Tuesday, December 3, 2019

କଏବାର―ନିଜର ସ୍ଵରୂପ ହରାଇଥିଵା ଲୁପ୍ତପ୍ରାୟ ଶବ୍ଦଟିଏ

କଏବାର ଏକ ଲୁପ୍ତପ୍ରାୟ ଓଡ଼ିଆ ଶବ୍ଦ ଯାହାର ବହୁଳ ଵ୍ଯଵହାର ପ୍ରାଚୀନ ପଦ୍ଯଗୁଡି଼କରେ ହେଉଥିଲା ।

ସ୍ତୁତିପାଠ,ଜେଜେକାର,ଯଶୋଗାନ ଅର୍ଥରେ ଏ ଶବ୍ଦର ଵ୍ଯଵହାର ସାରଳା ମହାଭାରତରେ ହୋଇଥିଵା ଦୃଷ୍ଟିଗୋଚର ହୋଇଥାଏ  ।
ଯଥା ―
“ଯାତ୍ରାଵେଳେ କଏବାର କରନ୍ତିଟି ନାରୀ”
(ସାରଳା ମହାଭାରତ, ବିରାଟ ପର୍ଵ)

ପୁଣି ସ୍ତୁତିପାଠକ ଵା ଭାଟମାନଙ୍କୁ ମଧ୍ୟ କଏବାର କୁହାଯାଉଥିଵା
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ କରାଯାଇଛି ।

ବୋଧହୁଏ ଏ ଶବ୍ଦଟି “କହେ ବାର ବାର”ର ସଂକ୍ଷିପ୍ତିକରଣ ରୂପ ହୋଇଥିଵ । କାରଣ କାହାର ଜୟଜୟକାର କଲାଵେଳେ ଲୋକେ ବାରମ୍ବାର ତାହା କହିଥାନ୍ତି ।

(କହେ ବାର ବାର > କଏବାର ବାର > କଏବାର)

ତେଵେ ହିନ୍ଦିଭାଷାରେ ମଧ୍ୟ कई बार,कई तरह , कई आदमी , कई दफा  ଆଦି କହିଲା ଵେଳେ ଗୋଟିଏ कई ଶବ୍ଦ ଅନେକ ଅର୍ଥରେ ପ୍ରୟୋଗ ହୋଇଥାଏ ।

ତାହେଲେ କଣ୍ ଓଡ଼ିଆ ଶବ୍ଦ କଏବାରଟା ହିନ୍ଦିଭାଷାରୁ ଆସି ଚଳୁଅଛି ?

ନା !

କାରଣ ‛କଈ’ ଶବ୍ଦ ମୂଳତଃ ଏକ ପ୍ରାକୃତ ଶବ୍ଦ ଯାହାର ସଂସ୍କୃତ ସମଦ୍ଧୃତ ରୂପ ହେଉଛି ‛କତି’ ! ପୁଣି ଓଡ଼ିଆ ଭାଷାର ‛କେତେ’ ସର୍ଵନାମ ମଧ୍ୟ ଏହି କତି ଶବ୍ଦ ସହ ସମଦ୍ଧୃତ । କେତେ ଶବ୍ଦଟି ମଧ୍ୟ ଅନେକ ପରିମାଣ ଅର୍ଥରେ ଵ୍ଯଵହାର ହୁଏ
ଯଥା― କେତେ ବଡ଼ ହେଇଗଲୁଣି ତୁ ଆଉ କଣ୍ ଚିହ୍ନିବୁ ନା ମାନିବୁ ଆମକୁ !

ତେଣୁ ସମ୍ଭଵତଃ ମୂଳ ପ୍ରାକୃତ କଈ ଶବ୍ଦ ଓଡ଼ିଶାରେ କଏ ହୋଇଥିଲା ଓ କଏବାର ରୂପେ ଚଳୁଥିଲା । ଅଵଶ୍ଯ ଜଗତସିଂହପୁର ଜିଲ୍ଲାରେ କଏବାର ଶବ୍ଦ “କେତେଥର” ଅର୍ଥରେ ଵ୍ଯଵହୃତ ହୋଇଥାଏ । ଏଠାରେ ମଧ୍ୟ କଏ ଶବ୍ଦଟି କେତେ  ଶବ୍ଦରୁ ଆସିଥାଇପାରେ ଏଵଂ କେତେ ଶବ୍ଦରେ  ‛କେ’ରୁ ଏକାର ଲୁପ୍ତ ହୋଇ,‛ତେ’ରୁ ‛ତ’ ଵର୍ଣ୍ଣ ଲୁପ୍ତ ହୋଇ ତାହା କଏ ହୋଇଥାଇପାରେ । ଯେହେତୁ ଉଭୟ ଶବ୍ଦରେ କେତେ ଶବ୍ଦର ଭୂମିକା ଦୃଶ୍ୟ ହୁଏ ତେଣୁ ହୁଏତ ଓଡ଼ିଆ ଭାଷାର କଏବାର ଶବ୍ଦରେ ଥିଵା କଏ ,କେତେ ଶବ୍ଦର ପରିଵୃତ୍ତରୁ ସୃଷ୍ଟ ହୋଇଥିଵା ମଧ୍ୟ ଯୁକ୍ତିଯୁକ୍ତ ଲାଗେ ।

ଆପଣଙ୍କୁ କେଉଁ ନିରୁକ୍ତିଟି ଠିକ୍ ଲାଗୁଛି ଜଣାନ୍ତୁ ! ଆପଣଙ୍କ ଅଞ୍ଚଳରେ କଏବାର ଶବ୍ଦର ଅନ୍ୟ କୌଣସି ଅର୍ଥ ଚଳୁଥିଲେ ନିଶ୍ଚୟ ଜଣାନ୍ତୁ !

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...