Friday, March 22, 2024

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା ଏହି Ainu ଭାଷାରେアイアイ (ayay) ବୋଲି ଗୋଟିଏ ଶବ୍ଦ ଅଛି ଯାହାର ଅର୍ଥ baby ଵା ଛୁଆ । ହଁ ! ଜାପାନରେ 
ରହୁଥିଵା ଆଇନୁ ଜନଜାତିର ଛୁଆମାନେ ଆଜି ନିଜ ଜାତିର ଭାଷାକୁ ଛାଡ଼ି ଦେଲେଣି ତେଣୁ
ଏ ଶବ୍ଦଟି ବି ଦିନେ ତାଙ୍କ ଭାଷା ଭଳି ଲୋପ ପାଇଯିଵ । 

ଜାପାନରୁ ଟିକିଏ ପଛକୁ ଆସିଲେ ଭିଏତନାମ ବୋଲି ଏକ ଦେଶ ପଡ଼େ । ଏ ଦେଶରେ ଆଷ୍ଟ୍ରୋଏସିଆଟିକ୍ ଭାଷାପରିଵାରର Vietnamese ଭାଷା ବୋଲାଯାଏ । ଭିଏତନାମୀରେ ଲେଖିଲାବେଳେ ସ୍ଥାନୀୟ ସାହିତ୍ୟିକମାନେ ai ai ବୋଲି ଶବ୍ଦଟିଏ ଵ୍ୟଵହାର କରନ୍ତି ଯାହାର ଅର୍ଥ everyone, everybody ଵା ସର୍ଵେ ଓ ସମସ୍ତେ ।

ସେଠାରୁ ଆଉ ଖଣ୍ଡେ ଦୂର ପଛକୁ କିନ୍ତୁ ତଳଆଡ଼କୁ ଫେରିଲେ ମାଡାଗାସ୍କର ବୋଲି ଗୋଟିଏ ବଡ଼ ଦ୍ଵୀପ ଆଫ୍ରିକାର ପୂର୍ଵରେ ଥିଵାର ଦେଖାଯାଏ । ଏ ଦ୍ଵୀପ ଏକଦା ଭାରତ ସହିତ ସଂଯୁକ୍ତ ଥିଵା ଵୈଜ୍ଞାନିକମାନେ କୁହନ୍ତି । ତେବେ ଭାରତଠାରୁ ଵିଚ୍ଛିନ୍ନ ହେଲାପରେ ଲକ୍ଷ ଲକ୍ଷ ଵର୍ଷ ଧରି କୌଣସି ମୂଳ ଭୂଖଣ୍ଡ ସହିତ ସଂଯୁକ୍ତ ନଥିଵା ଯୋଗୁଁ ମାଡାଗାସ୍କରରେ ଵିଭିନ୍ନ ଜାତିର ଵିଚିତ୍ର ପ୍ରାଣୀ ଓ ଉଦ୍ଭିଦ ଜାତ ହୋଇଛନ୍ତି । ଏହି ମାଡାଗାସ୍କର ଦ୍ଵୀପରେ ମୂଷା ଭଳି ଦେଖାଯାଉଥିଵା ଲେମୁର ଜାତୀୟ ଜୀଵ Daubentonia madagascariensisକୁ 
ai ai ଵା aye-aye କୁହାଯାଏ । 
ଫ୍ରେଞ୍ଚ୍ ଓ ଇଂରାଜୀ ଭାଷାରେ 
aye aye, sir କୁହନ୍ତି ‌ । ସାଧାରଣତଃ ଆଗେ ପାଶ୍ଚାତ୍ୟ ବୋଇତିଆଳମାନେ ଏହାର ଵ୍ୟଵହାର କରୁଥିଲେ । ଏହି aye aye, sir ! ପଦ'ର ଆକ୍ଷରିକ ଅର୍ଥ "I understand the command and hasten to comply with the order." ଅଟେ । 

ତେବେ ଓଡ଼ିଆ ଭାଷାରେ ବି ଆଈଆଈ(Āīāī) ବୋଲି ଗୋଟିଏ ଧ୍ୱନ୍ୟାତ୍ମକ ଦେଶୀୟ ଅଵ୍ୟୟ ଥିଵା ହୁଏତ ଅନେକ ଓଡ଼ିଆଙ୍କୁ ଜଣା ନଥିଵ। 

ଏ ଦେଶର ଵୀରମାନେ ଯୁଦ୍ଧକାଳୀନ ନୃତ୍ୟ ସମୟରେ ଆଗେ 'ଆଈଆଈ' ଚିତ୍କାର କରୁଥିଲେ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ । 

ଗଞ୍ଜାମ ଜିଲ୍ଲାର ପ୍ରାଚୀନ କଵି କୃଷ୍ଣ ସିଂହଙ୍କ କୃଷ୍ଣ ମହାଭାରତର କର୍ଣ୍ଣପର୍ଵରେ ଏହି ଆଈଆଈ ଶବ୍ଦର ଏମନ୍ତ ପ୍ରୟୋଗ ରହିଛି...

“ଭୂତ ପ୍ରେତ ପିଶାଚ ରକ୍ତ ମାଂସ ଖାଇ, ନାଚିଲେ ରଣଦାଣ୍ଡେ ବୋଲି ଆଈଆଈ।” 

ପ୍ରକୃତରେ ଏହି ଆଈଆଈ ଚିତ୍କାରଟି ଏକ ଜାତୀୟ ସିଂହନାଦ ଵା war cry ଥିଲା । ଓଡ଼ିଆ ଛଡ଼ା ଭାରତର ଅନ୍ୟ କୋୖଣସି ବଡ଼ ସାନ ଭାଷାରେ ଏହି ଆଈଆଈ ଶବ୍ଦ ଥିଵାର ଜଣାଯାଏ ନାହିଁ ତେଣୁ ନିଃସନ୍ଦେହ ଏହା ଏକ ମୌଳିକ ଓଡ଼ିଆ ଶବ୍ଦ ଅଟେ । ଏକ ନିର୍ଦ୍ଦିଷ୍ଟ କାଳରେ ଯୁଦ୍ଧ କ୍ଷେତ୍ରରେ ହିଁ ଏହି 'ଆଈଆଈ' ଶବ୍ଦର ପ୍ରୟୋଗ ଥିଵାରୁ ଏ ଶବ୍ଦ ଦୈନନ୍ଦିନ ଜୀଵନରେ ସେତେ ଆଵଶ୍ୟକ ହୋଇନଥାଏ ଅତଏଵ୍ ଏହା ଜଣାଶୁଣା ଓଡ଼ିଆ ଶବ୍ଦ ନୁହେଁ । ତେବେ ଏକ ମୌଳିକ ତଥା ପ୍ରାଚୀନ ଓଡ଼ିଆ ଶବ୍ଦ ଭାବେ ଆଈଆଈ ଶବ୍ଦର ଯେଉଁ ମର୍ଯ୍ୟାଦା ରହିଛି ତାହା ପ୍ରାଚୀନ ଓଡ଼ିଆ ସାହିତ୍ୟ ବଞ୍ଚି ରହିଥିଵା ଯାଏଁ ଯଥାଵତ୍ ରହିଥିଵ । 
 

Saturday, March 2, 2024

ଘଇତା ମରୁ ପଛେ ସଉତୁଣୀ ରାଣ୍ଡ ହେଉ


ଏବେ ଦେଖାଯାଉଛି ପଶ୍ଚିମ ଓଡ଼ିଶାର ଲୋକମାନେ ମାନକ ଶାସ୍ତ୍ରୀୟ ଵ୍ୟାକରଣ ଶାସ୍ତ୍ରକୁ ପାଦରେ ଗୋଇଠା ମାରି ଶବ୍ଦ ମଝିରେ ହଳନ୍ତ ଦେଇ ଲେଖୁଛନ୍ତି । ସେମାନଙ୍କୁ ଵ୍ୟାକରଣ କଥା କହିଲେ ଯୁକ୍ତି କରି କୁହନ୍ତି ଭାଷା ଆଗ ନା ଵ୍ୟାକରଣ ଆଗ ? ଭାଷା ଆଗ ବୋଲି କ'ଣ ଵ୍ୟାକରଣ ନିୟମ ମାନିଵ ନାହିଁ ? ସେହିପରି ଯଦି ଜଣେ ଅତି ସ୍ଵାଧୀନ ଵ୍ୟକ୍ତି କହେ ମଣିଷ ଆଗ ନା ଆଇନ କାନୁନ ଆଗ ? ତାହେଲେ ସେଇଭଳି ଲୋକଙ୍କ ପାଇଁ ସାମାଜିକ ନ୍ୟାୟ ଵ୍ୟଵସ୍ଥାକୁ ହଟେଇ ଦିଆଯିଵ କି ? 
ଭାଷାର ମଙ୍ଗଳ ପାଇଁ ଵ୍ୟାକରଣ ରୂପ ଭାଷାଗତ ନ୍ୟାୟଵ୍ୟଵସ୍ଥା ହୋଇଅଛି । ଵ୍ୟାକରଣକୁ ଛାଡ଼ି କୋଉ ଭାଷା କେବେ ଶାସ୍ତ୍ରୀୟ ଓ ଶ୍ରେଷ୍ଠ ହୋଇଛି ନା ହୋଇ ପାରିଵ ? 

ମୋର ପଶ୍ଚିମ ଓଡ଼ିଶାର ମହାପଣ୍ଡିତମାନଙ୍କୁ ପ୍ରଶ୍ନ 
କେଉଁ ଵ୍ୟାକରଣ ନିୟମାନୁଯାୟୀ ଶବ୍ଦ ମଧ୍ୟରେ ହଳନ୍ତ ରଖାଯିଵ ? 
ପଶ୍ଚିମ ଓଡ଼ିଶାର କିଛି ତଥାକଥିତ ମହାପଣ୍ଡିତ କହୁଛନ୍ତି ଆମେ ସେମିତି ଉଚ୍ଚାରଣ କରୁ ବୋଲି ହଳନ୍ତ ରଖିବୁ । ପୂର୍ଵାଞ୍ଚଳ, ମଧ୍ୟାଞ୍ଚଳ ଏମନ୍ତ କି ଦକ୍ଷିଣ ଓଡ଼ିଶାର କଥିତ ଭାଷାରେ ଏମିତି ଅନେକ ଶବ୍ଦର ମଧ୍ୟ ଭାଗରେ ହଳନ୍ତ ଉଚ୍ଚାରଣ ହେଵାର ଦେଖାଯାଏ କାଇଁ ସେମାନେ ତ ମଝିରେ ହଳନ୍ତ ଲଗେଇ ଲେଖୁନାହାନ୍ତି ? ସାରା ଭାରତରେ ଅନେକ ଭାଷାରେ ଵିଶେଷତଃ ହିନ୍ଦୀ ବେଲ୍ଟର ନାନା ଭାଷାରେ ଶବ୍ଦ ମଝିରେ ହଳନ୍ତ ଭଳି ଉଚ୍ଚାରଣ ରହିଛି କାଇଁ ସେମାନେ ବି ତ ଶବ୍ଦ ମଝିରେ ହଳନ୍ତ ଲଗାଉ ନାହାନ୍ତି? ପଶ୍ଚିମ ଓଡ଼ିଶାର ଲୋକଙ୍କର ଏମିତି କ'ଣ ହୋଇଯାଉଛି ଯେ ହଳନ୍ତ ଲଗାଯାଉଛି ? 
ପ୍ରକୃତରେ କେତୋଟି ମୁଖ୍ୟ କାରଣ ଯୋଗୁଁ ପଶ୍ଚିମ ଓଡ଼ିଶାର ମହାପଣ୍ଡିତମାନେ ହଳନ୍ତ ଲଗାଉଛନ୍ତି...

(କ) ଓଡ଼ିଆ ଭାଷାଠାରୁ ସମ୍ବଲପୁରୀଟା ଗୋଟେ ଭିନ୍ନ ଭାଷା ଦର୍ଶାଇଵା ପାଇଁ 
(ଖ) ଓଡ଼ିଆ ଭାଷାଠାରୁ ସମ୍ବଲପୁରୀଟା ଉଚ୍ଚାରଣ ଦୃଷ୍ଟିରୁ ଭିନ୍ନ ଦର୍ଶାଇଵା ପାଇଁ
(ଗ) ଦଶ ହଜାର ଵର୍ଷ ତଳ ମୂଳ ଭାରୋପୀୟ ଭାଷାର ଅକାରାନ୍ତ ଉଚ୍ଚାରଣ ଗୁଣକୁ ମାରି ସମ୍ବଲପୁରୀକୁ ହିନ୍ଦୀ ଭଳି ଅଶାସ୍ତ୍ରୀୟ ଭାଷା କରିଵା ପାଇଁ 
(ଘ) ସମ୍ବଲପୁରୀଟା ହିନ୍ଦୀର ଉପଭାଷା ବୋଲି ଲୋକଙ୍କ ମନରେ ଵିଶ୍ଵାସ ଜନ୍ମାଇଵା ପାଇଁ

ଏହି ସବୁ କାରଣରୁ ସମ୍ବଲପୁରୀରେ ଲେଖାଗଲାବେଳେ ଅନାଵଶ୍ୟକ ଥାଇ ମଧ୍ୟ ଯୁକ୍ତାକ୍ଷର ପରିଵର୍ତ୍ତେ ତଥାକଥିତ ମହାପଣ୍ଡିତମାନେ ଅନୁସ୍ବାର ଓ ଚନ୍ଦ୍ରବିନ୍ଦୁ ପ୍ରୟୋଗ କରୁଛନ୍ତି ପୁଣି ଅଵର୍ଗ୍ୟ 'ଯ' ପରିଵର୍ତ୍ତେ ଅନେକ ଓଡ଼ିଆ ଭାଷା ମୂଳର ଶବ୍ଦରେ ଵର୍ଗ୍ୟ 'ଜ' ଲେଖୁଛନ୍ତି(ଯଥା ଯେମନ୍ତ > ଯେଉନ୍ତ > ଯେଉଁ ଓ ଯେନ୍ : ଏହାକୁ ଜାଣିଶୁଣି ଜେନ୍ ଲେଖାଯାଉଛି) 

"ଘଇତା ମରୁ ପଛେ ସଉତୁଣୀ ରାଣ୍ଡ ହେଉ" ନ୍ୟାୟରେ ସମ୍ବଲପୁରୀଟା ଅଶାସ୍ତ୍ରୀୟ, ଅଵୈଜ୍ଞାନିକ ଓ ଅଵୈୟାକରଣିକ ହେଉ ପଛେ କିନ୍ତୁ ଓଡ଼ିଆ ଭାଷାଠାରୁ ଭିନ୍ନ ଭାଷା ବୋଲାଉ ବୋଲି କିଛି ଲୋକେ ସତେ ଯେମିତି ଶପଥ କରି ବସି ଯାଇଛନ୍ତି । 

କିନ୍ତୁ ଯେତେ ଯାହା କଲେ ବି ସମ୍ବଲପୁରୀ ଶୈଳୀର Morphology ତ ଓଡ଼ିଆ ,ତାକୁ କେମିତି ପରିଵର୍ତ୍ତିତ କରିବେ ? 

ଆଗେ ସମ୍ବଲପୁରୀର 'ଦାଦା(ଭାଇ)' ଓ ଆଁଠି(ମଞ୍ଜି ;ବଙ୍ଗାଳୀରେ ଆଁଟି) ଭଳି କିଛି ଶବ୍ଦ ଦେଖି ବଙ୍ଗାଳୀମାନେ ସମ୍ବଲପୁରୀଟାକୁ ବଙ୍ଗଳାର ଉପଭାଷା ବୋଲି ପ୍ରଚାର କଲେ। ଏପଟେ ହିନ୍ଦୀବାଲା ବି ସମ୍ବଲପୁରୀଟା ହିନ୍ଦୀର ଉପଭାଷା ବୋଲି ପ୍ରଚାର କଲେ ଏଵଂ ଓଡ଼ିଆ ଲିପି ଛାଡ଼ି ଦେଵନାଗରୀ ଲିପିରେ ଲେଖିଵାକୁ ସ୍ଥାନୀୟ ଲୋକମାନଙ୍କୁ ପ୍ରଵର୍ତ୍ତାଇଲେ । 

ସମ୍ବଲପୁରୀକୁ ଚୋରାଇ ନେଵାକୁ ବଙ୍ଗାଳୀ ଓ ହିନ୍ଦିଆ ଭାଷାଵିଦମାନେ ଯୋର୍ ସୋର୍‌ରେ ଲାଗିପଡ଼ିଥିଲେ । ସେତେବେଳେ ଓଡ଼ିଆ ଭାଷା ମାତୃକା ନିଜ ସମ୍ବଲପୁରୀ କନ୍ୟାର ରକ୍ଷା କରିଥିଲେ । ସମ୍ବଲପୁରୀର Morphologyଟା ଓଡ଼ିଆ ଭାଷାର ବୋଲି ଜଣାପଡ଼ିଯିଵାରୁ ବଙ୍ଗାଳୀ ଓ ହିନ୍ଦିଆ ଭାଷାଵିଦମାନେ କାନ ମୁଣ୍ଡା ଆଉଁସି ରହିଗଲେ । ଓଡ଼ିଆ ଭାଷାକୁ ଶାସ୍ତ୍ରୀୟତା ମାନ୍ୟତା ମିଳିଲା ପରେ ଆପେ ଆପେ ଏହାର ସମ୍ବଲପୁରୀ ଓ ଦେଶିଆ ଭଳି ଶୈଳୀଗୁଡ଼ିକ ବି ଶାସ୍ତ୍ରୀୟ ହୋଇଗଲେ । ଯଦି ସମ୍ବଲପୁରିଆ ନିଜ ଭାଷାକୁ ଅଵୈଜ୍ଞାନିକ ଓ ଅଶାସ୍ତ୍ରୀୟ କଲେ ସେ ଭାଷା ଶୈଳୀଟି ଶ୍ରେଷ୍ଠ ହୋଇଯିଵ ବୋଲି ଭାବୁଛନ୍ତି ତାହେଲେ ତାଙ୍କର ସେଇ ଭାଵନାକୁ ଆଉ ତାଙ୍କ ଚାରି ଖୁରାକୁ ନମନ ରହିଵ । 

Monday, February 19, 2024

ଶାଳାଵୃକ ଶବ୍ଦର ମର୍କଟ ଵା ଵାନର ଅର୍ଥଟି ଠିକ୍ ନା ଭୁଲ୍ ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ, ସଂସ୍କୃତ କଳ୍ପଦ୍ରୁମ ଇତ୍ୟାଦିରେ ଶାଳାମୃଗ ଓ ଶାଳାଵୃକ ଶବ୍ଦର ଗୋଟିଏ ଅର୍ଥ 
ମର୍କଟ ଵା ଵାନର ଲେଖାଅଛି । ନିକଟରେ ଦୁଇ ପକ୍ଷଙ୍କ ମଧ୍ୟରେ 'ଶାଳାଵୃକ' ଶବ୍ଦର ମର୍କଟ ଵା ଵାନର ଅର୍ଥକୁ ନେଇ ଦୁଇପକ୍ଷଙ୍କ ମଧ୍ୟରେ ଘମାଘୋଟ ତର୍କ ଵିତର୍କ ହୋଇଗଲା । ଗୋଟିଏ ପକ୍ଷ ଏହି ଶାଳାଵୃକ ଶବ୍ଦଟି ଠିକ୍ କହୁଥିଵାବେଳେ ଆଉ ଗୋଟିଏ ପକ୍ଷ ଏହା ଵ୍ୟୁତ୍ପତ୍ତି ଦୃଷ୍ଟିରୁ ଏକ ଭୁଲ୍ ଶବ୍ଦ ବୋଲି ମତ ଦେଇ ନିଜ ମତରେ ଅଟଳ ରହିଲା । ତେବେ ଏହି ଵିତର୍କର ସମାଧାନ କରିଵାକୁ ହେଲେ ପ୍ରଥମେ ଵୃକ ଓ ଶାଳା ଶବ୍ଦକୁ ଜାଣିଵାକୁ ହେଵ । ଵ୍ୟୁତ୍ପତ୍ତି ଦୃଷ୍ଟିରୁ ଦେଖିଲେ 
'ଵୃକ' ଏକ ଅତି ପ୍ରାଚୀନ ଭାରୋପୀୟ ଶବ୍ଦ ବୋଲି ସହଜେ ଗୃହୀତ ହୋଇସାରିଛି । ପ୍ରାଚୀନ ୟୁରେସିଆରେ ଏ ଶବ୍ଦର ମୂଳ ରୂପ wĺ̥kʷos ଥିଵା ଆଧୁନିକ ଭାଷାଵିଦମାନେ ଵିଭିନ୍ନ ଭାରୋପୀୟ ଭାଷାଗୁଡ଼ିକର ଅନୁଶୀଳନ ପରେ ଅନୁମାନ କରିଅଛନ୍ତି । ଏହାର ଅନ୍ୟତମ ଆନୁମାନିକ ରୂପ *lúkʷos ମଧ୍ୟ ଆଧୁନିକ ଭାଷାଵିଦମାନଙ୍କ ଦ୍ଵାରା ଗୃହୀତ ହୋଇଛି । wĺ̥kʷos ଓ *lúkʷosର ମୂଳ ଅର୍ଥ 'ଶୃଗାଳ' ଥିଲା ବୋଲି ଆଧୁନିକ ଭାଷାଵିଦମାନଙ୍କ ମତ । ପରେ ଵିଭିନ୍ନ ଭାଷାରେ ମୂଳ ଭାରୋପୀୟ ଶବ୍ଦ wĺ̥kʷos ଓ *lúkʷos ଶବ୍ଦରୁ ନାନା ଶବ୍ଦ ଵିଭିନ୍ନ ଅର୍ଥରେ ପ୍ରୟୋଗ କରାଯାଇଛି । ଋକଵେଦରେ ଵୃକ ଶବ୍ଦଟି ଵିଶେଷତଃ ଶୃଗାଳ ଅର୍ଥରେ ପ୍ରୟୋଗ କରାଯାଇଛି । ପରଵର୍ତ୍ତୀ କାଳର ସଂସ୍କୃତ ତଥା ଦେଶୀୟ ସାହିତ୍ୟରେ 'ଵୃକ' ଶବ୍ଦ ଏହାର ସଂସ୍କୃତ ନିରୁକ୍ତି ଆଧାରରେ ନାନା ଅର୍ଥରେ ପ୍ରୟୋଗ କରାଗଲା । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସଂସ୍କୃତ ଵୃକ ଶବ୍ଦର ଦୁଇଗୋଟି ନିରୁକ୍ତି ମଧ୍ୟରେ ଗୋଟିଏ ହେଲା ଵୃକ୍ ଧାତୁ ଓ ଅନ୍ୟଟି ଵୃ ଧାତୁ । ଵୃକ୍ ଧାତୁରୁ ଗ୍ରହଣ କରିଵା,ନେଵା, ଅକ୍ତିଆର କରିଵା ଓ ବଳପୂର୍ଵକ ଛଡ଼ାଇ ନେଵା ଅର୍ଥରେ ଶବ୍ଦ ନିଷ୍ପନ୍ନ ହୋଇଥାଏ । ସେହିପରି ଵୃ ଧାତୁରୁ ଆଵରଣ କରିଵା,ବାଛିଵା, ପସନ୍ଦ କରିଵା,ପ୍ରାର୍ଥନା କରିଵା,ପୋଷଣ କରିଵା ଓ ସମର୍ଥନ କରିଵା ଅର୍ଥରେ ଶବ୍ଦ ନିଷ୍ପନ୍ନ ହୁଏ । କେତେକ ପାରମ୍ପରିକ ଭାଷାଵିଦମାନେ କୁହନ୍ତି ଯେ ଵୃକ୍ ଧାତୁର ମୂଳ ଅର୍ଥ ଥିଲା କନ୍ଦାଇଵା,ଦୁଃଖ ଦେଵା,କଷ୍ଟ ଦେଵା ପୁଣି ସେମାନେ ଵୃକ୍ ଧାତୁର ମୂଳ ପ୍ରାଚୀନ ରୂପ ଵ୍ରଶ୍ଚ୍ ଧାତୁ ବୋଲି ମଧ୍ୟ ଦେଇଥିଵା କଥା ଇଂରାଜୀ ୱିକ୍ସନରୀରୁ ଜଣାଯାଏ । ଵ୍ରଶ୍ଚ୍ ଧାତୁର ପ୍ରାଚୀନ ଅର୍ଥ ଥିଲା 
ଭାଙ୍ଗିଵା,କାଟିଵା,ଗଛକୁ କାଟି ଵା ଭାଙ୍ଗି ପକାଇ ଦେଵା ଇତ୍ୟାଦି । 
 
ତେଣୁ ଵୈଦିକ ଭାଷାରେ ପ୍ରଥମେ ଦୁଃଖ ଦେଉଥିଵା ଜୀଵ 'ଶୃଗାଳ' ଅର୍ଥରେ ଵୃକ ଶବ୍ଦଟି ଵ୍ୟଵହାର ହେଲାପରେ ପରଵର୍ତ୍ତୀ କାଳର ସଂସ୍କୃତ ଭାଷାରେ ଵୃକ ଶବ୍ଦଟି 
ହେଟା,ଲେଙ୍କଡ଼ା ବାଘ, ଗଧିଆ, କ୍ଷତ୍ରିୟ,ଵାୟସ ଵା କୁଆ,ଜଠରାନଳ,ଗନ୍ଧଵିରିଜା,ବଳିଆକୁକୁର,ଵଜ୍ର ଓ ଚୋର ଆଦି ଅର୍ଥରେ ଵ୍ୟଵହାର ହେଵାକୁ ଲାଗିଲା । 

ସେହିପରି ଅନ୍ୟାନ୍ୟ ଭାରୋପୀୟ ଭାଷାଗୁଡ଼ିକରେ ମଧ୍ୟ ମୂଳ ଭାରୋପୀୟ ଶବ୍ଦ wĺ̥kʷos ଓ *lúkʷosରୁ ପରେ ଅନେକ ଭାଷାରେ ନୂତନ ଶବ୍ଦ ସୃଷ୍ଟି ହୋଇଛି ଏଵଂ ଶୃଗାଳ ତଥା ଅନ୍ୟାନ୍ୟ ଅର୍ଥରେ ପ୍ରୟୋଗ କରାଯାଇଛି । ଇରାନର ପ୍ରାଚୀନ ଆଵେସ୍ତାନୀ ଭାଷାରେ 𐬬𐬆𐬵𐬭𐬐𐬀⁩ (vəhrka) ଶବ୍ଦ ସୃଷ୍ଟି ହେଲା ଏଵଂ ଶୃଗାଳ ଅର୍ଥରେ ଵ୍ୟଵହୃତ ହୋଇ ପରଵର୍ତ୍ତୀ କାଳରେ ପାର୍ସୀ ଭାଷାରେ گرگ⁩ (gorg) ହୋଇଅଛି । ପ୍ରାକ୍ ଆଲବାନିଆ ଭାଷାରେ ସେହି ମୂଳ ଶବ୍ଦରୁ *ulka ଶବ୍ଦ ଶୃଗାଳ ଅର୍ଥରେ ସୃଷ୍ଟି ହୋଇ ଆଜି ଆଧୁନିକ ଆଲବେନିଆ ଭାଷାରେ ujk ଓ ulk ରୂପେ ମୂଳ ଅର୍ଥ ଘେନି ପ୍ରଚଳିତ । ସେଇ ମୂଳ ଭାରୋପୀୟ ଶବ୍ଦରୁ ଅନ୍ୟ ଏକ ଦିଗରେ ପ୍ରାକ୍ ଆନାତୋଲୀୟ ଭାରୋପୀୟ ଭାଷା ହିଟାଇଟ୍ସରେ 𒉿𒀠𒆪𒉿𒀸 (wa-al-ku-wa-aš) ଶବ୍ଦ ନକାରାତ୍ମକ ଶକ୍ତି ତଥା Luwian ଭାଷାରେ 𔑪, 𒌨𒈤 (walwa/i) ଶବ୍ଦ ସିଂହ ଅର୍ଥରେ ଵ୍ୟଵହୃତ ହେଲା । ଏହି ଭାଷାଶାଖାର ଲିଡିଆନ୍ ଭାଷାରେ ମଧ୍ୟ 𐤥𐤠𐤩𐤥𐤤⁩ (walwe) ଶବ୍ଦ ସିଂହ ଅର୍ଥରେ ଚଳୁଥିଵା ଜଣାଯାଏ । ଭାରୋପୀୟ ଭାଷା ପରିଵାରର ପ୍ରାକ୍ ବାଲ୍ଟୋ ସାଲ୍ବିକ୍ ଭାଷାଶାଖାରେ ମୂଳ ଭାରୋପୀୟ ଶବ୍ଦ wĺ̥kʷosଟି *wilkás ହୋଇ ପରେ ଆଧୁନିକ ଲିଥୁଆନିଆରେ vil̃kas ହୋଇଛି ଏଵଂ ମୂଳ ଶୃଗାଳ ଅର୍ଥରେ ପ୍ରୟୋଗ କରାଯାଉଛି । ଅଉ ଏକ ଦିଗରେ ଭାରୋପୀୟ ଭାଷା ଶାଖା ପ୍ରାକ୍ କେଲଟିକ୍ ଭାଷାରେ ଶୃଗାଳ ଅର୍ଥଜ wĺ̥kʷos ଶବ୍ଦ *ulkos ହେଲା ଏଵଂ ମନ୍ଦ, ଦୁଷ୍ଟ ଅର୍ଥରେ ଵ୍ୟଵହାର କରାଗଲା ଫଳତଃ ଆଜି ଆଧୁନିକ କେଲଟିକ୍ ଭାଷା ଆଇରିଶରେ ଏହି ଶବ୍ଦଟି olc ତଥା Manx ଭାଷାରେ olk ହୋଇ ମନ୍ଦ,ଦୁଷ୍ଟ ଓ ଠକ ଆଦି ଅର୍ଥରେ ଵ୍ୟଵହୃତ ହେଉଅଛି । ଶୃଗାଳର ମନ୍ଦଗୁଣ ଆଧାରରେ ମୂଳ ଶବ୍ଦରୁ ଏଭଳି ଅର୍ଥ ଘେନି ଏ ଶବ୍ଦଗୁଡ଼ିକ ସୃଷ୍ଟି ହୋଇଛି ବୋଲି ଏଠାରେ ବୁଝିଵାକୁ ହେଵ । ପୁନଶ୍ଚ ଅନ୍ୟତମ ଲୋକପ୍ରିୟ ଭାରୋପୀୟ ଭାଷା ଶାଖା ଜର୍ମାନିକରେ ଶୃଗାଳ ଅର୍ଥଜ ପ୍ରାକ୍ ଭାରୋପୀୟ ମୂଳ ଶବ୍ଦ *wĺ̥kʷos କ୍ରମେ *wúlkʷos ହେଲା ଏଵଂ କାଳାନ୍ତରରେ ଏହି ଶବ୍ଦରୁ ଜର୍ମାନିକ୍ ଭାଷା ଇଂରାଜୀରେ wolf ତଥା ସ୍ବେଡିଶ୍ ଓ ଡାନିଶ୍ ଭାଷାରେ ulv ହୋଇଅଛି । ଭାରୋପୀୟ ଭାଷାପରିଵାରର ପୁରାତନ ଭାଷାଶାଖା ମଧ୍ୟରେ ଅନ୍ୟତମ ହେଲେନିକ୍ ଭାଷାଶାଖାର ଗ୍ରୀକ୍ ଭାଷା ସହିତ ଅନେକେ ପରିଚିତ ଥିବେ । ଶୃଗାଳ ଅର୍ଥଜ ମୂଳ ଭାରୋପୀୟ *wĺ̥kʷos ଶବ୍ଦଟି ହେଲେନିକ୍ ଭାଷା ଶାଖାରେ ଯାଇ ସାମାନ୍ୟ ପରିଵର୍ତ୍ତିତ ହୋଇ *lúkos ରୂପେ ଚଳିଵାକୁ ଲାଗିଲା ଯାହା ପରେ ଗ୍ରୀକ୍ ଭାଷାରେ λύκος (lúkos) ଓ λύκος (lýkos) ହୋଇଅଛି । ଗ୍ରୀସ୍ ଦେଶର ପଡ଼ିଶାରେ ପ୍ରାକ୍ ଇଟାଲିକ୍ ଭାରୋପୀୟ ଭାଷା ଶାଖାର ରୋମାନ୍ ଭାଷା ବୋଲାଯାଏ । ପ୍ରାଚୀନ କାଳରେ ଶୃଗାଳ ଅର୍ଥରେ ପ୍ରୟୋଗ କରାଯାଉଥିଵା ମୂଳ ଭାରୋପୀୟ ଶବ୍ଦ *wĺ̥kʷos ରୋମରେ ଯାଇ ପ୍ରାକ୍ ଇଟାଲିକ୍ ଭାଷାରେ *lukʷos ହୋଇ ପରେ ଲାଟିନ ଭାଷାରେ lupus ହୋଇଛି ପୁଣି ଶୃଗାଳମାନଙ୍କର ଵୈଜ୍ଞାନିକ ନାମ ଭାବରେ ଏହି lupus ଶବ୍ଦ ଇଂରାଜୀ ଆଦି ଭାଷାରେ ମଧ୍ୟ ପ୍ରୟୋଗ କରାଯାଉଛି । ଭାରୋପୀୟ ଭାଷାପରିଵାରର ସବୁଠାରୁ ବଡ଼ ଭାଷାଶାଖା ଭାରୋଇରାନୀୟ ଭାଷାଶାଖାରେ ସେହିପରି ଶୃଗାଳ ଅର୍ଥଜ ମୂଳ ଭାରୋପୀୟ ଶବ୍ଦ wĺ̥kʷosଟି ପ୍ରଥମେ *wŕ̥kas ହେଲା ଏଵଂ ପରେ ଏହି ଶବ୍ଦଟି ସଂସ୍କୃତ ଭାଷାରେ ଵୃକ ହୋଇଛି, ପାକିସ୍ତାନର ଗିଲଗିଟ୍ ବଲ୍ଟିସ୍ଥାନର ଦାର୍ଦିକ ଭାଷା shinaରେ उरुक ହୋଇଛି, ଉତ୍ତର ପୂର୍ଵ ଭାରତର ଭାରୋପୀୟ ଭାଷା ଚକମାରେ 𑄤𑄇𑄴 (wāk) ହୋଇଛି,ସିନ୍ଧୀ ଭାଷା କଚ୍ଛୀରେ વરુ (vəru) ହୋଇଛି,ପାଲିରେ ଵକ(vəkə ; ବଗ ପାଇଁ ବକ) ଓ ପ୍ରାକୃତରେ ଵୟ(vəyə) ହୋଇଅଛି । 

ଵ୍ୟୁତ୍ପତ୍ତି ଦୃଷ୍ଟିରୁ ଵିଚାର କଲେ ଵୃକ ଶବ୍ଦର ମୂଳ ଅର୍ଥ ଥିଲା ଶୃଗାଳ କିନ୍ତୁ ସଂସ୍କୃତ ଭାଷାରେ ନିରୁକ୍ତଶାସ୍ତ୍ର ଆଧାରରେ ଶବ୍ଦ ନିଷ୍ପନ୍ନ ପରମ୍ପରା ବହୁ ପ୍ରାଚୀନ । ସାରା ପୃଥିଵୀର ଭାରୋପୀୟ ଭାଷାଗୁଡ଼ିକରେ ମୂଳ ଭାରୋପୀୟ ଶବ୍ଦ wĺ̥kʷosଟିରୁ ଶୃଗାଳ ଅର୍ଥରେ ନାନା ରୂପରେ ଶବ୍ଦ ସୃଷ୍ଟି ହେଲା କିନ୍ତୁ ଶୃଗାଳ ଓ ସିଂ‌ହ(ହିଟାଇଟ୍ସ,ଲିଡିଆନ୍) ଆଦି ସୀମିତ ଅର୍ଥରେ ପ୍ରୟୋଗ କରାଗଲା । ତେବେ ଭାରତରେ ସଂସ୍କୃତ ଭାଷାରେ ଅତି ଉନ୍ନତମାନର ସାହିତ୍ୟ ସର୍ଜନା ହେଵା ଯୋଗୁଁ ଵୃକ ଭଳି ଅନେକ ପ୍ରାଚୀନ ଭାରୋପୀୟ ଶବ୍ଦଗୁଡ଼ିକର ଭିନ୍ନ ଅର୍ଥରେ ମଧ୍ୟ ଵ୍ୟଵହାର ଚଳିଵାକୁ ଲାଗିଲା । ସଂସ୍କୃତ ଧାତୁ ପ୍ରତ୍ୟୟାଦି ପ୍ରୟୋଗ ପୂର୍ଵକ ନିରୁକ୍ତଶାସ୍ତ୍ର ପ୍ରଣୟନ ଯୋଗୁଁ ଏହା ସମ୍ଭଵ ହେଲା । ଅର୍ଥାତ୍ ଭାରତ ବାହାରେ ଭାରୋପୀୟ ଶବ୍ଦଗୁଡ଼ିକର ଅର୍ଥ ସୀମିତ ଥିଲାବେଳେ ତାକୁ ସଂସ୍କୃତ ନିରୁକ୍ତି ଆଧାରରେ ଭାରତୀୟମାନେ ନାନା ଅର୍ଥରେ ପ୍ରୟୋଗ କରି ସାହିତ୍ୟ ସର୍ଜନା କରିଲେ । ଏଥିପାଇଁ ସଂସ୍କୃତ ହୋଇଗଲା ଶାସ୍ତ୍ରୀୟ ଭାଷା । ସଂସ୍କୃତ ଭାଷାର ଏହି ନିରୁକ୍ତଶାସ୍ତ୍ର ଆଧାରରେ ହିଁ ଆଜକୁ ଦୁଇଶହ ତିନିଶହ ଵର୍ଷ ତଳେ ଆଧୁନିକ ଭାଷାଵିଦମାନେ ଗୋଟିଏ ଭାଷାପରିଵାରର ଵିଭିନ୍ନ ଭାଷାରେ ପ୍ରଚଳିତ ସମୋଦ୍ଧୃତ ଶବ୍ଦଗୁଡ଼ିକର ମୂଳ ପ୍ରାଚୀନ ରୂପ ନିର୍ଣ୍ଣୟ କରିଵାରେ ସଫଳ ହେଉଛନ୍ତି ।

ତେଣୁ ସଂସ୍କୃତ ଭାଷାରେ ଵୃକ ଶବ୍ଦଟି ଵୃକ୍ ଧାତୁରୁ ନିଷ୍ପନ୍ନ ହୋଇଥିଵାରୁ ଵୃକ୍ ଧାତୁର ଗ୍ରହଣ କରିଵା,ନେଵା, ଅକ୍ତିଆର କରିଵା,ଦୁଃଖ ଦେଵା ଓ ବଳପୂର୍ଵକ ଛଡ଼ାଇ ନେଵା ଅର୍ଥ ଘେନି ପରେ ଵୃକ ଶବ୍ଦର ଅର୍ଥ ହୋଇଗଲା କ୍ଷତ୍ରିୟ,ଵାୟସ,ଜଠରାନଳ,ଵଜ୍ର ଓ ଚୋର । ଵାୟସ ଵା କାକ ଚୋରେଇ ନେଵା ଵା ଛଡ଼ାଇ ନେଵା ପାଇଁ ଜଣାଶୁଣା। ଚୋର ମଧ୍ୟ ଅନ୍ୟ କାହା ଘରୁ ଦରଵ ନେଇଯାଏ ଓ ଲୋକଙ୍କର ଅର୍ଥାଭାଵ ଘଟାଇ ଦୁଃଖ ଦେଇଥାଏ । କ୍ଷତ୍ରିୟମାନେ ଵିଭିନ୍ନ ସ୍ଥାନ ଉପରେ ଚଢ଼ାଉକରି ତାକୁ ଅକ୍ତିଆର କରନ୍ତି,ଛଡ଼ାଇ ନିଅନ୍ତି ଏଵଂ ଏହି କାର୍ଯ୍ୟକଲାବେଳେ ଅନେକଙ୍କୁ ଦୁଃଖ ଦିଅନ୍ତି । ଜଠରାନଳ ମଧ୍ୟ ଵ୍ୟକ୍ତିକୁ କଷ୍ଟ ଦେଇଥାଏ । ପୃଥିଵୀ ଉପରେ ଵଜ୍ର ପଡ଼ିଲେ ସେଥିରେ କୌଣସି ଵ୍ୟକ୍ତିର ମୃତ୍ୟୁ ଘଟେ ଫଳତଃ ଵଜ୍ର ଵ୍ୟକ୍ତିଙ୍କ ଜୀଵନ ଛଡ଼ାଇ ନେଇ ତାହାର ପରିଵାରଜନଙ୍କ ଦୁଃଖର କାରଣ ହୋଇଥାଏ । ଅତଃ ଭାରତୀୟ ପାରମ୍ପରିକ ନିରୁକ୍ତଶାସ୍ତ୍ର ଅନୁସାରେ ଵୃକର ଚୋର,ଵଜ୍ର,ଵାୟସ ଓ କ୍ଷତ୍ରିୟ ଆଦି ଅର୍ଥ ଆଦୌ ଭୁଲ୍ ନୁହେଁ । 

ଏବେ ଶାଳା ଶବ୍ଦର ଅର୍ଥକୁ ବି ଜାଣିନେଵା । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଶାଳା ଶବ୍ଦଟି ଆଳୟ ଵା ଗୃହ,ଗୃହୈକଦେଶ ଵା ଗୃହର ଅଂଶ(room),ନିର୍ଦ୍ଦିଷ୍ଟ କାର୍ଯ୍ୟରେ ଵା ଉଦ୍ଦେଶ୍ୟରେ ଵ୍ୟଵହୃତ ଗୃହ,ଘରର ଶାହାଲା ଓ (ଗଛର)ବଡ଼ଡାଳ ଅର୍ଥରେ ପ୍ରୟୋଗ କରାଯାଇଥାଏ । 
ସଂସ୍କୃତ 'ଶାଳା' ଶବ୍ଦଟି ମଧ୍ୟ 'ଵୃକ' ଶବ୍ଦ ଭଳି ଏକ ପ୍ରାଚୀନ ଭାରୋପୀୟ ଶବ୍ଦ ଏଵଂ ଆଧୁନିକ ଭାଷାଵିଦମାନେ ଏହାର ମୂଳ ଭାରୋପୀୟ ଧାତୁରୂପ ḱel- (“ଆଵରଣ କରିଵା, ରକ୍ଷା କରିଵା”) ନିର୍ଣ୍ଣୟ କରିଛନ୍ତି । ଏହି ମୂଳ ଭାରୋପୀୟ ଧାତୁଶବ୍ଦରୁ ଅନ୍ୟ ଏକ ଦିଗରେ ଲାଟିନ ଭାଷାରେ cella (“room”) ହୋଇଛି ପୁଣି ଇଂରାଜୀ ଭାଷାରେ ଯାଇ cell ରୂପେ ଚଳୁଅଛି ସେହିପରି ପ୍ରାଚୀନ ଇଂରାଜୀ ଭାଷାର heall ତଥା ଆଧୁନିକ ଇଂରାଜୀ ଶବ୍ଦ hall ମଧ୍ୟ ଜର୍ମାନିକ ଭାଷାଶାଖା ଦେଇ ଏହି ମୂଳ ଭାରୋପୀୟ ଧାତୁଶବ୍ଦରୁ ସୃଷ୍ଟି ହୋଇଛି । 

ତେବେ ଭାରତର ପାରମ୍ପରିକ ଭାଷାଵିଦମାନେ ଶାଳା ଶବ୍ଦର ନିରୁକ୍ତିକୁ ନେଇ ନାନା ମତ ପୋଷଣ କରିଛନ୍ତି । 

ଭାଷାଵିଦ Macdonellଙ୍କ ଅନୁସାରେ ଶାଳା ଶବ୍ଦର ମୂଳ ଧାତୁରୂପ ହେଉଛି √śṛ ଧାତୁ । ଭାଷାଵିଦ Monier Williamଙ୍କ ଅନୁଯାୟୀ 
√ଶୃ(śṛ) ଧାତୁର ଅର୍ଥ ଦୁଃଖ ଦେଵା,କଷ୍ଟ ଦେଵା,ଆଘାତ ଦେଵା, ଓ ମାରିଵା ସେହିପରି 
√ସୃ(sṛ) ଧାତୁର ଅର୍ଥ ଯିଵା ,ଗତି କରିଵା । 

ଆପ୍ଟେ ଆଦି ଭାଷାଵିଦମାନେ ଶାଳା ଶବ୍ଦଟି ଶାଳ୍ ଧାତୁ(ଗମନ କରିଵା) ଓ ଅଚ୍ ପ୍ରତ୍ୟୟ ଯୁକ୍ତ ହୋଇ ସୃଷ୍ଟି କରାଯାଇଛି ବୋଲି ଲେଖିଛନ୍ତି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ମଧ୍ୟ କୁହାଯାଇଛି ଯେ ଶାଳ୍ ଧାତୁରୁ ଗମନ କରିଵା ଅର୍ଥରେ ଅ ଓ ଆ(ଅଚ୍) ଯୁକ୍ତ ହୋଇ ଶାଳା ଶବ୍ଦ ସୃଷ୍ଟି ହୋଇଛି । ଅର୍ଥାତ୍ ଯେଉଁଠାକୁ ଵିଶ୍ରାମାର୍ଥେ ଗମନ କରାଯାଏ ତାହା ଶାଳା । 

କିନ୍ତୁ ସଂସ୍କୃତ କଳ୍ପଦ୍ରୁମରେ ଶାଳା ଶବ୍ଦର ନିରୁକ୍ତି ଲେଖାଅଛି "√ଶୋ + “ବାହୁଳକାତ୍ ଶ୍ଯତେରପି କାଳନ୍ ।" । √ଶୋ(śo) ଧାତୁରୁ ତୀକ୍ଷ୍ଣ କରିଵା,କ୍ଷୁଦ୍ର କରିଵା ଆଦି ଅର୍ଥରେ ଶବ୍ଦ ନିଷ୍ପନ୍ନ ହୋଇଥାଏ ।  
ଜଣେ ଵ୍ୟକ୍ତି,ପରିଵାର ଵା କୁଟୁମ୍ବକୁ ଗୋଟିଏ ଥାନରେ ବାନ୍ଧି ରଖିପାରେ ବୋଲି ବୋଧହୁଏ ଏଭଳି ଏକ ନିରୁକ୍ତି କେହି ଵିଚାର କରିଛନ୍ତି । 

ସେ ଯାହାହେଉ ଯଦି √ଶୃ ଧାତୁର ଅର୍ଥ ଦୁଃଖ ଦେଵା,କଷ୍ଟ ଦେଵା,ଆଘାତ ଦେଵା, ଓ ମାରିଵା;√ସୃ ଧାତୁର ଅର୍ଥ ଯିଵା ,ଗତି କରିଵା ଏଵଂ ଶାଳ୍ ଧାତୁର ଗମନ କରିଵା ଆଦି ଅର୍ଥକୁ ମହତ୍ତ୍ଵ ଦିଆଯାଇ ଵିଚାର କରାଯାଏ ତେବେ ଶାଳାଵୃକ ଶବ୍ଦଟି କେମିତି ନିରୁକ୍ତି ଦୃଷ୍ଟିରୁ ମର୍କଟ ଵା ଵାନର ହେଵ ତାହା ସ୍ପଷ୍ଟ ହୋଇଯିଵ । 
 
ଵୃକ ଶବ୍ଦର ଗୋଟିଏ ଅର୍ଥ ଚୋର ଏଵଂ ଆମେ ସମସ୍ତେ ଜାଣନ୍ତି ଵାନରମାନେ ଖାଦ୍ୟ ପାଇଁ ଘରୁ ବାଡ଼ିରୁ ଫଳମୂଳ ଓ ଖାଦ୍ୟ ଚୋରାଇଥାଆନ୍ତି । ଅର୍ଥାତ୍ ଵାନରମାନେ ପେଟପାଟଣା ପାଇଁ ଚୋରି କରିଵାକୁ ବି ପଛାଇ ନଥାନ୍ତି ‌। ସେହିପରି √ଵୃକ୍ ଧାତୁର ଅର୍ଥ ଦୁଃଖ ଦେଵା ତେଣୁ ଯେମିତି ଶୃଗାଳ ମନୁଷ୍ୟ ଘରେ ବାଡ଼ିରେ ପଶିଯାଇ ଛୋଟଛୁଆଠାରୁ ଆରମ୍ଭ କରି ଗୃହପାଳିତ ପଶୁମାନଙ୍କୁ ଚୋରାଇ ନେଇ ଦୁଃଖ ଦିଏ ଠିକ୍ ସେହିପରି ଵାନରମାନେ ମଧ୍ୟ ମନୁଷ୍ୟମାନଙ୍କ ପିଲାଙ୍କୁ ଘରୁ ଉଠାଇ ନେଵାର ଦେଖାଯାଏ, ବେଳେବେଳେ ଵାନରମାନେ ମନୁଷ୍ୟମାନଙ୍କ ଉପରେ ଆକ୍ରମଣ ମଧ୍ୟ କରିଥାନ୍ତି ଏଵଂ ଘର ଉପରେ ଡିଆଁ ଡେଇଁ କରି ଭଙ୍ଗାରୁଜା କରିଥାନ୍ତି । ଵାନରମାନେ ଗାଆଁ ନଗରରେ ପଶିଯାଇ ମନୁଷ୍ୟମାନଙ୍କ ଘର ବାଡ଼ିକୁ ନିଜ ଅକ୍ତିଆରକୁ ନେଇଯାଇ ଖଣ୍ଡପ୍ରଳୟ କରିପକାନ୍ତି । ଵାନରମାନେ ମନୁଷ୍ୟମାନଙ୍କ ଶାଳା(ଘର) ଭିତରକୁ ଓ ଶାଳା(ଘର) ଉପରେ ରହି ନାନା ଦୁଃଖ ଦିଅନ୍ତି ପୁଣି ଶାଳା(ଗଛର ବଡ଼ ଡାଳ) ଉପରେ ଵାସ କରନ୍ତି। ତେଣୁ ଵୃକ୍ ଧାତୁର ଅର୍ଥ ଘେନି ତଥା ଶାଳା ଶବ୍ଦର ବଡ଼ଡାଳ ଓ ଗୃହ ଆଦି ଅର୍ଥକୁ ଵିଚାର କରି ଦେଖିଲେ ନିରୁକ୍ତି ଦୃଷ୍ଟିରୁ ଵାନରକୁ ଶାଳାଵୃକ କୁହାଯିଵାରେ କୌଣସି ଦୋଷ ନାହିଁ । 

ଶାଳାଵୃକ ଶବ୍ଦର କୁକ୍କୁର,ବିଡ଼ାଳ, ଶୃଗାଳ,ହରିଣ ,ଶାଳିଆପତନି ଓ କୋକିଶିଆଳି ଆଦି ଅର୍ଥକୁ ଏହି ଆଧାରରେ ଵିଚାର କରାଯାଇପାରେ । ଶାଳାରେ(ଘରେ) ରହୁଥିଵା ଵୃକ ହେଲା କୁକୁର ଯାହାର ଵୈଜ୍ଞାନିକ ନାମ Canis familiaris ଅଟେ । ଘରେ(ଶାଳାରେ) ପଶି ଖାଦ୍ୟ ଚୋରି କରୁଥିଵା(ଵୃକ୍ ଧାତୁ) ଜୀଵ ମଧ୍ୟରେ ବିରାଡ଼ି ଅନ୍ୟତମ ପୁଣି ଏହା ଶାଳାରେ(ଗଛର ବଡ଼ଡାଳ,ଡାଳରେ) ଚଢ଼ିପାରିଵାର କ୍ଷମତା ମଧ୍ୟ ଲଭି ପାରିଛି । ବିରାଡ଼ିର ଵୈଜ୍ଞାନିକ ନାମ felis catus ଅଟେ ।‌ ହରିଣ ଜୀଵଟି ଶାଳା(ଶାଳା ଶବ୍ଦର ଵୃକ୍ଷର ଡାଳ ଅର୍ଥ )ରୁ ପତ୍ରାଦି ଛିଣ୍ଡାଇ(ଶୃ ଧାତୁର ଆଘାତ ଦେଵା) ଖାଇ ଜୀଵନଯାପନ କରେ ଏଵଂ ଲକ୍ଷଣାର୍ଥ ଵୃକ୍ଷକୁ ବଢ଼ିଵାରେ ବାଧା ଦେଇଥାଏ ଅର୍ଥାତ୍ ଵୃକ୍ଷର ଦୁଃଖର କାରଣ ହୋଇଥାଏ(ଵୃକ୍ ଧାତୁର ଦୁଃଖ ଦେଵା) । ଶାଳିଆପତନୀ ମଧ୍ୟ ବିରାଡ଼ି ପରି କିନ୍ତୁ ମନୁଷ୍ୟମାନଙ୍କ ଗୃହରେ ଅଳ୍ପ କିନ୍ତୁ ବାଡ଼ିର ଫଳଗଛରୁ ଫଳ ଚୋରେଇ ଖାଉଥିଵାର ଦେଖାଯାଏ । ସେହିପରି ଶୃଗାଳ (canis lupus) ଓ କୋକିଶିଆଳି(Canis indicus) ମାନେ ମନୁଷ୍ୟମାନଙ୍କ ଶାଳା(ଘର ଓ ବାଡ଼ି)ରୁ ଶିଶୁ ଓ ଗୃହପାଳିତ ଜୀଵଙ୍କୁ ଚୋରାଇ ନେଇ ମାରି ଖାଇଥାନ୍ତି । ଅତଃ ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ହୁଏତ ମୂଳ ଭାରୋପୀୟ ଵ୍ୟୁତ୍ପତ୍ତି ଦୃଷ୍ଟିରୁ ଶାଳା ଓ ଵୃକ ଶବ୍ଦର ପ୍ରାରମ୍ଭିକ ଅର୍ଥ ଘେନି ଶାଳାଵୃକ ଶବ୍ଦର ହରିଣ, ଶାଳିଆପତନି, ବିରାଡ଼ି ଓ ଵାନର ଆଦି ଅର୍ଥଗୁଡ଼ିକ ଭ୍ରମାତ୍ମକ ଵିଚାର୍ଯ୍ୟ ଲାଗିପାରେ କିନ୍ତୁ ଭାରତୀୟ ନିରୁକ୍ତଶାସ୍ତ୍ର ଦୃଷ୍ଟିରୁ ଵିଚାର କଲେ ଏହି ସବୁ ଅର୍ଥଗୁଡ଼ିକ ଯୁକ୍ତିଯୁକ୍ତ ଵିଵେଚିତ ହୋଇଥାଏ । 

(ଦ୍ର : ଶବ୍ଦ ଵ୍ୟୁତ୍ପତ୍ତିର ଅର୍ଥ word etymology କିନ୍ତୁ ନିରୁକ୍ତିର ଅର୍ଥ ଭାରତୀୟ ନିରୁକ୍ତଶାସ୍ତ୍ର ଆଧାରିତ ଧାତୁପ୍ରତ୍ୟୟ ପ୍ରୟୋଗ ପୂର୍ଵକ ଗୋଟିଏ ଶବ୍ଦର କ୍ଷୁଦ୍ରରୂପ ନିର୍ଣ୍ଣୟ । ) 

Friday, February 16, 2024

'ଗୁଡ଼ି' ଶବ୍ଦ ଉପକୂଳିଆ କେନୁ ଆଣିଲେ ବୋ ?

'ଗୁଡ଼ି' ଶବ୍ଦ ଉପକୂଳିଆ କେନୁ ଆଣିଲେ ବୋ ? 

ବୋଉ,ନନା,ଦଦା,ବାଣ,ନାନୀ ଓ ମମା ଭଳି କିଛି ଵିଚ୍ଛିନ୍ନତାଵାଦୀ କଟକିଆ/ଉପକୂଳିଆଙ୍କୁ 'ଗୁଡ଼ି' ଶବ୍ଦ କେନୁ ଆଣିଲ ବୋଲି ପ୍ରୋକ୍ତ ପ୍ରଶ୍ନଟି ପଚାରନ୍ତି । 

ଆମେ ସମସ୍ତେ ଜାଣନ୍ତି ଓଡ଼ିଆ ଭାଷାରେ Paper kiteକୁ ଗୁଡ଼ି ଓ ଘୁଡ଼ି କୁହାଯାଏ । ମାତ୍ର ପତଙ୍ଗ ଅର୍ଥଜ ଏହି 'ଗୁଡ଼ି' ଶବ୍ଦ ଯେ ଦିନେ କିଛି ଲୋକଙ୍କ ହୀନ ମାନସିକତା ଯୋଗୁଁ ଵିଵାଦୀୟ ହେଇଯିଵ କେହି ଭାବିନଥିବେ । ଯଦି ପତଙ୍ଗ ଅର୍ଥଜ 'ଗୁଡ଼ି' ଶବ୍ଦଟି ଉପକୂଳିଆମାନେ କୁଆଡ଼ୁ ଆଣିଛନ୍ତି ;ଏହି ପ୍ରଶ୍ନର ଉତ୍ତର ଉଣ୍ଡାଯାଏ ତେବେ ତହିଁର ଅନେକ ସମ୍ଭାଵିତ ଉତ୍ତର ମିଳିଵ । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ "ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜ" ମହାଶୟ 'କାଗଦଚକି' ଅର୍ଥଜ ଏହି 'ଗୁଡ଼ି' ଵା 'ଘୁଡି଼' ଶବ୍ଦଟି 
'ଗୁରୁଉଡ୍ଡୀନ'ରୁ ସୃଷ୍ଟି ହୋଇଛି ବୋଲି ଉଲ୍ଲେଖ କରିଛନ୍ତି । 

ତେବେ Sir. Ralph Lilley Turner ତାଙ୍କ A comparative dictionary of Indo-Aryan languages ଵ୍ୟୁତ୍ପତ୍ତି କୋଷରେ ଲେଖିଛନ୍ତି ଯେ 
ଗୋଟିଏ ମୂଳ ଭାରତୀୟ ଶବ୍ଦ *guḍḍaରୁ ଏହି ଗୁଡ଼ି ଶବ୍ଦଟି ସୃଷ୍ଟି ହୋଇଛି । *guḍḍa ଶବ୍ଦର ମୂଳ ଅର୍ଥ ଥିଲା କଣ୍ଢେଇ ଵା କୌଣସି ଵ୍ୟକ୍ତିର କଣ୍ଢେଇ ସଦୃଶ ପୁତ୍ତଳିକା। ଏହି ଶବ୍ଦରୁ ସିନ୍ଧୀ ଭାଷାରେ guḍ̠o ଶବ୍ଦ ହୋଇଛି ଯାହାର ଅର୍ଥ ପୁରୁଷ ଵସ୍ତ୍ରଯୁକ୍ତ କଣ୍ଢେଇ । ପଞ୍ଜାବର ଲହଣ୍ଡା ଭାଷାରେ ଓଡ଼ିଆ ଭାଷା ଭଳି guḍḍī ଶବ୍ଦର ଅର୍ଥ ପତଙ୍ଗ ବୋଲି ମଧ୍ୟ ସେଠାରେ ଉଲ୍ଲେଖ ରହିଛି । ପଞ୍ଜାବୀ ତଥା ହିନ୍ଦୀରେ ମଧ୍ୟ ପୂର୍ଵେ ଗୁଡ୍ଡି ଶବ୍ଦର ପତଙ୍ଗ ଅର୍ଥରେ ପ୍ରୟୋଗ ଥିଵା ଏହି ଵ୍ୟୁତ୍ପତ୍ତି କୋଷରୁ ଜଣାଯାଏ । 
ହିନ୍ଦୀ ଶବ୍ଦସାଗରରୁ ଜଣାଯାଏ ଯେ ଉତ୍ତର ଭାରତୀୟମାନେ ବଡ଼ ଆକାରର 'ଗୁଡ଼ି'କୁ 'ଗୁଡ୍ଡା' ତଥା ସାନ ଆକାରର 'ଗୁଡ଼ି'କୁ 'ଗୁଡ୍ଡି' କହୁଥିଲେ ତେବେ ଆଜିକାଲି ସାଧାରଣତଃ ପୁରୁଷରୂପ କଣ୍ଢେଇକୁ ଉତ୍ତର ଭାରତୀୟମାନେ ଗୁଡ୍ଡା ତଥା ସ୍ତ୍ରୀରୂପ କଣ୍ଢେଇକୁ ଗୁଡ୍ଡୀ କହୁଛନ୍ତି । Sir. Ralph Lilley Turnerଙ୍କ A comparative and etymological dictionary of the Nepali language ଵ୍ୟୁତ୍ପତ୍ତି କୋଷ ଅନୁସାରେ ନେପାଳୀ ଭାଷାରେ ବି ପତଙ୍ଗକୁ गुड्डि(guḍḍi) କୁହାଯାଉଥିଲା । 

 ତେବେ ଏହା ସ୍ପଷ୍ଟ ନୁହେଁ ଯେ କିଭଳି କଣ୍ଢେଇ ଓ ପୁତ୍ତଳିକା ଅର୍ଥଜ ମୂଳ ଭାରତୀୟ *guḍḍa ଶବ୍ଦଟି ପଞ୍ଜାବୀ,ହିନ୍ଦୀ, ଓଡ଼ିଆ ତଥା ଲହଣ୍ଡା ଭାଷାରେ ପତଙ୍ଗ ଵା Paper kite ଅର୍ଥରେ ପ୍ରୟୋଗ କରାଗଲା । ହୁଏତ ଏହି ଶବ୍ଦର ଅନ୍ୟ କୌଣସି ଶବ୍ଦ ମୂଳ ଥାଇପାରେ । ହୁଏତ ଓଡି଼ଆ ଭାଷାରେ ଗୁଡ଼ି ଶବ୍ଦର ଅନ୍ୟାନ୍ୟ ଅର୍ଥ ମଧ୍ୟରେ ଏହାର ଉତ୍ତର ଲୁଚି ରହିଥାଇପାରେ । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଓଡ଼ିଶାର କେତେକ ଅଞ୍ଚଳରେ “ସ୍ତ୍ରୀଲୋକମାନଙ୍କ ପିନ୍ଧିଵା ଲୁଗାର କାନି ପଣନ୍ତରେ ଦିଆଯିଵା ଗଣ୍ଠିକୁ ଗୁଡ଼ି କୁହାଯାଏ ଏଵଂ ଏହି ଗୁଡ଼ି ଶବ୍ଦଟି ତତ୍ସମ 'ଗୁଡ଼ି' ଶବ୍ଦ ସହିତ ସମୋଦ୍ଧୃତ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କୁହାଯାଇଛି । ତତ୍ସମ 'ଗୁଡ଼ି' ଓ 'ଗୁଡ଼ିକା' ଶବ୍ଦର ଅର୍ଥ ଗୋଲକ । ତେଣୁ ସମ୍ଭଵତଃ 
ଏହି ଗୋଲକ ଅର୍ଥଜ ତତ୍ସମ 'ଗୁଡ଼ି'
ଶବ୍ଦରୁ ପରେ 'ପତଙ୍ଗ' ଅର୍ଥରେ ଗୁଡ଼ି ଶବ୍ଦଟି ପ୍ରୟୋଗ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଆକାଶରେ ଗୁଡ଼ି ଗୋଲକାର ଢଙ୍ଗରେ ଉଡ଼ିଥାଏ । ତେଣୁ ଏମନ୍ତ ମଧ୍ୟ ହୋଇପାରେ ଯେ ଓଡ଼ିଆ କ୍ରିୟା 'ଗୁଡ଼ାଇଵା'ରୁ ଏହି ଗୁଡ଼ି ଶବ୍ଦଟି ସୃଷ୍ଟି ହୋଇଥିଵ । ଭାଷାକୋଷରେ ଗୁଡ଼ି ଶବ୍ଦର ଅନ୍ୟ ଏକ ଓଡ଼ିଆ ଅର୍ଥ ଏହି ସମ୍ଭାଵନାକୁ ସମର୍ଥନ ମଧ୍ୟ କରିଥାଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଆଗେ “ମସିଣା ଵା ମୁନ୍ଦୁରାର ଗୋଟା ଯାଇଥିଵା ଅଂଶକୁ ଗୁଡ଼ି କୁହାଯାଉଥିଲା” । 
ଓଡ଼ିଶାର ପଶ୍ଚିମାଞ୍ଚଳରେ ସେହିପରି ଗୁଡ଼ି ଶବ୍ଦର ଅନ୍ୟ ଅନେକ ଅର୍ଥରେ ପ୍ରୟୋଗ ରହିଛି । ଗଡ଼ଜାତର କେତେକ ଅଞ୍ଚଳରେ
ଗଛରୁ ଫଳ ତୋଳିଵା ପାଇଁ ଵ୍ୟଵହୃତ ଆଙ୍କୁଡ଼ିକୁ ଗୁଡ଼ି କୁହନ୍ତି ଏଵଂ ଏହା ସେହି ଆଙ୍କୁଡ଼ା ଵା ଆଙ୍କୁଡ଼ି ଶବ୍ଦର ପରିଵର୍ତ୍ତିତ ରୂପ । ସେହିପରି ପତଙ୍ଗ ଡୋରିକୁ ମଧ୍ୟ ଗଡ଼ଜାତରେ ଗୁଡ଼ି କୁହାଯାଏ ଏଵଂ ଏହି ଅର୍ଥଟି ଗୁଡ଼ାଇଵା କ୍ରିୟା ଶବ୍ଦ ସହିତ ସମ୍ପର୍କିତ ହୋଇଥିଵା ସମ୍ଭଵ କାରଣ ଗୁଡ଼ିର ଡୋରି ସବୁବେଳେ ଗୁଡ଼େଇ ହୋଇ ରହିଥାଏ ଏଵଂ ଗୁଡ଼ି ଉଡ଼ାଉଥିଵା ଵ୍ୟକ୍ତି ନିଜ ଇଚ୍ଛା ଅନୁସାରେ ସେହି ଗୁଡ଼ା ହୋଇଥିଵା ଡୋରିକୁ ଫିଟାଏ କିମ୍ବା ଗୁଡ଼ାଇଥାଏ । 

ପୁଣି ଢେଙ୍କାନାଳ ଆଦି ଗଡ଼ଜାତ ଜିଲ୍ଲା ସମୂହ, ମୟୂରଭଞ୍ଜ ଓ ବାଲେଶ୍ଵର ଇତ୍ୟାଦି ଜିଲ୍ଲାରେ ‘ଗୋଡ଼ି’ ଶବ୍ଦଟି ‘ଗୁଡି଼’ ରୂପେ ପ୍ରଚଳିତ । ଏହି ଗୁଡ଼ି ଓ ଗୋଡ଼ି ଶବ୍ଦଦ୍ଵୟ ତତ୍ସମ ଗୁଟିକା ସହିତ ସମୋଦ୍ଧୃତ ହୋଇଥିଵା ସମ୍ଭଵ । 
ଓଡ଼ିଆ ପ୍ରତ୍ୟୟ ‘ଗୁଡ଼ା’ର ଏକ ରୂପ 'ଗୁଡ଼ି' ବୋଲି ଭାଷାକୋଷରେ ଲେଖାଯାଇଛି । 
ତେବେ ଭାଷାକୋଷରୁ ଜଣାଯାଏ ଯେ ଗଡ଼ଜାତ ଵିଶେଷତଃ ଅଵିଭକ୍ତ ସମ୍ବଲପୁର ଜିଲ୍ଲାରେ ‘ଗୁଡ଼ି’ ଶବ୍ଦଟି ଆଉ ଦୁଇଗୋଟି ସ୍ଵତନ୍ତ୍ର ଅର୍ଥରେ ପ୍ରୟୋଗ କରାଯାଏ । ପ୍ରଥମତଃ ‘ସଭା,ଆଲୋଚନାଚକ୍ର’କୁ ଗୁଡ଼ି କୁହାଯାଏ ଏଵଂ ଗ୍ରାମର ଯେଉଁ ଗୃହରେ ଏହି ସଭା କରାଯାଏ ତାକୁ ଗୁଡି଼ଘର କହିଥାଅନ୍ତି । ”ଆଜି ଗ୍ରାମପଞ୍ଚଙ୍କର ଗୁଡ଼ି ବସିଛି” କହିଵାର ଅର୍ଥ ଆଜି ଗ୍ରାମପଞ୍ଚମାନଙ୍କର ସଭା ବସିଅଛି ‌। ଏହି ‘ଗୁଡ଼ି’ ଶବ୍ଦଟି ତତ୍ସମ 'ଗୋଷ୍ଠୀ' ସହିତ ସମୋଦ୍ଧୃତ ଯହିଁରୁ ଅନ୍ୟ ଏକ ଦିଗରେ ଗୋଠ,ଗୁଠ ଭଳି ଶବ୍ଦ ମଧ୍ୟ ସୃଷ୍ଟି ହୋଇଛି । 
ବହୁଲୋକଙ୍କ ସମାଗମସ୍ଥାନ,ସଭାସ୍ଥଳ,
ଦଳ,ପରିଵାରବର୍ଗ,ଜ୍ଞାତି,ଜାତି; ବଂଶ; କୁଳ,ମିଳନ ସଭା; ମେଳା ଓ ସଂଳାପ ଅର୍ଥରେ ଗୋଷ୍ଠୀ ଶବ୍ଦର ପ୍ରୟୋଗ କରାଯାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ । ପୁନଶ୍ଚ ଓଡ଼ିଶାର ପଶ୍ଚିମାଞ୍ଚଳରେ ମନ୍ଦିରକୁ ମଧ୍ୟ ଗୁଡ଼ି କୁହାଯାଏ । ସମ୍ବଲପୁରୀ ଶୈଳୀ ଛଡ଼ା ଓଡ଼ିଶାର ଗଡ଼ଜାତରେ ପ୍ରଚଳିତ ଦ୍ରାଵିଡ଼ ଭାଷାଗୋଷ୍ଠୀର ଖଡ଼ିଆ ଭାଷାରେ ମନ୍ଦିରକୁ 'ଗୁଡି଼' ,ଗୋଣ୍ଡୀ ଭାଷାରେ ଗୁଡ୍ଡି଼,ବିନଝାଲ୍ ଭାଷାରେ ଗୁଁଡି଼ ଓ କୋୟା ଭାଷାରେ 'ଗୁଡ଼ଇ' କୁହାଯାଏ । 

ପ୍ରକୃତରେ ମନ୍ଦିର ଅର୍ଥଜ ଏହି ‘ଗୁଡ଼ି’ ଶବ୍ଦଟି ଦ୍ରାଵିଡ଼ ଭାଷାପରିଵାର ମୂଳର ଶବ୍ଦ ଅଟଇ । ଅଵଶ୍ୟ ଭାରୋପୀୟ ଭାଷାପରିଵାରର ଜର୍ମାନିକ୍ ଭାଷାସମୂହର ଭାଷା Gothic ଭାଷାରେ ଆଗେ ଦେଵସ୍ଥଳୀକୁ 𐌲𐌿𐌳𐌷𐌿𐍃 n (gudhus) କୁହାଯାଉଥିଲା ଏଵଂ ଏହାର ମୂଳ ଭାରୋପୀୟ ଧାତୁରୂପ ǵʰutós ଅଟେ ଯହିଁ ସହିତ ଭାରତୀୟ ହୁତ, ଆହୁତି ଆଦି ଶବ୍ଦର ସଗୋତ୍ରୀୟ ସମ୍ପର୍କ ଅଛି ।‌ କିନ୍ତୁ ଓଡ଼ିଶାର ପଶ୍ଚିମାଞ୍ଚଳରେ ମନ୍ଦିରକୁ ବୁଝାଉଥିଵା 'ଗୁଡି଼' ଶବ୍ଦଟି ଦ୍ରାଵିଡ଼ ଭାଷାପରିଵାର ମୂଳର ଶବ୍ଦ ହୋଇଥିଵାର ସମ୍ଭାଵନା ଅଧିକ କାରଣ ଵିଭିନ୍ନ ଦ୍ରାଵିଡ଼ ଭାଷାରେ ମନ୍ଦିରକୁ 'ଗୁଡ଼ି' ଇତ୍ୟାଦି କୁହାଯାଇଥାଏ ।‌

T. Burrow, ଓ B. Emeneauଙ୍କ ଦ୍ଵାରା ସଂକଳିତ “A Dravidian etymological dictionary”ରୁ ଜଣାଯାଏ ଯେ ତାମିଳ ଭାଷାରେ ମନ୍ଦିରକୁ kuṭikai କୁହାଯାଏ । 
ଅନ୍ୟ ଏକ ଦ୍ରାଵିଡ଼ ଭାଷା ‘Kota ଵା କୋଟା’ରେ ସେହିଭଳି ମନ୍ଦିରକୁ kuṛjl ଓ guṛy କୁହାଯାଉଛି ।‌ ଦ୍ରାଵିଡ଼ ଭାଷା todaରେ ମଧ୍ୟ ହିନ୍ଦୁ ମନ୍ଦିରକୁ kuṛy କୁହାଯାଏ ବୋଲି ଏ ଅଭିଧାନରେ ଉଲ୍ଲେଖ ଅଛି । କନ୍ନଡ଼ ଭାଷାଭାଷୀ ଗୃହ ଓ ମନ୍ଦିରକୁ guḍi କହୁଥିଵା ଏ ଅଭିଧାନରେ ଲେଖାଅଛି । ତାମିଲନାଡୁର ସୀମାନ୍ତ ଅଞ୍ଚଳରେ ବୋଲାଯାଉଥିଵା ତୁଲୁ ଭାଷାରେ ବି ମନ୍ଦିରକୁ guḍi କୁହାଯାଏ । ଅନ୍ୟତମ ଦ୍ରାଵିଡ଼ ଭାଷା କୋଲାମୀ(kolami)ରେ ମନ୍ଦିରକୁ guḍī,guḍi,guṛi ଓ guḍḍī କୁହାଯାଏ ବୋଲି ଏହି ଅଭିଧାନରେ ଲେଖାଯାଇଛି । 

ଏସମସ୍ତ ମନ୍ଦିର ଅର୍ଥଜ ‘ଗୁଡ଼ି’ ସମାର୍ଥକ ସଗୋତ୍ରୀୟ ଦ୍ରାଵିଡ଼ ଶବ୍ଦଗୁଡି଼କର ମୂଳ ଦ୍ରାଵିଡ଼ ଧାତୁରୂପ ହେଉଛି ‘kō’ ଯହିଁର ମୂଳ ଅର୍ଥ ଥିଲା ରାଜା,ଦେଵତା,ଘର,ମୁଖିଆ ଓ ପର୍ଵତ । ଏହି ମୂଳ ପ୍ରାକ୍ ଦ୍ରାଵିଡ଼ ‘kō’ ଶବ୍ଦରୁ ଗୋଟିଏ ପଟେ ଗୁଡ଼ି ଭଳି ଶବ୍ଦ ସୃଷ୍ଟି ହୋଇଥିଲାବେଳେ ଅନ୍ୟ ଏକ ଦିଗରେ 
ତାମିଳରେ கோயில்(kōyil), ତେଲୁଗୁରେ కోవెల (kōvela) ଓ కోయిల (kōyila), ମଳୟାଳ଼ମରେ കോയിൽ (kōyil) ଓ കോവിൽ (kōvil) ଆଦି ଶବ୍ଦ ସୃଷ୍ଟି ହୋଇଛି ଏଵଂ ମନ୍ଦିର ଅର୍ଥରେ ପ୍ରୟୋଗ କରାଯାଉଛି। 
ପୁଣି ଆଉ ଏକ ଦିଗରେ ସଂସ୍କୃତ ଭାଷାରେ ଏହି ମୂଳ ଦ୍ରାଵିଡ଼ ଶବ୍ଦଟି କୁଟୀ, କୁଟୀର, କୁଟୁମ୍ବ ରୂପେ ଯଥାକ୍ରମେ ଗୃହ,କୁଳ ଅର୍ଥରେ ଗୃହୀତ ହୋଇଥିଲା ବେଳେ ଓଡ଼ିଆଭାଷାରେ କୁଡ଼ିଆ ଓ କୁର୍ହିଆ(ଢେଙ୍କାନାଳୀ) ରୂପେ ମଧ୍ୟ ପ୍ରଚଳିତ ହୋଇଅଛି । ହିନ୍ଦୀ ଭାଷାରେ ମଧ୍ୟ ପ୍ରଚଳିତ କୁନଵା ଶବ୍ଦଟି ମୂଳତଃ ଦ୍ରାଵିଡ଼ ଭାଷା ପରିଵାରର ମୂଳ ଧାତୁରୂପ ‘kō’ ସହିତ ସମୋଦ୍ଧୃତ କୁଟୁମ୍ବ ଶବ୍ଦର ଏକ ଆଧୁନିକ ରୂପ ଅଟଇ ‌। କୁଈଭାଷାରେ ମଧ୍ୟ ଗୃହର ମଧ୍ୟଭାଗ, କ୍ଷୁଦ୍ର ଵାସଗୃହକୁ guḍi କୁହାଯାଏ,ଛୋଟ ପାହାଡ଼କୁ କୂପ୍ଡା କୁହାଯାଏ, ପତ୍ନୀକୁ କୁଡ଼ା ଓ କୁକୁଡ଼ା ବତକ ତଥା କୁକୁର ଆଦି ରଖିଵା ପାଇଁ କରାଯାଉଥିଵା ଛୋଟ ଘରକୁ ଗୁଡ଼ା କୁହାଯାଏ। ତେବେ ଓଡ଼ିଶାର ପଶ୍ଚିମାଞ୍ଚଳରେ ପ୍ରଚଳିତ ଖଡ଼ିଆ,ଗୋଣ୍ଡୀ,ବିନଝାଲ ଓ କୋୟା ଭଳି ଦ୍ରାଵିଡ଼ ଭାଷାରେ ଯଥାକ୍ରମେ 'ଗୁଡି଼' , 'ଗୁଡ୍ଡି଼','ଗୁଁଡି଼' ଓ 'ଗୁଡ଼ଇ' ଆଦି ଶବ୍ଦ ମନ୍ଦିର ଅର୍ଥରେ ଵ୍ୟଵହାର କରାଯାଉଥିଵାରୁ ତଥା କର୍ଣ୍ଣାଟକ,ତାମିଳନାଡ଼ୁ ,କେରଳ ଓ ଆନ୍ଧ୍ରପ୍ରଦେଶର ଵିଭିନ୍ନ ଦ୍ରାଵିଡ଼ ଭାଷାରେ ଗୁଡ଼ି ଶବ୍ଦ ସହିତ ସମୋଦ୍ଧୃତ ମନ୍ଦିର ଅର୍ଥଜ ଶବ୍ଦ ପ୍ରଚଳିତ ଥିଵାରୁ ସ୍ପଷ୍ଟ ହୁଏ ଯେ ଏହି ଦେଉଳ ଅର୍ଥରେ ପ୍ରୟୋଗ କରାଯାଉଥିଵା ଗୁଡ଼ି ଶବ୍ଦଟି ଦ୍ରାଵିଡ଼ ଭାଷାପରିଵାର ମୂଳର ଶବ୍ଦ ଅଟେ । 

ଅସ୍ତୁ ଆମେ ସମସ୍ତେ ଜାଣନ୍ତି ଯେ ମନ୍ଦିର ଉପରେ ଯେଉଁ ନେତ ଵା ବାନା ଉଡ଼େ ତାହା କନାର ହୋଇଥାଏ ଏଵଂ ଆକାଶରେ ଉଡ଼ୁଥିଵା ଗୁଡ଼ିର ଲାଞ୍ଜ ଭଳି ଏହାର ମଧ୍ୟ ଲାଞ୍ଜ ରହିଥାଏ । ତେଣୁ ହୁଏତ ପତଙ୍ଗ ଅର୍ଥରେ ଵ୍ୟଵହୃତ ଗୁଡ଼ି ଶବ୍ଦଟି ଏହି ମନ୍ଦିର ଅର୍ଥଜ 'ଗୁଡ଼ି'ରୁ ସୃଷ୍ଟି ହୋଇଥାଇପାରେ ବୋଲି ମଧ୍ୟ ଗୋଟିଏ ଅନୁମାନ କରାଯାଇପାରେ ‌।

ସେ ଯାହାହେଉ ଓଡ଼ିଶାରେ Paper kite ଵା ପତଙ୍ଗ ଅର୍ଥରେ ଅନେକ ଶବ୍ଦ ଵିଭିନ୍ନ ଅଞ୍ଚଳର କଥିତ ଭାଷାରେ ତଥା ଓଡ଼ିଆ ସାହିତ୍ୟରେ ପ୍ରୟୋଗ କରାଯାଏ । ଉଦାହରଣ ସ୍ୱରୂପ ଓଡ଼ିଆ ସାହିତ୍ୟରେ Paper kite ପାଇଁ କାଗଜ ଚକି ଓ 
କାଗତଚକି ଶବ୍ଦ ପ୍ରୟୋଗ କରାଯାଇଛି। କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ ଲାଵଣ୍ୟଵତୀ କାଵ୍ୟରେ କାଗତଚକି ଶବ୍ଦର ପ୍ରୟୋଗ କରିଵାକୁ ଯାଇ ପଦେ ଲେଖିଛନ୍ତି 

“ସପ୍ରେମ ନୟନ ସେହି ଦିଗକୁ ଟେକି,
ନିରେଖେ କାଗତଚକି ଯଥା କୁତୁକୀ।”

ଚକ୍ର ଶବ୍ଦ ମଧ୍ୟ ଓଡ଼ିଆ ସାହିତ୍ୟରେ ଗୁଡ଼ି ଅର୍ଥରେ ଵ୍ୟଵହାର କରାଯାଇଛି ବୋଲି ଭାଷାକୋଷରେ ଉଲ୍ଲେଖ କରାଯାଇଥିଵା ଏହି ପଦରୁ ଜଣାଯାଏ

“ଚକ୍ର ପ୍ରାୟ ମୋତେ ଉଡ଼ାଇ ଗଗନେ,
 ଛାଡ଼ି ଦେଇ କଲୁ ହେଳା ଗୋ।” (ଲାଵଣ୍ୟନିଧି)

ସେହିପରି ଓଡ଼ିଆ ସାହିତ୍ୟରେ ପତଗ, ପତଙ୍ଗ,ଶଲାଙ୍କୀ

ପୁରୀ ଓ ଏହାର ଆଖପାଖ ଅଞ୍ଚଳର କଥିତ ଓଡ଼ିଆ ଭାଷାରେ ଗୁଡ଼ିକୁ ଚକି କୁହାଯାଏ ଏଵଂ ଏହା ସେହି ଚକ୍ର ଶବ୍ଦ ସହିତ ସମୋଦ୍ଧୃତ ବୋଲି ସ୍ପଷ୍ଟ ଜଣାପଡ଼ୁଛି ।ଗଞ୍ଜାମର କଥିତ ଓଡ଼ିଆ ଭାଷାରେ ଗାଲିପାଗଡ଼ା ଓ ଘିଁ ଶବ୍ଦଦ୍ଵୟ ଗୁଡ଼ି ଅର୍ଥରେ ଵ୍ୟଵହାର କରାଯାଏ । ସିଂହଭୂମିରେ ଆଗେ Paper kiteକୁ ଚଙ୍ଗ ତଥା କଟକାଞ୍ଚଳରେ ଲମ୍ବ କୁବ୍ଜପୃଷ୍ଠ କାଗଜର ଏକ ଜାତୀୟ ଗୁଡ଼ିକୁ ଚେଙ୍ଗ କୁହାଯାଉଥିଲା ବୋଲି ମଧ୍ୟ ଭାଷାକୋଷରୁ ଜଣାଯାଏ । ସେହି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ପୁଣି ଓଡ଼ିଶାର ପଶ୍ଚିମାଞ୍ଚଳରେ ପତଙ୍ଗ ଶବ୍ଦ ମୂଳର ପତାଙ୍ଗି ଶବ୍ଦଟି ଗୁଡ଼ି ଅର୍ଥରେ ଵ୍ୟଵହାର କରାଯାଏ ବୋଲି ଉଲ୍ଲେଖ ରହିଛି । 
ଓଡ଼ିଶାର ଗଡ଼ଜାତରେ ସଭା,ସଭାଗୃହ,ଗୋଡ଼ି(ଗୁଟିକା), ମନ୍ଦିର ଓ ଆଙ୍କୁଡ଼ି ଆଦି ଅର୍ଥରେ 'ଗୁଡ଼ି' ଶବ୍ଦର ପ୍ରୟୋଗ ରହିଥିଵାରୁ ଵିଶେଷତଃ ମନ୍ଦିର ଅର୍ଥରେ ଗୁଡ଼ି ଶବ୍ଦର ଵ୍ୟଵହାର ପ୍ରଚଳନ ଥିଵାରୁ ହୁଏତ ସ୍ଥାନୀୟ ଲୋକେ Paper Kite ଵା ପତଙ୍ଗ ଅର୍ଥରେ ପତଙ୍ଗ ଶବ୍ଦର ଵ୍ୟଵହାର କରିଥିବେ ଯାହା ପରେ ପତାଙ୍ଗି ହୋଇଅଛି । 

କିନ୍ତୁ ଭାରତ ଛଡ଼ା ଆଉ କେତେକ ଭାଷାରେ ବି Paper kiteକୁ ଗୁଡ଼ି କୁହାଯାଏ ବୋଲି ଅନ୍ତର୍ଜାଲରୁ ଜଣାପଡ଼ିଛି । ଉଦାହରଣ ସ୍ୱରୂପ ମାଲେସିଆ ଓ ଇଣ୍ଡୋନେସିଆର Iban ଭାଷାରେ ପତଙ୍ଗକୁ gudi ଓ gegudi କୁହନ୍ତି। ରୋହିଙ୍ଗ୍ୟା ଭାଷାରେ ସେହିପରି ପତଙ୍ଗକୁ góndhi କୁହାଯାଏ । ମାଲେସିଆ ଇଣ୍ଡୋନେସିଆ ଓ ଫିଲିପାଇନସରେ ବୋଲାଯାଉଥିଵା sama-Bajaw ଭାଷାରେ ପତଙ୍ଗକୁ saligundi' ଓ selegundi' କୁହାଯାଏ । ତେବେ ପତଙ୍ଗ ଅର୍ଥରେ ଏହି ଭାଷାଗୁଡ଼ିକରେ ଵ୍ୟଵହୃତ ଶବ୍ଦଗୁଡ଼ିକର ଭାରତୀୟ ଗୁଡ଼ି ଵା ଗୁଡ୍ଡି ଶବ୍ଦ ସହିତ କୌଣସି ସମ୍ପର୍କ ଅଛି କି ନାହିଁ ତାହା ଅସ୍ପଷ୍ଟ । ମୋଟ୍ ଉପରେ କହିଵାକୁ ଗଲେ ଗୁଡ଼ି ଶବ୍ଦଟି ଵିଵାଦୀୟ ନୁହେଁ କି କେବେ ନଥିଲା । ଵରଂ ଗୁଡ଼ି ଶବ୍ଦଟି ଗୋଟିଏ ବହୁ ଅର୍ଥଜ ଓଡ଼ିଆ ଶବ୍ଦ । କିଛି ଲୋକ ଅଯଥା 'ଗୁଡ଼ି' ଭଳି ଶବ୍ଦକୁ ଧରି ଆଞ୍ଚଳିକ ଦ୍ଵେଷ ଵିଦ୍ଵେଷ ସୃଷ୍ଟି କରିଵାକୁ ଚେଷ୍ଟା କରନ୍ତି ତେବେ ସେମାନେ ଜାଣିରଖିଵା ଉଚିତ୍ ଯେ ଗୋଟିଏ ଶବ୍ଦର ଵ୍ୟୁତ୍ପତ୍ତି ଇତିହାସ ସବୁବେଳେ ପ୍ରାଥମିକ ମହତ୍ତ୍ଵ ରଖେ । ତେଣୁ ଦେଶୀୟ ଶବ୍ଦକୁ ଧରି ଆମର ତମର ନକରି ସେହି ଶବ୍ଦଗୁଡ଼ିକୁ ଵ୍ୟଵହାର କରି ତାକୁ ଆପଣାଇ ନୂତନ ସାହିତ୍ୟ ସର୍ଜନା କରିଵା ସର୍ଵୋତ୍ତମ ଅଟେ । 
 
•••••••••••••••••••••••••••
ତଥ୍ୟ ଉତ୍ସ : 
•ପୂର୍ଣ୍ଣଚନ୍ଦ୍ର ଭାଷାକୋଷ(ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜ)
• A comparative dictionary of Indo-Aryan languages(Sir. Ralph Lilley Turner)
•हिन्दी शब्दसागर(श्यामसुंदर दास)
•A comparative and etymological dictionary of the Nepali language(Sir. Ralph Lilley Turner)
•A Dravidian etymological dictionary(T. Burrow, ଓ B. Emeneau)
•କଥିତ ଓଡ଼ିଆ ଶବ୍ଦ କୋଷ (ଓଡ଼ିଆ ଭାଷା ପ୍ରତିଷ୍ଠାନ)
•କୁଈ ଓଡ଼ିଆ ଶବ୍ଦକୋଷ (ଭାରତ ସରକାରଙ୍କ ଦ୍ଵାରା ପ୍ରକାଶିତ)
କୁଈ ଭାଷା ଵିଷୟରେ ସାହାଯ୍ୟ: Simanchal Rana ଭାଇ 
••••••••••••••••••••••••••

Tuesday, February 6, 2024

ଉତ୍କଳୀୟ ସମାଜରେ ଡାକ ନାମ

କଵିଵର ରାଧାନାଥ ରାୟ ତାଙ୍କ‘ଦରବାର’ କାଵ୍ୟରେ ସାମନ୍ତ ଚନ୍ଦ୍ରଶେଖରଙ୍କ ଉଦ୍ଦେଶ୍ୟରେ ସମ୍ମାନ ଜଣାଇ ଗାଇଛନ୍ତି 

“ଗୋଦାଵରୀଠାରୁ ଗଙ୍ଗାଯାଏ ଵ୍ୟାପୀ
କୀର୍ତ୍ତିମାଳା ଯା’ର ଵିରାଜେ ଅଦ୍ୟାପି
ଏକାମ୍ରେ କୋଣାର୍କେ ଯା’ କୀର୍ତ୍ତି ଭାସ୍ଵର
ଯୋଗ୍ୟପୁତ୍ର ତୁମ୍ଭେ ସେହି ଉତ୍କଳର।”

ସାମନ୍ତ ଚନ୍ଦ୍ରଶେଖରଙ୍କୁ ଆମେ ପଠାଣି ସାମନ୍ତ ଭାବେ ଜାଣନ୍ତି କିନ୍ତୁ ତାଙ୍କର ପୂରା ନାମଟି ହେଲା ମହାମହୋପାଧ୍ଯାୟ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ସାମନ୍ତ । ତେବେ ତାଙ୍କର ଡାକନାମ ପଠାଣି କାହିଁକି ହେଲା ? 

ଓଡ଼ିଶାରେ କେଵଳ ସେ ହିଁ ନୁହନ୍ତି ଅନେକ ଲୋକଙ୍କୁ ଆଗେ ପଠାଣି ନାମ ଦିଆଯାଉଥିଲା । କିନ୍ତୁ ଆଜିକାଲି ଆଉ କେହି ଏଭଳି ନାମକୁ ମରହଟିଆ ଭାବି ଦେଉନାହାନ୍ତି । ପ୍ରକୃତରେ ଆଗେ ଅପର୍ତ୍ତିଆଣିମାନଙ୍କୁ ପଠାଣି ଭଳି ଅନେକ ନାଆଁ ଦିଆଯାଉଥିଲା । ଫଳତଃ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ପଠାଣି ସାମନ୍ତଙ୍କ ଵିଷୟରେ ଲେଖାଅଛି ଯେ “ସେ ଅପର୍ତ୍ତିଆଣି ଥିଵାରୁ ପିତାମାତା ଶିଶୁକୁ ପଠାଣି ନାମ ଦେଇଥିଲେ।” ଅପ୍ରତ୍ୟୟରୁ ଅପର୍ତ୍ତିଆଣୀ ଶବ୍ଦର ସୃଷ୍ଟି । ଯାହାଠାରେ ବଞ୍ଚିଵାର ପ୍ରତ୍ୟୟ ଵିଶ୍ୱାସ ନ ଥାଏ ତାକୁ ଏ ଦେଶରେ ଅପ୍ରତ୍ୟୟ କୁହାଯାଉଥିଲା । ପରେ ଏ ଶବ୍ଦ ଓଡ଼ିଆ ଭାଷାରେ ଅପର୍ତ୍ତି ଓ ଅପର୍ତ୍ତିଆଣି ହୋଇଛି । 
ଯେଉଁ ପିଲାର ଉପର ଭାଇ ଵା ଭଉଣୀ ମରିଯାଇଥାନ୍ତି ତାକୁ ମଧ୍ୟ ଯମ ଭୟରେ ଲୋକେ ଏଭଳି ଗୋଟିଏ ନାମ ଦେଉଥିଲେ । ଆଗେ ଓଡ଼ିଶାରେ ଲୋକଵିଶ୍ଵାସ ପ୍ରଚଳିତ ଥିଲା ଯେ ଏଭଳି ନାମକରଣ ଦ୍ଵାରା ଅପର୍ତ୍ତିଆଣୀ ପିଲାକୁ ଯମ ଘୃଣା କରି ଛାଡ଼ି ଯିଵ । ତେଣୁ ଏହି ଉଦ୍ଦେଶ୍ୟରେ ପିତା ମାତା ସେମାନଙ୍କର ଗୋଟିଏ ଗୋଟିଏ ଘୃଣ୍ୟ ନାମ ଦେଉଥିଲେ । କେହି କେହି ଶିଶୁର ଜନ୍ମମାତ୍ରେ ତାହାକୁ କୌଣସି ଦେବତାଙ୍କୁ ଦାନ କରି ଦିଅନ୍ତି। ପରେ ପିଲା ନ ମରି ବଞ୍ଚି ଗଲେ ପିଲାର ଵ୍ରତ ଵା କାନ ଫୋଡ଼ା ବେଳେ କିଛି ଧନ ଦେଇ ପୁଣି ପିଲାକୁ ଦେଵତାଙ୍କଠାରୁ କିଣି ଆଣନ୍ତି। ଅପର୍ତ୍ତିଆଣୀ ପିଲାଙ୍କର ଜନ୍ମ ପରେ ନାକ ଫୋଡ଼ି ଦେଵାର ପ୍ରଥା ଓଡ଼ିଶାରେ ପ୍ରଚଳିତ ଥିଲା । କେତେକ ଜଣାଶୁଣା ଓଡ଼ିଆ ଅପର୍ତ୍ତିଆଣି ନାମଗୁଡ଼ିକ ହେଲା :

ଅକାରଣ,ଅଗାଧୁ,ଅଜୀଵ,ଅଧୁଆ,ଅରୁଚା,ତିକଡ଼ି,ଦୁଃଖା,ଅଶାନ୍ତି,ଧଡ଼ି,କାଠି,ମାଗତା,ମାଗନ୍ତା,ଭାଲୁ,ହାତୀ,ମାଗୁଣି,ଲଣ୍ଡା(ନଣ୍ଡା),ଶୁଖା,ଶୁକରା,ଶୂକୁରୀ,ଶେନ୍ତା,ଶେନ୍ତେଇ,ଶେନ୍ତେରା,ଅଜି,ଅପ,କାଙ୍ଗାଳ,ଗୁହିଆ,ଧୋବଣୀ,ଦୁଃଖୀ,ଧୋବା,ନକଡ଼ି,ଛକଡ଼ି,ନିମେଇ,ପଞ୍ଚୁ,ପଞ୍ଚୀ,ପଞ୍ଚେଇ,ପାଣୁ,ପାଲୁଣୀ,ଫକୀର,ଫକୀରୀ,ବାଉରି,ଭିକାରୀ,ମାଗୁଣିଚରଣ,ମିଛି,ମିଛୁ,ଶୁକୀ,ହଗୁରା,ହାଡ଼ି,ଗଜି,ନିଆସି,ହୀନ,ଅପର୍ତ୍ତି,ଅପର୍ତ୍ତିଆ, ହାଡ଼ିଆ, କେଳା,କଣ୍ଡୁରିଆ,ବିଲେଇ,ଭାଲୁଆ ,ପଠାଣି,ଝରା,ବଗା,କନ୍ଧ,ଗୋଵରା,ଗୁବୁରି,ପଠାଣିଆ,ଦିକଡ଼ିଆ,ହଡ଼ା,ଦୁଃଖା,ଅଲା,କଲେଇ,ବେଙ୍ଗ,ଛକଡ଼ିଆ,ଫକୀର,ଗୁହିଆ,କିଣା,ବିକା,କିଣୀ,ବିକୀ,ପାଲୁଣୀ ଓ ହାଡ଼ିଆଣୀ ଇତ୍ୟାଦି । 

ଓଡ଼ିଶାରେ ଅନେକ ପ୍ରସିଦ୍ଧ ଵ୍ୟକ୍ତିଙ୍କର ଅପର୍ତ୍ତିଆଣି ନାମଗୁଡ଼ିକ ରଖାଯାଇଥିଲା ।‌ ଉଦାହରଣ ସ୍ୱରୂପ ଫକୀରମୋହନ ସେନାପତି, ଭିକାରୀ ବଳ, ଭିକାରି ଚରଣ ପଟ୍ଟନାୟକ,ବାଉରି ବନ୍ଧୁ କର ଓ ମାଗୁଣି ଚରଣ କୁଅଁର ଇତ୍ୟାଦି । ତେଣୁ ଓଡ଼ିଶାରେ ଅପର୍ତ୍ତିଆଣୀମାନଙ୍କର ପ୍ରକୃତ ନାମକୁ ଯମଠାରୁ ଲୁଚାଇ ରଖିଵା ଆଶାରେ ସେମାନଙ୍କୁ ଏଭଳି ଡାକନାମ ଦିଆଯିଵାର ପରମ୍ପରା ପ୍ରଚଳିତ। 

କିନ୍ତୁ ଓଡ଼ିଶାରେ କେଵଳ ଯେ ଅପର୍ତ୍ତିଆଣି ପିଲାଙ୍କୁ ଏଭଳି ଡାକ ନାମ ଦିଆଯାଉଥିଲା ତାହା ନୁହେଁ ଅନେକ ପିଲାଙ୍କୁ ଲୋକେ ସ୍ନେହରେ ନାନା ଡାକନାମ ଦେଉଥିଲେ ପୁଣି କେତେକ ଡାକନାମ ପିଲାଙ୍କ ରୂପ,ରଙ୍ଗ,ସ୍ଵଭାଵ ଓ ସେମାନଙ୍କ ଆକାରକୁ ଦୃଷ୍ଟିରେ ରଖି ମଧ୍ୟ ରଖାଯାଉଥିଲା । ଏହିଭଳି କେତେକ ନିଚ୍ଛକ ଓଡ଼ିଆ ଡାକନାମ ହେଲା : ଫାପୁଲା,ଫାପୁଲି,କଇରି,ଢମା,ଟିମା,ଚେମା,ଚେମି,ଚାରିଆଖିଆ,ଖୁଜାରୀ,ଅହଲି,ନିହଲି,ଚୁଇଁ,ସାନ,ଚେଇଁଆ,କୁନି,ଟୁଆଁ,ଟୁଇଁ, ବିଲେଇ,କାଳିଆ,ଟମା,କାଲା ଓ ଛୋଟା ଇତ୍ୟାଦି । ଆଉ କେତେକ ଡାକନାମଗୁଡ଼ିକ ମୂଳ ତତ୍ସମ ନାମଗୁଡ଼ିକୁ ସଂକ୍ଷିପ୍ତ କରି ମଧ୍ୟ ଓଡ଼ିଶାରେ ରଖାଯାଇଥାଏ । ଯଥା : ଅକୁର ଓ ଅଙ୍କୁର(ଅର୍କୂର),ଅଚ୍ୟୁତ(ଅଚ୍ୟୁତାନନ୍ଦ),ଅଦେଈ(ଅଦୈତ),ଅନନ୍ତା(ଅନନ୍ତ),ଅନା,ଅନାଦି,ଅନାମ,ଅନି,ଅଭି(ଅଭିରାମ, ଅଭିମନ୍ୟୁ ଵା ଅଭୟଚରଣ),ଆର୍ତ୍ତି(ଆର୍ତ୍ତବଲ୍ଲଭ, ଆର୍ତ୍ତତ୍ରାଣ),ସନ୍ତ,ସନ୍ତୁ,ସନ୍ତଷ୍,ସନ୍ତିଆ,ସନ୍ତୁଆ(ସନ୍ତୋଷ),ଉଜି(ଉଜ୍ଜଳମଣୀ),ଏକାଦଶିଆ,ଏକେଇ(ଏକାଦଶୀ),କପିଳା(କପିଳ),କମଳି(କମଳା),କଣ୍ଠ(ନୀଳକଣ୍ଠ),କାନ୍ତ(ରାଧାକାନ୍ତ, ଶ୍ୟାମାକାନ୍ତ, ଲକ୍ଷ୍ମୀକାନ୍ତ),କୁଶା ଓ କୁଷ୍ଟଁ(କୃଷ୍ଣ),ଖତି(କ୍ଷେତ୍ରମଣି),ଖତୁଆ,ଖେତରା(କ୍ଷେତ୍ରଵାସୀ,କ୍ଷେତ୍ରମୋହନ),ତ
ଚଇତନ,ଚଇତନିଆ(ଚୈତନ୍ୟ),ଚମ୍ପାଇ ଓ ଚମ୍ପେଇ(ଚମ୍ପା),ଚିତିରା(ଚିତ୍ରା,ଚିତ୍ରାନନ୍ଦ),ଜଇ,ଜଇଆ ଵା ଜୟୀ(ଜୟକୃଷ୍ଣ),ଦନୁ(ଜନାର୍ଦ୍ଦନ),ଦାମା(ଦାମୋଦର),ଦିନ ଓ ଦିନୁ(ଦିନବନ୍ଧୁ),ଦିବା ଓ ଡିବା(ଦିଵାକର),ଦିବ,ଦୁବା ଓ ଦିରିବ(ଦିଵ୍ୟସିଂହ),ଦୁଶା ଓ ଧୁଶା(ଦୁଃଶାସନ),ଧନୀ(ଧନେଶ୍ୱର ଓ ଧନେଶ୍ୱରୀ),ନଗା ଓ ନାଗା(ନଗେନ୍ଦ୍ର),ନନ୍ଦା(ନନ୍ଦ),ନର(ନରୋତ୍ତମ),ନିରା,ନୀଳ ଵା ନୀଳା(ନୀଳମଣୀ),ନେତା,ନେତେରା ଓ ନେତ(ନେତ୍ରାନନ୍ଦ ଓ ନେତ୍ରମଣି),ପରି ଓ ପରିମି(ପରମାନନ୍ଦ),ପାର,ପାରା ଓ ପାରୀ(ପାର୍ଵତୀ),ପୀତ ଓ ପୀତୁ(ପୀତାମ୍ବର ଓ ପୀତାମ୍ବରୀ),ପୁନ , ପୁନା ଓ ପୁନି(ପୂର୍ଣ୍ଣଚନ୍ଦ୍ର,ପୂର୍ଣ୍ଣାନନ୍ଦ ଓ ଅନ୍ନପୂର୍ଣ୍ଣା),ବଇଦ(ଵୈଦ୍ୟନାଥ),ବଟ,ବଟୁଆ ଓ ବଟିଆ(ବଟକୃଷ୍ଣ),ବନି(ଵନମାଳୀ),ବଳିଆ(ବଳଭଦ୍ର),ବାଜୀ,ବାଜିଆ(ସତ୍ୟବାଦୀ, ବ୍ରଜବନ୍ଧୁ),ବାଲିଆ(ବାଳକୃଷ୍ଣ),ବୁରୁନ୍ଦା(ଵୃନ୍ଦାଵତୀ),ମଦନା(ମଦନ,ମଦନମୋହନ),ମନୁ(ଅଭିମନ୍ୟୁ),ମାଗା(ମାଗୁଣି),ରଙ୍ଗୀ ଓ ରଙ୍ଗିଆ(ରଙ୍ଗାଧର),ରତନୀ(ରତ୍ନା,ରତ୍ନମଣୀ),ରସା(ରସାନନ୍ଦ),ରାଜୁ,ରାଜା(ରାଜେଶ, ରାଜକିଶୋର),ରାଧୀ(ରାଧା),ରାମ(ରାମଚନ୍ଦ୍ର),ରାହାସ(ରାସଵିହାରୀ),ରେଵ(ରେଵତୀ),ଲାବୀ,ଲାବୁ ଓ ଲାବେନୀ(ଲାଵଣ୍ୟଵତୀ),ଲୋକନି,ଲୋକା(ଲୋକନାଥ),ଶକ୍ରା(ଶକ୍ର),ଶଚି(ଶଚୀନ୍ଦ୍ର),ଶିଵା(ଶିଵ),ଶୁକା,ଶୁକ(ଶୁକଦେଵ),ଶୁକୁରି, ଶୁକୁରୁ, ଶୁକୁରେଇ, ଶୁକ୍ରି, ଶୁକ୍ରୁ, ଶୁକ୍ରେଇ, ଶୁକୁରା; ଶୁକୁରିଆ, ଶୁକ୍ରିୟା, ଶୁକ୍ରା(ଶୁକ୍ର), ଶୁକୁରୀ. ଶୁକୁରେଈ, ଶୁକ୍ରୀ, ଶୁକ୍ରେଈ(ଶୁକ୍ରୀ),ସଇତ ଓ ସଇତୁ(ସତ୍ୟଵାଦୀ),ଶଙ୍କରା ଓ ଶଙ୍କରୁ(ଶଙ୍କର,ଶଙ୍କର୍ଷଣ),ସଦେଇ(ସଦାନନ୍ଦ,ସଦାଶିଵ),ସନା,ସନିଆ,ସନାଇ,ସନେଇ,ସନି, ସନୁ(ସନାତନ),ସବର,ସରବ(ସର୍ଵେଶ୍ଵର),ସାଦୀ(ସାଧଵୀ),ସିତୁ(ସୀତାରାମ),ସିଦା,ସିଦୁ,ସିଧୁ(ସିଦ୍ଧନାଥ, ସିଦ୍ଧେଶ୍ୱର),ସୁଦୁରା,ସୁଦୁରୀ(ସୁଦର୍ଶନ),ସୁନେଈ(ସୁନାମଣୀ),ହଟିଆ(ହଟ,ହଟକେଶ୍ବର),ହାଡି଼ଆ(ହାଡ଼ିବନ୍ଧୁ),ହାରା(ହାରାମଣୀ),ହୁରୀ(ହୃଷୀକେଶ),ହୁରୁଦା(ହୃଦାନନ୍ଦ),ହେମ ଓ ହେମା(ହେମପ୍ରଭା, ହେମଲତା, ହେମନ୍ତକୁମାରୀ, ହୈମଵତୀ) ଇତ୍ୟାଦି...

କନ୍ୟା ସନ୍ତାନର ଇଚ୍ଛା ନଥାଇ ଏକାଧିକ କନ୍ୟା ହେଲେ ସେମାନଙ୍କର ନାମ ଦିଆଯାଏ ଅଶାନ୍ତି,ନିଆସି ଓ ଅଖୁଜା ଇତ୍ୟାଦି ରଖାଯାଏ । 

ଓଡ଼ିଶାରେ ଗାଈ,ବଳଦ,ଛେଳି,ବିଲୃଇ ଓ କୁକୁର ଆଦି ଜୀଵଙ୍କୁ ମଧ୍ୟ କେତେକ ଡାକନାମ ଦିଆଯାଏ ଯଥା : ଟିପୁ,କାଳିଆ,ଅଲା,ବଉଳା,ଧୁବୁଲି,ନେପାଳି,ଗୁରୁବାରୀ,ନେତ,ମିଟୁ,ଟମି,ପୁଷି,ଗାଣ୍ଡୁ,କାଳୀ,ଲେପାକାନିଆ,ବଣ୍ଡା,ଲେଠି,ଗୁରିଆ,ବାଘ,କାଳୁ,ଭୀମା,ଶୁକୁରୀ,ଭାଲୁଆ,ଟିଟି,ବୁଧେଇ,ରୁବୁଲି,ଡେଙ୍ଗୀ,କପିଳା,କାଶିଆ,ବିଲୁ,ମିଉଁ,ଚମ୍ପେଇ,ଚାନ୍ଦ,ମେଟୁଆ,ଗୁଟନ,ମଇନ,ରେଣ୍ଠ,ହୀରା,ଛନକି,ଓଲେଇ,ମୋତି,ଝରି,ବଳିଆ,ପପଲୁ,ଝୁମୁରୀ,ରୁପୁ,ଘୁମ,ଘରମଣି,କହରା,ବଉଳା,ଖୁଦ ଓ ପାଣ୍ଡି ଇତ୍ୟାଦି...

ଓଡ଼ିଶାର ଲେଖକମାନେ ଆପଣା ଆପଣା ନାମ ପ୍ରକାଶ ନ କରି ଲେଖାରେ ଗ୍ରହଣ କରିବା ଅନ୍ଯ ଡାକନାମ ରଖିଵାର ଉଦାହରଣ ମଧ୍ୟ ରହିଛି । ଏହି ପ୍ରକ୍ରିୟାକୁ ଵିଦେଶରେ Nom-de-plume ଓ pseudonym କୁହାଯାଏ । ସମ୍ବାଦପତ୍ର ଓ ସାମୟିକ ପତ୍ରର ଲେଖକମାନେ ଵ୍ୟଙ୍ଗ ଵିଦ୍ରୂପ ପୂର୍ଣ୍ଣ ଵା ଗୁରୁତର ଅଭିଯୋଗ ଅଥଵା ସମାଲୋଚନା ଯୁକ୍ତ ଵିଷୟ କୌଣସି ପ୍ରବନ୍ଧ ଲେଖି ସେହି କାରଣରୁ ଵା ଅନ୍ଯ କିଛି କାରଣରୁ ତହିଁରେ ନିଜର ପ୍ରକୃତ ନାମ ନ ଲେଖି ଗୋଟିଏ କାଳ୍ପନିକ ଵା ଆକ୍ଷରିକ ଅର୍ଥଵିଶିଷ୍ଟ ନାମ ଦିଅନ୍ତି। ଫକୀରମୋହନ ସେନାପତି କେତେକ ଲେଖାରେ ତାଙ୍କ ନାମ ଧୂର୍ଜଟି ରଖିଥିଲେ। ପଣ୍ଡିତ କୁଳମଣି ଦାସ ଉଦ୍ଭଟ୍ଟ ଶ୍ଲୋକମାନଙ୍କ ପଦ୍ଯାନୁଵାଦରେ ଉତ୍କଳ ସାହିତ୍ୟ ପତ୍ରିକାରେ ଆପଣାର ନାମ ବାଚସ୍ପତି ଶର୍ମା ଓ ସମ୍ମାର୍ଜନୀଶୀର୍ଷକ ପ୍ରବନ୍ଧମାନଙ୍କରେ ଵିଷ୍ଣୁଶର୍ମା ରଖିଅଛନ୍ତି। ଶବ୍ଦକୋଣାର୍କ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ସଂକଳକ ଗୋପାଳ ଚନ୍ଦ୍ର ପ୍ରହରାଜ ଭାଗବତ ଟୁଙ୍ଗି ଆଦି ପ୍ରବନ୍ଧରେ ଆପଣା ନାମ ଦୁର୍ମୁଖ ଶର୍ମା ରଖିଥିଲେ। ଖ୍ୟାତନାମା ବ୍ଯକ୍ତିଙ୍କ ଲେଖା ଦେଖି ପାଠକମାନେ ଲେଖାକୁ ସ୍ୱାଧୀନ ଭାବରେ ଆଲୋଚନା ନ କରି ଲେଖକଙ୍କ ନାମ ଦେଖି ତଦ୍ଦ୍ୱାରା ଚାଳିତ ହୋଇ ନିଜର ସ୍ୱାଧୀନ ମନ୍ତଵ୍ୟ ଵା ମତ ସଂଗଠନ ବା ପ୍ରକାଶ କରିବେ ନାହିଁ, ଏହି ଆଶଙ୍କାରେ କେତେକ ଖ୍ୟାତନାମା ଲେଖକ ମଧ୍ୟ ଡାକ ନାମ ଵ୍ୟଵହାର କରୁଥିଲେ। ୟୁରୋପରେ ଆଗେ ମହିଳା ତଥା ରାଜପରିଵାରର ଲେଖକ ଲେଖିକାମାନେ ମଧ୍ୟ ଏଭଳି ଛଦ୍ମନାମ ଵ୍ୟଵହାର କରୁଥିଲେ । 

ମାତ୍ର ପୃଥିଵୀର ଅନ୍ୟ ଅଞ୍ଚଳ ଅପେକ୍ଷା ଓଡ଼ିଶାରେ ଡାକନାମ ରଖାଯିଵାର ପରମ୍ପରା ଅଧିକ ଗଭୀର । ଆଗେ ଅପର୍ତ୍ତିଆଣି ପିଲାଙ୍କୁ ଡାକନାମ ଦିଆଯାଉଥିଲା ଏଵଂ ଏବେ ବି କେହି କେହି ଏଭଳି ନାମକରଣ କରନ୍ତି। ଆମ ଓଡ଼ିଶାରେ ଜାତକରେ ରାଶିଗତ ନାମ ଗୋଟିଏ ଥାଏ, ପିତା ମାତା ସ୍ନେହରେ ଗୋଟିଏ ଡାକନାମ ଦିଅନ୍ତି। ଶାଶୂ ଘରେ ଵଧୂକୁ ଶାଶୁ ଶଶୁର ଗୋଟିଏ ନୂଆ ନାମ ଦିଅନ୍ତି। ଆଗେ ଓଡ଼ିଶାରେ ଶାଶୁଶଶୁର ଆଦି ଗୁରୁଜନଙ୍କ ନାମ ଧରିଵା ନିଷିଦ୍ଧ ଥିଲା ଏଵଂ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯାଉଥିଲା । , ଏଥିପାଇଁ ଯେବେ କୌଣସି ଵଧୂର ଵା ଭୃତ୍ୟର ନାମ ଶଶୁର ଘରର ଵା ଖାମିନ୍ଦଙ୍କ ପରିଵାରର କୌଣସି ଗୁରୁଜନଙ୍କ ନାମ ହୋଇଥାଏ ତେବେ ଶଶୁର ଘରେ ଵା ଭୃତ୍ୟସ୍ୱାମୀମାନେ ଵଧୂକୁ ଵା ଭୃତ୍ୟକୁ ଗୋଟିଏ ନୂଆ ନାମ ଦେଉଥିଲେ। ଏବେ ବି କେଉଁଠି କେଉଁଠି ଏଭଳି ଡାକନାମ ରଖାଯାଏ । ପୋଷ୍ୟ ପୁତ୍ରମାନଙ୍କୁ ଗ୍ରହିତାମାନେ ନୂଆ ନାମ ଦିଅନ୍ତି। ଗୋଟିଏ ତତ୍ସମ ନାମରେ ବେଶି ଅକ୍ଷର ଥିଵାରୁ ଯେଉଁ ନାମ ଉଚ୍ଚାରଣ କରିଵାକୁ ଆୟାସ ପଡ଼େ ତାକୁ ଲୋକେ ଗୋଟିଏ ସଂକ୍ଷିପ୍ତ ନାମ ଦିଅନ୍ତି। ପିତାମାତା ଆଦି ପିଲାଙ୍କୁ ଗେଲବସରରେ ଗୋଟିଏ ଗେହ୍ଲା ଡାକ ନାଆଁ ଦେଇଥାନ୍ତି। ଶିଶୁମାନଙ୍କ ମଧ୍ୟ ନାମକରଣ ପରେ ପିତାମାତାଦି ଗୁରୁଜନମାନେ ନୂଆ ଡାକନାମ ଦିଅନ୍ତି। କୃପଣ ଓ ଦୁଷ୍ଟ ଵ୍ୟକ୍ତିର ନାମ ଉଚ୍ଚାରଣ କରିଵା ଅଶୁଭ, ଏଥିପାଇଁ ସେମାନଙ୍କୁ ଲୋକେ ଗୋଟିଏ ଗୋଟିଏ ଡାକ ନାମ ଦେଇ ଥାଆନ୍ତି। ସାଙ୍ଗସୁଖମାନେ ସ୍ନେହରେ ଵା ଥଟ୍ଟାପରିହାସରେ ଆପଣା ମଧ୍ୟରେ ଡାକ ନାମ ଦିଆଦେଇ ହୁଅନ୍ତି। ଏକନାମଧାରୀ ଏକାଧିକ ଵ୍ୟକ୍ତିଙ୍କୁ ବାରିଵା ପାଇଁ ମଧ୍ୟ ଓଡ଼ିଶାରେ ଡାକନାମ ଦିଆଯାଏ। କୃପଣ, ଅଦତା ଆଦି ବ୍ଯକ୍ତିଙ୍କୁ ଚିଡ଼ାଇଵା ପାଇଁ ଵା ଘୃଣା ପ୍ରକାଶ କରିଵା ପାଇଁ ଗୋଟିଏ ଗୋଟିଏ ଡାକନାମ ବି ଦିଆଯାଏ। ବେଳେବେଳେ ଓଡ଼ିଶାରେ ପ୍ରଚଳିତ ଡାକନାମଗୁଡ଼ିକ ଦେଖି କାହାକୁ କାହାକୁ ତାହା ଅପ୍ରୀତିକର ଲାଗିପାରେ ତେବେ ପୃଥିଵୀର ସବୁ ଦେଶରେ ସବୁ ସଂସ୍କୃତିରେ ଡାକନାମ ରଖିଵାର ପରମ୍ପରା ଅଳ୍ପବହୁତେ ପ୍ରଚଳିତ କିନ୍ତୁ ଏହା ସର୍ଵାଧିକ ଜଟିଳ ଓ ଗହନ ରୂପେ ଓଡ଼ିଶାର ଜନସମାଜରେ ଦୃଶ୍ୟ ହୋଇଥାଏ । 





Sunday, February 4, 2024

(ଶବ୍ଦାଲୋଚନା)ଭାଷାଵିଦ ଭେଟଘାଟ୍


ଵିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀରେ କୌଣସି କାରଣରୁ ଚାରିଜଣ ଭାଷାଵିଦ ଯୋଗ ଦେଇପାରିଲେ ନାହିଁ । ସେମାନେ ଅନ୍ତର୍ଜାଲରେ ପରସ୍ପର ସହିତ ପରିଚିତ ଥିଵାରୁ ସମ୍ମିଳନୀ ପାଖ ଗୋଟିଏ ପାଞ୍ଚ ତାରକା ଜୋମନାଳୟରେ ଭେଟାଭେଟି ହେଲେ । ଏଣେ ସମ୍ମିଳନୀରେ ଜଣେ ଉଦ୍ଘୋଷିକା 'କାନ୍ତକଵି'ଙ୍କୁ 'କଣ୍ଠକଵି' କହିଦେଲେ ବୋଲି ସାମାଜିକ ଗଣମାଧ୍ୟମଗୁଡ଼ିକରେ ପ୍ରବଳ ଵାଦଵିଵାଦ ଲାଗିଗଲା । ଭାଷାଵିଦମାନେ ତ ଆଉ ଆମ ତମ ଭଳି ଫେସବୁକିଆ ମିତାନ୍ ଆଣ୍ଡୁପାଣ୍ଡୁ ନୁହନ୍ତି ତେଣୁ ସେମାନଙ୍କ କାନକୁ ଏକଥା ଗଲାରୁ ତାଙ୍କର ୟା ଉପରେ ମତ ଓ ମନ୍ତଵ୍ୟ ଭିନ୍ନ ପ୍ରକାରର ଥିଲା । ଚାରିଜଣ ଭାଷାଵିଦମାନଙ୍କ ମଧ୍ୟରେ ପଣ୍ଡିତ ଶ୍ରୀନାରାୟଣ ତ୍ରିପାଠୀ ମହାଶୟ ଵୟୋଜ୍ୟେଷ୍ଠ ତଥା ସଂସ୍କୃତ ଭାଷା ଵିଶାରଦ ଥିଲେ । ତାଙ୍କ ଛଡ଼ା ଡକ୍ଟର ରମେଶ ରାଣା, ଵିଶିଷ୍ଟ କଵି ଶ୍ରୀଗୋପାଳ କୃଷ୍ଣ ରାୟ ଆଉ ସଂସ୍କୃତିପ୍ରେମୀ ରମାକାନ୍ତ ମେହେର ସେଠାରେ ଉପସ୍ଥିତ ଥାଆନ୍ତି । 

ପଣ୍ଡିତେ ଶ୍ରୀ ତ୍ରିପାଠୀ ସ୍ବଭାଵତଃ ଟିକେ ସମ୍ବେଦନଶୀଳ ତେଣୁ କାନ୍ତକଵିଙ୍କୁ କଣ୍ଠକଵି କୁହାଯିଵାକୁ ଆଦୌ ସହ୍ୟ କରିପାରିନାହାନ୍ତି । ନିରସ କଣ୍ଠରେ ସେ କଥା ଆରମ୍ଭ କଲେ । "ପ୍ରିୟ ବନ୍ଧୁଗଣ, ଦେଖନ୍ତୁ ଏ ଦେଶର ଭାଷାମାତୃକାଙ୍କର କେମନ୍ତ ଭାବେ ଅପମାନ କରାଯାଉଅଛି । କାହିଁ କାନ୍ତ ଆଉ କାହିଁ କଣ୍ଠ ? କାନ୍ତ ଶବ୍ଦଟି କଣ୍ଠ କେମିତି ହେଇଗଲା ? ହେ ଦେଵୀ ଵୀଣାପାଣି ! ଆମ୍ଭେ ଭାରତଵାସୀ କିସ ପାପ କରିଥିଲୁ ଯେ ଆମ୍ଭମାନଙ୍କୁ ଏମନ୍ତ ଦିନ ବି ଦେଖିଵାକୁ ହେଉଛି ? ଏ ଅକିଞ୍ଚନ ଯେତିକି ଜାଣିଛି କଣ୍ଠ ଆଉ କାନ୍ତ ଉଭୟ ସଂସ୍କୃତ ଶବ୍ଦ ହେଲେ ଅର୍ଥ ପୂରା ଭିନ୍ନ ଭିନ୍ନ । ଆମର ଗଳଦେଶ,ଗଳା ଓ ତହିଁରେ ଥିଵା ଵାକଯନ୍ତ୍ରକୁ 'କଣ୍ଠ' କୁହାଯାଏ । ଇଂରାଜୀ ଭାଷାରେ ଏହି ଅର୍ଥରେ Neck ଓ throat ଶବ୍ଦ ଅଛି। ଆମ ଭାଷାରେ ବି ତୋଟି,ତ୍ରୋଟି,ତଣ୍ଟି ଓ ଗଳା ଶବ୍ଦ ସେହି ଅର୍ଥରେ ଚଳୁଅଛି । ଲାଟିନ ଭାଷାରେ gula (“ତଣ୍ଟି”), ଇଂରାଜୀ ଭାଷାରେ gullet,ପାର୍ସୀ ଭାଷାରେ گلو‎ (galu, “ତଣ୍ଟି”), ରୁଷିଭାଷାରେ глотка (glotka) ଓ ପ୍ରାଚୀନ ଆର୍ମେନୀୟ ଭାଷାରେ ଥିଵା կուլ- (kul-) ଶବ୍ଦଗୁଡ଼ିକର ଆମ ଦେଶର 'ଗଳା' ଶବ୍ଦ ସହିତ ସଗୋତ୍ରୀୟ ସମ୍ପର୍କ ଅଛି । 
କଣ୍ ଧାତୁରୁ ଶବ୍ଦ କରିଵା ଅର୍ଥରେ କଣ୍ଠ ଶବ୍ଦ ନିଷ୍ପନ୍ନ କରାଯାଇଛି । ଏଣେ କମ ଧାତୁରୁ ବାଞ୍ଚା କରିଵା ଅର୍ଥରେ କାନ୍ତ ଶବ୍ଦ ନିଷ୍ପନ୍ନ ହୋଇଅଛି। ଗୋଟିଏ ଶବ୍ଦ ଗଳାକୁ ବୁଝାଏ ଆଉ ଗୋଟିଏ କମନୀୟ,ମନୋହର,ପ୍ରିୟ ଓ କୋମଳକୁ ବୁଝାଏ । ଏ ମାଆ ଉଦ୍ଘୋଷିକା ତମେ ଉଭୟ ଭିନ୍ନ ଭିନ୍ନ ଶବ୍ଦକୁ ଗୋଟିଏ କିଆଁ କଲ ?”



ଡକ୍ଟର ରମେଶ ରାଣା ମହାଶୟ, ତ୍ରିପାଠୀ ଆଜ୍ଞାଙ୍କ କଥା ମନ ଧ୍ୟାନ ଦେଇ ଶୁଣୁଥାନ୍ତି । ପଣ୍ଡିତେ କଥା ସରିଵା କ୍ଷଣି ତାଙ୍କେ ମଧ୍ୟ ନିଜ କଥା ରଖିଵାକୁ ଯାଇ ବୋଲିଲେ, “ଅଗ୍ରଜ ଶ୍ରୀ ନାରାୟଣ ତ୍ରିପାଠୀଙ୍କ ଵକ୍ତଵ୍ୟ ଅତ୍ୟନ୍ତ ଶିକ୍ଷଣୀୟ ତେବେ ତାଙ୍କ ଵକ୍ତଵ୍ୟର ଗୋଟିଏ ଅଂଶକୁ ସାମାନ୍ୟ ସଂଶୋଧନ କରିଵା ଆଵଶ୍ୟକ ମନେ କରୁଅଛି । ଶ୍ରୀ ତ୍ରିପାଠୀ କହିଲେ ଯେ 'କଣ୍ଠ' ଶବ୍ଦଟି ଗୋଟିଏ ସଂସ୍କୃତ ଶବ୍ଦ ତେବେ ପ୍ରକୃତରେ ଏହା ଏକ ଦ୍ରାଵିଡ଼ ଶବ୍ଦ ବୋଲି ବୁଝିଵାକୁ ହେଵ । ତାମିଳରେ கழுத்து (kaḻuttu), ମଳୟାଳ଼ମରେ 
കഴുത്ത് ,(kaḻuttŭ)
କନ୍ନଡ଼ରେ ಕತ್ತು (kattu),ତୁଲୁରେ ಕಂಟೆಲ್ (kaṇṭelŭ) ଓ ତେଲୁଗୁ ଭାଷାରେ కంఠము (kaṇṭhamu) ଇତ୍ୟାଦି ଶବ୍ଦ କଣ୍ଠ ଅର୍ଥରେ ପ୍ରଚଳିତ । ଦ୍ରାଵିଡ଼ ଭାଷାପରିଵାରରୁ 'କଣ୍ଠ' ଶବ୍ଦଟି ସଂସ୍କୃତ ଭାଷାର ଵିଶିଷ୍ଠ ଧାତୁ ପ୍ରତ୍ୟୟାଦି ପ୍ରୟୋଗ ପୂର୍ଵକ ଗୃହୀତ ହୋଇଅଛି । ଅତଏଵ୍ ଥରେ ନିରୁକ୍ତ ପ୍ରୟୋଗ ପୂର୍ଵକ ଵାହ୍ୟ ଭାଷାଗତ ଶବ୍ଦଗୁଡ଼ିକର ପରିଶୋଧନ କରାଗଲେ ମଧ୍ୟ ମୂଳତଃ ସେଗୁଡି଼କୁ ଧାରା ଶବ୍ଦ ପରିଗଣିତ କରାଯିଵା ଉଚିତ୍ । ”

ଗୋପାଳକୃଷ୍ଣ ରାୟ ଉଭୟ ଭାଷାଵିଦଙ୍କ କଥା ଶୁଣି ସାମାନ୍ୟ ସ୍ମିତହାସ୍ୟ ପୂର୍ଵକ ନିଜର କଥା ଆରମ୍ଭ କଲେ “ଆଜ୍ଞାମାନେ ପ୍ରଣାମ,ଆପଣ ଵିଜ୍ଞଜନମାନେ ମୋ ଭଳି ଦରିଦ୍ର ନିକୃଷ୍ଟ ଜନଙ୍କର ସଦାସର୍ଵଦା ପ୍ରେରଣାର ଉତ୍ସ ଥିଲେ ଅଛନ୍ତି ରହିବେ । କିନ୍ତୁ ମୁଁ ଯାହା କହିଵାକୁ ଚାହୁଁଛି ସେଥିପାଇଁ ଦୟାକରି ମୋହର ଧୃଷ୍ଟତା କ୍ଷମା କରିଵା ହେବେ । ଦେଖନ୍ତୁ ଏଇ ଯୋଉ କଣ୍ଠଶବ୍ଦଟି ଭାରତୀୟ ଭାଷାଗୁଡ଼ିକରେ ଚଳୁଅଛି ତାହା ପ୍ରକୃତରେ ଏକ ଆଷ୍ଟ୍ରୋଏସୀୟ ଶବ୍ଦ ବୋଲି ପୂର୍ଵେ ମହାନ ଭାଷାଵିଦ Franciscus Bernardus Jacobus Kuiper ତାଙ୍କର ପୁସ୍ତକ "Proto Munda words in sanskrit" ନାମକ ପୁସ୍ତକର ୨୯ ନମ୍ବର ପୃଷ୍ଠାରେ ଉଲ୍ଲେଖ କରିଯାଇଛନ୍ତି । ଅର୍ଥାତ୍ ସଂସ୍କୃତ ଆଦି ଭାରୋପୀୟ ଭାଷା ଓ ତାମିଳ ଭଳି ଦ୍ରାଵିଡ଼ ଭାଷାଗୁଡ଼ିକରେ ଯୋଉ କଣ୍ଠ ଶବ୍ଦଟି ପ୍ରୟୋଗ କରାଯାଉଛି ତାହା ମୂଳତଃ ଏକ ଆଷ୍ଟ୍ରିକ ଵା ମୁଣ୍ଡା ଶବ୍ଦ ଅଟେ । 
Kuiperଙ୍କ ଅନୁସାରେ ଜୁଆଙ୍ଗ kuñka,ଖରିଆ konko,ସଉରା sánkā(ତଣ୍ଟି/ଗଞ୍ଜାମୀରେ ଶଙ୍ଖୀ)'",ସାନ୍ତାଳୀରେ kankha(edge, brim),ମୁଣ୍ଡାରୀରେ tutka, tuțkā(back of the neck or head),ମୋନ ଭାଷାରେ ka'(nape of
the neck"),ଖମେର୍ ଭାଷାରେ ka,ବହନାର୍ ଭାଷାରେ ako,ଷ୍ଟିଏଙ୍ଗ୍ ଭାଷାରେ ko(ତଣ୍ଟି) ଇତ୍ୟାଦି ଶବ୍ଦ ସୂଚାଇ ଦିଏ ଯେ କିପରି ମୂଳତଃ ଏକ ଆଷ୍ଟ୍ରୋଏସୀୟ ଭାଷାପରିଵାରର ଶବ୍ଦଟିଏ ଭାରୋପୀୟ ଭାଷାପରିଵାର ତଥା ଦ୍ରାଵିଡ଼ ଭାଷାପରିଵାରରେ ଯାଇ ବହୁ ପ୍ରଚଳିତ ହୋଇଛି ଏଵଂ ସାହିତ୍ୟର ଶବ୍ଦ ଭାବେ ବି ଗୃହୀତ ହୋଇଛି।”

“ଈ ବୁଆ ! ଏନ୍ତା ଆଲୋଚନା କେ ଉନିଆ କେନ୍‌ସି ଠାନେ ଶୁନିପାରିଥିତି କାଏଁ !” 

ରମାକାନ୍ତ ମେହେର ଅଭିଭୂତ ହୋଇ ପୁଣି କହୁଥାନ୍ତି ,"ଆହା ମୁଁ ଭାଗ୍ୟଵାନ ବୋଲି ସିନା ଆପଣମାନଙ୍କର ସାନିଧ୍ୟ ପାଇ ପାରିଛି ! ଆଜ୍ଞାମାନେ ଅନୁମତି ହେଲେ ମୁଁ କିଛି କୁହନ୍ତି । ମେହେରବାବୁଙ୍କ ଆଗ୍ରହ ଦେଖି ଵୟସ୍କ ଭାଷାଵିଦ ତ୍ରୟ ମଧ୍ୟ ତାଙ୍କ କଥା ଶୁଣିଵାକୁ ଆଗ୍ରହ ପ୍ରକାଶ କଲେ । ତହୁଁ ରମାକାନ୍ତ ମେହେରବାବୁ କହିଲେ - "ବୋଧହୁଏ ସେ ମହିଳା ଉଦ୍ଘୋଷିକାଜଣକ ଅଣଓଡ଼ିଆ ଥିଲେ ତଥା ଓଡ଼ିଆ ଭାଷାରେ ତଥା ଲାଟିନ୍ ଲିପିରେ ଲେଖାଯାଇଥିଵା ଘୋଷଣାପତ୍ରକୁ ପାଠ କରୁଥିଲେ । ସେଥିରେ ଲେଖାଥିଲା Kanta ତେଣୁ ସେ ତାକୁ 'କାନ୍ତ' ନପଢ଼ି 'କଣ୍ଠ' ପଢ଼ିଲେ ଫଳତଃ 'କାନ୍ତକଵି' ହଠାତ୍ 'କଣ୍ଠକଵି' ରୂପେ ଉଭା ହେଲେ । କିନ୍ତୁ ଇଣ୍ଡିକ୍ ଭାଷାଗୁଡ଼ିକୁ ସେଇ ଭାଷାର ଲିପିରେ ନଲେଖି ଲାଟିନ ଲିପିରେ ଲେଖିଲେ ଏଭଳି ଉଚ୍ଚାରଣଗତ ଦ୍ଵନ୍ଦ୍ଵ ଉପୁଜିଥାଏ । ସେଥିଯୋଗୁଁ ଭାରତୀୟ ଇଣ୍ଡିକ୍ ଭାଷାଗୁଡ଼ିକୁ ସାଧାରଣ ଲାଟିନ ଲିପିରେ ନଲେଖି ଏହି ଲାଟିନ ଲିପିର IAST ଲିଖନ ଶୈଳୀରେ ଲେଖାଯାଏ । ଏହି IAST ଲିଖନ ଶୈଳୀରେ ସ୍ଵତନ୍ତ୍ର ଉଚ୍ଚାରଣ ଦର୍ଶାଇଵା ହେତୁ ଲାଟିନ ଲିପୀମଗୁଡ଼ିକରେ ଵିଶେଷକ ଚିହ୍ନ ଵ୍ୟଵହାର କରାଯାଏ । IAST ଲିଖନ ଶୈଳୀରେ ଲେଖାଗଲାବେଳେ 'କାନ୍ତ'କୁ Kānta ତଥା 'କଣ୍ଠ'କୁ Kaṇṭha ଲେଖାଯାଏ । ଯଦି ଅଣଓଡ଼ିଆ ଉଦ୍ଘୋଷିକାଙ୍କ ଘୋଷଣାପତ୍ରରେ IAST ଲିଖନଶୈଳୀରେ ଓଡ଼ିଆ ଭାଷା ଲିଖିତ ହୋଇଥାନ୍ତା ତେବେ ସେ ନିଶ୍ଚୟ କାନ୍ତ(Kānta) ଓ କଣ୍ଠ(Kaṇṭha) ମଧ୍ୟରେ ପ୍ରଭେଦ ଜାଣିପାରିଥାନ୍ତେ । IAST ଲିଖନ ଶୈଳୀରେ ନ ପାଇଁ 'n' ଆଉ 'ଣ' ପାଇଁ 'ṇ' ଵ୍ୟଵହାର କରାଯାଏ । ଠିକ୍ ସେହିପରି 'ଟ' ପାଇଁ 't', 'ତ' ପାଇଁ 'ṭ', 'ଥ' ପାଇଁ tha ଏଵଂ 'ଠ' ପାଇଁ 'Ṭha' ଵ୍ୟଵହାର କରାଯାଏ । ଏହିକଥା ଜଣେ ଅଧିଵକ୍ତା(Advocate) ହୋଇ ବି ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜ ମହାଶୟ ଜାଣିଥିଲେ ତେଣୁ ସେ ତାଙ୍କ ସଂକଳିତ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଓଡ଼ିଆ ଶବ୍ଦର ଠିକ୍ ଉଚ୍ଚାରଣ ଜଣାଇ ଦେଵାକୁ ଲାଟିନ ଲିପିର IAST ଲିଖନ ଶୈଳୀ ପ୍ରୟୋଗ କରିଯାଇଛନ୍ତି । ମାତ୍ର ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ସଂକଳିତ ହେଵାର ଶତ ଵର୍ଷ ପୂର୍ତ୍ତି ପରେ ଯେତେବେଳେ ଶହେଜଣ ଭାଷାଵିଦଙ୍କୁ ଘେନି ଵିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ଅୟୋଜନ ହେଲା ଯେ ତହିଁର ଆୟୋଜକମାନେ ଏ ଵିଷୟରେ କ୍ଷଣେ ମାତ୍ର ଚିନ୍ତା କଲେ ନାହିଁ ଏଵଂ ଜଣେ ଅଣଓଡ଼ିଆ ଉଦ୍ଘୋଷିକାଙ୍କୁ ସାଧାରଣ ଲାଟିନ ଲିପିରେ ଲିଖିତ ଓଡ଼ିଆ ଭାଷାର ପଦ ପଢ଼ିଵାକୁ ଧରାଇ ଦେଲେ । ଯେମିତି ଲାଟିନ ଲିପିରେ ଇଣ୍ଡିକ୍ ଭାଷାର ଶବ୍ଦଗୁଡ଼ିକୁ ଲେଖିଲାବେଳେ ଠିକ୍ ଉଚ୍ଚାରଣକୁ ଦର୍ଶାଇଵା ପାଇଁ ଅଧୋବିନ୍ଦୁ ତଥା ଅନ୍ୟାନ୍ୟ ଵିଶେଷକ ଚିହ୍ନ ଵ୍ୟଵହାର କରାଯାଏ ଠିକ୍ ସେହିପରି ଓଡ଼ିଆ ଭାଷାରେ ମଧ୍ୟ Zebra ଓ 茶 (chá) ଭଳି ଵୈଦେଶିକ ଶବ୍ଦଗୁଡ଼ିକୁ ଯଥାକ୍ରମେ 'ଜ଼େବ୍ରା' ତଥା 'ଚ଼ା' ଲେଖିଲାବେଳେ ଅଧୋବିନ୍ଦୁ ଵ୍ୟଵହାର କରାଯାଏ । ଅତଏଵ୍ ଭୁଲ୍‌ଟା ଉଦ୍ଘୋଷିକାଙ୍କର ନୁହେଁ ଵରଂ ଆମମାନଙ୍କର କାରଣ ଆମେମାନେ ଗୋଟିଏ ଭାଷାର ଶବ୍ଦକୁ ଆଉ ଗୋଟିଏ ଭାଷା ପାଇଁ ଵ୍ୟଵହୃତ ହେଉଥିଵା ଲିପିରେ ଲେଖିଲାବେଳେ ଉଚ୍ଚାରଣ ପ୍ରତି ଦୃଷ୍ଟି ଦିଅନ୍ତି ନାହିଁ କି ଵିଶେଷକ ଚିହ୍ନ ଵ୍ୟଵହାର କରନ୍ତି ନାହିଁ ଵରଂ ଅଧୋବିନ୍ଦୁ ଵ୍ୟଵହାରକୁ ଵିରୋଧ କରନ୍ତି। ”

 ପଣ୍ଡିତେ, ଡକ୍ଟର ରାଣା ଆଉ କଵି ରାୟବାବୁ ମନ ଧ୍ୟାନ ସହକାରେ ରମାକାନ୍ତ ମେହେରଙ୍କ କଥା ଶୁଣୁଥାନ୍ତି। ମେହେରବାବୁ ଅଧୋବିନ୍ଦୁର ଆଵଶ୍ୟକତାକୁ ସ୍ପଷ୍ଟ ଓ ପ୍ରାଞ୍ଜଳ ଭାବେ ବୁଝେଇ ଦେଲାରୁ ସେମାନେ ତାଙ୍କର ଭୁରି ଭୁରି ପ୍ରଶଂସା କଲେ । ପାଞ୍ଚ ତାରକା ଜୋମନାଳୟର ଘଣ୍ଟାରୁ ବେଳ ଉଚ୍ଛୁର ହେଲାଣି ବୋଲି ଜଣାପଡ଼ୁଥାଏ । ଆଉ ଥରେ କେବେ ବସି ଏହିପରି ଭାଷା ଉପରେ ଆଲୋଚନା କରିଵା ବୋଲି ଚାରିଜଣଯାକ ଭାଷାଵିଦ ପ୍ରତିଶ୍ରୁତି ରଖି ଯେ ଯେଝା ବାଟରେ ବାହୁଡ଼ିଗଲେ । 

(ତଥ୍ୟ ଉତ୍ସ : ପୂର୍ଣ୍ଣଚନ୍ଦ୍ର ଭାଷାକୋଷ( ଶବ୍ଦଗୁରୁ ଶ୍ରୀଗୋପାଳଚନ୍ଦ୍ର ପ୍ରହରାଜ), A comparative dictionary of Indo-Aryan languages(Sir. Ralph Lilley Turner), A Dravidian etymological dictionary(T. Burrow ଓ M. B. Emeneau),Proto Munda words in sanskrit(Franciscus Bernardus Jacobus Kuiper) ଓ ଭାଷାଵିଦ ଡାକ୍ତର ଦେଵାଶିଷ ଜ୍ୟେଷ୍ଠୀ )

Sunday, January 28, 2024

ତିନୋଟି ସରଳ ପ୍ରଶ୍ନ

ମୋହନ ଘଞ୍ଚ ବଣ ଜଙ୍ଗଲ ପାର କରି ରାଜଧାନୀରେ ଆସି ପହଞ୍ଚିଲା । ବାପା ମାଆ ଛେଉଣ୍ଡ ହେଵାରୁ ଜଣେ ଗ୍ରାମ ପ୍ରଧାନ ମୋହନକୁ ନିଜ ଘରେ ଆଶ୍ରୟ ଦେଇଥିଲେ । ପ୍ରଧାନ ଘରେ ରହିଵାରୁ ନିତି ନୂଆ ନୂଆ କଥା ଜାଣିଲା ଶିଖିଲା , ଗାଆଁ ପଣ୍ଡିତେ ସନ୍ଧ୍ୟାରେ ଯେତେବେଳେ ପ୍ରଧାନଙ୍କ ଘରେ ଶାସ୍ତ୍ର ଆଲୋଚନା କରନ୍ତି ମୋହନ ସେସବୁ ଶୁଣି ମନେ ରଖେ । କିନ୍ତୁ ଯୁଵାଵସ୍ଥାରେ ପହଞ୍ଚି ମୋହନଟା ପ୍ରଧାନଙ୍କ ଝିଅ ରମା ପ୍ରେମରେ ପଡ଼ିଗଲାରୁ ପ୍ରଧାନ ତାକୁ ଘରୁ ବାହାର କରିଦେଲେ । ମୋହନ ବାହୁଡ଼ି ଗଲାବେଳେ ପ୍ରଧାନେ ତାକୁ କହିଲେ “ନଗ୍ରକୁ ଯାଅ ଧନ ଓ ଯଶ ପ୍ରାପ୍ତି କର ତାହେଲେ ତୁମେ ମୋର ଜାମାତା ହୋଇପାରିଵ । ଯେତେ ଯୋଗ୍ୟ ହୋଇଥିଲେ ମଧ୍ୟ ଵ୍ୟକ୍ତି ପାଖରେ ଯଦି ଯଶ ଓ ଧନ ନାହିଁ ତାହେଲେ ସେ ଯେଡ଼େ ବଡ଼ ଉଚ୍ଚ କଥାମାନ କହୁ ପଛେ ତା କଥାର ମୂଲ୍ୟ ଏ ସମାଜ କେବେ ବି ସ୍ଵୀକାର କରେ ନାହିଁ।”

ଏଇସବୁ କଥା ମନେ ପକାଇ ମୋହନ ମନଦୁଃଖରେ ରାଜଧାନୀରେ ବୁଲୁଥାଇ । ଗଡ଼ିଆ ଲୋକଙ୍କଠାରୁ ଜାଣିଵାକୁ ପାଇଲା ଯେ
 ରାଜାଙ୍କ ଛାମୁରେ ଭୀଷଣ ତର୍କସଭା ହେଉଛି । ଯିଏ ତର୍କରେ ଜିଣିଵ ତାକୁ ରାଜା ଧନ, ଉପାଧି ଓ ସମ୍ମାନ ଦେବେ । କେତେ କୂଆଡ଼ୁ ଵିଦ୍ଵାନମାନେ ଆସି ରାଜବାଟୀରେ ଅଛନ୍ତି କିନ୍ତୁ କେହି ମଧ୍ୟ ତର୍କସଭାରେ ଅଧିକକାଳ ତିଷ୍ଠି ପାରୁନାହାଁନ୍ତି। ସପ୍ତମ ଦିନ ଶେଷ ହୁଅନ୍ତେ ତର୍କରେ କେହି ଜିତି ନପାରିଵାରୁ ରାଜା ଦର୍ଶକ ଓ ଶ୍ରୋତାମାନଙ୍କୁ ସମ୍ବୋଧନ କରି ସେମାନଙ୍କ ମଧ୍ୟରୁ ଯଦି କେହି କିଛି ପ୍ରଶ୍ନ କରିଵାକୁ ଚାହୁଁଥାନ୍ତି ତେବେ ତର୍କସଭାରେ ଭାଗ ନେଇ ପାରନ୍ତି ବୋଲି ନିର୍ଦ୍ଦେଶ ଦେଲେ । ଯୋଉଠି ଏଡ଼େ ବଡ଼ ବଡ଼ ଵିଦ୍ଵାନମାନେ ସଭାରେ ତିଷ୍ଠିପାରୁନାହାନ୍ତି ସେଠି ସାଧାରଣ ଜନତା ଵା କିସ କରିପାରିବେ ? ତେଣୁ ପ୍ରାୟ ସଭିଏଁ ନିରୁତ୍ତର ରହିଲେ କିନ୍ତୁ ମୋହନ ପ୍ରଶ୍ନ କରିଵ ବୋଲି ଜଣାଇଦେଲା । ରାଜା ତାକୁ କହିଵାକୁ ନିର୍ଦ୍ଦେଶ ଦିଅନ୍ତେ ମୋହନ କହିଲା ସାଆନ୍ତେ ମୁଁ ସରଳ ଗାଉଁଲି ଲୋକ ତେଣୁ ସରଳ ଗାଉଁଲି ପ୍ରଶ୍ନ ତିନୋଟି କରିବି,କେହି ଵିଦ୍ଵାନ ସେହି ପ୍ରଶ୍ନଗୁଡ଼ିକର ଉପଯୁକ୍ତ ଉତ୍ତର ନିଶ୍ଚୟ ଦେବେ ବୋଲି ମୁଁ ଆଶାଵାଦୀ । ରାଜ ଆଦେଶ ପରେ ମୋହନ ପଣ୍ଡିତସଭାରେ ନିଜର ସେହି ତିନିଟା ପ୍ରଶ୍ନ କହି ଶୁଣେଇଲା...

"ଗୋଟିଏ ଗାଆଁ ଦାଣ୍ଡରେ ଦୁଇଜଣ ଲୋକ ଦୁଇ ପଟରୁ ପରସ୍ପରର ଵିପରୀତ ଦିଗରୁ ଆସୁଛନ୍ତି ସେମାନେ ପରସ୍ପରର କ'ଣ ହେବେ ? ସେ ଦୁଇଜଣ ପରସ୍ପରର ନିକଟରେ ପହଞ୍ଚିଲାପରେ କ'ଣ ହେବେ ଏଵଂ ସେମାନେ ପରସ୍ପରଠାରୁ ଦୂରେଇଗଲାପରେ କ'ଣ ହେବେ ? 

ଘଣ୍ଟା ଘଣ୍ଟା ଧରି ଵିଦ୍ଵାନମାନେ ଏହା ଉପରେ ଵିଚାର ଵିମର୍ଷ କଲେ ହେଲେ କେହି ମଧ୍ୟ ଠିକ୍ ଉତ୍ତରଟିଏ ଦେଇ ପାରିଲେ ନାହିଁ । ତହୁଁ ଵିରକ୍ତ ହୋଇ କଳିଙ୍ଗ ରାଜା ମୋହନକୁ କହିଲେ “ଗ୍ରାମଵାସୀ,ତୁମେ ଏଭଳି ତିନୋଟି ସରଳ ପ୍ରଶ୍ନ ପଚାରିଲ ଯେ କେହି ଵିଦ୍ଵାନ ବି ତାହାର ଯଥାଯଥ ଉତ୍ତର ଦେଇ ପାରିଲେ ନାହିଁ ତେଣୁ ତୁମେ ଏବେ ନିଜ ପ୍ରଶ୍ନର ଉତ୍ତର କହି ଏ ପ୍ରହେଳିକାର ଗୁମର ଫେଡ଼ିଦିଅ । କେଵଳ ପ୍ରଶ୍ନ ପଚାରିଦେଲେ ଚଳିଵ ନାହିଁ ତାହାର ଉତ୍ତର ବି ଜାଣିଥିଵା ଆଵଶ୍ୟକ ଅନ୍ୟଥା ତୁମେ ଭୀଷଣ ରାଜଦଣ୍ଡରେ ଦଣ୍ଡିତ ହେଵ ।”

ସେଇଠୁ ମୋହନ କହିଲା “ମଣିମା, ମୋ ପ୍ରଶ୍ନତ୍ରୟ ଅତି ସରଳ ଥିଲା କିନ୍ତୁ ଵିଦ୍ଵାନମାନେ ସେଗୁଡି଼କର ଉତ୍ତର ଜାଣିଵାକୁ ପୋଥି ଜ୍ଞାନ ଖଟେଇଲେ ।‌ ତେବେ ଉତ୍ତରଗୁଡ଼ିକ କହୁଛି ଛାମୁ ଓ ଵିଦ୍ଵାନମାନେ ଦୟାକରି ଧ୍ୟାନ ଦେଵା ହେବେ :

“ଗୋଟିଏ ଗାଆଁ ଦାଣ୍ଡରେ ଦୁଇଜଣ ଲୋକ ଯେତେବେଳେ ଦୁଇ ବିପରୀତ ଦିଗରେ ଦୁଇପଟରୁ ଆସୁଥାନ୍ତି ସେମାନେ ନିଜର 
'ମୁହାଁମୁହିଁ' ହୁଅନ୍ତି । ଏଥିପାଇଁ ଅନ୍ୟ ଶବ୍ଦଗୁଡ଼ିକ ହେଲା 'ମୁଖାମୁଖି','ସାମନାସାମନି',
'ସମୁଖାସମୁଖି' ଵା 'ସମ୍ମୁଖାସମ୍ମୁଖୀ'
,'ଭେଟାଭେଟି' ଓ 'ହାବୁଡ଼ାହାବୁଡ଼ି' ଇତ୍ୟାଦି । ଏହାକୁ ଶାସ୍ତ୍ରରେ 'ସାକ୍ଷାଦ୍ଦର୍ଶନ' ଓ 'ସାକ୍ଷାଦୃଷ୍ଟି' ବୋଲି ମଧ୍ୟ ଅଭିହିତ କରାଯାଇଛି। ତାପରେ ଯେତେବେଳେ ପରସ୍ପରର ଵିପରୀତ ଦିଗରୁ ଆସୁଥିଵା ଦୁଇଜଣ ଲୋକ ପରସ୍ପରର ପାଖରେ ପହଞ୍ଚିଯାଆନ୍ତି ସେମାନେ ପରସ୍ପରର 'ନିକଟାନିକଟି' ହୁଅନ୍ତି, ପରସ୍ପରର 'ଆଖପାଖ'ରେ ହୁଅନ୍ତି । ଆଉ ଯେତେବେଳେ ସେଇ ଦୁଇ ଲୋକ ପୁଣି ପରସ୍ପରଠାରୁ ଦୂରେଇ ଯିବେ ସେତେବେଳେ ସେମାନେ ପରସ୍ପରଠାରୁ 'ଦୂର ହେବେ','ଅନ୍ତର ହେବେ','ଆଡ଼ ହେବେ' ଵା 'ଆଡ଼େ ହେବେ' ଓ 'ପଛ ହେବେ' । ସେହିପରି ଏ ସଂସାରକୁ ମଧ୍ୟ ଆମେ ଯେତେବେଳେ ଆସନ୍ତି ଆମେ ଅନ୍ୟମାନଙ୍କ ପାଇଁ ପ୍ରଥମେ ଅପରିଚିତ ଥାଆନ୍ତି, ତାପରେ ଆମ ଗୁଣ ଜାଣି ଆମ ସହିତ ରହି ଅନ୍ୟମାନେ ଆମର ନିକଟତର ହୁଅନ୍ତି ପୁଣି ଶେଷରେ ସ୍ଵାର୍ଥଲାଭ ପରେ ତନ୍ମଧ୍ୟରେ ଅନେକ ଆମଠାରୁ ଦୂରେଇ ଯାଆନ୍ତି କିମ୍ବା ମୃତ୍ୟୁ ସେମାନଙ୍କୁ ଆମଠାରୁ ଦୂରେଇ ଦିଏ । ଏ ସଂସାର ରୂପକ ଗାଆଁ ଦାଣ୍ଡରେ ଆମେ ଜନ୍ମ ନେଵା ସମୟରେ ମାଆଙ୍କ ପାଇଁ ଅଜଣା ଥାଆନ୍ତି କିନ୍ତୁ ଥରେ ମାଆ ଆମକୁ ନିଜ କୋଳରେ ଧରି ଗେଲ କଲାପରେ ତଥା ଦୁଗ୍ଧପାନ ପରେ ଯୋଉ ସମ୍ପର୍କ ଯୋଡ଼ି ହୋଇଯାଏ ତାହା ମୃତ୍ୟୁପରେ ଯାଇ ତୁଟେ । ଆମ ଵିଵାହ ଵୟସ ହେଲାପରେ ଯେତେବେଳେ କନ୍ୟା ଦେଖିଵାକୁ ଯାଆନ୍ତି ଉକ୍ତ କନ୍ୟା ସହିତ ଆମର ମୁହାଁମୁହିଁ ସମୟରେ ଉଭୟେ ପରସ୍ପର ପାଇଁ ଅପରିଚିତ ଥାଆନ୍ତି କିନ୍ତୁ ଥରେ ଵିଵାହ ବନ୍ଧନରେ ବାନ୍ଧି ହୋଇ ଘରସଂସାର କଲାପରେ ପରସ୍ପରର ନିକଟାନିକଟି ହୋଇ ଆଖପାଖରେ ରହି ଅହରହ ଜୀଵନଯୁଦ୍ଧରେ ଯୁଝିଥାନ୍ତି ଏଵଂ ଶେଷରେ ତନ୍ମଧ୍ୟରୁ କେହି ଜଣେ ଦୂରେଇ ଯାଏ ଵା ମୃତ୍ୟୁ ତାକୁ ଦୂରେଇ ଦିଏ । ଆମେ ଜନ୍ମ ପରେ ପ୍ରଥମେ ଆମ ମାଆ ମୁଖରୁ ଯେଉଁ ଭାଷାକୁ ଶିଖନ୍ତି ସେଇ ଭାଷାକୁ ଆମେମାନେ ଆମର ମାତୃଭାଷା ମଣନ୍ତି ।‌ ଜନ୍ମ ସମୟରେ ଆମେ ଆମ ମାତୃଭାଷା ସହିତ ସମ୍ପୂର୍ଣ୍ଣ ଅପରିଚିତ ଥାଆନ୍ତି । ମାଆ ଆମକୁ ଯୋଉ ଭାଷାରେ କହୁଥାଏ ଆମେ ତାହା ମନ ଧ୍ୟାନ ଦେଇ ଶୁଣୁଥାଉ ଏଵଂ ଧୀରେ ଧୀରେ ତାକୁ ବୋଲିଵାକୁ ଚେଷ୍ଟା କରୁ । ପ୍ରଥମେ ପ୍ରଥମେ ଅପରିଚିତ ଥିଵା ଭାଷା ସହିତ କ୍ରମଶଃ ଆମେ ଅଭ୍ୟସ୍ତ ହୋଇଯାଉ ଆଉ ମାଆ ଶିଖାଇଥିଵା ସେଇ ମାତୃଭାଷା ଆମେ ମଲାପରେ ଯାଇ ଆମଠାରୁ ଦୂର ହୁଏ । ପୁନଶ୍ଚ ଯୋଉ ଦେଶରେ ମାଆ ଆମକୁ ଜନ୍ମ ଦିଅନ୍ତି ସେ ଦେଶକୁ ଆମେ ଆମର ମାତୃଭୂମି ଅଭିହିତ କରିଥାଉ ‌‌। ଆମ ମାତୃଭୂମି ଆମପାଇଁ ପ୍ରଥମେ ପ୍ରଥମେ ଅପରିଚିତ ଥାଏ କିନ୍ତୁ ଚାଲି ଶିଖିଵା ପରେ ଓ ବୁଦ୍ଧି ଵିଵେକ ଲଭିଲା ପରେ ଆମେ ଆମ ମାତୃଭୂମିର ପରିସୀମା କିପରି ଘର,ସାହି,ଗାଆଁ,ପଞ୍ଚାୟତ,ପ୍ରଗଣା,ଉପଖଣ୍ଡ,ମଣ୍ଡଳ,ରାଜ୍ୟ,ଦେଶ, ମହାଦେଶ,ପୃଥିଵୀ ଓ ବ୍ରହ୍ମାଣ୍ଡ ପର୍ଯ୍ୟନ୍ତ ପରିଵ୍ୟାପ୍ତ ତାହା ହୃଦୟଙ୍ଗମ କରିଥାଉ । କିନ୍ତୁ ଦୁର୍ଯୋଗରେ ପଡ଼ି ଆମକୁ ଆମ ମାତୃଭୂମିଠାରୁ ଦିନେ ନା ଦିନେ ଦୂରେଇ ଯିଵାକୁ ହିଁ ହୁଏ ଆଉ ଏମିତି ବି ଗୋଟିଏ ଦିନ ଆସେ ଆମକୁ ଆମ ଦେହ ଏହି ମାତୃଭୂମିରେ ଛାଡ଼ି ଯିଵାକୁ ହୁଏ । ଏହି ଚକ୍ର ଏହିପରି ସବୁବେଳେ ଚାଲୁଛି ଆଗକୁ ବି ଯେତେ ଦିନ ଯାଏଁ ସଂସାର ଥିଵ ଚାଲୁରହିଥିଵ । ମୋର ତିନୋଟି ସରଳ ପ୍ରଶ୍ନର ଉତ୍ତର ମଧ୍ୟ ପ୍ରୋକ୍ତ ପ୍ରଶ୍ନଗୁଡ଼ିକ ପରି ଅତି ସରଳ ହିଁ ଥିଲା ।”

ଉତ୍ତର ଶୁଣି ସମସ୍ତେ ଅଵାକ୍ ହୋଇଗଲେ । ଉଷତ ହୋଇ ରାଜା ମୋହନକୁ ପୁରସ୍କାର ସ୍ଵରୂପ ଉପାଧି,ପଗଡ଼ି ଓ ଧନ ପ୍ରଦାନ କଲେ । ଘୋଡ଼ାରେ ଚଢ଼ି ମୋହନ ଘର ଅଭିମୁଖେ ବାହୁଡ଼ିଲା । ମୋହନ ଗଲା ଦିନୁ ରମା ତାକୁ ଝୁରି ଝୁରି କଣ୍ଟା ହୋଇଯାଇଥାଏ ‌ । ପ୍ରଧାନେ ବାଧ୍ୟ ହୋଇ ଉଭୟଙ୍କର ଵିଵାହ କରାଇଦେଇ । 
(ଗଳ୍ପଟି ୧୯୭୦ ଜୁନ ମାସର ହିନ୍ଦୀ ଜହ୍ନମାମୁଁରେ ପ୍ରକାଶିତ ସୁରେନ୍ଦ୍ର କୁମାରଙ୍କ ଗଳ୍ପ 'ମାମୁଲି ସଵାଲ'କୁ ସାମାନ୍ୟ ପରିଵର୍ତ୍ତିତ କରି ଭିନ୍ନ ଶୈଳୀରେ ଲେଖାଯାଇଛି । ମୂଳ ଲେଖାରେ ଏତେ ଶବ୍ଦ ସମ୍ବନ୍ଧୀୟ ଉଲ୍ଲେଖ ନଥିଲା କି ଜୀଵନ,ମାତୃଭଷା ଓ ମାତୃଭୂମି ସମ୍ବନ୍ଧିତ ଟିପ୍ପଣୀ ନଥିଲା)





Sunday, January 7, 2024

•ଅଗ୍ନି ଚୋରୀ ଓ ଅଗ୍ନି ଆଵିଷ୍କାରର କାହାଣୀ•


ଲକ୍ଷ ଲକ୍ଷ ଵର୍ଷ ଧରି ମନୁଷ୍ୟ ଵା Homo Sapiens ଓ ତାଙ୍କର ପୂର୍ଵଜ Homo eroctosମାନେ ଅଗ୍ନିର ଉପଯୋଗ କରୁଅଛନ୍ତି । କେତେକ ଗଵେଷକଙ୍କ ଅନୁସାରେ ପ୍ରାୟ ୧.୮ ନିୟୁତ ଵର୍ଷରୁ ୧.୦ ନିୟୁତ ଵର୍ଷ ମଧ୍ୟରେ ମନୁଷ୍ୟମାନଙ୍କ ପୂର୍ଵଜମାନେ ଅଗ୍ନିର ଵ୍ୟଵହାର କରିଥିଲେ । ମନୁଷ୍ୟମାନେ ଅଗ୍ନିର ଉପଯୋଗ ପ୍ରଥମେ ଉତ୍ତାପ, ହିଂସ୍ରଜନ୍ତୁଠାରୁ ସୁରକ୍ଷା ତଥା ଖାଦ୍ୟ ପୋଡ଼ିଵା ଆଦି କ୍ଷେତ୍ରରେ କରିଲେ ଏଵଂ ଧୀରେ ଧୀରେ ଏ କ୍ଷେତ୍ରରେ ଦକ୍ଷତା ମଧ୍ୟ ଲଭିଲେ । ବହୁତ ପରେ ମାନଵ ସଭ୍ୟତା ଉନ୍ନତ ହେଲା କିନ୍ତୁ ତଥାପି ଅଗ୍ନିର ଆଵଶ୍ୟକତା ତଥା ଉପଯୋଗ ଊଣା ହେଲା ନାହିଁ ଵରଂ ଦିନକୁ ଦିନ ବଢ଼ି ବଢ଼ି ଗଲା । ମୂଳ ପଞ୍ଚତତ୍ତ୍ଵ ମଧ୍ୟରେ ମନୁଷ୍ଯର ଅତ୍ୟାଵଶ୍ୟକ ଭୂମି,ଜଳ,ଵାୟୁ ଛଡ଼ା ଅଗ୍ନିକୁ ସେଥିପାଇଁ ଯୋଡ଼ାଯାଇଛି । ପ୍ରାଚୀନ କାଳରେ ଏହି ପଞ୍ଚତତ୍ତ୍ୱକୁ ଵିଭିନ୍ନ ସଂସ୍କୃତିରେ ଦେଵତା ଭାବେ କଳ୍ପନା କରାଯାଇଥିଲା ତେଣୁ ନାନା ଦେଶରେ ଅନ୍ୟ ପ୍ରାକୃତିକ ଶକ୍ତି ଭଳି ଅଗ୍ନିକୁ ମଧ୍ୟ ପୂଜା କରାଗଲା । ଇଜିପ୍ଟରେ ସୂର୍ଯ୍ୟ, ଵିକାଶ,ଉଷ୍ମତା ତଥା ଅଗ୍ନିର ଦେଵତା ରୂପେ 'ରା'ଙ୍କର ଆରାଧନା କରାଗଲା । ଚୀନ ଦେଶରେ Zhurong ଅଗ୍ନିଦେଵ ତଥା  
Huilu ଅଗ୍ନିର ଅଧିଷ୍ଠାତ୍ରୀ ଦେଵୀ ରୂପେ ପୂଜିତ ହେଲେ । ଜାପାନରେ Kōjin ଦେଵ ଚୂଲି, ରୋଷେଇଶାଳ ତଥା ଅଗ୍ନିର ଦେଵ ଭାବେ ଉପାସିତ ହେଲେ । ପାରସ୍ୟର ଜୋରାଷ୍ଟିଅନମାନଙ୍କ ଦ୍ଵାରା ଅଗ୍ନି, Atar ଦେଵ ରୂପେ ପୂଜା ପାଇଲେ ‌। ଗ୍ରୀସରେ 
Helios,Hephaestus,Hestia ଓ
Prometheus ଆଦି ଅଗ୍ନିର ଦେଵତା ରୂପେ ପୂଜା ପାଉଥିଲେ । ନୋରସ୍ ଦନ୍ତକଥାରେ Logi, ରୋମାନ ଲୋକଗାଥାର Sol,ମେସୋପୋଟାମିଆର Gibil,Nusku,Ishum ଓ Girra ଆଦି ଦେଵତା ଅଗ୍ନିର ଅଧିଷ୍ଠାତା ଦେଵତା ଘୋଷିତ ହେଲେ । ଭାରତରେ ମଧ୍ୟ ନିଆଁକୁ ଅଗ୍ନି ଦେଵ ରୂପେ ପୂଜା କରାଗଲା । 

ପୁଣି ମନୁଷ୍ୟମାନଙ୍କ ପାଇଁ ଅଗ୍ନି ପ୍ରାଚୀନ କାଳରୁ ଏଯାଵତ୍ ଏକ ଅତ୍ୟାଵଶ୍ୟକ ତତ୍ତ୍ଵ ହୋଇଥିଵାରୁ ପୃଥିଵୀର କୋଣେ ଅନୁକୋଣେ "ଜଳ ପ୍ରଳୟ" ଭଳି "ଅଗ୍ନି ଚୋରୀ" ତଥା "ଅଗ୍ନି ଆଵିଷ୍କାର"ର ମଧ୍ୟ ଅନେକ କାହାଣୀ ଶୁଣିଵାକୁ ମିଳେ । ଉତ୍ତର ତଥା ଦକ୍ଷିଣ ଆମେରିକା, ଆଫ୍ରିକା, ଅଷ୍ଟ୍ରେଲିଆ ଓ ଏସିଆର ପ୍ରାୟ ଅଧିକାଂଶ ପ୍ରାଚୀନ ସଭ୍ୟତାରେ ଅଗ୍ନି ସମ୍ବନ୍ଧୀୟ କାହାଣୀମାନ ଶୁଣିଵାକୁ ମିଳିଥାଏ ।

ଗ୍ରୀସ ଦେଶର ପୁରାଣ ଗାଥା ଅନୁସାରେ ଲାପେତୁସ୍(Iapetus) ଓ କ୍ଲେମେନେ(Clymene) ଵା Asiaଙ୍କ ପୁତ୍ର ତଥା ଆଟଲାସ୍(Atlas)ଙ୍କ ଭାଇ "ପ୍ରୋମେଥିୟସ୍(Prometheus)" ସ୍ଵର୍ଗରୁ ଅଗ୍ନି ଚୋରେଇ ଆଣି ମନୁଷ୍ୟମାନଙ୍କୁ ପ୍ରଦାନ କରିଥିଲେ ଫଳତଃ ଏଥିରେ ସ୍ଵର୍ଗର ଦେଵତା ଜିୟସ(Zeus) କ୍ରୋଧାନ୍ୱିତ ହୋଇ ତାଙ୍କୁ ଅନିଶ୍ଚିତ କାଳଯାଏଁ ଦଣ୍ଡିତ କରିଥିଲେ । ଦଣ୍ଡଵିଧାନ ଅନୁସାରେ ଏଲବ୍ରୁସ୍(Elbrus) ପର୍ଵତ ମତାନ୍ତରେ କାଜ଼ବେକ୍(Kazbek) ପର୍ଵତ ଉପରେ ପ୍ରୋମେଥିୟସ୍ ବନ୍ଧା ହେଲେ ଏଵଂ ପ୍ରତିଦିନ ତାଙ୍କର ଯକୃତକୁ ଗୋଟିଏ ଇଗଲ୍ ପକ୍ଷୀ ଆସି ଖାଉଥିଲା । ରାତିରେ ପୁଣି ପ୍ରୋମେଥିୟସଙ୍କ ଯକୃତଟି ବୃଦ୍ଧି ଲାଭ କରି ପୂର୍ଵଵତ୍ ‌ହୋଇଯାଉଥିଲା । ପ୍ରଥମେ ପ୍ରଥମେ Zeus ମାନଵମାନଙ୍କୁ ପସନ୍ଦ କରୁନଥିଲେ ପରେ ତାଙ୍କର ମନ ପରିଵର୍ତ୍ତନ ଘଟିଲା । ଶେଷରେ ଜିୟସଙ୍କ ପ୍ରେରଣାରେ ପ୍ରୋମେଥିୟସ୍, ପ୍ରସିଦ୍ଧ ଗ୍ରୀକ୍ ନାୟକ ହରକେଲସ୍(Heracles)ଙ୍କ ଦ୍ୱାରା ମୁକ୍ତ ହୋଇଥିଲେ । ଜର୍ଜିଆ ଦେଶରେ ସାମାନ୍ୟ ପରିଵର୍ତ୍ତନ ସହିତ ଏହି ସମଧରଣର କଥା ପ୍ରଚଳିତ କେଵଳ ସେ ଦେଶର ପୁରାଣ ଗାଥାରେ କଥିତ ଅଗ୍ନି ପ୍ରଦାୟକ ନାୟକ ହେଉଛନ୍ତି Amirani ଯିଏ ଦେଵତାମାନଙ୍କଠାରୁ ଅଗ୍ନି ଆଣି ମାନଵମାନଙ୍କୁ ଦେଇଥିଲେ । ପରଵର୍ତ୍ତୀ କାଳରେ Norse ଲୋକଗାଥାର ଅନ୍ୟତମ ନାୟକ Loki ଅଗ୍ନି ଚୋରୀ କରିଥିଵାର କାହାଣୀ ମଧ୍ୟ ନରୱେ ଓ ଏହାର ଆଖପାଖ ଅଞ୍ଚଳରେ ଶୁଣାଗଲା ତେବେ ଏହି ଲୋକଗାଥା ଅପେକ୍ଷାକୃତ ଅର୍ଵାଚୀନ ବୋଲି ଅନେକ ଗଵେଷକଙ୍କ ମତ । 

'ଚେଚେନୟା' ଅଞ୍ଚଳର ଵୈନାଖ୍ ଜାତୀୟ ଲୋକଙ୍କ ପ୍ରାଚୀନ ପୁରାଣରେ ଅଗ୍ନିଚୋରୀର କାହାଣୀ ସାମାନ୍ୟ ଭିନ୍ନ ।‌ Pkharmat ବୋଲି ଜଣେ ଉପଦେଵତା ଵା Nart ଥିଲେ ଯିଏ ସମସ୍ତଙ୍କୁ ଭଲ ପାଉଥିଲେ ଏଵଂ କାହା ପ୍ରତି ତାଙ୍କର ଘୃଣା ଦ୍ଵେଷ ଭାଵ ନଥିଲା ଯେହେତୁ ସେମାନଙ୍କ ମନରେ ଏହିସବୁ ଭାଵ ଉତ୍ପନ୍ନ କରିଵାକୁ ଅଗ୍ନି ନଥିଲା । ସେତେବେଳେ ସମସ୍ତ ଅଗ୍ନି ଜଣେ ନୃଶଂସ ଦେଵତା selaଙ୍କ ପାଖରେ ଥିଲା ଯିଏ ବିଜୁଳି ,ତାରକା ,ନର୍କ'ର ଅଧିଷ୍ଠାତା ଦେଵ ଅଟନ୍ତି । Sela ନିଜ ଦୁଷ୍ଟ ସ୍ଵଭାଵ ଯୋଗୁଁ nartମାନଙ୍କ ଉପରେ ମଝିରେ ମଝିରେ ଵିଜୁଳି ଦ୍ଵାରା ଆଘାତ କରି ବଡ଼ ସୁଖ ପାଉଥିଲେ । ଏହି ଦେଵତାଙ୍କ ପତ୍ନୀ sata କିନ୍ତୁ Nartମାନଙ୍କର ଲୁଚିଛପି ଅନେକ ଉପକାର କରୁଥିଲେ । Nartମାନେ ଅଗ୍ନି ଵିନା କଞ୍ଚାଦୁଗ୍ଧ ଓ କଞ୍ଚାଫଳ ଖାଇ ବଡ଼ କଷ୍ଟରେ ଜୀଵନଯାପନ କରୁଥିଲେ । Pkharmat ଜାଣିଥିଲେ ଯେ Bashlam ପର୍ଵତ 
ଶିଖରରେ ନର୍କର ନିଆଁ ଜଳୁଛି । ଦିନେ ସେ ଏହାକୁ ଚୋରି କରିଵାକୁ ସ୍ଥିର କଲେ। ସେ ଏହି ଅଗ୍ନି ଚୋରୀ ପାଇଁ ଗୋଟିଏ ଶୀତଵସ୍ତ୍ର, ଖଣ୍ଡା, ପିତ୍ତଳର ଢାଲ ସହିତ ନିଜ ସାହସୀ ଘୋଡ଼ା Turpal ଉପରେ ବସି ଯାତ୍ରା ଆରମ୍ଭ କରିଦେଲେ ।‌
ଏ କାର୍ଯ୍ୟରେ ପକ୍ଷୀରୂପ ଧରି ଦେଵୀ Sata ସାହାଯ୍ୟ କଲେ ଏଵଂ Pkharmatଙ୍କୁ ଯାତ୍ରାପଥର ସବୁ ବାଧାଵିଘ୍ନରୁ ସୁରୁଖୁରୁରେ ବାଟ କଢ଼େଇ ନେଲେ । ପର୍ଵତଶିଖରରେ ସ୍ଥିତ ନର୍କକୁ ଡେଇଁ ତହିଁରେ ଜଳୁଥିଵା ଅଗ୍ନିକୁ ଚୋରାଇ ଫେରିଵା ବେଳେ ଦୁଷ୍ଟ ଦେଵତା sela ନିଜର ଐଶ୍ଵରୀୟ ଶକ୍ତି ବଳରେ Pkharmatଙ୍କ ପଥରେ ନାନା ପ୍ରାକୃତିକ ବାଧାଵିଘ୍ନ ସୃଷ୍ଟି କଲେ । ସବୁ ଵିପତ୍ତିକୁ ପାର କରି Pkharmat ଚୋରାଇ ଆଣିଥିଵା ଅଗ୍ନିକୁ ପର୍ଵତ ଗୁହାରେ ରହୁଥିଵା nartମାନଙ୍କୁ ପ୍ରଦାନ କଲେ ଏଵଂ ଏହି ଅଗ୍ନି ବଳରେ ଚାଷକାର୍ଯ୍ୟ କରି ଚଳିଵାକୁ ଉପଦେଶ ଦେଲେ । ଇତିମଧ୍ୟରେ sela ନିଜ cyclops ଅନୁଚର Ujaକୁ Pkharmatଙ୍କୁ ଦଣ୍ଡିତ କରିଵାକୁ ପଠାଇଲେ । Uja ନିଜର ଶକ୍ତିବଳରେ Pkharmatଙ୍କୁ Bashlam ପର୍ଵତରେ ପିତ୍ତଳ ଶୃଙ୍ଖଳରେ ବାନ୍ଧି ଆଜୀଵନ ଦଣ୍ଡଭୋଗ କରିଵାକୁ ଛାଡ଼ିଗଲେ । ଆଜି ବି ସ୍ଥାନୀୟ ଲୋକଙ୍କ ଵିଶ୍ଵାସ ଯେ Pkharmat ସେହି Bashlam ପର୍ଵତ ଉପରେ ବନ୍ଧା ହୋଇଛନ୍ତି ଏଵଂ ପ୍ରତିଦିନ falcon ଵା ଛଞ୍ଚାଣଟିଏ ଆସି ତାଙ୍କ କଲିଜା ଖାଉଛି । ଚେଚେନୟା ଅଞ୍ଚଳର ଏହି ଲୋକକଥାର ଗ୍ରୀକ୍ ଵୀର Prometheusଙ୍କ ଅଗ୍ନିଚୋରୀ କାହାଣୀ ସହିତ ଅନେକ ସାମଞ୍ଜସ୍ୟ ରହିଛି । ତେବେ ଏ କାହାଣୀରୁ ଅନୁମାନ କରାଯାଇପାରେ ଯେ ହୁଏତ ସ୍ଥାନୀୟ ଅଞ୍ଚଳର ମନୁଷ୍ୟମାନେ ଆଗ୍ନେୟଗିରିରୁ ଅଗ୍ନି ଆଵିଷ୍କାର କରିଥିଲେ । 

Polynesian ଅଞ୍ଚଳରେ Māui ଅଗ୍ନି ଚୋରୀ କରିଥିଵାର ଅନେକ ଆଖ୍ୟାନ ପ୍ରଚଳିତ । ଗୋଟିଏ କଥା ଅନୁସାରେ Māuiଙ୍କର ଜଣେ ପୂର୍ଵପୁରୁଷ ଅଗ୍ନିରକ୍ଷକ ଥିଲେ ଏଵଂ ତାଙ୍କଠାରୁ ଅଗ୍ନି ଲାଭ କରିଵାକୁ ନାନା ରୂପେ ପ୍ରତାରିତ ହେଲାପରେ ସେ ନିଜକୁ ଲୁଚାଇ ରଖିଥିଵା ଅଗ୍ନି ଦ୍ଵାରା ଜଳାଇଦେଇଥିଲେ ଏଵଂ ସେ ଅଗ୍ନି ଯୋଗୁଁ Māui ମଧ୍ୟ ମୃତ୍ୟୁ ମୁଖରେ ପଡ଼ିଥିଲେ । Māui ସମ୍ବନ୍ଧୀୟ ଏହି ଲୋକକଥା ଅଗ୍ନିର ଭୟାଵହତାକୁ ଦର୍ଶାଇଥାଏ । 

ଅଷ୍ଟ୍ରେଲିଆରେ ୟୁରୋପୀୟମାନେ ପାଦ ଦେଵା ପୂର୍ଵରୁ ସେଠାରେ Wurundjeri ଜନଜାତିର ଲୋକେ ସେମାନଙ୍କର Kulin ନାମକ ଦେଶରେ ରହୁଥିଲେ । ଏହି Wurundjeri ଜନଜାତିର ପୁରାଣଗାଥା ଅନୁସାରେ ପୂର୍ଵେ ସାତଭଉଣୀ Karatgurkଙ୍କ ପାଖରେ ହିଁ ଅଗ୍ନି ଥିଲା । ଏହି ସାତଭଉଣୀ ଅଗ୍ନି ଦ୍ଵାରା ଅଷ୍ଟ୍ରେଲିଆରେ ମିଳୁଥିଵା Murnong(Microseris walteri) ନାମକ ଏକ ଜାତୀୟ ମାଟିଆଳୁକୁ ପୋଡ଼ି ମହା ଆନନ୍ଦରେ ଖାଉଥିଲେ ହେଲେ ସେମାନେ କାହାକୁ ବି ଅଗ୍ନି ଦେଉନଥିଲେ । ଥରେ ଗୋଟିଏ କୁଆ ସେମାନଙ୍କୁ ଠକି ଅଗ୍ନି ଚୋରାଇ ନେଵାକୁ ଯୋଜନା କରି ସାତ ଭଉଣୀ Karatgurkଙ୍କୁ ଗୋଟିଏ ଉଈ ବସା ଦେଖେଇ କହିଲା ଏହାକୁ ପୋଡ଼ିଲେ Murnong ଆଳୁ ଅପେକ୍ଷା ଅତି ସ୍ଵାଦିଷ୍ଟ ଖାଦ୍ୟ ପାଇଵ । ଊଈ ବସାକୁ ସାତ ଭଉଣୀ ନିଆଁ ଦ୍ଵାରା ଜଳାଇଵାକୁ ଉଦ୍ୟତ ହୁଅନ୍ତେ ସେଥିରୁ ସର୍ପମାନେ ବାହାରି ସେମାନଙ୍କୁ କାମୁଡ଼ି ଗୋଡ଼ାଇଲେ । ଇତ୍ୟଵସରରେ କୁଆଟି ନିଆଁକୁ ଚୋରାଇ ମଣିଷକୁ ଦେଇଦେଲା । ସ୍ଥାନୀୟ ଲୋକକଥା ଅନୁସାରେ Karatgurk ସାତ ଭଉଣୀ ପରେ କୃତ୍ତିକା ନକ୍ଷତ୍ରପୁଞ୍ଜ (Pleiades star cluster) ଭାବେ ମହାକାଶରେ ଅଵସ୍ଥାନ କଲେ । 

ଆଫ୍ରିକାର Botswana, Namibia 
 South Africa ,Angola, ଓ 
 Zimbabwe ଜିମ୍ବାୱେରେ San ବୋଲି ଏକ ଜନଜାତି ରୁହନ୍ତି । ଏମାନଙ୍କ ଲୋକକଥାରେ ǀKaggen ନାମକ ଜଣେ ନାୟକଙ୍କ କାହାଣୀ ରହିଛି ଯିଏ କାଠିପୋକ(mantis) ରୂପରେ ostrichମାନଙ୍କଠାରୁ(ostrichମାନେ ତାଙ୍କର ପରରେ ଅଗ୍ନି ଲୁଚାଇ ରଖିଥିଲେ)ଅଗ୍ନି ଚୋରାଇ ଆଣି ମନୁଷ୍ୟମାନଙ୍କୁ ଦେଇଥିଲେ ।
 
ଆମେରିକା ମହାଦେଶ ଦ୍ଵୟରେ ମଧ୍ୟ ଅଗ୍ନିଚୋରୀର ଅନେକ ଉପାଖ୍ୟାନ ନାନା ଆମେରକୀୟ ଜନଜାତି ମଧ୍ୟରେ ପ୍ରଚଳିତ ।‌
କେତେକ ଆମେରିକୀୟ ଜନଜାତିରେ Coyote(ଏକ ଜାତୀୟ କୋକିଶିଆଳୀ), Beaver(ଏକ ଜାତୀୟ ମୂଷା) କିମ୍ବା ଶ୍ଵାନମାନଙ୍କ ଦ୍ଵାରା ମନୁଷ୍ୟମାନଙ୍କୁ ଅଗ୍ନି ଲାଭ ହୋଇଥିଵାର କାହାଣୀ ଥିଲାବେଳେ Algonquin ପୁରାଣଗାଥା ଅନୁସାରେ ଗୋଟିଏ ଠେକୁଆ ଏକ ଵୃଦ୍ଧ ଓ ତାହାର ଦୁଇ କନ୍ୟାଙ୍କଠାରୁ ଅଗ୍ନି ଚୋରାଇ ଆଣି ପ୍ରଥମେ ସ୍ଥାନୀୟ ମନୁଷ୍ୟମାନଙ୍କୁ ପ୍ରଦାନ କରିଥିଲା । ଆମେରିକାରେ ରହୁଥିଵା Cherokeeମାନଙ୍କ ପୁରାଣଗାଥା ଅନୁଯାୟୀ Opossum(ମୂଷା ଭଳି ଦେଖାଯାଉଥିଵା ଜୀଵ ଏଵଂ କଙ୍ଗାରୁର ଦୂର ସମ୍ପର୍କୀୟ ) ଓ ଛଞ୍ଚାଣ ଅଗ୍ନି ଚୋରୀ କରିଵାରେ ଅସଫଳ ହେଵାପରେ ଗୋଟିଏ ଵୃଦ୍ଧା ବୁଢ଼ୀଆଣୀ ନିଜର ଜାଲ ଦ୍ଵାରା ଅଗ୍ନି ଚୋରାଇଵାରେ ସଫଳ ହୋଇଥିଲା । 
ଆମେରିକୀୟ Mazatec ଲୋକଗାଥା ଅନୁସାରେ ତାରକାରୁ ଅଗ୍ନି ପାଇ ଗୋଟିଏ ବୁଢ଼ୀ ନିଜ ପାଖରେ ତାକୁ ଲୁଚାଇ ରଖିଥିଲା । opossum(ଆମେରକୀୟ ମୂଷିକ) ମୂଷା ତାକୁ ନିଜ ଲାଙ୍ଗୁଡ଼ ଦ୍ଵାରା ଚୋରାଇ ଅନ୍ୟ ମନୁଷ୍ୟମାନଙ୍କୁ ପ୍ରଦାନ କରିଥିଲା ଫଳତଃ ସେହିଦିନଠାରୁ ତାହାର ଲାଞ୍ଜ କେଶହୀନ ହୋଇଗଲା ‌। ସେହିପରି ଆମେରିକାର Yukon ଜନଜାତିରେ କାଉ ଦ୍ଵାରା ଆଗ୍ନେୟଗିରିରୁ ଅଗ୍ନି ଆଣି ମନୁଷ୍ୟମାନଙ୍କୁ ଦେଵାର ଲୋକକଥା ପ୍ରଚଳିତ ।

Paraguayରେ Gran Chaco 
 Lengua ଵା Enxet ବୋଲି ଏକ ଜନଜାତି ଵସଵାସ କରନ୍ତି ଏଵଂ ଅଧୁନା ଏମାନଙ୍କ ମୋଟ ଜନସଂଖ୍ୟା ୧୭୦୦୦ ଥିଵା ଜଣାଯାଏ । ଏମାନଙ୍କର ଲୋକକଥା ଅନୁସାରେ ଜଣେ ମଣିଷ କେତେକ ଚମତ୍କାରୀ ପକ୍ଷୀମାନଙ୍କଠାରୁ ଅଗ୍ନି ଚୋରାଇ ନେଇଥିଲା । ମନୁଷ୍ୟଟି ସେହି ପକ୍ଷୀମାନଙ୍କୁ ଶାମୁକାରେ କାଠି ଜଳାଇ ଖାଦ୍ୟ ରନ୍ଧନ କରୁଥିଵା ଦେଖି ସେଠାରୁ ଅଗ୍ନି ଚୋରାଇ ନେଇ ନିଜ ଗ୍ରାମରେ ସମସ୍ତଙ୍କୁ ବାଣ୍ଟି ଦେଲା । ଚମତ୍କାରୀ ପକ୍ଷୀମାନେ ଏହା ଦେଖି କ୍ରୋଧାନ୍ୱିତ ହେଲେ ଏଵଂ ସେହି ଗାଆଁ ଉପରେ ଵିଜୁଳିପାତ କରି ଧନ ଜୀଵନ କ୍ଷୟକ୍ଷତି ଘଟାଇଲେ। 

ଚୀନ ଦେଶର ଲୋକକଥା ଅନୁସାରେ Suiren ନାମକ ଜଣେ ଅତି ପ୍ରାଚୀନ ଵ୍ୟକ୍ତି ପ୍ରଥମେ ଚୀନଦେଶୀୟ ଲୋକମାନଙ୍କୁ ଅଗ୍ନିର ଆଵିଷ୍କାର କରି ଜଣାଇଥିଲେ । ଏହା ଚାଇନିଜ୍ ଭାଷାର ପୌରାଣିକ ଜଗତରେ ଅଗ୍ନିର ଉତ୍ପତ୍ତି ଵିଷୟରେ ଵର୍ଣ୍ଣନା ଥିଵା ସବୁଠାରୁ ପ୍ରସିଦ୍ଧ ଗାଥା । Suiren ଶବ୍ଦର ଆକ୍ଷରିକ ଅର୍ଥ ଅରଣିପୁରୁଷ ଵା flintman ଅଟେ । Flintstoneକୁ ଚୀନ ଦେଶରେ ସୁଇ କୁହାଯାଉଥିଲା ବେଳେ ଓଡ଼ିଆ ଭାଷାରେ ଆମେ ତାକୁ ଚକମକି ପଥର କହିଥାଉ । ଆଉ କେହି କେହି କୁହନ୍ତି ସୁଇ ପ୍ରକୃତରେ ଏକ ଜାତୀୟ ଗଛ ତଥା ଏହାର କାଠର ନାମ । ଚୀନ ଦେଶର ଲୋକଗାଥା ଅନୁସାରେ ଅଗ୍ନିର ଆଵିଷ୍କାର ପାଇଁ ସୁଇରେନ୍ ଦେଶାଟନ କରୁଥିଵାବେଳେ ସୁଇମିଙ୍ଗ ନାମକ ସ୍ଥାନରେ ଏକ ପକ୍ଷୀଙ୍କ ଠାରୁ ପ୍ରେରଣା ପାଇଥିଲେ ଯିଏ ସୁଇ ନାମକ ଏକ ବିଶାଳ ଗଛକୁ ନିଜ ଥଣ୍ଟଦ୍ଵାରା ଖୁମ୍ପୁଥିଲା। ଫଳତ ଉକ୍ତ କାଠରୁ ଅନେକ ନିଆଁ ଝୁଲ ସୃଷ୍ଟି ହେଉଥାଇ । ଏହାକୁ ଅନୁକରଣ କରି ସୁଇରେନ୍ ସେହି ସୁଇଗଛର କାଠର ଏକ ଛୋଟ ଡାଳ ନେଇ ତାକୁ ସୁଇଗଛରେ ଘସିଵାରୁ ନିଆଁ ଝୁଲ ସୃଷ୍ଟି ହେଲା । ଚିନଦେଶୀୟ ଲୋକଗାଥା ଅନୁସାରେ ଏଠାରୁ ହିଁ ଅଗ୍ନି ଆଵିଷ୍କାର ତଥା ଏହାର ଵ୍ୟଵହାର ଆରମ୍ଭ ହୋଇଥିଲା । ସେବେଠାରୁ ମଣିଷ ରୋଷେଇ କରିଵା ଆରମ୍ଭ କଲା ଏଵଂ ଏହିପରି ସେ ପଶୁମାନଙ୍କଠାରୁ ଅଲଗା ହୋଇଗଲା ।

ଵେଦରେ ଅଗ୍ନି ସମ୍ବନ୍ଧୀୟ ଅନେକ କଥା ରହିଛି ତନ୍ମଧ୍ୟରୁ ଋକଵେଦର ଗୋଟିଏ କଥା ଅନୁସାରେ ପୂର୍ଵେ ଦେଵତାମାନେ ହିଁ ଅଗ୍ନି ଵିଷୟରେ ଜାଣିଥିଲେ । ଅଗ୍ନି ଵିଜୁଳି ଆକାରରେ ସ୍ଵର୍ଗକୁ ତଳକୁ ଆସି ନିଜକୁ ଲୁଚାଇ ନେଉଥିଲେ । କିନ୍ତୁ ମାତରିଶ୍ଵନ୍ ପ୍ରଥମେ ସ୍ଵର୍ଗରୁ ଅଗ୍ନି ଆଣି ଭୃଗୁଙ୍କୁ ପ୍ରଦାନ କରିଥିଲେ । ତେବେ ଋକଵେଦୋକ୍ତ କେତେକ ମନ୍ତ୍ରର ଅଵତାରଣାରେ ଵୈଦେଶିକ ପଣ୍ଡିତମାନେ ଏଭଳି ଅନୁମାନ କରିଛନ୍ତି। ପ୍ରକୃତରେ ମାତରିଶ୍ଵା ସ୍ଵୟଂ ଅଗ୍ନିଙ୍କର ଏକ ନାମ । ଆକାଶରେ ସୃଷ୍ଟି ହେଉଥିଵା ଅଗ୍ନିକୁ ମାତରିଶ୍ଵା କୁହାଯାଏ ।‌ ମାତରିଶ୍ବାର ଦ୍ଵିତୀୟ ଅର୍ଥ ଵାୟୁ । ସମ୍ଭଵତଃ ଭାରତରେ ମନୁଷ୍ୟମାନେ ପ୍ରଥମେ ଅଗ୍ନିର ଆଵିଷ୍କାର ମହାକାଶରୁ ପୃଥିଵୀ ପୃଷ୍ଠରେ ଆସି ପଡ଼ିଥିଵା କୌଣସି ଉଲ୍‌କା ,ଗ୍ରହାଣୁ ଯୋଗୁଁ ସୃଷ୍ଟି ହୋଇଥିଵା ଅଗ୍ନିରୁ ଅଥଵା ଵିଜୁଳିପାତ ଯୋଗୁଁ ହଠାତ୍ ଜଳିଯାଇଥିଵା ଗଛ ଆଦିରୁ ଅଗ୍ନିର ଆଵିଷ୍କାର କରିଥିଲେ । 

ତେବେ ଅଗ୍ନି ଆଵିଷ୍କାର ସମ୍ବନ୍ଧୀୟ ଏକ ଲୋକକଥା ଵା ପୁରାଣଗାଥା ଆମ କଳିଙ୍ଗ ଦେଶର ସଉରା ଜନଜାତିରେ ମଧ୍ୟ ପ୍ରଚଳିତ ଅଛି । 

ସଉରାମାନେ ନିଜକୁ କିତୁଙ୍ଗ ଦେଵତାଙ୍କ ଦ୍ବାରା ସୃଷ୍ଟି ବୋଲି ଵିଶ୍ଵାସ କରିଥାନ୍ତି । କୁହାଯାଏ ଯେତେବେଳେ ପ୍ରଳୟ ହୋଇଥିଲା, ସେତେବେଳେ
ପ୍ରଳୟ ଅନ୍ତ କରି ମହାପ୍ରଭୁ ସୃଷ୍ଟି ସର୍ଜନା କରିଵାପାଇଁ ଚାହିଁଲେ । ସେ କେଞ୍ଚୁଆ ଦେହରୁ ମାଟି ଆଣି ପୃଥଵୀ ତିଆରି କଲେ ଓ ପ୍ରଳୟ ଜଳରେ ଏକ ମୁଦ୍ରିତ ପେଟି
ଭିତରେ ବନ୍ଦ ହୋଇ ଭାସୁଥିଵା ଭାଇଭଉଣୀକୁ ଆଣି ପତିପତ୍ନୀ ରୂପେ ସୃଷ୍ଟି ସର୍ଜନା କରିଵାପାଇଁ ଆଦେଶ ଦେଲେ । ସେମାନେ ମହାପ୍ରଭୁଙ୍କ ଆଦେଶ ନ ମାନିଵାରୁ ସେମାନଙ୍କୁ ବସନ୍ତ ରୋଗ ଦ୍ବାରା ଵିକଳାଙ୍ଗ କରିଦେଲେ । କିଛି କାଳ ପରେ ସେମାନେ ପରସ୍ପରକୁ ଚିହ୍ନି ନ ପାରି ପତିପନ୍ଥୀ ଭାବେ ବଞ୍ଚିଵାକୁ ଲାଗିଲେ । ସେମାନଙ୍କ ଗର୍ଭରୁ ଯେଉଁ କେତୋଟି ସନ୍ତାନ ଜନ୍ମ ନେଲେ ସେମାନଙ୍କ ମଧ୍ୟରେ ସବା ସାନଭାଇ ଥିଲା ଜଗନ୍ତା । ଏହି ଜଗନ୍ତାର ଅନ୍ୟ ଛଅଭାଇ ବିଭା ହୋଇଥିଲେ ଏଵଂ ସେମାନଙ୍କର ଛଅଟି ସ୍ତ୍ରୀ ଥିଲେ ।

ଜଗନ୍ତା ବାହା ହୋଇ ନଥିଲେ । ସେ କିନ୍ତୁ ଅନ୍ୟ ଛଅ ଭାଇଙ୍କ ଠାରୁ ଅଧିକ ସୁନ୍ଦର ଓ ଶକ୍ତିଶାଳୀ ଥିଲେ । ଜଗନ୍ତାର ରୂପ ଗୁଣରେ ମୁଗ୍ଧ ହୋଇ ତାର ଭାଉଜମାନେ ତା ସହ ପ୍ରେମ କରିଵା ପାଇଁ ଚେଷ୍ଟା କଲେ । କିନ୍ତୁ ଜଗନ୍ତା ସେମାନଙ୍କ ଫାନ୍ଦରେ ପଡ଼ିଲେ ନାହିଁ । ଏହି ଵିଷୟ ଭାଇମାନଙ୍କୁ କହିଦେଵେ, ଏଇ ଭୟରେ ଭାଉଜମାନେ ବାଳମୁକୁଳା କରି ଗାଲ, ନାକ ଓ ମୁହଁକୁ ନିଜ ନଖରେ ବିଦାରି, ସେମାନଙ୍କ ସ୍ଵାମୀମାନେ ଯେଉଁ ଡଙ୍ଗରରେ କାମ କରୁଥିଲେ ସେଠାକୁ ଯାଇ ଜଗନ୍ତାଙ୍କ ନାମରେ ନାନା କଥା କହିଲେ ।

ଭାଉଜମାନଙ୍କର ଖଚମିଛ କଥା ସବୁ ଶୁଣି ଭାଇମାନେ ରାଗିଯାଇ ଘରକୁ ଆସି ଜଗନ୍ତାଙ୍କର ହାତଗୋଡ଼ ବାନ୍ଧି କରି ନେଇ ତାଙ୍କୁ ପାହାଡ଼ ତଳେ ଏକ ବରଗଛ ମୂଳେ ପକାଇଦେଲେ । କିଛିଦିନ ବିତିଗଲା । ଜଗନ୍ତାଙ୍କର କିଛି କ୍ଷତି ହେଲା ନାହିଁ । ସମସ୍ତେ ଜଗନ୍ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଲେ ଓ ତାଙ୍କୁ କିନ୍ଦୁଙ୍ଗ୍ ମହାପ୍ରଭୁ ଭାବେ ପୂଜା କଲେ । ପରେ ଜଗନ୍ତା କିନ୍ତୁ ରାଵଣଗିରିରେ ପଥର ଫଟେଇ ସେଥିରୁ ନିଆଁ ବାହାର କଲେ ଓ ପଵନକୁ ଜନ୍ମଦେଲେ । ପଥର ଭାଙ୍ଗିଵା ବେଳେ ଖଣ୍ଡିଏ ପଥର ତାଙ୍କ ମୁହଁରେ ବାଜିଵାରୁ ତାଙ୍କ ମୁହଁ ଚେପ୍‌ଟା ହୋଇଗଲା ଓ ନିଆଁ ପ୍ରଵଳ ହୋଇ ପାହାଡ଼ରେ ଥିଵା ଅରଣ୍ୟରେ ଵ୍ୟାପିଯିଵାରୁ ନିଆଁରେ ଜଗନ୍ତା କିନ୍ଦୁଙ୍ଗ୍‌ଙ୍କ ଗୋଡ଼ହାତ ଜଳିଗଲା । ନିଆଁ ଧାସରେ ସିଝି ତାଙ୍କ ଦେହ କଳା ହୋଇଗଲା । ସେ ରାଵଣଗିରି ପାହାଡ଼ରେ ମାଦଳ ହୋଇ ପଡ଼ିରହିଲେ । ତାଙ୍କ ଦ୍ବାରା ସୃଷ୍ଟି ହୋଇଥିଵା ନିଆଁରେ ବହୁ ଜୀଵଜନ୍ତୁ ପୋଡ଼ି ହୋଇ ମଲେ । ମଣିଷମାନେ ପୋଡ଼ା ପଶୁପକ୍ଷୀମାନଙ୍କ ମାଂସ ଖାଇ ତା’ର ସ୍ଵାଦ ବାରିଵାରୁ ପରେ ନିଆଁକୁ ସାଇତି ରଖି ଖାଦ୍ୟ ରାନ୍ଧିକରି ଖାଇଵା ଶିଖିଲେ । ଲୋକମାନେ ନିମ୍ବକାଠ ଗଣ୍ଡିରେ ସେଇକାଳରୁ କିତୁଙ୍ଗଙ୍କ ହାତଗୋଡ଼ ଵିହୀନ ଦାରୁମୂର୍ତ୍ତି ନିର୍ମାଣ କରି ପୂଜା କରିଵା ଆରମ୍ଭ କଲେ । ଏହି ଜଗନ୍ତା ପରଵର୍ତ୍ତୀ କାଳରେ କେଵଳ ସଉରା ଜନଜାତି ହିଁ ନୁହେଁ ଓଡ଼,କୁଈ କନ୍ଧ, ସାନ୍ତାଳୀ ଆଦି ସମସ୍ତ କଳିଙ୍ଗୀ ପ୍ରଜାଙ୍କ ଦ୍ବାରା ରାଷ୍ଟ୍ରଦେଵତା ଶ୍ରୀଜଗନ୍ନାଥ ରୂପେ ପୂଜିତ‌ ହେଲେ । ସେହିପରି ଜଗନ୍ତା ଵା ଶ୍ରୀଜଗନ୍ନାଥଙ୍କ ଆନରୂପ ହେଉଛନ୍ତି ଜଙ୍ଗାଦେଓ । ଜଙ୍ଗାଦେଓ କନ୍ଧ,ଗଣ୍ଡମାନଙ୍କର ପ୍ରମୁଖ ଆରାଧ୍ୟ ଦେଵତା ଅଟନ୍ତି ।‌ ନବରଙ୍ଗପୁର ଜିଲ୍ଲା ଓ ଉପାନ୍ତ ଛତିଶଗଡ଼ରେ ରହୁଥିଵା ଦ୍ରାଵିଡ଼ ଜନଜାତୀୟ ଲୋକମାନଙ୍କ ମଧ୍ୟରେ ଜଙ୍ଗାଦେଓ ସର୍ଵଶ୍ରେଷ୍ଠ
ଦେଵତା ,ସୃଷ୍ଟିକର୍ତ୍ତା ଓ କୃଷିକାର୍ଯ୍ୟର ଉଦ୍ଭାଵକଭାବେ ପରିଚିତ । ଚୈତ୍ରମାସରେ ଏହି ଦେଵତାଙ୍କର ପୂଜା କରାଯାଏ । ଇଏ କୃଷିଭିତ୍ତିକ ପର୍ଵର ଦେଵତା । ପୂର୍ଵେ କନ୍ଧ,ଗଣ୍ଡ ଓ ସଉରାମାନେ ଜଗନ୍ତା କିତୁଙ୍ଗ୍‌କୁ ନିଜର ଆରାଧ୍ୟ ଭାବରେ ପୂଜାର୍ଚ୍ଚନା କରୁଥିଲେ ‌। ତେବେ ସେ ଭଗଵାନ ନୀଳକନ୍ଦରରେ ପୂଜା ପାଇଵାରୁ ଗଣ୍ଡମାନେ ଦେଵତାଙ୍କ ଆସ୍ଥାନ ପାଖରେ ଅଧିଆ ପଡ଼ିଲେ । ସର୍ଵଶକ୍ତିମାନ ଭଗଵାନ ଆଦେଶ ଦେଲେ ଯେ ମୁଁ ଅର୍ଦ୍ଧେକ ମାତ୍ର ପୁରୀରେ ପୂଜା ପାଉଛି । ବାକି ଅର୍ଦ୍ଧେକ ତୁମେ ପୂଜା କର । ସେହିଦିନଠାରୁ ଶ୍ରୀଜଗନ୍ନାଥଙ୍କ ଜଙ୍ଘ ପର୍ଯ୍ୟନ୍ତ ଅର୍ଦ୍ଧନିର୍ମିତ ସ୍ଵରୂପ ଜଙ୍ଗାଦେଓଙ୍କୁ ଗଣ୍ଡ ଓ କନ୍ଧମାନେ ପୂଜା କରି ଆସୁଛନ୍ତି ।

ଅଗ୍ନି ଚୋରୀ ଓ ଆଵିଷ୍କାରର ପ୍ରୋକ୍ତ ସମସ୍ତ ଲୋକଗାଥା ମଧ୍ୟରେ Prometheus,Pkharmat ଓ ଜଗନ୍ତା ଆଦିଙ୍କ କ୍ଷେତ୍ରରେ ଅଗ୍ନି ଚୋରୀ ତଥା ଆଵିଷ୍କାର ଯୋଗୁଁ ପ୍ରଥମେ ହୋଇଥିଵା କ୍ଷୟକ୍ଷତିର ଵର୍ଣ୍ଣନା ପରୋକ୍ଷରେ କାହାଣୀଗୁଡ଼ିକରେ କରାଯାଇଛି ‌ । Māui ମଧ୍ୟ ନିଜ ଅଗ୍ନିରକ୍ଷକ ପୂର୍ଵଜଠାରୁ ଜୋର୍ କରି ଅଗ୍ନି ଛଡ଼ାଇ ନେଵାକୁ ଚେଷ୍ଟା କରି ନିଜେ ଅଗ୍ନିରେ ଜଳି ମୃତ୍ୟୁ ମୁଖରେ ପଡ଼ିଛି । ଆମେରିକାର Opossum ମୂଷା ମଣିଷକୁ ଅଗ୍ନି ଦେଵାକୁ ଯାଇ ନିଜ ଲାଞ୍ଜର କେଶ ଜଳାଇ ଦେଇଛି । ଏସବୁ କାହାଣୀ ମଧ୍ୟରେ ଆମ ମାନଵ ପୂର୍ଵଜ ଆମକୁ ଅଗ୍ନିର ଭୟାଵହତା ଓ ତତ୍ ପ୍ରତି ସାଵଧାନତା ଅଵଲମ୍ବନର ଶିକ୍ଷା ପ୍ରଦାନ କରିଅଛନ୍ତି ପୁଣି ଅଗ୍ନିର ଚୋରୀ ନୁହେଁ ଵରଂ ସୁରକ୍ଷିତ ବଣ୍ଟନ ଦ୍ଵାରା ହିଁ ଲାଭ ବୋଲି ପରୋକ୍ଷରେ ଜଣାଇ ଦେଇ ଯାଇଛନ୍ତି । 
(ଆମ ଢେଙ୍କାନାଳର 'ଇନ୍ଦୁପ୍ରଭା' ପତ୍ରିକାର ଅଷ୍ଟମ ସଂସ୍କରଣ ୨୦୨୪ରେ ପ୍ରକାଶିତ ଲେଖା )

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...