Friday, July 22, 2022

କଵି/ଲେଖକ ଅଚ୍ୟୁତାନନ୍ଦ ପତି ଓ ଅଶୁଭ ପୁତ୍ରର କାହାଣୀ

କଵି ଓ ଲେଖକ ଶ୍ରୀଅଚ୍ୟୁତାନନ୍ଦ ପ‌ତି ୨୬ ଜୁନ ୧୯୨୭ରେ
ଯାଜପୁର ଜିଲ୍ଲାର ନରହରିପୁର ଅଞ୍ଚଳରେ ଅଵସ୍ଥିତ କୋଦଣ୍ଡପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।


 ସେ  
"କାହାଣୀ ନୁହେଁ" (୧୯୫୧),"ଅଶୁଭ ପୁତ୍ରର କାହାଣୀ" (୧୯୭୩),"ଉଗ୍ରସେନ ଉବାଚ" (୧୯୭୬)
,"ସ୍ନାୟୁ ଓ ସନ୍ୟାସୀ" (୧୯୮୧),"ଚାରି ସଙ୍ଗାତ କଥା" (୧୯୮୩),'ଚା'ରୁ ଚୈତନ୍ୟ ପର୍ଯ୍ୟନ୍ତ" (୨୦୦୮) ଓ "ସିକ୍ତ ସୈକତ" ଆଦି କଵିତା ଓ ଗଳ୍ପ ସଂକଳନ ରଚନା କରିଛନ୍ତି । 

ତନ୍ମଧ୍ୟରେ ତାଙ୍କର ଗଳ୍ପପୁସ୍ତକ ସିକ୍ତ ସୈକତ, ଅଶୁଭ ପୁତ୍ରର କାହାଣୀ ଓ କାହାଣୀ ନୁହେଁ କାଵ୍ୟ ଆଦି ଓଡ଼ିଶାରେ ଜନପ୍ରିୟ ହୋଇଅଛି ।

 ଓଡ଼ିଆ ସାହିତ୍ୟରେ ତାଙ୍କର ଅବଦାନ ନିମନ୍ତେ ସେ ଅନେକ ପୁରସ୍କାରରେ ଭୂଷିତ । ୨୦୦୮ରେ ତାଙ୍କ ରଚିତ 'ଚା'ରୁ ଚୈତନ୍ୟ (ଗଳ୍ପ)ନିମନ୍ତେ ତାଙ୍କୁ ୨୦୧୩ ଶାରଳା ପୁରସ୍କାରରେ ସମ୍ମାନିତ କରାଯାଇଛି । ଏତଦଵ୍ୟତୀତ ସେ ୨୦୦୨ରେ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ,୧୯୮୩ରେ
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୪ରେ ଝଙ୍କାର ପୁରସ୍କାର,୨୦୧୭ରେ 
ଯଦୁନାଥ ଦାସ ମହାପାତ୍ର ସାରସ୍ୱତ ସମ୍ମାନ, ୧୯୯୮ରେ ସାରଳା ସମ୍ମାନ,୨୦୧୯ରେ
ଶିଖର ସମ୍ମାନ ତଥା ଗୋକର୍ଣ୍ଣିକା ପୁରସ୍କାର ପ୍ରାପ୍ତ ହୋଇଛନ୍ତି । 

ସେ ଥରେ ଏକ ସାକ୍ଷାତକାରରେ ପରପିଢି଼କୁ ଅଦବୋଧନ ଦେଵାକୁ ଯାଇ କହିଥିଲେ

“କିଛି ବି ଲେଖିବି ଯେ କ’ଣ ଲେଖିବି ? ମୁଁ ତ ଲେଖା ଛାଡ଼ିଲିଣି । ମୋ ପିଲାମାନଙ୍କୁ କହୁଛି , ଏହା ମୋର ସ୍ନେହ ମଧ୍ୟ । ବାଧ୍ୟ କରୁଛି , ସେମାନେ ଲେଖି ଚାଲନ୍ତୁ । କଲମକୁ ଏତେ ଜୋରଦାର କରନ୍ତୁ ଯେ, ତାଙ୍କ କଲମର କାରସାଦିରେ ମୋ ହାତରୁ କଲମ ଖସିପଡ଼ୁ । ସେଥିରେ ହିଁ ମୋର ଆତ୍ମତୃପ୍ତି । “

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ମୁଖବନ୍ଧ ସହ ୧୯୫୧ ରେ ତାଙ୍କର ପ୍ରଥମ କବିତା ସଙ୍କଳନ “କାହାଣୀ ନୁହେଁ ”ପ୍ରକାଶିତ ହୋଇଥିଲା । ତାପରେ ସେହି ସାହିତ୍ୟର କାଳଜୟୀ ଯାତ୍ରା ଏଯାଵତ୍ ଅଵିଶ୍ରାନ୍ତ ଚାଲିଛି ‌ । 

'ସମ୍ବାଦ' ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କୁ ଦେଇଥିଵା ଏକ ସାକ୍ଷାତକାରରେ ଲେଖକ ଅଚ୍ୟୁତାନନ୍ଦ ପତି ତାଙ୍କର "ସାହିତ୍ୟ ଜୀବନ କିପରି ଆରମ୍ଭ ହୋଇଥିଲା" ତାହା ଏମନ୍ତ ଉଲ୍ଲେଖ କରିଛନ୍ତି...

"ମୁଁ ମାମୁଁଘରେ ରହି ପାଠ ପଢିଵା ଆରମ୍ଭ କରିଥିଲି । ମୋ ମାମୁଁ ଉପେନ୍ଦ୍ର ପଣ୍ଡା ମହତାବଙ୍କ ସହ କଲେଜରେ ଥିଲେ । ଯେତେବେଳେ ପ୍ରଜାତନ୍ତ୍ର ସାପ୍ତାହିକୀ ବାଲେଶ୍ୱରରୁ ପ୍ରକାଶିତ ହେଲା । ମୋ ମାମୁଁ ତା’ର ପ୍ରଥମ ସମ୍ପାଦକ ଥିଲେ । ଆମ ସ୍କୁଲରେ ହେଉଥିଵା ସବୁ ଉତ୍ସଵରେ ମାମୁଁ ଗୀତ ଲେଖି ଶିଖାଉଥିଲେ । ନାଚ ମଧ୍ୟ ଶିଖାଉଥିଲେ । ସେସବୁ ଦେଖି ମୁଁ ଲେଖିଵା ପାଇଁ ଆଗ୍ରହୀ ହେଲି । ପଞ୍ଚମ ଶ୍ରେଣୀରେ ପଢ଼ୁଥିଵା ବେଳେ ପ୍ରଥମ କଵିତା ଲେଖିଥିଲି । ଅଷ୍ଟମ ଶ୍ରେଣୀରେ ଯାଜପୁରରେ ପଢିଲା ବେଳେ ‘ବିରଜା ପ୍ରଦୀପ’ରେ ମୋର ପ୍ରଥମ କଵିତା ପ୍ରକାଶ ପାଇଥିଲା । ଯାହାର ପ୍ରଥମ ପଦ ଥିଲା :

ନୂଆ ସୁଆଗ ବଢାଏ ଝୁଙ୍କ
ସଭିଙ୍କି ଦିଏ ମୋହି,
ଅଢେଇ ଦିନିଆ ପୀରତି ପାଇଁ
ବାଟ ଅବାଟ ନାହିଁ ।

ସେତିକି ବେଳେ ବମ୍ବେରୁ ହାତଲେଖା ପତ୍ରିକା ‘କୁଙ୍କୁମ’ ପ୍ରକାଶିତ ହେଉଥିଲା । ଦେଵ ମହାପାତ୍ର ତା’ର ସମ୍ପାଦକ ଥିଲେ । ତାଙ୍କ ସ୍ତ୍ରୀ ନିଲୁ ମହାପାତ୍ର ସେଥିରେ ଚିତ୍ର କରୁଥିଲେ । ମହାପାତ୍ର ନୀଳମଣି ସାହୁ ମୋର ସାଙ୍ଗ ଥିଲେ । ଆମେ ଏକାଵର୍ଷରେ ମାଟ୍ରିକ ପାସ କରିଥିଲୁ । କୁଙ୍କୁମ ପତ୍ରିକାରେ ଏକାସାଙ୍ଗରେ ଆମର କବିତା ପ୍ରକାଶ ପାଇଥିଲା । ସେହି ଦିନଠାରୁ ମୋର ସାହିତ୍ୟ ଜୀବନ ଆରମ୍ଭ ହୋଇଥିଲା ।”

ସେ ନିୟମିତ ଭାବରେ କବିତା ଲେଖୁଥିଲେ । ପ୍ରଜାତନ୍ତ୍ର ସାପ୍ତାହିକୀ ଓ ଝଙ୍କାରରେ ତାଙ୍କର ସେ କଵିତା ସବୁ ପ୍ରକାଶ ପାଉଥିଲା । ୧୯୫୧ରେ ତାଙ୍କର ପ୍ରଥମ କଵିତା ସଙ୍କଳନ ‘ କାହାଣୀ ନୁହେଁ ‘ ପ୍ରକାଶ ପାଇଥିଲା । ଯାହାର ମୁଖବନ୍ଧ କାନ୍ତକଵି ଲକ୍ଷ୍ମୀକାନ୍ତ ମହାପାତ୍ର ଲେଖିଥିଲେ । କଵି ଵିନୋଦ ଚନ୍ଦ୍ର ନାୟକ ହଠାତ୍ ଦିନେ ତାଙ୍କୁ କହିଲେ “କଵିତା ବହୁତ ଲେଖାହେଲା ଏବେ ଗପ ଲେଖିଵା ଆରମ୍ଭ ହେଉ । ”

ପରେ ପରେ ତାଙ୍କୁ ହରେକୃଷ୍ଣ ମହତାବ ମଧ୍ୟ ଝଙ୍କାର ପତ୍ରିକା ପାଇଁ ଗପ ଲେଖିଵାକୁ କହିଲେ । ସେମାନଙ୍କର ପ୍ରେରଣାରେ ଅଚ୍ୟୁତାନନ୍ଦ ପତି ଗପ ଲେଖିଵା ଆରମ୍ଭ କଲେ । 

ଜଣେ ଗଣିତ ଶିକ୍ଷକର ଜୀଵନକୁ ନେଇ ସେ ତାଙ୍କର ପ୍ରଥମ ଗପ ‘ପ୍ଲସ ମାଇନସ’ ଲେଖିଥିଲେ । ଛାତ୍ରଛାତ୍ରୀଙ୍କୁ ସରଳ ଓ ସୁନ୍ଦର ଭାବରେ ଗଣିତ ପଢ଼େଇ ପାରୁଥିଵା ଜଣେ ଶିକ୍ଷକ କେମିତି ନିଜର ଵ୍ୟକ୍ତିଗତ ଜୀଵନର ସୂତ୍ର ସମାଧାନରେ ହାରି ଯାଉଛି, ତାହା ହିଁ ଗପଟିର ବିଷୟବସ୍ତୁ ଥିଲା । ତାଙ୍କର ଏ ଗପଟି ମହତାବଙ୍କୁ ବହୁତ ଭଲ ଲାଗିଥିଲା ।

ଗଳ୍ପର ସଂଜ୍ଞା ଵିଷୟରେ ଅଚ୍ୟୁତାନନ୍ଦ ପତି କୁହନ୍ତି

"ମୁଁ ଗଳ୍ପର ଵ୍ୟାକରଣକାର ନୁହେଁ କି ଗଳ୍ପମୁଣ୍ଡି ନୁହେଁ । ଆଜି ପର୍ଯ୍ୟନ୍ତ ଯାହା ଗପ ଲେଖାଯାଇଛି ସେଥିରେ ଗଳ୍ପର ସମ୍ପୂର୍ଣ୍ଣ ସଂଜ୍ଞା ନିରୂପିତ ହୋଇପାରିଵ ବୋଲି ମୁଁ ଭାବୁନାହିଁ । ପ୍ରକୃତରେ କୌଣସି ଏକ ଵିଶେଷ ସଂଜ୍ଞାକୁ ନେଇ ଗପ ଲେଖା ଯାଇପାରେ ନାହିଁ । ଭିନ୍ନ ଭିନ୍ନ ସମୟର ଭିନ୍ନ ଭିନ୍ନ ପୃଷ୍ଠଭୂମି ଉପରେ ଗଳ୍ପର ସଂଜ୍ଞା ନିର୍ଭର କରେ । ନାରୀ ଜାଗରଣକୁ ନେଇ ଗପ ଲେଖାହେଲା କି ନକ୍ସଲପ୍ରଵଣ ଅଞ୍ଚଳ ଵିଷୟ ଉପରେ ଗପ ଲେଖା ହେଲା ପୁଣି ଶ୍ରୀମନ୍ଦିରକୁ ନେଇ ଗପ ଲେଖାହେଲା । ସବୁ ଗଳ୍ପର ପୃଷ୍ଠଭୂମି ସ୍ୱତନ୍ତ୍ର, ତେବେ ତାର କିଛି ସଂଜ୍ଞା ନାହିଁ । ସାମ୍ପ୍ରତିକ ପରିସ୍ଥିତି ଗଳ୍ପର ସଂଜ୍ଞାକୁ ବାରମ୍ବାର ବଦଳାଉଥାଏ ।”

ଲେଖକ ଅଚ୍ୟୁତାନନ୍ଦ ପତି ଓଡ଼ିଆ ସାହିତ୍ୟର ଉନ୍ନତି ସମ୍ବନ୍ଧରେ ଏକ ସାକ୍ଷାତକାରରେ କହିଥିଲେ

“ଆମ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ଏକ ଗୌରଵର ବିଷୟ । ତଥାପି କହିବି ପ୍ରାଚୀନ ଶବ୍ଦମାନଙ୍କୁ ନେଇ ସାହିତ୍ୟ ସୃଷ୍ଟି ହେଉ । ଗାଁର ଭାଷାକୁ ନେଇ ଗପ ଲେଖାଯାଉ । ଅନେକ ଶବ୍ଦ ଏବେ ଲୋପ ପାଇଗଲାଣି । ଓଡ଼ିଆ ସାହିତ୍ୟରେ ଇଂରାଜୀ ଶବ୍ଦର ଵ୍ୟଵହାର କମ୍ କରାଯାଉ । ଲେଖକ କି କଵି ହେଵା ସହଜ ନୁହେଁ । ଶବ୍ଦ ଓ ରକ୍ତ ମିଶିଲେ ଯାଇ ସାହିତ୍ୟ ହୁଏ । ସେକଥା ପିଲାମାନେ ବୁଝନ୍ତୁ । ବହିଥାକ ପାଖରେ ଛିଡ଼ାହୋଇ ଫଟୋ ଉଠେଇ କି ପୁରସ୍କାରର ଲମ୍ବା ତାଲିକା ନେଇ କେହି ସାହିତ୍ୟିକ ହେବେ ନାହିଁ । ବହି ପଢନ୍ତୁ । ପୁରାଣ ଶାସ୍ତ୍ର ବି ପଢ଼ନ୍ତୁ । ସେ ଵିଷୟରେ ବୌଦ୍ଧିକ ଚର୍ଚ୍ଚା ହେଉ । ସାହିତ୍ୟର ସ୍ରୋତ ତ ଆମ ପୁରାଣରୁ ଆରମ୍ଭ । ଵୃତ୍ତିଗତ ପଦ ମର୍ଯ୍ୟାଦା , ପ୍ରକାଶିତ ପୁସ୍ତକର ସଂଖ୍ୟା ଵା ଵୟସ ନଦେଖି ସୃଷ୍ଟିର ଗଭୀରତାକୁ ମପାଯାଉ। ସାହିତ୍ୟ ଆପେ ଆପେ ଉନ୍ନତ ହୋଇଯିଵ । ଲେଖକ ବୋଲି ପରିଚିତ ହେଵାପାଇଁ ନୁହେଁ, ହୃଦୟର ଅତଳ ଗର୍ଭରେ ଉଠୁଥିଵା ଉତ୍ତାଳ ଢ଼େଉକୁ ଅନୁଭୂତି ଓ ଅଭିଜ୍ଞତାର ସ୍ପର୍ଶ ଦେଇ ସାହିତ୍ୟ ରଚିତ ହେଉ” । 

ଅଚ୍ୟୁତାନନ୍ଦ ପତିଙ୍କ ଗଳ୍ପ ‘ଅଶୁଭ ପୁତ୍ରର କାହାଣୀ’ ଓଡ଼ିଆ ଗଳ୍ପ ପରମ୍ପରାରେ ଏକ ମାଇଲଖୁଣ୍ଟ । 'ଅଶୁଭପୁତ୍ରର କାହାଣୀ' ଗଳ୍ପଟି ଗାଳ୍ପିକ ପତିଙ୍କ ଏକ ସଫଳ କ୍ଷୁଦ୍ରଗଳ୍ପ । ଏ ଗଳ୍ପଟି ୧୯୫୬ ମସିହା 'ଡଗର' ପତ୍ରିକାର ବିଂଶବର୍ଷ ପଞ୍ଚମ ସଂଖ୍ୟାରେ ପ୍ରକାଶ ପାଇଥିଲା । ୧୯୭୩ ମସିହାରେ ଅଚ୍ୟୁତାନନ୍ଦ ପତିଙ୍କ ପ୍ରଥମ ଗଳ୍ପ ସଂକଳନ ପ୍ରକାଶ ପାଇଲା, ସେ ସଂକଳନର ନାମ 'ଅଶୁଭପୁତ୍ରର କାହାଣୀ' ଶିରୋନାମରେ ରହିଥିଲା ।

ମାନବେତର ପେଚାକୁ ନେଇ 'ଅଶୁଭପୁତ୍ରର କାହାଣୀ' ଗଳ୍ପଟି ରଚିତ । ଅନ୍ଧାରରୁ ଆଲୁଅକୁ ଆସିଵାର ଇଚ୍ଛା ଓ ନିଜକୁ ଅମଙ୍ଗଳର କୁତ୍ସିତ ପ୍ରତୀକରୁ ମୁକୁଳାଇବାର ପ୍ରଵଣତା ପେଚାକୁ ଏକ ଵିପ୍ଲଵୀ ରୂପରେ ଠିଆ କରାଯାଇଛି ଯାହାର ପରିଣତି ଖୁବ୍ ଦାରୁଣ । 

ଆଖି ଫିଟାଇଲା ପରେ ପ୍ରଥମେ ଅନ୍ଧାର ଦେଖିଥିଵା ପେଚାକୁ ତା ମାଆ ଵାହ୍ଯ ଜଗତର ଯେଉଁ ତୋଫା ତୋଫା ଜହ୍ନ ଆଲୁଅ ଦେଖାଇଥିଲା ସେତକକୁ ସେ ଅହୋଭାଗ୍ୟ ମଣି ଜୀଵନର ଇପ୍ସିତ ସୌନ୍ଦର୍ଯ୍ୟକୁ ଅଣଦେଖା କରିପାରି ନଥିଲା । 

"ଆମେ ଅନ୍ଧାରର ବାସିନ୍ଦା । ଆମେ ଅଶୁଭର ସମ୍ପ୍ରଦାୟ । ଆମେ ଦୁନିଆର ଅଭିଶାପ । ଆମେ ଆଲୁଅ ଖୋଜିଲେ ମରିଵା ।"

 ଅନାଦିକାଳରୁ ଉଚ୍ଚାରିତ ଏହି ପଦକୁ ଘୋଷା ନଧରି ନିଜ ଅଧିକାରକୁ ଜୋର୍ ଜବରଦସ୍ତି ଆଲୁଅ ରାଇଜରେ ରାଜୁତି କରୁଥିଵା ଆଲୁଅ ପୁଅଙ୍କଠୁ ଛଡାଇ ଆଣିଵାର ଦାମ୍ଭିକପଣରେ ସେ କହିଲା

 "ମାଆ ତୁ ଟିକେ ଥୟ ଧର । ମୁଁ ବଡ ହୁଏ ଆଲୁଅ ରାଜ୍ୟକୁ ତୋତେ ଆଲବତ୍ ନେଇଯିବି, ମୁଁ ସବୁ ଶତ୍ରୁକୁ ମା ନିପାତ କରିଦେବି ।" 

ପେଚା ବଡ ହେଲା ଆଲୋକ ରାଇଜକୁ ଜୟ କରିଵାକୁ ବାହାରିଲା । ସେ ଏକା ହିଁ ତା ପକ୍ଷର ବାକି ସବୁତକ ଵିପକ୍ଷର ।

 ଆଲୁଅକୁ ଅକ୍ତିଆର କରି ରଖିଥିଵା ଦଳଦଳ କୁଆଙ୍କର ଆକ୍ରମଣରେ ସେ ଧୀରୁମଲ୍ଲର କୋଠାରେ ଆଶ୍ରୟ ନେଲା । ଜୀଵନଯାକ ପାପପଙ୍କରେ ଲିପ୍ତ ଧୀରୁମଲ୍ଲ ପେଚାକୁ ଅଶୁଭ ଲକ୍ଷଣ କହି ତଡିଦେଲା । 

ଅଧିକାର ଛଡାଇ ନେଇଥିଵା କୁଆ ଓ ଭାଗ୍ୟରେ କଳଙ୍କ ବୋଲିଥିଵା ମଣିଷ ଧୀରୁମଲ୍ଲର ଆକ୍ରମଣରେ ରକ୍ତଜୁଡୁବୁଡୁ ହୋଇ ପେଚା ଆଖି ବୁଜିଲା । ମରିଵା ପୂର୍ବରୁ ସେ ତା ମାଆକୁ କହିଗଲା

 "ମାଆ, ତୁ କାନ୍ଦନା । ମୋର ଆଉ ଭାଇ ହେଲେ ତାଙ୍କୁ କହିବୁ, ତାଙ୍କ ଭାଇ ଆଲୋକ ରାଜ୍ୟ ଜୟ କରିଵାକୁ ଯାଇ ବୀର ପରି ମରିଛି ।"

 ପୂର୍ଵେ ଏହି "ଅଶୁଭ ପୁତ୍ରର କାହାଣୀ" ଗଳ୍ପଟି ଵିଦ୍ୟାଳୟ ପାଠ୍ୟକ୍ରମରେ ସ୍ଥାନିତ ହୋଇଥିଲା । ସେହି ଗପଟି ଏଠାରେ ପୁସ୍ତକ ପୃଷ୍ଠାଚିତ୍ର ଭାବେ ପ୍ରକାଶିତ ହେଲା...

Tuesday, July 19, 2022

ପଦ୍ମପୁରର ବୋଡ଼ାସମ୍ବର

ବରଗଡ଼ ଜିଲ୍ଲାର ପଦ୍ମପୁର ଅଞ୍ଚଳର ଏକ ଗ୍ରାମର ନାମ ହେଉଛି ବୋଡ଼ାସମ୍ବର କିନ୍ତୁ
ପୂର୍ଵେ ବୋଡ଼ାସମ୍ବର ଏକ ଐତିହ୍ୟପୂର୍ଣ୍ଣ ଜମିଦାରୀ ଅଞ୍ଚଳ ଥିଲା ।


 ଏହା ୮୪୧ ଵର୍ଗମାଇଲ ତଥା ୪୭୬ଟି ଗ୍ରାମ ମଧ୍ଯରେ ଵ୍ୟାପ୍ତ ଥିଲା । ବୋଡ଼ାସମ୍ବରର ଦକ୍ଷିଣରେ ୧୦୪୪.୦୮ ମିଟର ଉଚ୍ଚତା ବିଶିଷ୍ଟ ଗନ୍ଧମାର୍ଦ୍ଦନ ପର୍ଵତମାଳା ଅଵସ୍ଥିତ, ପୂର୍ଵ ସୀମାରେ ବଲାଙ୍ଗୀର ଜିଲ୍ଲାର ଆଗଲପୁର, ପଶ୍ଚିମ ଦିଗରେ ନୂଆପଡ଼ା ଜିଲ୍ଲା, ଉତ୍ତର ଦିଗରେ ଛତିଶଗଡ଼ ରାଜ୍ୟର ଫୁଲଝର ଅଞ୍ଚଳ ଅଵସ୍ଥିତ । ଅଧୁନା ଏ ଅଞ୍ଚଳ ସୀମିତ ହୋଇ ବରଗଡ଼ ଜିଲ୍ଲାର ପଦ୍ମପୁର ନଗରଠାରୁ ୧୮ କି.ମି ଦୂରରେ ବୋଡ଼ାସମ୍ବର ଗ୍ରାମ ଭାବେ ଵିଦ୍ୟମାନ । ଇଂରାଜୀରେ ଏ ଅଞ୍ଚଳର ନାମ Borasambar ଲେଖାଯାଉଛି ଏଵଂ ଏଠିକାର ପିନ୍ କୋଡ଼ ହେଲା ୭୬୮୦୩୯ । ଏହି ଅଞ୍ଚଳଟି ରାଜଧାନୀ ଭୁବନେଶ୍ଵରଠାରୁ ପ୍ରାୟ ୩୫୦ କି.ମି ଦୂରରେ ଅଵସ୍ଥିତ। 

କିମ୍ବଦନ୍ତୀ ଅନୁସାରେ ପ୍ରାଚୀନ କାଳରେ ଵୀର ବାରଭାଇ ବେଣ୍ଟକାର ଅରଣ୍ୟ ଭିତରେ ପରିଭ୍ରମଣ କରୁକରୁ ଏହି ଜମିଦାରୀ ଅଞ୍ଚଳ ପ୍ରତିଷ୍ଠା କରିଥିଲେ ।

ବୋଡ଼ାସମ୍ବର , ପଦ୍ମପୁର ଉପଖଣ୍ଡର ଐତିହ୍ୟପୂର୍ଣ୍ଣ ଅଞ୍ଚଳ ଵିଵେଚିତ ହୋଇଥାଏ । ଅରଣ୍ୟ ଦ୍ୱାରା ଆଚ୍ଛାଦିତ ଏହି ଗ୍ରାମ ବୋଡ଼ାସମ୍ବର ଗଡ଼ଜାତର କେନ୍ଦ୍ରସ୍ଥଳୀ ଥିଲା ।

କୁହାଯାଏ ବୋଡ଼ାସମ୍ବରରେ ବିଞ୍ଜାଲ,କନ୍ଧ,ଶବର ତଥା ଗଣ୍ଡ ଜାତିର ମୁଖିଆମାନେ ଅନେକ ସଂଖ୍ୟାରେ କ୍ଷୁଦ୍ରକ୍ଷୁଦ୍ର ରାଜ୍ୟଗୁଡ଼ିଏ ପ୍ରତିଷ୍ଠା କରିଥିଲେ । 

ବିଂଝାଲମାନଙ୍କ ଦ୍ଵାରା କଥିତ କିମ୍ବଦନ୍ତୀ ଅନୁସାରେ ଏମାନଙ୍କ ପୂର୍ଵପୁରୁଷ ବାରଭାଇ ବେଣ୍ଟକାର । ପ୍ରତ୍ୟେକ ଭ୍ରାତା କେତେଗୁଡ଼ିଏ ଗ୍ରାମକୁ ନେଇ ପ୍ରଶାସନିକ ଖଣ୍ଡର ଶାସନ ଭାର ଗ୍ରହଣ କରିଥିଲେ ।

ବାରଭାଇଙ୍କ ମଧ୍ୟରେ ସୂର୍ଯ୍ୟ ବରିହା ଥିଲେ ଜ୍ୟେଷ୍ଠ ଭ୍ରାତା । ‘ଶ୍ରୀ ନୃସିଂହ ମାହାତ୍ମ୍ୟ’ ଅନୁଯାୟୀ ସୂର୍ଯ୍ୟ ବରିହା ହେଉଛନ୍ତି ବୋଡ଼ାସମ୍ବର ଗଡ଼ଜାତର ପ୍ରଥମ ରାଜା ।

 ୧୮୯୯ ମସିହାରେ ଲାଲ ରାଜେନ୍ଦ୍ର ସିଂହ ବରିହା ରାଜ୍ୟର ଶାସନ ଭାର ବହନ କରିଥିଲେ । ଶାସନର ଗୁରୁତ୍ଵକୁ ଉପଲବ୍ଧି କରି ସେ ପଦ୍ମପୁରକୁ ରାଜଧାନୀ ରୂପେ ବାଛିଥିଲେ । ବୋଡ଼ାସମ୍ବର ଏକ ଶୃଙ୍ଖଳିତ, ଐତିହ୍ୟ ସମ୍ପନ୍ନ,ଶକ୍ତିଶାଳୀ ତଥା କ୍ଷମତାପୂର୍ଣ୍ଣ ଗଡ଼ଜାତ ଅଞ୍ଚଳ ରୂପେ ସୁଖ୍ୟାତି ବହନ କରିଥିଲା । 
 

ବୋଡ଼ାସମ୍ବର ନାମକରଣ ପଛରେ କିମ୍ବଦନ୍ତୀମୂଳକ ଆଖ୍ୟାନ ରହିଛି । ବାରଭାଇ ବେଣ୍ଟକାର ଶିକାର ଉଦ୍ଦେଶ୍ୟରେ ନିଘଞ୍ଚ ଅରଣ୍ୟ ଭିତରେ ବୁଲୁଥିଲା ବେଳେ ଏକ ଅଦ୍ଭୁତ ଦୃଶ୍ୟ ଦେଖି ଚମକି ପଡ଼ିଲେ । 

ଶ୍ଵେତ ଵରାହ ଓ ଶ୍ଵେତ ଶଶା ଭିତରେ ମରଣାନ୍ତକ ଲଢ଼େଇ ଚାଲିଥିଲା । ଜ୍ୟେଷ୍ଠ ଭ୍ରାତା ପ୍ରଵଳ ସିଂ ଶର ନିକ୍ଷେପ କଲେ । ତାହା ଲକ୍ଷ୍ୟଭ୍ରଷ୍ଟ ହୋଇ ଵରାହ ଶଶକ ସହ ପୂର୍ଵ ଦିଗକୁ ଗଲା । ଶୁଣାଯାଏ ସ୍ଵୟଂ ଜଗନ୍ନାଥ ଵରାହ ରୂପ ଧାରଣ କରିଥିଲେ । 


ମାୟାଧର ପ୍ରଭୁ ଵରାହ ରୂପୀ ଜଗନ୍ନାଥ ପୁରୀ ଶ୍ରୀମନ୍ଦିରରେ ପଶିଗଲେ ଏଵଂ ଯାଉଁଳା କବାଟଟିକୁ ବନ୍ଦ କରିଦେଲେ । ଫଳତଃ ଶ୍ରୀମନ୍ଦିରର ମୁଖ୍ୟ ଦରଜାରେ ଶରଟି ଲାଖି ରହିଲା । ସମସ୍ତ ମଲ୍ଲଯୋଦ୍ଧା ଆପ୍ରାଣ ଉଦ୍ୟମ କଲେ ସୁଦ୍ଧା ଶରଟିକୁ ବାହାର କରି ପାରିଲେନି । 

ବାରଭାଇ ବେଣ୍ଟକାର ପୁରୀରେ ପହଞ୍ଚି ନିଜର ଶରଟିକୁ ଅନାୟସରେ ଚିହ୍ନି ପାରିଲେ । ମହାରାଜାଙ୍କର ଅନୁମତିକ୍ରମେ ଶରଟିକୁ ବାହାର କରି ବଳଶାଳୀର ପରିଚୟ ଦେଇଥିଲେ । ସନ୍ତୁଷ୍ଟ ହୋଇ ମହାରାଜ କହିଲେ ‘ତୁମେ ଗନ୍ଧମାର୍ଦ୍ଦନର ପାଦଦେଶରେ ଥିବା ‘ମଣିଦାକାନନ’ ରେ ନିଜ ଗଡ଼ ସ୍ଥାପନ କର । ଏକ ଵରାହ ଵା ବାର୍ହା ପଛରେ ଧାବନ କରି କ୍ଷତ୍ରିୟ ଧର୍ମ ପାଳନ କରିଥିବାରୁ ତୁମକୁ ‘ବରିହା’ ଉପାଧି ପ୍ରଦାନ କରାଗଲା ।’ 


ଗଜପତିଙ୍କ ଠାରୁ ମେଲାଣି ନେଇ ବାଟରେ ଲୁହୁରା କନ୍ୟା ସୁଲୋଚନାକୁ ପ୍ରବଳ ସିଂ ଵିଵାହ କଲେ । ମଣିଦାକାନନରେ ରାଜ୍ୟ ପ୍ରତିଷ୍ଠା କରି ଵସଵାସ କଲେ । ଜଙ୍ଗଲରେ ଭ୍ରମଣ କରୁଥିଲାବେଳେ ବାରଭାଇ ବେଣ୍ଟକାର ଵିଚିତ୍ର ଦୃଶ୍ୟର ଅଵଲୋକନରେ ଆତ୍ମହରା ହୋଇପଡ଼ିଲେ ।

 ବୁଡ଼ା(ବୋଡ଼ା)ସାପଟିଏ ଵିରାଟ ସମ୍ବରକୁ ଆକ୍ରମଣ କରୁଥିଲାବେଳେ ଦୁହିଁଙ୍କ ଉପରକୁ ଶର ନିକ୍ଷେପ କଲେ । ସାପଟି ସମ୍ପୂର୍ଣ୍ଣ ରୂପେ ସମ୍ବରକୁ ଗିଳି ପଳାୟନ କରୁଥିଲେ ମଧ୍ୟ ସମ୍ବରର ମୁନିଆଁ ଶିଙ୍ଘରେ ଆକ୍ରାନ୍ତ ହୋଇ ସେଠି ଟଳି ପଡିଲା । ଏ ସ୍ଥାନଟି ବୀର ମାଟି । ଶତ୍ରୁ ହେଲେ ବି ପରାସ୍ତ ହୋଇପାରେ ଅନାୟସରେ । ଏମନ୍ତ ବିଚାରି ବାରଭାଇ ବେଣ୍ଟକାର ଗଡ଼ ତିଆରିଲେ । ‘ନୃସିଂହ ମାହାତ୍ମ୍ୟ’ ରେ ଲିଖୁତ ଅଛି – 
 
"ବିଂଝାଲ ରାଜାଙ୍କ ସେହି ମୁଖ୍ୟଗଡ଼ ହେଲା ରାଜବୋଡାରେ ସେ ଗଡ଼ ବିଖ୍ୟାତ ହୋଇଲା ।
 ଅରଣ୍ୟ କଟାଇ ତହିଁ ଗ୍ରାମ ବସାଇଲେ ସେଦିନୁ ସମସ୍ତେ ବୁଡ଼ା ସମ୍ବର ବୋଇଲେ ।"
 
ମଶିଦାକାନନର ନାମ ପରିବର୍ତ୍ତିତ ହୋଇ ବୁଡ଼ାସମ୍ବର/ ବୋଡ଼ାସମ୍ବର ବୋଲି ନାମିତ ହେଲା । 

ଏବେ ବି ପଦ୍ମପୁର ଉପଖଣ୍ଡକୁ ବୋଡ଼ାସମ୍ବର ବୋଲି କୁହାଯାଉଛି । 

ତେବେ ଏହା ତ ପୌରାଣିକ ଵା କିମ୍ବଦନ୍ତୀ ମୂଳକ ମତ କିନ୍ତୁ ଐତିହାସିକଙ୍କ ମତାନୁଯାୟୀ ବୁଡ଼ାସମ୍ବର ଵା ବୋଡ଼ାସମ୍ବର ଶବ୍ଦର ମୂଳ ସମ୍ଭଵତଃ ବୁଦ୍ଧ ସମ୍ବତ୍ସର । 

ବୁଦ୍ଧ ଶବ୍ଦକାଳ କ୍ରମେ ପରିଵୃତ୍ତ ହୋଇ ବୁଡା ହୋଇଛି । ସମ୍ବତ୍ସର ଶବ୍ଦରୁ ସମ୍ବଅର ଵା ସମ୍ବର ହୋଇ ବୁଡ଼ାସମ୍ବର ଵା ବୋଡ଼ାସମ୍ବରର ନାମକରଣ ହୋଇଥିବାର ପ୍ରମାଣ ମିଳେ । 

ବୋଡ଼ାସମ୍ବରରେ ମାର୍ଜାର କେଶରୀ ଵୈଷ୍ଣଵ ଧର୍ମର ଦେଵତା ପୂଜା ଦେଖିଵାକୁ ମିଳେ । ଏ ଅଞ୍ଚଳ ବୌଦ୍ଧଧର୍ମ ସାଧନାର ପୀଠ ଥିଲା । ଗନ୍ଧଗିରି/ଗନ୍ଧମାର୍ଦନ ଗିରିର ପାଦଦେଶରେ ବୁଦ୍ଧସମ୍ବତ୍ସର ଵୈଶାଖ ପୂର୍ଣ୍ଣିମାରେ ଅନୁଷ୍ଠିତ ହେଉଥିଲା । କାଳକ୍ରମେ ଜନଵସତି ସ୍ଥାପନ ହେଵା ସହ ଏହି ସ୍ଥାନର ନାଁ ବୋଡ଼ାସମ୍ବର ହୋଇଥିଵାର ଜଣାପଡ଼େ ।


ଆଜି ବୋଡ଼ାସମ୍ବରର ନାମ ଏକ ଗ୍ରାମ ମଧ୍ୟରେ ସୀମିତ ହୋଇଯାଇଥିଲେ ବି ପଦ୍ମପୁର ନଗରର ଵିଭିନ୍ନ ସ୍ଥାନରେ ବୋଡ଼ା ଓ ସମ୍ବରର ଲଢ଼ାଇକୁ ପ୍ରତିମା ରୂପେ ସ୍ଥାପନା କରାଯାଇଛି ପୁଣି 
ପଦ୍ମପୁର ଅଞ୍ଚଳର ସ୍ଥାନୀୟ ପ୍ରତୀକ ହୋଇଯାଇଛି ବୋଡ଼ା ଓ ସମ୍ବର ଲଢ଼ାଇ । ଏହା ସୂଚାଇ ଦିଏ ଯେ ଏକଦା ଏ ପଦ୍ମପୁର ଅଞ୍ଚଳଟି ବୋଡ଼ାସମ୍ବର ନାମରେ କଥିତ ହେଉଥିଲା । 

••••••••••••••••••••••••
ଆଲେଖ୍ୟ—ଶିଶିର ସାହୁ ମନୋଜ 
କନ୍ତିଓ ପୁଟସାହି, ଢେଙ୍କାନାଳ 
•••••••••••••••••••••••••

Monday, July 18, 2022

ହଜିଯାଇଥିଵା ଏକ ପ୍ରାଚୀନ ଓଡ଼ିଆ ଶବ୍ଦ;ଦାରାକ୍ଷ

ଅଙ୍ଗୁର କୋଳିକୁ କିଏ ନ ଜାଣେ ? ସାରା ପୃଥିଵୀର ଯେକୌଣସି ହାଟବଜାରରେ ଆଉ କିଛି ମିଳୁ କି ନମିଳୁ ଅଙ୍ଗୁର କୋଳି ନିଶ୍ଚୟ ମିଳିଯାଏ । ସାଧାରଣତଃ Vitis ପ୍ରଜାତିର ୮୧ରୁ ଅଧିକ ଜାତିର ଗଛମାନଙ୍କୁ ଅଙ୍ଗୁର ଵା grapevine ଵିଦିତ କରାଯାଇଥାଏ। ତନ୍ମଧ୍ୟରେ ୬୫ଟି ଅଙ୍ଗୁର ଜାତୀୟ ପାଦପ ଏସିଆରେ,୨୫ଟି ଜାତିର ଅଙ୍ଗୁର ଗଛ ଆମେରିକା ତଥା Vitis vinifera ନାମକ ଅଙ୍ଗୁର ଜାତି ୟୁରୋପରେ ମୂଳତଃ ଉତ୍ପତ୍ତି ଲଭିଥିଵା ଜଣାଯାଇଛି । କେତେକ ଗଵେଷକ କୁହନ୍ତି ଯେ ଭାରତକୁ ଦ୍ରାକ୍ଷାଫଳ ଵା ଅଙ୍ଗୁରକୁ ପୂର୍ଵ ଏସିଆରୁ ପାରସ୍ୟର ଲୋକେ ୧୩୦୦ ଖ୍ରୀଷ୍ଟାବ୍ଦରେ ଆଣିଥିଲେ । 

କିନ୍ତୁ କେତେକ ପୁରାତନ ସଂସ୍କୃତ ଗ୍ରନ୍ଥରେ ଦ୍ରାକ୍ଷାର ଉଲ୍ଲେଖ ଏହି ମତ ପ୍ରତି ସନ୍ଦେହ ଜାତ କରାଇଥାଏ । ନିମ୍ନରେ ପ୍ରାଚୀନ ଗ୍ରନ୍ଥରେ ଦ୍ରାକ୍ଷା ଶବ୍ଦ ପ୍ରୟୋଗ ହୋଇଥିଵାର କେତେକ ଉଦାହରଣ ପ୍ରଦତ୍ତ ହେଲା...

"ଅଭୟାମଳକଂ ଦ୍ରାକ୍ଷା ପିପ୍ପଳୀ କଣ୍ଟକାରିକା । ଶୃଙ୍ଗୀ ପୁନର୍ନଵା ଶୁଣ୍ଠୀ ଜଗ୍ଧା କାସଂ ନିହନ୍ତି ଵୈ ॥"
 (୧,୧୯୩.୧୧,ଗରୁଡ଼ପୁରାଣ)

“ପୁନ୍ନାଗା ଶୋକ ବକୁଳ ଶମୀ ତିଳକ ଚମ୍ପକାନ୍। 
ଦାଡ଼ିମୀ ପିପ୍ପଳୀ ଦ୍ରାକ୍ଷା ତଥା କୁସୁମମଣ୍ଡପାନ୍ ॥” 
(ମତ୍ସ୍ୟ ପୁରାଣ,ଅଧ୍ୟାୟ ୨୫୫)
 
"କାରଵ୍ଯଜାଜୀମରିଚଂ ଦ୍ରାକ୍ଷା ଵୃକ୍ଷାମ୍ଲଦାଡ଼ିମମ୍ ।
 ସୌଵର୍ଚ୍ଚଳଂ ଗୁଡ଼ଂ କ୍ଷୌଦ୍ରଂ ସର୍ଵାରୋଚନନାଶନମ୍ ॥"
 (ଅଗ୍ନିପୁରାଣ ଅଧ୍ୟାୟ ୨୮୫)

ବହୁଭାର୍ଯ୍ୟା ନାରିକେଳା ଦ୍ରାକ୍ଷା ସର୍ଵାଙ୍ଗସୁନ୍ଦରୀ। 
ରତିପ୍ରଦା ତଥା କୋଳୀ କେତକୀ ଶତ୍ରୁନାଶିନୀ ॥”
(ପଦ୍ମପୁରାଣ, ସୃଷ୍ଟି ଖଣ୍ଡ)

"ମାଂସାକ୍ଷଂ ଦୁଵିଶାକଂ ଚ ବୁବୁଚେତା କୁରସ୍ତଥା ।
 କଫାଳକଂ କଣା ଦ୍ରାକ୍ଷା ଲକୁଚଂ ଚୋଚମେଵ ଚ ॥"
 (ବ୍ରହ୍ମାଣ୍ଡପୁରାଣ,ମଧ୍ଯଭାଗ)

“ଉଦୁମ୍ବରଂ ନାଳିକେରଂ ଦ୍ରାକ୍ଷା ଚ ବୃହତୀଦ୍ଵୟମ୍ ।
କଙ୍କାଳୀ କାକତୁଣ୍ଡୀରଂ କରୀରକୁଟଜଂ ଶମୀ ॥”
(ଭଵିଷ୍ୟପୁରାଣ,ଉତ୍ତରପର୍ଵ)

 “ଅମ୍ଲଂ ପରୂଷକଂ ଦ୍ରାକ୍ଷା ବଦରାଣ୍ଯାରୁକାଣି ଚ । 
 ପିତ୍ତଶ୍ଲେଷ୍ମପ୍ରକୋପୀଣି କର୍କନ୍ଧୁନିକୁଚାନ୍ଯପି ॥”
 
(ଚରକ ସଂହିତା - ୧,୨୭)

ତେବେ କେହି କେହି ଦ୍ରାକ୍ଷା ଶବ୍ଦର ଶାସ୍ତ୍ରରେ ପ୍ରୟୋଗକୁ ଅର୍ଵାଚୀନ କହିପାରନ୍ତି କାରଣ ପୂର୍ଵେ ପ୍ରାଚୀନ ଶାସ୍ତ୍ର ଏକ ପିଢ଼ିରୁ ଅନ୍ୟ ପିଢି଼କୁ ଜ୍ଞାନ ଆକାରରେ ପ୍ରଦାନ କରାଯାଉଥିଵାରୁ ତହିଁରେ ସମୟ ସହ ପରିଵର୍ତ୍ତନ ହୋଇଥିଵା ସମ୍ଭଵ । 

ହେଲେ ଏମନ୍ତ ହୋଇପାରେ ଯେ ଭାରତରେ ଅଙ୍ଗୁରକୋଳି ଵିଷୟରେ ବହୁତ ଆଗରୁ ଲୋକେ ଜାଣିଥିବେ ତେଣୁ ଏହାର ଅନେକ ଭାରତୀୟ ନାମ ଦିଆଯିଵା ସହ ଏଥିରୁ ଵିଭିନ୍ନ ପାନୀୟ ପ୍ରସ୍ତୁତ ହେଉଥିଲା ଫଳରେ ତହିଁର ଅନେକ ଶାସ୍ତ୍ରୀୟ ନାମ ଥିଵା ଜଣାଯାଏ । ଅଙ୍ଗୁର କୋଳିରୁ ପ୍ରସ୍ତୁତ ମଦ୍ୟକୁ ପରିସ୍ରୁତା,ମଦ୍ଧିକ,ମାଧ୍ଵୀକ,ମାର୍ଦ୍ଦିକ ଓ ସ୍ଵାଦୁରସା ଆଦି କୁହାଯାଉଥିଲା । ପୁନଶ୍ଚ ରାଗଷଡ଼ଵ ନାମରେ ଅଙ୍ଗୁର କୋଳିର ରସରୁ ଏକ ପ୍ରକାରର ଉତ୍କୃଷ୍ଟ ପାନୀୟ ମଧ୍ୟ ପ୍ରସ୍ତୁତ ହେଉଥିଲା ।‌ ଆଗେ ମୁଗର ୟୂଷରେ ଡ଼ାଳିମ୍ବର ଓ ଦ୍ରାକ୍ଷାର ରସ ମିଶ୍ରିତ କରି ଯେଉଁ ସୁଖକର ପାନୀୟ ପ୍ରସ୍ତୁତ ହେଉଥିଲା ତାକୁ ରାଗଷଡ଼ଵ କୁହାଯାଉଥିଲା । 

ଏ ଦେଶରେ "ଅଙ୍ଗୁର କୋଳି" ପ୍ରାଚୀନ କାଳରୁ ଅନ୍ତତଃ ୨୦୦୦ ଵର୍ଷ ପୂର୍ଵରୁ ଖାଦ୍ୟ ରୂପେ ଵ୍ୟଵହୃତ ଅତଃ ଏହାର ଅନେକ ଶାସ୍ତ୍ରୀୟ ନାମ ରଖାଯାଇଥିଲା ।
ଅଙ୍ଗୁର କୋଳିର 
ଦ୍ରାକ୍ଷା,ମୃଦ୍ଵୀକା,ଗୋସ୍ତନୀ,ସ୍ଵାଦ୍ଵୀ,ମଧୁରସା,
ଚାରୁଫଳ,କୃଷ୍ଣା,ପ୍ରିୟାଳା,ତାପସପ୍ରିୟା ,ଗୁଚ୍ଛଫଳା,ରସାଳା,ଯକ୍ଷ୍ମଘ୍ନୀ,ଶତଵୀର୍ଯ୍ୟା,ହରହ୍ବରା, ଅମୃତଫଳା ,ହାରଭୂରା ,କ୍ଷୌଦ୍ର ଓ ରସା ଇତ୍ୟାଦି ଅନେକ ଶାସ୍ତ୍ରୀୟ ନାମ ରହିଛି ତେବେ ଏହି ସବୁ ନାମ ମଧ୍ୟରେ ଦ୍ରାକ୍ଷା ନାମଟି ଅଧିକ ଲୋକପ୍ରିୟ ।‌

ଅଙ୍ଗୁର କୋଳିର ଶାସ୍ତ୍ରୀୟ ନାମ 'ଦ୍ରାକ୍ଷା'ର
ନିରୁକ୍ତି ଵିଷୟରେ କଳ୍ପଦ୍ରୁମ ସଂସ୍କୃତ ଅଭିଧାନରେ ଲେଖାଅଛି...

"ଦ୍ରାଙ୍କ୍ଷ୍ଯତେ କାଙ୍କ୍ଯତେ ଇତି ।
 ଦ୍ରାକ୍ଷି କାଙ୍କ୍ଷେ + ଘଞ୍ ।ଆଗମଶାସନସ୍ଯାନିତ୍ଯତ୍ଵାତ୍ ନ ଲୋପଃ ।"

କିନ୍ତୁ ଓଡ଼ିଆ ଭାଷାରେ ଦ୍ରାକ୍ଷା ଶବ୍ଦଟି ସାହିତ୍ୟରେ ହିଁ ସୀମିତ ଭାବେ ଵ୍ୟଵହୃତ ଏଵଂ କଥିତ ଓଡ଼ିଆ ଭାଷାରେ ସାଧାରଣତଃ ଅଙ୍ଗୁର ଶବ୍ଦ ହିଁ ପ୍ରଚଳିତ ଅଛି । 

କିନ୍ତୁ ଅନେକ ଓଡ଼ିଆ ଜାଣିନଥିବେ ଯେ ଏହି ଅଙ୍ଗୁର ଶବ୍ଦଟି ଏକ ଵୈଦେଶିକ ଶବ୍ଦ ଏଵଂ ଏହି ଶବ୍ଦଟି ପାର୍ସୀ ମୂଳର ଶବ୍ଦ ଅଟଇ । 

ଆଜି ଏସିଆ ମହାଦେଶର ଅନେକ ଭାଷାରେ ଅଙ୍ଗୁର ଶବ୍ଦ ଭିନ୍ନ ଭିନ୍ନ ରୂପରେ ପ୍ରଚଳିତ ଏମନ୍ତକି ପ୍ରାଚୀନ ଗ୍ରୀକ୍ ଭାଷାରେ ମଧ୍ୟ ଅଙ୍ଗୁର ଶବ୍ଦଟି άγγουρα (ángoura) ରୂପେ ପ୍ରଚଳିତ ଥିଵା ଜଣାଯାଏ । 

'vitis' Genus ଅନ୍ତର୍ଗତ ଅନେକ speciesର ଲତିକାକୁ ଅଙ୍ଗୁର କୁହାଯାଏ । ଉତ୍ତର ଆମେରିକା, ମଧ୍ୟ ଏସିଆ,ହିମାଳୟ ପର୍ଵତମାଳା ତଥା ପୂର୍ଵ ଏସିଆରେ ଏ ଲତିକାଟି ଭିନ୍ନ ଜାତିରେ ମିଳିଥାଏ ଏଵଂ ଆଧୁନିକ ଗ୍ରାଫ୍ଟିଙ୍ଗ୍ ଯୋଗୁଁ ଆଜି ନୂଆ ନୂଆ କିସମର ଅଙ୍ଗୁର କୋଳି ଆମେ ଵିପଣିମାନଙ୍କରେ ଦେଖିଵାକୁ ପାଇଥାନ୍ତି । 

ଅଙ୍ଗୁର ଶବ୍ଦର ମୂଳ ଅସ୍ପଷ୍ଟ କିନ୍ତୁ ଏହା ପାର୍ସୀ ତଥା ଗ୍ରୀକ୍ ଭାଷାରେ ଚଳୁଥିଵା ଜଣାଯାଏ ‌ । 

ଆରବୀରେ ଅଙ୍ଗୁରକୁ عِنَب (ʿinab) କୁହାଯାଏ । ଭାଷାଵିଦମାନେ ଏହାର ମୂଳ ଆରବିକ୍ ଧାତୁରୂପ ع ن ب
 (ʿ-n-b) ନିର୍ଣ୍ଣୟ କରିଛନ୍ତି । ପ୍ରାକ୍ ସେମେଟିକରେ *ʿanbab ଶବ୍ଦ ଫଳ ଓ ପୁଷ୍ପ ଅର୍ଥରେ ପ୍ରୟୋଗ ହେଉଥିଲା । ଆରବିକ୍ عُنَّاب‎ (ʿunnāb, “jujube”), ହିବ୍ରୁ עֵנָב‎ (ʿēnāḇ, “grape”) ଓ עֲנָבָה‎ (ʿănāḇā), ଆରାମାଇକ୍ עֲנָבָא‎ (ʿănnāḇā, “stalk of grapes”) , עִנְּבָא‎ (ʿinneḇā, “cluster of grapes”), עִנְבְּתָא‎ (ʿinbəṯā, “berry”), ଶାସ୍ତ୍ରୀୟ ସିରିଆଇକ୍‌ରେ Syriac ܥܷܢܒ݂݁ܳܬܐ‎ (ʿinbəṯā, “berry”), ୟୁଗାରିଟିକ୍‌ରେ 𐎙𐎐𐎁 (ġnb, “grape(s)”), ସାବାଇଆନରେ 𐩲𐩬𐩨‎ (ʿnb, “vineyard”), ଗୀଜ୍ ଭାଷାରେ ሕንባብ (ḥənbab), ሕባብ (ḥəbab, “grape; grain”), ଓ thus حَبّ‎ (ḥabb, “seed”), ତଥା ଆକ୍କାଡି଼ଆନ୍ ଭାଷାରେ 𒄧 (inbum, “fruit”) ଇତ୍ୟାଦି ଶବ୍ଦ ଏହା ସହିତ ସମୋଦ୍ଧୃତ । 

ସେହିପରି ଇଂରାଜୀ ଭାଷାରେ ଅଙ୍ଗୁରକୁ grape କୁହାଯାଏ ଯାହା ଫ୍ରେଞ୍ଚ୍ ମୂଳର grape, grappe, crape (“ଫଳ ଵା ଫୁଲର ପେନ୍ଥା,ଅଙ୍ଗର ପେନ୍ଥା) ଶବ୍ଦରୁ ନିଆଯାଇଛି । Grape ଶବ୍ଦର ମୂଳ ଭାରୋପୀୟ ଶବ୍ଦରୂପ *ger- (“to turn, bend, twist”) ବୋଲି ପାଶ୍ଚାତ୍ୟ ଭାଷାଵିଦମାନଙ୍କ ମତ ।  

ଏହା ଜାଣି କେହି କେହି ଆପଣା ମନରେ ଭାବି ପାରନ୍ତି ଯେ ସେମେଟିକ୍ ମୂଳର ʿanbab
ଓ ଭାରୋପୀୟ ମୂଳର *ger ମୂଳ ଶବ୍ଦଦ୍ଵୟକୁ ଯୁକ୍ତ କରି ପାର୍ସୀରେ ଅଙ୍ଗୁର ଶବ୍ଦଟି ସୃଷ୍ଟି ହୋଇଥାଇପାରେ କିନ୍ତୁ ଏହା ହେଵା ସେତେଟା ସହଜ ନୁହେଁ କି ଏମିତି ଗୋଟିଏ ଶବ୍ଦ ସହଜରେ ପୁଣି ତତ୍କାଳୀନ ଵିଶ୍ଵରେ ସୃଷ୍ଟି ହୋଇନପାରେ । 

ମତାନ୍ତରେ ସଂସ୍କୃତ ଅଞ୍ଜୀର ଶବ୍ଦ ସହିତ ଅଙ୍ଗୁର ଶବ୍ଦ ସମୋଦ୍ଧୃତ ହୋଇଥିଵା ସମ୍ଭଵ । କଳ୍ପଦ୍ରୁମ ସଂସ୍କୃତ ଅଭିଧାନରେ ଅଞ୍ଜୀର ଶବ୍ଦର ନିରୁକ୍ତି ଲେଖାଅଛି

"ଅଞ୍ଜ + ଭାଵେ ଇଞ୍ ସ୍ତ୍ରିୟାଂ ଵା ଙୀପ୍ ଅଞ୍ଜୀମ୍ ଅଗ୍ନିକାରିତ୍ଵାଦି ଗୁଣଂ ରାତି ଦଦାତି ଅଞ୍ଜୀ ଆତୋଽନୁପସର୍ଗେ ଇତି କର୍ତ୍ତରି କଃ । ଅଥଵା ଅଞ୍ଜ + ଈରମ୍" 

ସାଧାରଣତଃ ଡିମ୍ବିରି ଫଳକୁ ସଂସ୍କୃତ ଭାଷାରେ ଅଞ୍ଜୀର କୁହାଯାଏ । ସମ୍ଭଵତଃ ଅଞ୍ଜୀର ଵା ଡିମ୍ବିରି ଭଳି ଦୃଶ୍ୟ ହେଉଥିଵାରୁ ଏଵଂ ଏକ ସ୍ଥାନରେ ପେନ୍ଥା ପେନ୍ଥା ହୋଇ ଫଳୁଥିଵାରୁ ସେହି ଅର୍ଥ ଘେନି ଅଙ୍ଗୁର ଫଳର ପ୍ରଥମେ ପାର୍ସୀରେ ଅଞ୍ଜୀର ନାମକରଣ ହୋଇଥିଲା ଏଵଂ ପରେ ତାହା ପରିଵର୍ତ୍ତିତ ହୋଇ ଅଙ୍ଗୁର ଶବ୍ଦ ରୂପେ ଚଳୁଅଛି । 

କିଛି ଲୋକ ସଂସ୍କୃତ ଅଙ୍ଗୁଳ ଶବ୍ଦ ସହିତ ପାର୍ସୀରେ ଅଙ୍ଗୁର୍ ଶବ୍ଦର ଵାହ୍ୟ ସାମଞ୍ଜସ୍ୟ ଦେଖି ଅନୁମାନ କରନ୍ତି ଯେ ଏ ଉଭୟ ଶବ୍ଦ ସମୋଦ୍ଧୃତ ହୋଇଥିବେ । ସେମିତି ବି ଅଙ୍ଗୁର କୋଳିର ଆକାର ଆଙ୍ଗୁଠି ପରି ହୋଇଥାଏ । କିନ୍ତୁ ପାର୍ସୀରେ 
ଆଙ୍ଗୁଠିକୁ انگشد‎(angošt) ଓ انگشت(angošd)କୁହାଯାଏ ଏଵଂ ଏହାର ମଧ୍ୟ ଯୁଗୀୟ ଶବ୍ଦରୂପ ʾngwst ଥିଲା । ସେହିପରି ଅଙ୍ଗୁର୍ ଶବ୍ଦର ମଧ୍ୟଯୁଗୀୟ ପାର୍ସୀ ରୂପ ngwl (angūr, “grape”) ଥିଲା ତଥା ଏହା ସଂସ୍କୃତ ଅଙ୍ଗୁଷ୍ଠ ସହିତ ସମୋଦ୍ଧୃତ । 

ଅନ୍ୟ ଏକ ଶବ୍ଦ ଅଛି ଯହିଁ ସହିତ ଅଙ୍ଗୁର ଶବ୍ଦର ସଗୋତ୍ରୀୟ ସମ୍ପର୍କ ଥିଵା ଅନୁମାନ କରାଯାଇପାରେ । ସେହି ଶବ୍ଦଟି ହେଉଛି ଅଙ୍କୁଡି଼ ଵା ଆଙ୍କୁଡି଼ ! କିନ୍ତୁ କେମିତି ?

ଅଙ୍କୁଡି଼ ଵା ଆଙ୍କୁଡି଼ କେମିତି ଅଙ୍ଗୁର ଶବ୍ଦ ସହିତ ସମୋଦ୍ଧୃତ ହୋଇପାରେ ତାହା ଜାଣିଵା ପାଇଁ ଆମକୁ ଇଂରାଜୀ ଭାଷାରେ ପ୍ରଚଳିତ Grape ଶବ୍ଦର ନିରୁକ୍ତି ଵିଷୟରେ ଜାଣିଵାକୁ ହେଵ । 

ଆମେ ସମସ୍ତେ ଜାଣନ୍ତି ଯେ ଇଂରାଜୀ ଭାଷାରେ ଅଙ୍ଗୁରକୁ Grape କୁହାଯାଏ ଏଵଂ କେତେକ ଭାଷାଵିଦ କୁହନ୍ତି ପ୍ରାଚୀନ ଜର୍ମାନ‌ର krapfo(hook) ଶବ୍ଦଟି ହିଁ ଆଜି ପରିଵର୍ତ୍ତିତ ହୋଇ ଇଂରାଜୀ ଭାଷାରେ Grape ହୋଇଅଛି । ଅନ୍ୟ କେତେକଙ୍କ ମତରେ ଫ୍ରାଙ୍କିସ୍ ଭାଷାର krappō(Hook) ଶବ୍ଦ ପରେ Grape ହୋଇଅଛି । ତେବେ "Grape" ! ଏହି ଶବ୍ଦଟି ପ୍ରୋକ୍ତ ଦୁଇଗୋଟି ଶବ୍ଦ ମଧ୍ୟରୁ ଯେଉଁ ମୂଳରୁ ବି ଆସିଥାଉ ଏହାର ପ୍ରାଚୀନ ଶବ୍ଦରୂପର ପ୍ରାରମ୍ଭିକ ଅର୍ଥ ଥିଲା Hook ଵା ଅଙ୍କୁଶ/ଆଙ୍କୁଡି଼ । ପାର୍ସୀ ସାଧାରଣତଃ ଭାରୋଇରାନୀୟ ଭାଷାଶାଖାର ଭାଷା ହୋଇଥିଵାରୁ ସମ୍ଭଵତଃ ଅଙ୍ଗୁର ଶବ୍ଦଟି ମଧ୍ୟ ଅଙ୍କୁଶ କିମ୍ବା ଆଙ୍କୁଡି଼ ଵା ଅଙ୍କୁଡି଼ ସହିତ ସମୋଦ୍ଧୃତ କୌଣସି ଇରାନୀୟ ଶବ୍ଦରୁ ସୃଷ୍ଟି ହୋଇଥିଵା ସମ୍ଭଵ । 

ଅସ୍ତୁ ଅଙ୍ଗୁର ଶବ୍ଦ କେଉଁ ଶବ୍ଦ ମୂଳରୁ ସୃଷ୍ଟି ହୋଇଅଛି ତାହା ଏଯାଵତ୍ ଭାଷାଵିଦମାନେ ସମାଧାନ କରିପାରିନାହାନ୍ତି । ତେବେ ଏ ଦେଶକୁ ମୁସଲମାନ ଆଗମନ ପୂର୍ଵରୁ ଅଙ୍ଗୁରକୁ ଅଙ୍ଗୁର ନୁହେଁ ଵରଂ ଦ୍ରାକ୍ଷା କୁହାଯାଉଥିଲା । ଦ୍ରାକ୍ଷା ହିଁ ଅଙ୍ଗୁର ଶବ୍ଦର ମୁଖ୍ୟ ଭାରତୀୟ ପ୍ରତିଶବ୍ଦ । 

ଜଗନ୍ନାଥ ଦାସ ଓଡ଼ିଆ ଭାଗଵତରେ ଦ୍ରାକ୍ଷା ଶବ୍ଦର ପ୍ରୟୋଗ କରିଯାଇଛନ୍ତି ।

"ଦ୍ରାକ୍ଷା ଈକ୍ଷୁ ଯେ ରମ୍ଭାଵନ । 
ବଦରୀ ଅଭୟା ଯେ ଦ୍ରୁମ ॥"
(ଅଷ୍ଟମ ସ୍କନ୍ଧ,ଭାଗଵତ)

ସେହିପରି ଲାଵଣ୍ୟଵତୀ ତଥା ଵୈଦେହୀଶ ଵିଳାସ ଭଳି ଵିଶିଷ୍ଟ କାଵ୍ୟରେ କଵି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମଧ୍ୟ ଦ୍ରାକ୍ଷା ଶବ୍ଦ ପ୍ରୟୋଗ କରିଛନ୍ତି

"ଏକମୁଖୀ ରୁଦ୍ରାକ୍ଷ ଗ୍ରହଣ ଯୋଗୀ କରେ ବାଳକେ କିଣନ୍ତି ଦ୍ରାକ୍ଷା କେଵଳ କୋଳିରେ ଯେ ।"
(ଲାଵଣ୍ୟଵତୀ,କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ)

"ବୃକଧୂପରେ ଧୂପିତ ସେ ଓକ କଲେ ନିରତ ଦ୍ରାକ୍ଷା ଅଶନରେ ହୋଇ ତୋଷ ଯେ ।"

(ଵୈଦେହୀଶ ଵିଳାସ,କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ)

ମୁସଲମାନ ଆଗମନ ପୂର୍ଵରୁ ଭାରତରେ 
ଏହି ଦ୍ରାକ୍ଷା ଶବ୍ଦ ହିଁ ଲୋକମୁଖରେ କଥିତ ହେଉଥିଲା ଏଵଂ ଏହା ସହିତ ସମୋଦ୍ଧୃତ ଅନେକ ଦେଶଜ ପ୍ରତିଶବ୍ଦ ଵିଭିନ୍ନ ଭାରତୀୟ ଭାଷାରେ ପ୍ରଚଳିତ ଥିଲା । ହିନ୍ଦୀରେ ଅଙ୍ଗୁରକୁ ଦାଖ୍,ଅହମିଆରେ ଅଙ୍ଗୁରକୁ দাক্ষা (dakha),
ବଙ୍ଗାଳୀରେ দ্রাক্ষা (drakkha) ତଥା ଓଡ଼ିଆ ଭାଷାରେ ଅଙ୍ଗୁରକୁ ଦ୍ରାକ୍ଷା ଓ ଦାରାକ୍ଷ କୁହାଯାଉଥିଲା । 

ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଆମେ ଅଙ୍ଗୁର ଅର୍ଥରେ ଦ୍ରାକ୍ଷା ଓ ଵିଶେଷତଃ ଦାରାକ୍ଷ ଶବ୍ଦ ପ୍ରୟୋଗ ହୋଇଥିଵା ଦେଖିଵାକୁ ପାଆନ୍ତି । 

ସାରଳା ମହାଭାରତରେ ସାରଳା ଦାସ ଅଙ୍ଗୁର ଅର୍ଥରେ "ଦାରାକ୍ଷ" ଶବ୍ଦକୁ ଏମନ୍ତ ଭାବେ ପ୍ରୟୋଗ କରିଛନ୍ତି

"ସନ୍ୟ ସାଗର ଆଦି ଯେତେକ ରାଜାର ତୁଲେ ଥିଲେ ।
ଆମ୍ୱ ପଣସ କଦଳୀ ଦାରାକ୍ଷ ସମସ୍ତେ ଭୁଞ୍ଜିଲେ ॥"

ସେହିପରି ବଳରାମ ଦାସଙ୍କ ଜଗମୋହନ ରାମାୟରେ ମଧ୍ୟ ଦାରାକ୍ଷ ଶବ୍ଦ ଵ୍ୟଵହାର ହୋଇଅଛି 

"ବେଲ ଯେ ବକୁଳ ଆଉ ତାଳ ଯେ ତିନ୍ତୁଳି । 
ଜାଇଫଳ ଦାରାକ୍ଷ କପିଥ ଚାରକୋଳି ॥"


ଵିଚି ରାମାୟଣରେ କଵି ଵିଚିତ୍ର ଖୁଣ୍ଟିଆ ପୁଷ୍ପ ଫଳର ଵର୍ଣ୍ଣନା ମଧ୍ୟରେ ଦାରାକ୍ଷ ଫଳର ଉଲ୍ଲେଖ କରାଯାଇଛନ୍ତି

"ବଇଁଚ ଗଙ୍ଗଶିଉଳି ପିରିଖ ଯେ କସି ।
ମଞ୍ଜସାର ଶିରୀଷ ଯେ କେନ୍ଦୁ ବେଲ ମିଶି ।
ଆମ୍ବ ଦାରାକ୍ଷ ଖଜୁରୀ ପଣସ ଓଶସ୍ତ ।
ଏସନେକ ବୃକ୍ଷମାନେ ଅଛନ୍ତି ସମସ୍ତ ।"

××××××××××

"ଆମ୍ବ ଖଜୁରୀ ଦାରାକ୍ଷ ବେତ ବରକୋଳି ।
ଆଖୁ ଅଦା ନରକୋଳି କରମଙ୍ଗା ଓଉ ।
ପାଚଲା ପିଜୁଳି ଯେ ମହୁଲ ଘିଅ ମହୁ ।
କନ୍ତାରୀ ବଙ୍ଗାଳ କୁଣିଆରୀ ଯେ କଂସାରୀ ।
ପରଷନ୍ତି ସଙ୍ଗେ ସଙ୍ଗେ ଭଜା ତରକାରୀ ।
ଯେ ଯାହା ଇଚ୍ଛା କରନ୍ତି ସେ ତାହା ପାଆନ୍ତି ।
ଲୋଭୀ ପେଟୁ ଲୋକେ ଯେ ଲୋଭେଣ ଖାଇଯାନ୍ତି ।"


ତେବେ ଏହି ଦାରାକ୍ଷ ଶବ୍ଦ ଆଜି ବି ଦକ୍ଷିଣ ଓଡ଼ିଶାର କଥିତ ଭାଷାରେ ବଞ୍ଚି ରହିଛି ହେଲେ ଏ ଶବ୍ଦ ଏହି ଅଞ୍ଚଳରେ ଦୁଇଗୋଟି ଭିନ୍ନ ଅର୍ଥରେ ମଧ୍ୟ ପ୍ରୟୋଗ ହୋଇଥାଏ।

ପ୍ରଥମତଃ କିସମିସ ଵା ଶୁଖିଲା ଅଙ୍ଗୁରକୁ ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳରେ ଦାରାକ୍ଷ କୁହାଯାଏ । 

ସେହିପରି ଆଜିକାଲି ଏକ ଜାତୀୟ ଛଣା ଖାଦ୍ୟଦ୍ରଵ୍ୟକୁ ମଧ୍ୟ ଗଞ୍ଜାମ ଜିଲ୍ଲାରେ ଦାରାକ୍ଷ କୁହାଯାଉଛି । 

ଏହି ଦାରାକ୍ଷ ନାମକ ଛଣା ଖାଦ୍ୟଦ୍ରଵ୍ୟଟି
ଦେଖିଵାକୁ ଅଙ୍ଗୁର ଆକାରର ହୋଇଥିଵାରୁ ଅଙ୍ଗୁରର ପୁରୁଣା ଓଡ଼ିଆ ନାମ ଆଧାରରେ ଏହାକୁ ଦାରାକ୍ଷ କୁହାଯାଉଥିଵା ସହଜେ ଅନୁମେୟ । 

ଦାରାକ୍ଷ ଛଣାଖାଦ୍ୟର ଗଢି଼ଵା ପ୍ରଣାଳୀ ନିମ୍ନରେ ସରଳ ଭାବରେ ଲିଖିତ ହେଲା । 


ମୁଗଡ଼ାଲିକୁ ବତୁରେଇ ବାଟିଵା ଉତ୍ତାରୁ ସାମାନ୍ୟ ଲୁଣ ପକାଇ ଭଲ ଭାବରେ ଫେଣ୍ଟି କିଛି ସମୟ ରଖିଲା ପରେ ତାହା ସାମାନ୍ୟ ଶୁଖିଯାଏ ।ଵିଶେଷ ପ୍ରକାରର ଛାଞ୍ଚ ଵ୍ୟଵହାର କରି ଛଣାଯାଏ ସେହି ମୁଗଡାଲି ବଟାକୁ ତେଲରେ ଛଣାଯାଏ । ଚିନି ସିରା ପ୍ରସ୍ତୁତ କରି ସେଥିରେ ବୁଡ଼ାଇ ପ୍ରସ୍ତୁତ କରାଯାଏ ଦାରାକ୍ଷ ଛଣାଖାଦ୍ୟ ।

ଓଡ଼ିଆ 'ଦାରାକ୍ଷ' ଶବ୍ଦଟି ଵୈଦେଶିକ 'ଅଙ୍ଗୁର' ଶବ୍ଦ ସହିତ ସଂଘର୍ଷ କରି ପ୍ରାୟ ଅଞ୍ଚଳରୁ ହଜିଯାଇଛି କିନ୍ତୁ ଦକ୍ଷିଣ ଓଡ଼ିଶାରେ 'ଦାରାକ୍ଷ' ଶବ୍ଦ ଲୋକମୁଖରେ ଭିନ୍ନ ଅର୍ଥରେ ହେଉ ପଛେ ବଞ୍ଚି ରହିଛି । କିନ୍ତୁ ଏଠାରେ ଵିଚାର କରିଵା କଥା ଯେ ଆମ ଓଡ଼ିଆ ଭାଷାର ଗୋଟିଏ ପ୍ରାଚୀନ ଶବ୍ଦ 'ଦାରାକ୍ଷ' ଆଜି କାହିଁକି ଅପ୍ରଚଳିତ ହୋଇଗଲା ?

 କାରଣ ଆମେ ଗୋଟିଏ ଵୈଦେଶିକ ଶବ୍ଦ 'ଅଙ୍ଗୁର'କୁ ଏତେ ମାତ୍ରାରେ ପ୍ରୟୋଗ କଲେ ଯେ ଆମ ଭାଷାରେ ପ୍ରଚଳିତ 'ଦାରାକ୍ଷ' ଶବ୍ଦଟି ମାନକ ଭାଷାରୁ ନିଜର ସ୍ଥାନ ହରାଇ ପ୍ରାଚୀନ ଓଡ଼ିଆ ସାହିତ୍ୟ ତଥା ଦକ୍ଷିଣ ଓଡ଼ିଶାର କଥିତ ଓଡ଼ିଆ ଶୈଳୀରେ ବଞ୍ଚିରହିଗଲା । 
 
(ଶିଶିର ସାହୁ ମନୋଜ)

Sunday, July 17, 2022

କାଉଙ୍କ କୌଶଳ


ଇଂରାଜୀ ଶାସନ ପୂର୍ଵର କଥା । ଥରେ ଛୁଆକାଉଟିଏ ,ପିତା କାଉକୁ ପଚାରିଲା 

ଇ ବୁଆ ! ଆମେ ତ ସବୁ ଚାରିଗୋଡି଼ଆଙ୍କ ମାଉଁସ ଖାଇସାରିଛେ ହେଲେ ଏଇ ଯୋଉ ଦିଗୋଡ଼ିଆ ମଣିଷଗୁରା କାଇଁ ତାଙ୍କ ମାଂସ ତ ଆମ୍ଭେମାନେ କେବେବି ଖାଉନାହେଁ ?
 
କଣ ଏଇ ମନୁଷ୍ୟମାନେ ଅମର ନା ଦୀର୍ଘକାଳ ପର୍ଯ୍ୟନ୍ତ ଧରାପୃଷ୍ଠରେ ବଞ୍ଚିଥାଆନ୍ତି ?

ପିତାକାଉଟି ପୁତ୍ରକାଉକୁ କହିଲା ମୁଁ ଜୀଵନ ରେ ତିନି ତିନଥର ମଣିଷମାଂସ ଖାଇଛି ଯହ ସୁଆଦ ଯେ ହଁ ହଁ 

କାଉ ଛୁଆ ଟି ଅଳି କଲା
ଉଁ ... ଉଁ ମୁଁ ବି ଖାଇବି ମକେ ଦିଅ ବୋ ... 

ପିତାକାଉ ଟିକେ ଚିନ୍ତା କରି କହିଲା 
ଠିକ ଅଛି ଖୁଏଇ ଦେବି ଯେ ହେଲେ କିଛି ଦିନ ପରେ...

ତାପରେ ପିତାକାଉଟି ନିଜ ଯୋଜନା କାର୍ଯ୍ୟକାରୀ କରିଵାପାଇଁ ନିକଟସ୍ଥ ଏକ ଝାଙ୍କାଳିଆ ବରଗଛ ଉପରକୁ ଉଡି଼ଯାଇ ନିଜ ଜାତି ଭାଇଙ୍କୁ କା କା ରାବ କରି ଡାକିଲା । 

କାଉ ଜାତିଭାଇ ଏକାଠି ହେଵାରୁ ପିତାକାଉଟି ନିଜ ଯୋଜନା ସବୁ କାଉଙ୍କୁ କହି ଶୁଣାଇଲା । ସଭାରେ ବହୁ ଆଲୋଚନା ପର୍ଯ୍ୟାଲୋଚନା ପରେ କେତେକ କାଉଙ୍କୁ ଛାଡ଼ି ଅଧିକାଂଶ ଯୋଜନ କାର୍ଯ୍ୟାକାରୀ କରିଵା ସପକ୍ଷରେ ମତ ଦେଲେ । 


ତିନିଦିନ ପରେ ଯୋଜନା ଅନୁସାରେ କାର୍ଯ୍ୟ ଆରମ୍ଭ ହୋଇଗଲା । କାଉମାନେ ଜାଣିଥିଲେ ଉତ୍କଳ ଦେଶରେ ପର୍ଵତ୍ୟଵାସୀ ଲୋକେ ଉପକୂଳର ଲୋକଙ୍କୁ ସେତେଟା ପସନ୍ଦ କରନ୍ତି ନାହିଁ । 

ତେଣୁ କାଉମାନେ ଏକ ନିର୍ଦ୍ଦିଷ୍ଟ ଦିନରେ ଏକକାଳୀନ ପାର୍ଵତ୍ୟଵାସୀ ଓଡ଼ିଆ ଲୋକଙ୍କ ଉପରେ ଆକ୍ରମଣ କରିଦେଲେ । 

କିଏ ଆକାଶରୁ ଛୋଟ ପଥର ପକାଇଲା ,କିଏ ମନ୍ଦିରରେ ଯାଇ ମାଂସ ଖଣ୍ଡ ପକାଇ ଦେଇ ଆସିଲା ତ କିଏ ବାହାରେ ଶୁଖୁଥିଵା ପୋଷାକ ପତ୍ର ଉଡ଼େଇ ନେଇ ଚାଲିଗଲା । 

ପାର୍ଵତ୍ୟଵାସୀ ଓଡ଼ିଆମାନେ କାଉମାନଙ୍କର ଏଭଳି ହାବଭାବ ଦେଖି କିଛି ବୁଝିପାରିଲେ ନାହିଁ କିନ୍ତୁ କିଛି ଅନିସନ୍ଧିତ୍ସୁ ଲୋକଙ୍କୁ ସନ୍ଦେହ ହେଲା । ସେମାନେ କାଉମାନଙ୍କ ପଛରେ ଗଲେ । 

କାଉମାନେ ତ ସେଇଆ ଚାହୁଁଥିଲେ, ସେମାନେ ଉପକୂଳ ଓଡ଼ିଶାରୁ ଆସିଥିଵା ସୈନ୍ୟଛାଉଣି ଆଡ଼କୁ ଉଡି଼ଆସିଲେ । ସେଇଠୁ ପାର୍ଵତ୍ୟଵାସୀ ଓଡ଼ିଆମାନେ ବୁଝିଲେ ଯେ ଏସବୁ କାମ ପଛରେ ଉପକୂଳ ଓଡ଼ିଶାରୁ ଆସି ଏଠାରେ ଛାଉଣି କରିଥିଵା ସୈନ୍ୟମାନଙ୍କ ହାତ ଅଛି । ସେଇମାନେ ପୋଷାକାଉ ପଠାଇ ଆମ ପର୍ଵତ୍ୟଵାସୀ ଭାଇ ଭଉଣୀମାନଙ୍କୁ ହନ୍ତସନ୍ତ କରୁଛନ୍ତି। କିଛି ଲୋକ ଏକଥାରେ ଏକମତ ହେଲେନି । 

ଉପକୂଳ ଓଡ଼ିଶାର ଲୋକ ଆମ ଉପରେ କାହିଁକି ଦାଉ ସାଧିବେ ? 

ଏହାର ଉତ୍ତର ବି କିଛି ବୁଦ୍ଧିଆ ଲୋକଙ୍କ ପାଖରେ ଥିଲା । ତାଙ୍କ ଅନୁସାରେ ଉପକୂଳ ଓଡ଼ିଶାର ଲୋକ ଆମ ଭିଟାମାଟି ଛଡ଼େଇ ନେଵାପାଇଁ ସଦଳବଳ ଆସି ଏଠି ସେନାଛାଉଣି କରିଛନ୍ତି ।

 ଆଜି ଉପକୂଳର ପୋଷାକାଉ ପଠେଇଥିଲେ କାଲି ଉପକୂଳିଆ ପୋଷାବାଘ ପଠେଇ ପାରନ୍ତି ତେଣୁ ବେଳହୁଁ ସାଵଧାନ ହେଇଯିଵା ଉଚିତ୍ । 

ତହୁଁ କିଛି ପାର୍ଵତ୍ଯଵାସୀ ଓଡ଼ିଆମାନେ ଖଣ୍ଡା ଠେଙ୍ଗା ଧରି ସୈନ୍ୟଛାଉଣୀ ଉପରେ ଅତର୍କିତ ଆକ୍ରମଣ କରିଦେଲେ । ହଠାତ୍ ଆକ୍ରମଣ ଯୋଗୁଁ ଅନେକ ସୈନିକ ନିଜର ରକ୍ଷା ନକରିପାରି ଅକାଳ ମୃତ୍ୟୁଵରଣ କଲେ ।

 ଯୋଉ ସୈନ୍ୟମାନେ ବଞ୍ଚିଗଲେ ସେମାନେ ଅନେକ ପାର୍ଵତ୍ୟଵାସୀ ଓଡ଼ିଆଙ୍କୁ ମାରିଦେଲେ । ଶେଷରେ ପାର୍ଵତ୍ୟଵାସୀ ଓଡ଼ିଆ ଆଉ ଉପକୂଳର ସୈନ୍ୟମାନଙ୍କ ମଧ୍ୟରେ ଭୀଷଣ ଖଣ୍ଡଯୁଦ୍ଧ ଲାଗିଗଲା ।
 
 ଏଥିରେ ଉଭୟ ପଟରୁ ପ୍ରାୟ ଅଧିକାଂଶ ଲୋକ ମରିଗଲେ । କାଉମାନେ ଗଛ ଡାଳ ଉପରେ ବସି ଏସବୁ ହଣାକଟା ଦେଖୁଥାନ୍ତି । ଶହ ଶହ ଓଡ଼ିଆ ହଣା ହୋଇ ଭୂମିରେ ପଡ଼ଥାଆନ୍ତି । 
 
ସେମାନଙ୍କ ଶଵ ଉଠାଇଵାକୁ ବି କେହି ନଥିଲେ । କାଉମାନେ ମହା ଆନନ୍ଦରେ ନିଜ ଚିଲ ଛଞ୍ଚାଣ ଭାଇମାନଙ୍କ ସହିତ ମିଶି ମୃତ ମନୁଷ୍ୟଙ୍କ ମାଂସ ଭକ୍ଷଣ କଲେ ଆଉ ଯୋଉ ପିତା କାଉଟି ନିଜ ପୁତ୍ରକାଉକୁ ମନୁଷ୍ୟ ମାଂସ ଚଖାଇଵ ବୋଲି ପ୍ରତିଶ୍ରୁତି ଦେଇଥିଲା ସେ ଖଣ୍ଡିଏ ମଣିଷ ମାଉଁସ ଖଣ୍ଡ ନେଇ ନିଜ ବସା ଆଡ଼କୁ ଉଡି଼ଗଲା...

କୁହାଯାଏ ସେହିଦିନଠାରୁ ପାର୍ଵତ୍ୟଵାସୀ ଓଡ଼ିଆମାନେ ଉପକୂଳ ଓଡ଼ିଶାର ଲୋକଙ୍କୁ ଘୃଣା ଚକ୍ଷୁରେ ଦେଖିଵାକୁ ଲାଗିଲେ କିନ୍ତୁ ଉପକୂଳ ଓଡ଼ିଶାର ଲୋକେ ଏ ଘଟଣା ଵିଷୟରେ କିଛି ଜାଣିପାରିଲେ ନାହିଁ । 

••••••••••••••••••••••••••••
କାହାଣୀଟି ସିନା କାଳ୍ପନିକ କିନ୍ତୁ ଚିନ୍ତା କରନ୍ତୁ ଓଡ଼ିଆ ଜାତି ମଧ୍ୟରେ ଆଜି ଏତେ ଵିଚ୍ଛିନ୍ନଵାଦ ସୃଷ୍ଟି କରାଇଵା ପଛରେ କାହାର ହାତ ଅଛି ? ଉତ୍ତର ଭାରତର କିଛି କାକୁବୁଦ୍ଧିଯୁକ୍ତ ଲୋକ କେଵଳ ନିଜର ସ୍ଵାର୍ଥଲାଭ ହେତୁକ ଗତ କୋଡ଼ିଏ ତିରିଶ ଵର୍ଷ ଧରି ପଶ୍ଚିମ ଓଡ଼ିଶାର ଲୋକଙ୍କ ମତିଭ୍ରମ କରିଚାଲିଛନ୍ତି । ଛତିଶଗଡ଼ ଗଠନ ସମୟରେ ପଶ୍ଚିମ ଓଡ଼ିଶାକୁ ଛତିଶଗଡ଼ ରାଜ୍ୟରେ ମିଶ୍ରଣ ପାଇଁ ହାଣ୍ଡିଆମାନେ ଦାବୀ କରିଥିଲେ ଯାହାକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଦେଲେ ଫଳରେ କେଵଳ ମଧ୍ୟପ୍ରଦେଶର ଦକ୍ଷିଣ ଅଂଶକୁ ନେଇ ଛତିଶଗଡ଼ ଗଠନ ହେଲା । ଛତିଶଗଡ଼ର ମନୁଷ୍ୟକାକମାନେ କିନ୍ତୁ ପଶ୍ଚିମ ଓଡ଼ିଶାରୁ ନିଜର ଲୋଭ ଛାଡ଼ି ପାରିଲେ ନାହିଁ । ସେମାନେ ଠୋସଳ ଆନ୍ଦୋଳନର ସୂତ୍ରପାତ କରାଇଲେ । ପଶ୍ଚିମ ଓଡ଼ିଶାର ଲୋକଙ୍କୁ ଅର୍ଦ୍ଧସତ୍ୟ ଇତିହାସ ପଢ଼ାଇଲେ । ଏବେ ପଶ୍ଚିମ ଓଡ଼ିଶାରେ ଅଣଓଡ଼ିଆଙ୍କ ଦ୍ଵାରା ରୋପିତ ଵିଚ୍ଛିନ୍ନତାଵାଦ ରୂପ ଚାରାଟି ବଡ଼ ହେଵାକୁ ବସିଲାଣି । ସେ ଵୃକ୍ଷକୁ ନକାଟିଲେ ଆଗକୁ ସତସତିକା ରାଷ୍ଟ୍ରଵିପ୍ଳଵ ହେଵ ଆଉ ଯୋଉ ମଣିଷମାନେ ସେଥିରେ ମରିବେ ତାଙ୍କ ଶଵ ଜଳାଇଵାକୁ ବି ଲୋକ ମିଳିବେ ନାହିଁ । ସେତେବେଳେ କାକ, ଛଞ୍ଚାଣ , ଚିଲ ଓ ଗିରିଧମାନେ ଶୃଗାଳ, କୁକୁରଙ୍କ ସହିତ ମିଶି ଭୁରି ଭୋଜନ କରିବେ ଆଉ ହାଣ୍ଡିଆ ଓଡ଼ିଶାର ଏକ ବଡ଼ ଭୂଭାଗ ଲାଭ କରି ସେସବୁ ଅଞ୍ଚଳରେ ଵସଵାସ କରିବେ । ଏବେ ବି ସମୟ ଅଛି ସବୁ ଓଡ଼ିଆମାନେ ହାଣ୍ଡିଆ କାଉଙ୍କ ଚକ୍ରାନ୍ତ ବୁଝ । ହାଣ୍ଡିଆମାନେ କେବେ ଓଡ଼ିଶାର କି ଓଡ଼ିଆ ଜାତିର ଵିକାଶ ଚାହାନ୍ତି ନାହିଁ ଵରଂ ଓଡ଼ିଆ ଜାତି କେମିତି ମରି ହଜିଗଲେ ଓଡ଼ିଶା ଦଖଲ କରି ଏଠାରେ ଵସଵାସ କରି ବଂଶ ବଢ଼େଇବେ ଏହା ହିଁ ତାଙ୍କର ୨୦୦୦ ଵର୍ଷର ଅପୂର୍ଣ୍ଣ ଇଚ୍ଛା ରହି ଆସିଛି । ତଥାକଥିତ ମହାଦାନୀ କର୍ଣ୍ଣର କଳିଙ୍ଗ ଆକ୍ରମଣଠାରୁ ଆଜିଯାଏଁ ଏହା ଉତ୍ତର ଭାରତୀୟ କାକଙ୍କ ଗୁପ୍ତ ଯୋଜନା। 
••••••••••••••••••••••••••••



Thursday, July 14, 2022

“ଶାସ୍ତ୍ରରେ କଥିତ ଷୋଡ଼ଶ ମାତା ଏଵଂ ଓଡ଼ିଆ ଜନସମାଜରେ ତହିଁର ପ୍ରତିଫଳନ”

ଷୋଡଶପ୍ରକାର ମାତାଙ୍କ କଥା ବ୍ରହ୍ମଵୈଵର୍ତ୍ତ ପୁରାଣର ଗଣପତିଖଣ୍ଡରେ କାର୍ତ୍ତିକେୟ ସଂଵାଦସ୍ଥ ୧୫ତମ ଅଧ୍ଯାୟରେ ଲେଖାଅଛି

  “ସ୍ତନଦାତ୍ରୀ ଗର୍ଭଧାତ୍ରୀ ଭକ୍ଷଦାତ୍ରୀ ଗୁରୁପ୍ରିୟା । 
 ଅଭୀଷ୍ଟଦେଵପତ୍ନୀ ଚ ପିତୁଃ ପତ୍ନୀ ଚ କନ୍ଯକା ॥
 ସଗର୍ଭଜା ଯା ଭଗିନୀ ପୁତ୍ତ୍ରପତ୍ନୀ ପ୍ରିୟାପ୍ରସୂଃ । 
ମାତୁର୍ମାତା ପିତୁର୍ମାତା ସୋଦରସ୍ଯ ପ୍ରିୟା ତଥା ॥
ମାତୁଃ ପିତୁଶ୍ଚ ଭଗିନୀ ମାତୁଳାନୀ ତଥୈବ ଚ ।
ଜନାନାଂ ଵେଦଵିହିତା ମାତରଃ ଷୋଡଶ ସ୍ମୃତାଃ ॥ ” 

ଶାସ୍ତ୍ରରେ କଥିତ ଷୋଡ଼ଶ ମାତା ଓ ମାତୃତୁଲ୍ୟା ମହିଳା ହେଲେ

•ସ୍ତନ୍ୟପାନ କରାଇଥିଵା ମାତା
•ଗର୍ଭଧାରଣ କରିଥିଵା ମାତା
•ପାଳନ ପୋଷଣ କରିଥିଵା ମାତା
•ଗୁରୁଙ୍କ ପତ୍ନୀ
•ଅଭୀଷ୍ଟଦେଵପତ୍ନୀ
•ପିତାଙ୍କ ପତ୍ନୀ(ସାବତ ମାଆ)
•ପିତାଙ୍କ କନ୍ୟା(ସାବତ ଭଗିନୀ)
•ନିଜର ଭଗିନୀ
•ନିଜ ପୁତ୍ରର ପତ୍ନୀ
•ପ୍ରିୟାପ୍ରସୂ ଅର୍ଥାତ୍ ନିଜ ଝିଅ
•ମାତାଙ୍କ ମାଆ ଵା ଆଈ
•ପିତାଙ୍କ ମାଆ ଵା ଜେଜେମାଆ
•ଭାଇର ପତ୍ନୀ
•ମାତାଙ୍କ ଭଗିନୀ/ମାଉସୀ
•ପିତାଙ୍କ ଭଗିନୀ/ପିଉସୀ ମାଆ
•ମାତୁଳାନୀ ଵା ମାଇଁ

ଓଡ଼ିଆ ସମାଜ ଶାସ୍ତ୍ରର ଏହି କଥନକୁ କେମିତି ପାଳନ କରିଛି ତହିଁର କେତେକ ଉଦାହରଣ ନିମ୍ନରେ ପ୍ରଦତ୍ତ ହେଲା...

ଓଡ଼ିଶାରେ ଶିକ୍ଷୟିତ୍ରୀ ତଥା ଶିକ୍ଷକଙ୍କ ପତ୍ନୀଙ୍କୁ ଗୁରୁମାଆ ସମ୍ବୋଧନ କରାଯାଏ । ଏଭଳି ଲୋକାଚାର ଭାରତରେ ଅନ୍ୟତ୍ର ପ୍ରାୟତଃ ଲୁପ୍ତ ହୋଇଯାଇଥିଵା ବେଳେ ଓଡ଼ିଶାରେ ଅଳ୍ପ ବହୁତେ ବଞ୍ଚି ରହିଛି । 

 ଦେଵତାଙ୍କ ପତ୍ନୀ ଓ ଦେଵୀମାନଙ୍କୁ ଓଡ଼ିଶାରେ ମାଆ ସମ୍ବୋଧନ କରାଯାଏ । ଯଥା ମାଆ ସମଲେଈ,ମାଆ ତାରିଣୀ ଓ ମାଆ ମଙ୍ଗଳା ଇତ୍ୟାଦି । ଦେଵୀମାନଙ୍କୁ ମାତା ସମ୍ବୋଧନ କରିଵା ପରମ୍ପରା ଭାରତରେ ସର୍ଵତ୍ର ପ୍ରଚଳିତ କିନ୍ତୁ ଓଡ଼ିଶାରେ ଏହା ସର୍ଵାଧିକ ଦୃଶ୍ୟ ହୋଇଥାଏ । 

ଓଡ଼ିଶାରେ ମାଈଁ,ମମା ଵା ମାମା,ବଡ଼ମାଆ,ମାଉସୀ, ପିଉସୀ ମାଆ ଓ ଖୁଡି଼ଙ୍କୁ କେତେକ ଅଞ୍ଚଳରେ ଆବୋଉ ଆଦି ସମ୍ବୋଧନ ପ୍ରମାଣ କରେ ଯେ ଓଡ଼ିଆ ସମାଜ ଭାରତୀୟ ଶାସ୍ତ୍ରର କଥନକୁ କେମିତି ସମାଜ ମଧ୍ୟରେ ଅଙ୍ଗୀକାର କରିନେଇଛି । 

ଓଡ଼ିଶାରେ ନିଜ ମାତାକୁ ଲୋକେ ମାଆ,ବୋଉ ଆଦି ସମ୍ବୋଧନ କରିଥାନ୍ତି । ସେହିପରି ଆଗେ ଓଡ଼ିଶାରେ ମାତାଙ୍କୁ ଆଈ ସମ୍ବୋଧନ କରାଯାଉଥିଲା । 

ମାତୁର୍ମାତା ଵା ମାଆର ମାଆ ମାତୃତୁଲ୍ୟ ବୋଲି ତ ଓଡ଼ିଆ ଭାଷାରେ ପୂର୍ଵେ ମାତାକୁ ସମ୍ବୋଧନାର୍ଥ ପ୍ରୟୋଗ କରାଯାଉଥିଵା ଆଈ ଶବ୍ଦଟି କ୍ରମେ ମାତାଙ୍କ ମାଆଙ୍କ ପ୍ରତି ସମ୍ବୋଧନ ହେତୁ ଵ୍ୟଵହାର ହେଵାକୁ ଲାଗିଲା । 

ଆଜିକାଲି ପୂର୍ଵାଞ୍ଚଳର ପିଲାଏ ନିଜ ଜେଜେମାଆଙ୍କୁ ମାଆ ତଥା ନିଜ ଜନ୍ମକଲା ମାଆକୁ ବୋଉ କିଂଵା ମାମା,ମମି ସମ୍ବୋଧନ କରୁଛନ୍ତି । ପୁନଶ୍ଚ ମାନକ ଓଡ଼ିଆ ଭାଷାରେ ପିତୁର୍ମାତାଙ୍କୁ ଜେଜେମାଆ କୁହାଯାଏ । ସେହିପରି ଉତ୍ତର ଓଡ଼ିଶାରେ ଗୋସେଇଁମାଆ ସମ୍ବୋଧନ କରାଯାଏ । ଏ ଶବ୍ଦ କ୍ଷେତ୍ରରେ ମଧ୍ୟ ଓଡ଼ିଆ ଜନସମାଜ ଶାସ୍ତ୍ରର କଥାକୁ ପାଳନ କରିଵାକୁ କୁଣ୍ଠାବୋଧ କରିନାହିଁ । 

ପୁତ୍ତ୍ରପତ୍ନୀ ଅର୍ଥାତ୍ ପୁଅର ସ୍ତ୍ରୀକୁ ମାତା ଵିଚାର କରିଵାକୁ ବ୍ରହ୍ମଵୈଵର୍ତ୍ତ ପୁରାଣରେ କୁହାଯାଇଛି । ଓଡ଼ିଶାର ଲୋକେ ଶାସ୍ତ୍ରର ଏହି ନିର୍ଦ୍ଦେଶକୁ ପାଳନ କରି ନିଜ ପୁତ୍ରଵଧୂକୁ ଵୋହୂମାଆ ସମ୍ବୋଧନ କରିଥାନ୍ତି (ଵିଶେଷତଃ ଶଶୁର) । 

ପ୍ରିୟାପ୍ରସୂଃ ଅର୍ଥାତ୍ ଝିଅକୁ ସ୍ନେହରେ ଓଡ଼ିଶାରେ ମାଆ ବୋଲି ସମ୍ବୋଧନ କରାଯାଏ । ଝିଅକୁ ପୂର୍ଵ ଉପାନ୍ତ ତଥା ଉତ୍ତର ଓଡ଼ିଶାରେ ସ୍ନେହରେ ବୁଢ଼ି ତଥା ପଶ୍ଚିମ ଓଡ଼ିଶାରେ ବୁଈ ସମ୍ବୋଧନ କରାଯାଏ । ଆମ ଓଡ଼ିଶାରେ ଛୋଟ ଝିଅମାନଙ୍କୁ ସ୍ନେହରେ ମାଆ ସମ୍ବୋଧନ କରିଵାର ପରମ୍ପରା ପ୍ରଚଳିତ । ଭାରତରେ ଅନ୍ୟତ୍ର ଏଭଳି ପରମ୍ପରା ଥିଵା ଜଣାଯାଏ ନାହିଁ । 

ଓଡ଼ିଶାରେ ଗଞ୍ଜାମ ଜିଲ୍ଲାର ଲୋକେ ଏ କ୍ଷେତ୍ରରେ ସର୍ଵଭାରତୀୟ ସ୍ତରରେ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି କହିଲେ ଅତ୍ୟୁକ୍ତି ହେଵ ନାହିଁ ।

ସାରା ଭାରତରେ ବୃଦ୍ଧା ମହିଳାଙ୍କୁ ମୌସୀ, ମାଉସୀ,ଆଣ୍ଟି ଆଦି ସମ୍ବୋଧନ କରାଯାଉଥିଲା ବେଳେ ଗଞ୍ଜାମ ଜିଲ୍ଲା ସର୍ଵଭାରତୀୟ ସ୍ତରରେ ଏକ ମାତ୍ର ଅଞ୍ଚଳ ଯେଉଁଠି ଵୃଦ୍ଧା ମହିଳାଙ୍କୁ ସମ୍ମାନ ଦେଵାକୁ ଯାଇ ଗଞ୍ଜାମଵାସୀ ମାଆ ସମ୍ବୋଧନ କରିଥାଆନ୍ତି । ଅସ୍ତୁ କୁହାଯାଇପାରେ ଯେ ଶାସ୍ତ୍ରରେ କଥିତ ଷୋଡ଼ଶ ମାତା ତୁଲ୍ୟା ମହିଳାଙ୍କ ମଧ୍ୟରେ ଅଧିକାଂଶକୁ କୌଣସି ନା କୌଣସି ରୂପରେ ଓଡ଼ିଶାରେ ମାଆ ସମ୍ବୋଧନ କରାଯାଏ । 

ଓଡ଼ିଶା ସେହି ରାଜ୍ୟ ଯେଉଁଠି ଛୋଟ ଛୋଟ କନ୍ୟାମାନଙ୍କୁ ମଧ୍ୟ ସ୍ନେହରେ "ମାଆ" ସମ୍ବୋଧନ କରାଯାଏ , ଓଡ଼ିଶାର ଗଞ୍ଜାମରେ ଵୟସ୍କ ମହିଳାଙ୍କୁ ଆଦର ସହକାରେ "ମାଆ" ସମ୍ବୋଧନ କରାଯାଏ ପୁଣି ଓଡ଼ିଶା ମଧ୍ୟ ସେହି ରାଜ୍ୟ ଯେଉଁଠି ଜାତୀୟ ପୁରସ୍କାର ପ୍ରାପ୍ତ କଵି ଵିଶେଷ ଦାଣ୍ଡରେ ଡାକବାଜି ଲଗାଇ ମାତା ଵା ମାଆ ଶବ୍ଦର ଅନ୍ୟତମ ପ୍ରତିଶବ୍ଦ "ବୋଉ" ଶବ୍ଦର ଚୀରହରଣ କରନ୍ତି” । ସବୁ ସ୍ଥାନରେ “ଭଲ ଓ ମନ୍ଦ” ଉଭୟ ପ୍ରକାର ଲୋକେ ଵସଵାସ କରନ୍ତି। ଵୟସ୍କ ମହିଳାଙ୍କୁ ଓ ଛୋଟ ବାଳିକାଙ୍କୁ ମାଆ ସମ୍ବୋଧନ କରିଵା ଜାତିରେ କିଛି ଅଭଦ୍ର ଜାତ ହୋଇଯାଇଛନ୍ତି ଯୋଉମାନେ ବୋଉ ଶବ୍ଦକୁ ତାତ୍ସଲ୍ୟ କରି ସମ୍ପୂର୍ଣ୍ଣ ଓଡ଼ିଆ ଜାତି ଓ ନାରୀଜାତିର ଅପମାନ କରନ୍ତି । 

ଓଡ଼ିଆ ଜାତି ମହିଳାଙ୍କୁ ସମ୍ମାନ ଦେଵାରେ ସାରା ଭାରତ ମଧ୍ୟରେ ଅଗ୍ରଣୀ କିନ୍ତୁ କିଛି ଦୁଷ୍ଟ ଲୋକଙ୍କ ଯୋଗୁଁ ଆଜି ଓଡ଼ିଶାରେ ମହିଳା ଓ ମହିଳାଙ୍କୁ ସମ୍ବୋଧନ କରାଯିଵା ସମ୍ବୋଧନଵାଚକ ଶବ୍ଦ ଲାଞ୍ଛିତ , ଅପମାନିତ । 

© ଶିଶିର ସାହୁ ମନୋଜ

Sunday, July 10, 2022

ରାଣୀଗୁମ୍ଫା ଶିଳାଲେଖର ଚିତ୍ର ଓ ଖାରବେଳଙ୍କ ଜୀଵନୀ

ରାଣୀଗୁମ୍ଫା ଉପର ମହଲାରେ ଖୋଦିତ ଚିତ୍ରାଵଳୀ ( ଫଳକ ନମ୍ବର . ୨ ) କୁ ଅନୁଧ୍ୟାନ କରି ବରପାଲି ନିଵାସୀ ପ୍ରଖ୍ୟାତ ଐତିହାସିକ ସ୍ଵର୍ଗୀୟ ନଵୀନ କୁମାର ସାହୁ ଏ ସମ୍ବନ୍ଧରେ ନିମ୍ନୋକ୍ତ ଵର୍ଣ୍ଣନା ପ୍ରଦାନ କରିଥିଲେ ।

“ଥରେ ସିଂହପଥର ରାଜା ସପରିଵାର ଵନଵିହାର କରି ଶେଷରେ ଅରଣ୍ୟ ମଧ୍ୟରେ ଥିଵା ଏକ ପଦ୍ମ ପୋଖରୀକୁ ସ୍ନାନ କରିଵା ପାଇଁ ଆସିଲେ । ତାହା ପୂର୍ଵରୁ ଏକ ଦନ୍ତାହାତୀ କେତେକ ହସ୍ତିନୀଙ୍କ ସହ ଉକ୍ତ ପୋଖରୀର ପଦ୍ମଵନରେ ଉନ୍ମୁକ୍ତ ହୋଇ କ୍ରୀଡ଼ା କରୁଥାନ୍ତି । ରାଜା ହସ୍ତୀପଲକୁ ତଡ଼ିଵା ନିମନ୍ତେ ଉଦ୍ୟମ କରିଵାରୁ ଦନ୍ତା ବଳଟି କ୍ରୁଦ୍ଧ ହୋଇ ତାଙ୍କୁ ଆକ୍ରମଣ କଲା । ସେ ସାହସର ସହିତ ତାଙ୍କର ସମ୍ମୁଖୀନ ହେଲେ ଏଵଂ ଉଭୟ ଦଳ ମଧ୍ୟରେ କିଛକାଳ ଖଣ୍ଡଯୁଦ୍ଧ ଚାଲିଲା । ସେତେବେଳେ ରାଜନନ୍ଦିନୀ ନିଜ ଜୀଵନକୁ ଭ୍ରୂକ୍ଷେପ ନକରି ହସ୍ତୀ ସମ୍ମୁଖକୁ ଆସି ତାହା ଉପରକୁ ନିଜର ଅଙ୍ଗାଭରଣମାନ ନିକ୍ଷେପ କଲେ । ହସ୍ତୀଟି କ୍ଷତଵିକ୍ଷତ ହୋଇ ପଛଘୁଞ୍ଚା ଦେଲା , ମାତ୍ର ସେହି ସଂଘର୍ଷରେ ରାଜ ପୁରୁଷ ସାଂଘାତିକ ଭାଵରେ ଆହତ ହେଲେ । ରାଜ ଜେମା ତାଙ୍କୁ ନିକଟସ୍ଥ ଏକ ଗିରିଗୁହାକୁ ଶୁଶ୍ରୂଷା ନିମନ୍ତେ ଘେନିଗଲେ ।

 ହସ୍ତୀଦଳ ସହ ସଂଘର୍ଷ ଚାଲିଥିଵା ସମୟରେ କେତେଜଣ ମହିଳା ଭୟବିହ୍ଵଳା ହୋଇ ଇତସ୍ତତଃ ପଳାୟନ କରିଥିଲେ । ସେମାନଙ୍କ ମଧ୍ୟରେ ଥିଵା ରାଜାଙ୍କର ଏକ ଅନୁଚରୀ ଜଣେ ପ୍ରଭାଵଶାଳୀ ଵ୍ୟକ୍ତିଙ୍କ ଗୁପ୍ତଚରୀ ରୂପେ କାର୍ଯ୍ୟ କରୁଥିଵା ଅନୁମିତ ହୁଏ । ରାଜ କନ୍ୟାଙ୍କୁ ଲାଭ କରିଵା ନିମନ୍ତେ ସେହି ପୁରୁଷଙ୍କର ବହୁଦିନରୁ ଗୁପ୍ତ ଅଭିଳାଷ ଥିଲା ଏଵଂ ଅନ୍ତଃପୁରର ସେହି ପରିଚାରକା ଥିଲା ତାଙ୍କ ଉଦ୍ଦେଶ୍ୟ ପୂରଣର ସହକାରିଣୀ । 

ସେହି ଲମ୍ଫଟ ପୁରୁଷ ଗୁପ୍ତଚରୀ ଠାରୁ ରାଜାଙ୍କର ଦୁରାଵସ୍ଥା ସମ୍ପର୍କରେ ସମ୍ବାଦ ପାଇଵା ମାତ୍ରେ ରାଜକନ୍ୟାକୁ ଲାଭ କରିଵା ଲାଳସାରେ ଅସ୍ଥିର ହୋଇ ଉଠିଲେ । ଗୁପ୍ତଚରୀ ତାଙ୍କୁ ପଥ କଢ଼ାଇ ଗିରିଗୁହାକୁ ନେଇଗଲା । ସେଠାରେ ସେ ରାଜପୁରୁଷଙ୍କୁ ଆହତ ଓ ଅସହାୟ ଅଵସ୍ଥାରେ ଦେଖି ନିର୍ମମ ଭାବେ ହତ୍ୟା କଲା ଏଵଂ ରାଜକନ୍ୟାଙ୍କୁ ଅପହରଣ କରିଵା ନିମନ୍ତେ ବଳପ୍ରୟୋଗ କଲା ।

 ସେହି ଵୀରତରୁଣୀ ନିଜ ସମ୍ମାନ ରକ୍ଷା ନିମନ୍ତେ ମୃତ ପିତାଙ୍କର ଅସ୍ତ୍ରଧରି ତାଙ୍କର ପ୍ରତିରୋଧ କଲେ । ମାତ୍ର ଅଳ୍ପକାଳ ପରେ ସେ ଦ୍ବନ୍ଦ୍ବ ଯୁଦ୍ଧରେ ପରାଭୂତା ମନ୍ଦିନୀ ହେଲେ । ସୌଭାଗ୍ୟ ଵଶତଃ ସେତେବେଳେ ଖାରବେଳ ସଦଳବଳେ ସେହି ଅରଣ୍ୟରେ ପାରିଧି ଵିଜେ କରିଥାନ୍ତି । 

ସମ୍ରାଟଙ୍କର ସେନା କୋଳାହଳରେ ଵନଭୂମି ହଠାତ୍ ମୁଖରିତ ହୋଇ ଉଠିଲା । ସେହି ଲମ୍ପଟ ପୁରୁଷ ଭୟଭୀତ ହୋଇ ରାଜଜେମାଙ୍କୁ ଅରଣ୍ୟରେ ଏକାକିନୀ ଛାଡ଼ି ପଳାୟନ କଲେ । 

ଇତ୍ୟଵସରରେ ଖାରବେଳଙ୍କ ଦ୍ଵାରା ଶରଵିଧ ହୋଇ ଦ୍ରୁତଗାମୀ ମୃଗଟିଏ ନିକଟସ୍ଥ ଏକ ଵୃକ୍ଷ ମୂଳରେ ଟଳି ପଡ଼ିଲା । ସମ୍ରାଟ ଅଶ୍ଵପୃଷ୍ଠରୁ ଅଵତରଣ କରି ନିଜେ ସେହି ଆହତ ମୃଗ ଆଡ଼କୁ ଅଗ୍ରସର ହେଲେ । ନିକଟକୁ ଯାଇ ଦେଖିଲେ , ଜଣେ ତରୁଣୀ ଵୃକ୍ଷ ଶାଖାରେ ବସି ଆଶ୍ରୟ ପ୍ରାର୍ଥନା କରୁଛନ୍ତି । ତାଙ୍କର ପରିଚୟ ଲାଭ କରି ଖାରବେଳ ତାଙ୍କୁ ଅଭୟ ପ୍ରଦାନ କଲେ ଏଵଂ ଆଦର ସହ ନିଜ ପ୍ରାସାଦକୁ ଘେନି ଆସିଲେ । ସିଂହପଥ ରାଜକନ୍ୟାକୁ ଉଦ୍ଧାର କରି ଆଣିଥିଵା ଉପଲକ୍ଷରେ ରାଜାଧାନୀ କଳିଙ୍ଗ ନଗରୀରେ ନୃତ୍ୟଗୀତ ସହ ଵିଵିଧ ଉତ୍ସଵ ଆୟୋଜିତ ହୋଇଥିଲା । ଖୋଦିତ ଚିତ୍ରରେ ଖାରବେଳ ନିଜେ ସେହି ନଵାଗତା ରାଜକନ୍ୟାଙ୍କୁ ପାଖରେ ବସାଇ ନୃତ୍ୟ ସଂଗୀତ ଉପଭୋଗ କରୁଥିଵାର ଦେଖାଯାନ୍ତି । ଚିତ୍ରାବଳୀର ସର୍ଵଶେଷ ଅଂଶରେ ସମ୍ରାଟ ସେହି ରାଜକନ୍ୟାଙ୍କ ସହିତ ଵିଵାହ ବନ୍ଧନରେ ଆଵଦ୍ଧ ହୋଇ ପ୍ରମୋଦ ଉଦ୍ୟାନରେ ଵିହାର କରୁଥିଵାର ଦୃଶ୍ୟ ଦେଖିଵାକୁ ମିଳେ । ରାଣୀଗୁମ୍ଫାର ତଳ ମହଲାର ଡ଼ାହାଣ ପାର୍ଶ୍ଵରେ ଖୋଦିତ ଏକ ଚିତ୍ରାଵଳୀରେ ସମ୍ରାଟ ଖାରବେଳ ଉଭୟ ରାଣୀଙ୍କ ମଧ୍ୟରେ ଉପଵିଷ୍ଟ ହୋଇଥିଵା ଦେଖାଯାନ୍ତି । ଅନେକ ଚିତ୍ରାଵଳୀକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ ଖାରବେଳଙ୍କ ସହ ଉଭୟ ମହିଷୀ ଵିଭିନ୍ନ ଅଵସରରେ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥିତ ହେଉଥିଲେ । ସମ୍ବଵତଃ ହାତୀଗୁମ୍ଫା ଶିଳାଲେଖ ଖାରବେଳଙ୍କ ରାଜତ୍ଵର ଚତୁର୍ଦ୍ଦଶ ଵର୍ଷରେ ଗଢ଼ା ହୋଇଥିଲା , କାରଣ ଏଥିରେ ରାଜତ୍ଵର ତ୍ରୟୋଦଶ ଵର୍ଷ ପର୍ଯ୍ୟନ୍ତ କାର୍ଯ୍ୟକଳାପର ଵର୍ଷାନୁଵର୍ଷ ଵିଵରଣୀ ମିଳିଥାଏ । ତାର ପରଵର୍ତ୍ତୀ ଇତିହାସ ଆଜି ମଧ୍ୟ ଅନ୍ଧକାର ମଧ୍ୟରେ ରହିଛି । ଏଣୁ ଖାରବେଳ ସର୍ଵମୋଟ କେତେ ଵର୍ଷ ରାଜତ୍ଵ କରିଥିଲେ ଏଵଂ କେତେ ଵର୍ଷ ଜୀଵିତ ଥିଲେ ତାହା କୁହାଯାଇପାରୁନାହିଁ ।”

ନୀଳକଣ୍ଠ ଦାସ ତାଙ୍କ "ଖାରବେଳ" ଦୀର୍ଘ କଵିତାରେ ସେହି ଚିତ୍ରାଵଳୀକୁ ଭିନ୍ନ ରୂପରେ ପ୍ରକାଶ କରିଛନ୍ତି ।ପଣ୍ଡିତ ନୀଳକଣ୍ଠ ତାଙ୍କର "ଖାରବେଳ" କାଵ୍ଯରେ ଇତିହାସ ଓ କଳ୍ପନାକୁ ମିଶାଇ ଅତୀଵ ସୁନ୍ଦର ଭାବେ ତାହା ଵର୍ଣ୍ଣନା କରିଅଛନ୍ତି । 

ନୀଳକଣ୍ଠଙ୍କର "ଖାରବେଳ" କାଵ୍ଯର କଥାନୁସାରେ ସେତେବେଳେ ଭାରତର ସମ୍ରାଟ ଥାଆନ୍ତି ପ୍ରଵଳ ପ୍ରତାପୀ ଐରପୁତ୍ର ଖାରବେଳ । ତାଙ୍କ ଵିଶାଳ ସାମ୍ରାଜ୍ୟକୁ ଲାଗି ସିନ୍ଧୁନଦୀର ପଶ୍ଚିମ ଦିଗରେ ଅଵସ୍ଥିତ ଥିଲା ଦ୍ରାଵିଡ଼ମାନଙ୍କ ଦ୍ଵାରା ଅଧ୍ଯୁଷିତ ଏକ କୃଷକ ରାଜ୍ୟ କୃଷକପୁର ଯହିଁର ରାଜଧାନୀ ଥିଲା ସିଂହପଥ । 

ବଲୁଚିସ୍ଥାନର Kalat ଅଞ୍ଚଳକୁ ସେହି ଅଞ୍ଚଳ ଭାବେ ଚିହ୍ନଟ କରାଯାଇପାରେ ଯେଉଁଠି ଆଜି ବି ଗୋଟାଏ ଦ୍ରାଵିଡ଼ ଭାଷା ଚଳୁଅଛି ତାହାର ନାମ Brahui । 

ଏହି ରାଜ୍ୟର ବୃଦ୍ଧ ରାଜା ଵର୍ତ୍ତମାନର ଆଫଗାନିସ୍ଥାନ ଓ ବେଲୁଚିସ୍ଥାନ ପୂର୍ଵରେ ଥିଵା ସେହିସମୟର ବଜିର ରାଜ୍ୟର କନ୍ଯା ‘ଧୂସି’ଙ୍କୁ ପାଳନ କରିଥିଲେ । 

ଖାରବେଳ ପ୍ରଥମେ "ପଟଳ"ରେ ଛାଉଣୀ କରି କୃଷକମାନଙ୍କୁ ଯୁଦ୍ଧରେ ସାଥି କରିଵାକୁ ଲୋଡ଼ୁଥାନ୍ତି । ଏହିପରି ସମୟରେ ଦିନେ ସଞ୍ଜବେଳେ ଘୋଡ଼ାରେ ଚଢ଼ି ନଈ ପଶ୍ଚିମ ପାଖକୁ ବୁଲିବାକୁ ଯାଇ ଫେରିବା ବାଟ ଜାଣି ପାରିଲେ ନାହିଁ। 

ଦୂରରେ କେତେଗୁଡ଼ିଏ କୃଷକ ବାଳିକା ଖେଳୁଥିଲେ ଓ କୂଳରେ ପଥର ଉପରେ ବସିଥିଲେ "ଧୂସି" । ଖାରବେଳ ଧୂସିଙ୍କୁ ବାଟ ପଚାରି ଫେରି ଆସିଥିଲେ । ଏହି "ଧୂସି"ଙ୍କ ସହିତ ପ୍ରଥମ ସାକ୍ଷାତରେ ହିଁ ଉଭୟଙ୍କର ପ୍ରଣୟର ସୂ୍ତ୍ରପାତ ହୋଇଥିଲା । 

ଏହାପରେ କୃଷକ ଜାତି ଖାରବେଳଙ୍କୁ ସାହାଯ୍ୟ କରିଵା ପାଇଁ ପ୍ରତିଶ୍ରୁତି ଦେଵାପରେ କୃଷକ ରାଜାଙ୍କ ସୈନ୍ଯମାନଙ୍କୁ ନେଇ 'ଧୂସି' ବଜିର ରାଜପୁ୍ତ୍ରର ଛଦ୍ମବେଶରେ ଖାରବେଳଙ୍କ ସୈନ୍ଯଵାହିନୀରେ ଯୋଗ ଦେଇଥିଲେ। 

ଏହି ସମୟରେ ଦତ୍ତିମ(ଡିମେଟ୍ରିୟସ୍; କାଵ୍ଯରେ ନୀଳକଂଠ ଏହାଙ୍କର ଦତ୍ତିମ ନାମ ରଖିଛନ୍ତି) ଚକ୍ରାନ୍ତ କରି ରାତିରେ ବଜିର ରାଜଧାନୀ ସିଂହପଥ ଆକ୍ରମଣ କରିଥିଲେ । 

ସେନାପତି "ଧୂସି" ଆଗରୁ ଏହା ଜାଣିପାରି କେତେକ କୃଷକ ଓ କଳିଙ୍ଗସେନା ନେଇ ବାହାରପଟୁ ଦତ୍ତିମଙ୍କୁ ଘେରି ରହିଲେ । ଦତ୍ତିମ ଉଭୟଆଡ଼ୁ ଆକ୍ରାନ୍ତହୋଇ ପରାସ୍ତ ହେଲେ, ଖାରବେଳ ମଧ୍ଯ ଯୁଦ୍ଧରେ ଆହତ ହୋଇଥିଲେ। 

ଏହାପରେ ଖାରବେଳ ସୁସ୍ଥ ହୋଇ ରାଜଧାନୀ ‘ପଟଳ’କୁ ଫେରିଵା ପରେ କୃଷକପୁରରେ ଖାରବେଳ ଧୂସିଙ୍କୁ ଚିହ୍ନିଲେ । ଏଇଠାରେ ହିଁ କାଵ୍ୟର ମିଳନାତ୍ମକ ସମାପ୍ତି ଘଟିଛି । 

ଦତ୍ତିମ ଵା ଡିମେଟ୍ରିୟସ୍'ଙ୍କୁ ଖାରବେଳ ସିନ୍ଧୁନଦୀର ପଶ୍ଚିମ ପାର୍ଶ୍ଵରୁ ପରାସ୍ତ କରି ଖେଦି ଦେଇଥିଵା ଜଣାଯାଏ । ସେଇଭଳି ରାଣୀଗୁମ୍ଫାର ଉପରମହଲାରେ ଥିଵା ଚିତ୍ରାଵଳୀରେ ଧୂସିଙ୍କର ଵୀରତାର କଥା ରହିଛି ବୋଲି କେତେକ ଗଵେଷକଙ୍କ ମତ । ସମ୍ଭଵତଃ ପଂଡିତ ନୀଳକଂଠ ଏଇ ଚିତ୍ରାଵଳୀ ସହ ଇତିହାସର ସମ୍ମିଶ୍ରଣରେ କାହାଣୀଟି ସୃଷ୍ଟି କରିଅଛନ୍ତି ।

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...