Tuesday, December 17, 2019

ଓଡ଼ିଆ ଭାଷାର ଅନ୍ଯ ନାମ ଜାଣିଛନ୍ତି କି ?

ଆମ କଳିଙ୍ଗଦେଶର ରାଷ୍ଟ୍ରଭାଷା  ଶାସ୍ତ୍ରୀୟ ଓଡ଼ିଆ ଭାଷାର ଅନେକ ନାମ ଦୃଷ୍ଟିଗୋଚର ହୁଏ । ଏହି ଭାଷାର ସମ୍ବଲପୁରୀ,ଦେଶିଆ,ବାଥୁଡୀ଼,ଭତ୍ରୀ,
ହଲଵୀ,ସାଦ୍ରୀ,ଅଘରିଆ,ଗଞ୍ଜାମୀ,ଢେଙ୍କାନାଳୀ,ସୁନ୍ଦରଗଡୀ,ଷଡ଼ଶୀ,ବାଲେଶ୍ଵରୀ,ମେଦିନୀପୁରୀ,କୁପିଆ,ରେଲୀ ଓ କଟକୀ ଇତ୍ଯାଦି ଚାଳିଶରୁ ଅଧିକ ପ୍ରମୁଖ ଶୈଳୀ ରହିଛି । ଏତଦ୍ବ୍ୟତୀତ ସମଗ୍ର କଳିଙ୍ଗ ଦେଶରେ ଏହାର ଅନେକ ଆଞ୍ଚଳିକ ବୋଲୀ ମଧ୍ୟ ଚଳୁଅଛି ।

ଆମ ରାଷ୍ଟ୍ରଭାଷା ଓଡ଼ିଆ ଭାଷାର ଅନେକ ନାମ ରହିଛି ପୁଣି

✓ଉଡ୍ର ଵିଭାଷା

ଓଡ଼ିଆ ଭାଷାର ୨୪୦୦ ଵର୍ଷ ପୁରାତନ ଭରତକୃତ ନାଟ୍ୟଶାସ୍ତ୍ରରେ ଉଲ୍ଲେଖ ଥିଵା ପ୍ରାଚୀନ ନାମ ଵିଶେଷ । ତତ୍କାଳୀନ ଯୁଗରେ ଏହି ଭାଷା ପଶ୍ଚିମ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଵସଵାସ କରୁଥିଵା ଉଡ୍ରୀ ଚାଷୀମାନଙ୍କର କଥିତ ଭାଷା ଥିଲା ଯାହା ପରଵର୍ତ୍ତୀକାଳରେ ଏ ଜାତି ରାଜନୈତିକ କ୍ଷମତା ସମ୍ପନ୍ନ ହେଲାରୁ ଆଜି ସମଗ୍ର ଓଡ଼ିଶାରେ ବହୁ ପ୍ରଚଳିତ ହୋଇପାରିଛି । ଉଡ୍ର ଜାତୀୟ ଲୋକ ଅଧିନା ଵିଭିନ୍ନ କୃଷକ-ସୈନିକ ଜାତିରେ ବିଭାଜିତ ହୋଇ ସମ୍ପୂର୍ଣ୍ଣ କଳିଙ୍ଗୋତ୍କଳରେ ଵସଵାସ କରୁଛନ୍ତି । )

✓ଓଡି଼ଆ
ଆମ କଳିଙ୍ଗଦେଶୀୟ ରାଷ୍ଟ୍ରଭାଷାର ଆଧିକାରିକ ନାମ ଓଡ଼ିଆ ଅଟେ । ଏ ନାମକୁ ହିନ୍ଦୀଭାଷୀ ଉଡିୟା,ଓଡିୟା ଇତ୍ୟାଦି ଲେଖୁଥିଵା ଵେଳେ ବଙ୍ଗାଳୀମାନେ ଵେଳେ ଵେଳେ ଵ୍ଯଙ୍ଗାତ୍ମକଭାଵେ  ଉଡେ଼ ମଧ୍ଯ ଲେଖିଥାନ୍ତି । ଇଂରେଜମାନେ “ଡ଼” ଉଚ୍ଚାରଣ କରିପାରନ୍ତି ନାହିଁ ବୋଲି ଓଡ଼ିଆ ଭାଷାର ଇଂରାଜୀ ଭାଷାରେ ନାମ oriya ଓ Oorya ଆଦି ରଖାଯାଇଥିଲା ଯାହା ନିକଟରେ ପରିଵର୍ତ୍ତିତ ହୋଇ odia କରାଯାଇଛି  । ପୃଥିଵୀର ଅନ୍ୟ କେତେକ ଭାଷାରେ ଏ ନାମଵାଚକ ଶବ୍ଦଟି ଭିନ୍ନ ଭିନ୍ନ ଭାଵେ ଲେଖାଯାଏ,ଉଚ୍ଚାରିତ ହୋଇଥାଏ
ଯଥା—
■ଇଂରାଜୀ—oriya,oorya,odiya,odia
■ହିନ୍ଦୀ—ओडिया,उडिय़ा, ओडिआ
■ମାଣ୍ଡାରିନ—奧里亞語, 奥里亚语 (àolǐyàyǔ)
■ଫିନିଶ୍ —orija
■ଜର୍ଜିଆନ୍— ორია ენა (oria ena)
■ଜାପାନୀ— オリヤー語 (ja) (oriyāgo)
■କୋରିଆନ୍—오리야어 (oriya-eo)
■ପର୍ତ୍ତୁଗାଲୀ—oriá (pt) m
■ରୁଷୀଭାଷା— о́рия (ru) f (órija)

✓ଜଗନ୍ନାଥୀ
ଜଗନ୍ନାଥ ଆମ କଳିଙ୍ଗଦେଶର ରାଷ୍ଟ୍ର ଦେଵତା ସମ୍ଭଵତଃ ଏଇକାରଣରୁ ବମ୍ବେ ସେନ୍ସସ ରିପୋର୍ଟ ୧୮୯୧ରେ ଲିଖିତଥିଵା ଓଡ଼ିଆ ଭାଷାର ଜଗନ୍ନାଥୀ ନାମ ଉଲ୍ଲେଖ କରାଯାଇଛି । ଆଜି ବି ଭାରତଵର୍ଷରେ ଓଡ଼ିଶାକୁ ଜଗନ୍ନାଥ ଦେଶ କୁହାଯାଏ । କଳିଙ୍ଗଦେଶର ରାଷ୍ଟ୍ରଦେଵତାଙ୍କ ନାମରେ କଳିଙ୍ଗର ରାଷ୍ଟ୍ରଭାଷାର ନାମ ଜଗନ୍ନାଥୀ ରଖାଯିଵା ଯଥାର୍ଥ ଓ ସମୀଚିନ ଲାଗେ ।

✓ପରାକୁତ
ଓଡ଼ିଆ ଭାଷାକୁ ଭାଗଵତ ତଥା ଅନ୍ଯ ଅନେକ ପ୍ରାଚୀନ ସାହିତ୍ୟରେ ପ୍ରାକୃତ ଵା ପରାକୁତ ଭାଷା ଭାଵେ ଅଭିହିତ କରାଯାଇଛି କାରଣ ଓଡ଼ିଆ ଭାଷାକୁ ପୂର୍ଵକାଳିକ ପଣ୍ଡିତମାନେ ପୂର୍ଵୀ ପ୍ରାକୃତର ଆଧୁନିକ ରୂପ ମାନୁଥିଲେ । ଓଡ଼ିଆ ଭାଷାର ପ୍ରାଚୀନ ଶବ୍ଦ ସମୂହ ସଂସ୍କୃତ ଅପେକ୍ଷା ପ୍ରାକୃତର ଅଧିକ ନିକଟତର ମନେହୁଏ ।

✓ଉତ୍କଳ/ଉତ୍କଳୀ ଭାଷା
ଓଡ଼ିଶାର ଵୈଜ୍ଞାନିକ ନାମ ଉତ୍କଳ ଓ ମହାଭାରତ ତଥା ରାମାୟଣରେ ଏହି ନାମ ଆମେ ବହୁସ୍ଥାନରେ ଓଡ଼ିଶା ଦେଶ ନିମନ୍ତେ ପ୍ରୟୋଗ ହୋଇଥିଵାର ଦେଖିଥାଉ । ଓଡ଼ିଶାର ଅନ୍ଯତମ ଆଧିକାରିକ ଓ ସାହିତ୍ୟିକ ନାମ ଉତ୍କଳ ହୋଇଥିଵା ହେତୁ ଉତ୍କଳର ମୁଖ୍ୟ ଭାଷାକୁ ମଧ୍ୟ ଉତ୍କଳ ଭାଷା କୁହାଯାଇଥାଏ । ତେଵେ କୁଈ ଭାଷାକୁ କଳିଙ୍ଗ ଭାଷା ଭାଵରେ ଅଭିହିତ କରାଯାଏ ଯେହେତୁ ଏହା କଳିଙ୍ଗ ଦେଶରେ ଏକଦା ବହୁ ପ୍ରଚଳିତ ଥିଲା ।

✓ଔଡ୍ରା ଭାଷା
ସାହିତ୍ୟିକ ଭାଷାରେ ଓଡ଼ିଆ ଭାଷାକୁ ଔଡ୍ରା ମଧ୍ୟ କୁହାଯାଏ । କେତେକଙ୍କ ମତରେ ଉଡ୍ର ଵା ଉଡ୍ରୀ ନାମର ଏହା ଆନରୂପ ମାତ୍ର ।

✓ଔତ୍କଳୀ—
ଓଡ଼ିଆ ଭାଷାର ସଂସ୍କୃତ ସାହିତ୍ୟରେ ଵ୍ଯଵହୃତ ନାମ ଵିଶେଷ ।

✓ପୂର୍ଵୀ ଭାଷା
ପୂର୍ଵ ଭାରତର ଶାସ୍ତ୍ରୀୟ ଓ ପ୍ରାଚୀନତମ ଭାଷା ହୋଇଥିଵାରୁ ଏହାକୁ ପୂର୍ଵୀ ଭାଷା ମଧ୍ୟ କୁହାଯାଇପାରେ । ପୂର୍ଵ ତଥା ଉତ୍ତର ଭାରତରେ ସବୁଠାରୁ ପୁରାତନ ଓ ଶାସ୍ତ୍ରୀୟ ଭାଷା ଓଡ଼ିଆ ହୋଇଥିଵା ହେତୁ ଓଡ଼ିଆ ଭାଷାର ଏଭଳି ନାମକରଣ ମଧ୍ୟ ଯୁକ୍ତିଯୁକ୍ତ । ଵୈଦେଶିକ ଭାଷାଵିଦ୍ ମାନେ ଭାରତୀୟ ଭାଷା ଶାଖାର ପୂର୍ଵୀ ଉପଶାଖାରେ ହିନ୍ଦୀ,ଅଵଧୀ, ମୈଥିଳୀ, ବଙ୍ଗଳା ଓ ଓଡ଼ିଆ ଇତ୍ୟାଦି ଭାଷାଗୁଡି଼କୁ ରଖିଅଛନ୍ତି ଏଵଂ ଏ ସମସ୍ତ ଭାଷା ମଧ୍ୟରେ ଓଡ଼ିଆ ଭାଷା ସର୍ଵପୁରାତନ ହୋଇଥିଵାରୁ ଏହାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଅଛି । ଏହି ହେତୁରୁ
Eastern ଵା ପୂର୍ଵୀ ଭାରତୀୟ ଭାଷା ଉପଶାଖାର ପ୍ରତିନିଧିତ୍ଵ କରୁଥିଵା ଓଡ଼ିଆ ଭାଷା ଯଥାର୍ଥରେ ପୂର୍ଵୀ ଵା eastern ଭାଷା ଅଟଇ । କେତେକଙ୍କ ମତରେ ପୂର୍ଵୀ ପ୍ରାକୃତର ଆଧୁନିକ ରୂପ ଓଡ଼ିଆ ଵିଶ୍ଵାସ କରି ଏହି “ପୂର୍ଵୀ ଭାଷା” ନାମଟି ସାହିତ୍ୟରେ ଵ୍ଯଵହାର କରାଯାଇପାରେ । ତେଵେ ଵୈଶାଵରୀ ଓ କୋଶଲୀ(କୋଶଲ=ଅଯୋଧ୍ୟା,ଅଵଧ) ନାମରେ ଖ୍ୟାତ ଅଵଧୀ ଭାଷାକୁ ମଧ୍ୟ ପୂର୍ଵୀଭାଷା କୁହାଯାଏ କାରଣ ଏହା ଆଧୁନିକ ହିନ୍ଦୀଭାଷାର ପୂର୍ଵୀ ହିନ୍ଦୀ ଶାଖାର ଅନ୍ଯତମ ଭାଷା ଅଟଇ ।

ତେଵେ ଏହାଛଡ଼ା ଓଡ଼ିଆ ଭାଷାର ଅନ୍ଯ କୌଣସି ନାମ ରହିଥିଲେ ଏଠାରେ ଜଣାଇଵାକୁ ଅନୁରୋଧ ରହିଲା ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...