Tuesday, January 10, 2023

ରାୟଗଡ଼ାର ପାତାଳେଶ୍ଵର କ୍ଷେତ୍ର : ପାଇକପଡ଼ା

ଓଡ଼ିଶାରେ ପାଇକପଡ଼ା ନାମରେ ଅନେକ ସ୍ଥାନ ରହିଛି କିନ୍ତୁ ରାୟଗଡ଼ା ଜିଲ୍ଲାର ପାଇକପଡ଼ା ଅଞ୍ଚଳ ନାଗାବଳୀ ନଦୀକୂଳରେ ଅଵସ୍ଥିତ ଏକ ଐତିହାସିକ ସ୍ଥାନ । ରାୟଗଡ଼ା ଜିଲ୍ଲାର ଥେରୁବାଲି ନିକଟରେ ଏହି ପାଇକପଡ଼ା ଅଞ୍ଚଳ ଅଵସ୍ଥିତ । 
ଏହି ଅଞ୍ଚଳ ରାଜାଙ୍କର ପାଇକ ଵା ସୈନ୍ୟମାନଙ୍କ ଦ୍ବାରା ସ୍ଥାପିତ ହୋଇଥିଲା ବୋଲି ଏହାର ନାମ ପାଇକପଡ଼ା ହୋଇଥିଵା ଦେଶିଆ ଜ୍ଞାନକୋଷରୁ ଜଣାଯାଏ । ରାୟଗଡ଼ା ଜିଲ୍ଲାର ପାଇକପଡ଼ା ଅଞ୍ଚଳ
ପାତାଳେଶ୍ଵର କ୍ଷେତ୍ରଭାବରେ ପରିଚିତ । 



ଅତୀତରେ ଏଠାରେ ପାତାଳରୁ ଫୁଟି
ବାହାରିଥିଵା ସ୍ଵୟଂ ଲିଙ୍ଗ ପାତାଳେଶ୍ବର ମହାଦେଵଙ୍କୁ କନ୍ଧମାନେ ପୂଜା
କରୁଥିଲେ ବୋଲି ପ୍ରଵାଦ ପ୍ରଚଳିତ । କଥିତ ଅଛି ଦ୍ଵାପର ଯୁଗରେ ଭଗଵାନ ଶେଷଦେଵ ଵା ବଳରାମ ଏହି
ଅଞ୍ଚଳ ଦେଇ ଯାତ୍ରା କରୁଥିଵା ସମୟରେ ପାଞ୍ଚଟି କ୍ଷେତ୍ରରେ ପାଞ୍ଚଟି ଶିଵଲିଙ୍ଗ ସ୍ଥାପନ
କରିଥିଲେ । ସେଗୁଡ଼ିକ ମଧ୍ୟରୁ ପାଇକପଡ଼ାସ୍ଥ ଗୁମ୍ଫାରେ ଥିଵା ପାତାଳେଶ୍ୱର ମହାଦେଵ
ଅନ୍ୟତମ ।

ଏଠାକାର ଶିଵ ମନ୍ଦିରଟି ନଵମ ଶତାବ୍ଦୀର ବୋଲି ଜଣାଯାଏ । ମନ୍ଦିରରେ ୯୯,୯୯୯ଟି ଶିଵ ଲିଙ୍ଗ (ଏକ ଲକ୍ଷରୁ ଗୋଟିଏ ଊଣା) ରହିଥିଵାର ଵିଶ୍ୱାସ ଅଛି ।

ପାଇକପଡ଼ାର ପାତାଳେଶ୍ଵର ଶୈବ ପୀଠରେ ମହାଶିଵରାତ୍ରି ପର୍ଵ ମହାଡ଼ମ୍ବରରେ ପାଳିତ ହୁଏ । ଅନ୍ୟାନ୍ୟ ପର୍ଵ ମଧ୍ୟ ଏଠାରେ ପାଳିତ ହୁଏ । କାର୍ତ୍ତିକ ମାସରେ ଵିଶେଷ କରି ସୋମଵାର ଗୁଡି଼କରେ ଏଠାରେ ପ୍ରଵଳ ଭିଡ଼ ପରିଲକ୍ଷିତ ହୁଏ । ଏଠାରେ ଶିଵଙ୍କ ଵ୍ୟତୀତ ଶ୍ରୀଜଗନ୍ନାଥ, ମା ଦକ୍ଷିଣେଶ୍ୱରୀ କାଳିକା ଓ ଚାମୁଣ୍ଡାଙ୍କର ମଧ୍ୟ ପୂଜା ହୁଏ । ରାୟଗଡ଼ା ଜିଲ୍ଲାର ପାଇକପଡ଼ା ଓଡ଼ିଶା 
ସରକାରଙ୍କ ଦ୍ଵାରା ଚିହ୍ନିତ ଏକ ପର୍ଯ୍ୟଟନସ୍ଥଳୀ ହୋଇଥିଲେ ବି ଓଡିଶାର ଅନେକେ ଏ ଅଞ୍ଚଳ ସହିତ ସେତେଟା ପରିଚିତ ହୋଇନଥିଵା ଅନୁଭୂତ ହୁଏ । 

ସହସ୍ରାଧିକ ପର୍ଯ୍ୟଟନସ୍ଥଳୀର ଦେଶ କଳିଙ୍ଗ ଦେଶରେ ଏହିପରି ଶତାଧିକ ପର୍ଯ୍ୟଟନସ୍ଥଳ ଲୋକଲୋଚନକୁ ଆସିପାରିନାହିଁ କି ସମଗ୍ର ଓଡ଼ିଶା ତଥା ଭାରତର ଲୋକେ ସେସବୁ ଅଞ୍ଚଳର ଐତିହ୍ୟ ଵିଷୟରେ ସେତେଟା ଜାଣିପାରିନାହାନ୍ତି । 

•••••••••••••••••••••••••••••••
•ଶିଶିର ସାହୁ ମନୋଜ•
•ପାରିମାଳ,ଢେଙ୍କାନାଳ•
•••••••••••••••••••••••••••••••

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...