Sunday, July 30, 2023

ଵୈଦେଶିକ ବଦଳିଵା ଶବ୍ଦ ଯୋଗୁଁ ଆମ ଭାଷାର କେଉଁ କେଉଁ ଶବ୍ଦ ହଜିଯାଇଛି ?

ଗୋଟିଏ ଵିଦେଶୀ ଶବ୍ଦ ଅନେକ ସମାର୍ଥକ ଦେଶୀୟ ଶବ୍ଦଗୁଡି଼କୁ ମାରିଦିଏ ।‌ ଏମିତି ଗୋଟିଏ ଆରବୀ ଶବ୍ଦ ଆଜିକାଲି ସମସ୍ତେ ସବୁବେଳେ ଵ୍ୟଵହାର କରନ୍ତି ଯାହାର ପ୍ରଚଳନ ଯୋଗୁଁ ଓଡ଼ିଆ ଭାଷାର ଅନେକ ଦେଶୀୟ ଶବ୍ଦ ହଜିଯାଇଛି । ସେହି ଶବ୍ଦଟି ଆମ ସମସ୍ତଙ୍କର ଅତି ପରିଚିତ 'ବଦଳିଵା' ଅଟେ । ବଦଳିଵା ଶବ୍ଦଟି ମୂଳତଃ بَدَل‎ (badal) ବୋଲି ଏକ ଆରବୀ ଶବ୍ଦର ଓଡ଼ିଆ ଧାରକରଣ ‌। ଏହି ଗୋଟିଏ ଵୈଦେଶିକ ଶବ୍ଦ ଯୋଗୁଁ ଓଡ଼ିଆ ଭାଷାର 
ଅନେକ କ୍ରିୟାଶବ୍ଦ ଆଉ କଥିତ ଭାଷାରେ ଚଳୁନାହିଁ । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ 
ଅନ୍ୟଥା କରିଵା,ପାଲଟିଵା,ଫେର୍‌ଫାର୍ କରିଵା,ଫେରାଇଵା ଓ ହେର୍ ଫେର୍ କରିବା ଆଦି କ୍ରିୟାଶବ୍ଦଗୁଡି଼କ ପୂର୍ଵେ ବଦଳିଵା ଅର୍ଥରେ ପ୍ରୟୋଗ କରାଯାଉଥିଵା ଜଣାଯାଇଛି । 

ଲୋକେ ଆଗେ ବଦଳିଵା ଅର୍ଥରେ ଫେରାଇଵା କ୍ରିୟାଶବ୍ଦ ପ୍ରୟୋଗ କରୁଥିଲେ ‌ । ଲୋକେ କହୁଥିଲେ “ସେ ଦୁଇ ଚାରି କଥା କହି ତାଙ୍କ ମନ ଫେରାଇ ଦେଲା।” ଅର୍ଥାତ୍ ଅମୁକ ଲୋକ ସମୁକ ଲୋକର ମନକୁ କଥା କହି ବଦଳାଇ ଦେଲା । 

ସେହିପରି କୃଷ୍ଣ ସିଂହଙ୍କ କୃଷ୍ଣ ମହାଭାରତ ଗ୍ରନ୍ଥରେ 'ଫେରିଵା' କ୍ରିୟାଶବ୍ଦଟି ବଦଳାଇଵା ଅର୍ଥରେ ପ୍ରୟୋଗ କରାଯାଇଛି । 
“ସପୁତ୍ର ହେବେ ତୋ ପୁତ୍ର,
 ସତେ ଏ କର୍ମ ଫେରିବ ତୋର ଗୋ।” (କୃଷ୍ଣମହାଭାରତ,ଆଦିପର୍ଵ)

ଜଗନ୍ନାଥ ଦାସ ମଧ୍ୟ ତାଙ୍କର ଓଡ଼ିଆ ଭାଗଵତରେ 'ସଂହରିଵା' ବୋଲି ଏକ ଶବ୍ଦକୁ ବଦଳିଵା ଅର୍ଥରେ ପ୍ରୟୋଗ କରି ଲେଖିଛନ୍ତି । 
“ଅମୃତ ଦେଵଗଣେ ଦେଲି, 
ସେ ମାୟାରୂପ ସଂହରିଲି”
(ଜଗନ୍ନାଥ ଦାସ, ଭାଗବତ)

ଭଗଵାନ ଏଠାରେ ମୋହିନୀ ରୂପ ଧାରଣ କରି ଦେଵତାମାନଙ୍କୁ ଅମୃତ ଭାଣ୍ଡରୁ ଅମୃତ ପନ କରାଇ ଦେଵା ପରେ ନିଜର ରୂପ ପରିଵର୍ତ୍ତନ କରିଦେଇଥିଵା କଥା କହୁଛନ୍ତି । 

ପୁଣି ପାଲଟିଵା ଶବ୍ଦ ମଧ୍ୟ ବଦଳିଵା ଅର୍ଥରେ ପ୍ରୟୋଗ କରାଯାଉଥିଲା । 

“କ୍ଷଣେ କ୍ଷଣେ ପାଲଟଇ ଯାର ଵର୍ଣ୍ଣ ଶିରୀ”(ମଧୁସୂଦନ, କବିତା।)

ବଦଳିଵା ଅର୍ଥଜ ଵିଶେଷ୍ୟ ଶବ୍ଦ ମଧ୍ୟରେ 
ଉଲମ୍ବିଲମ୍ ଓ ଫେରଣ ଶବ୍ଦ ଓଡ଼ିଆ ଭାଷାରେ ଚଳୁଥିଲାବେଳେ ଦେଶଜ ଵିଶେଷଣ ରୂପେ ଓଲଟପାଲଟ ଶବ୍ଦ ପ୍ରଚଳିତ ଥିଲା ।‌ ତତ୍ସମ ଓଡ଼ିଆ ଶବ୍ଦ ମଧ୍ୟରେ 
ପରିଵର୍ତ୍ତନ,ଅପଵର୍ତ୍ତନ,ଅଭ୍ୟନ୍ତର,ନାମୟ,ଵିନିମୟ,ନିଲୀନ,ପରାଵୃତ୍ତି,ପରିଣତି, ପରାଵୃତ୍ତି,ଵର୍ତ୍ତନ,ଵିଵର୍ତ୍ତ,ଵିଵର୍ତ୍ତନ,ରୂପାନ୍ତର ଓ ଵ୍ୟତିହାର ଆଦି ଶବ୍ଦଗୁଡି଼କର ବଦଳିଵା ଅର୍ଥରେ ଵିଶେଷ୍ୟ ଶବ୍ଦ ଭାବରେ ଵ୍ୟଵହାର କରାଯାଉଥିଲେ ବି ଏହିସବୁ ଶବ୍ଦ ମଧ୍ୟରେ ପରିଵର୍ତ୍ତନ ଓ ପରିଵର୍ତ୍ତନ କରିଵା ଶବ୍ଦ ସର୍ଵାଧିକ ପ୍ରଚଳିତ ଥିଲା ଏଵଂ ଏବେ ବି ଏହି ଶବ୍ଦକୁ ବଦଳ ଵା ବଦଳିଵାର ଏକ ଯୋଗ୍ୟ ଭାରତୀୟ ପ୍ରତିଶବ୍ଦ ଵିଚାର କରାଯାଉଛି ‌‌। ତେବେ ଓଡ଼ିଆ ଭାଷାରେ To change ଅର୍ଥଜ ଏହି ସବୁ ଦେଶୀୟ ଶବ୍ଦଗୁଡି଼କ ଉପରେ ଗୋଟିଏ ଵୈଦେଶିକ ଶବ୍ଦ 'ବଦଳିଵା' ସମ୍ପୂର୍ଣ୍ଣ ଆଧିପତ୍ୟ ଵିସ୍ତାର କରି ନେଇଛି । ଆଜିକାଲିର ଇଂରାଜୀ ପଢ଼ୁଆ ପିଲା ଓ ନଗରଵାସୀ ତ ପରିଵର୍ତ୍ତନ ଅର୍ଥଜ ଇଂରାଜୀ ଶବ୍ଦ Changeର ବହୁଳ ଵ୍ୟଵହାର କରୁଅଛନ୍ତି ।‌ କିନ୍ତୁ ପ୍ରକୃତରେ ଇଂରାଜୀ ଭାଷାରେ ପ୍ରଚଳିତ change ଶବ୍ଦଟି ବି ମୂଳତଃ ଏକ ଜର୍ମାନିକ୍ ଶବ୍ଦ ନୁହେଁ। ଇଂରାଜୀ ଏକ ଜର୍ମାନିକ୍ ଭାଷା, ଇଂରେଜମାନେ ଜର୍ମାନିକ୍ ଜାତି କିନ୍ତୁ ସେମାନଙ୍କ ଦେଶରେ ରୋମାନ୍ ଓ ଫ୍ରେଞ୍ଚ୍ ଲୋକ ଅନେକ ଵର୍ଷ ଶାସନ କରିଥିଵାରୁ ସେମାନଙ୍କ ଭାଷାରେ ସିଧାସଳଖ ଲାଟିନରୁ ତଥା ଫ୍ରେଞ୍ଚ୍ ଭାଷା ଦେଇ ଅନେକ ଲାଟିନ୍ ଭାଷା ମୂଳର ଶବ୍ଦ ପ୍ରଚଳିତ ହୋଇଛି ଏଵଂ ମୂଳ ଜର୍ମାନିକ୍ ଶବ୍ଦ ଲୋପ ପାଇଯାଇଛି । ଇଂରାଜୀ ଭାଷାର Change ମଧ୍ୟ ଏହି ଧରଣର ଏକ ଶବ୍ଦ ଅଟେ । 

ସଂସ୍କୃତ ଭାଷାରେ ଵ୍ୟଵହୃତ କ୍ମର(ଅଷ୍ଟଵକ୍ର ଵ୍ୟକ୍ତି ଵିଶେଷ) ଶବ୍ଦ ସହିତ ସଗୋତ୍ରୀୟ ପ୍ରାକ୍ କେଲ୍ଟିକ୍ kambos (“twisted, crooked”) ଶବ୍ଦଟି ଗ୍ବାଲିଶ୍ ଭାଷାରେ 
cambion ଓ *kambyom ହୋଇ ପରିଵର୍ତ୍ତନ ଅର୍ଥରେ ପ୍ରୟୋଗ ହେଲା ଏଵଂ
ପରେ ଲାଟିନ ଭାଷାରେ cambiāre, cambīre ଓ cambiō ରୂପେ ଚଳିଵାକୁ ଲାଗିଲା । ଏହି ଲାଟିନ ଶବ୍ଦଟି ଫ୍ରେଞ୍ଚ୍ ଭାଷାରେ ଯାଇ changier ହେଲା ଏଵଂ 
ତ୍ରୟୋଦଶ ଶତାବ୍ଦୀ ବେଳକୁ ଇଂରାଜୀ ଭାଷାରେ changen, chaungen ରୂପେ ପରିଵର୍ତ୍ତନ କରିଵା ଅର୍ଥ ଘେନି ଵ୍ୟଵହୃତ ହେଉଥିଲା । ଫଳତଃ ଇଂରାଜୀ ଭାଷାର ପରିଵର୍ତ୍ତନ ଅର୍ଥଜ ଜର୍ମାନିକ୍ ମୂଳର wenden ଓ wendan ଶବ୍ଦ ତ୍ରୟୋଦଶ ଶତାବ୍ଦୀ ପରେ ଅପ୍ରଚଳିତ ହୋଇଗଲା । ଉଲ୍ଲେଖଯୋଗ୍ୟ ଯେ ଏହି ଜର୍ମାନିକ୍ ମୂଳର wenden ଓ wendan ଶବ୍ଦର ସଗୋତ୍ରୀୟ ସମ୍ପର୍କ ସଂସ୍କୃତ ଭାଷାର ବନ୍ଧୁର(ବଗ;ବଗର ବେକ ଵକ୍ର ହେଉଥିଵାରୁ) ଶବ୍ଦ ଅଛି ।‌

ତଥାପି ଇଂରାଜୀ ଭାଷାରେ ଵ୍ୟଵହୃତ ହେଉଥିଵା ପରିଵର୍ତ୍ତନ ଅର୍ଥଜ change ଶବ୍ଦଟି କେଲ୍ଟିକ୍ ଭାରୋପୀୟ ଶାଖାର ଶବ୍ଦ ହେଲେ ବି ଏକ ଭାରୋପୀୟ ଶବ୍ଦ ଅଟେ । କିନ୍ତୁ ଭାରତୀୟ ଭାରୋପୀୟ ଭାଷାଗୁଡି଼କରେ ଶବ୍ଦ ସମୃଦ୍ଧି ନାମରେ ଅଗୋତ୍ରୀୟ ସେମେଟିକ୍ ମୂଳର ଆରବୀ ଶବ୍ଦ ବଦଳିଵା ଶବ୍ଦ ଏତେ ମାତ୍ରାରେ ଵ୍ୟଵହାର ହେଉଛି ଯେ ଆଜି ଏହି ଵୈଦେଶିକ ଶବ୍ଦର ସମାର୍ଥକ ଦେଶୀୟ ଶବ୍ଦଗୁଡି଼କୁ ଲୋକେ ପାଶୋରି ଦେଇଛନ୍ତି । ବିଡ଼ମ୍ବନା ଦେଖନ୍ତୁ ଆଜି ଓଡ଼ିଶାର ଲୋକେ ନିଜ ଭାଷାର ପରିଵର୍ତ୍ତନ ଅର୍ଥଜ ଅନ୍ୟଥା କରିଵା,ପାଲଟିଵା,ଫେର୍‌ଫାର୍ କରିଵା,ଫେରାଇଵା,ହେର୍ ଫେର୍ କରିବା,ଫେରିଵା,ସଂହରିଵା,ଫେରଣ,ପାଲଟିଵା ଓ ଉଲମ୍ବିଲମ୍ ଶବ୍ଦଗୁଡ଼ିକ ଵିଷୟରେ ଆଦୌ ଜାଣିନାହାନ୍ତି। ସେହିଭଳି ଇଂରାଜୀ ଭାଷାଭାଷୀଙ୍କ ମଧ୍ୟରେ ଅନେକେ ନିଜ ମାତୃଭାଷାର ମୂଳ ଶବ୍ଦ wenden ଓ wendan ସହିତ ପରିଚିତ ନୁହନ୍ତି । ଭାଷା ସମୃଦ୍ଧି ନାଆଁରେ ମନଇଚ୍ଛା
ଗୁଡ଼ାଏ ଵୈଦେଶିକ ଶବ୍ଦ ଭାଷାରେ ଗୋଳାଇ ଫେଣ୍ଟି ଘାଣ୍ଟି ଦେଲେ ଏହିପରି ନିଜ ଦେଶର ମୂଳ ଶବ୍ଦଗୁଡି଼କ ମରି ହଜିଯାଏ ।

Friday, July 28, 2023

ସାହିତ୍ୟ ବେପାର

ଦେଶର ଜଣେ ମହାନ ଲେଖକଙ୍କର ବହି ଓ ଲେଖା ଅନ୍ତର୍ଜାଲର ଵିଭିନ୍ନ ଜାଲସ୍ଥଳରେ ମାଗଣାରେ ଉପଲବ୍ଧ ଥିଲା । ଯେମିତି ସେ ପ୍ରସିଦ୍ଧ ଲେଖକଙ୍କର ଦେହାନ୍ତ ହେଲା ସାହିତ୍ୟ ବେପାରୀମାନେ ଲାଗି ପାତି ସେସବୁ ମାଗଣାରେ ଉପଲବ୍ଧ ସାହିତ୍ୟକୁ ହଟାଇ ଦେଲେ । 

ଏହାପରେ ଥରେ ଜଣେ ଵ୍ୟକ୍ତି ଫେସବୁକରେ ସେହି ପ୍ରସିଦ୍ଧ ଲେଖକଙ୍କର ଗୋଟିଏ ଗଳ୍ପ ଉପସ୍ଥାପନ କରିଦେଲେ । 

ଜଣେ ବେପାରୀ ତାହା ଦେଖି ସେହି ପୋଷ୍ଟରେ ଟିପ୍ପଣୀ ଦେଲା’

“ଶ୍ରୀ ଅମୁକଙ୍କ ସାହିତ୍ୟକୁ ଏମିତି ମାଗଣା ବାଣ୍ଟି ଦେଲେ ତାହାର କି ମହତ୍ତ୍ଵ ରହିଯିଵ ? ଵରଂ ତାଙ୍କ ସାହିତ୍ୟ ବିକ୍ରି ହେଲେ ଲୋକେ ତାହାକୁ ଅଧିକ ମହତ୍ତ୍ଵ ଦେବେ”

ଉପସ୍ଥାପକ ଟିପ୍ପଣୀର ପ୍ରକୃତ ମର୍ମ ବୁଝି ତହିଁର ପ୍ରତ୍ୟୁତ୍ତରରେ କେଵଳ ଏତିକି ଲେଖିଲେ 

ଏତେ ବୁଲେଇ ବଙ୍କେଇ କାହିଁକି ଲେଖୁଛ ହେ ସିଧା ସିଧା କହୁନା “ଆମେ ଶ୍ରୀଅମୁକଙ୍କ ସାହିତ୍ୟ ବିକି ଦି ପଇସା ରୋଜଗାର କରିବୁ ତେମେ ମାଗଣାରେ କାହିଁକି ବାଣ୍ଟୁଛ ?”

Tuesday, July 25, 2023

ହିନ୍ଦୁ ରାଜକନ୍ୟାଙ୍କ ପ୍ରତିଶୋଧ

ରାଜା ଦାହିର୍ ଥିଲେ ସିନ୍ଧୁ ଦେଶର ଶେଷ ସ୍ଵାଧୀନ ହିନ୍ଦୁ ଶାସକ । ତାଙ୍କ ସମୟକାଳ ୬୬୩ ଖ୍ରୀଷ୍ଟାବ୍ଦରୁ ୭୧୨ ଖ୍ରୀଷ୍ଟାବ୍ଦ ମଧ୍ୟରେ ବୋଲି ଐତିହାସିକ କୁହନ୍ତି । ରାଜା ଦାହିର୍ ଓ ତାଙ୍କ ପୁତ୍ର ଜୟ ଶାହ୍ ମିଶି ଦୁଇଥର‌ ମୁସ୍ଳମାନ ଆକ୍ରମଣକାରୀଙ୍କୁ ପରାସ୍ତ କରିଥିଲେ । ରାଜା ଦାହିର୍‌ଙ୍କ ପୁତ୍ର ଜୟ ଶାହଙ୍କ ହସ୍ତରେ ଶକ୍ତିଶାଳୀ ମନେ କରାଯାଉଥିଵା ଉବାଇ ଉଦଲ୍ଲା ଓ ବୁଦାଇଲ୍ ଵା ବାଜିଲ୍ ଭଳି ଆରବୀ ସେନାଧ୍ୟକ୍ଷ ମୃତ୍ୟୁଵରଣ କରିଥିଲେ । 

କିନ୍ତୁ ମୁସ୍ଳମାନ ଗୋଟେ ଅଲଜ୍ଜା ଜାତି, ଏମାନେ ବାରମ୍ବାର ପରାସ୍ତ ହେଲେ ବି ନମଲା ଯାଏଁ ଆକ୍ରମଣ କରୁଥାନ୍ତି । ତେଣୁ ସିନ୍ଧୁଦେଶ ଉପରେ ଆଉଥରେ ମୁସ୍ସଳମାନମାନେ ଆକ୍ରମଣ କରିଵାକୁ ଯୋଜନା କଲେ ‌ । 

ଖଲିଫା ଉମୟାଦ୍ କଲିଫତେ ସେତେବେଳେ ୟୁରୋପର କିଛି ଅଂଶ,ଉତ୍ତର ଆଫ୍ରିକା,ଆରବ,ଇରାକ ଓ ଇରାନର ଶାସକ ଥାଆନ୍ତି । ଆରବୀୟ ଖଲିଫା ସିନ୍ଧୁ ଦେଶକୁ ଜୟ କରିଵା ପାଇଁ
ବସ୍ରାରାଜ୍ୟର ଶାସକ ଅଲ୍ ହଜାଜ୍ ଇବ୍ନ ୟୁସୁଫ୍‌ଙ୍କୁ ଆଦେଶ ଦେଲେ । ଅଲ୍ ହଜାଜ୍ 
 ନିଜର ଜଣେ ସେନାଧ୍ୟକ୍ଷ ମହମ୍ମଦ ବିନ କାସିମଙ୍କୁ ସିନ୍ଧୁଦେଶକୁ ପଠାଇଲେ । ସିନ୍ଧୁ ଦେଶ ଉପରେ ସୁଯୋଗ ଉଣ୍ଡି କାସିମ୍ ଅତର୍କିତ ଆକ୍ରମଣ କଲେ ଫଳତଃ ରାଜା ଦାହିର୍ ଓ ତାଙ୍କ ପୁତ୍ର ମୃତ୍ୟୁମୁଖରେ ପଡ଼ିଲେ ଏଵଂ ରାଜ ଉଆସରେ ଥିଵା ଅନେକ ହିନ୍ଦୁ ମହିଳାମାନେ ଯୌହର୍ ଵ୍ରତ ଘେନି ଆତ୍ମ ଵିସର୍ଜନ କଲେ । କିନ୍ତୁ ଦାହିର୍‌ଙ୍କର ଦୁଇଜଣ କନ୍ୟା ସୂର୍ଯ୍ୟାଦେଵୀ ଓ ପରିମଳଦେଵୀଙ୍କୁ ଆତ୍ମଵିସର୍ଜନ ପୂର୍ଵରୁ ମୁସ୍ସଳମାନ ଲୁଣ୍ଠନକାରୀମାନେ ଧରି ନେଲେ । ଆକ୍ରମଣକାରୀ କାସିମ୍ ସେ ଦୁଇଜଣ ହିନ୍ଦୁ ରାଜକନ୍ୟା ଓ ସିନ୍ଧୁଦେଶରୁ ଲୁଣ୍ଠନ କରାଯାଇଥିଵା ଧନରତ୍ନକୁ ଆରବର ଖଲିଫାଙ୍କ ପାଖକୁ ପଠାଇ ଦେଲେ । 
ଵୃଦ୍ଧ ଵୟସରେ ଦୁଇଜଣ ସୁନ୍ଦରୀ ରାଜକନ୍ୟା ପାଇ ଖଲିଫା ବହୁତ ଉଷତ୍ ହେଲା । ସେମିତି ବି ଅଣମୁସ୍ସଳମାନଙ୍କ ଝିଅ ଵୋହୂଙ୍କୁ ଦେଖିଲେ ଏ ପାପିଷ୍ଠମାନଙ୍କର ବହେ ଲାଳ ଗଡ଼େ । 

ଖଲିଫା ସେ ଦୁଇଜଣ ହିନ୍ଦୁ ରାଜକନ୍ୟାଙ୍କୁ ବାହା ହେଵାକୁ ମନ ବଳାଇଲେ କିନ୍ତୁ ରାଜକନ୍ୟାମାନେ ଖଲିଫାଙ୍କୁ କହିଲେ “ଏହା ତ ବଡ଼ ପାପକର୍ମ କାରଣ ଆମକୁ ତ କାସିମ୍ ଆଗରୁ ବାହା ହୋଇସାରିଛନ୍ତି । କାସିମ୍ ଥିଵା ଯାଏଁ ଆମେ ପର ପୁରୁଷକୁ ଵିଵାହ କରିଵା ଠିକ୍ ହେଵ କି ? ତୁମ ଦେଶରେ କ'ଣ ଏଇ ରୀତି ଚଳୁଅଛି ? ଆମ ଭାରତଵର୍ଷରେ ତ ଏଭଳି ରୀତି ଥିଵା ଶୁଣାଯାଏ ନାହିଁ”

ଖଲିଫା ଏଥିରେ କ୍ଷୁବ୍ଧ ହୋଇ ସୈନ୍ୟମାନଙ୍କୁ ଆଦେଶ ଦେଲେ କାସିମ୍‌କୁ ମାରି ତା ଶଵକୁ ମୋ ପାଖକୁ ନେଇ ଆସ । ଆଦେଶ ଅନୁସାରେ କାସିମଙ୍କର ଶଵ ଅଣାଯାଇ ଖଲିଫାଙ୍କ ସମ୍ମୁଖରେ ରଖାଗଲା । 

କାମ କ୍ରୋଧାନ୍ଧ ଖଲିଫା ଅଟ୍ଟହାସ୍ୟ କରି ଉଠିଲେ କିନ୍ତୁ ହଠାତ୍ ଦୁଇ ହିନ୍ଦୁ ରାଜକନ୍ୟା ମଧ୍ୟ ହସିଲେ ଆଉ ଖଲିଫାଙ୍କୁ କହିଲେ “କାସିମ୍ ଆମକୁ ବାହା ହେଵା ତ ଦୂରର କଥା ଆମ ଅଙ୍ଗ ସ୍ପର୍ଶ ବି କରିନଥିଲା । ସିନ୍ଧୁ ଦେଶର ସହସ୍ରାଧିକ ସୈନ୍ୟ ଯୋଉ ଭାତୃପିତୃହନ୍ତାଠାରୁ ପ୍ରତିଶୋଧ ନେଇପାରିନଥିଲେ ଆମେ ନେଇପାରିଛୁ !”

ଦୁଃଖ,ପଶ୍ଚାତାପ,ଦ୍ଵେଷ,କ୍ରୋଧ,ହିଂସା ଆଦି ଭାବ ଖଲିଫାଙ୍କ ମନକୁ ଯୁଗପତ୍ ଅଧିକାର କରିନେଲା । ସେ ଆଦେଶ ଦେଲେ ଏ ଦୁଷ୍ଟା ହିନ୍ଦୁ କନ୍ୟାଦ୍ଵୟଙ୍କୁ ଜୀଵିତ ଅଵସ୍ଥାରେ କାନ୍ଥରେ କବର ଦେଇ ଦିଅ । ତାହା ହିଁ ହେଲା,ହିନ୍ଦୁ ରାଜା ଦାହିର୍‌ଙ୍କ ରାଜକନ୍ୟାଦ୍ଵୟ ତିଳେ ମାତ୍ର ଵିଚଳିତ ନହୋଇ ଆତ୍ମଵଳି ଦେଲେ ‌। ମାତ୍ର ଖଲିଫା ବି ଏହି ଘଟଣା ପରେ ଭାଙ୍ଗିପଡ଼ିଲେ ଓ ଅଳ୍ପ ଦିନରେ ମୃତ୍ୟୁମୁଖରେ ପଡ଼ିଲେ । ଦୁଇଜଣ ହିନ୍ଦୁ ରାଜକନ୍ୟା ସୂର୍ଯ୍ୟାଦେଵୀ ଓ ପରିମଳଦେଵୀ ଅସ୍ତ୍ରଶସ୍ତ୍ର ଧାରଣ ନକରି ବି ସେମାନଙ୍କ ଦେଶର ଦୁଇଜଣ ପ୍ରଧାନ ଶତ୍ରୁଙ୍କୁ 
ମାରି ଦେଵାରେ ସଫଳ ହୋଇଥିଲେ । 

ତେବେ ଆଜି ସିନ୍ଧୁଦେଶ ପାକିସ୍ତାନକୁ ଚାଲିଯାଇଛି । ଦେଶ ସ୍ବାଧୀନ ହେଲାପରେ ୧୯୫୪ରେ ଭାରତରେ ଗୋଟିଏ ପଟେ ଜାଗୃତି ଚଳଚ୍ଚିତ୍ରରେ ଗୀତ ହେଲା ”ଆଓ ବଚ୍ଚୋଁ ତୁମ୍ହେଁ ଦିଖାଏଁ ଝାଁକୀ ହିନ୍ଦୁସ୍ତାନ କୀ” ।‌
ଏହାର କେତେକ ଵର୍ଷ ପରେ ପାକିସ୍ତାନରେ ବେଦାରୀ ବୋଲି ଏକ ଚଳଚ୍ଚିତ୍ର ନିର୍ମାଣ କରାଗଲା । ତାହାର କାହାଣୀ ଓ ଗୀତ ସବୁକିଛି ଜାଗୃତି(୧୯୫୪) ଚଳଚ୍ଚିତ୍ରର ନକଲ ଥିଲା । 

ସେହି ବେଦାରୀ ଚଳଚ୍ଚିତ୍ରରେ ଗୋଟିଏ ଗୀତ ଥିଲା ”ଆଓ ବଚ୍ଚୋଁ ସୈର କରାଏଁ ତୁମ୍‌କୋ ପାକିସ୍ତାନକୀ”

ସେହି ଗୀତରେ ହିନ୍ଦୁ ରାଜା ଦାହିର୍‌ଙ୍କୁ ଜାଲିମ୍ ଓ ଆକ୍ରମଣକାରୀ କାସିମ୍‌ଙ୍କୁ ମହାନ। ଘୋଷଣା କରିଵାକୁ ଯାଇ କିଛି ପଦ ରହିଛି...

“ଦେଖୋ ୟେ ହେ ସିନ୍ଧ୍ ୟହାଁ ଜାଲିମ୍ ଦାହିର୍ କା ଟୋଲା ଥା,
ୟହିଁ ମହମ୍ମଦ ବିନ୍ କାସିମ୍‌ନେ ଅଲ୍ଲା ହୁ ଅକବର୍ ବୋଲା ଥା,
ଟୁଟି ହୁଇ ତଲୱାରୋଁ ମେଁ କ୍ୟା ବିଜ୍‌ଲି କ୍ୟା ସୋଲା ଥା,
ଗିନ୍‌ତି କେ କୁଛ୍ ଗାଜୀ ଥେ ଲାଖୋଁ କା ଲକ୍ସର୍ ଟୋଲା ଥା !”

ଏଇ ଗୀତ ହିଁ ଜଣାଇ ଦିଏ ଯେ ଭାରତଵର୍ଷ ସ୍ଵାଧିନ ହେଵା ପରେ ପରେ ଏହାଠାରୁ ଅଲଗା ହୋଇଥିଵା ପାକିସ୍ତାନରେ କିଭଳି ମିଛ ଇତିହାସ ପଢ଼ାଗଲା । ଫଳତଃ ପାକିସ୍ତାନର ଲୋକେ ଭ୍ରମରେ ଏଯାଵତ୍ ବଞ୍ଚିରହିଛନ୍ତି ଏଵଂ ମିଛ ଇତିହାସ ପଡଢ଼ିଵା ଯୋଗୁଁ ସେମାନଙ୍କର ଦିନୁଁ ଦିନ ଦୁର୍ଗତି ହୋଇ ଚାଲିଛି ‌। ଓଡ଼ିଶାର ପଶ୍ଚିମ ସୀମାନ୍ତରେ ମଧ୍ୟ କିଛି ଲୋକ ପୂର୍ଵ ଓଡ଼ିଶାର ଲୋକଙ୍କ ପ୍ରତି ଏହିପରି ଘୃଣା ଵୃଦ୍ଧି ପାଇଁ ଅର୍ଦ୍ଧସତ୍ୟ ଓ ମିଛ ଇତିହାସ ପ୍ରଚାର କରି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ସେମାନେ ଘୃଣା ଦ୍ଵେଷକୁ ବଳ କରି ଗଢ଼ିଉଠିଥିଵା ପାକିସ୍ତାନର ଵର୍ତ୍ତମାନ ଅଵସ୍ଥା ଦେଖି କିଛି ଶିଖନ୍ତୁ । 

(ଅଵଶ୍ୟ କେତେକ ଆରବୀୟ ମୁସ୍ସଳମାନ ଐତିହାସିକ କାସିମ୍ ଓ ଖଲିଫାଙ୍କ ମୃତ୍ୟୁକୁ କେଵଳ ଏକ ସଂଯୋଗ ଆଉ ଦୁଇ ହିନ୍ଦୁରାଜକନ୍ୟାଙ୍କ ସମ୍ବନ୍ଧୀୟ ଗାଥାକୁ କିମ୍ବଦନ୍ତୀ ମନେକରନ୍ତି। ତେବେ ଏହି ଗାଥା ୧୯୭୭ ମଇ ମାସ ଓଡ଼ିଆ ଜହ୍ନମାମୁଁ ପୁସ୍ତକରେ ପ୍ରକାଶିତ ହୋଇଥିଲା । ଆଜି ସିନ୍ଧୁଦେଶ ଆମ ଭାରତଵର୍ଷରେ ନାହିଁ ତେଣୁ ସିନ୍ଧୁଦେଶର ରାଜା ଦାହିର୍, ତାଙ୍କ ପୁତ୍ର ଜୟ ଶାହ ତଥା ଦୁଇ କନ୍ୟା ସୂର୍ଯ୍ୟାଦେଵୀ ଓ ପରିମଳ ଦେଵୀଙ୍କ ଗାଥା ଏବେ ଅନେକ ଭାରତୀୟ ହିନ୍ଦୁଙ୍କୁ ଜଣାନାହିଁ ଆଉ ସେମାନଙ୍କ ମାତୃଭୂମି ସିନ୍ଧୁଦେଶରେ ମିଛ ଇତିହାସ ସୃଷ୍ଟି କରି ସେମାନଙ୍କୁ ବଦନାମ୍ କରାଯାଉଛି । ଏହା ହିଁ ହୁଏ ଯେତେବେଳେ କୌଣସି ହିନ୍ଦୁ ଅଞ୍ଚଳକୁ ମୁସ୍ସଳମାଁ ମାନେ ଦଖଲ କରିନିଅନ୍ତି । ସେମାନେ ମିଛ ଇତିହାସ ଓ କଥା ଲେଖି ଵା ଗଢ଼ି ହିନ୍ଦୁ ରାଜା, ଐତିହାସିକ ନାୟକ-ନାୟିକା ଓ ଦେଵାଦେଵୀଙ୍କୁ ହୀନ ପ୍ରମାଣ କରିଵାକୁ ଚେଷ୍ଟା କରନ୍ତି । )

ବରପିଲା

ଜଗନ୍ନାଥପୁର ଗ୍ରାମରେ ଈଶ୍ଵର ଜେନା ଓ ରାଧା ଜେନା ନାମରେ ଦମ୍ପତି ରହୁଥାନ୍ତି ।‌ସେମାନଙ୍କର ବହୁ ଚେଷ୍ଟା ପରେ ବି ପିଲାପିଲି ହୋଇନଥାଏ । ଦିନେ ଈଶ୍ଵର ଅଭିମାନ କରି ଠାକୁରଙ୍କୁ ଡାକି କହିଲା ”ହେ ଠାକୁରେ ! ତୁମେ ସତରେ କେତେ ନିର୍ଦ୍ଦୟ !”...
“ମୁଁ ସତ୍ ମାର୍ଗରେ ଥାଇ ସତ୍ କର୍ମ କରି ସୁଦ୍ଧା ମୋତେ ସନ୍ତାନ ପ୍ରାପ୍ତି ହେଉନାହିଁ କିନ୍ତୁ ପରପ୍ରୀଡ଼କ,ଭ୍ରଷ୍ଟାଚାରୀ ନେଡ଼େମେଡ଼ିଆ ସୁକୁଟା ପଧାନକୁ ପାଞ୍ଚ ପାଞ୍ଚଟା ଛୁଆ ଦେଇ ଦେଇଛ ! ଯଦି ଭଲ କାମ କରି ମୋତେ ସନ୍ତାନ ପ୍ରାପ୍ତି ହୋଇପାରୁନାହିଁ ତାହେଲେ ମୁଁ ବି ଅଧର୍ମୀ କାହିଁକି ନହେବି ?”

ସେଦିନ ରାତିରେ ହଠାତ୍ ଜଣେ ସନ୍ୟାସୀଙ୍କର ଆଵିର୍ଭାଵ ହେଲା । ସେ ଈଶ୍ଵର ଜେନାଙ୍କ ଆତିଥ୍ୟ ଗ୍ରହଣ କଲେ ଏଵଂ ଶୁଦ୍ଧ ଖାଦ୍ୟ ପାନୀୟ ଗ୍ରହଣ ପରେ ଉଷତ ହୋଇ ଗୋଟିଏ ଅଜଣା ଫଳ ଦେଇ କହିଲେ ଦେଖ ଏଇ ଫଳକୁ ଶୁଦ୍ଧ ସ୍ନାନ ଶୌଚାଦି କରି ଭୁଞ୍ଜିଵ ଅନ୍ୟଥା ଵିପରୀତ ଫଳ ଭୋଗ ହେଵ । 

ଈଶ୍ୱର ଜେନାର ସ୍ତ୍ରୀ ଉତ୍କଣ୍ଠିତା ଥିଲା ତେଣୁ ସନ୍ୟାସୀ ଯିଵା ପରେ ଅଧରାତିରେ ଲୁଚିକରି ଫଳକୁ ଖାଇଦେଲା । ସନ୍ୟାସୀ କହିଥିଵା କଥା ଫଳିଲା । ଵର୍ଷ ପରେ ପୁଅଟିଏ ଜନ୍ମ ହେଲା କିନ୍ତୁ ସେ ବଡ଼ ହେଵା ଭିତରେ ମାତାପିତା ଜାଣିପାରିଲେ ଯେ ତାଙ୍କ ପୁତ୍ରଟା ନିର୍ବୁଦ୍ଧିଆ ‌। ସେ ନିର୍ବୁଦ୍ଧିଆ ପୁଅର ନାଆଁ ଶଙ୍କର ଜେନା ଦେଇଥାନ୍ତି ।‌

ସେ ଶଙ୍କର ଜେନା ପାଠ ପଢି଼ଵାକୁ ଚାଟଶାଳୀକୁ ଗଲା । ଅଵଧାନ ଶହେ ଥରେ କହିଲେ ହଜାରେ ଥର ଶିଖାଇଲେ ବି ତା'ର ପାଠ କି ଶାଠ କିଛି ହେଲା ନାହିଁ । ବାଧ୍ୟ ହୋଇ ବାପା ମାଆ ଶଙ୍କରର ପାଠପଢ଼ା ସ୍ଥଗିତ ରଖିଲେ । 

ପୁଅର ବୋକାମୀ ଦେଖି ପୁଣି ଦିନେ ଈଶ୍ଵର ଜେନା ଠାକୁରଙ୍କୁ ଡାକିଲା ”ହେ ଠାକୁରେ ! ମୁଁ ତ ପୁଅଟିଏ ମାଗିଥିଲି ତୁମେ ପୁଅ ଦେଲ ଯେ ସେ ବୋକା, ଅପାଣ୍ଡୁକ। ମୁଁ ନିଃସ୍ଵାର୍ଥପର ଭାବରେ ଧର୍ମକାର୍ଯ୍ୟ କରି କି ଲାଭ ଯଦି ଏଭଳି ଅଯୋଗ୍ୟ ପୁତ୍ର ଲାଭ ହେଵାର ଥିଲା ?”

ସେଦିନ ଦ୍ଵିପହରେ ପୁଣି ସେହି ସନ୍ୟାସୀ ଆସିଲେ । ଈଶ୍ୱର ଜେନା ନିଜ ପୁଅର ବୋକାପଣ କଥା କହିଲା । ସନ୍ୟାସୀ ବୋଇଲେ ଶୁଣ, ଆମ୍ଭ କଥା ନମାନି ଅଶୌଚ ଅଵସ୍ଥାରେ ଅସମୟ କାଳରେ ଆମ୍ଭେ ଦେଇଥିଵା ଫଳ ଭୁଞ୍ଜିଥିଵାରୁ ଅନ୍ୟାଚାର ଘଟି ତୁମ୍ଭ ପୁତ୍ର ଅପାଣ୍ଡୁକ ହେଲା ‌। କିନ୍ତୁ ଚିନ୍ତା କରିଵାର କିଛି ନାହିଁ । ତା ବାହାଘର ହୋଇଗଲେ ବୁଦ୍ଧି ଫିଟିଵ ତାପରେ ସେ ସମାଜରେ ପ୍ରତିଷ୍ଠିତ ହୋଇଯିଵ । ତେବେ ଗୋଟିଏ କାର୍ଯ୍ୟ କରିଵ । ତାକୁ ସବୁବେଳେ ଵର ବେଶରେ ସଜାଇ ରଖିଵ ନହେଲେ ବାହା ଯୋଗ ଫିଟିଵ ନାହିଁ।” 

ସେଇଦିନଠାରୁ ଈଶ୍ଵର ଜେନାର ପୁଅ ଶଙ୍କର ଜେନା ଵର ବେଶରେ ବୁଲିଲା । ଦିନା କେତେ ଲୋକେ ଟାପରା କଲେ,ଶଙ୍କର ଜେନା ତୁଲେ ଵରବେଶକୁ ନେଇ ଗମାତ ହେଲେ । କିନ୍ତୁ ଶଙ୍କର ଜେନା ସେମିତି ଗୁଡ଼ାଏ ଵର୍ଷ ଵରବେଶ ଧରି ବୁଲିଲା । ଶଙ୍କର ଜେନା ବୋକା ହୋଇଥାଇପାରେ କିନ୍ତୁ ସେ ସଦାଚାରୀ, ମିଷ୍ଟଭାଷୀ,ଦୟାଳୁ,ମେଳାପୀ ହୋଇଥିଵାରୁ ଲୋକେ ତାକୁ ସ୍ନେହ ଆଦର କରୁଥିଲେ । ଧିରେ ଧିରେ ଆଖପାଖ ଅଞ୍ଚଳରେ ସେ ଵରପିଲା ନାଆଁରେ ଖ୍ୟାତ ହୋଇଗଲା । ଖ୍ୟାତ ସିନା ହେଲା କିନ୍ତୁ ସେ ବୋକାଟାଏ ବୋଲି ତାକୁ କେହି ଝିଅ ଦେଲେ ନାହିଁ ।

ଦିନେ ଶଙ୍କର ଜେନା ତା ବାପା ମାଆଙ୍କ ସହିତ ମାମୁଘର ଯାଉଥାଇ । ଆଜିକାଲି ଭଳି ସେ ଯୁଗରେ ଏତେ ଯନ୍ତ୍ରଯାନ ନଥିଲା । ଲୋକେ ଘୋଡ଼ାଗାଡ଼ି କି ଶଗଡ଼ରେ ଆତଯାତ କରୁଥିଲେ ତେଣୁ ଶହ ଶହ 
କୋଶ ଦୂର ସ୍ଥାନକୁ ଯିଵା ପାଇଁ ଦିନେ ଦୁଇଦିନ ଲାଗିଯାଉଥିଲା । ବାଟରେ ଯାଉ ଯାଉ ରାତି ହୋଇଯିଵାରୁ ସେମାନେ ଏକ ଗାଆଁରେ ରହିଲେ । ସେଠାରେ ବାହାଘର ହେଵାକୁ ଯାଉଥିଲା କିନ୍ତୁ ଵରପକ୍ଷ ଓ କନ୍ୟାପକ୍ଷର ଲୋକଙ୍କ ମଧ୍ୟରେ କୌଣସି କାରଣରୁ ଗୋଳ ହେଉଥିଲା । 

ଈଶ୍ଵର ଜେନା,ରାଧା ଜେନା ଓ ତାଙ୍କ ପୁଅ ଶଙ୍କର ଜେନା ସେଠାରେ କ'ଣ ହେଉଛି ବୋଲି ଦେଖିଵାକୁ ଗଲେ । ଭୀଷଣ ପାଟିତୁଣ୍ଡ ଭିତରେ ଶଙ୍କରା ଜେନା ବାହା ଵେଦୀ ଚାରିପଟେ ବୁଲି ଦେଖୁଥାଏ । ସେ ତ ଵର ଵେଶରେ ଥାଏ ତେଣୁ ତାକୁ ଵର ଵେଶରେ ଦେଖି ପୁରୋହିତ ଭାବିଲେ ଵରପକ୍ଷ ଓ କନ୍ୟାପକ୍ଷ ମଧ୍ୟରେ ଵିଵାଦ ତୁଟିଗଲାଣି ବୋଲି ଵରପିଲାଟି ବାହା ଵେଦୀ ପାଖକୁ ଆସିଛି । ପୁରୋହିତ ଶଙ୍କର ଜେନାକୁ ପଚାରିଲେ ତୁମ ନାଆଁ କ'ଣ ? ଶଙ୍କର ଜେନାକୁ ତ ତା ଗାଆଁ ଲୋକେ ବରପିଲା ଡାକୁଥିଲେ ତେଣୁ ସେ ସେହି ଡାକ ନାଆଁଟି କହିଦେଲା । ଲଗ୍ନ ଗଡ଼ି ଯାଉଥାଏ ତେଣୁ ପୁରୋହିତ ଵରବେଶଧାରୀ ଶଙ୍କର ଜେନାକୁ କହିଲେ ଆଉ ଵିଳମ୍ବ କାହିଁକି ? ଆସ ବସିପଡ଼ ! 

ବରପିଲା ଶଙ୍କର ଜେନାର ବରବେଶ ଦେଖି ପୁରୋହିତର ଵା କାହିଁକି ସନ୍ଦେହ ହୁଅନ୍ତା । ତେଣେ ଝଗଡ଼ା ଚାଲିଥାଏ ଏଣେ ବରପିଲାର ବାହାଘର ହେଉଥାଏ । ବାହାଘର ପାଇଁ ଆସିଥିଵା ପରପକ୍ଷ ଉତ୍ୟକ୍ତ ହୋଇ ସେ ସ୍ଥାନ ଛାଡି଼ ଚାଲିଯିଵା ପରେ କନ୍ୟାପିତା ଆସି ଦେଖିଲେ ଝିଅର ବାହାଘର ହୋଇ ସାରିଛି । ଈଶ୍ଵର ଓ ରାଧା ବି ପୁଅକୁ ଚାରିଆଡ଼େ ଉଣ୍ଡି ସେଠାରେ ଆସି ପହଞ୍ଚିଲେ । ଏ ଘଟଣାକୁ ସମସ୍ତେ ଦୈଵ ଵିଧାନ ମାନିନେଲେ । ଅଵଶ୍ୟ ଵିଵାହ ପରେ ପରେ ବରପିଲା ଶଙ୍କର ଜେନାର ବୁଦ୍ଧି ଫିଟିଲା ଏଵଂ ସେ ସମାଜର ଜଣେ ଗଣ୍ୟମାନ୍ୟ ଵ୍ୟକ୍ତି ହେଲା ।

(ଵି:ଦ୍ର —ଜହ୍ନମାମୁଁ ୧୯୭୭ ଇଂରାଜୀ ଵର୍ଷ ମେ ମାସ ଓଡ଼ିଆ ସଂଖ୍ୟାରେ ପ୍ରକାଶିତ ‘ବର’ ଗଳ୍ପକୁ ସାମାନ୍ୟ ପରିଵର୍ତ୍ତନ କରି ଏହି ଗଳ୍ପଟି ଲେଖିତ ହୋଇଛି ।)

Friday, July 21, 2023

ହୀରାକୁଦ ଜଳଭଣ୍ଡାର ଓ ହୀରାକୁଦ

ହୀରାକୁଦ ଶବ୍ଦରେ ହୀରା ଓ କୁଦ ଦୁଇଟି ଶବ୍ଦ ଅଛି । କିନ୍ତୁ ହୀରାକୁଦ ଶବ୍ଦରେ କୁଦ ଶବ୍ଦଟି ଡେଇଁଵା ଅର୍ଥରେ ଯୋଡ଼ାଯାଇନାହିଁ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ସମ୍ବଲପୁରର ପୂର୍ଵ ନାମ ଥିଲା ହୀରାକୁଦ୍। ସେହିପରି ସମ୍ବଲପୁରୀରେ ପ୍ରଚଳିତ 'କୁଦ୍' ଶବ୍ଦର ଅର୍ଥ 
କୁଦ; କୁଦା; ମାଟିକୁଦା(A mound of earth) ଏଵଂ ଏହା ସଂସ୍କୃତ କକୁଦ୍ ଶବ୍ଦ ସହିତ ସମୋଦ୍ଧୃତ ବୋଲି ଭାଷାକୋଷରେ କୁହାଯାଇଛି। ବୃଷଭର ଚୂଳ,ପର୍ଵତ ଶୃଙ୍ଗ, ପାହାଡ଼ର ଚୂଳ,ଛତ୍ର ଚାମରାଦି ରାଜଚିହ୍ନ ଓ ଶ୍ରେଷ୍ଠ ଵା ପ୍ରଧାନ ଅର୍ଥରେ କକୁଦ୍ ଶବ୍ଦ ଵ୍ୟଵହୃତ ହେଉଥିଲା । ଓଡ଼ିଆ ଭାଷାରେ ସେହି କକୁଦ୍ ସହିତ ସମୋଦ୍ଧୃତ କୁଦ ଶବ୍ଦଟି ଢିପ, ଉଚ୍ଚ ଭୂମିଖଣ୍ଡ,ବାଲିସ୍ତୂପ,ପାହାଡ଼, ମୁଣ୍ଡିଆ(Hillock),ସମୂହ(heap),ଉଚ୍ଚ ଗଦା ଓ କୁଜ ଅର୍ଥରେ ପ୍ରୟୋଗ କରାଯାଏ । 
ତେଣୁ ହୀରାକୁଦ ଵା ସମ୍ବଲପୁର ଉଚ୍ଚଭୂମି ହୋଇଥିଵାରୁ ଏଵଂ ଏଠାରେ ହୀରା ମିଳୁଥିଵାରୁ ଏହାକୁ ହୀରାକୁଦ କୁହାଯାଉଥିଲା । ହୀରାକୁଦ ଏବେର ନାଆଁ ନୁହେଁ କି ହୀରାକୁଦ ଜଳଭଣ୍ଡାର ଗଢ଼ାଗଲା ପରେ ଏହି ନାମକରଣ ହୋଇନାହିଁ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ୧୯୩୦ରୁ ୧୯୪୦ ସମୟରେ ପ୍ରକାଶିତ ହୋଇଥିଲା । ସେଥିରେ କୁଦ୍ ଶବ୍ଦ ତଳେ ହୀରାକୁଦ ଶବ୍ଦର ଉଲ୍ଲେଖ ସୂଚାଇ ଦିଏ ଯେ ଏହା ଏକ ପୁରାତନ ଶବ୍ଦ ଏଵଂ ପରେ ହୀରାକୁଦ ଜଳଭଣ୍ଡାରର ନାମକରଣ ଏହି ନାମାନୁସାରେ ହୋଇଅଛି ‌। 


ଵୈଦେଶିକ ଆସବାବ୍ ଶବ୍ଦ ଵ୍ୟଵହାର ଯୋଗୁଁ ଆମ ଭାଷାର କେଉଁ କେଉଁ ଶବ୍ଦ ହଜିଯାଇଛି ?

ଆସବାବ ଓ Furniture ଉଭୟ ଵୈଦେଶିକ ଶବ୍ଦ ।‌ 
ଆସବାବ ଆରବୀ ଶବ୍ଦ أَسْبَاب‎ (ʔasbāb) ମୂଳର ଏଵଂ ଫ୍ରେଞ୍ଚ୍ fourniture ଶବ୍ଦଟି ଇଂରାଜୀ ଭାଷାରେ Furniture ରୂପେ ପ୍ରଚଳିତ ହୋଇଛି । 

ଓଡ଼ିଶାର ଲୋକେ ଅଧୁନା ଆସବାବ ଓ ଫ଼ର୍ନିଚର୍ ଶବ୍ଦଦ୍ଵୟକୁ ଘରକରଣା ଦରଵ ଓ ଗୃହସଜ୍ଜା ଉପକରଣ ଅର୍ଥରେ ଵ୍ୟଵହାର କରୁଛନ୍ତି । ତେବେ ଏହି ଆରବୀ ଓ ଇଂରାଜୀ ଶବ୍ଦଦ୍ଵୟ ଵ୍ୟଵହାର ପୂର୍ଵରୁ କ'ଣ ଭାରତୀୟମାନେ ଗୃହୋପକରଣ ରଖୁନଥିଲେ ଯେ ଆରବୀ ଆସିଲେକି ଇଂରାଜୀ ଆସିଲେ ଆଉ ଆମ ପୂର୍ଵଜଙ୍କୁ ଘରକରଣା ଦରଵ ସମ୍ବନ୍ଧୀୟ ଜ୍ଞାନ ଦେଇଥିଲେ ? 
ଆମ ଭାଷାରେ କ'ଣ ଆସବାବ ଓ ଫ଼ର୍ନିଚର୍ ଅର୍ଥଜ ଶବ୍ଦ ନଥିଲା ଯେ ଆମେ ଏ ଵୈଦେଶିକ ଶବ୍ଦ ଵ୍ୟଵହାର କରୁଛନ୍ତି ? 
ମରୁଭୂମି ଓ ଶୀତପ୍ରଧାନ ଦେଶଗୁଡି଼କର ଭାଷାରେ ଘରକରଣା ସାମଗ୍ରୀ ପାଇଁ ଶବ୍ଦ ଅଛି ଆମ ଭାରତୀୟ ଶାସ୍ତ୍ରୀୟ ଭାଷା ଓଡ଼ିଆ ତଥା ସଂସ୍କୃତରେ ନାହିଁ ? 

ପ୍ରକୃତରେ ଆମ ପାଖରେ ସମାର୍ଥକ ଅନେକ ଶବ୍ଦ ଥିଲା,ଅଛି ଏଵଂ ଏବେବି ଵ୍ୟଵହାର କରାଯାଉଛି । 


ଓଡ଼ିଆ ଭାଷାରେ ସଜ,ସାଜ,ଘରସାଜ,ଘରସାଣ୍ଠ,ତୁଲ ଓ ଦରଵ୍ ସରଵ୍ ଭଳି ଶବ୍ଦ ସେହି ଵୈଦେଶିକ ଆସବାବ ଅର୍ଥରେ ପ୍ରୟୋଗ କରାଯାଏ। ସେହିପରି ସଂସ୍କୃତ ଭାଷାରେ ଗୃହୋପକରଣ,ପରିଚ୍ଛଦ,ପରିଵର୍ହ,ପରିବାପ,ପରିଣାହ୍ୟ,ସାଜସଜ୍ଜା,ସଜ୍ଜନା ଓ ଦ୍ରଵ୍ୟସର୍ଵ ଆଦି ଶବ୍ଦ ମଧ୍ୟ ସମାନ ଅର୍ଥରେ ରହିଛି । 

ଉଲ୍ଲେଖଯୋଗ୍ୟ ଯେ ଆସବାବ୍ ଯେମିତି ଆରବୀ ମୂଳର ଵୈଦେଶିକ ଶବ୍ଦ ଠିକ୍ ସେହିପରି ସରଞ୍ଜାମ୍ ଓ ଚିଜଵସ୍ତ ଶବ୍ଦଦ୍ଵୟ ମଧ୍ୟ ପାର୍ସୀ ମୂଳର ସମାର୍ଥକ ଵୈଦେଶିକ ଶବ୍ଦ ଅଟେ । ସାମାନ୍ ଶବ୍ଦଟି ପାର୍ସୀ ଶବ୍ଦ ଏଵଂ ସେହି ଅର୍ଥରେ ଆମ ପାଖରେ ସାମଗ୍ରୀ ଶବ୍ଦ ଅଛି ସେହିପରି ଓଡ଼ିଆ ଭାଷାରେ ସଜ ଓ ସାଜ ସଂସ୍କୃତ ସଜ୍ଜା ଶବ୍ଦରୁ ସୃଷ୍ଟି ହୋଇଛି ଏଵଂ ପାର୍ସୀ ଭାଷାରେ ବି ସେହି ମୂଳର ସାଜ୍ ଶବ୍ଦ ଚଳୁଅଛି। ଚିଜ ଓ ଜିନିସ ଶବ୍ଦ ମଧ୍ୟ ପାର୍ସୀ ମୂଳର ଶବ୍ଦ । ଆମ ଭାଷାରେ ଦରଵ, ଦ୍ରଵ୍ୟ,ଵସ୍ତୁ, ପଦାର୍ଥ ଭଳି ଅନେକ ଶବ୍ଦ ଅଛି ଯହିଁର ପ୍ରୟୋଗ ଏସବୁ ଵୈଦେଶିକ ଶବ୍ଦଗୁଡି଼କ ଯୋଗୁଁ ପ୍ରଭାଵିତ ହୋଇଛି । ତାହେଲେ ନିଜ ଭାଷାର ଶବ୍ଦ ଛାଡ଼ି ପର ଭାଷାର ଶବ୍ଦ ଵ୍ୟଵହାର କଲେ ଭାଷା ସମୃଦ୍ଧି କେମିତି ହେଉଛି ? 

ହିନ୍ଦୀ ଭାଷାରେ ବି ଆସବାବ୍ ଶବ୍ଦ ଅସବାବ ରୂପେ ଚଳୁଅଛି କିନ୍ତୁ ହିନ୍ଦୀ ପାଖରେ ମଧ୍ୟ अटाला,हँड़वाई ଓ गृहस्थी ଭଳି ଦୁଇ ତିନୋଟି ଦେଶୀୟ ସମାର୍ଥକ ଶବ୍ଦ ଥିଲା ଯାହା ଏବେ ଆଉ ମାନକ ହିନ୍ଦୀରେ ସ୍ଥାନ ପାଇନାହିଁ ‌। ଆଜିକାଲି ତ ଲୋକେ ସିଧା ଇଂରାଜୀ ଶବ୍ଦ Furniture କହି କାମ ଚଳାଇ ଦେଉଛନ୍ତି। 

ତେବେ ପ୍ରଶ୍ନ ଆସୁଛି ଆମ ପାଖରେ ଏତେ ଶବ୍ଦ ଥାଇ ବି ଆସବାବ ଭଳି ଵୈଦେଶିକ ଶବ୍ଦଗୁଡ଼ିକୁ କାହିଁକି ଆମ ପୂର୍ଵଜ ଆପଣାଇଥିଲେ ? 
ପ୍ରକୃତରେ ଵୈଦେଶିକ ଆସବାବ ଶବ୍ଦ ଵ୍ୟଵହାର ଯୋଗୁଁ ଆମ ଭାଷାର ସଜ,ସାଜ,ଘରସାଜ,ଘରସାଣ୍ଠ,ତୁଲ ଓ ଦରଵ୍ ସରଵ୍ ପରି ଶବ୍ଦକୁ ଆଜି ଲୋକେ ଭୁଲିଗଲେଣି । ସେଥିପାଇଁ ମୁଁ ସବୁବେଳେ କୁହେ “ଗୋଟିଏ ଵୈଦେଶିକ ଶବ୍ଦ ଅନେକ ଦେଶୀୟ ଶବ୍ଦଗୁଡି଼କୁ ଏହିପରି ମାରିଦିଏ ।” ଵୈଦେଶିକ ଆସବାବ ଶବ୍ଦ ପ୍ରୟୋଗ ଯୋଗୁଁ ଓଡ଼ିଆ ଭାଷା ସମୃଦ୍ଧ ନୁହେଁ ଵରଂ ଦୁର୍ଵଳ ହୋଇଛି କାରଣ ମାନକ ଭାଷାରେ ଏ ଵୈଦେଶିକ ଶବ୍ଦ ଵ୍ୟଵହାର ହେଵା ଯୋଗୁଁ ସମାର୍ଥକ ପାଞ୍ଚୋଟି ଦେଶୀୟ ଶବ୍ଦ ହଜିଯାଇଛି । 


Thursday, July 20, 2023

ଅସରପା ଓ ଏହାର ଵିଭିନ୍ନ ଓଡ଼ିଆ ନାଆଁ

୨୦୦୭ରେ ରୁଷିଆର Foton-M mission ଦ୍ଵାରା ଗୋଟିଏ ଜୀଵକୁ Nadezhd(ଆଶା/hope) ନାମ ଦେଇ ଅନ୍ତରୀକ୍ଷକୁ ଛଡ଼ା ଯାଇଥିଲା । ଏହି Nadezhda ଜୀଵ ଅନ୍ତରୀକ୍ଷରେ ୩୩ଗୋଟି ଛୁଆ ଜନ୍ମଦେଇ ଏମନ୍ତ କରିଥିଵା ପୃଥିଵୀର ପ୍ରଥମ ଜୀଵ ହୋଇଯାଇଥିଲା । ହଁ ସେଇ ଜୀଵଟି ଆଉ କେହି ନୁହେଁ ପୃଥିଵୀରେ ଦେଖାଯାଉଥିଵା ପ୍ରାୟ ୪୬୦୦ ଜାତିର ଅସରପାଙ୍କ ମଧ୍ୟରୁ ଗୋଟିଏ ଜାତିର ଅସରପା ଥିଲା । 

ତେବେ ଆମ ଗ୍ରହରେ ସହସ୍ରାଧିକ ଅସରପା ଜାତି ଥିଲେ ବି ମୁଖ୍ୟତଃ ଭିନ୍ନ ଭିନ୍ନ ଅଞ୍ଚଳରେ ପ୍ରାୟ ୪୦ ପ୍ରକାର ଵା ଜାତିର ଅସରପା ହିଁ ମନୁଷ୍ୟମାନଙ୍କ ଗୃହରେ ରୁହନ୍ତି । 
ପୃଥିଵୀରେ ଦେଖାଯାଉଥିଵା ମୋଟ ଅସରପା ଜାତୀୟ ଜୀଵଙ୍କ ମଧ୍ୟରେ ଭାରତରେ ଛଅଗୋଟି ଅସରପା କୁଳର ପ୍ରାୟ ୧୮୧ ପ୍ରକାରର ଅସରପା ମିଳିଛନ୍ତି ଏଵଂ ତନ୍ମଧ୍ୟରେ ୮୨ ଜାତିର ଅସରପା କେଵଳ ଭାରତରେ ହିଁ ଦେଖାଯାଆନ୍ତି । ଭାରତରେ Blaberidae କୁଳର ୮୩ ଜାତିର ଅସରପାଙ୍କ ମଧ୍ୟରୁ Periplaneta americana, Homalosilpha ustulata ,Heberdina concina ଓ Neostylophyga rhombifolia ata ସାଧାରଣତଃ ସର୍ଵତ୍ର ଦେଖାଯାଆନ୍ତି । ସେହିପରି Ectobiidae ଅସରପା କୁଳର ପ୍ରାୟ ୫୩ଟି ଜାତି ଭାରତରେ ଦେଖାଯାଆନ୍ତି । ଏତଦ୍‌ଵ୍ୟତୀତ Corydiidae ଓ Nocticolidae କୁଳର ଅସରପା ମଧ୍ୟ ଭାରତରେ ଗଵେଷମାନଙ୍କୁ ମିଳିଛନ୍ତି । ଅସରପା ଜାତୀୟ କେତେକ ଜୀଵ କେଵଳ ଭାରତ ଓ ଏହାର ଆଖପାଖ ଦେଶଗୁଡି଼କରେ ହିଁ ଦେଖାଯାଇଥାନ୍ତି ଉଦାହରଣ ସ୍ଵରୂପ Therea (Indian Domino Cockroach) କେଵଳ ଭାରତରେ ଦେଖାଯାଉଥିଵା ସାତଗୋଟି ଧଳା ଚିହ୍ନଯୁକ୍ତ (ମୋଟ ଆଠଗୋଟି ଜାତି)ଅସରପା ଜାତୀୟ ଜୀଵ କେଵଳ ଭାରତ ଓ ଶ୍ରୀଲଙ୍କାରେ ମିଳିଛନ୍ତି । 

ଭାରତଵର୍ଷର ଵିଭିନ୍ନ ଭାଷାରେ ଅସରପା ପାଇଁ ଭିନ୍ନ ଭିନ୍ନ ପ୍ରତିଶବ୍ଦ ପ୍ରଚଳିତ । ନିମ୍ନରେ କେତେକ ଭାଷାରେ ଅସରପା ଅର୍ଥଜ ଶବ୍ଦର ଉଲ୍ଲେଖ କରାଗଲା । 

•ଅହମିଆ—পঁইতাচোৰা (põitasüra),পঁইতাচোৰা(pam̐itācorā)
•ଆଙ୍ଗାମୀ—bouluo
•ଆଓ—leplu
•ଓଡ଼ିଆ— ଅସରପା,ଅସ୍ରପା,ଅସଲା,ଅସରଲା,ଅସରଡ଼ା,ପରା,ପାରା,ପରହ,ପେରିଆ,ପେର୍‌ପେରା,ପେର୍‌ପେରିଆ,ଜୁର୍ଲା,ଝୁର୍ଲା,ଝୁରୁଲା,ଝୁଲ୍‌ରା,କବାଟକଣିଆ,ଘରରଖା,ତଇଳପିଆ,ତେଲଚଟା, ସମ୍ବଲପୁରିଆପୋକ ଓ ତେଲିଆପୋକ
•ବଙ୍ଗାଳୀ—তেলাপোকা (telapōka), আরশুলা (arśula)
•ବର୍ମୀଭାଷା—ပိုးဟပ်(poehaut)
•ହିନ୍ଦୀ — तिलचट्टा,चपड़ा
•କଶ୍ମୀରୀ —ؤٹِل‎ (vạṭil)
•କନ୍ନଡ଼ —ಜಿರಳೆ(Jiraḷe),ಹಾತೆ(Hāte), ಜೊಂಡಿಗ(joṇḍiga), ಹಕ್ಕಳೆ(hakkaḷe)
•କୋଙ୍କଣୀ — जरलो
•ମରାଠୀ —बागुरडा,झूरळ
•ମଳୟାଳ଼ମ —പാറ്റ (pāṟṟa)
•ପଞ୍ଜାବୀ —ਤਿੱਲਚਟਾ
•ନେପାଳୀ —साङ्ला,झिङुर् 
•ତାମିଳ଼— கக்கலாத்து (kakkalāttu), கரப்பான் பூச்சி (karappāṉ pūcci),pāccai
•ତେଲୁଗୁ—బొద్దింక (boddiṅka),jillapurugu,bariNepurugu, బొద్దు(boddu),బరిణ (bariṇa)
•ସିଂହଳୀ—කැරපොත්තා(kærapottā),ඛලාධාරා(khalādhārā)

ଆମ ଦେଶରେ ଵିଭିନ୍ନ ଜାତିର ଅସରପା ଦେଖାଯାଉଥିଲେ ବି ଆମ ଘରେ ଓ ଏହାର ଆଖପାଖରେ Periplaneta americana,Blattella germanica,Supella longipalpa ଓ Blatta orientalis ଜାତିର ଅସରପା ହିଁ ସର୍ଵାଧିକ ଦେଖାଯାଆନ୍ତି। ଏହି ଚାରୋଟି ଅସରପା ଜାତି ମଧ୍ୟରେ ବି ଓଡ଼ିଶାରେ ଅଧିକାଂଶଙ୍କ ଘରେ Periplaneta americana ଜାତୀୟ ଅସରପା ଦେଖାଯାଆନ୍ତି । Periplaneta ଏକ ଲାଟିନ ଶବ୍ଦ ଏଵଂ ପ୍ରାଚୀନ ଗ୍ରୀକ୍ ଶବ୍ଦ περί (perí, “round about, all around”) ଓ πλανήτης (planḗtēs, “wanderer, vagabond”) ଶବ୍ଦକୁ ନେଇ ଗଠିତ ହୋଇଅଛି । ଗ୍ରୀକ୍ περί(perí) ଶବ୍ଦର ସଗୋତ୍ରୀୟ ସମ୍ପର୍କ ଆମ ଭାରତୀୟ 'ପରି' ଶବ୍ଦ ସହିତ ଥିଲାବେଳେ πλανήτης (planḗtēs)ର ସଗୋତ୍ରୀୟ ସମ୍ପର୍କ ପ୍ରଥାନ ଓ ପୃଥ ଇତ୍ୟାଦି ଶବ୍ଦ ସହିତ ରହିଛି। 


ଅଵଶ୍ୟ Periplaneta americana ନାଆଁ ଶୁଣି ଅନେକେ ଭାରତରେ ସର୍ଵତ୍ର ଓ ସର୍ଵାଧିକ ଦେଖାଯାଉଥିଵା ଏହି ନାଲି ଅସରପାଗୁଡ଼ିକୁ ଆମେରକୀୟ ବୋଲି ମନେ କରନ୍ତି ‌। ତେବେ ଏହି ଵୈଜ୍ଞାନିକ ନାଆଁରେ ଆମେରକାନା ଥିଲେ ବି ଏହା ମୂଳତଃ ଏସିଆ ଓ ଆଫ୍ରିକାର ଅସରପା ଅଟଇ। ଆଫ୍ରିକାରୁ ଆମେରକାକୁ ଦାସ ଚାଲାଣ ସମୟରେ Periplaneta americana ଅସରପା ଷୋହଳଶହ ଶତାବ୍ଦୀରେ ବୋଇତ ଯୋଗେ ପ୍ରଥମେ ଆମେରକାକୁ ଚାଲିଯାଇଥିଲା । ଗଵେଷକମାନେ ଯେଉଁଠି ପ୍ରଥମେ ଗୋଟାଏ ନୂତନ ଜୀଵ ଓ ପାଦପ ଠାଵ କରନ୍ତି ସେହି ସ୍ଥାନର ନାମାନୁସାରେ ସେ ଜୀଵର ନାମକରଣ କରାଯାଇଥାଏ । ଫଳରେ ଏସୀୟ ଓ ଆଫ୍ରିକୀୟ ଅସରପା ହୋଇଥିଲେ ବି Periplaneta americanaକୁ ଗଵେଷକ ପ୍ରଥମେ ଆମେରକାରେ ପାଇଥିଲେ ବୋଲି ଏହାର ନାମକରଣ ଆମେରିକାନା ହୋଇଅଛି । 

ଭାରତରେ ପ୍ରାୟ ୧୮୧ ଜାତିର ଅସରପା ଦେଖାଯାଉଥିଲେ ମଧ୍ୟ କଳିଙ୍ଗ ଦେଶରେ ସାଧାରଣତଃ Periplaneta americana ଓ ଆଉ କେତେକ ଅଳ୍ପ ଦେଖାଯାଉଥିଵା ଅସରପା ଜାତୀୟ ଜୀଵଙ୍କୁ ହିଁ ଅସରପା କୁହାଯାଇଥାଏ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଅସ୍ରପ ଵା ଅସ୍ରପା ଶବ୍ଦରୁ ଅସରପା ଶବ୍ଦ ସୃଷ୍ଟି ହୋଇଛି ।‌ଅସ୍ରପ ଶବ୍ଦର ଅର୍ଥ ଅସୁର ଓ ଜୋକ ହୋଇଥିଲା ବେଳେ ଅସ୍ରପା ଶବ୍ଦର ଅର୍ଥ ରକ୍ତପାୟିନୀ ଓ ରାକ୍ଷସୀ ଅଟେ । ତେବେ ପ୍ରକୃତରେ ଅସରପା ମନୁଷ୍ୟାଦି ଜୀଵଙ୍କର ରକ୍ତପାନ କରନ୍ତି ନାହିଁ କିନ୍ତୁ ବେଳେ ବେଳେ କାମୁଡ଼ି ଦିଅନ୍ତି ଫଳତଃ ସେମାନେ ରକ୍ତପାନ କରନ୍ତି ବୋଲି ଲୋକଵିଶ୍ଵାସ ପ୍ରଚଳିତ ହୋଇ ଏଭଳି ନାମକରଣ ହୋଇଥାଇପାରେ । ପୁଣି ଅସ୍ର ଵା ଅଶ୍ର ଶବ୍ଦର ଅର୍ଥ ରକ୍ତ ଓ ଲୁହ ଛଡ଼ା ଆଉ ଏକ ଅର୍ଥ କୋଣ ସେହିପରି 'ପ' ଶବ୍ଦର ଅର୍ଥ ରକ୍ଷା,ରକ୍ଷକ,ଶାସକ,ରାଜା । ଅସରପାମାନେ ଘର ଓ କବାଟ କୋଣରେ ରହିଵାକୁ ଭଲ ପାଆନ୍ତି ତେଣୁ ହୁଏତ ଏହି ଆଧାରରେ ଅସ୍ର ଵା କୋଣର ପ ଅର୍ଥାତ୍ ଶାସକ ଵିଚାର କରି ଅସ୍ରପ ନାମକରଣ ହୋଇଥିଵ ଏଵଂ ପରେ ତାହା ଅସରପା ରୂପେ ପ୍ରଚଳିତ ହୋଇଥିଵା ସମ୍ଭଵ । ଅସରପାମାନେ ଘର ଓ କବାଟ କୋଣରେ ରହିଵାକୁ ଭଲ ପାଆନ୍ତି ବୋଲି ଓଡ଼ିଶାରେ ସେମାନଙ୍କୁ କବାଟକଣିଆ ବି କୁହାଯାଏ ‌।
କିନ୍ତୁ ଉତ୍ତର,ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଅସରପାକୁ ଅସଲା,ଅସରଲା ଓ 
ଅସରଡ଼ା କୁହାଯାଏ ଯାହା ଏ ଶବ୍ଦର ଅନ୍ଯ କୌଣସି ଶବ୍ଦ ମୂଳରୁ ସୃଷ୍ଟି ହୋଇଥିଵା ଇଙ୍ଗିତ କରିଥାଏ । 

ଢେଙ୍କାନାଳର ପାରିମାଳ ପ୍ରଗଣାରେ ଆମେ ଅସରପାକୁ ପେରପେରିଆ କହିଥାଉ ଏଵଂ House centipede ଵା ମାଙ୍କଡ଼ସାକୁ ଅସରପା କହିଥାଉ । ସମ୍ଭଵତଃ ଆମ ପାରିମାଳ ଅଞ୍ଚଳରେ ମାଙ୍କଡ଼ସାକୁ ସ୍ରହସ୍ରପଦ ଵିଚାରକରି ଏଭଳି କୁହାଯାଉଥିଵ କିମ୍ବା ଅସରପାକୁ ପେରପେରିଆ କୁହାଯାଉଥିଵାରୁ ମାଙ୍କଡ଼ସା ପାଇଁ ଅସରପା ଶବ୍ଦ ଵ୍ୟଵହୃତ ହେଉଥିଵ । 
ଢେଙ୍କାନାଳର ଆଉ କେତେକ ଅଞ୍ଚଳରେ ଅସରପାକୁ ପେର୍‌ପେରା ପୋକ ଓ ପେରିଆ ପୋକ ମଧ୍ୟ କୁହାଯାଏ । ସେହିପରି ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ଅସରପାକୁ ପରା,ପାରା ଓ ପରହ କୁହାଯାଏ । ଉଲ୍ଲେଖଯୋଗ୍ୟ ଯେ ମଳୟାଳ଼ମରେ ବି ଅସରପାକୁ പാറ്റ (pāṟṟa) କୁହାଯାଇଥାଏ ‌। ତାମିଳ ଭାଷାରେ ମଧ୍ୟ pāccai ବୋଲି ଏକ ଶବ୍ଦ ଅଛି ଯାହାର ଅର୍ଥ ଅସରପା ଅଟେ । ପୁଣି ସଂସ୍କୃତ ଭାଷାରେ ପରୋଷ୍ଟୀ ଓ ପରୋଷ୍ଣୀ ଶବ୍ଦଦ୍ଵୟର ଅର୍ଥ ମଧ୍ୟ ଅସରପା । ଅତଃ ଢେଙ୍କାନାଳ, ରାୟଗଡ଼ା ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ପ୍ରଚଳିତ ପରା,ପାରା,ପରହ,ପେର୍‌ପେରା,ପେରିଆ ଓ ପେରପେରିଆ ଆଦି ଶବ୍ଦ ପ୍ରୋକ୍ତ ଦ୍ରାଵିଡ଼ କିମ୍ବା ସଂସ୍କୃତ ଉତ୍ସ ସହିତ ସମୋଦ୍ଧୃତ ହୋଇଥାଇପାରେ। ଓଡ଼ିଶାର ପଶ୍ଚିମାଞ୍ଚଳ ଓ ପଶ୍ଚିମ ଵିଚ୍ଛିନ୍ନାଞ୍ଚଳରେ ଅସରପାକୁ ଜୁର୍ଲା,ଝୁର୍ଲା,ଝୁରୁଲା ଓ ଝୁଲରା କୁହାଯାଇଥାଏ । ଢେଙ୍କାନାଳର ପାରିମାଳ ପ୍ରଗଣାରେ ବିଲ ବାଡ଼ିରେ ଦେଖାଯାଉଥିଵା ଏକ ଜାତୀୟ କାଳିଆ ରଙ୍ଗର ଅସରପା ଜାତୀୟ ଜୀଵକୁ ସେହିପରି ଝଲ୍ରା ପୋକ କୁହାଯାଏ । 

ଅସରପା ଅର୍ଥଜ ଝୁର୍ଲା ଇତ୍ୟାଦି ଶବ୍ଦଗୁଡି଼କ ଦ୍ରାଵିଡ଼ ଭାଷାପରିଵାରର ଶବ୍ଦ ଅଟେ । T. Burrow ଓ M. B. Emeneauଙ୍କ ଦ୍ଵାରା ସଂକଳିତ A Dravidian etymological dictionaryରୁ ଜଣାଯାଏ ଯେ ତେଲୁଣିପୋକକୁ ମଳୟାଳ଼ମରେ cēraṭṭa, tēraṭṭa ଓ କନ୍ନଡ ଭାଷାରେ jaṟi କୁହାଯାଏ । ସେହିପରି କନ୍ନଡ଼ ଭାଷାରେ ଅସରପାକୁ jiṟale କୁହାଯାଇଥାଏ । ତେଲୁଗୁ ଭାଷାରେ ତେଲୁଣିପୋକକୁ jeṟi ଓ jeṟṟi ତଥା ଅସରପାକୁ jillapurugu କୁହାଯାଏ । ସଂସ୍କୃତ ଭାଷାରେ ଝୁର୍ଲା ସହିତ ସମୋଦ୍ଧୃତ ହୋଇଥିଵା ଭଳି କୌଣସି ଶବ୍ଦ ନଥିଵାରୁ ବହୁତ ସମ୍ଭଵ ଏହା ଏକ ଦ୍ରାଵିଡ଼ୀୟ ଶବ୍ଦ ହୋଇଥାଇପାରେ । ଗଡ଼ଜାତରେ ସାଧାରଣତଃ ଅସରପାକୁ ଝୁର୍ଲା କୁହାଯାଏ ତେବେ ଆଉ କେତେକ ଅଞ୍ଚଳରେ ଝିଟିପିଟି ପରି ଅସରପା ଘରେ ରହୁଥିଵାରୁ ତାକୁ ମଧ୍ୟ ଘରରଖା କହିଥାନ୍ତି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ, ସମ୍ବଲପୁରୀ ଓଡ଼ିଆ ଶବ୍ଦକୋଷ ଓ କଥିତ ଓଡ଼ିଆ ଶବ୍ଦକୋଷରେ ଘରରଖା ଶବ୍ଦର ଏକ ଅର୍ଥ ଅସରପା ବୋଲି ଉଲ୍ଲେଖ ରହିଛି । କଥିତ ଓଡ଼ିଆ ଶବ୍ଦକୋଷ ଅନୁସାରେ ଦେଵଗଡ଼ ଜିଲ୍ଲାରେ ଅସରପାକୁ ଘରରଖା କୁହାଯାଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଘରରଖା ଶବ୍ଦର ଅର୍ଥ ଅସରପା ଓ ଚମ୍ପେଇନେଉଳ ଲେଖା ହୋଇଛି । ସମ୍ବଲପୁରୀ ଓଡ଼ିଆ ଶବ୍ଦକୋଷ ଅନୁସାରେ ଘରେ ରହୁଥିଵା ଚମ୍ପେଇନେଉଳ,ଅସରପା ଓ ଝିଟିପିଟି ଆଦି କ୍ଷୁଦ୍ର ଜୀଵଗଣଙ୍କୁ ଓଡ଼ିଶାର ପଶ୍ଚିମାଞ୍ଚଳରେ ଘରରଖା କୁହାଯାଏ । କେତେକ ଅସରପା ଘରେ ଵିଶେଷତଃ ଘର ଓ କବାଟ କୋଣରେ ରହିଵାକୁ ଭଲପାଆନ୍ତି ସେଥିପାଇଁ ଢେଙ୍କାନାଳ ଓ ପୁରୀ ଆଦି କେତେକ ଜିଲ୍ଲାରେ ଅସରପାକୁ କବାଟକଣିଆ କୁହାଯାଏ । ସିଂହଭୂମି ଵିଚ୍ଛିନ୍ନାଞ୍ଚଳରେ ଅସରପାକୁ ସମ୍ବଲପୁରିଆପୋକ ଓ ତେଲିଆପୋକ କୁହାଯାଇଥାଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ତଇଳପିଆ ଓ ତେଲଚଟା ଶବ୍ଦ ମଧ୍ୟ ଅସରପାର ପ୍ରତିଶବ୍ଦ ଭାବେ ଯୋଡ଼ାଯାଇଅଛି । ଏହିପରି ଭାବେ ସାରା ଭାରତରେ ଵିଭିନ୍ନ ଭାଷାରେ ଅସରପାର ଗୋଟିଏ ଦୁଇଟି ନାଆଁ ଥିଲାବେଳେ ଅସରପାର ଓଡ଼ିଶାରେ ଦଶରୁ ଅଧିକ ନାଆଁ ଅଛି । ଏହା ଆମ ଓଡ଼ିଶାରେ ଭାଷା ଵୈଵିଧ୍ୟର ଅନ୍ୟ ଏକ ଉଦାହରଣ ନୁହେଁ କି ? 

Monday, July 17, 2023

ବୋଲ୍ ବମ୍ : ଅର୍ଥ ଓ ଇତିହାସ

ଶ୍ରାଵଣ ମାସରେ ବୋଲବମ୍ ଯାତ୍ରା ହୁଏ ଯାହାକୁ ଉତ୍ତର ଭାରତରେ କାଵଁଡ୍ ଯାତ୍ରା ବି କୁହନ୍ତି । ବାରାଣସୀର କେତେକ ସାଧୁ ଓ ଶିଵଭକ୍ତ ସବୁ ଵର୍ଷ ଶ୍ରାଵଣମାସରେ ଗଙ୍ଗାନଦୀରୁ କାଉଡ଼ିରେ ପାଣି ଆଣି ଶିଵଙ୍କର ଜଳାଭିଷେକ କରୁଥିଲେ ।‌ ୧୯୬୦ରୁ ୧୯୮୦ ପର୍ଯ୍ୟନ୍ତ ଏହା କେଵଳ ଉତ୍ତର ପ୍ରଦେଶର ଏହି କ୍ଷୁଦ୍ର ଅଞ୍ଚଳ ମଧ୍ୟରେ ସୀମିତ ଥିଲା । କିନ୍ତୁ ୧୯୮୦ ପରେ ବଲିଉଡ୍ ତଥା ଦୂରଦର୍ଶନ ଦ୍ଵାରା ଏହି କାଵଁଡ୍ ଯାତ୍ରା ଅନ୍ୟ ଅଞ୍ଚଳରେ ମଧ୍ୟ ଲୋକପ୍ରିୟ ହେଲା । ଅଧୁନା ଗୁଜରାଟଠାରୁ ଓଡ଼ିଶା ଯାଏଁ ,ମହାରାଷ୍ଟ୍ରଠାରୁ ବଙ୍ଗ ପର୍ଯ୍ୟନ୍ତ 
ଲୋକେ କାଵଁଡ୍ ଯାତ୍ରା କରୁଛନ୍ତି ଓ ନିଜ ଅଞ୍ଚଳର ପ୍ରସିଦ୍ଧ ଶୈଵପୀଠକୁ ଜଳ ନେଇ ଭଗଵାନ ଶିଵଙ୍କର ଜଳାଭିଷେକ କରୁଛନ୍ତି ‌। ହିନ୍ଦୀରେ ଯାହାକୁ କାଵଁଡ୍ କୁହାଯାଏ ଓଡ଼ିଶାରେ ତାକୁ କାଉଡ଼ି କୁହାଯାଏ ତେଣୁ ଓଡ଼ିଶାରେ କାଉଡ଼ି ଧରି କରାଯିଵା ଯାତ୍ରାକୁ କାଉଡ଼ି ଯାତ୍ରା ବି କୁହାଯାଇଥାଏ । ଏ ଶବ୍ଦର ଵ୍ୟୁତ୍ପତ୍ତିକୁ ନେଇ ନାନା ମତ ପ୍ରଚଳିତ । କେହି କେହି କୁହନ୍ତି କାନ୍ଧ+ ଆଵର ଅଥଵା ସ୍କନ୍ଦଭାରରୁ କାଁଵଡ଼ ହୋଇଛି ।‌ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ ଯେ ଆମ ଓଡି଼ଆ ଭାଷାରେ ଗଉଡ଼ମାନଙ୍କ ଵ୍ୟଵହୃତ ଏକପ୍ରକାର ବାଡ଼ିକୁ କାଉଁରି କୁହାଯାଉଥିଲା ଯାହା ସ୍କନ୍ଦଭାରରୁ ସୃଷ୍ଟି ହୋଇଛି । ଆଉ କେତେକଙ୍କ ମତରେ ଏହି କାଁଵଡ଼ ଶବ୍ଦଟି ଏକ ଆଷ୍ଟ୍ରୋଏସୀୟ ଶବ୍ଦ *kāmaṭha(କାମଠ)ର ଆଧୁନିକ ରୂପ ଅଟେ । 

କିନ୍ତୁ ଆଗେ କାର୍ପଟିକ ବୋଲି ଏକ ଶବ୍ଦ ବି ପ୍ରଚଳିତ ଥିଲା । ଯେଉଁ ଵ୍ୟକ୍ତି ତୀର୍ଥରୁ ଜଳ ବୋହି ନେଇ ଅନ୍ଯ ସ୍ଥାନରେ ତାହା ଵିକ୍ରୟ କରି ପୋଷାକି ହେଉଥିଲା ତାକୁ ଲୋକେ କାର୍ପଟିକ କହୁଥିଲେ,ତୀର୍ଥଯାତ୍ରୀଙ୍କ ଦଳ ଓ ଯାତ୍ରୀ ଓ ତୀର୍ଥସେଵୀ ଵ୍ୟକ୍ତିଙ୍କୁ ବି କାର୍ପଟିକ କୁହାଯାଉଥିଲା । କିଛି ଲୋକଙ୍କ ଅନୁସାରେ ଏହି କାର୍ପଟିକ ଶବ୍ଦଟି ବଦଳିଯାଇ କାଁଵଡ଼ ହୋଇଅଛି ।‌ କାର୍ପଟିକ ଶବ୍ଦଟି କର୍ପଟ ଶବ୍ଦ ଆଧାରରେ ସୃଷ୍ଟି ହୋଇଛି ।କୌପୁନୀ,କାଛିଆ ଓ ଚିରାକନାକୁ କର୍ପଟ କୁହାଯାଏ । କାର୍ପଟିକମାନେ କୌପୁନୀ ପିନ୍ଧି ତୀର୍ଥସ୍ଥଳୀରେ ଜଳ ଯୋଗାଉଥିଲେ ତେଣୁ ସେମାନଙ୍କର ନାମକରଣ କାର୍ପଟିକ ହୋଇଥିଲା । 

ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କାଉଡ଼ି ଶବ୍ଦ ସ୍ଥାନ ପାଇନାହିଁ ଵରଂ କାଉଁଡ଼ି,କାବାଡ଼ ଓ କାବଡ଼ା ଶବ୍ଦ ଅଛି । ମୂର୍ଖ ଓଲୁ ନିର୍ବୁଦ୍ଧିଆ ଲୋକଙ୍କୁ ଆଗେ ଓଡ଼ିଶାର ଲୋକେ କାବାଡ଼ ଓ କାବଡ଼ା କହୁଥିଲେ ସେହିପରି 
ଡାବଲପୁଆ ଖେଳରେ ଘାଚି (ଗାତ) ନିକଟରୁ ପୁଆ ପଡ଼ିଥିଵା ସ୍ଥାନର ଦୂରତ୍ୱପରିମାପକ ଓ ସଂଖ୍ୟାସୂଚକ ସଂକେତଵିଶେଷକୁ କାଉଁଡ଼ି କୁହାଯାଉଥିଲଖ ।‌ ଡାବଲପୁଆ ଖେଳରେ 'କାଉଁଡ଼ି' ଅର୍ଥାତ୍ ଡାବଲରେ '୧' କାଠି ମାପର ନାମ କାଉଁଡ଼ି, ଦୁଇ କାଠି ଯେ ଦୁଉଡ଼ି, ତିନି କାଠି ମାପ ତିନିଲ, ଚାରି କାଠି ଚାରିଲ, ପାଞ୍ଚ କାଠି ପାଞ୍ଚଲ, ଛଅ କାଠି ଛଇଲ ଓ ସାତ କାଠି ମାପ ବଇଲ; ମୋଟ ୭ ବାଡ଼ିରେ ଖଣ୍ଡେ ହେଉଥିଲା । 

ଓଡ଼ିଶାରେ କାଵଁଡ୍ ଯାତ୍ରାକୁ ବୋଲବମ୍ ଯାତ୍ରା ବି କୁହାଯାଏ । ବୋଲ୍ ଓ ବମ୍ ଶବ୍ଦକୁ ନେଇ ବୋଲବମ୍ ଶବ୍ଦର ସୃଷ୍ଟି । ବୋଲବମ୍ ଶବ୍ଦର ଆକ୍ଷରିକ ଅର୍ଥ ବୋଲ୍ ବମ୍ ବମ୍ ଏଵଂ ଏହା ମୂଳତଃ ଏକ ହିନ୍ଦୀ ପଦ କାରଣ ପ୍ରଥମେ ହିନ୍ଦୀଭାଷୀ ମାନେ ବୋଲ୍ ବମ୍ ବୋଲ୍ ବମ୍ ବୋଲ୍ ବମ୍ ବମ୍ ଭୋଲେ'ର ଉଦ୍ଘୋଷର ସହିତ କାଁଵଡ଼ ଯାତ୍ରା କରୁଥିଲେ । ଅଵଶ୍ୟ ବୋଲ ଓ ବମ୍ ଶବ୍ଦଦ୍ଵୟ ସର୍ଵଭାରତୀୟ ସଂସ୍କୃତ ଶବ୍ଦ । ଭାରତରେ ଆଗେ ଗାଲଵାଦ୍ୟକୁ ବମ କୁହାଯାଉଥିଲା ଯାହାର ହିନ୍ଦୀ ହଳନ୍ତଵତ୍ ଉଚ୍ଚାରଣ ହେଉଛି ବମ୍ । ଗାଲକୁ ଫୁଲାଇ ପାଟି ମୁଦି ହାତର ଆଙ୍ଗୁଠିଦ୍ୱାରା ଗାଲର ଦୁଇ ପାଖ ଆଘାତ କଲେ ଓଠ ବାଟେ ପଵନ କ୍ରମଶଃ ବାହାରୁ ଥିଵା ବେଳେ ବମ୍ ବମ୍ ଭଳି ଶବ୍ଦ ଉତ୍ପନ୍ନ ହୁଏ ବୋଲି ଏହି ଧ୍ଵନି ଅନୁକରଣରୁ ବମ ଶବ୍ଦ ସୃଷ୍ଟି ହୋଇଛି । ପୁଣି ଡମ୍ବରୁ ଧ୍ଵନିକୁ ବି ବମ କୁହାଯାଉଥିଲା । ମହାଦେଵଙ୍କୁ ସ୍ତଵ କରିଵା ପୂର୍ଵରୁ ବମ୍, ବମ୍ ବମ୍, ବମ୍ ଭୋଳା ଓ ବମ୍ ଭୋଳାନାଥ ଆଦି ପଦ ଉଚ୍ଚାରଣ କରାଯାଏ। ଶିଵ ଉପାସକଙ୍କ ମଧ୍ୟରେ ଲୋକଵିଶ୍ଵାସ ପ୍ରଚଳିତ ଯେ ବମ୍ ବମ୍ ଉଚ୍ଚାରଣ କଲେ ଶିଵ ପ୍ରସନ୍ନ ହୁଅନ୍ତି । କୁହାଯାଏ ଯେ ଯେତେବେଳେ ଭଗଵାନ ଶିଵ କ୍ରୋଧିତ ହୋଇ ଦକ୍ଷଙ୍କର ମୁଣ୍ଡ କାଟିଦେଲେ, ସେତେବେଳେ ତାଙ୍କର ଗୋଟିଏ ଛେଳିର ମୁଣ୍ଡ ଲାଗିଥିଲା, ତେଣୁ ଦକ୍ଷ ଛେଳି ପରି କହିଵା ଆରମ୍ଭ କଲେ। ଏହି କାରଣରୁ ଲୋକମାନେ ଗାଲ ବଜାଇ ବେଳେ 'ବମ୍, ବମ୍' କୁହନ୍ତି ଏଵଂ ଏଭଳି କହିଵା ଦ୍ଵାରା ଭଗବାନ ଶିଵ ପ୍ରସନ୍ନ ହୁଅନ୍ତି ବୋଲି ଵିଶ୍ଵାସ କରନ୍ତି । 

ତେବେ ବୋଲ୍ ବମ୍ ଯାତ୍ରା ଵା କାଁଵଡ଼ ଯାତ୍ରାର ଇତିହାସ ସମ୍ବନ୍ଧିତ ଵିଶେଷ୍ୟ ତଥ୍ୟ ମିଳେନାହିଁ । କୌଣସି ପ୍ରାଚୀନ ଗ୍ରନ୍ଥରେ ଏହି ଯାତ୍ରା ଵିଷୟରେ ଉଲ୍ଲେଖ ଥିଵା ଜଣାଯାଏ ନାହିଁ ‌ । ୧୯୫୦ ପୂର୍ଵର କୌଣସି ଭାଷାର ଭାରତୀୟ ଅଭିଧାନରେ ମଧ୍ୟ ବୋଲ୍ ବମ୍ କିମ୍ବା କାଁଵଡ଼ ଯାତ୍ରା ଵିଷୟରେ କିଛି ବି ତଥ୍ୟ ଲିଖିତ ନାହିଁ । ତେଣୁ ବହୁତ ସମ୍ଭଵ ଏହି କାଁଵଡ଼ ଯାତ୍ରାଟି ଉତ୍ତର ଭାରତର ଗଙ୍ଗା କୂଳରେ ସୀମିତ ଥିଲା ଏଵଂ ଷାଠିଏରୁ ଅଶି ଦଶକ ମଧ୍ୟରେ ଧିରେ ଧିରେ ସେ ଅଞ୍ଚଳରେ ଲୋକପ୍ରିୟ ହୋଇ ଚଳଚ୍ଚିତ୍ର ଓ ଦୂରଦର୍ଶନ ଦ୍ଵାରା ପ୍ରଚାରିତ ହେଵାରୁ ଭାରତର ଅନ୍ୟ ଅଞ୍ଚଳରେ ଆଦୃତ ହୋଇଅଛି । କାଁଵଡ଼ ଯାତ୍ରାର ମୂଳ ଉଦ୍ଦେଶ୍ୟ ଜଳ ସଂରକ୍ଷଣ ଓ ପିପାସୁ ଲୋକଙ୍କୁ ଜଳଦାନର ମହତ୍ତ୍ଵ ଜଣାଇଵା ବୋଲି ଭାରତୀୟ ବୁଦ୍ଧିଜୀଵୀମାନେ ଵିଶ୍ଵାସ କରନ୍ତି । ହୁଏତ ତୀର୍ଥସ୍ଥଳୀରେ ଯାତ୍ରୀମାନଙ୍କୁ ଜଳପାନ କରାଉଥିଵା କାର୍ପଟିକମାନେ ହିଁ ଏହି କାଁଵଡ଼ ଯାତ୍ରାର ପ୍ରେରଣାଉତ୍ସ ହୋଇଥିବେ ।‌ ଏମନ୍ତ ମଧ୍ୟ ହୋଇପାରେ ଯେ ଶ୍ରାଵଣ ମାସରେ ଗଙ୍ଗାନଦୀ କୂଳରେ ଶିଵଙ୍କର ଜଳାଭିଷେକର ପ୍ରାଚୀନ ପରମ୍ପରା ରହିଥିଵ ଯାହା ଚାଳିଶ ପଚାଶ ଵର୍ଷ ତଳେ‌ ହଠାତ୍ ଲୋକପ୍ରିୟ ହୋଇଯାଇ ଆଜି ଭାରତରେ ଏକ ଶୈଵଯାତ୍ରାର ରୂପ ଧାରଣ କରିଅଛି !
•••••••••••••••••••••••••••

Friday, July 14, 2023

ଵିଶ୍ଵଵିଜୟୀ ଟମାଟୋ : କେତେକ ଜାଣିଵା କଥା


୧୮୨୦ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁଜର୍ସୀ ରାଜ୍ୟରେ ଅଵସ୍ଥିତ ସାଲେମ୍ ନଗରର ଜଣେ ଆମେରକୀୟ କୃଷକ
ରବର୍ଟ ଗିବନ୍ ଜନସନ୍(୨୩ ଜୁଲାଇ, ୧୭୭୧ - ଅକ୍ଟୋବର ୨, ୧୮୫୦) ଘୋଷଣା କରିଥିଲେ ଯେ ସେ ଓଲ୍ଡ ସାଲେମ କାଉଣ୍ଟି କୋର୍ଟହାଉସରେ ସର୍ଵସାଧାରଣଙ୍କ ସମ୍ମୁଖରେ ଵିଷାକ୍ତ ମନେ କରାଯାଉଥିଵା ଏକ ଜାତୀୟ ଆମେରକୀୟ ଫଳ ଖାଇଵାକୁ ଯାଉଛନ୍ତି । ସେ ଯୁଗରେ ସେହି ଆମେରକୀୟ ଫଳଗଛଟି କେଵଳ ସୌନ୍ଦର୍ଯ୍ୟକରଣ ପାଇଁ ଲଗାଯାଉଥିଲା ଏଵଂ ଲୋକମାନେ ତାହାର ଫଳକୁ ଵିଷାକ୍ତ ମନେ କରୁଥିଵାରୁ ତାକୁ ଖାଉନଥିଲେ । 
ନ୍ୟୁଜର୍ସୀ ଓ ଏହାର ଆଖପାଖ ଜନଵସତିରେ ଉକ୍ତ ଫଳ ଜଣେ ଭକ୍ଷଣ କରିଵାକୁ ଯାଉଛନ୍ତି ବୋଲି ପ୍ରଚାରିତ ହେଵାରୁ ବହୁ ଦୂରଦୂରାନ୍ତରୁ ଲୋକେ ଏହି ମୂର୍ଖତାପୂର୍ଣ୍ଣ କାର୍ଯ୍ୟ ଦେଖିଵାକୁ ସାଲେମ୍‌କୁ ଯାଇଥିଲେ । ନିର୍ଦ୍ଧାରିତ ଦିନ ସେହି ଵିଷାକ୍ତ ମନେ କରାଯାଉଥିଵା ସୁନ୍ଦର ଲାଲ୍ ଫଳ ଅଣାଯାଇ ଏକ ଝୁଡ଼ିରେ ରବର୍ଟଙ୍କ ସମ୍ମୁଖରେ ରଖାଗଲା । ରବର୍ଟ ନିର୍ଦ୍ବନ୍ଦ୍ବରେ ଗୋଟାକ ପରେ ଗୋଟିଏ ଫଳ ଖାଇଵାକୁ ଲାଗିଲେ । ସେଠାରେ ଉପସ୍ଥିତ ଥିଵା ଲୋକମାନେ ତାଙ୍କୁ ଆଶ୍ଚର୍ଯ୍ୟ ଚକିତ ହୋଇ ଅନାଇ ଥାଆନ୍ତି । କାଳେ କିଛି ଅଘଟଣ ଘଟିପାରେ ଏହି ଆଶଙ୍କାରେ ଲୋକେ ସେଠାରେ ଅନେକ ଘଣ୍ଟା ଅପେକ୍ଷା କଲେ କିନ୍ତୁ ରବର୍ଟଙ୍କର କିଛି ବି ହେଲା ନାହିଁ । ସେଇଦିନଠାରୁ ଆମେରିକାର ଲୋକେ ଜାଣିଲେ ଯେ ସେମାନେ ଯେଉଁ ଫଳକୁ ଵିଷାକ୍ତ ମନେକରି ଖାଉନଥିଲେ ତାହା ପ୍ରକୃତରେ ଵିଷାକ୍ତ ନୁହେଁ । ତାପରେ ଆମେରକାରେ ଉକ୍ତ ଫଳ ବହୁ ପରିମାଣରେ ଚାଷ କରାଗଲା । ଏତେ ପରିମାଣରେ ଚାଷ କରାଗଲା ଯେ ତାହାର ଚାଷ ବଢ଼ି ବଢ଼ି ଵର୍ତ୍ତମାନ କେଵଳ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତିଵର୍ଷ ସେହି ଫଳ ଵାର୍ଷିକ ଦଶରୁ ଏଗାର ନିୟୁତ ଟନ୍ ଉତ୍ପାଦିତ ହୋଇଥାଏ । ସେହି ଫଳଟିର ନାଆଁ ଟମାଟୋ ଯାହାକୁ ଆମେ ଓଡ଼ିଆମାନେ ଟମାଟର,ବିଲାତି,ବିଲାତିବାଇଗଣ,ଭେଜରୀ,ଭେଜରା, ପାଚଲଘଣ୍ଟା ଓ ପାତଲଘଣ୍ଟା ନାମରେ ଜାଣନ୍ତି ।

ସେହି ଊନବିଂଶ ଶତାବ୍ଦୀର କିଛି ଦଶନ୍ଧି ପରେ ଯେତେବେଳେ ଯୁକ୍ତରାଷ୍ଟ୍ର ଆମେରିକାରେ ଟମାଟୋ ସର୍ଵତ୍ର ଚାଷ ହେଵାକୁ ଲାଗିଲା ତତ୍କାଳୀନ ସ୍ଥାନୀୟ ପ୍ରଶାସନ ଏହା ଉପରେ କର ବସାଇଵାକୁ ନିଷ୍ପତ୍ତି ନେଇଥିଲା । ସେ ସମୟରେ ପରିବା ଉପରେ କର ପ୍ରଶାସନ ପକ୍ଷରୁ ଅତିରିକ୍ତ କର ଲାଗୁଥିଲା । କିନ୍ତୁ ସ୍ଥାନୀୟ ଆମେରକୀୟ କୃଷକମାନେ ଟମାଟୋକୁ ପରିବା ଅଭିହିତ କରି କର ଲଗାଯିଵା ଵିରୋଧରେ ସର୍ଵୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେଲେ । ଫଳତଃ “ଟମାଟୋ ଏକ ଫଳ ନା ପରିଵା ?” ଏହି ଵିଵାଦ ହାଟରୁ ଆରମ୍ଭ ହୋଇ ନ୍ୟାୟାଳୟ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ତେବେ ନ୍ୟାୟାଳୟରେ ସବା ଶେଷରେ ନ୍ୟାୟାଧୀଶ ଵିଚାର ଶୁଣାଇ ଦେଲେ ଯେ ଵୈଜ୍ଞାନିକ ଦୃଷ୍ଟିକୋଣରୁ ଟମାଟୋ ଏକ ଫଳ ହୋଇଥିଲେ ବି ଦୈନନ୍ଦିନ ଜୀଵନରେ ଏହା ଏକ ପରିବା ଭଳି ଵ୍ୟଵହୃତ ହୋଇଥାଏ । ତେଣୁ ଟମାଟୋକୁ ପରିବା ଅଭିହିତ କରାଯିଵା ଅଧିକ ଯୁକ୍ତିଯୁକ୍ତ ଅଟେ । ଏହାପରେ ଆମେରକୀୟ କୃଷକ ଓ ବେପାରୀମାନେ ଟମାଟୋ ସମ୍ବନ୍ଧୀୟ ୧୦% ଆମଦାନୀ କର ଦେଵାକୁ ବାଧ୍ୟ ହୋଇଥିଲେ ।‌

ତେବେ ଟମାଟୋ ଏକ ଵିଷାକ୍ତ ଫଳ ଏହି ଧାରଣା ଷୋହଳଶହ ଶତାବ୍ଦୀରୁ ଏହାର ୟୁରୋପରେ ଆଗମନ ସହିତ ଜନ୍ମିଥିଲା । 
 ଧନୀ ୟୁରୋପୀୟମାନେ ସିସା ମିଶ୍ରିତ ଥାଳି ଵ୍ୟଵହାର କରୁଥିଲେ । ଟମାଟୋରେ ଥିଵା ଅମ୍ଳ ଉକ୍ତ ଥାଳି ର ସିସା ସହିତ ପ୍ରତିକ୍ରିୟା ଘଟାଇଵା ଯୋଗୁଁ ତାହା ବିଷାକ୍ତ ହୋଇଯାଉଥିଲା । ସମ୍ଭଵତଃ ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ଧନୀକ ସିସାପାତ୍ରରେ ଟମାଟୋ ଖାଇ ଅସୁସ୍ଥ ହୋଇଥିବେ ଫଳତଃ ଏଭଳି ଏକ ଲୋକଵିଶ୍ଵାସ ପ୍ରଚଳିତ ହୋଇଥିଲା । ତେବେ ଅଷ୍ଟାଦଶ ଶତାବ୍ଦୀ ପରେ ୟୁରୋପୀୟମାନେ ଵିଶେଷକରି ଇଟାଲୀ ଓ ସ୍ପେନର ଲୋକେ ଧିରେ ଧିରେ ଟମାଟୋକୁ ସୁରକ୍ଷିତ ଭାବେ କେମିତି ଖାଇ ହେଵ ତାହାର ଉପାୟ ପାଇ ଵ୍ୟଵହାର କରିଵାକୁ ଲାଗିଲେ ଫଳତଃ ପରଵର୍ତ୍ତୀ କାଳରେ ଏହା ୟୁରୋପୀୟମାନଙ୍କ ଦ୍ଵାରା ଆଦୃତ ହୋଇଥିଲା । 

ଵିଶ୍ଵର ଏହି ଲୋକପ୍ରିୟ ଫଳ ଵା ପରିବା ଟମାଟ,ଟମାଟୋ ଵା ଟମାଟରର ମୂଳ ଜନ୍ମସ୍ଥାନ ମଧ୍ୟ ଆମେରକା ତଥା ଦକ୍ଷିଣ ଆମେରିକା ବୋଲି ଗଵେଷଣାରୁ ଜଣାପଡି଼ଛି । ଗଵେଷକମାନେ କୁହନ୍ତି 
ସର୍ଵପ୍ରଥମେ ଟମାଟୋ ଦକ୍ଷିଣ ଆମେରିକାର ଆଣ୍ଡିଜ୍ ପାର୍ଵତ୍ୟାଞ୍ଚଳ(ପେରୁ,ଇକ୍ଵେଡର୍)ରେ ଚାଷ ହୋଇଥିଲା ‌। କିନ୍ତୁ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ଯେ ଟମାଟୋର ଚାଷ କେତେ ଶତାବ୍ଦୀ ପୂର୍ଵେ ଆରମ୍ଭ ହୋଇଥିଲା । ଅଵଶ୍ୟ କେତେକ ତଥ୍ୟରୁ ଅନୁମାନ କରାଯାଏ ଯେ ପ୍ରାରମ୍ଭିକ ଟମାଟୋ ଚାଷର ସମୟକାଳ ପାଞ୍ଚଶହ ଖ୍ରୀଷ୍ଟପୂର୍ଵ ପୂର୍ଵେ ହୋଇଥିଵା ସମ୍ଭଵ । ପ୍ରଥମେ ଦକ୍ଷିଣ ଆମେରିକାରେ ଚାଷ ହେଵା ପରେ ଆମେରକୀୟ ଆଦିଵାସୀମାନେ ମଧ୍ୟ ଆମେରିକାରେ ଟମାଟୋ ଚାଷ କରିଵାକୁ ଲାଗିଲେ । ୟୁରୋପୀୟମାନେ ଆମେରିକାରେ ପଦାର୍ପଣ କରିଵା ପୂର୍ଵରୁ 'ମଧ୍ୟ ଆମେରକା'ର ଆଜଟେକ୍ସମାନେ ଟମାଟୋକୁ ଖାଦ୍ୟ ଭାବେ ଗ୍ରହଣ କରୁଥିଲେ । ଟମାଟୋ ଶବ୍ଦଟି ବି ମୂଳତଃ ଆମେରକୀୟ ଆଜଟେକ୍ସ ଜନଜାତୀୟ ଲୋକମାନଙ୍କର ଭାଷା Nahuatlର ଏକ ଶବ୍ଦ tomatlରୁ ଗୃହୀତ ହୋଇଛି । ଏହି ମୂଳ ଶବ୍ଦରୁ ସ୍ପାନିଶ୍ ଭାଷାରେ tomate ତଥା ଇଂରାଜୀ ଭାଷାରେ tomato ଶବ୍ଦ ପ୍ରଚଳିତ ହୋଇଥିଲା ‌। ମୂଳ Nahuatl ଶବ୍ଦ tomatlର ଆକ୍ଷରିକ ଅର୍ଥ ଥିଲା ଫୁଲୁକା ଫଳ ଵା ଫୁଲିଯାଉଥିଵା ଫଳ । ଟମାଟୋ କଞ୍ଚା ଥିଵାବେଳେ ଟାଣ ଲାଗେ କିନ୍ତୁ ଏହା ପାଚିଵା ପରେ ପଚପଚିଆ ହୁଏ ଏଵଂ ଫୁଲିଯାଏ ସେଥିପାଇଁ ସ୍ଥାନୀୟ ଆମେରକୀୟ ଜନଜାତୀୟ ଲୋକେ ଟମାଟୋର ଏଭଳି ନାମକରଣ କରିଥିଲେ । 

ସ୍ପେନ ଓ ପର୍ତ୍ତୁଗୀଜମାନେ ଏହି ଆମେରିକୀୟ ପାଦପକୁ ସାରା ଵିଶ୍ଵରେ ଲୋକପ୍ରିୟ କରାଇଥିଲେ । କୁହାଯାଏ ସ୍ପେନୀୟ ଵିଜେତା Hernán Cortés ପ୍ରଥମେ ଏକ ଜାତୀୟ ହଳଦିଆଵର୍ଣ୍ଣର ଟମାଟୋକୁ ଆଜଟେକ୍ ନଗର Tenochtitlan ଵା ଆଜିର ମେକ୍ସିକୋରୁ ୧୫୨୧ ଖ୍ରୀଷ୍ଟାବ୍ଦରେ ଆଣିଥିଲେ । ହଳଦିଆ ରଙ୍ଗର ସେହି ବିଲାତି ବାଇଗଣକୁ ସେତେବେଳେ "pomi d'oro" ନାମ ଦିଆଯାଇଥିଲା ଯାହା ଆଜି ବି ଅନେକ ଭାଷାରେ ପ୍ରଚଳିତ ଏଵଂ ଏହାର ଆକ୍ଷରିକ ଅର୍ଥ "ସ୍ଵର୍ଣ୍ଣ ସେଓ" ଅଟେ । 

ବହୁତ ପରେ ୧୯୪୫ ଜାନୁଆରୀ ମାସରେ ସେଇ ସ୍ପେନର Buñol ନଗରରେ ଗୋଟିଏ ଶୋଭାଯାତ୍ରାର ଆୟୋଜନ ହେଉଥିଲା ‌‌। ତେବେ ଉକ୍ତ ଶୋଭାଯାତ୍ରାରେ ଦୁଇପକ୍ଷ ମଧ୍ୟରେ କୌଣସି କାରଣରୁ ସଂଘର୍ଷ ହେଲା । ଝଗଡ଼ା ଏତେ ଭୀଷଣ ହେଲା ଯେ ଲୋକ ଯାହା ପାଇଲେ ପରସ୍ପର ଉପରକୁ ଫିଙ୍ଗିଲେ । ପାଖରେ ଥିଵା ପରିବା ଦୋକାନରୁ ଟମାଟୋ ଫିଙ୍ଗାଗଲା । ପରେ ପୋଲିସଦ୍ୱାରା ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ସେହି ବର୍ଷ ଅଗଷ୍ଟ ମାସର ଶେଷ ବୁଧଵାର ଦିନ Buñol ନଗରର କିଛି ଯୁଵକ ପରସ୍ପର ଉପରକୁ ଟମାଟୋ ଫିଙ୍ଗିଵା ଆରମ୍ଭ କରିଦେଲେ । କୁହାଯାଏ ସେହିଦିନଠାରୁ ଧୀରେ ଧୀରେ ଏହା ପ୍ରତିଵର୍ଷ ପାଳନ କରାଗଲା ଏଵଂ ବର୍ତ୍ତମାନ ସାରା ପୃଥିଵୀରେ La Tomatina ନାମରେ ପ୍ରସିଦ୍ଧି ଲାଭ କରିଅଛି । 

ମନ୍ଦ ଅଭିନୟ ପାଇଁ ଅଭିନେତାମାନଙ୍କ ଉପରକୁ ଦର୍ଶକମାନେ ଭାରତରେ ପ୍ରାଚୀନକାଳରୁ ଢେଲାମାଡ଼ କରି ଆସିଛନ୍ତି । ଆଧୁନିକ ଯୁଗରେ ଢେଲାର ସ୍ଥାନ ଅଧିକାଂଶତଃ ଅଣ୍ଡା ଓ ଟମାଟୋ ନେଇ ଯାଇଛି । କୁହାଯାଏ ସର୍ଵପ୍ରଥମେ ମନ୍ଦ ଅଭିନୟ ପାଇଁ ଅଭିନେତା ଜନ୍ ରିଚିଙ୍କ ଉପରକୁ ୧୮୮୩ରେ ଅଣ୍ଟା ଓ ଟମାଟୋ ଫିଙ୍ଗାଯାଇଥିଲା । ସେବେଠାରୁ ଏଯାଵତ୍ ଅଭିନେତା ଓ ନେତାମାନଙ୍କ ଉପରକୁ ଲୋକେ ଟମାଟୋ ଫିଙ୍ଗୁଛନ୍ତି । 
Rotten Tomatoes ଜାଲସ୍ଥଳ ଏହି ଟମାଟୋ ଫିଙ୍ଗା ଆଧାରରେ ଗଠିତ ହୋଇଥିଲା । 

ସେ ଯାହାହେଉ ଇଂଲଣ୍ଡରେ କିନ୍ତୁ ୧୫୯୦ ମସିହା ଯାଏଁ ଟମାଟୋ ଗଛ ଲଗାଯାଇନଥିଲା । ଇଂଲଣ୍ଡକୁ ଟମାଟୋ ଆଣିଵାର ଶ୍ରେୟ ଓ୍ଵଲଟର ରାଲେଙ୍କୁ ଦିଆଯାଏ କିନ୍ତୁ ପ୍ରଥମେ ପ୍ରଥମେ ଏହାକୁ ଇଂଲଣ୍ଡରେ ଵିଷାକ୍ତ ଵିଚାର କରି ଖାଉନଥିଲେ ଏଵଂ କେଵଳ ମାତ୍ର ଉଦ୍ୟାନର ସୌନ୍ଦର୍ଯ୍ୟ ବୃଦ୍ଧି ହେତୁ ଲଗାଉଥିଲେ । ବ୍ରିଟେନର ଜଣେ ଚିକିତ୍ସକ John Gerard ତାଙ୍କର ଏକ ପୁସ୍ତକ Gerard's Herbal ଲେଖିଥିଲେ ଏଵଂ ସେଥିରେ ଟମାଟୋକୁ ଏକ ଵିଷାକ୍ତ ଫଳ ଵା ପରିଵା ଅଭିହିତ କରିଥିଲେ । ଜେରାର୍ଡଙ୍କ ମତ ପ୍ରଭାଵଶାଳୀ ଥିଲା ଏଵଂ ଟମାଟୋ ବ୍ରିଟେନ ତଥା ଏହାର ଉତ୍ତର ଆମେରିକୀୟ ଉପନିଵେଶଗୁଡ଼ିକରେ ଦୀର୍ଘ ଵର୍ଷ ଧରି ଖାଇଵା ପାଇଁ ଅନୁପଯୁକ୍ତ ବୋଲି ଵିଵେଚନା କରାଯାଉଥିଲା । ବ୍ରିଟେନରେ ପ୍ରଥମେ ପ୍ରଥମେ ଟମାଟୋକୁ love apple କୁହାଯାଉଥିଲା । ଇଂଲଣ୍ଡର ଧନୀକମାନେ ଅନ୍ୟ ୟୁରୋପୀୟ ଦେଶର ଧନାଢ଼୍ୟ ଲୋକଙ୍କ ପରି ଯେଉଁ ଧାତଵ ଵାସନରେ ଖାଉଥିଲେ ସେଥିରେ lead ଵା ସୀସାଧାତୁର ପରିମାଣ ଅଧିକ ରହୁଥିଲା ଫଳରେ ତହିଁରେ ଟମାଟୋ ଖାଇଲେ ତାହା ପେଟ ପାଇଁ ଵିଷାକ୍ତ ହୋଇଯାଉଥିଲା ତେଣୁ ଟମାଟୋ ଵିଷାକ୍ତ ବୋଲି ମାନ୍ୟତା ଚଳୁଥିଲା । ତେବେ ଇଂଲଣ୍ଡର ଦରିଦ୍ରଲୋକେ ଧନୀକଙ୍କ ପରି ପ୍ରୋକ୍ତ ଵାସନରେ ଟମାଟୋକୁ ଖାଉନଥିଵାରୁ ଗରିଵ ଲୋକଙ୍କ ମଧ୍ୟରେ ଧୀରେ ଧୀରେ ଏହା ଲୋକପ୍ରିୟ ହେଵାକୁ ଲାଗିଲା ଏଵଂ ଏହାର ନାମ ରଖାଗଲା "poor mens apple" । 

ଦକ୍ଷିଣ ପୂର୍ଵ ଏସିଆରେ ସ୍ପେନ ଓ ପର୍ତ୍ତୁଗୀଜ ଲୋକଙ୍କ ଦ୍ଵାରା ଟମାଟର ପ୍ରଥମେ ଆନିତ ହୋଇଥିଲା ଏଵଂ ପରେ ଏହା ସେଠାରୁ ସାରା ଏସିଆ ମହାଦେଶରେ ଵ୍ୟାପିଗଲା । ଚୀନ ଦେଶକୁ ଟମାଟୋ ଫିଲିପାଇନସ କିଂଵା ମକାଓଠାରୁ ଆସି ପହଞ୍ଚିଲା ତେବେ ଚୀନାମାନେ କିନ୍ତୁ ଟମାଟୋର fānqié ନାମ ଦେଲେ ଯାହାର ଆକ୍ଷରିକ ଅର୍ଥ barbarian eggplant ଅଟଇ । ଆଜି ଚୀନ ଵିଶ୍ଵରେ ଟମାଟୋ ଉତ୍ପାଦନରେ ପ୍ରଥମ ହୋଇଥିଵାବେଳେ ଭାରତ ଦ୍ଵିତୀୟ ସ୍ଥାନରେ ରହିଛି । ଚୀନ,ଭାରତ, ଯୁକ୍ତରାଷ୍ଟ୍ର ଆମେରିକା,ତୁର୍କୀ, ଇଜିପ୍ଟ, ଇଟାଲୀ,ଇରାନ,ସ୍ପେନ୍, ବ୍ରାଜିଲ ଓ ମେକ୍ସିକୋରେ ପୃଥିଵୀର ସର୍ଵାଧିକ ଟମାଟୋ ଉତ୍ପାଦନ ହୋଇଥାଏ । 

ଟମାଟୋ ଗଛର ଵୈଜ୍ଞାନିକ ନାମ Solanum lycopersicum ଅଟେ । ତେବେ ଟମାଟୋର ଅଧୁନା ସାରା ପୃଥିଵୀରେ ଦଶ ସହସ୍ରାଧିକ ଚାଷ କିସମ ଦେଖିଵାକୁ ମିଳେ । ସେହିସବୁ ଟମାଟୋ ଚାଷ କିସମ ମଧ୍ୟରେ Alicante(ନାଲି),Azoychka (ହଳଦିଆ),Aunt Ruby's German Green(ସବୁଜ),Beefsteak (ନାଲି),Better Boy(ନାଲି),Black Beauty(କଳା),Black Krim( Purple/Brown),Brandywine(ଗୋଲାପୀ),Carbon (Burgundy),Cherokee Purple (Brown/Purple),Dad's Sunset (ନାରଙ୍ଗୀ),Yellow Brandywine(ସ୍ଵର୍ଣ୍ଣ ରଙ୍ଗ) ଓ White Queen Creamy (ଦୁଧିଆ ଧଳା) ଆଦି ଵିଶେଷ ଲୋକପ୍ରିୟ । କିନ୍ତୁ ସାଧାରଣତଃ ଵିଭିନ୍ନ ଚାଷକିସମ ମଧ୍ୟରେ ଲାଲ୍ ରଙ୍ଗର ଟମାଟୋ ଚାଷ କିସମର ଟମାଟୋ ହିଁ ଅଧିକାଂଶ ହାଟ ଵିପଣୀରେ ଦେଖିଵାକୁ ମିଳିଥାଏ । ଆଧୁନିକ ଟମାଟୋ Solanum lycopersicum ଓ ପୃଥିଵୀରେ ଵର୍ତ୍ତମାନ ଚାଷ କରାଯାଉଥିଵା ୧୦୦୦୦ରୁ ଅଧିକ ଟମାଟୋ ଚାଷ କିସମଗୁଡ଼ିକର ଜଙ୍ଗଲୀ ପୂର୍ଵଜର ଵୈଜ୍ଞାନିକ ନାମ Solanum pimpinellifolium ଅଟଇ ‌। ଅର୍ଥାତ୍ ଏଇ ଗୋଟିଏ ଜଙ୍ଗଲୀ ଗଛରୁ ମନୁଷ୍ୟମାନେ ଅନେକ ଜାତୀୟ ଟମାଟୋ କିସମକୁ ପ୍ରସ୍ତୁତ କରିଛନ୍ତି । ଜଙ୍ଗଲୀ ଟମାଟୋ Solanum pimpinellifoliumର ଫଳ ଆଧୁନିକ ଚାଷୋପଯୋଗୀ ଟମାଟୋ ଅପେକ୍ଷା ଛୋଟ ପ୍ରାୟତଃ ବାଟି ଆକାର ଵା ତାଠାରୁ ସାମାନ୍ୟ ବଡ଼ ହୋଇଥାଏ । 

ଗୋଟିଏ ଟମାଟୋ ମଧ୍ୟରେ ୯୫ଭାଗ ଜଳ,ଚାରି ଭାଗ କାର୍ବୋହାଇଡ୍ରେଟ୍ ଓ ଏକ ଭାଗ ପ୍ରୋଟିନ୍ ତଥା ଫ୍ୟାଟ୍ ଥାଏ । ଏତଦ୍‌ଵ୍ୟତୀତ ଟମାଟୋରେ ଥାଇଆମିନ୍,ରାଇବୋଫ୍ଲାଵିନ୍,ନିଆସିନ୍,ପାଣ୍ଟୋଥେନିକ୍ ଅମ୍ଳ,ଵିଟାମିନ୍ A, ଵିଟାମିନ୍ B6, ଵିଟାମିନ୍ C,ଫୋଲେଟ୍(B9), ଵିଟାମିନ୍ E, ଵିଟାମିନ୍ K, କାଲସିଅମ,ଆଇରନ୍, ମାଗ୍ନେସିଅମ୍,ମାଙ୍ଗାନିଜ୍, ଫସଫରସ, ପୋଟାସିୟମ,ସୋଡିୟମ୍,ଜିଙ୍କ୍ ଓ ଲାଇକୋପିନ୍ ଇତ୍ୟାଦି ତତ୍ତ୍ଵ ମଧ୍ୟ ଥାଏ । 
ପୃଥିଵୀରେ ଏକ ସ୍ଵାସ୍ଥ୍ୟବର୍ଦ୍ଧକ ପରିବା ହୋଇଥିଵାରୁ ଟମାଟୋ ସର୍ବାଧିକ ଚାଷ ହୋଇଥାଏ । ଅନେକେ ତ ଟମାଟୋ ବିନା ତୁଣ କରିଵା କଥା ଚିନ୍ତା ବି କରିପାରନ୍ତି ନାହିଁ । କିନ୍ତୁ ଅଧୁନା ଭାରତୀୟମାନଙ୍କର ରୋଷେଇଶାଳକୁ ଅଧିକାର କରିନେଇଥିଵା ଟମାଟୋ ନଥିଵାବେଳେ ଭାରତୀୟମାନେ ଅଚାର ପାଇଁ ,ତୁଣକୁ ଖଟାଳିଆ ତଥା ସ୍ଵାଦିଷ୍ଟ କରିଵା ପାଇଁ ଅନେକ ଭାରତୀୟ ଖଟାଫଳ ଓ କୋଳି ଵ୍ୟଵହାର କରୁଥିଲେ । ପ୍ରକୃତି ଭାରତଭୂମିକୁ ଅନେକ ଖଟାଫଳ ଓ କୋଳି ଦେଇଛି । ଅଅଁଳା,ଆମ୍ବ, ଆମ୍ବଡ଼ା କଇଁଥ,ବରକୋଳି, କଣ୍ଟେଇ କୋଳି,ତେନ୍ତୁଳି,ଟଭା,ଲେମ୍ବୁ,ବାତାପି,ଓରୁଅ,କରମଙ୍ଗା,କରନ୍ଦା,କାନ୍ଧିଆ ଵା ଜମ୍ଭୀରା,ଚଲଣା ଓ କୁସୁମ ଆଦି ଏ ଦେଶରେ ଅନେକ ଖଟାଫଳର ଗଛ ଅଛି । ଓଡ଼ିଶାରେ ତୁଣ ଓ ଡାଲିକୁ ଖାଟାଳିଆ କରିଵାକୁ ତେନ୍ତୁଳି ଓ ଆମ୍ବଖଟା ଵ୍ୟଵହୃତ ହେଉଥିଲା ‌। ମାତ୍ର ଟମାଟୋ ଭଳି ଆକାରରେ ବହୁତ ଛୋଟ ଗଛଟିଏ ଚାଷ ହେଵାରୁ ଏହି ସବୁ ଖଟାଫଳ ଓ କୋଳିଗଛଗୁଡ଼ିକର ଆଵଶ୍ୟକତା କମିଗଲା । ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଗୋଟିଏ ଫୁଟେ ଦେଢ଼ ଫୁଟର ଵୈଦେଶିକ ଖଟାଫଳ ଵା ପରିଵା ଗଛ ତାଠାରୁ ଉଚ୍ଚତା ତଥା ଆକାରରେ ଅନେକଗୁଣ ବଡ଼ ଵିଵିଧ ଭାରତୀୟ ଖଟାଳିଆ ଗଛଗୁଡ଼ିକର ରୋଷେଇଶାଳରେ ମହତ୍ତ୍ଵ କମାଇଵାରେ ସଫଳ ହୋଇଗଲା । 

ଟମାଟୋ ଭାରତ ଆସିଵା ପରେ ଏହା ଧିରେ ଧିରେ ବହୁଳ ଭାବରେ ଚାଷ ହେଲା । ତହୁଁ ସଂସ୍କୃତରେ ଏହାର “ରକ୍ତଫଳ,ତାମ୍ରତର,ବାର୍ତ୍ତକୀ ଓ ରାଗାଳୁ” ଆଦି ନାମ ରଖାଯାଇଥିଲା । ସେହିପରି ଓଡ଼ିଶାରେ ଟମାଟୋ ଏକ ବାଇଗଣ ଜାତୀୟ ପାଦପ ହୋଇଥିଵାରୁ ଏଵଂ ବିଲାତରୁ ଵା ପୃଥିଵୀର ପଶ୍ଚିମଭାଗରୁ ଏହାକୁ ଅଣାଯାଇଥିଵାରୁ ଏହାକୁ ବିଲାତି ବାଇଗଣ ନାମ ଦିଆଗଲା । ବଙ୍ଗରେ ମଧ୍ୟରେ ଏହାକୁ ବିଲିତି ବେଗୁନ୍ ତଥା ଉତ୍ତର ଭାରତରେ ବିଲାୟତି ଭଣ୍ଟା(ବାଇଗଣ) କୁହାଯାଉଥିଲା କିନ୍ତୁ ଅଧୁନା ହିନ୍ଦୀଭାଷୀଙ୍କ କଥିତ ଭାଷାରୁ ପ୍ରାୟତଃ ବିଲାୟତି ଭଣ୍ଟା ଶବ୍ଦ ପ୍ରାୟତଃ ଲୁପ୍ତ ହୋଇସାରିଛି ଏଵଂ ଅଧିକାଂଶ ଉତ୍ତରଭାରତୀୟ ଟମାଟର୍ ଶବ୍ଦ ପ୍ରୟୋଗ କରୁଅଛନ୍ତି । 

ଟମାଟରକୁ ଓଡ଼ିଶାର କେତେକ ଅଞ୍ଚଳରେ ବିଲାତି ବାଇଗଣ ନକହି କେଵଳ ବିଲାତି,ବିଲାଇତି,ବିଲେଇତି ଇତ୍ୟାଦି ମଧ୍ୟ କୁହାଯାଏ । ଓଡ଼ିଶାର ଦକ୍ଷିଣ ପଶ୍ଚିମ ଭାଗରେ ବିଲାତି ବାଇଗଣକୁ ଭେଦରା,ଭେଦରୀ,ଭେଜରା ଓ ଭେଜରୀ ଇତ୍ୟାଦି କୁହାଯାଏ । ଏ ସମସ୍ତ ଶବ୍ଦ ତତ୍ସମ ବର୍ତ୍ତକୀ ତଥା ଓଡି଼ଆ ଭେଜୀ ଶବ୍ଦ ସହିତ ସମୋଦ୍ଧୃତ । ଓଡ଼ିଆ ଭାଷାରେ ଏକ ପ୍ରକାରର ବାଇଗଣ ଜାତୀୟ ପାଦପକୁ ଭେଜି ବାଇଗଣ କୁହାଯାଏ ଯାହାର ଵୈଜ୍ଞାନିକ ନାମ Solanum virginianum ଵା Solanum Xanthocarpum । ଏହି ଭାରତୀୟ ଗଛଟି ଦେଖିଵାକୁ ଆମେରକୀୟ ଟମାଟୋ ଗଛ ଭଳି ହୋଇଥିଵାରୁ ଓଡ଼ିଶାରେ ଵିଦେଶରୁ ଆଗତ ଟମାଟୋକୁ ବି ଭେଜ୍ରି କୁହାଗଲା ‌। ଏହି ବିଲାତି ବାଇଗଣ ସାଦୃଶ୍ୟ କଣ୍ଟାଯୁକ୍ତ ଭାରତୀୟ ଗଛଟି ଏକ ଔଷଧୀୟ ପାଦପ ଭାବେ ପ୍ରତିଷ୍ଠିତ। 

ପୂର୍ଵ ଓଡ଼ିଶାରେ ଵିଶେଷତଃ କଟକ ଓ ଏହାର ଆଖପାଖ ଅଞ୍ଚଳରେ ୧୯୮୦ ମସିହା ସୁଦ୍ଧା ବିଲାତି ବାଇଗଣକୁ ପାଚଲ ଓ ପାଚଲଘଣ୍ଟା କୁହାଯାଉଥିଲା ‌। ତେବେ ସ୍ଥାନୀୟ କଟକୀ କଥିତ ଭାଷାରେ ଟମାଟର ଓ ବିଲାତି ବାଇଗଣ ଆଦି ଶବ୍ଦର ବହୁଳ ପ୍ରୟୋଗ ଯୋଗୁଁ ଏ ଶବ୍ଦଦ୍ଵୟ ଏଠାକାର ଗ୍ରାମାଞ୍ଚଳରେ ରହୁଥିଵା ବୁଢ଼ାବୁଢ଼ୀଙ୍କ ମୁଖରୁ କ୍ଵଚିତ୍ ଶୁଣାଯାଏ । 

ପଶ୍ଚିମ ଓଡ଼ିଶାରେ ବିଲାତି ବାଇଗଣକୁ ପାତଲ୍ ଘଣ୍ଟା କୁହାଯାଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୪୭୫୪ତମ ପୃଷ୍ଠାରେ ଏ ଶବ୍ଦ ସ୍ଥାନିତ ହୋଇଛି ଏଵଂ ଏ ଶବ୍ଦର ଅନ୍ୟ ପ୍ରତିରୂପ ମଧ୍ୟ ସେଠାରେ ଉଲ୍ଲେଖ କରାଯାଇଛି ଯଥା : ପାତଲ୍ ଘଣ୍ଟା,ପାତଲ୍ ଭଁଟା,ପାତଲ୍ ଭଣ୍ଟା,ପାତଲ୍ ଭାଁଟା,ପାତଲ୍ ଭାଣ୍ଟା ଓ ପାତଲ୍'ଘଟା । 

ପାତଲ୍ ଘଣ୍ଟା ଶବ୍ଦର ଅନେକ ରୂପ ଭଳି ଏ ଶବ୍ଦର ସୃଷ୍ଟିକୁ ନେଇ ମଧ୍ୟ ନାନା ମତ ରହିଛି । ନିମ୍ନରେ ତନ୍ମଧ୍ୟରୁ କେତେକ ମତ ଵିଷୟରେ ସଂକ୍ଷିପ୍ତ ଆଲୋଚନା କରାଗଲା ।
ଆଉ ଏକ ମତ ଅନୁସାରେ ସମ୍ବଲପୁରୀ ଓଡ଼ିଆରେ ପାତଲ୍ ଶବ୍ଦର ଅର୍ଥ ପତଳା ,କ୍ଷୀଣ ଓ ସରୁଆ । ବିଲାତି ବାଇଗଣର ଉପର ଆଵରଣ ଦେଶୀୟ ବାଇଗଣ ଅପେକ୍ଷା ଅତିସରୁ,କ୍ଷୀଣକାୟ ଓ ପତଳା ହୋଇଥାଏ । ତେଣୁ କିଛି ଲୋକଙ୍କ ମତ ଯେ "ପତଳା" ଅର୍ଥଜ "ପାତଲ୍" ସହ "ଭଣ୍ଟା" ଶବ୍ଦର ଏକ ଦେଶଜ ରୂପ "ଘଣ୍ଟା" ଯୁକ୍ତ ହୋଇ ପାତଲ୍ ଘଣ୍ଟା ଶବ୍ଦ ସୃଷ୍ଟି ହୋଇଅଛି । ପ୍ରକାଶ ଥାଉକି ‘ଭଣ୍ଟା’ ଶବ୍ଦଟି ଉତ୍ତର ଭାରତର ଵିଭିନ୍ନ କଥିତ ଭାଷାରେ ବାଇଗଣ ଅର୍ଥରେ ଵ୍ୟଵହୃତ ହୋଇଥାଏ । 

ମତାନ୍ତରେ ବିଲାତି ବାଇଗଣ ପାତାଳର ଫଳ ଅଟେ । ଵାସ୍ତଵରେ ଟମାଟୋ ଆମ ଦେଶର ଫଳ ନୁହେଁ । ଏହା ମୂଳତଃ ଆମେରିକାରୁ ଅଣାଯାଇ ଆମ ଦେଶରେ ଚାଷ କରାଯାଇଛି । ପୁରାଣରେ ସପ୍ତ-ପାତାଳର କାହାଣୀ ରହିଛି । କିଛି ଲୋକଙ୍କ ଅନୁସାରେ ମାଟି ତଳେ ସପ୍ତ ପାତାଳ ଅଵସ୍ଥିତ ତେଵେ ଆଉ କିଛି ଲୋକ କୁହନ୍ତି ପ୍ରାଚୀନ ତଥା ହିଂସ୍ର ମାନଵଜାତିଙ୍କ ଦ୍ଵାରା ଵସଵାସ କରାଯାଉଥିଵା ବଡ଼ ଦ୍ଵୀପ ଓ ମହାଦେଶଗୁଡି଼କୁ ସନାତନୀ ପୁରାଣକାରମାନେ ପାତାଳ ଅଭିହିତ କରିଅଛନ୍ତି । ସେମାନଙ୍କ ମତରେ ଉତ୍ତର ଆମେରିକା, ଦକ୍ଷିଣ ଆମେରିକା,ଆଣ୍ଟାର୍କଟିକା, , ଅଷ୍ଟ୍ରେଲିଆ,ଆରବ,ଇରାକ ଓ ଆଫ୍ରିକାର କିଛି ଅଂଶକୁ ସେତେବେଳର ପୁରାଣରେ ପାତାଳ ଅଭିହିତ କରାଯାଇଥିଵା ସମ୍ଭଵ । ଏସବୁ ଅଞ୍ଚଳରେ ଏମିତି ମାନଵ ସଭ୍ୟତା ଗଢିଉଠିଥିଲା ଯେଉଁମାନେ ବହିରାଗତଙ୍କ ପ୍ରତି ହିଂସ୍ର ଵ୍ୟଵହାର କରୁଥିଲେ । ଆରବରେ ଓ ଇରାକ୍'ରେ ବାର୍ବାରିକ ଓ ଆସିରୀୟ ଲୋକେ ହିଂସ୍ର ଓ ଦୁର୍ଦ୍ଧାନ୍ତ ଥିଵା ଜଣାଯାଏ । ଏଣୁ ଯେହେତୁ ବିଲାତି ବାଇଗଣ ଆମେରିକା ମହାଦେଶର ପାଦପ ଏଵଂ ଆଧୁନିକ ଯୁଗରେ ଏହାର ଆଵିଷ୍କାର ପରେ ଏହାକୁ ଏକ ପାତାଳ ଭାଵରେ ଭାରତୀୟ ଲୋକେ ଅନୁମାନ କରିଥିଲେ ତେଣୁ ସେମାନେ ବିଲାତି ବାଇଗଣର ,ପାତାଳର ଭଣ୍ଟା = ପାତାଳଘଣ୍ଟା ନାମକରଣ କରିଥାଇପାରନ୍ତି । ପାତାଳ ଶବ୍ଦ ସହ ଯୁକ୍ତ ଘଣ୍ଟା ଶବ୍ଦଟି ଭଣ୍ଟାକୀ ଶବ୍ଦର ଏକ ରୂପ ହୋଇଥିଵ କିଂଵା ଘଣ୍ଟାର ପେଣ୍ଡୁଲିୟମ୍ ପରି ଏ ଫଳଟି ତଳକୁ ଓହଳି ଥିଵାରୁ ପାତାଳ ଶବ୍ଦ ସହ ଘଣ୍ଟା ଶବ୍ଦ ଯୋଡ଼ା ହୋଇଥାଇପାରେ । 

ଏହି ଶବ୍ଦର ସୃଷ୍ଟିକୁ ନେଇ ଆହୁରି ଗୋଟିଏ ଵ୍ୟୁତ୍ପତ୍ତି ମତ ବି ଶୁଣିଵାକୁ ମିଳେ । ଓଡ଼ିଆ ଭାଷାରେ ପାତଳ ବୋଲି ଶବ୍ଦଟିଏ ଅଛି । ଆମ ଭାଷାରେ ଏହି ଶବ୍ଦର ଅନେକ ଅର୍ଥରେ ଵ୍ୟଵହାର ରହିଛି ! ଯଥା :
ପାଦ ତଳ,ପାଆତଳିଆ/ପାଦତଳସ୍ଥିତ(ଵିଶେଷଣ),ଅନୁଗତ,ଅତି ହୀନ,ପତଳା ଵା ସରୁ(ସମ୍ବଲପୁରୀ ଓଡ଼ିଆରେ ଏହି ଓଡ଼ିଆ ଶବ୍ଦ ପାତଲ୍ ହୋଇଅଛି ),କୃଶ ଵା ଶୀର୍ଣ୍ଣକାୟ,ଜଳରେ ଗୋଳିଆ ହୋଇଥିଵା,ଜଳୀୟ ଵା ତରଳ ଓ ଅଘନ । ଏହି ପାତଳ ଶବ୍ଦଟି ପତଳା ଵା ସରୁ ଅର୍ଥ ଛଡ଼ା ଜଳୀୟ ଵା ତରଳ ଅର୍ଥରେ ମଧ୍ୟ ଵ୍ୟଵହାର ହୋଇଥାଏ । ସେଇଥିପାଇଁ "ଯାଉ(ଯଵାଗୂ)"କୁ ଆମ ଭାଷାରେ "ପାତଳ ଭାତ" କୁହାଯାଏ କାରଣ ସାଧାରଣ ଭାତ ଶୁଷ୍କ ହୋଇଥିଵାବେଳେ ଯାଉଭାତରେ ଜଳୀୟ ଅଂଶ ରହିଥାଏ । ଦେଶୀୟ ବାଇଗଣ ପାଚି ଧୀରେ ଧୀରେ ଶୁଖିଯାଏ କିନ୍ତୁ ବିଲାତି ବାଇଗଣ ପାଚିଲେ ଈଷତ ଲାଲ ଵର୍ଣ୍ଣ ଧାରଣ କରେ ଏଵଂ ତା ମଧ୍ୟରେ ମଞ୍ଜି ସହ ତରଳ ପଦାର୍ଥ ସୃଷ୍ଟି ହୋଇଥାଏ । ସମ୍ଭଵତଃ ବିଲାତି ବାଇଗଣରେ ତରଳ ଶସ ମିଳୁଥିଵାରୁ ଜଳୀୟ ଅର୍ଥରେ ପାତଳ ଶବ୍ଦର ଵ୍ୟଵହାର କରାଯାଇଥିଲା ଏଵଂ ତାହା ସହ ବାଇଗଣ ଅର୍ଥଜ ତତ୍ସମ ଭଣ୍ଟାକୀ ଶବ୍ଦ ଯୋଡ଼ା ଯାଇଥିଲା ଯାହା ସମୟାନୁକ୍ରମେ କେତେକ ଅଞ୍ଚଳରେ ଘଣ୍ଟା ହୋଇଅଛି । 

ଏତଦଵ୍ୟତୀତ ଅନ୍ୟ ଏକ ଵ୍ୟୁତ୍ପତ୍ତି ମତ ବି ଅଛି । କିଛି ଗଵେଷକ ଅନୁମାନ କରନ୍ତି ଯେ ପାତଳଘଣ୍ଟାରେ ଥିଵା ପାତଲ ଶବ୍ଦର ପାଚଳ ଶବ୍ଦ ସହିତ ସମ୍ପର୍କ ଥାଇପାରେ । ସମ୍ଭଵତଃ ପାତଲ୍ ଘଣ୍ଟା ଶବ୍ଦ ମଧ୍ୟରେ ଥିଵା ପାତଲ୍ ଶବ୍ଦଟି ଏକ ପ୍ରାଚୀନ ଓଡ଼ିଆ ଶବ୍ଦ "ପାଚଳ"ର ଆଧୁନିକ ରୂପ ଅଟେ । ପ୍ରକୃତରେ ଏହି ଓଡ଼ିଆ ଖଟା ଅର୍ଥଜ ପାଚଳ ଶବ୍ଦଟି ସଂସ୍କୃତର ସମାର୍ଥକ "ପାଚନ" ସହିତ ସମଦ୍ଧୃତ ଅଟେ । ଓଡିଆ ମହାଭାରତରେ ତଥା ଅନ୍ଯାନ୍ଯ ପୁରାତନ ଓଡ଼ିଆ ଗ୍ରନ୍ଥରେ ପାଚଲ ଶବ୍ଦଟି ଖଟା ବା ଆମ୍ବିଳ ଅର୍ଥରେ ଵ୍ୟଵହୃତ ହୋଇଅଛି । ବିଲାତି ବାଇଗଣ ଖଟାଳିଆ ହୋଇଥିଵାରୁ ଏଵଂ ଖଟାରେ ଘଣ୍ଟା ହେଉଥିଵାରୁ ଏହାକୁ ଆଗେ ପୂର୍ଵାଞ୍ଚଳରେ ପାଚଲଘଣ୍ଟା ଵା କେଵଳ ପାଚଲ୍ କହୁଥିଲେ । 'ଚ' ଓ 'ତ' ଵର୍ଣ୍ଣ ପରସ୍ପର ପରିଵୃତ୍ତ ହେଇପାରନ୍ତି ତେଣୁ ପୂର୍ଵାଞ୍ଚଳର ପାଚଲଘଣ୍ଟା ଶବ୍ଦଟି ପଶ୍ଚିମାଞ୍ଚଳରେ ପାତଲଘଣ୍ଟା ହୋଇଅଛି ।

ପୁଣି ଓଡ଼ିଆ ଭାଷାରେ ‘ପାଚଳ’ ଶବ୍ଦର ଅର୍ଥ “ଵିନା ଅଗ୍ନି ସହାୟତାରେ ପକ୍ଵ ଖାଦ୍ୟଦ୍ରଵ୍ୟ” ଏଵଂ ‘ପାଚଲ’ ଶବ୍ଦର ଅର୍ଥ “ଘାଣ୍ଟିଆ ତିଅଣ ଵା ଆମ୍ବିଳ ତିଅଣ” ଓ ‘ଵିହନ’ । ତତ୍ସମ ‘ପାଚଳ’ ଶବ୍ଦ ସହ ଓଡ଼ିଆ ‘ପାଚଲ’,‘ପାଚିଲା’ ଓ ‚'ପାକଲା' ଇତ୍ୟାଦି ଶବ୍ଦ ସମଦ୍ଧୃତ ଅଟେ ।
କିଡନୀ ଫ଼େଲ୍ ଵା ବୃକ୍କ ଅପକାର୍ଯ୍ୟ ରୋଗୀଙ୍କୁ ଖାଦ୍ୟ ମଧ୍ୟରେ ଆମିଷ, ପାଚିଲା ଫଳ ମନା ଓ ତା ସହ ପରିବା ମଧ୍ୟରେ ଟମାଟୋ ମଧ୍ଯ ମନା l ତେବେ "ଫଳ ତ ମନା ପରିବା ଭିତରେ ଟମାଟୋ କାହିଁକ ମନା ?" କାରଣ "ଫଳ ପାଚିବା ପରି ଟମାଟୋ ବି ପାଚିଥାଏ l" ନୟାଗଡ଼, କଟକ, ଢେଙ୍କାନାଳରେ ପାଚେ ବୋଲି ସେଠାକାର ଲୋକେ ତେଣୁ ଟମାଟୋକୁ 'ପାଚଲ' କହନ୍ତି l କଟକର ପୁରପଲ୍ଲୀରେ ଅଦ୍ୟାାବଧି କିଛି ଅଞ୍ଚଳରେ ପାଚଲଘଣ୍ଟା ଶବ୍ଦର ପ୍ରଚଳନ ରହିଛି ଏଵଂ ଏଇ ମାତ୍ର କୋଡି଼ଏ ତିରିଶ ଵର୍ଷ ପୂର୍ଵେ ନୟାଗଡ଼ ଜିଲ୍ଲାରେ ମଧ୍ୟ ଟମାଟୋକୁ ପାଚଲଘଣ୍ଟା କହୁଥିଲେ ବୋଲି ଅନୁସନ୍ଧାନରୁ ଜଣାଯାଏ। ସମ୍ଭଵତଃ "ପାଚିଲା" ଅର୍ଥରେ "ପାଚଲ" ଶବ୍ଦଟି ପାଚଲଘଣ୍ଟା ଶବ୍ଦରେ ଵ୍ୟଵହାର ହୋଇଅଛି । ସମ୍ଭଵତଃ ଘାଣ୍ଟତିଅଣରେ ଆମ୍ବିଳ ଖଟା ଭାଵରେ ଵ୍ୟଵହାର ହେଉଥିଵାରୁ ଘଣ୍ଟା ଶବ୍ଦଟି ସେହି ଅର୍ଥ ଆଧାରରେ ପାଚଲ ଶବ୍ଦ ସହ ଯୋଡ଼ା ହୋଇଅଛି । 

ଆଉ କିଛି ଲୋକଙ୍କ ଅନୁସାରେ ବିଲାତି ବାଇଗଣ ପାଚିଲେ ପଚ୍ ପଚ୍ ପୁଚପୁଚିଆ ଗୁଣକୁ ପ୍ରାପ୍ତ କରିଥାଏ । ବିଲାତି ବାଇଗଣ ଅତି ପାଚିଗଲେ ତାକୁ ଯଦି ଆଙ୍ଗୁଠି ଦ୍ଵାରା ଅତିଶୟ ଚାପ ପ୍ରୟୋଗକରି ଚିପାଯାଏ ତେଵେ ତାହା ପଚ୍ ଶବ୍ଦ ସୃଷ୍ଟି ସହ ଫାଟିଯାଏ । ବିଲାତି ବାଇଗଣକୁ ନିଆଁ ମଧ୍ୟରେ ପୋଡ଼ାଗଲେ ମଧ୍ୟ ଏହା ମଧ୍ୟରେ ଥିଵା ଜଳୀୟ ଅଂଶ ଯୋଗୁଁ ପଚ୍ ପଚ୍ ଶବ୍ଦ ଉତ୍ପନ୍ନ ହୋଇଥାଏ । ସମ୍ଭଵତଃ ଏଥିପାଇଁ ଏହି ପଚ୍ ପଚ୍ ଶବ୍ଦ ସୃଷ୍ଟିକାରୀ ପରିଵାକୁ ପୂର୍ଵାଞ୍ଚଳରେ ପାଚଲ ଵା ପଚଲ୍ କୁହାଯାଏ ଏଵଂ ଏହି ଶବ୍ଦର ଅନ୍ୟ ଏକ ରୂପ ପଶ୍ଚିମାଞ୍ଚଳରେ ପାତଲ୍ ହୋଇ ପ୍ରଚଳିତ ଥିଲା । 

କେହି କେହି କୁହନ୍ତି ଟମାଟୋର ରଙ୍ଗକୁ ଦୃଷ୍ଟିରେ ରଖି ଏହାର ନାମକରଣ ପାତଲଘଣ୍ଟା ହୋଇଥିଲା । ସଂସ୍କୃତରେ ପାଟଳ ବୋଲି ଶବ୍ଦଟିଏ ଅଛି ଯାହା "ଫକା ନାଲି","ଶ୍ବେତ ରକ୍ତବର୍ଣ୍ଣ" ଵା "ଈଷତ ଗୋଲାପି ରଙ୍ଗ" ଅର୍ଥରେ ଵ୍ୟଵହୃତ ହୋଇଥାଏ । ଇଂରାଜୀରେ ଏହି ରଙ୍ଗକୁ Pale red colour ଵା whitish red colour କୁହାଯାଏ । ଏହି ରଙ୍ଗଟି ଠିକ୍ ଟମାଟୋ 🍅 ରଙ୍ଗ ପରି ହୋଇଥାଏ । ନାଗେଶ୍ଵର ଗଛ(Mesua ferrea)ର କଅଁଳ ପତ୍ର ଅତି ଈଷତ ଶ୍ଵେତ ରକ୍ତଵର୍ଣ୍ଣର ହୋଇଥାଏ ବୋଲି ତାକୁ ମଧ୍ୟ ପାଟଳଗଛ କୁହନ୍ତି । ଏକ ଜାତୀୟ ସେଵତୀ ପୁଷ୍ପ ଈଷତ ଗୋଲାପି ରଙ୍ଗର ହେଉଥିଵା ହେତୁ ତାକୁ ପାଟଳ କୁହାଯାଏ । ସେହିପରି Stereospermum chelonoides ଗଛକୁ ମଧ୍ୟ ଏହାର ଫିକା ଗୋଲାପି ରଙ୍ଗର ପୁଷ୍ପ ଯୋଗୁଁ ପାଟଳିପୁଷ୍ପ କୁହାଯାଏ । ତେଣୁ ସମ୍ଭଵତଃ ଟମୋଟୋର ଉପର ଆଵରଣ ଫିକା ନାଲି ରଙ୍ଗର ହେଉଥିଵାରୁ ଏହାକୁ ଏହାର ରଙ୍ଗ ଆଧାରରେ ସମାଜର ପଣ୍ଡିତଵର୍ଗଙ୍କ ଦ୍ଵାରା "ପାଟଳ ଭଣ୍ଡାକି" ନାମକରଣ କରାଯାଇଥିଲା । ତେବେ ସମୟକ୍ରମେ ଓଡ଼ିଆ ଭାଷାର ଶବ୍ଦ ପରିଵୃତ୍ତି ପ୍ରକ୍ରିୟା ଯୋଗୁଁ ପାଟଳ ଶବ୍ଦ ପାତଳ ଓ ପରେ ପାତଲ୍ ରେ ପରିଵୃତ୍ତ ହୋଇଥିଵାବେଳେ ବାଇଗଣ ଅର୍ଥଜ ତତ୍ସମ ଭଣ୍ଟାକୀ ଶବ୍ଦ ଭଣ୍ଟା,ଭାଁଟା ,ଘଣ୍ଟା ଓ ଘଟା ଇତ୍ୟାଦିରେ ପରିଵର୍ତ୍ତିତ ହୋଇଅଛି । 

ଏହିପରି ଭାବେ ଟମାଟୋ ଅର୍ଥରେ ଵ୍ୟଵହୃତ ପାଚଲଘଣ୍ଟା ଵା ପାତଲଘଣ୍ଟା ଶବ୍ଦର ନିରୁକ୍ତି ସମ୍ବନ୍ଧରେ ନାନା ମତ ପ୍ରକାଶ ପାଇଥାଏ ଏଵଂ ଵ୍ୟାଖ୍ୟା ଦୃଷ୍ଟିରୁ ଅଧିକାଂଶ ମତ ଯୁକ୍ତିଯୁକ୍ତ ମଧ୍ୟ ଲାଗେ ତେଣୁ ପାଚଲଘଣ୍ଟା ଵା ପାତଲଘଣ୍ଟା ଶବ୍ଦର ମୂଳକୁ ନେଇ ଵିଵାଦ ଛିଣ୍ଡିଵା ପରିଵର୍ତ୍ତେ ଦ୍ଵନ୍ଦ୍ଵ ବଢ଼ିଥାଏ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପାତଲ୍ ଶବ୍ଦ ସହିତ ଯୁକ୍ତ ହୋଇଥିଵା ଘଣ୍ଟା ଶବ୍ଦକୁ ନେଇ ପ୍ରାୟ ଲୋକଙ୍କ ମନରେ ସନ୍ଦେହ ଜାତ ହୋଇଥାଏ । କେ‌ହି କେହି ଭାବି ପାରନ୍ତି ଯେ ଏହି ଘଣ୍ଟା ଶବ୍ଦଟି ଘାଣ୍ଟିଵା କ୍ରିୟା ଶବ୍ଦ ସହିତ ସମୋଦ୍ଧୃତ ହୋଇଥିଵା ସମ୍ଭଵ । ପୂର୍ଵେ "ଆମ୍ଵିଳ ଘାଣ୍ଟିଆ ତିଅଣ" କଲାଵେଳେ ବିଲାତି ବାଇଗଣ ପକାଇ ଘଣ୍ଟା ଯାଉଥିଵା ହେତୁ କିମ୍ବା ବିଲାତି ବାଇଗଣରେ ଥିଵା ଈଷତ ଲାଲ ଵର୍ଣ୍ଣର ଶସ ଓ ତାହାର ଵୀଜ ଗୋଳେଇ ଘାଣ୍ଟି ହୋଇ ରହିଥାଏ ବୋଲି ପାତଲ୍ ଶବ୍ଦ ସହିତ ଘଣ୍ଟା ଶବ୍ଦ ଯୁକ୍ତ ହୋଇଅଛି । ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ପାତଲ୍ ଘଣ୍ଟା ଶବ୍ଦର ଉଲ୍ଲେଖିତ ଅନ୍ଯ ପ୍ରତିରୂପ ଏହି ମତର ଖଣ୍ଡନ କରିଥାଆନ୍ତି । ପାତଲଘଣ୍ଟାର ପାତଲ୍ ଭଁଟା,ପାତଲ୍ ଭଣ୍ଟା,ପାତଲ୍ ଭାଁଟା ଓ ପାତଲ୍ ଭାଣ୍ଟା ଆଦି ପ୍ରତିରୂପରେ ଭଣ୍ଟା ଶବ୍ଦଟି ସ୍ପଷ୍ଟ ଭାବରେ ଦୃଷ୍ଟିଗୋଚର ହୋଇଥାଏ । ଭଣ୍ଟାକୀ ମୂଳର ଭଣ୍ଟା ଶବ୍ଦରୁ ପାତଲଘଣ୍ଟା ଶବ୍ଦରେ ଥିଵା ଘଣ୍ଟା ଶବ୍ଦ ସୃଷ୍ଟି ହୋଇଥିଵା ସମ୍ଭଵ । "ଭ" ଓ "ଘ" ଉଭୟ ମହାପ୍ରାଣ ଵର୍ଣ୍ଣ ହୋଇଥିଵାରୁ ଏମନ୍ତ ହେଵା ଅସମ୍ଭଵ ନୁହେଁ। ଏମିତି ବି ହୋଇପାରେ ଯେ ବୋଧହୁଏ ଓଡ଼ିଶାର ପୂର୍ଵ ଓ ପଶ୍ଚିମରେ ବିଲାତି ବାଇଗଣ ପାଇଁ ଦୁଇଗୋଟି ଭିନ୍ନ ଭିନ୍ନ ଶବ୍ଦ ସୃଷ୍ଟି ହୋଇଥିଲା । 

ପଶ୍ଚିମ ଓଡ଼ିଶାରେ ପାତଲଭଣ୍ଟା(ସରୁ ଆଵରଣ ଵା ପାଟଳ ରଙ୍ଗଯୁକ୍ତ ଭଣ୍ଟା ଅର୍ଥାତ୍ ବାଇଗଣ) ଭଳି ଆଗେ ପୂର୍ଵ ଓଡ଼ିଶାରେ ପାଚଲଘଣ୍ଟା(ପାଚଲ ଵା ଆମ୍ଵିଳ ତୁଣରେ ଯେଉଁ ପରିଵା ଵା ଫଳକୁ ଘଣ୍ଟାଯାଏ) ଶବ୍ଦ ବି ଚଳୁଥିଲା । ଏ ଉଭୟ ଶବ୍ଦ ମଧ୍ୟରେ କୌଣସି ନା କୌଣସି ସମ୍ପର୍କ ନିଶ୍ଚୟ ଥାଇପାରେ । ‌ହୁଏତ ଏକତ୍ର ସହାଵସ୍ଥାନ ଯୋଗୁଁ ପୂର୍ଵାଞ୍ଚଳର କଥିତ ଭାଷାଦ୍ଵାରା ପ୍ରଭାଵିତ ହୋଇ ସମୟକ୍ରମେ ପଶ୍ଚିମ ଓଡ଼ିଶାରେ ପାତଲଭଣ୍ଟା ଶବ୍ଦରେ ଥିଵା ଭଣ୍ଟା ଶବ୍ଦଟି ଘଣ୍ଟାରେ ପରିଵର୍ତ୍ତିତ ହୋଇଯାଇଥିଵ । ଫଳତଃ ପଶ୍ଚିମ ଓଡ଼ିଶାର ପାତଲଭଣ୍ଟାରୁ ପାତଲ୍ ଓ ପାଚଲଘଣ୍ଟାରୁ ଘଣ୍ଟା ଶବ୍ଦଦ୍ଵୟ ଓଡ଼ିଆ ଭାଷାର ସ୍ଵାଭାଵିକ ଶବ୍ଦ ମାନକୀକରଣ ପ୍ରକ୍ରିୟା ଯୋଗୁଁ ପାତଲଘଣ୍ଟାରେ ପରିଣତ ହୋଇଥିଵା ମଧ୍ୟ ଅସମ୍ଭଵ ନୁହେଁ । ଆଜି ପୂର୍ଵାଞ୍ଚଳରୁ ପାଚଲଘଣ୍ଟା ଓ ପାଚଲ ଶବ୍ଦ ପ୍ରାୟତଃ ଲୁପ୍ତ ହୋଇ ସରିଛି ତେବେ ପଶ୍ଚିମ ଓଡ଼ିଶାରେ ପାତଲଘଣ୍ଟା ଵା ପାତଲଭଣ୍ଟା ଶବ୍ଦଟି ଵୈଦେଶିକ ଟମାଟର,ଟମାଟୋ ଶବ୍ଦ ସହିତ ଏଯାବତ୍ ସଂଘର୍ଷ କରି ବଞ୍ଚି ରହିଛି । ତେଣୁ ଆମ ସମସ୍ତ ଓଡ଼ିଆଙ୍କ ଦାୟିତ୍ଵ ଆମ୍ଭମାନଙ୍କୁ ଲୁପ୍ତ ପାଚଲଘଣ୍ଟା ଓ ଵୈଦେଶିକ ଶବ୍ଦ ସହ ଶେଷ ସଂଗ୍ରାମ ଚଳାଇଥିଵା ପାତଲଘଣ୍ଟା(ଭଣ୍ଟା) ଶବ୍ଦଦ୍ଵୟର କଥିତ ଓ ଲିଖିତ ଭାଷାରେ ବହୁଳ ଭାବରେ ଵ୍ୟଵହାର କରି ଏ ଉଭୟ ଶବ୍ଦକୁ ବଞ୍ଚାଇ ରଖିଵାକୁ ହେଵ ।

Thursday, July 13, 2023

ବ୍ରହ୍ମଦେଶର ଅନ୍ୟନାମ ମିଆଁମାର୍ ଵିଷୟରେ ପ୍ରକୃତ ସତ୍ୟ

ବ୍ରହ୍ମଦେଶର ଅନ୍ୟନାମ ମିଆଁମାର୍ ଵିଷୟରେ ଗୋଟିଏ ମିଛ ଵ୍ୟୁତ୍ପତ୍ତି ମତ ଅନ୍ତର୍ଜାଲରେ ବହୁତ ପ୍ରଚାର ହୋଇ ଆସିଛି । ଏହି ମତାନୁସାରେ ବ୍ରହ୍ମଦେଶରୁ ‘ମିଆଁ’ମାନଙ୍କୁ ମାରି ତଡ଼ି ଦେଇଥିଵାରୁ ବ୍ରହ୍ମଦେଶର ନାମ ମିଆଁମାର୍ ରଖାଯାଇଥିଲା । ତେବେ ସତକଥା ହେଲା ବ୍ରହ୍ମଦେଶରେ ସର୍ଵାଧିକ ସଂଖ୍ୟାରେ ଵସଵାସ କରୁଥିଵା မြန်မာ (mranma) ମାନଵଗୋଷ୍ଠୀର ନାମାନୁସାରେ Myanmar ନାମକରଣ କରାଯାଇଛି । ଏହି မြန်မာ (mranma) ମାନଵଗୋଷ୍ଠୀର ଅନ୍ୟନାମ ဗမာ (bəma̰) ଓ bamar ଏଵଂ ଏ ତିନୋଟି ଶବ୍ଦ ବର୍ମା ଭଳି ମୂଳତଃ ବ୍ରହ୍ମ ଶବ୍ଦ ସହିତ ସମୋଦ୍ଧୃତ । ବ୍ରହ୍ମ ଵା ଭଗଵାନଙ୍କ ଦେଶ ବ୍ରହ୍ମଦେଶ । 

Myanmar ନାମରେ ଥିଵା ଏହି ମାନଵଗୋଷ୍ଠୀର ନାମଵାଚକ ଶବ୍ଦ မြန်မာ (mranma)ର ଦୁଇଗୋଟି ପ୍ରାଚୀନ ରୂପ မြမ္မာ (mramma) ଓ မြံမာ (mramma) ବ୍ରହ୍ମଦେଶର ମନ୍ଦିରଗାତ୍ର ଓ ପ୍ରାଚୀନ ସାହିତ୍ୟରେ ମିଳିଛି । 

କିନ୍ତୁ ୱାଟ୍ସ୍ ଆପ୍ ୟୁନିଵର୍ସିଟିରେ ପାଠ ପଢ଼ୁଥିଵା ଛୁଆ କୁହନ୍ତି ଯେ ଚୁସ୍ଲାମମାନଙ୍କୁ ମାରି ତଡ଼ିଵା ପରେ ବର୍ମାର ନାମକରଣ ମିଆଁମାର୍ ହୋଇଥିଲା । ଏକଥା ସତ ଯେ ପଞ୍ଚଦଶ ଶତାବ୍ଦୀରୁ ଏଯାଵତ୍ ବର୍ମାଦେଶରେ ମଝିରେ ମଝିରେ ଧାର୍ମିକ ଵିଵାଦ ଉପୁଜିଛି । ୧୯୩୦ରୁ ୧୯୪୭ ମଧ୍ୟରେ ଭାରତୀୟ ଓ ମୁସଲମାନମାନଙ୍କ ଵିପକ୍ଷରେ ବର୍ମାର ସ୍ଥାନୀୟ ଲୋକମାନଙ୍କର ଅନେକ ଵିଵାଦ ହୋଇଛି । ତେବେ ସେସବୁ ସତ୍ତ୍ୱେ ୧୮ ଜୁନ୍ ୧୯୮୯ରେ ଯାଇ ବ୍ରହ୍ମଦେଶର ନାମ ବର୍ମାରୁ ମିଆଁମାର୍ ହୋଇଥିଲା । ମିଆଁମାର୍‌ରେ ମୁଖ୍ୟତଃ ରାଖିନ୍ ଵା ଆରାକାନ୍ ଅଞ୍ଚଳରେ ରୋହିଙ୍ଗ୍ୟା ଚୁସ୍ଲାମମାନଙ୍କର ୧୯୭୮,୧୯୯୧,୨୦୧୫,୨୦୧୬ ଓ ୨୦୧୭ରେ ନରସଂହାର ହୋଇଥିଲା(ବୋଧହୁଏ ଏବେବି ଚାଲିଛି) । ୱାଟ୍ସ୍ ଆପ୍ ୟୁନିଵର୍ସିଟିର ଛୁଆଙ୍କ ଅନୁସାରେ ଚୁସ୍ଲାମମାନଙ୍କୁ ମାରି ତଡ଼ିଵା ପରେ ମିଆଁମାର୍ ନାମକରଣ ହୋଇଥିଲା ଯଦି ଏକଥା ସତ ହୋଇଥାନ୍ତା ତା'ହେଲେ ବର୍ମାର ନାମ ପରିଵର୍ତ୍ତନ ୧୯୭୮ରେ ହୋଇଯାଇଥାନ୍ତା । ତେଣୁ ଚୁସ୍ଲାମମାନଙ୍କର ଜନସଂହାର ସତ ହୋଇଥିଲେ ବି ମିଆଁମାର୍ ନାମକରଣ ମିଆଁମାର୍‌ର ମୁଖ୍ୟ ମାନଵଗୋଷ୍ଠୀ ဗမာ (bəma̰) ଵା bamarର ଏକ ନାମ မြန်မာ (mranma) ଅନୁସାରେ ହୋଇଛି ।

Sunday, July 9, 2023

ଭାରତ ଓ ଶାକାହାରୀ

ଵିଶ୍ଵରେ ଭାରତ ଏକମାତ୍ର ଦେଶ ଯେଉଁଠି ୧୦ରୁ ଅଧିକ ପ୍ରକାରର ଶାକାହାରୀ ଲୋକ ଦେଖାଯାଆନ୍ତି । 

୧•ପ୍ରକୃତ ଶୁଦ୍ଧ ଶାକାହାରୀ
ଏମାନଙ୍କର ସଂଖ୍ୟା ଵିଗତ କିଛି ଶତାବ୍ଦୀ ମଧ୍ୟରେ ଧିରେ ଧିରେ କମି କମି ଯାଇଛି। ଏମାନେ ପୁଣି ଦୁଇଜାତୀୟ । ନିର୍ମାୟା ଶୁଦ୍ଧ ଶାକାହାରୀ ଓ ଜ୍ଞାନୀ ଶୁଦ୍ଧ ଶାକାହାରୀ । ନିର୍ମାୟା ଶୁଦ୍ଧ ଶାକାହାରୀ ଶାକାହାର ତ କରନ୍ତି କିନ୍ତୁ କିଏ ଶାକାହାରୀ କି ମାଂସାହାରୀ ତାକୁ ନେଇ କାହା ସହ ଵାଦଵିଵାଦ କରନ୍ତି ନାହିଁ । କିନ୍ତୁ ଜ୍ଞାନୀ ଶୁଦ୍ଧ ଶାକାହାରୀମାନେ ଶାକାହାର ବି କରନ୍ତି ଆଉ ଏହା ସପକ୍ଷରେ ଵିଶ୍ଵଯୁଦ୍ଧ କରିଵାକୁ ବି ପଛାନ୍ତି ନାହିଁ ।‌ ହିଟଲର୍ ଏହି ଶ୍ରେଣୀର ଶାକାହାରୀ ଥିଲା ଏଵଂ ଏକଦା ସମ୍ପୂର୍ଣ୍ଣ ଵିଶ୍ଵର ଲୋକଙ୍କୁ ଶାକାହାରୀ କରିଵାକୁ ଚେଷ୍ଟା କରିଥିଲା । କିନ୍ତୁ ଏ ପୃଥିଵୀର ମଦ୍ୟପ ମାଂସାହାରୀମାନେ ହିଟଲର୍‌କୁ କେଵଳ ମାଉଁସ ଆଉ ମଦ'ର ଲାଳସା ଛାଡ଼ି ନପାରି ମାରିଦେଇଥିଲେ । ଦ୍ଵିତୀୟ ଵିଶ୍ଵଯୁଦ୍ଧ ପ୍ରକୃତରେ ମାଂସାହାର ବନାମ୍ ଶାକାହାରର ଯୁଦ୍ଧ ଥିଲା କିନ୍ତୁ ମାଂସାହାରୀମାନେ ଏ ଯୁଦ୍ଧରେ ଵିଜୟୀ ହେଵାରୁ ଲୋକଙ୍କୁ ଧର୍ମ ସମ୍ବନ୍ଧୀୟ କାରଣ ଦର୍ଶାଇ ମିଛ ଇତିହାସ ପଢ଼ାଇ ଭ୍ରମିତ କରିଛନ୍ତି। 

୨•ଲୋକଦେଖାଣିଆ ଶୁଦ୍ଧ ଶାକାହାରୀ
ଏମାନେ ଲୋକଙ୍କୁ ନିଜର ପରିଚୟ ଶାକାହାରୀ ବୋଲି ଦେଲେ ବି ଲୁଚି ଛପି ମାଂସାହାର କରନ୍ତି । ଏହି ଜାତୀୟ ଶାକାହାରୀ ଜ୍ଞାନୀ ଶୁଦ୍ଧ ଶାକାହାରୀମାନଙ୍କୁ ସମର୍ଥନ ଦିଅନ୍ତି ଏଵଂ ନିଜେ ଗୁପ୍ତରେ ମାଂସାହାର କରୁଥିଲେ ବି ଅନ୍ୟକୁ ଶାକାହାର ସମ୍ବନ୍ଧରେ ବଡ଼ ବଡ଼ ଭାଷଣ ଦିଅନ୍ତି ‌।

୩•ମାସିକିଆ ଶାକାହାରୀ
ଵର୍ଷର କେତେକ ନିର୍ଦ୍ଦିଷ୍ଟ ମାସରେ ଏମାନେ ଶାକାହାରୀ ହୋଇଯାଆନ୍ତି ଏଵଂ ଵର୍ଷର ବାକି ମାସଗୁଡ଼ିକରେ ମାଂସ ମାଛ ଅଣ୍ଡା ଖାଆନ୍ତି । ଓଡ଼ିଶାରେ କେହି କେହି ଚର୍ତୁମାସ୍ୟା(ଶ୍ରାଵଣ, ଭାଦ୍ରଵ,ଆଶୁନ୍ୟ, କାର୍ତ୍ତିକ) ଯାକ ମାଛ ମାଂସକୁ ଛୁଅଁନ୍ତି ନାହିଁ ତ କିଛି ଲୋକ ଶ୍ରାଵଣ ମାସ ଓ କାର୍ତ୍ତିକ ମାସରେ ମାଂସ ମାଛ ଖାଆନ୍ତି ନାହିଁ । କିନ୍ତୁ ଵର୍ଷର ବାକି ମାସଗୁଡ଼ିକରେ ପେଟ ଫଟେଇ ଆମିଷ ଗେମ୍ଫି ଦିଅନ୍ତି 🤣

୪•ଅଣ୍ଡାଖିଆ ଶାକାହାରୀ
ଏମାନେ ଅଣ୍ଡା ଏକ ଶାକାହାରୀ ଖାଦ୍ୟ ବୋଲି ଯୁକ୍ତି କରନ୍ତି । ଅଣ୍ଡାକୁ ଏମାନେ ଫଳ ଅଭିହିତ କରିଥାନ୍ତି। ଏହି ଧରଣର ଶାକାହାରୀମାନେ ହିଁ ଓଡ଼ିଶାରେ ଅଣ୍ଡାର ଏକ ନାଆଁ ଗାଣ୍ଡିଫଳ ଦେଇଛନ୍ତି ।‌ ଅଣ୍ଡାଖିଆ ଶାକାହାରୀମାନେ କେଵଳ ଅଣ୍ଡା ଖାଆନ୍ତି ଏଵଂ ଶାକାହାରୀ ଫଳ ଅଣ୍ଡା ଖାଇଲେ ଧୁଣ୍ଡା ହଵ ବୋଲି ବି ମଧ୍ୟ ପ୍ରଚାର କରନ୍ତି ‌। ଉଲ୍ଲେଖଯୋଗ୍ୟ ଯେ ହିନ୍ଦୀର ଏକ ଲୋକପ୍ରିୟ ଗୀତ "ଆଓ ବତାଉଁ ତୁମ୍ହେ ଅଣ୍ଡେ କା ଫଣ୍ଡା"କୁ ଗୀତିକାର ଏହିମାନଙ୍କର ଅଣ୍ଡାପ୍ରେମ ଅନୁଭଵ କରି ଲେଖିଥିଲେ । 

୫•ପ୍ରୋସେସ୍ଡ ଆମିଷଖିଆ ଶାକାହାରୀ
ଅଣ୍ଡାଯୁକ୍ତ ବିଲାତିପିଠା(କେକ୍) ଖାଆନ୍ତି କିନ୍ତୁ ଆମଲେଟ୍ ଖାଆନ୍ତି ନାହିଁ । ଏମାନେ ଜୀଵର ମାଂସରୁ ପ୍ରସ୍ତୁତ ଚକୋଲେଟ ଓ ଅନ୍ୟାନ୍ୟ ଖାଦ୍ୟ ଦ୍ରଵ୍ୟ ଖାଆନ୍ତି କିନ୍ତୁ ନିଜକୁ ଶାକାହାରୀ ପରିଚୟ ଦିଅନ୍ତି ‌। ଏମାନେ ଯୁକ୍ତି କରନ୍ତି ମାଂସକୁ ସିଧାସଳଖ ଖାଇଲେ ମାଂସାହାର କିନ୍ତୁ ପ୍ରୋସେସ୍ଡ ଆମିଷକୁ ଯେହେତୁ ଗଙ୍ଗା,ଥେମ୍ସ,ନୀଳ ଓ ହୋୟାଙ୍ଗ୍‌ହୋ ନଦୀର ପଵିତ୍ର ଜଳ ଢାଳି ଶୁଦ୍ଧ କରାଯାଇଥାଏ ତେଣୁ ତାହା ଶାକାହାର ପଦଵାଚ୍ୟ ଅଟଇ । ଏହିଧରଣର ଶାକାହାରୀମାନଙ୍କ ପାଇଁ ପ୍ରତିଦିନ ଲକ୍ଷ ଲକ୍ଷ ଜୀଵ ଯନ୍ତ୍ର ଦ୍ଵାରା କଟାହୁଅନ୍ତି ଏଵଂ ସେମାନଙ୍କ ମାଂସ ରସାୟନିକ ଉପାୟରେ ପଵିତ୍ର ହୁଏ ତଥା ଶାକାହାର ଦ୍ରଵ୍ୟରେ ରୂପାନ୍ତରିତ ହୋଇଯାଏ । 


୬•ଆମିଷ ଝୋଳପାନକାରୀ ଶାକାହାରୀ 
ଭାରତରେ ଏଭଳି ଶାକାହାରୀମାନେ ଵିଚାର କରନ୍ତି ଯେ ମାଂସଖଣ୍ଡ ଖାଇଲେ ସିନା ମାଂସାହାର ହେଵ କିନ୍ତୁ ମାଂସ ତୁଣର ବାଟଣା ରସଯୁକ୍ତ ଝୋଳ ଆଦୌ ଆମିଷ ନୁହେଁ । ତେଣୁ ଏମାନେ ମାଂସ ରାନ୍ଧନ୍ତି ଏଵଂ ତାହିଁରେ ପକ୍ଵ ମାଂସଖଣ୍ଡଗୁଡ଼ିକୁ ମାଂସାହାରୀ ମନୁଷ୍ୟ,କୁକୁର ଓ ବିଲେଇ ଆଦିଙ୍କୁ ଦେଇ ଝୋଳ ତକ ଭାତ ସହିତ ଗୋଳେଇ ଖାଇଯାଆନ୍ତି ‌। 

୭•ଘରୁଆ ଶାକାହାରୀ
ଏହି ଜାତୀୟ ଶାକାହାରୀମାନେ ଘରେ ଆମିଷକୁ ଛୁଅଁନ୍ତି ନାହିଁ କିନ୍ତୁ ବାହାରେ ସୁଵିଧା ମିଳିଲେ ଲୁଚି ଛପି ଖାଇଦିଅନ୍ତି ‌‌। ଫଳରେ ଏମାନଙ୍କର ଘରଲୋକଙ୍କ ପାଇଁ ଏମାନେ ଶାକାହାରୀ ହୋଇ ରୁହନ୍ତି। 
 
୮•ନିଶାଛଡ଼ା ଶାକାହାରୀ 
ଏ ଧରଣର ଶାକାହାରୀମାନେ ନିଶାଶକ୍ତ ନଥିଲା ଯାଏଁ ଶାକାହାରୀ ଥାଆନ୍ତି କିନ୍ତୁ ଯେମିତି ଏମାନଙ୍କ ସମ୍ମୁଖରେ ମଦ୍ୟ ରଖାଯାଏ ଏମାନେ ମାଂସାହାରୀ ପାଲଟି ଯାଆନ୍ତି । ମଦ୍ୟ ସହିତ ମାଂସ ମାଛ ଅଣ୍ଡା ଖାଇ ନିଶାରେ ଥିଲା ପର୍ଯ୍ୟନ୍ତ ଏମାନଙ୍କର ମାଂସାହାରୀ ସ୍ବରୂପ ବଳବତ୍ତର ରୁହେ କିନ୍ତୁ ନିଶା ଛାଡ଼ିଗଲା ପରେ ଏମାନେ ପୁଣି ନିଜର ପୂର୍ଵ ଶାକାହାରୀ ରୂପକୁ ଧାରଣ କରି ନିଅନ୍ତି । 
୯•ବାଧ୍ୟ ଶାକାହାରୀ 
ଏମାନେ ପ୍ରକୃତରେ ପୂର୍ଵତନ ମାଂସାହାରୀ। ତେବେ ମଧୁମେହ,ଅର୍ଶ ଆଦି କେତେକ ରୋଗର ଶିକାର ହେଵା ପରେ ଏମାନେ ଶାକାହାରୀ ହେଵାକୁ ବାଧ୍ୟ ହୋଇଥାନ୍ତି ‌। ଆମିଷ ଖାଇନପାରିଲେ ବି ଏମାନଙ୍କ ମନରେ ଆଜୀଵନ ମାଂସ,ମାଛ,ଅଣ୍ଡା ପ୍ରତି ଲାଳସା ରହିଥାଏ ସେଥିପାଇଁ ଅନ୍ତର୍ଜାଲରେ ଆମିଷ ଚିତ୍ର ଦେଖି ଓ ତାହା ବାଣ୍ଟି ନିଜର ଜିହ୍ଵା ଲାଳସା ପ୍ରଶମନ କରିଵାକୁ ତୁଚ୍ଛା ଚେଷ୍ଟା କରନ୍ତି ‌। ଏତଦଵ୍ୟତୀତ ଆଉ ଏକ ଜାତିର ଶାକାହାରୀ ବି ଅଛନ୍ତି ଯୋଉମାନଙ୍କୁ ଆମିଷ ଖାଇଵାକୁ ବାରମ୍ବାର ବାଧ୍ୟ କଲେ ସେମାନେ ଆଇଁଷ ଖାଇଥାନ୍ତି ଅନ୍ୟଥା ନିଜ ଇଚ୍ଛାରେ କେବେହେଲେ ମାଛ ମାଂସକୁ ହାତ ଲଗାନ୍ତି ନାହିଁ । ଏ ଉଭୟ ଜାତିର ଶାକାହାରୀମାନଙ୍କୁ ତେଣୁ ବାଧ୍ୟ ଶାକାହାରୀ ବୋଲାଯାଏ ‌। 

ତେବେ ଭାରତରେ ସର୍ଵାଧିକ ସଂଖ୍ୟାରେ "ଦିନିକିଆ ଶାକାହାରୀ" ଦୃଶ୍ୟ ହୋଇଥାନ୍ତି । ତେବେ ଏହି ଶେଷ ପ୍ରକାରର ଶାକାହାରୀମାନଙ୍କ ଵିଷୟରେ ଵର୍ଣ୍ଣନା କରିଵା ପୂର୍ଵରୁ ସୂଚୀରେ ସ୍ଥାନିତ ହୋଇନଥିଵା ଆଉ ଦୁଇ ଜାତିର ଶାକାହାରୀମାନଙ୍କ ଵିଷୟରେ ସଂକ୍ଷେପରେ ଉଲ୍ଲେଖ କରାଗଲା...

(କ)ସୁଵିଧାଵାଦୀ ଶାକାହାରୀ
ଏମାନେ ବନ୍ଧୁଘର ଓ ଭୋଜି ଆଦିରେ ମାଉଁସ ମାଛ ହୋଇଥିଲେ ଖାଇ ଦିଅନ୍ତି କିନ୍ତୁ ଘରେ କେବେ ଆଇଁଷ ଖାଆନ୍ତି ନାହିଁ
(ଖ)ଛିଞ୍ଚିଡ଼ା ଶାକାହାରୀ
ଏହି ଧରଣର ଶାକାହାରୀମାନେ ମାଂସ ମାଛ ଖାଇଵା ପାଇଁ ଏକ ଅଭିନଵ ଉପାୟରେ ଶାକାହାରୀ ଖାଦ୍ୟ ସହିତ ମାଂସ ମାଛ ରାନ୍ଧି ହୋଇଥିଵା ଖାଦ୍ୟ ଖାଆନ୍ତି କିନ୍ତୁ ଅଣ୍ଡାଭଜା, ମାଉଁସ ଓ ମାଛ ତୁଣରେ ହାତ ମାରନ୍ତି ନାହିଁ । 

୧୦•ଦିନିକିଆ ଶାକାହାରୀ
ସର୍ଵାଧିକ ସଂଖ୍ୟାରେ ଦୃଶ୍ୟ ହେଉଥିଵା ଏହି ଧରଣର ଶାକାହାରୀମାନେ ସୋମ,ମଙ୍ଗଳ,ଗୁରୁ,ଶନି,ଅମାଵାସ୍ୟା,ସଂକ୍ରାନ୍ତି, ଏକାଦଶୀ ଓ ପୂର୍ଣ୍ଣିମା ଭଳି କେତେକ ନିର୍ଦ୍ଦିଷ୍ଟ ଦିନ ଓ ତିଥିରେ ଆମିଷକୁ ହାତ ଲଗାନ୍ତି ନାହିଁ ବାକି ବୁଧ,ଶୁକ୍ର ଓ ରଵିଵାର ଦିନ ଟାଙ୍କେ ଆଇଁଷ ଠୁଁସି ପେଟ ଫୁଲେଇ ବୁଲନ୍ତି । ଏମାନଙ୍କର ପ୍ରିୟ ଵାର କିନ୍ତୁ ରଵିଵାର,ଏଦିନ ଏମାନେ ପେଟ ଫଟେଇ ଆଇଁଷ ଖାଆନ୍ତି । ରଵିଵାର ଦିନ ଆଇଁଷ ପାଇଲେ ଏହି ଜାତୀୟ ଶାକାହାରୀମାନେ କିଛି ବି ଛାଡ଼ନ୍ତି ନାହିଁ ସବୁକିଛି ଗେମ୍ପି ପକାନ୍ତି, ସାମ୍ପୁଡ଼ି ଦିଅନ୍ତି ଓ ସମସ୍ତ ଆଇଁଷିଆ ଝୋଳକୁ ହାମ୍ପୁଡ଼ି ଦିଅନ୍ତି । 

ସତରେ ଭାରତ ଦେଶରେ ଅନେକ ଵିଚିତ୍ରକଥା ଥିଵା ଭଳି ଵିଭିନ୍ନ ଜାତିର ଶାକାହାରୀମାନଙ୍କର ମଧ୍ୟ ଅଭ୍ୟୁଦୟ ଘଟିଛି ‌। ଆହା ! ସଂସାରରେ ଭାରତ ଭଳି ଆଉ କୋଉଠି ଏତେ ଜାତିର ଶାକାହାରୀ ଥିଵା ଶୁଣାଯାଏ ନାହିଁ । 


Friday, July 7, 2023

•ବେଙ୍ଗ୍‌ଟି ନାଟ୍,ଡାଳଭୂତ,ଡାଳମାଙ୍କୁଡ଼ୀ,ବେଙ୍ଗୁଲିନାଚ, ବେଙ୍ଗେଇ ନାଚ ଓ ବେଙ୍ଗନାଚ : ଵିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ରୀତିନୀତି ସହିତ ପାଳିତ ଓଡ଼ିଶାର ଏକ ନିଆରା ପରମ୍ପରା•

ଆମ କଳିଙ୍ଗ ଦେଶରେ ବେଙ୍ଗ ଵର୍ଷାର ପ୍ରତୀକ ଓ ଵର୍ଷା ଆଗମନର ପୂର୍ଵ ସୂଚକ ବୋଲି ଲୋକଵିଶ୍ଵାସ ପ୍ରଚଳିତ। ସେଥିପାଇଁ ଆଷାଢ଼ ମାସରେ ଵର୍ଷା ନହେଲେ ଲୋକେ ଵର୍ଷା ପାଇଁ ବେଙ୍ଗକୁ ପୂଜା କରନ୍ତି । ପୂର୍ଵେ ଏହି ପରମ୍ପରା ପୂର୍ଵ, ଦକ୍ଷିଣ, ଦକ୍ଷିଣ ପଶ୍ଚିମ ତଥା ଗଡ଼ଜାତ ଓଡ଼ିଶାରେ ପ୍ରଚଳିତ ଥିଲେ ବି ଵର୍ତ୍ତମାନ ଓଡ଼ିଶାର କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ହିଁ ସୀମିତ ହୋଇ ରହିଯାଇଛି । 
 
ଦେଶିଆ ଶୈଳୀରେ ବେଙ୍ଗକୁ ଗେଣ୍ଡ୍‌କି ଓ ବେଙ୍ଗ୍‌ଟି କୁହାଯାଏ ‌। ଓଡ଼ିଶାର ଦକ୍ଷିଣ ପଶ୍ଚିମ ଅଞ୍ଚଳର ଜନଜାତୀୟ ଲୋକେ ଵର୍ଷା ନହେଲେ ଦିସାରୀର ଯୋଗ ଓ ପାଗ ମୁହୂର୍ତ୍ତ ଅନୁସାରେ ପୂଜାରୀ ଦ୍ଵାରା ବେଙ୍ଗ ଆଵାହନ କରି ପୂଜା କରିଥାନ୍ତି । ଏ ଅଞ୍ଚଳରେ ବ୍ରାହ୍ମଣୀ ବେଙ୍ଗକୁ ଆୟାଁବେଙ୍ଗ କୁହାଯାଏ ଏଵଂ ଵିଶେଷତଃ ଏହି ଜାତୀୟ ବେଙ୍ଗକୁ ପୂଜାକଲେ ଵର୍ଷା ହୋଇଥାଏ ବୋଲି ସ୍ଥାନୀୟ ଜନଜାତୀୟ ସମାଜରେ
ଲୋକଵିଶ୍ବାସ ରହିଛି । ଓଡ଼ିଆ ଭାଷାରେ ଆୟାଁବେଙ୍ଗକୁ ବ୍ରାହ୍ମଣୀ ବେଙ୍ଗ ମଧ୍ୟ କୁହାଯାଏ କାରଣ ଏମାନଙ୍କ ପିଠିରେ ବ୍ରାହ୍ମଣର ପଇତାପରି ଧଳା ଡୋରା ଥାଏ। ଏମାନେ ପାଣି ନିକଟରେ ଵାସ କରନ୍ତି ଏଵଂ ଏମାନଙ୍କ ଦେହ ମସୃଣ ହୋଇଥାଏ। ବ୍ରାହ୍ମଣୀବେଙ୍ଗମାନେ ଉଭୟଚର ଅଟନ୍ତି ଏଵଂ ଵର୍ଷାକାଳରେ ଖୁବ ଉଚ୍ଚୈଃସ୍ୱରରେ ରାବ କରନ୍ତି। କେତେକ ଲୋକେ ଏହି ବେଙ୍ଗର ଗୋଡ଼କୁ ରାନ୍ଧି ଖାଆନ୍ତି। ଏହାର ମାଂସ ଖାଇଲେ ବାତୁଳତା ଭଲ ହୁଏ ବୋଲି କେହି କେହି କହନ୍ତି। କିନ୍ତୁ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଆୟାଁବେଙ୍ଗ ଵା ବ୍ରାହ୍ମଣୀବେଙ୍ଗକୁ  
ଵର୍ଷାର ପ୍ରତୀକ ମନେ କରି ଵଧ କରାଯାଏ ନାହିଁ ଵରଂ ତାକୁ ପୂଜା କରାଯାଏ ଏଵଂ ଈଶ୍ଵରଙ୍କୁ ଵର୍ଷା ପାଇଁ ପ୍ରାର୍ଥନା କରାଯାଇଥାଏ । ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଵର୍ଷା ଆଵାହନ ପାଇଁ ଏକ ପ୍ରକାରର ଗୀତ ନୃତ୍ୟ ପ୍ରଥା ପ୍ରଚଳିତ ଯାହାକୁ ବେଙ୍ଗ୍‌ଟିନାଟ୍ କୁହାଯାଏ । ଜ୍ୟେଷ୍ଠ ମାସ ଶେଷ ସପ୍ତାହ କିମ୍ବା ଆଷାଢ଼ ପ୍ରଥମ ସପ୍ତାହରେ ଵର୍ଷା ଆଦୌ ନ ହେଲେ ଏହି ବେଙ୍ଗ୍‌ଟିନାଟ୍ କରାଯାଏ । ଗୋଟିଏ ଝରଣା ଵା ଜଳସ୍ରୋତରୁ ଦିଶାରୀ ଗାଁ ଲୋକଙ୍କ ସହ ଯାଇ ପୂଜା କଲାପରେ ଏକ ବେଙ୍ଗ ସଂଗ୍ରହ କରାଯାଏ । ଉକ୍ତ ବେଙ୍ଗଟିକୁ ହଳଦୀ ପାଣିଥିଵା ଏକ ମାଟିହାଣ୍ଡିରେ ପୁରାଇ ଶିକାରେ ଓହଳାଇ ଦୁଇଟି ପିଲା ବୁହନ୍ତି । ଆମ୍ବ ଡାଳ ଖଣ୍ଡେଖଣ୍ଡେ ସେମାନେ ଧରିଥାନ୍ତି । ପିଲାମାନେ ଯେଉଁ ଘରକୁ ଯାଆନ୍ତି, ସେହି ଘରର ଲୋକେ ହଳଦୀ ପାଣି ତାଙ୍କ ଉପରେ ଢାଳିଥାନ୍ତି । ସେମାନେ ଗୀତ ଗାଉଥାଆନ୍ତି : 

“ନାଚ ନାଚରେ ବେଙ୍ଗ୍‌ଟି ରାନୀ, 
ରାତି ଭିତରେ ମାର୍‌ରେ ପାନି ।” 

ଶେଷରେ ଗାଁ ସାରା ବୁଲି ସାରିଵାପରେ ଯେଉଁ ଜଳାଶୟରୁ ଆୟାଁବେଙ୍ଗକୁ ଧରିଥାଆନ୍ତି, ତାକୁ ନେଇ ସେଇଠି ଛାଡ଼ି ଦିଅନ୍ତି । ଲୋକ ଵିଶ୍ବାସ ପ୍ରଚଳିତ ଯେ ଏହା ପରେପରେ,ନିଶ୍ଚିତ ଵର୍ଷା ହୋଇଥାଏ ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହି ଲୋକପରମ୍ପରାକୁ ଡାଳଭୂତ ତଥା ଏଥିରେ ଭାଗ ନେଇ ଡାଳ ଦ୍ଵାରା ସଜ୍ଜିତ ହେଉଥିଵା ପିଲାକୁ ଡାଳମାକୁଡ଼ୀ କୁ଼ହାଯାଇଛି ।‌ ସାଧାରଣତଃ ଉପକୂଳଵର୍ତ୍ତୀ ଓଡ଼ିଶାରେ ଗଛ ଉପରେ ଚଢ଼ି ଏକ ଡାଳରୁ ଅନ୍ଯ ଡାଳକୁ ମାଙ୍କଡ଼ଙ୍କ ପରି ଡେଇଁ ଖେଳାଯିଵା ପିଲାମାନଙ୍କର ଏକପ୍ରକାରର ଖେଳକୁ ଡାଳ ମାକୁଡ଼ୀ,ଡାଳମାକଡ଼ୀ, ଡାଳମାଙ୍କଡ଼ୀ ଓ ଡାଳମାଙ୍କୁଡ଼ୀ ଇତ୍ୟାଦି କୁହାଯାଏ । ଢେଙ୍କାନାଳର କେତେକ ଅଞ୍ଚଳରେ ଏହି ଜାତୀୟ ଖେଳକୁ ଡାଳୁଆମାଙ୍କୁଡ଼ୀ ଓ ଡାଳୁଆଆଙ୍କୁଡି଼ କୁହାଯାଇଥାଏ । କିନ୍ତୁ ଓଡ଼ିଶାର ପାର୍ଵତ୍ୟାଞ୍ଚଳରେ ଵର୍ଷା ପାଇଁ ଯେଉଁ ବେଙ୍ଗ୍‌ଟି ନାଟ୍ ହୋଇଥାଏ ତାକୁ ଗଡ଼ଜାତ ଓଡ଼ିଶାରେ ଡାଳ ମାକୁଡ଼ୀ ଓ ଡାଳଭୂତ କୁ଼ହାଯାଉଥିଲା ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୩୨୧୪ତମ ପୃଷ୍ଠାରେ ଉଲ୍ଲେଖ କରାଯାଇଛି । ଭାଷାକୋଷ ଅନୁସାରେ ଗଡ଼ଜାତରେ ପିଲାମାନେ ଦେହରେ ଡାଳପତର ଗୁଡ଼େଇ ହୋଇ ନାଚିଵା ଖେଳକୁ ଡାଳଭୂତ ଓ ଡାଳମାକୁଡ଼ୀ ଵା ଡାଳମାଙ୍କୁଡ଼ୀ କୁ଼ହାଯାଉଥିଲା । ମେଘ ଵର୍ଷା ନ ହେଲେ ଗୋଟିଏ ପିଲାର ସର୍ଵାଙ୍ଗକୁ ଜାମୁଡ଼ାଳରେ ଗୁଡ଼ାଇ ତା ମୁଣ୍ଡରେ ଗୋଟାଏ ବେଙ୍ଗ ରଖି ବାଜା ବଜାଇ ଦାଣ୍ଡରେ ବୁଲାଯାଉଥିଲା । ଗଡ଼ଜାତଵାସୀ ସେହି ପିଲାର ମୁଣ୍ଡ ଉପରେ ଇନ୍ଦ୍ରରାଜାଙ୍କ ନାମ ଧରି ସମସ୍ତେ ହଳଦି ପାଣି ଢାଳୁଥିଲେ। ଏହିପରି କଲେ ଗଡ଼ଜାତିଆ ସାଧାରଣ ଲୋକେ ଵିଶ୍ୱାସ କରୁଥିଲେ ଯେ ଶୀଘ୍ର ଇନ୍ଦ୍ର ଵର୍ଷା କରିବେ। ସେହି ସଜ୍ଜିତ ବାଳକକୁ ଡାଳମାକୁଡ଼ୀ ବୋଲାଯାଉଥିଲା । ବରଗଡ଼ର ପଦ୍ମପୁର ଅଞ୍ଚଳରେ ବାଂଜାରା ଜନଜାତିର ଲୋକେ ସେହିପରି ଵର୍ଷା ପାଇଁ ବେଙ୍ଗ ଵିଵାହର ଆୟୋଜନ କରିଥାନ୍ତି । ଏହି ଅଵସରରେ ଗ୍ରାମର ମନ୍ଦିରରେ ବେଙ୍ଗ ବାହାଘର ସମୟର ହଳଦୀ ଖେଳ ଠାରୁ ଆରମ୍ଭ କରି ପାରମ୍ପରିକ ନୃତ୍ୟ ଆୟୋଜନ କରାଯାଇଥାଏ । ମାଲକାନଗିରି ଜିଲ୍ଲାରେ ବି କେତେକ ଗ୍ରାମରେ ମରୁଡ଼ି ସମସ୍ୟା ଦେଖାଦେଲେ ଭଲ ତିଥି ଦେଖି ବେଙ୍ଗ ବେଙ୍ଗୁଲି ଵିଵାହର ଆୟୋଜନ କରାଯାଇଥାଏ । ଏଥି ପାଇଁ ଗାଁର ଦୁଇ ପରିଵାରକୁ ବର ପକ୍ଷ ଓ କନ୍ୟା ପକ୍ଷ ଭାବେ ମନୋନିତ କରାଯାଏ। ଏହିଭଳି ପରମ୍ପରା ତେଲେଙ୍ଗାନା ଓ କର୍ଣ୍ଣାଟକରେ ବି ପ୍ରଚଳିତ ଥିଵା ଜଣାପଡି଼ଛି । 

 କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକରେ ଵର୍ଷା ପାଇଁ ଲୋକେ ଅନ୍ୟ ଏକ ଗ୍ରାମରୁ ପାଣି ଚୋରି କରି ଗ୍ରାମ ଠାକୁରଙ୍କୁ ଗାଧୋଇଵା ସହ ବେଙ୍ଗ ନାଚ କରିଥାନ୍ତି । ଗ୍ରାମଵାସୀମାନେ ଯେଉଁ ଗାଆଁକୁ ପାଣି ଚୋରି କରିଵାକୁ ଯାଆନ୍ତି ସେ ଗାଆଁରୁ ବେଙ୍ଗଟିଏ ଧରି ଆଣନ୍ତି ଏଵଂ ଠାକୁରାଣୀଙ୍କୁ ସ୍ନାନ କଲାପରେ ସେ‌ହି ବେଙ୍ଗକୁ ହଳଦୀ ଲଗାଇ ପୂଜାର୍ଚ୍ଚନା ପରେ ବେଙ୍ଗନାଚର ଆୟୋଜନ କରାଯାଏ । ଏହି ନୃତ୍ୟ ଵିଶେଷକରି ମହିଳାମାନେ କରିଥାନ୍ତି । ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକର କେତେକ ଗ୍ରାମରେ ବେଙ୍ଗ ସମ୍ବନ୍ଧୀୟ ଆଉ ଏକପ୍ରକାରର ପରମ୍ପରା ପ୍ରଚଳିତ। ଏହି ପରମ୍ପରାରେ ଗାଁର ପିଲାଠୁ ବୁଢା ସମସ୍ତେ ଯୁଟିଯାଆନ୍ତି । ଏକ ବାଉଁଶରେ କଳସ ବନ୍ଧା ହୁଏ । ସେହି କଳସରେ ବେଙ୍ଗ ଓ ମାଛ ରଖାଯାଏ। କୁନିକୁନି ପିଲାମାନେ ପୋଖରୀରୁ ପାଣି ଆଣି ସେହି କଳସ ଉପରେ ଢାଳିଥାନ୍ତି। ଏମିତି କରି କରି ଗାଁ ସାରା ବୁଲିଵା ପରେ ଗାଁ ଶେଷ ମୁଣ୍ଡରେ ଥିଵା ପୋଖରରେ ମାଛ ଓ ବେଙ୍ଗକୁ ଛାଡି ଦିଆଯାଏ । ଗଞ୍ଜାମ ଜିଲ୍ଲାରେ ବି ଵର୍ଷା ପାଇଁ ଏହି ଧରଣର ଏକପ୍ରକାରର ପରମ୍ପରା ପ୍ରଚଳିତ । ଆଷାଢ଼ ମାସରେ ଗୋଟିଏ ନିର୍ଦ୍ଧିଷ୍ଟ ଦିନରେ ଗଞ୍ଜାମର କେତେକ ଗ୍ରାମର ଛୋଟ ପିଲାମାନେ ଏକ ପାଣି ବେଙ୍ଗକୁ ଜଳାଶୟରୁ ଆଣି ଜଳପୂର୍ଣ୍ଣ ଏକ କଳସକୁ ବାହୁଙ୍ଗାରେ ରଖି କଳସ ଉପରେ ସରା ଘୋଡାଇ ଉକ୍ତ କଳସକୁ ଶିକାରେ ଓହଳାଇ ବାହୁଙ୍ଗାରେ ରଖି ଗ୍ରାମ ପରିକ୍ରମା କରନ୍ତି । ଗ୍ରାମ ପରିକ୍ରମା କଲାବେଳେ ପ୍ରତି ଘରର ସ୍ତ୍ରୀ ଲୋକ ମାଠିଆ ମାଠିଆ ପାଣି ଆଣି ଛୋଟ ପିଲା ଏଵଂ ବେଙ୍ଗୁଲି ଥିଵା କଳସ ଉପରେ ଢାଳନ୍ତି । ପିଲାମାନେ ଖୁସି ମନରେ ନାଚ କରି ଗାଆନ୍ତି

 “ବେଙ୍ଗୁଲି ନାନୀ ନାଚିଲା ,
  ଧେଇ ଧେଇ ପାଣି ଵର୍ଷିଲା ।”

ପିଲାମାନେ ବେଙ୍ଗକୁ ଧରି ନାଚି ନାଚି ଗୀତ ଗାଉଥିଵା ଯୋଗୁଁ ଏହାକୁ ଗଞ୍ଜାମର କେତେକ ଅଞ୍ଚଳରେ ବେଙ୍ଗୁଲିନାଚ ଓ ବେଙ୍ଗେଇନାଚ କୁହାଯାଏ । କଟକର ଆଠଗଡ଼ ଅଞ୍ଚଳରେ ବି ଢାଇପୁର ଭଳି କେତେକ ଗ୍ରାମରେ ଵର୍ଷା ନହେଲେ ଆଷାଢ଼ ମାସରେ ବେଙ୍ଗନାଚ କରାଯାଏ ଓ ଏହାକୁ ବେଙ୍ଗନାଚ କୁହାଯାଏ । ଏ ଅଞ୍ଚଳରେ ଅପେକ୍ଷାକୃତ ଅଳ୍ପ ଵର୍ଷା ହେଲେ ଗ୍ରାମଵାସୀ ବେଙ୍ଗ ନାଚର ଆୟୋଜନ କରନ୍ତି । ବେଙ୍ଗର ଗୋଡ଼ରେ ସୂତା ବାନ୍ଧି ତାକୁ ନଚେଇଵା ସହ ଯୁଵକମାନେ ଗାଁ ଦାଣ୍ଡରେ ପାଣି ଢାଳି ଗଡ଼ନ୍ତି । ଏପରି କଲେ ଇନ୍ଦ୍ରଦେଵ ପ୍ରସନ୍ନ ହୋଇ ଵର୍ଷା କରାନ୍ତି ବୋଲି ଏମାନଙ୍କର ଵିଶ୍ୱାସ ରହିଛି । ଏଥିରୁ ଜଣାଯାଏ ଯେ ଆଗେ ଓଡ଼ିଶାରେ ଅନେକ ଅଞ୍ଚଳରେ ଵର୍ଷା ପାଇଁ ଏହି ବେଙ୍ଗ ପୂଜା ପରମ୍ପରା ପ୍ରଚଳିତ ଥିଲା କିନ୍ତୁ ଅଧୁନା କେତେକ ଅଞ୍ଚଳରେ ହିଁ ଏହା ସୀମିତ ହୋଇ ରହିଯାଇଛି। 

ତେବେ କେଵଳ ଓଡ଼ିଶା ନୁହେଁ ଵରଂ ଭାରତ ଓ ଵିଶ୍ଵର ଵିଭିନ୍ନ ସ୍ଥାନରେ ବେଙ୍ଗମାନଙ୍କର ପୂଜା ହୋଇଥାଏ । ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖିରିର ଓୟଲ୍ ଅଞ୍ଚଳରେ ତ ମେଁଢକ୍ ମନ୍ଦିର୍ ନାମରେ ଏକ ଶୈଵ ମନ୍ଦିର ଅଛି ଯହିଁର ଆଗ ସାମ୍ନାରେ ବେଙ୍ଗର ଵିଶାଳ ମୂର୍ତ୍ତି ରହିଛି ଏଵଂ ଏଠାରେ ବେଙ୍ଗମାନଙ୍କର ପୂଜା କରାଯାଇଥାଏ । 

ପ୍ରାଚୀନ ମିଶର୍ ଓ ମେସୋପୋଟାମିଆରେ ବେଙ୍ଗମାନଙ୍କୁ ଜୀଵନ ଓ ପ୍ରଜନନ କ୍ଷମତାର ପ୍ରତୀକ ଵିଚାର କରାଯାଉଥିଲା । ସେହିପରି ପ୍ରାଚୀନ ଗ୍ରୀକ୍ ଓ ରୋମାନ୍‌ମାନେ ବେଙ୍ଗକୁ ପ୍ରଜନନ, ସଦ୍ଭାଵ ଓ କାମୁକତାର ପ୍ରତୀକ ରୂପେ କଳ୍ପନା କରିଥିଲେ । ପ୍ରାଚୀନ ଇଜିପ୍ଟରେ Heqet ନାମରେ ଜଣେ "ଭେକ ଦେଵୀ"ଙ୍କ କଥା ବହୁତ ଲୋକପ୍ରିୟ ଥିଲା । ବେଙ୍ଗ ମସ୍ତକଯୁକ୍ତା ସେ ଦେଵୀ ଜୀଵନ ଓ ପ୍ରଜନନର ଅଧିଷ୍ଠାତ୍ରୀ ଦେଵୀ ଭାବେ ମିଶରରେ ପୂଜା ପାଉଥିଲେ । ଏହିପରି Kek ନାମରେ ଆଉ ଜଣେ "ଭେକ ଦେଵ" ବି ମିଶରରେ ଲୋକଙ୍କ ଦ୍ଵାରା ଫସଲର ସୁରକ୍ଷା ପାଇଁ ପୂଜିତ ହେଉଥିଲେ ବୋଲି ଜଣାଯାଏ । ପ୍ରାଚୀନ ମିଶରରେ ସେହିପରି Heh ବୋଲି ଜଣେ ଦେଵତାଙ୍କୁ ଆରାଧନା କରାଯାଇଥିଲା ଯିଏ ପୁରୁଷ ରୂପ ଧାରଣ କଲାବେଳେ ବେଙ୍ଗ ଓ ସ୍ତ୍ରୀ ରୂପ ଧାରଣ ସମୟରେ ସର୍ପ ଭାବେ ପରିଵର୍ତ୍ତିତ ହେଉଥିଲେ । ଭିଏତନାମୀ ବାହନର ଲୋକେ ଵିଶ୍ଵାସ କରନ୍ତି ଯେ ସେମାନଙ୍କ ପୂର୍ଵଜ ଜଣେ ସ୍ଵର୍ଗର ବେଙ୍ଗ ଥିଲେ ଯିଏ କୃଷିର ଅଧିଷ୍ଠାତା ଦେଵତା ଅଟନ୍ତି ।‌

ଵିଏତନାମର ବାହାନର ଜନଜାତିର ଲୋକେ ଵିଶ୍ଵାସ କରନ୍ତି ଯେ ସେମାନଙ୍କ ପୂର୍ଵଜ ଜଣେ ଭେକଦେଵ ଥିଲେ ଯିଏ ସ୍ଵର୍ଗରେ ଵାସ କରନ୍ତି ଏଵଂ ସେ କୃଷିର ଅଧିଷ୍ଠାତା ଦେଵତା ଅଟନ୍ତି ‌। ଚୀନ ଦେଶୀୟ ପୌରାଣିକ ଦେଵୀ Nüwa ମନୁଷ୍ୟମାନଙ୍କୁ କଣ୍ଢେଇ ଗଢ଼ି ସୃଷ୍ଟି କରିଥିଵା କାହାଣୀ ରହିଛି । ଅଵଶ୍ୟ ସେ ଦେଵୀ ଜଣେ ଭେକୀ ବୋଲି କେଉଁଠି ଲିଖିତ ହୋଇନଥିଲେ ବି ଏହାଙ୍କ ନାମରେ ଥିଵା wa ଶବ୍ଦର ଅର୍ଥ ବେଙ୍ଗ ଏଵଂ ୟେ ଜଳର ଅଧିଷ୍ଠାତ୍ରୀ ଦେଵୀ ହୋଇଥିଵାରୁ କେହି କେହି ଗଵେଷକ ଏହାଙ୍କର ପୌରାଣିକ ଆଖ୍ୟାନକୁ ବେଙ୍ଗ ସମ୍ବନ୍ଧୀୟ ପ୍ରାଚୀନ ଲୋକଗାଥାର ପରଵର୍ତ୍ତୀ ସଂସ୍କରଣ ଅଭିହିତ କରିଥାନ୍ତି । ବୋର୍ଣ୍ଣିଓ ଦ୍ଵୀପରେ ଇବାନ୍ ଜନଜାତିର ଲୋକେ ସେହିପରି ସେଲମାପାଣ୍ଡାଇ ନାମରେ ଜଣେ ଭେକଦେଵଙ୍କ ଆରାଧନା କରୁଥିଵା ଜଣାଯାଏ । ଏ ଅଞ୍ଚଳରେ ବେଙ୍ଗ ଦୈଵାତ୍ ଘରକୁ ଚାଲିଆସିଲେ ଆଜି ବି ଲୋକେ ସେମାନଙ୍କୁ ଭଗଵାନଙ୍କ ରୂପ ମନେ କରନ୍ତି । ଵିଶ୍ଵରେ ବେଙ୍ଗକୁ ନେଇ ସହସ୍ରାଧିକ ଲୋକଗାଥା ଓ ଲୋକଗଳ୍ପ ରହିଛି । ଭାରତୀୟ ପୁରାଣଗାଥାରେ ଭେକୀ ବୋଲି 
 ଜଣେ ସୁନ୍ଦର ମହିଳାର କାହାଣୀ ଅଛି । ଉକ୍ତ କାହାଣୀ ଅନୁସାରେ ଥରେ ଜନୈକ ରାଜା ଭେକି ନାମ୍ନୀ କନ୍ୟାକୁ ତାଙ୍କ ପତ୍ନୀ କରିଵାକୁ ଇଚ୍ଛା କଲେ, ତେଣୁ ଭେକି ରାଜାଙ୍କୁ ଗୋଟିଏ ସର୍ତ୍ତରେ ଵିଵାହ କରିଵାକୁ ରାଜି ହୋଇଥିଲେ ଯେ ରାଜା ତାଙ୍କୁ ଏକ ବୁନ୍ଦା ପାଣି ବି ଦେଖାଇବେ ନାହିଁ । ଦିନେ ସେହି ସୁନ୍ଦରୀ ମହିଳା ଭେକି ଅତି ଶୋଷ ହେଵାରୁ ରାଜାଙ୍କୁ ପାଣି ମାଗିଲେ। ରାଜା ପୂର୍ଵ ସର୍ତ୍ତ ଭୁଲିଯାଇଥିଲେ ତେଣୁ ସେ ଭେକିଙ୍କୁ ପାଣି ଦେଇଦେଲେ ‌‌ ଫଳତଃ ତତ୍କଷଣାତ୍ ସେଠାରୁ ଭେକି କୁଆଡେ଼ ଅଦୃଶ୍ୟ ହୋଇଗଲେ । ସାଗର ଜଳକୁ ସୂର୍ଯ୍ୟ ଜଳ ଛୁଇଁଵା ପରେ ଅଦୃଶ୍ୟ ହୋଇଯାଆନ୍ତି । ଏହି କଥାକୁ କାହାଣୀ ମାଧ୍ୟମରେ ଦର୍ଶାଯାଇଥିଲା ‌। 

ଅତି ପ୍ରାଚୀନ କାଳରୁ ବେଙ୍ଗକୁ ଭାରତରେ ଵର୍ଷା ଆଗମନର ସୂଚକ ଭାବେ ଵିଚାର କରାଯାଇଛି ଏହି କାରଣରୁ ଅନେକ ଶାସ୍ତ୍ରୀୟ ସର୍ଵଭାରତୀୟ ଶବ୍ଦ ମଧ୍ୟ ସୃଷ୍ଟି ହୋଇଛି । ଉଦାହରଣ ସ୍ୱରୂପ ବେଙ୍ଗର ଏକ ଶାସ୍ତ୍ରୀୟ ନାମ ତୋୟସୂଚକ ।‌ ତୋୟର ଅର୍ଥ ଜଳ ଏଵଂ ସୂଚକର ଅର୍ଥ ଜ୍ଞାପକ । ବେଙ୍ଗର ରଵ ଶୁଣିଲେ ଶୀଘ୍ର ବୃଷ୍ଟି ହେଵ ବୋଲି ଭାରତୀୟମାନେ ଵିଶ୍ଵାସ କରୁଥିଲେ ତେଣୁ ବେଙ୍ଗର ନାମ ତୋୟସୂଚକ ହୋଇଥିଲା । ସେହିପରି ବେଙ୍ଗର ଅନ୍ୟ ଏକ ଶାସ୍ତ୍ରୀୟ ନାମ ଵର୍ଷାଘୋଷ କାରଣ ବେଙ୍ଗ ଵର୍ଷା ସମୟରେ ଘୋଷ ଵା କେଁ କଟର,କଟକଟ ଭକଭକ ଓ ମକମକ ଆଦି ଧ୍ୱନି ଉତ୍ପନ୍ନ କରିଥାଏ ଏଵଂ ଵର୍ଷା ପୂର୍ଵର ସୂଚନା ଦେଇଥାଏ । ଏ ଦେଶରେ ପୁଣି ବେଙ୍ଗ ତଥା ମୟୂରକୁ ଵର୍ଷାମଦ ନାମ ଦିଆଯାଇଛି କାରଣ ଏମାନେ ଵର୍ଷା ସମୟରେ ପ୍ରଜନନ ପାଇଁ ମଦମତ୍ତ ହୋଇ ନାଚନ୍ତି ତଥା ବୋବାନ୍ତି । ବେଙ୍ଗକୁ ମୁଦିର ମଧ୍ୟ କୁହାଯାଏ କାରଣ ଏହା ଵର୍ଷା ପୂର୍ଵରୁ ଉନ୍ମତ୍ତ ଚିତ୍ତ ହୋଇ ଚିତ୍କାର କରିଥାଏ । 

ବେଙ୍ଗ ଵର୍ଷା ସମୟରେ ପ୍ରଜନନ ପରେ ବେଙ୍ଗଫୁଲାରୁ ଜନ୍ମନ୍ତି ବୋଲି ଏହାର ଆଉ ଦୁଇଗୋଟି ଶାସ୍ତ୍ରୀୟ ନାମ ଵର୍ଷାଭୂ ଓ ଵୃଷ୍ଟିଭୂ ହୋଇଅଛି ।‌

ଵର୍ଷା ସହିତ ବେଙ୍ଗର ସମ୍ପର୍କ ନିଵିଡ଼ । ଵର୍ଷ ସାରା ମାଟି ଭିତରେ,ପଥର ସନ୍ଦିରେ ବେଙ୍ଗମାନେ hibernationରେ ରହିଥାନ୍ତି । ସେମାନଙ୍କ ଶରୀର ଏଵଂ ସେମାନଙ୍କର ସମଗ୍ର ଜୀଵନ ଚକ୍ର ପରିଵର୍ତ୍ତିତ ପାଣିପାଗ ଉପରେ ନିର୍ଭର କରିଥାଏ । ଵର୍ଷା ଋତୁ ହେଉଛି ବେଙ୍ଗମାନଙ୍କର ମିଳନର ଋତୁ ।

ବହୁ ଦିନ ଧରି ନିଷ୍କ୍ରିୟ ରହିଵା ପରେ ବେଙ୍ଗମାନେ ଵର୍ଷାକାଳରେ ବାହାରକୁ ଆସି ପ୍ରଜନନ ପାଇଁ ନିଜର ସଙ୍ଗୀ ସାଥୀକୁ କେଁକଟର କଟକଟ,ମକମକ ଓ ଭକଭକ ଆଦି ଶବ୍ଦ ସୃଷ୍ଟି କରି ଡାକିଥାନ୍ତି । ଅଵଶ୍ୟ ବେଙ୍ଗ ଛଡ଼ା ଅନେକ ପ୍ରଜାତିର କୀଟପତଙ୍ଗ, ପକ୍ଷୀ ଓ ସ୍ତନ୍ୟପାୟୀ ପ୍ରାଣୀ ତଥା ସରୀସୃପମାନେ ମଧ୍ୟ ଵର୍ଷା ଋତୁ ପୂର୍ଵରୁ ନିଜର ସମସାଦୃଶ୍ୟ ଆଚରଣ ପରିଵର୍ତ୍ତନ କରିଥାନ୍ତି । ଉଦାହରଣ ସ୍ୱରୂପ ପୁରୁଷ ମୟୂର ଯିଏ ତା'ର ପୂରା ପକ୍ଷ ଖୋଲି ଉନ୍ମତ୍ତ ନୃତ୍ୟ କରେ, କୋଙ୍କଣ ଉପକୂଳ ଜଳରେ ପୃଷ୍ଠକୁ ଆସୁଥିଵା ଏକ ନିର୍ଦ୍ଦିଷ୍ଟ ପ୍ରକାରର ମାଛ ମଧ୍ୟ ଏହି ଅଵସରରେ ଏକ ଵିଶେଷ ଧରଣର ପ୍ରତିକ୍ରିୟା ଦେଖାଏ ଯାହା ସ୍ଥାନୀୟ ମତ୍ସ୍ୟଜୀଵୀମାନଙ୍କ ପାଇଁ ଵାର୍ଷାର ଆଗମନ ଵିଷୟରେ ସୂଚିତ କରାଇଥାଏ ।

ମନୁଷ୍ୟମାନଙ୍କ ଦ୍ଵାରା ପୃଥିଵୀର ଅନେକ ଅଞ୍ଚଳରେ କୃତ୍ରିମ ତଥା ଵିଶାଳ ଗୃହନିର୍ମାଣ, ମନୁଷ୍ୟଙ୍କର ତଥାକଥିତ ଵାସ୍ତୁଵାଦୀ ଵିକାଶ ଯୋଗୁଁ ଜଳାଶୟ ହ୍ରାସ, ମନୁଷ୍ୟକୃତ ପ୍ରାକୃତିକ ପରିଆଵାସର ନିର୍ମୂଳନ, ମନୁଷ୍ୟମାନଙ୍କ ଯୋଗୁଁ ଜଳଵାୟୁ ପରିଵର୍ତ୍ତନ,ଵିଶ୍ଵତାପନ ଓ ଵାୟୁ ତଥା ମୃତ୍ତିକ ପ୍ରଦୂଷଣ ଯୋଗୁଁ କୀଟପତଙ୍କମାନଙ୍କର ସଂଖ୍ୟା ହ୍ରାସ ଘଟିଛି ଫଳତଃ ବେଙ୍ଗମାନଙ୍କର ଖାଦ୍ୟ କମିଯାଇଛି ତେଣୁ ସେମାନେ ଆଉ ଆଗଭଳି ସେତେ ଦେଖାଯାଉନାହାନ୍ତି । 

ବେଙ୍ଗ ଆମ ପୃଥିଵୀର ଏକ ଗୁରୁତ୍ବପୂର୍ଣ୍ଣ ଜୀଵ । ସେମାନେ ଆମକୁ ଅଯଥାରେ କାମୁଡ଼ି ରୋଗାକ୍ରାନ୍ତ କରନ୍ତି ନାହିଁ ଵରଂ ସେମାନେ ଆମ ଶରୀରରେ ରୋଗ ଉତ୍ପନ୍ନ କରୁଥିଵା ଵିଷାକ୍ତ କୀଟପତଙ୍ଗକୁ ଖାଇଥାଆନ୍ତି, ସେମାନେ ଆମ ଫସଲ ନଷ୍ଟ କରୁଥିଵା ପୋକ ଜୋକଙ୍କୁ ମାରି ଆମର ଉପକାର କରନ୍ତି । ସେମାନେ ପୃଥିଵୀର ଜୈଵ ପରିସଂସ୍ଥା(Ecosystem)କୁ ନିୟନ୍ତ୍ରଣ କରନ୍ତି ।  

ତତ୍ ପରିଵର୍ତ୍ତରେ ଆମ୍ଭେ ମନୁଷ୍ୟମାନେ ତାଙ୍କୁ ଧରି ଗଵେଷଣାଗାରରେ ମାଂସପେଶୀର କାର୍ଯ୍ୟ ,ଗର୍ଭଧାରଣ ଓ କ୍ଳୋନିଂ ସମ୍ବନ୍ଧୀୟ ଅଧ୍ୟୟନ କରୁ ଏଵଂ ନିଜର ସ୍ଵାର୍ଥ ଲାଭ ହେତୁକ ସେମାନଙ୍କର ପରିଆଵାସକୁ ଜାଣତରେ ହେଉ ଵା ଅଜାଣତରେ ହେଉ ନଷ୍ଟ କରିଥାଉ । ଏଥିରୁ ଜଣାଯାଏ ଆମେ ଏ‌ହି ଆଧୁନିକ ଵାସ୍ତୁଵାଦୀ ଵିକାଶ ଦ୍ଵାରା କେତେ ସଭ୍ୟ ହୋଇଅଛନ୍ତି ।‌

ପ୍ରାଚୀନ ପାର୍ଵତ୍ୟ-ଵନଵାସୀ ମନୁଷ୍ୟମାନେ ତଥା ଉପକୂଳଵର୍ତ୍ତୀ ଓଡ଼ିଶାର ଗ୍ରାମଵାସୀମାନେ ହୁଏତ ଅଜ୍ଞାନତା ଯୋଗୁଁ ଵର୍ଷା ପାଇଁ ବେଙ୍ଗମାନଙ୍କର ପୂଜା କରୁଥିଲେ ମାତ୍ର ସେମାନେ କେବେବି କୃଷିକ୍ଷେତ୍ରରେ ଵିଷାକ୍ତ କୀଟନାଶକ ଓ କୃତ୍ରିମ ରସାୟନିକ ପ୍ରୟୋଗ କରି ବେଙ୍ଗମାନଙ୍କର ପରୋକ୍ଷ ଵିନାଶ କରୁନଥିଲେ । ସେମାନେ ବେଙ୍ଗମାନଙ୍କର ପରିଆଵାସର କୌଣସି କ୍ଷତି କରୁନଥିଲେ ଵରଂ ବେଙ୍ଗକୁ ପୂଜା କରି ତାକୁ ସୁରକ୍ଷିତ ତାହାର ଵାସସ୍ଥାନରେ ଛାଡ଼ି ଦେଉଥିଲେ । ତେଣୁ କଳିଙ୍ଗର ଗ୍ରାମଵାସୀମାନଙ୍କର ବେଙ୍ଗପୂଜା ଓ ବେଙ୍ଗନାଚ ସମ୍ବନ୍ଧୀୟ ଲୋକ ପରମ୍ପରା ଵିଷୟରେ ଜାଣି ତାକୁ ଅନ୍ଧଵିଶ୍ୱାସର ନାମ ଦେଵା ଆଗରୁ ଥରୁଟିଏ ଭାବନ୍ତୁ ଆମେ ଆଖି ଖୋଲି ଯେଉଁ ଵାୟୁ,ଜଳ,ମୃତ୍ତିକା,ଆଲୋକ ଓ ଶବ୍ଦ ପ୍ରଦୂଷଣ କରୁଛନ୍ତି ତାହା କେତେଦୂର ଯଥାର୍ଥ ଓ ଯୁକ୍ତିଯୁକ୍ତ ? 

Thursday, July 6, 2023

ବର୍ଣ୍ଣାଡ୍ ଶ ଓ ଆନିବେସାନ୍ତଙ୍କ ବନ୍ଧୁତା କାହିଁକି ଭାଙ୍ଗିଗଲା ?

ବର୍ଣ୍ଣାଡ୍ ଶ ଓ ଆନିବେସାନ୍ତ ଦିହେଁ ଫେଵିଆନ୍ ସୋସାଇଟିର ସଦସ୍ୟ ଥିଲେ । ସେଇ ସୋସାଇଟିରୁ ସେମାନଙ୍କ ମଧ୍ୟରେ ଘନିଷ୍ଠତା ବଢି଼ଲା । ଏହି ମିତ୍ରତା ଵିଵାହ ଆଡ଼କୁ ଗତି କରୁଥିଵାଵେଳେ ଏମିତି କିଛି ଘଟିଲା ଯେ ସେମାନେ ପୁଣି କେବେ ଏକ ହୋଇ ପାରିଲେ ନାହିଁ ।  

ଉଭୟଙ୍କ ମିତ୍ରତାରେ ଫାଟ ସର୍ଵପ୍ରଥମେ ଶ୍ରମିକ ଆନ୍ଦୋଳନ ସମୟରେ ଏକ ଘଟଣାରୁ ହୋଇଥିଲା । ଥରେ ଶ୍ରମିକ ଆନ୍ଦୋଳନ ସମର୍ଥନରେ ଫେଵିଆନ୍ ସୋସାଇଟି ପକ୍ଷରୁ ଆୟୋଜିତ ଏକ ସଭାରେ "ଶ" ଗୋଟାଏ ତେଜିଆନ୍ ଭାଷଣ ଦେଲେ । 

ସେହି ସଭାରେ ନିର୍ଣ୍ଣୟ ହେଲା ଯେ ତତ୍ପରଦିନ ଶ୍ରମିକଙ୍କ ସହ ମିଶି ଫେଵିଆନ୍ ସୋସାଇଟିର ସଦସ୍ୟମାନେ ବି ଆନ୍ଦୋଳନରେ ଭାଗନେବେ । ଆନ୍ଦୋଳନ ସମୟରେ "ଶ" ଓ "ଆନିବେସାନ୍ତ" ସାଥିରେ ଥିଲେ । ଏତିକି ଵେଳେ ଆରକ୍ଷୀ ଵାହିନୀ ପକ୍ଷରୁ "ବେଟନ୍" ଚାଳନା ଆରମ୍ଭ ହୋଇଗଲା । 

ଫଳତଃ ଆନିବେସାନ୍ତଙ୍କ ମୁଣ୍ଡଫାଟିଗଲା ତେଵେ ସେ ଆଖପାଖରେ ଅନେଇ ଦେଖିଲେ କିନ୍ତୁ ସେତେବେଳେ ସେଠାରେ "ଶ" ନଥିଲେ । 

ସେହିଦିନ ସନ୍ଧ୍ୟାରେ ଆନିବେସାନ୍ତଙ୍କର "ଶ"ଙ୍କ ସହ ଭେଟ ହେଲା । ଆନିବେସାନ୍ତ ତାଙ୍କୁ ଦେଖିଲା ମାତ୍ରେ କହିଲେ  

"ମି. "ଶ" ତୁମେ ଵିପଦ ପଡି଼ଲାରୁ ମୋତେ ଛାଡ଼ି ପଳେଇଗଲ ! ୟୁ ଆର୍ ଏ କାୱର୍ଡ୍ ! "

"ଶ" ବି ଛାଡ଼ିଵା ଲୋକ ନୁହେଁ...
ସେ କହିଲେ ...
"ଇଟ୍ ଇଜ୍ ବେଟର୍ ଟୁ ବୀ ଏ କାୱର୍ଡ୍ ଦାନ୍ ଏ ଫୁଲ୍ ।"

ଏହାର ବହୁତ ଦିନ ପରେ ଥରେ "ଶ" ଵିଶ୍ଵଯାତ୍ରାରେ ବାହାରିଗଲେ । ସେହି କ୍ରମରେ ସେ ବମ୍ବେଠାରେ ତିନିଦିନ ରହିଲେ । ସେତେଵେଳେ ଆନିବେସାନ୍ତ ଭାରତରେ ରହୁଥାଆନ୍ତି । 

କୃଷ୍ଣମୂର୍ତ୍ତିଙ୍କୁ ଆନିବେସାନ୍ତ କହିଲେ ତୁମେ 'ଶ'ଙ୍କୁ ମୋ ପକ୍ଷରୁ ଭେଟିଵାକୁ ଯାଅ । 
କୃଷ୍ଣମୂର୍ତ୍ତି ଭେଟିଲେ ଏଵଂ 'ଶ'ଙ୍କୁ ସେ ଆନିବେସାନ୍ତଙ୍କର ଦତ୍ତକ ପୁତ୍ର ବୋଲି ପରିଚୟ ଦେଲେ । 

କିଛି କଥାଭାଷା ହେଵା ପରେ କୃଷ୍ଣମୂର୍ତ୍ତିଙ୍କୁ 'ଶ' ପଚାରିଲେ : "ଆଉ ତୁମ ମାଆଙ୍କର ସବୁ କୁଶଳମଙ୍ଗଳ ?"

 କୃଷ୍ଣମୂର୍ତ୍ତି କହିଲେ: "ସେମିତି ଦେଖିଲେ ସେ ଭଲରେ ଅଛନ୍ତି ତେବେ ବେଳେ ବେଳେ ମାନସିକ ରୂପେ କିଛି ଗଡ଼ବଡ଼ ହୋଇଯାଏ ।”
 
ସେଇଠୁ 'ଶ' ଦୀର୍ଘନିଃଶ୍ଵାସ ଛାଡ଼ି କହିଲେ 

"ଓହ୍, ଶୀ ନେଵର୍ ହୈଡ୍ ଏ ମାଇଣ୍ଡ୍! " ହଁ ବହୁତ କ୍ରୂର କଥା କହିଦେଇଥିଲା ଅହଂକାରୀଟା ...।

(ଵ୍ୟଙ୍ଗ୍ୟସମ୍ରାଟ ହରିଶଙ୍କର ପରସାଈଙ୍କର "हम इक उम्र से विकिफ हैं" ପୁସ୍ତକରେ ଏହି କଥା ଉଲ୍ଲେଖ କରାଯାଇଛି)

Wednesday, July 5, 2023

●ଗଜାବଉଦ, ମେଘାଙ୍କୁର ଓ Cumulonimbus cloud●

ଓଡ଼ିଆ ଭାଷାରେ ଵର୍ଷା ସମ୍ବନ୍ଧୀୟ ଅନେକ ଶବ୍ଦ ଅଛି । ଏହା ଵର୍ଷାକାଳ ତେଣୁ ଅନେକ କଵି ଵର୍ଷାକୁ ନେଇ କଵିତା ବି ଲେଖନ୍ତି । ତେଣୁ ଏ ଵର୍ଷାକାଳରେ ଵର୍ଷା ସମ୍ବନ୍ଧିତ ଓଡ଼ିଆ ଶବ୍ଦଗୁଡି଼କୁ ଜାଣିଲେ ସେମାନେ ନିଶ୍ଚୟ ସେହି ସବୁ ଶବ୍ଦଗୁଡି଼କୁ ଵ୍ୟଵହାର କରିବେ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୨୦୭୨ତମ ପୃଷ୍ଠାରେ ଵର୍ଷା ସମ୍ବନ୍ଧୀୟ ଗୋଟିଏ ଶବ୍ଦ ଅଛି "ଗଜା ବଉଦ" । 

ନୂଆ ଉଇଁଥିଵା ମେଘକୁ ଓଡ଼ିଆ ଭାଷାରେ #ଗଜାବଉଦ କୁହାଯାଏ । ଏହା ଵର୍ଷାସୂଚକ ଦିଗନ୍ତଵିସ୍ତୃତ ଵୃକ୍ଷାକାର ନୀଳ ମେଘ ଅଟେ ‌। ମହାଯାତ୍ରା କାଵ୍ୟର ତୃତୀୟ ସର୍ଗରେ କଵିଵର ରାଧାନାଥ ରାୟ ଏହି ଗଜାବଉଦ ଶବ୍ଦକୁ ପ୍ରୟୋଗ କରି ଲେଖିଛନ୍ତି ...

“ଗଜା ବଉଦର ଭ୍ରମ ଚିତ୍ତେ ଉପୁଜାଇ,
କାହିଁ ଅବା ଶିଶୁଶୈଳ ଆବରେ ଉଢ଼ାଳେ
ପୃଷ୍ଠେ ସୁଵିଶାଳ ଗିରି”

ପଲ୍ଲୀକଵି ନନ୍ଦକିଶୋର ବଳ ମଧ୍ୟ ସ୍ବରଚିତ "ଵର୍ଷା " କଵିତାରେ ଗଜା ବଉଦ ଶବ୍ଦର ପ୍ରୟୋଗ କରିଛନ୍ତି । 

“ଘୋର ଵର୍ଷାଦିନେ ଉଚ୍ଚ ଆକାଶରେ ଗଜା ବଉଦର ଶୋଭା ,
ପର୍ତଵଶିଖରେ ଧୂମାଳିଆ ମେଘ ଦିଶେ ଅତି ମନଲୋଭା।”

ଗଜାବଉଦର ଅନ୍ୟ ଏକ ନାମ 'ମେଘାଙ୍କୁର' ଅଟଇ । ଏହି ଜାତୀୟ ଏକ ପ୍ରକାରର ମେଘକୁ ଇଂରାଜୀ ଭାଷାରେ Cumulus cloud କୁହାଯାଏ ଯେହେତୁ କେତେକ ଇଂରାଜୀ ଶବ୍ଦକୋଷରେ ଏହି ମେଘ ଵିଷୟରେ ଉଲ୍ଲେଖ ଅଛି ଯେ ଏହା ଦେଖିଵାକୁ cauliflower ଵା ଫୁଲକୋବି ଭଳି ହୋଇଥାଏ । ଫୁଲକୋବି ଗୋଟିଏ ଗଛର ସାଧାରଣ ଚିତ୍ର ସଦୃଶ ଦୃଶ୍ୟମାନ ହୋଇଥାଏ । ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ଅଛି ଯେ ଗଜାବଉଦ ଵା ମେଘାଙ୍କୁର ଦିଗନ୍ତଵିସ୍ତୃତ ଵୃକ୍ଷାକାର ନୀଳ ମେଘ ଅଟେ । ଏ ଦୃଷ୍ଟିରୁ ଦେଖିଲେ ଵୃକ୍ଷାକାର ଵିଶାଳ ମେଘକୁ ଇଂରାଜୀ ଭାଷାରେ Cumulonimbus cloud କୁହାଯାଏ । ତେଣୁ ସମ୍ଭଵତଃ Cumulus cloud ନୁହେଁ ଵରଂ Cumulonimbus cloudକୁ ଗଜାବଉଦ ଵା ମେଘାଙ୍କୁର କୁହାଯାଉଥିଲା । 

Cumulonimbus cloud ଗୋଟିଏ ଗଛ ଭଳି ଦେଖାଯାଏ । Cumulonimbus ଏକ ଲାଟିନ ଶବ୍ଦ ଏଵଂ ଏହି ଶବ୍ଦକୁ cumulus(ଗଦା) ଓ nimbus(ଝଡ଼ଵର୍ଷା) ଶବ୍ଦ ଯୋଡ଼ାଯାଇ ସୃଷ୍ଟି କରା ହୋଇଛି । ତେଣୁ Cumulonimbus cloudର ଆକ୍ଷରିକ ଅର୍ଥ ହେଵ ଝଡ଼ଵର୍ଷାର ଗଦା ‌। ଏହି ଜାତୀୟ ମେଘ ଆକାଶର ବହୁ ଉଚ୍ଚ ପର୍ଯ୍ୟନ୍ତ ଵିସ୍ତୃତ ହୋଇଥିଵାର ଵିଶେଷ ଵର୍ଷାର କାରଣ ହୋଇଥାଏ ‌। ଏହା ୫୦୦ ମିଟରରୁ ୧୬୦୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଵିସ୍ତୃତ ହୋଇପାରେ ‌।

 Cumulonimbus cloudର ସଂକ୍ଷିପ୍ତ ଇଂରାଜୀ ଶବ୍ଦରୂପ Cb. ଏଵଂ ଅର୍ଦ୍ଧବୃତ୍ତାକାର ମଧ୍ୟରେ ତ୍ରିଭୁଜର ଗୋଜିଆ ପକ୍ଷ ଯୁକ୍ତ ହୋଇଥିଵା ସାଙ୍କେତିକ ଚିହ୍ନ ଏହି ଜାତୀୟ ଵର୍ଷା ପାଇଁ ଵ୍ୟଵହୃତ ହୋଇଥାଏ ।‌ 
ଅଵଶ୍ୟ ଏହି Cumulonimbus cloudର ଜାତୀୟ ମେଘର ଵିଭିନ୍ନ ପ୍ରକାରଭେଦ ବି ରହିଛି । ସେ ଯାହାହେଉ ଵର୍ଷାକାଳ ଆରମ୍ଭ ସମୟରେ ବେଳେ ବେଳେ ଏହି ଜାତୀୟ ମେଘ ଦେଖାଯାଉଥିଵାରୁ ଆମ୍ଭ ଦେଶରେ ଏହାକୁ ଗଜାବଉଦ ଓ ମେଘାଙ୍କୁର କୁହାଯାଉଥିଲା । 


ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...