Thursday, December 26, 2019

ଓଡ଼ିଆ ଵର୍ଣ୍ଣମାଳାରେ ସମୁଦାୟ ଅକ୍ଷର ସଂଖ୍ୟା କେତେ ଜାଣିଛନ୍ତି କି ?

ଓଡ଼ିଆ ଵର୍ଣ୍ଣମାଳାରେ ସମୁଦାୟ ଅକ୍ଷର ସଂଖ୍ୟା ୫୪ ବୋଲି ଅନେକ ଵୈୟାକରଣିକ ମତ ଦିଅନ୍ତି । 
ଵର୍ତ୍ତମାନ ସମୟରେ କେହି କେହି
ଦୀର୍ଘ ୠ,
ହର୍ସ୍ଵ ଌ,
ଦୀର୍ଘ  ୡ
ଇତ୍ୟାଦିକୁ ଵର୍ଣ୍ଣମାଳାରୁ ବାଦ୍ ଦେଇ ଗଣନା କରନ୍ତି ପୁଣି ଅଵର୍ଗ୍ଯ ‛ଵ’ ଅର୍ଦ୍ଧସ୍ଵର ୱ ଵିଚାର କରି ସମୁଦାୟ ଅକ୍ଷର ସଂଖ୍ୟା ୫୦ ବୋଲି ମତ ଦିଅନ୍ତି । କେହି କେହି କ୍ଷ କୁ ସ୍ଵତନ୍ତ୍ର ଵର୍ଣ୍ଣ ନମାନି ୪୯ ବୋଲି ମଧ୍ୟ ମତ ଦେଇଥାନ୍ତି ।

ଦକ୍ଷିଣ ଭାରତରେ ଦୀର୍ଘ ୠ,ହର୍ସ୍ଵ ଌ ଓ ଦୀର୍ଘ  ୡ ର ଵ୍ଯଵହାର ଏଵେ ବି ରହିଛି କିନ୍ତୁ ଓଡ଼ିଆ ଭାଷାରେ ଉତ୍ତର ଭାରତୀୟ ଭାଷା ଶୈଳୀର ପ୍ରଭାଵ ବଢି଼ଵା ଯୋଗୁଁ ଏସବୁ ଵର୍ଣ୍ଣର ଵ୍ଯଵହାର ଅନେକାଂଶରେ ହ୍ରାସ ପାଇଛି ।

ଵର୍ଗ୍ଯ ବ,ଅଵର୍ଗ୍ଯ ଵ ଓ ଅର୍ଦ୍ଧସ୍ଵର ୱ ଇତ୍ୟାଦିର ଭିନ୍ନତା
ବୁଝିଵାକୁ ହେଲେ ଇଂରାଜୀର B,V ଓ W ଇତ୍ୟାଦି vowelଗୁଡ଼ିକର ତର୍ଜମା ଆଵଶ୍ୟକ ।

ଇଂରାଜୀରେ B = ବ (ଓଡ଼ିଆ)
ଇଂରାଜୀରେ V = ଵ (ଓଡ଼ିଆ)
ଇଂରାଜୀରେ W = ୱ (ଓଡ଼ିଆ)

ତେଣୁ ଓଡ଼ିଆ ଭାଷାରେ
Boat = ବୋଟ୍
Vote = ଵୋଟ୍
Watt = ୱାଟ୍
ଲେଖାଯିଵା ଵିଧେୟ ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପ୍ରଣୟନ ସମୟରେ ତାୱା ହାୱା ଭଳି ଅନେକ ଵୈଦେଶିକ ଶବ୍ଦ ଲେଖାଯିଵା ପାଇଁ ଏକ ସ୍ବତନ୍ତ୍ର ଵର୍ଣ୍ଣ ଆଵଶ୍ଯକ ହେଵାରୁ ଅଭିଧାନକାର ଅର୍ଦ୍ଧସ୍ଵର ‘ୱ’ ପ୍ରଣୟନ କରିଵାକୁ ଵାଧ୍ଯ ହୋଇଥିଲେ । ‘ୱ’ କୁ ‘ଉ ତଥା ‘ଅ' ସ୍ଵରର ଦୃତ ଉଚ୍ଚାରଣ ଦ୍ଵାରା ପ୍ରାପ୍ତ କରାଯାଇଥାଏ ।

ସେଇଭଳି କିଛି ଲୋକ ଅନସ୍ଵାର(ଂ),ଚନ୍ଦ୍ରଵିନ୍ଦୁ(ଁ) ଓ ଵିସର୍ଗ(ଃ)କୁ ଚିହ୍ନ ଵିଚାର କରି ଵର୍ଣ୍ଣମାଳାରେ ଗଣିଵାକୁ କୁଣ୍ଠାବୋଧ କରନ୍ତି । ଏଭଳି ଲୋକେ ଅର୍ଦ୍ଧ ଅ (ଽ), ଓମ୍ (ॐ), ଦିଵଙ୍ଗତ (୰) ,ଶତକଡ଼ା(%) ଓ
ସ୍ଵସ୍ତିକ(‍)ର ଉଦାହରଣ ଦେଇ କୁହନ୍ତି ଯେ ଂ,ଁ ଓ ଃ କେଵଳ ଚିହ୍ନ ମାତ୍ର ।

ତେଵେ ଅନେକ ପ୍ରାଚୀନ ଭାରତୀୟ ବର୍ଣ୍ଣମାଳା ସୂଚୀରେ ଅନସ୍ଵାର,ଚନ୍ଦ୍ରଵିନ୍ଦୁ ଓ ଵିସର୍ଗକୁ ବର୍ଣ୍ଣମାଳାରେ ସ୍ଥାନ ଦିଆଯାଇଥିଵାରୁ ସେଇ ପରମ୍ପରାକୁ ରକ୍ଷାକରି କେହି କେହି ଏଗୁଡ଼ିକୁ ବର୍ଣ୍ଣମାଳା ମଧ୍ୟରେ ଗଣନା କରିଥାନ୍ତି ।

ଆଉ କେତେକ ଲୋକ ଅଛନ୍ତି ଯେଉଁମାନେ ‛କ୍ଷ’କୁ ଏକ ଯୁକ୍ତାକ୍ଷର ବୋଲି ମତ ଦେଇ ତାକୁ ଵର୍ଣ୍ଣମାଳାରେ ରଖନ୍ତି ନାହିଁ । ତେଵେ ହିନ୍ଦୀର क्ष(क+ष;ksha) ଠାରୁ ଓଡ଼ିଆ ‛କ୍ଷ’ର ଉଚ୍ଚାରଣ ଭିନ୍ନ ପୁଣି ଓଡ଼ିଆ ଭାଷାରେ “କ―ଖ―ଷ―କ୍ଷ―ଚ―ଛ―ଝ―ଜ” ଇତ୍ୟାଦି ଵର୍ଣ୍ଣର ଏକ ମଧ୍ଯାଵର୍ତ୍ତୀ ଉଚ୍ଚାରଣରୁ ସୃଷ୍ଟ ହୋଇଥିଵାରୁ ଵର୍ଣ୍ଣମାଳାରେ ସ୍ଥାନ ପାଇଵାକୁ ଯୋଗ୍ଯ ଅଟେ ବୋଲି କେତେକ ଭାଷାଵିଦ୍ ମତ ଦିଅନ୍ତି ।

ଵର୍ତ୍ତମାନ ପର୍ଯ୍ୟନ୍ତ ଯେତେ ବୁଦ୍ଧିଜୀଵୀ  ଵର୍ଣ୍ଣମାଳାର  ସୂଚୀ କରିଛନ୍ତି  ସେ ସମସ୍ତ ଆଧାରରେ ଓଡ଼ିଆ ଭାଷାର ସମୁଦାୟ ଅକ୍ଷର ସଂଖ୍ୟା ୫୪ ହୋଇଥାଏ ।

ଓଡ଼ିଆ ଲିପିରେ ସ୍ଵରଵର୍ଣ୍ଣରେ  ଅ,ଆ,ଇ,ଈ,ଉ,ଊ,ଋ,ୠ,ଏ,ଐ,ଓ,ଔ,ଌ,ୡ
ଇତ୍ୟାଦି ଅକ୍ଷର ରଖାଯାଇଥାଏ ଏଵଂ ତନ୍ମଧ୍ୟରୁ
ୠ,ଌ ଓ ୡର ଵ୍ଯଵହାର ଆଉ ନାହିଁ ।

ଵ୍ଯଞ୍ଜନ ଵର୍ଣ୍ଣକୁ ଦୁଇଭାଗରେ ଵିଭକ୍ତ କରାଯାଇଛି ।
ଵର୍ଗ୍ଯ  ଓ ଅଵର୍ଗ୍ଯ । ଵର୍ଗ୍ଯ ଵ୍ଯଞ୍ଜନ ଵର୍ଣ୍ଣଗୁଡି଼କୁ
କ,ଚ,ଟ,ତ,ପ ଭେଦରେ ଵର୍ଗିକୃତ କରାଯାଇଛି ।
କ ଵର୍ଗ=କ,ଖ,ଗ,ଘ,ଙ
ଚ ଵର୍ଗ=ଚ,ଛ,ଜ,ଝ,ଞ
ଟ ଵର୍ଗ=ଟ,ଠ,ଡ,ଢ,ଣ
ତ ଵର୍ଗ=ତ,ଥ,ଦ,ଧ,ନ
ପ ଵର୍ଗ=ପ,ଫ,ବ,ଭ,ମ

ଅଵର୍ଗ୍ଯ ଵ୍ଯଞ୍ଜନ ଵର୍ଣ୍ଣରେ  ଯ,ୟ,ର,ଳ,ଲ,ଵ,ଶ,ଷ,ସ,ହ,କ୍ଷ,
ଇତ୍ୟାଦି ରଖାଯାଇଛି ।

ପୂର୍ଵର ଅନେକ ଵର୍ଣ୍ଣମାଳା ସୂଚୀ ମଧ୍ୟରେ ଂ,ଁ,ଃ ଇତ୍ୟାଦିକୁ କେଉଁଠି କେଉଁଠି ସ୍ଵରଵର୍ଣ୍ଣ ମଧ୍ୟରେ ରଖାଯାଇଥିଵାଵେଳେ ଆଉ କେଉଁଠି ଵ୍ଯଞ୍ଜନ ଵର୍ଣ୍ଣର ତଳେ ସ୍ଵତନ୍ତ୍ର ଵିଭାଗରେ ରଖାଯାଇଛି ।

ଅନସ୍ଵାର,ଚନ୍ଦ୍ରଵିନ୍ଦୁ ଓ ଵିସର୍ଗକୁ ବାଦ୍ ଦେଲେ ଓଡ଼ିଆ ଭାଷାର ଲିପିରେ ମୋଟ୍ ଅକ୍ଷର ସଂଖ୍ୟା ୫୧ ହୋଇଥାଏ !
ଯଥା―
ସ୍ଵର―ଅ,ଆ,ଇ,ଈ,ଉ,ଊ,ଋ,ୠ,ଌ,ୡ ଏ,ଐ,ଓ,ଔ
ଵ୍ଯଞ୍ଜନ―କ,ଖ,ଗ,ଘ,ଙ,ଚ,ଛ,ଜ,ଝ,ଞ,ଟ,ଠ,ଡ,ଢ,ଣ,ତ,ଥ,ଦ,ଧ,ନ,ପ,ଫ,ବ,ଭ,ମ,ଯ,ୟ,ର,ଳ,ଲ,ଵ,ଶ,ଷ,ସ,ହ,କ୍ଷ,ୱ

ଏଥିପାଇଁ ଓଡ଼ିଆ ଭାଷାରେ ଅକ୍ଷର ସଂଖ୍ଯାକୁ ନେଇ ସାଧାରଣରେ ଭିନ୍ନ ଭିନ୍ନ ମତ ଚଳୁଅଛି । କେହି ୪୯ କହୁଛି ତ ଆଉ କେ ୫୦ କି ୫୧ ତେଵେ ସର୍ଵ ମୋଟ ଓଡ଼ିଆ ଅକ୍ଷର ସଂଖ୍ୟା ୫୪ ବୋଲି ଵ୍ଯାକରଣ ଶାସ୍ତ୍ର ଜ୍ଞାତା ଓଡ଼ିଆ ଵିଦ୍ଵାନମାନେ ମତ ଦେଇଥାନ୍ତି ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...