Wednesday, March 1, 2023

ଵିଶ୍ଵ ଦହିବରା ଆଳୁଦମ୍ ଦିଵସ

ମାର୍ଚ୍ଚ ଏକ ତାରିଖକୁ ଵିଶ୍ଵ ଦହିବରା ଆଳୁଦମ୍ ଦିଵସ ଭାବେ କିଛି ଲୋକ ପାଳିଥାଆନ୍ତି ତେବେ କଟକିଆଙ୍କ ପାଇଁ ସବୁ ଦିନ ଦହିବରା ଆଳୁଦମ୍ ଦିଵସ । 

“କଟକ ନଗର ବାଉନ ବଜାର ତେପନ ଗଳି ,
ଯୋଉଠି ଉଣ୍ଡିଵ
ସେଇଠି ମିଳିଵ ଦହିବରା ଭଳି ଭଳି”

ଏହା କୌଣସି କଵିଙ୍କର ପଦ ନୁହେଁ କି ପ୍ରାଚୀନ ଢଗ ନୁହେଁ କିନ୍ତୁ ନିରାଟ ସତ୍ୟ କଥା । ଦହିବରା ଓ କଟକ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ସକାଳରୁ ରାତି ଯଦି ଦହିବରା ମିଳିଯାଏ ତେବେ କଟକିଆଙ୍କର ଆଉ କିଛି ଜଳଖିଆ ଲୋଡ଼ା ହୁଏ ନାହିଁ ।‌

କଟକରେ ଏହି ଦହିବରା ଵ୍ୟଵସାୟ ଶତାଧିକ ଵର୍ଷ ପୁରୁଣା। ଦହିବରା କଟକର ଅଵିଚ୍ଛେଦ୍ୟ ଅଙ୍ଗ ଭାବରେ ପରିଗଣିତ ହୋଇସାରିଛି। ଦିନରେ ଯଦି ଅନ୍ୟ କୌଣସି ଖାଇଵା ନମିଳେ ତେବେ ଦହିବରା ହିଁ ଦିନର ଭୋକକୁ ମେଣ୍ଟେଇଦିଏ । କଟକର ଗଳିକନ୍ଦିରୁ ବାହାରି ଵିଶ୍ବ ସ୍ତରରେ ପହଞ୍ଚି ଓଡିଆଙ୍କୁ ଗର୍ଵିତ କରିଛି ଦହିବରା ଆଳୁଦମ୍‌ । ଅନେକ ଅଣଓଡ଼ିଆ ପର୍ଯ୍ୟଟକ ଓଡ଼ିଶା ଆସିଲେ ଓଡିଶାରେ ଦହିବରା ନିଶ୍ଚୟ ଖାଆନ୍ତି । ଓଡ଼ିଶାରେ ଏମିତି କେହି ନଥିବେ ଯାହାକୁ ଦହିବରା ପସନ୍ଦ ନଥିଵ ।
ତା ନାଆଁ ଶୁଣିଲେ ହିଁ ପ୍ରତ୍ୟେକ ଓଡି଼ଆଙ୍କ ମୁଖ ସରସ ହୋଇଯାଏ । ଏମିତି ତ ଆଜିକାଲି ସାରା ଓଡ଼ିଶାରେ ଦହିବରା ମିଳିଯାଏ କିନ୍ତୁ କଟକ ଦହିବରାର କଥା ନିଆରା । ସ୍ଵାଦ ରଙ୍ଗ ଓ ଦରଵ ଭେଦରେ କଟକରେ ଵିଭିନ୍ନ ପ୍ରକାରର ଦହିବରା ପ୍ରସ୍ତୁତ ହୁଏ । କଟକଵାସୀ ଦହିବରା ଖାଇ ଦିନ ଆରମ୍ଭ କରନ୍ତି କହିଲେ ମଧ୍ୟ ଅତ୍ୟୁକ୍ତି ହେଵ ନାହିଁ ।

ତେବେ ଦହିବରା ଓ ଦହିବରା ଆଳୁଦମ୍ ମଧ୍ୟରେ କେତେକ ପାର୍ଥକ୍ୟ ରହିଛି କିନ୍ତୁ ସାଧାରଣତଃ ଉଭୟକୁ ପ୍ରାୟତଃ ଲୋକେ କେଵଳ ଦହିବରା ମଧ୍ୟ କହିଥାନ୍ତି । 

ବରା,ଦହି,ପିଆଜ,ଧନିଆ ପତ୍ର ଓ କଞ୍ଚାଲଙ୍କାକୁ ନେଇ ଦହିବରା ପ୍ରସ୍ତୁତ ହୁଏ । ବରା ଛଣାଯିଵା ପରେ କିଛି ସମୟ ଦହି ମିଶା ଲୁଣ ପାଣିରେ ବରାକୁ ବୁଡ଼ାଇ ଦିଆଯାଇଥାଏ । ବରା ସବୁ ପାଣିରେ ଭିଜିଗଲେ ସେଥିରେ ଦହି ମିଶାଯାଇଥାଏ । ଏହା ଉପରେ ଭୃଶଙ୍ଗ ପତ୍ରକୁ ଭାଜି ଧଣିଆ ପତ୍ର, ଲଙ୍କା, ପିଆଜ ଆଦିରେ ସଜାଇ ପରଷାଯାଇଥାଏ । ଏହା "ଦହିବରା ଆଳୁଦମ୍"ର ସରଳ ଓ ଆଦ୍ୟ ରୂପ କହିଲେ ଅତ୍ୟୁକ୍ତି ହେଵ ନାହିଁ । 

ସେହିପରି ଦହିବରା ଆଳୁଦମ୍ ପ୍ରସ୍ତୁତିରେ ମୁଖ୍ୟ ଉପାଦାନ ହେଉଛି ଦହିବରା ଓ ଘୁଗୁନି । ଦହିବରା ଅପେକ୍ଷା ଦହିବରା ଆଳୁଦମ୍‌ରେ ଆଳୁଦମ,ଘୁଗୁନି,ସେଉ,
ଧନିଆ ପତ୍ର ଓ ପିଆଜ ଆଦି ମିଶାଯାଇଥାଏ । ଦହିବରାରୁ ପାଣି ନିଗାଡ଼ି ସେଥିରେ ଆଳୁଦମ ମିଶାଯାଇଥାଏ । ତାହା ଉପରେ ଅଳ୍ପ ଘୁଗୁନି, ସେଓ, ଧଣିଆ ପତ୍ର, ଲଙ୍କା, ପିଆଜ ଆଦିରେ ସଜାଇ ପରଷାଯାଇଥାଏ ।

ଦହିବରା ଶବ୍ଦଟି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୩୭୦୭ତମ ପୃଷ୍ଠାରେ ସ୍ଥାନିତ ହୋଇଛି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ 
"ଦହିରେ ବତୁରା ଯାଇଥିଵା ବିରୀ ପିଠା(ବରା)କୁ ଦହିବରା କୁହାଯାଏ" । ସେହିପରି ଗରମମସଲା ଯୋଗେ ସିଦ୍ଧ ଚୋପାଛଡ଼ା ଗୋଟାଆଳୁକୁ "ଦମ୍ ଓ ଵିଶେଷତଃ ଆଳୁଦମ୍ କୁହାଯାଏ ।‌ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୩୬୬୦ତମ ପୃଷ୍ଠାରେ ଏହି ଶବ୍ଦ ରହିଛି ।‌ 

ଦହିବରା କଟକର, ଓଡ଼ିଶାର ଅନ୍ୟତମ ପରିଚୟ ତେବେ ଦହିବରାର GI tag ପାଇଁ କିଛି ଵର୍ଷ ହେଵ ଦାବି ହୋଇ ଆସୁଥିଲେ ସୁଦ୍ଧା ଆଜିଯାଏଁ ମାନ୍ୟତା ମିଳିନାହିଁ ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...