Friday, February 16, 2024

'ଗୁଡ଼ି' ଶବ୍ଦ ଉପକୂଳିଆ କେନୁ ଆଣିଲେ ବୋ ?

'ଗୁଡ଼ି' ଶବ୍ଦ ଉପକୂଳିଆ କେନୁ ଆଣିଲେ ବୋ ? 

ବୋଉ,ନନା,ଦଦା,ବାଣ,ନାନୀ ଓ ମମା ଭଳି କିଛି ଵିଚ୍ଛିନ୍ନତାଵାଦୀ କଟକିଆ/ଉପକୂଳିଆଙ୍କୁ 'ଗୁଡ଼ି' ଶବ୍ଦ କେନୁ ଆଣିଲ ବୋଲି ପ୍ରୋକ୍ତ ପ୍ରଶ୍ନଟି ପଚାରନ୍ତି । 

ଆମେ ସମସ୍ତେ ଜାଣନ୍ତି ଓଡ଼ିଆ ଭାଷାରେ Paper kiteକୁ ଗୁଡ଼ି ଓ ଘୁଡ଼ି କୁହାଯାଏ । ମାତ୍ର ପତଙ୍ଗ ଅର୍ଥଜ ଏହି 'ଗୁଡ଼ି' ଶବ୍ଦ ଯେ ଦିନେ କିଛି ଲୋକଙ୍କ ହୀନ ମାନସିକତା ଯୋଗୁଁ ଵିଵାଦୀୟ ହେଇଯିଵ କେହି ଭାବିନଥିବେ । ଯଦି ପତଙ୍ଗ ଅର୍ଥଜ 'ଗୁଡ଼ି' ଶବ୍ଦଟି ଉପକୂଳିଆମାନେ କୁଆଡ଼ୁ ଆଣିଛନ୍ତି ;ଏହି ପ୍ରଶ୍ନର ଉତ୍ତର ଉଣ୍ଡାଯାଏ ତେବେ ତହିଁର ଅନେକ ସମ୍ଭାଵିତ ଉତ୍ତର ମିଳିଵ । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ "ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜ" ମହାଶୟ 'କାଗଦଚକି' ଅର୍ଥଜ ଏହି 'ଗୁଡ଼ି' ଵା 'ଘୁଡି଼' ଶବ୍ଦଟି 
'ଗୁରୁଉଡ୍ଡୀନ'ରୁ ସୃଷ୍ଟି ହୋଇଛି ବୋଲି ଉଲ୍ଲେଖ କରିଛନ୍ତି । 

ତେବେ Sir. Ralph Lilley Turner ତାଙ୍କ A comparative dictionary of Indo-Aryan languages ଵ୍ୟୁତ୍ପତ୍ତି କୋଷରେ ଲେଖିଛନ୍ତି ଯେ 
ଗୋଟିଏ ମୂଳ ଭାରତୀୟ ଶବ୍ଦ *guḍḍaରୁ ଏହି ଗୁଡ଼ି ଶବ୍ଦଟି ସୃଷ୍ଟି ହୋଇଛି । *guḍḍa ଶବ୍ଦର ମୂଳ ଅର୍ଥ ଥିଲା କଣ୍ଢେଇ ଵା କୌଣସି ଵ୍ୟକ୍ତିର କଣ୍ଢେଇ ସଦୃଶ ପୁତ୍ତଳିକା। ଏହି ଶବ୍ଦରୁ ସିନ୍ଧୀ ଭାଷାରେ guḍ̠o ଶବ୍ଦ ହୋଇଛି ଯାହାର ଅର୍ଥ ପୁରୁଷ ଵସ୍ତ୍ରଯୁକ୍ତ କଣ୍ଢେଇ । ପଞ୍ଜାବର ଲହଣ୍ଡା ଭାଷାରେ ଓଡ଼ିଆ ଭାଷା ଭଳି guḍḍī ଶବ୍ଦର ଅର୍ଥ ପତଙ୍ଗ ବୋଲି ମଧ୍ୟ ସେଠାରେ ଉଲ୍ଲେଖ ରହିଛି । ପଞ୍ଜାବୀ ତଥା ହିନ୍ଦୀରେ ମଧ୍ୟ ପୂର୍ଵେ ଗୁଡ୍ଡି ଶବ୍ଦର ପତଙ୍ଗ ଅର୍ଥରେ ପ୍ରୟୋଗ ଥିଵା ଏହି ଵ୍ୟୁତ୍ପତ୍ତି କୋଷରୁ ଜଣାଯାଏ । 
ହିନ୍ଦୀ ଶବ୍ଦସାଗରରୁ ଜଣାଯାଏ ଯେ ଉତ୍ତର ଭାରତୀୟମାନେ ବଡ଼ ଆକାରର 'ଗୁଡ଼ି'କୁ 'ଗୁଡ୍ଡା' ତଥା ସାନ ଆକାରର 'ଗୁଡ଼ି'କୁ 'ଗୁଡ୍ଡି' କହୁଥିଲେ ତେବେ ଆଜିକାଲି ସାଧାରଣତଃ ପୁରୁଷରୂପ କଣ୍ଢେଇକୁ ଉତ୍ତର ଭାରତୀୟମାନେ ଗୁଡ୍ଡା ତଥା ସ୍ତ୍ରୀରୂପ କଣ୍ଢେଇକୁ ଗୁଡ୍ଡୀ କହୁଛନ୍ତି । Sir. Ralph Lilley Turnerଙ୍କ A comparative and etymological dictionary of the Nepali language ଵ୍ୟୁତ୍ପତ୍ତି କୋଷ ଅନୁସାରେ ନେପାଳୀ ଭାଷାରେ ବି ପତଙ୍ଗକୁ गुड्डि(guḍḍi) କୁହାଯାଉଥିଲା । 

 ତେବେ ଏହା ସ୍ପଷ୍ଟ ନୁହେଁ ଯେ କିଭଳି କଣ୍ଢେଇ ଓ ପୁତ୍ତଳିକା ଅର୍ଥଜ ମୂଳ ଭାରତୀୟ *guḍḍa ଶବ୍ଦଟି ପଞ୍ଜାବୀ,ହିନ୍ଦୀ, ଓଡ଼ିଆ ତଥା ଲହଣ୍ଡା ଭାଷାରେ ପତଙ୍ଗ ଵା Paper kite ଅର୍ଥରେ ପ୍ରୟୋଗ କରାଗଲା । ହୁଏତ ଏହି ଶବ୍ଦର ଅନ୍ୟ କୌଣସି ଶବ୍ଦ ମୂଳ ଥାଇପାରେ । ହୁଏତ ଓଡି଼ଆ ଭାଷାରେ ଗୁଡ଼ି ଶବ୍ଦର ଅନ୍ୟାନ୍ୟ ଅର୍ଥ ମଧ୍ୟରେ ଏହାର ଉତ୍ତର ଲୁଚି ରହିଥାଇପାରେ । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଓଡ଼ିଶାର କେତେକ ଅଞ୍ଚଳରେ “ସ୍ତ୍ରୀଲୋକମାନଙ୍କ ପିନ୍ଧିଵା ଲୁଗାର କାନି ପଣନ୍ତରେ ଦିଆଯିଵା ଗଣ୍ଠିକୁ ଗୁଡ଼ି କୁହାଯାଏ ଏଵଂ ଏହି ଗୁଡ଼ି ଶବ୍ଦଟି ତତ୍ସମ 'ଗୁଡ଼ି' ଶବ୍ଦ ସହିତ ସମୋଦ୍ଧୃତ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କୁହାଯାଇଛି । ତତ୍ସମ 'ଗୁଡ଼ି' ଓ 'ଗୁଡ଼ିକା' ଶବ୍ଦର ଅର୍ଥ ଗୋଲକ । ତେଣୁ ସମ୍ଭଵତଃ 
ଏହି ଗୋଲକ ଅର୍ଥଜ ତତ୍ସମ 'ଗୁଡ଼ି'
ଶବ୍ଦରୁ ପରେ 'ପତଙ୍ଗ' ଅର୍ଥରେ ଗୁଡ଼ି ଶବ୍ଦଟି ପ୍ରୟୋଗ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଆକାଶରେ ଗୁଡ଼ି ଗୋଲକାର ଢଙ୍ଗରେ ଉଡ଼ିଥାଏ । ତେଣୁ ଏମନ୍ତ ମଧ୍ୟ ହୋଇପାରେ ଯେ ଓଡ଼ିଆ କ୍ରିୟା 'ଗୁଡ଼ାଇଵା'ରୁ ଏହି ଗୁଡ଼ି ଶବ୍ଦଟି ସୃଷ୍ଟି ହୋଇଥିଵ । ଭାଷାକୋଷରେ ଗୁଡ଼ି ଶବ୍ଦର ଅନ୍ୟ ଏକ ଓଡ଼ିଆ ଅର୍ଥ ଏହି ସମ୍ଭାଵନାକୁ ସମର୍ଥନ ମଧ୍ୟ କରିଥାଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଆଗେ “ମସିଣା ଵା ମୁନ୍ଦୁରାର ଗୋଟା ଯାଇଥିଵା ଅଂଶକୁ ଗୁଡ଼ି କୁହାଯାଉଥିଲା” । 
ଓଡ଼ିଶାର ପଶ୍ଚିମାଞ୍ଚଳରେ ସେହିପରି ଗୁଡ଼ି ଶବ୍ଦର ଅନ୍ୟ ଅନେକ ଅର୍ଥରେ ପ୍ରୟୋଗ ରହିଛି । ଗଡ଼ଜାତର କେତେକ ଅଞ୍ଚଳରେ
ଗଛରୁ ଫଳ ତୋଳିଵା ପାଇଁ ଵ୍ୟଵହୃତ ଆଙ୍କୁଡ଼ିକୁ ଗୁଡ଼ି କୁହନ୍ତି ଏଵଂ ଏହା ସେହି ଆଙ୍କୁଡ଼ା ଵା ଆଙ୍କୁଡ଼ି ଶବ୍ଦର ପରିଵର୍ତ୍ତିତ ରୂପ । ସେହିପରି ପତଙ୍ଗ ଡୋରିକୁ ମଧ୍ୟ ଗଡ଼ଜାତରେ ଗୁଡ଼ି କୁହାଯାଏ ଏଵଂ ଏହି ଅର୍ଥଟି ଗୁଡ଼ାଇଵା କ୍ରିୟା ଶବ୍ଦ ସହିତ ସମ୍ପର୍କିତ ହୋଇଥିଵା ସମ୍ଭଵ କାରଣ ଗୁଡ଼ିର ଡୋରି ସବୁବେଳେ ଗୁଡ଼େଇ ହୋଇ ରହିଥାଏ ଏଵଂ ଗୁଡ଼ି ଉଡ଼ାଉଥିଵା ଵ୍ୟକ୍ତି ନିଜ ଇଚ୍ଛା ଅନୁସାରେ ସେହି ଗୁଡ଼ା ହୋଇଥିଵା ଡୋରିକୁ ଫିଟାଏ କିମ୍ବା ଗୁଡ଼ାଇଥାଏ । 

ପୁଣି ଢେଙ୍କାନାଳ ଆଦି ଗଡ଼ଜାତ ଜିଲ୍ଲା ସମୂହ, ମୟୂରଭଞ୍ଜ ଓ ବାଲେଶ୍ଵର ଇତ୍ୟାଦି ଜିଲ୍ଲାରେ ‘ଗୋଡ଼ି’ ଶବ୍ଦଟି ‘ଗୁଡି଼’ ରୂପେ ପ୍ରଚଳିତ । ଏହି ଗୁଡ଼ି ଓ ଗୋଡ଼ି ଶବ୍ଦଦ୍ଵୟ ତତ୍ସମ ଗୁଟିକା ସହିତ ସମୋଦ୍ଧୃତ ହୋଇଥିଵା ସମ୍ଭଵ । 
ଓଡ଼ିଆ ପ୍ରତ୍ୟୟ ‘ଗୁଡ଼ା’ର ଏକ ରୂପ 'ଗୁଡ଼ି' ବୋଲି ଭାଷାକୋଷରେ ଲେଖାଯାଇଛି । 
ତେବେ ଭାଷାକୋଷରୁ ଜଣାଯାଏ ଯେ ଗଡ଼ଜାତ ଵିଶେଷତଃ ଅଵିଭକ୍ତ ସମ୍ବଲପୁର ଜିଲ୍ଲାରେ ‘ଗୁଡ଼ି’ ଶବ୍ଦଟି ଆଉ ଦୁଇଗୋଟି ସ୍ଵତନ୍ତ୍ର ଅର୍ଥରେ ପ୍ରୟୋଗ କରାଯାଏ । ପ୍ରଥମତଃ ‘ସଭା,ଆଲୋଚନାଚକ୍ର’କୁ ଗୁଡ଼ି କୁହାଯାଏ ଏଵଂ ଗ୍ରାମର ଯେଉଁ ଗୃହରେ ଏହି ସଭା କରାଯାଏ ତାକୁ ଗୁଡି଼ଘର କହିଥାଅନ୍ତି । ”ଆଜି ଗ୍ରାମପଞ୍ଚଙ୍କର ଗୁଡ଼ି ବସିଛି” କହିଵାର ଅର୍ଥ ଆଜି ଗ୍ରାମପଞ୍ଚମାନଙ୍କର ସଭା ବସିଅଛି ‌। ଏହି ‘ଗୁଡ଼ି’ ଶବ୍ଦଟି ତତ୍ସମ 'ଗୋଷ୍ଠୀ' ସହିତ ସମୋଦ୍ଧୃତ ଯହିଁରୁ ଅନ୍ୟ ଏକ ଦିଗରେ ଗୋଠ,ଗୁଠ ଭଳି ଶବ୍ଦ ମଧ୍ୟ ସୃଷ୍ଟି ହୋଇଛି । 
ବହୁଲୋକଙ୍କ ସମାଗମସ୍ଥାନ,ସଭାସ୍ଥଳ,
ଦଳ,ପରିଵାରବର୍ଗ,ଜ୍ଞାତି,ଜାତି; ବଂଶ; କୁଳ,ମିଳନ ସଭା; ମେଳା ଓ ସଂଳାପ ଅର୍ଥରେ ଗୋଷ୍ଠୀ ଶବ୍ଦର ପ୍ରୟୋଗ କରାଯାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ । ପୁନଶ୍ଚ ଓଡ଼ିଶାର ପଶ୍ଚିମାଞ୍ଚଳରେ ମନ୍ଦିରକୁ ମଧ୍ୟ ଗୁଡ଼ି କୁହାଯାଏ । ସମ୍ବଲପୁରୀ ଶୈଳୀ ଛଡ଼ା ଓଡ଼ିଶାର ଗଡ଼ଜାତରେ ପ୍ରଚଳିତ ଦ୍ରାଵିଡ଼ ଭାଷାଗୋଷ୍ଠୀର ଖଡ଼ିଆ ଭାଷାରେ ମନ୍ଦିରକୁ 'ଗୁଡି଼' ,ଗୋଣ୍ଡୀ ଭାଷାରେ ଗୁଡ୍ଡି଼,ବିନଝାଲ୍ ଭାଷାରେ ଗୁଁଡି଼ ଓ କୋୟା ଭାଷାରେ 'ଗୁଡ଼ଇ' କୁହାଯାଏ । 

ପ୍ରକୃତରେ ମନ୍ଦିର ଅର୍ଥଜ ଏହି ‘ଗୁଡ଼ି’ ଶବ୍ଦଟି ଦ୍ରାଵିଡ଼ ଭାଷାପରିଵାର ମୂଳର ଶବ୍ଦ ଅଟଇ । ଅଵଶ୍ୟ ଭାରୋପୀୟ ଭାଷାପରିଵାରର ଜର୍ମାନିକ୍ ଭାଷାସମୂହର ଭାଷା Gothic ଭାଷାରେ ଆଗେ ଦେଵସ୍ଥଳୀକୁ 𐌲𐌿𐌳𐌷𐌿𐍃 n (gudhus) କୁହାଯାଉଥିଲା ଏଵଂ ଏହାର ମୂଳ ଭାରୋପୀୟ ଧାତୁରୂପ ǵʰutós ଅଟେ ଯହିଁ ସହିତ ଭାରତୀୟ ହୁତ, ଆହୁତି ଆଦି ଶବ୍ଦର ସଗୋତ୍ରୀୟ ସମ୍ପର୍କ ଅଛି ।‌ କିନ୍ତୁ ଓଡ଼ିଶାର ପଶ୍ଚିମାଞ୍ଚଳରେ ମନ୍ଦିରକୁ ବୁଝାଉଥିଵା 'ଗୁଡି଼' ଶବ୍ଦଟି ଦ୍ରାଵିଡ଼ ଭାଷାପରିଵାର ମୂଳର ଶବ୍ଦ ହୋଇଥିଵାର ସମ୍ଭାଵନା ଅଧିକ କାରଣ ଵିଭିନ୍ନ ଦ୍ରାଵିଡ଼ ଭାଷାରେ ମନ୍ଦିରକୁ 'ଗୁଡ଼ି' ଇତ୍ୟାଦି କୁହାଯାଇଥାଏ ।‌

T. Burrow, ଓ B. Emeneauଙ୍କ ଦ୍ଵାରା ସଂକଳିତ “A Dravidian etymological dictionary”ରୁ ଜଣାଯାଏ ଯେ ତାମିଳ ଭାଷାରେ ମନ୍ଦିରକୁ kuṭikai କୁହାଯାଏ । 
ଅନ୍ୟ ଏକ ଦ୍ରାଵିଡ଼ ଭାଷା ‘Kota ଵା କୋଟା’ରେ ସେହିଭଳି ମନ୍ଦିରକୁ kuṛjl ଓ guṛy କୁହାଯାଉଛି ।‌ ଦ୍ରାଵିଡ଼ ଭାଷା todaରେ ମଧ୍ୟ ହିନ୍ଦୁ ମନ୍ଦିରକୁ kuṛy କୁହାଯାଏ ବୋଲି ଏ ଅଭିଧାନରେ ଉଲ୍ଲେଖ ଅଛି । କନ୍ନଡ଼ ଭାଷାଭାଷୀ ଗୃହ ଓ ମନ୍ଦିରକୁ guḍi କହୁଥିଵା ଏ ଅଭିଧାନରେ ଲେଖାଅଛି । ତାମିଲନାଡୁର ସୀମାନ୍ତ ଅଞ୍ଚଳରେ ବୋଲାଯାଉଥିଵା ତୁଲୁ ଭାଷାରେ ବି ମନ୍ଦିରକୁ guḍi କୁହାଯାଏ । ଅନ୍ୟତମ ଦ୍ରାଵିଡ଼ ଭାଷା କୋଲାମୀ(kolami)ରେ ମନ୍ଦିରକୁ guḍī,guḍi,guṛi ଓ guḍḍī କୁହାଯାଏ ବୋଲି ଏହି ଅଭିଧାନରେ ଲେଖାଯାଇଛି । 

ଏସମସ୍ତ ମନ୍ଦିର ଅର୍ଥଜ ‘ଗୁଡ଼ି’ ସମାର୍ଥକ ସଗୋତ୍ରୀୟ ଦ୍ରାଵିଡ଼ ଶବ୍ଦଗୁଡି଼କର ମୂଳ ଦ୍ରାଵିଡ଼ ଧାତୁରୂପ ହେଉଛି ‘kō’ ଯହିଁର ମୂଳ ଅର୍ଥ ଥିଲା ରାଜା,ଦେଵତା,ଘର,ମୁଖିଆ ଓ ପର୍ଵତ । ଏହି ମୂଳ ପ୍ରାକ୍ ଦ୍ରାଵିଡ଼ ‘kō’ ଶବ୍ଦରୁ ଗୋଟିଏ ପଟେ ଗୁଡ଼ି ଭଳି ଶବ୍ଦ ସୃଷ୍ଟି ହୋଇଥିଲାବେଳେ ଅନ୍ୟ ଏକ ଦିଗରେ 
ତାମିଳରେ கோயில்(kōyil), ତେଲୁଗୁରେ కోవెల (kōvela) ଓ కోయిల (kōyila), ମଳୟାଳ଼ମରେ കോയിൽ (kōyil) ଓ കോവിൽ (kōvil) ଆଦି ଶବ୍ଦ ସୃଷ୍ଟି ହୋଇଛି ଏଵଂ ମନ୍ଦିର ଅର୍ଥରେ ପ୍ରୟୋଗ କରାଯାଉଛି। 
ପୁଣି ଆଉ ଏକ ଦିଗରେ ସଂସ୍କୃତ ଭାଷାରେ ଏହି ମୂଳ ଦ୍ରାଵିଡ଼ ଶବ୍ଦଟି କୁଟୀ, କୁଟୀର, କୁଟୁମ୍ବ ରୂପେ ଯଥାକ୍ରମେ ଗୃହ,କୁଳ ଅର୍ଥରେ ଗୃହୀତ ହୋଇଥିଲା ବେଳେ ଓଡ଼ିଆଭାଷାରେ କୁଡ଼ିଆ ଓ କୁର୍ହିଆ(ଢେଙ୍କାନାଳୀ) ରୂପେ ମଧ୍ୟ ପ୍ରଚଳିତ ହୋଇଅଛି । ହିନ୍ଦୀ ଭାଷାରେ ମଧ୍ୟ ପ୍ରଚଳିତ କୁନଵା ଶବ୍ଦଟି ମୂଳତଃ ଦ୍ରାଵିଡ଼ ଭାଷା ପରିଵାରର ମୂଳ ଧାତୁରୂପ ‘kō’ ସହିତ ସମୋଦ୍ଧୃତ କୁଟୁମ୍ବ ଶବ୍ଦର ଏକ ଆଧୁନିକ ରୂପ ଅଟଇ ‌। କୁଈଭାଷାରେ ମଧ୍ୟ ଗୃହର ମଧ୍ୟଭାଗ, କ୍ଷୁଦ୍ର ଵାସଗୃହକୁ guḍi କୁହାଯାଏ,ଛୋଟ ପାହାଡ଼କୁ କୂପ୍ଡା କୁହାଯାଏ, ପତ୍ନୀକୁ କୁଡ଼ା ଓ କୁକୁଡ଼ା ବତକ ତଥା କୁକୁର ଆଦି ରଖିଵା ପାଇଁ କରାଯାଉଥିଵା ଛୋଟ ଘରକୁ ଗୁଡ଼ା କୁହାଯାଏ। ତେବେ ଓଡ଼ିଶାର ପଶ୍ଚିମାଞ୍ଚଳରେ ପ୍ରଚଳିତ ଖଡ଼ିଆ,ଗୋଣ୍ଡୀ,ବିନଝାଲ ଓ କୋୟା ଭଳି ଦ୍ରାଵିଡ଼ ଭାଷାରେ ଯଥାକ୍ରମେ 'ଗୁଡି଼' , 'ଗୁଡ୍ଡି଼','ଗୁଁଡି଼' ଓ 'ଗୁଡ଼ଇ' ଆଦି ଶବ୍ଦ ମନ୍ଦିର ଅର୍ଥରେ ଵ୍ୟଵହାର କରାଯାଉଥିଵାରୁ ତଥା କର୍ଣ୍ଣାଟକ,ତାମିଳନାଡ଼ୁ ,କେରଳ ଓ ଆନ୍ଧ୍ରପ୍ରଦେଶର ଵିଭିନ୍ନ ଦ୍ରାଵିଡ଼ ଭାଷାରେ ଗୁଡ଼ି ଶବ୍ଦ ସହିତ ସମୋଦ୍ଧୃତ ମନ୍ଦିର ଅର୍ଥଜ ଶବ୍ଦ ପ୍ରଚଳିତ ଥିଵାରୁ ସ୍ପଷ୍ଟ ହୁଏ ଯେ ଏହି ଦେଉଳ ଅର୍ଥରେ ପ୍ରୟୋଗ କରାଯାଉଥିଵା ଗୁଡ଼ି ଶବ୍ଦଟି ଦ୍ରାଵିଡ଼ ଭାଷାପରିଵାର ମୂଳର ଶବ୍ଦ ଅଟେ । 

ଅସ୍ତୁ ଆମେ ସମସ୍ତେ ଜାଣନ୍ତି ଯେ ମନ୍ଦିର ଉପରେ ଯେଉଁ ନେତ ଵା ବାନା ଉଡ଼େ ତାହା କନାର ହୋଇଥାଏ ଏଵଂ ଆକାଶରେ ଉଡ଼ୁଥିଵା ଗୁଡ଼ିର ଲାଞ୍ଜ ଭଳି ଏହାର ମଧ୍ୟ ଲାଞ୍ଜ ରହିଥାଏ । ତେଣୁ ହୁଏତ ପତଙ୍ଗ ଅର୍ଥରେ ଵ୍ୟଵହୃତ ଗୁଡ଼ି ଶବ୍ଦଟି ଏହି ମନ୍ଦିର ଅର୍ଥଜ 'ଗୁଡ଼ି'ରୁ ସୃଷ୍ଟି ହୋଇଥାଇପାରେ ବୋଲି ମଧ୍ୟ ଗୋଟିଏ ଅନୁମାନ କରାଯାଇପାରେ ‌।

ସେ ଯାହାହେଉ ଓଡ଼ିଶାରେ Paper kite ଵା ପତଙ୍ଗ ଅର୍ଥରେ ଅନେକ ଶବ୍ଦ ଵିଭିନ୍ନ ଅଞ୍ଚଳର କଥିତ ଭାଷାରେ ତଥା ଓଡ଼ିଆ ସାହିତ୍ୟରେ ପ୍ରୟୋଗ କରାଯାଏ । ଉଦାହରଣ ସ୍ୱରୂପ ଓଡ଼ିଆ ସାହିତ୍ୟରେ Paper kite ପାଇଁ କାଗଜ ଚକି ଓ 
କାଗତଚକି ଶବ୍ଦ ପ୍ରୟୋଗ କରାଯାଇଛି। କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ ଲାଵଣ୍ୟଵତୀ କାଵ୍ୟରେ କାଗତଚକି ଶବ୍ଦର ପ୍ରୟୋଗ କରିଵାକୁ ଯାଇ ପଦେ ଲେଖିଛନ୍ତି 

“ସପ୍ରେମ ନୟନ ସେହି ଦିଗକୁ ଟେକି,
ନିରେଖେ କାଗତଚକି ଯଥା କୁତୁକୀ।”

ଚକ୍ର ଶବ୍ଦ ମଧ୍ୟ ଓଡ଼ିଆ ସାହିତ୍ୟରେ ଗୁଡ଼ି ଅର୍ଥରେ ଵ୍ୟଵହାର କରାଯାଇଛି ବୋଲି ଭାଷାକୋଷରେ ଉଲ୍ଲେଖ କରାଯାଇଥିଵା ଏହି ପଦରୁ ଜଣାଯାଏ

“ଚକ୍ର ପ୍ରାୟ ମୋତେ ଉଡ଼ାଇ ଗଗନେ,
 ଛାଡ଼ି ଦେଇ କଲୁ ହେଳା ଗୋ।” (ଲାଵଣ୍ୟନିଧି)

ସେହିପରି ଓଡ଼ିଆ ସାହିତ୍ୟରେ ପତଗ, ପତଙ୍ଗ,ଶଲାଙ୍କୀ

ପୁରୀ ଓ ଏହାର ଆଖପାଖ ଅଞ୍ଚଳର କଥିତ ଓଡ଼ିଆ ଭାଷାରେ ଗୁଡ଼ିକୁ ଚକି କୁହାଯାଏ ଏଵଂ ଏହା ସେହି ଚକ୍ର ଶବ୍ଦ ସହିତ ସମୋଦ୍ଧୃତ ବୋଲି ସ୍ପଷ୍ଟ ଜଣାପଡ଼ୁଛି ।ଗଞ୍ଜାମର କଥିତ ଓଡ଼ିଆ ଭାଷାରେ ଗାଲିପାଗଡ଼ା ଓ ଘିଁ ଶବ୍ଦଦ୍ଵୟ ଗୁଡ଼ି ଅର୍ଥରେ ଵ୍ୟଵହାର କରାଯାଏ । ସିଂହଭୂମିରେ ଆଗେ Paper kiteକୁ ଚଙ୍ଗ ତଥା କଟକାଞ୍ଚଳରେ ଲମ୍ବ କୁବ୍ଜପୃଷ୍ଠ କାଗଜର ଏକ ଜାତୀୟ ଗୁଡ଼ିକୁ ଚେଙ୍ଗ କୁହାଯାଉଥିଲା ବୋଲି ମଧ୍ୟ ଭାଷାକୋଷରୁ ଜଣାଯାଏ । ସେହି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ପୁଣି ଓଡ଼ିଶାର ପଶ୍ଚିମାଞ୍ଚଳରେ ପତଙ୍ଗ ଶବ୍ଦ ମୂଳର ପତାଙ୍ଗି ଶବ୍ଦଟି ଗୁଡ଼ି ଅର୍ଥରେ ଵ୍ୟଵହାର କରାଯାଏ ବୋଲି ଉଲ୍ଲେଖ ରହିଛି । 
ଓଡ଼ିଶାର ଗଡ଼ଜାତରେ ସଭା,ସଭାଗୃହ,ଗୋଡ଼ି(ଗୁଟିକା), ମନ୍ଦିର ଓ ଆଙ୍କୁଡ଼ି ଆଦି ଅର୍ଥରେ 'ଗୁଡ଼ି' ଶବ୍ଦର ପ୍ରୟୋଗ ରହିଥିଵାରୁ ଵିଶେଷତଃ ମନ୍ଦିର ଅର୍ଥରେ ଗୁଡ଼ି ଶବ୍ଦର ଵ୍ୟଵହାର ପ୍ରଚଳନ ଥିଵାରୁ ହୁଏତ ସ୍ଥାନୀୟ ଲୋକେ Paper Kite ଵା ପତଙ୍ଗ ଅର୍ଥରେ ପତଙ୍ଗ ଶବ୍ଦର ଵ୍ୟଵହାର କରିଥିବେ ଯାହା ପରେ ପତାଙ୍ଗି ହୋଇଅଛି । 

କିନ୍ତୁ ଭାରତ ଛଡ଼ା ଆଉ କେତେକ ଭାଷାରେ ବି Paper kiteକୁ ଗୁଡ଼ି କୁହାଯାଏ ବୋଲି ଅନ୍ତର୍ଜାଲରୁ ଜଣାପଡ଼ିଛି । ଉଦାହରଣ ସ୍ୱରୂପ ମାଲେସିଆ ଓ ଇଣ୍ଡୋନେସିଆର Iban ଭାଷାରେ ପତଙ୍ଗକୁ gudi ଓ gegudi କୁହନ୍ତି। ରୋହିଙ୍ଗ୍ୟା ଭାଷାରେ ସେହିପରି ପତଙ୍ଗକୁ góndhi କୁହାଯାଏ । ମାଲେସିଆ ଇଣ୍ଡୋନେସିଆ ଓ ଫିଲିପାଇନସରେ ବୋଲାଯାଉଥିଵା sama-Bajaw ଭାଷାରେ ପତଙ୍ଗକୁ saligundi' ଓ selegundi' କୁହାଯାଏ । ତେବେ ପତଙ୍ଗ ଅର୍ଥରେ ଏହି ଭାଷାଗୁଡ଼ିକରେ ଵ୍ୟଵହୃତ ଶବ୍ଦଗୁଡ଼ିକର ଭାରତୀୟ ଗୁଡ଼ି ଵା ଗୁଡ୍ଡି ଶବ୍ଦ ସହିତ କୌଣସି ସମ୍ପର୍କ ଅଛି କି ନାହିଁ ତାହା ଅସ୍ପଷ୍ଟ । ମୋଟ୍ ଉପରେ କହିଵାକୁ ଗଲେ ଗୁଡ଼ି ଶବ୍ଦଟି ଵିଵାଦୀୟ ନୁହେଁ କି କେବେ ନଥିଲା । ଵରଂ ଗୁଡ଼ି ଶବ୍ଦଟି ଗୋଟିଏ ବହୁ ଅର୍ଥଜ ଓଡ଼ିଆ ଶବ୍ଦ । କିଛି ଲୋକ ଅଯଥା 'ଗୁଡ଼ି' ଭଳି ଶବ୍ଦକୁ ଧରି ଆଞ୍ଚଳିକ ଦ୍ଵେଷ ଵିଦ୍ଵେଷ ସୃଷ୍ଟି କରିଵାକୁ ଚେଷ୍ଟା କରନ୍ତି ତେବେ ସେମାନେ ଜାଣିରଖିଵା ଉଚିତ୍ ଯେ ଗୋଟିଏ ଶବ୍ଦର ଵ୍ୟୁତ୍ପତ୍ତି ଇତିହାସ ସବୁବେଳେ ପ୍ରାଥମିକ ମହତ୍ତ୍ଵ ରଖେ । ତେଣୁ ଦେଶୀୟ ଶବ୍ଦକୁ ଧରି ଆମର ତମର ନକରି ସେହି ଶବ୍ଦଗୁଡ଼ିକୁ ଵ୍ୟଵହାର କରି ତାକୁ ଆପଣାଇ ନୂତନ ସାହିତ୍ୟ ସର୍ଜନା କରିଵା ସର୍ଵୋତ୍ତମ ଅଟେ । 
 
•••••••••••••••••••••••••••
ତଥ୍ୟ ଉତ୍ସ : 
•ପୂର୍ଣ୍ଣଚନ୍ଦ୍ର ଭାଷାକୋଷ(ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜ)
• A comparative dictionary of Indo-Aryan languages(Sir. Ralph Lilley Turner)
•हिन्दी शब्दसागर(श्यामसुंदर दास)
•A comparative and etymological dictionary of the Nepali language(Sir. Ralph Lilley Turner)
•A Dravidian etymological dictionary(T. Burrow, ଓ B. Emeneau)
•କଥିତ ଓଡ଼ିଆ ଶବ୍ଦ କୋଷ (ଓଡ଼ିଆ ଭାଷା ପ୍ରତିଷ୍ଠାନ)
•କୁଈ ଓଡ଼ିଆ ଶବ୍ଦକୋଷ (ଭାରତ ସରକାରଙ୍କ ଦ୍ଵାରା ପ୍ରକାଶିତ)
କୁଈ ଭାଷା ଵିଷୟରେ ସାହାଯ୍ୟ: Simanchal Rana ଭାଇ 
••••••••••••••••••••••••••

No comments:

Post a Comment

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...