Thursday, January 18, 2018

ଉତ୍କଳ ସଂଗୀତ-ଭକ୍ତକବି ମଧୁସୂଦନ ରାଓ

ବାରେ ଡାକ ହେ ଉତ୍କଳ ସୁତେ
ମା ଉତ୍କଳଭୂମି ଜନନୀ
ପାନ କର ମା-ନାମ-ଅମୃତେ
ଗାଅ ମା ମା ରଜନୀ

ବାରେ ଚିନ୍ତ ପ୍ରେମ ଭକ୍ତିଭରେ
ଜନନୀ ବିଭବ ଗୌରବେ
ଜନନୀ ଜନ୍ମଭୂମି ପୟରେ
ବନ୍ଦ ହେ ଜୟ ଜୟ ରବେ

ଧର୍ମକ୍ଷେତ୍ର ଉତ୍କଳ ର ଜୟ
ଯୁଗ ଯୁଗ ବ୍ୟାପୀ ଭାରତେ
ବୌଦ୍ଧ ଗୁମ୍ଫା ବୌଦ୍ଧ କୀର୍ତ୍ତିଚୟ
ରାଜଇ ପର୍ବତେ ପର୍ବତେ ।

୪.

ଶୈବତୀର୍ଥ ଶ୍ରୀଭୂବନେଶ୍ଵର
ନିରୁପମରୂପେ ବିରାଜେ
ଶତ ଶତ ମନ୍ଦିର ସୁନ୍ଦର
ଶୋଭଇ ଅପରୂପ ସାଜେ

ଶୁଭସ୍ତମ୍ଭ ବୈତରଣୀ ତଟେ
ଦେଖ ହେ ନୟନ ବିସ୍ଫାରି;
ବିରାଜିତ ତୁଙ୍ଗେ ବ୍ୟୋମପଟେ
ଉତ୍ସାହ ଅଭୟ ସଞ୍ଚାରି ।

ନିରେଖ ହେ ମହୋଦଧି ତୀରେ
ନୀଳାଚଳ ଧାମେ ଶ୍ରୀକ୍ଷେତ୍ରେ
ହିନ୍ଦୁହୃଦ ଆକୁଳ ଅଧୀରେ
ଦେଖିବାକୁ ଯେ ଧାମ ନେତ୍ରେ ।

ସ୍ମର ବାରେ ହେ ଉତ୍କଳବାସୀ
କୋଣାର୍କ ଶିଳା ଶିଳ୍ପ ରତ୍ନେ
ଆହା କି ମୋହନ ରୂପ ରାଶି
ଉନ୍ମାଳିତ ଶିଳ୍ପୀ ର ଯତ୍ନେ ।

ଏହି ସେହି ଉତ୍କଳ ଧରିତ୍ରୀ
ଯହିଁ ଧୌଳୀ,ଜୌଗଡ଼ ରାଜେ
ଶିଳାକ୍ଷରେ ଯହିଁ ଜୀବେମୈତ୍ରୀ
ଘୋଷିତ ଅଶୋକ ସାମ୍ରାଜ୍ୟେ

ଏହି ସେହି ଉତ୍କଳ-ଧରଣୀ
ଯହିଁ ହରିନାମ ପ୍ରଚାରି,
ଦେଖାଇଲେ ଭକତି-ସରଣୀ
ଶ୍ରୀ ଚୈତନ୍ୟ ପ୍ରେମ ଭିଖାରୀ ।

୧୦
ମହାନଦୀ-ବ୍ରାହ୍ମଣୀ-ସେବିତ ।
ସୁବର୍ଣ୍ଣରେଖା-ଋଷିକୂଲ୍ୟା
ବୈତରଣୀ-ପ୍ରବାହ ପ୍ଲାବିତ
ଉତ୍କଳା-ସୁଷମା-ଅତୁଲ୍ୟା ।

୧୧

ମହୋଦଧି ଦିଗନ୍ତ ବିସ୍ତାରି
ଚିଲିକା ହ୍ରଦ ଜଳରାଶି
ଅଟବୀ-ଅଚଳ-ବ୍ରଜଧାରୀ
ଉତ୍କଳ ଚିତ୍ତ ଉଲ୍ଲାସୀ ।

୧୨

ଶିଳାବନ୍ଧବେଷ୍ଟିତ କଟକେ
ଭଗ୍ନ ବାରବାଟୀ ଅଦୂରେ
ସ୍ମର ବାରେ କଳ୍ପନା-ଛଟକେ
ପୂରୁବ ଯଶୋଧନ ଶୂରେ ।

୧୩
ପୂରୁବ ଉନ୍ନତ ପଦଭ୍ରଷ୍ଟ
ହେ ଉତ୍କଳ ନବ୍ୟ ସମାଜ !
ଉତ୍କଳ ର କି ଦୁର୍ଗତି କଷ୍ଟ
ଉତ୍କଳୀୟେ ଦେଖ ହେ ଆଜ ।

୧୪

ଆଜି ଝାଡ଼ଖଣ୍ଡ ଜନପଦ
ଭଞ୍ଜ ଭୂମି ଆଦି ବିରାଜେ,
ପୁରାତନ ଗୌରବ ସମ୍ପଦ
ଚିତ୍ରମାତ୍ର ଓଡ୍ରସମାଜେ ।

୧୫
ଏବେ ଦେଖ ବ୍ରିଟିଶ ସୁରାଷ୍ଟ୍ରେ
ଧୀରେ ଲଭି ନବ ଚେତନା
ପଞ୍ଜାବରେ ବଙ୍ଗେ ମହାରାଷ୍ଟ୍ରେ
ଲାଗିଛି କର୍ମର ସାଧନା ।

୧୬

ଅଳସ ନିଶ୍ଚେଷ୍ଟ ମ୍ରିୟମାଣ
ଉତ୍କଳୀୟେ ନରୁହ ଆଉ,
କର୍ମର ସାଧନେ ଦିଅ ଦିଅ ପ୍ରାଣ,
ଲାଜ ହୀନତା ଚାଲିଯାଉ ।

୧୭

ଅରଜ ହେ କର୍ମର ସମ୍ପଦ,
‛କର୍ମ ହିଁ ଧର୍ମ’ ମନ୍ତ୍ର ଜପି
ହୁଅ ସତ୍ୟଜ୍ଞାନ-ବିଶାରଦ
ବଳ ବୁଦ୍ଧି ସର୍ବ ଅରପି ।

୧୮

ଜ୍ଞାନ-କର୍ମ-ତପସ୍ୟା ର ବଳେ
ଏ ଭାରତ-ମହୀ-ମଣ୍ଡଳେ
ଜିଣି ସିଦ୍ଧି ଭବରଙ୍ଗ ତଳେ
ଉଜ୍ଵଳ କର ହେ ଉତ୍କଳେ ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...