Friday, August 23, 2019

ବନିଵା ଓ ବନେଇଵା ଶବ୍ଦର ଵିଶ୍ଲେଷଣ

ଓଡ଼ିଆଭାଷା ଵିଷୟରେ ଅଜ୍ଞ ଲୋକେ ଵନେଇଵା ଶବ୍ଦକୁ ଏକ ହିନ୍ଦୀରୁ ଆନିତ ଶବ୍ଦ ମନେ କରନ୍ତି ଯେହେତୁ ତାଙ୍କ ଅଞ୍ଚଳରେ ବନେଇବା,ବନିବା ଆଦି ଶବ୍ଦ ବଦଳରେ କରିବା,ତିଆରି କରିଵା ଓ ଗଢ଼ିଵା ଆଦି ଶବ୍ଦ ଚଳେ କିନ୍ତୁ ଚର୍ଯ୍ୟାଗୀତି ଓ ସାରଳା ମହାଭାରତରେ ଏ ଶବ୍ଦର ପ୍ରାଚୀନ ରୂପ ମିଳୁଥିବାରୁ ଏହାକୁ ଏକ ହିନ୍ଦୀ ଅନୁକରଣ ଶବ୍ଦ କହିଵା ଅସଙ୍ଗତ ହେବ ।

ସାରଳା ମହାଭାରତରେ ଵନେଇଵା ଅର୍ଥରେ ବନାଵନ୍ତି ଶବ୍ଦ ଵ୍ୟଵହୃତ । ଏହି ବନାଵନ୍ତି ଶବ୍ଦରେ ଥିଵା ଅଵର୍ଗ୍ୟ ‘ଵ’ ର ଗୁଣ ହେଲା ଏହା ସ୍ୱରଵର୍ଣ୍ଣରେ(ଅ,ଆ,ଇ,ଉ,ଓ,ଏ) ପରିବୃତ ହୋଇଥାଏ ତେଣୁ ବନାଵନ୍ତି ଶବ୍ଦରେ ଅଵର୍ଗ୍ୟ ‘ଵ’ ଵର୍ଣ୍ଣ ସ୍ୱରଵର୍ଣ୍ଣ ‘ଅ’ରେ ପରିଣତ ହୋଇଯାଇ ‘ବନାଅନ୍ତି’ ହୋଇ ଶେଷରେ ଶବ୍ଦରୁ ସ୍ୱରଵର୍ଣ୍ଣ ଲୁପ୍ତକରଣ ନିୟମାନୁସାରେ ‘ଅ’ ଲୁପ୍ତ ହୋଇ ‘ବନାନ୍ତି’ ଶବ୍ଦରେ ପରିଵର୍ତ୍ତିତ ହୋଇଅଛି ।

●●●●●ଅନ୍ଯ ଭାରତୀୟ ଭାଷାରେ ବନିଵା ସହ ସମଦ୍ଧୃତ ଶବ୍ଦ●●●●●

ସୌରସେନୀ ପ୍ରାକୃତରେ ଏହା *𑀯𑀡𑀤𑀺 (*vaṇadi),ପାଲି ପ୍ରାକୃତରେ ଵଣତିଂ,ସଂସ୍କୃତରେ वनति (vánati) ଓ वनोति (vanóti) ଭାଵେ ପ୍ରଚଳିତ ଥିଲା ।
ପ୍ରାକୃତର ଏ ଶବ୍ଦ ଆଧୁନିକ ଭାରତୀୟ ଭାଷାରେ ଵିଭିନ୍ନ ରୂପ ହୋଇଅଛି । ଯଥା—
୧)ହିନ୍ଦୀ— बनना(ban’na)
୨)ନେପଳୀ—बन्नु (bannu)
୩)ପଞ୍ଜାଵୀ—ਬਣਨਾ(baṇnā,ବଣ’ଣା)
୪)ଗୁଜରାଟୀ—બનવું (banvũ,ଵନଵୁଁ),
୫)ବଙ୍ଗାଳୀ—বনা (bôna,ଲିଖିତ-ବନା,କଥିତ-ବୋନା).

■■■ବନିଵା ଶବ୍ଦର ଵିଭିନ୍ନ ଅର୍ଥ■■■

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଵନେଇଵାକୁ ଵନିଵା କ୍ରିୟାର ଣିଜନ୍ତ ରୂପ ଏଵଂ ଵର୍ଣ୍ଣନା ଶବ୍ଦ ସହିତ ସମଧୃତ ବୋଲି ମତ ଵ୍ୟକ୍ତ କରାଯାଇଛି ।
ଵନେଇଵା ଶବ୍ଦର ଭାଷାକୋଷରେ ଥିଵା ଅର୍ଥ
୧)ଵନିଵା
୨)ପରିଵା ଆଦି ରାନ୍ଧିଵା ନିମନ୍ତେ କାଟିଵା
୩)ପ୍ରସ୍ତୁତ କରିଵା—3(ଦିନ ହରୁ ସୁମ ଝରା ବନାଇ ବନାଇ । କବିସୂର୍ଯ୍ୟ ସଙ୍ଗୀତ । )
୪)ନିର୍ମାଣ କରିଵା(ଯମୁନା ଵାହିନୀ ତଟରୁହ ବନୀ ଅବନୀ ବନାଇ ଵାରରେ । କବିସୂର୍ଯ୍ୟ. କିଶୋରୀ ସଙ୍ଗୀତ ।)
୫)ପରିଣତ କରାଇଵା (ଯଥା—ଭଲଲୋକଙ୍କୁ କଥାରେ ସେ ଚୋର ବନାଇ ଦେଲା ।)
୬)(ସଂ. ବିନ୍ଯାସ) ସଜାଇଵା; ସଜ୍ଜିତ କରିଵା(ବନାଇ ଚୁଳ କୁସୁମେ ଚନ୍ଦନ ଲେପନ । ଭଞ୍ଜ. ବୈଦେହୀଶବିଳାସ ।)

ସେଇଭଳି ଵନିଵା ଶବ୍ଦର ଅର୍ଥ ଉଲ୍ଲେଖ ଅଛି----
A)ଵ୍ୟଞ୍ଜନ ବର୍ଣ୍ଣରେ ସ୍ୱରବର୍ଣ୍ଣର ମାତ୍ରା ଯୋଗ କରିଵା(ସଂ. ବର୍ଣ୍ଣଯୋଜନ)
B)ଶବ୍ଦସ୍ଥ ଅକ୍ଷରମାନଙ୍କର ବର୍ଣ୍ଣମାନ ବିଶ୍ଳେଷଣ କରିଵା; ବନାନ କରିଵା
C)ନିର୍ମିତ ହେଵା (ଯଥା—ତାଙ୍କର ଗୋଟାଏ ଦୋମହାଲା କୋଠା ବନୁଛି)
D)ଦୁଇ ଜଣଙ୍କ ମଧ୍ୟରେ ସଭାବ ଥିଵା; ପଟିଵା(ୟଥା—ସ୍ୱାମୀ ଓ ଭୃତ୍ୟଙ୍କ ମଧ୍ୟରେ ଘଡ଼ିଏ ସୁଦ୍ଧା ବନିଲା ନାହିଁ)
E)ବର୍ଣ୍ଣନା କରିଵା
F)ବର୍ଣ୍ଣିଵା; ଗାଳିଦେଵା; ବକିଵା; ବକାବନା କରିଵା
G)(ଛାତ୍ରକୁ) ଵ୍ୟଞ୍ଜନ ବର୍ଣ୍ଣରେ ସ୍ୱରମାତ୍ରା (ଆକାର, ଇକାର ଆଦି) ଯୋଗ କରିଵାକୁ ଶିକ୍ଷା କରିଵା
H)ଶବ୍ଦରେ ଥିଵା ସ୍ୱରଯୁକ୍ତ ଵ୍ୟଞ୍ଜନ ଵର୍ଣ୍ଣକୁ ଵିଶ୍ଳେଷଣ କରିଵା
I)ହୁଷ୍ଟ-ପୃଷ୍ଟାଙ୍ଗ ହେଵା
J)(ଫଳାଦି) ପୂର୍ଣ୍ଣାଙ୍ଗ ପ୍ରାପ୍ତ ହେଵା
K)ସୌନ୍ଦର୍ଯ୍ୟରେ ଶୋଭିତ ହେଵା
L)ପରିଣତ ହେଵା(ଯଥା—ସେ ମୋ ମୁରବ୍ବୀ ବନିଛନ୍ତି।)
M)ଫଳତଃ ଵା କାର୍ଯ୍ୟରେ ଅମୁକର ସ୍ୱରୂପ ଧାରଣ କରିଵା; ପାଲଟିଵା; ରୂପେ ପରିଣତ ହେଵା((କନ୍ଦର୍ପର) ଷଷ୍ଠଵାଣ ବନିଲେ ସେ ମୁରଲୀଧର। କବିସୂର୍ଯ୍ୟ—ରତ୍ନାକର ଚମ୍ପୂ।)
ପୁଣି ପଶ୍ଚିମାଞ୍ଚଳରେ ଵନିଵା ଶବ୍ଦର ଦୁଇଟି ଅତିରିକ୍ତ ଅର୍ଥ ରହିଛି ଯଥା—
୧)ଠିକ୍ ହେଵା
୨)(ବନିବା ?)ଆସିଵା; ପଇଟିଵା …

★★★ଆମ ଭାଷାରେ ପାଞ୍ଚଟି ଭିନ୍ନ ଭିନ୍ନ ମୂଳରୁ ବନିଵା ଶବ୍ଦ ଆସିଅଛି ଅର୍ଥାତ୍ ଗୋଟିଏ ନୁହେଁ ପାଞ୍ଚଟି
ବନିଵା ଶବ୍ଦ ରହିଛି★★★

ବନିଵା ଶବ୍ଦର ପ୍ରୋକ୍ତ ଅର୍ଥଗୁଡ଼ିକର ଵିଶ୍ଲେଷଣରୁ ଜଣାଯାଏ ଯେ ଆମଭାଷାରେ ଗୋଟିଏ ନୁହେଁ ଵରଂ ତିନୋଟି ଭିନ୍ନ ଭିନ୍ନ ଦିଗରୁ ତିନିଗୋଟି ଵନିଵା ଓ ବନିବା ଶବ୍ଦ ଚଳୁଅଛି ।

ନିମ୍ନରେ ସେ ଵିଷୟରେ ଆଲୋଚନା କରାଗଲା―

■(କ)—>ଵଣତିଂ ଓ ଵନତି ସହିତ ସମଧୃତ--------ଵନିଵା;
(ପରିଵା ଆଦି ରାନ୍ଧିଵା ନିମନ୍ତେ କାଟିଵା,ପ୍ରସ୍ତୁତ କରିଵା,ନିର୍ମାଣ କରିଵା,ପରିଣତ କରାଇଵା ଆଦି ଅର୍ଥରେ;ଏହାର କ୍ରିୟାର ଣିଜନ୍ତ ରୂପ ହେଉଛି ଵନେଇଵା )

■(ଖ)—>ଵର୍ଣ୍ଣନା ଶବ୍ଦ ସହିତ ସମଧୃତ-------ଵନିଵା;
(ଵ୍ୟଞ୍ଜନ ବର୍ଣ୍ଣରେ ସ୍ୱରବର୍ଣ୍ଣର ମାତ୍ରା ଯୋଗ କରିଵା ଵା ବର୍ଣ୍ଣଯୋଜନ କରିଵା,ଶବ୍ଦସ୍ଥ ଅକ୍ଷରମାନଙ୍କର ବର୍ଣ୍ଣମାନ ବିଶ୍ଳେଷଣ କରିଵା; ବନାନ କରିଵା,ବର୍ଣ୍ଣନା କରିଵା,ବର୍ଣ୍ଣିଵା; ଗାଳିଦେଵା; ବକିଵା;ବକାବନା କରିଵା,ଛାତ୍ରକୁ ଵ୍ୟଞ୍ଜନ ବର୍ଣ୍ଣରେ ସ୍ୱରମାତ୍ରା (ଆକାର, ଇକାର ଆଦି) ଯୋଗ କରିଵାକୁ ଶିକ୍ଷା କରିଵା,ଶବ୍ଦରେ ଥିଵା ସ୍ୱରଯୁକ୍ତ ଵ୍ୟଞ୍ଜନ ଵର୍ଣ୍ଣକୁ ଵିଶ୍ଳେଷଣ କରିଵା ଇତ୍ୟାଦି ଅର୍ଥରେ )

■(ଗ)―>ବିନ୍ୟାସ ସହିତ ସମଧୃତ ଯାହାର ଅର୍ଥ- ସଜାଇଵା; ସଜ୍ଜିତ କରିଵା ଓ ସମ୍ଭଵତଃ “ସୌନ୍ଦର୍ଯ୍ୟରେ ଶୋଭିତ ହେଵା” ଅର୍ଥଟି ଏହା ସହିତ ସମ୍ୱନ୍ଧିତ ଅଟେ । ଏହା ହିନ୍ଦିରେ ବି ପ୍ରଚଳିତ ଓ ଵନ୍ ଠନ୍’କେ କହିଲା ଵେଳେ ଉକ୍ତ ଅର୍ଥ ପ୍ରକାଶ କରେ ।

ଏତଦ୍ ଵ୍ୟତୀତ କଳିଙ୍ଗର ପଶ୍ଚିମାଞ୍ଚଳରେ ‘ବନିବା’ ଶବ୍ଦର ପ୍ରଚଳିତ ଦୁଇଟି ଭିନ୍ନ ଅର୍ଥ ଯଥା—

■(ଘ)ଠିକ୍ ହେଵା = ‘ବନେ’ରୁ ବନିବା ହୋଇଥିଵା ସମ୍ଭଵ(ଭଲ>ବନ>ବନେ;’ଭ’ ଵର୍ଗ୍ୟରେ ‘ବ’ରେ ପରିଣତ ହୋଇଥାଏ,’ଲ’ ଵର୍ଣ୍ଣ ବି ପରିବୃତି ନିୟମାନୁସାରେ  ‘ନ’ରେ ପରିଣତ ହୁଏ)

■(ଙ)(ବନିବା ?)ଆସିଵା; ପଇଟିଵା = ଏହି ଅର୍ଥରେ ବନିବା ଶବ୍ଦ ପ୍ରୟୋଗ ମୌଳିକ ନା କୌଣସି ଜନଜାତୀୟ ଭାଷାର ଶବ୍ଦରୁ ପ୍ରଭାଵିତ ତାହା ଗଵେଷଣା କରିଵାର ଯୋଗ୍ୟ ଅଟେ ।

                       

◆◆◆◆―――――――――――――――――
    ଓଡ଼ିଆଭାଷାରେ ଵନେଇଵା ଶବ୍ଦର କେତେକ
                   ଵିଶେଷ ପ୍ରୟୋଗ
―――――――――――――――――◆◆◆◆

(କ)ଚାହିଁ ଜଳକା ଵନେଇଵା―କୌଣସି ଵ୍ୟକ୍ତିକୁ ଆଖି ଆଗରେ ଠକାଇଵା
(ଖ) ନଖ ଵନେଇଵା―ନଖ କାଟିଵା
(ଗ)ମାରି ସାଵାଡ଼୍ ଵନେଇଵା―ମାରି ଦ[ଥ]ଣ୍ଡା କରିଵା,କୌଣସି ଵ୍ୟକ୍ତିକୁ ବହୁତ ମାରି ଜବତ୍ କରିଵା
(ଘ)ରଫୁ ଵନେଇଵା―ଓଲୁ ବନେଇଵା,ଅକୃତକାର୍ଯ୍ୟ ହେଵା,ପରାସ୍ତ ହେଵା
(ଙ)ସାରା ଵନେଇଵା―କୌଣସି ଵ୍ୟକ୍ତିକୁ ଦଣ୍ଡଦ୍ଵାରା ପରାସ୍ତ ଵା ହତଵୀର୍ଯ୍ୟ ଵା ଅସହାୟ କରିଵା
                      
                       
●●●●●―――――――――――――――――
ଓଡ଼ିଆଭାଷାରେ ଵନିଵା ଶବ୍ଦର କେତେକ
          ଵିଶେଷ ପ୍ରୟୋଗ
―――――――――――――――――●●●●●

(କ)ଓଲୁ ଵନିଵା— ଠକାମିରେ ପଡ଼ିଵା
(ଖ)ବମ୍ ଵନିଵା―ହୃଷ୍ଟ ପୁଷ୍ଟ ହେଵା; ସ୍ଥୂଳକାୟ ହେଵା
(ଗ)ବିଧି ଵନିଵା―ଦୁଇ ଵା ଏକାଧିକ ଵ୍ୟକ୍ତିଙ୍କ ମଧ୍ୟରେ ମତର ଵା ମନର ମେଳ ହେଵା—[ ଯଥା—ତାଙ୍କର ମୋର ଵିଧି ଵନୁ ନାହିଁ। ]
(ଘ)ଭକୁଆ ଵନିଵା―ପ୍ରତାରିତ ହେଵା; ଠକାମିରେ ପଡ଼ିଵା, ବିସ୍ମିତ ହେଵା; ଅଵାକ୍ ହେଵା
(ଙ)ମିଛୁଆ ଵନିଵା―ମିଛୁଆ ହେଵା,ନିଜର କଥାର ଅସତ୍ୟତା ପ୍ରମାଣିତ ହେଵାଦ୍ଵାରା ମିଥ୍ୟାଵାଦୀ ପ୍ରତିପନ୍ନ ହେଵା; ନିଜର କଥା ଫଳରେ ନ ଘଟିଵା ଯୋଗୁଁ ଅପ୍ରସ୍ତୁତ ହେଵା,ନିଜର ପ୍ରତିଶ୍ରୁତି ରକ୍ଷା କରିଵାକୁ ଅସମର୍ଥ ହେଵା ।
(ଚ)ଶଣ୍ଡ ଵନିଵା(ଲକ୍ଷଣାର୍ଥ)―କୌଣସିଠାରେ ଦଳ ମଧ୍ୟରେ ଦଳପତିରୂପେ ଅଧିକାର ବିସ୍ତାର କରିଵା(ଷଣ୍ଢ ବନିଵା) ।
(ଛ)ଶିଶୁପାଳ ଵନିଵା―ଶିଶୁପାଳିଆ ହେଵା ।
(ଜ)ଶୋଧି ଵନିଵା—ଶୋଧିର ଧାଡ଼ିମାନ ଭୁମିରେ ଲେଖି ଶୋଧି ପଡ଼େ ଇତ୍ୟାଦି ବୋଲିଵା
(ଝ)ହଦ୍ଦ୍ ଵନିଵା—ଆଶ୍ଚର୍ଯ୍ୟାନ୍ୱିତ ହେଵା,ନିଜର ପରାକ୍ରମର ଵା ବୃଦ୍ଧିର ଶେଷ ସୀମାରେ ପହଞ୍ଚିଵା; କିଂକିର୍ତ୍ତଵ୍ୟମୁଢ଼ ହେଵା

ଉପର୍ଯୁକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ଵନିଵା ଓ ବନିବା ଶବ୍ଦ  ଓଡ଼ିଆଭାଷାରେ ବହୁପ୍ରଚଳିତ ପୁଣି ଆନ ଭାରତୀୟ ଭାଷା ଅପେକ୍ଷା ଓଡ଼ିଆରେ ଏହାର ଵିଭିନ୍ନ ମୂଳରୁ ନାନାଵିଧ ଅର୍ଥ ରହିଛି । କିଛି ଅଳ୍ପଜ୍ଞ ଓଡ଼ିଆ ତାଙ୍କ ଅଞ୍ଚଳର କଥିତ ଭାଷାରେ ‘ଵନିଵା’ , ‘ବନିବା’ ଓ ‘ଵନେଇଵା’ ଆଦି ଶବ୍ଦ ଚଳୁନଥିଵାରୁ ଏ ଗୁଡ଼ିକୁ ହିନ୍ଦି ଅନୁକୃତ ମନେକରିଵା ନିହାତି ଅଵାନ୍ତର,ହାସ୍ୟାସ୍ପଦ କଥା ଅଟଇ

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...