Tuesday, July 19, 2022

ପଦ୍ମପୁରର ବୋଡ଼ାସମ୍ବର

ବରଗଡ଼ ଜିଲ୍ଲାର ପଦ୍ମପୁର ଅଞ୍ଚଳର ଏକ ଗ୍ରାମର ନାମ ହେଉଛି ବୋଡ଼ାସମ୍ବର କିନ୍ତୁ
ପୂର୍ଵେ ବୋଡ଼ାସମ୍ବର ଏକ ଐତିହ୍ୟପୂର୍ଣ୍ଣ ଜମିଦାରୀ ଅଞ୍ଚଳ ଥିଲା ।


 ଏହା ୮୪୧ ଵର୍ଗମାଇଲ ତଥା ୪୭୬ଟି ଗ୍ରାମ ମଧ୍ଯରେ ଵ୍ୟାପ୍ତ ଥିଲା । ବୋଡ଼ାସମ୍ବରର ଦକ୍ଷିଣରେ ୧୦୪୪.୦୮ ମିଟର ଉଚ୍ଚତା ବିଶିଷ୍ଟ ଗନ୍ଧମାର୍ଦ୍ଦନ ପର୍ଵତମାଳା ଅଵସ୍ଥିତ, ପୂର୍ଵ ସୀମାରେ ବଲାଙ୍ଗୀର ଜିଲ୍ଲାର ଆଗଲପୁର, ପଶ୍ଚିମ ଦିଗରେ ନୂଆପଡ଼ା ଜିଲ୍ଲା, ଉତ୍ତର ଦିଗରେ ଛତିଶଗଡ଼ ରାଜ୍ୟର ଫୁଲଝର ଅଞ୍ଚଳ ଅଵସ୍ଥିତ । ଅଧୁନା ଏ ଅଞ୍ଚଳ ସୀମିତ ହୋଇ ବରଗଡ଼ ଜିଲ୍ଲାର ପଦ୍ମପୁର ନଗରଠାରୁ ୧୮ କି.ମି ଦୂରରେ ବୋଡ଼ାସମ୍ବର ଗ୍ରାମ ଭାବେ ଵିଦ୍ୟମାନ । ଇଂରାଜୀରେ ଏ ଅଞ୍ଚଳର ନାମ Borasambar ଲେଖାଯାଉଛି ଏଵଂ ଏଠିକାର ପିନ୍ କୋଡ଼ ହେଲା ୭୬୮୦୩୯ । ଏହି ଅଞ୍ଚଳଟି ରାଜଧାନୀ ଭୁବନେଶ୍ଵରଠାରୁ ପ୍ରାୟ ୩୫୦ କି.ମି ଦୂରରେ ଅଵସ୍ଥିତ। 

କିମ୍ବଦନ୍ତୀ ଅନୁସାରେ ପ୍ରାଚୀନ କାଳରେ ଵୀର ବାରଭାଇ ବେଣ୍ଟକାର ଅରଣ୍ୟ ଭିତରେ ପରିଭ୍ରମଣ କରୁକରୁ ଏହି ଜମିଦାରୀ ଅଞ୍ଚଳ ପ୍ରତିଷ୍ଠା କରିଥିଲେ ।

ବୋଡ଼ାସମ୍ବର , ପଦ୍ମପୁର ଉପଖଣ୍ଡର ଐତିହ୍ୟପୂର୍ଣ୍ଣ ଅଞ୍ଚଳ ଵିଵେଚିତ ହୋଇଥାଏ । ଅରଣ୍ୟ ଦ୍ୱାରା ଆଚ୍ଛାଦିତ ଏହି ଗ୍ରାମ ବୋଡ଼ାସମ୍ବର ଗଡ଼ଜାତର କେନ୍ଦ୍ରସ୍ଥଳୀ ଥିଲା ।

କୁହାଯାଏ ବୋଡ଼ାସମ୍ବରରେ ବିଞ୍ଜାଲ,କନ୍ଧ,ଶବର ତଥା ଗଣ୍ଡ ଜାତିର ମୁଖିଆମାନେ ଅନେକ ସଂଖ୍ୟାରେ କ୍ଷୁଦ୍ରକ୍ଷୁଦ୍ର ରାଜ୍ୟଗୁଡ଼ିଏ ପ୍ରତିଷ୍ଠା କରିଥିଲେ । 

ବିଂଝାଲମାନଙ୍କ ଦ୍ଵାରା କଥିତ କିମ୍ବଦନ୍ତୀ ଅନୁସାରେ ଏମାନଙ୍କ ପୂର୍ଵପୁରୁଷ ବାରଭାଇ ବେଣ୍ଟକାର । ପ୍ରତ୍ୟେକ ଭ୍ରାତା କେତେଗୁଡ଼ିଏ ଗ୍ରାମକୁ ନେଇ ପ୍ରଶାସନିକ ଖଣ୍ଡର ଶାସନ ଭାର ଗ୍ରହଣ କରିଥିଲେ ।

ବାରଭାଇଙ୍କ ମଧ୍ୟରେ ସୂର୍ଯ୍ୟ ବରିହା ଥିଲେ ଜ୍ୟେଷ୍ଠ ଭ୍ରାତା । ‘ଶ୍ରୀ ନୃସିଂହ ମାହାତ୍ମ୍ୟ’ ଅନୁଯାୟୀ ସୂର୍ଯ୍ୟ ବରିହା ହେଉଛନ୍ତି ବୋଡ଼ାସମ୍ବର ଗଡ଼ଜାତର ପ୍ରଥମ ରାଜା ।

 ୧୮୯୯ ମସିହାରେ ଲାଲ ରାଜେନ୍ଦ୍ର ସିଂହ ବରିହା ରାଜ୍ୟର ଶାସନ ଭାର ବହନ କରିଥିଲେ । ଶାସନର ଗୁରୁତ୍ଵକୁ ଉପଲବ୍ଧି କରି ସେ ପଦ୍ମପୁରକୁ ରାଜଧାନୀ ରୂପେ ବାଛିଥିଲେ । ବୋଡ଼ାସମ୍ବର ଏକ ଶୃଙ୍ଖଳିତ, ଐତିହ୍ୟ ସମ୍ପନ୍ନ,ଶକ୍ତିଶାଳୀ ତଥା କ୍ଷମତାପୂର୍ଣ୍ଣ ଗଡ଼ଜାତ ଅଞ୍ଚଳ ରୂପେ ସୁଖ୍ୟାତି ବହନ କରିଥିଲା । 
 

ବୋଡ଼ାସମ୍ବର ନାମକରଣ ପଛରେ କିମ୍ବଦନ୍ତୀମୂଳକ ଆଖ୍ୟାନ ରହିଛି । ବାରଭାଇ ବେଣ୍ଟକାର ଶିକାର ଉଦ୍ଦେଶ୍ୟରେ ନିଘଞ୍ଚ ଅରଣ୍ୟ ଭିତରେ ବୁଲୁଥିଲା ବେଳେ ଏକ ଅଦ୍ଭୁତ ଦୃଶ୍ୟ ଦେଖି ଚମକି ପଡ଼ିଲେ । 

ଶ୍ଵେତ ଵରାହ ଓ ଶ୍ଵେତ ଶଶା ଭିତରେ ମରଣାନ୍ତକ ଲଢ଼େଇ ଚାଲିଥିଲା । ଜ୍ୟେଷ୍ଠ ଭ୍ରାତା ପ୍ରଵଳ ସିଂ ଶର ନିକ୍ଷେପ କଲେ । ତାହା ଲକ୍ଷ୍ୟଭ୍ରଷ୍ଟ ହୋଇ ଵରାହ ଶଶକ ସହ ପୂର୍ଵ ଦିଗକୁ ଗଲା । ଶୁଣାଯାଏ ସ୍ଵୟଂ ଜଗନ୍ନାଥ ଵରାହ ରୂପ ଧାରଣ କରିଥିଲେ । 


ମାୟାଧର ପ୍ରଭୁ ଵରାହ ରୂପୀ ଜଗନ୍ନାଥ ପୁରୀ ଶ୍ରୀମନ୍ଦିରରେ ପଶିଗଲେ ଏଵଂ ଯାଉଁଳା କବାଟଟିକୁ ବନ୍ଦ କରିଦେଲେ । ଫଳତଃ ଶ୍ରୀମନ୍ଦିରର ମୁଖ୍ୟ ଦରଜାରେ ଶରଟି ଲାଖି ରହିଲା । ସମସ୍ତ ମଲ୍ଲଯୋଦ୍ଧା ଆପ୍ରାଣ ଉଦ୍ୟମ କଲେ ସୁଦ୍ଧା ଶରଟିକୁ ବାହାର କରି ପାରିଲେନି । 

ବାରଭାଇ ବେଣ୍ଟକାର ପୁରୀରେ ପହଞ୍ଚି ନିଜର ଶରଟିକୁ ଅନାୟସରେ ଚିହ୍ନି ପାରିଲେ । ମହାରାଜାଙ୍କର ଅନୁମତିକ୍ରମେ ଶରଟିକୁ ବାହାର କରି ବଳଶାଳୀର ପରିଚୟ ଦେଇଥିଲେ । ସନ୍ତୁଷ୍ଟ ହୋଇ ମହାରାଜ କହିଲେ ‘ତୁମେ ଗନ୍ଧମାର୍ଦ୍ଦନର ପାଦଦେଶରେ ଥିବା ‘ମଣିଦାକାନନ’ ରେ ନିଜ ଗଡ଼ ସ୍ଥାପନ କର । ଏକ ଵରାହ ଵା ବାର୍ହା ପଛରେ ଧାବନ କରି କ୍ଷତ୍ରିୟ ଧର୍ମ ପାଳନ କରିଥିବାରୁ ତୁମକୁ ‘ବରିହା’ ଉପାଧି ପ୍ରଦାନ କରାଗଲା ।’ 


ଗଜପତିଙ୍କ ଠାରୁ ମେଲାଣି ନେଇ ବାଟରେ ଲୁହୁରା କନ୍ୟା ସୁଲୋଚନାକୁ ପ୍ରବଳ ସିଂ ଵିଵାହ କଲେ । ମଣିଦାକାନନରେ ରାଜ୍ୟ ପ୍ରତିଷ୍ଠା କରି ଵସଵାସ କଲେ । ଜଙ୍ଗଲରେ ଭ୍ରମଣ କରୁଥିଲାବେଳେ ବାରଭାଇ ବେଣ୍ଟକାର ଵିଚିତ୍ର ଦୃଶ୍ୟର ଅଵଲୋକନରେ ଆତ୍ମହରା ହୋଇପଡ଼ିଲେ ।

 ବୁଡ଼ା(ବୋଡ଼ା)ସାପଟିଏ ଵିରାଟ ସମ୍ବରକୁ ଆକ୍ରମଣ କରୁଥିଲାବେଳେ ଦୁହିଁଙ୍କ ଉପରକୁ ଶର ନିକ୍ଷେପ କଲେ । ସାପଟି ସମ୍ପୂର୍ଣ୍ଣ ରୂପେ ସମ୍ବରକୁ ଗିଳି ପଳାୟନ କରୁଥିଲେ ମଧ୍ୟ ସମ୍ବରର ମୁନିଆଁ ଶିଙ୍ଘରେ ଆକ୍ରାନ୍ତ ହୋଇ ସେଠି ଟଳି ପଡିଲା । ଏ ସ୍ଥାନଟି ବୀର ମାଟି । ଶତ୍ରୁ ହେଲେ ବି ପରାସ୍ତ ହୋଇପାରେ ଅନାୟସରେ । ଏମନ୍ତ ବିଚାରି ବାରଭାଇ ବେଣ୍ଟକାର ଗଡ଼ ତିଆରିଲେ । ‘ନୃସିଂହ ମାହାତ୍ମ୍ୟ’ ରେ ଲିଖୁତ ଅଛି – 
 
"ବିଂଝାଲ ରାଜାଙ୍କ ସେହି ମୁଖ୍ୟଗଡ଼ ହେଲା ରାଜବୋଡାରେ ସେ ଗଡ଼ ବିଖ୍ୟାତ ହୋଇଲା ।
 ଅରଣ୍ୟ କଟାଇ ତହିଁ ଗ୍ରାମ ବସାଇଲେ ସେଦିନୁ ସମସ୍ତେ ବୁଡ଼ା ସମ୍ବର ବୋଇଲେ ।"
 
ମଶିଦାକାନନର ନାମ ପରିବର୍ତ୍ତିତ ହୋଇ ବୁଡ଼ାସମ୍ବର/ ବୋଡ଼ାସମ୍ବର ବୋଲି ନାମିତ ହେଲା । 

ଏବେ ବି ପଦ୍ମପୁର ଉପଖଣ୍ଡକୁ ବୋଡ଼ାସମ୍ବର ବୋଲି କୁହାଯାଉଛି । 

ତେବେ ଏହା ତ ପୌରାଣିକ ଵା କିମ୍ବଦନ୍ତୀ ମୂଳକ ମତ କିନ୍ତୁ ଐତିହାସିକଙ୍କ ମତାନୁଯାୟୀ ବୁଡ଼ାସମ୍ବର ଵା ବୋଡ଼ାସମ୍ବର ଶବ୍ଦର ମୂଳ ସମ୍ଭଵତଃ ବୁଦ୍ଧ ସମ୍ବତ୍ସର । 

ବୁଦ୍ଧ ଶବ୍ଦକାଳ କ୍ରମେ ପରିଵୃତ୍ତ ହୋଇ ବୁଡା ହୋଇଛି । ସମ୍ବତ୍ସର ଶବ୍ଦରୁ ସମ୍ବଅର ଵା ସମ୍ବର ହୋଇ ବୁଡ଼ାସମ୍ବର ଵା ବୋଡ଼ାସମ୍ବରର ନାମକରଣ ହୋଇଥିବାର ପ୍ରମାଣ ମିଳେ । 

ବୋଡ଼ାସମ୍ବରରେ ମାର୍ଜାର କେଶରୀ ଵୈଷ୍ଣଵ ଧର୍ମର ଦେଵତା ପୂଜା ଦେଖିଵାକୁ ମିଳେ । ଏ ଅଞ୍ଚଳ ବୌଦ୍ଧଧର୍ମ ସାଧନାର ପୀଠ ଥିଲା । ଗନ୍ଧଗିରି/ଗନ୍ଧମାର୍ଦନ ଗିରିର ପାଦଦେଶରେ ବୁଦ୍ଧସମ୍ବତ୍ସର ଵୈଶାଖ ପୂର୍ଣ୍ଣିମାରେ ଅନୁଷ୍ଠିତ ହେଉଥିଲା । କାଳକ୍ରମେ ଜନଵସତି ସ୍ଥାପନ ହେଵା ସହ ଏହି ସ୍ଥାନର ନାଁ ବୋଡ଼ାସମ୍ବର ହୋଇଥିଵାର ଜଣାପଡ଼େ ।


ଆଜି ବୋଡ଼ାସମ୍ବରର ନାମ ଏକ ଗ୍ରାମ ମଧ୍ୟରେ ସୀମିତ ହୋଇଯାଇଥିଲେ ବି ପଦ୍ମପୁର ନଗରର ଵିଭିନ୍ନ ସ୍ଥାନରେ ବୋଡ଼ା ଓ ସମ୍ବରର ଲଢ଼ାଇକୁ ପ୍ରତିମା ରୂପେ ସ୍ଥାପନା କରାଯାଇଛି ପୁଣି 
ପଦ୍ମପୁର ଅଞ୍ଚଳର ସ୍ଥାନୀୟ ପ୍ରତୀକ ହୋଇଯାଇଛି ବୋଡ଼ା ଓ ସମ୍ବର ଲଢ଼ାଇ । ଏହା ସୂଚାଇ ଦିଏ ଯେ ଏକଦା ଏ ପଦ୍ମପୁର ଅଞ୍ଚଳଟି ବୋଡ଼ାସମ୍ବର ନାମରେ କଥିତ ହେଉଥିଲା । 

••••••••••••••••••••••••
ଆଲେଖ୍ୟ—ଶିଶିର ସାହୁ ମନୋଜ 
କନ୍ତିଓ ପୁଟସାହି, ଢେଙ୍କାନାଳ 
•••••••••••••••••••••••••

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...