ଆଚ୍ଛା ନବବାବୁ ମୁଖ୍ୟମନ୍ତ୍ରୀ ଥିଵାବେଳେ ଅନୁଗୁଳର ରନ୍ତଲେଇ ଗ୍ରାମରେ ଜଣେ ବାବା ଜାତ ହେଲେ ତାଙ୍କ ନାଆଁ ଥିଲା ନେପାଳୀବାବା । ପ୍ରକୃତରେ ବାବାଙ୍କ ନାଆଁ ନେପାଳ ଏଵଂ ସେ ନେପାଳଵାସୀ ନୁହନ୍ତି। ଗାଆଁ ଲୋକେ ସ୍ନେହରେ ନେପାଳୀ ନେପାଳୀ ଡାକୁଥିଲେ ତହୁଁ ଭକ୍ତଙ୍କ ମଧ୍ୟରେ ବି ସେଇ ନାମ ପ୍ରସିଦ୍ଧ ହେଲା । ନେପାଳୀବାବାଙ୍କ ଜନ୍ମ ସମୟରେ ଅନୁଗୁଳ ସହର ନିକଟରେ ଥିଵା ଏହି ରନ୍ତଲେଇ ଗାଆଁଟି ଏକ ଅଖ୍ୟାତ ପଲ୍ଲୀ ଥିଲା । ନେପାଳ ଯେତେବେଳେ ନେପାଳୀ ବାବା ଖ୍ୟାତ ହେଲେ ସେତେବେଳେ ଏହି ଗାଁକୁ କିଏ ରନ୍ତୁଲେଇ କହିଲା,କିଏ ରନ୍ତଲାଇ ତ ଆଉ କିଏ ରାମତଲାଇ କହିଲା । ନେପାଳଙ୍କ ବାପା ଥିଲେ ନଟବର ସାହୁ ଏଵଂ ଜାତିରେ ଚଷା । ତାଙ୍କର ତିନିପୁଅ ମଧ୍ୟରେ ବଡ଼ ଗୋଵର୍ଦ୍ଧନ, ମଝିଆ ଗୋପାଳ ଓ ସବା ସାନ ଥିଲେ ନେପାଳ । ସାନପୁଅ ନେପାଳର ଜନ୍ମ ୧୯୩୭ ମସିହାରେ ହୋଇଥିଲା । ରନ୍ତଲେଇ ଗାଁ ମୁଣ୍ଡରେ ଗୋଟିଏ ପୋଖରୀ, ପୋଖରୀର ନାଆଁ ବାବାଜୀ ବନ୍ଧ । ମଣିଦାସ ବୋଲି ଜଣେ ସାଧୁ ଏହି ପୋଖରୀଟି ଖୋଳିିଲେ । ନେପାଳ ବାରଵର୍ଷ ଵୟସରେ ମେଣ୍ଢା ଚରାଉଥାନ୍ତି(ନିଜ ଯୁଵାଵସ୍ଥାରେ ପଠାଣଙ୍କ ଆଦି ପ୍ରଵର୍ତ୍ତକ ମୋହମଦ ବି ମେଣ୍ଢା ଚରାଉଥିଲେ) । ତହୁଁ ନେପାଳ ଦିନେ ଅସୁସ୍ଥ ହୋଇପଡ଼ି ପୋଖରୀ ହୁଡ଼ାରେ ଥିଵା ଅଶ୍ୱତ୍ଥ ଗଛତଳେ ନିଦ୍ରାଗଲେ । ସେଠାରେ ସେ ଏକ ଅଦ୍ଭୁତ ସ୍ୱପ୍ନ ଦେଖିଲେ । ସ୍ୱପ୍ନରେ ଜଣେ ସାଧୁ ତାଙ୍କୁ ଦର୍ଶନ ଦେଇ କହିଲେ, "ତୁମେ ନିଶ୍ଚୟ ଆରୋଗ୍ୟ ହେଵ ନେପାଳ ।" କେତୋଟି ଗଛ ଚିହ୍ନାଇ ଦେଇ' ସାଧୁ ହୁକୁମଦେଲେ, "ଏଇସବୁ ଗଛ ସର୍ଵରୋଗର ମହୌଷଧି ।"
ଏହି ଘଟଣାର କିଛିଦିନ ପରେ ନେପାଳଙ୍କୁ ସ୍ୱପ୍ନାଦେଶ ହେଲା ଔଷଧ ଵିତରଣ ପାଇଁ । ନେପାଳ ପ୍ରଥମେ ସାଇପଡ଼ିଶା ଓ ଗାଁରୁ ଔଷଧଦେଵା ଆରମ୍ଭ କଲେ । ଵିଶ୍ଵାସ ବଳରେ ହେଉ ଵା ଶରୀରର ରୋଗପ୍ରତିରୋଧକ ଶକ୍ତି ଯୋଗୁଁ ହେଉ କିଛି ଲୋକେ ତାଙ୍କ ଔଷଧ ନେଇ ଭଲ ହୋଇଗଲେ । ଫଳରେ ନେପାଳ "ନେପାଳୀବାବା" ନାମରେ ପରିଚିତ ହେଲେ । ତାଙ୍କର ମହିମା ଚାରିଆଡ଼େ ଵ୍ୟାପିଗଲା । ଜିଲ୍ଲା, ରାଜ୍ୟ ଏପରିକି ଦେଶର ଵିଭିନ୍ନ ପ୍ରାନ୍ତରୁ ରନ୍ତଲେଇରେ ରୋଗୀମାନଙ୍କର ଭିଡ଼ ବଢ଼ିଗଲା । ଚାରିଆଡ଼ ଲୋକାରଣ୍ୟ । ସେଇ ଗାଁର ଗୌରାଙ୍ଗ ବେହେରା ବୋଲି ଜଣେ ବ୍ୟକ୍ତି ନେପାଳୀବାବାଙ୍କୁ କାନ୍ଧରେ ବସାଇ ଲୋକ ଗହଳିରେ ଔଷଧ ଵିତରଣ କରୁଥାଆନ୍ତି । ସେ କହୁଥିଲେ ରନ୍ତଲେଇରେ ଖର୍ବଖର୍ବ ଲୋକ ଆସି ପହଞ୍ଚିିଥିଲେ । ରେଳଯୋଗେ ଦୈନିକ ମେରାମୁଣ୍ଡଳୀ ଷ୍ଟେସନରେ ପାଞ୍ଚ ହଜାର ଲୋକ ଆସି ପହଞ୍ଚୁଥିଲେ ବୋଲି ସେହି ସମୟର ଉପଲବ୍ଧ ପ୍ରଶାସନିକ ତଥ୍ୟରୁ ଜଣାପଡ଼େ । ସ୍ଥାନୀୟ ଲୋକେ ପାଦରେ, ବଳଦଗାଡ଼ିରେ ତଥା ଅନ୍ୟାନ୍ୟ ଯାନରେ ରନ୍ତଲେଇରେ ଆସି ପହଞ୍ଚୁଥିଲେ । ସୋମଵାର, ମଙ୍ଗଳଵାର ଓ ବୁଧଵାର ସପ୍ତାହର ଏଇ ତିନିଦିନ ଔଷଧ ଦିଆଯାଉଥିଲା । ବହୁ ଲୋକ ଅନ୍ୟ ଦିନରେ ଖରା, କାକର, ଵର୍ଷା, ଶୀତ ସହି ରନ୍ତଲେଇଠାରେ ପଡିରହୁଥିଲେ । ଗାଁ ଲୋକ ଓ ଆରକ୍ଷୀମାନଙ୍କ ସହାୟତାରେ ଲୋକଙ୍କୁ ଧାଡ଼ିରେ ବସାଇ ଔଷଧ ଦିଆଯାଉଥିଲା । ଆରକ୍ଷୀମାନେ ମଧ୍ୟ ଏଠାରେ ଡେରା ପକାଇଥିଲେ । ନେପାଳୀ ବାବା ଧାଇଁଧାଇଁ କରି ଯାଇ କେତେବେଳେ କାହା କାନ୍ଧରେ ବସି ଲୋକଙ୍କ ମେଳରେ ପଶି ଔଷଧ ଵିତରଣ କରୁଥିଲେ । ଜ୍ୱର, ପେଟଵ୍ୟଥା, କୃଷ୍ଣ, ଛୋଟା, ମୂକ ଓ କାଲା ଲୋକମାନେ ଭଲ ହେଵାରେ ଲାଗିଲେ । ଭକ୍ତମାନେ ନାମ ସଂକୀର୍ତ୍ତନରେ ମାତି ନେପାଳୀବାବାଙ୍କର ଜୟଗାନ କରୁଥିଲେ । ଯେତିକି ଲୋକ ଔଷଧ ନେଇ ଫେରୁଥିଲେ ତା’ର ଦଶ ଗୁଣ ଲୋକ ଆସି ସେଠାରେ ଉପସ୍ଥିତ ହେଉଥିଲେ ।
ଲୋକଙ୍କର ପ୍ରଵଳ ଭିଡ଼ ଯୋଗୁଁ ଜଳ ଓ ଆହାରର ସଂକଟ ଦେଖାଦେଲା । ରୋଗୀକୁ ନେଇ ଆସୁଥିଵା ଲୋକେ ସ୍ଵୟଂ ରୋଗୀ ହୋଇ ପ୍ରାଣତ୍ୟାଗ କଲେ । ହଇଜା ଵ୍ୟାପିଲା । ହଇଜା ମହାମାରୀ ରୂପ ଧାରଣକଲା । ଲୋକେ ପୋକମାଛି ପରି ପଡ଼ି ମଲେ । କିଏ କୁଆଡ଼େ ଗଲେ ତା’ର ଗଣନା ମିଳିଲା ନାହିଁ । ସେତେବେଳେ ନବବାବୁ ଥାଆନ୍ତି ମୁଖ୍ୟମନ୍ତ୍ରୀ । ଏପରି ଅସ୍ବାଭାଵିକ ପରିସ୍ଥିତି ଦେଖି ମାଳତୀ ଦେଵୀ ନିଜେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରନ୍ତଲେଇରେ ୧୪୪ ଧାରା ଲଗାଇ ଦେଵା ପାଇଁ ନବ ବାବୁଙ୍କୁ କହିଲେ ।
ନବବାବୁ ମାଳତୀ ଦେଵୀଙ୍କୁ କହିଲେ, "ପ୍ରଶାସନର ଲୋକଙ୍କ ଧର୍ମଵିଶ୍ୱାସରେ ବାଧାଦେଵାର ଅଧିକାର ନାହିଁ । ସମ୍ବିଧାନ କହୁଛି କେହି କାହାରି ଧର୍ମ ଵିଶ୍ବାସ ଉପରେ ବାଧାଦେଇ ପାରିବେ ନାହିଁ।" ମାଳତୀ ଦେଵୀ ରାଗିଯାଇ କହିଲେ, "ନ ପାରିଵ ଯଦି ଇସ୍ତଫା ଦେଇଦିଅ । ଏଭଳି ମାଇଚିଆ ସରକାର ଆମର ଦରକାର ନାହିଁ ।"
ଦିନୁଁ ଦିନ ଅଵସ୍ଥା ଅସମ୍ଭାଳ ହେଲା । ମାଳତୀ ଦେଵୀ ବାଜି ରାଉତ ଆଶ୍ରମରୁ ଜଗାଭାଇ (ଜଗନ୍ନାଥ ପ୍ରସାଦ ଦାସ ) ଓ ଏମ.ଏଲ.ଏ ହୃଷୀକେଶ ତ୍ରିପାଠୀଙ୍କୁ ସାଙ୍ଗରେ ଧରି ଏକ ଜିପରେ ବସାଇ ରନ୍ତଲେଇ ଗ୍ରାମରେ ଯାଇ ପହଞ୍ଚିଲେ । ଜଗାଭାଇ ଯେମିତି ପହଞ୍ଚିଲେ ରାଗ ତମ ତମ ହୋଇ ନେପାଳୀବାବାଙ୍କୁ ଢାଇ କରି ଏକ ଶକ୍ତ ଚାପୁଡ଼ା ଦେଇ କହିଲେ, "ଆବେ ବଦମାସ୍, ବାବା ହୋଇ ହୁକୁମ୍ ଦେଉଛୁ, ଏଣେ ହଜାର ହଜାର ଲୋକ ମଲେଣି ।”
ଜଗାଭାଇଙ୍କ ଚାପୁଡ଼ା ଯେମିତି ବାଜିଛି ବାବା ନେପାଳୀ ଆଉ ନାହାନ୍ତି,ଡରି ମରି ଗାଆଁ ପାଖ ବଣ ଭିତରକୁ ଦୌଡ଼ି ଦୌଡ଼ି ପଳାଇଲେ । ବାବା ସିନା ମାଡ଼ ଖାଇ ବି ଜଗାଭାଇଙ୍କୁ ନିଜର ଅଲୌକିକ ଶକ୍ତି ବଳରେ ଭସ୍ମ କଲେନାହିଁ କି ଅଭିଶାପ ଦେଲେ ନାହିଁ କିନ୍ତୁ ସେଠାରେ ଥିଵା ବାବାଙ୍କ ଭକ୍ତମାନେ ଆଉ କ'ଣ ସହୁଛନ୍ତି । ଭୀଷଣ ଗୋଳ ହେଲା ଭକ୍ତମାନେ ପାଟିକରି ଉଠିଲେ "ଆମ ଭଗଵାନଙ୍କୁ ମାରିଛ ଏବେ ତମେ ସବୁ ମରିଵ" । ତେବେ ଲୋକେ ଉତ୍ତ୍ୟକ୍ତ ହୋଇ ଉଠିଵାରୁ ମାଳତୀ ଦେଵୀ, ଜଗନ୍ନାଥ ପ୍ରସାଦ ଦାସ ଓ ହୃଷୀକେଶ ତ୍ରିପାଠୀ ଜିପ୍ରେ ବସି କୌଶଳକ୍ରମେ ସେହି ସ୍ଥାନ ତ୍ୟାଗ କରି ଚାଲିଆସିଲେ । ତା’ପରେ ସେଠାରେ ସରକାରଙ୍କ ପକ୍ଷରୁ ୧୪୪ ଧାରା ଲାଗିଗଲା । ରନ୍ତଲେଇକୁ ବାହାରୁ ଆଉ କୋଉ ଲୋକଙ୍କୁ ଛାଡ଼ି ଦିଆଗଲା ନାହିଁ । କଲେରା ପାଇଁ ଉପଯୁକ୍ତ ପ୍ରତିଷେଧକ ଵ୍ୟଵସ୍ଥା ଓ ଚିକିତ୍ସା ଆରମ୍ଭ ହୋଇଗଲା । ସେଠାରେ ଥିଵା ଲୋକମାନଙ୍କୁ ନିଜ ନିଜ ଗ୍ରାମ, ସହର ଆଦିକୁ ବସ୍ ଓ ଟ୍ରେନ୍ ଯୋଗେ ପଠେଇ ଦେଵାର ସୁଵ୍ୟଵସ୍ଥା କରାଗଲା । କେତେକ ଦିନ ଉତ୍ତାରୁ ଧୀରେ ଧୀରେ ରନ୍ତଲେଇର ଅଵସ୍ଥା ଶାନ୍ତ ପଡ଼ିଲା । କିନ୍ତୁ ଏ ତଥାକଥିତ ଅନ୍ଧଵିଶ୍ୱାସ ଜାଲରେ ପଡ଼ି ବହୁତ ଲୋକ ମରିଗଲେ ।
ଯେତେବେଳେ ବଙ୍ଗର ସ୍ଵଘୋଷିତ ଈଶ୍ଵର ପଠାଣଙ୍କ ଅତ୍ୟାଚାରରେ ମରୁଥିଵା ଲକ୍ଷ ଲକ୍ଷ ହିନ୍ଦୁମାନଙ୍କର ଜୀଵନକୁ ନିଜର ତଥାକଥିତ ଐଶ୍ଵରୀୟ ଶକ୍ତି ବଳରେ ରକ୍ଷା କ'ଣ କରିବେ ପଳାତକ ଭଳି ନିଜ ଆଶ୍ରମ ଛାଡ଼ି ଭାରତ ପଳାଇ ଆସିଥିଲେ ସେବେଠାରୁ ବାବାମୋହରୁ ହିନ୍ଦୁମାନଙ୍କର ମୋହଭଙ୍ଗ ହୋଇଯିଵାର ଥିଲା । କିନ୍ତୁ ଏ ଦେଶରେ ତତ୍ପରେ ବି ଆସାରାମ,ରାମ ରହୀମ,ରାଧେ ମା, ସଚ୍ଚିଦାନନ୍ଦ,ଓମବାବା,ନିର୍ମଳ ବାବା,ଇଚ୍ଛାଧାରୀ ଭୀମାନନ୍ଦ,ଅସୀମାନନ୍ଦ,ନାରାୟଣ ସାଇଁ,ଶ୍ରାମପାଲ ଓ ସାରଥୀ ଭଳି ବାବା ହୋଇଛନ୍ତି ତଥା ଲୋକଙ୍କୁ ଠକିଛନ୍ତି । ଏ ଦେଶରେ ଅନ୍ଧଵିଶ୍ୱାସୀ ହିନ୍ଦୁଙ୍କର ବାବା ମୋହ କେବେ ଦୂର ହେଵ କେଜାଣି ?
No comments:
Post a Comment