Wednesday, December 18, 2019

ଓଡ଼ିଶାର ପ୍ରଥମ ସମ୍ରାଟ କରକଣ୍ଡୁ ଵା ମହେନ୍ଦ୍ର ଦେଓଙ୍କ ଵିଷୟରେ ପ୍ରଚଳିତ ଲୋକପ୍ରିୟ କିମ୍ବଦନ୍ତୀ

ଚମ୍ପା ନଗରର  ରାଜା  ଦଧିଵାହନ ଏବଂ ରାଣୀ  ଇନ୍ଦ୍ରାଵତୀ  ପଶ୍ଚିମ ଓଡ଼ିଶାର ଵନପ୍ରାନ୍ତରରେ ଵିହାର କରିବାକୁ ଆସି ପହଞ୍ଚିଲେ । ସେହି ଘଞ୍ଚ ଜଙ୍ଗଲରେ ବୁଲୁଥିଵା ସମୟେ ହଟାତ୍ କେଉଁଠୁ ଏକ ମହାବଳ ଵାଘ ଆସି ସେମାନଙ୍କ ରାସ୍ତା ଓଗାଳିଲା...

ଵାଘକୁ ଦେଖି ରାଣୀ ଭୟଭୀତ ହେଲେ ଏଵଂ ନଟାଭିତରେ ଏଣେତେଣେ ଦଉଡି଼ଵାକୁ ଲାଗିଲେ !

ଏପଟେ ରାଜା ଵାଘକୁ ମାରି ରାଣୀଙ୍କୁ ବହେ ଉଣ୍ଡିଲେ ହେଲେ ସେତେଵେଳକୁ ସେ ଘନ୍ଘାର କୋଟରେ ରାଣୀ କୁଆଡ଼େ ହଜିଯାଇଥିଲେ ।

ସେକାଳେ ଏକଵସ୍ତ୍ରଧାରୀ ଜୈନ ସାଧୁ  ପାର୍ଶ୍ଵନାଥଙ୍କର ଓଡ଼ିଶା  ରହଣୀ ହୋଇଥିଲା ! ତାଙ୍କ ପ୍ରଭାଵରେ ଏଠାକାର ଜଙ୍ଗଲଗୁଡ଼ିକରେ  ଜୈନଧର୍ମଗ୍ରହଣ କରିଥିଵା ସନ୍ୟାସୀ ସନ୍ୟାସିନୀ ଜପ ତପରେ  ନିମଗ୍ନ ରହୁଥିଲେ !

ଘଞ୍ଚ ଅରଣ୍ୟ ମଧ୍ୟରେ ଇତଃସ୍ତତଃ ବୁଲୁଥିଵା ବେଳେ ରାଣୀଙ୍କର ଭେଟ ଜଣେ ଜୈନ ସନ୍ୟାସିନୀଙ୍କ ସହିତ ହୋଇଗଲା !  ଅତିଶୟ ଭୟଭୀତ ଚମ୍ପା ରାଜରାଣୀଙ୍କୁ ଜୈନ ସାଧ୍ଵୀମାନେ ମଠରେ  ଆଶ୍ରୟ  ଦେଲେ !

କିଛିଦିନ ଉତ୍ତାରୁ ଜଣାଗଲା ରାଣୀ ଗର୍ଭଵତୀ ଅଛନ୍ତି । ଅନେକ ଵାଦଵିଵାଦପରେ ରାଣୀଙ୍କୁ କିଛି ନିର୍ଦ୍ଧିଷ୍ଟ ନିୟମ ପାଳନପୂର୍ଵକ ଆଶ୍ରମରେ ରହିଵାକୁ ଅନୁମତି ମିଳିଗଲା !  ରାଣୀଙ୍କୁ ଶପଥ ପୂର୍ଵକ ରାଜପୁତ୍ରଙ୍କ ଜନ୍ମ ହେଲା ମାତ୍ରେ ତାଙ୍କୁ  ଏକ ଚାଣ୍ଡାଳ ଦମ୍ପତ୍ତିକୁ ଦେଵାକୁ ହେଲା !

ତହିଁପରେ ଚମ୍ପାନଗର  ରାଜପୁତ୍ରଙ୍କର ଚଂଣ୍ଡାଳଦମ୍ପତ୍ତି ଦ୍ଵାରା  ପାଳନପୋଷଣ ହେଵାକୁ ଲାଗିଲା । ତେବେ ଯେହେତୁ ଚାଣ୍ଡାଳ ଦମ୍ପତି ନିତାନ୍ତ ଦରିଦ୍ର ଥିଲେ ସେମାନେ ରାଜପୁତ୍ରକୁ ପୌଷ୍ଟିକ ଅହାର୍ଯ୍ୟ ଖାଦ୍ୟ ଯୋଗାଇ ପାରିଲେନି ଫଳରେ ରାଜପୁତ୍ର କଣ୍ଡୁରୋଗରେ ପୀଡି଼ତ ହେଲେ ଏବଂ ଏହି କାରଣରୁ ସେଇ ଅଞ୍ଚଳରେ ରହୁଥିଵା ଵନଵାସୀମାନେ ରାଜପୁତ୍ରର ନାମ  କରକଣ୍ଡୁ ଦେଇଥିଲେ !

ଯୁଵାବସ୍ଥାକୁ ପ୍ରାପ୍ତ ହେଲାପରେ କରକଣ୍ଡୁ ସେ ଜଙ୍ଗଲ ପରେ ନିଜର ଏକାଧିପତ୍ୟ କରିଵା ଆରମ୍ଭ କରିଦେଇଥିଲା ! ଦିନେ ଚମ୍ପାନଗର ରାଜାଙ୍କର କିଛି ଲୋକ ସେହି ଜଙ୍ଗଲରେ କରକଣ୍ଡୁ ହାତରେ ବନ୍ଦୀ ହେଲେ ।

ରାଜା ଯେତେବେଳେ ଜାଣିଲେ ଜଣେ କେହି ଵିଦ୍ରୋହୀର ଜଙ୍ଗଲରେ ପାଦୁର୍ଭାଵ ହେଲାଣି  ସେ ସଦଳବଳ ନେଇ ବିଦ୍ରୋହୀକୁ ଦଣ୍ଡିତ କରିଵା ସକାଶେ କରକଣ୍ଡୁ ରହୁଥିଵା ଜଙ୍ଗଲରେ ପ୍ରଵେଶ କଲେ ।

କରକଣ୍ଡୁ ସହ ଚମ୍ପାନଗର ରାଜାଙ୍କ ତୁମୁଳଯୁଦ୍ଧ ହେଲା । ପିତାପୁତ୍ର କେହି କାହାକୁ ଚିହ୍ନି ନ ପାରି ଭୀଷଣଯୁଦ୍ଧରେ ମାତିଥିଲେ  ।

ଯେତେବେଳେ ରାଣୀ ଇନ୍ଦ୍ରାଵତୀ ଏ କଥା ଜାଣିଲେ  ରାଜାଙ୍କୁ ଆସି ନିଜର ଏବଂ କରକଣ୍ଡୁର ପରିଚୟ ଦେଲେ ! ଚଂପାନଗର ରାଜା ଏତେଦିନ ପରେ ନିଜ ପରିବାରକୁ ପାଇ ଏକାବାରେ ନିର୍ଵାକ ହେଇଗଲେ । ଖୁସି ରେ ତାଙ୍କ ଆଖିରୁ ଦୁଇଧାର ଲୁହ ବୋହିଗଲା । 

ତହୁଁ ଦଧୀଵାହନ ତାଙ୍କ ପୁତ୍ର  କରକଣ୍ଡୁକୁ ଉକ୍ତ ଅଞ୍ଚଳର ରାଜା ଘୋଷଣା କଲେ । ପରେ କରକଣ୍ଡୁ ଦ୍ଵାରା ଏଇ କ୍ଷେତ୍ର ରେ ଜୈନଧର୍ମର ପ୍ରଚାର ପସାର କରାଗଲା କାହିଁକି ନା ଵିପତ୍ତି ସମୟରେ ଜୈନ ସାଧ୍ଵୀ ମାନେ ତାଙ୍କ ମାତାଙ୍କୁ ରକ୍ଷା କରିଥିଲେ । କରକଣ୍ଡୁଙ୍କୁ ମନେ ରଖିଵା ପାଇଁ ଜଗନ୍ନାଥ ପୁରୀରେ ରଥଯାତ୍ରା ସମୟ ରେ ପୁରୀ ରାଜା ଦ୍ଵାରା ଛେରାପହଁରା କରାଯାଇଥାଏ । କରକଣ୍ଡୁ ଓଡ଼ିଶାର ସେଇ ଚଣ୍ଡାଳ ରାଜା ଯାହାଙ୍କ ଦ୍ଵାରା ଏଠାରେ ଜାତିଗତ ଉଦାରୀକରଣ ,  ସମନ୍ଵୟତା ଏବଂ ଏକତା ସମ୍ଭଵ ହୋଇପାରିଛି । ଐତିହାସିକଙ୍କ ମତରେ ଏହି ରାଜାଙ୍କର ନାମ ପରେ ମହେନ୍ଦ୍ର ଦେଓ ହୋଇଥିଲା ଏଵଂ ତାଙ୍କର ରାଜଧାନୀ ଥିଲା ମେହେନ୍ଦ୍ରପୁରୀ ଯାହା ଆଜି ରାଜମହେନ୍ଦ୍ରୀ ନାମରେ ସର୍ଵପରିଚିତ । କରକଣ୍ଡୁ ଵା ମହେନ୍ଦ୍ର ଦେବଙ୍କୁ ପ୍ରଥମ କଳିଙ୍ଗୀ ସମ୍ରାଟ ଅଭିହିତ କରାଯାଏ ଏଵଂ ତାଙ୍କ ପରେ ଖାରଵେଳ ସେହି ପରମ୍ପରାକୁ ରକ୍ଷା କରି କଳିଙ୍ଗ ଦେଶରେ ଜୈନଧର୍ମର ପ୍ରଚାର ପ୍ରସାରର ଵ୍ରତୀ ହୋଇଥିଲେ ।

●●●●●●●●●●●●●●●●●●●●●●●●●>
ଉଣ୍ଡିଲେ—ଖୋଜିଲେ
ନଟା—ବନ
ଘନ୍ଘାର—ଘଞ୍ଚ
କୋଟ—ବନ
●●●●●●●●●●●●●●●●●●●●●●●●●>

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...