Tuesday, December 31, 2019

ଉତ୍କଳ ସରଗ ମୋର ଜନ୍ମସ୍ଥାନ

ରଣପୁର ପ୍ରଜା ଆନ୍ଦୋଳନର ଅମର ସୂତ୍ରଧର
ସ୍ଵାଧୀନତା ସଂଗ୍ରାମୀ ହୁତାତ୍ମା ଦିଵାକର ପରିଡ଼ା ବ୍ରିଟିଶ୍‌ ପଲିଟିକାଲ ଏଜେଣ୍ଟ “ମେଜର ବେଜେଲଗେଟ୍‌” ହତ୍ୟା ଅପରାଧରେ ଅଭିଯୁକ୍ତ ହୋଇ କାରାରୁଦ୍ଧ ଅଵସ୍ଥାରେ “ଉତ୍କଳ ସରଗ ମୋର ଜନ୍ମସ୍ଥାନ” ନାମକ
ଗୋଟିଏ ଦେଶାତ୍ମବୋଧକ କଵିତା ରଚନା କରିଥିଲେ । ସେହି କଵିତା ରଚନା ସମୟକୁ ତାଙ୍କୁ ଫାଶୀ ଦଣ୍ଡ ଦିଆଯିବ ବୋଲି ରାୟ ଦିଆସରିଥିଲା । କଵିତା ରଚନାଵେଳେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହୋଇସାରିଥିଲା ଏବଂ ସେ ସମୟରେ ଓଡ଼ିଶ ମଧ୍ୟରେ ମୋଟ ୬ଟି ଜିଲ୍ଲା ଓ ୨୬ଟି ଗଡ଼ଜାତ ରାଜ୍ୟ ରହିଥିଲା । ହୁତାତ୍ମା ଦିଵାକର ପରିଡ଼ାଙ୍କ ଦ୍ଵାରା ରଚିତ ସେହି କଵିତାଟି ନିମ୍ନରେ ଉପସ୍ଥାପନ କରାଗଲା ...

ଉତ୍କଳ ସରଗ ମୋର ଜନ୍ମସ୍ଥାନ
ନୀଳାଚଳ ସମ ପୁଣ୍ୟ ତୀର୍ଥଧାମ

କୋରାପୁଟ, ପୁରୀ, ଗଞ୍ଜାମ ଶୀର୍ଷକ
ସମ୍ବଲପୁର ବାଲେଶ୍ୱର, କଟକ
ଏ ଷଷ୍ଠ ଜିଲ୍ଲାରେ ସୁଶୋଭିତ ମାତ
ଚିଲିକାକୁ ନେଇ ଯେତେ ଗଡ଼ଜାତ

ଋଷିକୂଲ୍ୟା ମହାନଦୀ ସ୍ୱଚ୍ଛ ନୀରା
ନାନାଵିଧ ଶସ୍ୟଶ୍ୟାମଳା ଶରୀରା

ଯା’ର ଇତିହାସ କହେ ଖଣ୍ଡଗିରି
ବାରବାଟୀ ଦୁର୍ଗେ ପରାସ୍ତ ଵଇରୀ

ପୂର୍ଵଦିଗେ ଯାର ବଙ୍ଗୋପସାଗର
ନାମ ଘୋଷେ ନିତ୍ୟ ଜଗନ୍ନାଥଙ୍କର

ସରିଥାନ୍ତା ହେଲେ ସେହି ସ୍ଥାନେ ଦିନ
କାରାଗାରେ ସିନା ଵିଅର୍ଥ ଜୀବନ

ସେହେତୁ ମରଣେ ନାହିଁ ମୋର ଡର
ବଳିଦାନ ପାଇଁ ହେଲି ଅଗ୍ରସର

ମଲେ ହେଲେ ପରା ସେ ସ୍ଥାନେ ମିଳିବି
ପୁଣି ନୀଳାଚଳ ନାଥଙ୍କୁ ଦେଖିବି

ନାହିଁ ଯେବେ ମୃତ୍ଯୁ ଏ ମହାସମରେ
ପ୍ରବେଶିବି ନିଶ୍ଚେ ଆପଣା ଦେଶରେ

ଦୁଃଖୀ ଦରିଦ୍ରଙ୍କ ମଙ୍ଗଳ ନିମନ୍ତେ
ଆନ୍ଦୋଳନ କରିଵାକୁ ହେଵ କେତେ

ପାଇବି ଯାହାକୁ ସଙ୍ଗେ ଘେନିଯିବି
ଦରିଦ୍ରତା ନାଶ ଵାର୍ତ୍ତା ପ୍ରଚାରିବି

କହିବି ହେ ଭାଇ ଛାଡ଼ ଜାତିଭେଦ
ସ୍ୱାଧୀନତା ହେଲେ ଦୂର ହେଵ ଖେଦ

ଚରଖା ପ୍ରସାର ଗ୍ରାମମାନଙ୍କରେ
ମହାତ୍ମାଙ୍କ ଆଶା ପୂର୍ଣ୍ଣ ହେଉ ଥରେ

ନ ଆସିଵ ଆଉ କେଵେ କିଛି କଷ୍ଟ
ଆମ ସୁଖେ ଆମେ ହୋଇଵା ବଳିଷ୍ଠ

ପ୍ରାଚୀନ ସଂସ୍କୃତି ଫେରିଵ ସହଜେ
ନବୀନ ଆଲୋକ ରାଜିଵ ସମାଜେ

କୁଳଵଧୂମାନେ ହେଵେ ପତିବ୍ରତା
ଵୀର ପ୍ରସଵିନୀ ହେଵେ ତେଵେ ମାତା

କେତେ ରାମଚନ୍ଦ୍ର କେତେ କୃଷ୍ଣଚନ୍ଦ୍ର
କେତେ କେତେ ଜନ୍ମ ହେଵେ ଵୀରବୃନ୍ଦ

ସ୍ୱାଧୀନ ରଖିଵେ ଜନମ ଭୂଇଁକି
ଚିରଦିନ ପାଇଁ ତ୍ରିରଙ୍ଗାକୁ ଟେକି

ପୂର୍ଣ୍ଣ ହେଵ ସତେ ଦିଵାକର ଆଶା
ସୁଜଳା ସୁଫଳା ସମୃଦ୍ଧ ଓଡ଼ିଶା ।
●●●●●●●●●●●
●●●●●●●●●●
●●●●●●●●●
●●●●●●●●
●●●●●●●
●●●●●●●●●●●●●●●●●●●●●●●●●●

●●●●●●●●●●●●●●●●●●●●●●●●●●

ଶ୍ରୀ ଜଗନ୍ନାଥାଷ୍ଟକ

ଗୋପଅଙ୍ଗନା-ବଦନ- କମଳୁଁ  ଯେ  ମଧୁପାନ କଲେକ  ଆବର  ଯା’ଙ୍କ  ମୁରଲୀ-ନାଦ,

କାଳିନ୍ଦୀ-ତଟ-ବିପିନ କଲାକ  ମୋଦେ  ମଗନ
ରମା  ଶମ୍ଭୂ  ଆଦିରେ  ଯେ  ପୂଜିତ-ପଦ,

ପଥୁକି  ମୋ’  ନୟନ  ପଥେ ହୁଅନ୍ତୁ 
ପ୍ରାଣସ୍ୱାମୀ  ମୋ’  ସେ  ଜଗନ୍ନାଥେ ।। (୧)


ବାମକରେ  ମୁରଲିକା ଶିରେ  ଶିଖିପୁଚ୍ଛ  ଶିଖା କଟୀତଟେ  ପୀତାମ୍ବର  ଯା’ଙ୍କ  ଶୋଭିତ,

କଟାକ୍ଷବାଣ  ପ୍ରହାରି ମୋହନ୍ତି  ଯେ  ଗୋପନାରୀ ଶ୍ରୀବୃନ୍ଦାକାନନେ  ନିତ୍ୟ  ହୋଇଣ  ସ୍ଥିତ,

ପଥୁକି  ମୋ’  ନୟନପଥେ ହୁଅନ୍ତୁ ପ୍ରାଣସ୍ୱାମୀ  ମୋ’  ସେ  ଜଗନ୍ନାଥେ ।।(୨)


ଯେହୁ  ମହୋଦଧିତୀରେ ସ୍ୱର୍ଣ୍ଣକାନ୍ତି  ନୀଳାଦ୍ରିରେ ସ୍ଥିତ  ମହାମନ୍ଦିରରେ  ନିତ୍ୟ  ରାଜିତ,

ସାଦରେ  ସଙ୍ଗତେ  ଘେନି ବଳଭଦ୍ର  ଭଦ୍ରା  ବେନି ଦେବଙ୍କୁ  ପୟରସେବା  କରିଣ  ଦତ୍ତ,

ପଥୁକି  ମୋ’  ନୟନପଥେ ହୁଅନ୍ତୁ  ପ୍ରାଣସ୍ୱାମୀ  ମୋ’  ସେ  ଜଗନ୍ନାଥେ ।। (୩)


ଯେହୁ  କୃପା-ପାରାବାର ନବନୀରଦ  ରୁଚିର ରମାବାଣୀ-ବିନୋଦନ  କମଳାନନ,

ଲକ୍ଷକୋଟି  ଦେବରାଜ ଶିରେ  ଯା’ଙ୍କ  ପଦରଜ ବହନ୍ତି  ବେଦାନ୍ତ  ଯା’ଙ୍କୁ  କରେ  ବଖାଣ,

ପଥୁକି  ମୋ’  ନୟନ  ପଥେ ହୁଅନ୍ତୁ  ପ୍ରାଣସ୍ୱାମୀ  ମୋ’  ସେ  ଜଗନ୍ନାଥେ ।।(୪)


ଯେ  ପ୍ରଭୁ  କରୁଣାସିନ୍ଧୁ ଅଖିଳ  ଜଗତବନ୍ଧୁ ସିନ୍ଧୁ-ସୁତା-ଚିରି-ଇନ୍ଦୁ  ଗମନ୍ତେ  ରଥେ,

ବିପ୍ରଗଣ  ପଥେ  ମିଳି ଗାଆନ୍ତେ  ସ୍ତୁତିଆବଳୀ ଘେନା  ଯେ  କରନ୍ତି  ସ୍ତୁତିକଥା  ସୁଚିତ୍ତେ,

ପଥୁକି  ମୋ’  ନୟନପଥେ, ହୁଅନ୍ତୁ ପ୍ରାଣସ୍ୱାମୀ  ମୋ’  ସେ  ଜଗନ୍ନାଥେ ।। (୫)



ବିରଞ୍ଚି ଶିରଭୂଷଣ ପଦ୍ମପଳାଶଲୋଚନ ନିଳାଦ୍ରି ବିହାରୀ ଯେ ଅନନ୍ତ-ମସ୍ତକେ,

ପୟର ଥାପି ଆସୀନ ସଦା ରସାନନ୍ଦ ଘନ ମଗନ ଶ୍ରୀରାଧାଅଙ୍ଗ-ଆଶ୍ଲେଷ ସୁଖେ,

ପଥୁକି ମୋ’ ନୟନପଥେ ହୁଅନ୍ତୁ ପ୍ରାଣସ୍ୱାମୀ ମୋ’ ସେ ଜଗନ୍ନାଥେ ।। (୬)


ନମାଗଇଁ ରାଜ୍ୟସୁଖ ନ ମାଗେଁ ମଣି ମାଣିକ୍ୟ ନମାଗେଁ ନୟନ ନିଧି ବର କାମିନୀ,

ଯାହାଙ୍କ ଚରିତାବଳୀ ଗାଆନ୍ତି ଚନ୍ଦ୍ର ମଉଳି ପରାଣ ଲୋଡ଼େ ମୋ’ ତାଙ୍କୁ ଦିନଯାମିନୀ,

ପଥୁକି ମୋ’ ନୟନ ପଥେ ହୁଅନ୍ତୁ ପ୍ରାଣସ୍ୱାମୀ ମୋ’ ସେ ଜଗନ୍ନାଥେ ।। (୭)


ଅସାର ସଂସାର ବନ୍ଧ ଛେଦ ମୋ’ ଖରେ ମୁକୁନ୍ଦ ଅଥଳ ପାପପୟୋଧି ଦିଅ ଶୁଖାଇ,

ହେ ନାଥ ! ଦୀନ ଅନାଥ ପାଇଁ ଶାଶ୍ୱତ ନିଶ୍ଚିତ ପ୍ରେମପତ୍ର କ୍ଷେତ୍ରେ ଏଥି ଅଛ ରୁହାଇ,

ପଥୁକି ମୋ’ ନୟନପଥେ ହୁଅନ୍ତୁ ପ୍ରାଣସ୍ୱାମୀ ମୋ’ ସେ ଜଗନ୍ନାଥେ ।। (୮)

ଜଗନ୍ନାଥାଷ୍ଟକଂ ପୁଣ୍ୟଂ ଯଃ ପଠେତ୍‌ ପ୍ରଯତଃ ଶୁଚିଃ ସର୍ବପାପ ବିଶୁଦ୍ଧାତ୍ମା ବିଷ୍ଣୁ ଲୋକଂ ସ ଗଚ୍ଛତି,

ପ୍ରାକୃତ ପଦେ ପୟାର ରଚିଲା
                        ବିଚ୍ଛନ୍ଦ ଛାର ସ୍ଥିରମନେ
ଶୁଚିମନ୍ତ ହୋଇ ଗାଇଲେ,

ପାତକି-ପାତକମାନ ହୁଅଇ ହେଳେ
                      ଦହନ ଅନ୍ତେ ବିଷ୍ଣୁ ଲୋକେ
ଗତି ହୁଏ ତା’ ଭଲେ,

ଜୟ ଜୟ ଶ୍ରୀଜଗନ୍ନାଥ
      ନିତ୍ୟକାଳ ପଦେ ତୁମ୍ଭ
                       ଲୋଟୁ ମୋ’ ମାଥ । (୯)

(ଓଡ଼ିଆ ରୂପାନ୍ତର : ବିଚ୍ଛନ୍ଦ ଚରଣ ପଟ୍ଟନାୟକ)

Friday, December 27, 2019

ତୁଳସୀ ଵଣର ବାଘ

ବୁଢ଼ା ବାଘଟେ ଗୋଟେ ବୁଢ଼ା ମାଙ୍କଡ଼କୁ ଖାଇଵା ପାଇଁ ମିଛିମିଛିକା ଵୈଷ୍ଣଵ ଦୀକ୍ଷା ନେଲା । ମୌନଵ୍ରତ ରଖି ତୁଳସୀ ବଣରେ ଯାଇ ଵାସକଲା । କୀଟ ଦଳି ହେଇଯିଵ ଏଇ ଭୟରେ ଭୂଇଁ ଫୁଙ୍କି ଫୁଙ୍କି ଆଗକୁ ପାଦ ପକାଏ । ନିଜକୁ ଵୈଷ୍ଣଵ ପ୍ରମାଣ କରିଵା ପାଇଁ ଯେତେ ଯେତେ  ରଙ୍ଗଢ଼ଙ୍ଗ ରହିଛି ସେ ସବୁ ଲୋକଦେଖାଣିଆ କଲା । ବାଘର ସେଇ ସବୁ ମିଛ ନାଟକ ଦେଖି ବୁଢ଼ା ମାଙ୍କଡ଼ ବହୁତ ପ୍ରଭାଵିତ ହୋଇଗଲା । ତାହାର ବିଶ୍ବାସ ହୋଇଯାଇଥାଏ  ଯେ ବାଘ ପ୍ରକୃତରେ ଧାର୍ମିକ  !

ଦିନୁଁ ଦିନ ମାଙ୍କଡ଼ର ବାଘ ପ୍ରତି ଭକ୍ତି ବଢିଵାକୁ ଲାଗିଲା ଏଵଂ ଦିନେ ସେ ଭକ୍ତିରସ ହୃଦୟ ରୂପକ ବନ୍ଧର  କୂଳ ଭାଙ୍ଗିଦେଲା ।

ଏମନ୍ତ ଦିନ ଗଲାରୁ ଦିନେ
"ପଶୁ ଜନ୍ମରୁ ତ୍ରାହି କର" ଏମନ୍ତ କହି ମାଙ୍କଡ଼ ତା ପାଦ ତଳେ ପଡ଼ିଗଲା। ବାଘ ଏଇଟା ସୁବର୍ଣ୍ଣ ସୁଯୋଗ ମନେକରି ମାଙ୍କଡ଼କୁ କସି କି ମାଡ଼ି ବସିଲା। ସେଦିନ ଦୃଢ଼ ଧର୍ମ ବଳରୁ ହେଉ କି କୌଶଳ ଯୋଗୁଁ ମାଙ୍କଡ଼ ଟା ବାଘ ହାତରୁ ଖସିଗଲା ଆଉ କପଟ ସାଧୁର ପ୍ରକୃତ ସତ୍ଯ ଜାଣିପାରିଥିଲା କିନ୍ତୁ ଏ ଯୁଗରେ ଶହ ଶହ ତୁଳସୀ ବଣର ବାଘ ସଦୃଶ କପଟି ସାଧୁ ହେଇକି ବୁଲୁଛନ୍ତି ! ଅନ୍ଧ ଭକ୍ତି କି ଅନ୍ଧ ବିଶ୍ବାସ କଲେ ତୁଳସୀ ବଣର ବାଘ ଝାମ୍ପିନେବ ଟି ସାବଧାନ !!!!!

Thursday, December 26, 2019

ଓଡ଼ିଆ ଵର୍ଣ୍ଣମାଳାରେ ସମୁଦାୟ ଅକ୍ଷର ସଂଖ୍ୟା କେତେ ଜାଣିଛନ୍ତି କି ?

ଓଡ଼ିଆ ଵର୍ଣ୍ଣମାଳାରେ ସମୁଦାୟ ଅକ୍ଷର ସଂଖ୍ୟା ୫୪ ବୋଲି ଅନେକ ଵୈୟାକରଣିକ ମତ ଦିଅନ୍ତି । 
ଵର୍ତ୍ତମାନ ସମୟରେ କେହି କେହି
ଦୀର୍ଘ ୠ,
ହର୍ସ୍ଵ ଌ,
ଦୀର୍ଘ  ୡ
ଇତ୍ୟାଦିକୁ ଵର୍ଣ୍ଣମାଳାରୁ ବାଦ୍ ଦେଇ ଗଣନା କରନ୍ତି ପୁଣି ଅଵର୍ଗ୍ଯ ‛ଵ’ ଅର୍ଦ୍ଧସ୍ଵର ୱ ଵିଚାର କରି ସମୁଦାୟ ଅକ୍ଷର ସଂଖ୍ୟା ୫୦ ବୋଲି ମତ ଦିଅନ୍ତି । କେହି କେହି କ୍ଷ କୁ ସ୍ଵତନ୍ତ୍ର ଵର୍ଣ୍ଣ ନମାନି ୪୯ ବୋଲି ମଧ୍ୟ ମତ ଦେଇଥାନ୍ତି ।

ଦକ୍ଷିଣ ଭାରତରେ ଦୀର୍ଘ ୠ,ହର୍ସ୍ଵ ଌ ଓ ଦୀର୍ଘ  ୡ ର ଵ୍ଯଵହାର ଏଵେ ବି ରହିଛି କିନ୍ତୁ ଓଡ଼ିଆ ଭାଷାରେ ଉତ୍ତର ଭାରତୀୟ ଭାଷା ଶୈଳୀର ପ୍ରଭାଵ ବଢି଼ଵା ଯୋଗୁଁ ଏସବୁ ଵର୍ଣ୍ଣର ଵ୍ଯଵହାର ଅନେକାଂଶରେ ହ୍ରାସ ପାଇଛି ।

ଵର୍ଗ୍ଯ ବ,ଅଵର୍ଗ୍ଯ ଵ ଓ ଅର୍ଦ୍ଧସ୍ଵର ୱ ଇତ୍ୟାଦିର ଭିନ୍ନତା
ବୁଝିଵାକୁ ହେଲେ ଇଂରାଜୀର B,V ଓ W ଇତ୍ୟାଦି vowelଗୁଡ଼ିକର ତର୍ଜମା ଆଵଶ୍ୟକ ।

ଇଂରାଜୀରେ B = ବ (ଓଡ଼ିଆ)
ଇଂରାଜୀରେ V = ଵ (ଓଡ଼ିଆ)
ଇଂରାଜୀରେ W = ୱ (ଓଡ଼ିଆ)

ତେଣୁ ଓଡ଼ିଆ ଭାଷାରେ
Boat = ବୋଟ୍
Vote = ଵୋଟ୍
Watt = ୱାଟ୍
ଲେଖାଯିଵା ଵିଧେୟ ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପ୍ରଣୟନ ସମୟରେ ତାୱା ହାୱା ଭଳି ଅନେକ ଵୈଦେଶିକ ଶବ୍ଦ ଲେଖାଯିଵା ପାଇଁ ଏକ ସ୍ବତନ୍ତ୍ର ଵର୍ଣ୍ଣ ଆଵଶ୍ଯକ ହେଵାରୁ ଅଭିଧାନକାର ଅର୍ଦ୍ଧସ୍ଵର ‘ୱ’ ପ୍ରଣୟନ କରିଵାକୁ ଵାଧ୍ଯ ହୋଇଥିଲେ । ‘ୱ’ କୁ ‘ଉ ତଥା ‘ଅ' ସ୍ଵରର ଦୃତ ଉଚ୍ଚାରଣ ଦ୍ଵାରା ପ୍ରାପ୍ତ କରାଯାଇଥାଏ ।

ସେଇଭଳି କିଛି ଲୋକ ଅନସ୍ଵାର(ଂ),ଚନ୍ଦ୍ରଵିନ୍ଦୁ(ଁ) ଓ ଵିସର୍ଗ(ଃ)କୁ ଚିହ୍ନ ଵିଚାର କରି ଵର୍ଣ୍ଣମାଳାରେ ଗଣିଵାକୁ କୁଣ୍ଠାବୋଧ କରନ୍ତି । ଏଭଳି ଲୋକେ ଅର୍ଦ୍ଧ ଅ (ଽ), ଓମ୍ (ॐ), ଦିଵଙ୍ଗତ (୰) ,ଶତକଡ଼ା(%) ଓ
ସ୍ଵସ୍ତିକ(‍)ର ଉଦାହରଣ ଦେଇ କୁହନ୍ତି ଯେ ଂ,ଁ ଓ ଃ କେଵଳ ଚିହ୍ନ ମାତ୍ର ।

ତେଵେ ଅନେକ ପ୍ରାଚୀନ ଭାରତୀୟ ବର୍ଣ୍ଣମାଳା ସୂଚୀରେ ଅନସ୍ଵାର,ଚନ୍ଦ୍ରଵିନ୍ଦୁ ଓ ଵିସର୍ଗକୁ ବର୍ଣ୍ଣମାଳାରେ ସ୍ଥାନ ଦିଆଯାଇଥିଵାରୁ ସେଇ ପରମ୍ପରାକୁ ରକ୍ଷାକରି କେହି କେହି ଏଗୁଡ଼ିକୁ ବର୍ଣ୍ଣମାଳା ମଧ୍ୟରେ ଗଣନା କରିଥାନ୍ତି ।

ଆଉ କେତେକ ଲୋକ ଅଛନ୍ତି ଯେଉଁମାନେ ‛କ୍ଷ’କୁ ଏକ ଯୁକ୍ତାକ୍ଷର ବୋଲି ମତ ଦେଇ ତାକୁ ଵର୍ଣ୍ଣମାଳାରେ ରଖନ୍ତି ନାହିଁ । ତେଵେ ହିନ୍ଦୀର क्ष(क+ष;ksha) ଠାରୁ ଓଡ଼ିଆ ‛କ୍ଷ’ର ଉଚ୍ଚାରଣ ଭିନ୍ନ ପୁଣି ଓଡ଼ିଆ ଭାଷାରେ “କ―ଖ―ଷ―କ୍ଷ―ଚ―ଛ―ଝ―ଜ” ଇତ୍ୟାଦି ଵର୍ଣ୍ଣର ଏକ ମଧ୍ଯାଵର୍ତ୍ତୀ ଉଚ୍ଚାରଣରୁ ସୃଷ୍ଟ ହୋଇଥିଵାରୁ ଵର୍ଣ୍ଣମାଳାରେ ସ୍ଥାନ ପାଇଵାକୁ ଯୋଗ୍ଯ ଅଟେ ବୋଲି କେତେକ ଭାଷାଵିଦ୍ ମତ ଦିଅନ୍ତି ।

ଵର୍ତ୍ତମାନ ପର୍ଯ୍ୟନ୍ତ ଯେତେ ବୁଦ୍ଧିଜୀଵୀ  ଵର୍ଣ୍ଣମାଳାର  ସୂଚୀ କରିଛନ୍ତି  ସେ ସମସ୍ତ ଆଧାରରେ ଓଡ଼ିଆ ଭାଷାର ସମୁଦାୟ ଅକ୍ଷର ସଂଖ୍ୟା ୫୪ ହୋଇଥାଏ ।

ଓଡ଼ିଆ ଲିପିରେ ସ୍ଵରଵର୍ଣ୍ଣରେ  ଅ,ଆ,ଇ,ଈ,ଉ,ଊ,ଋ,ୠ,ଏ,ଐ,ଓ,ଔ,ଌ,ୡ
ଇତ୍ୟାଦି ଅକ୍ଷର ରଖାଯାଇଥାଏ ଏଵଂ ତନ୍ମଧ୍ୟରୁ
ୠ,ଌ ଓ ୡର ଵ୍ଯଵହାର ଆଉ ନାହିଁ ।

ଵ୍ଯଞ୍ଜନ ଵର୍ଣ୍ଣକୁ ଦୁଇଭାଗରେ ଵିଭକ୍ତ କରାଯାଇଛି ।
ଵର୍ଗ୍ଯ  ଓ ଅଵର୍ଗ୍ଯ । ଵର୍ଗ୍ଯ ଵ୍ଯଞ୍ଜନ ଵର୍ଣ୍ଣଗୁଡି଼କୁ
କ,ଚ,ଟ,ତ,ପ ଭେଦରେ ଵର୍ଗିକୃତ କରାଯାଇଛି ।
କ ଵର୍ଗ=କ,ଖ,ଗ,ଘ,ଙ
ଚ ଵର୍ଗ=ଚ,ଛ,ଜ,ଝ,ଞ
ଟ ଵର୍ଗ=ଟ,ଠ,ଡ,ଢ,ଣ
ତ ଵର୍ଗ=ତ,ଥ,ଦ,ଧ,ନ
ପ ଵର୍ଗ=ପ,ଫ,ବ,ଭ,ମ

ଅଵର୍ଗ୍ଯ ଵ୍ଯଞ୍ଜନ ଵର୍ଣ୍ଣରେ  ଯ,ୟ,ର,ଳ,ଲ,ଵ,ଶ,ଷ,ସ,ହ,କ୍ଷ,
ଇତ୍ୟାଦି ରଖାଯାଇଛି ।

ପୂର୍ଵର ଅନେକ ଵର୍ଣ୍ଣମାଳା ସୂଚୀ ମଧ୍ୟରେ ଂ,ଁ,ଃ ଇତ୍ୟାଦିକୁ କେଉଁଠି କେଉଁଠି ସ୍ଵରଵର୍ଣ୍ଣ ମଧ୍ୟରେ ରଖାଯାଇଥିଵାଵେଳେ ଆଉ କେଉଁଠି ଵ୍ଯଞ୍ଜନ ଵର୍ଣ୍ଣର ତଳେ ସ୍ଵତନ୍ତ୍ର ଵିଭାଗରେ ରଖାଯାଇଛି ।

ଅନସ୍ଵାର,ଚନ୍ଦ୍ରଵିନ୍ଦୁ ଓ ଵିସର୍ଗକୁ ବାଦ୍ ଦେଲେ ଓଡ଼ିଆ ଭାଷାର ଲିପିରେ ମୋଟ୍ ଅକ୍ଷର ସଂଖ୍ୟା ୫୧ ହୋଇଥାଏ !
ଯଥା―
ସ୍ଵର―ଅ,ଆ,ଇ,ଈ,ଉ,ଊ,ଋ,ୠ,ଌ,ୡ ଏ,ଐ,ଓ,ଔ
ଵ୍ଯଞ୍ଜନ―କ,ଖ,ଗ,ଘ,ଙ,ଚ,ଛ,ଜ,ଝ,ଞ,ଟ,ଠ,ଡ,ଢ,ଣ,ତ,ଥ,ଦ,ଧ,ନ,ପ,ଫ,ବ,ଭ,ମ,ଯ,ୟ,ର,ଳ,ଲ,ଵ,ଶ,ଷ,ସ,ହ,କ୍ଷ,ୱ

ଏଥିପାଇଁ ଓଡ଼ିଆ ଭାଷାରେ ଅକ୍ଷର ସଂଖ୍ଯାକୁ ନେଇ ସାଧାରଣରେ ଭିନ୍ନ ଭିନ୍ନ ମତ ଚଳୁଅଛି । କେହି ୪୯ କହୁଛି ତ ଆଉ କେ ୫୦ କି ୫୧ ତେଵେ ସର୍ଵ ମୋଟ ଓଡ଼ିଆ ଅକ୍ଷର ସଂଖ୍ୟା ୫୪ ବୋଲି ଵ୍ଯାକରଣ ଶାସ୍ତ୍ର ଜ୍ଞାତା ଓଡ଼ିଆ ଵିଦ୍ଵାନମାନେ ମତ ଦେଇଥାନ୍ତି ।

Wednesday, December 25, 2019

ଖ୍ରୀଷ୍ଟ ସହିତ ଭାରତୀୟ ଘୃତ ଶବ୍ଦର ଏଇ ସମ୍ପର୍କ ଵିଷୟରେ ଜାଣିଛନ୍ତି କି ?

ଜିଶୁଙ୍କ ସହିତ ଯେଉଁ “christ” ଵା “Chríst” ଉପାଧିଟି ଲାଗେ ତାହାର ମୂଳ ଏକ ଲାଟିନ ଶବ୍ଦ  “Christus” ଏଵଂ ଏହାର ମୂଳ ଗ୍ରୀକ୍ ଶବ୍ଦ ହେଉଛି  “Χριστός” (Khristós) । 

ଏହି ମୂଳ ଗ୍ରୀକ୍ ଶବ୍ଦର ଅର୍ଥ ଥିଲା ଯେ ଅଭିଷିକ୍ତ ।  “Χριστός” (Khristós) ଶବ୍ଦର ମୂଳରେ ରହିଛି “χρῑ́ω” (khrī́ō) ଶବ୍ଦଟିଏ ଯାହା ଆମ ଓଡ଼ିଆ କ୍ଷୀର ଶବ୍ଦ ସହିତ ସାମଞ୍ଜସ୍ୟ ରଖେ ।

“χρῑ́ω” (khrī́ō) ଶବ୍ଦରେ ଗ୍ରୀକ୍  -τος (-tos) ପ୍ରତ୍ଯୟ ଲାଗି ପ୍ରାଚୀନ ଗ୍ରୀକ୍ “Χριστός” (Khristós) ଶବ୍ଦଟି ଗଠିତ ହୋଇଛି ।

“χρῑ́ω” (khrī́ō) ଶବ୍ଦର ଅର୍ଥ ପ୍ରାଚୀନ ଗ୍ରୀକ୍'ରେ
ଅର୍ଥ ଥିଲା ସ୍ଵଚ୍ଛ କରିଵା,ପଵିତ୍ର କରିଵା,କୌଣସି ଉତ୍ସଵରେ ଜଣକୁ ଅଭିଷିକ୍ତ କରିଵା ।

ତେଵେ “christ”,“Christus”,“Χριστός” ଓ “χρῑ́ω” ଇତ୍ୟାଦି ଏ ସମସ୍ତ ଶବ୍ଦର ମୂଳ ହେଉଛି
ଏକ ପ୍ରାକ୍ ଭାରୋପୀୟ କ୍ଷୁଦ୍ର ଧାତୁ  *gʰrēy(ମାଖିଵା) ପୁଣି ଏହାର ଅନ୍ୟ ରୂପ *gʰer(ଘସିଵା,ମର୍ଦ୍ଦନ କରିଵା)

ଏ ସମସ୍ତ ଶବ୍ଦ ଆମ ଭାରତୀୟ ଵୈଜ୍ଞାନିକ କ୍ଷୁଦ୍ର ଧାତୁ
“ଘୃ” ସହିତ ସମଦ୍ଧୃତ ଯହିଁରୁ ଘୃତ,ଘିଅ ଇତ୍ୟାଦି ଶବ୍ଦ ସୃଷ୍ଟି ହୋଇଛି ।

ଆମ ଭାଷାରେ ପ୍ରଚଳିତ କ୍ଷୀର ଶବ୍ଦର ଚାରୋଟି ମୁଖ୍ୟ ଅର୍ଥ ରହିଛି
୧)ଦୁଗ୍ଧ; ଦୁଧ
୨)ଜଳ
୩)ନିର୍ଯ୍ୟାସ; ଗଛର ରସ
୪)ଝୁଣା
୫)ରାବିଡ଼ି

ଭାରତରେ ରାଜା ମହାରାଜାମାନଙ୍କ ଅଭିଷେକ ଜଳ ,ଘୃତ ଓ ଦୁଗ୍ଧ ଇତ୍ୟାଦି ଦ୍ଵାରା ହୋଇଥାଏ । ସେଇଭଳି ଦେଵତା ଵିଶେଷତଃ ଶିବଲିଙ୍ଗର ଵିଶେଷତଃ ଜଳାଭିଷେକ,ଘୃତାଭିଷେକ,ଦୁଗ୍ଧାଭିଷେକ
ହେଉଥିଵା ସମସ୍ତେ ଅଳ୍ପ ବହୁତେ ନିଶ୍ଚୟ ଦେଖିଥିଵେ, ଜାଣିଥିଵେ ।

ଭାରତୀୟ ଧାତୁଶବ୍ଦ “ଘୃ” ଏଵଂ “ଘୃତ” ସହିତ  ସମଦ୍ଧୃତ christ”,“Christus”,“Χριστός” ଓ “χρῑ́ω” ଇତ୍ୟାଦି ଲାଟିନ୍ ଓ ପ୍ରାଚୀନ ଗ୍ରୀକ୍ ଶବ୍ଦଗୁଡି଼କର ପରିଶୀଳନରୁ ଆମେ ଜାଣିଲେ ଯେ ବହୁ ପୁରାତନ କାଳରେ ଗ୍ରୀସ୍ ଦେଶରେ ମଧ୍ୟ ସମାନ ଭାଵେ ଅଭିଷେକ ହେଉଥିଲା ।

ସମୟ ସହିତ ଗ୍ରୀକ୍ ଓ ୟୁରୋପର ଅନ୍ଯ ଜାତୀୟ ଲୋକେ ତାଙ୍କର ମୂଳ ସଂସ୍କୃତି ତ୍ଯାଗକରି ଆଜି ବହୁସଂଖ୍ୟାରେ ଖ୍ରୀଷ୍ଟିଆନ ହୋଇଯାଇଥିଵାରୁ ଏଵେ ଆଉ ସେ ସଂସ୍କୃତି ରହିନାହିଁ ।

ତେଵେ ଭାରୋପୀୟ ପ୍ରାଚୀନ ଶବ୍ଦଗୁଡ଼ିକର ପାରସ୍ପରିକ ସଂମ୍ପର୍କ ଆଜି ଆମକୁ ସେଇ ପ୍ରାଚୀନ ଦୁର୍ଘଟଣାର ଯେମିତି  ଭାରତଵର୍ଷରେ ପୁନରାଵୃତ୍ତି ନହୁଏ ତାହାର ଶିକ୍ଷା ଦେଉଅଛି ।


Tuesday, December 24, 2019

ଆମ ଜାତୀୟତା ଚୂଲିକି ଯାଉ

ଆମ ଓଡ଼ିଆଲୋକଙ୍କ ପାଖରେ ଅଦ୍ଭୁତ ସହନଶୀଳତା ଓ ଭୟଙ୍କର ତଟସ୍ଥତା ଗୁଣ ରହିଛି । ତାଙ୍କ ଠାରୁ ସବୁ ଛଡେ଼ଇ ନିଅ ତେଵେ ବି ସେମାନେ
ଦାନର ,ପ୍ରେମର ,ମୈତ୍ରୀର ମନ୍ତ୍ର ପଢୁ଼ଥିଵେ 🤣🤣🤣 ।

ଜଣେ କେହି ତାଙ୍କର ବେକ କାଟିଵାକୁ ଉଦ୍ଯତ ହେଉଥିଵ ଏମାନେ ତାକୁ କୁଣ୍ଢେଇଵାକୁ ଦୌଡୁଥିଵା ଦେଖାଯାଆନ୍ତି । ଯୋଉ ନାଗ ତାଙ୍କୁ ଦୁଃସମୟରେ ଚୋଟ ମାରେ ଏମାନେ ତାକୁ ଦୁଧ ପିଏଇ ଆହୁରି ବଳୁଆ କରନ୍ତି ।

ଓଡ଼ିଆ ଲୋକଙ୍କ ଏତାଦୃଶ ମହାନତା ଯୋଗୁଁ ଏ ଜାତିର ଵର୍ତ୍ତମାନ ଦାରିଦ୍ର୍ୟ ଦଶା ଭୋଗ ହେଉଛି । କେତେଦିନ ଏହି ଜାତି ଏମିତି ଉଦାରଵାଦୀ ହୋଇ ପଡି଼ରହିଥିଵ ?

ମୋତେ ବାହାର ରାଜ୍ୟର ଲୋକେ ପଚାରନ୍ତି ତମ ରାଜ୍ୟ ଏତେ ତଳେ କାହିଁକି ?

ସବୁ ଜାଣି ବି କିଛି କୁହେନି କାରଣ ଯଦି ମୁଁ ବଙ୍ଗାଳି, ମରାଠୀ, ମାରୁଆଡି଼,ତେଲେଙ୍ଗା ଓ ହିନ୍ଦିଆଙ୍କ ଦ୍ଵାରା ଗତ ୪୦୦ ଵର୍ଷ ମଧ୍ୟରେ ଓଡ଼ିଆ ଲୋକଙ୍କୁ ହୋଇଥିଵା ଶୋଷଣ କଥା କହିଵି ମୋହରି ଜାତିଭାଇ ମୋତେ ହିନ୍ଦୁ ଦ୍ଵେଷୀ,ଦେଶଦ୍ରୋହୀ,ଆଞ୍ଚଳିକଵାଦୀ ଇତ୍ୟାଦି କହି ସୋଦିଵେ !

ଏ ଜାତି ଭୟଙ୍କର ଦେଶପ୍ରେମୀ ତେଣୁ ବଙ୍ଗାଳି, ମରାଠୀ, ହିନ୍ଦିଆ, ତେଲେଙ୍ଗା ଲୋକଙ୍କୁ ପାଗଳ ପରି ଭଲ ପାଏ । ନିଜ ପାଖରେ ଭଲ ନେତାକି ଅଭିନେତା ନାହାନ୍ତି ତେଣୁ ଆଳୁ ଅରଜୁଣା , ଶାରୁ ଖିଆ ଆଉ ବଙ୍ଗାଳି ବୋଉଦୀ ପ୍ରେମରେ ଭୋଳ ଓଡ଼ିଆ ଲୋକଙ୍କ ସଂଖ୍ୟା କାହିଁରେ କ'ଣ । ଏଠାକାର ଦୂରଦର୍ଶନ, ସଂଵାଦପତ୍ର ଇତ୍ୟାଦିରେ ମାତ୍ରାଧିକ ହିନ୍ଦୀ ପ୍ରଭାଵ ଦେଖିଲେ ଲାଗେ ଜାତିଟା ମାଟିରେ ମିଶିଵାକୁ ବସିଛି । ବାଟରେ ଘାଟରେ ଦାଣ୍ଡରେ ହାଟରେ ଆଧୁନିକ ଯୁଵକ ଯୁଵତୀଙ୍କ ମୁଖରୁ ହିନ୍ଦୀ ଇଂରାଜୀ ମିଶା ହିଙ୍ଗୋଡି଼ଆ ଭାଷା ଶୁଣିଲେ ଲାଗେ ଓଡ଼ିଶାଟା ଗୋଟେ ଵିକଶିତ ରାଜ୍ୟ ହୋଇଗଲାଣି ।

କି ମଣ୍ଡପ ପୂଜାର ଯୁଗ ହେଲାଣି ଯୁଆଡେ଼ ଦେଖ
ଖାଲି ଡିଜେ ଆଉ ହାତଟେକା ନାଚ !

ଟୋକାଙ୍କ ବୋପାମାନେ ଏକଦା ହରିବୋଲ ନିତାଇବୋଲ କହି ହାତ ଟେକି  ନାଚୁଥିଲେ, ଏମାନଙ୍କର ଠାଣି ଓ ଗୀତ ଯାହା ବଦଳିଛି ନହେଲେ  ହାତଟେକା ନାଚ ଯଥାଵତ୍ ରହିଛି ।
କାଇଁ କା ଦିହରେ ହାଡ଼ ଅଛି ତାକୁ ଅସଭ୍ଯ ନୃତ୍ୟ କହିଦଵ ?
ମାଆ ରାଣ୍ ! ସେଇଠି ବୋତଲ ଭାଙ୍ଗି ଯଦି ସେ ଲୋକକୁ ଥଣ୍ଡା ନକରିଦିଅନ୍ତି ସେମାନେ ଗୋଟିଏ ବୋପାର ଛୁଆ ବୋଲାଇଵେ ନା ?

ଆମେ ଅବା ଏଠାକାର ବୁଦ୍ଧିଜୀଵୀଙ୍କଠାରୁ କିଛି ଜାତୀୟତା ଆଶା କରନ୍ତେ ହେଲେ ଯୋଉଠି ସ୍ଵୟଂ ବୁଦ୍ଧିଜୀଵୀମାନେ ହିଁ ଵିଚ୍ଛିନ୍ନତାଵାଦୀ ଚିନ୍ତାଧାରା ଯୋଗୁଁ ପରସ୍ପରକୁ ଘୃଣା କରନ୍ତି ସେ ଅଞ୍ଚଳର ଉନ୍ନତି କେମିତି ସମ୍ଭଵ ?

କିଛି ଲୋକେ କୁହନ୍ତି ଚାଲ ଭିନ୍ନେ ହେଇଯିଵା । ମୁଁ ଭାଵେ ସେମାନେ ଭାଇ ଭାଗ କଲାଵେଳେ ତାଙ୍କ ମାଆବାପାଙ୍କୁ ବି ଖଣ୍ଡେ ଖଣ୍ଡେ କାଟି ବାଣ୍ଟୁଥିଵେ ନହେଲେ ଏତେ ଉଚ୍ଚ ବାଣ୍ଟବୁଦ୍ଧି କାହୁଁ ପାଇଲେ ?

ଜାତିର, ମାଟିର ଏଭଳି ସଂକ୍ରାନ୍ତିକାଳରେ ଯୋଉ ସଂକ୍ରାନ୍ତିପୁରୁଷମାନେ ପ୍ରେମକଵିତା ଲେଖି ଏଇ ଫେସବୁକମଣ୍ଡଳକୁ ଗୋଲାପୀ ରଙ୍ଗରେ ରଙ୍ଗେଇ ଦିଅନ୍ତି ପ୍ରକୃତରେ ମୋ ପାଇଁ ସେଇମାନେ ହିଁ ପ୍ରକୃତ ମାନଵଵାଦୀ । ଆହା !  ଏଇ ଫେସବୁକରେ କେଡ଼େ କେଡ଼େ ମାନଵଵାଦୀ କଵି ଲେଖକ ଅଛନ୍ତି । ଜଣେ ଜଣେ ତ ନିଜକୁ ନିଜେ ଉପାଧିରେ ଭୁଷିତ କରିପକେଇଛନ୍ତି । ହଁ ଵା ଆଜିକାଲି କିଏ କାହାକୁ  ମାଗଣାରେ କିଛି ଦେଲାଣି ନା ?

ହେଲେ ସେଇ ଵୟସ୍କ ସରସ୍ବତୀ ପୁତ୍ରମାନେ ଯେତେଵେଳେ ମହିଳାମାନଙ୍କୁ ତାଙ୍କ ମୁଖପୁସ୍ତକ ସଂଦେଶପେଟିକାରେ ଗୁପ୍ତ ଵ୍ଯଵହାର ପ୍ରକଟ କରନ୍ତି । ଲାଗେ ସତରେ ଆମ୍ଭମାନଙ୍କ ସଂସ୍କୃତି ବହୁ ଵିକଶିତ ହୋଇ ସାରିଛି ।

ଏଠି ଛୋଟ ଛୋଟ ପିଲା ଛୋଟାଭୀମ୍  ପାଗଳ ଆଉ ବଡ଼ ବଡି଼ଆମାନେ ତାଙ୍କ ମାତାମାନଙ୍କ ପଛରେ ପାଗଳ 😀😀😀

କିଛି ଲୋକଙ୍କୁ କ୍ରିକେଟ ବାୟା କରିଛି ତ ଆଉ କେ ରାଜନୈତିକ ଦଳର ମହିମାମଣ୍ଡନ କି ଦୋଷ ଗଣନାରେ ମାତିଛି ।

ଏତେ ସବୁ ହୋ ହଲ୍ଲା ପାଟିତୁଣ୍ଡ କଳି ଝଗଡ଼ା ବାଡା଼ବାଡି଼ ଭିତରେ କେମିତି କେଜାଣି ଇଂରାଜୀ ଵର୍ଷଟିଏ ବିତିଗଲାଣି ବୋଲି କିଛି ଦେଶଭକ୍ତ ଧ୍ଯାନ ଦେଲେଣି ।
ହେଉ ଆମର ନୂଆଵର୍ଷ ବୋଲି ତ କିଛି ନାହିଁ
ସମିତେ କରନ୍ତି ଆମେ ବି କୁକୁଡ଼ା ମୋଡି଼,ମଦ ବୋତଲ  ଢକ ଢକ ପିଇଦେଇ ଏଟାକୁ ପାଳିଦେଵା ନହେଲେ ଯୁଗକୁ ସାଜିଵ ନା ?

😂😂😂

Monday, December 23, 2019

ଗଞ୍ଜାମୀ ଶବ୍ଦ ସୂଚୀ —୧

ଓଡ଼ିଶାରେ ଯେତେ ଓଡ଼ିଆ କଥିତ ଶୈଳୀ ଅଛି ତନ୍ମଧ୍ୟରେ ଗଞ୍ଜାମୀ ଶୈଳୀ ଅନ୍ୟତମ । ସମ୍ଭଵତଃ ଗଞ୍ଜାମ ଅଞ୍ଚଳରେ ସର୍ଵାଧିକ ନିଆରା ଶବ୍ଦ ମିଳେ ଯାହା ଅନ୍ୟତ୍ର କ୍ଵଚିତ ପ୍ରାପ୍ତ ହୋଇପାରେ । ସଂସ୍କୃତନିଷ୍ଠ ଶବ୍ଦର ସରଳ ଓଡ଼ିଆ ପ୍ରତିଶବ୍ଦ ହେଉ କି ଵୈଦେଶିକ ଶବ୍ଦର ନିଚ୍ଛକ ଓଡ଼ିଆ ପ୍ରତିଶବ୍ଦ ଗଞ୍ଜାମ ଅଞ୍ଚଳରେ ଉଣ୍ଡିଲେ ନିଶ୍ଚୟ ମିଳିଯାଏ । ଗଞ୍ଜାମର ଭାଷାଶୈଳୀ ସିଂହର ଭାଷା କାରଣ ଏଠାକାର ଅଧିଵାସୀ ପ୍ରତ୍ଯେକ ଶବ୍ଦର ଶେଷ ଵର୍ଣ୍ଣକୁ ରାଜୋଚ୍ଚିତ ଦୃଢ଼ ଢ଼ଙ୍ଗରେ ଉଚ୍ଚାରଣ କରନ୍ତି ଆଉ ଏମନ୍ତ ଉଚ୍ଚାରଣ ପ୍ରକାର ସାରା ଵିଶ୍ଵରେ ଵିରଳ ଅଟଇ । ଅଵିଭକ୍ତ ଗଞ୍ଜାମ ଅଞ୍ଚଳ ଓଡ଼ିଆ ଭାଷା ଯୁଦ୍ଧର ମୁଖ୍ୟ ଯୁଦ୍ଧ କ୍ଷେତ୍ର ଏଵଂ ପ୍ରାଚୀନ କଳିଙ୍ଗ ଦେଶର ହୃତପିଣ୍ଡ ସଦୃଶ । ସମ୍ଭଵତଃ ସେଇଥିପାଇଁ  ଏଠାକାର ଲୋକେ ନିଜ କଥିତ ଭାଷା,ଶୈଳୀ ଓ ଶବ୍ଦ ସମ୍ଭାରକୁ କେଵେ ମାନକ ଓଡ଼ିଆ ଭାଷା ଉପରେ ଯୋର୍ କରି ଲଦି ଦେଇନାହାନ୍ତି । ତେଵେ ଯଦି ଏହି ଶୈଳୀର ନିଆରା ଶବ୍ଦ ସମ୍ଭାର ମଧ୍ୟରୁ କିଛି ଶବ୍ଦ ଆଧୁନିକ ସାହିତ୍ୟିକମାନେ ମାନକ ଭାଷାର ସାହିତ୍ୟିକରେ ପ୍ରୟୋଗ କରନ୍ତେ ତେଵେ ମାନକଭାଷାରେ ଵୈଦେଶିକ ଶବ୍ଦର ମାତ୍ରା ଘଟନ ହେଵା ସହ ମାନକ ଭାଷାର ଶବ୍ଦଳେଵର ମଧ୍ୟ ବୃଦ୍ଧି ପାଆନ୍ତା । ନିମ୍ନରେ କିଛି ଗଞ୍ଜାମୀ ଶବ୍ଦର ସୂଚୀ ପ୍ରଦାନ କରାଗଲା । ଆଗକୁ ମଧ୍ୟ ଶବ୍ଦଭେଦରେ ଏହି ଶୈଳୀର ଶବ୍ଦଗୁଡ଼ିକର ଧାରାଵାହିକ ସୂଚୀ ପ୍ରଦାନ କରାଯିଵ ।

ଅଅଁଶ ବଅଁଶ― ବଂଶଧର

ଅଇଗିଣିଆ―ଅସୁଆଦିଆ ତିଅଣ

ଅଇତ ପଇତ― ଅପଵ୍ଯୟ,ଏପଟସେପଟ

ଅଇଁଠା ଅଣ୍ଡଳ―ଉଚ୍ଛିଷ୍ଟ ସମୂହ

ଅଇଁଠା କୁଡ଼― ପାଟିରେ ଘାଆ

ଅଇଁଠା ଯାଦୁ―ଋକ ଜାତୀୟ ଯାଦୁ ରୋଗ

ଅଉଖ―ଅଭ୍ଯାସ

ଅକଟ―ଆକଟ,ଅଟକି ଯିଵା

ଅକଟାଖାଇ― ଲୋଭୀ ମହିଳା

ଅକଡି଼ଆ―ଅସୁଵିଧା
(ତୁଳନା―ଅକଡ଼ = ଅସୁବିଧା; କଟକ)

ଅକଲମକଲ― ଏଣୁତେଣୁ କଥା

ଅକଳଣା―ପ୍ରଚୁର
(ତୁଳନା―ଅକଳାଣ=ଖୋର୍ଦ୍ଧା, ଅକଳନ=ଦେଓଗଡ଼)

ଅକାଟ ବନ୍ଧ― ପାଣି ନିଷ୍କାସନ ହେଉନଥିଵା ବନ୍ଧ

ଅକାମିଆ―ଅଚଳ

ଅକାଳିଆ―ଆକସ୍ମିକ

ଅକିର୍ତ୍ତିଆ―କୁକର୍ମକାରୀ

ଅକୁଳିଆ―ଯାହାର କୁଳ ଗୋତ୍ର ନାହିଁ

ଅକୂର୍ଚ୍ଚିଆ―କପଟ ସ୍ଵଭାଵ

ଅକ୍ରିଆ―କୁକର୍ମ

ଅଖଞ୍ଜଖଞ୍ଜ― ଘୋର ଅସୁଵିଧା ମଧ୍ୟରେ କିଛି ସୁଵିଧା ମିଳିଗଲେ ତାକୁ ଅଖଞ୍ଜଖଞ୍ଜ କୁହାଯାଏ

ଅଖଡ଼—ଗୋଳମାଳ

ଅଖପଡି଼ଵା— ଚାଷ ପାଇଁ ଖେତକୁ କାଦୁଅ କରିଵା

ଅଖଵା—ଅବୁଝା ଲୋକ; କଟକରେ ଏ ଶବ୍ଦର ଅର୍ଥ ଅଭଦ୍ର ଓ ଅଖାଡୁ଼ଆ

ଅଖଳମଖଳ—ପ୍ରଶସ୍ତ(କୋରାପୁଟରେ ଏ ଶବ୍ଦର ଅର୍ଥ ଯଥେଷ୍ଟ)

ଅଖାଇ ତେନ୍ତୁଳି—ସ୍ଥିତିହୀନ,ଵାସ ହୀନ ହୋଇ ବୁଲିଵା

ଅଖାବାୟା—ପାଗଳ(ଅଖା ପିନ୍ଧୁଥିଵା ପାଗଳ )

ଅଖାଳିଵା—ଧୁଆଧୋଇ ହେଵା(ତୁଳନା କରନ୍ତୁ—ପ୍ରକ୍ଷାଳନ,ହକାଳିଵା)

ଅଖେଇ ନାନୀ— ଅଖାଇ ନାନୀ; ଖାଦ୍ୟ ନଖାଇଵାର ଛଳନା ଵା ଅଭିନୟ କରୁଥିଵା ସ୍ତ୍ରୀ ଲୋକ

ଅଖେଡ଼—ଜଣା ନପଡି଼ଵା ଭଳି ଘୁଞ୍ଚିଵା;ଏ ଶବ୍ଦ ରାୟଗଡ଼ରେ ମଧ୍ୟ ଚଳୁଅଛି

ଅଗଣିଆ― ଜାତକ ମେଳକ ନଦେଖି ହୋଆଥିଵା ଵିଵାହ

ଅଗତା―ଅସଜଡା଼

ଅଗତା ପେଟ―ଖାଲିପେଟ

ଅଗଭଙ୍ଗା―ଯେକୌଣସି କାର୍ଯ୍ୟାରମ୍ଭେ ହତାଶଜନକ ନକାରାତ୍ମକ କଥା କହିଵା;ପୁରୀ ଜିଲ୍ଲାରେ ଏ ଶବ୍ଦ ଵିଶେଷ ଭାଵେ ପ୍ରଚଳିତ

ଅଗର―ଆଲୋଡନ ସୃଷ୍ଟି କରିଵା,କାଠରେ ଛିଦ୍ର କରିଵା ପାଇଁ ବଢେ଼ଇ ଯେଉଁ ଯନ୍ତ୍ର ଵ୍ଯଵହାର କରେ ;ନୟାଗଡ଼ରେ ଏ ଯନ୍ତ୍ରକୁ ଅଗର ଭଅଁର କୁହନ୍ତି ।

ଅଗରକାଠି―ଧୂପକାଠି
(ତୁଳନା―ରାୟଗଡ଼-ଅଗରକାଟି)

ଅଗବଗା―ନିର୍ବୁଦ୍ଧିଆ,ଅଗାମଗା(ଯିଏ ପାରି ସିଏ)

ଅଗେରା―ଓଗେର,ଇତ୍ୟାଦି

ଅଗ୍ନାଗ୍ନି― ଘଞ୍ଚ ଜଙ୍ଗଲ

ଅଘରି―ଅଵିଵାହିତ,ଵାସ ନଥିଵା ଲୋକ
(ତୁଳନା କର― କୋରାପୁଟରେ ଏଇ ଶବ୍ଦର ଅର୍ଥ ଵାସହୀନ)

ଅଘାର―ଦେଵତାଙ୍କ ଭୋଗ

ଅଙ୍କରାନ୍ତି―ଭେଜି ବାଇଗଣ

ଅଙ୍କି―ବାଡି଼ ବଗିଚାକୁ ସୁରକ୍ଷିତ କରିଵା ତାଟି

ଅଙ୍କିଆ―କାଠଗଣ୍ଡିକୁ ଘୋଷାରିଵା ପାଇଁ ଵ୍ଯଵହୃତ ଲୁହା

ଅଙ୍ଗପଡି଼ଵା― ଶଯ୍ୟାଶାୟୀ ହେଵା

ଅଙ୍ଗିଆ―ଵାତରୋଗ(ଜଗତସିଂହପୁରରେ ଏ ଶବ୍ଦର ଅର୍ଥ ଜାମା ଵା ଅଙ୍ଗି)

ଅଚା―ପଥ
(କଟକରେ ଚାଷଜମିର ପରିଣାମକୁ ଅଚା କୁହନ୍ତି ପୁଣି ସ୍ଵର ଅର୍ଥରେ ମଧ୍ୟ ଅଚା ଶବ୍ଦର ଵ୍ଯଵହାର ରହିଛି)

ଅଛଟକେ―ଆକସ୍ମିକ, ଅଜ୍ଞାତ

ଅଛନଅଛୁ― ଅନିର୍ଦ୍ଦିଷ୍ଟ

ଅଜଗରିଆ―ଅଳସୁଆ

ଅଜାଣୁଆ―କେହି ନଜାଣିଲା ପରି,ଅଜ୍ଞାତ

ଅଞ୍ଜନା/ଅନ୍ଦନା― ହରଗୌରା ଫୁଲ
(ଦେଓଗଡ଼ରେ କାଳାଞ୍ଜନୀ ଵୃକ୍ଷକୁ ଅଞ୍ଜନୀ କୁହାଯାଏ)

ଅଟଙ୍ଗୁ/ଅଟୁମୁ―ମୂଳଧନ

ଅଟରା― ମନ୍ଦମାର୍ଗ

ଅଟେଇ―ଧାନ ରଖିଵା ଘର

ଅଠରଖାଡି଼ଆ―ଜେଲ୍

ଅଠାସୁଆ―ଅନିର୍ଦ୍ଦିଷ୍ଟ ମତ ଦେଉଥିଵା ଵ୍ଯକ୍ତି,ଠାସକୁ ମାରୁଥିଵା ଲୋକ

ଅଡ଼ଙ୍ଗ― ଛୋଟପିଣ୍ଡା
(ସମ୍ଵଲପୁରରେ ଅଡ଼ଙ୍ଗ ଶବ୍ଦର ଅର୍ଥ ବୋକା ଯାହାର ମୂଳ ଅଢ଼ଙ୍ଗ,ଗଜପତିରେ ଆଚାରକୁ ଅଡ଼ଙ୍ଗା କୁହାଯାଏ)

ଅଡ଼ରି―ଅଝଟ
(ତୁଳନା କର; ଗଜପତିରେ ସମାର୍ଥକ ଶବ୍ଦ ଅଡ଼ଭି/ କୋରାପୁଟରେ ସାପ୍ତାହିକ ହାଟକୁ ଅଡ଼୍'ରି କୁହାଯାଏ)

ଅଡ଼―ଅଭିମାନ୍,ଜିଦ୍(ଓ-ଅଡି଼ଵା)

ଅଡ଼ଙ୍ଗା ମାଟୁ― ଆଚାରଝୋଳ
(ଗଜପତିରେ ମଧ୍ୟ ଏ ଶବ୍ଦ ଚଳେ ଓ ସମାର୍ଥକ)

ଅଡ଼ଣା―ଓଢ଼ଣା

ଅଡ଼ସେଇ―ଆକ୍ରୋଶ ରଖିଵା

ଅଡି଼ଆ― ବାଡ଼ ଦେଵାପାଇଁ ଵ୍ଯଵହୃତ ସିଧା ବାଉଁଶ
(ଧାନଗଛରୁ ଛଣକରିଵା ପାଇଁ କାଟିଵାପରେ ସିଧାସଳଖ କରି ସଜେଇ ରଖିଵାକୁ କୋରାପୁଟରେ ଅଡି଼ଆ କୁହନ୍ତି)

ଅଡେ଼ଇଵା― ଘଉଡେ଼ଇଵା,ଗୋରୁଙ୍କୁ ନିର୍ଦ୍ଦିଷ୍ଟ ବାଟରେ ଚଳେଇଵା

ଅଡେ଼ ବୁଦ୍ଧି―ଅଳ୍ପ ବୁଦ୍ଧି

ଅଢା଼ଳିଆ―ଅସୁଵିଧା ପରିସ୍ଥିତି

ଅଣଆଖୁ― ଜଙ୍ଗଲି ଆଖୁ
( ଏ ଶବ୍ଦରେ ଥିଵା  ଅଣ ଶବ୍ଦାଂଶ ଵନ୍ଯ ଶବ୍ଦର ପରିଵର୍ତ୍ତିତ ରୂପ । ଏଠାରେ ଅଵର୍ଗ୍ଯ ‘ଵ’ ତାହାର ସ୍ଵାଭାଵିକ ପରିଵୃତ୍ତି ଗୁଣ ଯୋଗୁଁ ‘ଅ’ ରେ ପରିଵୃତ୍ତ ହୋଇଅଛି )

ଅଣକ― ନଡି଼ଆ ଷଢେ଼ଇରେ ତିଆରି ପାତ୍ର
(କଟକରେ ଏହାକୁ ଅଣଖ କୁହାଯାଏ)

ଅଣପାଣି―ତିଅଣ ଝୋଳ

ଅଣସୋରିଷ― ସୋରିଷ ଗଛର ଵୀଜ ପରି ଵୀଜ

ଅଣାଅଣି କରିଵା―ଢାଳିଵା

ଅଣାମୁଣ୍ଡା― ହୀନ ଵ୍ଯକ୍ତିତ୍ବ

ଅଣିକଣି―ସବଂଶ

ଅଣିଚଣା―ଡାଲିଜାତୀୟ ଏକ ଶସ୍ଯ ଵିଶେଷ

ଅଣ୍ଟ― ପୂର୍ଣ୍ଣ,ଜିଦ୍

ଅଣ୍ଟକୁଣ୍ଟ―ନିଅଣ୍ଟ

ଅଣ୍ଟାଅଣ୍ଟି―ଯହ,ଯଥେଷ୍ଟ

ଅଣ୍ଟାଇଵା―ଅଣ୍ଟା ସାହାଯ୍ୟରେ ଟେକିଵା

ଅଣ୍ଟାଖୁଞ୍ଚା―ଅଣ୍ଟାରେ ଖୋସା ହେଵା କରାଟ,ଟଙ୍କା
(ଗଜପତିରେ ଏହି ଶବ୍ଦ ଅଣ୍ଟାଖୋସା ହୋଇ ଲାଞ୍ଚ ଅର୍ଥରେ ପ୍ରୟୋଗ କରାଯାଏ)

ଅଣ୍ଟାପାଣି― ଶୌଚାଦି ପରେ ସଂମ୍ପୂର୍ଣ୍ଣ ନ ଗାଧୋଇ ଅଣ୍ଟାଯାଏଁ ଧୋଇ ହେଵା ।

ଅଣ୍ଟିଛୁରୀ―ଵିଶ୍ଵାସଘାତକ

ଅଣ୍ଡିରା ପଣିଆଁ― ପୁରୁଷପଣ

ଅଣ୍ଡଳା ଆଉଁସା―କୋଳାକୋଳି କରି ଗେଲ କରିଵା କ୍ରିୟା

ଅଣ୍ଡୁ―ସିମେଣ୍ଟ ରସ ଯାହା ଚଟାଣ ଉପରେ ଦିଆଯାଏ

ଅତାଳିଆ―ହିତାହିତ ଜ୍ଞାନ ଶୂନ୍ୟ

ଅତିରି―ଉଦବେଗ
(ଯାଜପୁରରେ ନଦୀଧ ଦିଢ଼କୁ ଅତିରି କୁହାଯାଏ)

ଅତିଶ ଉଦିଆ― ଗଞ୍ଜାମୀ ଗାଳି ଵିଶେଷ

ଅତିସାର―ପେଟରୋଗ,ଝାଡା଼ରୋଗ

ଅଥଡା଼―ନିର୍ଲଜ,ଧାରନଥିଵା ଅସ୍ତ୍ର

କ୍ରମଶଃ...

Saturday, December 21, 2019

କଳିଙ୍ଗୀ ସ୍ଵାଭିମାନ କଣ୍ ?

କଳିଙ୍ଗୀ ଲୋକେ ଦେଶଭକ୍ତ ହୋଇପାରନ୍ତି  କିନ୍ତୁ ସେମାନେ ଆନଭାରତୀୟ ଜାତିଙ୍କ ପରି ଅତି ଆତ୍ମମୁଗ୍ଧ ନୁହନ୍ତି ଯେ କାହାର ଦ୍ରଵ୍ଯ,ଐତିହ୍ୟ,ମହାପୁରୁଷ ଓ ଭୂଭାଗ ଆଦିକୁ ନିଜର କହି ଥେଇ ଥେଇ ହେଇ ନାଚିଵେ । କିଛି ଲୋକ କୁହନ୍ତି ଓଡ଼ିଆ ଲୋକେ ଆନ ଭାରତୀୟ ଜାତି ଵିଶେଷତଃ ବଙ୍ଗାଳୀମାନଙ୍କୁ ଏତେ ଘୃଣା କାହିଁକି କରନ୍ତି ?

ଵିଶ୍ଵାସ କରନ୍ତୁ ଆଜ୍ଞା ତାଳି କେଵେ ବି ଗୋଟିଏ ହାତରେ ବାଜେନି,ଗୋଟିଏ ପକ୍ଷରୁ ଯଦି ଆପଣଙ୍କ ଉପରେ ଘନଘନ ସାଂସ୍କୃତିକ, ଆର୍ଥିକ ଓ ରାଜନୈତିକ ଆକ୍ରମଣ ହେଵ ଆପଣ କଣ୍ ତାହାର କିଛି ବି ପ୍ରତିଵାଦ କରିଵେ ନାହିଁ ?

ଏକଦା ଓଡ଼ିଶାରେ ବଙ୍ଗାଳିମାନଙ୍କୁ ଭ୍ରାତା ସମାନ ମାନ୍ଯ ହେଉଥିଲା ,ସମସ୍ତେ ମିଳିମିଶି ରହୁଥିଲେ । ଯେତେଵେଳେ ମୋଗଲକାଳରେ କିଛି ବଙ୍ଗାଳୀ ଓଡ଼ିଶାକୁ ଆସି ଏଠାରେ ଵସଵାସ କଲେ ସେମାନେ ଏଇମାଟିର ସନ୍ତାନ ପାଲଟିଯାଇଥିଲେ କିନ୍ତୁ ବଙ୍ଗଦେଶରେ ସେମାନଙ୍କୁ କେରା ବଙ୍ଗାଳୀ କହି ଅପମାନିତ କରାଗଲା । ମଜାକଥା ହେଲା ସେଇ ବଙ୍ଗାଳୀ ବଂଶୋଭଵ ଅନେକ ଓଡ଼ିଆ ମହାପୁରୁଷ ଓଡ଼ିଆ ଭାଷା ଓ ସଂସ୍କୃତି ପାଇଁ ଆଜୀଵନ ସଂଗ୍ରାମ ଚଳାଇଥିଲେ । କଵିଵର ରାଧାନାଥ ରାୟ, କର୍ମଵୀର ଗୌରୀଶଙ୍କର ତନ୍ମଧ୍ୟରେ ଅନ୍ଯତମ ।

ପଞ୍ଚଶଖା ଯୁଗରୁ ରୀତିଯୁଗ ଯାଏଁ ଓଡ଼ିଶାର ଅନେକ କଵି ବଙ୍ଗଭାଷାରେ ମଧ୍ୟ କାଵ୍ଯ ଲେଖୁଥିଲେ । ଗୋପାଳ ଧର

ସାରା ଭାରତକୁ ଆମେ ପ୍ରଥମେ ପଶୁରୁ ମନୁଷ୍ୟ ହେଵାର ଜ୍ଞାନ ଦେଇଛନ୍ତି
ପ୍ରଥମ ମାନଵ ସଭ୍ଯତା― କଳିଙ୍ଗରେ(୬୪୦୦୦ ରୁ ୮୬୦୦୦ ସହସ୍ର ଵର୍ଷ ତଳେ; ମୁଣ୍ଡା ଶଵର ସଭ୍ଯତା)
ପ୍ରଥମ ଚାଷୀ କଳିଙ୍ଗୀ
ସର୍ଵପୁରାତନ ପ୍ରାକୃତ ଭାଷାର ଜନ୍ମସ୍ଥାନ କଳିଙ୍ଗ
ଅଧିକାଂଶ ନିଷ୍ଠାନ୍ନର ଆଵିଷ୍କାର କଳିଙ୍ଗ ଦେଶରେ
ଚାରି ମାନଵ ଜାତିର ଏକମାତ୍ର କେନ୍ଦ୍ରସ୍ଥଳ କଳିଙ୍ଗ


ଓଡ଼ିଶା,କଳିଙ୍ଗ, ଉତ୍କଳ ସବୁ ଗୋଟିଏ ଦେଶର ନାଆଁ କିନ୍ତୁ

କଳିଙ୍ଗ = ଵୀରତ୍ଵର ପ୍ରତୀକ
ଯେତେଵେଳେ ପ୍ରାଚୀନ ଐତିହ୍ୟ ଓ ସଂସ୍କୃତି ତଥା କଳା କାରୁକାର୍ଯ୍ୟ କଥା ପଡେ଼, ଯେତେବେଳେ ପୂର୍ଵ ଗୌରଵ କଥା ପଡେ଼ ସେତେଵେଳେ ଲୋକେ କଳିଙ୍ଗ କହିଵାକୁ ଭଲପାଆନ୍ତି । ଵିଚ୍ଛିନ୍ନତାଵାଦୀ ମଧ୍ୟ ନିଜକୁ କଳିଙ୍ଗୀ କହିଵାକୁ କୁଣ୍ଠାବୋଧ କରନ୍ତି ନାହିଁ ଏମନ୍ତ କି କିଛି ବଙ୍ଗାଳୀ ଓ ତେଲୁଗୁ ଲୋକ ମଧ୍ୟ ନିଜକୁ କଳିଙ୍ଗୀ କହିଥାନ୍ତି । କାହିଁକି କହିଥାନ୍ତି ? କାରଣ ଆମ ଜାତିର ଐତିହ୍ୟ ହିଁ ସେତେ ଉନ୍ନତମାନର ଥିଲା ।

ଉତ୍କଳ ଶବ୍ଦଟି ସାହିତ୍ଯିକମାନେ ସାହିତ୍ୟ କ୍ଷେତ୍ରରେ ଵ୍ଯଵହାର କରନ୍ତି, ଓଡ଼ିଆ ଭାଷା ଆନ୍ଦୋଳନ ସମୟରେ ଏହା ଆମ ଜାତୀୟତାର ଏକ ନାମ ଵିଶେଷ ଥିଲା । ଆଜି ଏହି ନାମଟି କିଛି ଲୋକଙ୍କ ଚକ୍ଷୁଶୂଳ ହୋଇଛି । ଯେମିତି ଅସରପା ଵିଶାକ୍ତ ଔଷଧର ଉତ୍କଟ ଗନ୍ଧକୁ ସହିପାରେନି ଠିକ୍ ସେହିପରି ଵିଚ୍ଛିନ୍ନତାଵାଦୀ ଏ ନାମକୁ ମାତ୍ରାଧିକ ଘୃଣାକରନ୍ତି ।

ଓଡ଼ିଶା ନାଆଁରେ ପୂର୍ଵ ଦୁଇନାମ ଭଳି କୌଣସି ଵୀରତ୍ଵ/ଶ୍ରେଷ୍ଟତ୍ଵର ଭାଵ ମିଳୁନାହିଁ । କଳିଙ୍ଗ ଦେଶରେ ସମୁଦାୟ ୬୨ଭାଷା ଓ ଶତାଧିକ ଜାତି ଅଛନ୍ତି କିନ୍ତୁ ସେମାନେ ଗୋଟିଏ ଉଡ୍ର ଵା ଓଡ଼ ଚଷାଜାତିର ଭାଷା କହିଛନ୍ତି, ତାଙ୍କ ପୂର୍ଵଜଙ୍କ ରାଜ୍ୟର ନାମ ସେହି ଚଷାଜାତି ଓ ତାହାର ଭାଷା ନାମରେ ହୋଇଯାଇଛି ଫଳରେ ଅନ୍ୟ ୬୧ଗୋଟି ଭାଷା ବୋଲୁଥିଵା ଲୋକେ ନିଜକୁ ଓଡ଼ିଆ ନକହି, କଳିଙ୍ଗୀ ନକହି ପ୍ରଥମେ ଭାରତୀୟ ଭାଵେ ପରିଚୟ ଦେଉଅଛନ୍ତି । ଯଦିଵା କେହି ନିଜକୁ କୁଈ,ସଉରା,ସାନ୍ତାଳୀ ବୋଲି ପରିଚୟ ଦେଉଛି ତାକୁ ଆଦିବାସୀ କହି ଅପମାନିତ କରାଯାଉଛି ।

ଏସବୁ ଅନୁଭଵ  ଓ ହୃଦୟଙ୍ଗମ କରିଥିଵା ଲୋକ ହିଁ କଳିଙ୍ଗ ଓ ଉତ୍କଳ ନାମର ମହତ୍ତ୍ଵ ବୁଝିପାରିଵ ।


ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...