Tuesday, June 18, 2024

ଘସି ଓ ପାଉଁଶକୁ କାହିଁକି ଛେନା କୁହାଯାଏ ?

ରସଗୋଲା ହେଉ କି ଛେନାପୋଡ଼,ଛେନା ଵ୍ୟଵହାର କରି ଵିଭିନ୍ନ ମିଠା ପ୍ରସ୍ତୁତ କରାଯାଏ । ପନୀର ଓ ଛେନା ଏକାପରି ଖାଦ୍ୟ ଦରଵ ହୋଇଥିଲେ ବି ପ୍ରକାର, ଵ୍ୟଵହାର ଓ ସ୍ଵାଦ ଦୃଷ୍ଟିରୁ ଭିନ୍ନ ଭିନ୍ନ ହୋଇଥାଏ। ପନୀର ଅପେକ୍ଷା ଛେନା ନରମ ଏଵଂ ଏହି ଉଭୟ ପ୍ରକାରର ଖାଦ୍ୟ ଦରଵକୁ Cheese ଶ୍ରେଣୀଭୁକ୍ତ କରାଯାଇଛି । 
ନାନାପ୍ରକାରେ ଛେନା ପ୍ରସ୍ତୁତ କରାଯାଏ । କ୍ଷୀର ଛିଣ୍ଡିଗଲେ ଛେନା ହୁଏ, ଦହି ନିଆଁରେ ବସିଲେ ଛେନା ହୁଏ । ପ୍ରଥମ ପ୍ରକାରର ଛେନାକୁ ଦୁଧଛେନା ଓ ଦ୍ଵିତୀୟଟିକୁ ଦହିଛେନା କହନ୍ତି । ଲେଖିକା କେଥରିନ୍ ଡୋନଲୀ ତାଙ୍କ ପୁସ୍ତକ The Oxford Companion to Cheeseର ୩୭୩ତମ ପୃଷ୍ଠାରେ ଉଲ୍ଲେଖ କରିଛନ୍ତି ଯେ ଵେଦରେ ପଳାଶ ଗଛର ଛାଲ ତଥା ବରକୋଳି (Ziziphus mauritiana) ଆଦି କେତେକ ପାଦପର ଫଳରସ ଵ୍ୟଵହାର କରି ଛେନା ପ୍ରସ୍ତୁତ କରାଯିଵା ସମ୍ବନ୍ଧରେ ଉଲ୍ଲେଖ ଅଛି । ଦଶମ ଶତାବ୍ଦୀର ଲୋକୋପକାର ତଥା ଦ୍ଵାଦଶ ଶତାବ୍ଦୀର ମାନସୋଲ୍ଲାସ ଭଳି ଗ୍ରନ୍ଥଗୁଡ଼ିକରେ ମଧ୍ୟ ଛେନା ସମ୍ବନ୍ଧୀୟ ତଥ୍ୟ ଅଛି । ଚରକ ସଂହିତାର କେତେକ ତଥ୍ୟ ଆଧାରରେ ବି ଏନ୍ ମାଥୁର ଓ ସୁନୀଲ କୁମାର ଆଦି ଗଵେଷକମାନେ କୁହନ୍ତି ଯେ ଭାରତରେ ପ୍ରାୟ ଦୁଇହଜାର ଵର୍ଷ ପୂର୍ଵରୁ ଲୋକଙ୍କୁ ଛେନା ପ୍ରସ୍ତୁତ କରିଵାର ପ୍ରଣାଳୀ ଜଣାଥିଲା । 

ଏଇ 'ଛେନା' ନାମକ ଦରଵର 'ଛେନା' ନାମର ଵ୍ୟୁତ୍ପତ୍ତି ସମ୍ବନ୍ଧରେ କିଏ କେତେ ପ୍ରକାରେ ମତ ଦିଅନ୍ତି । କେହି କେହି କୁହନ୍ତି ସଂସ୍କୃତ 'ସନ୍ତାନିକା(ଦୁଧସର)' ଶବ୍ଦରୁ 'ଛେନା' ଶବ୍ଦ ସୃଷ୍ଟି ହୋଇଛି ତ ଆଉ କେତେକଙ୍କ ମତରେ ସଂସ୍କୃତ 'ଛିନ୍ନ' ଶବ୍ଦରୁ 'ଛେନା' ଶବ୍ଦ ଜାତ ହୋଇଛି । ତେବେ Sir. Ralph Lilley Turner ତାଙ୍କ ଵ୍ୟୁତ୍ପତ୍ତିକୋଷ "A comparative dictionary of Indo-Aryan languages"ରେ 'ଛେନା' ଶବ୍ଦଟି ସଂସ୍କୃତ ଶବ୍ଦ 'ସ୍ତ୍ଯାନ' ଵା 'ସ୍ତ୍ଯୈନ୍ଯ'ର ପରିଵର୍ତ୍ତିତ ରୂପ ହୋଇଥିଵା ମତ ରଖିଯାଇଛନ୍ତି ଯାହା ଆଜି ଅନେକେ ଭାଷାଵିଦ ଗ୍ରହଣ କରିସାରିଛନ୍ତି । 

ଓଡ଼ିଆ ଭାଷାରେ ଛେନାର ନାନା ଅର୍ଥ ରହିଛି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଛେନା ଶବ୍ଦର ଚାରୋଟି ଅର୍ଥ ଉଲ୍ଲେଖ ଅଛି । 

ପ୍ରଥମତଃ ଦଧି ଓ ଦୁଗ୍ଧରୁ ଅଗ୍ନିସଂଯୋଗରେ ଵା ଅମ୍ଳରସଯୋଗେ ଯେଉଁ ପିଣ୍ଡ ବାହାରେ ତାକୁ ସଂସ୍କୃତ ଭାଷାରେ 'ଆମିକ୍ଷା' ତଥା ଓଡ଼ିଆ ଭାଷାରେ 'ଛେନା' କୁହାଯାଏ । ଏଇ ଛେନା ଶବ୍ଦର ଵ୍ୟୁତ୍ପତ୍ତି ସମ୍ବନ୍ଧରେ ଉପରେ ଆମେ ଆଲୋଚନା କରିଛନ୍ତି । 

ପୁଣି ଓଡ଼ିଆ ଭାଷାରେ 'ଛେନା' ଶବ୍ଦଟି ଵିରକ୍ତି ପ୍ରକାଶ ନିମନ୍ତେ "କିଛି ନାହିଁ" ଅର୍ଥରେ ମଧ୍ୟ ପ୍ରୟୋଗ ହୋଇଥାଏ । ଯଥା—ମୁଁ ପୁଅ ପିଛା ଶହ ଶହ ଖରଚ କଲି, ସେ ଛେନାଟା ପଢ଼ିଲା।”

ହେଲେ ଛେନା ଶବ୍ଦର ଗୋଟିଏ ଅର୍ଥ ଵିରକ୍ତ ଭାଵ ଘେନି "କିଛି ନାହିଁ" କେମିତି ହେଲା ? 

ଏହାର ଉତ୍ତର ସମ୍ଭଵତଃ ଗୋଜାତ ଦ୍ରଵ୍ୟର ପ୍ରସ୍ତୁତିକରଣ ପ୍ରଣାଳୀ ମଧ୍ୟରେ ଲୁଚିରହିଛି । 

ପ୍ରଥମେ ଆଉଟା ଦୁଧ ଶୀତଳ ହେଵା ପରେ ତହିଁରେ ମହି ପକାଇ କିଛି ସମୟ ରଖିଦେଲେ ଯେଉଁ ଗାଢ଼ ଥଲଥଲିଆ ପଦାର୍ଥ ହୁଏ ତାକୁ 'ବସା ଦହି' ବୋଲାଯାଏ ଓ ବସା ଦହିରେ ପାଣି ମିଶାଇ ତାକୁ ମୁହାଇଁ ସେଥିରୁ ଲହୁଣୀ ବାହାର କଲା ପରେ ଯେଉଁ ଜଳୀୟ ପାଦାର୍ଥ ହୁଏ ତାକୁ ଘୋଳ ଵା ଘୋଳ ଦହି ଵା ଚହ୍ଲା ବୋଲାଯାଏ। ଦହି ମୁହାଁଇ ସେଥିରୁ ନଵନୀତ ଵା ଲହୁଣୀ ବାହାର କରାଯାଏ । ଲହୁଣୀକୁ ତରଳାଇ ଘିଅ ବାହାର କରାଯାଏ। 
ଗରମ ଦୁଧରେ ଲେମ୍ବୁ ରସ,ଖଟା ଵା ଫିଟିକିରି ମିଶାଇ କିମ୍ବା ଦହିକୁ ନିଆଁରେ ବସାଇ ସେଥିରୁ ଛେନା ପ୍ରସ୍ତୁତ କରାଯାଏ । କିନ୍ତୁ ଛେନା ହୋଇସାରିଵା ପରେ ତହିଁରୁ ଆଉ କୌଣସି ଦରଵ ବାହାରିପାରେ ନାହିଁ । ଫଳତଃ ଯେହେତୁ ଛେନା ପରେ ଆଉ କିଛି ହୋଇପାରେ ନାହିଁ ତେଣୁ ଏହିକାରଣରୁ ଛେନା ଶବ୍ଦଟି "କିଛି ନାହିଁ" ଅର୍ଥରେ ପ୍ରୟୋଗ କରାଯାଇଥାଇପାରେ । 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଆ ଭାଷାରେ "ଛେନା ଓ ଛେନାଗୁଡ଼" ଏ ଉଭୟ ଶବ୍ଦ ଵିରକ୍ତି ସୂଚକ "କିଛି ନାହିଁ" ଅର୍ଥରେ ପ୍ରୟୋଗ କରାଯାଏ । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ ଯେ ଆଗକାଳରେ କାନଫୋଡ଼ା ହେଵା ବେଳେ ପିଲାର ହାତରେ ଛେନା ଗୁଡ଼ ଦେଇ ପିଲାଙ୍କୁ କହୁଥିଲେ "ଛେନାଗୁଡ଼ ଖା", ପିଲା ଛେନା ଗୁଡ଼ ଖାଇଵାରେ ଲାଗିଥିଲା ବେଳେ ଭଣ୍ଡାରି ତା କାନକୁ ଛୁଞ୍ଚିରେ ଟୁକ୍ କିନି ଫୋଡ଼ି ଦିଏ । ଏଥିପାଇଁ ଲକ୍ଷଣାର୍ଥ ପିଲାଙ୍କୁ ଭଣ୍ଡାଇଲା ପରି ଅଳ୍ପ ମୂଲ୍ୟର ଲୋଭନୀୟ ଵସ୍ତୁକୁ ଓଡ଼ିଶାରେ କ୍ରମେ ଛେନାଗୁଡ଼ କୁହାଗଲା । ଆଜି ସିନା ଗୁଡ଼ ଓ ଛେନାର ମୂଲ୍ୟ ବଢ଼ିଯାଇଛି କିନ୍ତୁ ଆଗେ ଓଡ଼ିଆଙ୍କ ପାଇଁ ଛେନା ଓ ଗୁଡ଼ ଅତି ସାଧାରଣ ତଥା ସହଜରେ ଘରେ ଘରେ ମିଳିଯାଉଥିଵା ଵସ୍ତୁ ଥିଲା । ଓଡ଼ିଆଙ୍କ ପାଇଁ ଛେନା ଓ ଗୁଡ଼ ଥିଲା ଅଳ୍ପ ମୂଲ୍ୟର ଵସ୍ତୁ ତେଣୁ ପରେ ହୁଏତ ଏହି ଅର୍ଥ ଆହୁରି ପରିଵର୍ତ୍ତିତ ହୋଇ ଵିରକ୍ତି ଵାଚକ "କିଛି ନାହିଁ"ରେ ପରିଣତ ହୋଇଥିଵା ସମ୍ଭଵ । 

ଏତଦଵ୍ୟତୀତ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଛେନା ଶବ୍ଦର ପାଉଁଶ(Ashes) ତଥା ଘସି(cowdung), ଏହି ଦୁଇଗୋଟି ଅର୍ଥ ମଧ୍ୟ ଉଲ୍ଲେଖ ଅଛି ‌। 

ହେଲେ ପାଉଁଶ ଓ ଘସିକୁ କାହିଁକି ଛେନା କୁହାଯାଏ ? କ'ଣ ଏଭଳି କହିଵା ଠିକ୍ କି ? 

କାହିଁକି ପାଉଁଶ ଓ ଘସିକୁ ଛେନା କୁହନ୍ତି ତାହା ଜାଣିଵାକୁ ହେଲେ ଆମକୁ ଏଇ ଦୁଇଟି ଛେନା ଶବ୍ଦର ଵ୍ୟୁତ୍ପତ୍ତି ଇତିହାସ ଜାଣିଵାକୁ ହେଵ । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଛେନାର ଦୁଇଗୋଟି ଅର୍ଥ କେଵଳ ପାଉଁଶ ଓ ଘସି ଲେଖାଅଛି କିନ୍ତୁ ଏହାର ଵ୍ୟୁତ୍ପତ୍ତି ସମ୍ବନ୍ଧରେ କୌଣସି ତଥ୍ୟ ଦିଆଯାଇନାହିଁ । 

କିନ୍ତୁ Sir. Ralph Lilley Turnerଙ୍କ ଵ୍ୟୁତ୍ପତ୍ତିକୋଷ "A comparative dictionary of Indo-Aryan languages"ରେ ଉଣ୍ଡିଲେ ଆମେ ଏହି ପ୍ରଶ୍ନର ଉତ୍ତର ପାଇଯାଆନ୍ତି । 

ସଂସ୍କୃତ ଭାଷାରେ ଗୋଟିଏ ଶବ୍ଦ ଅଛି 'କ୍ଷାମ' , ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହାର ଅନେକ ଅର୍ଥ ଥିଲେ ବି ଏଠାରେ ଆଲୋଚନା ଦୃଷ୍ଟିରୁ ତହିଁର ଦୁଇ ତିନୋଟି ଅର୍ଥ ଉଲ୍ଲେଖ ଯୋଗ୍ୟ । କ୍ଷାମର ଗୋଟିଏ ଅର୍ଥ ଶୁଷ୍କ, ପାଉଁଶ ଶୁଷ୍କ ହୋଇଥାଏ । ତାପଯୋଗୁଁ ପୋଡ଼ିଯାଇ ଥିଵା ଵା ଦଗ୍ଧ ଅର୍ଥରେ ବି କ୍ଷାମ ଶବ୍ଦ ପ୍ରୟୋଗ ହୋଇଥାଏ । ପୋଡ଼ି ଅଙ୍ଗାର ଵା ପାଉଁଶ ହୋଇଥିଵା ଦରଵକୁ କ୍ଷାମ କୁହନ୍ତି ଏଵଂ ଏହି ଅଵସ୍ଥା ଆଉ କିଛି ନୁହେଁ ପାଉଁଶ ଅଟେ । ଏ କ୍ଷାମ ଶବ୍ଦରୁ ହିଁ ପାଉଁଶ ଅର୍ଥଜ 'ଛେନା' ଶବ୍ଦଟି ଓଡ଼ିଆ ଭାଷାରେ ଚଳୁଅଛି । ଏହି କ୍ଷାମ ଶବ୍ଦରୁ ଗୋଟିଏ ପଟେ ଓଡ଼ିଆ ଭାଷାରେ ପାଉଁଶ ଅର୍ଥଜ 'ଛେନା' ଶବ୍ଦ ସୃଷ୍ଟି ହୋଇଥିଵାବେଳେ ଆଉ ଏକ ଦିଗରେ ବଙ୍ଗାଳୀ ଓ ଅହମିଆ ଭାଷାରେ ପାଉଁଶ ଅର୍ଥରେ ছাই ଶବ୍ଦ ସୃଷ୍ଟି ହୋଇଛି । ଆଜି ବି ଉତ୍ତର ଭାରତର ଗ୍ରାମାଞ୍ଚଳରେ କେଉଁଠି କେଉଁଠି ପାଉଁଶକୁ छाई କହୁଥିଵାର ଶୁଣାଯାଏ ଏଵଂ ସେ ଶବ୍ଦଟି କ୍ଷାମ ମୂଳର ଶବ୍ଦ ଅଟେ । 

ମାତ୍ର ଛେନାର ଅର୍ଥ ଘସି କେମିତି ହୋଇପାରେ? 

ପ୍ରକୃତରେ ଏହି ଛେନା ଶବ୍ଦଟି ଆଉ ଏକ ଭିନ୍ନ ମୂଳରୁ ସୃଷ୍ଟି ହୋଇଛି । ଏହି ଛେନା ଶବ୍ଦର ପ୍ରାକ୍ ଭାରୋପୀୟ ରୂପ ଥିଲା *śakana ଵା ଶକନ୍ ଯାହା ପରେ *chakana ଵା ଛକନ ହୋଇ ଶେଷରେ ପ୍ରାକୃତ ତଥା କଥିତ ସଂସ୍କୃତ ଭାଷାରେ ଛଗଣ ରୂପେ ଚଳିଲା । ଶକନ୍'ର ମାନକ ସଂସ୍କୃତରୂପ ଥିଲା ଶକୃତ (śákṛt) ଯାହାର ଅର୍ଥ ଗୋଵର ଅଟେ । ତହୁଁ ପ୍ରାକୃତ ଶବ୍ଦ 𑀙𑀕𑀡 (chagaṇa) ଶବ୍ଦଟି କ୍ରମେ 𑀙𑀸𑀡 (chāṇa) ଓ 𑀙𑀸𑀡𑀻 (chāṇī) ହୋଇପରେ ଓଡ଼ିଆ ଭାଷାରେ ଛେନାରେ ପରିଣତ ହୋଇଥିଲା। କାଳାନ୍ତରେ ଏହା କେଵଳ ଓଡ଼ିଶାର ପଶ୍ଚିମାଞ୍ଚଳରେ ବଞ୍ଚିକି ରହିଗଲା ଏଵଂ ଅନ୍ୟତ୍ର ଭିନ୍ନ ଭିନ୍ନ ଅର୍ଥ ଘେନି ଛେନା ଶବ୍ଦ ପ୍ରଚଳିତ ହେଵାରୁ ସେସବୁ ଅଞ୍ଚଳରେ ଘସି ଅର୍ଥରେ ଅପ୍ରଚଳିତ ହୋଇଗଲା । ଆଜି ଭାରତର ଵିଭିନ୍ନ ଭାଷାରେ ପ୍ରାକୃତ ଛଗଣ ଵା ଛଗନ ମୂଳରୁ ଅନେକ ଶବ୍ଦ ସୃଷ୍ଟି ହୋଇ ଘସି ତଥା ଗୋଵର ଅର୍ଥରେ ଚଳୁଅଛି । 
ଉଦାହରଣ ସ୍ୱରୂପ:- କନ୍ନଡ଼ ଭାଷାର ಸಗಣಿ (sagaṇi),ମାରୱାରୀ ଭାଷାରେ छणारौ,ପଞ୍ଜାବୀ ਛਾਣਾ(chāṇā),ସରାଈକୀ ଭାଷାରେ छाना, ଗୁଜରାଟୀରେ છાણું (chāṇũ),ସିନ୍ଧୀରେ छेणु ଓ छेणो, କୋଙ୍କଣୀ ଓ ମରାଠୀରେ शेण(śeṇ),ମରାଠୀ ଭାଷାର ବର୍ହାଡୀ ଶୈଳୀରେ शेन(śen),ଅହିରାନୀ ଭାଷାରେ शेन(śen),ମଳୟାଳମରେ ചാണകം (cāṇakaṁ) ଓ ତାମିଳ ଭାଷାରେ சாணி (cāṇi) ଇତ୍ୟାଦି ଶବ୍ଦଗୁଡ଼ିକ ଘସି ,dung ଵା Cowdung ଅର୍ଥରେ ଵ୍ୟଵହାର ହେଉଅଛି ଏଵଂ ଏ ସମସ୍ତ ଶବ୍ଦଗୁଡ଼ିକର ମୂଳ ପ୍ରାକୃତ ରୂପ ଥିଲା ଛଗଣ ଵା ଛକନ । 

ଏଣୁ ଓଡ଼ିଆ ଭାଷାରେ 'ଛେନା' ଭଳି ଯଦି କୌଣସି ଗୋଟିଏ ଶବ୍ଦର ଚାରି ପାଞ୍ଚୋଟି ବହୁତ ଭିନ୍ନ ଭିନ୍ନ ଅର୍ଥରେ ପ୍ରୟୋଗ ହେଉଥିଵାର ଦେଖନ୍ତି ତେବେ ଜାଣିବେ ତାହା ପ୍ରକୃତରେ ଗୋଟିଏ ଶବ୍ଦ ନୁହେଁ ଚାରି ଵା ତତୋଃଧିକ ଶବ୍ଦ ମୂଳରୁ ସୃଷ୍ଟି ହୋଇଥିଵା ଚାରୋଟି ଭିନ୍ନ ଭିନ୍ନ ଶବ୍ଦ ଅଟେ । 
 



No comments:

Post a Comment

ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ  ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...