Friday, March 27, 2020

କଟକ ନଗରକୁ ନେଇ ପ୍ରଚଳିତ କିଛି ନାଁଦିଆ ଵା ପ୍ରହେଳିକା

କଟକ ନଗରକୁ ନେଇ ପ୍ରଚଳିତ କିଛି ନାଁଦିଆ ଵା ପ୍ରହେଳିକା । ଉତ୍ତର ବନ୍ଧନୀ ମଧ୍ୟରେ ଦର୍ଶାଯାଇଛି ।

୧)କଟକରୁ ଅଇଲା  ଟୋକାଟାଏ
ତା ମୁଣ୍ଡରେ ଟୋପାଟାଏ(ତାଳ)

୨)କଟକରୁ ଅଇଲା ବାବୁ
ତା ମୁଣ୍ଡରେ ଗୋଟାଏ ଆବୁ(ତାଳ)

୩)କଟକରୁ ଅଇଲା ଡେଙ୍ଗା ମହାନ୍ତି(ତନ୍ତି)
ତା ଅଇଁଠା ସମସ୍ତେ ଖାଆନ୍ତି(ଢାଙ୍କି)

୪)କଟକରୁ ଅଇଲା ଧାଇଁ
ତା ବେକ ସଳଖୁ ନାହିଁ(ଗଞ୍ଜି)

୫)କଟକରୁ ଅଇଲା ବ୍ରାହ୍ମଣ ଜଣେ
ତା ଦେହଯାକ ଯାଦୁ ଭରଣେ(କଲରା,ପଣସ)

୬)କଟକରୁ ଅଇଲା ବ୍ରାହ୍ମଣ ଜଣେ
ଦେହଯାକ ଛନ୍ଦା ପଇତା ପଣେ(ହେଁସ,ମୁନ୍ଦୁରା)

୭)କଟକରୁ ଅଇଲା ମାନସିଂହ
ତା ମୁଣ୍ଡରେ ତିନି ସିଙ୍ଘ(ଚୁଲୀ)

୮)କଟକରୁ ଅଇଲା କଟେଇତି,ହଳଦୀ ଖଣ୍ଡେ ବଟେଇତି ।
ଖାଏ ନାହିଁ ସେ ପିଏ ତ, ହସେ ନାହିଁ ସେ ଶୁଏ ତ ।(ଛୋଟପିଲା)

୯)କଟକରୁ ଆଇଲା ଧୋବଲୀ ଘୋଡୀ଼
ଏକା ଵିୟାଣକେ ହୋଇଲା ବୁଢ଼ୀ(କଦଳୀ ଗଛ)

୧୦)କଟକରେ ଲାଗିଲା ନିଆଁ
ନଡି଼ଆ ଗଦାରେ ଉଠିଲା ଧୂଆଁ(ହୁକା)

Wednesday, March 25, 2020

ଓଡ଼ିଆ ଭାଷାରେ ବାରମାସୀ ଗୀତ ଓ ପ୍ରକାରଭେଦ

ଓଡ଼ିଆ ଭାଷାରେ “ବାରମାସୀ” ନାମରେ ଏକ ଜାତୀୟ ଗୀତର ପ୍ରଚଳନ ଥିଲା । ବାରମାସୀ ଗୀତ ଭାଵ,ସ୍ଥିତି, ଵ୍ଯକ୍ତି ଓ ଵିଷୟ ଆଧାରରେ ଵିଭିନ୍ନ ପ୍ରକାରର ହୋଇଥାଏ ।

ଵର୍ଷରେ ଵା ଵର୍ଷକର ପ୍ରତ୍ଯେକ ମାସରେ ଵିରହିଣୀର ଵିରହାନୁଭୂତିଜ୍ଞାପ କଵିତା,ଵର୍ଷର ପ୍ରତିମାସର ଵର୍ଣ୍ଣନା ଉଲ୍ଲେଖ କରି ଦେଵତାଙ୍କ ଉଦ୍ଦେଶ୍ଯରେ ରଚିତ ଗୀତ,ଵର୍ଷର ପ୍ରତ୍ଯେକ ମାସର ପ୍ରକୃତି ଵର୍ଣ୍ଣନାତ୍ମ ପଦ୍ୟ ଇତ୍ୟାଦିକୁ ସାଧାରଣତଃ ବାରମାସୀ ଗୀତ କୁହାଯାଉଥିଲା ।

ବାରମାସ ଯାକର କଥା ଏଭଳି ଗୀତରେ ରହୁଥିଲା ଏଵଂ ବାରମାସୀ ଗୀତାରମ୍ଭ ସବୁଵେଳେ ମାର୍ଗଶୀରରୁ କରାଯାଉଥିଲା  ।  ଅତିପ୍ରାଚୀନ କାଳରେ ଭାରତରେ ମାର୍ଗଶୀରମାସରୁ ଵର୍ଷାରମ୍ଭ ଗଣନା କରାଯାଉଥିଲା ଏଇକଥାକୁ ମନେ ରଖିଵା ପାଇଁ ମାର୍ଗଶୀରମାସରୁ ବାରମାସୀ ଗୀତଟି ଆରମ୍ଭ ହୋଇଥାଏ । ଅଧିକାଂଶତଃ ବାରମାସୀ ଗୀତଗୁଡି଼କ ଵିରହୀଗୀତ ହିଁ ହୋଇଥାଏ । ପ୍ରେମୀ,ପତି,ପୁତ୍ର ଇତ୍ୟାଦିଙ୍କର ଵିରହରେ ପ୍ରେମିକା, ପତ୍ନୀ ଓ ମାତାଙ୍କ ମନର ଭାଵନା ଯେଉଁ ଗୀତ ମଧ୍ୟରେ ବାରମାସର ଉଲ୍ଲେଖ ପୂର୍ଵକ ପ୍ରକାଶ ପାଉଥିଲା ତାକୁ ବାରମାସୀ ଗୀତ କୁହାଯାଉଥିଲା । 

ନିମ୍ନରେ କେତେକ ବାରମାସୀ ଗୀତର ଉଦାହରଣ ଦିଆଗଲା...

(କ)ମାତୃ ଵିଳାପ
ପୁତ୍ର ଵିୟୋଗରେ ମାତା କୌଶଲ୍ଯା ଵିଳାପ କରୁଛନ୍ତି...

ଏ ଯେ ମଗୁଶୀର ମାସ, କାକର ପଡେ଼ ଵିଶେଷ
ଶୀତଳ ପଵନ ବହେ ଘନ ଘନ ମୋ ପୁତ୍ର କରିଵ କିସ
କୋଇଲି ଶୁଣ ଲୋ ...।।

ବଇଶାଖ ଖରା ଚାହିଁ, ବାହାରକୁ ନୋହେ ଯାଇ
କେଉଁ ଵୃକ୍ଷମୂଳେ ଜୀଵନ ଵିକଳେ ଥିଵ ମୋର ପୁତ୍ର
ରହି
କୋଇଲି ଶୁଣ ଲୋ ... ।।

ଦେଖ ଧାରା ଶିରାବଣ,ଜଳ ପଡେ଼ ଅନୁକ୍ଷଣ
ଘର ଘାଟ ନାହିଁ ମୋ ଦୁଃଖୀ ସଙ୍ଖାଳି କି ରୂପେ କାଟିଵ ଦିନ
କୋଇଲି ଶୁଣ ଲୋ ... ।।

ମାଘରେ ତହୁଁ ଅଧିକ, ଗରିଵ ଦୁଃଖଦାୟକ
ଅମୂଲ୍ୟ ସୁପାତି ତେଜି ରଘୁପତି ବୁଲଇ କାନନଯାକ
କୋଇଲି ଶୁଣ ଲୋ ... ।।

(ଖ)ସ୍ତ୍ରୀ ଵିଳାପ

ଚଇତ୍ରେ ଫୁଟଇ ମଲ୍ଲି
କହି ଯାଇଥିଲେ ଆସିଵେ ବୋଲି ହେ ମଧୁଵନ !
ବାଟ ଚାହିଁ ଚାହିଁ ମଲି...

(ଗ)ପ୍ରେମ ପ୍ରସଙ୍ଗ
              (୧)
ଆଶିଣ ମାସରେ କୁଆଁରୀ ଜହ୍ନ
ଯୁଗ ଖେଳିଵାକୁ ହେଉଛି ମନ
ଅଷ୍ଟସଖି ଆମେ ଗାଧେଇ ଯିଵା
ବରଣମାଳାରେ ବରି ଆଣିଵା
କ୍ଷମା କରୁଣାନିଧି
ତେଜିଗଲେ କୃଷ୍ଣ ନସ୍ଫୁରେ ବୁଦ୍ଧି ।।

               (୨)

ସ୍ତ୍ରୀ―କାର୍ତ୍ତିକେ ଦିପାଳୀ ଜାଳି ଦେଖୁଥିଵି ମୁଖ
ନାହିଁ ପ୍ରୀତି ସୁଖୁଁ ବଳି ଆଉ କିଛି
ସୁଖ ହେ !
ତୁମ ଵିନା ଝୁରି ଝୁରି ମରିଯିବି ସିନା  ।।

ପୁ―କାର୍ତ୍ତିକ ଧରମ ମାସ ଶୁଭେ ସଂକୀର୍ତ୍ତନ
କୁଳପୁତ୍ର ଲାଗି କରିବି ରମଣ
                   ଗୋ ପ୍ରେମମୟୀ !
ଜୟ କରେ ମନ ତୋର ଛଇ ।।

*ଘ)ଖାଦ୍ୟ ବାରମାସୀ

ମାଗୁଶୀରେ ନୂଆ ଭାତ ଚୁଙ୍ଗୁଡି଼ମାଛ ରସ
ଆଶିଣରେ ଘିଅପିଠା କାର୍ତ୍ତିକେ ହଵିଷ୍ଯ
ପୁଷମାସେ ମୂଳା ମୁଢି଼ ଖାଇଵାକୁ ମିଠା
ଘନ ଆଉଟା ପାଟକପରା ଚକଟା ପୋଡ଼ପିଠା ।

××××××××××××××××××××××××××××××××××××××××××××××××××××××××××××

ଜେଷ୍ଠରେ ପାଚିଲା ଆମ୍ବ ଆଶାଢେ଼ କଣ୍ଟାଳ
ଣ୍ରାଵଣେ ତାଳ ଭାଦ୍ରରେ ନୂଆ ଚୁଡା଼ ଗୁଡ଼ ।

××××××××××××××××××××××××××××××××××××××××××××××××××××××××××××
ବାରମାସରେ ବାର ଖାଇଲୁ ଆଉ ଖାଇବୁ କି ?
ପଖାଳ ଭାତରେ ବାଇଗଣପୋଡା଼ ଖେଚୁଡ଼ି ଭାତରେ ଘି !

(ଙ)ଛମାସୀ
ବାରମାସୀ ଭଳି ଏକଜାତୀୟ ଛମାସୀ ଗୀତ ବି ରହିଛି ଯେଉଁଥିରେ ଛମାସର କଥା କୁହାଯାଏ । ଯଥା―

“କାତିକି― ଶୀତ କରେ ରାତିକି
ମଗୁଶିରୀ― ଶୀତ କରେ ଶିରି ଶିରି
ପୁଷ୍― ଶୀତ କରେ ଭୁଷ୍ ଭୁଷ୍
ମାଘ୍ ― ଶୀତର ବଡ଼ ରାଗ୍
ଫଗୁଣ― ଶୀତ କରେ ଦିଗୁଣ
ଚଇତ― ଶୀତ ଯାଏ ବୋଇତ । ”

ବାରମାସୀ ଲୋକଗୀତ, କଵିତାର ଭାଵ ଓ ସଙ୍ଗୀତର ସ୍ଵର ସଂଯୋଗରେ ଅନଵଦ୍ଯ ହୋଇଯାଏ । ଅନ୍ତରରୁ ରସଧାରା ସଙ୍ଗେ ଯେଉଁ ସ୍ଵର,ଯେଉଁ ଛନ୍ଦ ଆପେ ଆପେ ବାହାରି ଆସେ, ଏହା ସେହି ସ୍ଵର ସେହି ଛନ୍ଦରେ ଲେଖା ହୋଇଥାଏ ।

ବାରମାସୀ ନାରୀର ନିଜସ୍ୱ । ଏହା ଅତୀତ ସ୍ମୃତିର କରୁଣ ରସରେ ଝଙ୍କୃତ,ଦୁଃଖମୟ ଜୀଵନ ଅନୁଭଵ ଆଶଙ୍କାରେ ଆତଙ୍କିତ । ମୁର୍ମୁରଦାହର ଉଷ୍ମତା,ନିର୍ଜ୍ଜନ ସନ୍ଧ୍ୟାରେ ଏକମାତ୍ର ଵୀଣାଝଙ୍କାରର କରୁଣତା,ସବୁଜ ଅନ୍ତରର ସଜୀଵତା ଏଥିରୁ ମିଳିଥାଏ ।

(ସନ୍ଦର୍ଭ― ଓଡ଼ିଆ ଲୋକଗୀତ ଓ କାହାଣୀ(କୁଞ୍ଜ ଵିହାରୀ ଦାଶ),ପୂର୍ଣ୍ଣଚନ୍ଦ୍ର ଭାଷାକୋଷ )

Tuesday, March 24, 2020

ଵିଜୁଳି ଖୁଣ୍ଟ ଓ ଭ୍ରଷ୍ଟାଚାରୀ

ଦିନେ ରାଜା ଚିଡିଯାଇ ଘୋଷଣା କରିଦେଲେ ଯେ ଭ୍ରଷ୍ଟାଚାରୀ ଅମଲା ମାନଙ୍କୁ ଵିଜୁଳିଖୁଣ୍ଟରେ ଝୁଲେଇ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯିବ ।

ସକାଳ ନହେଉଣୁ ଲୋକେ ଵିଜୁଳିଖୁଣ୍ଟ ନିକଟରେ ଏକତ୍ର ହୋଇଗଲେ । ଯିଏ ଯୋଉ
ଵିଜୁଳିଖୁଣ୍ଟ ପାଇଲେ ପୁଷ୍ପ ଫଳ ଧୂପ ଆଦିରେ
ପୂଜାର୍ଚ୍ଚନା ଆରମ୍ଭ କରିଦେଲେ ।

ସଂଧ୍ୟା ଯାଏଁ ସେମାନେ ଅପେକ୍ଷା କଲେ
କି କାଳେ ଆଜି ଭ୍ରଷ୍ଟାଚାରୀଙ୍କୁ
ଵିଜୁଳି ଖମ୍ଭରେ ଟଙ୍ଗାଯିବ
ହେଲେ ସେମିତି କିଛି ହେଲା ନାହିଁ ...

ଲୋକେ ନିରାଶ ହୋଇ ଯେ ଯେଝା ଘରକୁ ଫେରିଲେ.....

ତହିଁ ପର ଦିନ ଲୋକମାନେ ଏକ ଶୋଭାଯାତ୍ରା କରି ରାଜାଙ୍କ ଛାମୁରେ ଯାଇ ଗୁହାରି କଲେ, “ହେ ମହାରାଜ, ଆପଣ  ଘୋଷଣା କରିଥିଲେ ଭ୍ରଷ୍ଟାଚାରୀମାନେ ଵିଜୁଳୀ ଖୁଣ୍ଟରେ ଟଙ୍ଗାଯିବେ, କିନ୍ତୁ ସ୍ତମ୍ଭଗୁଡ଼ିକରେ କାହାକୁ ଟଙ୍ଗାଗଲା ନାହିଁ ଵରଂ ଭ୍ରଷ୍ଟାଚାରୀମାନେ କାଲି ଦିନଟି ଉତ୍ସଵ ଭଳି ପାଳୁଥିଲେ ।

ରାଜା କହିଲେ,
ଆମ୍ଭେ ଘୋଷଣା କରିଅଛୁ ଅର୍ଥ ସେମାନେ ନିଶ୍ଚେ ଟଙ୍ଗାଯିଵେ, ତେଵେ ଆମ୍ଭ ଆଦେଶ କାର୍ଯ୍ୟକାରୀ ହେଵାକୁ କିଛି ଦିନ ଲାଗିପାରେ । ଏତେ ଭ୍ରଷ୍ଟାଚାରୀମାନଙ୍କୁ ଟାଙ୍ଗିବା ହେତୁ ତେତିକି ପରିମାଣର ଦଉଡି଼ର ମଧ୍ୟ ଆଵଶ୍ଯକତା ରହିଛି  | ମୁଁ ଶକ୍ତ ଦଉଡି଼ ତିଆରି କରିଵାକୁ ନିର୍ଦ୍ଦେଶ ଦେଇସାରିଛି | ଦଉଡି଼ ଆସିଗଲାପରେ ଆମ୍ଭ ଆଦେଶର ଶିଘ୍ରାତିଶିଘ୍ର ପାଳନ ହେଵ ଓ ସମସ୍ତ ଭ୍ରଷ୍ଟାଚାରୀଙ୍କୁ ଵିଜୁଳୀ ଖୁଣ୍ଟରେ ଟାଙ୍ଗି ଦିଆଯିଵ |

ଭିଡ଼ ଭିତରୁ ଜଣେ ବ୍ୟକ୍ତି କହିଲା―
ହେ ଦେଵ ! କିନ୍ତୁ ଫାଶୀ ପାଖରେ ଦଉଡି଼ ଯୋଗାଇ ଦେଵାର କାର୍ଯ୍ୟଟା ବି ଜଣେ ଭ୍ରଷ୍ଟାଚାରୀ ରାଜକର୍ମଚାରୀ ହିଁ ଵହନ କରିଛନ୍ତି ଆଜ୍ଞା ...

ରାଜା କହିଲା, “ କଣ ହେଇ ଗଲା ସେଠୁ !  ତାଙ୍କୁ ତାଙ୍କ ଦ୍ଵାରା ଯୋଗାଣ ହେଵାକୁ ଥିଵା ଦଉଡି଼ରେ ହିଁ ଫାଶୀ ଖୁଣ୍ଟରେ ଝୁଲାଯିବ। ”

ତା’ପରେ ଆଉ ଜଣେ କହିଲା, କିନ୍ତୁ ସେ ତ କହୁଥିଲେ ମୁଁ ଫାଶୀ ଦେଵା କାର୍ଯ୍ଯର ମଧ୍ୟ ଠିକା ନେଇ ଯିଵି ।

ରାଜା ଉତ୍ତର ଦେଲେ, “ନା, ତେମନ୍ତ ଆଦୌ ହେଵ ନାହିଁ। ଫାସୀ ଦେଵା ଭଳି ରାଜକାର୍ଯ୍ୟର ଏପର୍ଯ୍ୟନ୍ତ ଘରୋଇକରଣ ହୋଇନାହିଁ। ”

ତହୁଁ ଲୋକମାନେ ପଚାରିଲେ, ତା’ହେଲେ ସେମାନଙ୍କୁ କେତେ ଦିନ ପରେ ଫାଶୀ ଦିଆଯିଵ।

ରାଜା କହିଲେ, ଆଜିଠାରୁ ଠିକ୍ ଷୋହଳ ଦିନ ପରେ ତମେମାନେ ସବୁ ଭ୍ରଷ୍ଟାଚାରୀମାନଙ୍କୁ ବିଜୁଳି ଖୁଣ୍ଟରେ ଝୁଲୁଥିଵାର ଦେଖିଵ ।

ଲୋକମାନେ ଉତ୍କଣ୍ଠା ସହାକରେ ସେହି ମହତ୍ତ୍ୱପୂର୍ଣ୍ଣ ଦିନଟିକୁ ଅନେଇ ରହିଲେ...

ଷୋହଳ ଦିନ ସକାଳୁ ସକାଳୁ ଲୋକେ ଉଠି ଦେଖିଲେ ସବୁ ବିଜୁଳି ଖୁଣ୍ଟ  ଉପୁଡ଼ି ଯାଇଛି । ସେମାନେ ଏହା ଦେଖି ବହେ ଆଶ୍ଚର୍ଯ୍ୟ ହୋଇଗଲେ କାରଣ ରାତିରେ ତ ଭୂମିକମ୍ପ ହୋଇନଥିଲା ତାହେଲେ ସେହି ସ୍ତମ୍ଭଗୁଡ଼ିକ କିପରି ଭାଙ୍ଗିଗଲା !

ସେମାନେ ସ୍ତମ୍ଭ ନିକଟରେ ଠିଆ ହୋଇଥିବା କେତେଜଣ ଶ୍ରମିକଙ୍କୁ ଦେଖିଵାକୁ ପାଇଲେ। ପଚାରି ବୁଝିଲାରୁ ଜଣାଗଲା ଯେ ରାତିରେ ଶ୍ରମିକମାନେ ଏହି ସ୍ତମ୍ଭଗୁଡ଼ିକୁ ଉପାଡି଼ ଦେଇଛନ୍ତି । ଲୋକମାନେ ତାଙ୍କୁ ଧରି ରାଜାଙ୍କ ନିକଟରେ ଉପସ୍ଥିତ ହେଲେ ।

ଲୋକେ ଅଭିଯୋଗ କଲେ,
"ମହାରାଜ, ଆପଣ ଭ୍ରଷ୍ଟାଚାରୀମାନଙ୍କୁ ଆଜିଦିନରେ ବିଜୁଳି ଖୁଣ୍ଟରେ ଝୁଲେଇ ଦେଵାକୁ ଆଦେଶ ଦେଇଥିଲେ କିନ୍ତୁ ରାତିରେ ସମସ୍ତ ସ୍ତମ୍ଭ ଉପାଡ଼ି ଦିଆ ଯାଇଥିଲା । ଆମେ ଏହି ଶ୍ରମିକଙ୍କୁ ଧରିଛୁ । ସେମାନେ କହୁଛନ୍ତି ଯେ ତାଙ୍କେ ରାତିରେ ସମସ୍ତ ସ୍ତମ୍ଭ ଉପାଡି଼ ପକାଇଛନ୍ତି ।

ରାଜା ଶ୍ରମିକଙ୍କୁ ପଚାରିଲେ, "ଶ୍ରମିକଵୃନ୍ଦ , ତୁମ୍ଭେମାନେ କାହା ଆଦେଶରେ ସ୍ତମ୍ଭଗୁଡ଼ିକୁ ଉପାଡି଼ ଦେଲ? "

ଜଣେ ଶ୍ରମିକ ଡରି ଡରି କହିଲା,
ହଜୁର୍ ରାଜ୍ୟ ଓଵରସିୟର୍ ଆମମାନଙ୍କୁ ଏସବୁ ଉପାଡି଼ ଦେଵାକୁ ନିର୍ଦ୍ଦେଶ ଦେଇଥିଲେ ।

ଓଵରସିୟର୍'ଙ୍କୁ ଡକାଗଲା !

ରାଜା ତାଙ୍କୁ ବି ପଚାରିଲେ,
କିହୋ ଆପଣ କଣ୍  ଜାଣନ୍ତି ନାହିଁ ? ମୁଁ ପରା ଆଜି ଦିନରେ ସବୁ ଭ୍ରଷ୍ଟାଚାରୀଙ୍କୁ ବିଜୁଳି ଖୁଣ୍ଟରେ ଟାଙ୍ଗିଦେଵାକୁ ଘୋଷଣା କରିଥିଲି ?

ଆଜ୍ଞା ମଣିମା !!!

ଆଉ ତାହେଲେ ରାତାରାତି ଖୁଣ୍ଟ କାହିଁକି ଉପାଡି଼ ପକେଇଲେ ?

ମଣିମା ଦୟାକରି ଆମ୍ଭ ଦୋଷ କ୍ଷମା କରନ୍ତୁ  ! ମାତ୍ର ଏହା କରିଵା ପାଇଁ  ଆମ୍ଭ ରାଜ୍ୟର ଇଞ୍ଜିନିୟର ଗତକାଲି ସନ୍ଧ୍ୟାରେ ମୋତେ ନିର୍ଦ୍ଦେଶ ଦେଇଥିଲେ ।

ଇଞ୍ଜିନିୟରଙ୍କୁ ରାଜ ଡାକରା ହେଲା ।

ସେ ଆସି କହିଲେ ତାଙ୍କୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର ଗତକାଲି ରାତିରେ ସମସ୍ତ ପୋଲ ଉପୁଡ଼ି ଦେଵାକୁ
ନିର୍ଦ୍ଦେଶ ଦେଇଥିଲେ ।

ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରଙ୍କୁ ଡକାଗଲା, ସେ ହାତ ଯୋଡି଼ କହିଲେ ଆଜ୍ଞା  ସଚିବ ସାର୍'ଙ୍କ  ଆଦେଶ ଅନୁସାରେ ଏହି କାର୍ଯ୍ୟ ହୋଇଅଛି ।

ତହୁଁ ରାଜା ବିଭାଗୀୟ ସଚିବଙ୍କୁ ଡକେଇ ପଠେଇଲେ ।

ସଚିଵ ଆସିଲାରୁ ରାଜା ତାଙ୍କୁ ଜେରା କଲେ...
“ଆଚ୍ଛା ତୁମେ ବିଜୁଳି ଖୁଣ୍ଟ ଗୁଡ଼ିକୁ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଥିଲ ଟି ? "

ସଚିବ ବରଡା଼ ପତ୍ର ଭଳି ଥରି ଥରି କହୁଥାଆନ୍ତି "ଆଜ୍ଞା ମଣିମା !"

ତହୁଁ ରାଜା କହୁଛନ୍ତି,
"ମୁଁ ତ ଆଜି ଦିନରେ ସେଥିରେ ଭ୍ରଷ୍ଟାଚାରୀଙ୍କୁ ଟାଙ୍ଗିଥାଆନ୍ତି ! ତମେ କାହିଁକି ବିଜୁଳି ଖୁଣ୍ଟ ଓପାଡି଼ ପକାଇଵାର ଆଦେଶ ଦେଇଥିଲ ଶୁଣେ ...!

ସେଠୁ ସଚିବ କହିଲେ,
ମଣିମା ଦୋଷ କ୍ଷମା ହେଉ !  ସମଗ୍ର ରାଜ୍ଯର ସୁରକ୍ଷାକୁ ଆଖି ଆଗରେ ରଖି ଏଭଳି ନିର୍ଦ୍ଦେଶ ଦେଵାକୁ ବାଧ୍ଯ ହେଲି ।  ଯଦି କାଲି ରାତିରେ ଖୁଣ୍ଟଗୁଡି଼କ ଓପାଡା଼ଯାଇ ନଥାନ୍ତା, ତେବେ ଆଜି ସମଗ୍ର ରାଜ୍ଯଟି ଧ୍ୱଂସ ହୋଇଯାଇଥାଆନ୍ତା ! ”

ଏହା ଶୁଣି ରାଜା ଓ ଉପସ୍ଥିତ ପ୍ରଜା ସମସ୍ତେ ତାଟକା ହୋଇ ସଚିଵଙ୍କ ଆଡ଼କୁ ଚାହିଁ ରହିଲେ ।

ରାଜା ସଚିଵଙ୍କୁ ପୁଣ ପଚାରିଲେ,

ଆଚ୍ଛା !   ତମେ  ଏକଥା  କିପରି ଜାଣିଲ ? କିଏ ତୁମକୁ ଏ ଵିଷୟରେ କହିଥିଲା କି ନା ଠାକୁରେ ସପନେଇଥିଲେ ?

ସଚିବ କହିଲେ,
ନାଇଁ ଛାମୁ ! ରାଜ୍ୟର ଜନୈକ ଵିଶେଷଜ୍ଞ  ମୋତେ ପରାମର୍ଶ ଦେଲେ ଯେ ଯଦି ଆପଣ ସହରକୁ ବଞ୍ଚେଇଵାକୁ ଚାହାଁନ୍ତି, ତେବେ ସକାଳ ପୂର୍ଵରୁ ଯେତେ ବିଜୁଳିଖୁଣ୍ଟ ସବୁଯାକ ଓପାଡି଼ ପକାନ୍ତୁ । "

ରାଜା ପଚାରିଲେ,
ଏହି ବିଶେଷଜ୍ଞ କିଏ ? ସେ ଜଣେ ଵିଶ୍ଵାସଯୋଗ୍ଯ ଲୋକ କି ? "

ସଚିବ କହିଛନ୍ତି,
“ଆଜ୍ଞା ! ସଂପୂର୍ଣ୍ଣ ଵିଶ୍ଵାସୀ ଲୋକ । ସମ୍ପର୍କରେ ମୋହର ଶାଳକ, ଘରର ଲୋକ ତ ।" ଆପଣ ଅନୁମତି ଦେଲେ ମୁଁ ତାକୁ ଏଠାରେ ଉପସ୍ଥିତ କରାଅନ୍ତି ।"

ରାଜ ଆଜ୍ଞା ପାଇଵାରୁ ଵିଶ୍ଵସ୍ତ ବିଶେଷଜ୍ଞ ଜଣକ ରାଜସଭାକୁ ଡକାହୋଇ  ଆସିଲେ ...

ଉକ୍ତ ଵୈଜ୍ଞାନିକ ଆସି ରାଜାଙ୍କ ଛାମୁରେ ଆସି ଉପସ୍ଥିତ ହେଲେ ଆଉ କହିଲେ,

"ମଣିମା,ମୁଁ ଜଣେ ଵିଶେଷଜ୍ଞ ଏବଂ ମୁଁ ଭୂମି ଓ ପରିଵେଶର ଗତିବିଧି ଉପରେ ଏକ ବିଶେଷ ଅଧ୍ୟୟନ କରୁଛି। କିଛି ଦିନ ତଳେ  ପରୀକ୍ଷା କରି ଜାଣିଲି, ଭୂମି ତଳେ ଏକ ଭୀଷଣ ଵିଦ୍ଯୁତପ୍ରଵାହ ଗତି କରୁଛି  ଆଉ କାଲି ତାହା ଠିକ୍ ଆମ ସହର ତଳେ ପ୍ରଵାହିତ ହେଵାର ଥିଲା | ଆପଣମାନେ ଉପରେ ଵିନା ଵୈଜ୍ଞାନିକ ଉପକରଣରେ ତାହା ଆଦୌ ଜାଣିପାରିଵେ ନାହିଁ  କିନ୍ତୁ ମୋ ପାଖରେ ସେଭଳି ସାଧନ ରହିଛି ତେଣୁ ମୁଁ ଏହା ଜାଣିପାରିଲି । ଯଦି କାଲି  ଆମର ଵିଜୁଳି ଖୁଣ୍ଟଗୁଡ଼ିକ ଭୂମିରେ ପୋତି ହୋଇଥାନ୍ତା, ତେବେ ସାରା ସହରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥାଆନ୍ତା । ବଡ଼ ବଡ଼ କୋଠା ଓ ହଜାର ହଜାର ଗଛ ନଵରସାରା ଭାଙ୍ଗିପଡି଼ଥାଆନ୍ତା ଏଵଂ ଲକ୍ଷ ଲକ୍ଷ ଲୋକ ଏଥିଯୋଗୁଁ ମୃତ୍ୟୁମୁଖରେ ପଡି଼ଥାଆନ୍ତେ । ମୁଁ ସଙ୍ଗେ ସଙ୍ଗେ ଏଇକଥା ସଚିବଙ୍କୁ କହିଲି ଏବଂ ସେ ଠିକ୍ ସମୟରେ ଉପଯୁକ୍ତ ପଦକ୍ଷେପ ନେଇ ଆମ ଏଇ ସୁନ୍ଦର ନଗରକୁ ରକ୍ଷା କଲେ ।”

ଲୋକମାନେ ଆଶ୍ଚର୍ଯ୍ୟ ଅଵିଭୁତ ହୋଇଗଲେ | ସେମାନେ ଭ୍ରଷ୍ଟାଚାର ଓ ଭ୍ରଷ୍ଟାଚାରୀମାନଙ୍କୁ ସମ୍ପୂର୍ଣ୍ଣ ଭୁଲିଗଲେ | ଗୋଟିଏ ଭୟଙ୍କର ଵିପଦରୁ ସେମାନେ ଅଳ୍ପକେ ବଞ୍ଚିଯାଇଛନ୍ତି ଜାଣି ସେମାନେ ରାଜା,ଗଵେଷକ ଓ ସଚିଵଙ୍କୁ ଧନ୍ଯଵାଦ ଜ୍ଞାପନ କରି ଘରକୁ ଲେଉଟିଗଲେ ।

ସେହି ସପ୍ତାହରେ ବ୍ୟାଙ୍କରେ ନିମ୍ନ ଧନରାଶିଗୁଡିକ କିଛି ଲୋକଙ୍କ ନାମରେ ଜମା କରାଯାଇଥିଲା―

ସଚିଵଙ୍କ ପତ୍ନୀଙ୍କ ନାମରେ - 2 ଲକ୍ଷ ଟଙ୍କା ।

ଶ୍ରୀମତୀ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର - 1 ଲକ୍ଷ ।

ଶ୍ରୀମତୀ ଇଞ୍ଜିନିୟର -1 ଲକ୍ଷ ।

ଶ୍ରୀମତୀ ବିଶେଷଜ୍ଞ - 25 ହଜାର ।

ଶ୍ରୀମତୀ ଓଵରସିୟର୍ -5 ହଜାର।

ପୁଣି ଉକ୍ତ ସପ୍ତାହରେ, 'ଭ୍ରଷ୍ଟାଚାରୀମାନଙ୍କ ଗୁପ୍ତ ସଙ୍ଗଠନ',ର ‛ଧର୍ମଦା’ଆକାଉଣ୍ଟରେ ନିମ୍ନଲିଖିତ ଅର୍ଥ ଏମନ୍ତ ହିସାବରେ ଜମା କରାଯାଇଥିଲା -

କୁଷ୍ଠରୋଗୀଙ୍କ ସହାୟତା ପାଇଁ ଦାନ - 2 ଲକ୍ଷ ଟଙ୍କା ।

ବିଧବାଶ୍ରମ - 1 ଲକ୍ଷ ।

ଯକ୍ଷ୍ମାରୋଗ ଚିକିତ୍ସାଳୟକୁ - 1 ଲକ୍ଷ ।

ପାଗଳଖାନାକୁ ―25 ହଜାର ।

ଅନାଥ ଆଶ୍ରମକୁ― 5 ହଜାର ଟଙ୍କା ।

(ମୂଳ ରଚନା ― ହରିଶଙ୍କର ପରସାଈ)

Monday, March 16, 2020

ମୋ ଗାଆଁର ନାଆଁ କନ୍ତିଓ

ମୋର ଜନ୍ମଭୂମି କଳିଙ୍ଗ ଦେଶ ଅନ୍ତର୍ଗତ ପ୍ରାଚୀନକାଳରେ ମହ୍ଲାରଦେଶ ଭାଵେ ଖ୍ଯାତ ଢେଙ୍କାନାଳ ଗଡ଼ଜାତ ଅଟେ । ଏଇ ଢେଙ୍କାନାଳ ଗଡ଼ଟି ଅନେକ ଵିଷୟ ଵା ପ୍ରଗଣାରେ ଵିଭକ୍ତ ତନ୍ମଧ୍ୟରୁ ପାରିମାଳ ଵିଷୟ ଅନ୍ଯତମ । ପାରିମାଳ ଵିଷୟରେ ଗୋଟିଏ ଗାଆଁ ହେଉଛି କନ୍ତିଓ ,ମୋ ଗାଆଁ ।

କନ୍ତିଓ ଗାଆଁଟି କଳିଙ୍ଗ ଦେଶରେ ସେତେ ଲୋକପ୍ରିୟ ନୁହେଁ କିନ୍ତୁ ଏ ଗାଆଁରେ ଏକଦା ଢେଙ୍କାନାଳ ରାଜାଙ୍କ ଗୁରୁ ଆଶ୍ରମ ଥିଲା ଓ ତାଙ୍କ ପ୍ରଚେଷ୍ଟାରେ ଏଠାରେ ଗୋଟିଏ ଵୈଷ୍ଣଵ ଗ୍ରାମ ତଥା ମଠ ସ୍ଥାପନ ହୋଇଥିଵାର କିମ୍ବଦନ୍ତୀ ଶୁଣାଯାଇଥାଏ । ଆମ ପଞ୍ଚାୟତରେ କନ୍ତିଓ, ପୁଟସାହି ଓ ଜକା ତିନୋଟି ଗ୍ରାମ ରହିଥିଲେ ହେଁ ପୁଟସାହିକୁ ଆଜି ବି ମାନଚିତ୍ରାଦିରେ ଗୋଟିଏ ସ୍ଵତନ୍ତ୍ର ଗ୍ରାମର ମାନ୍ଯତା ମିଳିନାହିଁ । କନ୍ତିଓ ପୁଟସାହି ଗ୍ରାମ ପଞ୍ଚାୟତର ଜକା ଗ୍ରାମରେ ଏକ ମହିମା ପୀଠ ଅଵସ୍ଥିତ । ଓଡ଼ିଆ ଶବ୍ଦ ଜକାରୁ ଏହାର ନାମକରଣ ହୋଇଥିଵା ଅନୁମାନ କରାଯାଏ । ଜକା ଶବ୍ଦର ଏକ ଅର୍ଥ “ଲୁକ୍କାୟିତ ମୂଲ୍ୟଵାନ ସ୍ଥାନ ଵା ଵସ୍ତୁ” ! ଅନେକ ଅଖ୍ଯାତ ପଲ୍ଲୀ ମଧ୍ୟରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମହିମାପୀଠ ଥିଵାରୁ ଏଭଳି ଜକା ନାମକରଣ ହୋଇଥିଵା ସମ୍ଭଵ ।

ଢେଙ୍କାନାଳରେ ତିନୋଟି ଗ୍ରାମର ନାମ ସହିତ କନ୍ତିଓ ଶବ୍ଦ ରହିଛି ।

୧)କନ୍ତିଓ ପୁଟସାହି
୨)କନ୍ତିଓ କାଟେଣୀ
୩)ତୁମୁସିଂହା କନ୍ତିଓ

ଭାରତରେ ପଞ୍ଚାୟତରାଜ ଵ୍ଯଵସ୍ଥାର ପ୍ରାରମ୍ଭିକ କାଳରେ କାଟେଣି, କନ୍ତିଓ, ଜକା, ତୁମୁସିଂହା, କୋଟଗରା, ଖୁଣ୍ଟବାଟି ଇତ୍ୟାଦି ଅନେକ ଗାଆଁ ମିଶି ଗୋଟିଏ ପଞ୍ଚାୟତ ଗଠନ ହୋଇଥିଲା ।

ସେତେବେଳେ ଏହି ପଞ୍ଚାୟତର ନାମ କନ୍ତିଓ ହିଁ ରଖାଯାଇଥିଲା । ଉକ୍ତ ପଞ୍ଚାୟତ ଗଠନର କେତେକ ଵର୍ଷ ପରେ କୋଟଗରା, ତୁମୁସିଂହା,ଖୁଣ୍ଟବାଟି ଓ ଶେଷରେ କାଟେଣି ଗାଆଁ ଅଲଗା ହୋଇଅଛି । ତେଵେ  ଅଲଗା ହେଲେ ହେଁ ଢେଙ୍କାନାଳରେ ପଚାଶରୁ ଅଧିକ କାଟେଣି ଥିଵାରୁ ଗୋଟିଏ ଗାଆଁର ନାଆଁ କନ୍ତିଓ କାଟେଣି ରଖାଗଲା ଏଵଂ ତୁମୁସିଂହା ସହିତ କନ୍ତିଓ ଶବ୍ଦ ଯୋଡା଼ଗଲେ ହେଁ ଏଵେକାର ଲୋକେ ଉକ୍ତ ଗ୍ରାମକୁ କେଵଳ ତୁମୁସିଂହା କହୁଥିଵା ଦୃଷ୍ଟିଗୋଚର ହୋଇଥାଏ ।

କନ୍ତିଓ ପୁଟସାହି ଗ୍ରାମ ସହ ଲାଗିଥିଵା କେତେକ ଗାଆଁର ନିମ୍ନରେ ନାମୋଲ୍ଲେଖ କରାଗଲା ....

୧)କନ୍ତିଓ କାଟେଣୀ(ଏଠାରେ ବ୍ରାହ୍ମଣୀ ନଦୀ ପୁଣି ପୂର୍ଵକୁ କଟିଥିଵାରୁ ଏହାର ନାମ କାଟେଣୀ ହୋଇଅଛି)

୨)ଜୁଲଙ୍ଗ(ଏ ଗାଆଁ କାଟେଣୀରେ ଯାଉଛି ଆଗେ କନ୍ତିଓରେ ଥିଲା)

୩)ଶାଳପଡା଼(କୁସୁମଯୋଡି଼ ଗାଆଁର ସୀମା କନ୍ତିଓ ଗାଆଁକୁ ଲାଗିନାହିଁ)

୪)ଖୁଣ୍ଟବାଟି(ପ୍ରଥମେ କନ୍ତିଓ ପୁଟସାହି ଗ୍ରାମପଞ୍ଚାୟତରେ ରହି ପରେ ଖଟୁଆହତା ପଞ୍ଚାୟତ ପୁଣି କନ୍ତିଓ ପୁଟସାହି ପଞ୍ଚାୟତ ଏଵଂ ଏଵେ ଅଁଳାବେରେଣୀ ପଞ୍ଚାୟତରେ ଅଛି)

୫)ଜକା(କନ୍ତିଓ ପୁଟସାହି ଗ୍ରାମପଞ୍ଚାୟତର ମହିମା ପୀଠ ଥିଵା ଗାଆଁ, ଢେଙ୍କାନାଳ ସଦର ବ୍ଲକରେ ଆଉ ଗୋଟିଏ ଜକା ଗାଆଁ ରହିଥିଵା ଜଣାଯାଏ)

୬)ମହୁଗାଡି଼ଆ

୭)ଶାଳିଆ

୮)ଚୁଡାଖିଆ କାଟେଣୀ

୯)ତେନ୍ତୁଳିସିଂହା(ସିଂହା ଏକ ସଉରା ଶବ୍ଦ ଯାହାର ଅର୍ଥ ମଣିଷଙ୍କ ଗାଆଁ । ସମ୍ଭଵତଃ ଏଠାରେ ତେନ୍ତୁଳି ଗଛ ଅଧିକ ଥିଵାରୁ ଏ ଗାଆଁର ଏଭଳି ନାମକରଣ ହୋଇଛି)

ତେଵେ ଛୋଟଵେଳୁ ଆମ ଗାଆଁରେ ମୁଁ ବହୁତ ଲୋକଙ୍କୁ ପଚାରିଛି

“ଆମ ଗାଆଁର ଯୋଉ କନ୍ତିଓ ନାଆଁ ତାହାର ଅର୍ଥ କ’ଣ୍ ?”

କିନ୍ତୁ କାହାଠାରୁ ବି ଆଜିଯାଏଁ ଏହାର ଯୁକ୍ତିଯୁକ୍ତ ଉତ୍ତର ମିଳିପାରିନାହିଁ । ତିନିଵର୍ଷ ତଳେ ଥରେ ଏହି ପ୍ରଶ୍ନର ଉତ୍ତର ଉଣ୍ଡିଵାକୁ ଚେଷ୍ଟା କରି ନିରାଶ ହୋଇଅଛି ।

ତେଵେ ଗତ ତିନିଵର୍ଷ ହେଵ ଓଡ଼ିଆ ଭାଷାର ଶବ୍ଦ ଆଲୋଚନା ତଥା ଡାକ୍ତର ଦେଵାଶିଷ ଜ୍ୟେଷ୍ଠୀଙ୍କ ପରି ଭାଷାଵିଦ୍'ଙ୍କ ସଂସ୍ପର୍ଶରେ ଆସିଵାପରେ ପରେ ଆଜି ଏ ପ୍ରଶ୍ନର ଗୋଟିଏ ନୁହେଁ ଵରଂ ଦୁଇଗୋଟି ସମ୍ଭାଵିତ ଉତ୍ତର ପାଇପାରିଵାରେ ସଫଳ ହୋଇଅଛି ।

ପ୍ରଥମେ ମୁଁ ଭାବୁଥିଲି ‛କନ୍ତିଓ’ ନାଆଁଟା ଓଡ଼ିଆଭାଷା ନୁହେଁ ଵରଂ ସଉରାଭାଷା ମୂଳରୁ ଆସିଥିଵ । ଆମ ଗାଆଁର ପ୍ରାଚୀନ ଅଧିଵାସୀ ସଉରା ଅଟନ୍ତି କିନ୍ତୁ ସଉରା ଭାଷାରେ ଏଭଳି ଵା ଏହାର ଆଖପାଖ କୌଣସି ଶବ୍ଦ ନଥିଵାରୁ ସେତେଵେଳେ କୌଣସି ଉତ୍ତର ମିଳିନଥିଲା ।

ପ୍ରକୃତରେ ଆମ ଗାଆଁର ନାମକରଣ ଏହାର ଭୌଗୋଳିକ ଅଵସ୍ଥିତି ଆଧାରରେ ହୋଇଅଛି । ଆମ ଗାଆଁ ପାଖରେ ବ୍ରାହ୍ମଣୀ ନଦୀ ଵଙ୍କିଛି ଆଉ ଯେଉଁ ସ୍ଥାନରେ ବଙ୍କିଅଛି ସେଠାରେ କଣ୍ଟାଝରୀ ପାହାଡ଼ ଆଡୁ଼ ବହି ଆସି ବ୍ରାହ୍ମଣୀ ନଦୀରେ ମିଶେ ଇନ୍ଦ୍ରଜୀତ ଝର ।  ଉର୍ଦ୍ଧ୍ଵାକାଶରେ ସେହି ମିଳନସ୍ଥଳୀକୁ ଦେଖିଲେ ଏହି ସ୍ଥାନଟି ଠିକ୍ ଲଙ୍ଗଳକଣ୍ଟି ପରି ପ୍ରତିଭାତ ହୋଇଥାଏ ।

ସମ୍ଭଵତଃ ଲଙ୍ଗଳ କଣ୍ଟି ଭଳି ଦେଖାଯାଉଥିଵା ହେତୁ କନ୍ତିଓ ଗାଆଁର ନାମକରଣ ପ୍ରଥମେ “କଣ୍ଟି+ ଅଛି ଅର୍ଥରେ ଆ" = କଣ୍ଟିଆ ହୋଇ ପରଵର୍ତ୍ତୀକାଳରେ କନ୍ତିଆ > କନ୍ତିୟା >
କନ୍ତିୟୋ  ଏଵଂ ସର୍ଵଶେଷରେ କନ୍ତିଓ ହୋଇଅଛି ।

ମତାନ୍ତରେ କନ୍ତିଓ ଗାଆଁଟି ପ୍ରଥମେ ବ୍ରାହ୍ମଣୀ
ନଦୀକୂଳରେ ଅଵସ୍ଥିତ ଥିଲା ମାତ୍ର ୧୯୬୦ ଵନ୍ଯା ପରେ ବ୍ରାହ୍ମଣୀ ନଦୀକୂଳରୁ ବହୁଲୋକ ପଶ୍ଚିମ ଆଡ଼କୁ ନୂଆକନ୍ତିଓକୁ ଉଠିଆସିଥିଲେ । ପୁରୁଣା କନ୍ତିଓ ଗାଆଁକୁ ଆଜିକାଲି “ତଳକନ୍ତିଓ” କୁହାଯାଉଛି । ଆଗେ କନ୍ତିଓ ଗାଆଁଟି ବ୍ରାହ୍ମଣୀ ନଦୀ କୂଳରେ ଅଵସ୍ଥିତ ଥିଲା ଏଵଂ ଏ ଗାଆଁ ନିକଟରେ ନଦୀ ପଶ୍ଚିମକୁ ସାମାନ୍ୟ ଵକ୍ର ହୋଇ ପ୍ରଵାହିତ ହେଉଥିଵା ହେତୁ ସମ୍ଭଵତଃ “କୋଣ” ଶବ୍ଦ ସହ  “ଟିଆ” ପରପ୍ରତ୍ଯୟ ଯୁକ୍ତ କରାଯାଇ ଏହାର ନାମ ପ୍ରଥମେ  କୋଣଟିଆରୁ  କଣଟିଆ  > କଣନ୍ତିଆ >  କନ୍ତିଆ ଓ ଶେଷରେ କନ୍ତିଓଗ୍ରାମ ହୋଇଥିଵ । ପୁଣି କନ୍ତିଓ ପୁଟସାହି ଗାଆଁର ଵର୍ତ୍ତମାନ ଆୟତନ ମଧ୍ୟ ଏକ ଜାତୀୟ ପ୍ରାଚୀନ କଣ୍ଟି ଭଳି ଦେଖାଯାଏ ତେଣୁ ଆଜି ବି ଏ ଗାଆଁର ନାମକରଣ ପ୍ରାସଙ୍ଗିକ ବୋଲି କୁହାଯାଇପାରେ ।

ତେଵେ ଆପଣଙ୍କ ଅନୁସାରେ ଏଠାରେ କେଉଁ ନିରୁକ୍ତିଟି ଅଧିକ ଯୁକ୍ତିଯୁକ୍ତ ? କଣ୍ଟି ଶବ୍ଦରୁ କନ୍ତିଓ ନାଆଁ ହୋଇଛି ନା କୋଣ ଶବ୍ଦରୁ ?

Friday, March 13, 2020

ଭାରତର ମୂଳନିଵାସୀ କିଏ ?

କିଛି ଲୋକ ଦାବି କରନ୍ତି ଯେ ସେ ହେଉଛନ୍ତି ଭାରତଵର୍ଷର ମୂଳନିଵାସୀ ଵା ଆଦିମ ଅଧିଵାସୀ ତେଣୁ ସେ ଶ୍ରେଷ୍ଠ ତ ଆଉ ଦଳେ ଅଛନ୍ତି କୁହନ୍ତି ଆମେ ଆର୍ଯ୍ୟଭାଷୀ ଆମ ଆର୍ଯ୍ୟ ଜାତି ଶ୍ରେଷ୍ଠ ବାକି ସମସ୍ତେ ନିକୃଷ୍ଟ ।

ନିଜକୁ ମୂଳନିଵାସୀ କହି ବୁଲୁଥିଵା ଲୋକଙ୍କ ମଧ୍ୟରେ ଆଜିକାଲି ଗୋଟାଏ ନୂଆ ଟ୍ରେଣ୍ଡ ଚାଲିଛି ।
“ନକାରାତ୍ମକ ପୌରାଣିକ ପାତ୍ରମାନଙ୍କୁ ଭଗଵାନ ପ୍ରଚାର କରିଵା”

ଯଥା―
ପରସ୍ତ୍ରୀ ହରଣ କରିଥିଵା ଲମ୍ପଟ ରାଵଣକୁ ଭଗଵାନ କହିଵା,ପତ୍ନଵ୍ରତ ସତ୍ଯନିଷ୍ଠ ପୁରୁଷଙ୍କୁ ଵିପଥଗାମୀ କରିଵାକୁ ଚେଷ୍ଟା କରୁଥିଵା କୁଳଟା ନାରୀ ସୃପନଖାକୁ ଦେଵୀ ଆଖ୍ଯା ଦେଵା, କୋମଳାଙ୍ଗ ଶିଶୁ ଧ୍ରୁଵ ପ୍ରତି ସ୍ନେହ ପରିଵର୍ତ୍ତେ କ୍ରୁର ଵ୍ଯଵହାର କରିଥିଵା ହୋଲିକା ରାକ୍ଷସୀକୁ ଠିକ୍ ପ୍ରମାଣ କରିଵାକୁ ଚେଷ୍ଟା କରିଵା
ଇତ୍ୟାଦି ଇତ୍ୟାଦି...

ହେଲେ ପୁରାଣର ନକାରାତ୍ମକ ପାତ୍ରମାନଙ୍କୁ ଭଗଵାନ ଓ ଭଗଵତୀ ବୋଲି କାହିଁକି ପ୍ରଚାର କରୁଛନ୍ତି କିଛି ଲୋକ ?

କାରଣ ସେମାନଙ୍କୁ ପଢା଼ଯାଉଛି ...

ଆର୍ଯ୍ୟ = ବ୍ରାହ୍ମଣ ଧର୍ମୀ ସମତଳଵାସୀ ଲୋକେ
ଅନାର୍ଯ୍ୟ = ଦ୍ରାଵିଡ଼, ଆଷ୍ଟ୍ରୋ ଏସୀୟ, indigenous ଲୋକେ

ଅର୍ଥାତ୍ ଆର୍ଯ୍ୟ ବୋଇଲେ ରାମ,କୃଷ୍ଣ,ଵିଷ୍ଣୁ ଇତ୍ୟାଦି ଯେତେ ଦେଵଗୁଣ ସମ୍ପନ୍ନ ପୌରାଣିକ ପାତ୍ର
ଏଵଂ ସୃପନଖା, ରାଵଣ,କଂସ,ଜରାସନ୍ଧ,ହୋଲିକା, ହିରଣ୍ଯକଶ୍ଯପ ଇତ୍ୟାଦି ରାକ୍ଷସୀଗୁଣ ଯୁକ୍ତ ପାତ୍ରମାନେ ହେଲେ ଅନାର୍ଯ୍ୟ...

କିନ୍ତୁ ଏଭଳି ଵିଚାର କାହିଁକି ସୃଷ୍ଟି ହୋଇଛି ?

କାରଣ ଵୈଦେଶିକ ପଣ୍ଡିତମାନେ ଦୁଇଶତ ଵର୍ଷ ପୂର୍ଵେ
ଆର୍ଯ୍ୟ ଓ ଦସ୍ଯୁ ଆଦି ଵେଦରେ ଉଲ୍ଲେଖ ଥିଵା ଗୁଣଵାଚକ ଵିଶେଷଣ ଶବ୍ଦଦ୍ଵୟକୁ  ଵିଶେଷ୍ଯ ଶବ୍ଦ ଭାଵେ ଦୁଇ ଜାତି ବୋଲି ପ୍ରଚାର କରିଥିଲେ ।

ସେମାନେ କହିଥିଲେ ...
―ଆର୍ଯ୍ୟଲୋକେ ଗାଈପଲକୁ ଧରି ଋଷିଆଦେଶରୁ ଆସିଛନ୍ତି...
―ଦ୍ରାଵିଡ଼ ଲୋକେ ତୁର୍କିରୁ ଆସିଛନ୍ତି(ଏଵେ କିଛି କହିଲେଣି ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜରୁ ଆସିଛନ୍ତି 😂)
―ଆଷ୍ଟ୍ରୋ ଏସୀୟମାନେ ମଧ୍ୟ ଓ ପୂର୍ଵ ଆଫ୍ରିକାରୁ ଆସିଛନ୍ତି
―ସିନୋ ତିଵତ୍ତୀୟ(ମୋଙ୍ଗୋଲିଆଡ଼) ଲୋକେ ମଙ୍ଗୋଲିଆରୁ ଆସିଛନ୍ତି

ପୁରୁଣାକଳିଆ ପାଶ୍ଚାତ୍ୟ ଵୈଜ୍ଞାନିକମାନଙ୍କ ଅନୁସାରେ ଆଜକୁ ପ୍ରାୟ ୬୦୦୦୦ ଵର୍ଷ ପୂର୍ଵେ କେଵଳ indigenous ଲୋକେ ଭାରତରେ ରହୁଥିଲେ ଏଵଂ ବାକି ସବୁ ବାହାରିଆ । ଏହି indigenous ଲୋକେ ଏଵେ କେଵଳ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜରେ ଵସଵାସ କରୁଅଛନ୍ତି । ଅର୍ଥାତ୍ ପ୍ରାୟ ୨୦୦ ଵର୍ଷ ପୂର୍ଵରୁ ହିଁ ଵୈଦେଶିକ ପଣ୍ଡିତମାନେ ଭାରତୀୟ ମୂଳ ଭୂଖଣ୍ଡରେ ରହୁଥିଵା ଅଧିଵାସୀଙ୍କ ମଧ୍ୟରେ କେହି ବି ମୂଳନିଵାସୀ ନୁହେଁ ଓ ସମିତେ ବାହାରୁ ଆସିଛନ୍ତି ବୋଲି କହିଦେଇଥିଲେ
😀😀😀

ତେଵେ ଭାରତରେ ଅନେକ ଲୋକ ଥିଲେ ଯେଉଁମାନେ ଏଭଳି ଥିସିସ୍ ମଧ୍ୟରେ କେତେକ ଦୋଷ ଉଣ୍ଡି ପାଇଲେ ।
ଯଥା―
୧)ଭାରତୀୟ ମୂଳ ଭୂଖଣ୍ଡରେ ଯଦି indigenous ଲୋକେ ସର୍ଵପୁରାତନ ଓ ମୂଳନିଵାସୀ ତାହେଲେ ସେମାନଙ୍କର ଆଜି ଆଉ କୌଣସି ଜନଜାତି କାହିଁକି ମୂଳଭୂଖଣ୍ଡରେ ନାହାନ୍ତି ? କାହିଁକି କେଵଳ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜରେ ସେମାନେ ଦେଖାଯାଆନ୍ତି ?

୨)ଯଦି ଭାରତକୁ ୫୦୦୦୦ ଵର୍ଷ ପୂର୍ଵରୁ ସବୁ ବାହାରୁ ଆସିଛନ୍ତି ତାହେଲେ ତା' ଆଗରୁ ଏଠିକାର ମୂଳ ନିଵାସୀ କିଏ ଥିଲେ ? କ'ଣ କୁକୁର, ବିଲେଇ ଓ ବାଘ ?

୩)ଆର୍ଯ୍ୟମାନେ ଯଦି ବାହାରୁ ଆସିଥିଲେ ଓ ବ୍ରାହ୍ମଣ ଧର୍ମ ଵୈଦେଶିକ ତେଵେ ଵିଦେଶରେ ଵିଶେଷତଃ ଋଷିଆରେ କାହିଁକି ସେ ଧର୍ମର ଦେଵୀ ଦେଵତା ଅଥଵା ତାଙ୍କର ପରିଵର୍ତ୍ତିତ ରୂପ ମିଳେ ନାହିଁ ?

୪)ଯଦି ଆର୍ଯ୍ୟମାନେ ମାତ୍ର ପାଞ୍ଚ ସହସ୍ର ଵର୍ଷ ପୂର୍ଵେ ଭାରତକୁ ଆସିଥିଲେ ତାହେଲେ ଭାରତର ଓଡ଼ିଆ,ସଂସ୍କୃତ, ବଙ୍ଗାଳୀ ଓ  ହିନ୍ଦୀ ଇତ୍ୟାଦି ଆର୍ଯ୍ୟଭାଷାଗୁଡ଼ିକ ୟୁରୋପୀୟ ଭାଷା ଵିଶେଷତଃ ଋଷୀ ଭାଷାଠାରୁ ଏତେ ଭିନ୍ନ କାହିଁକି ?

ଏଭଳି ଅନେକ ପ୍ରଶ୍ନ ଗତ କିଛି ଦଶନ୍ଧି ହେଵ ଆଲୋଚନା ଓ ଗଵେଷଣାର କେନ୍ଦ୍ରବିନ୍ଦୁ ହୋଇ ଆସିଛି । ତେଵେ  ୨୦୦୮―୦୯ ଗ୍ରେଗେରୀୟ ଵର୍ଷରେ ଫିନଲ୍ୟାଣ୍ଡର ଏଷ୍ଟୋନିଆଠାରେ ଅଵସ୍ଥିତ ତାରତୁ ଵିଶ୍ୱଵିଦ୍ୟାଳୟରେ  ଭାରତୀୟଙ୍କ ଡିଏନଏ ଗୁଣସୂତ୍ର ଵିଷୟକ ଏକ ଗୁରୁତ୍ୱପୂର୍ଣ୍ଣ  ଅନୁସନ୍ଧାନ ହୋଇଥିଲା ।

କେମ୍ବ୍ରିଜ୍‍ ଵିଶ୍ୱବିଦ୍ୟାଳୟର ପ୍ରଫେସର କିଵିସିଲ୍ଡରଙ୍କର ନିର୍ଦ୍ଦେଶନାରେ ଏଷ୍ଟୋନିଆସ୍ଥିତ ଏଷ୍ଟୋନିୟମ୍‍ ବାୟୋ ସେଣ୍ଟର୍‍, ତାରତୁ ଵିଶ୍ୱବିଦ୍ୟାଳୟର ଗଵେଷକ ଛାତ୍ର ଜ୍ଞାନେଶ୍ୱର ଚୌବେ ନିଜର ଅନୁସନ୍ଧାନରେ ଏହା ପ୍ରମାଣିତ କରିଛନ୍ତି ଯେ ସମସ୍ତ ଭାରତଵାସୀଙ୍କ ଜିନ୍‍ ଏକ ଅର୍ଥାତ୍‍ ଗୁଣସୂତ୍ର ଆଧାରରେ ଆମ ସମସ୍ତଙ୍କ ପୂର୍ଵଜ ଏକ ଥିଲେ ।

ଉକ୍ତ ଅନୁସନ୍ଧାନରୁ ଭାରତୀୟଙ୍କ ମଧ୍ୟରେ କୌଣସି ଜିନ୍ସଗତ ଗତ ଵିଭିନ୍ନତା ଥିଵା ଜ୍ଞାତ ହୋଇନଥିଲା । ଏହି ଅନୁସନ୍ଧାନରେ ଵର୍ତ୍ତମାନର ଭାରତ, ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା, ନେପାଳର ଜନସଂଖ୍ୟାରେ ଵିଦ୍ୟମାନ ସମସ୍ତ ଜାତି, ଉପଜାତି, ଜନଜାତିଙ୍କ ମଧ୍ୟରୁ ହାରାହାରି ୧୩ ସହସ୍ର ନମୂନା ସଂଗ୍ରହ କରି ତହିଁର ପରୀକ୍ଷଣ କରାଯାଇଥିଲା ।

ଏହି  ପରୀକ୍ଷଣରୁ ଜଣାଗଲା ଯେ ଭାରତୀୟଙ୍କ ଗୁଣସୂତ୍ର ମଧ୍ୟପ୍ରାଚ୍ଯ, ୟୁରୋପ, ଚୀନ ଓ ଜାପାନ ଆଦି ଦେଶରେ ରହୁଥିଵା ମଣିଷଙ୍କ ଗୁଣସୂତ୍ରଠାରୁ ଭିନ୍ନ ଅଟେ ।

ଏହି ଗଵେଷଣାରେ ଜଣାପଡି଼ଥିଲା ଯେ  ଭାରତୀୟ ସିଏ ଯେଉଁ ଧର୍ମର ହୁଅନ୍ତୁ ନା କାହିଁକି ୯୯ ପ୍ରତିଶତ ଲୋକଙ୍କର ଜିନ୍ସଗତ ସମାନତା ରହିଛି  । ଏଥିରୁ ସ୍ପଷ୍ଟ ଯେ ଭାରତରେ ଆର୍ଯ୍ୟ ଓ ଅନାର୍ଯ୍ୟ ଵିଵାଦର କୌଣସି ଯଥାର୍ଥତା ନାହିଁ । ଉତ୍ତର,ଦକ୍ଷିଣ ,ପୂର୍ଵ ଓ ପଶ୍ଚିମ ଭାରତୀୟଙ୍କ ପୂର୍ଵଜ ସମାନ ।

ଯେଉଁ ଗଵେଷକମାନେ ପୂର୍ଵେ ଆର୍ଯ୍ୟ ଓ ଅନାର୍ଯ୍ୟର ଅଵଧାରଣା ଥିସିସ୍ ଆକାରରେ ପ୍ରଦାନ କରିଥିଲେ ସେମାନେ ପ୍ରାୟ ଦୁଇଶତ ଵର୍ଷ ପୂର୍ଵରୁ ପ୍ରଦାନ କରିଥିଲେ । ଗତ ଦୁଇଶହ ଵର୍ଷ ମଧ୍ୟରେ ଵିଶ୍ଵରେ ଅନେକ ନଵ ନୂତନ ତଥ୍ୟ ସାମ୍ନାକୁ ଆସିଅଛି । ଅଧୁନା ଉକ୍ତ ତଥ୍ୟ ଆଧାରରେ ନୂତନ ଥିସିସ୍ ଲେଖିଵାର ଆଵଶ୍ଯକତା ରହିଛି ।

ଏକ ନୂଆ ଥିସିସ୍ ଅନୁସାରେ ଭାରତରେ ସର୍ଵପ୍ରଥମେ ମାନଵ ସଭ୍ଯତାର ଅଙ୍କୁରୋଦ୍ଗମ ଅଵିଭକ୍ତ କୋରାପୁଟରେ ହୋଇଥିଵା ଵିଶ୍ଵାସ କରାଯାଏ । ଏଠାରେ ଭାରତର ଅନେକ ଜନଜାତି ଏକତ୍ର ସହାଵସ୍ଥାନ କରୁଅଛନ୍ତି । ଏଠାରେ ପ୍ରଥମେ ଧାନ୍ଯାଦି ଶସ୍ୟ ଚାଷର ପ୍ରମାଣ ମଧ୍ୟ ମିଳିଅଛି । ସମ୍ଭଵତଃ ଜୈଵ ଵିଵିଧତାରେ ପରିପୂର୍ଣ୍ଣ କୋରାପୁଟ ଅଞ୍ଚଳରେ ପ୍ରଥମେ ଭାରତର ସବୁଜାତୀୟ ମାନଵ ଏକାଠି ରହିଵା ଆରମ୍ଭ କରିଥିଲେ । ଧୀରେ ଧୀରେ ଏଠାରୁ ମୂଳ ଭାରତୀୟ ସଭ୍ଯତା ଵିକାଶ ଲାଭକରି ଦକ୍ଷିଣରେ କନ୍ୟାକୁମାରୀ,ଉତ୍ତରରେ ପାରସ୍ଯଦେଶ,ପଶ୍ଚିମରେ ସୌରାଷ୍ଟ୍ର ଓ ଉତ୍ତରପୂର୍ଵରେ ବର୍ମାଦେଶ ଯାଏଁ ଵିସ୍ତାର ଲାଭ କରିଥିଲା ।

ଏ ଵିଷୟରେ ଆଗକୁ ଆହୁରି ଅନେକ କଥା ସାମ୍ନାକୁ ଆସିଵା ଵାକିଅଛି । ସମ୍ଭଵତଃ ଏକବିଂଶ ଶତାବ୍ଦୀ ଶେଷ ହେଲାଵେଳକୁ ଗଵେଷକମାନେ ଆଉ କିଛି ତଥ୍ୟ ଉତ୍ଥାପନ କରି ଏଇଭଳି ଆହୁରି ଅନେକ ପ୍ରଶ୍ନର ସମାଧାନ ନିଶ୍ଚୟ କରିଵେ ବୋଲି ଆଶା କରାଯାଉଛି ।

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...