ଏଇସବୁ କଥା ମନେ ପକାଇ ମୋହନ ମନଦୁଃଖରେ ରାଜଧାନୀରେ ବୁଲୁଥାଇ । ଗଡ଼ିଆ ଲୋକଙ୍କଠାରୁ ଜାଣିଵାକୁ ପାଇଲା ଯେ
ରାଜାଙ୍କ ଛାମୁରେ ଭୀଷଣ ତର୍କସଭା ହେଉଛି । ଯିଏ ତର୍କରେ ଜିଣିଵ ତାକୁ ରାଜା ଧନ, ଉପାଧି ଓ ସମ୍ମାନ ଦେବେ । କେତେ କୂଆଡ଼ୁ ଵିଦ୍ଵାନମାନେ ଆସି ରାଜବାଟୀରେ ଅଛନ୍ତି କିନ୍ତୁ କେହି ମଧ୍ୟ ତର୍କସଭାରେ ଅଧିକକାଳ ତିଷ୍ଠି ପାରୁନାହାଁନ୍ତି। ସପ୍ତମ ଦିନ ଶେଷ ହୁଅନ୍ତେ ତର୍କରେ କେହି ଜିତି ନପାରିଵାରୁ ରାଜା ଦର୍ଶକ ଓ ଶ୍ରୋତାମାନଙ୍କୁ ସମ୍ବୋଧନ କରି ସେମାନଙ୍କ ମଧ୍ୟରୁ ଯଦି କେହି କିଛି ପ୍ରଶ୍ନ କରିଵାକୁ ଚାହୁଁଥାନ୍ତି ତେବେ ତର୍କସଭାରେ ଭାଗ ନେଇ ପାରନ୍ତି ବୋଲି ନିର୍ଦ୍ଦେଶ ଦେଲେ । ଯୋଉଠି ଏଡ଼େ ବଡ଼ ବଡ଼ ଵିଦ୍ଵାନମାନେ ସଭାରେ ତିଷ୍ଠିପାରୁନାହାନ୍ତି ସେଠି ସାଧାରଣ ଜନତା ଵା କିସ କରିପାରିବେ ? ତେଣୁ ପ୍ରାୟ ସଭିଏଁ ନିରୁତ୍ତର ରହିଲେ କିନ୍ତୁ ମୋହନ ପ୍ରଶ୍ନ କରିଵ ବୋଲି ଜଣାଇଦେଲା । ରାଜା ତାକୁ କହିଵାକୁ ନିର୍ଦ୍ଦେଶ ଦିଅନ୍ତେ ମୋହନ କହିଲା ସାଆନ୍ତେ ମୁଁ ସରଳ ଗାଉଁଲି ଲୋକ ତେଣୁ ସରଳ ଗାଉଁଲି ପ୍ରଶ୍ନ ତିନୋଟି କରିବି,କେହି ଵିଦ୍ଵାନ ସେହି ପ୍ରଶ୍ନଗୁଡ଼ିକର ଉପଯୁକ୍ତ ଉତ୍ତର ନିଶ୍ଚୟ ଦେବେ ବୋଲି ମୁଁ ଆଶାଵାଦୀ । ରାଜ ଆଦେଶ ପରେ ମୋହନ ପଣ୍ଡିତସଭାରେ ନିଜର ସେହି ତିନିଟା ପ୍ରଶ୍ନ କହି ଶୁଣେଇଲା...
"ଗୋଟିଏ ଗାଆଁ ଦାଣ୍ଡରେ ଦୁଇଜଣ ଲୋକ ଦୁଇ ପଟରୁ ପରସ୍ପରର ଵିପରୀତ ଦିଗରୁ ଆସୁଛନ୍ତି ସେମାନେ ପରସ୍ପରର କ'ଣ ହେବେ ? ସେ ଦୁଇଜଣ ପରସ୍ପରର ନିକଟରେ ପହଞ୍ଚିଲାପରେ କ'ଣ ହେବେ ଏଵଂ ସେମାନେ ପରସ୍ପରଠାରୁ ଦୂରେଇଗଲାପରେ କ'ଣ ହେବେ ?
ଘଣ୍ଟା ଘଣ୍ଟା ଧରି ଵିଦ୍ଵାନମାନେ ଏହା ଉପରେ ଵିଚାର ଵିମର୍ଷ କଲେ ହେଲେ କେହି ମଧ୍ୟ ଠିକ୍ ଉତ୍ତରଟିଏ ଦେଇ ପାରିଲେ ନାହିଁ । ତହୁଁ ଵିରକ୍ତ ହୋଇ କଳିଙ୍ଗ ରାଜା ମୋହନକୁ କହିଲେ “ଗ୍ରାମଵାସୀ,ତୁମେ ଏଭଳି ତିନୋଟି ସରଳ ପ୍ରଶ୍ନ ପଚାରିଲ ଯେ କେହି ଵିଦ୍ଵାନ ବି ତାହାର ଯଥାଯଥ ଉତ୍ତର ଦେଇ ପାରିଲେ ନାହିଁ ତେଣୁ ତୁମେ ଏବେ ନିଜ ପ୍ରଶ୍ନର ଉତ୍ତର କହି ଏ ପ୍ରହେଳିକାର ଗୁମର ଫେଡ଼ିଦିଅ । କେଵଳ ପ୍ରଶ୍ନ ପଚାରିଦେଲେ ଚଳିଵ ନାହିଁ ତାହାର ଉତ୍ତର ବି ଜାଣିଥିଵା ଆଵଶ୍ୟକ ଅନ୍ୟଥା ତୁମେ ଭୀଷଣ ରାଜଦଣ୍ଡରେ ଦଣ୍ଡିତ ହେଵ ।”
ସେଇଠୁ ମୋହନ କହିଲା “ମଣିମା, ମୋ ପ୍ରଶ୍ନତ୍ରୟ ଅତି ସରଳ ଥିଲା କିନ୍ତୁ ଵିଦ୍ଵାନମାନେ ସେଗୁଡି଼କର ଉତ୍ତର ଜାଣିଵାକୁ ପୋଥି ଜ୍ଞାନ ଖଟେଇଲେ । ତେବେ ଉତ୍ତରଗୁଡ଼ିକ କହୁଛି ଛାମୁ ଓ ଵିଦ୍ଵାନମାନେ ଦୟାକରି ଧ୍ୟାନ ଦେଵା ହେବେ :
“ଗୋଟିଏ ଗାଆଁ ଦାଣ୍ଡରେ ଦୁଇଜଣ ଲୋକ ଯେତେବେଳେ ଦୁଇ ବିପରୀତ ଦିଗରେ ଦୁଇପଟରୁ ଆସୁଥାନ୍ତି ସେମାନେ ନିଜର
'ମୁହାଁମୁହିଁ' ହୁଅନ୍ତି । ଏଥିପାଇଁ ଅନ୍ୟ ଶବ୍ଦଗୁଡ଼ିକ ହେଲା 'ମୁଖାମୁଖି','ସାମନାସାମନି',
'ସମୁଖାସମୁଖି' ଵା 'ସମ୍ମୁଖାସମ୍ମୁଖୀ'
,'ଭେଟାଭେଟି' ଓ 'ହାବୁଡ଼ାହାବୁଡ଼ି' ଇତ୍ୟାଦି । ଏହାକୁ ଶାସ୍ତ୍ରରେ 'ସାକ୍ଷାଦ୍ଦର୍ଶନ' ଓ 'ସାକ୍ଷାଦୃଷ୍ଟି' ବୋଲି ମଧ୍ୟ ଅଭିହିତ କରାଯାଇଛି। ତାପରେ ଯେତେବେଳେ ପରସ୍ପରର ଵିପରୀତ ଦିଗରୁ ଆସୁଥିଵା ଦୁଇଜଣ ଲୋକ ପରସ୍ପରର ପାଖରେ ପହଞ୍ଚିଯାଆନ୍ତି ସେମାନେ ପରସ୍ପରର 'ନିକଟାନିକଟି' ହୁଅନ୍ତି, ପରସ୍ପରର 'ଆଖପାଖ'ରେ ହୁଅନ୍ତି । ଆଉ ଯେତେବେଳେ ସେଇ ଦୁଇ ଲୋକ ପୁଣି ପରସ୍ପରଠାରୁ ଦୂରେଇ ଯିବେ ସେତେବେଳେ ସେମାନେ ପରସ୍ପରଠାରୁ 'ଦୂର ହେବେ','ଅନ୍ତର ହେବେ','ଆଡ଼ ହେବେ' ଵା 'ଆଡ଼େ ହେବେ' ଓ 'ପଛ ହେବେ' । ସେହିପରି ଏ ସଂସାରକୁ ମଧ୍ୟ ଆମେ ଯେତେବେଳେ ଆସନ୍ତି ଆମେ ଅନ୍ୟମାନଙ୍କ ପାଇଁ ପ୍ରଥମେ ଅପରିଚିତ ଥାଆନ୍ତି, ତାପରେ ଆମ ଗୁଣ ଜାଣି ଆମ ସହିତ ରହି ଅନ୍ୟମାନେ ଆମର ନିକଟତର ହୁଅନ୍ତି ପୁଣି ଶେଷରେ ସ୍ଵାର୍ଥଲାଭ ପରେ ତନ୍ମଧ୍ୟରେ ଅନେକ ଆମଠାରୁ ଦୂରେଇ ଯାଆନ୍ତି କିମ୍ବା ମୃତ୍ୟୁ ସେମାନଙ୍କୁ ଆମଠାରୁ ଦୂରେଇ ଦିଏ । ଏ ସଂସାର ରୂପକ ଗାଆଁ ଦାଣ୍ଡରେ ଆମେ ଜନ୍ମ ନେଵା ସମୟରେ ମାଆଙ୍କ ପାଇଁ ଅଜଣା ଥାଆନ୍ତି କିନ୍ତୁ ଥରେ ମାଆ ଆମକୁ ନିଜ କୋଳରେ ଧରି ଗେଲ କଲାପରେ ତଥା ଦୁଗ୍ଧପାନ ପରେ ଯୋଉ ସମ୍ପର୍କ ଯୋଡ଼ି ହୋଇଯାଏ ତାହା ମୃତ୍ୟୁପରେ ଯାଇ ତୁଟେ । ଆମ ଵିଵାହ ଵୟସ ହେଲାପରେ ଯେତେବେଳେ କନ୍ୟା ଦେଖିଵାକୁ ଯାଆନ୍ତି ଉକ୍ତ କନ୍ୟା ସହିତ ଆମର ମୁହାଁମୁହିଁ ସମୟରେ ଉଭୟେ ପରସ୍ପର ପାଇଁ ଅପରିଚିତ ଥାଆନ୍ତି କିନ୍ତୁ ଥରେ ଵିଵାହ ବନ୍ଧନରେ ବାନ୍ଧି ହୋଇ ଘରସଂସାର କଲାପରେ ପରସ୍ପରର ନିକଟାନିକଟି ହୋଇ ଆଖପାଖରେ ରହି ଅହରହ ଜୀଵନଯୁଦ୍ଧରେ ଯୁଝିଥାନ୍ତି ଏଵଂ ଶେଷରେ ତନ୍ମଧ୍ୟରୁ କେହି ଜଣେ ଦୂରେଇ ଯାଏ ଵା ମୃତ୍ୟୁ ତାକୁ ଦୂରେଇ ଦିଏ । ଆମେ ଜନ୍ମ ପରେ ପ୍ରଥମେ ଆମ ମାଆ ମୁଖରୁ ଯେଉଁ ଭାଷାକୁ ଶିଖନ୍ତି ସେଇ ଭାଷାକୁ ଆମେମାନେ ଆମର ମାତୃଭାଷା ମଣନ୍ତି । ଜନ୍ମ ସମୟରେ ଆମେ ଆମ ମାତୃଭାଷା ସହିତ ସମ୍ପୂର୍ଣ୍ଣ ଅପରିଚିତ ଥାଆନ୍ତି । ମାଆ ଆମକୁ ଯୋଉ ଭାଷାରେ କହୁଥାଏ ଆମେ ତାହା ମନ ଧ୍ୟାନ ଦେଇ ଶୁଣୁଥାଉ ଏଵଂ ଧୀରେ ଧୀରେ ତାକୁ ବୋଲିଵାକୁ ଚେଷ୍ଟା କରୁ । ପ୍ରଥମେ ପ୍ରଥମେ ଅପରିଚିତ ଥିଵା ଭାଷା ସହିତ କ୍ରମଶଃ ଆମେ ଅଭ୍ୟସ୍ତ ହୋଇଯାଉ ଆଉ ମାଆ ଶିଖାଇଥିଵା ସେଇ ମାତୃଭାଷା ଆମେ ମଲାପରେ ଯାଇ ଆମଠାରୁ ଦୂର ହୁଏ । ପୁନଶ୍ଚ ଯୋଉ ଦେଶରେ ମାଆ ଆମକୁ ଜନ୍ମ ଦିଅନ୍ତି ସେ ଦେଶକୁ ଆମେ ଆମର ମାତୃଭୂମି ଅଭିହିତ କରିଥାଉ । ଆମ ମାତୃଭୂମି ଆମପାଇଁ ପ୍ରଥମେ ପ୍ରଥମେ ଅପରିଚିତ ଥାଏ କିନ୍ତୁ ଚାଲି ଶିଖିଵା ପରେ ଓ ବୁଦ୍ଧି ଵିଵେକ ଲଭିଲା ପରେ ଆମେ ଆମ ମାତୃଭୂମିର ପରିସୀମା କିପରି ଘର,ସାହି,ଗାଆଁ,ପଞ୍ଚାୟତ,ପ୍ରଗଣା,ଉପଖଣ୍ଡ,ମଣ୍ଡଳ,ରାଜ୍ୟ,ଦେଶ, ମହାଦେଶ,ପୃଥିଵୀ ଓ ବ୍ରହ୍ମାଣ୍ଡ ପର୍ଯ୍ୟନ୍ତ ପରିଵ୍ୟାପ୍ତ ତାହା ହୃଦୟଙ୍ଗମ କରିଥାଉ । କିନ୍ତୁ ଦୁର୍ଯୋଗରେ ପଡ଼ି ଆମକୁ ଆମ ମାତୃଭୂମିଠାରୁ ଦିନେ ନା ଦିନେ ଦୂରେଇ ଯିଵାକୁ ହିଁ ହୁଏ ଆଉ ଏମିତି ବି ଗୋଟିଏ ଦିନ ଆସେ ଆମକୁ ଆମ ଦେହ ଏହି ମାତୃଭୂମିରେ ଛାଡ଼ି ଯିଵାକୁ ହୁଏ । ଏହି ଚକ୍ର ଏହିପରି ସବୁବେଳେ ଚାଲୁଛି ଆଗକୁ ବି ଯେତେ ଦିନ ଯାଏଁ ସଂସାର ଥିଵ ଚାଲୁରହିଥିଵ । ମୋର ତିନୋଟି ସରଳ ପ୍ରଶ୍ନର ଉତ୍ତର ମଧ୍ୟ ପ୍ରୋକ୍ତ ପ୍ରଶ୍ନଗୁଡ଼ିକ ପରି ଅତି ସରଳ ହିଁ ଥିଲା ।”
ଉତ୍ତର ଶୁଣି ସମସ୍ତେ ଅଵାକ୍ ହୋଇଗଲେ । ଉଷତ ହୋଇ ରାଜା ମୋହନକୁ ପୁରସ୍କାର ସ୍ଵରୂପ ଉପାଧି,ପଗଡ଼ି ଓ ଧନ ପ୍ରଦାନ କଲେ । ଘୋଡ଼ାରେ ଚଢ଼ି ମୋହନ ଘର ଅଭିମୁଖେ ବାହୁଡ଼ିଲା । ମୋହନ ଗଲା ଦିନୁ ରମା ତାକୁ ଝୁରି ଝୁରି କଣ୍ଟା ହୋଇଯାଇଥାଏ । ପ୍ରଧାନେ ବାଧ୍ୟ ହୋଇ ଉଭୟଙ୍କର ଵିଵାହ କରାଇଦେଇ ।
(ଗଳ୍ପଟି ୧୯୭୦ ଜୁନ ମାସର ହିନ୍ଦୀ ଜହ୍ନମାମୁଁରେ ପ୍ରକାଶିତ ସୁରେନ୍ଦ୍ର କୁମାରଙ୍କ ଗଳ୍ପ 'ମାମୁଲି ସଵାଲ'କୁ ସାମାନ୍ୟ ପରିଵର୍ତ୍ତିତ କରି ଭିନ୍ନ ଶୈଳୀରେ ଲେଖାଯାଇଛି । ମୂଳ ଲେଖାରେ ଏତେ ଶବ୍ଦ ସମ୍ବନ୍ଧୀୟ ଉଲ୍ଲେଖ ନଥିଲା କି ଜୀଵନ,ମାତୃଭଷା ଓ ମାତୃଭୂମି ସମ୍ବନ୍ଧିତ ଟିପ୍ପଣୀ ନଥିଲା)
No comments:
Post a Comment