Saturday, August 31, 2019

ଖାଇ ରୁ ନୂଆଖାଇ ଯାଏଁ


ଓଡ଼ିଆରେ 'ଖାଇ' କେତେକ କ୍ଷେତ୍ରରେ 'ଖାଇବା' ଅର୍ଥକୁ ସୂଚାଏ ଏଵଂ ଅନ୍ୟ କେତେକ କ୍ଷେତ୍ରରେ ଭିନ୍ନ ଭାଵାର୍ଥରେ ମଧ୍ୟ ପ୍ରୟୋଗ ହୋଇଥାଏ l

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଖାଇ ଓ ଖାଈ ଶବ୍ଦର ଵିଭିନ୍ନ ଅର୍ଥର ଉଲ୍ଲେଖ ରହିଛି ।

■ଖାଇ(trench,Ditch)

→ଗଡ଼ଖାଇକୁ କେତେକ ଅଞ୍ଚଳରେ କେଵଳ ‛ଖାଇ’ କୁହାଯାଏ । ହିନ୍ଦୀରେ ମଧ୍ୟ ଏ ଶବ୍ଦ ବହୁପ୍ରଚଳିତ । ଆମ ଓଡ଼ିଶାରେ ଗଡ଼ର ଚାରିପାଖକୁ ବେଢ଼ିଥିବା କୃତ୍ରିମ ଖାଲ ବା ଜଳଖାତକୁ ଖନ୍ଦକ ଓ ଗଡ଼ଖାଇ କୁହାଯାଏ । ସଂସ୍କୃତରେ Ditch ଵା  trenchକୁ ଖାତ ଓ ଖାନ ଆଦି କୁହାଯାଏ ସେଇ ଶବ୍ଦର ସମଦ୍ଧୃତ ପ୍ରାକୃତ ରୂପ ଖାଇ ଅଟେ ।

■ଖାଇ(Eat)

→ଖାଇ ଏକ ଦେଶଜ ପ୍ରତ୍ଯୟ ଯାହା ଶବ୍ଦ ପରେ ଖାଦ୍ଯ ସମ୍ବନ୍ଧ ହେତୁକ ଲାଗିଥାଏ । ଯେ କୌଣସି ପଦାର୍ଥ ଖାଏ ଵା ଯହିଁରେ ଖାଦ୍ୟ ପଦାର୍ଥ ରଖାଯାଏ । ସେଭଳି କେତେକ କ୍ଷେତ୍ରରେ ଖାଇ ଶବ୍ଦ ପ୍ରତ୍ଯୟ ଭାଵେ ପ୍ରୟୋଗ କରାଯାଇଥାଏ। ସେଇଭଳି ଖାଇଵାର ଅନ୍ୟ ରୂପ ଖାଇର ସ୍ତ୍ରୀ ଵାଚକରୂପ ହେଲା ଖାଈ । ସାଧାରଣତଃ ସ୍ତ୍ରୀ ଲୋକଙ୍କୁ ଗାଳୀ ଆଦିରେ ଏହି ଖାଈ ଶବ୍ଦର ପ୍ରତ୍ଯୟ ରୂପେ ପ୍ରୟୋଗ ହୋଇଥାଏ । ଖାଇବା' ରୁ ନିଷ୍ପନ୍ନ ହୋଇଛି ଏଇ 'ଖାଇ' ଓ ‛ଖାଈ’ ଶବ୍ଦ l ଅଭିଧାନରେ 'ଖାଇ' ପଦଯୁକ୍ତ ଅନେକ ଶବ୍ଦରେ ହ୍ରସ୍ୱ 'ଇ'କାର ଲେଖାଅଛି l କିନ୍ତୁ ଦେଵୀ ଓ ନଦୀ ଇତ୍ୟାଦିର ଵିଶେଷଣ ଭାଵରେ ଵ୍ୟଵହୃତ ହେଲେ ତାହା ଦୀର୍ଘ 'ଈ'କାର ହୋଇପାରେ ଯାହା ଅନ୍ୟ କିଛି ଅଭିଧାନରେ ଗୋଚର ହୁଏ l ସ୍ତ୍ରୀଵାଚକ ହେଲେ ମଧ୍ୟ ଖାଇ ଶବ୍ଦ ଖାଈରେ ପରିଣତ ହୁଏ ଯଥା ‛ସଵାଖାଈ’ !

●●●●●●●●●●●●●●●●●●●●●●●●●●
★★★ଆମ ଭାଷାରେ ପ୍ରଚଳିତ ‛ଖାଇ’ ଓ ‛ଖାଈ’     ପରଶବ୍ଦ ଯୁକ୍ତ କିଛି ଶବ୍ଦର ଉଦାହରଣ★★★
●●●●●●●●●●●●●●●●●●●●●●●●●●

■■■■■■■ନଦୀ ଓ ଜଳାଶ୍ରୟ■■■■■■

◆କଟକ ବାରବାଟି ଦୁର୍ଗ ସମେତ ଓଡ଼ିଶାର ସମସ୍ତ ଗଡ଼ ଚତୁପାର୍ଶ୍ୱରେ ଥିବା କୁମ୍ଭୀରସଙ୍କୁଳ ପାଣିଘେରକୁ 'ଗଡ଼ଖାଈ' କୁହାଯାଉଥିଲା l
◆ଚକ୍ରଧର ମହାପାତ୍ରଙ୍କର ରିଏଲ ବାର୍ଥ ପ୍ଲେସ ଅଫ ବୁଦ୍ଧ ବହିରେ ଉଲ୍ଲେଖ ଅଛି, ଯେ କୁଆଖାଇ ନଦୀ ପୂର୍ଵେ ଏକ 'କୃତ୍ରିମ ଖାଈ' (artificial canal) ଥିଲା ଯାହାର ପରଵର୍ତ୍ତୀ ସଂକ୍ଷେପିତ ସ୍ୱରୂପ ହେଉଛି 'କୁଆଖାଈ' l
◆ଅଵିଭାଜିତ କଟକ ଜିଲାର ଏକ ନଦୀ 'ବିଲୁଆଖାଈ'
◆ମୟୂରଭଞ୍ଜର ଏକ ନଦୀର ନାମ 'ଖଡଖାଈ' !
◆କଟକର ଟାଙ୍ଗୀ ନିକଟସ୍ଥ ଏକ ନଦୀର ନାମ ‛ମେଣ୍ଢାଖାଈ’ ।

■■■■■■ଦେଵାଦେଵୀ ଓ ଡାହାଣୀ■■■■■
◆ପୁରୀ ଶ୍ରୀମନ୍ଦିରର ଦକ୍ଷିଣ ପୂର୍ଵ କୋଣରେ ଦେଵୀ 'କାକୁଡ଼ିଖାଈ' ଏବଂ ଦୋଳମଣ୍ଡପ ସାହିରେ ଅଙ୍ଗିରା ଋଷି ଆଶ୍ରମ ନିକଟରେ ଦେଵୀ 'ଜହ୍ନିଖାଈ'ଙ୍କ ପୀଠ ରହିଛି l ଏ ଉଭୟ ହେଉଛନ୍ତି ଦୁର୍ଗା ଏବଂ ସ୍ଥାନୀୟ ଭାଷାରେ 'ଗୋସାଣୀ' (ଗୋସ୍ୱାମୀ ର ସ୍ତ୍ରୀଲିଙ୍ଗ = ଗୋସ୍ୱାମିନୀ ; ତଦ୍ଭଵ ହେଲା ଗୋସାଣୀ) l
◆ଶୁଖିଲା ଖାଈ―ଡାହାଣୀ ଵିଶେଷ;ଏମାନେ ଶୁଖିଲା ବିଷ୍ଠା ଓ ମାଂସ ଖାଆନ୍ତି ସେଇଭଳି ଆଉ ଏକଜାତୀୟ ଡାହାଣୀଙ୍କୁ କଞ୍ଚାଖାଈ କୁହାଯାଏ । ଏମାନେ ରାତିରେ ବିଷ୍ଠା ଚରନ୍ତି ଓ ଜୀବିତ ଶିଶୁ ପ୍ରଭୃତିଙ୍କୁ ଖାଇ ଯାଆନ୍ତି ବୋଲି ଲୋକଵିଶ୍ଵାସ ରହିଛି ।
◆ବେଗୁନିଆ ଛକ ଠାରୁ କଳାପଥର ରାସ୍ତାରେ ୧୦ କି.ମି. ପରେ ଆସୁଥିଵା ଏକ ଗାଁର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା "ଖରାଖାଈ" ।

■■■■■■■■ପ୍ରାଣୀ■■■■■■■■■■■
◆ଵିଷାକ୍ତ ଗଛ କୋଚିଲାକୁ ଖାଉଥିବା ପକ୍ଷୀ 'କୋଚିଲାଖାଈ' l
◆ଆଉ ଦୁଇଟି ପକ୍ଷୀ 'ହରଡ଼ଖାଈ' ଓ 'କୁଣ୍ଡାଖାଈ' ।
◆ବାଲେଶ୍ଵର ଅଞ୍ଚଳରେ ଏକ ଜାତୀୟ ମାଛକୁ ‛ସାଷ୍ଟାମଖାଇ’ କୁହାଯାଏ ।

■■■■■■■■■ଗ୍ରାମ■■■■■■■■■■■
◆ମୟୂରଭଞ୍ଜର ଗୋଟିଏ ଗ୍ରାମର ନାମ 'କୁକୁଡ଼ାଖାଈ'
◆କଟକ ନରସିଂହପୁରର ଗୋଟିଏ ଗ୍ରାମର ନାମ 'ପିଠାଖାଇ' l

■■■■■■■■ଵୃକ୍ଷ ଓ ଫଳ■■■■■■■■
◆ଲକ୍ଷ୍ମଣ ମିଶ୍ରଙ୍କ 'ଅନୁଭୂତ ଯୋଗମାଳା' ବହିରେ 'ରକ୍ତଖାଇ' ନାମକ ଗଛର ଵର୍ଣ୍ଣନା ରହିଛି ଯାହାକି ରକ୍ତ ଜମାଟ ବା ସ୍କନ୍ଦନ କରାଏ (ଅର୍ଥାତ ରକ୍ତକୁ ଖାଇଲା ବୋଧେ)
◆ଏକ ଗଛର ନାମ ମୟୂରଭଞ୍ଜରେ 'ଖଣ୍ଡାଖାଇ' = ସଂସ୍କୃତରେ ଶ୍ୟୋନାକ, କଟକରେ ଫଣଫଣା ; ତା'ର ଖଣ୍ଡା ଆକୃତିର ଫଳ ହୁଏ ।

◆କଞ୍ଚାଖାଇ ବୋଲି ଏକ ଵିଶେଷଣ ଆମ ଭାଷାରେ ଚଳୁଅଛି । ଏହି ଆଧାରରେ ଅନ୍ୟ ସମାର୍ଥକ ଵିଶେଷଣଟି ହେଉଛି କଞ୍ଚାସୁଆଦି । କଞ୍ଚା ବା ଅପକ୍ବ ଅବସ୍ଥାରେ ମୁଖରୋଚକ ମିଷ୍ଟଫଳକୁ କଞ୍ଚାଖାଇ କୁହାଯାଏ । ଏହି ଵିଶେଷଣ ଵିଶେଷ ଭାଵେ ଆମ୍ବ ପୂର୍ଵେ ଵ୍ଯଵହୃତ ହୋଇଥାଏ ।

■■■■■■■■■ପର୍ଵ■■■■■■■■■■■

◆ସାରା ଓଡ଼ିଶାରେ ଲୋକେ ‘ଛାଡ଼ଖାଇ’ ପାଳନ୍ତି ;
ନୂଆଖାଇକୁ ବାଲେଶ୍ବରରେ ନୂଆଖିଆ କୁହାଯାଏ ଏଵଂ ସ୍ଥାନୀୟ ଲୋକେ ତାଙ୍କ ଆଞ୍ଚଳିକ ଶସ୍ଯ ଅମଳକାଳରେ ନୂଆଧାନ୍ୟର କ୍ଷୀରି କରି ଭଗଵାନଙ୍କୁ ଅର୍ପଣ କରିଥାଆନ୍ତି ।
◆ସମ୍ବଲପୁର, ନୟାଗଡ଼, କଟକ ଜିଲ୍ଲାରେ ପାଳିତ ହୁଏ ‘ଡାଳଖାଇ’ ।
◆ଗଡ଼ଜାତର କେତେକ ଅଞ୍ଚଳରେ ନୂଆ ସିମ୍ଵକୁ ପ୍ରଥମେ ଈଶ୍ଵରଙ୍କୁ ଅର୍ପଣ କରି ପରେ ଖିଆଯାଏ ସେ ପର୍ଵ ସିମ୍ବଖାଇ ନାମରେ ପ୍ରଶିଦ୍ଧ । କେଉଁଠି କେଉଁଠି ଏ ପର୍ଵକୁ ଝଣ୍ଟାନୂଆଁ ବି କୁହାଯାଏ । 

 ■■■■■■■■■ଗାଳି■■■■■■■■■
ଓଡ଼ିଶାରେ ‛ଖାଈ’ ଶବ୍ଦଯୁକ୍ତ ସ୍ତ୍ରୀଵାଚକ ଶହ ଶହ ଗାଳୀ ଶବ୍ଦ ଚଳୁଅଛି । ଯଥା― 'ଛୁଆଖାଈ', 'ସ୍ୱାମୀଖାଈ', ‘ଭାଇଖାଈ' ଶ୍ଳେଷପୂର୍ଣ୍ଣ ଗାଳି ଅଖାଈ, ତାଚ୍ଛଲ୍ୟପୂର୍ଣ୍ଣ ଗାଳି―‘ଶୁଖୁଆଖାଈ’,‘ଦୁଗୁତାଖାଈ’,‛ପୁତୁଖାଈ’,‛ଗୁହଖାଈ’,‛ହେଡ଼ାଖାଈ’,‛ବଉଁଶଖାଈ’,‛ହାଣ୍ଡିଖାଈ’;‛ଖାଣ୍ଡିଖାଈ’,‛ଛତରଖାଈ’ ,‛ମୁହଁଖାଇ’ ଓ ‛ସଵାଖାଇ’ ଇତ୍ୟାଦି ଇତ୍ୟାଦି ।

    ■■■■ଯନ୍ତ୍ରୋପକରଣ■■■■

◆ଯେଉଁ ଶାଳାରେ ଗେଙ୍ଗୁଟି ପଥରକୁ ପେଶି ଚୁନ ପ୍ରସ୍ତୁତ କରାଯାଏ ତାହାକୁ ‘ଚୁନଖାଇ’ କହନ୍ତି ।
◆ଯେଉଁ ଯନ୍ତ୍ର ଦ୍ବାରା ମଞ୍ଜିଯୁକ୍ତ କପାଫୁଟରୁ ମଞ୍ଜି ଅଲଗା କରାଯାଏ ତାକୁ ‛କପାଖାଇ’ କୁହନ୍ତି ।
◆ଯେଉଁ କଳରେ ହଳ ଦ୍ଵାରା ପେଷାଯାଇ ଆଖୁରୁ ଦୋରୁଅ ବାହାର କରାଯାଏ ତାକୁ ‛ଆଖୁଖାଇ’ କୁହାଯାଏ ।
◆ଶୀତଦିନେ ପିନ୍ଧାଯାଉଥିଵା ମଫଲର୍ ର ନିଆରା ଓଡ଼ିଆ ଦେଶଜ ନାମ ‛କାନଖାଇ’ ଅଟେ ।

◆ଯୁଦ୍ଧ କଲାବେଳେ ଯେଉଁ ଖଣ୍ଡାର ଅଗ ଅଧିକ ଭାଙ୍ଗି ୟାଇ ବାକି ଅଧିକ ଯୋଦ୍ଧାର ହାତରେ ଥାଏ ତାକୁ
ଖାପଡ଼୍ ଖାଇ ଖଣ୍ଡା କୁହାଯାଏ । ସାରଳା ମହାଭାରତରେ ଏ ଶବ୍ଦର ଵ୍ୟଵହାର କରି ସାରଳା ଦାସ ପଦେ ଲେଖିଛନ୍ତି
“ଖାପଡ଼ାଖାଇ ଖଣ୍ଡା ଖଣ୍ଡେ ଧରି କରେ
ଚାଣ୍ଡେ ବାହାରିଲେ ଗର୍ଜିଣ ରାଗରେ”

◆ଲୁଣ ରଖାଯାଉଥିଵା ଏକ ଜାତୀୟ ପାରମ୍ପରିକ ପାତ୍ରକୁ ‛ଲୁଣଖାଇ’ କୁହାଯାଉଥିଲା । ଭାତ ସଙ୍ଗେ ଖାଇବାପାଇଁ ଏ ପାତ୍ରରେ ଲୁଣ ବଢ଼ା ହେବାରୁ ଏଭଳି ନାମକରଣ ହୋଇଥିଵା ଵିଶ୍ଵାସ କରାଯାଏ ।ଏକପ୍ରକାର ଛୋଟ ପ୍ଲେଟ୍ ,ରୋକାବୀ ବା ଥାଳିଆକୁ ମଧ୍ୟ ଲୁଣଖାଇ କୁହାଯାଉଥିଵା ପୁରୁଣା ଓଡ଼ିଆ ଅଭିଧାନରେ ଉଲ୍ଲେଖ ରହିଛି ।

ଏଇଭଳି ଓଡ଼ିଶାରେ ଖାଇ/ଖାଈ ଶବ୍ଦଯୁକ୍ତ ଶହ ଶହ ଶବ୍ଦ ଚଳୁଅଛି । ଆପଣଙ୍କ ଅଞ୍ଚଳରେ ଏଇଭଳି କୌଣସି ଶବ୍ଦ ଚଳୁଥିଲେ ଏଠାରେ ଜଣାଇଵାକୁ ଵିଶେଷ ଅନୁରୋଧ ରହିଲା ।

(ତଥ୍ଯ:-ଉଡ୍ରବନ୍ଧୁ ଡାକ୍ତର ଦେଵାଶିଷ ଜ୍ଯୈଷ୍ଠୀ,ଦେଵାତ୍ମା ଶ୍ରୀଳ ଶ୍ରୀମାନ୍ ସନତ କୁମାର ଦାସ  ମହାଭାଗ ଓ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ/ ସମ୍ପାଦନା ଶିଶିର ସାହୁ ମନୋଜ  )

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...