Thursday, March 30, 2023

ଭଗଵାନ ବିଷ୍ଣୁଙ୍କ ଦଶାଵତାର

ଭଗଵାନ ମତ୍ସ୍ୟ ଜଳରେ ଜାତ ହୋଇଥିଲେ । ଭଗଵାନ କଚ୍ଛପ କ୍ଷୀରସାଗରରେ ଜାତ ହୋଇଥିଲେ । ଭଗଵାନ ଵରାହ ବ୍ରହ୍ମାଙ୍କ କର୍ଣ୍ଣରୁ ଜାତ ହୋଇଥିଲେ ବୋଲି ପୌରାଣିକ ମତଵାଦ ପ୍ରଚଳିତ । 

କେହି କେହି ଦକ୍ଷିଣ ଭାରତୀୟ ଦାବି କରନ୍ତି ଯେ ଭଗଵାନ ନରସିଂହ ଆନ୍ଧ୍ରପ୍ରଦେଶର ଅହୋବିଲମ୍ ନାମକ ସ୍ଥାନରେ ଅଵସ୍ଥିତ ଉଗ୍ରସ୍ତମ୍ଭରୁ ଜାତ ହୋଇଥିଲେ କିନ୍ତୁ ଉତ୍ତର ଭାରତୀୟମାନଙ୍କ ଅନୁସାରେ 
ଆଧୁନିକ ପାକିସ୍ଥାନର #ମୁଲତାନ, ଅତି ପ୍ରାଚୀନ କାଳରେ #କଶ୍ୟପପୁରୀ ଓ ତତ୍ପରେ #ପ୍ରହ୍ଲାଦପୁରୀ ନାମରେ ଖ୍ୟାତ ଥିଲା ଏଵଂ ଏଠାରେ ଭଗଵାନ ନରସିଂହ ଖୁମ୍ଭ ମଧ୍ୟରୁ ଜାତ ହୋଇଥିଲେ । 

କେତେକ କୁହନ୍ତି ଭଗଵାନ ଵାମନ ସ୍ଵର୍ଗରେ ଜାତ ହୋଇଥିଲେ ତ ଆଉ କେତେକଙ୍କ ଅନୁସାରେ 
ଉତ୍ତରାଖଣ୍ଡର କେଦାରନାଥ ନିକଟରେ ଅଵସ୍ଥିତ ତ୍ରିଯୁଗୀ ନାରାୟଣ ମନ୍ଦିର ନିକଟରେ ଭଗଵାନ ଵାମନ ଜନ୍ମ ହୋଇଥିଲେ । 

ଭଗଵାନ #ପର୍ଶୁରାମ #ମଧ୍ୟପ୍ରଦେଶ'ର ଇନ୍ଦୋର୍ ନଗର ନିକଟରେ ଜନ୍ମ ହୋଇଥିଲେ ବୋଲି ମାନ୍ୟତା ଅଛି । 

#ଶ୍ରୀରାମଚନ୍ଦ୍ର ଅଯୋଧ୍ୟାରେ ଜନ୍ମ ଲଭିଥିଲେ ଯାହାକି ଆଧୁନିକ #ଉତ୍ତରପ୍ରଦେଶ'ରେ ଅଵସ୍ଥିତ । 

ସେହିପରି #ଶ୍ରୀକୃଷ୍ଣ ଭଗଵାନ ଉତ୍ତର ପ୍ରଦେଶର ମଥୁରା ନଗରରେ ଜନ୍ମ ଲଭିଥିଲେ । 

ଭଗଵାନ #ବୁଦ୍ଧ , #ନେପାଳ'ର ଲୁମ୍ବିନି ନଗରରେ ଜନ୍ମ ଗ୍ରହଣ କରିଥିଲେ । 

ପୁଣି କଳକୀ ଭଗଵାନଙ୍କର ଜନ୍ମ ପଶ୍ଚିମ ଉତ୍ତର ପ୍ରଦେଶରେ ହେଵ ବୋଲି ଶୁଣାଯାଏ । 

ମୋଟ ଉପରେ କହିବାକୁ ଗଲେ ଶ୍ରୀଵିଷ୍ଣୁଙ୍କର ପ୍ରଥମ ତିନିଗୋଟି ଅଵତାରକୁ ଛାଡ଼ି ଦେଲେ ବାକି ସମସ୍ତ ଅଵତାର ପାକିସ୍ତାନଠାରୁ ଉତ୍ତରପ୍ରଦେଶ ଓ ନେପାଳ ପର୍ଯ୍ଯନ୍ତ ଵିସ୍ତୃତ ଉତ୍ତର ଭାରତ ଅଞ୍ଚଳରେ ହିଁ ଜନ୍ମ ହୋଇଥିଲେ । 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ଵିଷ୍ଣୁଙ୍କ ନଵମ ଅଵତାର ଶ୍ରୀଜଗନ୍ନାଥଙ୍କୁ ଵିଚାର କରାଯାଏ ପୁଣି କେହି ଏହା ପରିଵର୍ତ୍ତେ ଶ୍ରୀଜଗନ୍ନାଥ ଅଵତାର ନୁହେଁ ଅଵତାରୀ ବୋଲି ମତ ମଧ୍ୟ ଦିଅନ୍ତି । ତେଣୁ ଓଡ଼ିଶାରେ କେହି କେହି ଜଗନ୍ନାଥଙ୍କୁ ଆଉ କିଛି ଲୋକ କୃଷ୍ଣଙ୍କୁ ତଥା ବୁଦ୍ଧଙ୍କୁ ନଵମ ଅଵତାର ଵିଚାର କରିଥାନ୍ତି, ଦକ୍ଷିଣ ଭାରତରେ ଭେଙ୍କଟେଶ୍ଵର ଭଗଵାନଙ୍କୁ ନଵମ ଅଵତାର ବୋଲି ଵିଶ୍ଵାସ କରାଯାଏ, ପଶ୍ଚିମ ଭାରତରେ ବିଟ୍ଠଲା ଭଗଵାନଙ୍କୁ ତଥା ଉତ୍ତର ଭାରତରେ ଶ୍ରୀକୃଷ୍ଣଙ୍କୁ ନଵମ ଅଵତାର ଭାବେ ଗଣନା କରାଯାଏ । ଉତ୍ତର ଭାରତୀୟ ବଳରାମ ଭଗଵାନଙ୍କୁ ଅଷ୍ଟମ ତଥା ଶ୍ରୀକୃଷ୍ଣ ଭଗଵାନଙ୍କୁ ନଵମ ଅଵତାର ଗଣନା କରିଥାନ୍ତି । 

ତେବେ ସେ ଯାହା ହେଉ ଶ୍ରୀଵିଷ୍ଣୁ ଅଧିକାଂଶ ଅଵତାରରେ ଉତ୍ତର ଭାରତରେ ହିଁ ଜନ୍ମଗ୍ରହଣ କରିଥିଲେ । ଏହାର କାରଣ କ'ଣ ହୋଇଥାଇପାରେ ?

କ'ଣ ମଣିଷ ଭଳି ସୂର୍ଯ୍ୟଙ୍କର ବି ଦିନେ ମୃତ୍ୟୁ ହୋଇଯିଵ କି ?

ଅନେକେ ଅଛନ୍ତି ସୂର୍ଯ୍ୟଙ୍କୁ ଗୋଟିଏ ତାରକା ନୁହେଁ  ଵରଂ ଭଗଵାନ ଓ ଅମର ଭାବି ବସିପଡ଼ିଛନ୍ତି । ସେମାନେ ନକ୍ଷତ୍ରଗୁଡି଼କର ଜନ୍ମ ଓ ମୃତ୍ୟୁ ଵିଷୟରେ ଵିଶେଷତଃ ସୂର୍ଯ୍ୟଙ୍କ ଜୀଵନକାଳ ଵିଷୟରେ ଭଲରେ ଜାଣିନାହାନ୍ତି । ତେଣୁ ଯେତେବେଳେ ସେମାନଙ୍କୁ ସୂର୍ଯ୍ୟର ମୃତ୍ୟୁ ହୋଇନାହିଁ କିନ୍ତୁ ଭଵିଷ୍ୟତରେ ହେଵ ବୋଲି କେହି କହିଦିଏ ସେମାନେ ତାଙ୍କ ସହିତ ଯୁକ୍ତିତର୍କ କରନ୍ତି ଝଗଡ଼ା ଲାଗନ୍ତି । 

ସୂର୍ଯ୍ୟଙ୍କ ସହିତ ପୁରାଣଗାଥା ଯୋଡ଼ି ଦିଆଯାଇଛି ତେଣୁ କିଛି ଲୋକଙ୍କର ତାଙ୍କ ପ୍ରତି ଆସ୍ଥା ଜଡ଼ିତ ହେଵା ସ୍ଵାଭାଵିକ କଥା । ତେବେ କେଵଳ ଭାରତୀୟ ହିଁ ନୁହେଁ ପୃଥିଵୀରେ ସର୍ଵତ୍ର ସୂର୍ଯ୍ୟଙ୍କୁ ଈଶ୍ଵର ଵିଚାର କରି ଆରାଧନା କରାଯାଏ,କରାଯାଉଥିଲା । 

“ମର୍ତ୍ତ୍ୟମଣ୍ଡଳରେ ଦେହ ଵହି
 ଦେଵତା ହେଲେ ବି ମରଇ”

ସୂର୍ଯ୍ୟ ନକ୍ଷତ୍ର ମଧ୍ୟ ତାହାର ସମୟକାଳ ଆସିଲେ ଲୁପ୍ତ ପାଇଵ ଏମନ୍ତ କି ଏ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ଦିନେ ନଷ୍ଟ ହୋଇଯିଵ ଏଵଂ ଯେହେତୁ Black matterର ଗୁଣ ଆମେ ଏପର୍ଯ୍ୟନ୍ତ ଭଲ ଭାବରେ ଜାଣନ୍ତି ନାହିଁ ତେଣୁ ଦୁଇଟି ସମ୍ଭାଵନା ଅନୁମାନ କରାଯାଏ । ପ୍ରଥମଟି ଅନୁସାରେ ବ୍ରହ୍ମାଣ୍ଡର ସମସ୍ତ ମହାଜାଗତିକ matter ଅତି ଅତି ଅତି ଭଵିଷ୍ୟତରେ dark matterରେ ପରିଵର୍ତ୍ତିତ ହୋଇ ସେମିତି ଅନନ୍ତକାଳ ଯାଏଁ ରହିଥିଵ । ଦ୍ଵିତୀୟ ମତଟି ଅନୁସାରେ ବ୍ରହ୍ମାଣ୍ଡ ଯେମିତି ଗୋଟିଏ ବିନ୍ଦୁରୁ ଆରମ୍ଭ ହୋଇଥିଲା ସେମିତି ଗୋଟିଏ ବିନ୍ଦୁରେ ସମାହିତ ହୋଇଯିଵ । ଭାରତୀୟ ପୁରାଣ ଶାସ୍ତ୍ରରେ ଏହିକଥା କୁହାଯାଇଛି ଏଵଂ ଏହାର ମଧ୍ୟଵର୍ତ୍ତୀକାଳୀନ ସମୟକୁ ବ୍ରହ୍ମାଙ୍କ ରାତ୍ରିକାଳ କୁହାଯାଇଛି । 

ତେବେ ଆଧୁନିକ ଵିଜ୍ଞାନ ଦୃଷ୍ଟିରୁ ସୂର୍ଯ୍ୟ ଗୋଟିଏ ଅପେକ୍ଷାକୃତ ଅଳ୍ପ ଓଜନ ଵିଶିଷ୍ଟ G ଶ୍ରେଣୀୟ ତାରକା ଅଟେ ଏଵଂ ଏ ସଂସାରରେ ସୂର୍ଯ୍ୟଠାରୁ ମଧ୍ୟ ଵିଶାଳକାୟ ତାରକା ଵିଦ୍ୟମାନ । ଆଗକାଳରେ ତାରକାଗୁଡି଼କ ଵିଷୟରେ ଅଧିକ ତଥ୍ୟ ନଥିଵାରୁ ସେମାନଙ୍କର କୌଣସି ଵିଭାଗୀକରଣ ହୋଇନଥିଲା । ଆଧୁନିକ ଯୁଗରେ Astronomy କ୍ଷେତ୍ରରେ ଦୃତ ପ୍ରଗତି ଯୋଗୁଁ ସମସ୍ତ ତାରକାଗୁଡି଼କୁ O, B, A, F, G, K ଓ Mଶ୍ରେଣୀର ତାରକା ଭାବେ ଵିଭାଜିତ କରାଯାଇଛି । 
O ପ୍ରକାରର ତାରକା ଅତି ଵିଶାଳ ନୀଳ ତାରକା । 10 Lacerta ଏହି ଧରଣର ତାରକା ଅଟେ । 
B ପ୍ରକାରର ତାରକା ଅପେକ୍ଷାକୃତ ଛୋଟ ନୀଳ ତାରକା ଏଵଂ Rigel ଏହି ଧରଣର ତାରକା ଅଟେ । A ପ୍ରକାରର ତାରକା ସବୁଠାରୁ ଛୋଟ ନୀଳ ତାରକା ଏଵଂ ପ୍ରଶ୍ବା(Sirius) ଏହି ଧରଣର ତାରକା ଅଟେ । F ପ୍ରକାରର ତାରକା ନୀଳ ଧଳା ମିଶ୍ରିତ ତାରକା ଆଉ Procyon ଏହି ଶ୍ରେଣୀୟ ତାରକା ଅଟଇ । G ପ୍ରକାରର ତାରକା ଧଳା ହଳଦିଆ ମିଶା ତାରକା ଅଟନ୍ତି ଏଵଂ ଆମ ସୂର୍ଯ୍ୟ ଏହି ଜାତୀୟ ତାରକା ଅଟେ । K ପ୍ରକାରର ତାରକା କମଳା ଲାଲ୍ ମିଶା ରଙ୍ଗର ଏଵଂ Arcturus ଏହି ଶ୍ରେଣୀର ତାରକା ଅଟେ ‌ । M ଜାତୀୟ ତାରକା ଲାଲ୍ ରଙ୍ଗର ହୋଇଥାନ୍ତି ଆଦ୍ରା (Betelgeuse)ଏହି ଶ୍ରେଣୀୟ ତାରକା ଅଟଇ । 

ମନୁଷ୍ୟ ଭଳି ପ୍ରତ୍ୟେକ ତାରକା ଗ୍ରହ ଉପଗ୍ରହ ଓ ଗ୍ରହାଣୁପିଣ୍ଡର ଆୟୁଷ ପୂର୍ଵରୁ ନିର୍ଦ୍ଧାରିତ ହୋଇ ସାରିଛି । ମନୁଷ୍ୟ ଭଳି ତାରକା ବି ଜନ୍ମ ହୁଅନ୍ତି ଓ ମୃତ୍ୟୁଵରଣ କରନ୍ତି । 

ଯେକୌଣସି ତାରକାର ଜନ୍ମ molecular cloudରୁ ଏକ Protostar ରୂପେ ହୋଇଥାଏ । ହଜାର ହଜାର ଵର୍ଷ ପରେ ଆକାର, ଦ୍ରଵ୍ୟ ଘେନି ଗୋଟିଏ Protostar ପରଵର୍ତ୍ତୀ କାଳରେ brown dwarf,low mass star ଓ massive star ଏହିପରି ତିନିପ୍ରକାରର ଅଵସ୍ଥାକୁ ପ୍ରାପ୍ତ ହୋଇଥାଏ ।

Brown dwarf ତାରକାର ଅନ୍ୟନାମ failed stars କାରଣ ଏହା ପାଖରେ Protostarରୁ ସମ୍ପୂର୍ଣ୍ଣ ତାରକା ହେଵାକୁ ସେତିକି ଶକ୍ତି ଓ ଦ୍ରଵ୍ୟ ନଥାଏ ତେଣୁ ଏହା ପୂର୍ଣ୍ଣାଙ୍ଗ ତାରକା ହୋଇପାରେ ନାହିଁ । Teide 1 (Pleiades Open Star Cluster) ହେଉଛି ମନୁଷ୍ୟମାନଙ୍କ ଦ୍ଵାରା ଆଵିଷ୍କୃତ ଏହି ଧରଣର ପ୍ରଥମ ତାରକା । କେହି କେହି ବୃହସ୍ପତିକୁ failed stars ବୋଲି ଅନୁମାନ କରନ୍ତି କିନ୍ତୁ ପ୍ରକୃତରେ ଏଥିପାଇଁ ବୃହସ୍ପତି ବହୁତ ପଛରେ ରହିଯାଇଛି କାରଣ ଗୋଟିଏ failed stars ହେଵା ପାଇଁ ଯେତିକି ଦ୍ରଵ୍ୟ ଲୋଡ଼ା ତହିଁର ମାତ୍ର କୋଡି଼ଏ ଭାଗ ହିଁ ଵୃହସ୍ପତି ପାଖରେ ଵର୍ତ୍ତମାନ ରହିଛି । ଏମନ୍ତକି ସାରା ସୌରଜଗତର ଅନ୍ୟ ସମସ୍ତ ଗ୍ରହକୁ ଭକ୍ଷଣ କରିଦେଲେ ବି ଦ୍ରଵ୍ୟମାନ ଦୃଷ୍ଟିରୁ ତଥାପି ଵୃହସ୍ପତି ଏକ ତାରକା କି Brown dwarf ତାରକା ହୋଇପାରିଵ ନାହିଁ । 
 
ସେହିପରି ଗୋଟିଏ ପ୍ରାକ୍ ନକ୍ଷତ୍ର (Protostar) ଯଦି ଦ୍ରଵ୍ୟ ଓ ଶକ୍ତି ଆଧାରରେ ଅଳ୍ପ ଭାରୀ ନକ୍ଷତ୍ର (Low mass star) ହୁଏ ତେବେ ତାହାର ଜୀଵନକାଳର ପ୍ରଥମ ଚରଣ ଆମ ସୂର୍ଯ୍ୟ ଭଳି ହେଵ ଏଵଂ ଏଭଳି ତାରକାର ଦ୍ଵିତୀୟ ଚରଣ ହେଉଛି ଲାଲ୍ ଦାନଵ(Red giant) ଅଵସ୍ଥା ।

ଆମ ସୂର୍ଯ୍ୟ ଭଳି ଅଳ୍ପ ଭାରୀ ନକ୍ଷତ୍ର (Low mass star) ଯେତେବେଳେ ଗୋଟିଏ ଲାଲ ଦାନଵ ନକ୍ଷତ୍ର (Red giant)ରେ ପରିଵର୍ତ୍ତିତ ହୋଇଥାଏ ସେ ତାହା ନିକଟରେ ବୁଲୁଥିଵା ଗ୍ରହାଦିକୁ ଭକ୍ଷଣ କରି ବଡ଼ ହେଵାକୁ ଲାଗେ । ଆମ ସୂର୍ଯ୍ୟ ମଧ୍ୟ ଆଜିଠାରୁ ୬ ଅର୍ବୁଦ(Billion) ଵର୍ଷ ପରେ ବୁଧ,ଶୁକ୍ର,ପୃଥିଵୀ,ଚନ୍ଦ୍ର ତଥା ମଙ୍ଗଳକୁ ଗିଳି ଏକ ଲାଲ୍ ଦାନଵ ତାରକା(Red giant)ରେ ପରିଣତ ହେଵାକୁ ଯାଉଛି । 

କିନ୍ତୁ ସୂର୍ଯ୍ୟ ଭଳି ତାରକା ଯେତେବେଳେ,ଆଲ୍ ଦାନଵ ତାରକାରେ ପରିଵର୍ତ୍ତିତ ହୋଇଯାଆନ୍ତି ସେମାନେ ସମୟ ସହ ଆକାରରେ ବଢି଼ ବଢି଼ ଯାଆନ୍ତି ଏଵଂ ତେତିକି ଅସନ୍ତୁଳିତ ମଧ୍ୟ ହୋଇଥାନ୍ତି । ଏମିତି ବି ସମୟ ଆସେ ଯେତେବେଳେ ଲାଲ୍ ଦାନଵ ନକ୍ଷତ୍ର(Red giant)ର ଦିନକାଳ ମଧ୍ୟ ପୂରିଯାଏ । ସେତେବେଳେ ପୂର୍ଵ ଭଳି ଆକାର,ଓଜନ,ଦ୍ରଵ୍ୟ ଅନୁସାରେ ଲାଲ୍ ଦାନଵ ତାରକା(Red gaint star) ଦୁଇଗୋଟି ଧଳା ଵାମନ ତାରକା(binary white dwarf) ନହେଲେ planetary nebulaରେ ପରିଣତ ହୁଏ । 

ଏଠାରେ binary white dwarf କ'ଣ ତାହା ବୁଝିଵାକୁ ହେଵ । ଏହି ସ୍ଥିତିରେ କୌଣସି Red gaint ତାରକା ସେତେବେଳେ ପହଞ୍ଚେ ଯେତେବେଳେ ଏହା ଆକାର ବୃଦ୍ଧି ପାଇ ଫାଟିଯାଏ ଏଵଂ ଏହାର କିଛି ଅଂଶ ଏକ white dwarfରେ ପରିଣତ ହୁଏ ବଡ଼ ଅଂଶଟି ଅପେକ୍ଷାକୃତ କ୍ଷୁଦ୍ର red gaint ରୂପେ ରହିଯାଏ । ସେତେବେଳେ ଏ ଉଭୟ ତାରକା ପରସ୍ପରକୁ ଖାଇଵାକୁ ଚେଷ୍ଟା କରନ୍ତି ଏଵଂ ଏହାର ଶେଷ ପରିଣତି ସ୍ଵରୂପ ଉକ୍ତ binary white dwarf ଦ୍ଵୟ Nova ନହେଲେ Type Ia supernova ରୂପେ ପରିଵର୍ତ୍ତିତ ହୋଇଯାଏ ।‌ 

ଆଉ ଯଦି binary white dwarf ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ସ୍ଥିତିରେ ସଂଘର୍ଷ ଘଟେ ତାହା Novaରେ ପରିଣତ ହୁଏ । Novaରୁ ପରେ ସେହି ତାରକା white dwarf ଓ ଶେଷରେ black dwarfରେ ପରିଣତ ହୁଏ ଓ ଏହା ହେଉଛି ସେହି ନକ୍ଷତ୍ରର ଅନ୍ତିମ ମୃତ ଅଵସ୍ଥା । ଆମ ସୂର୍ଯ୍ୟ ମଧ୍ୟ ଏହିପରି ଜୀଵନଚକ୍ରରେ ବୁଲି ବୁଲି ନିଜ ଶେଷ ଅଵସ୍ଥାରେ ପ୍ରାୟ ୭ରୁ ୧୦ ବିଲିଅନ୍ ଵର୍ଷ ମଧ୍ୟରେ ପହଞ୍ଚିଯିଵ ।

କିନ୍ତୁ ସୂର୍ଯ୍ୟଠାରୁ ଦ୍ରଵ୍ୟ ,ଓଜନ ତଥା ଆକାରରେ ବହୁତ ବଡ଼ କୌଣସି Protostar ନିଜର ଵିଶାଳକାୟ ସ୍ବରୂପ ଯୋଗୁଁ ପରେ ଏକ Massive starରେ ପରିଣତ ହୋଇଯାଏ ‌। ଏହି ଵିଶାଳ ତାରକାଗୁଡି଼କ ନିଜର ଆକାର ବଢ଼ାଇ Type II supernovaରେ ପରିଵର୍ତ୍ତିତ ହୋଇଥାଏ । ଅତି ଅସ୍ଥିରତା ଯୋଗୁଁ ଆଗକୁ ଏହି Type II supernova ମଧ୍ୟ ଦୁଇଗୋଟି ଦିଗରେ ବଦଳିଯାଏ । ଏହା ଆଗକୁ Supernova remnant ହୋଇପାରେ ଅଥଵା black hole କିମ୍ବା Neutron starରେ ବଦଳିଯାଏ । କୃଷ୍ଣଵିଵର ଵା Blackhole ପରଵର୍ତ୍ତୀ କାଳରେ ଏକ xray emissionରେ ପରିଵର୍ତ୍ତିତ ହେଉଥିଲା ବେଳେ Neutron star ଆଗକୁ pulsar,magnetar କିମ୍ବା pulsar -magnetar ତାରକା ରୂପେ ପରିଵର୍ତ୍ତିତ ହୋଇଥାଏ । 

ଏହିପରି ଭାବେ ତାରକା ଓ ତହିଁର ଜୀଵନକାଳ ଵିଷୟରେ ଗୋଟିଏ ଵିଶାଳ ପାଠ ରହିଛି ଯାହା ଵିଦ୍ୟାଳୟରେ ପଢ଼ାଯାଉନଥିଵାରୁ ଅନେକେ ଏହା ଜାଣିପାରିନାହାନ୍ତି । ଭଵିଷ୍ୟତରେ ଗୋଟି ଗୋଟି କରି ସବୁ ପ୍ରକାରର ତାରକା ଵିଷୟରେ ଏଵଂ ସେମାନଙ୍କର ଵିଭିନ୍ନ ଅଵସ୍ଥା ଵିଷୟରେ ଵିସ୍ତୃତ ଆଲୋଚନା କରିଵା । 

କିନ୍ତୁ ଗୋଟିଏ କଥା ରହିଗଲା , ସୂର୍ଯ୍ୟ ଜୀଵିତ ନା ମୃତ ? 

ସିଧାକଥା ,ଜଣେ ସାଧାରଣ ଲୋକ ବି ଏ କଥା ଶୁଣିଲେ ହସିଵ ! ସୂର୍ଯ୍ୟ ମୃତ ହୋଇଥିଲେ ପୃଥିଵୀରେ ଜୀଵଜଗତ ସମ୍ଭଵ କେମିତି ହେଲା ଆଉ ଏଠାରେ ଜୀଵଜଗତ କେମିତି ତିଷ୍ଠି ରହିଛନ୍ତି ? ଵର୍ତ୍ତମାନ ସୂର୍ଯ୍ୟ ନିଜର ଯୁଵାଵସ୍ଥାରେ ଅଛି ଏଵଂ ସୂର୍ଯ୍ୟର ଵୟସ ୪.୬ ଅବ୍ରୁତ ଵର୍ଷ ବୋଲି ଜଣାଯାଏ । ସୂର୍ଯ୍ୟ ଆହୁରି ଛଅ ଅବ୍ରୁତ ଵର୍ଷ ପର୍ଯ୍ଯନ୍ତ ଏହିପରି ଆଲୋକ ପ୍ରଦାନ କରିଚାଲିଵ ହଁ ଥରେ ସୂର୍ଯ୍ୟର Red giant ପରିଵର୍ତ୍ତିତ ହେଵାର ପ୍ରକ୍ରିୟା ଆରମ୍ଭ ହୋଇଗଲେ ପୃଥିଵୀରେ ଜୀଵଜଗତ ତିଷ୍ଟିଵା ଅସମ୍ଭଵ ହୋଇପଡ଼ିଵ । ତେଣୁ ହଁ ସୂର୍ଯ୍ୟ ଜୀଵିତ ଅଛନ୍ତି ଏଵଂ ନିଜର ଯୁଵାଵସ୍ଥାରେ ଅଛନ୍ତି ସେଥିପାଇଁ ତ ତୁମେ ଏ ପୃଥିଵୀରେ ଜୀଵିତ ଅଛ ।

ବୋଉ : ଶବ୍ଦ ଗୋଟିଏ କଥା ଅନେକ

#ବୋଉ : #ଶବ୍ଦ_ଗୋଟିଏ_କଥା_ଅନେକ...

ବୋଉ ଶବ୍ଦ ଗୋଟିଏ ଵିରଳ ନିଆରା ସୁନ୍ଦର ଭାଵପୂର୍ଣ୍ଣ ଶବ୍ଦ । ତେବେ କିଛି ଵର୍ଷ ହେଲା ବୋଉ ଶବ୍ଦକୁ ନେଇ ଅଯଥା ଵିଵାଦ ସୃଷ୍ଟି କରିଵାକୁ ଚେଷ୍ଟା କରାଯାଉଛି ‌। ଧ୍ଵନିତତ୍ତ୍ଵ  ଓ ଶବ୍ଦତତ୍ତ୍ଵ ଵିଷୟରେ କିଛି ନଜାଣି କେତେକ ମୂର୍ଖ ଲୋକ କଟକିଏ ଉପକୂଳିଏ 'ବୋଉ' ଶବ୍ଦଟି କୁଆଡ଼ୁ ଆଣିଲେ ବୋଲି ପଚାରୁଛନ୍ତି । ସେମାନଙ୍କ ଅନୁସାରେ ପୃଥିଵୀରେ ସମସ୍ତେ ନିଜ ମାତାଙ୍କୁ ମାଆ,ମାମା,ଅମ୍ମି ସମ୍ବୋଧନ କରନ୍ତି ଏଵଂ ଏହା ସଂସ୍କୃତ ଭାଷାର ଶବ୍ଦ। ହେଲେ କଟକିଏ ବୋଉ ଶବ୍ଦ କୁଆଡ଼ୁ ଆଣିଲେ ? 



ତେବେ ପୃଥିଵୀରେ ସବୁ ଅଞ୍ଚଳରେ ସବୁ ଭାଷାରେ ମାଆମାନଙ୍କୁ ପିଲାଏ ମାଆ,ମାତା ସମ୍ବୋଧନ କରନ୍ତି ନାହିଁ । ଅନେକ ଭାଷାରେ ଭିନ୍ନ ଭିନ୍ନ ଵର୍ଣ୍ଣ ଆଦ୍ୟରୁ ମାତା ସମ୍ବୋଧନ ପାଇଁ ଶବ୍ଦ ରହିଛି । ତନ୍ମଧ୍ୟରୁ ଵର୍ଗ୍ୟ 'ବ' ଵର୍ଣ୍ଣ ଆଦ୍ୟରେ ମାତାଙ୍କୁ ସମ୍ବୋଧନ କରାଯିଵା ପୃଥିଵୀର ଅଳ୍ପ କେତେକ ଭାଷାରେ ହିଁ ପ୍ରଚଳିତ । 

ବ୍ରାଜିଲର mura ଭାଷାପରିଵାରର Pirahã ଭାଷାରେ  ମାଆଙ୍କୁ baíxi ସମ୍ବୋଧନ କରାଯାଏ । ଏ ଭାଷାକୁ ବୋଲୁଥିଵା ଲୋକେ ଏବେ ପୃଥିଵୀରେ ୪୦୦ରୁ କମ୍ ଲୋକ ଅଛନ୍ତି । 

ଆମେରିକାରେ କଥିତ ଲୋହିତ ଭାରତୀୟମାନଙ୍କର Na-Dene ଭାଷା ପରିଵାରର Apache ଭାଷାର ଅନେକ କଥିତ ଶୈଳୀ ରହିଛି ତନ୍ମଧ୍ୟରୁ 
Chiricahuaରେ ମାଆଙ୍କୁ -má ସମ୍ବୋଧନ କରାଯାଏ 
କିନ୍ତୁ Western Apache ଭାଷାରେ ମାଆଙ୍କୁ ପିଲାଏ  bimaa ଓ bąą ସମ୍ବୋଧନ କରିଥାନ୍ତି । 

ଋଷିଆ ଓ ଏହାର ଆଖପାଖ ଦେଶରେ ପ୍ରଚଳିତ Northeast Caucasian ଭାଷା ପରିଵାରର ଅନ୍ୟତମ ଭାଷା Avar ଭାଷାରେ ମାଆଙ୍କୁ  ପିଲାଏ эбел (ebel), баба (baba) ଓ буба (buba) ସମ୍ବୋଧନ କରିଥାନ୍ତି । 

ଭାରତୀୟ ରାଜ୍ୟ ଆସାମର ସିନୋ ତିବତ୍ତୀୟ ଭାଷା ପରିଵାରର ବୋଡ଼ୋ ଭାଷା ବୋଲୁଥିଵା ଲୋକେ ନିଜ ମାଆଙ୍କୁ 
आइ ଓ बिमा ସମ୍ବୋଧନ କରନ୍ତି ।‌

Austronesian ଭାଷା ପରିଵାରର 
Brunei Malay ଭାଷାରେ ମାଆଙ୍କୁ ପିଲାଏ babu ଓ mama ସମ୍ବୋଧନ କରନ୍ତି । 

ସିନୋ ତିବତ୍ତୀୟ ଭାଷା ପରିଵାରର 
Min Nan ଭାଷାରେ ମାଆଙ୍କୁ  ପିଲାଏ  母親/母亲 (bó-chhin, bú-chhin) ଓ  阿母 (a-bó)   ଡାକିଥାନ୍ତି ‌ ।

Austronesian ଭାଷାପରିଵାରର Sundanese ଭାଷାରେ ମାଆଙ୍କୁ biang ଓ indung ସମ୍ବୋଧନ କରାଯାଏ । ସେହିପରି ଏହି ଭାଷାପରିଵାରର Javanese ଓ ମାଳୟ ଭାଷାରେ ମାଆଙ୍କୁ ପିଲାଏ ibu ଡାକିଥାନ୍ତି । 

ଅନ୍ୟ ଏକ Austronesian ଭାଷା Indonesianରେ ମାଆଙ୍କୁ ibu ଓ bunda ସମ୍ବୋଧନ କରାଯାଏ । 

Austroasiatic ଭାଷା ପରିଵାରର Vietnamese ଭାଷାରେ ମାଆଙ୍କୁ mẹ , má , mạ , mệ , mợ , bầm, u, nạ , đẻ ଓ cái  ସମ୍ବୋଧନ କରାଯାଇଥାଏ ।

ଅଷ୍ଟ୍ରେଲିଆ ମହାଦେଶର ଏକ ଜନଜାତୀୟ ଭାଷାପରିଵାର Pama–Nyunganର 
Turrbal ଭାଷାର ଗୋଟିଏ ଶୈଳୀ 
Yagaraରେ ମାଆଙ୍କୁ budang ସମ୍ବୋଧନ କରାଯାଉଥିଲା । 

Niger–Congo ଭାଷାପରିଵାର ମୂଳର ଜାମ୍ବିଆ ଦେଶରେ କଥିତ ହେଉଥିଵା ଏକ ଭାଷା Bemba ଭାଷାରେ  ମାଆଙ୍କୁ Bamama [Bamaa] ସମ୍ବୋଧନ କରାଯାଏ । 

ଭାରୋପୀୟ ଭାଷାପରିଵାରରେ ଓଡ଼ିଆ ଏମିତି ଏକ ଭାଷା ଯା ପାଖରେ ଵର୍ଗ୍ୟ ’ବ’ ଆଦ୍ୟରୁ ମାତାଙ୍କୁ ସମ୍ବୋଧନ କରିଵା ପାଇଁ ନିଆରା ଶବ୍ଦଟିଏ ଅଛି ’ବୋଉ’ । ଆସାମର ଆହମିୟା ଭାଷାରେ ମଧ୍ୟ ମାଆ ଶବ୍ଦର ଏକ ପ୍ରତିଶବ୍ଦ ‘ବୌ’ ଅଟଇ ବୋଲି ଅହମିୟା ଭାଷାର ଚନ୍ଦ୍ରାକାନ୍ତା ଅଭିଧାନରେ ଉଲ୍ଲେଖ କରାଯାଇଛି । ଉକ୍ତ ଅଭିଧାନର ୭୦୪ତମ ପୃଷ୍ଠାରେ ବୌ ଶବ୍ଦର ଯେଉଁ ଦୁଇଗୋଟି ଅର୍ଥ ମୁଦ୍ରିତ ହୋଇଅଛି ତାହା ଏଠାରେ ଉଦ୍ଧାର କରାଗଲା...

ବୌ/ଵୌ
୧)ଵ।ଧୂ ଶବ୍ଦଜ ଵୌ — କକାଇର ଭାର୍ଯ୍ଯା

2)ବୌ/ବୌବି—ଆଇ; ପୁତ୍ରଇ ମାକକ କରା ସମ୍ବୋଧନ

ଅଵଶ୍ୟ ଓଡ଼ିଆ ଓ ଅହମିଆରେ ବୋଉ ତଥା ବୌ ଶବ୍ଦ ପ୍ରଚଳନ ହେଉ ଵା ପୃଥିଵୀର ପ୍ରୋକ୍ତ ଭାଷାଗୁଡି଼କରେ ପ୍ରଚଳିତ ଵର୍ଗ୍ୟ ’ବ’ ଵର୍ଣ୍ଣ ଆଦ୍ୟର ମାତାଙ୍କୁ ସମ୍ବୋଧନ କରାଯିଵା ଵିରଳ,ନିଆରା ଓ ସ୍ଵତନ୍ତ୍ର ପଦଵାଚ୍ୟ ହୋଇପାରେ । 

ଓଡ଼ିଆ ଭାଷାରେ ବୋଉ ଶବ୍ଦ ପ୍ରଚଳନ ତେଣୁ ଅତ୍ୟନ୍ତ ଵିରଳ କହିଲେ ଅତ୍ୟୁକ୍ତି ହେଵ ନାହିଁ । କିନ୍ତୁ କଳିଙ୍ଗର କେଵଳ ଓଡ଼ିଆ ଭାଷାରେ ହିଁ ଲୋକମାନେ ମାଆଠାରୁ ସ୍ଵତନ୍ତ୍ର ବୋଉ ଭଳି ଏକ ସମ୍ବୋଧନଵାଚକ ଶବ୍ଦ ଵ୍ୟଵହାର କରୁଛନ୍ତି ବୋଲି ଭାବିଵା ଠିକ୍ ନୁହେଁ କାରଣ ଆମ ଓଡ଼ିଶାର ଅନେକ ଦେଶୀୟ ଜନଜାତୀୟ ଭାଷାରେ ମାତାଙ୍କୁ ଆହୁରି କେତେକ ସ୍ଵତନ୍ତ୍ର ସମ୍ବୋଧନଵାଚକ ଶବ୍ଦ ଦ୍ଵାରା ପିଲାଏ ଡାକିଥାନ୍ତି । 


ଗଦଵା ଵା ଗୁତଵ ଭାଷାରେ ମାଆଙ୍କୁ ଇୟଂ କୁହାଯାଏ ।ଓରାଓଁରେ ଆୟାଙ୍ ,କିସାନ୍ ଵା କୁଣାହାଁରେ ଆୟା/ଆୟାଂ ଓ ଆୟାଙ୍ଗ,କୁଈ ତଥା କୁଭି ଭାଷାରେ ଆଜି ଓ କୋୟା ଭାଷାରେ ମାଆଙ୍କୁ ୟାୟା ଓ ୟାୱା ଡକାଯାଏ। ଗୋଣ୍ଡୀ ଭାଷାରେ ୟାୟା,ଦେଶିଆ ଓଡ଼ିଆରେ ଆୟା,ବଣ୍ଡା ଭାଷାରେ ୟଂ ଓ ଇୟଂ,ଭୁଂଜିଆରେ ଓୟା 
,ସଉରାରେ ୟାଙ୍,ସାଦ୍ରୀରେ ଆୟୋ,
ସାନ୍ତାଳୀରେ ଏଙ୍ଗା ଓ ଅୟୋ,ଡିଡାୟୀରେ ଇଆଁଙ୍ଗ୍,ପରଜୀ ଭାଷାରେ ଇୟ୍'ୟା 
ତଥା ଭତ୍ରୀ- ହଲଵୀ ଓଡ଼ିଆଶୈଳୀରେ ମାତାଙ୍କୁ ଆୟା ସମ୍ବୋଧନ କରାଯାଇଥାଏ ‌ । ନିଜ ମାତାକୁ ମାଆ ଶବ୍ଦ ନକରି ଏକ ସ୍ଵତନ୍ତ୍ର ମୌଳିକ ଶବ୍ଦ ଦ୍ବାରା ଡାକିଵାରୁ ଏମାନେ ହୀନ ହୋଇଗଲେ କି ? 

'ବୋଉ' କ'ଣ ଓଡ଼ିଆ ଭାଷାରେ ଆଗେ ମାଆଙ୍କୁ ଆସାମୀ ଓ ମରାଠୀ ଭାଷା ଭଳି ଆଈ ମଧ୍ୟ ସମ୍ବୋଧନ କରାଯାଉଥିଲା ବୋଲି ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଏ ଶବ୍ଦର ମାତା ଅର୍ଥରେ ପ୍ରୟୋଗରୁ ସ୍ପଷ୍ଟ ହୋଇଥାଏ ।  ଓଡ଼ିଆ ଭାଷାରେ ପୂର୍ଵେ ମାତା ଅର୍ଥରେ ପ୍ରଚଳିତ ଥିଵା ଏହି ଆଈ ଶବ୍ଦଟି ସମ୍ଭଵତଃ କଳିଙ୍ଗ ଦେଶୀୟ ଜନଜାତୀୟ ଭାଷା ମୂଳର କିଂଵା ଓଡ଼ିଆ ପ୍ରାଚୀନ ଓଡ଼ିଆ ଭାଷାରେ ଆର୍ଯ୍ୟା ଶବ୍ଦଜ ଆଈ ଶବ୍ଦର ବହୁଳ ଵ୍ୟଵହାରରୁ ପ୍ରଭାଵିତ ହୋଇ ଵିଭିନ୍ନ କଳିଙ୍ଗୀ ଜନଜାତୀୟ ଭାଷା ମଧ୍ୟରେ ଆଈ ଶବ୍ଦ ଭିନ୍ନ ଭିନ୍ନ ରୂପରେ ପ୍ରଚଳିତ ହୋଇଅଛି । ପୂର୍ଵେ ଓଡ଼ିଆ ଭାଷାରେ ଆଈ ଶବ୍ଦଟି ମାତା ଅର୍ଥରେ ପ୍ରୟୋଗ ହେଉଥିଵାରୁ ଅନେକ ପ୍ରାଚୀନ ସାହିତ୍ୟିକ କୃତିରେ ଏ ଶବ୍ଦଟି ମାତା ଶବ୍ଦର ଏକ ପ୍ରତିଶବ୍ଦ ଭାବେ ଵ୍ୟଵହୃତ ହେଇଥିଲା । ଏଇ ଯେମିତି...

କଵି ଵିଶ୍ଵନାଥ କୃତ ଵିଚିତ୍ରରାମାୟଣରେ ଆଈ ଶବ୍ଦକୁ ମାତା ଅର୍ଥରେ ପ୍ରୟୋଗ କରିଛନ୍ତି

“ଦଶରଥ ସୂତ, ଜଗତେ ଵିଦିତ,
 କୈକେୟୀ ମୋହର ଆଈ।”
 
 
ଓଡ଼ିଆ ରାମାୟଣର “ଲକ୍ଷ୍ମଣ ଶକ୍ତିଭେଦରେ ଶ୍ରୀରାମଙ୍କ ଶୋକ” 
ଅଧ୍ୟାୟରେ ରାମଚନ୍ଦ୍ର ନିଜ ମାତାଙ୍କୁ ଆଈ କହୁଛନ୍ତି । 

“ଅର୍ଥଭାଗ ବାଣ୍ଟି ଯେ ନିଅନ୍ତି ଭାଇମାନେ ।
କଷ୍ଟ ପାଇବ ବୋଲି ଅଇଲା ଘୋରବନେ । 
ଆରେ ଆରେ ଲକ୍ଷ୍ମଣ ତୁ ମୋ ପ୍ରାଣ ସ୍ବରୂପ । 
କାହିଁ ବସି ବାକୁ ତୁ ଅର୍ଜିଲୁ ଏଡ଼େ ପାପ ।
ସର୍ବ ସୁଲକ୍ଷଣ ତୁହିଁ ଅଟୁ ମୋର ଭାଇ ।
ଘରକୁ ଗଲେ ଯେ ମୋତେ କି ବୋଲିବେ ଆଈ ।”

ସେଇମିତି ଜଗନ୍ନାଥ ଦାସ ତାଙ୍କ ଓଡ଼ିଆ ଭାଗଵତରେ ମଧ୍ୟ ଆଈ ଶବ୍ଦକୁ ମାତା ଅର୍ଥରେ ଵ୍ୟଵହାର କରିଯାଇଛନ୍ତି ...

“ଏମନ୍ତେ ପାହିଲା ରଜନୀ 
ଦେଵକୀ ମୁଖ ଚାହିଁ ଭଣି ।।୧୯୧।।
ତୋର ଉଦରେ ଜଗନ୍ନାଥ ।
ଜଗତ ରଖିଵେ ତୋ ସୁତ ।।୧୯୨।।
ଶୁଦ୍ଧ ଚୈତନ୍ୟ ରୂପ ଘେନି ।
ପ୍ରକାଶ ହୋଇଵେ ମେଦିନୀ ।।୧୯୩।।
କଂସର ଭୟ ଛାଡ଼ ଆଈ । 
ଯାହାର ନାମେ ଦୁଃଖ ନାହିଁ ।।୧୯୪।।”

ଅର୍ଥାତ୍ ଏକ ସମୟରେ ଓଡ଼ିଶାରେ ମାତା ଅର୍ଥରେ ମାଆ ଓ ଆଈ  ଏହି  ଦୁଇଟି ଶବ୍ଦ ଚଳୁଥିଲା କିନ୍ତୁ ଆଜିକାଲି ଯେପରି ପିତାମହୀ ଓ ମାତାମହୀଙ୍କୁ ଆଧୁନିକ ଵାଳକ ଵାଳିକାମାନେ ମାଆ ଡାକୁଛନ୍ତି ପୂର୍ଵେ ସେହିପରି ମାଆଙ୍କ ମାଆଙ୍କୁ ଆଈ ଡାକିଵା ଆରମ୍ଭ କରିଦେଇଥିଵେ ଫଳତଃ ଆଈ ଶବ୍ଦଟି ପରେ ମାତାମହୀଙ୍କ ପ୍ରତି ଵ୍ୟଵହୃତ ହେଵାକୁ ଲାଗିଲା । 

 ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଆଈ ଓ ମାତା ଇତ୍ୟାଦି ଶବ୍ଦ ମାଆ ଅର୍ଥରେ ପ୍ରୟୋଗ ହୋଇଥିଵା ଜଣାଯାଏ । କିନ୍ତୁ ବୋଉ ଶବ୍ଦଟି ତିନିଶହ ଵର୍ଷ ପୂର୍ଵଵର୍ତ୍ତୀ କୌଣସି ଓଡ଼ିଆ ସାହିତ୍ୟରେ ମାଆ ଅର୍ଥରେ ପ୍ରୟୋଗ ହୋଇଥିଵା ଦେଖାଯାଏ ନାହିଁ । ସମ୍ଭଵତଃ ଉକ୍ତ ସମୟରେ ଆଈ ଓ ମାଆ ଶବ୍ଦଦ୍ଵୟ ଓଡ଼ିଶାର ଅଧିକାଂଶ ଲୋକେ ତାଙ୍କର ମାତାଙ୍କୁ ସମ୍ବୋଧନାର୍ଥ ଵ୍ୟଵହାର କରୁଥିଲେ ଏଵଂ ବୋଉ ଶବ୍ଦଟି ଏକ ସୀମିତ ମାନଵଗୋଷ୍ଠୀ କିଂଵା ଅଞ୍ଚଳରେ ପ୍ରଚଳିତ ଥିଲା । ଯେତେବେଳେ ଆଈ ଶବ୍ଦଟି ମାଆଙ୍କର ମାଆଙ୍କୁ ସମ୍ବୋଧନାର୍ଥ ଚଳିଵାକୁ ଲାଗିଲା ସେତେବେଳେ ଏହି ବୋଉ ଶବ୍ଦଟି ଧୀରେ ଧୀରେ ଓଡ଼ିଶାରେ ତାହାର ସ୍ଥାନ ଅଧିକାର କରିନେଇଥାଇପାରେ । ସେତେବେଳେ ତେଣୁ କେତେକ ଅଞ୍ଚଳରେ ବେଈ ଶବ୍ଦର ଵ୍ୟଵହାରରେ ଜେଜେମା ଓ ଆଈଙ୍କୁ ସମ୍ବୋଧନ କରାଗଲା ଅନ୍ୟତ୍ର ଆପଣା କନ୍ୟାକୁ ବୁଈ ଡକାଗଲା ଏଵଂ ଆଉ କେତେକ ଅଞ୍ଚଳରେ ବୋଉ ଶବ୍ଦଟି ମାତାଙ୍କ ପ୍ରତି ପ୍ରୟୋଗ ହେଵାକୁ ଲାଗିଲା । ଏ ସମସ୍ତ ସମ୍ବୋଧନ ସ୍ନେହ ସମ୍ବୋଧନ ଏଥିରେ କୌଣସି ଅଶ୍ଳୀଳତା ଅଛି ବୋଲି ଵିଚାର କରିଵା କେଵଳ ନିଜର ମାନସିକ ଵିକଳାଙ୍ଗତାକୁ ପ୍ରଚ୍ଛନ୍ନ ଭାବେ ପ୍ରକାଶ କରିଵା ଛଡ଼ା ଆଉ କିଛି ନୁହେଁ । 

ବୋଉ ଶବ୍ଦକୁ ନେଇ ଉପକୂଳଵାସୀଙ୍କୁ ଏ  ପ୍ରଶ୍ନ କରାଯିଵାରୁ ଓଡ଼ିଶାର ବୁଦ୍ଧିଜୀଵୀମାନେ ଏହାର ଉତ୍ତର ଉଣ୍ଡିଵାରେ ଲାଗିପଡି଼ଲେ ।  ତହିଁପରେ ବୋଉ ଶବ୍ଦର  ନାନାଦି ନିରୁକ୍ତିମତ ଵିଭିନ୍ନ ଲୋକେ ଉପସ୍ଥାପନ କରିଅଛନ୍ତି । 

କେତେକଙ୍କ ମତରେ ବୋଉ ଶବ୍ଦଟି ଆଷ୍ଟ୍ରୋଏସୀୟ ଭାଷା ପରିଵାରର ଶବ୍ଦ ଏଵଂ ଅନେକ ଵର୍ଷ ଯାଏଁ ଏହା କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ପ୍ରଚଳିତ ଥିଲା କିନ୍ତୁ ସାହିତ୍ୟରେ ସ୍ଥାନ ପାଇ ଲୋକପ୍ରିୟ ହୋଇଅଛି । ଆଷ୍ଟ୍ରୋଏସୀୟ ମୂଳର ଭାଷା ଇଣ୍ଡୋନେସିଆ,ଜାଭାଭାଷା ଓ ମାଳୟ ଭାଷାରେ ଏବେ ବି ବୁ,ବୋ,ଇବୋ ଭଳି ଶବ୍ଦ ମାଆଙ୍କୁ ସମ୍ବୋଧନ ପାଇଁ ଵ୍ୟଵହୃତ ହୋଇଥାଏ ।‌ ଆଉ କେତେକଙ୍କ ଅନୁସାରେ ବୋଉ ଶବ୍ଦଟି ଵୋହୂ ଶବ୍ଦର ରୂପାନ୍ତରଣ ମାତ୍ର । ପିଲାଟିଏ ଆଗରେ ଶାଶୁ ନିଜ ଵୋହୂକୁ ଵହୂ,ଵଉ ଡାକିଵା ଶୁଣି ପିଲାଟି ତହିଁର ଅନୁକରଣରେ ବଉ ଓ ବୋଉ ଡାକିଵା ଆରମ୍ଭ କରିଛି । ଆଉ କିଛି ଲୋକେ ସଂସ୍କୃତ ଭାଷାରେ ଏ ବୋଉ ଶବ୍ଦର  ଉତ୍ସ ଉଣ୍ଡିଵାକୁ ଯାଇ ଏହାକୁ ତତ୍ସମ ବନ୍ଧୁ ଶବ୍ଦର ଅପଭ୍ରଂଶ ରୂପ ବୋଲି ମଧ୍ୟ ପ୍ରମାଣିତ କରିଵାକୁ ଚେଷ୍ଟା କରିଛନ୍ତି । ଏ ଦେଶରେ ସାଧାରଣତଃ ସଂସ୍କୃତକୁ ବ୍ରାହ୍ମଣମାନେ ନିଜର ଵେଦପାଠ, ଶାସ୍ତ୍ରରଚନା ଓ ଧାର୍ମିକ କର୍ମକାଣ୍ଡ ମଧ୍ୟରେ ହଜାର ହଜାର ଵର୍ଷ ଧରି ବଞ୍ଚାଇ ରଖିଛନ୍ତି । ସଂସ୍କୃତ ଦିନେ ଏ ଦେଶର ରାଷ୍ଟ୍ରଭାଷା ଥିଲା ଏଵଂ ଓଡ଼ିଶାର ବ୍ରାହ୍ମଣମାନଙ୍କ ମଧ୍ୟରେ ଵିଶେଷତଃ ବୋଉ ତଥା ନନା ଡାକ ପ୍ରଚଳିତ । ତେଣୁ ହୁଏତ ବ୍ରାହ୍ମଣ ପରିଵାର ମଧ୍ୟରେ ଆଗେ ମାଆଙ୍କୁ ବନ୍ଧୁ ଡାକୁଥିବେ ଏଵଂ ଏହି ଶବ୍ଦରୁ ପରେ ବୋଉ ଶବ୍ଦ ସୃଷ୍ଟି ହୋଇଥିଵ । କିନ୍ତୁ ଭାଷାଵିଦ ଡାକ୍ତର ଦେଵାଶିଷ ଜ୍ଯୈଷ୍ଠୀ ମହାଶୟଙ୍କ ଅନୁସାରେ ଓଡ଼ିଆ ସମ୍ବୋଧନର ପ୍ରଥମ ଅକ୍ଷର ‘ବ’ ହେଵାର ଏକ ଵିଶେଷ ଧ୍ଵନିତାତ୍ତ୍ଵିକ କାରଣ ରହିଛି ଯାହାକୁ ଅନେକେ ବୁଝିନପାରି ପ୍ରୋକ୍ତ ସମସ୍ତ ମତ ପ୍ରଦାନ କରିଛନ୍ତି।  ଶିଶୁଟିଏ ପିଇଵା ପାଇଁ ଓଠକୁ ସଞ୍ଚାଳନ କରେ; ତେଣୁ ଓଷ୍ଠ୍ୟ ଵର୍ଗର ‘ବ’ ଅକ୍ଷର ସହ ସ୍ଵରଵର୍ଣ୍ଣର ପ୍ରୟୋଗରେ, ପରିଵାର ସଦସ୍ୟଙ୍କୁ ଡାକେ । ପାଶ୍ଚାତ୍ୟ ଭାଷାଵିଦମାନେ ଏହାକୁ child babbling ଆଖ୍ୟା ଦେଇଛନ୍ତି । ଏହି ‘ବ’ ଅକ୍ଷରଟି ଅନୁନାସିକ ହେଲେ ‘ମ’ ଓ ‘ନ’ ଉତ୍ପନ୍ନ ହୁଏ । ଏଣୁ, ଧ୍ବନିତତ୍ତ୍ବରେ ‘ବୁଆ’, ‘ବୋଉ’ ଶବ୍ଦ ‘ପିତା’, ‘ମାଆ’ ତୁଳନାରେ ମୌଳିକ ଅଟେ । 

ଆଧୁନିକକାଳର ଭାଷାଵିଦ୍ ମତ ଦିଅନ୍ତି ଯେ ନନା,ଦଦା,ଦାଦୀ,ମାଆ,ବୋଉ,ବୁଆ ଆଦି ଯେତେ ଯେତେ ସମ୍ବୋଧନାର୍ଥକ ପାରିଵାରିକ ସମ୍ପର୍କ ସମ୍ବନ୍ଧୀୟ ଶବ୍ଦ ରହିଛି ସେ ସବୁର ସୃଷ୍ଟି child babblingରୁ ହୋଇଅଛି ।  ଶିଶୁମାନଙ୍କ ଦ୍ଵାରା ସୃଷ୍ଟି ହେଉଥିଵା ଧ୍ଵନିକୁ child babbling କୁହାଯାଏ । ଶିଶୁମାନେ ସୃଷ୍ଟି କରୁଥିଵା ଵ୍ଯଞ୍ଜନ ଧ୍ଵନିଗୁଡି଼କ ନିମ୍ନଲିଖିତ ମଧ୍ୟରୁ ଯେକୌଣସିଟି ହୋଇପାରେ
ଯଥା ―
■p(ପପ୍/ପାପା,ପିତା,ପା),
■b(ବୋଉ/ବାବା/ବା/ବାପା/ବୁଇ/ବୁଆ/ବାଈ/ବେଈ/ବେବେ/ବାବ୍ୱେ/ବବା/ବନ୍ଧୁ-ସଂସ୍କୃତ/ବିଜୀ; ହିନ୍ଦୀ/ବା; ଗୁଜରାଟୀ/)
■t(ତାତ/ତାଉ)
■d(ଦଦା/ଦାଦା/ଦାଦୀ/ଦିଦି/ଦେଈ/ଦେଠେଇ/ଦଦେଇ)
■k(କାକା/କକା/କାକୀ/କକେଇ)
■g(ଗୋସେଇଁ ମାଆ)
■m(ମାଆ/ମାତା/ମାଇଁ/ମମା/ମାମା/ମାମୁଁ)
■n(ନନା/ନାନା/ନାନୀ)
■h (ହା ହା ―ଜାପାନୀ; ମାଆ)
■j (ଯା= ମାତା(ସଂ), ଜେଜେ,ଜେଜି/ଜେଈ/ଜେପା/ଜେଜ)

ପୁଣି ଫୋନୋଲୋଜିକାଲ୍ ଵିକାଶ ସମୟରେ ନିମ୍ନଲିଖିତ ଧ୍ୱନିଗୁଡ଼ିକ ମଧ୍ୟ ପିଲାଏ ଵେଳେ ଵେଳେ ଉତ୍ପନ୍ନ କରିଥାଆନ୍ତି 
ଯଥା―

■/ f(ଫୁପା/ଫୁଫୀ-ହିନ୍ଦୀ,fu(ମାତା-ହଙ୍ଗେରୀ),S,W, v(ଵାଲଦେନ୍), θ, ð, ʃ, tʃ, dʒ, l, r, ŋ / ■

ଅଦ୍ୟପି ଭାରତୀୟ ଭାଷାଗୁଡି଼କରେ ଦ୍ଵିତୀୟ ଶ୍ରେଣୀର ଵ୍ଯଞ୍ଜନ ଧ୍ଵନି ଆଧାରିତ ସମ୍ଵୋଧନଵାଚକ ଶବ୍ଦ କ୍ଵଚିତ ଦେଖିଵାକୁ ମିଳିଥାଏ । ତେଣୁ ସଂକ୍ଷେପରେ କହିଲେ ମାଆ,ବୋଉ,ନନା ଓ ଦଦା ଇତ୍ୟାଦି ଶବ୍ଦଗୁଡି଼କର ଆଦ୍ଯ ମୂଳ ଦ୍ରାଵିଡ଼,ଆଷ୍ଟ୍ରୋଏସୀୟ କି ସଂସ୍କୃତ ନୁହେଁ ଵରଂ child babbling ଅଟେ । ଅଵଶ୍ୟ ଏହା ସତ୍ୟ ଯେ ଵିଶ୍ଵରେ ପିଲାଏ ପ୍ରଥମେ ସ୍ଵରଵର୍ଣ୍ଣ ଓ ତତ୍ପରେ ପ ଵର୍ଗର ପ,ଭ,ମ ଓ ବ ଇତ୍ୟାଦି ଧ୍ଵନି ସହଜରେ ଉଚ୍ଚାରଣ କରିପାରନ୍ତି । ପିଲାଟିଏ ଜନ୍ମ ପରର ପ୍ରାରମ୍ଭିକ ମାସଗୁଡି଼କରେ ଯେଉଁ ଶିଶୁସୁଲଭ ଶବ୍ଦ ସୃଷ୍ଟି କରିଥାଏ ତନ୍ମଧ୍ୟରେ ସ୍ଵରଵର୍ଣ୍ଣ ପ୍ରଥମେ ଓ ପରେ ପଵର୍ଗର ମ ଓ ବ ଵର୍ଣ୍ଣ ତଥା ତ ଵର୍ଗର ତ,ଦ,ନ ଆଦି ଵର୍ଣ୍ଣ ହୋଇଥାଏ । 

ବୋଉ ଶବ୍ଦଟି Child babblingରୁ ସୃଷ୍ଟି ହୋଇଥିଵାର ଅନେକ ପ୍ରମାଣ ରହିଛି ।‌ ପ୍ରଥମତଃ ପୃଥିଵୀର ପ୍ରାୟ ସମସ୍ତ ଭାଷାରେ ଵର୍ଗ୍ୟ ❝ବ❞ ଓ ❝ମ❞ ଵର୍ଣ୍ଣ ଆଦ୍ୟର ଅନେକ ସମ୍ବନ୍ଧଵାଚକ ସମ୍ବୋଧନାର୍ଥକ ଶବ୍ଦ ପ୍ରଚଳିତ ଏଵଂ ପିଲାମାନେ ଦୁଗ୍ଧପାନ ସମୟରେ child babbling ଯୋଗୁଁ ସର୍ଵାଧିକ ମ ଓ ବ ଧ୍ଵନି ହିଁ ଉତ୍ପନ୍ନ କରିଥାନ୍ତି । ଫଳତଃ ଏହି ଦୁଇଗୋଟି ଵର୍ଣ୍ଣରେ ସର୍ଵାଧିକ ସମ୍ବନ୍ଧଵାଚକ ସମ୍ବୋଧନାର୍ଥକ ଶବ୍ଦ ପ୍ରଚଳିତ ହୋଇଅଛି । 

ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ପିତାଙ୍କୁ ବୁଆ, ଦୁହିତା ଵା କନ୍ୟାକୁ ବୁଇ, ମାଁଙ୍କୁ ବୋଉ ଏଵଂ ଜେଜେମା ଆଈମାଆଙ୍କୁ ବେଈ ସମ୍ବୋଧନ ଏବେ ମଧ୍ୟ ପ୍ରଚଳିତ । ଏହି ଶବ୍ଦଗୁଡ଼ିକର ପ୍ରଥମ ଅକ୍ଷର 'ବ' ଅଟେ ଏଵଂ ଦ୍ୱିତୀୟ ଅକ୍ଷରଟି ସ୍ୱରଵର୍ଣ୍ଣ ଅଟେ l
 ଓଷ୍ଠ୍ୟ ଵର୍ଗର ଘୋଷ, ଅଳ୍ପପ୍ରାଣ ଅକ୍ଷରଟି 'ବ' ଅଟେ, ଏହି ଵର୍ଗର ଅଧିକ ପ୍ରାଣ ଵା ନିଶ୍ୱାସ ଆଵଶ୍ୟକ କରୁଥିଵା ମହାପ୍ରାଣ 'ଭ' ଓ ଅନୁନାସିକ ଵର୍ଣ୍ଣ 'ମ' ଅଟେ, ପୁନଶ୍ଚ ପିତା ଶବ୍ଦର 'ତ' ଅକ୍ଷରଟି ଦନ୍ତ୍ୟ ଵର୍ଗର ହୋଇଥିଵାରୁ 'ବ' ଅକ୍ଷରରେ ଆରମ୍ଭ ହେଉଥିଵା ଉପରୋକ୍ତ ଓଡ଼ିଆ ସମ୍ବୋଧନଗୁଡ଼ିକରେ  ଧ୍ୱନିତାତ୍ତ୍ୱିକ ମୌଳିକତା ଅଧିକ ରହିଛି ‌। ଆମ ଭାଷାରେ ଵର୍ଗ୍ୟ 'ବ' ଆଦ୍ଯର ଅନେକ ସମ୍ବନ୍ଧଵାଚକ ସମ୍ବୋଧନାର୍ଥକ ଶବ୍ଦ ପ୍ରଚଳିତ ଯହିଁର ସୂଚୀଟିଏ ଏଠାରେ ପ୍ରଦାନ କରିଦିଆଗଲା । 

•ବବା/ବାବା— ବଡ଼ବାପା(ଗଡ଼ଜାତ)
•ବୋଉମାଆ— ଦେଠେଇ,ଜେଠେଇ(ଗଞ୍ଜ,ଗଜ)
•ବଡ଼ମାଆ— ବଡ଼ବାପା ଵା ବବାଙ୍କ ସ୍ତ୍ରୀ
•ବଚା—ପୁଅ,ଛୋଟ ପିଲାକୁ ସମ୍ବୋଧନ (ଗଡ଼ଜାତ)
ଓଡ଼ିଆରେ ଢଗ ଅଛି...

“ଆଇଲେ ବାବା ଅମିନ ବଚା 
କର ଚରଚା ଦେ ଖରଚା ନେ ପାରଚା। 
ଅଇଲେ ଅମିନ ମାଇଲେ ମେଖ 
ବାରହାଣ୍ଡିଆଙ୍କୁ କରୁଛି ଭୋକ। 
ଅମିନ ଗାଆଁରେ ମାଇଲେ ମେଖ 
ପୋଲା ଖିଆଙ୍କର ମଲାଟି ଭେକ।”

ବଚା ଶବ୍ଦ ହିନ୍ଦୀରେ ବଚ୍ଚା ରୂପେ ପ୍ରଚଳିତ ଏଵଂ ଏହା ମୂଳତଃ ତତ୍ସମ ଵତ୍ସ ସହିତ ସମୋଦ୍ଧୃତ। ସୀମାନ୍ତ ଗଡ଼ଜାତ ଅଞ୍ଚଳରେ ବଚା ଶବ୍ଦ ପ୍ରୟୋଗ କରାଯାଏ ତେବେ ଉପକୂଳରେ କେତେକ ନିର୍ଦ୍ଦିଷ୍ଟ ଜାତି ଓ ଵିଶେଷ ପରିସ୍ଥିତିରେ ଏହା ପ୍ରୟୋଗ ହେଉଥିଵା ଦେଖାଯାଏ । 

•ବଡ଼୍‌ମା—ମାଆଙ୍କ ବଡ଼ ଭଉଣୀ(ଦ.ପ. ଓ.)
•ବଡ଼ପା— ବଡ଼ବାପା/ବବା(ଗଞ୍ଜାମ)
•ବଡ଼ଦା— ବଡ଼ ଭାଇ(ନୂଆପଡ଼ା)
•ବଡ଼ବା— ଦଦେଇ,ବଡ଼ବାପା(କୋ)
•ବଡ଼ବୋଉ— ବଡ଼ମାଆ(ଗଞ୍ଜାମ)
•ବଡୁ—ବଡ଼ବାପା,ଦଦେଇ,ମଉସା,ସାନ ଭାଇର ପୁଅ,ପିଉସା(ଭିନ୍ନ ଭିନ୍ନ ଅଞ୍ଚଳରେ ଵିଭିନ୍ନ ଅର୍ଥରେ ପ୍ରଚଳିତ)
•ବଡୁ଼ପୁଅ— ସାନଭାଇର ପୁଅ(ବୌଦ୍ଧ)
•ବଡ଼େଇ—ବଡ଼ବାପାଙ୍କ ପତ୍ନୀ
•ବପା— ବାପା(ସୁ), ବାପାଙ୍କ ସାନଭାଇ(ନୂଆ)
•ବପ୍ପା— ବାପା(ମାଲକାନଗିରି)
•ବଫା—ବାପା(କଳାହାଣ୍ଡି)
•ବବା—ବାବାର ବଡ଼ ଭାଇ, ବାପାଙ୍କ ବଡ଼ଭାଇ,ଦଦେଇ(କ, ଢେ, ଗଡ଼ଜାତ)
•ବହନି— ଭଉଣୀ(ଗଡ଼ଜାତ)
•ବହିନ— ଭଉଣୀ(ସୁ,ମ)
•ବହ/ବହୂ(ବୋହୂ)—ପୁଅର ସ୍ତ୍ରୀ(ଗଡ଼ଜାତ)
•ବହେନ୍—ଭଉଣୀ(ଗଡ଼ଜାତ)
•ବାଆ/ବା— ବାପା
•ବାଇ— ବଡ଼ଭଉଣୀ,ଜେଜେମାଆ(ଗଡ଼ଜାତ),ଅଳ୍ପଵୟସ୍କା ବାଳିକା ଓ କନ୍ଯାସ୍ଥାନୀୟା ସ୍ତ୍ରୀଙ୍କୁ ଗୁରୁଜନଙ୍କର ସ୍ନେହ ସମ୍ବୋଧନ ଭାବେ ବାଇ ଶବ୍ଦ ପ୍ରୟୋଗ ହୁଏ ଏଵଂ ଏହା ଓଡ଼ିଶା ତଥା ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ ଓ ରାଜସ୍ଥାନରେ ସ୍ତ୍ରୀଜାତିକୁ ଵିଭିନ୍ନ ଅର୍ଥରେ ସମ୍ବୋଧନ କରାଯାଉଥିଵା ଶବ୍ଦ ଅଟଇ । 
•ବା/ବାଆ— ବାପା
•ବାଵା— ବାପା(କଟକ)
•ବାୱା—ଭେଣୋଇ(ରାୟଗଡ଼ା; କଥିତ ଓଡ଼ିଆ ଶବ୍ଦକୋଷ)
•ବାପା—ପିତା, ଜେଜେବାପା(କେତେକ ଅଞ୍ଚଳରେ ପ୍ରଚଳିତ), ଗଞ୍ଜାମ ଜିଲ୍ଲାରେ ଵୟସ୍କ ଵୃଦ୍ଧଙ୍କୁ ସମ୍ମାନାର୍ଥେ ମଉସା ପରିଵର୍ତ୍ତେ ବାପା ସମ୍ବୋଧନ କରାଯାଏ,ପୁଅ ତଥା ଅଳ୍ପଵୟସ୍କ ବାଳକକୁ ସ୍ନେହ ସମ୍ବୋଧନ
•ବାବା—ବଡ଼ବାପା,ପୁଅକୁ ସ୍ନେହ ସମ୍ବୋଧନ
•ବାବୁ—ଅଳ୍ପଵୟସ୍କ ବାଳକ ତଥା ପୁଅଙ୍କୁ ସମ୍ବୋଧନ କରାଯାଇଥାଏ 
ଯଥା— “ଆରେ ବାବୁ ଶ୍ୟାମଘନ” ...
•ବୁଆ— ବାପା,ଛୋଟ ବାଳକ ଓ ପୁତ୍ରକୁ କରାଯିଵା ସମ୍ବୋଧନ ‌।
•ବୁଆରି— ଵୋହୂ,ଵଧୂ(କୋରାପୁଟ, ନଵରଙ୍ଗପୁର)
•ବୁଇ— ସାନଝିଅକୁ ସମ୍ବୋଧନ (ଗଡ଼ଜାତ)
•ବୁଢ଼ା/ବୁଢ଼ୀ—ସାନପୁଅ ଓ ଝିଅମାନଙ୍କୁ କରାଯିଵା ସ୍ନେହ ସମ୍ବୋଧନ (ଉତ୍ତର ଓଡ଼ିଶା ତଥା ଉପାନ୍ତ ଓଡ଼ିଶାରେ ସାନପୁଅ ତଥା ସାନଝିଅମାନଙ୍କୁ ଲୋକେ ସ୍ନେହରେ ଯଥାକ୍ରମେ ବୁଢ଼ା,ବୁଡ଼ା ଓ ବୁଢ଼ୀ,ବୁଡ଼ୀ ସମ୍ବୋଧନ କରିଥାନ୍ତି)
•ବୁପା— ବାପା(ଢେଙ୍କାନାଳ; କ୍ଵଚିତ୍ ସମ୍ବୋଧନାର୍ଥ ପ୍ରୟୋଗ କରାଯାଏ)
•ବୁବା— ବାପା(କେନ୍ଦୁ),ବଡ଼ବାପା(କନ୍ଧ)
•ବୁହାରି—ଵୋହୂ(କନ୍ଧମାଳ, ସୁଵର୍ଣ୍ଣପୁର)
•ବୁହିନ୍—ଭଉଣୀ(ଗଡ଼ଜାତ)
•ବୁହେନ—ଭଉଣୀ(ଗଡ଼ଜାତ)
•ବେଈ—ଜେଜେମାଆ,ଆଈ,ବଡ଼ଭଉଣୀ(ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଏହି ବେଈ ଶବ୍ଦଟି ଵିଭିନ୍ନ ଅର୍ଥରେ ପ୍ରଚଳିତ । କଥିତ ଓଡ଼ିଆ ଶବ୍ଦକୋଷରେ ବେଈ ଶବ୍ଦ କଳାହାଣ୍ଡି ଜିଲ୍ଲାରେ ଚଳୁଥିଵା ଉଲ୍ଲେଖ ଅଛି)
•ବେଟା— କେହି କେହି କୁହନ୍ତି ଵର୍ତ୍ତମାନ ଯୁଗରେ ହିନ୍ଦୀ ପ୍ରଭାଵିତ  ନଗରଵାସୀ ଓଡ଼ିଆମାନେ ପୁଅ ,ଛୋଟ ବାଳକମାନଙ୍କୁ ବେଟା ସମ୍ବୋଧନ କରୁଛନ୍ତି । କିନ୍ତୁ ପ୍ରାଚୀନ ଓଡ଼ିଆ ସାହିତ୍ୟ ତଥା ଢଗରେ ମଧ୍ୟ ବେଟା ଶବ୍ଦର ପ୍ରୟୋଗ ଦେଖାଯାଏ । 
ଯଥା 
“ଘରେ ନ ଥାଏ ଭୁର୍ଭୁଜା 
ବେଟା କରୁଥାଏ ଦୁର୍ଗାପୂଜା ॥”

କଵି କୃଷ୍ଣ ସିଂହ ତାଙ୍କ କୃଷ୍ଣ ମହାଭାରତରେ 
ବେଟା ଶବ୍ଦ ପ୍ରୟୋଗ କରିଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଗଳାମେଲିଵା ଶବ୍ଦ ତଳେ ଉଲ୍ଲେଖ କରାଯାଇଛି ...

“ଆନ ଧନୁ ଧରିଣ ଦ୍ରୁପଦଙ୍କ ବେଟା 
ରହ ରହ ବୋଇଲେ ମେଲିଣ ଗଳାଟା” । 

ଭାଷାକୋଷ ଅନୁସାରେ ବେଟା ଶବ୍ଦ ତତ୍ସମ ବଟୁ ଶବ୍ଦର ତଦ୍ଭଵ ରୂପ ଏଵଂ ବଟୁ ଶବ୍ଦର ଏକ ଅର୍ଥ ବାଳକ । 

•ବୋଉ— ଓଡ଼ିଶାର କେତେକ ପରିଵାରରେ ଵିଶେଷତଃ ବ୍ରାହ୍ମଣ ଓ ଖଣ୍ଡାୟତ ପରିଵାରରେ ମାଆଙ୍କୁ ବୋଉ ତଥା ଜେଜେମାଆଙ୍କୁ ମାଆ ଡାକିଵାର ପରମ୍ପରା ପ୍ରଚଳିତ । ଗଡ଼ଜାତରେ  ଓଡ଼ିଆ ଭାଉଜ ଓ ଵଧୂ ଅର୍ଥଜ ଵୋହୂ ଶବ୍ଦ ପରିଵୃତ୍ତ ହୋଇ ଵହୂ,ଵଉ ଓ ଵୋଉ ରୂପେ ପ୍ରଚଳିତ । ଓଡ଼ିଆ ଭାଷାରୁ ଅଵର୍ଗ୍ୟ ‘ଵ’ର ଉଚ୍ଚାରଣ ଓ ଲିଖନ ଉଠିଯାଇଥିଵାରୁ ଵଧୂ ସହିତ ସମୋଦ୍ଧୃତ ଵୋହୂ ଅର୍ଥଜ ନୂଆଵୋଉ,ଵଉ,ଵୋଉ 
ଆଦି ଶବ୍ଦଗୁଡ଼ିକୁ ନୂଆବୋଉ,ବଉ ଓ ବୋଉ ଲେଖାଯିଵାରୁ ମାତା ଅର୍ଥରେ ସମ୍ବୋଧନ ହେଉଥିଵା ଵର୍ଗ୍ୟ ବ ଯୁକ୍ତ ବୋଉ ଶବ୍ଦକୁ ନେଇ ଦ୍ଵନ୍ଦ୍ଵ ସୃଷ୍ଟି ହୋଇଥାଏ ।  

ବୋପା—ବାପା
ଏ ଶବ୍ଦର ସମ୍ବୋଧନଵାଚକ ଶବ୍ଦରୂପରେ ପ୍ରୟୋଗ କେଵଳ ଅତି ସ୍ନେହ କିଂଵା କ୍ରୋଧାନ୍ୱିତ କାଳରେ ହୋଇଥାଏ । ବେଳେ ବେଳେ କେତେକ ଲୋକ ଛୋଟବାଳକଙ୍କୁ ସମ୍ବୋଧନାର୍ଥ ବୋପା  ଶବ୍ଦ ପ୍ରୟୋଗ କରିଥାନ୍ତି । ଏହି ଶବ୍ଦଟି ଓଡ଼ିଶାର ପଶ୍ଚିମାଞ୍ଚଳରେ ଯାଇ ବୁଆ ରୂପେ ପ୍ରଚଳିତ ହୋଇଥିଵାର ମତ ରହିଛି ସେହିପରି ଢେଙ୍କାନାଳୀ ଓଡ଼ିଆରେ ବୋପା ଶବ୍ଦଟି ବୁପା ରୂପେ ଚଳୁଅଛି । ପ୍ରୋକ୍ତ ସମ୍ବନ୍ଧଵାଚକ ଶବ୍ଦ ସୂଚୀରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଓଡ଼ିଶାରେ ଵର୍ଗ୍ଯ 'ବ'ରୁ ସ୍ତ୍ରୀଲୋକଙ୍କୁ ସମ୍ବୋଧନ କରାଯିଵା ବେଇ,ବାଇ ଓ ବୁଇ ଭଳି  ଶବ୍ଦ ରହିଛି ତେଣୁ ବୋଉ ଶବ୍ଦ ମଧ୍ୟ ରହିଵା ଅସମ୍ଭଵ ନୁହେଁ । 

ଭାରୋପୀୟ ଭାଷାପରିଵାରଟି ବଡ଼ ହୋଇଥିଵାରୁ ତଥା ଇଂରାଜୀ, ସଂସ୍କୃତ,ଲାଟିନ୍ ଇତ୍ୟାଦି କିଛି ଭାଷା ପୃଥିଵୀରେ ଵିଭିନ୍ନ ସମୟରେ ଅନ୍ୟାନ୍ୟ ଭାଷାପରିଵାର ଉପରେ ଆପଣା ପ୍ରଭାଵ ପକାଇଥିଵାରୁ ଏଵଂ ମ ଵର୍ଣ୍ଣ ପିଲାଏ ସହଜରେ ଉଚ୍ଚାରଣ କରିପାରୁଥିଵାରୁ ମ ଆଦ୍ଯର ମାତା ସମ୍ବୋଧନ ଵାଚକ ପ୍ରତିଶବ୍ଦ ଵିଶ୍ଵର ଅନେକ ଭାଷାରେ ଦୃଶ୍ୟ ହୋଇଥାଏ । ମାତ୍ର ଏହା ଏକ ଭ୍ରମ ଧାରଣା ଯେ ପୃଥିଵୀରେ ପ୍ରଚଳିତ ଅନ୍ୟାନ୍ୟ ଭାଷାଗୁଡି଼କରେ ମାଆଙ୍କୁ କେଵଳ 'ମ' ଆଦ୍ୟ ଵର୍ଣ୍ଣର ସମ୍ବନ୍ଧଵାଚକ ଶବ୍ଦ ଦ୍ଵାରା ସମ୍ବୋଧନ କରାଯାଏ । ନିମ୍ନରେ ଵିଶ୍ଵରେ କେତେକ ଭାଷାରେ ମାଆଙ୍କୁ କ'ଣ ଡକାଯାଏ ତାହା ଉଲ୍ଲେଖ କରାଯାଉଛି ।

 Finnish ଭାଷାରେ  “Aiti”,äiskä ଓ äippä ଶବ୍ଦଗୁଡ଼ିକର ଅର୍ଥ ମାତା ଅଟଇ । 
Hungarian ଭାଷାରେ ମାଆଙ୍କୁ “Anya” କୁହାଯାଏ ପୁଣି ଏଠାକାର ଲୋକ ମାଆଙ୍କୁ  “Fu” ବି ସମ୍ବୋଧନ୍ତି । Turkish ଲୋକେ ତାଙ୍କର ମାତାଙ୍କୁ ସମ୍ବୋଧନ ହେତୁ  “Anne,” “Ana”  “Valide” ଆଦି ଶବ୍ଦ ଵ୍ଯଵହାର କରନ୍ତି । ସେହିପରି Azeriରେ Ana,Lao ଭାଷାରେ ແມ່(aem),Frisian ଭାଷାରେ Ã ଓ iti ଇତ୍ୟାଦି ଶବ୍ଦ ଵ୍ୟଵହାର ପୂର୍ବକ ମାତାଙ୍କୁ ସମ୍ବୋଧନ କରାଯାଏ । koreanରେ ମାଆଙ୍କୁ 어머니(eomeoni),Mangolianରେ ээж(eej),Yorubaରେ iya,Cebuanoରେ inahan,
Ilongo ଭାଷାରେ Iloy; Nanay ଓ Nay,Japanese: “Okaasan”, “Haha” ଓ abo ଶବ୍ଦ ଵ୍ଯଵହାର ହୁଏ । 
Hausa ଭାଷାରେ ମାଆଙ୍କୁ uwar ଡକାଯାଇଥାଏ । ଆଫ୍ରିକାର Zulu ଭାଷୀ ତାଙ୍କ ମାଆଙ୍କୁ unina ଡାକିଥାଆନ୍ତି । 
Tao ଭାଷାରେ କ ଵର୍ଣ୍ଣ ଆଦ୍ୟର ká,ká’ȕ,łá’ȕ ଆଦି ଶବ୍ଦ ମାଆଙ୍କୁ ସମ୍ବୋଧନାର୍ଥ ପ୍ରୟୋଗ କରାଯାଏ । Ossetianରେ ମାଆଙ୍କୁ гыцци(gycci) ଡାକନ୍ତି । ଏ ଭାଷାରେ ମାଆଙ୍କୁ  нана(nana) ଓ мамӕ(mamæ) ଶବ୍ଦର ମଧ୍ୟ ଡକାଯାଏ । Samoan ଭାଷାରେ ମାଆଙ୍କୁ “Tina” ଓ Aymara ଭାଷାରେ Taica ସମ୍ବୋଧନ କରାଯାଏ । Caló ଭାଷାରେ ମାଆଙ୍କୁ Bata ଓ Dai ଡାକନ୍ତି ।  ଭାରତରେ ମଧ୍ୟ ଆୟାଙ୍କୁ ଦାଈମା ଡକାଯାଇଥାଏ । ସେହିପରି Georgian ଭାଷାରେ დედა(Deda),დედიკო(dediḳo) ଶବ୍ଦ ମାଆର ମୁଖ୍ୟ ପ୍ରତିଶବ୍ଦ ଅଟଇ । ପୃଥିଵୀର ଅନେକ ଭାଷାରେ ନ ଆଦ୍ୟର ଅନେକ ମାତା ସମ୍ବନ୍ଧିତ ସମ୍ବୋଧନଵାଚକ ଶବ୍ଦ ଚଳୁଅଛି ।  ଯଥା Albanianରେ “Nene” ,Galician ରେ nai,Hmongରେ niam,Chechenରେ Nana ଓ ପାର୍ସୀରେ Nane (   ننه   ) ଇତ୍ୟାଦି ଇତ୍ୟାଦି । ପୁଣି Hungerian ଭାଷାରେ ମାଆଙ୍କୁ fu ଡକାଯାଇଥାଏ । ପୃଥିଵୀର ଅନେକ ଭାଷାରେ ପୁଂଵାଚକ ସମ୍ବୋଧନାର୍ଥକ ଶବ୍ଦ ରୂପେ ବାବା ଶବ୍ଦ ପ୍ରଚଳିତ କିନ୍ତୁ avar: ଭାଷାରେ ମାଆଙ୍କୁ баба (baba) ଡକାଯାଇଥାଏ । ଏ ଭାଷାରେ ମାଆଙ୍କୁ эбел(èbel) ମଧ୍ୟ ଡାକିଥାଆନ୍ତି । Malagasyରେ ମାଆଙ୍କୁ reny ସମ୍ବୋଧନ କରାଯାଏ ସେହିପରି Lunfardo ଭାଷାରେ Vieja ଡକାଯାଏ ସଂସ୍କୃତ ଭାଷାରେ ମଧ୍ୟ ମାତା ଶବ୍ଦର ଅଵର୍ଗ୍ୟ ଵ ଵର୍ଣ୍ଣ ଆଦ୍ୟର ଅନେକ ପ୍ରତିଶବ୍ଦ ପ୍ରଚଳିତ । ଏହିପରି ପୃଥିଵୀରେ ଅନେକ ଭାଷା ରହିଛି ଯହିଁରେ ମାଆଙ୍କୁ ସମ୍ବୋଧନ କରିଵା ପାଇଁ 'ମ' ଵର୍ଣ୍ଣ ଛଡ଼ା ଅନ୍ୟ ଵର୍ଣ୍ଣ ଆଦ୍ୟର ପ୍ରତିଶବ୍ଦ ପ୍ରଚଳିତ। 
ସେମାନେ ତାଙ୍କ ମାଆଙ୍କୁ ଏ ସବୁ ଶବ୍ଦ ପ୍ରୟୋଗ କରି ଡାକିଦେଇ ଛୋଟ ଵିଵେଚିତ ହେବେ କି ?

ପୁଣି ଯଦି ଘରର ଵୋହୂକୁ ମାତୃଵତ୍ ଵିଚାର କରି ତାହାର କେହି କେହି ଶଶୁର,ଦିଅର ”ଵଉ ,ଵଉମାଆ” ସମ୍ବୋଧନ କରିଦେଲା ତାହା ଏକ ସମ୍ମାନ ସୂଚକ ସ୍ନେହ ସମ୍ବୋଧନ ବୋଲାଯିଵ ନା ଅଶ୍ଳୀଳ ସମ୍ବୋଧନ ଵିଦିତ ହେଵ ? ଘରର ଵୋହୂ ଅର୍ଥାତ୍ ବଡ଼ଭାଇଙ୍କର ସ୍ତ୍ରୀ ଦିଅର ପାଇଁ ଏଵଂ ପୁତ୍ରର ପତ୍ନୀ ଶଶୁର ପାଇଁ ମାତା ସମାନ ନୁହେଁ କି ? 

କେଵଳ ଭାରତରେ ହିଁ ନୁହେଁ ଚୀନ ଦେଶରେ ମାତାଙ୍କୁ ଵିଭିନ୍ନ ଭାଷାରେ 
母親 (móuhchàn),媽媽 (màhmà) ,阿母 (a mā) ,母親 (mu1-cin1),媽媽 (ma5-ma3),阿母 (a1-me1),母親 (mǔqīn), 
妈妈 [媽媽] (māma) ,母親 (bó-chhin),阿母 (a-bó) ଓ 俺娘 (án-niâ) ଆଦି ସମ୍ବୋଧନ କରିଥାନ୍ତି ।  ଉଲ୍ଲେଖଯୋଗ୍ୟ ଯେ ଏଠାରେ ପ୍ରଦତ୍ତ 阿母 (a-bó) ଶବ୍ଦଟି ଜାପାନୀ ଭାଷାରେ ମଧ୍ୟ ଚଳୁଅଛି ତେଵେ ଏହାର ଵ୍ଯଵହାର ଜାପାନର କେତେକ ଜନଜାତି ମଧ୍ୟରେ ସୀମିତ ରହିଯାଇଛି । 

ପୁଣି ଚୀନଦେଶୀୟ ଭାଷାଗୁଡି଼କରେ ପ୍ରଚଳିତ ଏହି 阿母 (a-bó)
ଶବ୍ଦର ଭିନ୍ନ ଭିନ୍ନ ଅଞ୍ଚଳରେ ଵିଭିନ୍ନ ଅର୍ଥରେ ଵ୍ୟଵହାର ରହିଛି । ଯଥା—

•ଚୀନର Min Nanଭାଷାରେ 阿母 (a-bó) ଶବ୍ଦର ଅର୍ଥ ‘ମାଆ’ 
•Cantonese ଭାଷାରେ ଭାଉଜଙ୍କୁ 
阿母 (a-bó) କୁହାଯାଏ । 
•Dongguan Cantonese ଉପଭାଷାରେ
ମାଇଁଙ୍କୁ 阿母 (a-bó) କୁହନ୍ତି । 
•ଚୀନଦେଶର କେତେକ ଶୈଳୀରେ 
ନର୍ସମାନଙ୍କୁ 阿母 (a-bó) କୁହାଯାଇଥାଏ ।

ଚୀନଦେଶରେ a-bó  ଶବ୍ଦର ଅଞ୍ଚଳ ଭେଦରେ ଵିଭିନ୍ନ ଅର୍ଥ ରହିଛି ପୁଣି ମାଆଙ୍କୁ ସମ୍ବୋଧନାର୍ଥେ ଵିଭିନ୍ନ ଚୀନଦେଶୀୟ ଭାଷାରେ  ଭିନ୍ନ ଭିନ୍ନ ଶବ୍ଦ ଚଳୁଅଛି । କିନ୍ତୁ ସେମାନେ ଆମ ଓଡ଼ିଆଙ୍କ ପରି ସମ୍ବୋଧନ ଵାଚକ ଶବ୍ଦକୁ ନେଇ ପରସ୍ପରରେ କାଦୁଅ ଫିଙ୍ଗାଫିଙ୍ଗି ହେଉଥିଵାର ଦେଖାଯାଏ ନାହିଁ । 

ତାପରେ ଆମ ମହାକଵି ସଂସ୍କୃତଭାଷା କାନ୍ଧରେ ବନ୍ଧୁକ ରଖି ଓଡ଼ିଆ ଭାଷା ଉପରେ ବୋଉ ଶବ୍ଦ ଘେନି ଆକ୍ରମଣ କରିଥିଲେ । ସେ କହିଥିଲେ ସଂସ୍କୃତ ଭାଷାରେ ମାତା,ମାତୃ ଶବ୍ଦ ଅଛି କିନ୍ତୁ ବୋଉ ଶବ୍ଦ ନାହିଁ । ହେଲେ ସଂସ୍କୃତ ଭାଷା ଏତେ ସଂକୀର୍ଣ୍ଣ ନିକୃଷ୍ଟ ଭାଷା ନୁହେଁ ଯେ କେଵଳ ମାତୃ ଶବ୍ଦ ମଧ୍ୟରେ ଏହାର ଶବ୍ଦର ଶବ୍ଦ ସମ୍ଭାର ସୀମିତ । 

ସଂସ୍କୃତ ଭାଷା ଵିଶ୍ଵର ଶ୍ରେଷ୍ଠତମ ଵୈଜ୍ଞାନିକ ଭାଷା । ଏ ଭାଷା ମଧ୍ୟ ମାତୃ କିଂଵା ମାତା ଶବ୍ଦ ମଧ୍ୟରେ ସୀମିତ ରହିଯାଇନାହିଁ ଵରଂ ସଂସ୍କୃତଭାଷାରେ ଵିଭିନ୍ନ ଵର୍ଣ୍ଣ ଆଦ୍ୟର ମାତା ଶବ୍ଦର ଅନେକ ପ୍ରତିଶବ୍ଦ ରହିଛି ।  ଅମ୍ବାଳୀ,ଅଜ୍ଜୂ,ଅରଣୀ,ଅମ୍ବା
,ଅମ୍ବାଳିକା,ଅମ୍ବାଦା,ଅମ୍ବିକା,ଅବ୍ବା,ଅମ୍ବି,ଅମ୍ବାଳା,ଅକ୍କା,ଅତ୍ତା
,ଅମ୍ବୟା,ଅଲ୍ଲା,ଅନସ୍ ,ଅର୍ଣ୍ଣୋଦ,କରଵୀରୀ,ଗୁର୍ଵୀ,ଗୋ,ଜନ୍ମପ୍ରତିଷ୍ଠା
,ଜନୀ,ଜନନୀ,ଜାତୃ,ଜାନୀ,ଜନିକା,ଜ୍ଯା,ଜନିତ୍ରୀ,ଜନ୍ମଦାତ୍ରୀ,
,ଜନିତ୍ଵା,ଜା,ଜନ୍ଯା,ଧାତ୍ରୀ,ନନା,ପ୍ରଂସଵିନୀ,ପ୍ରସଵିତ୍ରୀ,ପ୍ରସୂ
,ପ୍ରକୃତି,ପିଣ୍ଡଦା,ପ୍ରଜନିକା,ପ୍ରସଵସ୍ଥଳି,ବନ୍ଧୁ,ମାତୃ,ମାତୃକା,ଵିଜାତା
,ଵରାରଣି,ଵାଶ୍ର,ଶୁଶ୍ରୂ,ଶିଫ,ଶିଫା ,ସଵିତ୍ରୀ,ସୃତ୍ଵରୀ,ସୂ
ଓ ସଷଣା ଇତ୍ୟାଦି ଶତାଧିକ ଭାରତୀୟ ଵୈଜ୍ଞାନିକ ମାନକ ଶବ୍ଦ ସହସ୍ରାଧିକ ଵର୍ଷ ଧରି ଭାରତଵର୍ଷର ମାନକ ଶାସ୍ତ୍ରୀୟ ଭାଷା ସଂସ୍କୃତର ସାହିତ୍ୟରେ ପ୍ରୟୋଗ ହୋଇ ଆସିଛି । ସ୍ପଷ୍ଟ ହୁଏ ଯେ ଆମ ଭାରତୀୟ ପୂର୍ଵଜମାନେ କେବେ ବି କେଵଳ ମାତା ଶବ୍ଦ ଶ୍ରେଷ୍ଠ ବୋଲି ଵିଚାର କରି ବସିଯାଇନଥିଲେ କିଂଵା କେହି ସଂସ୍କୃତ ଭାଷାରେ ମାତା ଅର୍ଥରେ ଜନନୀ,ଧାତ୍ରୀ,ନନା,ଅମ୍ବା,ପ୍ରକୃତି କିଂଵା ଶିଫା ଇତ୍ୟାଦି ଶବ୍ଦ ଵ୍ୟଵହାର କଲେ ତାକୁ ହୀନ ନୀଚ କହି ତାତ୍ସଲ୍ୟ କରିନାହାନ୍ତି । 

ତାହେଲେ ଆମ୍ଭେମାନେ ତାଙ୍କରି ଵର୍ତ୍ତମାନ ଵଂଶଜ ହୋଇ ବି ବୋଉ,ବୌ,ବାଈ,ବୁଈ ଓ ବେଈ ଭଳି ସମ୍ବୋଧନଵାଚକ ଶବ୍ଦକୁ ଆଧାରକରି ପରସ୍ପରକୁ ଅପମାନିତ କରିଵା କେତେଦୂର ସମୀଚିନ ଓ ଯୁକ୍ତିସଙ୍ଗତ ଅଟଇ ?

ଯୋଉମାନେ କହୁଛନ୍ତି କଟକିଆ ଉପକୂଳିଆଙ୍କ ବୋଉ ଶବ୍ଦ ଅଶାଳୀନ ସେମାନେ ନିଜେ ଅଶାଳୀନ । ଓଡ଼ିଶାରେ ଉଭୟ ମାଆ ଆଉ ବୋଉ ଶବ୍ଦର ପ୍ରଚଳନ ଅଛି ଵରଂ ଉପକୂଳିଆ ମାଆ ଶବ୍ଦକୁ ଯେତିକି ସମ୍ମାନର ସହିତ ଵ୍ୟଵହାର କରନ୍ତି ସାରା ଵିଶ୍ଵରେ କେହି କରୁନଥିବେ ।‌ ଷୋଡ଼ଶପ୍ରକାର ମାତାଙ୍କ କଥା ବ୍ରହ୍ମଵୈଵର୍ତ୍ତ ପୁରାଣର ଗଣପତିଖଣ୍ଡରେ କାର୍ତ୍ତିକେୟ  ସଂଵାଦସ୍ଥ ୧୫ତମ ଅଧ୍ଯାୟରେ ଲେଖାଅଛି

  “ସ୍ତନଦାତ୍ରୀ ଗର୍ଭଧାତ୍ରୀ ଭକ୍ଷଦାତ୍ରୀ ଗୁରୁପ୍ରିୟା । 
 ଅଭୀଷ୍ଟଦେଵପତ୍ନୀ ଚ ପିତୁଃ ପତ୍ନୀ ଚ କନ୍ଯକା ॥
 ସଗର୍ଭଜା ଯା ଭଗିନୀ ପୁତ୍ତ୍ରପତ୍ନୀ ପ୍ରିୟାପ୍ରସୂଃ । 
ମାତୁର୍ମାତା ପିତୁର୍ମାତା ସୋଦରସ୍ଯ ପ୍ରିୟା ତଥା ॥
ମାତୁଃ ପିତୁଶ୍ଚ ଭଗିନୀ ମାତୁଳାନୀ ତଥୈବ ଚ ।
ଜନାନାଂ ଵେଦଵିହିତା ମାତରଃ ଷୋଡଶ ସ୍ମୃତାଃ ॥ ” 

ଓଡ଼ିଆ ସମାଜ ଶାସ୍ତ୍ରର ଏହି କଥନକୁ କେମିତି ପାଳନ କରିଛି ତହିଁର କେତେକ ଉଦାହରଣ ନିମ୍ନରେ ପ୍ରଦତ୍ତ ହେଲା...

ଓଡ଼ିଶାରେ ଶିକ୍ଷୟିତ୍ରୀ ତଥା ଶିକ୍ଷକଙ୍କ ପତ୍ନୀଙ୍କୁ ଗୁରୁମାଆ ସମ୍ବୋଧନ କରାଯାଏ । ଏଭଳି ଲୋକାଚାର ଭାରତରେ ଅନ୍ୟତ୍ର ପ୍ରାୟତଃ ଲୁପ୍ତ ହୋଇଯାଇଥିଵା ବେଳେ ଓଡ଼ିଶାରେ ଅଳ୍ପ ବହୁତେ ବଞ୍ଚି ରହିଛି । 
ଦେଵତାଙ୍କ ପତ୍ନୀ ଓ ଦେଵୀମାନଙ୍କୁ ଓଡ଼ିଶାରେ ମାଆ ସମ୍ବୋଧନ କରାଯାଏ । ଯଥା ମାଆ ସମଲେଈ,ମାଆ ତାରିଣୀ ଓ ମାଆ ମଙ୍ଗଳା ଇତ୍ୟାଦି । ଓଡ଼ିଶାରେ ମାଈଁ,ମମା ଵା ମାମା,ବଡ଼ମାଆ,ମାଉସୀ, ପିଉସୀ ମାଆ ଓ ଖୁଡି଼ଙ୍କୁ କେତେକ ଅଞ୍ଚଳରେ ଆବୋଉ  ଆଦି ସମ୍ବୋଧନ ପ୍ରମାଣ କରେ ଯେ ଓଡ଼ିଆ ସମାଜ ଭାରତୀୟ ଶାସ୍ତ୍ରର କଥନକୁ କେମିତି ସମାଜ ମଧ୍ୟରେ ଅଙ୍ଗୀକାର କରିନେଇଛି । ଓଡ଼ିଶାରେ ନିଜ ମାତାକୁ ଲୋକେ ମାଆ,ବୋଉ ଆଦି ସମ୍ବୋଧନ କରିଥାନ୍ତି । ସେହିପରି ଆଗେ ଓଡ଼ିଶାରେ ମାତାଙ୍କୁ ଆଈ ସମ୍ବୋଧନ କରାଯାଉଥିଲା ।  ଆଈ ଶବ୍ଦଟି କ୍ରମେ ମାତାଙ୍କ ମାଆଙ୍କ ପ୍ରତି ସମ୍ବୋଧନ ହେତୁ ଵ୍ୟଵହାର ହେଵାକୁ ଲାଗିଲା ।  ଆଜିକାଲି ପୂର୍ଵାଞ୍ଚଳର ପିଲାଏ ନିଜ ଜେଜେମାଆଙ୍କୁ ମାଆ ତଥା ନିଜ ଜନ୍ମକଲା ମାଆକୁ ବୋଉ କିଂଵା ମାମା,ମମି ସମ୍ବୋଧନ କରୁଛନ୍ତି । ପୁନଶ୍ଚ ମାନକ ଓଡ଼ିଆ ଭାଷାରେ ପିତୁର୍ମାତାଙ୍କୁ ଜେଜେମାଆ କୁହାଯାଏ । ସେହିପରି ଉତ୍ତର ଓଡ଼ିଶାରେ ଗୋସେଇଁମାଆ ସମ୍ବୋଧନ କରାଯାଏ । ଏ ଶବ୍ଦ କ୍ଷେତ୍ରରେ ମଧ୍ୟ ଓଡ଼ିଆ ଜନସମାଜ ଶାସ୍ତ୍ରର କଥାକୁ ପାଳନ କରିଵାକୁ କୁଣ୍ଠାବୋଧ କରିନାହିଁ । ପୁତ୍ତ୍ରପତ୍ନୀ ଅର୍ଥାତ୍ ପୁଅର ସ୍ତ୍ରୀକୁ ମାତା ଵିଚାର କରିଵାକୁ ବ୍ରହ୍ମଵୈଵର୍ତ୍ତ ପୁରାଣରେ କୁହାଯାଇଛି । ଓଡ଼ିଶାର ଲୋକେ ଶାସ୍ତ୍ରର ଏହି ନିର୍ଦ୍ଦେଶକୁ ପାଳନ କରି  ନିଜ ପୁତ୍ରଵଧୂକୁ ଵୋହୂମାଆ ସମ୍ବୋଧନ କରିଥାନ୍ତି (ଵିଶେଷତଃ ଶଶୁର) ।  ଆମ ଓଡ଼ିଶାରେ ଛୋଟ ଝିଅମାନଙ୍କୁ ସ୍ନେହରେ ମାଆ ସମ୍ବୋଧନ କରିଵାର ପରମ୍ପରା ପ୍ରଚଳିତ । ଓଡ଼ିଆ ଵିଚ୍ଛିନ୍ନାଞ୍ଚଳ ଛଡ଼ା ଭାରତରେ ଅନ୍ୟତ୍ର ଏଭଳି ପରମ୍ପରା ଥିଵା ଜଣାଯାଏ ନାହିଁ ।  ଓଡ଼ିଶାରେ ଗଞ୍ଜାମ ଜିଲ୍ଲାର ଲୋକେ ଏ କ୍ଷେତ୍ରରେ ସର୍ଵଭାରତୀୟ ସ୍ତରରେ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି କହିଲେ ଅତ୍ୟୁକ୍ତି ହେଵ ନାହିଁ ।
ସାରା ଭାରତରେ ବୃଦ୍ଧା ମହିଳାଙ୍କୁ ମୌସୀ, ମାଉସୀ,ଆଣ୍ଟି ଆଦି ସମ୍ବୋଧନ କରାଯାଉଥିଲା ବେଳେ ଗଞ୍ଜାମ ଜିଲ୍ଲା ସର୍ଵଭାରତୀୟ ସ୍ତରରେ ଏକ ମାତ୍ର ଅଞ୍ଚଳ ଯେଉଁଠି ଵୃଦ୍ଧା ମହିଳାଙ୍କୁ ସମ୍ମାନ ଦେଵାକୁ ଯାଇ ଗଞ୍ଜାମଵାସୀ ମାଆ ସମ୍ବୋଧନ କରିଥାଆନ୍ତି । ଅସ୍ତୁ କୁହାଯାଇପାରେ ଯେ ଶାସ୍ତ୍ରରେ କଥିତ ଷୋଡ଼ଶ ମାତା ତୁଲ୍ୟା ମହିଳାଙ୍କ ମଧ୍ୟରେ ଅଧିକାଂଶକୁ କୌଣସି ନା କୌଣସି ରୂପରେ ଓଡ଼ିଶାରେ ମାଆ ସମ୍ବୋଧନ କରାଯାଏ ।  ଓଡ଼ିଆ ଜାତି ମହିଳାଙ୍କୁ ସମ୍ମାନ ଦେଵାରେ ସାରା ଭାରତ ମଧ୍ୟରେ ଅଗ୍ରଣୀ କିନ୍ତୁ କିଛି ଦୁଷ୍ଟ ଲୋକଙ୍କ ଯୋଗୁଁ ଆଜି ଓଡ଼ିଶାରେ ମହିଳା ଓ ମହିଳାଙ୍କୁ ସମ୍ବୋଧନ କରାଯିଵା 'ବୋଉ' ଭଳି ସମ୍ବୋଧନଵାଚକ ଶବ୍ଦ ଲାଞ୍ଛିତ , ଅପମାନିତ । 
       •••••••×•••••••

Wednesday, March 29, 2023

ଓଡ଼ିଶାର କାଳ୍ପନିକ ଜୀଵ ଓ କୋକୁଆ

ଅଳି ଅଝଟ କରୁଥିଵା ଓ କଥା ନମାନି ଦୁଷ୍ଟ ହେଉଥିଵା ପିଲାମାନଙ୍କୁ ଡରାଇ ଆକଟ କରିଵା ନିମନ୍ତେ କଳ୍ପିତ ଭୟଙ୍କର ଜୀଵର ଚିତ୍ରଣ ପୃଥିଵୀରେ ସର୍ଵତ୍ର ଊଣା ଅଧିକେ ହୋଇଅଛି । ଦୁଷ୍ଟ ଛୁଆଙ୍କୁ ଡରେଇ ଵଶ କରିଵାର ଏହା ଏକ ଅଭିନଵ ପନ୍ଥା । ଆଗକାଳରେ ଆଜିକାଲି ଭଳି ଏତେ ଆଲୋକ ଵ୍ୟଵସ୍ଥା ନଥିଲା । ଭୟଙ୍କର ପଶୁ ଓ ଵିଷାକ୍ତ କୀଟପତଙ୍ଗ ରାତିରେ
ଚରାଵୁଲା କରୁଥିଲେ । କାଳେ ପିଲାଏ ଜିଜ୍ଞାସାଵଶତଃ ଵା ବାରଣ ସତ୍ତ୍ୱେ ରାତ୍ର ସମୟରେ ଘରୁ ଵାହାରି ନିଚ୍ଛାଟିଆ ସ୍ଥାନକୁ ଚାଲିନଯାଆନ୍ତୁ ଓ ଵିପଦରେ ନପଡ଼ନ୍ତୁ ସେଥିପାଇଁ ପୃଥିଵୀର ଅଧିକାଂଶ ଦେଶରେ ଏହିଭଳି କାଳ୍ପନିକ ଜୀଵଙ୍କର କଳ୍ପନା କରାଯାଇଛି ।ସାଧାରଣତଃ ଗଳ୍ପ ଓ ଲୋକଗୀତରେ ପିଲାମାନେ ପ୍ରଥମେ ଏଭଳି ଭୟଙ୍କର କାଳ୍ପନିକ ଜୀଵଙ୍କ ଵିଷୟରେ ଜାଣନ୍ତି ଓ ଅଜଣା ସ୍ଥାନ ,ଵସ୍ତୁ ଓ ଵ୍ୟକ୍ତିଙ୍କୁ ଦେଖି ଭୟକରନ୍ତି ।

ଇଂରାଜୀ ଭାଷାଭାଷୀ ଅଞ୍ଚଳରେ ବୋଗିମ୍ୟାନ୍ ଓ ସ୍ୟାକମ୍ୟାନ୍ ଆଦି ଅନେକ କଳ୍ପିତ ଭୟଙ୍କର ଜୀଵଙ୍କ ଵିଷୟରେ କାହାଣୀମାନ ରହିଛି । ସେହିପରି ପର୍ତ୍ତୁଗାଲ୍ ଓ ବ୍ରାଜିଲରେ ଯଥାକ୍ରମେ 'ଏଲ୍ କୋକୋ' ଓ 'ଏ କୋକା' ନାମରେ ଏକ ଅଜଣା ଜୀଵର କଳ୍ପନା କରି ଅଵିଭାଵକମାନେ ପିଲାଙ୍କୁ ଆକଟ କରାଇଥାନ୍ତି । 'ଏଲ୍ କୋକୋ' ନାମକ କଳ୍ପିତ ଜୀଵର ମସ୍ତକ ପଇଡ଼ ଭଳି ଏଵଂ ଏହି ଜୀଵର କଳ୍ପନା ପର୍ତ୍ତୁଗାଲରେ ପଇଡ଼ ଗଛ ଅଣାଯାଇ ଲଗାଯିଵା ପରଠାରୁ ସୃଷ୍ଟି ହୋଇଥିଵା ଗଵେଷକଙ୍କ ମତ । ସେହିପରି ଆରଵ ଦେଶଗୁଡି଼କରେ 'ବାବାଉ', 'ବାଉବାଉ', 'ବାଓବାଓ' ଓ ଜର୍ମାନୀରେ 'ବଜ୍ଜେମ୍ୟାନ',ଆଫଗାନିସ୍ତାନରେ 'ମଦାର ଇ ଅଲ୍' ,ଆଲବିନିଆନ୍ ଅଞ୍ଚଳରେ 'ବୁବା','ଗୋଗୁଲ୍','ଲୁଭିୟା',ଅଜରବୈଜାନ୍ ଅଞ୍ଚଳରେ 'ଦିଭ୍'
,ବୋସନିଆ,କ୍ରୋଏଟିଆ,ସର୍ବିଆ ଓ ମାସେଡୋନିଆରେ
'ବାବାରୋଗା',ସାଇପ୍ରସରେ 'କୁକୁଲାସ୍' ,ଇଜିପ୍ଟରେ 'ଅବୁରିଗଲ୍ ମୁସଲୁଖା' ,ଫିନଲ୍ଯାଣ୍ଡ୍‌ରେ 'ମୁର୍କୁ',ଫ୍ରାନ୍ସରେ 'କ୍ରକମିତୈନ' ଏଵଂ ଗ୍ରୀସ୍ ଦେଶରେ 'ବାବୁଲାସ୍' ଆଦି ନାଆଁ ଶୁଣାଇ ପିଲାଙ୍କୁ ଆକଟ କରାଯାଏ ।

ଓଡ଼ିଶାରେ ମଧ୍ୟ ଏଭଳି ଉଦାହରଣର ଆଦୌ ଅଭାଵ ନାହିଁ । 'କକ','କକଵାୟା','କୋକବାୟା','କକମିଆଁ','କକମିନା','କତର୍ବଘା','କାନକଟା','ଅନ୍ଧାରଗୁଡୁ','ଜୁଜୁ' ଓ 'ବିଜିବିଜିମା' ଆଦି କଳ୍ପିତ ଭୟଙ୍କର ଜୀଵଙ୍କ କାହାଣୀ ଶିଶୁମାନଙ୍କୁ ଡରାଇଵା ନିମନ୍ତେ ଶୁଣାଯାଏ । ସେହିପରି ପୂର୍ଵେ ଛୁଆଧରା ଓ ବନ୍ଧକିରିଆ ନେଇଯିଵ କହି ମଧ୍ୟ ପିଲାଙ୍କୁ ଡରାଇ ଆକଟ କରାଯାଉଥିଲା । ରାୟଗଡ଼ା ଜିଲ୍ଲାର କେତେକ ଅଞ୍ଚଳରେ ଆମ୍ଵ ପାଚିଲେ
ଆମ୍ଵ ଯେପରି ପିଲାମାନେ ଗଛରୁ ତୋଳି ନନିଅନ୍ତି ସେଥିପାଇଁ 'ଖଙ୍ଗାର' ନାମକ ଏକ କାଳ୍ପନିକ ଜୀଵର ଭୟ ସୃଷ୍ଟି କରାଯାଏ । 

ସାଧାରଣତଃ ଅବୁଝା ଶିଶୁମାନଙ୍କୁ ରାତିରେ ଡରାଇ ଶୁଆଇଵା ପାଇଁ କିମ୍ଵା କୌଣସି ଶିଶୁ ଅବାଧ୍ୟ ହେଲେ ମାତାମାନେ ଏହି ଭୟଦ୍ଯୋତକ ଶବ୍ଦମାନ ଵ୍ୟଵହାର କରନ୍ତି। ପ୍ରକୃତରେ କକ କି କୋକବାୟାକୁ ମାଆ କି ଶିଶୁ କେହି ଦେଖି ନାହାନ୍ତି କିନ୍ତୁ ଶିଶୁମାନଙ୍କ ମଙ୍ଗଳ ହେତୁକ କୌଣସି କିମ୍ଭୁତ କିମାକାର ଭୟଙ୍କର ଜୀଵର ନାମ ନିଅନ୍ତି, ଯେମିତିକି 'କୋକବାୟା' କାନ କାଟି ନେଵ କି ଛୁଆଧରା ନେଇଯିଵ କିମ୍ଵା କକ ଆସିଯିଵ ଇତ୍ୟାଦି କହି ପିଲାଙ୍କୁ ଭୟ ଦେଖାନ୍ତି । 

ଜୁଜୁ,କୋକମିନା ସଦୃଶ କଳ୍ପିତ ଭୟସଞ୍ଚାରକ ମୂର୍ତ୍ତି ଵିଶେଷ ଓ ଭୂତପ୍ରେତାଦି ଭୀତି ସଞ୍ଚାରକ ରୂପ ଅଟେ । ଏହା ସମ୍ଭଵତଃ ସଂସ୍କୃତ 'ଜୁଃ' ଶବ୍ଦ ମୂଳଜ ଯାହାର ଅର୍ଥ ପିଶାଚୀ ଅଟେ । ଯାଜପୁରର ଓ ଏହାର ଆଖପାଖ ଅଞ୍ଚଳରେ "ବିଜି ବିଜିମା" ବୋଲି ଏକ କାଳ୍ପନିକ ଭୟଙ୍କର ଜୀଵର କାହାଣୀ ଶୁଣାଇ ଅବାଧ୍ୟ ପିଲାକୁ ଶାନ୍ତ କରାଉଥିଲେ ‌ । କେତେକ ଅଞ୍ଚଳରେ ମାଆମାନେ ହସ୍ତପଦଵିହୀନ ଏକ କାଳ୍ପନିକ ଜନ୍ତୁର କାହାଣୀ ଶୁଣାଉଥିଲେ ଯେ ଅନ୍ଧାର ରାତିରେ ଭୂମିରେ ଗଡ଼ି ଗଡ଼ି ଆସେ ଏଵଂ ପିଲାଙ୍କୁ ଧରି ନେଇଯାଏ । ଏହି କାଳ୍ପନିକ ଜୀଵକୁ ଗୁଡ଼ଗୁଡି଼,ଅନ୍ଧାରଗୁଡ଼ଗୁଡ଼ି ଓ ଅନ୍ଧାରଗୁଡ଼ି କୁହାଯାଉଥିଲା । 

ସେହିପରି ଓଡ଼ିଶାର ପଶ୍ଚିମାଞ୍ଚଳରେ 'କତର୍ବଘା' ବୋଲି ଏକ କାଳ୍ପନିକ ଜୀଵ ଵିଷୟରେ କାହାଣୀମାନ ପିଲାମାନଙ୍କୁ ଶୁଣାଯାଉଥିଲା । ଏ କାଳ୍ପନିକ ଜୀଵ ଦେଖିଵାକୁ ବାଘ ପରି ଓ ଭୟଙ୍କର ଵୋଲି ଲୋକଵିଶ୍ଵାସ ପ୍ରଚଳିତ। ଏହି ଧରଣର ଆଉ ଏକ କାଳ୍ପନିକ ଜୀଵର କାହାଣୀ ଓଡ଼ିଶାର ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ଶୁଣିଵାକୁ ମିଳେ ତାହାର ନାମ 'ଵାଘଡୁମ୍ମା' ଅଟେ । ପରଜା ଉପନ୍ୟାସରେ ଗୋପୀନାଥ ମହାନ୍ତି ଏହି 'ବାଘଡୁମ୍ମା' ଵର୍ଣ୍ଣନା କରିଵାକୁ ଯାଇ ଲେଖିଛନ୍ତି...
  
 “ଦି ପହରେ ବାଘଡୁମ୍ମା ବୁଲେ । ଯେତେ ଲୋକଙ୍କୁ ବାଘ ଖାଇଥାଏ, ତାଙ୍କରି ପ୍ରେତ ସେ । ପିଲାପରି ଚେହେରା, ମାଈ ଅଣ୍ଡିରା ଜଣାପଡ଼େ ନାହିଁ । ମୁଣ୍ଡନାଲି, ଆଖିନାଲି, ଦେହଯାକ ବଡ଼ବଡ଼ ରୁମ । ଲୋକେ କହନ୍ତି କେତେପ୍ରକାର ଶବ୍ଦକରେ ସେ। କୁନ୍ଥେଇଲା ପରି, ଗର୍ଜିଲା ପରି, କାଠ ଭାଙ୍ଗିଲା ପରି, ବାଘଡୁମ୍ମା ଡରାଇ ଡରାଇ ଖେଦେ ।”

ଗଡ଼ଜାତ ଅଞ୍ଚଳରେ ପ୍ରେତ,ମୃତ ଵ୍ୟକ୍ତିର ଆତ୍ମା,ଆତ୍ମା, ଅସୁର ଓ ଡାହାଣୀକୁ ଡୁମା ଵା ଡୁମ୍ମା କହିଥାନ୍ତି । ସେହିପରି ଅଵିଭକ୍ତ କୋରାପୁଟର କଥିତ ଦେଶିଆ କୋଟିଆ ଭାଷାରେ ଡୁମ୍ମାର ଅର୍ଥ ଭୂତ ଵା ପ୍ରେତ ଏଵଂ ଏହା ଦେଶିଆ ଓଡ଼ିଆରେ ପ୍ରଚଳିତ ଜନଜାତୀୟ ମୂଳର ଏକ ଓଡ଼ିଆ ଶବ୍ଦ ହୋଇଥିଵା ସମ୍ଭଵ କିମ୍ଵା ତତ୍ସମ 'ଦାନଵ' ଶବ୍ଦର ସ୍ଥାନୀୟ ରୂପ ହୋଇଥାଇପାରେ । ଏଣୁ ବାଘଡୁମ୍ମା ଶବ୍ଦର ଆକ୍ଷରିକ ଅର୍ଥ ବାଘର ଭୂତ ଅଟଇ । ଅଵିଭକ୍ତ କୋରାପୁଟ ଅଞ୍ଚଳରେ ଲୋକଵିଶ୍ଵାସ ରହିଛି ଯେ ଯେଉଁମାନେ ଵଣଜଙ୍ଗଲରେ ବାଘର ଆକ୍ରମଣରେ ମରିଯାଆନ୍ତି, ସେମାନଙ୍କର ଆତ୍ମା ‘ବାଘଡୁମ୍ମା’ ହୋଇଯାଏ । ସେହିପରି ବାଘ ଦ୍ଵାରା ନିହତ ହୋଇଥିଵ ମଣିଷର ଶଵକୁ କୋରାପୁଟରେ 'ବାଗ୍‌ମଡ଼ା' କୁହାଯାଏ । ଆଗକାଳରେ କୌଣସି ଲୋକ ବାଘ ହାବୁଡ଼ରେ ପଡ଼ି ମୃତ୍ୟୁଵରଣ କଲେ ତାର ଶଵକୁ ଜଙ୍ଗଲରେ ହିଁ ପୋତି ଦିଆଯାଉଥିଲା। କାଳେ ଡୁମ୍ମା ହୋଇ ସେ ମୃତାତ୍ମା ଜୀଵିତଲୋକଙ୍କୁ ହଇରାଣ କରିଵ ବୋଲି ଶଵ ପୋତାଯାଇଥିଵା ସ୍ଥାନରେ ଲୁହାକଣ୍ଟା ପିଟାଯିଵାର ଚଳଣି ଥିଲା । କୁହାଯାଏ ବାଘଡୁମ୍ମା କାହାଠେଇଁ ଲାଗିଲେ ସେ ଲୋକ ସହଜରେ ଭଲ ହେଉନଥିଲା । କେତେକ ବାଘଡୁମ୍ମା ଲାଗିଥିଵା ଲୋକ ଝାଡ଼ାଵାନ୍ତିରେ ମୃତ୍ୟୁଵରଣ କରୁଥିଲେ । ଏହାର ପ୍ରତିକାରସ୍ଵରୂପ ସ୍ଥାନୀୟ ଲୋକେ ଗୁଣିଆ, ଦିଶାରୀ ଵା ଗୁରୁମାଈ ପ୍ରଭୃତିଙ୍କୁ ଡାକି ଝଡ଼ାଫୁଙ୍କା, ମନ୍ତ୍ରପାଠ ଇତ୍ୟାଦି କରିଵା ସହ ଡୁମାପୂଜା ମଧ୍ୟ କରିଥିଲେ । ପୂର୍ଵାଞ୍ଚଳରେ ସେହିପରି ଗାଈ ରୂପରେ ହାଡ଼ବାଇ ନାମକ ଏକ କାଳ୍ପନିକ ପ୍ରେତ ବୁଲିଵାର ଲୋକଵିଶ୍ଵାସ ରହିଛି । ଓଡ଼ିଶାର ପଶ୍ଚିମାଞ୍ଚଳରେ ପିଲାମାନଙ୍କୁ ଡରାଇଵା ପାଇଁ ସ୍ତ୍ରୀଲୋକମାନେ ଆଗେ ଏକ କାଳ୍ପଳିକ ରାକ୍ଷସୀର ଉଲ୍ଲେଖ କରୁଥିଲେ ଯାହାକୁ “କୁଲାଏର୍ ବୁଢ଼ୀ” କୁହାଯାଉଥିଲା । ଏ ବୁଢ଼ୀ ପିଲାଙ୍କୁ ମିଠା ମିଠା କଥା କହି ମିଠେଇ ଦେଇ ନେଇଯାଏ କହି ପିଲାଙ୍କୁ ଆକଟ କରାଯାଉଥିଲା । ଅନ୍ୟ କେତେକ ଅଞ୍ଚଳରେ ସେହିପରି କଞ୍ଚାଖାଇ ଡାହାଣୀର କାହାଣୀ ଶୁଣାଇ ପିଲାଙ୍କୁ ଅଭିଭାଵକମାନେ ଆକଟ କରାଉଥିଲେ । କଞ୍ଚାଖାଇ ଏକ ଭୟଙ୍କର ଡାହାଣୀ ଏଵଂ ୟେ କଞ୍ଚା ମାଂସ ଓ ଵିଷ୍ଠା ଖାଏ ଵୋଲି ପ୍ରଵାଦ ରହିଛି । ପିଲାମାନଙ୍କୁ ଭୟ ଦେଖାଇଵା ପାଇଁ ସ୍ତ୍ରୀ ଲୋକଙ୍କ କଳ୍ପନା ଦ୍ୱାରା ଚିତ୍ରିତ ଆଉ ଏକ ରାକ୍ଷସ ହେଉଛି 'କାନକଟା' । ଏ ରାକ୍ଷସ ଅଳି ଅଝଟା ଝଗଡ଼ା କରୁଥିଵା ଅବୁଝା ପିଲାମାନଙ୍କ କାନକୁ ଛୁରିରେ କାଟି ନିଏ ବୋଲି ମାଆ ମାନେ ଶିଶୁଙ୍କୁ କହି ଡରାଉଥିଲେ । ଦୁଷ୍ଟ ପିଲାଙ୍କୁ ଛୁଆଧରା , ଛୁଆଧରା ବାୟା, ଅଖା ଧରା ବାଇଆ ଓ ବନ୍ଧକିରିଆ ଆଦି ନେଇଯାଆନ୍ତି କହି ମଧ୍ୟ ପିଲାଙ୍କୁ ଆୟତ୍ତ କରାଯାଉଥିଲା । କେତେକ ଅଞ୍ଚଳରେ ଵାଵନାଭୁତ ଗଛ ମୂଳରେ ରୁହନ୍ତି ଏଵଂ ରାତିରେ ବୁଲୁଥିଵା ପିଲାଙ୍କୁ ଧରି ନିଅନ୍ତି କହି ମାଆମାନେ ପିଲାମାନଙ୍କୁ ରାତିରେ ଵାଡି଼ଆଡ଼େ ଵୁଲିଵାକୁ ଵାରଣ କରିଥାନ୍ତି । ଖୁଆଇଲାଵେଳେ ଖାଉନଥିଵା କକ,କକୁଆ,କୋକମିନା ଆସି ନେଇଯିଵ କହି ବାଆଁରେଇ ମାଆମାନେ ପିଲାମାନଙ୍କୁ ଖାଦ୍ୟ ଖୁଆଉଥିଲେ । 

ଓଡ଼ିଆ ସାହିତ୍ୟରେ "କୁହୁକମଣ୍ତଳ ଚଢ଼େଇ,ଶରଭ,ଗଣ୍ଡଭୈରଵ, ନଵଗୁଞ୍ଜର,ଶିୟାଳି,ହୁମା ଚଢ଼େଇ,ଜଳମାନୁଷ ଓ ପାପପୁରୁଷ ଭଳି ଅନେକ କାଳ୍ପନିକ ଜୀଵଙ୍କର କାହାଣୀମାନ ରହିଛି । ପୁରାଣ ଆଦିରେ ଲେଖା ଅଛି ଯେ, ଶରଭ ଅଷ୍ଟପାଦ, ଊର୍ଦ୍ଧ୍ୱନୟନ ଓ ଊର୍ଦ୍ଧ୍ୱପାଦ ଚତୁଷ୍ଟୟଯୁକ୍ତ ତଥା ଏ ଜୀଵ ସିଂହକୁ ମାରିଵାକୁ ସମର୍ଥ। ଵୈଦେହୀଶ ଵିଳାସରେ କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହି କାଳ୍ପନିକ ଜୀଵର ଉଲ୍ଲେଖ କରିଛନ୍ତି ‌ । 

“ବଳଵନ୍ତ ହେଲେ ଯଥା କେଶରୀ, 
ଵଧେ ଗଜାଦି ଶରଭକୁ ଡରି।”

ସେହିପରି ଓଡ଼ିଆ କାହାଣୀରେ ଵର୍ଣ୍ଣିତ ଏକ ଵୃହତ୍ କାଳ୍ପନିକ ପକ୍ଷୀ ହେଉଛି ଗଣ୍ଡଭୈରଵ। ଏହାର ଦୁଇଟି ଥଣ୍ଟ ଓ ଚାରିଟି (ମତାନ୍ତରରେ ଦୁଇଟି) ଗୋଡ଼ ଅଛି। ଏ ପ୍ରତି ଗୋଡ଼ରେ ଓ ପ୍ରତି ଥଣ୍ଟରେ ଗୋଟିଏ ଗୋଟିଏ ହାତୀ ତଳୁ ଉଠାଇ ନେଇ ଉଡ଼ି ପାରେ ଵୋଲି ଲୋକଵିଶ୍ଵାସ ଅଛି । 

ସେହି ଧରଣର ଆଉ ଏକ କଳ୍ପିତ ଭୟଙ୍କର 
ଜୀଵର କଳ୍ପନା ଓଡ଼ିଆ ଜାତିରେ ଵହୁ ପ୍ରାଚୀନ କାଳରୁ ରହିଛି ଏଵଂ ଏ ଅଜଣା ଜୀଵର ନାଆଁ ଶୁଣିଲେ ପିଲା ତ ପିଲା ଵୟସ୍କ ଲୋକେ ସୁଦ୍ଧା ଡରୁଥିଲେ ଏଵଂ ଆଜି ବି ଗ୍ରାମାଞ୍ଚଳରେ ଏ କଳ୍ପିତ ଜୀଵର କାହାଣୀ ଊଣା ଅଧିକେ ଶୁଣାଯାଏ । 

ସେହି ଅଦୃଷ୍ଟ କାଳ୍ପନିକ ଭୟଙ୍କର ଜୀଵଟି ହେଉଛି କୋକୁଆ । ଲୋକଵିଶ୍ଵାସ ରହିଛି ଯେ ପ୍ରଳୟକାଳ ଆସିଲେ ଵା ଗୋଟିଏ ଅଞ୍ଚଳ ଵିଶେଷରେ ଅନେକ ଲୋକଙ୍କୁ ଦୁର୍ଭାଗ୍ୟ ଭୋଗ ହେଲେ କୋକୁଆ ଆସେ । କିନ୍ତୁ ଏହି ଭୟଦ୍ଯୋତକ ଜୀଵକୁ ଆଜିଯାଏଁ କେହି ଦେଖିନାହାନ୍ତି ତେଵେ ଅଜଣା ପକ୍ଷୀର ରାଵ କିମ୍ଵା ପଶୁ ଦେଖିଲେ ଭୟରେ କୌଣସି ଅଞ୍ଚଳର ସମସ୍ତ ଲୋକେ ଅସ୍ଥିର ହୁଅନ୍ତି । ଗୋଟିଏ ଗ୍ରାମରେ ଅନେକ ଲୋକ ଅଜଣା କାରଣରୁ ମୃତ୍ୟୁଵରଣ କଲେ ବି କୋକୁଆ ଭୟ ଦେଖାଦିଏ ।


ସାରଳା ଦାସ ତାଙ୍କର ସାରଳା ମହାଭାରତର ମୁଷଳୀ ପର୍ଵରେ ଏହି 'କୋକୁଆ' ନାମକ ଅଜ୍ଞାତ ଭୟଙ୍କର ଜୀଵ ଵିଷୟରେ ଲେଖି ଏହାକୁ ସର୍ଵପରିଚିତ କରାଇଅଛନ୍ତି । ଯଥା—

“ଶୁଣ ହୋ ରାଜନ ଭାଳିଣ ଶ୍ରୀକୃଷ୍ଣ ଯେ ରଞ୍ଚିଲେକ ଉପାୟେ ।
ଦ୍ଵରିକା ଭୁଵନ କଇଂ ଲାଗିଲାକ କୋକୁଆ ଭୟେ ॥
ଅଦଭୁତେ ଶୁଭିଲା ଅଇଲା କୋକୁଆ । ଦ୍ଵାରିକା ଲୋକଯାକ ହୋଇଲେ ଅଚାଭୁଆ ॥
ଭୟେଣ କଅଁଳା ପୋୟେ ରହନ୍ତି ଭିତରେ । ଯାଇଣ ପଶନ୍ତି କେହୁ ମାତାଙ୍କ କୋଡ଼ରେ ॥
କୋକୁଆ ଭୟେ ବୋଲି ସମସ୍ତେ ହେଲେ କହି ।
ବାଳ ପୋୟେ ଲୁଚିଲେ ଘର କୋଣେ ଯାଇ ॥
ଦଶ ଵିଂଶ ପଞ୍ଚାଶ ଲୋକେ ଦେଖି କରି ଭାଳି । 
କୋକୁଆ ବୋଲିଣ ସେ କେମନ୍ତ ମହାବଳୀ ।  
ଦେଵକୀ ପଚାରିଲେ ଶୁଣ ହୋ ଵସୁଦେଵ ।

କୋକୁଆ ବୋଲି କରି ସେ ଅଟଇ କେଵଣ ଜୀଵ ॥
ଗୋଵିନ୍ଦ ବୋଇଲେ ମା ଗୋ ସତେ ସେ ଅଟଇ କୋକୁଆ ।
ଅପାର କାଳରୁ ତ ଶୁଣିଲା ଅଛି ୟେହା ॥

ଚାରିଯୁଗ ଯାକେ ଥାଇ ସ୍ଵର୍ଗପୁରେ ।
ଆମ୍ଭର ପୁରକୁ ଡରେ ଆସି ନୁଆରିଲା ॥ 

ଥରେ କଳିଯୁଗ ପ୍ରଵେଶ ହୋଇଲାକ ଯହୁଁ । ତେଣୁ କରି ଦ୍ଵାରିକାକୁ ଅଇଲାକ ତହୁଁ ॥

ଯୋଜନେ ଯୋଜନେ ଭୁଜ ତାର ସପତଗୋଟି ଆଖି ।
ଅନ୍ତରୀକ୍ଷେ ଉଡୁଥାଇ ଅଛଇ ତାର ନଵପଚ୍ଛୀ ॥

ଯୋଜନେ ଯୋଜନେ ତୁଣ୍ଡ ତାର ପାଞ୍ଚ ଯୋଜନ ଗର୍ଭ । 
ତିରୀ ପୁରୁଷ ନ ଯାଇ ପଡ଼ିଲେ ଭକ୍ଷଇ ସର୍ଵ ॥

ଶ୍ରୀକୃଷ୍ଣ ମୁଖରୁ ଯହୁ ଶୁଣିଲେ ୟେସନେକ ଵାଣୀ ।
ଲାଗିଲା ମହାଭୟେ ସମସ୍ତେ ତହିଂ ଶୁଣି ॥ 

ଦିଵସେ କୋକୁଆ ବୋଲି ଦେଖନ୍ତି ସ୍ଵପନେ ।
ଅଦଭୁତେ ଡରି ପଡ଼ି ତିଆଂନ୍ତି ସର୍ଵ ଜନେ ॥ 

କେ ବୋଲଇ ମତେ ଗୋ କୋକୁଆ ଗିଳୁଥିଲା ।
କେ ବୋଲଇ କାହାକୁ କେଣେ ଗିଳିଗଲା ॥ 

କେ ବୋଇଇ ଅନ୍ତରୀକ୍ଷେ ଉଡ଼ିଗଲା ଧରି । କେ କାହାକୁ ତ ଆଉ ନୁଆରିଲେ ବାରି ॥
 ଶୁଣ ହୋ ରାଜନ ଦ୍ଵାରିକାପୁର ଲୋକେ କାହାକଇଂ ନକରନ୍ତି ଶଙ୍କା ।
  କୋକୁଆ ଭୟ ବୋଲି ସର୍ଵେ ହୋଇଲେ ତାଟକା ॥”

×××××××××××××××××××××

“ଭୟଙ୍କର ରୁପ କାଳପୁରୁଷ ଗୋଟିଏ ।
ଦ୍ୱାରକା ନଗର ମଧ୍ୟେ ପରଵେଶ ହୁଏ ॥ସର୍ଵଦା ଵୁଲଇ ସେହି ସବୁଙ୍କ ମନ୍ଦିରେ ।
କେହି ଦେଖି ନପାରଇ ତାକୁ ନୟନରେ ॥
ସେ କାଳପୁରୁଷ ଦେଖି ପ୍ରଭୁ ଭଗଵାନ ।
ଭାବିଲେ ଏଥର କାଳ କଲା ଆଗମନ ॥
ଏଥର ନିଶ୍ଚୟ ସର୍ଵେ ଵିନାଶ ହୋଇବେ ।
ଶୀଘ୍ର ଵିନାଶ ଉପାୟ ଲଗାଇଵା ଏବେ ॥
ଏହା କହିଣ ଶ୍ରୀକୃଷ୍ଣ ଦୂତଙ୍କୁ ଡକାଇ।ବୋଇଲେ ବେଗେ ଘୋଷଣା ନଗ୍ରେ ଦିଅଯାଇ ॥
ବୋଳିଵ କୋକୁଆ ଏକ ଭୟଙ୍କର ଜୀଵ।
ନଗ୍ରେ ପଶିଲାଣି ଏଵେ ସବୁକୁ ଖାଇଵ ॥”

ମହାଭାରତରେ 'କୋକୁଆ' ପ୍ରସଙ୍ଗର ଉଲ୍ଲେଖ ସାରଳା ଦାସଙ୍କର ଏହା ମୌଳିକ ପ୍ରୟୋଗ କାରଣ ମୂଳ ମହାଭାରତରେ ଏଭଳି କୌଣସି କଥା ଥିଵା ଜଣାଯାଏ ନାହିଁ । ତେବେ କୋକୁଆ ଶବ୍ଦ ସାରଳା ମହାଭାରତରେ ଵ୍ୟଵହାର ହୋଇଥିଵାରୁ ଏହା ବହୁ ପ୍ରାଚୀନ କାଳରୁ ଓଡ଼ିଆ ଭାଷାରେ ପ୍ରଚଳିତ ବୋଲି କୁହାଯାଇପାରେ । ହେଲେ 'କକ','କୋକମିନା' ଵା 'କକମିନା','କକଵାୟା' ଓ 'କକମିଆଁ' ଭଳି ଏ 'କୋକୁଆ' ଶବ୍ଦ ଯେ କୌଣସି ଏକ 
ଶବ୍ଦରୁ ସୃଷ୍ଟି ହୋଇଥିଵ ତାହା ଅନୁମାନ କରାଯାଇପାରେ । 

ପୂର୍ଵେ ଭାଷାଵିଦମାନେ ଅନୁମାନ କରୁଥିଲେ ଯେ ପର୍ତ୍ତୁଗୀଜମାନଙ୍କ ଭାଷାରୁ 'କୋକୁଆ' ଶବ୍ଦ ଆସି ଓଡ଼ିଆ ଭାଷାରେ ପ୍ରଚଳିତ ହୋଇଥାଇପାରେ । ପର୍ତ୍ତୁଗୀଜ୍ ଓ ସ୍ପାନିସ୍ ଭାଷାରେ ପ୍ରଚଳିତ ଥିଵା ଓ ଏମାନଙ୍କ ଦ୍ଵାରା ପୂର୍ଵେ ପରାଧୀନ ଦକ୍ଷିଣ ଆମେରିକା, ଉତ୍ତର ଆମେରିକା ତଥା ଆଫ୍ରିକାର କେତେକ ଦେଶରେ ବୋଗିମରୟାନ୍ ଭଳି ଏକ ଅଜଣା ଭୟଙ୍କର ଜୀଵର କଳ୍ପନା  
'ଏଲ୍ କୋକୋ','କୋକା','କୁକୁୟ','କୁକୋ',
'କୁକୁ','କୁକୁଈ' ଆଦି ଵିଭିନ୍ନ ନାମରେ ନାମିତ କରାଯାଇଛି । 'କୋକୋ' ଵା 'କୁକୁୟ' ଶବ୍ଦଟି ଏହି ଅର୍ଥରେ ପ୍ରଥମେ ଉତ୍ତର ପର୍ତ୍ତୁଗାଲ ଓ ଗୈଲିସିଆରେ ପ୍ରୟୋଗ ହୋଇଥିଵା ଜଣାଯାଏ । the Real Academia Española ଅନୁସାରେ କୋକୋ ଶବ୍ଦଟି ଗାଲିସୀୟ ଓ ପର୍ତ୍ତୁଗୀଜ ଭାଷା ମୂଳର 'côco'ଶବ୍ଦର ଏକ ରୂପ ଏଵଂ ଏହାର ମୂଳ ଶବ୍ଦର ଅର୍ଥ ଥିଲା 'coconut' ଵା 'ନଡ଼ିଆ' । ତେବେ ଏହି 'କୋକୋ' ଶବ୍ଦଟି ସ୍ପାନିଶ୍ ଭାଷାର କଥିତ ଶୈଳୀରେ ମନୁଷ୍ୟ ମୁଣ୍ଡ ଅର୍ଥରେ ମଧ୍ୟ ପ୍ରୟୋଗ ହୋଇଥାଏ ।‌ ପୁନଶ୍ଚ ଏ ଭାଷାରେ 'କୋକୋ 'ଶବ୍ଦର ଆଉ ଏକ ଅର୍ଥ "skull" ଵା ଖପୁରୀ । "Cocos nucifera" ଵା 'ନଡି଼ଆ' ମୂଳତଃ ଭାରତଵର୍ଷ ଅର୍ଥାତ୍ ଭାରତ ଉପମହାଦ୍ଵୀପ ଓ ପୂର୍ଵଭାରତୀୟ ଦ୍ଵୀପପୁଞ୍ଜ ଅଞ୍ଚଳର ଵୃକ୍ଷ। ସମୁଦ୍ରଦ୍ଵାରା ଏହା ସାରା ଵିଶ୍ଵରେ ଵ୍ୟାପିଯାଇଛି । ଯେତେଵେଳେ ପଇଡ଼ ଵା ନଡ଼ିଆ ୟୁରୋପରେ ପହଞ୍ଚିଲା ତାହାକୁ ମନୁଷ୍ୟ ମୁଣ୍ଡ ଵା ଖପୁରୀ ଵିଚାର କରି coconut ନାମ ଦିଆଯାଇଥିଲା ମାତ୍ର ପର୍ତ୍ତୁଗୀଜମାନେ ଓଡ଼ିଶାରେ ଷୋହଳଶହ ଶତାବ୍ଦୀ ପରେ ଆସି ପଦାର୍ପଣ କରିଥିଲେ ଏଵଂ ସାରଳା ମହାଭାରତ ତାଙ୍କ ଆଗମନର ଵହୁତ ପୂର୍ଵରୁ ତେରଶହ ଶତାବ୍ଦୀରୁ ପନ୍ଦରଶହ ଶତାବ୍ଦୀ ମଧ୍ୟରେ ରଚିତ ହୋଇଥିଵାରୁ ପର୍ତ୍ତୁଗୀଜ୍ ମୂଳରୁ ଓଡ଼ିଆ ଭାଷାରେ କୋକୁଆ ଶବ୍ଦ ଆସି ଚଳିଥିଵା ଵିଶ୍ଵାସଯୋଗ୍ୟ ନୁହେଁ । 

କୋକୁଆ କିଏ, ତା’ର ଜନ୍ମ କୋଉଠି ?
କୋକୁଆ କେମିତି ଦେଖାଯାଏ ? ଏହାର ଉତ୍ତର ସ୍ପଷ୍ଟ ଯେ ତାକୁ କେହି ସ୍ଵଚକ୍ଷୁରେ ଦେଖି ନାହାନ୍ତି ମାତ୍ର ତା’ର ରୂପ ଅତି ଭୟଙ୍କର ଏକଥା ସମସ୍ତେ ଶୁଣିଅଛନ୍ତି।
ଭାଗଵତ କଥାଵାଚକମାନେ କୁହନ୍ତି କୋକୁଆର ସ୍ରଷ୍ଟା ନିଶ୍ଚୟ ସାରଳା ଦାସ। ସାରଳା ଦାସ କୋକୁଆକୁ କାଳର ପ୍ରତୀକ ଭାବେ ଉପସ୍ଥାପିତ କରିଛନ୍ତି । ପ୍ରତ୍ୟେକ ଵ୍ୟକ୍ତିର କାଳ ଆସିଲେ ତା ମନରେ ସୃଷ୍ଟି ହେଉଥିଵା ଭୟ ହିଁ ଏହି କୋକୁଆ । କାଳ ପୂରିଯାଇଥିଵା ଜୀଵ ଯୋଉ ଭୟର ଅନୁଭଵ କରୁଥାଏ ତାହା ଆଉ କିଏ ଶୁଣିପାରେ ନାହିଁ,ଦେଖିପାରେ ନାହିଁ କି ଅନୁଭଵ କରିପାରେ ନାହିଁ । ତା ମନରେ ଜାତ ହେଉଥିଵା ସେହି ଅଜଣା ଅଦେଖା ଅଵର୍ଣ୍ଣନୀୟ ଭୟ ହିଁ କୋକୁଆ । କାଳର ରୂପ ଅତ୍ୟନ୍ତ ଵିସ୍ମୟକର ତାକୁ କେଵଳ ଜଣେ କାଳ ପୂରି ଆସିଲାଵେଳେ ଅନୁଭଵ କରିପାରେ । ସାରଳା ମହାଭାରତର କଥା ଅନୁସାରେ ଶ୍ରୀକୃଷ୍ଣ କୋକୁଆ ଗୁଜଵର ସ୍ରଷ୍ଟା ତେଣୁ କଥାଵାଚକମାନେ କୁହନ୍ତି ସେହି ଶ୍ରୀକୃଷ୍ଣ ହିଁ ମହାକାଳ, ରହସ୍ୟର ପ୍ରତୀକ ତେଣୁ ସିଏ ହିଁ ‘କୋକୁଆ’ ଅଟନ୍ତି । ‘କୋକୁଆ’ ଆଉ କିଛି ନୁହେଁ 'କଳିକାଳ, କଳ୍‌କିବୋଧର ଭାଵ ଅଟଇ ‌। ଶହ ଶହ ଵର୍ଷ ତଳେ ସାରଳା ଦାସ ନିଜର ମୌଳିକ କାହାଣୀ ମାଧ୍ୟମରେ କାଳର ଵା ପ୍ରକୃତିର ଏହି ଗୁମରକୁ ସ୍ପଷ୍ଟ କରି ଦେଇଥିଲେ । 

ଓଡ଼ିଶାରେ କିଛି ଭାଷାଵିଦଙ୍କ ଅନୁସାରେ 
କୋକୁଆ ଶବ୍ଦଟି ଦୁଇଗୋଟି ଶବ୍ଦ "କୋ ଏଵଂ କୁଆ"କୁ ନେଇ ଗଠିତ ହୋଇଛି। 
କୋ ଶବ୍ଦଟି ଓଡ଼ିଆ ଭାଷାରେ କୋଉ ଵା କେଉଁ ଅର୍ଥରେ ପ୍ରୟୋଗ ହୋଇଥାଏ । ସେହିପରି କୁଆ ଏକ କଳା ରଙ୍ଗର ଭାରତୀୟ ପକ୍ଷୀ ଏଵଂ କା କା ଆଦି ଶବ୍ଦ ଉଚ୍ଚାରଣ କରିଥାଏ ଵୋଲି ଏହାର ନାମ କୁଆ ତଥା କାଉ ରଖାଯାଇଛି । ଓଡ଼ିଶାରେ ସାଧାରଣତଃ କାକ ଭଳି କୌଣସି ଏକ ପକ୍ଷୀକୁ କୋକୁଆ ବୋଲି ସନ୍ଦେହ କରାଯାଉଥିଵା ଦୃଶ୍ୟ ହୋଇଥାଏ । ପୁନଶ୍ଚ ଗ୍ରାମାଞ୍ଚଳର ଲୋକେ କୁହନ୍ତି ଏହି ପକ୍ଷୀଟି କୁକୁ କୁକୁ କୁଆ କୁଆ ଶବ୍ଦ କରିଥାଏ ‌ । ସାରଳା ମହାଭାରତରେ ମଧ୍ୟ କୋକୁଆ ନାମକ ଭୟଙ୍କର ଜୀଵକୁ ଆକାଶରେ ଉଡୁ଼ଥିଵା ନଵପକ୍ଷଧାରୀ ପକ୍ଷୀ ରୂପେ ଵର୍ଣ୍ଣନା କରାଯାଇଛି । 

“ଯୋଜନେ ଯୋଜନେ ଭୁଜ ତାର ସପତଗୋଟି ଆଖି ।
ଅନ୍ତରୀକ୍ଷେ ଉଡୁଥାଇ ଅଛଇ ତାର ନଵପଚ୍ଛୀ ॥”

ତେଣୁ ଏଠାକାର କିଛି ଵୁଦ୍ଧିଜୀଵି ଏହି ସବୁ ଲୋକଵିଶ୍ଵାସ ଆଧାରରେ ଅନୁମାନ କରନ୍ତି ଯେ ପୂର୍ଵକାଳରେ ଓଡ଼ିଶାରେ ଭୟଙ୍କର ମାରାତ୍ମକ ରୋଗ ଵ୍ୟାପିଲେ ଵା ଭୀଷଣ ଵନ୍ୟା ଵାତ୍ୟା ଅଥଵା ଅକାରଣ କଳିଗୋଳ ଓ ଅଜ୍ଞାତ କାରଣରୁ ଅନେକ ଘରେ ନିଆଁ ଲାଗିଵା ଇତ୍ୟାଦି କାର୍ଯ୍ୟ ପାଇଁ କୋକୁଆକୁ ଦାୟୀ କରାଯାଉଥିଲା । ଏଭଳି ଦୁଃସମୟରେ ଗ୍ରାମାଞ୍ଚଳରେ କୌଣସି ଏକ ଅଜଣା ପକ୍ଷୀ କୁ କୁ କିମ୍ଵା କୁଆ କୁଆ ରାଵ କରିଵା ଯୋଗୁଁ ତାକୁ ଏଥିପାଇଁ ଦାୟୀ କରାଯାଇ କୋକୁଆ ଭଳି ଏକ ଭୟଙ୍କର ଜୀଵର ନାମକରଣ ହୋଇଅଛି ବୋଲି ଅନେକେ ଵିଶ୍ଵାସ କରନ୍ତି । ଭାରତରେ କାଉ,କୋଇଲି,ଚଷାପୁଅ ତଥା ଚକ୍ରଵାକ୍ ପକ୍ଷୀ ଆଦି କିଛି ପକ୍ଷୀ "କୁ,କା,କୁଆଂ" ଆଦି ରାଵ କରିଥାନ୍ତି । ସଂସ୍କୃତ ଭାଷାରେ ଚକ୍ରଵାକ୍ ପକ୍ଷୀକୁ କୋକ କୁହାଯାଏ । 

ଗୀତଗୋଵିନ୍ଦରେ ଏହି ଚକ୍ରଵାକ ପକ୍ଷୀ ଅର୍ଥରେ କୋକ ଶବ୍ଦ ପ୍ରୟୋଗ କରାଯାଇଛି 

“କୋକାନାଂ କରୁଣସ୍ଵନେନ ସଦୃଶୀ ଦୀର୍ଘା ମଦଭ୍ଯର୍ଥନା”

ଇଂରାଜୀ ଭାଷାରେ ଚକ୍ରଵାକ ପକ୍ଷୀକୁ ruddy shelduck ଓ Brahminy duck କୁହାଯାଏ ଏଵଂ ଏହାର ଵୈଜ୍ଞାନିକ ନାମ Tadorna ferruginea ଅଟେ । ଏହି ପକ୍ଷୀଟିର ଭାରତଵର୍ଷ ଓ ଏହାର ଆଖପାଖ ଅଞ୍ଚଳ ହେଉଛି ମୂଳ ଭୂଖଣ୍ଡ ତଥା ଏମାନେ କୁଆଂ କୁଆଂ ଵା କଉଆଂ କଉଆଂ ରାଵ କରିଥାନ୍ତି । ଫଳତଃ ଅନୁମାନ କରାଯାଇପାରେ ଯେ ଏମାନଙ୍କର ଏଭଳି ରାଵ କରିଵା ଯୋଗୁଁ ଏମାନଙ୍କୁ କୋକ କୁହାଯାଉଥିଲା । ତେଣୁ କେତେକ ଅନୁମାନ କରନ୍ତି ଯେ କୋକୁଆ ଶବ୍ଦର ସୃଷ୍ଟି ନିଶ୍ଚୟ ଗୋଟିଏ ପକ୍ଷୀର ରାଵ ଓ ତତ୍ ସମ୍ଵନ୍ଧୀୟ ଲୋକଵିଶ୍ଵାସ ଯୋଗୁଁ ହୋଇଥିଲା ।  

ଆଉ କିଛି ଲୋକଙ୍କ ମତରେ କୋକୁଆ ଶବ୍ଦଟି ଓଡ଼ିଆ ଶବ୍ଦ "କୋକେଇ" ସହିତ ସମ୍ଵନ୍ଧିତ । ଶଵକୁ ଶ୍ମଶାନ ବୋହିନେଵା ନିମନ୍ତେ ଛଅ ଖଣ୍ଡ କାଠରେ ତିଆରି କରାଯିଵା ନିଶୁଣି ଭଳି ଦେଖାଯିଵା ଏକପ୍ରକାରର ବୁହାଯାନକୁ ଆମ ଭାଷାରେ କୋକେଇ କୁହାଯାଏ । ବଡ଼ ବଡ଼ ଦୁଇ ଖଣ୍ଡି ବାଉଁଶ ଉପରେ ଚାରି ଖଣ୍ଡି ଛୋଟ ବାଉଁଶ ଆଡ଼ବାଗରେ ପାଳଦଉଡ଼ିରେ ବାନ୍ଧି କୋକେଇ ତିଆରି କରନ୍ତି ‌। ଏଥିରେ ବଡ଼ ସାନ କରି ଛଅଖଣ୍ଡ ବାଉଁଶ ଲାଗିଥାଏ। କୋକୁଆ ନାମକ ଅଦ୍ଭୁତ ଅଜଣା ଜୀଵ ଯୋଗୁଁ ଗାଆଁକୁ ଗାଆଁ ଵିସୂଚିକା ଭଳି ମାରାତ୍ମକ ରୋଗ କିମ୍ଵା ଵନ୍ୟା ଵାତ୍ୟା,ଅଗ୍ନି ଉତ୍ପାତ ଯୋଗୁଁ ଖାଲି ହେଇଯାଉଥିଲା ‌ବୋଲି ଲୋକଵିଶ୍ଵାସ ଥିଲା । ମଣିଷ ମଲେ କୋକେଇରେ ବୁହା ହୁଅନ୍ତି ତେଣୁ ଯୋଉ ଜୀଵ ଯୋଗୁଁ ଗାଆଁଗଣ୍ଡା କୋକେଇମୟ ହୋଇଯାଏ ତାକୁ କୋକୁଆ କୁହାଯାଏ ବୋଲି କେତେକ ଅନୁମାନ କରନ୍ତି ‌ । ଓଡ଼ିଆ ଭାଷାରେ କୋକେଇକୁ 'କକୁଆ' ମଧ୍ୟ କୁହାଯାଉଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଉଲ୍ଲେଖରୁ ଜଣାଯାଏ । କିନ୍ତୁ ଏହି କୋକେଇ ଶବ୍ଦର ମୂଳ କ'ଣ ତାହା ଅସ୍ପଷ୍ଟ ।‌

ପୁଣି କିଛି ଲୋକେ କୁହନ୍ତି ଯେ ଶାସ୍ତ୍ରୀୟ 'କୋକଃ' ଶବ୍ଦ ସହିତ ଏହି କୋକୁଆ ଶବ୍ଦ ସମୋଦ୍ଧୃତ । ଏ ଦେଶରେ 'ଵୃକ' ଵା 'ବିଲୁଆ'କୁ ମଧ୍ୟ 'କୋକ' କୁହାଯାଉଥିଲା । । 

ଯଥା ରାମାୟଣର “ ୫ । ୨୬ । ୯ ।” ରେ ଏହି ଶବ୍ଦର ଵିଲୁଆ ଅର୍ଥରେ ଏମନ୍ତ ପ୍ରୟୋଗ ହୋଇଅଛି

 “ଵନେ ଯୂଥପରିଭ୍ରଷ୍ଟା ମୃଗୀ କୋକୈରିଵାର୍ଦ୍ଦିତା” ॥ 
 
ଓଡ଼ିଶାରେ ପିଲାଙ୍କୁ ଡରାଇଵା ପାଇଁ "କକ" ଶବ୍ଦ ଵ୍ୟଵହୃତ ହୁଏ । ପୁଣି ମାତାମାନେ କୁକୁରକୁ ଦେଖେଇ କୁହନ୍ତି ଖାଇଦେ ନୋହିଲେ "କକ" ନେଇଯିଵ । 
ପୂର୍ଵେ କଥିତ ହୋଇଛି ଯେ ସଂସ୍କୃତରେ କୋକ ଶବ୍ଦର ଏକ ଅର୍ଥ 'କୁହ୍ଲିଆ' ଵା 'ବିଲୁଆ' ଯିଏ ଦେଖିଵାକୁ କୁକୁର ପରି କିନ୍ତୁ ଏହି ବିଲୁଆ ଜୀଵଟି ଜଙ୍ଗଲୀ ହୋଇଥିଵାରୁ ହିଂସ୍ର ଓ ପିଲାମାନଙ୍କୁ ଆକ୍ରମଣ ମଧ୍ୟ କରିପାରନ୍ତି । ପୂର୍ଵକାଳରେ ବିଲୁଆମାନେ ପ୍ରାୟ ଗାଁଗଣ୍ଡାରେ ପଶି ସୁଯୋଗ ପାଇଲେ ଗୃହପାଳିତ ପଶୁଠାରୁ ଛୋଟପିଲା ଯାଏଁ ଯାହା ପାଉଥିଲେ ନେଇଯାଉଥିଲେ ।ଫଳତଃ ସେମାନଙ୍କଠାରୁ ପିଲାଙ୍କୁ ସାଵଧାନ କରାଇଵାପାଇଁ ଓଡ଼ିଶାରେ 'କକ','କକମିନା' ଓ 'କୋକମିନା' ଆଦି ଭୟଙ୍କର ଜୀଵଙ୍କ କଳ୍ପନା କରାଯାଇଥିଵା ସମ୍ଭଵ । 

ବିଲୁଆକୁ ପାଶ୍ଚାତ୍ୟ ସଂସ୍କୃତିରେ ମନୁଷ୍ୟର ଅଵିଶ୍ଵାସୀ ଵନ୍ଧୁ ତଥା କୁକୁରକୁ ଵିଶ୍ଵସ୍ତ ଵନ୍ଧୁ ଭାଵେ ଅଭିହିତ କରାଯାଇଛି । ବିଲୁଆ ହେଉ ଵା ହେଟାବାଘ ଏମାନେ ସୁଯୋଗ ପାଇଲେ ମାନଵ ଶିଶୁକୁ ଘରୁ ସୁଦ୍ଧା ଉଠେଇ ନେଉଥିଲେ । ପୂର୍ଵେ ରାତିରେ ଏତେ ଆଲୋକ ନଥିଲା ତେଣୁ ଏମାନଙ୍କର ଭୟ ଅଧିକ ରହୁଥିଲା । ଶାସ୍ତ୍ରୀୟ 'କୋକ' ଶବ୍ଦ ସହିତ 'କକ','କକମିନା','କକଵାୟା' ଓ 'କୋକୁଆ' ଆଦି ଶବ୍ଦର ସମ୍ପର୍କ ଥାଇପାରେ କିନ୍ତୁ କୋକୁଆ ଭୟ କ'ଣ ହୋଇଥିଵ ? 

 ଅଜଣା ଅଜ୍ଞାତ କାରଣରୁ ସମାଜରେ ସୃଷ୍ଟି ହେଉଥିଵା ଭୀଷଣ ଭୟକୁ ଆଜିକାଲି 'କୋକୁଆ ଭୟ' ଵୋଲାଯାଉଅଛି । କିନ୍ତୁ ଏହି 'କୋକୁଆ ଓ 'କୋକୁଆ ଭୟ'ର ବିଲୁଆମାନଙ୍କ ସହିତ କି ସମ୍ଵନ୍ଧ ଥାଇପାରେ ?

ବିଲୁଆମାନେ ସାଧାରଣତଃ ଜଙ୍ଗଲରେ ରୁହନ୍ତି କିନ୍ତୁ ସେମାନେ ଵଣର ଏକମାତ୍ର ମାଂସଭକ୍ଷୀ ନୁହନ୍ତି । ଜଙ୍ଗଲରେ ବାଘ ସିଂହ ଚିତା ଅଧିକ ଖାଦ୍ୟ ପାଇଯାଆନ୍ତି । ଵର୍ଷେ ଵର୍ଷେ ଖାଦ୍ୟ ଅଭାଵ ହେଲେ ବିଲୁଆମାନେ ଏକାଠି ହୋଇ ଗୋଷ୍ଠୀରେ ଶିକାର କରିଵା ଆରମ୍ଭ କରିଦିଅନ୍ତି । ଏହାକୁ ଇଂରାଜୀରେ 'Pack' କୁହାଯାଏ । କେବେ କେବେ ଏଭଳି ଗୋଷ୍ଠୀରେ ୩୦୦ରୁ ୪୦୦ଟି ବିଲୁଆ ଯୋଗ ଦେଵାଯୋଗୁଁ ସେ ଗୋଷ୍ଠୀ ବହୁତ ଵିଶାଳ ହୋଇଯାଏ । ତାହାକୁ 'Super Pack' କୁହାଯାଏ । ଯେତେଵେଳେ ବିଲୁଆମାନେ 'SuperPack' ଗଠନ କରନ୍ତି ସେମାନେ ସାଧାରଣ ବିଲୁଆଙ୍କ ଅପେକ୍ଷା ଅନେକଗୁଣ ଅଧିକ ହିଂସ୍ର ହୋଇଯାଆନ୍ତି । ସେତେଵେଳେ ତାଙ୍କର ସାମ୍ନା ବାଘ ଭାଲୁ ବି କରିଵାକୁ ଡରନ୍ତି ଆଉ ମଣିଷ ଓ କୁକୁରଙ୍କ କଥା କିଏ ପଚାରୁଛି । 

ବିଲୁଆମାନେ ଏବେ ବି ଵିଶ୍ଵର ଅନେକ ସ୍ଥାନରେ SuperPack ଗଠନ କରି ଖାଦ୍ୟ ପାଇଁ ଅନ୍ୟ ଜୀଵଙ୍କ ଉପରେ ମରଣାନ୍ତକ ଆକ୍ରମଣ କରୁଛନ୍ତି । ଏମନ୍ତକି ଅନେକ କ୍ଷେତ୍ରରେ ଏଥିପାଇଁ ମାନଵମାନେ ମଧ୍ୟ ଆକ୍ରମଣ ଓ ମୃତ୍ୟୁର ଶିକାର ହୋଇଛନ୍ତି । ବିଲୁଆଙ୍କ ପରି ଆଫ୍ରିକାରେ ଜଙ୍ଗଲୀକୁକୁରଙ୍କ ସାମୁହିକ ଦଳ ଆକ୍ରମଣ କରି ଅନେକ ଜୀଵଙ୍କୁ ହତ୍ୟା କରନ୍ତି। 

ଏଣୁ ସମ୍ଭଵତଃ 'କୋକୁଆ' ଶବ୍ଦଟି 'କୋକ' ଵା ବିଲୁଆ ଓ ଜଙ୍ଗଲୀକୁକୁରଙ୍କ ସହିତ ସମ୍ଵନ୍ଧିତ ହୋଇଥାଇପାରେ ଏଵଂ କୋକୁଆ ଭୟ ସମ୍ଭଵତଃ ଵିଲୁଆଙ୍କର ଅତୀଵ ହିଂସ୍ର SuperPack ଗୋଷ୍ଠୀଗଠନ କରିଵା ଯୋଗୁଁ ସୃଷ୍ଟି ହୋଇଥିଵା ଜନଜୀଵନ ନାଶର ଜନସୃତି ଭାଵେ ପ୍ରଚଳିତ ହୋଇଅଛି । 

ହୋଇଥାଇପାରେ ଯେ ଆଜକୁ ଶହ ଶହ ଵର୍ଷ ପୂର୍ଵେ ଓଡ଼ିଶାର ଜଙ୍ଗଲରେ ଖାଦ୍ୟାଭାଵ ଯୋଗୁଁ ବିଲୁଆ ଵା ଜଙ୍ଗଲୀକୁକୁରମାନେ SuperPack ଗଠନକରି ରାତ୍ରିର ଅନ୍ଧକାରରେ ମାନଵ ଜନଵସତି ଉପରେ ଭୀଷଣ ଆକ୍ରମଣ କରିଥିଵେ ଏଵଂ ସେଥିପାଇଁ ମନୁଷ୍ୟମାନେ ଵିଲୁଆଙ୍କର ସେହି କୋକ ନାମରୁ 'କକ','କକମିନା','କକବାୟା' ଓ ସେମାନଙ୍କର SuperPack ଅଵସ୍ଥାକୁ 'କୋକୁଆ' ନାମ ଦେଇଥିଵେ । ପରେ ଜନସମାଜରେ ପ୍ରଚଳିତ 'କୋକୁଆ' ଶବ୍ଦଟି ସାରଳା ମହାଭାରତରେ ଵ୍ୟଵହାର ହେଵା ଯୋଗୁଁ ଏହା ଓଡ଼ିଶାରେ ଅଧିକ ଜଣାଶୁଣା ହୋଇଥିଵ ‌। 

ସାରଳା ଦାସ ସେହି ଅଦ୍ଭୁତ ଅଦୃଷ୍ଟ ଭୟଙ୍କର ଜୀଵ 'କୋକୁଆ'କୁ ନିଜ ସାହିତ୍ୟରେ ସ୍ଥାନ ଦେଇ ଅମର କରିଦେଇ ଯାଇଛନ୍ତି। କିନ୍ତୁ ସେ କୋକୁଆକୁ ଆଜିଯାଏଁ କେହି ଦେଖି ନାହାନ୍ତି । ଆଗେ ଵେଳେଵେଳେ ଯେତେଵେଳେ ମହାମାରୀ ଵ୍ୟାପୁଥିଲା ଓ ଶହ ଶହ ଲୋକ ମରିଯାଉଥିଲେ ସେତେଵେଳେ ସାରଳା ମହାଭାରତର କଥା ମନେପକେଇ କୌଣସି ନିରୀହ ଅଳ୍ପ ଦୃଶ୍ୟ ପ୍ରଜାତିର ପକ୍ଷୀକୁ ମାରି ଟଙ୍ଗେଇ ଦେଉଥିଲେ । ଏମିତି କରିଵାର ଅଭିପ୍ରାୟ ଲୋକଙ୍କ ମନରେ ଵିଶ୍ଵାସ ରହିଵ,ଲୋକେ ଡରିବେ ନାହିଁ କି ଅଯଥା ଧୈର୍ଯ୍ୟ ହରାଇବେ ନାହିଁ ।  

ଆଦିମକାଳରୁ ପ୍ରାଚୀନ ମାନଵ କାଳ୍ପନିକ ଜୀଵର କଳ୍ପନା କରି ଆସିଛି । ପ୍ରାୟତଃ ସବୁ ଦେଶରେ ସମଗ୍ର ମାନଵଜାତିରେ ଏଵଂ ସବୁ ଅଞ୍ଚଳରେ ଏଭଳି ଜୀଵଙ୍କ କାହାଣୀମାନ ଶୁଣିଵାକୁ ମିଳିଥାଏ ।
କାଳ୍ପନିକ ଜୀଵଙ୍କର କଳ୍ପନାର ମୂଳ ଉଦ୍ଦେଶ୍ୟ ଥିଲା ଅଵାଧ୍ୟ ଶିଶୁ, କିଶୋର ଓ ଯୁଵକମାନଙ୍କୁ ହିଂସ୍ର ଜୀଵଜନ୍ତୁ ତଥା ଅଜଣା ଵିପଦରୁ ଦୂରେଇ ରଖି ଭଵିଷ୍ୟତ ପିଢ଼ିକୁ ସୁରକ୍ଷିତ ରଖିଵା ତେଵେ ସେ କେଵଳ କାହାଣୀ ଗଢ଼ି ଵସିଯାଇନଥିଲା ଵରଂ ନିଜ ଭଵିଷ୍ୟତ ପିଢ଼ିକୁ ଵଞ୍ଚାଇଵାକୁ ଉଦ୍ୟମ ମଧ୍ୟ କରିଥିଲା ‌ । ପ୍ରାଚୀନକାଳର ଭୟଙ୍କର ପରିଵେଶ ମଧ୍ୟରେ ବଢ଼ି ମଣିଷ ତା ସହିତ ଖାପଖୁଆଇ ଚଳିଵାର କଳା ଵିକଶିତ କରି ଆଜି ଏତେଟା ଵାସ୍ତୁଵାଦୀ ଓ ସାମାଜିକ ଉନ୍ନତି କରିପାରିଛି ।

••••••••••••••••••••••••••

Tuesday, March 28, 2023

ରାଶି ଏଵଂ ଆଧୁନିକ ଵିଜ୍ଞାନ

ଆଗେ ପୃଥିଵୀଵାସୀ ମନୁଷ୍ୟମାନେ ତାରା,ତାରକା ଵା ନକ୍ଷତ୍ର କହିଲେ ରାତ୍ରିକାଳରେ ଆକାଶରେ ମିଞ୍ଜି ମିଞ୍ଜି ହେଉଥିଵା ଆଲୋକବିନ୍ଦୁକୁ ହିଁ ବୁଝୁଥିଲେ । ପୃଥିଵୀରେ ଥାଇ ପ୍ରାଚୀନ କାଳର ଲୋକେ ତାରାଗୁଡ଼ିକୁ ଵିଭିନ୍ନ ରାଶିରେ ଵିଭକ୍ତ କରିଦେଇଥିଲେ ‌। ରାଶି କହିଲେ ସମୂହ ଵା ପୁଞ୍ଜ । ଆଗକାଳର ଲୋକେ ଗ୍ରହଚକ୍ରକୁ ବାରଗୋଟି ରାଶିରେ ଵିଭକ୍ତ କରିଥିଲେ । ସେତେବେଳେ ପୃଥିଵୀର ଲୋକେ ସୂର୍ଯ୍ୟ ଓ ତାରକାମାନଙ୍କର ଗତିକୁ ପୃଥିଵୀର ପରିକ୍ରମ ଣ ଗତି ଅନୁସାରେ ଆକଳନ କରିଥିଲେ ଏଵଂ ଵର୍ଷକ ମଧ୍ୟରେ ୧୨ ଗୋଟି ରାଶିକୁ ସୂର୍ଯ୍ୟ ସଂକ୍ରମଣ କରି ତାଙ୍କର ଵାର୍ଷିକ ଗତିଚକ୍ରକୁ ଥରେ ବୁଲନ୍ତି ବୋଲି କଳ୍ପନା କରିଥିଲେ। ସୂର୍ଯ୍ୟଙ୍କର ଏହି କଳ୍ପିତ ଵାର୍ଷିକ ଗତିଦ୍ୱାରା ପୃଥିଵୀର ଚାରିଆଡ଼େ ଆକାଶରେ ଯେଉଁ ଵୃତ୍ତ କଳ୍ପନାଦ୍ୱାରା ଅଙ୍କିତ ହୁଏ ତାହାକୁ ରାଶିଚକ୍ର ବୋଲାଯାଉଥିଲା । ଏହି ସୂର୍ଯ୍ୟଙ୍କ ଗତିଦ୍ୱାରା କଳ୍ପିତରେଖା ଅଣ୍ଡାକାର (Elliptical), କିନ୍ତୁ ହିନ୍ଦୁ ଜ୍ୟୋତିଷୀମାନେ ଉକ୍ତ ପରିଧିକୁ ଵୃତ୍ତରୂପେ କଳ୍ପନା କରି ସେହି ପରିଧିକୁ ରାଶିଚକ୍ର କରିଥିଲେ । ଆକାଶସ୍ଥ ସେହି କଳ୍ପିତ ବୃତ୍ତକୁ ୧୨ସମାନଭାଗରେ ଵିଭକ୍ତ କରା ଯାଇଥିଲା ଏଵଂ ପ୍ରତ୍ୟେକ ଅଂଶର ସୀମା ମଧ୍ୟରେ ଥିଵା କେତେଗୁଡ଼ିଏ ଉଜ୍ଜ୍ୱଳ ନକ୍ଷତ୍ରର ସମଷ୍ଟିକୁ ରାଶି ବୋଲାଯାଉଥିଲା । ଚନ୍ଦ୍ର ମଧ୍ୟ ଏକ ମାସ ମଧ୍ୟରେ ପୃଥିବୀର ଚାରିଆଡ଼େ ବୁଲି ଯେଉଁ ପରିଧି ଅଙ୍କନ କରୁଥିଲା ତାହାକୁ (ଅର୍ଥାତ୍ ଆକାଶଚକ୍ରକୁ)୨୭ ଭାଗରେ ଵିଭକ୍ତ କରାଯାଇ ଉକ୍ତ ଭାଗମାନଙ୍କୁ ନକ୍ଷତ୍ର ବୋଲାଯାଉଥିଲା । କିନ୍ତୁ ଏହି କଥାକଥିତ ଗ୍ରହଚକ୍ରରେ ସୂର୍ଯ୍ୟ ଓ ଅନ୍ୟାନ୍ୟ ନକ୍ଷତ୍ରମାନଙ୍କର ପ୍ରକୃତ ଗତି,ଦିଗ ଓ ବେଗକୁ ପ୍ରକାଶ କରିଵା ସମ୍ଭଵ ନଥିଲା କାରଣ ଏହା ପୃଥିଵୀ ଓ ଚନ୍ଦ୍ରର ପରିକ୍ରମଣ ଗତି ଆଧାରରେ କଳ୍ପିତ ହୋଇଥିଲା । ଏହି ପ୍ରାଚୀନ କଳ୍ପିତ ପ୍ରଣାଳୀ ଦ୍ଵାରା ନକ୍ଷତ୍ରଗୁଡି଼କର ପରସ୍ପରଠାରୁ ପ୍ରକୃତ ଦୂରତା ,ଗତି ଓ ପରିକ୍ରମଣ ପଥ ଜାଣିଵା ଅସମ୍ଭଵ ଥିଲା ଯାହା ପରଵର୍ତ୍ତୀ କାଳର ଆଧୁନିକ Astronomy ଵିଜ୍ଞାନ ଦ୍ଵାରା ସମ୍ଭଵ ହୋଇ ପାରିଛି ‌। 

ସତକଥା ହେଲା ଏକତ୍ର ଦେଖାଯାଉଥିଲେ ବି ମହାକାଶରେ ଆମେ ଦେଖୁଥିଵା ରାଶିଗୁଡ଼ିକରେ ଥିଵା ତାରାଗୁଡ଼ିକ ମଧ୍ୟରେ କୌଣସି ନିକଟ ସମ୍ପର୍କ ନଥାଏ କିମ୍ବା ସେମାନେ ପରସ୍ପରର ଅତି ନିକଟତର ମଧ୍ୟ ହୋଇନଥାନ୍ତି । ଗୋଟିଏ ରାଶିରେ ଥିଵା ପ୍ରତ୍ୟେକ ତାରକା ପରସ୍ପରଠାରୁ ଅନେକ ଆଲୋକଵର୍ଷ ଦୂରରେ ଅଵସ୍ଥିତ ତଥା ଭିନ୍ନ ଭିନ୍ନ ଓ ସ୍ଵତନ୍ତ୍ର ସୌରମଣ୍ଡଳ ଘେନି ପରିକ୍ରମଣ ସ୍ବ ସ୍ବ ଗତିପଥରେ ଭ୍ରମଣ କରୁଅଛନ୍ତି । ପୃଥିବୀ ଉପରେ ଥାଇ ଦେଖିଲେ ଆମକୁ ସେମାନେ ପରସ୍ପରର ନିକଟତର ଜଣାପଡ଼ନ୍ତି କାରଣ ସେମାନେ ଆକାଶରେ ସମାନ ଦିଗରେ ଅଛନ୍ତି ଏଵଂ ଧିରେ ଧିରେ ମହାକାଶରେ ଗତି କରୁଅଛନ୍ତି । ଆମେ 2D ରୂପେ ଦେଖୁଥିଵାରୁ ଆମକୁ ଗୋଟିଏ ରାଶିରେ ଥିଵା ତାରକାଗୁଡି଼କ ପରସ୍ପରର ନିକଟରେ ଥିଵା ପରି ଜଣାପଡ଼ନ୍ତି । କିନ୍ତୁ ପ୍ରକୃତରେ ଏହା ଏକ ଅପ୍ଟିକାଲ୍ ଭ୍ରମ ଅଟେ । ପ୍ରକୃତରେ ଏକ ରାଶିରେ ଥିଵା ତାରାଗୁଡ଼ିକ ପରସ୍ପର ସହିତ ସମ୍ବନ୍ଧୀୟ ହୋଇନଥାନ୍ତି । ଉଦାହରଣ ସ୍ୱରୂପ ସପ୍ତଋଷି ମଣ୍ଡଳ,Big Dipper ଵା Ploughରେ ଆମେ ସାତଗୋଟି ତାରକା ଥିଵା ଦେଖିଵାକୁ ପାଇଥାନ୍ତି । Dubhe(କ୍ରତୁ),
Merak(ପୁଲହ),Phecda(ପୁଲସ୍ତ୍ୟ),Megrez(ଅତ୍ରି) ,Alioth(ଅଙ୍ଗିରା),Mizar(ଵଶିଷ୍ଟ), ଓ Alkaid(ମରିଚି) । 

(ଵି:ଦ୍ର— ଏହି ଚିତ୍ରରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ରାଶିଗୁଡ଼ିକରେ ଥିଵା ତାରକାଗୁଡି଼କ ପରସ୍ପରଠାରୁ ବହୁତ ଦୂରରେ ଅଵସ୍ଥିତ ଅଛନ୍ତି)

ଏହି ସାତଗୋଟି ତାରକା ମଧ୍ୟରେ Dubhe(କ୍ରତୁ) ଆମଠାରୁ ୧୨୩ ଆଲୋକଵର୍ଷ ଦୂରରେ ଥିଲା ବେଳେ Merak(ପୁଲହ) ତାରକା ୭୯ ଆଲୋକଵର୍ଷ ଦୂରରେ ଅଵସ୍ଥିତ । ସେହିପରି Phecda(ପୁଲସ୍ତ୍ୟ) ଆମଠାରୁ ୮୩.୨ରୁ ୯୦ ଆଲୋକଵର୍ଷ ଆଲୋକଵର୍ଷ,Megrez(ଅତ୍ରି) ୬୩ରୁ ୮୦.୫ ଆଲୋକଵର୍ଷ,Alioth(ଅଙ୍ଗିରା) ୬୮ରୁ  ୮୨.୬ ଆଲୋକଵର୍ଷ , Mizar(ଵଶିଷ୍ଟ) ୮୩ରୁ ୮୮ ଆଲୋକଵର୍ଷ ଏଵଂ Alkaid(ମରିଚି)
୧୦୩.୯ରୁ ୨୧୦ ଆଲୋକଵର୍ଷ ଦୂରରେ ଅଵସ୍ଥିତ । ଅଵଶ୍ୟ ପୁଲହ, ପୁଲସ୍ତ୍ୟ ,ଅତ୍ରି,ଅଙ୍ଗିରା , ଵଶିଷ୍ଠ ଓ ଅରୁନ୍ଧତୀ ନକ୍ଷତ୍ର ମଧ୍ୟରେ ଦୂରତା ଅପେକ୍ଷାକୃତ ଅଳ୍ପ ଏଵଂ ଏମାନେ ଏକ ଦିଗରେ ଗତି କରୁଛନ୍ତି କିନ୍ତୁ କ୍ରତୁ ଓ ମରିଚି ନକ୍ଷତ୍ର ଏମାନଙ୍କର ଵିପରୀତ ଦିଗକୁ ଗତି କରୁଛନ୍ତି ଏଵଂ ଅପେକ୍ଷାକୃତ ଦୂରରେ ଅଵସ୍ଥିତ । 



ପ୍ରତ୍ୟେକ ତାରକାର ନିଜସ୍ଵ ଗତି,ଆକାର, ଓ ପରିକ୍ରମଣ ଦିଗ ତଥା ପଥ ରହିଛି । ଆମ ତାରକା ସୂର୍ଯ୍ୟ ମଧ୍ୟ ୮୨୮,୦୦୦ କିମି ପ୍ରତି ଘଣ୍ଟା ବେଗରେ ଆମର ନିହାରିକା ଆକାଶଗଙ୍ଗା ମଧ୍ୟରେ କିନ୍ଦ୍ରି ବୁଲୁଛି ଏଵଂ ଆମ ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ଆକାଶଗଙ୍ଗାରେ ଭେରାଏ ବୁଲି ଆସିଵାକୁ ୨୩୦ ନିୟୁତ ଵର୍ଷ ସମୟ ଲାଗିଯାଏ । ନିଜର‌ ସୃଷ୍ଟି ସମୟ ୪.୫ ଅର୍ବୁଦ ଵର୍ଷଠାରୁ ଏଯାଵତ୍ ଆମ ସୂର୍ଯ୍ୟ ମାତ୍ର ୨୦ ଥର ହିଁ ଆକାଶଗଙ୍ଗାର ସମ୍ପୂର୍ଣ୍ଣ ପରିକ୍ରମା କରିଅଛି ।‌ 

ତେଣୁ ଗୋଟିଏ ରାଶିରେ ଥିଵା ତାରକାଗୁଡି଼କର ମହାକାଶରେ ଗତିର ବେଗ ଓ ଦିଗ ଭିନ୍ନ ଭିନ୍ନ ହୋଇଥିଵାରୁ ଆଜି ଆମେ ଯେଉଁ ରାଶିକୁ ଯେମିତି ଦେଖୁଛନ୍ତି ଭଵିଷ୍ୟତରେ ତାହା ଆଉ ସେଭଳି ଦେଖାଯିଵ ନାହିଁ । ଏଇ ଯେମିତି ଆଜିଠାରୁ ୯୮୦୦୦ ଵର୍ଷ ପରେ ସପ୍ତର୍ଷିମଣ୍ଡଳ ଆଉ ପ୍ରଶ୍ନଚିହ୍ନ ❓ ଭଳି ଦେଖାନଯାଇ ରୋଷେଇ ଘରର ଛୁରୀ 🔪 ଭଳି ଦେଖାଯାଉଥିଵ । ଏହାର କାରଣ ହେଉଛି ମହାକାଶରେ Dubhe(କ୍ରତୁ) ଓ Alkaid(ମରିଚି) ଗୋଟିଏ ଦିଗରେ ଗତି କରୁଥିଵା ବେଳେ ବାକି ପାଞ୍ଚୋଟି ତାରକା ଏହାର ଵିପରୀତ ଦିଗରେ ଗତି କରୁଅଛନ୍ତି(ଵିଡିଓ ଦ୍ରଷ୍ଟଵ୍ୟ)। 

(ଵି:ଦ୍ର — ଚିତ୍ରରେ ଏକ ଲକ୍ଷ ଵର୍ଷ ପୂର୍ଵର ଏଵଂ ଏକ ଲକ୍ଷ ଵର୍ଷ ପରଵର୍ତ୍ତୀ ସମୟକାଳର ସପ୍ତର୍ଷିମଣ୍ଡଳ ପୃଥିଵୀ ପୃଷ୍ଠରୁ କେମିତି ଦେଖାଯାଉଥିଲା, କେମିତି ଦେଖାଯାଉଛି ଏଵଂ ଆଗକୁ କେମିତି ଦେଖାଯିଵ ତାହା ଦର୍ଶାଯାଇଛି)

 ପୂର୍ଵକାଳରେ ଆମ୍ଭ ପୂର୍ଵଜମାନେ 2D ଦୃଶ୍ୟ ଜନିତ ଅପ୍ଟିକାଲ ଭ୍ରମ ଯୋଗୁଁ ପରସ୍ପରଠାରୁ ବହୁତ ଦୂରରେ ଅଵସ୍ଥିତ କେତେକ ନକ୍ଷତ୍ରକୁ ନିଜ ଇଚ୍ଛାରେ ଯୋଡ଼ି ରାଶି ସବୁର କଳ୍ପନା କରିଥିଲେ । କିନ୍ତୁ ଆଧୁନିକ ଯୁଗରେ ଆମେ ଜାଣିପାରିଛନ୍ତି ଯେ ସେସବୁ ନକ୍ଷତ୍ରଗୁଡି଼କ ପରସ୍ପରଠାରୁ ଅନ୍ତତଃ କୋଡ଼ିଏରୁ ଶହେ ଆଲୋକଵର୍ଷ ଦୂରରେ ଅଵସ୍ଥିତ ଅଛନ୍ତି । 
ଗୋଟିଏ ରାଶିରେ ଥିଵା ତାରକାଗୁଡି଼କର ଵୟସ,ଆକାର ଓ ଦୂରତା ଭିନ୍ନ ଭିନ୍ନ ଏଵଂ ସେମାନେ ସମାନ ଷ୍ଟାର ସିଷ୍ଟମରେ ମଧ୍ୟ ଅଵସ୍ଥିତ ନଥାନ୍ତି । ପ୍ରକୃତରେ ରାଶି ଦ୍ଵାରା ତାରକାଗୁଡ଼ିକୁ ଶ୍ରେଣୀଭୁକ୍ତ କରିଵା ପ୍ରଣାଳୀ ଏକ ମାନଵୀୟ ଉଦ୍ଭାଵନ ଅଟେ । ରାତ୍ରିକାଳର ଆକାଶରେ ସେମାନଙ୍କୁ ଉଣ୍ଡିପାଇଵା ଓ ଚିହ୍ନିଵା ସହଜ କରିଵା ପାଇଁ ତତ୍କାଳୀନ ଜ୍ୟୋତିର୍ଵିଜ୍ଞାନୀମାନେ ରାଶି ଦ୍ଵାରା ନକ୍ଷତ୍ରଗୁଡି଼କର ଶ୍ରେଣୀ ଵିଭାଗ କରିଥିଲେ ‌। 


Monday, March 27, 2023

ଆମ ସୌରମଣ୍ଡଳ ଵିଷୟରେ କିଛି ଜାଣିଵା କଥା

ଯୋଉମାନେ କହୁଛନ୍ତି ଆଧୁନିକ ଯୁଗରେ Astronomy କ୍ଷେତ୍ରରେ କିଛି ନୂତନ ଆଵିଷ୍କାର ହୋଇନାହିଁ ସେମାନେ ପ୍ରକୃତରେ ଏ କ୍ଷେତ୍ରରେ ହୋଇଥିଵା ନୂତନ ଆଵିଷ୍କାର ଵିଷୟରେ କିଛି ଜାଣି ନାହାନ୍ତି ‌। ଫେସବୁକରେ ଦେଖାଯାଉଛି କିଛି ଲୋକ କହି ବୁଲୁଛନ୍ତି ଯେ ଆମ ପୂର୍ଵଜ ବୁଧ,ଶୁକ୍ର,ମଙ୍ଗଳ,ବୃହସ୍ପତି ଆଉ ଶନି ଗ୍ରହ ଆଵିଷ୍କାର କରିଥିଲେ ଆଉ ଶହ ଶହ ନକ୍ଷତ୍ରକୁ ଚିହ୍ନି ନାମକରଣ କରିଥିଲେ ଆଜିର Astronomersମାନେ କ'ଣ ଟା ଵା ଆଵିଷ୍କାର କରିପକାଇଛନ୍ତି ? 

ତେବେ ୟୁରାନସ୍,ନେପଚୁନ୍,ପ୍ଲୋଟୋ ଓ ଏରିସ୍ ଆଦି ଗ୍ରହ ତଥା ଵାମନ ଗ୍ରହର ଆଵିଷ୍କାର ତ ଆଧୁନିକ Astronomerମାନେ ହିଁ କରିଛନ୍ତି ନା ? 

ସେହିପରି ଆଗେ ସୌରମଣ୍ଡଳର କେଵଳ ଗୋଟିଏ ଉପଗ୍ରହ 'ଚନ୍ଦ୍ର' ଵା 'ଜହ୍ନ' ସହିତ ପ୍ରାଚୀନ ଲୋକେ ପରିଚିତ ଥିଲେ କିନ୍ତୁ ଆଧୁନିକ ଯୁଗର Astronomerମାନେ ସୌରମଣ୍ଡଳର ପାଖାପାଖି ୨୩୧ଟି ଉପଗ୍ରହ ତଥା ୨୦୦୦ରୁ ଅଧିକ ଅନ୍ୟ ଗ୍ରହାଣୁ ,ଵାମନ ଗ୍ରହର ଆଵିଷ୍କାର କରିସାରିଛନ୍ତି । ଆମ ସୌରମଣ୍ଡଳର ଵର୍ତ୍ତମାନ ପର୍ଯ୍ଯନ୍ତ ମିଳିଥିଵା ସବୁଠାରୁ ଦୂରଵର୍ତ୍ତୀ ଵାମନଗ୍ରହ "Far Far Out" ବି ନିକଟ ଅତୀତରେ ଆଵିଷ୍କୃତ ହୋଇସାରିଛି ଯାହା ସୂର୍ଯ୍ୟଠାରୁ ପ୍ରାୟ ୧୪୦ AU (୨୧ ବିଲିଅନ୍ କିମି) ଦୂରରେ ଅଵସ୍ଥିତ ।  
ଗାଲିଲିଓଙ୍କ ପୂର୍ଵରୁ ପୃଥିଵୀଵାସୀ ସୌରଜଗତର କେଵଳ ଗୋଟିଏ ଉପଗ୍ରହ #ଚନ୍ଦ୍ର ସହିତ ପରିଚିତ ଥିଲେ ।‌ ସହସ୍ରାଧିକ ଵର୍ଷ କାଳ ଵିଶ୍ଵଵାସୀଙ୍କୁ ଆମ ସୌରଜଗତର ଉପଗ୍ରହଗୁଡି଼କ ଵିଷୟରେ ଆଉ ଅଧିକ କିଛି ଜଣାନଥିଲା । ଗାଲିଲିଓ ଗାଲିଲି ସେହି ପ୍ରଥମ ଵ୍ୟକ୍ତି ଥିଲେ ଯିଏ ୧୬୦୯ ଵା ୧୬୧୦ ଖ୍ରୀଷ୍ଟାବ୍ଦରେ ନିଜର ଦୂରଵିକ୍ଷଣ ଯନ୍ତ୍ର ସାହାଯ୍ୟରେ ସୌରଜଗତର ସର୍ଵଵୃହତ ଗ୍ରହ ଵୃହସ୍ପତି ଚାରିପଟେ ଘୂରିବୁଲୁଥିଵା ଏହି ଗ୍ରହର ଚାରିଗୋଟି ଉପଗ୍ରହ 
 Io, Europa, Ganymede ଓ Callistoର ଆଵିଷ୍କାର କରିଥିଲେ । ହଁ ସେ ଯୁଗରେ ୟୁରୋପର କିଛି ଧର୍ମାନ୍ଧ ଲୋକମାନେ ତାଙ୍କୁ ଏଥିପାଇଁ ମାରି ଦେଇଥିଲେ । 


ଆଜି ଆମେ ଜାଣିଛନ୍ତି ଯେ ଆମ ସୌରଜଗତରେ ବୁଧ ଓ ଶୁକ୍ର ଛଡ଼ା ଅନ୍ୟ ଛଅଗୋଟି ଗ୍ରହର ଏକ ଵା ତତୋଽଧିକ ଉପଗ୍ରହ ଅଛି ‌। ଏଯାଵତ୍ ସୌରଜଗତର ସମସ୍ତ ଗ୍ରହଗୁଡି଼କର ୨୩୧ଟି ଉପଗ୍ରହ ଆଵିଷ୍କୃତ ହୋଇସାରିଛି ଏଵଂ ସର୍ଵାଧିକ ଉପଗ୍ରହ ଵୃହସ୍ପତି ଓ ଶନି ଗ୍ରହ ଚାରିପଟେ ଘୂରିବୁଲୁଥିଵା ଜଣାଯାଇଛି । 

ଵାମନ ଗ୍ରହଗୁଡି଼କ ମଧ୍ୟରେ ପ୍ଲୋଟୋର ପାଞ୍ଚୋଟି,ଓରକସ୍‌ର ଗୋଟିଏ,ହାଉମିଆର ଦୁଇଟି ,କ୍ଵାଉଆର,ମେକ୍‌ମେକ୍,ଵର୍ଦା,ଗଙ୍ଗ୍‌ଗଙ୍ଗ୍ ଓ ଏରିସ୍‌ର ଗୋଟିଏ ଲେଖାଏଁ ଉପଗ୍ରହ ଥିଵା ଜଣାପଡି଼ଛି । 

ତେବେ କୌଣସି ଗ୍ରହ ଚାରିପଟେ କେଵଳ satellite ହିଁ ନୁହେଁ quasi satellite ମଧ୍ୟ ଘୂରି ବୁଲୁଥିଵାର ଦେଖାଯାଏ । 

୨୦୧୬ରେ ପୃଥିଵୀର ଚନ୍ଦ୍ର ଛଡ଼ା Kamoʻoalewa ନାମରେ ଏକ 
quasi-satellite ମଧ୍ୟ ଅଛି ବୋଲି ଜଣାପଡ଼ିଥିଲା । 
ତେବେ Kamoʻoalewa ଉଭୟ ପୃଥିଵୀ ଓ ସୂର୍ଯ୍ୟ ଚାରିପଟେ ଘୂରିବୁଲିଥାଏ ତେଣୁ ଏହାକୁ quasi satellite କୁହାଯାଏ । ଅଵଶ୍ୟ "2020 PP1" ଭଳି ପୃଥିଵୀର ଆଉ ଛଅ ସାତୋଟି quasi satellite ରହିଛି ଏଵଂ ପାଖାପାଖି କୋଡ଼ିଏଟି ଏହିପରି ଛୋଟବଡ଼ Near Earth objects ଅଛି ଯାହା ବେଳେ ବେଳେ ସୂର୍ଯ୍ୟ ଵ୍ୟତୀତ ପୃଥିଵୀର ପ୍ରଦକ୍ଷିଣା କରିଥାଏ,ପୃଥିଵୀ ସହିତ ସୂର୍ଯ୍ୟର ପ୍ରଦକ୍ଷିଣା କରିଥାଏ ଵା ପୃଥିଵୀ ନିକଟ ଦେଇ ଗତି କରିଥାଏ । 
 quasi satelliteର ଓଡ଼ିଆ ସମ୍ଭଵତଃ ଅର୍ଦ୍ଧୋପଗ୍ରହ ହୋଇପାରିଵ ଯେହେତୁ 
quasiର ଗୋଟିଏ ଅର୍ଥ ଅର୍ଦ୍ଧ ତାହେଲେ quasi satellite ପାଇଁ “ଅର୍ଦ୍ଧୋପଗ୍ରହ” ଶବ୍ଦ ଵ୍ୟଵହାର କରାଯାଇପାରେ । 


ସବୁ ଯୁଗରେ ନୂଆ ନୂଆ ତଥ୍ୟ ଆଵିଷ୍କୃତ ହୋଇଛି ଏଵଂ ତହିଁର ଉପଯୋଗ ଦ୍ଵାରା ମାନଵଜାତି ସାମାଜିକ, ସାଂସ୍କୃତିକ, ବୌଦ୍ଧିକ,ଵୈଷୟିକ ଓ ଵାସ୍ତୁଵାଦୀ ଵିକାଶ କରିଵାରେ ସକ୍ଷମ ହୋଇପାରିଛି । ପୁରୁଣା ଯୁଗର Astrology ଜ୍ଞାନକୁ ହିଁ ସମ୍ପୂର୍ଣ୍ଣ, ପୂର୍ଣ୍ଣାଙ୍ଗ ମନେ କରି ବସି ପଡ଼ିଥିଲେ ଆଜି ଆମେ ଏହିସବୁ ଵିଷୟରେ କିଛି ବି ଜାଣିପାରିନଥାନ୍ତେ ଏଵଂ ପୃଥିଵୀର ଅନ୍ୟ ଅନେକ ଜୀଵଙ୍କ ପରି ଵନ ଜଙ୍ଗଲରେ ପଶୁଵତ୍ ଵିଚରଣ କରୁଥାନ୍ତେ ।

ପ୍ଲୋଟୋ କାହିଁକି ଏକ ଗ୍ରହ ନୁହେଁ ?

ପ୍ଲୋଟୋ ଏବେ ଆଉ ଏକ ଗ୍ରହ ହୋଇକରି ନାହିଁ ଵରଂ ଏହାକୁ ଵାମନଗ୍ରହର ପାହ୍ୟା ପ୍ରଦାନ କରିଦିଆଯାଇଛି । କିନ୍ତୁ ଏମିତି କାହିଁକି କରାଗଲା ତାହା ଅନେକେ ହୁଏତ ଜାଣିନଥିବେ । ଏ ଵିଷୟରେ ଜାଣିଵା ଆଗରୁ ଆମ୍ଭମାନଙ୍କୁ ଆଗେ ଗ୍ରହ ଵା Planet କାହାକୁ କୁହାଯାଏ ତାହା ଜାଣିଵାକୁ ହେଵ । 
ଭାରତରେ planetକୁ ପ୍ରାୟତଃ ଅଧିକାଂଶ ଭାରତୀୟ ଭାଷାରେ ଗ୍ରହ କୁହାଯାଏ ଏଵଂ ଏହି ଶବ୍ଦକୁ ଗ୍ରହ୍ ଧାତୁରୁ ନିଷ୍ପନ୍ନ କରାଯାଇଛି । ଗ୍ରହ୍‌ଧାତୁରୁ ଧାରଣ କରିଵା,ଆୟତ୍ତ କରିଵା,ଆକର୍ଷଣକରିଵା ଆଦି ଅର୍ଥରେ ଶବ୍ଦ ନିଷ୍ପନ୍ନ ହୋଇଥାଏ । ଗୋଟିଏ ଗ୍ରହ ଵାୟୁମଣ୍ଡଳ,ଅଶ୍ମମଣ୍ଡଳ ଆଦି ନିଜ ମଧ୍ୟରେ ଧାରଣ କରି ରଖିଥାଏ । ପ୍ରତ୍ୟେକ ଗ୍ରହର ନିଜର ମାଧ୍ୟାକର୍ଷଣ ଶକ୍ତି ଥାଏ ଏଵଂ ସେ ସେହି ଶକ୍ତି ବଳରେ ନିଜ ମଧ୍ୟରେ ଥିଵା ପ୍ରସ୍ତର,ଜୀଵ ଓ ତାହାର ଉପଗ୍ରହ ଛଡ଼ା ନିକଟକୁ ଆସୁଥିଵା ଗ୍ରହାଣୁ ଆଦିକୁ ମଧ୍ୟ ବଳ ପ୍ରୟୋଗ ପୂର୍ଵକ ଟାଣି ଆଣିପାରେ । ପୃଥିଵୀ ଭଳି ସୂର୍ଯ୍ୟ ଓ ଚନ୍ଦ୍ର ଆଦି ପ୍ରତ୍ୟେକ ଗ୍ରହ ନକ୍ଷତ୍ର ଓ ଉପଗ୍ରହର ନିଜର ଆକର୍ଷଣ ଶକ୍ତି ଅଛି ବୋଲି ପ୍ରାଚୀନ ଭାରତୀୟମାନେ ଜାଣିଥିଲେ ସେଥିପାଇଁ ସେମାନେ ଆଗେ ସୂର୍ଯ୍ୟ ଆଉ ଚନ୍ଦ୍ରକୁ ମଧ୍ୟ ଗ୍ରହ କହୁଥିଲେ । ଯୁଗ ବଦଳିଲା ,ଲୋକେ astronomyର ପ୍ରଗତି ଯୋଗୁଁ ଅଧୁନା Planetକୁ ଗ୍ରହ, satelliteକୁ ଉପଗ୍ରହ ଆଉ starକୁ ତାରା,ତାରକା ତଥା ନକ୍ଷତ୍ର କହୁଅଛନ୍ତି । 

ତେବେ ଆଧୁନିକ ଯୁଗରେ ଵୈଜ୍ଞାନିକମାନେ ଯେକୌଣସି Planet ଵା ଗ୍ରହର ତିନୋଟି ମୁଖ୍ୟ ଗୁଣକୁ ମହତ୍ତ୍ଵ ଦେଉଛନ୍ତି ।‌

(କ)ଏହା କୌଣସି ନକ୍ଷତ୍ର ଚାରିପଟେ ପରିକ୍ରମଣ କରୁଥିଵ

(ଖ) ଏହାର ମାଧ୍ୟାକର୍ଷଣ ଶକ୍ତି ଏତେ ଥିଵ ଯେ ତତ୍‌ବଳରେ ଏହା ଗୋଲାକାର ହୋଇପାରିଥିଵ 

(ଗ)ଏହା ଏତେ ବଡ଼ ଆକାରର ହୋଇଥିଵ ଯେ ନିଜ ପରିକ୍ରମଣ ପଥ ଏହା ଆଖପାଖରେ ଥିଵା କୌଣସି କ୍ଷୁଦ୍ର ଗ୍ରହାଣୁ ଵା ଵାମନଗ୍ରହକୁ ନିଜର ମାଧ୍ୟାକର୍ଷଣ ଶକ୍ତି ବଳରେ ଦୂରକୁ ଠେଲି ପାରୁଥିଵ କିମ୍ଵା ନିଜ ମଧ୍ୟରେ ସମାହିତ କରିପାରୁଥିଵ । 

୧୯୩୦ରେ ଆଵିଷ୍କୃତ ପ୍ଲୋଟୋକୁ ଆଗେ ନଵମ ଗ୍ରହର ମାନ୍ୟତା ମିଳିଥିଲା କିନ୍ତୁ Kuiper beltରୁ
Ceres,makemake,
Haumea,Sedna,Orcus,Quaoar,Charon,lxion,Gonggong,20000 Varuna,Salacia,Varda,Arrokoth ଆଦି ଅନେକ ଵାମନଗ୍ରହ ମିଳିଵାକୁ ଲାଗିଲା । 
dwarf planet ଵା ଵାମନଗ୍ରହର ସଂଜ୍ଞା ହେଉଛି ଏହା କୌଣସି ନକ୍ଷତ୍ରର ପରିକ୍ରମଣ କରୁଥିଲେ ହେଁ ଆକାର ଦୃଷ୍ଟିରୁ ଅପେକ୍ଷାକୃତ ଛୋଟ ହୋଇଥିଵ ଏଵଂ ନିଜ ଆଖପାଖରେ ଥିଵା ଛୋଟ ବଡ଼ ଅନ୍ୟ ଗ୍ରହାଣୁ ତଥା ଵାମନଗ୍ରହକୁ ନିଜ ମଧ୍ୟରେ ସମାହିତ କରିପାରୁନଥିଵ କି ବଳପୂର୍ଵକ ବାହାରକୁ ଫିଙ୍ଗିପାରୁନଥିଵ । 

୨୦୦୫ରେ ସୌରମଣ୍ଡଳର ପ୍ଲୁଟୋ ପରେ ଦ୍ଵିତୀୟ ବୃହତ୍ତମ ବାମନ ଗ୍ରହ Erisକୁ ଗଵେଷକମାନେ ଉଣ୍ଡି ପାଇଥିଲେ । ଏହା ଆମ ସୌରମଣ୍ଡଳର ୨୬ତମ ସବୁଠାରୁ ବଡ଼ object ଅଟେ ‌। Erisର ଆଵିଷ୍କାର ପରେ ପରେ ଵୈଜ୍ଞାନିକମାନେ ପ୍ଲୋଟୋକୁ ଏକ ଵାମନ ଗ୍ରହର ମାନ୍ୟତା ଦେଇଦେଲେ । କିନ୍ତୁ ଏଥିସହିତ Kuiper beltରେ ଥିଵା ଵାମନଗ୍ରହ ଓ ଗ୍ରହାଣୁପିଣ୍ଡଗୁଡି଼କୁ ଵୈଜ୍ଞାନିକମାନେ ପ୍ଲୋଟୋ ନାମରେ ହିଁ plutinos ନାମ ଦେଇଛନ୍ତି ।‌

ପ୍ରୋକ୍ତ ଆଲୋଚନାରୁ ଆମେ ଜାଣିଲେ ଯେ 
ପ୍ରତ୍ୟେକ ଯୁଗରେ ଏହିପରି ଭାବେ ଗୋଟିଏ ଶବ୍ଦର ଅର୍ଥ ପରିଵର୍ତ୍ତିତ ହୋଇଥାଏ ଏଵଂ ଆଵଶ୍ୟକତା ଅନୁସାରେ ନୂତନ ଶବ୍ଦ ମଧ୍ୟ ସୃଷ୍ଟି ହୋଇଥାଏ । 

•ଆଗେ ସୂର୍ଯ୍ୟ,ଚନ୍ଦ୍ର,ମଙ୍ଗଳ ଆଦି ପ୍ରତ୍ୟେକ solar system objectsକୁ ଗ୍ରହ କୁହାଯାଉଥିଲା । 

•ଅଧୁନା କେଵଳ planetକୁ ହିଁ ଗ୍ରହ କୁହାଯାଉଛି ।

•ଆଧୁନିକ ଯୁଗରେ ଆଵଶ୍ୟକତା ଅନୁସାରେ Satellite ପାଇଁ ଉପଗ୍ରହ ଓ dwarf planet ପାଇଁ ଵାମନଗ୍ରହ ଶବ୍ଦ ସୃଷ୍ଟି ହୋଇଅଛି।

Sunday, March 26, 2023

କଙ୍କି ଧରଣ ମାଆ ମରଣ



ପିଲାମାନେ କଙ୍କି ଧରିଵାକୁ ସୁଖପାଆନ୍ତି। ସେମାନଙ୍କୁ ତହିଁରୁ ନିଵର୍ତ୍ତାଇବା ପାଇଁ ଓଡ଼ିଶାରେ ଵୟସ୍କମାନେ ସେମାନଙ୍କୁ 
“କଙ୍କିଧରଣ ମାଆ ମରଣ”
ପ୍ରଵଚନ କହୁଥିଲେ । କଙ୍କି ଧଇଲେ ମା ମରିଯିଵ ଜାଣି କିଛି ପିଲା ଶଙ୍କିଯାଇ ଏଥିରୁ ନିଵୃତ ହେଉଥିଲେ । ନବେ ଦଶକ ଯାଏଁ ପିଲାମାନଙ୍କର ଖେଳପଡ଼ିଆ ଥିଲା ପ୍ରିୟ ସ୍ଥାନ । ବାହାରେ ବୁଲି ବୁଲି କଙ୍କି ଧରିଵା ଗୋଟିଏ ସୁଖକର ଖେଳ ଥିଲା । କଖାରୁ ଵା ବୋଇତାଳୁ ଗଛର ଦୁଇଗୋଟି ପତ୍ର ଦି ହାତରେ ଧରି କିମ୍ବା ହାତକୁ ବୁଲାଇ ପିଲାଏ ଵିଭିନ୍ନ ଜାତିର କଙ୍କି ଧରୁଥିଲେ । ଗୋଟିଏ ଦିନରେ ଶହ ଶହ କଙ୍କି ଏଥିଯୋଗୁଁ ମୃତ୍ୟୁ ମୁଖରେ ପଡ଼ୁଥିଲେ । ପିଲାମାନେ କଙ୍କି ମୁଣ୍ଡ ପୋତିଲେ ତାହା ସୁନା, ଟଙ୍କା ଵା ବାଟି ହୋଇଯିଵ ବୋଲି ଭାବି ଗୋଟିଏ ଦିନରେ ଅନେକ କଙ୍କି ଧରୁଥିଲେ । କେହି କେହି ବାଳକ ବାଳିକା କଙ୍କି ଧରି ତାହାର ଲାଞ୍ଜରେ ସୁତୁଲି ବାନ୍ଧି ଉଡ଼ାଉଥିଲେ । କେହି କେହି ଦୁଷ୍ଟ ବାଳକ କଙ୍କିର ପକ୍ଷ ଛେଦନ କରି ଯାତନା ଦେଉଥିଲେ । ଏସବୁ କାର୍ଯ୍ୟରୁ ପିଲାମାନଙ୍କୁ ନିଵୃତ କରିଵା ପାଇଁ “କଙ୍କିଧରଣ ମାଆ ମରଣ” ପ୍ରଵଚନର ଆଵିଷ୍କାର ଓଡ଼ିଶାରେ ହୋଇଥିଲା । 
ଆଜି ଏ ପ୍ରଵଚନ ଶୁଣିଲେ ହୁଏତ ଉଚ୍ଚଶିକ୍ଷିତ ଲୋକେ ଭାବିବେ ଆଗକାଳରେ ଲୋକମାନେ କେତେ ଅନ୍ଧଵିଶ୍ଵାସୀ ଥିଲେ ଏଵଂ ନିଜ ପିଲାମାନଙ୍କୁ ମଧ୍ୟ ଅନ୍ଧଵିଶ୍ୱାସ ଦ୍ଵାରା ଆକଟ କରାଉଥିଲେ । କିନ୍ତୁ ଏଭଳି ଵିଚାରୁଥିଵା ଲୋକେ “କଙ୍କିଧରଣ ମାଆ ମରଣ” ଓଡ଼ିଆ ପ୍ରଵଚନ ମଧ୍ୟରେ ଲୁଚି ରହିଥିଵା ଲୌକିକ ଵିଜ୍ଞାନଟିକୁ ହୃଦୟଙ୍ଗମ କରିପାରିନାହାନ୍ତି ବୋଲି ସେମାନଙ୍କୁ ବୁଝିଵାକୁ ହେଵ । 
ବାଳଵୟସରେ ପିଲାଏ ଯାହା କରନ୍ତି ତାହାର ପ୍ରଭାଵ ତାଙ୍କର ପରଵର୍ତ୍ତୀ ଜୀଵନରେ ପଡି଼ଥାଏ । ବାଳୁତ ଵୟସରେ ନିରୀହ ଜୀଵମାନଙ୍କୁ କଷ୍ଟ ଦେଉଥିଵା ବାଳକ ବାଳିକା ସେମାନଙ୍କ ପରଵର୍ତ୍ତୀ ଜୀବନକାଳରେ ନିଷ୍ଠୁର ହୃଦୟ ହୋଇ ବଡ଼ ଜୀଵ ଏମନ୍ତକି ମନୁଷ୍ୟମାନଙ୍କୁ ହତ୍ୟା କରିଵାକୁ ମଧ୍ୟ ପଛାନ୍ତି ନାହିଁ । ତେଣୁ ପିଲାମାନଙ୍କର ଭଵିଷ୍ୟତ ସୁରକ୍ଷିତ କରିଵା ପାଇଁ ତତ୍କାଳୀନ ଯୁଗର ଵୟସ୍କମାନେ ଏଭଳି ଏକ ପ୍ରଵଚନର ସୃଷ୍ଟି କରିଥିଲେ । ପୁଣି ଏହି ପ୍ରଵଚନର ଅନ୍ୟ ଏକ ଦିଗ ପ୍ରତି ମଧ୍ୟ ଵିଚାର କରାଯାଇପାରେ ‌ । କଙ୍କିମାନେ ସାଧାରଣତଃ ମଶାମାନଙ୍କର ଶିକାରୀ ଭାବେ ଜଣାଶୁଣା ଏଵଂ ସେମାନେ ତାଙ୍କ ଜୀଵନର ପ୍ରତ୍ୟେକ ସ୍ତରରେ ମଶାମାନଙ୍କର ଶିକାର କରିଥାନ୍ତି । କଙ୍କିମାନଙ୍କୁ ପିଲାମାନେ ଶତଶତ ସଂଖ୍ୟାରେ ମାରିଲେ ସେମାନଙ୍କର ବଂଶ ହ୍ରାସ ଘଟିଵ ଫଳତଃ ମଶାବଂଶ ବୃଦ୍ଧି ଘଟିଵ । ଗୋଟିଏ କଙ୍କି ଦିନକୁ ତିରିଶରୁ ଶହେ ପର୍ଯ୍ୟନ୍ତ ମଶା ଖାଇପାରେ ଏଵଂ ତାହାର ଜୀଵନକାଳ ମଧ୍ୟରେ ସେ ଏହିପରି ହଜାର ହଜାର ମଶା ଖାଇଥାଏ ‌। 

ହୁଏତ ଏକଥା ତତ୍କାଳୀନ ଲୋକମାନେ ପ୍ରତ୍ୟକ୍ଷଭାବେ ଅନୁଭଵ କରିଥିବେ ଯେତେବେଳେ କଙ୍କିମାନଙ୍କର ସଂଖ୍ୟା ହ୍ରାସ ଘଟିଵା ଯୋଗୁଁ ମଶାସଂଖ୍ୟାରେ ଅହେତୁକ ବୃଦ୍ଧି ଘଟିଥିଵ । ସମ୍ଭଵତଃ ଏ ଦିଗରୁ ମଧ୍ୟ ବୁଝି ଵିଚାରି ଲୋକମାନେ “କଙ୍କିଧରଣ ମାଆ ମରଣ” ପ୍ରଵଚନକୁ ପ୍ରଚଳନ କରାଇ ପିଲାଙ୍କୁ କଙ୍କି ମାରିଵାକୁ ଆକଟ କରିଵା ଆରମ୍ଭ କରିଦେଇଥିଲେ । ଆଜି ପରି ସେ ଯୁଗରେ ମେଲେରିଆ ରୋଗର ନିରାକରଣ ପାଇଁ ସେତେ ସୁଵିଧା ସୁଯୋଗ ନଥିଲା ଏଣୁ କଙ୍କି ସଂଖ୍ୟା ହ୍ରାସ ପାଇଵା ଯୋଗୁଁ ମଶାସଂଖ୍ୟାରେ ବୃଦ୍ଧି ଘଟି ମେଲେରିଆ ପରି ରୋଗ ସମାଜରେ ଭୀଷଣ ରୂପେ କାୟାଵିସ୍ତାର କରିଵାର ସମ୍ଭାଵନା ବଢ଼ିଯାଉଥିଲା । ମେଲେରିଆ ଦ୍ଵାରା ପିଲାମାନଙ୍କର ମାଆ ବି ମରିଯାଇପାରେ ଏଵଂ ମଶାଙ୍କୁ ଖାଉଥିଵା କଙ୍କିକୁ ନମାରିଲେ ସେ ବଞ୍ଚି ରହିଵ ଏକଥା ସମ୍ଭଵତଃ ଓଡ଼ିଶାର ତତ୍କାଳୀନ ଲୋକେ ହୃଦୟଙ୍ଗମ କରିପାରିଥିଲେ ସେଥିପାଇଁ ସେମାନେ “କଙ୍କିଧରଣ ମାଆ ମରଣ” ପ୍ରଵଚନ ଗଢ଼ିଥିବେ । 

ଅଵଶ୍ଯ ଆଜିକାଲିର ପିଲାଏ ଆଉ କଙ୍କି ଧରୁନାହାନ୍ତି । ସେମାନଙ୍କର ଖେଳପଡ଼ିଆ ପ୍ରତି ଆଉ ଆଗ୍ରହ ନାହିଁ ଵରଂ ମୋବାଇଲ ଖଣ୍ଡେ ପାଇଗଲେ ସେଥିରେ ଛୋଟାଭୀମ,ନଟିଆ ଦେଖୁଛନ୍ତି କିମ୍ବା ଖେଳୁଛନ୍ତି । ଏହା କଙ୍କିମାନଙ୍କ ପାଇଁ ଶୁଭଙ୍କର ଵିଶେଷକରି ଏହି ଘଡ଼ିସନ୍ଧି କାଳରେ ଯେତେବେଳେ ପୃଥିଵୀର ଅନେକ ଜୀଵ କ୍ରମଶଃ ମାନଵଙ୍କ ଦ୍ଵାରା ଜଳ,ମୃତ୍ତିକା,ଵାୟୁ ,ଆଲୋ ଓ ଧ୍ଵନି ପ୍ରଦୂଷଣ ଯୋଗୁଁ ଲୁପ୍ତ ହୋଇଯାଉଛନ୍ତି । ହେଲେ ଵିଗତ ଦଶନ୍ଧିରେ କଙ୍କିମାନଙ୍କର ସଂଖ୍ୟାରେ ହ୍ରାସ ଘଟିଛି ଏଵଂ ଏଥିପାଇଁ ପିଲାମାନେ ନୁହେଁ ଵରଂ ଵୟସ୍କ ଲୋକମାନେ ଦାୟୀ ଅଟନ୍ତି । ଗୋଟିଏ ଯୁଗ ଥିଲା ଓଡ଼ିଶାର ଵୟସ୍କମାନେ କଙ୍କିମାନଙ୍କର ସଂସାର ପ୍ରତି ଥିଵା ଉପକାରିତାକୁ ବୁଝି “କଙ୍କିଧରଣ ମାଆ ମରଣ” ପ୍ରଵଚନ ସୃଷ୍ଟି କରିଥିଲେ କିନ୍ତୁ ଏ ଯୁଗରେ ଵୟସ୍କମାନେ ଅଜାଣତରେ ସେମାନଙ୍କର ବଂଶନାଶ କରିଚାଲିଛନ୍ତି । ଶସ୍ୟାଦିରେ ଦିଆଯିଵା କିଟନାଶକ ଓ ଆଵଶ୍ୟକତାଠାରୁ ଅଧିକ ରସାୟନିକ ସାର ଵ୍ୟଵହାର ଯୋଗୁଁ ମୃତ୍ତିକା ଓ ଜଳ ଦୂଷିତ ହୋଇଛି । ସେହି ଦୂଷିତ ଵିଷାକ୍ତ ଜଳରେ ମଶାଙ୍କୁ ଖାଇଯାଉଥିଵା କଙ୍କିମାନଙ୍କ ଭଳି ଶିକାରୀ ଜୀଵମାନଙ୍କର ବଂଶ ବଢି଼ପାରୁନାହିଁ । ସେଥିପାଇଁ ତ ନବେ ଦଶକଯାଏଁ ଗ୍ରାମାଞ୍ଚଳରେ ମଶାମାନଙ୍କର ସଂଖ୍ୟା କମ୍ ରହୁଥିବାବେଳେ ଏବେ ପ୍ରାୟତଃ ଅଧିକାଂଶ ଗ୍ରାମ ନଗରାଞ୍ଚଳରେ ବାରମାସ ଯାକ ମଶା ଦେଖିଵାକୁ ମିଳୁଛନ୍ତି । ଆଜି ହୁଏତ ମନୁଷ୍ୟ ଵିଜ୍ଞାନ କ୍ଷେତ୍ରରେ ଅନେକ ଉନ୍ନତି କରିପାରିଛି କିନ୍ତୁ ସେ ଏଥିଯୋଗୁଁ ସ୍ଵେଚ୍ଛାଚାରୀ ବି ହୋଇଯାଇଛି ‌। ଏଣୁ ଯୋଉ “କଙ୍କିଧରଣ ମାଆ ମରଣ” ପ୍ରଵଚନ ଆଗେ ପିଲାମାନଙ୍କୁ ଶୁଣାଇ କଙ୍କି ଧରିଵାରୁ ନିଵୃତ କରାଯାଉଥିଲା ଆଜି ସେହି ପ୍ରଵଚନଟି ବଡ଼ଲୋକଙ୍କୁ ବୁଝାଇଵାକୁ ମଧ୍ୟ ଆଵଶ୍ୟକ ହୋଇପଡ଼ିଛି ।

ପୂର୍ଵେ ପିଲାମାନଙ୍କୁ କଙ୍କି ଧରଣ ମାଆ ମରଣ କହି ଆକଟ କରାଯାଇପାରିଥିଲା କିନ୍ତୁ ଆଜିକାଲିର ଵୟସ୍କମାନଙ୍କୁ କଙ୍କି ମାରଣରୁ କିଭଳି ନିଵୃତ କରାଇଵା ?

Thursday, March 23, 2023

ତିମିମାନଙ୍କର ସ୍ବରସଙ୍ଗୀତ

ଵର୍ତ୍ତମାନର ପୃଥିଵୀରେ ଦୃଶ୍ୟ ହେଉଥିଵା ସବୁଠାରୁ ଵୃହତ୍ତମ ପ୍ରାଣୀର ନାମ ହେଉଛି Blue whale ଵା ନୀଳତିମି ‌। ତିମ୍ ଧାତୁରୁ ତିମି ଶବ୍ଦ ନିଷ୍ପନ୍ନ ହୋଇଅଛି । ଏମାନେ ସମୁଦ୍ରକୂଳରେ ବେଳେବେଳେ ଦେଖାଦିଅନ୍ତି ଏଵଂ ସେତେବେଳେ ଏମାନଙ୍କ ଯୋଗୁଁ ଯେଉଁ ପାଣି ଛିଟିକି ସମୁଦ୍ର କୂଳରେ ପଡ଼େ ଯଦି କୌଣସି ଲୋକ ସେସମୟରେ ସେଠାରେ ଉପସ୍ଥିତ ଥାଏ ସେ ଓଦା‌ ହୋଇଯାଏ ।‌ ବୋଧହୁଏ ସେଥିପାଇଁ ଏମାନଙ୍କର ଏଭଳି ନାମକରଣ ହୋଇଥିଲା । ମତାନ୍ତରେ ତିମିମାନେ ସାଧାରଣତଃ ଯେତେବେଳେ ସମୁଦ୍ର ପୃଷ୍ଠକୁ ଆସି ନିଃଶ୍ୱାସ ପ୍ରଶ୍ଵାସ ନେଵା ଆଣିଵା କରିଥାନ୍ତି ସେତେବେଳେ ଵାୟୁ ସହ କିଛି ସମୁଦ୍ର ଜଳ ମଧ୍ୟ ଉପରକୁ ଛିଟିକି ଥାଏ । ହୋଇପାରେ ଏଥିପାଇଁ ଏ ଜୀଵର ଏଭଳି ନାମକରଣ ହୋଇଛି । 

ପୃଥିଵୀରେ ଅନେକ ଜାତୀୟ ତିମି ଅଛନ୍ତି ଏଵଂ ସାଧାରଣତଃ 'Cetacea' (infraorder) ଜାତୀୟ ଅଧିକାଂଶ ଜୀଵଙ୍କୁ ତିମି ଵା whale କୁହାଯାଏ । କିନ୍ତୁ ସେମାନଙ୍କ ମଧ୍ୟରେ Balaenoptera musculus ଵା Blue whale ହେଉଛନ୍ତି ସର୍ଵବୃହତ୍ ତିମି। ଓଡ଼ିଆ ଭାଷାରେ Blue whaleକୁ ଆମେ ନୀଳତିମି କହିପାରିଵା । 
ଏକ ନୀଳତିମି ପ୍ରାୟ ୩୦ ମିଟର ପର୍ଯ୍ୟନ୍ତ ଲମ୍ବା ଏଵଂ ଏହାର ଓଜନ ପ୍ରାୟତଃ ୧୮୦୦୦୦ କିଲୋଗ୍ରାମ ପର୍ଯ୍ଯନ୍ତ ହୋଇପାରେ । ନୀଳତିମିମାନେ ପାଣିରେ ରୁହନ୍ତି, କିନ୍ତୁ ସ୍ତନ୍ୟପାୟୀ ପ୍ରାଣୀ ହୋଇଥିଵାରୁ ସେମାନେ ଜଳରେ ନିଶ୍ୱାସ ନେଇପାରନ୍ତି ନାହିଁ, ତେଣୁ ସେମାନଙ୍କୁ ସମୟ ସମୟରେ ସମୁଦ୍ର ପୃଷ୍ଠକୁ ଆସିଵାକୁ ପଡି଼ଥାଏ ଏବଂ ସେମାନଙ୍କ ମୁଣ୍ଡ ଉପରେ ଏକ "blowhole" ସାହାଯ୍ୟରେ ନିଃଶ୍ୱାସ ପ୍ରଶ୍ଵାସ ନେଵା ଆଣିଵା କରିଥାନ୍ତି । ଯେକୌଣସି ସ୍ତନ୍ୟପାୟୀ ପ୍ରାଣୀ ପରି, ନୀଳତିମିମାନେ ମଧ୍ୟ ନିଜ ଛୁଆମାନଙ୍କୁ ଲାଳନପାଳନ କରନ୍ତି,ସ୍ତନ୍ୟପାନ କରାନ୍ତି ଓ ଦୁଷ୍ଟ ଜୀଵଙ୍କଠାରୁ ସେମାନଙ୍କୁ ସୁରକ୍ଷିତ ରଖନ୍ତି । ଏମାନେ Hippopotamus ଵା ଜଳହସ୍ତିମାନଙ୍କର ଦୂରସମ୍ପର୍କୀୟ । 


ସମୁଦ୍ର ଆଭ୍ୟନ୍ତରୀଣ କ୍ଷେତ୍ର ଅନ୍ଧକାରର ରାଜ୍ୟ । ନୀଳତିମିମାନେ ଏହି ଅନ୍ଧକାର କ୍ଷେତ୍ରରେ କିଛି ଦେଖିପାରନ୍ତି ନାହିଁ , ଗନ୍ଧ ଆଘ୍ରାଣ କରିପାରନ୍ତି ନାହିଁ, କିନ୍ତୁ ସେମାନେ ନିଶ୍ଚିତ ଭାବରେ ଶୁଣିପାରନ୍ତି । ତେଣୁ ନୀଳତିମିମାନେ ଶବ୍ଦ ତରଙ୍ଗ ସାହାଯ୍ୟରେ ପରସ୍ପର ସହ କଥା ହୁଅନ୍ତି । ଏହି ଶବ୍ଦ ତରଙ୍ଗ, ଯାହା ବାୟୁ ଅପେକ୍ଷା ୫ ଗୁଣ ଦ୍ରୁତ ଗତି କରେ,ତାକୁ ଶବ୍ଦ ପରିଵର୍ତ୍ତେ ଏକ ପ୍ରକାର "ତିମି ସଙ୍ଗୀତ" ବୋଲି କହିଵା ଅଧିକ ଉପଯୁକ୍ତ ହେଵ।

ଆଵୃତି ପରେ ଆଵୃତି,ତାଳ ଆଉ ଲୟ ବଡ଼ ଅଦ୍ଭୁତ ତାହାର ସମନ୍ଵୟ...

ଯେତେବେଳେ ଏକ ନୀଳତିମି ଗୋଟିଏ ନୂତନ ଗୀତ ଆରମ୍ଭ କରେ, ସେହି ପରିଵାରର ଅନ୍ୟ ସଦସ୍ୟମାନେ ସାମାନ୍ୟ ଵିଘ୍ନ ଵିନା ଗୀତକୁ ପୁନରାଵୃତ୍ତି କରନ୍ତି, ସତେ ଯେପରି ପ୍ରେମୀଯୁଗଳଙ୍କ ଏହି ଅନନ୍ତ ସଙ୍ଗୀତ ଅନନ୍ତକାଳରୁ ପ୍ରତିଧ୍ଵନିତ ହୋଇଚାଲିଛି ।‌ ନୀଳତିମିମାନଙ୍କର ସ୍ମୃତି ଶକ୍ତି ବହୁତ ପ୍ରଖର । ଯଦି ଗୀତ ମଝିରେ କୌଣସି କାରଣରୁ ସ୍ଥାନାନ୍ତରଣ ହେତୁ ଗୋଟିଏ ନୀଳତିମି ପରିଵାରର କେତେକ ସଦସ୍ୟ ପରସ୍ପରଠାରୁ ଅଲଗା ହୋଇଯାଆନ୍ତି, ତେବେ ୬ ମାସ ପରେ ସାକ୍ଷାତ ହେଵାରୁ ସେହି ଗୀତଟି ଯୋଉଠି ଅସମ୍ପୂର୍ଣ୍ଣ ଥିଲା ସେଇଠୁ ପୁଣି ଆରମ୍ଭ ହୋଇଯାଏ ।‌ ଏହି ସମସ୍ତ ତଥ୍ୟ ଵୈଜ୍ଞାନିକମାନଙ୍କ ଦ୍ଵାରା ବହୁ ପୂର୍ଵରୁ ପ୍ରମାଣିତ ।

ନୀଳତିମିମାନେ ୨୦ Hz ଫ୍ରିକ୍ୱେନ୍ସିରେ ୧୮୦ ଡେସିବଲରୁ ଅଧିକ ଉଚ୍ଚର ଶବ୍ଦ ତରଙ୍ଗ ଉତ୍ପନ୍ନ କରନ୍ତି, ଯାହା ଆମେ ଶୁଣିଵାକୁ ସକ୍ଷମ ନୁହଁ । ଏହା ପ୍ରମାଣିତ ହୋଇଛି ଯେ ଦୁଇଟି ନୀଳତିମି ପରସ୍ପରଠାରୁ ପ୍ରାୟ ଦଶ ହଜାର କିଲୋମିଟର ଦୂରରେ ଥାଇ ମଧ୍ୟ ଶବ୍ଦ ତରଙ୍ଗ ସାହାଯ୍ୟରେ ପରସ୍ପର ସହ ଯୋଗାଯୋଗ କରିପାରନ୍ତି। ତରଙ୍ଗର ଏହି ଜାଲି ନୀଳତିମିମାନଙ୍କ ପାଇଁ ଏକ ଵିଶ୍ୱଵ୍ୟାପୀ ଯୋଗାଯୋଗ ନେଟୱାର୍କ ଭାବରେ କାର୍ଯ୍ୟ କରିଥାଏ ।‌ ଲକ୍ଷ ଲକ୍ଷ ଵର୍ଷ ଧରି, ନୀଳତିମିମାନଙ୍କର ଏହି ଗୀତ ସମୁଦ୍ରରେ ନିରଵିଚ୍ଛିନ୍ନ ଭାବରେ ପ୍ରତିଧ୍ୱନିତ ହୋଇଆସିଥିଲା, କିନ୍ତୁ “ଏକ ନୂତନ ପ୍ରାଣୀ” ସମୁଦ୍ରକୁ ଓହ୍ଲାଇ ପଡ଼ିଲା ଆଉ ସେମାନଙ୍କର ସମ୍ବାଦ ଵ୍ୟଵସ୍ଥା ଓ ଅସ୍ତିତ୍ୱ ଉପରେ ହିଁ କୁଠାରାଘାତ କରିଵାକୁ ଲାଗିଲା । ହଁ, ସମୁଦ୍ରରେ ନିଜର ସାମ୍ରାଜ୍ୟ ପ୍ରତିଷ୍ଠା କରିଵାକୁ ଆଗ୍ରହୀ ନୀଳତିମିର ଶତ୍ରୁ ସେହି ନୂତନ ପ୍ରାଣୀଟି ନିଜକୁ “ମାନଵ, Human, इंसान” କହିଵାକୁ ବଡ଼ ସୁଖପାଏ ।‌
 
ଊନବିଂଶ ଶତାବ୍ଦୀ ପରେ, ଯହୁଁ ଯହୁଁ ମଣିଷମାନେ ସମୁଦ୍ର ଭିତରକୁ ଗଲେ , ବାଣିଜ୍ୟ,ବୁଲାବୁଲି ଓ ସୁରକ୍ଷା ଇତ୍ୟାଦି ନାମରେ ଅସଂଖ୍ୟ ଅତ୍ୟାଧୁନିକ ଜାହାଜ ଚଳିଵା ଆରମ୍ଭ ହୋଇଥିଲା । ଏସବୁ ଜାହାଜ ପ୍ରାଚୀନ ପାରମ୍ପରିକ ବୋଇତ ନୁହେଁ ଵରଂ ଭୀଷଣ ଶବ୍ଦ କରୁଥିଵା ଆଧୁନିକ ଯନ୍ତ୍ର ଦ୍ଵାରା ପରଚାଳିତ ଜାହାଜ ହୋଇଥିଵାରୁ ଏଥିରୁ 20 Hz ଫ୍ରିକ୍ୱେନ୍ସିର ଶବ୍ଦ ସୃଷ୍ଟି ହେଲା, ଯେଉଁ ଫ୍ରିକ୍ୱେନ୍ସିରେ ନୀଳତିମିମାନେ ପରସ୍ପର ସହିତ ଯୋଗାଯୋଗ କରନ୍ତି । ୨୦୦ ଵର୍ଷ ପୂର୍ଵେ, ଦୁଇଟି ନୀଳତିମି ୧୦୦୦୦ କିଲୋମିଟର ଦୂରରେ ଥାଇ ମଧ୍ୟ ପରସ୍ପର ସହିତ କଥା ହୋଇପାରୁଥିଲେ । ସମୁଦ୍ର ଆଭ୍ୟନ୍ତରୀଣ ଅଞ୍ଚଳରେ ମନୁଷ୍ୟକୃତ ଶବ୍ଦ ପ୍ରଦୂଷଣ ବଢି଼ଵା ଯୋଗୁଁ ଆଜି ସେହି ଦୂରତା ମାତ୍ର ଶହେ କିଲୋମିଟରକୁ ହ୍ରାସ ପାଇଛି। ଆମର ଅଜ୍ଞତା, ମୂର୍ଖତା ଏଵଂ ସ୍ୱାର୍ଥପରତା ହେତୁ ଵର୍ଷ ଵର୍ଷ ଧରି ସମୁଦ୍ରରେ ତିମିମାନଙ୍କର ପ୍ରତିଧ୍ୱନୀ ଶନୈ ଶନୈ ଲୁପ୍ତ ପାଇଵାକୁ ବସିଲାଣି । 
ଵିଗତ ୧୦୦ ଵର୍ଷ ମଧ୍ୟରେ, ଆମେ ମଣିଷମାନେ ଶିଳ୍ପ ପାଇଁ, ସୌନ୍ଦର୍ଯ୍ୟ ଦ୍ରଵ୍ୟ ତଥା ତିମିର ଚର୍ବିରୁ ପ୍ରସ୍ତୁତ ତୈଳ ପାଇଁ ଅତି ନିର୍ମମ ଓ ଅମାନୁଷିକ ଭାବେ ଲକ୍ଷ ଲକ୍ଷ ଵିଭିନ୍ନ ଜାତିର ତିମି ଵିଶେଷତଃ ନୀଳ ତିମିଙ୍କୁ ହତ୍ୟା କରିଛୁ । ଆମର ଆଵଶ୍ୟକତା ଦିନୁଁ ଦିନ ବଢି଼ଚାଲିଛି , ତିମିମାନଙ୍କର ସଂଖ୍ୟା କ୍ରମାଗତ ହ୍ରାସ ଘଟୁଛି ଏଵଂ ଆଜି ସେମାନଙ୍କ ଅସ୍ତିତ୍ୱ ଵିପଦପୂର୍ଣ୍ଣ ସ୍ଥିତିରେ ପହଞ୍ଚିଯାଇଛି ।

ସ୍ପିଣ୍ଡଳ କୋଷଗୁଡି଼କ, ଯାହା ଉଚ୍ଚ ମାନଵୀୟୀ ଗୁଣ, ଯେମିତିକି ସ୍ଵବୋଧ, ସାମାଜିକତା, କରୁଣା ଇତ୍ଯାଦିକୁ ଜନ୍ମ ଦେଵା ହେତୁ ଉତ୍ତରଦାୟୀ ସେହି କୋଷଗୁଡି଼କ ମନୁଷ୍ୟମାନଙ୍କଠାରୁ ଅନେକ ଗୁଣ ଅଧିକ ନୀଳତିମିମାନଙ୍କଠାରେ ପ୍ରାପ୍ତ ହୋଇଛି। ତାହେଲେ ନୀଳତିମିମାନେ କ'ଣ ଏକ ବୁଦ୍ଧିମାନ ଜୀଵ ନୁହେଁ ? ହଁ ଏହା ସତ ଯେ ସେମାନେ ଆମ ଭଳି ଵିଶାଳକାୟ ଯନ୍ତ୍ରର ନିର୍ମାଣ କରିନାହାନ୍ତି କିନ୍ତୁ କ'ଣ କେଵଳ ଵୈଷୟିକ ଉନ୍ନତି କରିଦେଇଥିଵା ଜୀଵକୁ ହିଁ ବୁଦ୍ଧିମାନ କୁହାଯିଵ ? 
 
ଆଜି ମଣିଷର ସବୁଠାରୁ ବଡ ଉଦ୍ଦେଶ୍ୟ ହେଉଛି ବ୍ରହ୍ମାଣ୍ଡରେ ଜୀଵନର ସନ୍ଧାନ । ବ୍ରହ୍ମାଣ୍ଡରେ ଅନ୍ୟ କୋଉଠି ଆମ ଭଳି ବୁଦ୍ଧିମାନ ଜୀଵ ଯଦି ଥାଆନ୍ତି ବହୁତ ସମ୍ଭଵ ସେମାନେ ଆମଠାରୁ ସମ୍ପୂର୍ଣ୍ଣ ଭିନ୍ନ ଜୀଵ ହୋଇଥିବେ । ସେମାନଙ୍କର ଭାଷା, ରୂପ ଓ ସଂସ୍କୃତି ମଧ୍ୟ ଆମଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇପାରେ । ହୁଏତ, ସେମାନେ ଆମ ପରି ଗଗୁନଚୁମ୍ବୀ ଅଟ୍ଟାଳିକା,ରକେଟ୍,ସାଟେଲାଇଟ୍ ଓ ଉଡ଼ାଜାହାଜ ତିଆରି କରିନଥାଇପାରନ୍ତି, କିନ୍ତୁ ସେମାନେ ନିଜ ମଧ୍ୟରେ ପ୍ରେମ, ସଂଳାପ ଏବଂ କରୁଣାର ଭାବନା ସୃଷ୍ଟି କରିଵାରେ ନିଶ୍ଚୟ ସକ୍ଷମ ହୋଇଥିବେ । ତାହେଲେ କ'ଣ ଵୈଷୟିକ ଵିକାଶ କରିନଥିଲେ ସେହି ପରଗ୍ରହୀମାନେ ଆମର ପ୍ରେମ, କରୁଣା ଏଵଂ ସମ୍ମାନର ଯୋଗ୍ୟ ହୋଇପାରିବେ ନାହିଁ ? ଆମେ ଏହି ପୃଥିଵୀର ଅନ୍ୟ ବୁଦ୍ଧିମାନ ଜୀଵମାନଙ୍କ ପ୍ରତି ଦୟା କରୁଣା ଜାଗ୍ରତ କରିଵାରେ ବିଫଳ ହୋଇଛୁ । ସେମାନଙ୍କୁ ବୁଝିଵା ଓ ତାଙ୍କ ସହିତ ଯୋଗାଯୋଗ ସ୍ଥାପନ କରିଵାରେ ଅସମର୍ଥ ହୋଇଛେ । ଆମର ଅଜ୍ଞତା, ଦୁଷ୍ଟତା ଓ ସ୍ୱାର୍ଥପରତା ହେତୁ, ଆମେ ଅନ୍ୟ ଜୀଵମାନଙ୍କର ଅସ୍ତିତ୍ୱ ପାଇଁ ସବୁଠାରୁ ବଡ ଵିପଦ ହୋଇଯାଇଛନ୍ତି । ବ୍ରହ୍ମାଣ୍ଡରେ ଅନ୍ୟ କୌଣସି ଗ୍ରହରେ ପରଗ୍ରହୀ ଜୀଵମାନଙ୍କୁ ଠାଵ କରିବାର ମହାନ ସ୍ୱପ୍ନର ଦର୍ଶକ ହେଵା ପାଇଁ ଆମର ସାମାନ୍ୟତମ ନୈତିକ ଅଧିକାର ଅଛି କି?

ହୁଏତ ଆମ ବୁଦ୍ଧିମତାକୁ ପରିଭାଷିତ କରିଵାର ପ୍ରକୃଷ୍ଟ ସମୟ ହୋଇଥାଇପାରେ । ସମ୍ଭଵତଃ ଏହି ସମୟକାଳରେ ଆମଦ୍ଵାରା କୃତ ଯେକୌଣସି କାର୍ଯ୍ୟର ପରିଣାମ ନିର୍ଣ୍ଣୟ କରିଵ ଯେ ଆମେ କେତେ ବୁଦ୍ଧିମାନ ଜୀଵ । ଯଦି ଆମେ ନିଦକୁ ପୃଥିଵୀର ସବୁଠାରୁ ବୁଦ୍ଧିମାନ ଜୀଵ ବୋଲି ଭାବୁଛନ୍ତି ତା'ହେଲେ ଆମକୁ ସବୁ ମାଙ୍କଡ଼ାମୀ ଛାଡ଼ି ପୃଥିଵୀ, ଏହାର ଜୈଵସମ୍ପଦର କଲ୍ୟାଣ ଦିଗରେ ଅହରହ ସମ୍ମିଳିତ କାର୍ଯ୍ୟ କରିଵାକୁ ହେଵ । ଅନ୍ୟଥା 
“ଯଃ ଯସ୍ୟ କରୋତି ଯାଦୃଶମ୍ 
ସ ତଦା ତାଦୃଶାସ୍ମତେ ପ୍ରାପ୍ତେ ଫଳମ୍” 
ନ୍ୟାୟରେ ଆମେ ମଧ୍ୟ ଆମ କୁକର୍ମ ଯୋଗୁଁ ପୃଥିଵୀରୁ ଡାଇନୋସରଙ୍କ ପରି ଦିନେ ଲୁପ୍ତ ହୋଇଯିଵା ଶେଷକୁ ସାର ହେଵ ।

Wednesday, March 22, 2023

ସନାତନୀମାନଙ୍କର ନଵଵର୍ଷ

ଭାରତରେ ସନାତନୀମାନଙ୍କର ଏକାଧିକ ନଵଵର୍ଷ ଅଛି ଏଵଂ ସେ ସମସ୍ତ ନଵଵର୍ଷ ସନାତନୀ ନଵଵର୍ଷ ଅଟେ । ସେହିସବୁ ସନତାନୀ ନଵଵର୍ଷ ମଧ୍ୟରେ କୌଣସି ଗୋଟିଏ ନଵଵର୍ଷକୁ ସମସ୍ତଙ୍କ ଉପରେ ଲଦିଦେଵା ଠିକ୍ ନୁହେଁ । 

(କ)ଚୈତ୍ର ପ୍ରତିପଦା —
ମରାଠୀ,ତେଲୁଗୁ, କଶ୍ମୀରୀ, କର୍ଣ୍ଣାଟକୀ ଲୋକଙ୍କ ପାରମ୍ପରିକ ନଵଵର୍ଷ । ମହାରାଷ୍ଟ୍ରରେ ଏହାକୁ ଗୁଡି଼ ପଡ଼ଵା, ଅଵିଭକ୍ତ ତେଲୁଗୁ ଦେଶରେ ଉଗାଦୀ ତଥା କର୍ଣ୍ଣାଟକରେ ୟୁଗାଦୀ କୁହାଯାଏ । ବାଲି ଦ୍ଵୀପରେ ଏହି ଦିନକୁ Nyepi ଭାବରେ ସ୍ଥାନୀୟ ହିନ୍ଦୁମାନେ ପାଳିଥାଆନ୍ତି । କାଶ୍ମୀର ହିନ୍ଦୁମାନେ ଏହି ଦିନକୁ ସେମାନଙ୍କର ନଵଵର୍ଷ ଭାବେ Navreh ନାମରେ ପାଳିଥାଆନ୍ତି । ସିନ୍ଧି ହିନ୍ଦୁମାନଙ୍କର ମଧ୍ୟ ଏହା ପାରମ୍ପରିକ ନଵଵର୍ଷ ଏଵଂ cheti chand ନାମରେ ଏହି ପର୍ଵକୁ ସିନ୍ଧିମାନେ ପାଳନ କରିଥାନ୍ତି । ସେହିପରି ମଣିପୁରରେ କେତେକ ଅଞ୍ଚଳରେ Sajibu Nongma Panbaକୁ ନଵଵର୍ଷ ଭାବେ ପାଳନ କରାଯାଏ ଯାହା ମୈତେଇ କ୍ୟାଲେଣ୍ଡର ଅନୁସାରେ ଚୈତ୍ର ଦ୍ଵିତୀୟା ଦିନ ପାଳିତ ହୋଇଥାଏ । 

(ଖ)ଚୈତ୍ର ନଵରାତ୍ର
ବିହାର,ଉତ୍ତରପ୍ରଦେଶ,ମଧ୍ୟପ୍ରଦେଶ, ଛତିଶଗଡ, ଝାଡ଼ଖଣ୍ଡ ଓ ଉତ୍ତରାଖଣ୍ଡର କେତେକ ଅଞ୍ଚଳରେ ଚୈତ୍ର ନଵରାତ୍ରର ଶେଷ ଦିନ ରାମ ନଵମୀକୁ ପାରମ୍ପରିକ ନଵଵର୍ଷ ଵିଚାର କରାଯାଇଥାଏ । ଏହି ସବୁ ଅଞ୍ଚଳରେ ଚୈତ୍ର ନଵରାତ୍ରୀ ଏଵଂ ଵିଶେଷତଃ ରାମ ନଵମୀ ଦିନଟିକଙ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଵିଵେଚନା କରାଯାଏ । ଭଗଵାନ ରାମଚନ୍ଦ୍ରଙ୍କ ଜନ୍ମଠାରୁ ନୂତନ ଵର୍ଷର ଆରମ୍ଭ ଗଣନା କରାଯିଵାର ପରମ୍ପରା ହିନ୍ଦୀ ଭାଷା ବେଲ୍ଟରେ ଅଧିକ ଲୋକପ୍ରିୟ ଯେହେତୁ ଏ ଅଞ୍ଚଳରେ ରାମଙ୍କର ଓ ରାମରାଜ୍ୟର ପ୍ରଭାଵ ସର୍ଵାଧିକ ପଡି଼ଥିଲା ତେଣୁ ଏସବୁ ଅଞ୍ଚଳରେ ରାମନଵମୀକୁ ପାରମ୍ପରିକ ନଵଵର୍ଷ ଭାବେ ଗ୍ରହଣ କରାଯାଇଛି । 

(ଗ)ଵିଷୁଵ ସଂକ୍ରାନ୍ତି/ମେଷ ସଂକ୍ରାନ୍ତି

ମହା ଵିଷୁଵ ପଣା ସଂକ୍ରାନ୍ତିକୁ ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସୀୟ ପାରମ୍ପରିକ ନଵଵର୍ଷ ଭାବେ ଜଣାଯାଏ । 

ପଞ୍ଜାଵରେ ଏହା ଵୈଶାଖୀ ନାମରେ ପରିଚିତ ଥିଲାବେଳେ ଏହା ନେପାଳର ଆଧିକାରିକ ନଵଵର୍ଷ ଭାବେ ମଧ୍ୟ ପରିଚିତ । 
ଆସାମରେ ବୋହାଗ ବିହୁ ,Tai Phake, Tai Aiton, ଓ Turung ନାମରେ ମହାଵିଷୁଵ ପଣା ସଂକ୍ରାନ୍ତିକୁ ଵିଭିନ୍ନ ଜନଜାତିର ଲୋକେ ପାଳିଥାଆନ୍ତି । ନେପାଳରେ ଵୈଶାଖ ଏକ ଗାତେ ଵା ବିସକେତ୍ ଯାତ୍ରା ,ବଙ୍ଗାଳୀ ହିନ୍ଦୁମାନଙ୍କ ମଧ୍ୟରେ ପୋହେଲା ବୈଶାଖ୍ ନାମରେ ମହା ଵିଷୁଵ ପଣା ସଂକ୍ରାନ୍ତି ପାରମ୍ପରିକ ନଵଵର୍ଷ ଭାବେ ପାଳିତ ହୋଇଥାଏ । ସଙ୍ଗକେନ୍;ଖାମତି;ସିଂହଫୋ;ଖାମ୍‌ୟାଙ୍ଗ୍ ଓ ତାଙ୍ଗ୍‌ସା ନାମରେ ଅରୁଣାଚଳ ପ୍ରଦେଶରେ ଏହା ପାରମ୍ପରିକ ନଵଵର୍ଷ ଭାବେ ପାଳିତ ହୁଏ । ବୋଡୋଲ୍ୟାଣ୍ଡ ଅଞ୍ଚଳର ମଧ୍ୟ ମହାଵିଷୁଵ ପଣା ସଂକ୍ରାନ୍ତି Bwisagu ନାମରେ ପାରମ୍ପରିକ ନଵଵର୍ଷ ରୂପେ ପାଳିତ ହୋଇଥାଏ । ତ୍ରିପୁରାର ହିନ୍ଦୁମାନେ Buisu ନାମରେ ଏଵଂ ମିଜୋରାମର ଚକମାମାନେ 
Bizhu ନାମରେ ମହାଵିଷୁଵ ପଣା ସଂକ୍ରାନ୍ତିକୁ ପାଳିଥାଆନ୍ତି ‌। ପୂର୍ଵଭାରତରେ ଓଡ଼ିଆ ଲୋକମାନଙ୍କର ଏହା ପାରମ୍ପରିକ ନଵଵର୍ଷ ଭାବେ ପାଳିତ ହୁଏ । ମୈଥିଳୀଭାଷୀ ଜୁର୍ ଶୀତଲ ନାମରେ ମାଵିଷୁଵ ପଣା ସଂକ୍ରାନ୍ତିକୁ ନିଜର ପାରମ୍ପରିକ ନଵଵର୍ଷ ଭାବେ ପାଳିଥାନ୍ତି । ସେହିପରି ଦକ୍ଷିଣ ଭାରତରେ ତାମିଲମାନେ ପୁଥାଣ୍ଡୁ,ମଳ଼ୟାଳମ଼ ଭାଷୀ ଵିଷୁ,ତୁଲୁଭାଷୀ ଵିଷୁ ନାମରେ ମହା ଵିଷୁଵ ପଣା ସଂକ୍ରାନ୍ତିକୁ ନିଜର ପାରମ୍ପରିକ ନଵଵର୍ଷ ଭାବରେ ପାଳନ କରିଥାନ୍ତି । ଭାରତ ବାହାରେ ଶ୍ରୀଲଙ୍କାରରେ Aluth Avurudda, ମିଆଁମାରରେ Thingyan,ଲାଓସରେ
Pi Mai, ଥାଇଲାଣ୍ଡରେ 
Songkran, କାମ୍ବୋଡିଆରେ
Choul Chnam Thmey ଵା Moha Sankranti ଓ ଚୀନ ଦେଶର ୟେନାନ୍ ରାଜ୍ୟରେ 
Water-Sprinkling Festival ଭାବେ ମହାଵିଷୁଵ ପଣା ସଂକ୍ରାନ୍ତି ପାଳିତ ହୁଏ। ଏହି ସବୁ ଅଞ୍ଚଳରେ ଵିଶେଷକରି ବୌଦ୍ଧମାନେ ମହାଵିଷୁଵ ପଣା ସଂକ୍ରାନ୍ତିକୁ ନିଜର ପାରମ୍ପରିକ ନଵଵର୍ଷ ଭାବେ ପାଳି ଥାଆନ୍ତି । ଭାରତ ଭିତରେ ଓ ଭାରତ ବାହାରେ ସର୍ଵାଧିକ ଲୋକପ୍ରିୟ ସନାତନୀ ନଵଵର୍ଷ ହେଉଛି ମହା ଵିଷୁଵ ପଣା ସଂକ୍ରାନ୍ତି ।‌

(ଘ)Losoong 

ସିକିମରେ ସାଧାରଣତଃ ଭୁଟିଆ,ଲେପଚା ଆଦି କେତେକ ଜନଜାତୀୟ ଲୋକେ ଆମର ନୂଆଖାଇ ଭଳି ଏକ ପର୍ଵ Losoongକୁ ତାଙ୍କର ପାରମ୍ପରିକ ନଵଵର୍ଷ ଭାବେ ପାଳନ କରିଥାନ୍ତି । ଏହି ପର୍ଵ ଚାଷ କାମ ଅମଳ ହୋଇ ସାରିଵା ପରେ ନୂଆଖାଇ ଭଳି ପାଳିତ ହୋଇଥାଏ । 

(ଙ)Galdan Namchot
ଲଦାଖରେ ସନାତନୀ ବୌଦ୍ଧମାନଙ୍କର ପାରମ୍ପରିକ ନଵଵର୍ଷ ଭାବେ
Galdan Namchot ପାଳିତ ହୋଇଥାଏ । ତିବତ୍ତରେ ବୌଦ୍ଧ ଧର୍ମର ଅନ୍ଯତମ ଗୁରୁ ଭାବେ ଜଣାଶୁଣା Je Tsongkhapa (1357–1419 AD)ଙ୍କ ନିର୍ଵାଣ ଦିନଟିକୁ ମନେ ରଖିଵାକୁ ପରେ ପରେ ଏହି ଦିନଠାରୁ ଵର୍ଷଗଣନା ଆରମ୍ଭ ହୋଇଥିଲା । ନେପାଳ,ଚୀନ, ତିବତ୍ତ ଓ ମଙ୍ଗୋଲିଆର ଅନେକ ବୌଦ୍ଧମାନେ ଏହି ଦିନଟିକୁ ନଵଵର୍ଷ ଭାବେ ପାଳନ କରିଥାନ୍ତି । 

(ଚ)ଆଷାଢି଼ ବିଜ୍
ଆଷାଢ଼ ମାସ ପ୍ରଥମ ଦିନକୁ ଗୁଜରାଟର କଚ୍ଛରେ ନଵଵର୍ଷ ଭାବେ ପାଳନ କରାଯାଏ । ଏହାକୁ କଚ୍ଛ ଅଞ୍ଚଳରେ ashadhi bij କୁହାଯାଇଥାଏ । ଏ ଵର୍ଷ ଗ୍ରେଗରୀୟ କ୍ୟାଲେଣ୍ଡର ଅନୁସାରେ ୧୯ ଜୁନରେ ଏହି ପର୍ଵ ପାଳିତ ହେଵାକୁ ଯାଉଛି । 

(ଛ)ବାଳି ପ୍ରତିପଦା
ଗୁଜରାଟୀ ଓ ମାରୁୱାଡ଼ୀମାନଙ୍କ ନଵଵର୍ଷ ଦୀପାଵଳିର ଚତୁର୍ଥ ଦିନ କାର୍ତ୍ତିକ ମାସର ପ୍ରଥମ ଦିନ ବାଳି ପ୍ରତିପଦାଠାରୁ ଆରମ୍ଭ ହୋଇଥାଏ । ଏହାକୁ Bestu Varas, Varsha Pratipada,Bali Padwa ମଧ୍ୟ କୁହାଯାଏ । ଏହାକୁ ଵ୍ଯାପାରୀମାନଙ୍କର ନଵଵର୍ଷ ବି କୁହାଯାଏ କାରଣ ଦୀପାଵଳି ପୂର୍ଵରୁ ଦୋକାନକୁ ସଫାସୁତୁରା କରି ପୁରୁଣା ଖାତାରୁ ହିସାବ କିତାବ ସାରି ଏହି ଦିନଠାରୁ ସାରା ଭାରତରେ ଵ୍ୟାପାରୀମାନେ ନୂଆ ଖାତା ଚଳାଇଥାଆନ୍ତି । 

(ଜ)ଚିଙ୍ଗମ୍ - କେରଳୀ ନଵଵର୍ଷ 
Kolla Varsham ପଞ୍ଜିକା ଅନୁସାରେ ଏ ଵର୍ଷ କେରଳୀ ନଵଵର୍ଷ chingam ପୌଷମାସ ପୁତ୍ରଦା ଏକଦଶୀ ତିଥିରେ କେରଳୀ ନଵଵର୍ଷ ପାଳିତ ହେଵାକୁ ଯାଉଛି । ୮୨୫ ଖ୍ରୀଷ୍ଟାବ୍ଦରେ ଏହି Kolla Varsham ପଞ୍ଜିକାର ପ୍ରଚଳନ କେରେଳରେ ହୋଇଥିଲା । କେରଳରେ ଦୁଇଜାତୀୟ କ୍ୟାଲେଣ୍ଡର ଵ୍ୟଵହାର ହୋଇଥାଏ । Medam Varsham ମଲାୟଲୀ ପଞ୍ଜିକା ଅନୁସାରେ ଵିଷୁ ଵା ମହା ଵିଷୁଵ ସଂକ୍ରାନ୍ତି ହେଉଛି କେରଳୀ ନଵଵର୍ଷ ସେହିପରି Kolla Varsham ପଞ୍ଜିକା ଅନୁସାରେ chingam ହେଉଛି ମଳୟାଳ଼ମୀ ନଵଵର୍ଷ ‌ । ସୌରରାଶି ଓ ସୌରମାସ ସିଂହର ନାମାନୁସାରେ chingam ହୋଇଅଛି । ପ୍ରକୃତରେ ସିଂହର ପରିଵୃତ୍ତ ରୂପ chingam ଅଟେ । 

(ଝ) ଉତ୍କଳୀୟ ନଵଵର୍ଷ ସୁନିଆଁ
ଓଡ଼ିଆ ନଵଵର୍ଷ ହେଉଛି ମହା ଵିଷୁଵ ପଣା ସଂକ୍ରାନ୍ତି ଏଵଂ ଏହା ପ୍ରାୟତଃ ଦୁଇହଜାର ଵର୍ଷ ଧରି ଓଡ଼ିଶାର ଜନସାଧାରଣଙ୍କ ପାରମ୍ପରିକ ନଵଵର୍ଷ ଭାବେ ପାଳିତ ହେଉଛି । ତେବେ ସୁନିଆକୁ ଉତ୍କଳୀୟ ନଵଵର୍ଷ ଅଭିହିତ କରାଯାଏ । 
ଭାଦ୍ରମାସ ଶୁକ୍ଳ ଦ୍ୱାଦଶୀ ତିଥିରେ ଏହି ଉତ୍କଳୀୟ ନଵଵର୍ଷ ସୁନିଆଁ ଦିନ ଉତ୍କଳୀୟ ସନ୍ ଓ ପୁରୀ ରାଜାଙ୍କ ଅଙ୍କର ପରିଵର୍ତ୍ତନ ହୋଇଥାଏ । ଏ ଦିନ ଆଗେ ଓଡ଼ିଶାର ରାଜା ଓ ଜମିଦାରଙ୍କ ସିରସ୍ତାରେ ନୂତନ ଅଙ୍କ ଵା ସନ ଆରମ୍ଭ ହେଉଥିଲା । ରାଜା ଓ ଜମିଦାରମାନେ ସେ ଦିନ ସିରସ୍ତା ପୂଜା କରୁଥିଲେ ଏବଂ ପ୍ରଜାମାନେ ଜମିଦାରଙ୍କୁ ଭେଟି ଓ ସଲାମି ଦେଉଥିଲେ । ପୂର୍ଵତନ ରାଜାଙ୍କ ନାମାଙ୍କିତ ସ୍ୱର୍ଣ୍ଣମୁଦ୍ରା (ସୁନିଆଁ) କଟାଯାଇ ନୂଆ ରାଜାଙ୍କ ନାମାଙ୍କିତ ନୂତନ ମୁଦ୍ରା ଚଳିଵା ଵିଧିରୁ ଏହି ଶବ୍ଦର ସୃଷ୍ଟି ହୋଇଅଛି । 

ଆଗେ ସ୍ୱର୍ଣ୍ଣମୁଦ୍ରା, ମଉଡ଼ ଵା ମୋହରକୁ ସୁନିଆ କୁହାଯାଉଥିଲା । ଗଞ୍ଜାମର କଵି କୃଷ୍ଣ ସିଂହଙ୍କ କୃଷ୍ଣ ମହାଭାରତରେ ସୁନିଆ ଶବ୍ଦଟି ସ୍ଵର୍ଣ୍ଣମୋହର ଅର୍ଥରେ ପ୍ରୟୋଗ କରାଯାଇଛି । 

ସହସ୍ରେ ସୁନିଆରେ ଶିକାଟାଏ ଅଛି, 
ସରୁ ରତ୍ନମାନଙ୍କେ ଭୁଷିତ ହୋଇଛି। (କୃଷ୍ଣସିଂହ, ମହାଭାରତ, ସଭା। )

ନାଗର ଘେନି ଯେବେ ଅସିବ ସୁନିଆ, ତେବେ ତାକୁ ଦେଖିଲେ ହୋଇବି ମୁଁ ନିଆଁ। (କୃଷ୍ଣସିଂହ, ମହାଭାରତ, ଶାନ୍ତି।)

ଉତ୍କଳୀୟ ସନ୍ ଓ ପୁରୀ ରାଜାଙ୍କ ମାସ ଓ ଦିଵସର ଗଣନା ସୌର ମାସର ଗଣନା କ୍ରମେ ହୁଏ କିନ୍ତୁ ସନ ଵା ଅଙ୍କ ଚାନ୍ଦ୍ର ଭାଦ୍ରମାସର ଦ୍ୱାଦଶୀଠାରୁ ଗଣନା କରାଯାଏ। ଏହି 'ସୁନିଆ' ପୂଜା ଓ ଗଣନା ଓଡ଼ିଶାର ଵିଶେଷତ୍ୱ। ଏହା ଉତ୍କଳୀୟମାନଙ୍କର ସ୍ଵତନ୍ତ୍ର ନଵ ବର୍ଷାରମ୍ଭ ଉତ୍ସଵ । ଆଜକୁ ପ୍ରାୟ ୧୪୦୦ରୁ ୧୫୦୦ ଵର୍ଷ ତଳେ ଏହାର ପ୍ରଚଳନ ଆରମ୍ଭ ହୋଇଥିଲା । 

ଭାରତରେ ହିନ୍ଦୁମାନଙ୍କର ଚୈତ୍ର ପ୍ରତିପଦା,
ରାମନଵମୀ,ମହାଵିଷୁଵ ପଣା ସଂକ୍ରାନ୍ତି,
ଆଷାଢ଼ି ବିଜ୍,ବେସ୍ତୁ ବରସ୍,ଚିଙ୍ଗମ୍ ଓ
ସୁନିଆଁ ଭଳି ସାତଗୋଟି ପାରମ୍ପରିକ ନଵଵର୍ଷ ଅଛି । ଏଥିମଧ୍ୟରୁ ମହାଵିଷୁଵ ପଣା ସଂକ୍ରାନ୍ତିକୁ ଭାରତରେ ହିନ୍ଦୁ ,ସିଖ୍ ଓ ବୌଦ୍ଧ ତଥା ଭାରତ ବାହାରେ ଶ୍ରୀଲଙ୍କା,ବ୍ରହ୍ମଦେଶ,ଲାଓସ, ଭିଏତନାମ, କାମ୍ବୋଡି଼ଆ ଓ ଚୀନ(ପଶ୍ଚିମ) ଆଦି ଦେଶର ବୌଦ୍ଧ ମାନେ ନିଜର ପାରମ୍ପରିକ ନଵଵର୍ଷ ଭାବେ ପାଳନ କରିଥାନ୍ତି । ସେଥିପାଇଁ ମହାବିଷୁବ ପଣା ସଂକ୍ରାନ୍ତିକୁ ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସୀୟ ନଵଵର୍ଷ ମଧ୍ୟ କୁହାଯାଏ। 

ଯଦି କେଵଳ ଚୈତ୍ର ପ୍ରତିପଦା ହିଁ ହିନ୍ଦୁ ନଵଵର୍ଷ ତାହେଲେ ବାକି ସବୁ ହିନ୍ଦୁ ନଵଵର୍ଷଗୁଡି଼କୁ କ'ଣ ମୁସ୍ଲିମ ଓ ଖ୍ରୀଷ୍ଟିଆନ ନଵଵର୍ଷ କହିଵା କି ?

Tuesday, March 21, 2023

ଲୋକଗାଥାରେ ଘରଚଟିଆ ଓ ଚୀନ ଦେଶର ଘରଚଟିଆ ମାରଣ ଯୋଜନାର କାହାଣୀ


ପୃଥିଵୀର ଅନେକ ଦେଶରେ ଘରଚଟିଆ ସମ୍ବନ୍ଧୀୟ ଲୋକକଥା ରହିଛି । ଘରଚଟିଆ ସମ୍ବନ୍ଧରେ ସ୍ଥାନୀୟ ଆମେରକୀୟ ଲୋହିତ ଭାରତୀୟମାନଙ୍କଠାରୁ ଗୋଟିଏ ଲୋକକଥା ଶୁଣିଵାକୁ ମିଳେ ।‌

ଆଜକୁ ହଜାର ହଜାର ଵର୍ଷ ତଳେ ଆମେରିକାରେ ମଣିଷ ପଶୁ ସବୁ ମିଳିମିଶି ରହୁଥିଲେ ଏଵଂ ମନୁଷ୍ୟପରି ଜୀଵମାନେ ମଧ୍ୟ କଥାଭାଷା ହୋଇପାରୁଥିଲେ । ସେହି ସମୟର କଥା । ମନୁଷ୍ୟମାନଙ୍କର ଗୋଟିଏ ଗ୍ରାମରେ ଏକ ସୁନ୍ଦର କିନ୍ତୁ ଅହଂକାରୀ ଝିଅର ବାପା ଜଣେ ମହାନ ଯୋଦ୍ଧା ରହୁଥିଲେ । ଝିଅଟିର ପୁରୁଷମାନଙ୍କ ପ୍ରତି କୌଣସି ଆଗ୍ରହ ନଥିଲା ଏଵଂ ତାକୁ ଵାହା ହେଵା ପାଇଁ ପ୍ରସ୍ତାଵ ନେଇ ଆସୁଥିଵା ଅନେକ ପୁରୁଷଙ୍କୁ ସେ ବୁଦ୍ଧି ଓ ବାହୁ ବଳରେ ପରାସ୍ତ ତଥା ଅପମାନିତ କରି ଛାଡ଼ୁଥିଲା । 

ସୈନିକ,ଡକାୟତଠାରୁ ଆରମ୍ଭ କରି ଵଣର ଠେକୁଆ,ଭାଲୁ,ବିଲୁଆ ଯେତେବେଳେ ଯିଏ ବି ତାକୁ ଭେଟିଵାକୁ ଆସିଲା ସେ ଅହଂକାରୀ ଝିଅ ସେମାନଙ୍କୁ ଅପମାନିତ କରି ଫେରାଇ ଦେଉଥିଲା । 

ଶେଷରେ, ଗାଁର ପୁରୁଷମାନେ ଵିରକ୍ତ ହୋଇ ସେ ଝିଅଠାରୁ ପ୍ରତିଶୋଧ ନେଵାକୁ ଚତୁର ପଵନକୁ ଅନୁରୋଧ କଲେ। ଅଦୃଶ୍ୟ ହେଵାର ଯାଦୁକରୀ କ୍ଷମତା ଥିଵା ପଵନକୁ ମଧ୍ୟ ଝିଅ ଅପମାନିତ କଲା ଫଳରେ ପଵନଟା ଘୂର୍ଣ୍ଣିଝଡ଼ର ରୂପ ଧରି ଝିଅକୁ ଆଘାତ କରି ତଳେ ପକାଇ ଦେଇଥିଲା। ଏଥିରେ ରାଗିଯାଇ ଝିଅର ବାପା ପଵନ ଓ ତା ଅନ୍ଧ ଭାଇ ଵର୍ଷାକୁ ଗାଁରୁ ତଡ଼ି ଦେଲେ। କିଛି ଦିନ ପରେ,ନାନା ସମସ୍ୟା ଦେଖା ଦେଲା ‌‌। ଲୋକମାନେ ପଵନ ଓ ଵର୍ଷା ନରହିଵାରୁ ଦୁଃଖ କରିଵାକୁ ଲାଗିଲେ କାରଣ ଵାୟୁ ବହିଵା ବନ୍ଦ ହୋଇଗଲା ଓ ଭୂମି ଶୁଖିଗଲା । ସେମାନେ ଭାଲୁକୁ ପଵନ ଓ ତା ଵର୍ଷା ଭାଇକୁ ଉଣ୍ଡି ବାହାର କରିଵା ପାଇଁ ପଠାଇଲେ, କିନ୍ତୁ ସେ ସେମାନଙ୍କୁ ପାଇଲା ନାହିଁ। ତାପରେ ଠେକୁଆକୁ ବି ପଠାଇଲେ କିନ୍ତୁ ସେ ମଧ୍ୟ ଵିଫଳ ହେଲା। ଶେଷରେ, ପଵନ ଓ ଵର୍ଷାକୁ ଡଗରାଇ ଆଣିଵାକୁ ଗାଁ ମୁଖିଆ ଘରଚଟିଆକୁ ପଠାଇଲେ ‌। ଘରଚଟିଆଟି ଚତୁର ଥିଲା ତେଣୁ ସେ ଆକାଶରେ ଉଡ଼ୁଥିଲାବେଳେ ଯେଉଁ ଦିଗରୁ ପଵନ ବହୁଥିଲା ସେହି ଦିଗରେ ଉଡି଼ଗଲା । ଅନେକ ଦିନ ପରେ ସେ ଏକ ଗୁମ୍ଫାରେ ପଵନ ଓ ତା ଭାଇ ଵର୍ଷା ଶୋଇଥିଵାର ଦେଖିଲା । ବହୁତ କଷ୍ଟରେ ଘରଚଟିଆଟି ତାଙ୍କୁ ବୁଝେଇ ସୁଝେଇ ଘରକୁ ଫେରିଵାକୁ ରାଜି କରାଇଲା । ପଵନ ଓ ଵର୍ଷା, ଗାଆଁ ନଯାଇ ପାଖ ପାହାଡ଼ରେ ଘରଚଟିଆ ବସା ପାଖରେ ରହିଲେ । ଘରଚଟିଆଟି ସେ ଗାଆଁକୁ ଯାଇ ଲୋକଙ୍କୁ କହିଲା ମୋ ଘରେ ପଵନ ଆଉ ଵର୍ଷା ଅଛନ୍ତି ତୁମେ ମଣିଷମାନେ ପ୍ରତିଶ୍ରୁତି ଦିଅ ଯେ ଆଜିଠାରୁ ଆମ ଘରଚଟିଆମାନଙ୍କର ଶିକାର କରିଵ ନାହିଁ ଵରଂ ଆମକୁ ଦେଖିଲେ ଶସ୍ୟ ଖାଇଵାକୁ ଦେଵ ତାହେଲେ ମୁଁ ଵର୍ଷା ଆଉ ପଵନକୁ ପାହାଡ଼ରୁ ଗାଆଁକୁ ପଠାଇବି । ଲୋକମାନେ ଘରଚଟିଆ କଥାରେ ସମ୍ମତି ପ୍ରକାଶ କଲାରୁ ଘରଚଟିଆ ଆକାଶରେ ଉଡି଼ଯାଇ ବୋବାଇଵାକୁ ଲାଗିଲା । ତା କଣ୍ଠ ବାରି ପ୍ରଥମେ ସୁ ସୁ ହୋଇ ପଵନ ବହିଵାକୁ ଲାଗିଲା ତା ପଛେ ପଛେ ତାହାର ଅନ୍ଧ ଭାଇ ଵର୍ଷା ମଧ୍ୟ ଗାଆଁକୁ ଚାଲି ଆସିଲା ‌। ଗାଆଁ ଲୋକେ ଵର୍ଷା ଆଗମନ ଦେଖି ବଢ଼େ ଉଷତ ହୋଇ ନାଚିଵାକୁ ଲାଗିଲେ । ସେଇ ଦିନଠାରୁ ଆମେରିକାର ସ୍ଥାନୀୟ ଲୋହିତ ଭାରତୀୟମାନେ ଆଉ ଘରଚଟିଆମାନଙ୍କୁ ମାରିଲେ ନାହିଁ ଵରଂ ତାକୁ ଘରର ସଦସ୍ୟ କରି ରଖିଲେ । 

କାହାଣୀ ମାଧ୍ୟମରେ ଲୋହିତ ଭାରତୀୟମାନେ ନିଜ ପରଵର୍ତ୍ତୀ ପିଢ଼ିକୁ ପରୋପକାରୀ ଘରଚଟିଆ ସମେତ ସବୁ ପ୍ରକାରର ଚଟିଆକୁ ନମାରିଵାର ଉପଦେଶ ଦେଉଥିଲେ । 

ଖ୍ରୀଷ୍ଟିଆନମାନଙ୍କ ମଧ୍ୟରେ ଲୋକଵିଶ୍ଵାସ ଅଛି ଯେ ଜିଶୁଙ୍କୁ କୃଶବିଦ୍ଧ କଲାବେଳେ ଘରଚଟିଆ ସେଠାରେ ଉପସ୍ଥିତ ଥିଲା ଏଵଂ ଜିଶୁଙ୍କୁ ଉପହାସ କରିଥିଲା ଫଳତଃ ତାହାର ଆକାର ଛୋଟ ହୋଇଗଲା ।‌ ଯେତେ ବଡ଼ ହୋଇଥାଅ ସବୁ ଜୀଵଙ୍କର ଜୀଵନର ମୂଲ୍ୟ ଅଛି ତେଣୁ କାହାକୁ ଛୋଟ ମନେକରି ଉପହାସ କଲେ ନିଜେ ଛୋଟ ହୋଇଯିଵ ବୋଲି କଥା ଛଳରେ କୁହାଯାଇଛି । ଅନ୍ୟ ଏକ କଥା ଅନୁସାରେ ଜିଶୁ ଛୋଟ ଥିଲାବେଳେ ଅନ୍ୟ ପିଲାଙ୍କ ସହିତ ମିଶି ମାଟି କଣ୍ଢେଇ ଗଢି଼ଵା ସମୟରେ ଏକ ଘରଚଟିଆକୁ ଗଢ଼ି ତାକୁ ଜୀଵନଦାନ ଦେଇ ଦେଇଥିଲେ । ସେହି ଘରଚଟିଆଟି ତାଙ୍କୁ କୃଶବିଦ୍ଧ ହେଉଥିଵାର ଦେଖି ଦୁଃଖରେ ଭାଙ୍ଗିପଡି଼ଲା ଓ ମୃତ୍ୟୁଵରଣ କରି ସ୍ଵର୍ଗକୁ ଗଲା । 

ଭାରତୀୟ ପୁରାଣଗାଥାରେ ଘରଚଟିଆକୁ ନେଇ ଏକ କାହାଣୀ ରହିଛି । ଏହି କାହାଣୀ ଅନୁସାରେ ଥରେ ଗୋଟିଏ ଘରଚଟିଆ ସମୁଦ୍ରକୂଳର ଏକ ଗୃହରେ ଅଣ୍ଡା ଦେଇଥାଏ କିନ୍ତୁ ସମୁଦ୍ରରେ ସୁନାମି ଆସିଵାରୁ ତାହାର ଅଣ୍ଡା’ମାନ ସମୁଦ୍ର ଭିତରକୁ ଭାସି ଚାଲିଗଲା । ଘରଚଟିଆ ଏଥିରେ ଦୁଃଖ କରି ସମୁଦ୍ର ଦେଵ ଵରୁଣଙ୍କୁ ବାରମ୍ବାର ଡାକିଵାକୁ ଲାଗିଲା । ଵରୁଣ ତା' କଥା ନଶୁଣିଵାରୁ ସେ ମନସ୍ତ କଲା ଯେ ସମୁଦ୍ରର ସବୁ ଜଳକୁ ଶୁଖାଇ ଦେଲେ ସେ ତା ଅଣ୍ଡା ନିଶ୍ଚୟ ପାଇଯିଵ । ତେଣୁ ସେ ପକ୍ଷୀରାଜ ଗରୁଡ଼ଙ୍କୁ ଆଵାହନ କଲା ।‌ ଗରୁଡ଼ ଆସି ଘରଚଟିଆର ଦୁଃଖ ଜାଣି ଵରୁଣ ଦେଵଙ୍କୁ ସମୁଦ୍ର ଭିତରକୁ ଚାଲିଯାଇଥିଵା ତାହାର ଅଣ୍ଡା ଫେରାଇ ଦେଵାକୁ ନିର୍ଦ୍ଦେଶ ଦେଲେ ଏଵଂ ତାଙ୍କ କଥା ନମାନିଲେ ଯୁଦ୍ଧ କରିଵାକୁ ପ୍ରସ୍ତୁତ ହୋଇଯିଵା କଥା ମଧ୍ୟ କହିଲେ । ଵରୁଣ ଦେଵ , ପକ୍ଷୀରାଜ ଗରୁଡ଼ଙ୍କ ଶକ୍ତି ସହିତ ପରିଚିତ ଥିଲେ ପୁଣି ଶ୍ରୀଵିଷ୍ଣୁଙ୍କ ଵାହନ ସହିତ ଵିଵାଦ କରି ସ୍ଵୟଂ ଭଗଵାନଙ୍କୁ ଅସନ୍ତୁଷ୍ଟ କରିଵାକୁ ଚାହୁଁନଥିଲେ ତେଣୁ ସେ ଅଣ୍ଡାଗୁଡି଼କୁ ଫେରାଇଦେଲେ । ଭାରତୀୟ ପୁରାଣଗାଥାରେ ଥିଵା ଘରଚଟିଆ ସମ୍ବନ୍ଧୀୟ ଏହି କଥାଟି ମନୁଷ୍ୟକୁ ହାରି ନଯାଇ ସଦା ଚେଷ୍ଟିତ ହେଵାର ଉପଦେଶ ଦେଇଥାଏ । ଘରଚଟିଆଟି ଛୋଟ ଥିଲା କିନ୍ତୁ ସେ ସମୁଦ୍ର ଭିତରକୁ ଚାଲିଯାଇଥିଵା ନିଜର ଅଣ୍ଡା ପାଇଁ ଵିଶାଳ ସମୁଦ୍ର ସହିତ
ଯୁଦ୍ଧ କରିଵାକୁ ବି ପଛାଇଲା ନାହିଁ । 

କିନ୍ତୁ ଚୀନ ଦେଶରେ ଘରଚଟିଆ ଆଦି ଚଟିଆ ପକ୍ଷୀମାନଙ୍କୁ ଲୋପ କରିଦେଵାକୁ ନିକଟ ଅତୀତରେ ଏକ ଅଭିଯାନ ଚଳାଯାଇଥିଲା । ଆଜକୁ ପ୍ରାୟ ୬୩ ଵର୍ଷ ପୂର୍ଵେ ଚୀନ୍ ଦେଶରେ ଚାରୋଟି ଜୀଵଙ୍କ ଵିରୁଦ୍ଧରେ ଗ୍ରହଣ କରିଥିଲା ଏକ ନିଷ୍ଠୁର ଅଭିଯାନ । ଏହି ଅଭିଯାନ ଯୋଗୁଁ ଲକ୍ଷ ଲକ୍ଷ ଚଟିଆ ପକ୍ଷୀ ନିଜ ପ୍ରାଣ ହରାଇଥିଲେ ‌ ହେଲେ ଏହାର ପରିଣାମ ସ୍ଵରୂପ ଅଢ଼େଇ କୋଟି ଚୀନୀଲୋକ ପରଵର୍ତ୍ତୀ କାଳରେ ଅନାହାର କୁପୋଷଣ ଯୋଗୁଁ ମୃତ୍ୟୁଵରଣ ମଧ୍ୟ କରିଥିଲେ ‌ । 

୧୯୫୮ରେ ଚୀନର ଶାସକ 
“Four Pests campaign”
ନାମକ ଏକ ଅଭିଯାନ ଆରମ୍ଭ କରିଥିଲେ । ଏହି ଅଭିଯାନ ଅଧୀନରେ ଚାରୋଟି ଜୀଵଙ୍କର ବଂଶ ଚୀନରୁ ଲୋପ କରିଦେଵାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ଅଭିଯାନ ୧୯୫୮ରୁ ୧୯୬୨ ଯାଏଁ ଚାଲିଥିଲା । ସେହି ଚାରିଗୋଟି ଜୀଵ ହେଲେ ମଶା, ମାଛି, ମୂଷା ଓ ସବୁ ପ୍ରକାରର ଚଟିଆ ପକ୍ଷୀ ‌ ...

ଚୀନ ଦେଶର ତତ୍କାଳୀନ ଶାସକମାନେ ଚଟିଆମାନଙ୍କୁ ହତ୍ୟା କରାଯିଵା ପଛରେ କାରଣ ଦର୍ଶାଇଥିଲେ ଯେ ଏହା ଲୋକଙ୍କ ଶସ୍ୟ ଖାଇଯାଏ ଏଵଂ କୃଷକଙ୍କ ପାଇଁ ଏକ ଅଲୋଡ଼ା ଜୀଵ । 

ଏହି ଅଭିଯାନରେ ଚାଇନାର ଲୋକମାନେ ବହୁ ସଂଖ୍ୟାରେ ମଶା, ମାଛି,ମୂଷା ଓ ଚଟିଆମାନଙ୍କୁ ମାରିଵା ଆରମ୍ଭ କରିଦେଲେ । ଯିଏ ଅଧିକ ଚାରାକୁ ମାରିଲା, ଚୀନ୍‌ର ଶାସକ ତାଙ୍କୁ ପୁରସ୍କାର ଦେଲେ ।‌

ଏହି ନିଷ୍ପତ୍ତି ଦ୍ୱାରା ଵିଭିନ୍ନ ଜାତିର ଲକ୍ଷାଧିକ ଚଟିଆ ପକ୍ଷୀଙ୍କୁ ହତ୍ୟା କରାଯାଇଥିଲା ଏଵଂ ଚାହୁଁ ଚାହୁଁ ଚୀନ ଦେଶରେ ପକ୍ଷୀଟିଏ ଦେଖିଵାକୁ ମିଳିଲେ ନାହିଁ । ଏହି ଚାରିଜୀଵ ହତ୍ୟା ଅଭିଯାନରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଵା ଚଟିଆ ଜାତିଟି ହେଉଛି ”Eurasian tree sparrow” ଭାବେ ଜଣାଶୁଣା ଚୀନ ଦେଖାରେ ଦେଖାଯାଉଥିଵା ଏକ ଜାତୀୟ ଚଟିଆ ଯାହାର ଵୈଜ୍ଞାନିକ ନାମ Passer montanus । ଆମ ଦେଶରେ Passer domesticus ଅଧିକ ସଂଖ୍ୟକ ଦେଖାଯାଆନ୍ତି ଯୋଉମାନଙ୍କୁ ଆମେ ଘରଚଟିଆ କହିଥାଉ । ଭାରତରେ Passer montanus ଅଳ୍ପ ସ୍ଥାନରେ ଦେଖିଵାକୁ ମିଳିଥାନ୍ତି । ଉଭୟ ଜାତୀୟ ଚଟିଆଙ୍କ ମଧ୍ୟରେ ଅନେକ ସମାନତା ରହିଛି ‌। 

ସେ ଯାହା ହେଉ ଚୀନକୁ ଏହାର ପରିଣାମ ଶିଘ୍ର ଭୋଗିଵାକୁ ହିଁ ପଡ଼ିଲା । ମାତ୍ର ଦୁଇଵର୍ଷ ମଧ୍ୟରେ ଚୀନ୍‌ରେ ଭୀଷଣ ଦୁର୍ଭିକ୍ଷ ପଡି଼ଲା । କାରଣ ଚଟିଆ ପକ୍ଷୀମାନେ କେଵଳ ଶସ୍ୟ ଖାଉ ନଥିଲେ, ଵରଂ ସେହି କୀଟପତଙ୍ଗଗୁଡି଼କୁ ବହୁ ପରିମାଣରେ ଖାଉଥିଲେ, ଯେଉଁମାନେ ଶସ୍ୟ ନଷ୍ଟ କରୁଥିଲେ। ଘରଚଟିଆ ଆଦି ଅଧିକାଂଶ ଚଟିଆମାନଙ୍କୁ ମାରିଦେଵାରୁ ଚୀନ ଦେଶରେ କୀଟପତଙ୍ଗ ଭୀଷଣ ଭାବେ ବଢି଼ଗଲେ ଏଵଂ ଶେଷରେ ପଙ୍ଗପାଳ ଆକ୍ରମଣ ଯୋଗୁଁ ପ୍ରାୟ ଅଧିକାଂଶ ଫସଲ ନଷ୍ଟ ହୋଇଗଲା । ଫଳରେ ଚୀନରେ ଉତ୍କଟ ଖାଦ୍ୟାଭାଵ ଦେଖାଦେଲା ଏଵଂ ପରଵର୍ତ୍ତୀ ଵର୍ଷଗୁଡି଼କରେ ଏହା ଦୁର୍ଭିକ୍ଷ ସୃଷ୍ଟିର କାରଣ ହୋଇଥିଲା । 

 Alexander Pantsov ତାଙ୍କ ପୁସ୍ତକ "Mao, the real story'ରେ ଲେଖିଛନ୍ତି ଯେ ଚୀନ୍ କମ୍ୟୁନିଷ୍ଟ ପାର୍ଟି ତାଙ୍କର ଵରିଷ୍ଠ ନେତାଙ୍କ ଭୁଲ୍‌କୁ ସୁଧାରିଵା ପାଇଁ ତତ୍କାଳୀନ ସୋଭିଏତ୍ ୟୁନିଅନରୁ ଅଢ଼େଇ ଲକ୍ଷ ଚଟିଆ ପକ୍ଷୀ ଅଣାଇ ଚୀନରେ ଛାଡି଼ଥିଲେ ।‌ 

ଚୀନ ଦେଶର ଲୋକେ ଆମେରିକାର ଆଦିଵାସୀ ଲୋହିତ ଭାରତୀୟମାନଙ୍କ ଅପେକ୍ଷା ହୁଏତ ଅଧିକ ଉନ୍ନତି କରିଥାଇପାରନ୍ତି କିନ୍ତୁ ସେମାନେ ଲୋହିତ ଭାରତୀୟମାନଙ୍କ ପରି ନିଜ ପରଵର୍ତ୍ତୀ ପିଢ଼ିକୁ ଚଟିଆ,ଘରଚଟିଆର ସୁରକ୍ଷା ପାଇଁ ହୁଏତ କୌଣସି ଲୋକକଥା ଗଢ଼ି ନଥିଲେ । ସମ୍ଭଵତଃ ସେଥିପାଇଁ ଚୀନରେ ଲୋକେ ଆଜକୁ ଷାଠିଏ ଵର୍ଷ ତଳେ ଅମଣିଷ ଭଳି ଲକ୍ଷ ଲକ୍ଷ ଚଟିଆ ଆଦି ପକ୍ଷୀଙ୍କୁ ହତ୍ୟା କରିଥିଲେ ।

Saturday, March 18, 2023

ପଞ୍ଜାଵର ଆଞ୍ଚଳିକଵାଦ ଓ ଭିଣ୍ଡ୍ରେୱାଲେ

କୌଣସି ରାଷ୍ଟ୍ର ଵା ରାଜ୍ଯରେ ଆଞ୍ଚଳିକଵାଦ ଯେତେବେଳେ ବହୁତ ବଢିଯାଏ ତାହା ଆତଙ୍କଵାଦରେ ପରିଵର୍ତ୍ତିତ ହୋଇଯାଏ । ଡାଇବେଟିସକୁ ରସଗୋଲା ଖୁଆଇଲେ ସେ ରୋଗ ମଣିଷ ଦେହକୁ ପାରାଲିସିସ୍ କରିଦିଏ ଠିକ୍ ସେହିପରି ଆମ ଦେଶର ରାଜନୈତିକ ଦଳ 
ଆଞ୍ଚଳିକତାଵାଦୀଙ୍କୁ ପାଳି ଆତଙ୍କଵାଦୀରେ ପରିଵର୍ତ୍ତିତ କରିଦିଅନ୍ତି । ପଞ୍ଜାଵରେ ଅକାଳୀ ଦଳର ନାମଡାକ ବଢି଼ଲାରୁ କଂଗ୍ରେସ ଏତେ ଡରିଗଲା ଯେ ସେ ଅକାଳୀମାନଙ୍କୁ ପରାସ୍ତ କରିଵାର ପନ୍ଥା ଅନ୍ଵେଷଣରେ ଲାଗିପଡି଼ଲା । ସେତେବେଳେ ଅକାଳୀମାନଙ୍କର ଶକ୍ତି ଉତ୍ତରୋତ୍ତର ଵୃଦ୍ଧି ପାଇଵାରେ ଲାଗିଥିଲା ଏହା କଂଗ୍ରେସ ପାଇଁ ଗୋଟିଏ ବଡ଼ ସମସ୍ଯା ହୋଇଯାଇଥିଲା । 

କୁହାଯାଏ କଂଗ୍ରେସର ଜ୍ଞାନୀ ଜୈଲ୍ ସିଂହ ଓ ସଞ୍ଜୟ ଗାନ୍ଧୀ ଭଳି ବଡ଼ ନେତାଙ୍କ ପରୋକ୍ଷ ସମର୍ଥନରେ ଜଣେ କଠର ଶିଖ୍ ନେତାର ଉଦୟ ହେଲା । ସେ ଵ୍ଯକ୍ତି ଆଉ କେହି ନୁହେଁ ଦମଦମୀ ଟକସାଲ୍'ର ମୁଖ୍ୟ "ଜରନୈଲ୍ ସିଂହ ଭିଣ୍ଡ୍ରେୱାଲେ" ! କିଛି ଦିନ ତଳେ ବିଜେପିର ଜଣେ ନେତା ଭିଣ୍ଡ୍ରେୱାଲେକୁ ସନ୍ଥ ଅଭିହିତ କରିଥିଲେ ଏଵଂ ତାଙ୍କ ଭଳି ଆହୁରି ଅନେକ ଲୋକ ମଧ୍ୟ ଅଛନ୍ତି ଯୋଉମାନେ ସମାନ ଵିଚାର ପୋଷଣ କରନ୍ତି । ତେବେ ଭିଣ୍ଡ୍ରେୱାଲେର କାମ ସନ୍ଥ ଭଳି ଆଦୌ ନଥିଲା ‌। ପ୍ରକୃତ ସନାତନୀ ସନ୍ଥ କେବେ ହିନ୍ଦୁ ଶିଖ୍ ଭେଦଭାଵ କରନ୍ତି ନାହିଁ । 


କିନ୍ତୁ ଭିଣ୍ଡ୍ରେୱାଲେ ଯୋଗୁଁ ଶିଖ୍‌ମାନଙ୍କ ମଧ୍ୟରେ ଵିଚ୍ଛନ୍ନତାଵାଦର ଜନ୍ମ ହୋଇନଥିଲା ତାହା ତ ବହୁତ ପୂର୍ଵରୁ ତାଙ୍କ ମଧ୍ଯରେ ରହିଥିଲା ‌। ବିଂଶ ଶତାବ୍ଦୀର ପ୍ରାରମ୍ଭିକ କାଳରେ ବାମପନ୍ଥୀମାନଙ୍କ ଦ୍ଵାରା ପ୍ରଥମେ ଏହା ଆଧିକାରିକ ଭାବେ ପ୍ରକଟିତ ହୋଇଥିଲା । ଦ୍ଵିତୀୟ ଵିଶ୍ଵଯୁଦ୍ଧପରେ ଜଣେ ବଙ୍ଗାଳୀ ବଂଶୋଦ୍ଭଵ ପଞ୍ଜାବଵାସୀ ଵ୍ଯକ୍ତି ଗଙ୍ଗାଧର ଅଧିକାରୀ ଦ୍ଵାରା ପ୍ରଥମେ "ଶିଖ୍ ହୋମଲ୍ୟାଣ୍ଡ" ପାଇଁ ଦାବି କରାଯାଇଥିଲା । ଚର୍ଚ୍ଚିତ ପତ୍ରକାର ଓ ଲେଖକ ଖୁଶଵନ୍ତ ସିଂ ତାଙ୍କ ପୁସ୍ତକ "ଶିଖୋଂ କି ଇତିହାସ"ରେ ଲେଖିଛନ୍ତି "ଶିଖ୍‌ମାନଙ୍କର "ଅଲଗା ଦେଶ"ର ସ୍ଵପ୍ନ ଆରମ୍ଭରୁ ହିଁ ରହିଥିଲା । ଶିଖ୍ ମାନଙ୍କ ପ୍ରତ୍ୟହ ପ୍ରାର୍ଥନା ପରେ କରାଯାଉଥିଵା ଗୁରୁ ଗୋଵିନ୍ଦ ସିଂଙ୍କର ଉଦ୍ଘୋଷ "ରାଜ୍ କରେଗା ଖାଲସା" ସବୁବେଳେ ସେ ସ୍ଵପ୍ନକୁ ବଞ୍ଚାଇ ରଖିଥିଲା ।


୧୯୨୦ ମସିହାରେ ବ୍ରିଟିଶ ଶାସନକାଳରେ ଶିଖ୍‌ମାନଙ୍କର ଧାର୍ମିକ ସଂଗଠନର ରାଜନୈତିକ ପକ୍ଷ ଭାବରେ ଅକାଲୀ ଦଳ ଗଠନ କରାଯାଇଥିଲା । ଯେତେବେଳେ ସ୍ଵାଧୀନତା ପରେ ଭାଷା ଭିତ୍ତିରେ ରାଜ୍ୟଗୁଡି଼କର ପୁନର୍ଗଠନର ପ୍ରସ୍ତାଵ ରଖାଯାଇଥିଲା, ସେତେବେଳେ ଶିଖ୍‌ମାନଙ୍କ ପକ୍ଷରୁ ଶିଖ୍ ବହୁଳ ରାଷ୍ଟ୍ର ଗଠନ ପାଇଁ ଦାବି ହୋଇଥିଲା। କିନ୍ତୁ ତାଙ୍କର ଏହି ଦାବି ଏକ ଲୋକପ୍ରିୟ ଦାବି ନୁହେଁ ଏଵଂ କେଵଳ କିଛି ସଂସ୍ଥା ହିଁ ଏଭଳି ଦାବି କରୁଛନ୍ତି ବୋଲି ଦର୍ଶାଇ ଏହାକୁ ଅଗ୍ରାହ୍ୟ କରାଯାଇଥିଲା ।‌

ସେତେବେଳେ ଯେଉଁ ଶିଖ୍ ରାଜ୍ୟର ମାନଚିତ୍ର ସରକାରଙ୍କୁ ପ୍ରଦାନ କରାଯାଇଥିଲେ ସେଥିରେ ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ ଏଵଂ ରାଜଧାନୀ ଦିଲ୍ଲୀର ଵର୍ତ୍ତମାନର ଅଂଶ ମଧ୍ୟ ଥିଲା । ପ୍ରସ୍ତାଵିତ ସେହି ସମଗ୍ର ଭୂଭାଗରେ ଶିଖମାନଙ୍କ ସଂଖ୍ୟା ହିନ୍ଦୁମାନଙ୍କ ତୁଳନାରେ କମ୍ ଥିଲା। ଶିଖମାନେ ଵିଶ୍ୱାସ କରୁଥିଲେ ଯେ ପଞ୍ଜାଵର ସମ୍ବଳ ଉପରେ ପଞ୍ଜାଵର ପ୍ରଥମ ଅଧିକାର ରହିଛି। ଏଭଳି ପରିସ୍ଥିତିରେ ଦେଶରେ ନିର୍ମାଣ ହେଉଥିଵା ଡ୍ୟାମ୍ ଏଵଂ କେନାଲ ଉପରେ ସେମାନଙ୍କୁ ଅଧିକ ଅଧିକାର ଏବଂ ସ୍ଵାଧୀନତା ଦିଆଯିଵା ଉଚିତ୍।

୧୯୫୬ ମସିହାରେ ହିମାଚଳକୁ ଏକ କେନ୍ଦ୍ରଶାସିତ ଅଞ୍ଚଳ ଭାବରେ ଘୋଷଣା କରାଯାଇଥିଲା କିନ୍ତୁ ପଞ୍ଜାଵକୁ ଏକ ପୃଥକ ରାଜ୍ୟ ଭାବରେ ଘୋଷଣା କରିଵାକୁ କେନ୍ଦ୍ର ସରକାରଙ୍କୁ ଆ‌ହୁରି ୧୦ ବର୍ଷ ସମୟ ଲାଗିଥିଲା। ୧୯୬୫ରେ ଭାରତ-ପାକିସ୍ଥାନ ଯୁଦ୍ଧ ପରେ ପଞ୍ଜାଵ ଏଵଂ ହରିୟାଣା ଗଠନ କରାଯାଇଥିଲା। ଅଲଗା ଅଲଗା ରାଜ୍ୟ ପାଇଁ ଶିଖ୍‌ମାନଙ୍କର ଦୀର୍ଘ ଦିନର ଆଶା ପୂରଣ ହେଲା। ସେତେବେଳେ ଯେହେତୁ ଧର୍ମ ଆଧାରରେ ନୁହେଁ, ଭାଷା ଆଧାରରେ ପଞ୍ଜାଵ ଗଠନ ପାଇଁ ଅକାଳୀ ଦଳ ଏହି ଦାବି କରିଥିଲେ ତେଣୁ କେନ୍ଦ୍ର ସରକାର ତାଙ୍କ ଦାବିକୁ ଗ୍ରହଣ କରିଥିଲେ। ଏହି ଆଂଶିକ ସଫଳତା ସିଖ୍ କଠୋରପନ୍ଥୀମାନଙ୍କ ମନରେ ସ୍ଵତନ୍ତ୍ର ଶିଖ୍ ଦେଶ ଗଠନ କରିଵାର ଆଶା ସଞ୍ଚାର କରିଥିଲା । ୧୯୬୫ ପରେ ପଞ୍ଜାଵର ପ୍ରଵାସୀମାନେ ଵିଦେଶ ଯାଇଥିଲେ (ବ୍ରିଟେନ, କାନାଡା ଏଵଂ ଆମେରିକା) ଏଵଂ ଵିଦେଶ ଭୂମିରେ ୧୯୭୦ରେ ଖାଲିସ୍ତାନ ଆନ୍ଦୋଳନ ଆରମ୍ଭ ହୋଇଥିଲା |  

"ଜଗଜିତ୍ ସିଂ ଚୌହାନ" ପରି କିଛି ନେତା ଖାଲିସ୍ତାନକୁ ଵିଦେଶୀ ମାଟିରେ ପୃଥକ ଦେଶ ଭାବରେ ଘୋଷଣା କରିଵା ସହ ସେଠାରେ ସେହି ସ୍ଵଘୋଷିତ ଦେଶର ମାନଚିତ୍ର,ମୁଦ୍ରା,ପତକା ମଧ୍ୟ ପ୍ରଚଳନ କରିଥିଲେ। କିନ୍ତୁ ସେ ପର୍ଯ୍ୟନ୍ତ ଅକାଳୀ ଦଳ ଖାଲିସ୍ତାନ ଦାବି ସମର୍ଥନ କରିନଥିଲା । ଅକାଳୀ ଦଳ ସ୍ଵାଧୀନତା ଚାହୁଁଥିଲା କିନ୍ତୁ ଅଲଗା ଦେଶ ଦାବି କରିନଥିଲେ। ଶେଷରେ 
୧୯୭୩ ଓ ୧୯୭୮ରେ ଅକାଳୀ ଦଳ ଦ୍ଵାରା "ଆନନ୍ଦପୁର ସାହିବ୍"ରେ "ଅଲଗା ଶିଖ୍ ରାଜ୍ୟ" ସମେତ ଆହୁରି ଅନେକ ପ୍ରସ୍ତାଵ ଅନୁମୋଦନ କରାଯାଇଥିଲା ।

୧୯୭୩ରେ ଆନନ୍ଦପୁର ସାହିବରେ ଅନୁମୋଦିତ ହୋଇଥିଵା ଏହି ସଂକଳ୍ପକୁ ସମସ୍ତେ ଭୁଲି ଯାଇଥିଲେ, କିନ୍ତୁ ୧୯୮୨ ମସିହାରେ ଜର୍ଣ୍ଣେଲ ସିଂ ଭଣ୍ଡ୍ରେୱାଲା ଏହାକୁ ପୁନର୍ଵାର ଚର୍ଚ୍ଚାକୁ ଅଣାଇଦେଇଥିଲା । 


ଭିଣ୍ଡ୍ରେୱାଲେ ଗୋଟିଏ ଦରିଦ୍ର ଜାଟ୍ ପରିଵାରରେ ଜନ୍ମ ହୋଇଥିଲା ଓ ଛୋଟବେଳୁ ସେ ଓ ତା ଜାତି ପଞ୍ଜାଵରେ କାହିଁକି ଏତେ ଗରିବ ସେହି କଥା ତା ମନକୁ ଆନ୍ଦୋଳିତ କରିଥିଲା । ମାତ୍ର ସାତ ଵର୍ଷ ଵୟସରେ ତାକୁ ତାହାର ମାତାପିତା ଦମ୍‌ଦମୀ ଟକସାଲକୁ ସମର୍ପଣ କରିଦେଇଥିଲେ । ସେହି ବାଳକ ଅଵସ୍ଥାରୁ ସେ ଶିଖ୍ ଧର୍ମ ସମ୍ବନ୍ଧିତ ଜ୍ଞାନ ଅର୍ଜନ କରିଵାକୁ ଲାଗିଲା । ଅଳ୍ପଦିନ ମଧ୍ୟରେ ସେ ସବୁ ଵୟୋଵୃଦ୍ଧ ଶିଖ୍‌ଗୁରୁମାନଙ୍କର ପ୍ରିୟ ହୋଇଯାଇଥିଲା । ତାହାର କଠରପଣ , ରୋକଠୋକ୍ କଥା କହିଦେଵାର ପ୍ରଵୃତ୍ତି ଓ ହିଂସ୍ରସ୍ଵଭାଵ ଶିଖ୍‌ମାନଙ୍କୁ ଆକର୍ଷିତ କରୁଥିଲା । 

୧୯୭୭ରେ ଜରନୈଲ୍ ସିଂହ ଭିଣ୍ଡ୍ରେୱାଲେକୁ ଦମ୍‌ଦମୀ ଟକସାଲ୍'ର ଅଧ୍ୟକ୍ଷ ଚୟନ କରାଗଲାପରେ ତାହାର ରାଜନୈତିକ ଓ ସାମାଜିକ ଶକ୍ତି ଅଧିକ ହୋଇଗଲା । ସେତେବେଳକୁ ନିରଙ୍କାରୀମାନଙ୍କ ସହ ଦମଦମୀ ଟକସାଲ ସମର୍ଥକମାନଙ୍କର ସିଧାସଳଖ ଵିଵାଦ ହୋଇଥିଲା। ଶିଖମାନେ ପାରମ୍ପାରିକ ଭାବରେ ଵିଶ୍ଵାସ କରନ୍ତି ଯେ ଗୁରୁ ଗ୍ରନ୍ଥ ସାହିବ ହେଉଛି ଏକାଦଶ ତଥା ଶେଷ ଗୁରୁ ଯିଏ ଅନନ୍ତକାଳ ପାଇଁ ରହିବେ। ଗୁରୁ ଗୋଵିନ୍ଦ ସିଂଙ୍କ ପରେ ଅନ୍ୟ କେହି ଗୁରୁ ପଦ ଗ୍ରହଣ କରିପାରିବେ ନାହିଁ। ନିରଙ୍କରୀ ଶିଖ୍‌ମାନେ ଏଥିରେ ଵିଶ୍ୱାସ କରନ୍ତି ନାହିଁ |

କଥା ବେଶି ବିଗିଡ଼ି ଶେଷକୁ ୧୯୭୮ ମସିହାରେ ଵୈଶାଖୀ ଦିନ ଶିଖ୍ ଓ ନିରଙ୍କାରୀ ଶିଖ୍‌ଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଫଳତଃ ତେର ଜଣ ନିରଙ୍କାରୀ ପ୍ରାଣ ହରାଇଲେ ଏଵଂ ଏହା ପରେ ପଞ୍ଜାଵ ସବୁଦିନ ପାଇଁ ବଦଳିଗଲା । 

ତେବେ ଦମଦମୀ ଟକସାଲ୍'ର ଅଧ୍ୟକ୍ଷ ହେଲାପରେ ଭିଣ୍ଡ୍ରେୱାଲେ ଅଘୋଷିତ ରାଜା ଭଳି ସମ୍ପୂର୍ଣ୍ଣ ପଞ୍ଜାବ ଉପରେ ଶାସନ କରିଵାକୁ ଲାଗିଲା । ପଞ୍ଜାବରେ ହିନ୍ଦୁ ଓ ସିଖ୍ ଭିନ୍ନ ଭିନ୍ନ ଜାତି ଓ ହିନ୍ଦୁମାନଙ୍କୁ ଅତ୍ଯାଚାରୀ ବୋଲି ଭିଣ୍ଡ୍ରେୱାଲେ ନିଜର ଵିଭିନ୍ନ ଭାଷଣରେ ପ୍ରଚାର କଲା ।

 ଭିଣ୍ଡ୍ରେୱାଲେ ଠିକ୍ ହିଟଲର୍ ଭଳି ଶିଖ୍ ମାନଙ୍କୁ ନିଶା ଓ ମାଂସଠାରୁ ଦୂରେଇ ରହିଵାକୁ ନିର୍ଦ୍ଦେଶ ଦେଇଥିଲା । ତାହାର ଦ୍ଵେଷପୂର୍ଣ୍ଣ ଭାଷଣ ଯୋଗୁଁ ପଞ୍ଜାବରେ ଜାତିଗତ ହିଂସା ଵୃଦ୍ଧିପାଇଵାରେ ଲାଗିଲା ଓ ପ୍ରତିଦିନ କେଉଁଠି ନା କେଉଁଠି ସାମ୍ପ୍ରଦାୟିକ ହିଂସାକାଣ୍ଡ ସୃଷ୍ଟି ହେଉଥିଲା । ହିନ୍ଦୁମାନଙ୍କ ଘର ଜଳାଇଵା ସେମାନଙ୍କୁ ବାଟରେ ଗୁଳିମାରି ହତ୍ଯା କରିଵା ,ଗାଈ କାଟିଵା ଓ ଗୋମାଂସ ମନ୍ଦିର ମଧ୍ୟରେ ପକାଇଵା ଆଦି ଅନେକ ନୃଶଂସ କୃତ୍ଯ ଭିଣ୍ଡ୍ରେୱାଲେ ସମର୍ଥକ ଘଟାଇଥିଲେ । ଭିଣ୍ଡ୍ରେୱାଲେ ନିଜ ଭାଷଣରେ ହିନ୍ଦୁମାନଙ୍କୁ "ଟୋପିଵାଲା" କହୁଥିଲା ଏଵଂ ଏହା ତାହାର ହିନ୍ଦୁମାନଙ୍କ ପ୍ରତି ସାଙ୍କେତିକ ଆକ୍ଷେପ ଥିଲା ।

 ୧୯୮୦ରେ "ପଞ୍ଜାବ କେଶରୀ" ଦ୍ଵାରା ହିନ୍ଦୀ-ପଞ୍ଜାବୀ ଭାଷାଵିଵାଦ ସୃଷ୍ଟି ହେଲା । ପଞ୍ଜାବ କେଶରୀ ମାଧ୍ୟମରେ ବାରମ୍ବାର ହିନ୍ଦୀକୁ ମାତୃଭାଷା ଭାବେ ଵ୍ଯଵହାର କରିଵା ପାଇଁ ପଞ୍ଜାବୀମାନଙ୍କ ଉପରେ ଚାପପ୍ରୟୋଗ କରାଯାଉଥିଲା । କିନ୍ତୁ ଯେତେବେଳେ ପଞ୍ଜାବ କେଶରୀ ଭିଣ୍ଡ୍ରେୱାଲେ ଵିପକ୍ଷରେ ଲେଖିଵା ଆରମ୍ଭ କଲା ସେତେବେଳେ ସେ ନିଜର ସମର୍ଥକଙ୍କ ଦ୍ଵାରା ଏହି ସମ୍ବାଦପତ୍ରର ମୁଖିଆ ଲାଲା ଜଗତ ନାରାୟଣଙ୍କୁ କାର୍‌ରେ ଯାଉଥିଵା ସମୟରେ ମରେଇ ଦେଇଥିଲା । 


ଏହି ହତ୍ୟାକାଣ୍ଡ ପରେ ପୋଲିସ ଭିଣ୍ଡରାଵାଲେକୁ ଦୋଷୀ ଜାଣି ବି ବାନ୍ଧିପାରିନଥିଲା କାରଣ ସେତେବେଳକୁ ସେ ହିଁ ପଞ୍ଜାବର ସର୍ଵେସର୍ଵା ହୋଇଯାଇଥିଲା । କିଛି ଦିନ ପରେ ସ୍ଵୟଂ ଭିଣ୍ଡ୍ରେୱାଲେ ପୋଲିସକୁ ଆସି ତାକୁ ଗିରଫ କରିଵାକୁ ରାଜା ଭଳି ଆଦେଶ ଦେଇଥିଲା । ଗିରଫ ହେଲା ପରେ ବି ତା ଵିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ କାରଣ କଂଗ୍ରେସର ହାତ ସେତେବେଳେ ଭିଣ୍ଡ୍ରେୱାଲେ ସହିତ ରହିଥିଲା ।

ହିନ୍ଦୀ-ପଞ୍ଜାବୀ ଵିଵାଦରେ ପଞ୍ଜାଵ କେଶରୀର ମାଲିକକୁ ହତ୍ୟା ମାମଲାରେ ଭିଣ୍ଡ୍ରେୱାଲେକୁ ପୋଲିସ ଗିରଫ କରିଥିଲା । ଭିଣ୍ଡ୍ରେୱାଲେ ଗିରଫ ହେଵା ଯୋଗୁଁ ତାହାର ସମର୍ଥକମାନେ ପାଗଳ ହୋଇଗଲେ ଏଵଂ ଯେକୌଣସି ଉପାୟରେ ତାକୁ ମୁକଳେଇଵାକୁ ଆପ୍ରାଣ ଉଦ୍ୟମ କଲେ । ୧୯୭୮ ମସିହାରୁ ଗଠିତ ହୋଇସାରିଥିଵା ଶିଖ୍ ଆତଙ୍କଵାଦୀ ସଂଗଠନ "ଦଳ ଖାଲସା" ନେତୃତ୍ୱରେ ପାଞ୍ଚଜଣ ଶିଖ୍ ଆତଙ୍କଵାଦୀ ୨୯ ସେପ୍ଟେମ୍ବର ୧୯୮୧ ମସିହାରେ ଇଣ୍ଡିଆନ ଏୟାରଲାଇନ୍ସର ଫ୍ଲାଇଟ୍ ୪୨୩କୁ ହାଇଜ୍ୟାକ୍ କରିନେଇ ପାକିସ୍ତାନର ଲାହୋର ଵିମାନବନ୍ଦରରେ ରଖିଦେଇଥିଲେ । ଶିଖ୍ ଆତଙ୍କଵାଦୀମାନଙ୍କର ଦାବି ଥିଲା ଜରନୈଲ ସିଂ ଭିଣ୍ଡ୍ରେୱାଲେର ଜେଲ୍‌ରୁ ମୁକ୍ତି ତଥା ପାଞ୍ଚ ଲକ୍ଷ ଡଲାର ଟଙ୍କା । ସେତେବେଳେ ସେହି ଉଡ଼ାଜାହଜରେ ୧୧୧ଜଣ ଯାତ୍ରୀ ଓ ଛଅଜଣ କର୍ମଚାରୀ ଥିଲେ । ଅଵଶ୍ୟ ଏହି ଯୋଜନାରେ ଶିଖ୍ ଆତଙ୍କଵାଦୀମାନେ ସଫଳ ହୋଇପାରିନଥିଲେ ଏଵଂ ପାକିସ୍ତାନରେ ଆଜୀଵନ କାରାଵରଣ ଦଣ୍ଡ ଭୋଗିଲେ(ଅକ୍ଷୟ କୁମାରର ଏକ ମହିମାମଣ୍ଡନ ଚଳଚ୍ଚିତ୍ରରେ ଓଲଟା ଏହାକୁ ପାକିସ୍ତାନୀ ଆତଙ୍କଵାଦୀଙ୍କ କାର୍ଯ୍ୟକଳାପ ବୋଲି ଦର୍ଶାଯାଇଛି) । 

ସେ ଯାହା ହେଉ ରାଜ୍ୟ ତଥା ଦେଶରେ ଭିଣ୍ଡ୍ରେୱାଲେ ଗିରଫ ହେଵାକୁ ନେଇ ଶିଖ୍‌ମାନଙ୍କ ଦ୍ଵାରା ଉଗ୍ର ଵିରୋଧକୁ ଦୃଷ୍ଟିରେ କିଛି ଦିନ ପରେ ତାକୁ ମୁକ୍ତ କରାଯାଇଥିଲା। 
 କିନ୍ତୁ ଏହି ଘଟଣା ପରେ ଶିଖ୍ ରାଜନୀତିରେ ହଠାତ୍ ଭିଣ୍ଡ୍ରେୱାଲେର ପ୍ରତିପତ୍ତି ବଢି଼ଯାଇଥିଲା । ଆମ ଦେଶରେ ଅପରାଧୀମାନେ ଜିଅଲ ଗଲାପରେ ପରେ ସେମାନଙ୍କ ନାଆଁ ପ୍ରତିଷ୍ଠା ବଢ଼ିଯାଏ ତେଣୁ ଭିଣ୍ଡ୍ରେୱାଲେ ମଧ୍ୟ ଲୋକପ୍ରିୟତା ଲାଭ କଲା ଓ ତାହାର କଠୋର ଅନୁଗାମୀମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଲା | ଏହି ପରିପ୍ରେକ୍ଷୀରେ, ଥରେ ଭୀନ୍ଦ୍ରନୱାଲ ଅନୌପଚାରିକ ଭାବରେ ଏହି ଜେଲ୍ ଯିଵା ଵିଷୟରେ ମତ ଦେଇଥିଲା “ମୁଁ ଯେଉଁ କାମ ବହୁ ଵର୍ଷ ଚେଷ୍ଟା କରି ମଧ୍ୟ କରି ପାରି ନଥିଲି ତାହା ସେଇ ଦୁଇ ଦିନ ଜେଲରେ ରହିଵା ଦ୍ୱାରା ସହଜରେ ହୋଇପାରିଥିଲା । 

 ୧୯୮୨ ମସିହାରେ, ଭିଣ୍ଡ୍ରେୱାଲେ ଓ ଅକାଳୀ ଦଳର ଲୋକଙ୍କ ମଧ୍ୟରେ ମିଳିତ ଭାବରେ କାର୍ଯ୍ୟ କରିଵାକୁ ଏକ ଚୁକ୍ତିନାମା ହୋଇଥିଲା । ଅକାଳୀ ଦଳର ସନ୍ଥ ହରଚାନ୍ଦ ସିଂ ଲଙ୍ଗୋୱାଲ ଓ ଭିଣ୍ଡ୍ରେୱାଲେଙ୍କ ମଧ୍ୟରେ ଚୁକ୍ତି ପରେ ଧର୍ମଗୁରୁ ମୋର୍ଚ୍ଚା ଆରମ୍ଭ ହୋଇଥିଲା। ଯାହାର ମୂଳ ଉଦ୍ଦେଶ୍ୟ ଥିଲା ୧୯୭୩ର ଆନନ୍ଦପୁର ସାହେବ ରିଜୋଲ୍ୟୁସନର ଦାବି ପୂରଣ କରିଵା । 
ଏହି ରାଜନୈତିକ ଚୁକ୍ତି ହୋଇଗଲା ପରେ ଶିଖ୍‌ମାନେ ୧୯୮୨ମସିହାରେ ଦିଲ୍ଲୀରେ ଆୟୋଜିତ ହେଵାକୁ ଥିଵା ନଵମ ଏସୀୟ ଖେଳକୁ ଵ୍ୟାହତ କରିଵାର ଯୋଜନା ରଖିଥିଲେ । ଫଳତଃ ପଞ୍ଜାଵରୁ ହରିୟାଣା ଓ ଦିଲ୍ଲୀ ଅଭିମୁଖେ ଆସୁଥିଵା ସମସ୍ତ ଶିଖମାନଙ୍କର ଗାଡ଼ି,ଦରଵ ଓ ଅଙ୍ଗ ଵସ୍ତ୍ରାଦିକୁ ନିରୀକ୍ଷଣ କରି ଛଡ଼ା ଯାଉଥିଲା । କିଛି ଅଵସରପ୍ରାପ୍ତ ଶିଖ୍ ସେନା ଅଧିକାରୀ ମଧ୍ୟ ଏଥିର ଶିକାର ହେଆଥିଲା। ଏଥିଯୋଗୁଁ ଶିଖମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । 

ଏଣେ ଭିଣ୍ଡ୍ରେୱାଲେର ଦ୍ଵେଷପୂର୍ଣ୍ଣ ଭାଷଣ ଯୋଗୁଁ ପଞ୍ଜାବରେ ଜାତିଗତ ହିଂସା ଵୃଦ୍ଧିପାଇଵାରେ ଲାଗିଲା ଓ ପ୍ରତିଦିନ କେଉଁଠି ନା କେଉଁଠି ସାମ୍ପ୍ରଦାୟିକ ହିଂସାକାଣ୍ଡ ସୃଷ୍ଟି ହେଉଥିଲା । ହିନ୍ଦୁମାନଙ୍କ ଘର ଜଳାଇଵା ସେମାନଙ୍କୁ ବାଟରେ ଗୁଳିମାରି ହତ୍ଯା କରିଵା ଇତ୍ୟାଦି କୁକାର୍ଯ୍ୟ ହେଵାକୁ ଲାଗିଲା ।‌

ସେତେବେଳକୁ ଭିଣ୍ଡ୍ରେୱାଲେ ,କଂଗ୍ରେସ ହାତରୁ ସମ୍ପୂର୍ଣ୍ଣ ଭାବରେ ଚାଲିଗଲାରୁ ରାଜ୍ୟରେ କ୍ଷମତାରେ ଥିଵା କଂଗ୍ରେସ ସରକାର ଏହି ଶିଖ୍ ଆନ୍ଦୋଳନକୁ ରୋକିବା ପାଇଁ କଠିନ ଚେଷ୍ଟା କରିଥିଲା। ଫଳରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟି ପ୍ରାୟ ୧୦୦ ଲୋକ ପ୍ରାଣ ହରାଇଥିଲେ ଏଵଂ ପ୍ରାୟ ୩୦ ହଜାର ଲୋକଙ୍କୁ ଗିରଫ କରାଯାଇଥିଲା।

୧୯୮୩ ମସିହା ବେଳକୁ ସମସ୍ୟା ଆହୁରି ଗୁରୁତର ହେଵାକୁ ଲାଗିଥିଲା । କିଛି ପୋଲିସ ଅଧିକାରୀ ଏହି ଆନ୍ଦୋଳନକୁ ପ୍ରତିହତ କରିଵାକୁ ଯାଇ ଅତ୍ୟାଚାରର ଶିକାର ମଧ୍ୟ ହୋଇଥିଲେ । ସେହିଵର୍ଷ ତଥାକଥିତ ଧର୍ମଯୁଦ୍ଧ ମୋର୍ଚ୍ଚା ଵିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଵି ଆଇପିଏସ୍ ଅଧିକାରୀ ଶ୍ରୀ ଏ.ଏସ୍. ଅଟୱାଲଙ୍କୁ ସ୍ଵର୍ଣ୍ଣ ମନ୍ଦିର ପାହାଚ ନିକଟରେ ହତ୍ୟା କରାଯାଇଥିଲା। ପୋଲିସମାନଙ୍କ ମଧ୍ୟରେ ଭଣ୍ଡ୍ରେୱାଲେକୁ ନେଇ ଏତେ ଭୟ ସୃଷ୍ଟି ହୋଇଥିଲା ଯେ କୌଣସି ପୋଲିସ କର୍ମଚାରୀ ଶ୍ରୀ ଅଟୱାଲଙ୍କ ଶଵକୁ ସେଠାରୁ ନେଵାକୁ ସହଜରେ ରାଜି ହୋଇନଥିଲେ । ପ୍ରାୟ ତିନି ଚାରି ଘଣ୍ଟା ପର୍ଯ୍ୟନ୍ତ ଆପଇଏସ ଅଧିକାରୀଙ୍କ ଶଵ ସେହି ମନ୍ଦିର ପାହାଚ ନିକଟରେ ସ୍ଥିର ହୋଇ ପଡ଼ିରହିଥିଲା ।

ଏହି ହତ୍ୟାକାଣ୍ଡ ଯୋଗୁଁ ହିନ୍ଦୁ ଓ ଶିଖ୍‌ମାନଙ୍କ ମଧ୍ୟରେ ସାମ୍ପ୍ରଦାୟିକ ଵିଵାଦ ଭୀଷଣ ରୂପ ଧାରଣ କଲା । ଅକ୍ଟୋବର ୧୯୮୩ରେ ବସ୍‌ରେ ଯାତ୍ରା କରୁଥିଵା ହିନ୍ଦୁଲୋକଙ୍କ ଉପରେ ଶିଖ୍ ଆତଙ୍କଵାଦୀମାନେ ଆକ୍ରମଣ କରିଵାରୁ ଛଅଜଣ ହିନ୍ଦୁ ମୃତ୍ୟୁଵରଣ କରିଥିଲେ । ସମସ୍ୟା ଅତି ଉତ୍କଟ ହେଵା ଦେଖି କଂଗ୍ରେସ ସରକାର ପଞ୍ଜାଵରେ ରାଷ୍ଟ୍ରପତି ଶାସନ ଲଗାଇଦେଲା ଏଵଂ ତତ୍କାଳୀନ ପଞ୍ଜାଵ ମୁଖ୍ୟମନ୍ତ୍ରୀ ଦରବାରା ସିଂଙ୍କ ନେତୃତ୍ଵାଧୀନ ସରକାରକୁ ଭାଙ୍ଗିଦିଆଗଲା ।‌


ଏହାର କେତେକ ଦିନ ପରେ ଭିଣ୍ଡ୍ରେୱାଲେ ଓ ତାହାର ସମର୍ଥକମାନେ ହରମନ୍ଦର ସାହେବ କମ୍ପ୍ଲେକ୍ସ ଭିତରେ ଅସ୍ତ୍ର ସଂଗ୍ରହ କରିଵା ଆରମ୍ଭ କରିଦେଲେ ଏଵଂ ସେଠାରେ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଆସି ଠୁଳ ହେଵାକୁ ଲାଗିଲା । ଡିସେମ୍ବର ୧୫, ୧୯୮୩ରେ, ଭଣ୍ଡ୍ରେୱାଲେ ଓ ତାହାର ସମର୍ଥକମାନେ ଅକାଲ ତାଖତ୍‌କୁ ନିଜ ଅକ୍ତିଆରକୁ ନେଇଗଲେ ।

ଶ୍ରୀମତି ଇନ୍ଦିରା ଗାନ୍ଧୀ, ଭିଣ୍ଡ୍ରେୱାଲେ ସମ୍ମୁଖରେ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ। ଅକାଳୀ ଦଳ ସେତେବେଳେ ସରକାରଙ୍କ ପ୍ରସ୍ତାଵକୁ ଗ୍ରହଣ କରିନେଇଥିଲା କିନ୍ତୁ ଭିଣ୍ଡ୍ରେୱାଲେ ଏହାକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଦେଇଥିଲା। ରାଜନୈତିକ କ୍ଷମତା ଲାଭ କରିଵା ପାଇଁ ଅକାଳୀଦଳ ପ୍ରସ୍ତାଵ ଗ୍ରହଣ କରୁଛି ବୋଲି ଆକ୍ଷେପ କରିଵା ସହିତ ଭିଣ୍ଡ୍ରେୱାଲେ ଏଥିପାଇଁ ଭାରତ ସରକାରଙ୍କ ପ୍ରସ୍ତାଵକୁ ଗ୍ରହଣ କରୁନାହିଁ ବୋଲି ସ୍ପଷ୍ଟ ଭାବରେ ଜଣାଇ ଦେଲା ।

 ହିନ୍ଦୁ ଓ ଶିଖମାନଙ୍କ ମଧ୍ୟରେ ବଢ଼ୁଥିଵା ଵିଵାଦ ତଥା ଜନସାଧାରଣ ,ମନ୍ଦିର ଓ ଗୁରୁଦ୍ୱାରା ଉପରେ ଆକ୍ରମଣ ଦେଖି ସମଗ୍ର ପଞ୍ଜାବରେ ଜୁନ୍ ୧, ୧୯୮୪ରେ କର୍ଫ୍ୟୁ ଲାଗୁ କରାଯାଇଥିଲା। ଅପରେସନ୍ ବ୍ଲୁ ଷ୍ଟାରର ପାଞ୍ଚ ମାସ ପୂର୍ଵରୁ ପ୍ରାୟ ୩୦୦ ଲୋକ ପ୍ରାଣ ହରାଇଥିଲେ। ତେଣୁ ଭାରତ ସରକାର ଏକ ବଡ଼ ପଦକ୍ଷେପ ନେଵା ପୂର୍ଵରୁ ପଞ୍ଜାଵକୁ ଆସିଵା ଏଵଂ ଯିଵା ଉପରେ ପ୍ରତିବନ୍ଧକ ଲଗାଇଥିଲେ। ପଞ୍ଜାଵ ଦ୍ଵାରା ସଂଯୁକ୍ତ ରେଳ, ବାୟୁ ଓ ସଡ଼କ ପଦକୁ ସମ୍ପୁର୍ଣ୍ଣ ଭାବେ ବନ୍ଦ କରିଦିଆଗଲା । ଟେଲିଫୋନ,ଟେଲିଗ୍ରାମ୍ ଓ ଚିଠି ଦ୍ଵାରା କୌଣସି ପ୍ରକାରର ଵାର୍ତ୍ତା ପଠାଇଵା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ପଞ୍ଜାଵକୁ ଭାରତୀୟ ସେନା ନିଜ ନିୟନ୍ତ୍ରଣକୁ ନେଇଥିଲା ଏଵଂ ସାମ୍ବାଦିକମାନଙ୍କୁ ମଧ୍ୟ ଅମୃତସର ଛାଡିଦେଵାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଥିଲା। କର୍ଫ୍ୟୁ ଲଗାଇଵା ସହିତ ଜୁନ୍ ୧ରେ ଶ୍ରୀମତି ଇନ୍ଦିରା ଗାନ୍ଧୀ ରେଡିଓରେ ନିଜର ଭାଷଣ ଦେଇ ଆଲୋଚନା ପାଇଁ ସବୁବେଳେ ସେ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ।

ଜୁନ୍ ୩ରେ ପଞ୍ଚମ ଶିଖ ଗୁରୁଙ୍କ ଶହୀଦ ଦିଵସ, ତେଣୁ ସେହି ଦିନ ଅନ୍ୟଦିନ ଅପେକ୍ଷା ସ୍ଵର୍ଣ୍ଣ ମନ୍ଦିରରେ ଭିଡ଼ ଅଧିକ ଥିଲା । ପୋଲିସ ଏଵଂ ସରକାରୀ ତନ୍ତ୍ରଦ୍ଵାରା ଲୋକମାନଙ୍କୁ ସ୍ଵର୍ଣ୍ଣମନ୍ଦିରରୁ ବାହାରି ଯିଵାକୁ ନିର୍ଦ୍ଦେଶ ଦିଆଯାଇଥିଲା କିନ୍ତୁ ଭିଣ୍ଡ୍ରେୱାଲେ ଓ ତାହାର ସମର୍ଥକମାନେ ସାଧାରଣ ଜନତାମାନଙ୍କୁ ମନ୍ଦିର ପରିସରରୁ ବାହାରକୁ ଯିଵାକୁ ଦେଇ ନଥିଲେ। ବୋଧହୁଏ ସେମାନଙ୍କ ଉଦ୍ଦେଶ୍ୟ କୌଣସି ପ୍ରକାରର ସମସ୍ୟା ଉତ୍ପନ୍ନ ହେଲେ ଏହି ଲୋକମାନଙ୍କୁ ଢାଲ ଭାଵରେ ଵ୍ୟଵହାର କରିଵା ତେଣୁ ସ୍ଵର୍ଣ୍ଣମନ୍ଦିରରେ ଅନେକ ଲୋକ ବନ୍ଦୀ ହୋଇରହିଲେ । 

ଅସ୍ତ୍ରଶସ୍ତ୍ର ଵ୍ୟଵହାର କରିଵା ଏଵଂ ସାମରିକ ଵାହିନୀର ମୁକାବିଲା ପାଇଁ ଭିଣ୍ଡ୍ରେୱାଲେର ସମର୍ଥକମାନେ ତାଲିମ ପାଇଥିଲେ। ଭିଣ୍ଡ୍ରେୱାଲେର ଅନ୍ୟତମ ସମର୍ଥକ ଶାହବେଗ ସିଂ ବାଂଲାଦେଶର ମୁକ୍ତି ଵାହିନୀର ଲୋକଙ୍କୁ ପାକିସ୍ତାନୀ ସେନାର ମୁକାବିଲା ପାଇଁ ତାଲିମ ଦେଇଥିଲା। ଏଣୁ ଶାହବେଗ ସେହି ଅଭିଜ୍ଞତାକୁ ଭିଣ୍ଡ୍ରେୱାଲେର ସମର୍ଥକମାନଙ୍କୁ ତାଲିମ ଦେଵା ପାଇଁ ଉପଯୋଗ କରିଥିଲା।


ମେଜର ଜେନେରାଲ ଶ୍ରୀକୁଲଦୀପ ସିଂ ବରାରଙ୍କୁ ଅପରେସନ୍ ବ୍ଲୁ ଷ୍ଟାରର ନେତୃତ୍ୱ ଦିଆଯାଇଥିଲା । ଉଭୟ ପକ୍ଷ ମଧ୍ୟରେ ମୁଖ୍ୟ ଯୁଦ୍ଧ ୫ ଜୁନ୍ ସନ୍ଧ୍ୟାରେ ଆରମ୍ଭ ହୋଇଥିଲା । ହରମିନ୍ଦର ସାହିବଙ୍କୁ ଯେମିତି କୌଣସି ପ୍ରକାରେ କ୍ଷତି ନହୁଏ ସେଥିପ୍ରତି ଧ୍ୟାନ ରଖିଵାକୁ ସେନାକୁ ପୂର୍ଵରୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ପ୍ରଥମେ ପ୍ରଥମେ ସେନାକୁ କୌଣସି ଧାରଣା ନଥିଲା ଯେ ଆତଙ୍କଵାଦୀଙ୍କ ପାଖରେ ଆଧୁନିକ ଅସ୍ତ୍ରଶସ୍ତ୍ର ରହିଛି। ଆତଙ୍କଵାଦୀମାନଙ୍କ ପାଖରେ ଆଣ୍ଟି ଟ୍ୟାଙ୍କ ଗନ୍, ରକେଟ୍ ଲଞ୍ଚର୍, ମେସିନ୍ ଗନ୍ ଥିଲା ଏଵଂ ସେମାନଙ୍କୁ ସୁରକ୍ଷିତ ଓ ଉପଯୁକ୍ତ ସ୍ଥାନରେ ମୁତାୟନ କରାଯାଇଥିଲା । 

ଆରମ୍ଭରେ ଯେତେବେଳେ ବହୁ ସଂଖ୍ୟକ ସୈନିକ ଆହତ ହେଲେ, ମେଜର ଜେନେରାଲ ଶ୍ରୀବରାର ତାଙ୍କର ରଣନୀତି ବଦଳାଇ ଆକାଳୀ ତଖ୍ତ୍ ଉପରେ ଆକ୍ରମଣ କରିଵାକୁ ଟ୍ୟାଙ୍କର୍ ମଗାଇଥିଲେ। ଏହି ଟାଙ୍କ୍ୟଗୁଡି଼କ ଦ୍ଵାରା ରାତିରେ ଆଲୋକ ଵ୍ୟଵସ୍ଥା କରି ଭିଣ୍ଡ୍ରେୱାଲେ ଓ ତା’ ସମର୍ଥକମାନଙ୍କୁ ଟାର୍ଗେଟ କରିଵା ପାଇଁ ଵ୍ୟଵହୃତ ହେଲା, କିନ୍ତୁ ଯେତେବେଳେ ଏହା କାମ ଦେଇନଥିଲା, ସେତେବେଳେ ଅକାଲ୍ ତଖ୍ତ୍ ଉପରେ ଟ୍ୟାକ୍ ଦ୍ଵାରା ଗୋଳାଵରରଷଣ କରାଯାଇଥିଲା ଫଳରେ ଏହି ଭୀଷଣ ଆକ୍ରମଣ ଯୋଗୁଁ ଭିଣ୍ଡ୍ରେୱାଲେର ମୃତ୍ୟୁ ହୋଇଯାଇଥିଲା । ପରେ ଏକ ଅନୁସନ୍ଧାନରୁ ଜଣାପଡ଼ିଥିଲା ଯେ ଅକାଲ ତାଖ୍ତ ଉପରେ ଟ୍ୟାଙ୍କରୁ ୮୦ରୁ ଅଧିକ ଗୋଳାଵର୍ଷଣ ହୋଇଥିଲା । 

ଏହି ଆକ୍ରମଣରେ ଅକାଲ ତଖ୍ତ ଓ ପୁସ୍ତକାଳୟର ବହୁତ କ୍ଷୟକ୍ଷତି ହୋଇଥିଲା। ଅପରେସନ ବ୍ଲୁଷ୍ଟାର୍ ସମାପ୍ତ ହେଵା ପରେ, ଯେତେବେଳେ ସ୍ଵର୍ଣ୍ଣ ମନ୍ଦିର କମ୍ପ୍ଲେକ୍ସ ଅନୁସନ୍ଧାନ କରାଯାଇଥିଲା, ସେତେବେଳେ ସେଠାରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ମିଳିଥିଲା ​​। ସରକାରୀ ଆକଳନ ଅନୁଯାୟୀ, ଅପରେସନ୍ ବ୍ଲୁ ଷ୍ଟାର ସମୟରେ ଭାରତୀୟ ସେନାର ୮୩ ଜଣ ସୈନିକ ଶହୀଦ ହୋଇଥିଲେ ଏଵଂ ଏଥି ଯୋଗୁଁ ୨୪୮ ଜଣ ଆହତ ହୋଇଥିଲେ। ତେବେ ଅପରେସନ ବ୍ଲୁଷ୍ଟାର୍ ଯୋଗୁଁ ୫୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ ଏଵଂ ତନ୍ମଧ୍ୟରେ ଭିଣ୍ଡ୍ରେୱାଲେ ବି ଥିଲା । କିନ୍ତୁ ଅପରେସନ ବ୍ଲୁଷ୍ଟାର୍ ସମାପ୍ତ ହେଲାପରେ ମଧ୍ୟ ଅନେକ ଦିନ ଯାଏଁ ପଞ୍ଜାଵରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଲାଗିରହିଥିଲା । 
ଶିଖ୍‌ମାନଙ୍କୁ ସେମାନଙ୍କର ଆଞ୍ଚଳିକଵାଦୀ ଚିନ୍ତାଧାରା ପାଇଁ ଆହୁରି ଭୀଷଣ ଦଣ୍ଡ ଭୋଗିଵା ବାକି ଥିଲା । 

 ଓଡ଼ିଶାରେ ଏକ ବିରାଟ ନିର୍ଵାଚନୀ ପ୍ରଚାର ପରେ ଶ୍ରୀମତି ଇନ୍ଦିରା ଗାନ୍ଧୀ ୩୦ ଅକ୍ଟୋବର ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିଥିଲେ । ତା’ପର ଦିନ ଅକ୍ଟୋବର ୩୧ ସକାଳ ନଅଟା ବାଜି ୩୦ ମିନିଟ୍‌ରେ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କର ଦୁଇଜଣ ଶିଖ୍ ଅଙ୍ଗରକ୍ଷକ ବେଅନ୍ତ ସିଂ ଓ ସତବନ୍ତ ସିଂ ଗୁଳି କରି ହତ୍ୟା କରିଥିଲେ । ଗୋଟିଏ ନୁହେଁ କି ଦୁଇଟି ନୁହେଁ ୩୦ରୁ ଅଧିକ ଗୁଳି ମାରି ଶ୍ରୀମତି ଇନ୍ଦିରା ଗାନ୍ଧୀଙ୍କୁ ନିର୍ମମ ଭାବେ ହତ୍ୟା କରି ଉଭୟ ଶିଖ୍ ଅଙ୍ଗରକ୍ଷକ ଅପରେସନ ବ୍ଲୁଷ୍ଟାର୍'ର ପ୍ରତିଶୋଧ ନେଇଥିଲେ ।‌ କଂଗ୍ରେସ ନିଜର ରାଜନୈତିକ ଲାଭ ପାଇଁ ଯେଉଁ ଭିଣ୍ଡ୍ରେୱାଲେକୁ ଅକାଳୀଦଳ ଵିପକ୍ଷରେ ଛିଡ଼ା କରାଇଥିଲା ତାହାର କୁଫଳ ସ୍ଵରୂପ ଇନ୍ଦିରା ଗାନ୍ଧୀଙ୍କୁ ନିଜ ପ୍ରାଣ ହରାଇଵାକୁ ପଡି଼ଥିଲା । ଆଜି ଯେମିତି ଭାରତୀୟ ଜନତା ଶ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ପାଗଳ ସେତେବେଳେ ଶ୍ରୀମତି ଇନ୍ଦିରା ଗାନ୍ଧୀ ମଧ୍ୟ ଲୋକଙ୍କର ଲୋକପ୍ରିୟ ନେତ୍ରୀ ଥିଲେ । ତାଙ୍କର ଏଭଳି ନିର୍ମମ ହତ୍ୟା କରାଯିଵା ଜାଣି ଶୁଣି ଲୋକେ ଭାଙ୍ଗପଡି଼ଲେ । ସେଦିନ ଦ୍ଵିପହର ୨ଟା ବାଜି ୨୩ ମିନିଟରେ ଆଧିକାରିକ ଭାବରେ ଶ୍ରୀମତି ଇନ୍ଦିରା ଗାନ୍ଧୀଙ୍କୁ ମୃତ ଘୋଷଣା କରିଦିଆଗଲା । 
 ଇନ୍ଦିରା ଗାନ୍ଧୀଙ୍କୁ ଦେଖିଵାକୁ ହଜାର ହଜାର ଲୋକେ ଶୋକାକୁଳ ହୋଇ ଦିଲ୍ଲୀ ଏମ୍ସ ସମ୍ମୁଖରେ ଛିଡ଼ା ହୋଇଥାନ୍ତି । କ୍ରୋଧିତ ଦୁଃଖିତ ଲୋକମାନଙ୍କୁ ସମ୍ଭାଳିଵାକୁ ଲାଠିଚାର୍ଜ ମଧ୍ୟ କରାଗଲା । ତଥାପି ଲୋକେ ନିଜ ପ୍ରିୟ ନେତ୍ରୀଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନଥାନ୍ତି । 
ଏତିକିବେଳେ ରାଷ୍ଟ୍ରପତି ଜ୍ଞାନୀ ଜୈଲ୍ ସିଂ ଶ୍ରୀମତି ଇନ୍ଦିରା ଗାନ୍ଧୀଙ୍କୁ ଦେଖିଵାକୁ କାର୍ ଯୋଗେ ସେଠାକୁ ଆସିଵାରୁ ଉତ୍ୟକ୍ତ ଲୋକମାନେ ତାଙ୍କ ଉପରେ ଆକ୍ରମଣ କରିଦେଲେ । 

ଏହା ଏକ ବଡଧରଣର ଵିପତ୍ତିର ପୂର୍ଵାଭାସ ମାତ୍ର ଥିଲା । ଲୋକମାନେ କାନ୍ଦୁଥିଲେ, ଚିତ୍କାର କରୁଥିଲେ ସେମାନେ ଵିଶ୍ଵାସ କରିପାରୁନଥିଲେ ଯେ ଆମେରିକା ଇଂଲଣ୍ଡ ଚୀନ ପାକିସ୍ତାନକୁ ଏକାକୀ ପରାସ୍ତ କରିପାରିଥିଵା ଶ୍ରୀମତି ଇନ୍ଦିରାଙ୍କୁ ବି କୌଣସି ଶକ୍ତି ପରାସ୍ତ କରିପାରେ । ସେହି ଲୋକମାନେ ଯେତେବେଳେ କାନ୍ଦି କାନ୍ଦି କ୍ଳାନ୍ତ ହୋଇଗଲେ ତାଙ୍କ ଦୁଃଖର ସ୍ଥାନ କ୍ରୋଧ ନେଇଗଲା । ଏହି କ୍ରୋଧ ପରଵର୍ତ୍ତୀ ସମୟରେ କିପରି ଭୀଷଣ ରୂପ ଧାରଣ କରିଵାକୁ ଯାଉଛି ସେ ଵିଷୟରେ କାହାରିକୁ କୌଣସି ଧାରଣା ନଥିଲା । 


କିନ୍ତୁ ଦିଲ୍ଲୀ ଛଡ଼ା ସେତେବେଳଯାଏଁ ଭାରତର ଅନ୍ୟ ଅଞ୍ଚଳରେ ଶ୍ରୀମତି ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରାଯିଵା ଵିଷୟରେ କୌଣସି ସମ୍ବାଦ ପ୍ରଚାରିତ ହୋଇନଥିଲା । କେଵଳ ଦିନ ୧୧ଟାରେ ଦୁଇଜଣ ଶିଖ୍ ଅଙ୍ଗରକ୍ଷକଙ୍କ ଦ୍ଵାରା ଇନ୍ଦିରା ଗାନ୍ଧୀଙ୍କୁ ଆକ୍ରମଣ କରାଯାଇଥିଵା ସମ୍ବାଦ ଅଲ ଇଣ୍ଡିଆ ରେଡିଓରେ ପ୍ରସାରିତ ହୋଇଥିଲା। ତେବେ ପ୍ରଥମେ ବିବିସି ଦ୍ଵାରା ଶ୍ରୀମତି ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ସମ୍ପଦ ପ୍ରଚାରିତ ହୋଇଥିଲା ଫଳତଃ ସାରା ଵିଶ୍ଵରେ ଚହଳ ପଡି଼ଗଲା । କିନ୍ତୁ ସେହିଦିନ ଅର୍ଥାତ୍ ଅକ୍ଟୋବର ୩୧, ୧୯୮୪ର ସନ୍ଧ୍ୟା ଚାରିଟା ପର୍ଯ୍ୟନ୍ତ, ଦୂରଦର୍ଶନ ଓ ଅଲ୍ ଇଣ୍ଡିଆ ରେଡିଓରେ ଶ୍ରୀମତି ଇନ୍ଦିରାଙ୍କ ହତ୍ୟା ଖବର ଆସି ନଥିଲା ।  


୩୧ ଅକ୍ଟୋବରର ସକାଳୁ ଆରମ୍ଭ କରି ସନ୍ଧ୍ୟା ଭିତରେ ବହୁତ କିଛି ବଦଳି ଯାଇଥିଲା । ଦିଲ୍ଲୀ AIIMS ସମ୍ମୁଖରେ ସ୍ଥିତି ଗମ୍ଭୀର ହେଵାକୁ ଲାଗିଥିଲା । ଶିଖମାନେ ମଧ୍ୟ ସେଠାକୁ ଶହ ଶହ ସଂଖ୍ୟାରେ ଆସିଥିଲେ । ସେମାନେ ମଧ୍ୟ ଅନ୍ୟ ଲୋକଙ୍କ ସହିତ ଇନ୍ଦିରା ଗାନ୍ଧୀ "ଅମର ରାହେ"ର ସ୍ଲୋଗାନ ଦେଉଥିଲେ, କିନ୍ତୁ ଧୀରେ ଧୀରେ ସେମାନେ AIIMSରୁ ଓହରିଯିଵାକୁ ଆରମ୍ଭ କରିଦେଲେ । କାରଣ ଶିଖ୍‌ମାନେ ଧିରେ ଧିରେ ଜାଣିଵାକୁ ପାଇଲେ ଯେ ଶ୍ରୀମତି ଇନ୍ଦିରାଙ୍କୁ ତାଙ୍କରି ଶିଖ ସମ୍ପ୍ରଦାୟର ଦୁଇଜଣ ଅଙ୍ଗରକ୍ଷକ ଅପରେସନ ବ୍ଲୁଷ୍ଟାର୍' ପାଇଁ ହତ୍ୟା କରିଛନ୍ତି। ସ୍ଲୋଗାନର ଶୈଳୀରେ ମଧ୍ୟ ପରିଵର୍ତ୍ତନ ହେଵାକୁ ଲାଗିଲା। ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂଙ୍କ କାର ଉପରେ ପଥର ଆକ୍ରମଣ ପରେ ଏହି ସ୍ଲୋଗାନଗୁଡ଼ିକର ପ୍ରତିଧ୍ୱନୀ AIIMS ର ଆଖପାଖ ଅଞ୍ଚଳରେ ମଧ୍ୟ ବ୍ୟାପିଗଲା।
କ୍ରମେ ଏହି ମାନଵୀୟ ଉନ୍ମାଦନା ଆକ୍ରୋଶର ଵହ୍ନି ରୂପେ ଜଳିଉଠିଲା ଏଵଂ ଦିଲ୍ଲୀର ଵିଭିନ୍ନ ଅଞ୍ଚଳରେ ଭଙ୍ଗାରୁଜା 
 ଆରମ୍ଭ ହୋଇଯାଇଥିଲା । ଅକ୍ଟୋବର ଏକତିରିଶି ୧୯୮୪ରୁ ନଭେମ୍ବର ତିନି ୧୯୮୪ ଯାଏଁ ଦିଲ୍ଲୀରୁ ସାମ୍ପ୍ରଦାୟିକ ଦଙ୍ଗା ଆରମ୍ଭ ହୋଇ ସାରା ଭାରତରେ ଵ୍ୟାପଗଲା । ଶିଖ୍‌ମାନଙ୍କ ଉପରେ ପ୍ରଥମ ଆକ୍ରମଣ ନଭେମ୍ବର ୧ ସକାଳୁ ପୂର୍ଵ ଦିଲ୍ଲୀରେ ହୋଇଥିଲା ଏଵଂ ଏହି ସାମ୍ପ୍ରଦାୟିକ ହିଂସାକାଣ୍ଡ ସାରା ଦିଲ୍ଲୀରେ ଓ ପରେ ସାରା ଭାରତରେ ଵ୍ୟାପି ଯାଇଥିଲା । ସରକାରୀ ତନ୍ତ୍ରର ଆଧିକାରିକ ସଂଖ୍ୟା ଅନୁସାରେ ଏହି ଦଙ୍ଗା ଯୋଗୁଁ ମୋଟ୍ ୩୩୫୦ ଲୋକ ମରିଥିଵା କୁହାଯାଉଥିଵା ବେଳେ ସ୍ଵାଧୀନ ଉତ୍ସରୁ ଜଣାଯାଏ ଯେ ସାରା ଭାରତରେ ଆଠରୁ ସତର ହଜାର ଲୋକ ମୃତ୍ୟୁବରଣ କରିଥିଲେ ।‌ ଏହି ସାମ୍ପ୍ରଦାୟିକ ଦଙ୍ଗା ଯୋଗୁଁ ଯେଉଁ ଲୋକମାନେ ମଲେ ସେମାନଙ୍କ ମଧ୍ୟରେ ଅଧିକାଂଶ ନିମ୍ନଵିତ୍ତ,ନିମ୍ନ ମଧ୍ୟଵିତ୍ତ ଓ ମଧ୍ୟଵିତ୍ତ ସମାଜର ଲୋକ ଥିଲେ । ଏହି ଦଙ୍ଗା ଆଦୌ ହୋଇନଥାନ୍ତା ଯଦି ଶିଖ୍‌ମାନେ ଆଞ୍ଚଳିକଵାଦୀ ହୋଇନଥାନ୍ତେ କି ଉତ୍ତର ଭାରତୀୟ ହିନ୍ଦୀଭାଷୀ ହିନ୍ଦୀ ଭାଷାକୁ ପଞ୍ଜାଵର ଲୋକଙ୍କ ଉପରେ ଲଦିଵାକୁ ଚେଷ୍ଟା କରିନଥାନ୍ତେ । 

ଦିଲ୍ଲୀରେ ହଜାର ହଜାର ଲୋକ ଆଦୌ ମରିନଥାନ୍ତେ ଯଦି କଂଗ୍ରେସ ନିଜର ରାଜନୈତିକ ଅଭିସନ୍ଧି ପାଇଁ ଭିଣ୍ଡ୍ରେୱାଲେ ଭଳି ସର୍ପକୁ ଦୁଗ୍ଧ ପାନ କରାଇ ପାଳିନଥାନ୍ତା । ଆଞ୍ଚଳିକଵାଦ ସଦାସର୍ଵଦା ଗୋଟିଏ ଦେଶ, ଗୋଟିଏ ଜାତି ଵା ଏକ ଦେଶରେ ଅଶାନ୍ତି ଓ ଅନଗ୍ରସର ସ୍ଥିତି ସୃଷ୍ଟିର କାରଣ ହୋଇଥାଏ ।‌ ଆମ ଓଡ଼ିଶାରେ ମଧ୍ୟ ଆଞ୍ଚଳିକଵାଦୀଙ୍କୁ କେଵଳ ରାଜନୈତିକ ସ୍ଵାର୍ଥ ଲାଭ ପାଇଁ କେତେକ ଜାତୀୟ ଦଳ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସାହାଯ୍ୟ ସହଯୋଗ କରୁଛନ୍ତି ।‌ ବୋଧହୁଏ ଏ ଦେଶର ତଥାକଥିତ ରାଜନୈତିକ ଦଳ ,ନେତାମାନେ ତଥା ବୁଦ୍ଧିଜୀଵୀମାନେ ୧୯୭୮ରୁ ୧୮୮୪ ଯାଏଁ ଭାରତରେ ହୋଇଥିଵା ଶିଖ୍ ହିନ୍ଦୁ ସାମ୍ପ୍ରଦାୟିକ ହିଂସାକାଣ୍ଡରୁ କିଛି ବି ଶିଖିପାରିନାହାନ୍ତି । 


ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...