Sunday, June 16, 2024

ମୂଳ ଆର୍ଯ୍ୟଭାଷାର ସମ୍ବନ୍ଧଵାଚକ ଶବ୍ଦ

ମୂଳ ଆର୍ଯ୍ୟଭାଷାର ଅନେକ ଶବ୍ଦ ଆଜି ବି ଆମେ ନିଜର କଥିତ ଭାଷାରେ ଵ୍ୟଵହାର କରୁଛନ୍ତି ଏଵଂ ସେ ଶବ୍ଦଗୁଡ଼ିକ ପୁଣି ଅନ୍ୟ ଅନେକ ଭାଷାରେ ମଧ୍ୟ ଭିନ୍ନ ଭିନ୍ନ ରୂପରେ ଚଳୁଅଛି ।‌ ଯଦି ଆମେ ପ୍ରାକ୍ ଭାରୋପୀୟ ସମ୍ବନ୍ଧଵାଚକ ଶବ୍ଦଗୁଡ଼ିକ ଉପରେ ଦୃଷ୍ଟି ଦେଵା ତେବେ ଜାଣିପାରିଵା ଯେ ଅତି ପ୍ରାଚୀନ ଆର୍ଯ୍ୟ ସମାଜରେ ଚଳୁଥିଵା ସମ୍ବନ୍ଧଗୁଡ଼ିକ ଆଜି ମଧ୍ୟ ଆମ ସମାଜରେ ଯଥାଵତ୍ ରହିଛି ।‌ ତେବେ ଚାଲନ୍ତୁ ପ୍ରାକ୍ ଭାରୋପୀୟ ଭାଷାପରିଵାରର ଏହିପରି କିଛି ସମ୍ବନ୍ଧଵାଚକ ଶବ୍ଦ ଵିଷୟରେ ଜାଣିଵା ଯାହା ଆଜି ବି ଉଭୟ ୟୁରୋପ ତଥା ଏସିଆର ଵିଭିନ୍ନ ଭାଷାରେ ସମ ଅର୍ଥରେ ଚଳୁଅଛି । 

ଗୃହର ସବୁଠାରୁ ମହତ୍ତ୍ଵପୂର୍ଣ୍ଣ ସଦସ୍ୟା ହେଲେ ମାଆ । ମୂଳ ଭାରୋପୀୟ ଭାଷାରେ ମାଆ ପାଇଁ *méh₂tēr ଶବ୍ଦ ଥିଲା ଏଵଂ ସେଥିରୁ ସଂସ୍କୃତ ଭାଷାରେ mā́tṛ, mātṛ́ ହୋଇଛି , ଓଡ଼ିଆ ଭାଷାରେ ମାଆ ଶବ୍ଦ ଏହି ମୂଳରୁ ଜାତ । ଏହି ମୂଳ ଶବ୍ଦରୁ ପୁଣି ବହୁତ ପରେ ଜର୍ମାନିକ୍ ଭାଷା 
ଇଂରାଜୀରେ mother ଶବ୍ଦ ସୃଷ୍ଟି ହେଲା । ଓଡ଼ିଆ ଭାଷାର ମାଆ,ମାଈ ଭଳି ଶବ୍ଦ ଏହି ମୂଳର ଶବ୍ଦ। 
 
ଗୃହର ଅନ୍ୟତମ ଗୁରୁତ୍ତ୍ୱପୂର୍ଣ୍ଣ ସଦସ୍ୟ ହେଲେ ପିତା । 
ମୂଳ ଭାରୋପୀୟ ଭାଷାରେ ପିତାଙ୍କୁ *ph₂tḗr କୁହାଯାଉଥିଲା ଏଵଂ ସେଥିରୁ ସଂସ୍କୃତ ଭାଷାରେ pitṛ́ ହୋଇଛି । ଇଂରାଜୀ ଭାଷାରେ ଜର୍ମାନିକ ଦେଇ ପରେ ଏହି ଶବ୍ଦଟି father ହେଲା । ତତ୍ସମ ପିତା ଏହି ମୂଳର ଶବ୍ଦ । 

ଆଗେ ଗୃହରେ ଅନେକ ଭାଇ ରହୁଥିଲେ ତେଣୁ ସେମାନଙ୍କୁ ସମ୍ବୋଧନ କରିଵାକୁ ଶବ୍ଦଟିଏ ଲୋଡ଼ା ହେଵା ସ୍ଵାଭାଵିକ କଥା । 
ମୂଳ ଭାରୋପୀୟ ଭାଷାରେ ଭାଇଙ୍କୁ ସମ୍ବୋଧନ ପାଇଁ *bʰréh₂tēr ଶବ୍ଦ ଚଳୁଥିଲା ।‌ସେଥିରୁ ସଂସ୍କୃତ ଭାଷାରେ bʰrā́tṛ ହେଲା ଏଵଂ ପରେ ଇଂରାଜୀ ଭାଷାରେ brother ହୋଇଛି। ଓଡ଼ିଆ ଶବ୍ଦ ଭାଇ ଏହି ମୂଳର ଶବ୍ଦ ଅଟେ। 

ଗୃହରେ ଭଉଣୀ ବି ରହୁଥିଲେ ତେଣୁ ସେମାନଙ୍କୁ ସମ୍ବୋଧନ କରିଵାକୁ ଶବ୍ଦଟିଏ ଲୋଡ଼ା ହେଲା । ମୂଳ ଭାରୋପୀୟ ଭାଷାରେ ଭଉଣୀଙ୍କୁ *swésōr କୁହାଯାଉଥିଲା । ସଂସ୍କୃତ ଭାଷାରେ ଏ ଶବ୍ଦ svásṛ ହେଲା ଯାହାର ଅର୍ଥ ଭଗିନୀ , ଇଂରାଜୀ ଭାଷାରେ ଏହି ଶବ୍ଦରୁ ଜର୍ମାନିକ ଦେଇ sister ଶବ୍ଦ ସୃଷ୍ଟି ହୋଇଛି । 

ଗୃହରେ ବାପା ମାଆ ପୁଣି ନିଜ କନ୍ୟାକୁ ସମ୍ବୋଧନ କରିଵାକୁ ଶବ୍ଦ ଲୋଡ଼ିଲେ । ମୂଳ ଭାରୋପୀୟ ଭାଷାରେ ଝିଅକୁ ସମ୍ବୋଧନ ପାଇଁ *dʰugh₂tḗr ଶବ୍ଦଟିଏ ଚଳୁଥିଲା ଯହିଁରୁ ସଂସ୍କୃତ ଭାଷାରେ dúhitṛ ଶବ୍ଦ ସୃଷ୍ଟି ହୋଇ ଚଳି ପରେ ତାହା ଦୁହିତା ହୋଇଛି । ସେହିପରି *dʰugh₂tḗr ଶବ୍ଦଟି ଜର୍ମାନିକ ମୂଳରୁ ଇଂରାଜୀ ଭାଷାରେ daughter ରୂପେ ମଧ୍ୟ ଚଳୁଅଛି । 

ସେହିପରି ମୂଳ ଭାରୋପୀୟ ଭାଷାରେ ପୁଅକୁ *suHnús କୁହାଯାଉଥିଲା । ପରେ‌ ଏ ଶବ୍ଦ ସଂସ୍କୃତ ଭାଷାରେ sūnú(ସୁନୂ) ହେଲା । ଇଂରାଜୀ ଭାଷାରେ ଏହି ମୂଳର son ଶବ୍ଦ ପ୍ରଚଳିତ । ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଏହି ସୁନୂ ଶବ୍ଦ ଵ୍ୟଵହାର ହୋଇଥିଵା ଜଣାଯାଏ । 

ମୂଳ ଭାରୋପୀୟ ଭାଷାରେ ସେହିପରି ପୁଅକୁ *putló କହୁଥିଲେ ଏଵଂ ତାହା ସଂସ୍କୃତ ଭାଷାରେ putrá ରୂପେ ଚଳିଲା । ତେବେ ଇଂରାଜୀ ଭାଷାରେ ଏହି ମୂଳର ଶବ୍ଦ ନାହିଁ କିନ୍ତୁ ଲାଟିନ ଭାଷାରେ ଏହା ସହିତ ସଗୋତ୍ରୀୟ puklo ଶବ୍ଦଟି ପୁଅ ଅର୍ଥରେ ପ୍ରଚଳିତ । ଓଡ଼ିଆ ଭାଷାରେ ସେହି ପ୍ରାଚୀନ ଶବ୍ଦ ମୂଳରୁ ସୃଷ୍ଟି ହୋଇ 'ପୁଅ' ଶବ୍ଦ ଆଜି ବି କଥିତ ଭାଷାରେ ବୋଲାଯାଉଅଛି । 

ମୂଳ ଭାରୋପୀୟ ଭାଷାରେ ନାତିକୁ *(h₂)népōts କୁହାଯାଉଥିଲା ଯାହା ସଂସ୍କୃତ ଭାଷାରେ nápāt ହେଲା ଏଵଂ ଓଡ଼ିଆ ଭାଷାରେ ନାତୀ ହେଲା । ଇଂରାଜୀ ଭାଷାର neve(ପ୍ରାଚୀନ) ଓ nephew ଏହି ଶବ୍ଦ ମୂଳରୁ ସୃଷ୍ଟି ହୋଇଛି । 

ମୂଳ ଭାରୋପୀୟ ଭାଷାରେ ନାତୁଣୀକୁ *(h₂)néptih₂ କହୁଥିଲେ ଯାହା ସଂସ୍କୃତ ଭାଷାରେ naptī́ ହେଲା । ପରେ ଜର୍ମାନିକ ମୂଳରୁ ଇଂରାଜୀ ଭାଷାରେ niece ଓ nift(ପ୍ରାଚୀନ) ଶବ୍ଦ ଚଳିଲା । 

ମୂଳ ଭାରୋପୀୟ ଭାଷାରେ ସ୍ଵାମୀଙ୍କ ଭାଇଙ୍କୁ *deh₂iwḗr କହୁଥିଲେ ଯାହା ସଂସ୍କୃତ ଭାଷାରେ devṛ́, devará ହେଲା, ଓଡ଼ିଆ ଭାଷାରେ ଦିଅର ହେଲା । ପ୍ରାଚୀନ ଇଂରାଜୀ ଭାଷାରେ ସମାର୍ଥକ ସମୋଦ୍ଧୃତ ଶବ୍ଦ tācor ଚଳୁଥିଲା ଯାହା ଆଜି brother in lawର ପ୍ରୟୋଗ ଯୋଗୁଁ ଲୁପ୍ତ । 

ଭାଇର କନିଆ(ସ୍ତ୍ରୀ)ଙ୍କୁ ମୂଳ ଭାରୋପୀୟ ଭାଷାରେ *snusós କହୁଥିଲେ ଯାହା ସଂସ୍କୃତ ଭାଷାରେ snuṣā ହେଲା ।ପ୍ରାଚୀନ ଇଂରାଜୀ ଭାଷାରେ ସମାର୍ଥକ ସମୋଦ୍ଧୃତ ଶବ୍ଦ snoru ଚଳୁଥିଲା ଯାହା ଆଜି sister in lawର ପ୍ରୟୋଗ ଯୋଗୁଁ ଲୁପ୍ତ ।  

ମୂଳ ଭାରୋପୀୟ ଭାଷାରେ *wedʰ- ଶବ୍ଦଟି ପ୍ରତିଜ୍ଞା, ପ୍ରତିଶ୍ରୁତି,ବନ୍ଧନ, ନେତୃତ୍ୱ ଆଦି ଅର୍ଥରେ ଚଳୁଥିଲା । ଭାରତରେ ସାତ ଜନମ ସାଥିରେ ରହିଵାର ପ୍ରତିଜ୍ଞା ନେଇ ଵିଵାହ ହେଉଥିଲା ବୋଲି ଏହି ଶବ୍ଦରୁ ଵଧୂ ଶବ୍ଦ ସୃଷ୍ଟି ହୋଇଛି, ସେହିପରି ଇଂରାଜୀ ଭାଷାରେ ଏହି ମୂଳ ଶବ୍ଦରୁ wed ଶବ୍ଦ ଵିଵାହ ଅର୍ଥରେ ପ୍ରଚଳିତ। 

ଶଶୁରଙ୍କ ପାଇଁ ମୂଳ ଭାରୋପୀୟ ଭାଷାରେ *swéḱuros ଶବ୍ଦ ଥିଲା ଯାହା ସଂସ୍କୃତ ଭାଷାରେ śváśura ହେଲା, ଓଡ଼ିଆ ଭାଷାରେ ଶଶୁର ହେଲା। ପ୍ରାଚୀନ ଇଂରାଜୀ ଭାଷାରେ ସମାର୍ଥକ ସମୋଦ୍ଧୃତ ଶବ୍ଦ swēor ଥିଲା ଯାହା ଆଜି father in law ବୋଲାଯିଵା ଯୋଗୁଁ ଇଂରାଜୀ ଭାଷାରେ ଅପ୍ରଚଳିତ ହୋଇଅଛି । 

ଶାଶୁଙ୍କୁ ମୂଳ ଭାରୋପୀୟ ଭାଷାରେ *sweḱrúh₂ କୁହାଯାଉଥିଲା ଯାହା ସଂସ୍କୃତ ଭାଷାରେ śvaśrū́ ହେଲା, ଓଡ଼ିଆ ଭାଷାରେ ଶାଶୁ ହେଲା। କିନ୍ତୁ ପ୍ରାଚୀନ ଇଂରାଜୀ ଭାଷାରେ ସମାର୍ଥକ ସମୋଦ୍ଧୃତ ଶବ୍ଦ sweger ଥିଲେ ବି mother in law ବୋଲାଯିଵା ଯୋଗୁଁ ଏହି ଶବ୍ଦ ଆଜି ସେ ଭାଷାରେ ଚଳୁନାହିଁ । 

ପ୍ରାକ୍ ଭାରୋପୀୟ ଶବ୍ଦ *syo(w)ros ଶବ୍ଦଟି ସଂସ୍କୃତ ଭାଷାରେ ଶ୍ୟାଳ ତଥା ଓଡ଼ିଆ ଭାଷାରେ ଶଳା ହୋଇଛି। ତେବେ ଇଂରାଜୀ ଭାଷାରେ ଏହି ମୂଳ ଶବ୍ଦ ନାହିଁ କିନ୍ତୁ ରୁଷୀଭାଷାରେ ପତ୍ନୀଙ୍କ ଭାଇଙ୍କୁ шурин (šurin) କୁହାଯାଏ ଯାହା ଏହି ମୂଳ ଶବ୍ଦରୁ ସୃଷ୍ଟି ହୋଇଛି । 

ପ୍ରାକ୍ ଭାରୋପୀୟ ଭାଷାରେ *ph₂tr̥wyos ଶବ୍ଦ ଥିଲା । ତହିଁରୁ ସଂସ୍କୃତ ଭାଷାରେ ପିତୃଵ୍ୟ(ଭେଣୋଇ) ଓ ପିତୃଵ୍ୟା(ପିଉସୀ) ଶବ୍ଦର ସୃଷ୍ଟି । 
ସେହି ପ୍ରାକ୍ ଭାରୋପୀୟ ଶବ୍ଦରୁ ପ୍ରାଚୀନ ଗ୍ରୀକ୍‌ରେ πάτρως (pátrōs, “paternal uncle”),ଆଵେସ୍ତାନୀରେ 𐬙𐬏𐬌𐬭𐬌𐬌𐬀 (tūiriia, “paternal uncle”) (> *(p)tərvya), ପ୍ରାଚୀନ ପାର୍ସୀରେ افدر (afdar, “paternal uncle”), ଲାଟିନ ଭାଷାରେ patruus (“paternal uncle”) ଓ ପ୍ରାକ୍ ଜର୍ମାନିକ୍ ଶବ୍ଦରେ *fadurwijô (“paternal uncle”) ଶବ୍ଦ ସୃଷ୍ଟି ହୋଇଥିଲା । 

କିନ୍ତୁ Maternal uncle ଅର୍ଥରେ ଓଡ଼ିଆ ଭାଷାରେ ଵ୍ୟଵହୃତ ମାମୁ, ଓଡ଼ିଆ ତଥା ହିନ୍ଦୀ ଶବ୍ଦ ମାମା ତଥା ସଂସ୍କୃତ māma ଶବ୍ଦ ପ୍ରାକ୍ ଦ୍ରାଵିଡ଼ *māma ଶବ୍ଦ ମୂଳର ଅଟେ । ସେହିପରି ଭାତୃଜାୟାରୁ ଭାଉଜ ଓ भौजाई,ଆର୍ଯ୍ୟ ଓ ଆର୍ଯ୍ୟା ଶବ୍ଦରୁ ଯଥାକ୍ରମେ ଅଜା ଓ ଆଈ ଆଦି ଶବ୍ଦ ସୃଷ୍ଟି ହୋଇଛି । ସଂସ୍କୃତ ନନାନ୍ଦା ଶବ୍ଦରୁ ଓଡ଼ିଆ ଭାଷାରେ ନଣନ୍ଦ ଶବ୍ଦ ସୃଷ୍ଟି ହୋଇଛି । ସମୟ ସହିତ ମୂଳ ଆର୍ଯ୍ୟଭାଷାର ଅନେକ ଶବ୍ଦରୁ କ୍ରମେ ମୂଳ ଆର୍ଯ୍ୟଭାଷାର ଵିଭିନ୍ନ ଶାଖାରେ ଜାତ ନୂତନ ଭାଷାଗୁଡ଼ିକରେ ନୂଆ ନୂଆ ସମ୍ବନ୍ଧଵାଚକ ଶବ୍ଦମାନ ସୃଷ୍ଟି ହୋଇଛି ।

No comments:

Post a Comment

ମାଧଵ ଭଗିଆ ସମ୍ବାଦ(ବାତରା ଓ ଆଳୁବାତରା) —୩

 ହାଟ ଆଡ଼ୁ ଭଗିଆ ଫେରିଲାବେଳେ ତା'ର ମାଧଵ ଓରଫ୍ ମାଧିଆ ସହିତ ଗାଆଁ ଚାନ୍ଦିନୀଠିଁ ଭେଟ ହୋଇଗଲା । ମାଧଵ ସେଠି ଇଲେକ୍ସନ ଖେଳ(ଏକ ଜାତୀୟ ତାସ୍ ଖେଳ)ରେ ବସି ଦି ଦଳଙ୍...