(ରାଗ★କେଦାର କାମୋଦୀ★)
ଫୁଟିଛି ବନେ ବନ ମାଳତି ଯାତି
ମାଧବୀ କୁରୁବେଲୀ ମଲ୍ଲିକା ଭାତି
ଗଙ୍ଗଶିଉଳୀ ଗନ୍ଧରାଜ ପାଟଳୀ
ଜଳେ ଜଳଜ କୁମୁଦିନୀ ଶିଉଳୀ ।।୧।।
କାହା ମୁଖକୁ ଚାହିଁ କାହା ପ୍ରେମରେ
ମୋହିତ କରି ବନ ସୌରଭଭରେ
ଗରବେ ଫୁଟି ଦୋଲୁ଼ଛନ୍ତି ପବନେ
ନୀରବେ ପ୍ରେମ ଭରେ ଆପଣା ମନେ ।।୨।।
ନୀରବେ ଅସ୍ତ ଯାଏ ମରୀଚି଼ମାଳୀ
ନୀରବେ ନୀଡେ଼ ଲୀନ ବିହଗଆଳି
ନୀରବେ ମାଡି଼ ଆସୁ ଅଛି ଅନ୍ଧାର
ନିଶି ନୀରବେ ଆଜ୍ଞା ପାଳେ କାହାର ।।୩।।
କରନ୍ତି ଛଲମଲ ନଭେ ତାରକା
ବିଧୁକିରଣେ ଶୋଭେ ରଜନୀ ରାକା
ବିସ୍ତାରି ସୌନ୍ଦର୍ଯ୍ୟକୁ ନୀଳ ଆକାଶ
ନୀରବ ପ୍ରେମେ କରି ଜ୍ୟୋତି ପ୍ରକାଶ ।।୪।।
ଟେକିଛି ଅଭ୍ରଭେଦି ମସ୍ତକ ଗିରି
ମଣ୍ଡିତ ଲତାବୃକ୍ଷେ ଅପୂର୍ବ ଶିରି
ଲମ୍ଵିଛି ନିର୍ଝରରେ ନିର୍ଝର ହାର
ନୀରବେ ପ୍ରେମ ଆଜ୍ଞା ପାଳି କାହାର ।।୫।।
ବୋଲଗୋ ଉଷେ ମୋତେ ବୋଲ ସ୍ଵରୂପ
କାହୁଁ ପାଇଲ ଏହି ଅରୂପ ରୁପ ଗୋ
ମଣ୍ଡିଛ ସ୍ଵର୍ଣ୍ଣବର୍ଣ୍ଣେ ପୂର୍ବ ଦିଗକୁ
ନୀରବେ ପ୍ରେମେ ଚାହିଁ କାହା ମୁଖକୁ ଗୋ ।।୬।।
ଅଦୃଶ୍ୟ ପ୍ରଣଦାୟୀ ଯଥା ସମୀର
ନୀରବେ ବହେ ପ୍ରେମ ସାଗର ନୀର ଯେ
ନୀରବେ ଶୂନ୍ୟେ ଗ୍ରହଗଣ ପ୍ରକାଶ
ନୀରବେ ସୃଷ୍ଟି ସ୍ଥିତି ନୀରବେ ନାଶ ଯେ ।।୭।।
ବିଦ୍ର:- ବ୍ୟାସକବି ଫକୀରମୋହନ ସେନାପତି ଙ୍କର ପୁଷ୍ପମାଳା କବିତା ପୁସ୍ତକରୁ ଏହି ଗୀତିକବିତାଟି ସଂଗୃହିତ କରାଗଲା ।
No comments:
Post a Comment