Sunday, July 30, 2023

ଵୈଦେଶିକ ବଦଳିଵା ଶବ୍ଦ ଯୋଗୁଁ ଆମ ଭାଷାର କେଉଁ କେଉଁ ଶବ୍ଦ ହଜିଯାଇଛି ?

ଗୋଟିଏ ଵିଦେଶୀ ଶବ୍ଦ ଅନେକ ସମାର୍ଥକ ଦେଶୀୟ ଶବ୍ଦଗୁଡି଼କୁ ମାରିଦିଏ ।‌ ଏମିତି ଗୋଟିଏ ଆରବୀ ଶବ୍ଦ ଆଜିକାଲି ସମସ୍ତେ ସବୁବେଳେ ଵ୍ୟଵହାର କରନ୍ତି ଯାହାର ପ୍ରଚଳନ ଯୋଗୁଁ ଓଡ଼ିଆ ଭାଷାର ଅନେକ ଦେଶୀୟ ଶବ୍ଦ ହଜିଯାଇଛି । ସେହି ଶବ୍ଦଟି ଆମ ସମସ୍ତଙ୍କର ଅତି ପରିଚିତ 'ବଦଳିଵା' ଅଟେ । ବଦଳିଵା ଶବ୍ଦଟି ମୂଳତଃ بَدَل‎ (badal) ବୋଲି ଏକ ଆରବୀ ଶବ୍ଦର ଓଡ଼ିଆ ଧାରକରଣ ‌। ଏହି ଗୋଟିଏ ଵୈଦେଶିକ ଶବ୍ଦ ଯୋଗୁଁ ଓଡ଼ିଆ ଭାଷାର 
ଅନେକ କ୍ରିୟାଶବ୍ଦ ଆଉ କଥିତ ଭାଷାରେ ଚଳୁନାହିଁ । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ 
ଅନ୍ୟଥା କରିଵା,ପାଲଟିଵା,ଫେର୍‌ଫାର୍ କରିଵା,ଫେରାଇଵା ଓ ହେର୍ ଫେର୍ କରିବା ଆଦି କ୍ରିୟାଶବ୍ଦଗୁଡି଼କ ପୂର୍ଵେ ବଦଳିଵା ଅର୍ଥରେ ପ୍ରୟୋଗ କରାଯାଉଥିଵା ଜଣାଯାଇଛି । 

ଲୋକେ ଆଗେ ବଦଳିଵା ଅର୍ଥରେ ଫେରାଇଵା କ୍ରିୟାଶବ୍ଦ ପ୍ରୟୋଗ କରୁଥିଲେ ‌ । ଲୋକେ କହୁଥିଲେ “ସେ ଦୁଇ ଚାରି କଥା କହି ତାଙ୍କ ମନ ଫେରାଇ ଦେଲା।” ଅର୍ଥାତ୍ ଅମୁକ ଲୋକ ସମୁକ ଲୋକର ମନକୁ କଥା କହି ବଦଳାଇ ଦେଲା । 

ସେହିପରି କୃଷ୍ଣ ସିଂହଙ୍କ କୃଷ୍ଣ ମହାଭାରତ ଗ୍ରନ୍ଥରେ 'ଫେରିଵା' କ୍ରିୟାଶବ୍ଦଟି ବଦଳାଇଵା ଅର୍ଥରେ ପ୍ରୟୋଗ କରାଯାଇଛି । 
“ସପୁତ୍ର ହେବେ ତୋ ପୁତ୍ର,
 ସତେ ଏ କର୍ମ ଫେରିବ ତୋର ଗୋ।” (କୃଷ୍ଣମହାଭାରତ,ଆଦିପର୍ଵ)

ଜଗନ୍ନାଥ ଦାସ ମଧ୍ୟ ତାଙ୍କର ଓଡ଼ିଆ ଭାଗଵତରେ 'ସଂହରିଵା' ବୋଲି ଏକ ଶବ୍ଦକୁ ବଦଳିଵା ଅର୍ଥରେ ପ୍ରୟୋଗ କରି ଲେଖିଛନ୍ତି । 
“ଅମୃତ ଦେଵଗଣେ ଦେଲି, 
ସେ ମାୟାରୂପ ସଂହରିଲି”
(ଜଗନ୍ନାଥ ଦାସ, ଭାଗବତ)

ଭଗଵାନ ଏଠାରେ ମୋହିନୀ ରୂପ ଧାରଣ କରି ଦେଵତାମାନଙ୍କୁ ଅମୃତ ଭାଣ୍ଡରୁ ଅମୃତ ପନ କରାଇ ଦେଵା ପରେ ନିଜର ରୂପ ପରିଵର୍ତ୍ତନ କରିଦେଇଥିଵା କଥା କହୁଛନ୍ତି । 

ପୁଣି ପାଲଟିଵା ଶବ୍ଦ ମଧ୍ୟ ବଦଳିଵା ଅର୍ଥରେ ପ୍ରୟୋଗ କରାଯାଉଥିଲା । 

“କ୍ଷଣେ କ୍ଷଣେ ପାଲଟଇ ଯାର ଵର୍ଣ୍ଣ ଶିରୀ”(ମଧୁସୂଦନ, କବିତା।)

ବଦଳିଵା ଅର୍ଥଜ ଵିଶେଷ୍ୟ ଶବ୍ଦ ମଧ୍ୟରେ 
ଉଲମ୍ବିଲମ୍ ଓ ଫେରଣ ଶବ୍ଦ ଓଡ଼ିଆ ଭାଷାରେ ଚଳୁଥିଲାବେଳେ ଦେଶଜ ଵିଶେଷଣ ରୂପେ ଓଲଟପାଲଟ ଶବ୍ଦ ପ୍ରଚଳିତ ଥିଲା ।‌ ତତ୍ସମ ଓଡ଼ିଆ ଶବ୍ଦ ମଧ୍ୟରେ 
ପରିଵର୍ତ୍ତନ,ଅପଵର୍ତ୍ତନ,ଅଭ୍ୟନ୍ତର,ନାମୟ,ଵିନିମୟ,ନିଲୀନ,ପରାଵୃତ୍ତି,ପରିଣତି, ପରାଵୃତ୍ତି,ଵର୍ତ୍ତନ,ଵିଵର୍ତ୍ତ,ଵିଵର୍ତ୍ତନ,ରୂପାନ୍ତର ଓ ଵ୍ୟତିହାର ଆଦି ଶବ୍ଦଗୁଡି଼କର ବଦଳିଵା ଅର୍ଥରେ ଵିଶେଷ୍ୟ ଶବ୍ଦ ଭାବରେ ଵ୍ୟଵହାର କରାଯାଉଥିଲେ ବି ଏହିସବୁ ଶବ୍ଦ ମଧ୍ୟରେ ପରିଵର୍ତ୍ତନ ଓ ପରିଵର୍ତ୍ତନ କରିଵା ଶବ୍ଦ ସର୍ଵାଧିକ ପ୍ରଚଳିତ ଥିଲା ଏଵଂ ଏବେ ବି ଏହି ଶବ୍ଦକୁ ବଦଳ ଵା ବଦଳିଵାର ଏକ ଯୋଗ୍ୟ ଭାରତୀୟ ପ୍ରତିଶବ୍ଦ ଵିଚାର କରାଯାଉଛି ‌‌। ତେବେ ଓଡ଼ିଆ ଭାଷାରେ To change ଅର୍ଥଜ ଏହି ସବୁ ଦେଶୀୟ ଶବ୍ଦଗୁଡି଼କ ଉପରେ ଗୋଟିଏ ଵୈଦେଶିକ ଶବ୍ଦ 'ବଦଳିଵା' ସମ୍ପୂର୍ଣ୍ଣ ଆଧିପତ୍ୟ ଵିସ୍ତାର କରି ନେଇଛି । ଆଜିକାଲିର ଇଂରାଜୀ ପଢ଼ୁଆ ପିଲା ଓ ନଗରଵାସୀ ତ ପରିଵର୍ତ୍ତନ ଅର୍ଥଜ ଇଂରାଜୀ ଶବ୍ଦ Changeର ବହୁଳ ଵ୍ୟଵହାର କରୁଅଛନ୍ତି ।‌ କିନ୍ତୁ ପ୍ରକୃତରେ ଇଂରାଜୀ ଭାଷାରେ ପ୍ରଚଳିତ change ଶବ୍ଦଟି ବି ମୂଳତଃ ଏକ ଜର୍ମାନିକ୍ ଶବ୍ଦ ନୁହେଁ। ଇଂରାଜୀ ଏକ ଜର୍ମାନିକ୍ ଭାଷା, ଇଂରେଜମାନେ ଜର୍ମାନିକ୍ ଜାତି କିନ୍ତୁ ସେମାନଙ୍କ ଦେଶରେ ରୋମାନ୍ ଓ ଫ୍ରେଞ୍ଚ୍ ଲୋକ ଅନେକ ଵର୍ଷ ଶାସନ କରିଥିଵାରୁ ସେମାନଙ୍କ ଭାଷାରେ ସିଧାସଳଖ ଲାଟିନରୁ ତଥା ଫ୍ରେଞ୍ଚ୍ ଭାଷା ଦେଇ ଅନେକ ଲାଟିନ୍ ଭାଷା ମୂଳର ଶବ୍ଦ ପ୍ରଚଳିତ ହୋଇଛି ଏଵଂ ମୂଳ ଜର୍ମାନିକ୍ ଶବ୍ଦ ଲୋପ ପାଇଯାଇଛି । ଇଂରାଜୀ ଭାଷାର Change ମଧ୍ୟ ଏହି ଧରଣର ଏକ ଶବ୍ଦ ଅଟେ । 

ସଂସ୍କୃତ ଭାଷାରେ ଵ୍ୟଵହୃତ କ୍ମର(ଅଷ୍ଟଵକ୍ର ଵ୍ୟକ୍ତି ଵିଶେଷ) ଶବ୍ଦ ସହିତ ସଗୋତ୍ରୀୟ ପ୍ରାକ୍ କେଲ୍ଟିକ୍ kambos (“twisted, crooked”) ଶବ୍ଦଟି ଗ୍ବାଲିଶ୍ ଭାଷାରେ 
cambion ଓ *kambyom ହୋଇ ପରିଵର୍ତ୍ତନ ଅର୍ଥରେ ପ୍ରୟୋଗ ହେଲା ଏଵଂ
ପରେ ଲାଟିନ ଭାଷାରେ cambiāre, cambīre ଓ cambiō ରୂପେ ଚଳିଵାକୁ ଲାଗିଲା । ଏହି ଲାଟିନ ଶବ୍ଦଟି ଫ୍ରେଞ୍ଚ୍ ଭାଷାରେ ଯାଇ changier ହେଲା ଏଵଂ 
ତ୍ରୟୋଦଶ ଶତାବ୍ଦୀ ବେଳକୁ ଇଂରାଜୀ ଭାଷାରେ changen, chaungen ରୂପେ ପରିଵର୍ତ୍ତନ କରିଵା ଅର୍ଥ ଘେନି ଵ୍ୟଵହୃତ ହେଉଥିଲା । ଫଳତଃ ଇଂରାଜୀ ଭାଷାର ପରିଵର୍ତ୍ତନ ଅର୍ଥଜ ଜର୍ମାନିକ୍ ମୂଳର wenden ଓ wendan ଶବ୍ଦ ତ୍ରୟୋଦଶ ଶତାବ୍ଦୀ ପରେ ଅପ୍ରଚଳିତ ହୋଇଗଲା । ଉଲ୍ଲେଖଯୋଗ୍ୟ ଯେ ଏହି ଜର୍ମାନିକ୍ ମୂଳର wenden ଓ wendan ଶବ୍ଦର ସଗୋତ୍ରୀୟ ସମ୍ପର୍କ ସଂସ୍କୃତ ଭାଷାର ବନ୍ଧୁର(ବଗ;ବଗର ବେକ ଵକ୍ର ହେଉଥିଵାରୁ) ଶବ୍ଦ ଅଛି ।‌

ତଥାପି ଇଂରାଜୀ ଭାଷାରେ ଵ୍ୟଵହୃତ ହେଉଥିଵା ପରିଵର୍ତ୍ତନ ଅର୍ଥଜ change ଶବ୍ଦଟି କେଲ୍ଟିକ୍ ଭାରୋପୀୟ ଶାଖାର ଶବ୍ଦ ହେଲେ ବି ଏକ ଭାରୋପୀୟ ଶବ୍ଦ ଅଟେ । କିନ୍ତୁ ଭାରତୀୟ ଭାରୋପୀୟ ଭାଷାଗୁଡି଼କରେ ଶବ୍ଦ ସମୃଦ୍ଧି ନାମରେ ଅଗୋତ୍ରୀୟ ସେମେଟିକ୍ ମୂଳର ଆରବୀ ଶବ୍ଦ ବଦଳିଵା ଶବ୍ଦ ଏତେ ମାତ୍ରାରେ ଵ୍ୟଵହାର ହେଉଛି ଯେ ଆଜି ଏହି ଵୈଦେଶିକ ଶବ୍ଦର ସମାର୍ଥକ ଦେଶୀୟ ଶବ୍ଦଗୁଡି଼କୁ ଲୋକେ ପାଶୋରି ଦେଇଛନ୍ତି । ବିଡ଼ମ୍ବନା ଦେଖନ୍ତୁ ଆଜି ଓଡ଼ିଶାର ଲୋକେ ନିଜ ଭାଷାର ପରିଵର୍ତ୍ତନ ଅର୍ଥଜ ଅନ୍ୟଥା କରିଵା,ପାଲଟିଵା,ଫେର୍‌ଫାର୍ କରିଵା,ଫେରାଇଵା,ହେର୍ ଫେର୍ କରିବା,ଫେରିଵା,ସଂହରିଵା,ଫେରଣ,ପାଲଟିଵା ଓ ଉଲମ୍ବିଲମ୍ ଶବ୍ଦଗୁଡ଼ିକ ଵିଷୟରେ ଆଦୌ ଜାଣିନାହାନ୍ତି। ସେହିଭଳି ଇଂରାଜୀ ଭାଷାଭାଷୀଙ୍କ ମଧ୍ୟରେ ଅନେକେ ନିଜ ମାତୃଭାଷାର ମୂଳ ଶବ୍ଦ wenden ଓ wendan ସହିତ ପରିଚିତ ନୁହନ୍ତି । ଭାଷା ସମୃଦ୍ଧି ନାଆଁରେ ମନଇଚ୍ଛା
ଗୁଡ଼ାଏ ଵୈଦେଶିକ ଶବ୍ଦ ଭାଷାରେ ଗୋଳାଇ ଫେଣ୍ଟି ଘାଣ୍ଟି ଦେଲେ ଏହିପରି ନିଜ ଦେଶର ମୂଳ ଶବ୍ଦଗୁଡି଼କ ମରି ହଜିଯାଏ ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...