲା ଯେ ସେହି ସମୟରେ ସେ ଅଞ୍ଚଳରେ ମରୁଭୂମି କ୍ରମଶଃ ଆର୍ଦ୍ରଭୂମିରେ ପରିଣତ ହୋଇଯାଇଥିଲା ଏଵଂ କୌଣସି କାରଣରୁ ଏହା ଅଵିଶ୍ବାସନୀୟ ଭାବେ ଏକ ନିୟୁତ ଵର୍ଷରୁ ଅଧିକ ସମୟ ଧରି ସେହିପରି ଆଦ୍ର ରହିଥିଲା ।

୧୯୮୦ ଦଶକର ମଧ୍ୟଭାଗରେ ଯେତେବେଳେ Alastair Ruffell ପ୍ରଥମେ Triassicଯୁଗର ଶିଳାସ୍ତର ପାଇଲେ ସେତେବେଳେ ଏ ନୂତନ ତଥ୍ୟ ରଫେଲଙ୍କୁ ଆକର୍ଷିତ କରିଥିଲା, କିନ୍ତୁ ଏହି ଯୁଵ ଭୂଵିଜ୍ଞାନୀଙ୍କର ଏକ ପିଏଚଡି ପ୍ରକଳ୍ପ ଶେଷ କରିଵାକୁ ବାକି ଥିଵାରୁ ସେ ଏହା ଉପରେ ଅଧିକ ଗଵେଷଣା କରିପାରିନଥିଲେ । ୧୯୮୭ ରେ ଅନ୍ୟ ଜଣେ ଯୁଵ ଵୈଜ୍ଞାନିକ ଜୀଵାଶ୍ମଵିଜ୍ଞାନୀ Michael Simms ତାଙ୍କର ପୋଷ୍ଟ୍ ଡକ୍ଟୋରାଲ୍ ଅଧ୍ୟୟନ ସମୟରେ late Triassicଯୁଗରେ ହୋଇଥିଵା ଜୈଵ ଵିଲୁପ୍ତି ସହିତ ଗଵେଷକ Ruffellଙ୍କ ”ରହସ୍ୟମୟ ଆଦ୍ରକାଳ” ମଧ୍ୟରେ ଥିଵା ସମ୍ବନ୍ଧ ଉପରେ କେତେକ ଵୈଜ୍ଞାନିକ ପ୍ରମାଣ ଲାଭ କରିଥିଲେ ‌ 

ଉଭୟ ଅଧ୍ୟୟନରେ ସମାନତା ଦେଖି ପ୍ରୋକ୍ତ ଗଵେଷକଦ୍ଵୟ ଵୈଜ୍ଞାନିକ ସମାଜ ଆଗରେ ଏହି ଵିଚାର ଵିଷୟରେ ମତ ଉପସ୍ଥାପନ କଲେ କିନ୍ତୁ ସେତେବେଳେ ଵୈଜ୍ଞାନିକ ସମାଜ ଦ୍ଵାରା ତାହାକୁ ଅଗ୍ରାହ୍ୟ କରିଦିଆଯାଇଥିଲା । 

ଏହାର ତିନି ଦଶନ୍ଧି ପରେ ଆଜି Alastair Ruffell ଓ Michael Simmsଙ୍କ ଗଵେଷଣାର ସମର୍ଥନରେ ଅନେକ ନୂତନ ତଥ୍ୟ ମିଳୁଛି । ତେବେ ନୂତନ ଗଵେଷଣାରୁ ଜଣାଯାଉଛି ଯେ କେଵଳ ଇଂଲଣ୍ଡର ସମରସେଟ୍ ହିଁ ନୁହେଁ ଆଜକୁ ପ୍ରାୟ ୨୩୨ ନିୟୁତ ଵା ୨୩.୨ କୋଟି ଵର୍ଷ ତଳେ Carnian କାଳରେ ତତ୍କାଳୀନ ପୃଥିଵୀର ପ୍ରାୟ ସବୁସ୍ଥାନରେ ଲକ୍ଷାଧିକ ଵର୍ଷ ଧରି ଵର୍ଷା ଲାଗି ରହିଥିଲା | ପୃଥିଵୀର ପ୍ରାୟ ସର୍ଵତ୍ର Triassicଯୁଗର ଶିଳାସ୍ତରରୁ ଏହି ତଥ୍ୟ ହିଁ ପ୍ରାପ୍ତ ହୋଇଛି । 


ପ୍ରାୟ ୨୪.୪ କୋଟି ଵର୍ଷ ପୂର୍ଵେ, ଵର୍ତ୍ତମାନ ଭଳି ସେସମୟର ପୃଥିଵୀରେ ସାତଗୋଟି ମହାଦେଶ ନଥିଲା କି ମହାଦ୍ୱୀପଗୁଡି଼କରେ ଆଜି ପରି ସେ ଯୁଗରେ ସମୁଦ୍ରର ବାଧା ନଥିଲା । ୨୫ କୋଟି ଵର୍ଷ ତଳର ସେହି ପୃଥିଵୀରେ ସମସ୍ତ ଭୂଭାଗ ଏକତ୍ର ଥିଲା ଯାହାକୁ ଗଵେଷକମାନେ “ପାଞ୍ଜିଆ" ନାମ ଦେଇଛନ୍ତି ।

ତତ୍କାଳୀନ ପୃଥିଵୀରେ ଭାରତ ଉପମହାଦ୍ଵୀପ ଆଫ୍ରିକା ମହାଦେଶ ଓ ମାଡାଗାସ୍କର ଦ୍ଵୀପ ସହିତ ପଶ୍ଚିମରେ ତଥା ଅଷ୍ଟ୍ରେଲିଆ ଓ ଆଣ୍ଟାର୍କଟିକା ମହାଦେଶ ସହିତ ଦକ୍ଷିଣରେ ସଂଯୁକ୍ତ ହୋଇ ରହିଥିଲା । ପାଞ୍ଜିଆ ମହାଦେଶରେ ଥିଲାବେଳେ ଭାରତ ଉପମହାଦ୍ଵୀପ ସହିତ ଵର୍ତ୍ତମାନର ଭୁଟାନ୍,ନେପାଳ, ପାକିସ୍ତାନ, ଆଫଗାନିସ୍ତାନ, ଶ୍ରୀଲଙ୍କା ଓ ତିବତ୍ତ ଆଦି ଭୂଭାଗ ସଂଯୁକ୍ତ ହୋଇ ରହିଥିଲା ଏଵଂ ଆଜିର ପୂର୍ଵୋତ୍ତର ଭାରତର ଅଧିକାଂଶ ଅଂଶ ସେ ଯୁଗର ଚୀନ ଓ ଵର୍ମାଦେଶ ସହିତ ଯୁକ୍ତ ହୋଇ ରହିଥିଲା । ଏହାର ବହୁତ ଵର୍ଷ ପରେ ପୃଥିଵୀରେ ୪ଗୁଣ ଅଧିକ ଦୃତ ଭୂଚଳନ ଗତି ଯୋଗୁଁ ଭାରତ ଉପମହାଦ୍ଵୀପ ଏସିଆ ସହିତ ସଂଯୁକ୍ତ ହୋଇଅଛି ଫଳରେ ଦୁଇଭୂଖଣ୍ଡର ମିଳନସ୍ଥଳରେ ହିମାଳୟ ଭଳି ଵିଶାଳ ପର୍ଵତମାଳା ସୃଷ୍ଟି ହୋଇଛି । 
 
ତେବେ ଯେହେତୁ ଆଜି ଦୃଶ୍ୟ ହେଉଥିଵା ପୃଥିଵୀର ସମସ୍ତ ସ୍ଥଳଭାଗ ଆଜକୁ ପଚିଶ କୋଟି ଵର୍ଷ ତଳେ ପରସ୍ପର ସହିତ ଜଡିତ ଥିଲା ତେଣୁ ସେହି ଵିଶାଳ ଏକକ ମହାଦେଶ ପାଞ୍ଜିଆର ଆଭ୍ୟନ୍ତରୀଣ ଅଞ୍ଚଳରେ କୌଣସି ଉପସାଗର, ନଦୀ କିମ୍ବା ସମୁଦ୍ରର କୌଣସି ଚିହ୍ନ ନଥିଲା, ଯେଉଁଥିପାଇଁ ଜଳର ଵାଷ୍ପୀକରଣ ମଧ୍ୟ ଵିଶେଷ ହେଉନଥିଲା । ପାଞ୍ଜିଆର ଆଭ୍ୟନ୍ତରୀଣ ଅଞ୍ଚଳରେ ପହଞ୍ଚିଵା ପୂର୍ଵରୁ ହିଁ ପାଙ୍ଗିଆ ଚାରିପାଖରେ ସମୁଦ୍ରରୁ ଉଠୁଥିଵା ମେଘ ଵର୍ଷା ହୋଇ ଯାଉଥିଲା । ଫଳସ୍ୱରୂପ, ତତ୍କାଳୀନ ଵିଶାଳ ପାଞ୍ଜିଆ ମହାଦେଶର ଆଭ୍ୟନ୍ତରୀଣ ଅଂଶ ମେଘରୁ ସଦାସର୍ଵଦା ଵଞ୍ଚିତ ହୋଇ ରହିଯାଉଥିଲା । ସେହି ସମୟକୁ End permian age ଵା Great Dying age କୁହାଯାଏ । 

ମାଟି ତଳୁ ଖନନ ପରେ ମିଳିଥିଵା end permianଯୁଗ ଵିଶେଷତଃ Carnianକାଳର ପ୍ରସ୍ତରରେ ଥିଵା କାର୍ବନ ଵା ଅଙ୍ଗାରକ ଏଵଂ ଅମ୍ଳଜାନ ଆଇସୋଟୋପ୍ ତତ୍ତ୍ଵର ଅଧ୍ୟୟନରୁ ଜଣାପଡି଼ଛି ଯେ ସେ ଯୁଗରେ ପାଞ୍ଜିଆରେ ଉଦ୍ଭିଦର ପରିମାଣ ନଗଣ୍ୟ ଥିଲା ତଥା ସେ ଯୁଗର ଲାଲ୍ ଜଳିଯାଇଥିଵା ପଥର ସୂଚିତ କରେ ଯେ ଵର୍ଷା ବହୁତ ଅଳ୍ପ ହେଉଥିଵାରୁ ତତ୍କାଳୀନ ପାଞ୍ଜିଆର ଜଳଵାୟୁ ଅତ୍ୟଧିକ ଶୁଷ୍କ ଥିଲା । 

ତା'ପରେ ହଠାତ୍... ଏକ ଚମତ୍କାର ଘଟଣା ଘଟିଲା । ମେଘ ସମଗ୍ର ପୃଥିଵୀକୁ ଆଚ୍ଛାଦିତ କରିଦେଲା ଏଵଂ ଦୀର୍ଘ ଵର୍ଷ ଧରି ନିରନ୍ତର ପ୍ରଵଳ ଵର୍ଷା ଆରମ୍ଭ ହେଵାକୁ ଲାଗିଲା । ସେ ଯୁଗର ପଥରରେ ଉପସ୍ଥିତ ଜୈଵିକ ଅଣୁର ସଂଖ୍ୟା ବୃଦ୍ଧି ସୂଚିତ କରେ ଯେ ଭୀଷଣ ଵର୍ଷା ଯୋଗୁଁ ଆକାରରେ ବଡ଼ ଉଦ୍ଭିଦମାନେ ଦ୍ରୁତ ଗତିରେ ବୃଦ୍ଧି ପାଇଲେ । ପୃଥିଵୀ ଗୋଟିଏ ମରୁଭୂମିରୁ ଧିରେ ଧିରେ ଏକ ଚିରସବୁଜ ଉଦ୍ୟାନରେ ପରିଣତ ହେଵାକୁ ଲାଗିଲା । 
ହଜାର ହଜାର ଵର୍ଷ ପରେ ଏହି ଵର୍ଷା ଥରେ ଆରମ୍ଭ ହେଲା...
ଆଉ ନଛାଡ଼ି କ୍ରମାଗତ ଭାବରେ ଵର୍ଷିଚାଲିଲା ପୁରା ଦୁଇ ନିୟୁତ ଵା କୋଡ଼ିଏ ଲକ୍ଷ ଵର୍ଷଯାଏଁ ...
 
ହଁ... 
 ଆପଣ ଠିକ୍ ଶୁଣିଛନ୍ତି । ପୃଥିଵୀପୃଷ୍ଠରେ ଦୀର୍ଘ ଦୁଇ ନିୟୁତ ଵର୍ଷ ଧରି ଲଗାଣ ଵର୍ଷା ହୋଇଥିଲା ! 

ଆଜକୁ ପ୍ରାୟ ୨୩୨ ନିୟୁତ ଵର୍ଷ ତଳେ End permian ଯୁଗ ଵା carnianକାଳର ଏଇ କୋଡ଼ିଏ ଲକ୍ଷ ଵର୍ଷ ମଧ୍ୟରେ ଯେ କିଛି କ୍ଷଣ ଵା ମିନିଟ୍ ପାଇଁ ଵର୍ଷା ଆଦୌ ବନ୍ଦ ହୋଇ ନଥିଲା ତାହା ନୁହେଁ କିନ୍ତୁ ସେ ଯୁଗର ପଥରକୁ ଅନୁଧ୍ୟାନ କରି ଵୈଜ୍ଞାନିକମାନେ ଜାଣିପାରିଛନ୍ତି କି ସେହି ଦୁଇ ନିୟୁତ ଵର୍ଷ ମଧ୍ୟରେ ପୃଥିଵୀରେ ଜଳଵାୟୁ ଵିଶେଷ ଭାବରେ ଆଦ୍ର ରହିଥିଲା। 

ଗଵେଷକମାନଙ୍କୁ end permian ଯୁଗର ପ୍ରସ୍ତରରୁ ପୁଣି ଜଣାପଡ଼ିଛି ସେତେବେଳେ ଆମେରିକାଠାରୁ ଏସିଆଯାଏଁ ସର୍ଵତ୍ର ଵିଶାଳ ନଦୀ ପ୍ରଵାହିତ ହେଉଥିଲା ଏଵଂ ଵାର୍ଷିକ ହାରାହାରି ଵୃଷ୍ଟିପାତ ଶୂନ୍ୟଠାରୁ ୧୪୦୦ MM ଯାଏଁ ପହଞ୍ଚି ଯାଇଥିଲା । 
 
 ତେବେ ପୃଥିଵୀ ପୃଷ୍ଠାରେ ଦୀର୍ଘ ଦୁଇ ନିୟୁତ ଵା କୋଡ଼ିଏ ଲକ୍ଷ ଵର୍ଷ ଯାଏଁ ହୋଇଥିଵା ଏହି ରହସ୍ୟମୟ ଵର୍ଷାର କାରଣ କ’ଣ ହୋଇପାରେ?
 
ଵୈଜ୍ଞାନିକମାନେ ତତ୍କାଳୀନ ଯୁଗର ପଥରକୁ ଅଧ୍ୟୟନ କଲାରୁ ଜଣାପାରିଛନ୍ତି ଯେ ସେହି ସମୟର ଵାୟୁମଣ୍ଡଳରେ ଅଙ୍ଗାରକାମ୍ଳର ପରିମାଣ ବହୁତ ଵୃଦ୍ଧି ପାଇଥିଲା । ଵାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବଢି଼ଵା ଯୋଗୁଁ ଜଳର ଵାଷ୍ପୀକରଣ ପ୍ରକ୍ରିୟା ଦ୍ରୁତଗତିରେ ଆରମ୍ଭ ହୋଇଗଲା ଏଵଂ ଏହା ଵିଶ୍ୱଵ୍ୟାପୀ ଭୀଷଣ ଵର୍ଷାର ପଥ ପ୍ରଶସ୍ତ କରି ଦେଇଥିଲା। 

କିନ୍ତୁ ହଠାତ୍ ଏହି ଅଙ୍ଗାରକ ଵା କାର୍ବନ କେଉଁଠୁ ଆସିଲା ?  

ଵୈଜ୍ଞାନିକମାନେ ଅନୁମାନ କରନ୍ତି ସେ ଯୁଗରେ ଏକ ବୃହତ ଆଗ୍ନେୟଗିରି ଉଦ୍ଗୀରଣ ହୋଇଥିଲା ଯାହା ଫଳରେ ହଠାତ୍ ଓ ପ୍ରଚୁର ପରିମାଣରେ କାର୍ବନ ଭୂଗର୍ଭରୁ ଭୂପୃଷ୍ଠକୁ ପହଞ୍ଚିଥିଲା ।  

 
ସୌଭାଗ୍ୟଵଶତଃ, ଆମ୍ଭମାନେ ଏମିତି ଏକ ଆଗ୍ନେୟଗିରି ଵିଷୟରେ ଜଣିସାରିଛନ୍ତି ଯାହାର ଵୟସ ୨୪.୪ କୋଟି ଵର୍ଷର ଅଟେ। ଆଲାସ୍କା ଠାରୁ କାନାଡା ପର୍ଯ୍ୟନ୍ତ ଵ୍ୟାପ୍ତ Wrangellia Terraneରେ ସେ ଯୁଗରେ ଏକ ଭୀଷଣ ଓ ଭୟଙ୍କର ଆଗ୍ନେୟ ଉଦ୍ଗିରଣ ହୋଇଥିଲା । ଏଠାରେ ଆଗ୍ନେୟ ଉଦ୍ଗିରଣ କ୍ରମାଗତ ଭାବରେ 50 ଲକ୍ଷ ଵର୍ଷ ଧରି ଚାଲିଥିଲା ​​ଏଵଂ ଏଥିଯୋଗୁଁ ତତ୍କାଳୀନ ପୃଥିଵୀର ଵାୟୁମଣ୍ଡଳରେ ଵିପୁଳ ପରିମାଣରେ କାର୍ବନ ମିଶ୍ରିତ ହୋଇଥିଲା ​​। ଏହି ଆଗ୍ନେୟ ଉଦ୍ଗିରଣ ଏତେ ଭୟଙ୍କର ଥିଲା ଯେ ଏଥିରୁ ପ୍ରଵାହିତ ତରଳ ଲାଭା ନଦୀ ୬ କିଲୋମିଟର ଗଭୀର ଥିଲା । 
 
ସେ ଯାହା ହେଉ, ଧିରେ ଧିରେ ଏହି Wrangelliaର ଆଗ୍ନେୟଗିରି ଶାନ୍ତ ହେଲା ‌। ବୃହତ୍ ସ୍ଥଳଉଦ୍ଭିଦଗୁଡିକ ଵାୟୁମଣ୍ଡଳରୁ ଅଧିକାଂଶ ଅଙ୍ଗାରକାମ୍ଳକୁ ଅଵଶୋଷଣ କରିନେଲେ ଏଵଂ ୨୩.୨ କୋଟି ଵର୍ଷ ପୂର୍ଵେ, ପୃଥିଵୀ ପୁଣି ପ୍ରାୟତଃ ମରୁଭୂମି ହେଵା ଆଡ଼କୁ ଗତିକରୁଥିଲା । ତେବେ ଆଜକୁ ୧୮କୋଟି ଵର୍ଷ ତଳେ ପାଞ୍ଚିଆ ଏକକ ମହାଦେଶ ଭୂଚଳନ ଯୋଗୁଁ ଖଣ୍ଡଵିଖଣ୍ଡିତ ହୋଇ ଆଫ୍ରିକା,ଭାରତ ଓ ମାଡାଗାସ୍କର, ଅଷ୍ଟ୍ରେଲିଆ, ଆଣ୍ଟାର୍କଟିକା, ୟୁରେସିଆ, ଉତ୍ତର ଆମେରିକା ଓ ଦକ୍ଷିଣ ଆମେରିକା ଇତ୍ୟାଦି ଭୂଭାଗ ପୃଥିଵୀପୃଷ୍ଠରେ ଵିଭିନ୍ନ ଦିଗକୁ ଗତି କରିଵାକୁ ଲାଗିଲା ଫଳତଃ ପୃଥିଵୀରେ ଭିନ୍ନ ଭିନ୍ନ ଜଳଵାୟୁରେ ନିଆରା ଜୈଵ ଵିଵିଧତା ପରିଲକ୍ଷିତ ହେଲା ।‌‌




ଦୁଇ ନିୟୁତ ଵର୍ଷର ଲଗାଣ ଵର୍ଷା ହେଵା ପୂର୍ଵରୁ ବି ଡାଇନୋସରମାନଙ୍କର ପୂର୍ଵପୁରୁଷମାନେ ଏହି ପୃଥିଵୀରେ ଉପସ୍ଥିତ ଥିଲେ କିନ୍ତୁ ପୃଥିଵୀର ଜୀଵଜଗତରେ ସେମାନଙ୍କର ଯୋଗଦାନ ସେତେବେଳେ ମାତ୍ର ୫% ଥିଲା । ଜୀଵାଶ୍ମ ଅଧ୍ୟୟନରୁ ଜଣାପଡି଼ଛି ଯେ ଏହି ଵର୍ଷାକାଣ୍ଡ ଯୋଗୁଁ ସେତେବେଳେ ଅନେକ ଜାତୀୟ ଜୀଵ ଵିଲୁପ୍ତ ହୋଇଯାଇଥିଲେ କିନ୍ତୁ ଡାଇନୋସରମାନେ ଏଥିରୁ ଲାଭାନ୍ଵିତ ହେଲେ ଏଵଂ ପୂର୍ଵ ଅପେକ୍ଷା ସେମାନଙ୍କର ଶାରୀରିକ ଆକାର ତଥା ସାମର୍ଥ୍ୟ ଅନେକଗୁଣ ଅଧିକ ଵୃଦ୍ଧି ପାଇଥିଲା ତଥା ଜୀଵଜଗତରେ ସେମାନଙ୍କର ଯୋଗଦାନ ୯୫% ଭାଗରୁ ଅଧିକ ହୋଇଯାଇଥିଲା।
 
ସମୟର ଚକ ସବୁବେଳେ ଗଡ଼ି ଚାଲିଛି ଏଵଂ ପରିଵର୍ତ୍ତନ ପ୍ରକୃତିର ଏକମାତ୍ର ଧ୍ୟେୟ ଅଟେ । ୨୩ କୋଟି ଵର୍ଷ ତଳେ ହୋଇଥିଵା ଭୟଙ୍କର ପ୍ରାକୃତିକ ଵିପର୍ଯ୍ୟୟ ଯେଉଁ ପରି ଭାବେ ଡାଇନୋସରମାନଙ୍କର ଵିକାଶର ପଥ ପରିଷ୍କାର ହୋଇଥିଲା ​​ଠିକ୍ ସେହିପରି ଆଜକୁ ୬.୫ କୋଟି ଵର୍ଷ ପୂର୍ଵେ ଗୋଟିଏ ବଡ଼ ଗ୍ରହାଣୁପିଣ୍ଡ ଯୋଗୁଁ ଡାଇନୋସରଙ୍କର ଏକଛତ୍ରଵାଦୀ ଶାସନ ମଧ୍ୟ ଶେଷ ହୋଇଯାଇଥିଲା । ୬ କୋଟି ଵର୍ଷ ପୂର୍ଵେ ଡାଇନୋସରମାନଙ୍କର ଵିଲୁପ୍ତି ସମୟରେ ଆମ ସ୍ତନ୍ୟପାୟୀ ପୂର୍ଵଜମାନଙ୍କୁ ଵିକଶିତ ହେଵାର ଅଵସର ପ୍ରାପ୍ତ ହେଇଗଲା ଏଵଂ ଏବେ ଆମେ ସବୁଠୁ ଶ୍ରେଷ୍ଠ ବୁଦ୍ଧିଆ ସ୍ତନ୍ୟପାୟୀ ଜୀଵ ଏ ପୃଥିଵୀର ସତ୍ତା ଭୋଗ କରୁଅଛନ୍ତି । 

ଏହା ହିଁ ହେଉଛି ପ୍ରକୃତିର ନିୟମ । 
 ଏଠି ରଙ୍ଗମଞ୍ଚ ସବୁବେଳେ ସମାନ ରହିଥାଏ, କେଵଳ ପ୍ରତ୍ୟେକ ଯୁଗରେ ନାୟକମାନେ ପରିଵର୍ତ୍ତିତ ହୋଇଯାଆନ୍ତି । ଆମ ସ୍ତନ୍ୟପାୟୀ ପ୍ରାଣୀମାନଙ୍କୁ ବି ଦିନେ ଏ ରଙ୍ଗମଞ୍ଚ ଛାଡି଼ଵାକୁ ପଡ଼ିପାରେ କିନ୍ତୁ ପ୍ରକୃତି ଆମକୁ ଗୋଟିଏ ଅମୂଲ୍ୟ ଦରଵ ଦେଇଛି ଯାହା ଡାଇନୋସରମାନଙ୍କ ପାଖରେ ଵିଶେଷ ନଥିଲା ଏଵଂ ତାହା ହେଉଛି ବୁଦ୍ଧି । ଏହି ବୁଦ୍ଧି ବଳରେ ମନୁଷ୍ୟ ଵିଜ୍ଞାନର ସଦୁପଯୋଗ ପୂର୍ଵକ ଭିନ୍ନ ଗ୍ରହରେ ଵସଵାସ କରିଵାକୁ ସମର୍ଥ ହୋଇପାରେ କିମ୍ବା ସଂସାରର ଧ୍ଵଂସ ସାଧନ ପାଇଁ ଵିଜ୍ଞାନର ଦୂରୁପଯୋଗ ମଧ୍ୟ କରିପାରେ । 

•••••••••••••••••••••••••••••••
बैचेन बंदर ପୁସ୍ତକର ଲେଖକ ଶ୍ରୀ विजय सिंह ठकुराय ତିନି ଚାରିଵର୍ଷ ତଳେ ଏହି ଵିଷୟରେ ଏକ ପ୍ରବନ୍ଧ ଲେଖିଥିଲେ । ସେହି ଆଲେଖ୍ୟକୁ ମୂଳ ଆଧାର କରି ଏହା ଲିଖିତ ହୋଇଅଛି । 
••••••••••••••••••••••••••••••••

Wednesday, January 18, 2023

ଏ ଜୀଵନ ଏକ ଚମତ୍କାର !

ଆପଣଙ୍କର ଏହି ଜଗତରେ ସ୍ଥିତି ବି ବଡ଼ ବଡ଼ ଚମତ୍କାରଠାରୁ କୌଣସି ଗୁଣରେ ଊଣା ନୁହେଁ । 
ଆପଣ ଆପଣଙ୍କର ପିତାମାତାଙ୍କର ସନ୍ତାନ । ଆପଣଙ୍କୁ ଜନ୍ମ ଦେଵା ପାଇଁ ଆପଣଙ୍କ ପିତାମାତା ଏକ ସୁରକ୍ଷିତ ଜୀଵନ ଯାପନ କରି, ପରସ୍ପରକୁ ଉଣ୍ଡିଵା ଏଵଂ ଵିଵାହ କରିଵା ତଥା ସନ୍ତାନ ଉତ୍ପାଦନ କରିଵା ନିତାନ୍ତ ଆଵଶ୍ୟକ ଥିଲା । ସେହିପରି ଆପଣଙ୍କର ପିତାମାତା ନିଜେ ଦୁଇଟି ଭିନ୍ନ ଦମ୍ପତିଙ୍କ ସନ୍ତାନ ସନ୍ତତି ଅଟନ୍ତି । ଏହିପରି ଭାବରେ, ଏହି ଜଗତରେ ରହିଵାର ଶ୍ରେୟ ପୃଥିଵୀ ଇତିହାସରେ ଆପଣଙ୍କର ଲକ୍ଷ ଲକ୍ଷ ପୂର୍ଵପୁରୁଷଙ୍କ ସଫଳ ମିଳନ ଏଵଂ ସନ୍ତାନୋତ୍ପତ୍ତିକୁ ହିଁ ଦିଆଯାଇପାରେ । 

କିନ୍ତୁ... ଥରେ ଵିଚାର କରନ୍ତୁ... 
ଜୀଵନରେ ଥଣ୍ଡା-ଉତ୍ତାପ-ସୂର୍ଯ୍ୟକିରଣ ଵର୍ଷା ପ୍ରାକୃତିକ ଵିପର୍ଯ୍ୟୟ ଆଦି ସହ୍ୟ କରି ଚିକିତ୍ସା ସୁଵିଧା ଅଭାବରୁ ଜଙ୍ଗଲରେ ଭୟଙ୍କର ପଶୁପକ୍ଷୀମାନଙ୍କ ମଧ୍ୟରେ ଵିଷମ ଜୀଵନ ଯାପନ କରୁଥିଵା ଆପଣଙ୍କର କେଵଳ ଜଣେ ମାତ୍ର ପୂର୍ଵଜ ସନ୍ତାନ ଉତ୍ପତ୍ତି କରିଵା ପୂର୍ଵରୁ ଜୀଵନ ହରାଇ ଦେଇଥାନ୍ତେ ତାହେଲେ ଆପଣ ଆଜି ଏହି ପୋଷ୍ଟ ପଢୁନଥାନ୍ତେ । 


ପୁନଶ୍ଚ ମନେ ରଖନ୍ତୁ, ଦଶ ନିୟୁତ ଶୁକ୍ରାଣୁ ଆପଣଙ୍କ ମା'ଙ୍କ ଗର୍ଭରେ ଅଣ୍ଡାଣୁକୁ ନିଷେଚିତ କରିଵାକୁ ଦୌଡ଼ିଥିଲେ, ଯେଉଁଥିରେ ଆପଣ ହିଁ ଵିଜେତା ହୋଇଥିଲ | ଯଦି ଆପଣଙ୍କ ଵ୍ୟତୀତ ଅନ୍ୟ କୌଣସି ଶୁକ୍ରାଣୁ ସେହି ଅଣ୍ଡାଣୁକୁ ନିଷେଚିତ କରିଵାକୁ ସକ୍ଷମ ହୋଇଥାନ୍ତେ ତାହେଲେ ଭିନ୍ନ ଆନୁଵଂଶିକ ଦ୍ରଵ୍ୟ ଯୁକ୍ତ ଅନ୍ୟ ଜଣେ ଵ୍ୟକ୍ତି ଜନ୍ମ
 ହୋଇଥାନ୍ତେ ଯିଏ ଆପଣ ତ ଆଦୌ ହୋଇନଥାନ୍ତେ । 

ଵୈଜ୍ଞାନିକମାନେ କେତେକ ପ୍ରମାଣକୁ ଭିତ୍ତି କରି ମତ ଦିଅନ୍ତି ଯେ ଆମ୍ଭମାନଙ୍କର ନିହାରିକା ଆକାଶଗଙ୍ଗାରେ ଆମର ସୌରଜଗତ ଏକ ସୁରକ୍ଷିତ ସ୍ଥାନରେ ଵିଦ୍ୟମାନ ଯେଉଁଠି ତାରକାମାନଙ୍କର ଘନତ୍ଵ ଅପେକ୍ଷାକୃତ ଅଳ୍ପ 
। ଫଳତଃ ପୃଥିଵୀ ଉପରେ ମହାକାଶରୁ ସୁରପରନୋଵା ଵିସ୍ଫୋରଣ,ଜୋମ୍ବି ତାରକା ଵା ଜୋମ୍ବି ଗ୍ରହ,ମାଗ୍ନେଟାର୍ ଆକ୍ରମଣ,ଵାହ୍ୟ ଅନ୍ତରୀକ୍ଷରୁ ନିକ୍ଷେପିତ ଅସଂଖ୍ୟ ଗ୍ରହାଣୁଗୁଡି଼କର ଏକକାଳୀନ ଆକ୍ରମଣ ଆଦି ଵିପଦ କେତେକାଂଶରେ ଊଣା ହୋଇଥିଲା ଫଳତଃ ଆମ ସୌରଜଗତରେ ସୂର୍ଯ୍ୟ ନିକଟରେ ପୃଥିଵୀରେ ଜୀଵଜଗତ ସୃଷ୍ଟି ହୋଇପାରିଛି । ବୃହସ୍ପତି ଗ୍ରହ ପୃଥିଵୀ ଅପେକ୍ଷା ଅତି ଵିଶାଳ ଏଵଂ ସୌରମଣ୍ଡଳରେ ଵିଚରଣ କରୁଥିଵା ଅଧିକାଂଶ ଗ୍ରହାଣୁପିଣ୍ଡ ଏହି ଗୁରୁ ଗ୍ରହ ନିଜର ଅଦ୍ଭୁତ ମାଧ୍ୟାକର୍ଷଣ ଶକ୍ତି ବଳରେ ଗ୍ରାସ କରିନିଏ । ଯଦି ବୃହସ୍ପତି ଓ ଶନି ଭଳି ଵିଶାଳ ଗ୍ରହ ଆମ ସୌରଜଗତରେ ନଥାନ୍ତେ ତାହେଲେ ଵାହ୍ୟ ଅନ୍ତରୀକ୍ଷରୁ ଆମ ଆଡ଼କୁ ଗ୍ରହାଣୁ ଆକ୍ରମଣର ଭୟ ଅନେକଗୁଣ ବଢ଼ିଯାଇଥାନ୍ତା ଫଳତଃ ପୃଥିଵୀରେ କେବେ ସ୍ଥିର ଵାୟୁମଣ୍ଡଳ ଓ ପରିବେଶ ତିଷ୍ଠି ପାରିନଥାନ୍ତା । ସେହିପରି ପୃଥିଵୀ ସୃଷ୍ଟି ପଛରେ ଶନିଗ୍ରହର ଯୋଗଦାନ ମଧ୍ୟ ମହତ୍ତ୍ୱପୂର୍ଣ୍ଣ । ଵୈଜ୍ଞାନିକମାନେ ଆଜିଯାଏଁ ଅନ୍ତରୀକ୍ଷରେ ଯେତେ ଵର୍ହିସୌର ଗ୍ରହ (Extrasolar planets) ଆଵିଷ୍କାର କରିଛନ୍ତି ତନ୍ମଧ୍ୟରେ ଅନେକ ଗ୍ରହ ଆକାରରେ ବୃହସ୍ପତି ଭଳି ବହୁତ ଵିଶାଳ ତଥା ନିଜ ସୂର୍ଯ୍ୟର ଅତି ନିକଟରେ ରହି ପରିକ୍ରମଣ କରୁଥିଵାର ଦେଖାଯାଇଛି । କୌଣସି ନକ୍ଷତ୍ରର ଅତି ନିକଟରେ ବଡ଼ ବଡ଼ ଗ୍ରହ ସୃଷ୍ଟି ହେଵା ସେହି ନକ୍ଷତ୍ରର ପ୍ରଚଣ୍ଡ ମହାକର୍ଷଣ ଶକ୍ତି ଯୋଗୁଁ ସମ୍ଭଵ ହୋଇପାରେ ନାହିଁ ତେଣୁ ବଡ଼ ବଡ଼ ଗ୍ରହ ଦୂରରେ ସୃଷ୍ଟି ହୋଇ ଆଖପାଖରେ ଵିସ୍ତୃତ ଭାବରେ ଘୂରିବୁଲୁଥିଵା ପ୍ରାକ୍ ଗ୍ରହୀୟ ପିଣ୍ଡ ଓ ଗ୍ୟାସ ଆଦିକୁ ଗ୍ରାସ କରି କରି ନିଜ ନକ୍ଷତ୍ର ନିକଟକୁ ଟାଣି ହୋଇ ଆସନ୍ତି । ବୃହସ୍ପତି ମଧ୍ୟ ଏହି ଦିଗରେ ଅଗ୍ରସର ହେଇଥିଲା କିନ୍ତୁ ତାକୁ ବାନ୍ଧି ରଖିଲା ପରଵର୍ତ୍ତୀ କାଳରେ ସୃଷ୍ଟି ହୋଇଥିଵା ଶନିଗ୍ରହ ଏଵଂ ଶନିଗ୍ରହର ତୀଵ୍ର ମାଧ୍ୟାକର୍ଷଣ ଶକ୍ତି ପ୍ରଭାଵରେ ବୃହସ୍ପତି ସୂର୍ଯ୍ୟ ଆଡ଼କୁ ଗତି ନକରି ନିଜର ଵର୍ତ୍ତମାନ ଘୂର୍ଣ୍ଣନ ପଥରେ ତିଷ୍ଠି ରହିଯାଇଥିଲା । ବୃହସ୍ପତି ଗ୍ରହ ନିକଟରେ ଶନିଗ୍ରହ ଭଳି ଵିଶାଳ ଗ୍ରହ ସୃଷ୍ଟି ହୋଇନଥିଲେ ଯେଉଁ ପ୍ରାକ୍ ଗ୍ରହୀୟ ପିଣ୍ଡ ଓ ଗ୍ୟାସ୍ ଆଦି ଦ୍ଵାରା ପୃଥିଵୀ ମଙ୍ଗଳ ଇତ୍ୟାଦି ପ୍ରସ୍ତର ଗ୍ରହ ସୃଷ୍ଟି ହେଇଥାନ୍ତେ ସେହି ତତ୍ତ୍ଵକୁ ବୃହସ୍ପତି ଗ୍ରାସ କରିନେଇଥାନ୍ତା ଓ ସୂଯ୍ୟର ଅତି ନିକଟରେ ରହି ପରିକ୍ରମଣ କରୁଥାଆନ୍ତା । ପୃଥିଵୀର ଚନ୍ଦ୍ର ଭଳି ଆକାରରେ ଏକ ବଡ଼ ଉପଗ୍ରହ ଥିଵାରୁ ପୃଥିଵୀ ଏକ ସ୍ଥିର ପରିକ୍ରମଣ ପଥରେ ସୂର୍ଯ୍ୟଙ୍କର ପରିକ୍ରମା କରୁଅଛି । ଚନ୍ଦ୍ର ନଥିଲେ ପୃଥିଵୀରେ ଜୀଵନର ସ୍ଥାୟୀତ୍ବ ରୁହନ୍ତା ନାହିଁ କାରଣ ପୃଥିଵୀ ଅସ୍ଥିର ହୋଇ କେବେ ସୂର୍ଯ୍ୟର ନିକଟତର ହୋଇ ଉଷ୍ମ ତ କେବେ ଦୂରେଇଯାଇ ଶୀତଳ ହେଵା ଯୋଗୁଁ ବାରମ୍ବାର ଜଳଵାୟୁ ପରିଵର୍ତ୍ତନ ଘଟନ୍ତା । ଗଵେଷକ କୁହନ୍ତି ମଙ୍ଗଳଗ୍ରହର ପରିକ୍ରମଣ ଅକ୍ଷପଥରେ ଆଗ ପଛ ଢଳି ଢଳି ଗତି କରିଵା ଯୋଗୁଁ ଏ ଗ୍ରହରେ କେବେବି ଜଳଵାୟୁ ସ୍ଥିର ହୋଇ ରହିପାରିଲା ନାହିଁ ତେଣୁ ସେଠାରେ ଜୀଵନ ପୃଥିଵୀ ପରି ଉଧେଇ ପାରିଲା ନାହିଁ (ମଙ୍ଗଳ ଗ୍ରହର ଚନ୍ଦ୍ର ଭଳି ବଡ଼ ଉପଗ୍ରହ ନଥିଵାରୁ,ମଙ୍ଗଳ ଗ୍ରହର ଅନ୍ତର୍ଭାଗ ଶିଘ୍ର ଶୀତଳ ହୋଇଯିଵା ଯୋଗୁଁ ଶକ୍ତିଶାଳୀ ଚୁମ୍ବକୀ କଵଚ ନାହିଁ,ପତଳା ଵାୟୁମଣ୍ଡଳ,ପୃଥିଵୀ ଅପେକ୍ଷା ଅଧିକ ଗ୍ରହାଣୁର ଶିକାର ଆଦି ଖଗୋଳୀୟ ଦୁର୍ଘଟଣା ଯୋଗୁଁ ଏ ଗ୍ରହରେ କେବେବି ଜୀଵନ ଉଧେଇ ପାରିନାହିଁ) । ସୂର୍ଯ୍ୟଠାରୁ ପୃଥିଵୀର ଉପଯୁକ୍ତ ଦୂରତା , ନିରନ୍ତର ମାଧ୍ୟାକର୍ଷଣ,ସୁରକ୍ଷାତ୍ମକ ଚୁମ୍ବକୀୟ କଵଚ,ପୃଥିଵୀରେ ନୀରକ୍ଷୀୟ ଓ ସମଶୀତୋଷ୍ଣ କ୍ଷେତ୍ରର ବହୁଳତା,ଗଭୀର ନୀଳ ସାଗର ତଥା ଵିଶାଳ ଜଳଭଣ୍ଡାର ଆଦି ପୃଥିଵୀକୁ ମିଳିଥିଵା କେତେକ ସୌଭାଗ୍ୟ ଯୋଗୁଁ ଏହି ଗ୍ରହର ଜୀଵନ ପୁଣି ମୂଲ୍ୟଵାନ ବୁଦ୍ଧିମାନ ଜୀଵନ ସୃଷ୍ଟି ହୋଇପାରିଛି ।‌ ହଁ ପୃଥିଵୀରେ ଜୀଵନ ସୃଷ୍ଟି ଆଶ୍ଚର୍ଯ୍ୟଜନକ ହୋଇ ନପାରେ କିନ୍ତୁ ଏହି ଗ୍ରହରେ ବୁଦ୍ଧିମାନ ଜୀଵ ଉତ୍ପତ୍ତି ଲାଭ କରିଵା କୌଣସି ଚମତ୍କାର ଠାରୁ ଆଦୌ ଊଣା କଥା ନୁହେଁ । ସେହିଭଳି ପୃଥିଵୀରେ ସାୟନୋବ୍ୟାକ୍ରିଆ ଭଳି ଜୀଵ ସୃଷ୍ଟି ହୋଇ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାର ଗୁଣ ଵିକଶିତ କରି ସର୍ଵତ୍ର ଅହେତୁକ ଅମ୍ଳଜାନ ବୃଦ୍ଧି ଘଟାଇ ନଥିଲେ ପୃଥିଵୀରେ ଜୈଵିକ କ୍ରାନ୍ତି କ୍ଷିପ୍ର ଗତିରେ ହୋଇନଥାନ୍ତା । ଅମ୍ଳଜାନ ଏଭଳି ଏକ ଭୌତିକ ତତ୍ତ୍ଵ ଯାହା ଜୈଵିକ ଵିକାଶକୁ ଅନେକଗୁଣ ବଢ଼ାଇଦିଏ । ଉଲ୍ଲେଖଯୋଗ୍ୟ ଯେ ପୃଥିଵୀରେ ତିନୋଟି ଭିନ୍ନ ଭିନ୍ନ ସମୟକାଳରେ ତିନିଗୋଟି ଵାୟୁମଣ୍ଡଳ ଥିଲା ଏଵଂ ମାଟି ଭିତରୁ ମିଳିଥିଵା ତତ୍କାଳୀନ ଯୁଗର ପ୍ରାଚୀନ ପ୍ରସ୍ତରାଦିର ଵୈଜ୍ଞାନିକ ଅନୁଶୀଳନରୁ ଏସବୁ ତଥ୍ୟ ପ୍ରାପ୍ତ ହୋଇଛି । ପ୍ରଥମ ଵାୟୁମଣ୍ଡଳରେ ମୁଖ୍ୟତଃ ଉଦଜାନ୍ ,ଜଳୀୟ ବାଷ୍ପ,ମିଥେନ ଓ ଆମୋନିଆ ଥିଵାବେଳେ ପରଵର୍ତ୍ତୀ କାଳରେ ଭୀଷଣ ଗ୍ରହାଣୁ ଵର୍ଷଣ ତଥା ଆଗ୍ନେୟ ଉଦ୍ଗିରଣ ଯୋଗୁଁ ଦ୍ଵିତୀୟ ପର୍ଯ୍ୟାୟର ଵାୟୁମଣ୍ଡଳରେ ମୁଖ୍ୟତଃ ଯଵକ୍ଷାରଜାନ ଓ ଅଙ୍ଗାରକାମ୍ଳ ଥିଲା । ଜୀଵନ ତ ପୃଥିଵୀରେ ୪୦୦ କୋଟି ଵର୍ଷପୂର୍ଵରୁ ହିଁ ସୃଷ୍ଟି ହୋଇଯାଇଥିଲା କିନ୍ତୁ ସାୟନୋବ୍ୟାକ୍ଟ୍ରିଆ ଯୋଗୁଁ ତୃତୀୟ ପର୍ଯ୍ୟାୟର ଵାୟୁମଣ୍ଡଳରେ ଅମ୍ଳଜାନ ବୃଦ୍ଧି ଘଟିଲା ଫଳତଃ ଜୈଵ ଵିକାଶ ଦୃତଗତିରେ ହେଲା । ସାୟନୋବ୍ୟାକ୍ରିଆ ସୃଷ୍ଟି ହୋଇନଥିଲେ ଆଜି ପୃଥିଵୀରେ ଆମେ ମଧ୍ୟ ନଥାନ୍ତେ । 

ଏହି ତିନୋଟି କଥାକୁ ଏକତ୍ର ରଖି ଵିଚାର କଲେ ଆପଣ ହୃଦୟଙ୍ଗମ କରିପାରିବେ ଯେ ଏ ଜଗତରେ ଆପଣଙ୍କର ଅଵସ୍ଥିତି ବଡ଼ ଲଟେରୀ ଜିତିଵା କିମ୍ବା ଚମତ୍କାରଠାରୁ କୌଣସି ଗୁଣରେ ଊଣା ନୁହେଁ । ଆଗକୁ ଆପଣ ନିଜକୁ କେବେ ଛୋଟ ମନେ କରୁଥିଲେ ଵା ଆପଣଙ୍କୁ କେହି ଅଞ୍ଚଳ,ଜାତି,ଧର୍ମ ଆଧାରରେ ଛୋଟ ହୀନ ନିମ୍ନ ନୀଚ୍ଚ ବୋଲି ପ୍ରମାଣ କରିଵାକୁ ଚେଷ୍ଟିତ ଥିଲେ ପ୍ରୋକ୍ତ ତିନୋଟି ଵିଷୟକୁ ଆଉଥରେ ଵିଚାର ନିଶ୍ଚୟ କରିବେ ! ମନେ ରଖନ୍ତୁ ଆପଣଙ୍କ ଜୀଵନ ଆଦୌ ହୀନ ନୀଚ୍ଚ ନୁହେଁ ଵରଂ ଆପଣଙ୍କ ଜୀଵନ ଜଗତରେ ସ୍ଵୟଂ ଏକ ଚମତ୍କାର ଅଟଇ ।

Monday, January 16, 2023

●ପୃଥିଵୀର ସବୁଠାରୁ ଶାନ୍ତ ସ୍ଥାନ●


କିଛି ଵର୍ଷ ପୂର୍ଵେ A QUIET PLACE ନାମରେ ଏକ ହଲିଉଡ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ଏଵଂ ଏହି ଚଳଚ୍ଚିତ୍ରର କାହାଣୀ ସଂକ୍ଷେପରେ ଏହିପରି : କିଛି ପରଗ୍ରହୀ(Alien) ପୃଥିଵୀ(ପ୍ରକୃତରେ USA) ଉପରେ ଆକ୍ରମଣ କରିଦେଲେ । ସେହି ପରଗ୍ରହୀମାନେ ସ୍ୱର ଵା ଶବ୍ଦ ସାହାଯ୍ୟରେ ମାନଵାଦି ଜୀଵଙ୍କର ଶିକାର କରୁଥିଲେ । ଫଳତଃ,ଯୋଉ ମଣିଷମାନେ ଏକଥା ଜାଣିଗଲେ ସେମାନେ କୌଣସି ଶବ୍ଦ ନକରି ପରଗ୍ରହୀମାନଙ୍କଠାରୁ ରକ୍ଷା ପାଇଵାକୁ ଚେଷ୍ଟା କରିଵାକୁ ଲାଗିଲେ । କିନ୍ତୁ ଆମେ କହିଵା ବନ୍ଦ କରିଦେଲେ ଵା ମୂକ ହୋଇଗଲେ ମଧ୍ୟ ପ୍ରକୃତିରେ ଶୁଣିଵାକୁ ବହୁତ କିଛି ଅଛି । ତେବେ ଯଦି ଆପଣଙ୍କୁ ଏପରି ଏକ ସ୍ଥାନକୁ ପଠାଯିଵ ଯେଉଁଠାରେ ଶୁଣିଵାକୁ କିଛି ନଥିଵ ତାହେଲେ ଆପଣ ସେଭଳି ସ୍ଥାନରେ କିପରି ଅନୁଭବ କରିବେ । 

ଏହିପରି ସ୍ଥାନର ଏକ ଉତ୍ତମ ଉଦାହରଣ ହେଉଛି Inter galactic space, ଅର୍ଥାତ୍ ଦୁଇଟି ନିହାରିକା(Galaxy) ମଧ୍ୟରେ ଥିଵା ଖାଲି ସ୍ଥାନ, ଯାହା ଏତେ ଖାଲି ଯେ ଏକ ଘନ ମିଟର ସ୍ଥାନରେ, କ୍ୱଚିତ୍ ଗୋଟିଏ ପରମାଣୁ ଆପଣଙ୍କ ହାତକୁ ଆସିବ । ତେବେ ଯେତେବେଳେ ଆପଣ ମହାକାଶକୁ ଯିବେ ଏଵଂ ସେଠାରେ ରହି ଶୁଣିଵାକୁ ଚେଷ୍ଟା କରିବେ ସେତେବେଳେ ଆପଣ କ'ଣ ଶୁଣିଵାକୁ ପାଇବେ ?

ଯେହେତୁ ଶବ୍ଦ କେଵଳ ଅଣୁର କମ୍ପନ ମାତ୍ର ଏଵଂ ପୂର୍ଵରୁ ଉଲ୍ଲେଖ କରାଯାଇଛି ଯେ ସୁଦୂର ମହାକାଶରେ କୌଣସି ଅଣୁ ହିଁ ନାହିଁ, ମୋ ପ୍ରଶ୍ନର ସିଧାସଳଖ ଉତ୍ତର ଏହା ହେଵ ଯେ ଆମେ ମହାକାଶରେ କିଛି ଶୁଣିପାରିଵା ନାହିଁ | 

କିନ୍ତୁ, ଏମିତି ବି ନୁହେଁ ଯେ ଆପଣ କିଛି ମଧ୍ୟ ଶୁଣିପାରିବେ ନାହିଁ। 
କାରଣ... ଯେତେବେଳେ ଚାରିପାଖରେ କିଛି ଶୁଣିଵାକୁ ନଥିଵ ଆପଣ "ନିଜେ ନିଜକୁ" ଶୁଣିଵା ଆରମ୍ଭ କରିଦିଅନ୍ତି, ଯାହା ନିଃସନ୍ଦେହରେ ଏକ ଭୟାନକ ଅନୁଭୂତି !

ଆମେରିକାର ନ୍ୟୁୟର୍କ ସହରର ମାଇକ୍ରୋସଫ୍ଟ ଟାୱାରରେ ଅଡିଓ ପରୀକ୍ଷଣ ପାଇଁ ଏକ ଚାମ୍ବର ନିର୍ମାଣ କରାଯାଇଛି, ଯାହାକୁ ପୃଥିଵୀର ସବୁଠାରୁ ଶାନ୍ତ/ନିଃଶବ୍ଦ ସ୍ଥାନ ଵା "Quietest Place On Earth"ର ମାନ୍ୟତା ମିଳିଛି ‌। 

| କଂକ୍ରିଟ୍, ଇସ୍ପାତ ଏଵଂ ଫାଇବରର ଅନେକ ସ୍ତରକୁ ମିଶ୍ରଣ କରି ସ୍ୱତନ୍ତ୍ର ଵୈଷୟିକ ଜ୍ଞାନ ପ୍ରୟୋଗ ସହ ନିର୍ମିତ ହୋଇଥିଵା ଏହି କୋଠରୀର ଵିଶେଷତା ହେଉଛି ଯେ ଏହି କୋଠରୀ -୨୦ Decibel ତୀଵ୍ରତା ପର୍ଯ୍ୟନ୍ତ ଧ୍ୱନିକୁ ମଧ୍ୟ ବାଧା ଦେଇପାରେ ଅର୍ଥାତ୍ ରୋକି ଦେଇଥାଏ । -୨୦ Decibel ଧ୍ଵନୀ ତୀଵ୍ରତା ମାନଵ ଶ୍ରଵଣୀୟ ଧ୍ଵନି ତୀଵ୍ରତାଠାରୁ ୪୦୦ ଗୁଣ କମ୍ | ତେଣୁ ଯଦି ଆପଣ ଏହି କୋଠରୀରେ କୌଣସି କାରଣରୁ ବନ୍ଦ ହୋଇଯାଆନ୍ତି ତାହେଲେ ଆପଣ କିଛି ବି ଵିଶେଷ ଶୁଣିପାରିବେ ନାହିଁ କିନ୍ତୁ ଆପଣଙ୍କୁ ସେଠାରେ କେଵଳ ଆପଣଙ୍କ "ଭିତରୁ ଆସୁଥିଵା ସ୍ୱର" ହିଁ ଶୁଣିଵାକୁ ମିଳିଵ । 

ହଁ, ଆପଣ ଏହି କୋଠରୀରେ ବନ୍ଦ ହେଵାର କିଛି ମିନିଟ୍ ପରେ ହିଁ ନିଜେ ନିଜକୁ ଶୁଣିଵା ଆରମ୍ଭ କରିଦେବେ । ହୃଦୟର ଧକଧକିଠାରୁ, ଧମନୀରେ ରକ୍ତ ପ୍ରଵାହ ପର୍ଯ୍ୟନ୍ତ, ଚାଲିଵା ବୁଲିଵା ବେଳେ ଶରୀର ମଧ୍ୟସ୍ଥ ହାଡ଼ରୁ ପେଟ ମଧ୍ୟରେ ହେଉଥିଵା ପାଚନ ପ୍ରତିକ୍ରିୟାର ଶବ୍ଦ ଯାଏଁ ସବୁକିଛି ଆପଣ ଶୁଣିଵାକୁ ପାଇବେ । ପାଟି ବନ୍ଦ କରି ଦାନ୍ତ କଡ଼କଡ଼ କଲେ ଆପଣଙ୍କୁ ଏମିତି ଲାଗିଵ ସତେ ଯେମିତି କେହି ଆସି ଆପଣଙ୍କ କାନରେ ଚିତ୍କାର କରୁଛି । ଆଉ ଯଦି ଆପଣ ପୃଥିଵୀର ଏହି "Quietest Place" ଵା ନିଃଶବ୍ଦ ସ୍ଥାନରେ ପାଟି ଖୋଲା କରି କିଛି କହିଵାକୁ ଚେଷ୍ଟା କରନ୍ତି ତାହେଲେ ଆପଣଙ୍କ ମୁଖରୁ ଶବ୍ଦ ସ୍ଫୁରିଵା ମାତ୍ରେ ଆପଣ ମରିଯାଇଥିବେ କିନ୍ତୁ ମରିଵା ପୂର୍ଵରୁ ଆପଣଙ୍କ କାନରେ ଏକ ଅଦ୍ଭୁତ ଭୟାନକ ଗୁଞ୍ଜନ ପ୍ରତିଧ୍ୱନିତ ହେଵ । 

ଆମେ ମଣିଷମାନେ ଏପରି ପରିବେଶରେ ଅଭ୍ୟସ୍ତ ନୁହଁନ୍ତି, ତେଣୁ ଏହା ଆଦୌ ଆଶ୍ଚର୍ଯ୍ୟଜନକ ନୁହେଁ ଯେ ଏହି କୋଠରୀରେ ପ୍ରଵେଶ କରିବା ମାତ୍ରେ ମନୁଷ୍ୟମାନଙ୍କ ମଧ୍ୟରେ ଗମ୍ଭୀର ମନୋଵୈଜ୍ଞାନିକ ପ୍ରଭାଵ ପରିଲକ୍ଷିତ ହୋଇଥାଏ । ମସ୍ତିଷ୍କ Hallucination ଵା ମତିଭ୍ରମର ଶିକାର ହୁଏ | ମସ୍ତିଷ୍କର ଭାରସାମ୍ୟ ଦୋହଲିଯାଏ | ଏ କୋଠରୀରେ ଅଧିକ ସମୟ କାଟିଥିଵା ଲୋକଙ୍କ ମଧ୍ୟରେ ଶାରୀରିକ ଅସ୍ଥିରତା ଦୃଶ୍ୟ ହୋଇଥାଏ ଏଵଂ ଚାଲିଵା ତ ଦୂରର କଥା ସେମାନେ ଠିକ୍‌ରେ ଠିଆ ମଧ୍ୟ ହୋଇପାରନ୍ତି ନାହିଁ ।‌ ଏହି କୋଠରୀରେ ୪୫ ମିନିଟରୁ ଅଧିକ ସମୟ ବିତାଇଵା ମନୁଷ୍ୟାଦି ଜୀଵଙ୍କ ପାଇଁ ସାଂଘାତିକ ହୋଇପାରେ ତେବେ ଏହି କୋଠରୀରେ ସର୍ଵାଧିକ ସମୟ ବିତାଇଵାର ରେକର୍ଡ ମାତ୍ର ୪ ଘଣ୍ଟା, ଯାହା ରେକର୍ଡଧାରୀଙ୍କ ଅନୁଯାୟୀ, ଏକ ଭୟଙ୍କର ଦୁଃସ୍ୱପ୍ନ ପରି ଥିଲା । 

ମାଇକ୍ରୋସଫ୍ଟର ଏହି Building 87(Washington, US) ସାଧାରଣ ଜନତାଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ, କିନ୍ତୁ ଏହି ସାଉଣ୍ଡପ୍ରୁଫିଂ ଟେକ୍ନୋଲୋଜି ଉପରେ ନିର୍ମିତ ଅନ୍ୟ ଏକ କୋଠରୀ ବି ଯୁକ୍ତରାଷ୍ଟ୍ର ଆମେରିକାର ମିନେସୋଟା ନଗରସ୍ଥ Orfield Laboratoriesରେ ଅଛି
, ଯାହା ସାଧାରଣ ଜନତାଙ୍କ ପାଇଁ ଖୋଲା ରହିଛି । ଅଵଶ୍ୟ ପୃଥିଵୀରେ Tak Be Ha Cenote(ମେକ୍ସିକୋ),ଆଣ୍ଟାର୍କଟିକା,Makgadikgadi Pans(ବୋତ୍ସୱାନା),Landmannalaugar(ଆଇସଲ୍ୟାଣ୍ଡ) ଓ Kelso Dunes( Mojave Desert /ଯୁ.ଆ) ଆଦି କେତେକ ଶାନ୍ତ ସ୍ଥାନ ରହିଛି ଯେଉଁଠାରେ କୌଣସି ଵିଶେଷ ଶବ୍ଦ ଶୁଣାଯାଏ ନାହିଁ କିନ୍ତୁ ଏସବୁ ଅଞ୍ଚଳରେ ତଥାପି ଜୀଵ,ଜଳଵାୟୁ ସମ୍ବନ୍ଧୀୟ ପ୍ରାକୃତିକ ଶବ୍ଦ ବେଳେ ବେଳେ ଶୁଣିଵାକୁ ମିଳିଥାଏ । ପୃଥିଵୀରେ ଅଵସ୍ଥିତ ପ୍ରୋକ୍ତ "ମନୁଷ୍ୟକୃତ ନିଃଶବ୍ଦ ସ୍ଥାନ"ଦ୍ଵୟ କିନ୍ତୁ ପ୍ରାୟତଃ ଶବ୍ଦହୀନ ସ୍ଥାନ ।‌

ଏହା ଭାବିଵା ଟିକିଏ ଅଦ୍ଭୁତ ଯେ ଆମେ କେଵଳ ଯେତେବେଳେ ଜଗତର କୋଳାହଳଠାରୁ ଦୂରରେ ଥାଉ ସେତେବେଳେ ଆମ ଭିତରେ ଚାଲିଥିଵା ଵିଶୃଙ୍ଖଳାକୁ ଅନୁଭଵ କରୁ, କିନ୍ତୁ କିଏ ଜାଣିଥିଲା ଯେ ଆମ ଭିତରେ ସୃଷ୍ଟି ହେଉଥିଵା ଶବ୍ଦ ଜଗତର ଶବ୍ଦ ଅପେକ୍ଷା ମଧ୍ୟ ଅଧିକ ଭୟଙ୍କର ହୋଇପାରେ ।

ଚୋର ପୋଲିସ


ଜଣେ ବାବୁଙ୍କ ଘରକୁ ରାତି ତିନିଟାରେ ଚୋରୀ କରିଵାକୁ ଦଳେ ଚୋର ଆସିଲେ । 

ବାବୁଜଣକ ସେତେବେଳକୁ ପାଣି ପିଇଵାକୁ ଉଠିଛନ୍ତି ଏତିକିବେଳେ ଚୋରଙ୍କୁ ଦେଖି ତାଙ୍କର ପିଳେହିପାଣି !!! ଭୟରେ କ'ଣ କରିବେ କିଛି ବୁଝିନପାରି ପାଖରେ ଥିଵା ବନ୍ଧୁକକୁ ହାତରେ ଧରି ପକେଇଲେ

ଚୋରମାନେ ଘରେ ପଶିଲା ବେଳକୁ ବାବୁଙ୍କ ହାତରେ ବନ୍ଧୁକ ଦେଖି ଯିଏ ଯୁଆଡ଼େ ପାଇଲେ ଭୟରେ ପଳାଇଗଲେ । 

କିଛି ସମୟ ପରେ ସେହି ବାବୁଙ୍କ ଘରକୁ ଫୋନ୍ ଆସିଲା । ବାବୁ ଫୋନ୍ ଉଠାଇଵାରୁ ସେପଟରୁ ପୋଲିସ ଜଣେ କହିଲେ ତୁମ ନାଆଁରେ ଫେରାଦ ମିଳିଛି ଯେ ତୁମେ କୁଆଡେ଼ ନିଜ ଘରେ ଗୋଟିଏ ବନ୍ଧୁକ ରଖିଛ ! ସେ ବନ୍ଧୁକ ପଞ୍ଜିକୃତ ତ ? 

ବାବୁ ଜଣକ ଏପଟରୁ କହିଲେ ନାଇଁ ଆଜ୍ଞା ତାହା ତ ଖେଳଣା ବନ୍ଧୁକଟାଏ ! ଚୋର ଆସିଵାରୁ ଆଉ କିଛି ଉପାୟ ନପାଇ ତାକୁ ଧରି ପକାଇଥିଲି !!!

ଏହା ପରେ ସେପଟରୁ ଫୋନ କଟିଗଲା ଏଵଂ କିଛି ସମୟ ପରେ ବାବୁଙ୍କ ଘରକୁ ପୁଣି ଚୋର ଆସିଗଲେ 😀

Sunday, January 15, 2023

ହଁ ଏଵଂ ଓଡ଼ିଆ ଭାଷା

ପୃଥିଵୀରେ ଅନେକ ଭାଷାରେ ହଁ/Yes ପାଇଁ ପ୍ରଚଳିତ ଶବ୍ଦଗୁଡି଼କ ସାଧାରଣତଃ 
ଅ,ଇ,ଉ,ଏ,ଓ,ୟ,ହ ଆଦି ଵର୍ଣ୍ଣରୁ ଆରମ୍ଭ ହୋଇଥାଏ । ପୁନଶ୍ଚ କେତେକ ଭାଷାରେ ସ,ଜ,ଚ,ବ,ତ,ଡ ,ପ ,କ ଆଦି ଵର୍ଣ୍ଣରୁ ଆରମ୍ଭ ହେଉଥିଵା 'ହ/yes' ଅର୍ଥଜ ଶବ୍ଦ ପ୍ରଚଳିତ । ପୃଥିଵୀରେ ବହୁତ ଅଳ୍ପ ଭାଷାରେ ମ ଵର୍ଣ୍ଣରୁ ଵା 'M' alphabetରୁ ଆରମ୍ଭ ହେଉଥିଵା ଏହିପରି ଶବ୍ଦ ପ୍ରଚଳିତ ଉଦାହରଣ ସ୍ୱରୂପ ତାଈ-କଦାଇ ଭାଷାପରିଵାରର ଏକ ଜଣାଶୁଣା ଭାଷା Lao ଭାଷାରେ ແມ່ນ (mǣn), ແມ່ນແລ້ວ (mǣn lǣu), ໂດຍ (dōi) ଇତ୍ୟାଦି ଶବ୍ଦ ହଁ/Yes ଅର୍ଥରେ ପ୍ରୟୋଗ କରାଯାଏ । 

ତେବେ ଭିନ୍ନ ଭିନ୍ନ ଭାଷାପରିଵାରର ଭାଷା ହୋଇଥିଲେ ମଧ୍ୟ କେତେକ ଅଗୋତ୍ରୀୟ ଭାଷାରେ Yes/ହଁ ଅର୍ଥଜ ଶବ୍ଦ ମଧ୍ୟରେ ସମାନତା ଥିଵା ଦୃଶ୍ୟ ହୋଇଥାଏ । 

ଉଦାହରଣ ସ୍ୱରୂପ —
ଭାରୋପୀୟ ଭାଷା ସଂସ୍କୃତ ଭାଷାରେ
ହଂ,ଆମ୍,ଆମାମ୍ ଆଦି ଶବ୍ଦ ହଁ ଅର୍ଥରେ ପ୍ରୟୋଗ କରାଯାଏ ସେହିପରି ଦ୍ରାଵିଡ଼ ଭାଷାପରିଵାରର ତାମିଳ ଭାଷାରେ ஆம் (ām) ଓ ஆமாம் (āmām) ଭଳି ଶବ୍ଦ ପ୍ରଚଳିତ । 

ତେବେ ଓଡ଼ିଆ ଭାଷାରେ 'ହଁ' ଛଡ଼ା 'Yes' ଅର୍ଥଜ ଅନ୍ୟ କୌଣସି ଶବ୍ଦ ଅଛି କି ? 

ପ୍ରାଚୀନ ଓଡ଼ିଆ ସାହିତ୍ୟରେ 'ଅସ୍ତି' ଶବ୍ଦକୁ ହଁ ଅର୍ଥରେ ପ୍ରୟୋଗ କରାଯାଇଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ । 

“ନାସ୍ତି ନୋହିଵଟି ଅସ୍ତି ସଦା କୃପା ପଣ।” (ଶିଵସ୍ୱରୋଦୟ।)

ଅସ୍ତି ଶବ୍ଦ ସଂସ୍କୃତ କ୍ରିୟା ଅସ୍ ଧାତୁ ୧ମ ପୁରୁଷ ଏକବଚନ ରୂପ ଏଵଂ ଏହାର ଅର୍ଥ ‘(ସେ) ଅଛି’ ଅଟେ । ଅସ୍ତି ଶବ୍ଦ ଵିଶେଷତଃ 'ହିଁ' ଅର୍ଥରେ ନାସ୍ତି ଶବ୍ଦ ପୂର୍ଵେ ସହଚରରୂପେ ଵ୍ୟଵହୃତ ହୁଏ। ଯଥା—

“ମୁଁ ତାଙ୍କୁ ଵିଵାହ ପ୍ରସଙ୍ଗ ପଚାରିଲି, ସେ ମତେ ଅସ୍ତି କି ନାସ୍ତି କିଛି କହିଲେ ନାହିଁ”

 କିନ୍ତୁ ଅସ୍ତି ଶବ୍ଦ ଏକାକୀ ହଁ ଅର୍ଥରେ ଵ୍ୟଵହାର ଵିରଳ ବୋଲି ଭାଷାକୋଷରେ ଉଲ୍ଲେଖ ଅଛି । 

ଏହିପରି ଆଉ କିଛି ଓଡ଼ିଆ ଶବ୍ଦ ଵିଷୟରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଲେଖାଅଛି ଯେଉଁଗୁଡି଼କ ହଁ ଅର୍ଥରେ ଓଡ଼ିଆ ତଥା ସଂସ୍କୃତ ଭାଷାରେ ପ୍ରୟୋଗ କରାଯାଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ Yes/ହଁ ଅର୍ଥରେ ପ୍ରୟୋଗ କରାଯାଉଥିଵା ଓଡ଼ିଆ ଶବ୍ଦ ସଂଗ୍ରହକରିଵାରୁ ନିମ୍ନୋକ୍ତ ଶବ୍ଦଗୁଡ଼ିକ ପ୍ରାପ୍ତ ହେଲା । 

ମୂଳତଃ ଓଡ଼ିଆ ଶବ୍ଦ— 
•ଅଁ,ଆ,ଆଁ,ଏଁ,ଖୋ,ଛାମୁ,ହ,ହଁ,ହଅ,ହଇ,ହଉ,ହଏ,ହାଁ,ହୁଏ,ହୁଁ,ହେଁ,ହୈ,ହୈଟି,ହୋଇ,ହୋଏ,ହୋୟ

'ହଁ' ଅର୍ଥରେ ଵିଶେଷ ପ୍ରୟୋଗ ହେଉଥିଵା ସଂସ୍କୃତ ମୂଳର ଓଡ଼ିଆ ଶବ୍ଦ—

•ଅସ୍ତୁ,ଅସ୍ତି,ଆସ୍ତି,ଆଜ୍ଞା,ଅବଧାନ,ଚିତ୍ତ,ଇଷ୍ଟ,ଓମ୍,ଚ ଓ ଖଳୁ

ଵୈଦେଶିକ ମୂଳର ଶବ୍ଦ —
ଜୀ,ହଜୁର୍



ଆମ ଭାଷାରେ ଆଜ୍ଞା ଶବ୍ଦଟି ହଁ ଅର୍ଥରେ ସମ୍ମତି ସୂଚକ ଶବ୍ଦ ଭାବରେ ପ୍ରୟୋଗ କରାଯାଏ ଯେମିତି ହିନ୍ଦୀରେ ଜୀ ଶବ୍ଦ ଵ୍ୟଵହୃତ ହୋଇଥାଏ । 

କିନ୍ତୁ ଓଡ଼ିଆ ଭାଷାରେ ଵିଶେଷ କରି ଗଞ୍ଜାମୀ ଶୈଳୀରେ ଇଷ୍ଟ ଓ ଚିତ୍ତ ଶବ୍ଦଦ୍ଵୟ ମଧ୍ୟ ଆଜ୍ଞା ଶବ୍ଦ ଭଳି ହଁ ଅର୍ଥରେ ପ୍ରୟୋଗ କରାଯାଉଥିଲା ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କୁହାଯାଇଛି । ଭାଷାକୋଷ ଅନୁଯାୟୀ ଅଵିଭକ୍ତ ଗଞ୍ଜାମ ଜିଲ୍ଲାରେ ଆଗେ ଅଧୀନସ୍ଥ ଵ୍ୟକ୍ତିମାନଙ୍କର ଉପରିସ୍ଥ ଵ୍ୟକ୍ତିଙ୍କ କଥାରେ ସମ୍ମତି ଜଣାଇଵା ବେଳେ ଇଷ୍ଟ ଶବ୍ଦଟି “Yes; as you wish” ପରି ପ୍ରୟୋଗ କରାଯାଉଥିଲା ।‌ (ଯଥା — ଆପଣଙ୍କ ଇଷ୍ଟ; ଯାହା ଆପଣଙ୍କ ଆଜ୍ଞା; ଯେ ଆଜ୍ଞା) ।‌ ଇଷ୍ଟ ଶବ୍ଦର ଅର୍ଥ ଅଭିଳଷିତ ଓ ଅଭିଳାଷ । “ହଁ ! ଯାହା ତୁମର ଇଚ୍ଛା” ଏତକ ନକହି ଗଞ୍ଜାମଵାସୀ କେଵଳ ଇଷ୍ଟ କରିଦେଉଥିଲେ । 

ପୁଣି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଚିତ ଶବ୍ଦ ତଳେ ଲିଖିତ ଅଛି ଯେ ଯେମିତି “ଗୁରୁଜନ ଵା ହାକିମ କୌଣସି ଆଦେଶ ଦେଲେ ଓଡ଼ିଶାରେ ଯେପରି ''ଅବଧାନ୍, ହଉ, ଆଜ୍ଞା'' ଇତ୍ୟାଦି ସମ୍ମତି ସୂଚକ ଵାକ୍ୟ କୁହାଯାଏ ଠିକ୍ ସେହିପରି ଗଞ୍ଜାମୀ ଓଡ଼ିଆମାନେ ''ଚିତ, ଚିତ୍ତ'' କହନ୍ତି।” ଚିତ୍ତ ଶବ୍ଦର ଆକ୍ଷରିକ ଅର୍ଥ ମନ ତେବେ ଗଞ୍ଜାମଵାସୀ ଆଗେ ଏହି ଶବ୍ଦକୁ “ହେଉ; ଆପଣଙ୍କ ଇଚ୍ଛା; ଆପଣଙ୍କ ମରଜି” ଆଦି ଅର୍ଥରେ ପ୍ରୟୋଗ କରୁଥିଲେ । 

ପୂର୍ବାଞ୍ଚଳରେ ଵିଶେଷତଃ କଟକ, ଖୋର୍ଦ୍ଧା,ପୁରୀ ଆଦି ଅଞ୍ଚଳରେ ଲୋକେ ଏତଦ୍ ପରିଵର୍ତ୍ତେ ହଁ/ଆଜ୍ଞା ଅର୍ଥରେ ଛାମୁ ତଥା ଓମ୍ ଶବ୍ଦ ଵ୍ୟଵହାର କରୁଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ । 

ଶିଷ୍ୟ ଗୁରୁଙ୍କୁ କିମ୍ବା ପ୍ରଜା ରାଜାଙ୍କୁ ଉତ୍ତର କରିଵାରେ 'ଛାମୁ' ଅଵ୍ୟୟଟି ଆଜ୍ଞା; ଅଵଧାନ; ହଁ ପରି ପ୍ରୟୋଗ କରାଯାଉଥିଲା । ସେହିପରି ସାଧୁ ସନ୍ୟାସୀମାନେ ପରସ୍ପରକୁ ସ୍ୱୀକାର,ଅନୁମତି,ଆରମ୍ଭ, ପ୍ରଶ୍ନ, ରୋଷ, ଅପାକରଣ,ଅଵଧାରଣ ଓ ମଙ୍ଗଳ ଅର୍ଥରେ ଓମ୍ ଶବ୍ଦକୁ ‘ହଁ’ , ଆଜ୍ଞା ଶବ୍ଦ ଭଳି ପ୍ରୟୋଗ କରୁଥିଲେ । ପଶ୍ଚିମ ଓଡ଼ିଶାର ସମ୍ବଲପୁରୀ ଓଡ଼ିଆରେ 'ଖୋ' ଶବ୍ଦକୁ ହଁ ଅର୍ଥରେ ଵ୍ୟଵହାର କରାଯାଉଛି ।‌

ତେବେ ହଁ,ଆଜ୍ଞା ଇତ୍ୟାଦି କୌଣସି ଶବ୍ଦ ନକହି କେଵଳ ମୁଣ୍ଡ ହଲେଇଵା ଦ୍ଵାରା ମଧ୍ୟ ସମ୍ମତି ପ୍ରଦାନ କରାଯାଏ ଵା ସାଙ୍କେତିକ ଭାଷାରେ ହଁ କୁହାଯାଏ ।‌ ଏଥିପାଇଁ ମୁଣ୍ଡକୁ ଥରେ ମାତ୍ର ଗୋଟିଏ ପାଖକୁ ଅଥଵା ଉପରୁ ତଳକୁ ଚାଳିତ କଲେ ତହିଁରୁ ସମ୍ମତି ଜଣାପଡ଼େ । ଏହି ସାଂକେତିକ ଭାଷାଟି ହେଉଛି ପୃଥିଵୀର ସର୍ଵପୁରାତନ ଭାଷା ଏଵଂ ତଳ ଉପର ଵା ଏଖପାଖକୁ ମୁଣ୍ଡ ହଲେଇଵା ହେଉଛି ହଁ,ଆଜ୍ଞା,yes ଅର୍ଥଜ ଵିଶ୍ଵର ସର୍ଵପୁରାତନ ପ୍ରତିଶବ୍ଦ ।

Thursday, January 12, 2023

ଆତଗଛକୁ ରାମଫଳ ଓ ବଢ଼ିଆଳ ଗଛକୁ ସିତାଫଳ କାହିଁକି କୁହାଯାଏ ?

ପୃଥିଵୀରେ ବହୁତ କମ୍ ଲୋକ ଥିବେ ଯୋଉମାନେ ନିଜ ଜୀଵନରେ ଆତ ଜାତୀୟ କୌଣସି ଫଳ ଖାଇନଥିବେ । ଆତ ଜାତୀୟ ପାଦପ ପୃଥିଵୀର ନୀରକ୍ଷୀୟ ଓ ନାତିଶୀତୋଷ୍ଣ ଅଞ୍ଚଳରେ ଵିଶେଷ ବଢି଼ପାରନ୍ତି କିନ୍ତୁ ଶୀତପ୍ରଧାନ ଅଞ୍ଚଳରେ ଏ ଜାତୀୟ ଗଛ ଭଲ ଉଧେଇପାରେ ନାହିଁ ‌। ଆତ ଓ ବଢି଼ଆଳ ଅତ୍ୟନ୍ତ ସ୍ଵାଦିଷ୍ଟ ହୋଇଥିଵାରୁ ଭାରତରେ ଏହି ଜାତୀୟ ଫଳଗୁଡ଼ିକର ବହୁତ ଆଦର ରହିଛି । ଏମନ୍ତକି ଵୈଦେଶିକ ଫଳ ହୋଇ ବି ସନାତନୀମାନେ ପୂଜା ପାର୍ଵଣରେ ଏ ଜାତୀୟ ଫଳର ଉପଯୋଗ କରିଥାନ୍ତି । 

ଓଡ଼ିଶାର କେତେକ ଅଞ୍ଚଳରେ ଆତ ଵା Annona reticulataକୁ ସିତାଫଳ କୁହାଯାଉଥିଲେ ବି ମାନକ ଓଡ଼ିଆ ଭାଷା ଶୈଳୀରେ Annona squamosaକୁ ବଢି଼ଆଳ ତଥା Annona reticulataକୁ ଆତ କୁହାଯାଏ । ତେବେ ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ଏହି ଉଭୟ ଫଳର ଭିନ୍ନ ଭିନ୍ନ ନାମ ପ୍ରଚଳିତ । 
କୋରାପୁଟ,ଗଞ୍ଜାମ ଓ ଫୁଲବାଣୀରେ ବଢି଼ଆଳକୁ ସୀତାଫଳ ତଥା ଆତକୁ ରାମଫଳ କୁହାଯାଏ । ଢେଙ୍କାନାଳରେ Annona reticulataକୁ ଆତ ତଥା Annona squamosaକୁ ବଢି଼ଆଳ କୁହାଯାଇଥାଏ । ଷଡ଼ୈକଳା ଓ ସିଂହଭୂମି ଵିଚ୍ଛିନ୍ନାଞ୍ଚଳରେ ବଢି଼ଆଳକୁ ମନ୍ଦାର ଓ ଆତକୁ ସୀତାଫଳ କୁହାଯାଏ । ଦେଓଗଡ଼ ଓ କେନ୍ଦୁଝରର କେତେକ ଅଞ୍ଚଳରେ ବଢି଼ଆଳକୁ ବଇଢ଼ାଳ ଓ ଆତକୁ ସୀତାବଇଢ଼ାଳ କହିଥାନ୍ତି ।‌ ବୌଦ୍ଧ ତଥା ବଲାଙ୍ଗୀରରେ ବଢି଼ଆଳକୁ ବଢ଼େଲ ଓ ଆତକୁ 
ସୀତାବଢ଼େଲ୍ କୁହାଯାଏ । ସୁନ୍ଦରଗଡ଼ରେ ବଢି଼ଆଳ ଓ ଆତକୁ ଯଥାକ୍ରମେ ବଢ଼େଲ ଓ ସାତବଢ଼େଲ୍ କୁହାଯାଇଥାଏ । ନୟାଗଡ଼ରେ Annona squamosa ଵା ସୀତାଫଳକୁ ବଢି଼ଆଳ ତଥା ଆତକୁ ଲଙ୍କାବଢ଼ିଆଳ କୁହାଯାଏ । କେନ୍ଦୁଝର ଜିଲ୍ଲାର କେତେକ ଅଞ୍ଚଳରେ ବଢି଼ଆଳକୁ ଲୋକେ ବଟକର ଓ ଆତକୁ ଭରଡ
 କହିଥାନ୍ତି । ବାଲେଶ୍ଵର ଜିଲ୍ଲାର କେତେକ ଅଞ୍ଚଳରେ ବଢି଼ଆଳକୁ ଅତା ଏଵଂ Annona reticulata ଵା ରାମଫଳକୁ ଆତ କୁହାଯାଏ।
କଟକର ଆଠଗଡ଼ ଅଞ୍ଚଳରେ ସୀତାଫଳକୁ ବଢ଼ିଆଳ ଓ ରାମଫଳକୁ ସୀତାବଢି଼ଆଳ କୁହାଯାଏ। ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାର କେତେକ ଅଞ୍ଚଳରେ ବଢ଼ିଆଳକୁ ଆତ ତଥା ରାମଫଳକୁ ସୀତାଫଳ ଓ ନେଉଆ କୁହାଯାଏ। ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାର କେତେକ ଅଞ୍ଚଳରେ ପିଜୁଳିକୁ ମଧ୍ୟ ନେୱା କୁହାଯାଏ । 
କେନ୍ଦ୍ରାପଡ଼ା ଓ ଯାଜପୁର ଅଞ୍ଚଳର ଲୋକେ ବଢି଼ଆଳକୁ ନେଉଆ ଏଵଂ ଆତକୁ ଅତୁଆ କହିଵାର ଶୁଣାଯାଏ । ଜଗତସିଂହପୁର, ଯାଜପୁର ଓ କଟକର ଟାଙ୍ଗୀ ଅଞ୍ଚଳରେ ସେହିପରି ବଢି଼ଆଳକୁ ନେଉଆ ତଥା ଆତକୁ ଆଆତ କୁହାଯାଏ। ଓଡ଼ିଆ ଭାଷାରେ ବଢି଼ଆଳ ବୋଲି ଏକ ଶବ୍ଦର ପ୍ରଚଳନ ବର୍ଦ୍ଧନଶୀଳ,ବର୍ଦ୍ଧିଷ୍ଣୁ ଵା ପୃଷ୍ଟକାୟ ଅର୍ଥରେ ଥିଵା ଭାଷାକୋଷରୁ ଜଣାଯାଏ । ମୋଟ ୧୬୯ଟି Anonna ପ୍ରଜାତି ମଧ୍ୟରେ Annona squamosa ପ୍ରଜାତିର ଗଛଟି ଅପେକ୍ଷାକୃତ ଅତି ଶିଘ୍ର ବଢି଼ଥାଏ ଓ ହୃଷ୍ଟପୃଷ୍ଟ ହୁଏ ବୋଲି ସମ୍ଭଵତଃ ଏହି ଗଛକୁ ଆମ ଭାଷାରେ ବଢି଼ଆଳ କୁହାଯାଏ । ଯେମିତି ଆମ ଭାଷାରେ ଯେ କାଟେ ସେ କଟୁଆଳ ,
ଯେ ଜଗେ ସେ ଜଗୁଆଳ,ଯେ ଖେଳେ ସେ ଖେଳୁଆଳ / ଖେଳୁଆଡ଼,ଯେ ଚେତାଏ ସେ ଚେତୁଆଳ,ଯେ ଭାଗ ନିଏ ସେ ଭାଗୁଆଳ ଠିକ୍ ସେହିପରି ଯେଉଁ ଗଛ ଏହି ଜାତୀୟ ଅନ୍ୟ ଆତ ପାଦପ ଅପେକ୍ଷା ଦୃତଗତିରେ ବଢ଼େ ସେ ଗଛକୁ ଆମ ଭାଷାରେ 'ବଢିଆଳ' କୁହାଗଲା । 

ସଂସ୍କୃତରେ ଆତ କୁ ଆତୃପ୍ୟ କୁହାଯାଏ । ଆ+ତୃପ୍ ଧାତୁ(ତୃପ୍ତ ହେବା)+କରଣ. ଯ=ଯାହା ଖାଇଲେ ତୃପ୍ତି ହୁଏ । କେହି କେହି ପାରମ୍ପରିକ ଭାଷାଵିଦ କୁହନ୍ତି ଯେ ଏହା ଆତୃପ୍ୟ ଶବ୍ଦର ଦେଶଜ ରୂପ ଆତ ଅଟଇ । ଲେଖକ ଗିରିଜା ଶଙ୍କର ରାୟ ତାଙ୍କର ସରଳ ଭାଷାତତ୍ତ୍ବ ପୁସ୍ତକରେ ଲେଖିଛନ୍ତି ଯେ ଆତ ଶବ୍ଦଟି ପର୍ତ୍ତୁଗୀଜମାନଙ୍କ ପର୍ତ୍ତୁଗାଲୀ ଭାଷାରୁ ଓଡ଼ିଆ ଭାଷାକୁ ଆସିଛି । ପର୍ତ୍ତୁଗାଲୀ ଭାଷାରେ ଆତକୁ ata, condessa, jacama, fruta-do-conde, miloló, pinha, araticum, araticum-de-cheiro ଓ fruta-da-condessa ଆଦି କୁହାଯାଏ । ସମ୍ଭଵତଃ ଭାରତରେ ଏ ଶବ୍ଦ ବହୁ ପ୍ରଚଳିତ ହେଵାରୁ ସଂସ୍କୃତ ଭାଷାରେ ଧାତୁ ପ୍ରତ୍ୟୟାଦି ଦ୍ଵାରା ନିଷ୍ପନ୍ନ କରାଯାଇଛି ଏଵଂ ଆତୃପ୍ୟ ରୂପେ ଗୃହୀତ ହୋଇଛି ।

ଓଡ଼ିଶାରେ ଆତ ଓ ବଢି଼ଆଳଗଛର ଭିନ୍ନ ଭିନ୍ନ ଅଞ୍ଚଳରେ ଵିଭିନ୍ନ ନାମ ପ୍ରଚଳିତ । କଳିଙ୍ଗଦେଶର ଵିଚ୍ଛିନ୍ନାଞ୍ଚଳ ଧଳଭୁମ କ୍ଷେତ୍ରର ବହଡ଼ାଗୁଡ଼ା ଅଞ୍ଚଳରେ ଓ ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଜିଲ୍ଲାର ଗୋପୀବଲ୍ଲଭପୁର ଅଞ୍ଚଳରେ ଆତକୁ “ମେହା” କୁହାଯାଏ। ପୂର୍ଵତନ ହାଇଦ୍ରାବାଦ ରାଜ୍ୟ ଅର୍ଥାତ୍ ତେଲଙ୍ଗାଣା ଅଞ୍ଚଳରେ ଏହା “ସିତାଫଳ” ନାମରେ ପରିଚିତ। ଏପରିକି ହାଇଦ୍ରାବାଦ ଶହରରେ “ସିତାଫଲ୍‌ମଣ୍ଡି” ନାମକ ଏକ ମୌଜା ଅଛି ଯାହାର ଆକ୍ଷରିକ ଅର୍ଥ ହେଲା “ଆତ ବଜାର”। ଏହାର ଵିପରୀତ; ଦିଲ୍ଲୀ ସହ ଦେଶର ହିନ୍ଦୀଭାଷୀ ଉତ୍ତରାଞ୍ଚଳରେ ବଢି଼ଆଳକୁ “ସିତାଫଳ” କୁହାଯାଏ ଓ ଆତକୁ “ଶରୀଫା” କୁହାଯାଇଥାଏ ।

ଭାରତରେ ପ୍ରଚଳିତ ଏକ ଜଣାଶୁଣା ଲୋକମତ ଅନୁସାରେ ଶ୍ରୀରାମଚନ୍ଦ୍ର ଵନଵାସ ସମୟରେ ଏହି #ଆତଫଳ ଖାଇଥିଵାରୁ ଏହାକୁ କାଳକ୍ରମେ ରାମଫଳ କୁହାଗଲା । ସେହିପରି ସୀତାମାତା #ବଢି଼ଆଳ ଖାଇଵାରୁ ତାକୁ #ସିତାଫଳ ଵା #ସୀତାଫଳ ଏଵଂ ଲକ୍ଷ୍ମଣ ଲମ୍ବ ଆକାରର ଅନ୍ୟ ଏକ ଜାତୀୟ ଆତ ଫଳ ଖାଇଵାରୁ ତହିଁର ନାମକରଣ #ଲକ୍ଷ୍ମଣଫଳ ହୋଇଥିଲା । 

କିନ୍ତୁ ମୂଳ ରାମାୟଣରେ ଏଭଳି କୌଣସି କାହାଣୀ ଥିଵା ଜଣାଯାଏ ନାହିଁ । ସମ୍ଭଵତଃ ଭାରତକୁ ଆତଫଳ,ବଢ଼ିଆଳ ଫଳ ଓ ଲକ୍ଷ୍ମଣ ଫଳ ଆଦି Anonna ଜାତୀୟ ପାଦପ ଅଣାଯାଇ ଲଗାଯିଵା ପରେ ଏଭଳି ଜନସୃତି ସୃଷ୍ଟି ହୋଇଛି । ଶ୍ରୀରାମଚନ୍ଦ୍ର ପ୍ରାଚୀନ କାଳର ମହାମାନଵ ଏଵଂ ତାଙ୍କର ସମୟକାଳକୁ ନେଇ ନାନା ମତ ପ୍ରଚଳିତ । କିଛି ଗଵେଷକ କୁହନ୍ତି ଶ୍ରୀରାମଚନ୍ଦ୍ର ୫୧୧୪ ଖ୍ରୀଷ୍ଟପୂର୍ଵ ଜାନୁଆରୀ ୧୦ ଦିନାଙ୍କ ଘ.୧୨.୦୫ ମି. ରେ ଅଯୋଧ୍ୟାରେ ଜନ୍ମଲାଭ କରିଥିଲେ ।

 ତେବେ ସନାତନ ଧର୍ମରେ ଆସ୍ଥା ରଖୁଥିଵା ଭକ୍ତମାନେ ଏହି ମତକୁ ଖଣ୍ଡନ କରନ୍ତି ଏଵଂ କୁହନ୍ତି ଯେ ରାମଚନ୍ଦ୍ରଙ୍କର ଜନ୍ମ ଲକ୍ଷାଧିକ ଵର୍ଷ ତଳେ ପୃଥିଵୀ ପୃଷ୍ଠାରେ ହୋଇଥିଲା । ରାମଭକ୍ତ ପ୍ରଶ୍ନ କରନ୍ତି ଯେଉଁ ଗଵେଷକମାନେ କହୁଛନ୍ତି ଶ୍ରୀରାମଙ୍କ ଜନ୍ମ ୫୧୧୪ ଖ୍ରୀଷ୍ଟପୂର୍ଵରେ ଜାନୁଆରୀ ଦଶ ଦିନାଙ୍କରେ ହୋଇଥିଲା ସେମାନେ କହିପାରିବେ କି ଆଜି ତାହେଲେ କାହିଁକି ପ୍ରାୟତଃ ମାର୍ଚ୍ଚ ଓ ଏପ୍ରିଲ ମାସରେ ପଡ଼ୁଥିଵା ରାମନଵମୀ(ଚୈତ୍ର ଶୁକ୍ଳ ନଵମୀ) ତିଥିରେ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମଦିଵସ ପାଳିତ ହୋଇଥାଏ ?

ତେବେ ସେ ଯାହା ବି ହେଉ ମହାପୁରୁଷ ଶ୍ରୀରାମଚନ୍ଦ୍ର ପ୍ରାଚୀନ କାଳର ମହାମାନଵ ଏଵଂ ତାଙ୍କ ସମୟରେ Anonna ଜାତୀୟ Annona squamosa ଵା ବଢି଼ଆଳ(sugar apple),Annona reticulata ଵା ଆତ(custard apple),Annona muricata ଵା ଲକ୍ଷ୍ମଣଫଳ(Soursop)ଓ Annona glabra ଵା ହନୁମତ ଫଳ(monkey apple) ଆଦି ପାଦପ ଭାରତୀୟ ଉପମହାଦେଶକୁ ଅଣାଯାଇନଥିଲା । ଆତ ତଥା ବଢି଼ଆଳ ଜାତୀୟ Annona ଗଛଗୁଡ଼ିକ ମୂଳତଃ ଆମେରିକା ମହାଦେଶଦ୍ଵୟର ପାଦପ ଏଵଂ ଭାରତକୁ ୟୁରୋପୀୟମାନଙ୍କ ଦ୍ଵାରା ପନ୍ଦରଶହ ଶତାବ୍ଦୀ ପରେ ଏସବୁ ପାଦପ ଆସିଥିଲା । ୟୁରୋପୀୟମାନେ ଉତ୍ତର ଆମେରିକା ତଥା ଦକ୍ଷିଣ ଆମେରିକାରେ ଉପନିଵେଶ ସ୍ଥାପନ କରିଵା ପରେ କେଵଳ ଆତ ହିଁ ନୁହେଁ ଆଫ୍ରିକା,ଏସିଆ,ୟୁରୋପ ତଥା ଅଷ୍ଟ୍ରେଲିଆ ମହାଦେଶକୁ ପିଜୁଳି,ସାପେଟା,ବିଲାତି ଆଳୁ , ଲଙ୍କାମରିଚ ଓ ପାତଲଘଣ୍ଟା ଆଦି ଅନେକ ଗଛ ଆଣିଥିଵାର ପ୍ରମାଣ ମିଳେ । ପୃଥିଵୀରେ ମୋଟ ୧୬୯ଟି ଆତ/Anonna ପ୍ରଜାତି (species) ଥିଵା ଜଣାଯାଏ ଏଵଂ ସେସବୁ ପ୍ରଜାତି ମୂଳତଃ ଆମେରିକା ମହାଦେଶଦ୍ଵୟର ମୂଳ ନିଵାସୀ । କିନ୍ତୁ ଭାରତରେ ପନ୍ଦରଶହ ଶତାବ୍ଦୀ ପୂର୍ଵରୁ Anonna ଵା ଆତ ଜାତୀୟ ପାଦପ ଥିଵାର କୌଣସି ପ୍ରକାରର ଐତିହାସିକ ଓ ଜୀଵାଶ୍ମ ସମ୍ବନ୍ଧୀୟ ପ୍ରମାଣ ମିଳେ ନାହିଁ । ଆତ Genusର ଵୈଜ୍ଞାନିକ ନାମ Annonaକୁ ଏକ ମୂଳ ଆମେରିକୀୟ ଭାଷା Taíno ଭାଷାରୁ ନିଆଯାଇଛି । Taínoଭାଷାରେ ଏହାର ମୂଳ ଶବ୍ଦରୂପ ଥିଲା annon । ଵର୍ତ୍ତମାନ ପୃଥିଵୀରେ ଥିଵା ୧୬୯ଗୋଟି ଆତ ଜାତୀୟ ଗଛ ମଧ୍ୟରୁ ଵ
 ସାତୋଟି ଆତ ପାଦପ ଜାତି ତଥା ଗୋଟିଏ ସଙ୍କର ଜାତି ଖାଦ୍ୟ ହେତୁକ ଚାଷ କରାଯାଏ ।

କିନ୍ତୁ ଆତଗଛ ଵିଶେଷତଃ Annona reticulataକୁ ରାମଫଳ କାହିଁକି କୁହାଗଲା ? କ'ଣ ଶ୍ରୀରାମଚନ୍ଦ୍ରଙ୍କ ଯେପରି ଜଣେ ସତ୍ ପୁରୁଷ ଓ ମଧୁରଭାଷୀ ଥିଲେ ଠିକ୍ ସେହିପରି ଆତଫଳର ଅତ୍ୟନ୍ତ ମନମୋହକ ମଧୁର ସ୍ୱାଦ ଯୋଗୁଁ ଏ ଫଳକୁ ଖାଇ ଭାରତୀୟମାନେ ଏହି ଫଳର ନାମକରଣ ଆଦର ସହକାରେ ରାମଫଳ କରିଦେଇଥିଲେ ? କ'ଣ ରମୟତି ଇତି ରାମ ନ୍ୟାୟରେ ରାମଫଳ ଅତି ସ୍ଵାଦିଷ୍ଟ ହୋଇଥିଵାରୁ ଏଵଂ ଏହା ରମଣୀୟ ଵିଚାର କରି ଏହାକୁ ଭାରତୀୟମାନେ ରାମଫଳ ନାମ ଦେଇଥିଲେ ? 

ରାମ ସ୍ଵୟଂ ଈଶ୍ଵର ଏଵଂ ରାମଫଳ(ଆତ) ତଥା ସୀତାଫଳ(ବଢି଼ଆଳ)ର ସ୍ଵାଦ ଏତେ ମନୋମୁଗ୍ଧକର ଯେ ଏହା ସ୍ଵୟଂ ଈଶ୍ଵରଙ୍କ ଫଳ ବୋଲି ଵିଚାର କରି ଭାରତୀୟମାନେ ରାମାୟଣ କଥାଵସ୍ତୁ ଆଧାରରେ ଆତଜାତୀୟ ଫଳର ନାମକରଣ ହୁଏତ ରାମଫଳ,ସୀତାଫଳ,ଲକ୍ଷ୍ମଣଫଳ ଓ ହନୁମତ ଫଳ କରିଥାଇପାରନ୍ତି । 

ରାମ ଶବ୍ଦର ଆଉ ଏକ ଅର୍ଥ ଵରୁଣ ଵା ସମୁଦ୍ର । ସମ୍ଭଵତଃ ତିନି ମହାସାଗର(ଭାରତ ମହାସାଗର, ଦକ୍ଷିଣ ମହାସାଗର ଓ ଆଟଲାଣ୍ଟିକ ମହାସାଗର) ପାର ହୋଇ ଵିଦେଶୀଙ୍କ ଦ୍ଵାରା ଆତଫଳ ଭାରତକୁ ଅଣାଯାଇଥିଲା ବୋଲି ଭାରତୀୟ ବୁଦ୍ଧିଜୀଵୀମାନେ ପ୍ରଥମେ ଏହି Annona reticulata ଵା ଆତଫଳର ନାମକରଣ ରାମଫଳ କରିଥିବେ ଏଵଂ ପରେ ଭାରତକୁ Annona squamosa ,Annona muricata ଓ Annona glabra ଜାତୀୟ ଆତଗଛ ଆସିଥିଲା ଏଵଂ ସେମାନଙ୍କୁ ରାମାୟଣ କଥାଵସ୍ତୁ ଆଧାରରେ ସୀତାଫଳ,ଲକ୍ଷ୍ମଣଫଳ ଓ ହନୁମତ ଫଳ ନାମକରଣ କରାଯାଇଛି । 



ସେହିପରି ବଥୁଆ ଶାଗ,ଅଶୋକଗଛ ଓ ତେଜପତ୍ର ଗଛକୁ ଆଗେ ଭାରତରେ ରାମ କୁହାଯାଉଥିଲା । ସମ୍ଭଵତଃ ତେଜପତ୍ର ସଦୃଶ ଵା ଆକାରର ଲମ୍ବା ପତ୍ର ହେଉଥିଵାରୁ କେତେକ ଅଞ୍ଚଳରେ ବଢି଼ଆଳକୁ ଏଵଂ ଆଉ କେତେକ ଅଞ୍ଚଳରେ ଆତକୁ ରାମଫଳ କୁହାଯାଉଥିଲା । ମତାନ୍ତରରେ ଆଶୋକ ଵୃକ୍ଷର ଏକ ନାମ ରାମ ଅଟେ । ଅଶୋକ ଗଛର ପତ୍ର ଦେଖିଵାକୁ ଆତ ଗଛର ପତ୍ର ଭଳି ଲମ୍ବାଳିଆ ଏଵଂ ଦେଖିଵାକୁ ପ୍ରାୟତଃ ସମାନ ତେଣୁ ହୁଏତ ଭାରତର ପ୍ରାଚୀନ ଵୈଦ୍ୟ ତଥା ବୁଦ୍ଧିଜୀଵିମାନେ ଏହି ଆଧାରରେ ଆତ ଜାତୀୟ ପାଦପ Annona reticulataକୁ ରାମଫଳ ଆଖ୍ୟା ଦେଇଥିବେ ଏଵଂ ପରେ ଲୋକେ ସୀତା,ଲକ୍ଷ୍ମଣ ଓ ହନୁମାନଙ୍କ ନାମାନୁସାରେ ଅନ୍ୟାନ୍ୟ ଆତ ଜାତୀୟ ଗଛର ନାମକରଣ କରିଛନ୍ତି । 

ହେଲେ ଆମେରିକାରୁ ଭାରତକୁ ପ୍ରଥମେ କେଉଁ ଜାତୀୟ ଆତଗଛ ଵା Anonna ପ୍ରଜାତିଟି ଆସିଥିଲା ସେ ଵିଷୟରେ କୌଣସି ପ୍ରମାଣ ମିଳେନାହିଁ ।‌ ହୁଏତ ପ୍ରଥମେ ଭାରତର କେତେକ ଅଞ୍ଚଳରେ ପ୍ରଥମେ Annona reticulata ଲଗାଯାଇଥିଵ ଏଵଂ ଆଉ କେତେକ ଅଞ୍ଚଳରେ Annona squamosa ଲଗାଯାଇଥିଵ । ସମ୍ଭଵତଃ ସେଥିପାଇଁ ଆଜି କେତେକ ଅଞ୍ଚଳରେ Annona reticulata ଵା ଆତକୁ ଲୋକେ ସିତାଫଳ କହୁଥିଵାର ଦେଖିଵାକୁ ମିଳେ ।‌

ବଢି଼ଆଳ ଓ ଆତକୁ ସ୍ଥଳଵିଶେଷରେ ଲୋକେ ସିତାଫଳ କହୁଥିଵାର ଦୃଶ୍ୟ ହୋଇଥାଏ । ଏହି ସିତାଫଳ ନାମକରଣ ପଛରେ ଏକ ଵୈଜ୍ଞାନିକ କାରଣ ଅଛି । ଆମେ ସମସ୍ତେ ଜାଣନ୍ତି ଯେ ଆତ ଵା Anonna ଜାତୀୟ ଫଳଗୁଡ଼ିକର ସ୍ଵାଦ ଅତ୍ୟନ୍ତ ମିଠା ଏଵଂ ଏହାର ଭିତର ପାଖ ଦେଖିଵାକୁ ଧଳା । ଭାରତରେ ସିତା ଶବ୍ଦଟି
ଶ୍ୱେତା; ଶୁକ୍ଳା ଓ ଶ୍ୱେତ ଶର୍କରା; ଖଣ୍ଡ; କନ୍ଦ; ନବାତ; ଚିନି ଆଦି ଅର୍ଥରେ ପ୍ରୟୋଗ କରାଯାଏ । ପ୍ରାଚୀନ କାଳରୁ ଭାରତରେ ଶର୍କରା ପ୍ରସ୍ତୁତ କରାଯାଉଥିଲା ସେଥିପାଇଁ ତ ଶର୍କରା ଶବ୍ଦଟି ଆରବୀରେ ଯାଇ ଶକ୍କର ଓ ଇଂରାଜୀ ଭାଷାରେ Sugar ହୋଇଛି । ବଢ଼ିଆଳ ଵା ସିତାଫଳ ଓ ଆତ ଵା ରାମଫଳର ଆଭ୍ୟନ୍ତରୀଣ ଭାଗ ଦେଖିଵାକୁ ଧଳା ଏଵଂ ଶର୍କରା ପରି ମିଠା ହୋଇଥିଵାରୁ କେତେକ ଅଞ୍ଚଳରେ Annona squamosaକୁ ତ ଆଉ କେତେକ ଅଞ୍ଚଳରେ Annona reticulataକୁ ଲୋକେ ସିତାଫଳ କହୁଛନ୍ତି । ସମ୍ଭଵତଃ ଲୋକେ ପ୍ରଥମେ ସିତାଫଳ ନାମ ଦେଇଥିବେ ଏଵଂ ପରେ ଶର୍କରା ଅର୍ଥଜ 'ସିତା' ଶବ୍ଦର ସାମ୍ୟ 'ସୀତା' ଶବ୍ଦ ସହିତ ଥିଵାରୁ ଅନ୍ୟ ଏକ ଜାତୀୟ ଆତଗଛ Annona reticulataକୁ ରାମଫଳ ନାମକରଣ କରିଥିବେ । ତେବେ ଯାହା ବି ହେଉ ମହାପୁରୁଷ ଶ୍ରୀରାମଚନ୍ଦ୍ର କି ସୀତାମାତାଙ୍କ ସହିତ ସିତାଫଳ ଓ ରାମଫଳର କୌଣସି ସମ୍ପର୍କ ଥାଉ କି ନଥାଉ ଵିଭିନ୍ନ ଦିଗରୁ ଵିଚାର କଲେ ହୃଦବୋଧ ହୋଇଥାଏ ଯେ Annona squamosa ଓ Annona reticulataର ଭାରତୀୟ ନାମଗୁଡ଼ିକ ଵିଶେଷତଃ ବଢି଼ଆଳ,ରାମଫଳ ଓ ସିତାଫଳ ଆଦି ନାମକରଣ ଵୈଜ୍ଞାନିକ ଅଟଇ । 

••••••••••••••••••••••••••••••••
ତଥ୍ୟ ଉତ୍ସ— 
•ଡାକ୍ତର ଦେଵାଶିଷ ଜ୍ୟେଷ୍ଠୀ (ବଢ଼ିଆଳ ଶବ୍ଦ ନିରୁକ୍ତି ଓ ଶବ୍ଦ ସଂଗ୍ରହ)
•ଗଣେଶ ଚନ୍ଦ୍ର ସିଂହ (ଶବ୍ଦ ସଂଗ୍ରହ)
•ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
•ସଂସ୍କୃତ କଳ୍ପଦ୍ରୁମ
•ଅନ୍ତର୍ଜାଲ
•••••••••••••••••••••••••••••••••

Tuesday, January 10, 2023

ରାୟଗଡ଼ାର ପାତାଳେଶ୍ଵର କ୍ଷେତ୍ର : ପାଇକପଡ଼ା

ଓଡ଼ିଶାରେ ପାଇକପଡ଼ା ନାମରେ ଅନେକ ସ୍ଥାନ ରହିଛି କିନ୍ତୁ ରାୟଗଡ଼ା ଜିଲ୍ଲାର ପାଇକପଡ଼ା ଅଞ୍ଚଳ ନାଗାବଳୀ ନଦୀକୂଳରେ ଅଵସ୍ଥିତ ଏକ ଐତିହାସିକ ସ୍ଥାନ । ରାୟଗଡ଼ା ଜିଲ୍ଲାର ଥେରୁବାଲି ନିକଟରେ ଏହି ପାଇକପଡ଼ା ଅଞ୍ଚଳ ଅଵସ୍ଥିତ । 
ଏହି ଅଞ୍ଚଳ ରାଜାଙ୍କର ପାଇକ ଵା ସୈନ୍ୟମାନଙ୍କ ଦ୍ବାରା ସ୍ଥାପିତ ହୋଇଥିଲା ବୋଲି ଏହାର ନାମ ପାଇକପଡ଼ା ହୋଇଥିଵା ଦେଶିଆ ଜ୍ଞାନକୋଷରୁ ଜଣାଯାଏ । ରାୟଗଡ଼ା ଜିଲ୍ଲାର ପାଇକପଡ଼ା ଅଞ୍ଚଳ
ପାତାଳେଶ୍ଵର କ୍ଷେତ୍ରଭାବରେ ପରିଚିତ । 



ଅତୀତରେ ଏଠାରେ ପାତାଳରୁ ଫୁଟି
ବାହାରିଥିଵା ସ୍ଵୟଂ ଲିଙ୍ଗ ପାତାଳେଶ୍ବର ମହାଦେଵଙ୍କୁ କନ୍ଧମାନେ ପୂଜା
କରୁଥିଲେ ବୋଲି ପ୍ରଵାଦ ପ୍ରଚଳିତ । କଥିତ ଅଛି ଦ୍ଵାପର ଯୁଗରେ ଭଗଵାନ ଶେଷଦେଵ ଵା ବଳରାମ ଏହି
ଅଞ୍ଚଳ ଦେଇ ଯାତ୍ରା କରୁଥିଵା ସମୟରେ ପାଞ୍ଚଟି କ୍ଷେତ୍ରରେ ପାଞ୍ଚଟି ଶିଵଲିଙ୍ଗ ସ୍ଥାପନ
କରିଥିଲେ । ସେଗୁଡ଼ିକ ମଧ୍ୟରୁ ପାଇକପଡ଼ାସ୍ଥ ଗୁମ୍ଫାରେ ଥିଵା ପାତାଳେଶ୍ୱର ମହାଦେଵ
ଅନ୍ୟତମ ।

ଏଠାକାର ଶିଵ ମନ୍ଦିରଟି ନଵମ ଶତାବ୍ଦୀର ବୋଲି ଜଣାଯାଏ । ମନ୍ଦିରରେ ୯୯,୯୯୯ଟି ଶିଵ ଲିଙ୍ଗ (ଏକ ଲକ୍ଷରୁ ଗୋଟିଏ ଊଣା) ରହିଥିଵାର ଵିଶ୍ୱାସ ଅଛି ।

ପାଇକପଡ଼ାର ପାତାଳେଶ୍ଵର ଶୈବ ପୀଠରେ ମହାଶିଵରାତ୍ରି ପର୍ଵ ମହାଡ଼ମ୍ବରରେ ପାଳିତ ହୁଏ । ଅନ୍ୟାନ୍ୟ ପର୍ଵ ମଧ୍ୟ ଏଠାରେ ପାଳିତ ହୁଏ । କାର୍ତ୍ତିକ ମାସରେ ଵିଶେଷ କରି ସୋମଵାର ଗୁଡି଼କରେ ଏଠାରେ ପ୍ରଵଳ ଭିଡ଼ ପରିଲକ୍ଷିତ ହୁଏ । ଏଠାରେ ଶିଵଙ୍କ ଵ୍ୟତୀତ ଶ୍ରୀଜଗନ୍ନାଥ, ମା ଦକ୍ଷିଣେଶ୍ୱରୀ କାଳିକା ଓ ଚାମୁଣ୍ଡାଙ୍କର ମଧ୍ୟ ପୂଜା ହୁଏ । ରାୟଗଡ଼ା ଜିଲ୍ଲାର ପାଇକପଡ଼ା ଓଡ଼ିଶା 
ସରକାରଙ୍କ ଦ୍ଵାରା ଚିହ୍ନିତ ଏକ ପର୍ଯ୍ୟଟନସ୍ଥଳୀ ହୋଇଥିଲେ ବି ଓଡିଶାର ଅନେକେ ଏ ଅଞ୍ଚଳ ସହିତ ସେତେଟା ପରିଚିତ ହୋଇନଥିଵା ଅନୁଭୂତ ହୁଏ । 

ସହସ୍ରାଧିକ ପର୍ଯ୍ୟଟନସ୍ଥଳୀର ଦେଶ କଳିଙ୍ଗ ଦେଶରେ ଏହିପରି ଶତାଧିକ ପର୍ଯ୍ୟଟନସ୍ଥଳ ଲୋକଲୋଚନକୁ ଆସିପାରିନାହିଁ କି ସମଗ୍ର ଓଡ଼ିଶା ତଥା ଭାରତର ଲୋକେ ସେସବୁ ଅଞ୍ଚଳର ଐତିହ୍ୟ ଵିଷୟରେ ସେତେଟା ଜାଣିପାରିନାହାନ୍ତି । 

•••••••••••••••••••••••••••••••
•ଶିଶିର ସାହୁ ମନୋଜ•
•ପାରିମାଳ,ଢେଙ୍କାନାଳ•
•••••••••••••••••••••••••••••••

Friday, January 6, 2023

ଓଡ଼ିଶା ଓ ପୌଷ ପୂର୍ଣ୍ଣିମା

ପୌଷ ପୂର୍ଣ୍ଣିମା କଳିଙ୍ଗ ଦେଶର ଏକ ମହତ୍ତ୍ୱପୂର୍ଣ୍ଣ ପର୍ଵ । ପୂର୍ଵକାଳରେ କଳିଙ୍ଗ ଦେଶରେ ଏହିଦିନ ରାଜାମାନଙ୍କର ବନ୍ଦାପନା ହେଉଥିଲା । ରାଜା ଓ ପ୍ରଜା ସମସ୍ତେ ଉପଵୀତ ଧାରଣ କରୁଥିଲେ । ଆଜି ବି ଓଡ଼ିଶାର ଗାଁମାନଙ୍କରେ ପୌଷ ପୂର୍ଣ୍ଣିମା ଦିନ ନୂତନ ପଇତା ଗ୍ରହଣ କରିଵା ଵିଧି ପ୍ରଚଳନ ଅଛି । ପୌଷ ପୂର୍ଣ୍ଣିମାରେ ଅନେକ ସ୍ଥାନରେ ଦେଵତାମାନଙ୍କୁ ମଧ୍ୟ ସ୍ୱର୍ଣ୍ଣ ଉପଵୀତରେ ଭୂଷିତ କରାଯାଏ । ସନାତନୀ ସଂସ୍କୃତିକୁ ଏକତା ସୂତ୍ରରେ ବାନ୍ଧି ରଖିଵା ହିଁ ହେଉଛି ସାମଗ୍ରିକ ଭାବେ ଉପଵୀତ ଗ୍ରହଣ କରିଵାର ମୂଳ ଉଦ୍ଦେଶ୍ୟ । 


ଓଡ଼ିଶାରେ ଏହିଦିନ ନାନା ସୁଖାଦ୍ୟ ଯଥା ମଣ୍ଡା, କାକରା, ଲଡୁ,ବରା,ଚକୁଳି ଓ ମୁଆଁ ଆଦି ଗୃହମାନଙ୍କରେ କରାଯାଏ ଏଵଂ ଦେଵତାଙ୍କୁ ପିଠା ଭୋଗ କରାଯାଏ ତଥା ଉକ୍ତ ସମର୍ପିତ ଭୋଗକୁ ସମସ୍ତଙ୍କୁ ବଣ୍ଟନ କରାଯାଏ । ପୌଷ ପୂର୍ଣ୍ଣିମା ଅଵସରରେ ଉତ୍କଳର ଜାତୀୟଵାଦ୍ୟ ତେଲଙ୍ଗା ଵାଦ୍ୟକୁ ମଧ୍ୟ ଅନୁକୂଳ କରାଯାଏ । ବାଜାବାଲାମାନେ ଦ୍ୱାରଦ୍ୱାର ବୁଲି ମଧୁରଧ୍ୱନିରେ ଜନସମୁଦ୍ରକୁ ମୁଗ୍ଧକରିଥାଆନ୍ତି । ଗୃହିଣୀମାନେ ସେମାନଙ୍କ ବାଜାଶୁଣି ଏମାନଙ୍କୁ ଉଣାଅଧିକେ ଶସ୍ୟଦାନ କରିଥାଆନ୍ତି । 

ପୌଷ ପୂର୍ଣ୍ଣିମାରେ ଶ୍ରୀ ଜୀଉମାନଙ୍କର ପୁଷ୍ୟାଭିଷେକ ହୁଏ । ଶାସ୍ତ୍ରରେ ଏଥି ସମ୍ପର୍କରେ ନିମ୍ନ ଶ୍ଳୋକ ରହିଛି :

 "ପୌଷ ମାସି ସିତେ ପକ୍ଷେ ପୌଣ୍ଣମ୍ୟାଂ ରୁକ୍ମିଣୀ ପତେଃ ।
  ପୁଷ୍ୟାଭିଷେକଂ କୁର୍ଵାତ୍ ସର୍ଵକାମାର୍ଥ ସିଦ୍ଧୟେ ॥”

ପୌଷ ପୂର୍ଣ୍ଣିମା ଦିନ ରାମଚନ୍ଦ୍ର ଚଉଦଵର୍ଷ ଵନଵାସ ପରେ ଅଯୋଧ୍ୟା ପ୍ରତ୍ୟାଵର୍ତ୍ତନ କରି ରାଜ୍ୟଭାର ଗ୍ରହଣ କରିଵା ପୂର୍ଵରୁ ତାଙ୍କର ରାଜାଭିଷେକ ଉତ୍ସଵ ଅନୁଷ୍ଠିତ ହୋଇଥିଲା । ଏହାକୁ ଏକ ସ୍ମୃତି ରୂପେ ଗ୍ରହଣକରି ପ୍ରତିଵର୍ଷ ଏହିଦିନ ଶ୍ରୀମନ୍ଦିରରେ ଶ୍ରୀଠାକୁରମାନଙ୍କର ପୁଷ୍ୟାଭିଷେକ ହେଉଅଛି ।

ପୌଷ ପୂର୍ଣ୍ଣମୀ ଦିନ ଶ୍ରୀ ଜଗନ୍ନାଥଙ୍କ ନିତ୍ୟ ପୂଜାପରେ ନୂତନଵସ୍ତ୍ର, ଭୂଷଣ ଓ ଗନ୍ଧ ପୁଷ୍ପାଦିଦ୍ୱାରା ଠାକୁରଙ୍କୁ ବେଶ କରାଇ ଯାତ୍ରା ମଣ୍ଡପକୁ ନିଆଯାଏ । ସେଠାରେ ବରୁଣ ପୂଜା, ସ୍ୱସ୍ତିଵାଚନ, ମଙ୍ଗଳାରୋପଣ, ଯଜ୍ଞୋପଵୀତ-ସମର୍ପଣ, ହୋମ, ଆରତି ଇତ୍ୟାଦି ଵିଧିରେ ବିଜେ -ପ୍ରତିମା ଓ ଖଡ଼ଗପୂଜା ପରେ ଉକ୍ତ ଯଜ୍ଞୋପଵୀତ ପ୍ରଥମେ ଶ୍ରୀ ଜଗନ୍ନାଥଙ୍କୁ ଓ ପରେ ଯାତ୍ରା ମଣ୍ଡପରେ ଯଥାଵିଧି ଉପଚାର ସହିତ ରାଜାଙ୍କୁ ଅର୍ପଣ କରାଯାଏ । ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ଅଭିଷେକୋତ୍ସବ ରାଜାଙ୍କ ଅଭିଷେକ ରୂପେ ପାଳିତ ହୁଏ । ଏହି ଅଭିଷେକୋତ୍ସଵ ଦର୍ଶନରେ ଦର୍ଶନାର୍ଥୀ ପାପମୁକ୍ତ ହୋଇ ଵୈକୁଣ୍ଠପୁରୀ ପ୍ରାପ୍ତହୁଏ ବୋଲି ଵିଶ୍ୱାସ କରାଯାଏ । ଶ୍ରୀମନ୍ଦିରରେ ଶ୍ରୀଜିଉମାନେ ପୁଷ୍ୟାଭିଷେକ ସୁନା ବେଶରେ ସଜ୍ଜିତ ହୋଇଥାନ୍ତି । 

ନୀଳାଦ୍ରୀ ମହୋତ୍ସଵରେ ଉଲ୍ଲେଖ ଅଛି :

 “ଏଵଂ ଚ ପରୟା ଭକ୍ତ୍ୟା ତୋଷୟେତ୍ପରମେଶ୍ୱରମ୍ । 
 ଅଭିଷେକୋତ୍ସଙ୍କ ଯେ ଵୈ ପଶ୍ୟନ୍ତି ଭୂଵିମାନଵାଃ ॥ 
 ସର୍ଵପାପର୍ଵିନିର୍ମୁକ୍ତ ଭୂକ୍ତ୍ୱା ଶର୍ମାଖିଳଂ ପରମ୍ । ସର୍ଵାନକାମାନ ପରଂଲବ୍ଧ୍ଵା ଵିଷ୍ଣଲୋକଂ ଵ୍ରଜନ୍ତିତେ ॥”

ଏହିଦିନ ଓଡ଼ିଶାର ଉପକୂଳାଞ୍ଚଳରୁ ପାର୍ଵତ୍ୟାଞ୍ଚଳ ଯାଏଁ ସର୍ଵତ୍ର ଘରେ ଘରେ ପିଠାପଣା ହୋଇଥାଏ ତେବେ ପୌଷ ପୂର୍ଣ୍ଣିମାକୁ ଦକ୍ଷିଣ ଓଡ଼ିଶାର କେତେ ଅଂଶ, ଓଡ଼ିଶାର ଦକ୍ଷିଣ ପଶ୍ଚିମ ଅଞ୍ଚଳ ଓ ଓଡ଼ିଶାରେ ପଶ୍ଚିମାଞ୍ଚଳରେ ଅଧିକ ମହତ୍ତ୍ଵ ଦିଆଯାଏ । ଏହା ପଛରେ ଏକ ସାମାଜିକ କାରଣ ରହିଛି । କଥିତ ହୁଏ ଯେ ପୂର୍ଵେ ଦକ୍ଷିଣ, ଦକ୍ଷିଣ ପଶ୍ଚିମ ତଥା ପଶ୍ଚିମ ଓଡ଼ିଶାରେ ମାସରି ହଳିଆ ଵା ଘରଖିଆ ହଳିଆ ପ୍ରଥା ପ୍ରଚଳିତ ଥିଲା କିନ୍ତୁ ଏବେ ଆଉ ସେ ପ୍ରଥା ପ୍ରଚଳିତ ନାହିଁ । ଏହି ପ୍ରଥାକୁ ପୂର୍ଵ ଉପାନ୍ତ ଅଞ୍ଚଳରେ ଦାଦନୀ ପ୍ରଥା କୁହାଯାଉଥିଲା । ଓଡ଼ିଶାରେ ପୁଷ୍ ପୁନୀ ଥିଲା ଏହି ଶ୍ରମଜୀଵୀ ଜନତାମାନଙ୍କର ମୁକ୍ତିର ଦିନ। ପୂର୍ଵେ ଜମି ମାଳିକ ମାନଙ୍କ ପାଖରେ ହଳିଆଟିଏ ଵାର୍ଷିକ ଚୁକ୍ତି କରି ରହୁଥିଲା। ଜମି ମାଳିକ/ସାହୁକାର (ଵା) ବଡ଼ ଚାଷୀ ତାକୁ ଚୁକ୍ତି ଅନୁସାରେ ସପ୍ତାହକୁ ସପ୍ତାହ କିମ୍ବା ମାସକୁ ମାସ ଧାନ ଦେଉଥିଲେ, ଏହାକୁ ଗଡ଼ଜାତରେ “ମାସ୍’ରି ହଳିଆ” ବୋଲି କୁହାଯାଉଥିଲା । ଆଉ କେତେକ ହଳିଆ ସାହୁକାର ଘରେ ଦୁଇ ଓଳି ଖାଇ କାମ କରୁଥିଲେ, ଏମାନଙ୍କୁ “ଘରଖିଆ ହଳିଆ” ବୋଲି କୁହାଯାଉଥିଲା । ଏମାନେ ଧାନ ଅମଳ ପରେ ଚୁକ୍ତି ଅନୁସାରେ ପାଉଣା ପାଉଥିଲେ। ପ୍ରତି ଵର୍ଷ ପୈାଷ ପୂର୍ଣ୍ଣିମା ଦିନ ଏମାନଙ୍କ ଚୁକ୍ତି ଶେଷ ହେଉଥିଲା। ଫଳତଃ ସାଧାରଣ ଜନତାଙ୍କ ପାଇଁ ପୌଷ ପୂର୍ଣ୍ଣିମା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ପରିଗଣିତ ହେଲା । କ୍ରମେ ପୌଷ ପୂର୍ଣ୍ଣିମା କ୍ରମେ ଓଡ଼ିଶାର ଦକ୍ଷିଣ, ଦକ୍ଷିଣ ପଶ୍ଚିମ ତଥା ପଶ୍ଚିମ ଭାଗରେ ଲୋକପ୍ରିୟ ହୋଇଅଛି । 


ପୌଷ ପୂର୍ଣ୍ଣିମା ଅଵସରରେ ଓଡ଼ିଶାର ପଶ୍ଚିମ, ଦକ୍ଷିଣ ପଶ୍ଚିମ ତଥା ଦକ୍ଷିଣ ଓଡି଼ଶାରେ ପିଲାଏ ଘର ଘର କିନ୍ଦରି ବୁଲୁଥିଲେ ଆଉ ଛେର୍ ଛେରା ଗୀତ ବୋଲି ଚାଉଳ ପଉସା ଆଦି ମାଗୁଥିଲେ । ଏବେ ଏ ପରମ୍ପରା ଅଳ୍ପ କେତେକ ଅଞ୍ଚଳରେ ହିଁ ବଞ୍ଚିରହିଛି । ପୂର୍ଵେ ଆବାଳବୃଦ୍ଧଵନିତା ଏହି ଛେରଛେରା ଗୀତ ବୋଲି ଧାନ ଚାଉଳ ଆଦି ସଂଗ୍ରହ କରୁଥିଲେ କିନ୍ତୁ ପରେ କେଵଳ ପିଲାମାନେ ହିଁ ଛେର୍ ଛେରା ଚାନ୍ଦା କେତେକ ଅଞ୍ଚଳରେ ମାଗୁଅଛନ୍ତି । ପିଲାମାନେ କେନ୍ଦୁ ବାଡ଼ି ଖଣ୍ଡିଏ ଧରି ପ୍ରତି ଘର ସମ୍ମୁଖରେ ମାଟିରେ ବାଡ଼ି ପିଟି ପିଟି ଛେର୍ ଛେରା ଗୀତ ଗାୟନ କରୁଥିଲେ । 

କଵି ଗଙ୍ଗାଧର ମେହେର ତାଙ୍କର ଏକ କଵିତାରେ ଏହା ଵିଷୟରେ ଏମନ୍ତ ଭାବେ ଲେଖିଯାଇଛନ୍ତି ...

ଦିନା କେତେ ଗଲେ ପୁଷ୍‌ପୁନି ହେଵ ସେଦିନ ଦେଖିବୁ ପ୍ରାତେ,
ଛେର୍ ଛେରା କୁଟି ବୁଲିବେ ପିଲାଏ
ଥରି ଥରି ଶୀତ ବାତେ । 
ଥିଵ ତା ଡେବରୀ ହାତେ ଟୁପ୍‌ଲି ଭୁଜନୀ ହାତରେ ବାଡି଼,
କେ ଥିଵ ଉଲଗ୍ନ ଉଡ଼ିଥିଵ କେହି ମାଆର ପୁରୁଣା ଶାଢ଼ୀ । 
(ଗଙ୍ଗାଧର ଗ୍ରନ୍ଥାଵଳୀ— ପୃଷ୍ଠା ୭୪୯)


ଓଡ଼ିଶାର ପଶ୍ଚିମାଞ୍ଚଳରେ ପୁଷ୍ ପୁନି ଦିନ ପିଲାଏ ଘର ଘର ବୁଲି ଭୋଜିଭାତ ସକାଶେ ଚାଉଳ ଡାଲି ପରିବା ଓ ଟଙ୍କା ପଇସା ଆଦି ଯୋଗାଡ଼ କରିଥାନ୍ତି ତାହାକୁ “ଛେର୍‌ଛେରା ମଗା” କୁହନ୍ତି ଏଵଂ ଛେର୍‌ଛେରା ମାଗୁଥିଵା ପିଲାଙ୍କୁ “ଦଣ୍ଡା ହୁଲିଆ ଦଳ” କୁହାଯାଏ । 

ପୈାଷ ପୂର୍ଣ୍ଣିମା ଵା ପୁଷ୍ ପୁନୀ ଦିନ ‘ଗବଡା’ ଦେଵତାଙ୍କୁ ପୂଜା କରାଯାଏ ଏଵଂ ଲୋକଵିଶ୍ଵାସ ଅନୁସାରେ ଖତଗଦା ଦେଉଛି ଏହି ଦେଵତାଙ୍କ ନିଵାସ ସ୍ଥାନ । ପଵିତ୍ର ଗୋମୟ ଭିତରେ ଦେଵତାଙ୍କ ପରିକଳ୍ପନା କରାଯାଇଛି ଏଵଂ ଏହି ଦେଵତା ନିରାକାର ଶୂନ୍ୟ ସ୍ବରୂପ ବୋଲି ଅନେକେ କହୁଥିଲେ ବି ଖଦଗଦା ମଧ୍ୟରେ ଈଶ୍ଵରଙ୍କ କଳ୍ପନା ପଛରେ କୌଣସି ନା କୌଣସି ଵୈଜ୍ଞାନିକ କାରଣ ନିଶ୍ଚୟ ରହିଛି । ବେଳେ ବେଳେ ଖଦଗଦାରେ ଖରାଦିନିଆ ହଠାତ୍ ଆପଣାଛାଏଁ ଧପ୍ କରି ଆଲୁଅ ଜଳିଵାର ଦେଖାଯାଏ । ଖତ ମଧ୍ୟରେ ଥିଵା ଇନ୍ଧନ ଗ୍ୟାସର ଅମ୍ଳଜାନ ସହିତ ପ୍ରତିକ୍ରିୟା ଯୋଗୁଁ ଏହା ସୃଷ୍ଟି ହୋଇଥାଏ । ଆଦିମ କୃଷିଜୀଵୀ ସମାଜ ଆଦିମ କାଳରୁ ଏହାକୁ ଦେଵତାଙ୍କ କାର୍ଯ୍ୟ ମନେ କରି ନେଇଛି ଏଵଂ ପ୍ରକୃତି ପୂଜାକୁ ମହତ୍ତ୍ଵ ଦେଇଛି । ପୁଣି ଗୋଵର କୃଷକର ଅତ୍ୟନ୍ତ ଉପଯୋଗୀ ଦରଵ ଭାବେ ସହସ୍ର ସହସ୍ର ଵର୍ଷ ଧରି ଏ ଦେଶରେ ଵିଚାର୍ଯ୍ୟ ହୋଇଆସିଛି । ତେଣୁ ଗୋଵର ମଧ୍ୟରେ କୃଷିସମାଜ ଈଶ୍ଵରଙ୍କର କଳ୍ପନା କରିଛି ‌। 

ପୁଷ୍ ପୁନୀ ଦିନ ସକାଳୁ ନୂତନ କେନ୍ଦୁବାଡି ଧରି ଗାଁର ନିର୍ଦ୍ଧିଷ୍ଟ ଖତଗଦାକୁ ପିଲାମାନେ ଯାଇଥାନ୍ତି । ସେଠାରେ ଗବଡା ଦେଵତାଙ୍କୁ ସ୍ମରଣ କରି ନମସ୍କାରାଦି କର୍ମ କରିଵା ପରେ କେନ୍ଦୁବାଡି଼ରେ ଖତଗଦାକୁ ପିଟି ‘ଛେର୍ ଛେରା’ ଗୀତ ଗାନ କରାଯାଏ। ଏହାପରେ ଘର ଘର ଯାଇ ପିଲାଏ ଗୀତ ଗାଇ ଗାଇ ଛେର୍ ଛେରା ମାଗିଥାନ୍ତି । ଛେର୍ ଛେରା ମଗାରୁ ମିଳିଥିଵା ସାମଗ୍ରୀକୁ ରନ୍ଧନ କରାଯାଇଥାଏ। ରନ୍ଧା ବଢା଼ ସରିଵାପରେ ଗବଡା ଦେଵତାଙ୍କ ପାଖରେ ପିଟା ଯାଇଥିଵା କେନ୍ଦୁ ବାଡି଼ଗୁଡି଼କୁ ପୂଜା କରାଯାଏ ଏଵଂ ଗବଡା ଦେଵତାଙ୍କ ଉଦ୍ଦେଶ୍ୟରେ ରନ୍ଧନ ସାମଗ୍ରୀକୁ ସମର୍ପଣ କରାଯାଇଥାଏ। ଦେଵତାଙ୍କ ଶାନ୍ତି ଵିଧାନ ପାଇଁ କେନ୍ଦୁ ପତ୍ରରେ ମଦ୍ୟ ଢାଳି ସମର୍ପଣ କରାଯାଏ। ପରେ ଏହାକୁ ପ୍ରସାଦ ଜ୍ଞାନରେ ପାନ କରାଯାଏ। ପରିଶେଷରେ ଗବଡା ଦେଵତାଙ୍କ ପାଖରେ ପାଣି ଛଡେ଼ଇଵାପରେ ସମସ୍ତେ ଆନନ୍ଦ ମନରେ ଭୋଜି ଭାତ ଖାଇଥାନ୍ତି। ତେବେ ଏହି ଛେର୍ ଛେରା ମଗା ପରମ୍ପରା କେବେଠାରୁ ପ୍ରଚଳିତ ତାକୁ ନେଇ ଵିଶେଷ କିଛି ତଥ୍ୟ ମିଳେନାହିଁ । 


ପୌଷ ପୂର୍ଣ୍ଣିମା ଏକ ସମାଜଵାଦୀ ସନାତନୀ ପର୍ଵ । ଉପକୂଳଵର୍ତ୍ତୀ ଓଡ଼ିଶାରେ ଘରେ ଘରେ ପିଠାପଣା ଏଵଂ ତହିଁର ସାହି ପଡି଼ଶାରେ ଆଦାନ ପ୍ରଦାନ ହେଉ ଵା ପଶ୍ଚିମାଞ୍ଚଳରେ ପ୍ରଚଳିତ ଛେର୍‌ଛେରା ମଗା ପରମ୍ପରା ହେଉ ପୌଷ ପୂର୍ଣ୍ଣିମା ମଧ୍ୟରେ ସମାଜଵାଦ ସ୍ପଷ୍ଟ ଭାବେ ଦୃଶ୍ୟ ହୋଇଥାଏ । ପୌଷ ପୂର୍ଣ୍ଣିମାରେ କି ରାଜା କି ପ୍ରଜା ,କି ଈଶ୍ଵର ଆଉ କି ଭକ୍ତ,ହଳିଆ କି ସାହୁକାର,କି ଧନୀ କି ଦରିଦ୍ର ସମସ୍ତେ ଏକାକାର ହୋଇଯାଆନ୍ତି ।  

ଓଡ଼ିଶାର ପଶ୍ଚିମାଞ୍ଚଳ ଓ ଦକ୍ଷିଣ ପଶ୍ଚିମାଞ୍ଚଳରେ ତଥା ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳରେ ପୂର୍ଵେ ପୁଷ୍ ପୁନି ଦିନ ସକାଳୁ ସକାଳୁ ଉଠି ଗରିଵ ଘରର ଛୋଟ ଛୋଟ ପୁଅ, ଝିଅ ଏଵଂ ବୁଢାବୁଢ଼ୀମାନେ ହାତରେ ଥଳି, ଅଖାମୁଣା, ବାଉଁଶ ତିଆରି ଭୁଗା, ଟୋପା, ଚାଙ୍ଗୁଡ଼ି ଧରି ଘର ଘର ବୁଲି ଛେର୍‌ଛେରା ନାଆଁରେ ଚାଉଳ,ଡାଲି,ପରିବା ଓ ଟଙ୍କା ପଇସା ଅଦି ମାଗୁଥିଲେ । ଛେର୍‌ଛେରା ମଗା ଯୋଗୁଁ ସମାଜର ଦରିଦ୍ରଜନଟିଏ ବି ପୌଷ ପୂର୍ଣ୍ଣିମା ପର୍ଵ ପାଳିପାରୁଥିଲା ଫଳତଃ ଏ ପର୍ଵର ମହତ୍ତ୍ଵ ସମାଜରେ ଯଥେଷ୍ଟ ବୃଦ୍ଧିପାଇଅଛି‌ । ଛେର୍‌ଛେରା ମଗା ସମୟରେ ମାଗିଵାକୁ ଯାଇଥିଵା ପିଲାଏ ଓ ବୃଦ୍ଧଵୃଦ୍ଧା ଛେର୍‌‌ଛେରା ଗୀତ ଗାଉଥିଲେ । ନିମ୍ନରେ କେତେକ ଛେର୍ ଛେରା ଗୀତ ଉଦାହରଣ ସ୍ୱରୂପ ପ୍ରଦତ୍ତ ହେଲା । 

“ଛେ ଛେର୍‌ଛେରା.......
 ଏଇ ଘର ବୁଢ଼ୀ କେକେ ଗଲା
   ମଣ୍ଡାପିଠା ଖାଇ ଛେରେଇ ହେଲା 
    ଛେ ଛେର୍‌ଛେରା..... ।”

“ଛେର୍ ଛେରା ଛେର୍ ଛେରା
ଆଜି ପୁନି ପୁନି କାଲି ପୁନି
ଛିଡ଼ା ଫଟା ପଟା ଦୁନା ଦୁନି
ଛେର ଛେରା”

“ଛେର୍ ଛେର୍ ଛେରା…..
ବଡ୍ ମୁଡାର କଲା ଜିଆଁ
ଧାନ୍ ନାଇଁ ଦିଅଁ ଚଉଲ୍ ଦିଅଁ
ଛେର୍ ଛେର୍ ଛେରା….।”

“ଛେର୍ ଛେର୍ ଛେରା…..
ଆମ୍ ପତର୍ ଲମ୍ ଲମ୍
ଘିଚି ଖା ତର୍ ପେଟର୍ ଚମ୍
ଛେର୍ ଛେର୍ ଛେରା…।”

“ଛେର୍ ଛେର୍ ଛେରା….
ଗଉଡ୍ ଘରର୍ ଗାଏ ଗଠ୍
ଦେ ଗହରେନ୍ ଝଟ୍ ଝଟ୍
ଛେର୍ ଛେର୍ ଛେରା…..।”

“ଛେର୍ ଛେର୍ ଛେରା….
ଆଏଲାନେ ଆମ୍ ବଉଲ
ଲୋକ୍ ଜାନିକରି ଦିଅ ଚାଉଲ
ଛେର୍ ଛେର୍ ଛେରା…।”

“ଛେର୍ ଛେର୍ ଛେରା….
ଛେର୍ ଛେରା ବଲି ଗାଇଲି ଗୀତ
ଫଟା ଗଁଥା ନାଇଁ ଶୀତ
ଛେର୍ ଛେର୍ ଛେରା…..।‌।”

ଛେର୍‌ଛେରାରେ ମା, ମାଉସୀ ଯାହା ଦିଅନ୍ତି ପିଲାମାନେ ମନଖୁସିରେ ନେଇଥାନ୍ତି । ଏହି ଦିନ ସମସ୍ତେ ଘର ଘର ବୁଲି ମାଗିଵାର ପରମ୍ପରା ଅଛି ତେଣୁ ଏଥିରେ କୌଣସି ଲାଜ କରିଵାର ସନ୍ଦେହ ରହେ ନାହିଁ । କିଏ କେନ୍ଦରା ବଜାଇ ଗୀତ ଗାଇ ଗାଇ ଘର ଘର ବୁଲିଥାଏ ତ କିଏ ଖଞ୍ଜଣି ବଜାଇଥାଏ ଏଵଂ କିଏ ହରିବଂଶ ଗୀତ ଗାଇଥାଏ ତ କିଏ ଘୁଡ଼ୁକ ଵା ଧୁଡୁକି ବଜାଇ ଥାଏ । ଵିଭିନ୍ନ ସ୍ଥାନରେ ଦଳ ଦଳ ହୋଇ ଭୋଜି ଭାତର ଆୟୋଜନ ହୋଇଥାଏ । ପ୍ରକୃତି କୋଳରେ ଭୋଜିକରି ମାଟିର ମଣିଷମାନେ ନାଚିଗାଇ ଜୀଵନକୁ ଉପଭୋଗ କରିଥାନ୍ତି । ଯିଏ ଯେମିତି ମନଖୁସିରେ ଦିନଟିକୁ ଆନନ୍ଦ ଉଲ୍ଲାସରେ କଟାଇଥାନ୍ତି । 

ଛେର୍‌ଛେରା ନାମର ସୃଷ୍ଟି ଆଜି ବି ଅସ୍ପଷ୍ଟ ।
ଏକ ମତାନୁସାରେ ଛେର୍ ଶବ୍ଦର ଅର୍ଥ ଦାନ କରିଵା ଓ ଛେରା ଶବ୍ଦର ଅର୍ଥ ଅଳ୍ପ ପରିମାଣ ।‌ଛେର୍ ଛେରାର ଅର୍ଥ ଅଳ୍ପ ପରିମାଣରେ ଦାନ କରାଯିଵା ।‌ ପୁଷ୍ ପୁନି ଅଵସରରେ ଘରୁ ଘରୁ ପିଲାଏ ଅଳ୍ପ ଅଳ୍ପ ଦରଵ ହିଁ ଦାନ ସ୍ଵରୂପ ପ୍ରାପ୍ତ କରିଥାନ୍ତି ।‌ କେତେକଙ୍କ ମତରେ ଛେର୍ ଛେରା ଶବ୍ଦଟି ଛେଚଡ଼ା ଶବ୍ଦରୁ ସୃଷ୍ଟି ହୋଇଥାଇପାରେ । 
ବାରମ୍ବାର ଛେଚା ହେଵା ଯୋଗୁଁ ଯେଉଁ ବାଡ଼ି ଵା ଦାନ୍ତକାଠି ଆଦିର ଅଗ୍ରଭାଗ ଛିନ୍ନଭିନ୍ନ ହୋଇ ଯାଇ ଥାଏ ତାକୁ ଛେଚଡ଼ା କୁହାଯାଏ । ମାଡ଼ ଖାଇଖାଇ ଗୟାଁ ; ଛେଚା ଵା କୁଟ୍ଟା ଖାଇଵାରେ ଅଭ୍ୟସ୍ତ ଵସ୍ତୁ ଓ ଵ୍ୟକ୍ତିଙ୍କୁ ଛେଚଡ଼ା କୁହାଯାଏ । ଦୁଷ୍ଟ ଵା ଖଳ ଲୋକଙ୍କୁ ବି ଛେଚଡ଼ା କୁହାଯାଇଥାଏ । ଛେର୍ ଛେରା ଅଵସରରେ କେନ୍ଦୁବାଡି଼ ଦ୍ଵାରା ଖତଗଦାରେ ପିଟାଯାଉଥିଵାରୁ ଏହି ଛେଚଡ଼ା ଶବ୍ଦରୁ ଛେର୍ ଛେରା ଶବ୍ଦ ସୃଷ୍ଟି ହୋଇଥିଵା ସମ୍ଭଵ । ମତାନ୍ତରରେ ଘରମାନଙ୍କରେ ଛେରା ପକେଇଵା ସମୟରେ ଵା ବଡି଼ ଭୋରରୁ ଛେର୍‌ଛେରା ମଗାଯାଇଥିଲା ବୋଲି ଏଭଳି ନାମକରଣ ହୋଇଅଛି । ପୂର୍ଵୋକ୍ତ ଗଙ୍ଗାଧର ମେହେରଙ୍କ କଵିତାଂଶରୁ ଏକଥା ସ୍ପଷ୍ଟ ହୁଏ ଯେ ପିଲାଏ ବଡି଼ ଭୋର୍‌ରୁ ଶୀତରେ ଥରି ଥରି ଛେର୍ ଛେରା ମାଗୁଥିଲେ । 

“ଦିନା କେତେ ଗଲେ ପୁଷ୍‌ପୁନି ହେଵ ସେଦିନ ଦେଖିବୁ ପ୍ରାତେ,
ଛେର୍ ଛେରା କୁଟି ବୁଲିବେ ପିଲାଏ
ଥରି ଥରି ଶୀତ ବାତେ ।”

ଏଥିରୁ ଅନୁମାନ କରାଯାଇପାରେ ଯେ ହୁଏତ ଆଗେ ଗ୍ରାମାଞ୍ଚଳରେ ଛେରା ପକାଇଵା ଵା ଖତପାଣି ପକାଇଵା ସମୟରେ ଛେର୍ ଛେରା ମଗାଯାଉଥିଲା ବୋଲି ଏଭଳି ନାମକରଣ ହୋଇଥିଲା । 

ତେବେ ଓଡ଼ିଶାରେ ଛେର୍‌ଛେରା ଏକମାତ୍ର ପର୍ଵ ନୁହେଁ ଯହିଁରେ ଟଙ୍କା ପଇସା ଖାଦ୍ୟ ଦରଵ ଘରୁ ଘରୁ ସଞ୍ଚୟ କରାଯାଇ ପର୍ଵ ପାଳିତ ହୁଏ । ଓଡ଼ିଶାରେ ତଅପୋଇ ଓଷା,ଭିକ ମଙ୍ଗଳଵାରଠାରୁ ଆରମ୍ଭ କରି ଦଣ୍ଡ ଓ ଅଷ୍ଟ୍ରପ୍ରହରୀ ଯାଏଁ ଅନେକ ଉତ୍ସଵରେ ଅର୍ଥ ଓ ଦରଵ ସଞ୍ଚୟ କରି ଓଡ଼ିଆ ସମାଜରେ ପର୍ଵ ପାଳିତ ହୋଇଥାଏ । ଢେଙ୍କାନାଳ ଆଦି ଅଞ୍ଚଳରେ ଦଣ୍ଡ ନାଚ ପାଇଁ ଟଙ୍କା ମାଗିଵାକୁ ଆସିଥିଵା ଦଣ୍ଡୁଆ ପିଲେ ଗୀତ ବୋଲି ବୋଲି ଘର ଘର ଟଙ୍କା ଓ ପରିଵା ଚାଉଳ ଯୋଗାଡ଼ କରିଥାନ୍ତି । 

କେନ୍ଦ୍ରାପଡାରେ କୁଆଁର ପୁନେଇଁ ପାଇଁ ୩/୪ଦିନ ପୂର୍ଵରୁ ଗୋଟିଏ କାଠପିଢା଼ ଉପରେ ଗୋଵରରେ ଠାକୁର କରି ଫୁଲରେ ସଜାଇ "କୁଆଁର ପୁନେଇଁ ଜହ୍ନ ଗୋ, ପଡ଼ିଥାଏ ଘନଘନ ଗୋ" ଗୀତ ଗାଇ ଛୋଟ ଛୋଟ ଝିଅମାନେ ଦଳ ଦଳ ହୋଇ ଘର ଘର ବୁଲି "କୁଆଁର ପୁନେଇଁ ମାଗୁଣି" ମାଗନ୍ତି । ଏବେ ଏହା ସହିତ ଗ୍ରାମୀଣ ରାସ୍ତାରେ ପୁଅଝିଅ ମିଶି ଦଉଡ଼ି ବାନ୍ଧି ପଥଚାରୀଙ୍କଠାରୁ ପଇସା ଆଦାୟ କରି ଭୋଜିଭାତ କରୁଛନ୍ତି । ଏହାକୁ କୁଆଁର ପୁନେଇଁ ମାଗୁଣି କହନ୍ତି । 

ପୋଲରି ଅମାଵାସ୍ୟା ଵା ମହାଳୟା ଦିନ ଗଞ୍ଜାମ ଗଜପତି କୋରାପୁଟ ଆଦି ଦକ୍ଷିଣ ଅଞ୍ଚଳରେ 

"ହାଣ୍ଡି ତଳେ ନେଉଳ, 
ବେଇଗି ଦିଅ ଚାଉଳ ",
 "ବଇ ତଡ଼େ ତଡ଼େ ଏଣ୍ଡା, 
 ବେଇଗି ଦିଅ ଭଣ୍ଡା " 
 
ଵା

 "ଦାଣ୍ଡ ଆଡ଼େ ବଗ 
 ବାଡ଼ି ଆଡ଼େ ବଗ,
 ଗୁଣ୍ଡୁଚି ମୂଷା କହି ଯାଇଛି 
 ଚାଉଳ ମୁଠେ ଦେଵ”
 
ଆଦି ଗୀତ ଗାଇ ପିଲାମାନେ ଚାଉଳ ପରିବା ଆଦି ସଂଗ୍ରହ କରନ୍ତି । ଏହିପରି ଓଡ଼ିଶାର ଅନେକ ଓଷା ପର୍ଵରେ ଛେର୍ ଛେରା ଭଳି ପିଲାଏ ତଥା କିଶୋର କିଶୋରୀ ଓ ଯୁଵକଯୁଵତୀମାନେ ଅର୍ଥ ,ଚାଉଳ ଓ ପରିଵା ଆଦି ସଂଗ୍ରହ କରିଥାନ୍ତି । 
ସମାଜରେ ସମସ୍ତେ କେମିତି ପର୍ଵ ପାଳିପାରିବେ ସେଥିପାଇଁ ଏଭଳି କରାଯାଇଥାଏ ‌ । ଏହା ଆମ ଓଡ଼ିଆ ସମାଜରେ ସମାଜଵାଦର ଅନ୍ୟତମ ଲକ୍ଷଣ ‌ । 

ଓଡ଼ିଶାରେ ପୌଷ ପୂର୍ଣ୍ଣିମା ଏକତାର ପର୍ଵ ସାମାଜିକ ସୌହାର୍ଦ୍ଦ୍ୟର ପର୍ଵ ପ୍ରାଚୀନ କାଳରୁ ପାଳିତ ହୋଇଆସୁଛି ‌। ସମତଳଵାସୀଙ୍କଠାରୁ ପାର୍ଵତ୍ଯଵାସୀଙ୍କ ଯାଏଁ ,ସାଧାରଣଜନତାଙ୍କଠାରୁ ଜନଜାତୀୟ ଲୋକଙ୍କ ଯାଏଁ ଭିନ୍ନ ଭିନ୍ନ ଭାବରେ ହେଉ ପଛେ ପୌଷ ପୂର୍ଣ୍ଣିମା,ପୁଷ୍ ପୁନୀ ଓ ଛେର୍ ଛେରା ପର୍ଵ ନାମରେ ଏହି ଦିନଟିକୁ ପାଳି ଆସିଛନ୍ତି । 

•••••••••••••••••••••••••••••••

Thursday, January 5, 2023

ଭାରତୀୟ ସଂସ୍କୃତିରେ ଵୃକ୍ଷରୋପଣର ମହତ୍ତ୍ଵ




ଵିଦେଶରେ Christmas ନାମରେ ପ୍ରତିଵର୍ଷ କିଛି ଦିନ ମଧ୍ୟରେ ୧୨ କୋଟିରୁ ଅଧିକ ମୂଲ୍ୟଵାନ ଵୃକ୍ଷ ସାମୁହିକ ଭାବରେ କାଟିଦିଆଯାଏ । ଯେଉଁ ପାଇନ୍ ଓ ଫର୍ ଆଦି ମୂଲ୍ୟଵାନ ଗଛକୁ କ୍ରିସମାସ୍ ନାମରେ କଟାଯାଏ ସେସବୁ ଗଛ ବଡ଼ ହେଵାକୁ ଅନେକ ସମୟ ନେଇଥାନ୍ତି ।‌‌‌‌‌‌ ଭାରତୀୟ ସଂସ୍କୃତିରେ କଦଳୀ ଭଳି କାଷ୍ଠହୀନ ପାଦପକୁ କେତେକ ନିର୍ଦ୍ଦିଷ୍ଟ ଦିନରେ କଟାଯାଏ କିନ୍ତୁ କାଷ୍ଠଯୁକ୍ତ ମୂଲ୍ୟଵାନ ପାଦପକୁ କାଟି ପର୍ଵପାଳନର ପରମ୍ପରା ସନାତନ ସଂସ୍କୃତିରେ ନାହିଁ  । ଭାରତୀୟ ସଂସ୍କୃତିରେ ଵରଂ ଵିଭିନ୍ନ ଶାସ୍ତ୍ରମଧ୍ୟରେ ଵୃକ୍ଷରୋପଣର ନିର୍ଦ୍ଦେଶ ରହିଛି ।‌

ସ୍କନ୍ଦ ପୁରାଣରେ ଏ ସମ୍ବନ୍ଧରେ ଗୋଟିଏ  ସୁନ୍ଦର ଶ୍ଲୋକ ଅଛି

“ଅଶ୍ଵତ୍ଥମେକମ୍ ପିଚୁମନ୍ଦମେକମ୍ 
ନ୍ୟଗ୍ରୋଧମେକମ୍ ଦଶ ଚିଞ୍ଚିଣିକାନ୍ । 
କପିତ୍ଥବିଲ୍ଵାଽଽମଳକତ୍ରୟଞ୍ଚ ପଞ୍ଚାଽଽମ୍ରମୁପ୍ତ୍ଵା ନରକନ୍ନ ପଶ୍ୟେତ୍ ॥”

ଅଶ୍ଵତ୍ଥ ଗଛ,ପିଚୁମନ୍ଦ ଵା ଲିମ୍ଵଗଛ,ନ୍ୟଗ୍ରୋଧ ଵା ବରଗଛ,ଚିଞ୍ଚିଣୀ ଵା ତେନ୍ତୁଳି,କପିତ୍ଥ ଵା କଇଁଥ,ବିଲ୍ଵ ଵା ବେଲ,ଆମଳକ ଵା ଅଅଁଳା,ଆମ୍ର ଵା ଆମ୍ଵ ଗଛ । ଯିଏ ଏହି ଗଛମାନଙ୍କୁ ରୋପଣ କରିଵ ଏଵଂ ସେମାନଙ୍କୁ ଜଳ ଦାନ ପୂର୍ଵକ ବଢ଼ାଇଵ ସେ କେବେବି ନର୍କର ଦର୍ଶନ କରିଵ ନାହିଁ । 

ସ୍ଵର୍ଗ ଓ ନର୍କ ଏହି ପୃଥିଵୀରେ ହିଁ ଅଛି । ପୃଥିଵୀକୁ ନର୍କ କରିଵାକୁ ଚାହୁଁନଥିଲେ ଏହିସବୁ ଵୃକ୍ଷରୋପଣ କର ବୋଲି ଆମ ପୂର୍ଵଜମାନେ ବହୁ ପ୍ରାଚୀନ କାଳରୁ ଜଣାଇ ଦେଇଥିଲେ । 

ଏକ ତଥ୍ୟ ଅନୁସାରେ ଅଶ୍ଵତ୍ଥ ଗଛ ୧୦୦ ଭାଗ କାର୍ଵନ ଡାଇଅକ୍ସାଇଟ୍ ଵା ଅଙ୍ଗାରକାମ୍ଳ ଶୋଷଣ କରେ,ପିଚୁମନ୍ଦ ଵା ଲିମ୍ଵ ୮୦ ଭାଗ,ବଟଵୃକ୍ଷ ଵା ବରଗଛ ୮୦ ଭାଗ, ତେନ୍ତୁଳି ୮୦ ଭାଗ,କପିତ୍ଥ ୮୦ ଭାଗ ,ବେଲ ଗଛ ୮୫ଭାଗ,ଆମଳକ ଵା ଅଅଁଳା ୭୪ଭାଗ ଏଵଂ ଆମ୍ର ଵା ଆମ୍ବ ୭୦ ଭାଗ ଅଙ୍ଗାରକାମ୍ଳ ଶୋଷଣ କରିଥାଏ ।‌

ତେଣୁ ଏସବୁ ଗଛ ଲଗାଇଵା ଦ୍ଵାରା ବାୟୁମଣ୍ଡଳ ଅଙ୍ଗାରକାମ୍ଳ ଦ୍ଵାରା ଦୂଷିତ ହୁଏନାହିଁ କି ପୃଥିଵୀରେ ଵିଶ୍ଵତାପନ ସମସ୍ୟା ଉତ୍ପନ୍ନ ହୋଇ ପୃଥିଵୀର ଅଵସ୍ଥା ନର୍କ ସମ ହୁଏନାହିଁ । 

ଏହି ପ୍ରାଚୀନ ଶାସ୍ତ୍ରଵାକ୍ୟର ଅନୁସରଣ ନକରିଵା ଯୋଗୁଁ ଆଜି ପୃଥିଵୀରେ ହିଁ ଆମେ ନର୍କର ଦର୍ଶନ କରୁଅଛନ୍ତି ଏଵଂ ଵିଶ୍ଵତାପନ ଯୋଗୁଁ ପୃଥିଵୀର ସ୍ଥିତି ନର୍କମୟ ହେଵାକୁ ଲାଗିଲାଣି । 

ଏବେ ବି ସମୟ ଅଛି ଵୃକ୍ଷରୋପଣ କରନ୍ତୁ ପୃଥିଵୀର ପ୍ରାଣୀଜଗତକୁ ରକ୍ଷା କରି ନିଜର କର୍ତ୍ତଵ୍ୟ ପାଳନ କରନ୍ତୁ । ମନୁଷ୍ୟ ଭଳି ଏକ ଶାରୀରିକ ଦୁର୍ଵଳ କିନ୍ତୁ ବୁଦ୍ଧିମାନ ଜୀଵ ସୃଷ୍ଟି ପଛରେ ପ୍ରକୃତିର ଗୋଟିଏ ମହାନ ଉଦ୍ଦେଶ୍ୟ ରହିଛି । ସେହି ଉଦ୍ଦେଶ୍ୟଟି ହେଲା "ପ୍ରାଣୀଜଗତକୁ କୌଣସି ପ୍ରକାରରେ ରକ୍ଷା" । 

ମାନଵ ହିଁ ଭଵିଷ୍ୟତରେ ସୋଲାର୍ ୱିଣ୍ଡ୍ ,ମାଗ୍ନେଟାର୍,ସୁପରନୋବା ଇକ୍ସପ୍ଲୋଜନ୍,ଆଷ୍ଟ୍ରୋଏଡ୍ ବ୍ଲାଷ୍ଟ,ଜୋମ୍ବି ଷ୍ଟାର୍ କି ଜୋମ୍ବି ପ୍ଲାନେଟ୍ ଆକ୍ରମଣ ଏଵଂ ଜଳପ୍ରଳୟ ଆଦି ଯୋଗୁଁ ହେଉଥିଵା Max Extinction ଵା
ମହାପ୍ରଳୟରୁ ନିଜ ସହିତ ପୃଥିଵୀର ପ୍ରାଣୀଜଗତକୁ ନିଜର ବୁଦ୍ଧିବଳ ଖଟାଇ ଵିଜ୍ଞାନ ବଳରେ ବଞ୍ଚାଇପାରିଵ । 

ଭାରତୀୟ ସଂସ୍କୃତି କେବେ ମୂଲ୍ୟଵାନ ଵୃକ୍ଷକର୍ତ୍ତନ କରି ପର୍ଵ ନାମରେ ଘରେ ସଜାଇଵାର ଶିକ୍ଷା ଦେଇନାହିଁ ଵରଂ ସନାତନ ସଂସ୍କୃତି ସବୁବେଳେ ଵୃକ୍ଷରୋପଣର ଶିକ୍ଷା ଦେଇଛି । 


ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...