Sunday, February 4, 2024

(ଶବ୍ଦାଲୋଚନା)ଭାଷାଵିଦ ଭେଟଘାଟ୍


ଵିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀରେ କୌଣସି କାରଣରୁ ଚାରିଜଣ ଭାଷାଵିଦ ଯୋଗ ଦେଇପାରିଲେ ନାହିଁ । ସେମାନେ ଅନ୍ତର୍ଜାଲରେ ପରସ୍ପର ସହିତ ପରିଚିତ ଥିଵାରୁ ସମ୍ମିଳନୀ ପାଖ ଗୋଟିଏ ପାଞ୍ଚ ତାରକା ଜୋମନାଳୟରେ ଭେଟାଭେଟି ହେଲେ । ଏଣେ ସମ୍ମିଳନୀରେ ଜଣେ ଉଦ୍ଘୋଷିକା 'କାନ୍ତକଵି'ଙ୍କୁ 'କଣ୍ଠକଵି' କହିଦେଲେ ବୋଲି ସାମାଜିକ ଗଣମାଧ୍ୟମଗୁଡ଼ିକରେ ପ୍ରବଳ ଵାଦଵିଵାଦ ଲାଗିଗଲା । ଭାଷାଵିଦମାନେ ତ ଆଉ ଆମ ତମ ଭଳି ଫେସବୁକିଆ ମିତାନ୍ ଆଣ୍ଡୁପାଣ୍ଡୁ ନୁହନ୍ତି ତେଣୁ ସେମାନଙ୍କ କାନକୁ ଏକଥା ଗଲାରୁ ତାଙ୍କର ୟା ଉପରେ ମତ ଓ ମନ୍ତଵ୍ୟ ଭିନ୍ନ ପ୍ରକାରର ଥିଲା । ଚାରିଜଣ ଭାଷାଵିଦମାନଙ୍କ ମଧ୍ୟରେ ପଣ୍ଡିତ ଶ୍ରୀନାରାୟଣ ତ୍ରିପାଠୀ ମହାଶୟ ଵୟୋଜ୍ୟେଷ୍ଠ ତଥା ସଂସ୍କୃତ ଭାଷା ଵିଶାରଦ ଥିଲେ । ତାଙ୍କ ଛଡ଼ା ଡକ୍ଟର ରମେଶ ରାଣା, ଵିଶିଷ୍ଟ କଵି ଶ୍ରୀଗୋପାଳ କୃଷ୍ଣ ରାୟ ଆଉ ସଂସ୍କୃତିପ୍ରେମୀ ରମାକାନ୍ତ ମେହେର ସେଠାରେ ଉପସ୍ଥିତ ଥାଆନ୍ତି । 

ପଣ୍ଡିତେ ଶ୍ରୀ ତ୍ରିପାଠୀ ସ୍ବଭାଵତଃ ଟିକେ ସମ୍ବେଦନଶୀଳ ତେଣୁ କାନ୍ତକଵିଙ୍କୁ କଣ୍ଠକଵି କୁହାଯିଵାକୁ ଆଦୌ ସହ୍ୟ କରିପାରିନାହାନ୍ତି । ନିରସ କଣ୍ଠରେ ସେ କଥା ଆରମ୍ଭ କଲେ । "ପ୍ରିୟ ବନ୍ଧୁଗଣ, ଦେଖନ୍ତୁ ଏ ଦେଶର ଭାଷାମାତୃକାଙ୍କର କେମନ୍ତ ଭାବେ ଅପମାନ କରାଯାଉଅଛି । କାହିଁ କାନ୍ତ ଆଉ କାହିଁ କଣ୍ଠ ? କାନ୍ତ ଶବ୍ଦଟି କଣ୍ଠ କେମିତି ହେଇଗଲା ? ହେ ଦେଵୀ ଵୀଣାପାଣି ! ଆମ୍ଭେ ଭାରତଵାସୀ କିସ ପାପ କରିଥିଲୁ ଯେ ଆମ୍ଭମାନଙ୍କୁ ଏମନ୍ତ ଦିନ ବି ଦେଖିଵାକୁ ହେଉଛି ? ଏ ଅକିଞ୍ଚନ ଯେତିକି ଜାଣିଛି କଣ୍ଠ ଆଉ କାନ୍ତ ଉଭୟ ସଂସ୍କୃତ ଶବ୍ଦ ହେଲେ ଅର୍ଥ ପୂରା ଭିନ୍ନ ଭିନ୍ନ । ଆମର ଗଳଦେଶ,ଗଳା ଓ ତହିଁରେ ଥିଵା ଵାକଯନ୍ତ୍ରକୁ 'କଣ୍ଠ' କୁହାଯାଏ । ଇଂରାଜୀ ଭାଷାରେ ଏହି ଅର୍ଥରେ Neck ଓ throat ଶବ୍ଦ ଅଛି। ଆମ ଭାଷାରେ ବି ତୋଟି,ତ୍ରୋଟି,ତଣ୍ଟି ଓ ଗଳା ଶବ୍ଦ ସେହି ଅର୍ଥରେ ଚଳୁଅଛି । ଲାଟିନ ଭାଷାରେ gula (“ତଣ୍ଟି”), ଇଂରାଜୀ ଭାଷାରେ gullet,ପାର୍ସୀ ଭାଷାରେ گلو‎ (galu, “ତଣ୍ଟି”), ରୁଷିଭାଷାରେ глотка (glotka) ଓ ପ୍ରାଚୀନ ଆର୍ମେନୀୟ ଭାଷାରେ ଥିଵା կուլ- (kul-) ଶବ୍ଦଗୁଡ଼ିକର ଆମ ଦେଶର 'ଗଳା' ଶବ୍ଦ ସହିତ ସଗୋତ୍ରୀୟ ସମ୍ପର୍କ ଅଛି । 
କଣ୍ ଧାତୁରୁ ଶବ୍ଦ କରିଵା ଅର୍ଥରେ କଣ୍ଠ ଶବ୍ଦ ନିଷ୍ପନ୍ନ କରାଯାଇଛି । ଏଣେ କମ ଧାତୁରୁ ବାଞ୍ଚା କରିଵା ଅର୍ଥରେ କାନ୍ତ ଶବ୍ଦ ନିଷ୍ପନ୍ନ ହୋଇଅଛି। ଗୋଟିଏ ଶବ୍ଦ ଗଳାକୁ ବୁଝାଏ ଆଉ ଗୋଟିଏ କମନୀୟ,ମନୋହର,ପ୍ରିୟ ଓ କୋମଳକୁ ବୁଝାଏ । ଏ ମାଆ ଉଦ୍ଘୋଷିକା ତମେ ଉଭୟ ଭିନ୍ନ ଭିନ୍ନ ଶବ୍ଦକୁ ଗୋଟିଏ କିଆଁ କଲ ?”



ଡକ୍ଟର ରମେଶ ରାଣା ମହାଶୟ, ତ୍ରିପାଠୀ ଆଜ୍ଞାଙ୍କ କଥା ମନ ଧ୍ୟାନ ଦେଇ ଶୁଣୁଥାନ୍ତି । ପଣ୍ଡିତେ କଥା ସରିଵା କ୍ଷଣି ତାଙ୍କେ ମଧ୍ୟ ନିଜ କଥା ରଖିଵାକୁ ଯାଇ ବୋଲିଲେ, “ଅଗ୍ରଜ ଶ୍ରୀ ନାରାୟଣ ତ୍ରିପାଠୀଙ୍କ ଵକ୍ତଵ୍ୟ ଅତ୍ୟନ୍ତ ଶିକ୍ଷଣୀୟ ତେବେ ତାଙ୍କ ଵକ୍ତଵ୍ୟର ଗୋଟିଏ ଅଂଶକୁ ସାମାନ୍ୟ ସଂଶୋଧନ କରିଵା ଆଵଶ୍ୟକ ମନେ କରୁଅଛି । ଶ୍ରୀ ତ୍ରିପାଠୀ କହିଲେ ଯେ 'କଣ୍ଠ' ଶବ୍ଦଟି ଗୋଟିଏ ସଂସ୍କୃତ ଶବ୍ଦ ତେବେ ପ୍ରକୃତରେ ଏହା ଏକ ଦ୍ରାଵିଡ଼ ଶବ୍ଦ ବୋଲି ବୁଝିଵାକୁ ହେଵ । ତାମିଳରେ கழுத்து (kaḻuttu), ମଳୟାଳ଼ମରେ 
കഴുത്ത് ,(kaḻuttŭ)
କନ୍ନଡ଼ରେ ಕತ್ತು (kattu),ତୁଲୁରେ ಕಂಟೆಲ್ (kaṇṭelŭ) ଓ ତେଲୁଗୁ ଭାଷାରେ కంఠము (kaṇṭhamu) ଇତ୍ୟାଦି ଶବ୍ଦ କଣ୍ଠ ଅର୍ଥରେ ପ୍ରଚଳିତ । ଦ୍ରାଵିଡ଼ ଭାଷାପରିଵାରରୁ 'କଣ୍ଠ' ଶବ୍ଦଟି ସଂସ୍କୃତ ଭାଷାର ଵିଶିଷ୍ଠ ଧାତୁ ପ୍ରତ୍ୟୟାଦି ପ୍ରୟୋଗ ପୂର୍ଵକ ଗୃହୀତ ହୋଇଅଛି । ଅତଏଵ୍ ଥରେ ନିରୁକ୍ତ ପ୍ରୟୋଗ ପୂର୍ଵକ ଵାହ୍ୟ ଭାଷାଗତ ଶବ୍ଦଗୁଡ଼ିକର ପରିଶୋଧନ କରାଗଲେ ମଧ୍ୟ ମୂଳତଃ ସେଗୁଡି଼କୁ ଧାରା ଶବ୍ଦ ପରିଗଣିତ କରାଯିଵା ଉଚିତ୍ । ”

ଗୋପାଳକୃଷ୍ଣ ରାୟ ଉଭୟ ଭାଷାଵିଦଙ୍କ କଥା ଶୁଣି ସାମାନ୍ୟ ସ୍ମିତହାସ୍ୟ ପୂର୍ଵକ ନିଜର କଥା ଆରମ୍ଭ କଲେ “ଆଜ୍ଞାମାନେ ପ୍ରଣାମ,ଆପଣ ଵିଜ୍ଞଜନମାନେ ମୋ ଭଳି ଦରିଦ୍ର ନିକୃଷ୍ଟ ଜନଙ୍କର ସଦାସର୍ଵଦା ପ୍ରେରଣାର ଉତ୍ସ ଥିଲେ ଅଛନ୍ତି ରହିବେ । କିନ୍ତୁ ମୁଁ ଯାହା କହିଵାକୁ ଚାହୁଁଛି ସେଥିପାଇଁ ଦୟାକରି ମୋହର ଧୃଷ୍ଟତା କ୍ଷମା କରିଵା ହେବେ । ଦେଖନ୍ତୁ ଏଇ ଯୋଉ କଣ୍ଠଶବ୍ଦଟି ଭାରତୀୟ ଭାଷାଗୁଡ଼ିକରେ ଚଳୁଅଛି ତାହା ପ୍ରକୃତରେ ଏକ ଆଷ୍ଟ୍ରୋଏସୀୟ ଶବ୍ଦ ବୋଲି ପୂର୍ଵେ ମହାନ ଭାଷାଵିଦ Franciscus Bernardus Jacobus Kuiper ତାଙ୍କର ପୁସ୍ତକ "Proto Munda words in sanskrit" ନାମକ ପୁସ୍ତକର ୨୯ ନମ୍ବର ପୃଷ୍ଠାରେ ଉଲ୍ଲେଖ କରିଯାଇଛନ୍ତି । ଅର୍ଥାତ୍ ସଂସ୍କୃତ ଆଦି ଭାରୋପୀୟ ଭାଷା ଓ ତାମିଳ ଭଳି ଦ୍ରାଵିଡ଼ ଭାଷାଗୁଡ଼ିକରେ ଯୋଉ କଣ୍ଠ ଶବ୍ଦଟି ପ୍ରୟୋଗ କରାଯାଉଛି ତାହା ମୂଳତଃ ଏକ ଆଷ୍ଟ୍ରିକ ଵା ମୁଣ୍ଡା ଶବ୍ଦ ଅଟେ । 
Kuiperଙ୍କ ଅନୁସାରେ ଜୁଆଙ୍ଗ kuñka,ଖରିଆ konko,ସଉରା sánkā(ତଣ୍ଟି/ଗଞ୍ଜାମୀରେ ଶଙ୍ଖୀ)'",ସାନ୍ତାଳୀରେ kankha(edge, brim),ମୁଣ୍ଡାରୀରେ tutka, tuțkā(back of the neck or head),ମୋନ ଭାଷାରେ ka'(nape of
the neck"),ଖମେର୍ ଭାଷାରେ ka,ବହନାର୍ ଭାଷାରେ ako,ଷ୍ଟିଏଙ୍ଗ୍ ଭାଷାରେ ko(ତଣ୍ଟି) ଇତ୍ୟାଦି ଶବ୍ଦ ସୂଚାଇ ଦିଏ ଯେ କିପରି ମୂଳତଃ ଏକ ଆଷ୍ଟ୍ରୋଏସୀୟ ଭାଷାପରିଵାରର ଶବ୍ଦଟିଏ ଭାରୋପୀୟ ଭାଷାପରିଵାର ତଥା ଦ୍ରାଵିଡ଼ ଭାଷାପରିଵାରରେ ଯାଇ ବହୁ ପ୍ରଚଳିତ ହୋଇଛି ଏଵଂ ସାହିତ୍ୟର ଶବ୍ଦ ଭାବେ ବି ଗୃହୀତ ହୋଇଛି।”

“ଈ ବୁଆ ! ଏନ୍ତା ଆଲୋଚନା କେ ଉନିଆ କେନ୍‌ସି ଠାନେ ଶୁନିପାରିଥିତି କାଏଁ !” 

ରମାକାନ୍ତ ମେହେର ଅଭିଭୂତ ହୋଇ ପୁଣି କହୁଥାନ୍ତି ,"ଆହା ମୁଁ ଭାଗ୍ୟଵାନ ବୋଲି ସିନା ଆପଣମାନଙ୍କର ସାନିଧ୍ୟ ପାଇ ପାରିଛି ! ଆଜ୍ଞାମାନେ ଅନୁମତି ହେଲେ ମୁଁ କିଛି କୁହନ୍ତି । ମେହେରବାବୁଙ୍କ ଆଗ୍ରହ ଦେଖି ଵୟସ୍କ ଭାଷାଵିଦ ତ୍ରୟ ମଧ୍ୟ ତାଙ୍କ କଥା ଶୁଣିଵାକୁ ଆଗ୍ରହ ପ୍ରକାଶ କଲେ । ତହୁଁ ରମାକାନ୍ତ ମେହେରବାବୁ କହିଲେ - "ବୋଧହୁଏ ସେ ମହିଳା ଉଦ୍ଘୋଷିକାଜଣକ ଅଣଓଡ଼ିଆ ଥିଲେ ତଥା ଓଡ଼ିଆ ଭାଷାରେ ତଥା ଲାଟିନ୍ ଲିପିରେ ଲେଖାଯାଇଥିଵା ଘୋଷଣାପତ୍ରକୁ ପାଠ କରୁଥିଲେ । ସେଥିରେ ଲେଖାଥିଲା Kanta ତେଣୁ ସେ ତାକୁ 'କାନ୍ତ' ନପଢ଼ି 'କଣ୍ଠ' ପଢ଼ିଲେ ଫଳତଃ 'କାନ୍ତକଵି' ହଠାତ୍ 'କଣ୍ଠକଵି' ରୂପେ ଉଭା ହେଲେ । କିନ୍ତୁ ଇଣ୍ଡିକ୍ ଭାଷାଗୁଡ଼ିକୁ ସେଇ ଭାଷାର ଲିପିରେ ନଲେଖି ଲାଟିନ ଲିପିରେ ଲେଖିଲେ ଏଭଳି ଉଚ୍ଚାରଣଗତ ଦ୍ଵନ୍ଦ୍ଵ ଉପୁଜିଥାଏ । ସେଥିଯୋଗୁଁ ଭାରତୀୟ ଇଣ୍ଡିକ୍ ଭାଷାଗୁଡ଼ିକୁ ସାଧାରଣ ଲାଟିନ ଲିପିରେ ନଲେଖି ଏହି ଲାଟିନ ଲିପିର IAST ଲିଖନ ଶୈଳୀରେ ଲେଖାଯାଏ । ଏହି IAST ଲିଖନ ଶୈଳୀରେ ସ୍ଵତନ୍ତ୍ର ଉଚ୍ଚାରଣ ଦର୍ଶାଇଵା ହେତୁ ଲାଟିନ ଲିପୀମଗୁଡ଼ିକରେ ଵିଶେଷକ ଚିହ୍ନ ଵ୍ୟଵହାର କରାଯାଏ । IAST ଲିଖନ ଶୈଳୀରେ ଲେଖାଗଲାବେଳେ 'କାନ୍ତ'କୁ Kānta ତଥା 'କଣ୍ଠ'କୁ Kaṇṭha ଲେଖାଯାଏ । ଯଦି ଅଣଓଡ଼ିଆ ଉଦ୍ଘୋଷିକାଙ୍କ ଘୋଷଣାପତ୍ରରେ IAST ଲିଖନଶୈଳୀରେ ଓଡ଼ିଆ ଭାଷା ଲିଖିତ ହୋଇଥାନ୍ତା ତେବେ ସେ ନିଶ୍ଚୟ କାନ୍ତ(Kānta) ଓ କଣ୍ଠ(Kaṇṭha) ମଧ୍ୟରେ ପ୍ରଭେଦ ଜାଣିପାରିଥାନ୍ତେ । IAST ଲିଖନ ଶୈଳୀରେ ନ ପାଇଁ 'n' ଆଉ 'ଣ' ପାଇଁ 'ṇ' ଵ୍ୟଵହାର କରାଯାଏ । ଠିକ୍ ସେହିପରି 'ଟ' ପାଇଁ 't', 'ତ' ପାଇଁ 'ṭ', 'ଥ' ପାଇଁ tha ଏଵଂ 'ଠ' ପାଇଁ 'Ṭha' ଵ୍ୟଵହାର କରାଯାଏ । ଏହିକଥା ଜଣେ ଅଧିଵକ୍ତା(Advocate) ହୋଇ ବି ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜ ମହାଶୟ ଜାଣିଥିଲେ ତେଣୁ ସେ ତାଙ୍କ ସଂକଳିତ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଓଡ଼ିଆ ଶବ୍ଦର ଠିକ୍ ଉଚ୍ଚାରଣ ଜଣାଇ ଦେଵାକୁ ଲାଟିନ ଲିପିର IAST ଲିଖନ ଶୈଳୀ ପ୍ରୟୋଗ କରିଯାଇଛନ୍ତି । ମାତ୍ର ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ସଂକଳିତ ହେଵାର ଶତ ଵର୍ଷ ପୂର୍ତ୍ତି ପରେ ଯେତେବେଳେ ଶହେଜଣ ଭାଷାଵିଦଙ୍କୁ ଘେନି ଵିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ଅୟୋଜନ ହେଲା ଯେ ତହିଁର ଆୟୋଜକମାନେ ଏ ଵିଷୟରେ କ୍ଷଣେ ମାତ୍ର ଚିନ୍ତା କଲେ ନାହିଁ ଏଵଂ ଜଣେ ଅଣଓଡ଼ିଆ ଉଦ୍ଘୋଷିକାଙ୍କୁ ସାଧାରଣ ଲାଟିନ ଲିପିରେ ଲିଖିତ ଓଡ଼ିଆ ଭାଷାର ପଦ ପଢ଼ିଵାକୁ ଧରାଇ ଦେଲେ । ଯେମିତି ଲାଟିନ ଲିପିରେ ଇଣ୍ଡିକ୍ ଭାଷାର ଶବ୍ଦଗୁଡ଼ିକୁ ଲେଖିଲାବେଳେ ଠିକ୍ ଉଚ୍ଚାରଣକୁ ଦର୍ଶାଇଵା ପାଇଁ ଅଧୋବିନ୍ଦୁ ତଥା ଅନ୍ୟାନ୍ୟ ଵିଶେଷକ ଚିହ୍ନ ଵ୍ୟଵହାର କରାଯାଏ ଠିକ୍ ସେହିପରି ଓଡ଼ିଆ ଭାଷାରେ ମଧ୍ୟ Zebra ଓ 茶 (chá) ଭଳି ଵୈଦେଶିକ ଶବ୍ଦଗୁଡ଼ିକୁ ଯଥାକ୍ରମେ 'ଜ଼େବ୍ରା' ତଥା 'ଚ଼ା' ଲେଖିଲାବେଳେ ଅଧୋବିନ୍ଦୁ ଵ୍ୟଵହାର କରାଯାଏ । ଅତଏଵ୍ ଭୁଲ୍‌ଟା ଉଦ୍ଘୋଷିକାଙ୍କର ନୁହେଁ ଵରଂ ଆମମାନଙ୍କର କାରଣ ଆମେମାନେ ଗୋଟିଏ ଭାଷାର ଶବ୍ଦକୁ ଆଉ ଗୋଟିଏ ଭାଷା ପାଇଁ ଵ୍ୟଵହୃତ ହେଉଥିଵା ଲିପିରେ ଲେଖିଲାବେଳେ ଉଚ୍ଚାରଣ ପ୍ରତି ଦୃଷ୍ଟି ଦିଅନ୍ତି ନାହିଁ କି ଵିଶେଷକ ଚିହ୍ନ ଵ୍ୟଵହାର କରନ୍ତି ନାହିଁ ଵରଂ ଅଧୋବିନ୍ଦୁ ଵ୍ୟଵହାରକୁ ଵିରୋଧ କରନ୍ତି। ”

 ପଣ୍ଡିତେ, ଡକ୍ଟର ରାଣା ଆଉ କଵି ରାୟବାବୁ ମନ ଧ୍ୟାନ ସହକାରେ ରମାକାନ୍ତ ମେହେରଙ୍କ କଥା ଶୁଣୁଥାନ୍ତି। ମେହେରବାବୁ ଅଧୋବିନ୍ଦୁର ଆଵଶ୍ୟକତାକୁ ସ୍ପଷ୍ଟ ଓ ପ୍ରାଞ୍ଜଳ ଭାବେ ବୁଝେଇ ଦେଲାରୁ ସେମାନେ ତାଙ୍କର ଭୁରି ଭୁରି ପ୍ରଶଂସା କଲେ । ପାଞ୍ଚ ତାରକା ଜୋମନାଳୟର ଘଣ୍ଟାରୁ ବେଳ ଉଚ୍ଛୁର ହେଲାଣି ବୋଲି ଜଣାପଡ଼ୁଥାଏ । ଆଉ ଥରେ କେବେ ବସି ଏହିପରି ଭାଷା ଉପରେ ଆଲୋଚନା କରିଵା ବୋଲି ଚାରିଜଣଯାକ ଭାଷାଵିଦ ପ୍ରତିଶ୍ରୁତି ରଖି ଯେ ଯେଝା ବାଟରେ ବାହୁଡ଼ିଗଲେ । 

(ତଥ୍ୟ ଉତ୍ସ : ପୂର୍ଣ୍ଣଚନ୍ଦ୍ର ଭାଷାକୋଷ( ଶବ୍ଦଗୁରୁ ଶ୍ରୀଗୋପାଳଚନ୍ଦ୍ର ପ୍ରହରାଜ), A comparative dictionary of Indo-Aryan languages(Sir. Ralph Lilley Turner), A Dravidian etymological dictionary(T. Burrow ଓ M. B. Emeneau),Proto Munda words in sanskrit(Franciscus Bernardus Jacobus Kuiper) ଓ ଭାଷାଵିଦ ଡାକ୍ତର ଦେଵାଶିଷ ଜ୍ୟେଷ୍ଠୀ )

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...