Thursday, January 25, 2018

ଭଲ-ଖରାପ

“ପୁରୁଣା ଲୋକ ବହୁତ ଭଲ କିନ୍ତୁ ନୂଆଯୁଗର ଲୋକେ ବହୁତ ଖରାପ ହୋଇଗଲେଣି ।
ଯେବେ ମୁଁ ନୂଆ ପିିଢି ଥିଲି ସେବେ ପୁରୁଣା ପାଢି ମୋ ପାଇଁ ବହୁତ ଖରାପ ଥିଲା ।
ଏବେ ମୁଁ ଯେତେ ପୁରୁଣା ପିଢି  ହୋଇ ଯାଉଛି ମୋ ପାଇଁ ନୂଆ ପିଢି ସେତିକି
ଖରାପ ହୋଇ ହୋଇ ଯାଉଛି ।”

“ବୟସ୍କ ଲୋକ ଯାକ ବଡ଼ ରକ୍ଷଣଶୀଳ । ଆଧୁନିକତା ସେମାନଙ୍କୁ ସ୍ପର୍ଶ କରିନାହିଁ ବୋଲି ତାଙ୍କୁ ଆମ ସମୟ ସହ ତାଳ ଦେଇ ଚାଲିବାଟା ସହଜରେ ହଜମ ହେଉନାହିଁ......”
“ଆଜିର ଯୁବକ ମାନେ ସମାଜକୁ ଆଧୁନିକତା ନାଆଁରେ ତଳତଳାନ୍ତ କରିଦେବାକୁ ବସିଲେଣି ।
ନିଜ ପରବ ଛାଡ଼ି ପର ନୂଆବର୍ଷ, ପର ପରବ ପାଳିଲେଣି । ମଦ ପିଇକି ଗଣେଶ, ସରସ୍ବତୀ, ଦୁର୍ଗା,ଲକ୍ଷ୍ମୀ ଙ୍କ ମେଢ ଆଗରେ ଇଂରାଜୀ ହିନ୍ଦୀ ଗୀତ ର ତାଳରେ ନାଚିଲେଣି.......”

“ପୁରୁଣା ସଂସ୍କୃତି ଓ ସଂସ୍କୃତି ଆଧାରରେ ଗଠିତ ଧର୍ମ ସବୁ ନିରର୍ଥକ,ଅବାନ୍ତର । ଆଧୁନିକ ଯୁଗରେ ସେସବୁ ଆଉ ଲୋଡା଼ ନାହିଁ ......”

“ବିଜ୍ଞାନ ଓ ବିଜ୍ଞାନୀ ଲୋକ ସଂସ୍କୃତି ଭକ୍ଷକ । ଏମାନେ ସଂସ୍କାର ନାଆଁରେ ଆମଠାରୁ ଆମ ଧର୍ମ ଓ ସଂସ୍କୃତି ଛଡେଇ ନେଇ ପର ସଂସ୍କୃତି ଓ ଧର୍ମ ଧରେଇ ଦେବେ......”

“ପୁରୁଣା ବହି ଓ ରଚନା ଶ୍ରଦ୍ଧା ଓ ଆଦରଣୀୟ
ନୂଆ ଲେଖାରେ ସେତେଟା ଆତ୍ମିୟତା,ମଧୁରତା ନଥାଏ । ପୁରୂଣା ଲେଖକ,କବି ଦେବତା ସମାନ ପୂଜନୀୟ ନୂଆ ଲେଖକ ଓ କବି ଗୁଡା ଖାଲି ପର ଭାଷାର ଲେଖା ଅନୁକରଣରେ
ପଦେ ଅଧେ ଲେଖିକି ପ୍ରଶିଦ୍ଧ ହୋଇଯାଇଛନ୍ତି......”

“ନୂଆ ଲେଖକ ଓ କବି ଆଧୁନିକ ଚିନ୍ତାଧାରା ର । ପୁରୁଣା କବି ,ଲେଖକ ସବୁ କାବ୍ୟ କବିତା ନାଆଁ ରେ ଅଭିଧାନମାନ  ଲେଖିଯାଇଛନ୍ତି । ନୂଆ ରଚନାକାର ସାକ୍ଷାତ ସମାଜ ସଂସ୍କାରକ ତେଣୁ ସୁସଂସ୍କୃତ ଶବ୍ଦ ବ୍ୟବହାର କରି ବିଭିନ୍ନ ରଚନା ଲେଖନ୍ତି ଯେବେକି ପୁରୁଣା କବିଙ୍କ ପଦ୍ୟରେ ଗୁଡାଏ ଅଶ୍ଳୀଳ ଶବ୍ଦ ଥାଏ.......”

“ପୁରୁଣା ଚଳଚ୍ଚିତ୍ର ,ପୁରୁଣା ଗୀତରେ ସଂସ୍କୃତି ନୃତ୍ୟ କରୁଛି । ନୂଆ ଚଳଚ୍ଚିତ୍ର ଓ ଗୀତ
ସବୁ ଅପସଂସ୍କୃତି ପ୍ରଚାରର ମୂଳ ମାଧ୍ୟମ କହିଲେ ଅତ୍ୟୁକ୍ତି ହେବ ନାହିଁ.....”

“ନୂଆ ଗୀତ ଓ ଫିଲ୍ମ ଗୁଡିକ ଭବ୍ୟ ଓ ସାର୍ଥକ ତେଣୁ ସେସବୁ ଦେଖିଲେ, ଶୁଣିଲେ
ମଣିଷ ଶରୀର ମଧ୍ୟରେ ଗୋଟାଏ ଏନର୍ଜି ଖେଳିଯାଏ । କିନ୍ତୁ ପୁରୁଣା ଚଳଚ୍ଚିତ୍ର ଓ ଗୀତାଦି ଗୁଡିକ ଶୁଣିଲେ ଆଜିକାର ଅଧିକାଂଶ ଲୋକ ଲୋରୀ ଶୁଣି ଛୁଆକୁ ନିଦ ଲାଗିଲା ଭଳିଆ
ଢୁଳାଅନ୍ତି ଯାହା.....”

ବାକି ଲୋକ ବହୁତ ଗନ୍ଧିଆ ।  କେବଳ ଆମେ ମାନେ ହିଁ ଭଲ ଲୋକ ।  ଅନ୍ୟ ଲୋକେ ସମ୍ପୂର୍ଣ୍ଣ
ନଷ୍ଟ ଯାକ । ଆମେ ସବୁ 100% ପ୍ରତିଶତ ସୁନାମୁଣ୍ଡା । ବାକି ସବୁ ହୀନ । ଆମେ ଏକା ଶ୍ରେଷ୍ଠ । ଟୋ଼ୟଁ ଟୁ । ଟାୟଁ ଟୁ । ଟାଁୟ ଟୁ । ଟାଁୟ ଟୁ ।  ଟୁ-ଟୁ । ଦଶବର୍ଷ ପରେ । ଟାଁୟ-ଟାଁୟ ।
ଶହେ ବର୍ଷ ପରେ । ଟାଁୟ ଟୁ । ହଜାର ବର୍ଷ ପରେ । ଟାଁୟ ଟୁ । ଦଶ ହଜାର ବର୍ଷ ପରେ । ଟାଁୟ ଟୁ । ଅନ୍ୟ ମାନେ ଖରାପ । ଆମେ ଭଲ । ଟାଁୟ ଟୁ ଟାଁୟ ଟୁ ।

ଜନତା ବହୁତ ଭଲ । ଲୋକେ ସବୁ ଖାଣ୍ଟି ସୁନା ।ନେତା ଯାକ କୁଳାଙ୍ଗାର ।  ଜନତା ମାଟିରେ ଚାଲନ୍ତି । ନେତାଏ ଆକାଶୁଁ ପଡ଼ନ୍ତି । ଜଣାନାହିଁ କେବେ କିଛି ଭଲ ନେତାଙ୍କ ବରଷା ହେବ । ତେବେ କିଛି ଭଲ ନେତା ବି ଅଛନ୍ତି । କିନ୍ତୁ ସେମାନଙ୍କ ସଂଖ୍ୟା ମାତ୍ର ତିନି ଚାରିଜଣରୁ ଅଧିକ ନୁହେଁ ।  ଜଣେ ନେତା ମୋ ପାଇଁ
ବୀମା କରେଇ ଦେଇଥିଲା । ଆଉ ଜଣେ ଇନ୍ଦ୍ରାଵାସ କରିଦେଇଥିଲା । ଅନ୍ୟ ଏକ ନେତା ଅଶି ଟଙ୍କିଆ ବିପିଏଲ ବିଜୁଳି ଓ ଟଙ୍କିକିଆ ଚାଉଳର ବ୍ୟବସ୍ଥା କରାଇଦେଇଥିଲା ।
ଆଉ ଏକ ଦଳର ନେତା ଜଣେ  ତ ଆମ ବନ୍ଧୁବାନ୍ଧବ ବୋଲି ବେଳେ ବେଳେ ଆମ ଘରକୁ ବୁଲି ଆସିଥାନ୍ତି ଯେ  ପଡୋଶୀ ମାନଙ୍କ ଆଗରେ ମୋ ଛାତି କୁଣ୍ଢେମୋଟ ହୋଇଯାଏ ।
ସମ୍ପର୍କୀୟ ନେତାଙ୍କ ସୁଦୟାରୁ ରାସନ୍-ଗ୍ୟାସ ଘରେ ବସି ଆମ୍ଭକୁ ମିଳିଯାଇଥାଏ ।
କିଏ ଭଲ କିଏ ଖରାପ ତାହା ନିର୍ଣ୍ଣୟ କରିବାର ଅଧିକାର ଯା ପାଖରେ ଵି ଥାଉ ବେଳେ ବେଳେ ଆମେ ନିଜେ ହିଁ ସେ ଅଧିକାର ପ୍ରୟୋଗ କରି
ଭଲ ଖରାପ ବାଛିନେଇଥାନ୍ତି । ଦୁନିଆରେ ସାଧାରଣତଃ ଦେଖାଯାଇଥାଏ ଯେ ଯଦି କାହାର ସ୍ଵାର୍ଥରେ ଵାଧା ଉତ୍ପନ୍ନ ହୁଏ,ସେ ସ୍ଵାର୍ଥପୂର୍ତ୍ତିରେ ଵାଧକ ଯେ ଉକ୍ତ ଲୋକ ତାକୁ ଖରାପ ମନେ କରିଥାଏ । ସ୍ଵାର୍ଥ ପୁରଣ ହେଉଥିଲା ଯାଏଁ ଅନେକ ଲୋକ ଅଧିକାଂଶ ଲୋକଙ୍କ ପାଇଁ ଭଲ ଲୋକ ହୋଇ ରହିଥାନ୍ତି ।

●ଜୀଅନ୍ତାଗଧ ଓ ମୃତଗଧ●

ତେଲଲୁଣର ଅଭାଵପୂର୍ତ୍ତି ପାଇଁ ଦିନରାତି ଦୌଡୁଥିବା ସାଧାରଣ ଲୋକମାନେ 
ନୀଳକଣ୍ଠ ଶିବଶଙ୍କର ଠାରୁ
କୌଣସି ଗୁଣରେ କମ୍ ନୁହନ୍ତି ।
ସମାଜରେ ରହି ରହି ତା ସହ ଲଢି ଲଢି
ତହିଁ ରୁ ଉତ୍ପନ ହେଉଥିବା
ଅନେକ କ୍ରୋଧ ଅଭିମାନ ହିଂସା ଇର୍ଷା ଦ୍ଵେଷ ଆଦି ବିଷକୁ ପାନକରି କଣ୍ଠସ୍ଥ କରିଦେଇଥାନ୍ତି ।

ତେବେ ମାନବ ରୂପି ପ୍ରକୃତ ଶିବମାନେ
ଯେତେବେଳେ କୌଣସି ସ୍ଥାନରେ
ସେମିତି କିଛି ଦେଖନ୍ତି ଯାହା ତାଙ୍କୁ ଅଯୁକ୍ତିଯୁକ୍ତ ଓ ଅନୈତିକ
ଲାଗେ ସେମାନେ ନିଜ କଣ୍ଠରୁ ସଞ୍ଚିତ ବିଷ ଉଦ୍ଗାର କରିଦେଇଥାନ୍ତି ।

ଏ ଦେଶରେ ସଂଚିତ ବିଷ ବାନ୍ତି ହେତୁ
ସର୍ବୋତ୍କୃଷ୍ଟ ସ୍ଥାନ ହେଉଛି
ସୋସିଆଲ ମିଡ଼ିଆ ନହେଲେ ଚା-ଦୋକାନ
କିମ୍ବା ଖଟି । ତେବେ ମାନବ ରୂପି ଶିବ ମାନଙ୍କୁ
ସଦାସର୍ଵଦା ଜଣେ ଗାଳି ଖାଇଲା ଭଳିଆ
କୌଣସି ମାଧ୍ୟମ ଲୋଡା଼ ପଡି଼ଥାଏ ।
ଏ ଦେଶର 
ଅଧିକାଂଶ ଲୋକ ସରକାର ଙ୍କୁ ଗାଳି ଦେଇ
ବହୁତ ବଡ଼ କାମଟିଏ କରିଦେଇଛନ୍ତି ଭାବି
ବସିଯାଅନ୍ତି
ବାକି ଲୋକ ନିଜ ନିଜ ଭାର୍ଯ୍ୟା ଓ ପୁତ୍ର ପୁତ୍ରୀଙ୍କୁ
ଗାଳି ଦେଇ ଶାନ୍ତ ହୁଅନ୍ତି ।
ଅଧୀନସ୍ଥ କର୍ମଚାରୀ କୁ ଵଡ଼ବାଵୁ ଗାଳି ଦେଇ
ଶୀତଳ ହୁଅନ୍ତି ....
ଏଇଭଳି ଭାବରେ ପୁରୁଣା ଵିଷ ଓକାଳି ଦେଲା ପରେ ପୁଣି ନୂଆ ଵିଷ ସଞ୍ଜୟ କରାଯାଇଥାଏ ।
ଆମ୍ଭ
ରାଜ୍ୟ ରାଜଧାନୀର ଗୋଟିଏ ପୁରୁଣା ସଡ଼କରେ ସଦାସର୍ଵଦା ଵାହନ ଆତଯାତ କରୁଥିବା ହେତୁ ଭିଡ଼ ହେଉଥିଲା । ଫଳରେ ଏଥିଯୋଗୁଁ ପ୍ରାୟ ସଡ଼କ ଦୁର୍ଘଟଣା ମଧ୍ୟ ହେଉଥିଲା । ତେବେ ଯେବେବି କୌଣସି ଦୁର୍ଘଟଣା ହେଉଥିଲା  ଲୋକେ ତାଙ୍କ ନିତିଦିନିଆ ସ୍ବଭାଵ ଯୋଗୁଁ
ଆଗେ ପ୍ରଶାସନ କୁ ଏବଂ ନେତାମାନଙ୍କୁ ଦୋଷ ଦେଇ ଦେଉଥିଲେ ।
ଏ ବାବଦରେ
ଲୋକଙ୍କଠାରୁ ତାଙ୍କ ମତାମତ ପଚାରି ବସିଲେ  ଅଧିକାଂଶ ସେହି ଗୋଟିଏ କଥା କହୁଥିଲେ
ଯେ
ଶାସନଗାଦୀରେ ତ ସଵୁ ଗଧଙ୍କୁ ବସେଇ ଦେଇଛେ ଆଉ ଗଧ କି କର୍ମ କରିବେ ଯେ ତାଙ୍କଠୁଁ ଆଶା ରଖିବା !!!

ଦିନେ ସେ ସଡ଼କ ର ଠିକ ମଧ୍ୟ ଭାଗରେ
ଗୋଟିଏ ଗଧକୁ ଟ୍ରକ୍ ମାଡି଼ଗଲା ଯେ ତା’ର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଗଲା ।
କିଛି ସମୟ ପାଇଁ ତ ସଡ଼କ ମଧ୍ୟଭାଗରେ
ଗଧକୁ ଦେଖିବାକୁ ଜନଗହଳି ହେଲା କିନ୍ତୁ
ପରେ ଟ୍ରାଫିକ ବ୍ୟବସ୍ଥା ଆପଣାଛାଏଁ ଵ୍ୟଵସ୍ଥିତ ହୋଇଗଲା ।

ଗଧର ପଡିରହିଥିବା ନିର୍ଜିଵ ଶରୀରର ଗୋଟିଏ ପାର୍ଶ୍ଵ ଦେଇ ଗାଡ଼ି ଆସୁଥିଲା ଅନ୍ୟ ପାର୍ଶ୍ଵରେ ଯାଉଥିଲା ।
ଲୋକ ମାନେ ଏଥର ମଧ୍ୟ ଗଧର ମୃତ୍ୟୁ ତଥା ଏଯାଵତ ତା’ର ମଢ ନ ଉଠିଥିବା ହେତୁ ପ୍ରଥମେ ସରକାର ଙ୍କୁ ଵେହେ ଶୋଧି ପକେଇଲେ
ଆଉ
କହିଲେ
“ଯେଉଁ ଵ୍ୟଵସ୍ଥା କିଛି ଜୀଵିତ ଗଧ କରିପାରିଲେନି ତାହା ଗୋଟିଏ ମୃତ ଗଧ କରିଦେଲା” ......

ବନ୍ଦେ ମାତରଂ

ଗଣତନ୍ତ୍ର ଦିଵସରେ
ରାଜଧାନୀର ଜଣେ ଵଡ଼ ନେତା ଏକ ଅଳ୍ପବିକଶିତ ଅଞ୍ଚଳର ବିଦ୍ୟାଳୟ କୁ ଧ୍ଵଜାରୋହଣ କାର୍ଯ୍ୟକ୍ରମ ରେ ଯୋଗ ଦେବା ପାଇଁ  ଆସିଥାନ୍ତି ।

ଜଣେ ବାଳକ ମନ୍ତ୍ରୀ ଙ୍କ ଭାଷଣ ଶୁଣୁଶୁଣୁ କ’ଣ ଭାବିଲା କେଜାଣି
ମନ୍ତ୍ରୀ ଙ୍କ ଗାଡ଼ି ପାଖକୁ ଯାଇ
ଚକ୍ ଖଡି଼ରେ କିଛି ଲେଖିବାକୁ ଲାଗିଲା ...
ଏତିକି ବେଳେ ମନ୍ତ୍ରୀଙ୍କର ଜଣେ 
ଲୋକ ର ନିଘା ପଡିଗଲା
ସେ ଉଠିଯାଇ

ଉକ୍ତ ପିଲାକୁ ଚାପୁଡାଏ ଦେଇ ବେହେ ଗାଳିମନ୍ଦ କଲା
-ମନ୍ତ୍ରୀ ଙ୍କ ଗାଡି଼ ଗନ୍ଧିଆ କରୁଚୁ
ତୋ ଘର କୋଉଠି କି ବେ
ଯା ପଳା ଏଠୁ....

ପିଲାଟି ମନ୍ତ୍ରୀ ଙ୍କ ଗାଡି଼ କାଚ ଉପରେ
ବନ୍ଦେ ମାତରଂ ଲେଖିଦେଇଥିଲା .....

●●●ମାନଦଣ୍ଡ●●●


ଵହୁତ ଦିନ ଯାଏଁ ହୁଙ୍କା ରେ ପଡି଼ ପଡି଼ ସାପକୁ
ଅଣଆତିଆ ଲାଗିଲାରୁ ସେ ଦିନଟେ ପଦାକୁ ବୁଲି ଵାହାରିଲା ।  ଲୋକେ ଯେମିତି ସାପକୁ ଦେଖିଛନ୍ତି ଟେକା ପଥର ଠେଙ୍ଗା ଧରି ତାକୁ ମାରିଦେବାକୁ ଗୋଡା଼ଇଲେ । ସାପ କି ଆଉ ରହୁଛି ଜୀବନ ବିକଳରେ ଆସି ହୁଙ୍କାରେ ପସିଗଲା ।

ହୁଙ୍କା ରେ ସାପଟା ସର୍ପିଣୀକୁ ପଚାରିଲା...
“ଏ ମଣିଷମାନେ ମୋତେ ଏତେ ଘୃଣା କାହିଁକି କରନ୍ତି ଯେଵେକି ଏଇମାନେ ହିଁ
ବେକରେ ମୋ ଭଳିଆ ଏକ ଜୀଵକୁ ଗୁଡାଇ
ହୋଇଥିବା ଦେଵତାଙ୍କୁ ପୂଜା କରନ୍ତି ଆଉ ସେଠାକୁ ମୁଁ ଯଦି ଯାଏ ମୋତେ ସେମାନେ କ୍ଷୀର ଦିଅନ୍ତି ଆଉ ମୋର ପୂଜା କରନ୍ତି
ଏତେ ଭେଦଭାଵ କାହିଁକି ହୁଏ ।”

-“ଆରେ ଏଇ ତ ଅସଲ କଥା । ଆଜିର ଦୁନିଆରେ କାହାକୁ ଘୃଣା ଵା ପୂଜା କରିବାର
ମାନଦଣ୍ଡ ଏଇଆ ନୁହେଁ ଯେ ଅମକ ଲୋକ ଭଲ ଵା ସମକ ଲୋକ ଖରାପ
ଵରଂ ଲୋକେ ଦେଖନ୍ତି ଯେ ଲୋକ ଟି ସଡ଼କରେ ଅଛି ନା ଉଚ୍ଚ ସ୍ଥାନରେ ବସିଛି ।”
ସର୍ପିଣୀଟି ସାପକୁ ବୁଝେଇଲା ....

●●●●ମିତ୍ରତା●●●●

ଦି ଜଣେ ଲେଖକ ଥିଲେ । 
ପରସ୍ପରରେ କଳିଝଗଡା଼ ଲାଗିବାର କୌଣସି ବି ସୁଯୋଗ ହାତଛଡା଼ କରନ୍ତି ନାହିଁ ।
ମୁଁ ବହୁତ ଚେଷ୍ଟା କଲି କି ସେମାନଙ୍କ ମଧ୍ୟରେ ମିତ୍ରତା ହେଇଯାଉ କିନ୍ତୁ କେବେ ସଫଳ ହୋଇନାହିଁ ।

ମୁଁ ତିନାଚାରି ମାସ ପାଇଁ ଆଉ ଏକ ଅଞ୍ଚଳକୁ ଚାଲିଯାଇଥିଲି । ଲେଉଟି ଆସି ଦେଖେ ତ
ଉଭୟଙ୍କ ମଧ୍ୟରେ କ୍ଷୀର ନୀର ର ସଂପର୍କ ...
ଦୁହେଁ ଘଣ୍ଟା ଘଣ୍ଟା ଧରି ଗପସପ ହୁଅନ୍ତି,
ବୁଲାବୁଲି କରନ୍ତି,ଏକାଠି ପଢାପଢି ଓ ଲେଖାଲେଖି କରନ୍ତି ।

ଜଣେ ଲୋକକୁ ପଚାରିଲି
ଭାଇ  ସେମାନଙ୍କ ମଧ୍ୟରେ ଏତେ ଅଭିନ୍ନ ମିତ୍ରତା କେମିତି ହୋଇଗଲା କି ?

ଉତ୍ତର ମିଳିଲା:- ସେ ଦୁଇଜଣଯାକ ମିଶିକି ଏବେ
ତୃତୀୟ ଲେଖକ ପଛରେ ପଡି଼ଯାଇଛନ୍ତି ....😀😀😀

(ଶ୍ରୀ ହରିଶଙ୍କର ପରସାଈଙ୍କ ରଚିତ ହିନ୍ଦୀ ବ୍ୟଙ୍ଗ ରଚନା ‛मित्रता’ ର ହିନ୍ଦୀ ଅନୁଵାଦ)

●●●●ଦଣ୍ଡ●●●●

ଜଣେ କଳାକାର କୌଣସି ବଡ଼ ଅପରାଧ କରିଦେଲା ।

ତାକୁ ରାଜା ସମ୍ମୁଖରେ ବିଚାର ପାଇଁ ଦଣ୍ଡାୟମାନ ହେବାକୁ ହେଲା ।

ରାଜା ମନ୍ତ୍ରୀ ଙ୍କୁ ପଚାରିଲେ
“ଏହାକୁ ତିନିବର୍ଷ କାରଦାଣ୍ଡ ଦେଇ ଦିଆଯାଉ ...”

ମନ୍ତ୍ରୀ କହିଲେ  ..“ ତା’ ଅପରାଧ ବହୁତ ଜଘନ୍ୟ, ତନିବର୍ଷର କାରାଦଣ୍ଡ ବହୁତ କମ୍ ବୋଧ ହେଉଛି”

-“ତାହେଲେ ଆଜୀବନ କାରାଵାସ ?”

-“ନା , ତାହା ବି କମ୍ ”

-ତେବେ ଫାସୀ ଦେଇ ଦିଆଯାଉ...”

- ନା ସେ ଯେଉଁ ଭୂଲ କରିଛି ତକୁ ଫାସୀ ଦଣ୍ଡରେ ଦଣ୍ଡିତ କଲେ ବି କମ୍ ପଡି଼ବ”

ରାଜା ଚିଡି଼ଯାଇ ମନ୍ତ୍ରୀ ଙ୍କୁ ବୋଇଲେ
“ଫାସୀ ଠାରୁ ବଡ଼ ଦଣ୍ଡ ଆଉ କ’ଣ ଅଛି ତୁମେ କହିଦିଅ”

ମନ୍ତ୍ରୀ କହିଲେ
“ଆକୁ କେଉଁଠି ବସେଇ ୟା ଆଗରେ ଅନ୍ୟ କଳାକାର ର ପ୍ରଶଂସା କରାଯାଉ”

(ମୂଳ ରଚନା:-ଶ୍ରୀ ହରିଶଙ୍କର ପରସାଈଙ୍କ दंड)

●ପାରସ୍ପରିକ ସମ୍ପର୍କ●

ଅତି ପ୍ରାଚୀନ କାଳରୁ ମଣିଷ ମାନେ
ମାଟିର ପାତ୍ର ବ୍ୟବହାର କରିଥିଲେ ।
ତାହା ପଡିଗଲେ ଭାଙ୍ଗି ଯାଉଥିଲା ବୋଲି
ବଡ଼ ସତର୍କ ରହିବାକୁ ହେଉଥିଲା ।
ସେ ଯୁଗରେ ପାରସ୍ପରିକ ମାନବ ସମ୍ବନ୍ଧ ମଧ୍ୟ
ନିବିଡ଼ ଓ ସମ୍ବେଦନଶୀଳ ହେଉଥିଲା
ଲୋକେ ଭୂଲ ବୁଝାମଣା ଯୋଗୁଁ
ସମ୍ପର୍କ ଚ୍ଛିନ୍ନ ନହୋଇଯାଉ ଏଥିପ୍ରତି ସତର୍କ ରହୁଥିଲେ ।

ତା'ପରେ ମଣିଷ
ମାନେ ପୀତଳ,ଚାନ୍ଦି ଓ ସୁନାର ପାତ୍ର ରେ ଖାଉଥିଲେ । ସେତେବେଳେ
ମନୁଷ୍ୟଙ୍କର ପାରସ୍ପରିକ ସମ୍ପର୍କ ମଧ୍ୟ
ପୀତଳ, ଚାନ୍ଦି ଓ ସୁନା ଭଳି ସ୍ଵଚ୍ଛ ,ଚମକଦାର
ହେଉଥିଲା କିନ୍ତୁ ସମୟ ସହିତ ସେ ଧାତୁ ଯୁଗରେ
ତମ୍ଵା,ପୀତଳ,ଚାନ୍ଦି ଓ ସୁନା ଅନୁସାରେ ସମ୍ପର୍କ ର ଓଜନ ତଉଲିବା ଆରମ୍ଭ ହୋଇଯାଇଥିଲା ।

ତା ପରେ ଷ୍ଟିଲ ଆସିଲା ।
ଷ୍ଟିଲ ଆସିଲାରୁ ବାସନକୁ ନେଇ ସମାଜରେ ଥିବା ବଡ଼ ସାନ ଭେଦଭାବ ଅନେକ ଗୁଣରେ
କମ୍ ହୋଇଯାଇଥିଲା କିନ୍ତୁ ସେ ଭେଦଭାବ
ଏବେ ଟଙ୍କା ଓ ବ୍ୟାଙ୍କ ବାଲାନ୍ସ ଆଦିରେ ଲୋକେ ଦେଖିବାକୁ  ଲାଗିଲେ ।
ଷ୍ଟିଲ ଭାଙ୍ଗୁ ତ ନଥିଲା କିନ୍ତୁ ସମୟ ସହିତ
ତହିଁ ର ଚମକ କମି କମି ଯାଉଥିଲା ।
ଆଧୁନିକ ଯୁଗର ଆରମ୍ଭ କାଳରେ
ମାନବୀୟ ସମ୍ବନ୍ଧ ମଧ୍ୟ ଏଇଭଳି
ଚଳିବା ଆରମ୍ଭ କରିଦେଲା ।

ତା ପରେ କାଚ ଓ ଚୀନାପାତ୍ର ର ବ୍ୟବହାର
ବଢିଲା କିନ୍ତୁ ଏସବୁ ଗ୍ରାମାଞ୍ଚଳରେ
ତଥାପି ବାସନ ଭାବରେ କମ୍ ବ୍ୟବହାର କରାଯାଉଥିଲା । ଏସବୁ ପାତ୍ର
ସହରାଞ୍ଚଳରେ ଅଧିକ ଚଳିଲା । ସହରରେ
ଲୋକଙ୍କ ମଧ୍ୟରେ ସମ୍ପର୍କ ଏଇଭଳି ହେବାକୁ ଲାଗିଲା । କାଚ ଭଳି ସମ୍ପର୍କ ଭାଙ୍ଗି ଯାଉଥିଲା ଏବଂ ନୂଆ ସଂପର୍କ ସ୍ଥାପନ କରିବାକୁ ପଡୁଥିଲା ।

ଏବେ ଯୁଗ ଚାଲିଛି ଠୁଙ୍ଗା ,ପେପର୍ ଆଉ ଥର୍ମୋକଲ୍ ର ....
“use and throw”  ବାକ୍ୟ କୁ ଚରିତାର୍ଥ
କରିବାକୁ ଯାଇ
ଲୋକେ ଆଜିକାଲି
ସମ୍ପର୍କ କୁ ନେଇ ପ୍ରୟୋଗ କରୁଛନ୍ତି
ଏବଂ ସ୍ଵାର୍ଥ ପୁରଣ ପରେ
ସେ ସମ୍ପର୍କ କୁ ଅଳିଆପେଟିକା କୁ ଫିଙ୍ଗି ଦେଉଛନ୍ତି ।

😀😀😀😀😀😀😀😀

●●●●ଅନ୍ନ●●●●

ପ୍ରଜାତନ୍ତ୍ର ର ରାଜା ଜଣେ ଠିକ୍ ଜାହାଙ୍ଗୀରଙ୍କ ପରି ନିଜ ମହଲ ସାମ୍ନାରେ ଗୋଟିଏ ଘଣ୍ଟି ଲଗାଇ ଦେଇଥିଲା । ଘଣ୍ଟି ଟି ଲଗେଇଵାର ଉଦ୍ଦେଶ୍ୟ  ଯାହାକୁ କିଛି ଅସୁବିଧା ହେଲା ସେ ଯଦି ଉକ୍ତ ଘଣ୍ଟି ବଜେଇଲେ ସାହେବ ଆସି ତା କଥା ଶୁଣିବେ ।

ଦିନେ ଜଣେ ଅତ୍ୟନ୍ତ କ୍ଷୀଣକାୟ,ଦୁର୍ଵଳ ବ୍ୟକ୍ତି
କଷ୍ଟେମଷ୍ଟେ ପଡି଼ଉଠି ସେଠାକୁ ଆସିଲା
ଆଉ ସେହି ଘଣ୍ଟି ଟି ବଜେଇଦେଲା ।
ଘଣ୍ଟି ଵାଜିବାର ଶୁଣି ପ୍ରଜାତନ୍ତ୍ର ର ରାଜା
ମହଲର ଵାଲକୋନୀ କୁ ଆସି କହିଲା -

“କୁହ କ’ଣ ତୁମ ସମସ୍ୟା.......?”

କୃଷକାୟ ଯୁବକ କହୁଛି...
“ରାଜା ତୋ ଶାସନକାଳରେ ଆମେ ଭୋକ ଉପାସରେ ମଲୁଣି । ଆମକୁ ଅନ୍ନର ଦାନାଟିଏ ଵି ବଡ଼ କଷ୍ଟରେ ମିଳୁଛି । ମୋତେ ଅନ୍ନ ଲୋଡ଼ା ।
ମୁଁ ଵହୁତ ଦିନରୁ ଅନ୍ନ ଅନ୍ଵେଷଣରେ ଉପାସ ବୁଲୁଛି । ମୁଁ ଅନ୍ନ ମାଗିବାକୁ ଆସିଛି”

ରାଜା ସହାନୁଭୂତି ପ୍ରକଟ କରି କହିଲା -
“ଭାଇ ତୋ ଦୁଃଖ ଶୁଣି ମୋ ହୃଦୟ ଦ୍ରବିତ ହୋଇଗଲା ।
ମୁଁ ତୋର ଅନ୍ନର ସମସ୍ୟା କୁ ନେଇ ଆଜି ହିଁ ଏକ ଉପସମିତି ଗଠନ କରୁଛି । ଖାଲି ମୋର ତୋତେ ଏତିକି ପ୍ରଥନା-ଉପସମିତି ର ରିପୋର୍ଟ ପ୍ରକାଶିତ ନହେଲା ଯାଏଁ ତୁ ଯେମିତି ନ ମରୁ”

(ଶ୍ରୀ ହରିଶଙ୍କର ପରସାଈ ଙ୍କ ବ୍ୟଙ୍ଗ ରଚନା रोटी  ର ଭାବାନୁବାଦ)

●●●ଓଡ଼ିଆ ଲିପି ସଂହାର ଓ ଅକ୍ଷର ଵିଲୋପନ●●●


ଜନ୍ମରୁ କହି ଶୁଣି ପଢ଼ି ଲେଖି ମଧ୍ଯ କିଛି ଭୁଷ୍ ପଣ୍ଡିତଙ୍କୁ ତାଙ୍କ ମାତୃଭାଷା ବୋଧଗମ୍ୟ ହେଲା ନାହିଁ ବୋଲି ସେମାନେ ଇଂରାଜୀ, ହିନ୍ଦୀ, ବଙ୍ଗଳାକୁ ‘ହନୁକରଣ’ କରି ଶାସ୍ତ୍ରୀୟ ଭାଷା ଓଡ଼ିଆର ସରଳୀକରଣ ନାମରେ ଆମର ସାହିତ୍ୟରେ ଥିବା ଅକ୍ଷରକୁ ବଳି ଦେବାକୁ ଷଡ଼ଯନ୍ତ୍ର କଲେ ।

●→ଇଂରାଜୀ ଅନୁକରଣରେ
ଚକ୍ରାନ୍ତ ~୧~

ଆମ ଅକ୍ଷର ସଂଖ୍ୟା ପଚାଶ ଟପୁଛି ତାକୁ ଇଂରାଜୀ ଭଳି ଛବିଶ କରିବା .....
କିନ୍ତୁ
ଇଂରାଜୀରେ ମଧ୍ୟ ଛୋଟ ଓ ବଡ଼ ଅକ୍ଷର (small/capital, lower/upper case) ମିଶାଇଲେ 26×2=52 ହୁଏ 

ଗଣିତ ଓ ଵିଜ୍ଞାନ ଶାସ୍ତ୍ରାଦି ଲେଖିବାକୁ ଇଂରାଜୀ ଅକ୍ଷର ନିଅଣ୍ଟ ପଡ଼େ ବୋଲି ଗ୍ରୀକ ଅକ୍ଷର ଯଥା→ ଆଲ୍ଫା (alpha-α),ବିଟା (Beta~β),
ଗାମା(Gamma-Γ,γ)
ଇତ୍ୟାଦି ଆହୁରି ଅନେକ ବର୍ଣ୍ଣ
ଆଵଶ୍ୟକ ପଡ଼େ l

ଅର୍ଥାତ୍ ଇଂରାଜୀ ଅକ୍ଷର ବଢ଼େଇ ଲିପିକୁ ଵୈଜ୍ଞାନିକୀକରଣ କରିବା ବେଳେ ଆମ ଭୁଷପଣ୍ଡିତେ ଓଡ଼ିଆ ଅକ୍ଷର ମାରିବାରେ ଵ୍ୟସ୍ତ l

●→ଚକ୍ରାନ୍ତ~୨~

ତିନୋଟି ସ/ଶ/ଷ କୁ ମିଶାଇ ଗୋଟିଏ କରିଦେବା l
ସେମାନେ ଭାଵନ୍ତି ଇଂରାଜୀରେ ତ ଗୋଟିଏ S , ଆମର କାହିଁକି ତିନୋଟି l
କିନ୍ତୁ ଇଂରାଜୀରେ ମଧ୍ୟ s, sh, ss, sc, c, ti ଇତ୍ୟାଦି ଅନ୍ୟୁନ ଛଅଟି ପ୍ରକାରେ ଶ,ଷ,ସ ଲେଖାଯାଏ l
ଇଂରାଜୀରେ ତ କେବେ ସବୁ ମିଶାଇ କେଵଳ ଗୋଟିଏ ‘S’ କରିବାକୁ ଚାହିଁନାହାନ୍ତି  l

●→ଚକ୍ରାନ୍ତ ~୩~

ସ୍ୱରଵର୍ଣ୍ଣରେ ଥିବା ହ୍ରସ୍ୱ ଓ ଦୀର୍ଘ (ଇ,ଈ ଉ,ଊ) ଉଚ୍ଚାରଣକୁ ମିଶାଇ ଦେବା l
ଇଂରାଜୀରେ ସ୍ଵରତତ୍ତ୍ୱକୁ ଗଵେଷଣା କରି a, e, i, o, u ସହ ee, oo, ae, au, ou, oe, oa ଇତ୍ୟାଦି ଅନେକ ଦୀର୍ଘ ସ୍ୱର ଓ ସଂଯୁକ୍ତ ସ୍ୱର ଵ୍ୟଵହାର କରନ୍ତି କିନ୍ତୁ ଆମ ଭୁଷପଣ୍ଡିତେ ସ୍ୱରଵର୍ଣ୍ଣ ମାରିବାରେ ଵ୍ୟସ୍ତ

●→ହିନ୍ଦୀ ଅନୁକରଣରେ
ଚକ୍ରାନ୍ତ ~୪~

ଓଡ଼ିଆରେ ‛ଜ’ ଓ ‛ଯ’କୁ ମିଶାଇ ଗୋଟିଏ କରିବା .....
ହିନ୍ଦୀରେ ଗୋଟିଏ ଜ ରହିଛି ବୋଲି ଆମ ଭୁଷପଣ୍ଡିତେ ଭାବନ୍ତି କିନ୍ତୁ ପ୍ରକୃତରେ ହିନ୍ଦୀରେ ମଧ୍ୟ ଜ ତଳେ ବିନ୍ଦୁ ଵା ନୁଖ୍ତା ଦେଇ ଏହାର ସମସ୍ୱନିମକୁ ପ୍ରକାଶ କରାଯାଏ ଯଥା :-
ग़ज़ल, फ़र्ज़, फ़िज़ा ଇତ୍ୟାଦି l
ଇଂରାଜୀରେ ମଧ୍ୟ G, J, S, Z, Scz ଇତ୍ୟାଦିର ସମସ୍ୱନିମ ଭାଵରେ ଵ୍ୟଵହାର ରହିଛି l 
ଓଡ଼ିଆରେ ଵର୍ଗ୍ୟ ‛ଜ’ ଓ ଅଵର୍ଗ୍ୟ ‛ଯ’ ଦୁଇଟି ସହ ‘ୟ’ ମଧ୍ୟ ଵ୍ୟଵହାର ହୁଏ ଯାହା ଏହାକୁ ହିନ୍ଦୀ, ସଂସ୍କୃତ ଓ ଅନ୍ୟ ଭାରତୀୟ ଭାଷା ସମୂହଠାରୁ ଭିନ୍ନ ପରିଚୟ ପ୍ରଦାନ କରେ କିନ୍ତୁ ଆମ ଭୁଷପଣ୍ଡିତେ ଏ ମୌଳିକ ଓଡ଼ିଆ ଵୈଶିଷ୍ଟ୍ୟକୁ ମାରିବା ଷଡ଼ଯନ୍ତ୍ରରେ ନିମଗ୍ନ l
.
●→ବଙ୍ଗାଳୀ ଅନୁକରଣରେ
ଚକ୍ରାନ୍ତ ~୫~

‘ବ’ ଓ ‘ଵ’ କୁ ମିଶାଇ ଓଡ଼ିଆରେ ମଧ୍ୟ ଏକ କରିବା :
ଏହା ଥିଲା ଆମ ପୂର୍ଵ ଦୁଇ ଵା ତିନି ପିଢ଼ିଙ୍କର ଦ୍ୱାରା ବଙ୍ଗାଳୀ ଲିପିର ହନୁକରଣ ....
ଏ ଚକ୍ରାନ୍ତର ପ୍ରଭାବ ଯୋଗୁଁ  ଆଜି ଅଧିକାଂଶ ଓଡ଼ିଆ   ‛ଵ’ କୁ ଅନାଵଶ୍ୟକ ମନେ କରନ୍ତି ।
ବଙ୍ଗଳାରେ ଉଭୟ ‘ବ’ ଓ ‘ଵ’ ପାଇଁ ଗୋଟିଏ ଅକ୍ଷର ‘ব’ ରହିଛି l ବଙ୍ଗଳା ର ହନୁକରଣ ଯୋଗୁଁ  ଓଡ଼ିଆଙ୍କର ଇଂରାଜୀ ଓ ସଂସ୍କୃତ ଉଚ୍ଚାରଣ ଵିକୃତ ଓ ହାସ୍ୟାସ୍ପଦ ହୋଇପଡ଼ିଲା ଯଥା: ଟେଲିଵିଜନ କୁ ପଢ଼ିଲେ ଟେଲିଭିଜନ ତଥା ‘ଵୋଡ଼ା’ ଫୋନ୍ କୁ କହିଲେ ‘ଭୋଡ଼ା’ ଫୋନ୍, ‘ଭଲ’ (bhala) କୁ ଲେଖିଲେ ‘ଵଲ’ (vala) l

ପ୍ରତ୍ୟେକ ଭାଷାରେ କିଛି ଭଲ, କିଛି ଦୁର୍ଵଳତା ଥାଏ ଯାହା ସେହି ଭାଷାର ପରିଚାୟକ ଓ ଵୈଶିଷ୍ଟ୍ୟ l ଆମେ ଅନ୍ୟର ଭଲକୁ ଗ୍ରହଣ ନ କରି ଯଦି ଏମିତି କେଵଳ ଦୁର୍ବଳତାକୁ ଅନୁକରଣ କରିଚାଲିବା ତେବେ ଆମ ଭାଷା ନିଜର ମୌଳିକତା ହରାଇବା ସହ ଏକ ହାସ୍ୟାସ୍ପଦ ଭାଷାରେ ପରିଣତ ହେବ l

ସହାୟତା:- ଡ. ଦେବାଶିଷ ଜୈଷ୍ଠୀ

●ବୀଜା ଭୀଜା ଵୀଜା●

ମୁଁ ଥରେ(2009 ପାଖାପାଖି)  visa ଶବ୍ଦ କୁ ହିନ୍ଦୀ ଶୈଳୀ ରେ ଵିଜା(वीजा) ଉଚ୍ଚାରଣ କରି କହିଲି ବୋଲି ଏକ ଭିନ୍ନ ଜିଲ୍ଲାର ଦଶଜଣ ଓଡ଼ିଆଙ୍କ ସମ୍ମୁଖରେ
ଅପଦସ୍ତ ହୋଇଥିଲି(ସେତେବେଳେ ମୁଁ ହିନ୍ଦୀ ରେ ହିଁ ଲେଖାଲୁଖି କରୁଥିଲି)
ସେ ମହାଶୟ
ସମସ୍ତଙ୍କ ସମ୍ମୁଖରେ କହିଲେ
ବୀଜା ମାନେ କ’ଣ ?
ମୁଁ ବୁଝାଇଦେଲାରୁ
ସେ ଓଲଟା ମୋତେ କହିଲେ
ହଇରେ ଟୋକା
ଏଟା ତ ଭିଜା ତୁ
ଵୀଜା କେମନ୍ତେ କହୁଛୁ କିରେ
ଵୀଜା ମାନେ ଆମ ଆଡେ ସ୍ତ୍ରୀ ଆଭ୍ୟନ୍ତରୀଣ ଗୁପ୍ତାଙ୍ଗ ଜାଣିଛୁ .....😂😂😂😂

ଏ କଥା ମନେ ପଡି଼ଲେ
ଆଜି ବି ଆପେ ଆପେ ତାଙ୍କ ପାଇଁ ମୋ ହାତ ଶ୍ରଦ୍ଧାରେ ଉପରକୁ ଉଠିଯାଏ 😀😀

ଆଜି ଅନେକ ଵର୍ଷ ପରେ ଵର୍ଗୀୟ ବ ଓ ଅଵର୍ଗୀୟ ଵ କୁ ନେଇ ଯେତେବେଳେ
ଆଧୁନିକ ଓଡ଼ିଆ ଭାଷାପ୍ରେମୀ
ଜାଗ୍ରତ ହେଲେଣି
ସେଦିନର ସେକଥା ମନେ ପଡି଼ଲେ
ଯେତିକି ହସ ଲାଗେ
ନିଜ ଭାଷାରୁ ଏକ ଅକ୍ଷର ଲୁପ୍ତ ହୋଇଯାଇଥିଵା
ମନେ ପଡି଼ଲେ ସେତିକି ଦୁଃଖ ମଧ୍ୟ ଲାଗେ...

Wednesday, January 24, 2018

●ସ୍ଵରବର୍ଣ୍ଣ ଗୀତ●

ରମା କହେ ‛ମା’ ‛ମା’
‛ଅ’ ଗଲେ ପଡେ଼ ‛ଆ’ ।୧।

ହ୍ରସ୍ଵ ‛ଇ’ ଦୀର୍ଘ ‛ଈ’
ପଢ ହସ ‛ହି’ ‛ହି’ ।୨।

ହ୍ରସ୍ଵ ‛ଉ’ ଦୀର୍ଘ ‛ଊ’
ସାପ ହୁଏ ‛ସୂ’ ‛ସୂ’ ।୩।

ହ୍ରସ୍ଵ ‛ଋ’ ଦୀର୍ଘ ‛ୠ’
କେନ୍ଦରା ବାଜେ ‛ଋ’  ‛ୠ’ ।୪।

‛ଏ’ ଗଲେ ପଡେ଼ ‛ଐ’
ଭାଲୁ ନାଚେ ‛ଥୈ’ ‛ଥୈ’  ।୫।

‛ଓ’ ଆଗେ ପଛେ ‛ଔ’
ଶିଶୁ ଡାକେ ‛ହୌ’ ‛ହୌ’  ।୬।

ହ୍ରସ୍ଵ ଌ  ଦୀର୍ଘ ୡ
‛ଲ’ ତଳେ ‛ୃ’ ଫଳା ଦେଇ କୁହ ଌ ।୭।

ସୋନପୁର ଓ ସୁବର୍ଣ୍ଣ ମେରୁ ମହାଦେବ ଙ୍କ କଥା

ଆଜି ଯେଉଁଠାରେ ସୋନପୁର ଅଛି ସେଠାରେ
ଆଗେ ସହର ନଥାଇ ଗୋଟିଏ ଛୋଟ
ଗାଆଁ ଥିଲା । ସେ ଗାଆଁରେ ଜଣେ ଶିବଭକ୍ତ ସାଧବ ଥିଲେ ।

ଦିନେ ସେ ବହୁତ ଗୁଡି଼ଏ ଲଦା ବଳଦ ଘେନୀ
ତେଲ ନଦୀ ଆରପାରିକୁ ବେପାର କରିବାକୁ ବାହାରିଥିଲେ ।
ସେହି ଗାଆଁରୁ ଖଣ୍ଡେ ଦୂର ଯାଇଛନ୍ତି କି ନାହିଁ
ଭାରୀ ବର୍ଷା ଲାଗିରହିଲା । ସେ ଉପାୟଶୂନ୍ୟ ହୋଇ ନିକଟସ୍ଥ ଏକ ବଟବୃକ୍ଷ ମୂଳେ ଆଶ୍ରୟ ନେଲେ । ବରଗଛ ମୂଳରେ ଶିବଲିଙ୍ଗ ଭଳି ପଥରଟିଏ ପଡି଼ରହିଥିବାର ସେ ଦେଖିବାକୁ ପାଇଲେ ।

ଘରୁ ବଳଦ ପିଠିରେ ଲଦା ହୋଇ ଅଣାଯାଇଥିବା
ଦ୍ରବ୍ୟ ମୁଣି ମଧ୍ୟରୁ କେତୋଟି ଫାଟି ଯାଇଥିବାରୁ
ତାକୁ ସିଲେଇ କରିବାକୁ ଡାମ୍ଫଣ ସୁତା କାଢି
ଢାମ୍ଫଣକୁ ଗୋଜିଆ କରିବାପାଇଁ ଉକ୍ତ ପଥରରେ
ଘସିବାରୁ ତାହା ସୁନା ପାଲଟି ଗଲା ।
ଏହା ଦେଖି ସାଧବ ମହାଜନ ତାଙ୍କ ପାଖରେ ଥିବା ସମସ୍ତ ଲୌହ ଜିନିଷ କୁ ସେ ପଥରରେ ଛୁଆଁଇଲେ । ଆଶ୍ଚର୍ଯ୍ୟଜନକ ଭାବେ
ସେ ସମସ୍ତ ଲୌହ ପଦାର୍ଥ ସ୍ଵର୍ଣ୍ଣ ଧାତୁରେ ରୂପାନ୍ତରିତ ହୋଇଗଲା ।

ମହାଜନ ଆଉ ବେପାର କ’ଣ କରିଯିବେ
ଖୁସିରେ ଘରକୁ ଫେରିଲେ ।
ରାତିରେ ତାଙ୍କୁ ସ୍ଵପ୍ନ ହେଲା ....

“ସେ ପଥରଖଣ୍ଡିକ ନିଜେ ସୁବର୍ଣ୍ଣ ମେରୁ"
ବୌଦ୍ଧ ରାଜ୍ୟ ହୋଇଥିବାରୁ ଆଉ ଲୋକ ତାଙ୍କୁ ପୂଜା କରୁନାହାନ୍ତି ,ସେ ଅପୂଜ୍ୟ ହୋଇ ବହୁବର୍ଷ ହେଲା ଏଠାରେ ପଡିରହିଛନ୍ତି । ତୁମ୍ଭେ ସୁବର୍ଣ୍ଣ ମେରୁ ମହାଦେବଙ୍କ ଆଦେଶ ବୋଲି ସୋମବଂଶୀ ରାଜାଙ୍କୁ ଯାଇ ଜଣାଅ”

ରାତି ପାହିଲାରୁ ମହାଜନ ରାଜାଙ୍କ ନିକଟକୁ ଯାଇ
ପୂର୍ବ ଘଟଣା ମାନ ସବୁ କହିଲା ।

ରାଜା ସବୁ ଜାଣି ଆଗ୍ରହ ସହକାରେ ଯାଇ
ସେହି ବରଗଛ ମୂଳରୁ ସୁବର୍ଣ୍ଣ ମେରୁ ମହାଦେବଙ୍କୁ ଆଣି ତେଲ ନଦୀର ଉତ୍ତର ଖଣ୍ଡିରେ ସ୍ଥାପନା କରି ତାଙ୍କ ପୂଜା ସେବାର ସବୁ ବ୍ୟବସ୍ଥା କରିଦେଲେ ।
ପ୍ରବାଦ ଅଛି, ସେଦିନ ସେଠାରେ ସ୍ଵର୍ଣ୍ଣବୃଷ୍ଟି ହେଲା ଫଳରେ ସେ ରାଜ୍ୟର ନାମ ସୁବର୍ଣ୍ଣ ମେରୁ ମହାଦେବଙ୍କ ନାମ ଓ ତାଙ୍କ ସୁବର୍ଣ୍ଣ ବୃଷ୍ଟି ମହିମା ଯୋଗୁଁ ସୁବର୍ଣ୍ଣପୁର ହେଲା ।
ଏହାର ବହୁବର୍ଷ ପରେ ପାଟଣା ରାଜା ସେଠାରେ ଏକ ମନ୍ଦିର ତୋଳାଇଥିଲେ ଯାହା ଅଦ୍ୟପି ମଧ୍ଯ ବିଦ୍ୟମାନ

●●● ବିରୁଦ୍ଧ Vs ବିରୋଧ ●●●

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ରେ ବିରୁଦ୍ଧ ଶବ୍ଦ ର ବିଶେଷଣ ଭାବରେ ଉଲ୍ଲେଖ ଅଛି ଏବଂ ସେଠାରେ ଲେଖା ହୋଇଛି ଯେ ବିରୁଦ୍ଧତା ହେଉଛି ବିଶେଷ୍ୟ

ଭାରତର ଅଧିକାଂଶ ଦେଶଜ ଭାଷାରେ
ବିରଦ୍ଧ ଶବ୍ଦ ବିଶେଷଣ ଓ ବିରୋଧ ଶବ୍ଦ ର ବିଶେଷ୍ୟ ଭାବରେ ଵ୍ୟଵହାର ଅଛି
କିନ୍ତୁ
ସଂସ୍କୄତରେ ବିରୁଦ୍ଧର ବିଷେଷ୍ୟ ଅର୍ଥ ମଧ୍ୟ ଅଛି

ଉଭୟ ଶବ୍ଦ ର
ନିରୁକ୍ତୀ ହେଉଛି ➡➡➡

୧.ବି+ରୁଧ୍ ଧାତୁ+କର୍ମ. ତ =ବିରୁଦ୍ଧ
୨.ବି+ରୁଧ୍ ଧାତୁ+ଭାବ. ଅ=ବିରୋଧ

କର୍ମ ଯଦି ବାରମ୍ବାର ଜଣେ କରେ ତାହା ତା’ର ଅଭ୍ୟାସ ରେ ପରିଣତ ହୋଇ ଯାଏ
ଫଳରେ ଲୋକେ ବାରମ୍ବାର ସେଇ କର୍ମ କରୁଥିବା ଜଣେ ଲୋକକୁ ଦେଖିଲେ
ସେହି ଲୋକର ତାହା ଗୁଣ ବୋଲି
ମନେ କରନ୍ତି
(ଏବଂ ବିଶେଷ୍ୟ ର ଗୁଣ ହିଁ ବିଶେଷଣ ଅଟେ )
ବହୁତ ସମ୍ଭବ ସେ ସମୟରେ
ଓଡ଼ିଆ ଭାଷାରେ ବିରୁଦ୍ଧ ଶବ୍ଦ ର ବ୍ୟବହାର ଏକ ବିଶେଷ୍ୟ ହିସାବରେ ହୋଇନାହିଁ ବା ହେଉନଥିଲା
(ଆଜିକାଲି ହିନ୍ଦିଆଙ୍କୁ ଅନୁକରଣ କରି କିଛି ଲୋକ କରୁଛନ୍ତି)
ତେଣୁ ସମ୍ଭବତଃ ପ୍ରହରାଜ ମହାଶୟଏ ଶବ୍ଦକୁ ବିଶେଷଣରେ ରଖିଛନ୍ତି ....
ବସ୍ତୁତଃ ସବୁ ଶବ୍ଦ ଓ ବ୍ୟାକରଣ ଯେ ସଂସ୍କୃତ ରୁ ଅବିକଳ ଓଡ଼ିଆ ଭାଷାରେ ସେଇଭଳି ବ୍ୟବହାର ହୋଇଛି ତାହା କେହି ଦୃଢତା ର ସହ କହିପାରିବେନି ସଂସ୍କୃତ ଠାରୁ ଓଡ଼ିଆ ଭାଷାର ଏକ ଭିନ୍ନତା ଅଛି ବୋଲି ତ ତାକୁ ଏକ ମୌଳିକ ଭାଷାର ମାନ୍ୟତା ମିଳିଛି

କେହି କେହି ସଂସ୍କୃତ ପଣ୍ଡିତ କୁହନ୍ତି
ସଂସ୍କୃତ ଭାଷାରୁ ସବୁଭାଷାର ଜନ୍ମ
ଏମନ୍ତ କହି ସେମାନେ ଅନ୍ୟ ପ୍ରାଚୀନ ଭାଷାଗୁଡିକ ର ମୌଳିକତା ଉପରେ ପ୍ରଶ୍ନଵାଚୀ ସୃଷ୍ଟି କରୁଛନ୍ତି ।
ପ୍ରକୃତରେ ଆଜିର ମାନକ ସଂସ୍କୃତ ନୁହେଁ ଵରଂ
ମୂଳ ଆର୍ଯ୍ୟଭାଷା ହିଁ ଅଧିକାଂଶ ଭାରତୀୟ ଭାଷାର ମୂଳ । ପରେ ସେଇ ମୂଳ ଆର୍ଯ୍ୟଭାଷାକୁ ମଧ୍ୟରେ ରଖି ତହିଁ ରେ ଭାରତର ବିଭିନ୍ନ ପ୍ରାକୃତ ଭାଷାରୁ ଶବ୍ଦ ନେଇ ମାନକ ସଂସ୍କୃତ ର ସୃଷ୍ଟି ହୋଇଥିଵା ଅଧିକାଂଶ ଭାଷାଵିଦ ମତ ଦେଇଥାନ୍ତି ।

କେହି କେହି କହିଵେ ଯେ
ଯେହେତୁ ସଂସ୍କୃତ ରେ
ବିରୁଦ୍ଧ ର ଵ୍ୟଵହାର ବିଶେଷ୍ୟ ଭାଵରେ ଵ୍ୟଵହାର ଅଛି ତେଣୁ ତା’ର ଓଡ଼ିଆ ଭାଷାରେ ଵ୍ୟଵହାର ଦୋଶଯୁକ୍ତ ନୁହେଁ ବୋଲି
ଆମ୍ଭେ ମଧ୍ୟ ବିରୁଦ୍ଧରେ ଲେଖିବା
ତେବେ ଏଠାରେ ଆମକୁ।ଅନୁସନ୍ଧାନ କରିବାକୁ ହେବ ଯେ ଓଡ଼ିଆ ଭାଷାରେ ବିରୁଦ୍ଧ ଶବ୍ଦ ର ବ୍ୟବହାର ପ୍ରାଚୀନ ସାହିତ୍ୟ ରେ ବିଶେଷ୍ୟ ଶବ୍ଦ ଭାବରେ ହୋଇଛି କି ?
ଯଦି ହଁ ତେବେ ଯାଇ
ବିଶେଷ୍ୟ ଭାବରେ ବିରୁଦ୍ଧ ଶବ୍ଦ ର ବ୍ୟବହାର କୁ ଓଡ଼ିଆ ଭାଷାରେ ଗ୍ରହଣୀୟ କରାଯାଇପାରିବ ....

Monday, January 22, 2018

●କଟକ ଶବ୍ଦ :- ଏକ ଆଲୋଚନା●

କଟକ ଶବ୍ଦ ର ନିରୁକ୍ତୀ=>
କଟ=ବେଷ୍ଟନ କରିବା+କର୍ତ୍ତୃ. ଅକ

ଏ ଶବ୍ଦ ର ସଂସ୍କୃତ ବିଶେଷ୍ୟ  ହିସାବ ରେ
ଯେଉଁ ଅର୍ଥ ସବୁ ଭାଷାକୋଷ ରେ
ଅଛି ତାହା ଏଠାରେ ଦିଆଗଲା ....

୧●ସାନୁ; ପର୍ବତର ମଧ୍ୟଦେଶ★
୨● ବଳୟ; ହାତଖଡ଼ୁ
୩●ଗୋଡ଼ଖଡ଼ୁ
୪●ଚକ୍ର ★
୫● ନଗର; ରାଜଧାନୀ★
୬●ସୈନ୍ୟ★
୭● ଛାଉଣୀ; ସେନାନିବାସ; ଶିବିର★
୮●ସୈନ୍ୟରକ୍ଷିତ ରାଜଧାନୀ★
୯● ସୈନ୍ଧବ ଲବଣ; ସାମୁଦ୍ରିକ ଲବଣ
୧୦●ଗଜଦନ୍ତମଣ୍ଡନ ବଳୟ
୧୧●ନିଷ୍ଠୀବନ;ଛେପ

★ଦେ. ବି.ଓଡ଼ିଶାବିଭାଗ ମୋଗଲବନ୍ଧିର ଗୋଟିଏ ଜିଲା ଓ ସହର; ଓଡ଼ିଶାର 【1000 ବର୍ଷ ର ପୁରାତନ ପ୍ରଶିଦ୍ଧ 】 ରାଜଧାନୀ; ବାରାଣସୀ କଟକ ନଗରୀ★

ସଂସ୍କୃତ ବିଶେଷଣ କଟକ ଶବ୍ଦ ର ଅର୍ଥ
【କଟ ଦ୍ବିତ୍ନ—ପ୍ରକାରାର୍ଥେ】
୧●ଅତ୍ୟନ୍ତ; ଅଭିଶପ୍ତ
୨●ସର୍ବୋତ୍କୃଷ୍ଟ★

■→କଟକ ଶବ୍ଦ ର ମୂଳ କଟ ଶବ୍ଦ ର ମଧ୍ୟ ଅନେକ ଅର୍ଥ ଅଛି
ଏହାର ନିରୁକ୍ତୀ→
–କଟ୍ ଧାତୁ=ବର୍ଷଣ କରିବା; ଆଚ୍ଛାଦନକରିବା+କର୍ତ୍ତୃ. ଅ

■କଟ ଶବ୍ଦର ଅର୍ଥ→
●୧ ହସ୍ତୀର ଗଣ୍ଡଦେଶ
●୨ପିଚା; ଶ୍ରେଣୀ; କଟିପ୍ରଦେଶ
●୩ କଡ଼; ଏକପ୍ରାନ୍ତ
●୪ କ୍ରିୟାକାର; ଚାକର
●୫ ନୁତନ ଛାତ୍ର
●୬ ତୃଣବିଶେଷ
●୭ ଏକ ପ୍ରକାର ର ଗଛ
●୮ତୃଣାଦି ନିର୍ମିତ ଆସନ ବା ପଟି; ମୁନ୍ଦୁରା; ବାଉଁଶ ପାତିଆ ନିର୍ମିତ ଛାଞ୍ଚ ବା ଛାପା
●୯ ବାଣ; ଶର —
●୧୦ ତୃଣନିର୍ମିତ ପରଦା ବା ତାଟି ★
●୧୧ ତୃଣନିର୍ମିତ ରଜ୍ଜୁ
●୧୨ ଶବ★
●୧୩ (+କରଣ .ଅ) ଶବରଥ; କୋକେଇ — ●୧୪ ତକ୍ତା; ପଟା
●୧୫ କଣ୍ଟ; ସମୟ; ମିଆଦ
●୧୬ (+ଭାବ. ଅ)—ଅଭିଶୟ —
●୧୭ (+ଅଧିକରଣ. ଅ)—ଶ୍ମଶାନ★
●୧୮: ଅସୁରବିଶେଷ —୧୮

ଏକ ଦେଶଜ ବିଶେଷ୍ୟ ହିସାବରେ କଟ ଶବ୍ଦ ର ଅର୍ଥ→
●୧ ଖେଳିବା କଉଡ଼ି ଏକ କଡ଼ା
●୨ କଟବନ୍ଧକ (ଋଣ ମାମଲାର ଏକପ୍ରକାର ର ଆବଦ୍ଧପତ୍ର ବା ଚୁକ୍ତିନାମା)
●୩ କଟକବାଲା (ଫାର୍ସୀ=କଟ୍ କଓ୍ବଲା)

କଟ ଶବ୍ଦ ର ବୈଜ୍ଞାନିକ ମୂଳ ହେଉଛି
କଟ୍ ଧାତୁ
ଏହାର କେତେକ
ଅର୍ଥ
୧.ବେଷ୍ଟନ କରିବା ★
୨.ବର୍ଷଣ କରିବା ★
୩.ଗମନ କରିବା ★

◆◆◆◆◆◆◆◆◆◆◆◆◆◆◆◆
◆◆◆◆◆◆◆◆◆◆◆◆◆◆◆◆
→ଏ ନଗରୀ ଚକ୍ରାକାର ,ସୈନ୍ୟ ନିବାସ ଏବଂ
ପୂର୍ବ ଭାରତର ସେ ସମୟରେ ସର୍ବୋତ୍କୃଷ୍ଟ
ନଗରୀ ଥିଲା ବୋଲି ବୋଧହୁଏ ଏହାର
ଏଭଳି ନାମକରଣ ହୋଇଅଛି ।

→କଳିଙ୍ଗୋତ୍କଳର ଚରମୋତ୍କର୍ଷ କାଳରେ ଏ ନଗରୀରେ ଶତ୍ରୁମାନେ ନିହତ ହୋଇ ଶବରେ ପରିଣତ ହୋଇଯାଉଥିଲେ ଏ ନଗରୀ ସେମାନଙ୍କ ଶବରେ ଶ୍ମଶାନ ସମ ଦୃଷ୍ଟ ହେଉଥିଲା ।

→ଏ ନଗରୀକୁ ଚତୁଃପାଶ୍ୱର୍ରେ
ପ୍ରାକୃତିକ ପରିଖା ଘେରି ରହିଥିଲା
ପୁଣି ଏହାର ଚାରିପଟେ ଗୋଟିଏ ବନ୍ଧ ଘେରି ରହିଥିଲା ।

→ଏ ନଗର ନିଜର ପରମୋତ୍କର୍ଷ କାଳରେ
ଶ୍ରୀଲାଭର ମୂଳ କେନ୍ଦ୍ର ଥିଲା । ପୁଣି କଟକ ସହରର ଅନ୍ୟ ନାମ ବାରଣାସୀ କଟକ ମଧ୍ୟ ପ୍ରଶିଦ୍ଧ । ଭାରତବର୍ଷରେ ଯେଉଁ ଯେଉଁ ସ୍ଥାନରେ ଆଗେ ମୁଖ୍ୟ ଶିକ୍ଷାକେନ୍ଦ୍ର ଥିଲା ସେସବୁ ନଗରକୁ ବାରଣାସୀ ଉପାଧି ମିଳିଥିଲା ।
ତେଣୁ ଏଠାରେ ଧନ,ଜ୍ଞାନ ଓ ବିଦ୍ୟା  ବର୍ଷଣ ହେଉଥିଲା
ଫଳତଃ ବିଭିନ୍ନ ଜାତିର ଲୋକେ ଏଠାକୁ
ଧନ,ଜ୍ଞାନ ଓ ବିଦ୍ୟା ଲାଭ ଆଶାରେ ଗମନ କରୁଥିଲେ......

◆◆◆◆◆◆◆◆◆◆◆◆◆◆◆◆
◆◆◆◆◆◆◆◆◆◆◆◆◆◆◆◆

ଦ୍ରଷ୍ଟବ୍ୟ:-କଟକ ଓଡ଼ିଶାର କେଶରୀବଂଶ ଅମଳରୁ ଓଡ଼ିଶାର ରାଜଧାନୀ ହୋଇରହିଥିଲା 19 ମସିହାର ମଧ୍ୟ ଭାଗଯାଏଁ ।
ଐତିହାସିକ ମାନଙ୍କ ମତରେ
ନୃପକେଶରୀ ୯୧୪: ଖ୍ରୀଷ୍ଟାବ୍ଦରେ ଏ ନଗର ସ୍ଥାପନା କରିଥିଲେ । କଟକ ନଗର ମହାନଦୀ ଓ କାଠଯୋଡ଼ି ର ମଧ୍ୟ ତ୍ରିକୋଣସ୍ଥଳରେ ଅବସ୍ଥିତ ତେଣୁ ଏହାର ତିନିଆଡ଼ ପ୍ରାକୃତିକ ପରିଖା
ଦ୍ବାରା ବେଷ୍ଟିତ ଥିଲା ।
କିନ୍ତୁ ଏଠାରେ ବନ୍ୟା ର ବିପଦ ରହିଥିଲା ।ବନ୍ୟା ରୁ ନଗର ଓ ନଗରବାସୀଙ୍କୁ ରକ୍ଷାର୍ଥେ  କେଶରୀବଂଶର ରାଜା ମରକତକେଶରୀ ମହାନଦୀ ଓ କାଠଯୋଡ଼ିକୁଳରେ ଏକ ସୁଦୃଢ ପଥର ବନ୍ଧ ନିର୍ମାଣ କରିଥିଲେ ।
କଟକ ସହର ନିର୍ମାଣ କୁ ନେଇ ବାଇମୁଣ୍ଡି ଙ୍କ କିମ୍ଵଦନ୍ତୀ ପ୍ରଶିଦ୍ଧ ଅଛି ।
କୁହାଯାଏ କଟକ ସହରକୁ ବନ୍ୟା ରୁ ରକ୍ଷା କରିବା ପାଇଁ ସର୍ବପ୍ରଥମେ ବାଇମୁଣ୍ଡି ହିଁ ମର୍କତ କେଶରୀଙ୍କୁ ଅନୁରୋଧ କରିଥିଲେ ଏବଂ ଖାଲି ଅନୁରୋଧ କରିନଥିଲେ ସେ ନିଜର
ସମସ୍ତ ଅର୍ଥ ମଧ୍ୟ ରାଜାଙ୍କୁ ପ୍ରଦାନ କରିଥିଲେ ।

           .........ଆଜିର କଟକ.......
ବହୁତ କିଛି ହରେଇ ସାରିଛି
ବୀର ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ମାଟି କଟକ ନଗର....
ଟିକିଏ ବରଷା ହେଲେ ସହରରେ ପାଣି ପସିଯାଉଛି ।
CMC ର ଅବହେଳା ଯୋଗୁଁ  ସହର କେତେକ ଅଂଶରେ ଅଳିଆ ପଡିରହୁଛି ।
ସହରର ବିଭିନ୍ନ ବଜାରର ନାମକରଣ
ମୋଗଲକାଳରୁ ବୈଦେଶିକ ଶବ୍ଦ ଆହାରଣରେ
ହୋଇଛି ଯାହା ମୂଳ ସନାତନୀ-ଉତ୍କଳୀୟ ସଂସ୍କୃତି ର ବିପରୀତ ।
ସବୁଠାରୁ ବଡ଼ ଦୁଃଖ ଜଣେ କଟକିଆ ପାଇଁ
1000 ବର୍ଷର ରାଜଧାନୀ ତା’ର ଗୌରବମୟ
ପାହ୍ୟା ହରାଇଛି ।
କିନ୍ତୁ ନାନାଦି ଅସୁବିଧା ସତ୍ତ୍ୱେ ଏ ନଗର ଆଜିବି
ବଞ୍ଚି ରହିଛି
ଆଉ ବଞ୍ଚି ରହିଥିବ ଯେତେଦିନ ଯାଏଁ
ମର୍କତକେଶରୀ-ବାଇମୁଣ୍ଡି ଆଉ ସେସମୟର
ମିସ୍ତ୍ରୀ ମାନଙ୍କ ଦ୍ବାରା ଗଢାଯାଇଥିବା
କାଠଯୋଡ଼ି ବନ୍ଧର ଗୋଟିଏ ପଥର
ସେ ସହର ରକ୍ଷାର୍ଥେ ପିଠି ଦେଖେଇ ଠିଆ ହୋଇଥିବ

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...