Monday, May 27, 2024

•ପୂର୍ଣ୍ଣଚନ୍ଦ୍ର ଭାଷାକୋଷ: ଅଭିଧାନ ନୁହେଁ ଭାଷାକୋଷ•

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଶହେ ଵର୍ଷ ତଳର ଭାଷାକୋଷ । ଜଣେ ଓଡ଼ିଆ ଭାଷାପ୍ରେମୀ ଚାଳିଶ ଵର୍ଷ ଆକ୍ଳାନ୍ତ ପରିଶ୍ରମ କରି ଏହାକୁ ସଂକଳନ କରିଛନ୍ତି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଏକ ମହାନ ଭାଷାକୋଷ, ଏହାକୁ ଅଭିଧାନ କହି ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କର ଅପମାନ କରିଵା ଠିକ୍ ନୁହେଁ । ଭାଷାକୋଷ ସମ୍ରାଟ ହେଲେ ଅଭିଧାନ କୌଣସି ଏକ ଗ୍ରାମର ଜମିଦାର ତୁଲ୍ୟ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ ଅଭିଧାନ କହିଵା ଯାହା ସୂର୍ଯ୍ୟଙ୍କୁ ଦୀପ କହିଵା ସେଇଆ । ଭାଷାକୋଷ,ଶବ୍ଦକୋଷ ଓ ଅଭିଧାନ ମଧ୍ୟରେ ଅନେକ ଅନ୍ତର ରହିଛି । ଅଭିଧାନରେ କେଵଳ ଗୋଟିଏ ଭାଷାର କେତେକ ପ୍ରଚଳିତ ଶବ୍ଦ ଓ ତହିଁର ସଂକ୍ଷିପ୍ତ ଅର୍ଥ ହିଁ ଉଲ୍ଲେଖ ଥାଏ । ଶବ୍ଦକୋଷରେ ଗୋଟିଏ ଭାଷାର ଅଭିଧାନଠାରୁ କିଛିଟା ଅଧିକ ଶବ୍ଦ ଥାଏ ଏଵଂ ତହିଁର ଅର୍ଥ ସାମାନ୍ୟ ବୁଝାଇ ଲେଖାଯାଇଥାଏ । ଅଭିଧାନରେ କେଵଳ ମାନକ ଶବ୍ଦଗୁଡ଼ିକ ରହିଥାଏ, ଶବ୍ଦକୋଷରେ ଅଳ୍ପ ବହୁତ ଗୋଟିଏ ଶବ୍ଦର ଗୋଟିଏ ଦୁଇଟି ଶବ୍ଦ ରୂପ ସ୍ଥାନ ପାଏ କିନ୍ତୁ ଭାଷାକୋଷରେ ଗୋଟିଏ ଶବ୍ଦର ନାନାରୂପକୁ ସମାନ ରୂପେ ସ୍ଥାନ ମିଳିଥାଏ । ଗୋଟିଏ ଭାଷାକୋଷରେ ଵିଭିନ୍ନ ଅଞ୍ଚଳର ଉଲ୍ଲେଖ ସହିତ ସେସବୁ ଅଞ୍ଚଳର ସ୍ଥାନୀୟ ଶବ୍ଦଗୁଡ଼ିକୁ ସ୍ଥାନ ଦିଆଯାଇଥାଏ। ଏ ଦୃଷ୍ଟିରୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଏକ ଅଭିଧାନ ନୁହେଁ ଭାଷାକୋଷ । ଭାଷାଵିଦ ଡାକ୍ତର ଦେଵାଶିଷ ଜ୍ୟେଷ୍ଠୀ ମହାଶୟ କୁହନ୍ତି ଭାଷାକୋଷର ଇଂରାଜୀ ପ୍ରତିଶବ୍ଦ lexicon ହୋଇପାରେ । ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଯେକୌଣସି ଭାଷାର lexicon ଅପେକ୍ଷା ଅଧିକ ଉଚ୍ଚମାନର ତଥ୍ୟ ରହିଛି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଗୋଟିଏ ଶବ୍ଦର ଅର୍ଥ, ଏହାର ଅନ୍ୟରୂପ,ନିରୁକ୍ତି,ଵ୍ୟୁତ୍ପତ୍ତି,ଵ୍ୟାଖ୍ୟା, ସାଂସ୍କୃତିକ ମହତ୍ତ୍ଵ,ଅନ୍ୟ ଭାଷାର ସମାର୍ଥକ ପ୍ରତିଶବ୍ଦ ଆଦି ଅନେକ ତଥ୍ୟ ରହିଛି । ପାଦପ ଓ ଜୀଵଙ୍କର ଅନେକ ପର୍ଯ୍ୟାୟଵାଚକ ଶବ୍ଦ ତଥା ଵୈଜ୍ଞାନିକ ନାମର ଉଲ୍ଲେଖ ଅଛି । ଅନେକ ଶବ୍ଦର ପ୍ରବନ୍ଧ ସାମ୍ୟ ଦୀର୍ଘ ଦ୍ରଷ୍ଟଵ୍ୟ ଯୋଡ଼ାଯାଇଛି । ଢଗଢମାଳି,ପ୍ରଵାଦ,ପ୍ରଵଚନ ଆଦି ଲୋକଵାଣୀ ଓ ଅନେକ ଲୋକକଥା ମଧ୍ୟ ସ୍ଥାନ ପାଇଛି । ତେଣୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ ଶାବ୍ଦିକ ଜ୍ଞାନକୋଷ କହିଵା ଯୁକ୍ତିଯୁକ୍ତ ହେଵ । 

ତରୁଣ ଶବ୍ଦକୋଷ ଏକ ଶବ୍ଦକୋଷ କିନ୍ତୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଏକ ଭାଷାକୋଷ । ତରୁଣ ଶବ୍ଦକୋଷ କେବେବି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ସ୍ଥାନ ନେଇପାରିଵ ନାହିଁ କାରଣ ଭାଷାକୋଷର ଗୁଣ ଓ ଉପାଦେୟତା ଦୃଷ୍ଟିରୁ ଆଜି ବି ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅଦ୍ୱିତୀୟ। ହଁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଅନେକ ଭୁଲ୍ ତଥ୍ୟ ରହିଛି । ଉଦାହରଣ ସ୍ୱରୂପ ଅଵର୍ଗ୍ୟ 'ଵ'ସମ୍ବନ୍ଧରେ ଦ୍ଵିସ୍ଵର 'ୱ' ଵିଷୟକ ଦ୍ରଷ୍ଟଵ୍ୟରେ କେତେକ ଭ୍ରମାତ୍ମକ ତଥ୍ୟ ଦିଆଯାଇଛି । ଗୁଡ଼ିଏ ପାଦପର ଭୁଲ୍ ଵୈଜ୍ଞାନିକ ନାମର ଉଲ୍ଲେଖ ଅଛି । ଆଧୁନିକ ଯୁଗରେ କେତେକ ନୂତନ ଶବ୍ଦ ଯୋଡ଼ାଯିଵା ତଥା ପୁରୁଣା ଶବ୍ଦର ନୂଆ ଆଧୁନିକ ଅର୍ଥ ଯୋଡ଼ାଯିଵାର ବି ଆଵଶ୍ୟକତା ଅଛି । ଏଇ ଯେମିତି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ସଂକଳନ ସମୟରେ 'ଦୂରଦର୍ଶନ' ଶବ୍ଦର କେଵଳ ପୌରାଣିକ ଅର୍ଥ ହିଁ ରହିଥିଲା କିନ୍ତୁ ଆଜିକାଲି ଏ ଶବ୍ଦଟି television ଅର୍ଥରେ ମଧ୍ୟ ପ୍ରୟୋଗ ହେଉଅଛି। ତେଣୁ ଆଧୁନିକ ଯୁଗକୁ ଦୃଷ୍ଟିରେ ରଖି ଜଣେ ଵା ଏକାଧିକ ଯୋଗ୍ୟ ଵ୍ୟକ୍ତି ଯଦି ଵିଶେଷ ଚେଷ୍ଟା ଓ ଅଦମ୍ୟ ଇଚ୍ଛା କରନ୍ତି ତାହେଲେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ନୂତନ ସଂସ୍କରଣ ହୋଇପାରନ୍ତା ।

No comments:

Post a Comment

ମାଧଵ ଭଗିଆ ସମ୍ବାଦ(ବାତରା ଓ ଆଳୁବାତରା) —୩

 ହାଟ ଆଡ଼ୁ ଭଗିଆ ଫେରିଲାବେଳେ ତା'ର ମାଧଵ ଓରଫ୍ ମାଧିଆ ସହିତ ଗାଆଁ ଚାନ୍ଦିନୀଠିଁ ଭେଟ ହୋଇଗଲା । ମାଧଵ ସେଠି ଇଲେକ୍ସନ ଖେଳ(ଏକ ଜାତୀୟ ତାସ୍ ଖେଳ)ରେ ବସି ଦି ଦଳଙ୍...