Friday, August 23, 2019

ଭଗଵାନଙ୍କର ନାମ ଶ୍ରୀକୃଷ୍ଣ କାହିଁକି ହେଲା ?

ଶ୍ରୀଵିଷ୍ଣୁଙ୍କର ଅଷ୍ଟମଅଵତାର  ଶ୍ରୀକୃଷ୍ଣ ନାମରେ ଵିଖ୍ଯାତ ଅଟନ୍ତି । ଏହାଙ୍କର ଏଭଳି ନାମକରଣକୁ ନେଇ ନାନାମତ ପ୍ରଚଳିତ । ନିମ୍ନରେ ଉକ୍ତ ମତଗୁଡି଼କ ଵିଷୟରେ ଆଲୋଚନା କରାଗଲା ।

୧)ଶ୍ରୀକୃଷ୍ଣଙ୍କ ଶରୀରର ଵର୍ଣ୍ଣ କଳା ଥିଲା
ଅନେକଙ୍କ ମତରେ ଶ୍ରୀକୃଷ୍ଣ ଶ୍ଯାମଳଵର୍ଣ୍ଣ ଥିଲେ ତେଣୁ ସେ ଶ୍ରୀକୃଷ୍ଣ ବୋଲାଇଲେ । କୃଷ୍ଣ ଶବ୍ଦର ଏକ ଅର୍ଥ କଳାରଙ୍ଗ ହୋଇଥିଵାରୁ ଏଭଳି ମତ ଲୋକପ୍ରିୟ ହୋଇଅଛି । ଶଵର ଦେଵତା ଜଗନ୍ତା କିତୁଙ୍ଗ୍’ଙ୍କ ଵର୍ଣ୍ଣ କଳା ଥିଵାରୁ ସେହି କଳିଙ୍ଗ ରାଷ୍ଟ୍ରଦେଵତା ଶ୍ରୀଜଗନ୍ନାଥ ମଧ୍ୟ ଶ୍ରୀକୃଷ୍ଣ ଭାଵେ ପୂଜା ପାଉଅଛନ୍ତି । କୃଷ୍ଣ ଶବ୍ଦର କଳାରଙ୍ଗ ଅର୍ଥକୁ ଆଧାର କରି ଅନେକ ଜୀଵ ,ଅଙ୍ଗ ତଥା ଦ୍ରଵ୍ଯଗୁଡି଼କର ନାମ ମଧ୍ୟ ସେସମସ୍ତର କଳାରଙ୍ଗ ହେତୁ କୃଷ୍ଣ ରଖାଯାଇଛି
ଯଥା—
✓କୃଷ୍ଣସାର ମୃଗ
✓ମାସର କୃଷ୍ଣପକ୍ଷ ଵା ଅନ୍ଧାର ପକ୍ଷ
✓ଅନ୍ଧକାର
✓କଜ୍ଜ୍ବଳ
✓କଳାମରିଚ
✓ଆଖିର କଳାଡ଼ୋଳା
✓କୋକିଳ
✓କାକ
✓କୃଷ୍ଣଚନ୍ଦନ(ଅଗୁରୁ ଚନ୍ଦନ)
✓କଳିଯୁଗ(ଏ ଯୁଗଦେଵତାଙ୍କ ଵର୍ଣ୍ଣ କଳା କଳ୍ପିତ)
✓ସୀସା(leadର ଏକ ଶାସ୍ତ୍ରୀୟ ନାମ କୃଷ୍ଣ)
✓କୃଷ୍ଣଦୌପାୟନ(ଵ୍ଯାସଦେଵଙ୍କ ଵର୍ଣ୍ଣ କଳା ଥିଵା ଲୋକଵିଶ୍ଵାସ ରହିଛି)
ଆଦି...

୨) ଶ୍ରୀକୃଷ୍ଣ ଗାଢ଼ ନୀଳଵର୍ଣ୍ଣର ଥିଲେ ତେଣୁ ତାଙ୍କ ନାମ କୃଷ୍ଣ ହୋଇଛି ।

ଗାଢ଼ ନୀଳବର୍ଣ୍ଣକୁ ଭଧ୍ଯ ଶାସ୍ତ୍ରୀୟ ସଂସ୍କୃତ ଭାଷାରେ କୃଷ୍ଣ କୁହାଯାଏ । କେତେକ ଲୋକଙ୍କ ଵିଶ୍ଵାସ ଯେ ଶ୍ରୀକୃଷ୍ଣ ଘନନୀଳ ଵର୍ଣ୍ଣର ମହାମାନଵ ଥିଲେ ଫଳରେ ତାଙ୍କ ନାମ କୃଷ୍ଣ ଶବ୍ଦର ଗାଢ଼ନୀଳଵର୍ଣ୍ଣ ଅର୍ଥରେ ଶ୍ରୀକୃଷ୍ଣ ହୋଇଅଛି ।

୩)ଶ୍ରୀକୃଷ୍ଣ ଅନ୍ଧକାର ପକ୍ଷରେ ରାତ୍ରିର ମଧ୍ଯକାଳରେ ଜନ୍ମଲାଭ କରିଥିଲେ ତେଣୁ ତାଙ୍କର ନାମ କୃଷ୍ଣ ହୋଇଛି ‌ । ଶ୍ରୀକୃଷ୍ଣଙ୍କ ଜନ୍ମଦିଵସକୁ ନେଇ ସନାତନୀଙ୍କ ମଧ୍ୟରେ ମତ ପାର୍ଥକ୍ୟ ରହିଛି ।
ସାଧାରଣତଃ ସର୍ଵଭାରତୀୟ ସ୍ଥରରେ  ଭଦ୍ର କୃଷ୍ଣାଷ୍ଟମୀ ଅର୍ଦ୍ଧରାତ୍ର ସମୟରେ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବ ପାଳିତ ହୁଏ । କିନ୍ତୁ ଶ୍ରୀଵିଷ୍ଣୁପୁରାଣରେ ଶ୍ରୀକୃଷ୍ଣଙ୍କ ଜନ୍ମ ଶ୍ରାଵଣ ମାସ କୃଷ୍ଣ ଅଷ୍ଟମୀରେ ହୋଇଥିଵା ଉଲ୍ଲେଖ ଅଛି। ମୁଖ୍ଯ ମାସ ଓ ଗୌଣ ଚାନ୍ଦ୍ର ମାସ ଗଣନା ଏ ପ୍ରଭେଦର କାରଣ ଥିବାର ଜଣାଯାଏ । ତେଵେ ଶ୍ରୀକୃଷ୍ଣ ଅନ୍ଧକାର ପକ୍ଷରେ ଜନ୍ମ ଲଭିଥିଵାରୁ ତାଙ୍କୁ ଏଭଳି ନାମ ମିଳିଥିଵା କେତେକ ଲୋକ ମତ ଦିଅନ୍ତି ।

୪)ଶ୍ରୀଭଗଵାନ ଗାଢ଼ ଲୋହିତ ଵର୍ଣ୍ଣ ଥିଲେ ତେଣୁ ତାଙ୍କର ନାମ ଶ୍ରୀକୃଷ୍ଣ ହେଲା ।

ଶ୍ରୀକୃଷ୍ଣ ହେଉଛନ୍ତି ଶ୍ରୀହରିଙ୍କ ଅଷ୍ଟମ ଅଵତାର ।
ଶ୍ରୀହରି ସର୍ଵଦା ଶ୍ରୀହରଙ୍କୁ ଧ୍ୟାନ କରୁଥିଲେ ଏଵଂ ଶ୍ରୀହର ମଧ୍ୟ ଶ୍ରୀହରଙ୍କୁ ସମଭାଵରେ ଧ୍ୟାନ କରୁଥିଵାର ଲୋକଵିଶ୍ଵାସ ପ୍ରଚଳିତ । ଉଭୟ ଉଭୟଙ୍କୁ ଧ୍ଯାନ କରୁଥିଵାରୁ ସେମାନେ ପରସ୍ପରର ରଙ୍ଗ ଆହରଣ କରିଥିଲେ ବୋଲି କେତେକ ଧର୍ମପ୍ରଵଚକ ମତ ଦିଅନ୍ତି । ଶ୍ରୀହରଙ୍କର ପ୍ରକୃତ ଵର୍ଣ୍ଣ ଗାଢ଼ ଲୋହିତ ଵର୍ଣ୍ଣ ତେଣୁ ତାହା ଶ୍ରୀହରି ତାଙ୍କର ଅଷ୍ଟମ ଅଵତାରରେ ଗ୍ରହଣ କରିନେଇ ଜନ୍ମଲାଭ କରିଥିଲେ । କୃଷ୍ଣ ଶବ୍ଦର
✓ଲୌହ

✓ଅଗ୍ନି
ଅର୍ଥରେ ଆମେ ଏହି ଗାଢ଼ ଲୋହିତ ଵର୍ଣ୍ଣର କ୍ଷୀଣ ନିଦର୍ଶନ ପାଇଥାନ୍ତି । ଏ ଉଭୟ ଲୋହିତ ଵର୍ଣ୍ଣ ଯୁକ୍ତ ଅଟନ୍ତି । 

୫)ଶ୍ରୀକୃଷ୍ଣ ଏକ ନାମଵାଚକ ଶବ୍ଦ ତେଣୁ ନିରୁକ୍ତି ଅନୁସାରେ ଏଭଳି ନାମକରଣ ହୋଇଛି ।

ଶ୍ରୀକୃଷ୍ଣଙ୍କ ନାମଵାଚକ ଏହି ‘କୃଷ୍ଣ’ ଶବ୍ଦକୁ
କୃଷ ଵା କୃଷ୍ ଧାତୁରୁ ନିଷ୍ପନ୍ନ କରାଯାଇଛି
ଯାହାର ନିମ୍ନଲିଖିତ ଅର୍ଥରେ ଵ୍ଯଵହାର ହୋଇଥାଏ

✓କର୍ଷଣ କରିଵା;ଚଷିଵା
✓ଜୟ କରିଵା
✓ଆକର୍ଷଣ କରିଵା
✓ଟାଣିଵା
✓ଚିହ୍ନକରିଵା
✓ମର୍ଦ୍ଦନ କରିଵା
✓ଡାକିଵା
✓ନିର୍ଗତ କରିଵା
✓ରକ୍ଷା କରିଵା
✓ଵର୍ଷିଵା

ଶ୍ରୀକୃଷ୍ଣ ସେହି ପ୍ରଭୁ ଯିଏ ପାପୀଙ୍କୁ ଜୟକରି ସେମାନଙ୍କ ମର୍ଦ୍ଦନ ତଥା ସାଧୁ ରକ୍ଷା ନିମନ୍ତେ ଅଵତାର ନେଇଥିଲେ । ଭଗଵାନ ଏକଥା ନିଜେ ଅର୍ଜୁନଙ୍କୁ ଗୀତାର ଚତୁର୍ଥ ଅଧ୍ୟାୟରେ କହିଛନ୍ତି —

“ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ, ଅଭ୍ୟୁଥାନମଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ୍ ।

ପରିତ୍ରାଣାୟ ସାଧୁନାମ୍, ବିନାଶାୟ ଚ ଦୁଷ୍କୃତାଂ
ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମୀ ଯୁଗେ ଯୁଗେ ।।”

ଶ୍ରୀକୃଷ୍ଣ ସବୁଵେଳେ ଆକର୍ଷକ । ତାଙ୍କର ଆକର୍ଷଣ ଵିଷୟରେ ଆମେ ମହାଭାରତର ଅତିରିକ୍ତ ଉଚ୍ଛିଷ୍ଟ ଭାଗ ହିରଵଂଶପର୍ଵ ଵା ପୁରାଣରେ ଵର୍ଣ୍ଣିତ କୃଷ୍ଣଚରିତରୁ ସହଜରେ ହୃଦୟଙ୍ଗମ କରିପାରିଵା । ଓଡ଼ିଆ ଭାଷାରେ ଲେଖାଯାଇଥିଵା ମଥୁରାମଙ୍ଗଳ କାଵ୍ଯରେ ସେଇକଥା ସହଜରେ କୁହାଯାଇଛି ।

ଏଇଭଳି ଭାଵେ ଭଗଵାନ ଶ୍ରୀକୃଷ୍ଣ ସବୁଵେଳେ ତାଙ୍କ ଭକ୍ତଙ୍କୁ ଭାଵର ସାଗର ପାଖରେ ସନ୍ତରଣ ହେତୁ ଡକାନ୍ତି ହେଲେ ପ୍ରାଣୀମାତ୍ରକେ ମାୟା ବନ୍ଧନରୁ ମୁକୁଳି ପାରିଲେ ତ ?  ତେଵେ ପ୍ରକୃତ ଭକ୍ତ ସବୁ ଵାଧାଵିଘ୍ନକୁ  ଏଡେ଼ଇ ଦେଇ ଭଗଵାନଙ୍କ ନିକଟକୁ ଟାଣି ହୋଇ ଯାଏ ।  ଆଉ ଯେତେଵେଳେ ଭକ୍ତ ଓ ଭଗଵାନଙ୍କ ଭାଵମିଳନ ହୁଏ ସେତେଵେଳେ ଯେଉଁ ଭକ୍ତିରସ ନିର୍ଗତ ହୁଏ ତାକୁ ହିଁ ରାସ କୁହାଯାଏ ।

ସଂସାରୀ ଵାସ୍ତୁଵାଦୀ ଲୋକେ ଏଭଳି ଉଚ୍ଚ ଆଧ୍ଯାତ୍ମିକ
ଵିଚାରକୁ ଅତିଶୟୋକ୍ତି ଭାଵିପାରନ୍ତି କିନ୍ତୁ ଶ୍ରୀକୃଷ୍ଣଙ୍କ ନାମର ନିରୁକ୍ତି ମଧ୍ୟରେ ଏସବୁ ତଥ୍ୟ ଲୁକ୍କାୟିତ ରହିଛି ।
ଏହି ଶବ୍ଦ ମଧ୍ୟରେ ଥିଵା ଆଧ୍ଯାତ୍ମିକ ସନ୍ଦେଶକୁ ଜାଣିଵା ପାଇଁ ଅନୁଭଵ ତଥା କାର୍ଯ୍ୟରେ ପରିଣତ କରିଵା ପାଇଁ
ବୋଧହୁଏ
ଆମକୁ ଆମ ପୂର୍ଵଜ  କୃଷ୍ଣନାମ ଜପର ଉପଦେଶ ଦେଇ ଆସିଛନ୍ତି ।

“ଶ୍ରୀକୃଷ୍ଣ ଜଗଦୀଶ ଜୟ
ଜୟ ଶ୍ରୀଜଗନ୍ନାଥ ହରେ”

—ସମସ୍ତଙ୍କୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର
ଅନେକାନେକ ଶୁଭକାମନା—

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...