Thursday, March 29, 2018

★★★★ବୁଦ୍ଧ★★★★

ସ୍ଵର୍ଣ୍ଣ ସିଂହାସନେ ସୁଖେ ନୃପତି କୁମର,
ଜଗତ ସମ୍ପଦ ଭୋଗେ ନେଉଛନ୍ତି କାଳ ।
କୋଳେ ବହି ଶିଶୁ,ପାଶେ ଯୁବତୀ ସୁନ୍ଦରୀ,
ଯୌବନ ଵିଳାସ ଶିରୀ ରଖୁଛନ୍ତି ଗଢି଼ ।

କାଢି଼ଲେ ମୁକୁଟ ମାତ୍ର ଯୁବରାଜ ଦିନେ,
ବସନ ରଚିଲେ କନା ଚିରି କଉପୀନେ ।
ବରଜି ଉଆସ, ବନେ ଵିଶ୍ଵଜନ ହିତେ,
ତପସ୍ୟା ଆଚରି ଆୟୁ କାଟିଲେ ଉଷତେ ।

ନ ଲୋଡି଼ଲେ ତରୁ ତଳୁଁ ଅଧିକ ଆସନ,
ବନ ଫଳମୂଳେ କ୍ଷୁଧା ମେଣ୍ଟେ ଅନୁଦିନ ।
‛ବୁଦ୍ଧ’ ପୁଣ୍ୟ ନାମ ଗଲା ଜଗତେ ପ୍ରସରି,
ଧରି ଭବୁ ତରିଗଲେ କୋଟି ନରନାରୀ ।

କବି:-ଗୋଦାଵରୀଶ ମିଶ୍ର

●●ଆଵାହନ●●

ଉଠହେ ପୁଲକେ ଉଠହେ ମାତି,
କେତେ ନଵ ଆଶା ନଵୀନ ସାହସ
ନଵ ଜାଗରଣେ ଜାତିର ଭଵିଷ୍ୟ
ମରମେ ମରମେ ଉଠଇ ଭାତି ।।ଘୋଷା।।

ଅତୀତ ଗରଭେ ଯେତେ ଗଉରବ
ଜ୍ଞାନ ବଇଭଵ ସମ୍ପଦଶିରୀ
ସେ ଵିଭବ ବାରେ ଚାହିଁ ଦେଖ ଭାଇ
ଘେନ ହେ ସରବେ ନିଜର କରି ।

ଏ ବଙ୍କାଡ଼ ଗଡ଼ ଵିରଜା-କାନନ
ରହିବ କି ମନୁ ଵିସୋରି ଦେଇ,
ଭୁଲି କି ପାରିବ ବିଲ ବନ ପଦା
ଯେତେ ଯହିଁ ଏଥି ଅଛଇ ରହି ।

ଶାଳିଆ ସଲିଳେ ସୁଦୂର ଅତୀତୁ
ବହି ଆସେ କିବା ସମ୍ପଦ ଧାରା,
ଦରୀରୁ ଦରୀକୁ ଉଛୁଳି ଉଠଇ
ଏ ସରଗ ଭୂଇଁ କୀରତିମାଳା ।

ଘଣ୍ଟଶିଳା ଚାରୁ ତରୁଶିଳା ମେଳେ
ପ୍ରସନ୍ନ ମାନଵ ବୁଲରେ ଯାଇ;
ଵନ ଗଛ ଲତା ମାଟି ପଥର ସେ
ସୋଦର-ଆଦରେ ଧରରେ ଭାଇ ।

ଜନନୀ ସ୍ଵରୂପ ଦେଖ ଭାଇ ବାରେ
ରଖ ସେ ମୋହନ ମୂରତି ଚିହ୍ନି,
ଜନନୀ ପୟରେ ପ୍ରଣମି ସେନେହେ
ଶୁଣ ତା’ର ସୁଖ ସୋହାଗ ଵାଣୀ ।

ଖଣ୍ଡାହଣା ଗିରି,ସୋଲେରି,ଭାଲେରି
ଶିଖରି ଶିଖରେ ଉଠିବ ଖେଳି,
ଜ୍ଞାନ ମାନ ଶିଖି ସୁଖ ସଉରଭ
ଗିରିଦରୀ ଖୋଲ କନ୍ଦର ପୂରି ।

ଚିଲିକା ସଲିଳେ ନୀଳ ଊର୍ମ୍ମିମାଳେ
ନଵ ଵଳ ତେଜ ଶକତି ଉଠି,
ପରାଣେ ପରାଣେ ତଡି଼ତ ପରାଣେ
ନଵଜ୍ୟୋତି ପୁଣି ଆସିବ ଫୁଟି ।

ଗ୍ରାମେ ଗ୍ରାମେ ପୂରି ଘରକୁ ଘରକୁ
ବାଟେ ଘାଟେ  ନଈ ସରସୀ ତୀରେ,
ନଵୀନ ସାହସ ଉତ୍ସାହ ତରଙ୍ଗ
ଖେଳିଯିବ ଭୂଇଁ କାନନ ନୀରେ ।

ଶାଳିଆ ସିକିତା ତଟଵିହାରିଣୀ
ମାଆ ଭଗଵତୀ କରୁଣା ଵହି,
ପୂର୍ଣ୍ଣ କରୁଥାଅ ପରାଣ ଵାସନା
ଆଶାରେ ଶିଶୁଏ ଅଛୁଁ ଗୋ ରହି ।

କଵି:-ଗୋଦାଵରୀଶ ମିଶ୍ର........................
ଵାଣପୁର ଛାତ୍ର ସମ୍ମିଳନୀର ଵାର୍ଷିକ ଉତ୍ସଵରେ
ଉଦବୋଧନ ସଙ୍ଗୀତ ରୂପେ ଗାନ କରାଯିବା ନିମିତ୍ତ ରଚିତ ।
ରଚନାକାଳ:-ମକର ୩ ଦିନ,୧୩୨୩ ଵର୍ଷ ।
..........................................................

Monday, March 26, 2018

ଏଠି କିଏ ପାଗଳ ନୁହେଁ ?

ଆମ ଦେଶରେ କାହାର ଵ୍ୟଵହାର ଅସ୍ଵାଭାବିକ ହେବା ଦେଖିଲେ ତାକୁ “ପାଗଳ - ବାଇଆ” ଆଖ୍ୟା ଦେବାର ପରମ୍ପରା ରହିଛି । ଵିଶେଷତଃ ଏ ଦେଶର ବୁଦ୍ଧିଜୀବୀ ମାନେ ସର୍ଵାଧିକ ପାଗଳ ଉପାଧିରେ ଭୂଷିତ ହୋଇଥାନ୍ତି ।କବି,ଲେଖକ,ଗାୟକ,ଚିତ୍ରକାର ଆଦିଙ୍କୁ ସେମାନଙ୍କ କଳାତ୍ମକ-ନିଶା ଯୋଗୁଁ ଆମର ଏଠି ପାଗଳ କହିଦିଅନ୍ତି ।
ତେବେ ବୁଦ୍ଧିଜୀବୀ ଓ କଳାସାହିତ୍ୟ ପ୍ରେମୀଙ୍କୁ ବାୟା କୁହାଯିବାର କାରଣ ହେଉଛି ଏମାନେ
ହଟାତ୍ ଏମିତି କିଛି ନା କିଛି କରଦିଅନ୍ତି ଯେ ସାଧାରଣ ଲୋକେ ଏମାନଙ୍କୁ ପାଗଳ କହିଦିଅନ୍ତି ।

ଏ ଅର୍ନ୍ତଜାଲର ଯୁଗରେ ମୋବାଇଲ ଖଣ୍ଡେ ଖଣ୍ଡେ ଧରି ଟୋକା ଠାରୁ ବୁଢା଼ ଯାଏଁ ସଭିଏଁ ଦାଣ୍ଡରେ ବାଟରେ ଯୋଉଠି ପାଇଲେ ବସିପଡି଼
ଚଳଚ୍ଚିତ୍ର ଦର୍ଶନ,ଗୀତ ଶ୍ରଵଣ,ମୁଖାପୁସ୍ତିକା ଆଦି ଵିଭିନ୍ନ ସାମାଜିକ ଗଣମାଧ୍ୟମ ଗୁଡ଼ିକରେ  ପାରସ୍ପରିକ କଥୋପକଥନରେ ଲାଗିଥାନ୍ତି ।
ଏମନ୍ତ ସମୟରେ ଦେଖାଯାଏ ବେଳେ ବେଳେ ଲୋକେ ଉକ୍ତ ମୋବାଇଲରେ ହାସ୍ୟରସ ଆସ୍ଵାଦନ କଲାବେଳେ ଆପଣା 32 ଦାନ୍ତ ନେଫେଡି ହସିଥାନ୍ତି । ସେତେବେଳେ  ଅର୍ନ୍ତଜାଲିଆ ଲୋକଙ୍କୁ ଦେଖି ଅଣ-ଅର୍ନ୍ତଜାଲିଆ ଲୋକେ ସେମାନଙ୍କୁ ପାଗଳ ଆଖ୍ୟା ଦେଇଦିଅନ୍ତି । ଆମ ସମାଜରେ ଯଦି କେ ଆପଣା ସ୍ଵାର୍ଥରେ ହସେ ସେ ଜଣେ ସୁସ୍ଥ ଲୋକ କିନ୍ତୁ କେହି ଏମିତି ବାଟରେ ଘାଟରେ ଏସବୁ ପ୍ଲାଷ୍ଟିକ ପଟା ଧରି ଦାନ୍ତ ଦେଖେଇଲା ସେ ପାଗଳ ବୋଲେଇବ ହିଁ ବୋଲେଇବ ।
ଅଣ-ଅର୍ନ୍ତଜାଲିଆ ଲୋକଙ୍କୁ ଅର୍ନ୍ତଜାଲିଆ ଲୋକଙ୍କ ଏଭଳି ଅକାରଣରେ ହାସ୍ୟରୋଳ
ଅଣଲୋଡା଼ ଅପଵ୍ୟୟ ଲାଗେ ।  ଏହି ଵ୍ୟାପାରିକ ଯୁଗରେ ଅପଵ୍ୟୟ ବଡ଼ ମନ୍ଦ କଥା ।  ଅପଵ୍ୟୟ ଯୋଗୁଁ ମନୁଷ୍ୟ ଦେଵାଳିଆ ହୋଇଯାଏ । ତେଣୁ ହାସ୍ୟର ମଧ୍ଯ ଏମନ୍ତ ଦାଣ୍ଡରେ ବାଟରେ ଅପଵ୍ୟୟ ହେଉଥିବାର ଦେଖିଲେ ଲୋକେ ସହିପାରନ୍ତିନି ।

ଏମିତି ଦେଖିଲେ ଜଗତରେ
ପ୍ରାୟ ସମସ୍ତେ କୌଣସି ନା କୌଣସି ଵିଷୟକୁ ନେଇ ମାତ୍ରାଧିକ ସମ୍ବେଦନଶୀଳ ।
ମାଟିପ୍ରେମୀ ମାଟିର ମଣିଷ ମାଟି ପାଇଁ ପାଗଳ ।

ଜୀବିତ ଲୋକ ବଞ୍ଚିବା ପାଇଁ ପାଗଳ ।
ପ୍ରେମୀମାନେ ପ୍ରେମ ପାଇଁ ପାଗଳ ।
କାମନାଵାସନା ଯୁକ୍ତ ଲୋକ ଆପଣା ଇଚ୍ଛା ଆକାଂକ୍ଷା ପୂରଣ ହେତୁରୁ ପାଗଳ ।
କେହି କେହି ଖେଳ ପାଗଳ । କିଛି ମିଳିଯାନ୍ତି ମଦ,ମାଂସ,ମତ୍ସ୍ୟ ପାଗଳ ।
ଦୂରଦର୍ଶନ ଓ ଧାରାଵାହିକ ପ୍ରେମୀ ମଧ୍ଯ ପାଗଳ  । ଧର୍ମ,ଜାତି,ଭାଷା,ସଂସ୍କୃତି ଓ ଅଞ୍ଚଳ ପାଇଁ ତ ଏ ଵିଶ୍ଵରେ ସର୍ଵାଧିକ ପାଗଳ ପାରସ୍ପରିକ କଳିକନ୍ଦଳିରେ ଲାଗିଛନ୍ତି । କିଏ ଫିଲିମ୍ ପାଗଳ ତ କିଏ ଟଙ୍କା ପାଗଳ । ସଂସାରରେ କିଛି ଵି ପାଇବାକୁ ହେଲେ ପାଗଳ ହେବାକୁ ହୁଏ ଵା ଏମିତି କହିଲେ ଵରଂ ଭଲ ହେବ ଯେ
ମଣିଷକୁ ନିଜ ଇଚ୍ଛା ପୂରଣ ହେତୁ ପାଗଳଟେ ପରି ଦୌଡିବାକୁ ପଡି଼ଥାଏ । କୌଣସି ଵିଷୟରେ ପାଗଳ ନହେଲା ଯାଏଁ ସିଦ୍ଧି ମିଳିବା ଅସମ୍ଭବ କଥା ।

ଆଉ ଅଣ-ଅର୍ନ୍ତଜାଲିଆ,ଅଣ-ମୋବାଇଲ ଚାଳକ
ମାନେ କଣ ଭଲ ? କିୟଣ ସେମାନଙ୍କ ଭିତରେ କିଛି ଵି ପ୍ରଗଳ୍ଭତା ନାହିଁ ?
ନା.....
ସେମାନେ ମଧ୍ଯ ତାଙ୍କ ପିଲାଛୁଆ,ସ୍ତ୍ରୀ, ଗୃହ  ଏବଂ ଏସବୁ ଵସ୍ତୁ ଓ ଲୋକଙ୍କୁ ଆପଣା ସହିତ ଆଜୀବନ ବାନ୍ଧି ରଖିବାକୁ ପାଗଳ ଭଳି ମଲାଯାଏଁ ଦୌଡୂଥିବାର ଦେଖାଯାଏ ।  ଏଣୁ ବୁଦ୍ଧିଜୀବୀ ଓ କଳାପ୍ରେମୀଙ୍କୁ ପାଗଳ କହି ଦେଉଥିବା ସାଧାରଣ ଲୋକ ମଧ୍ଯ ସେତିକି ଅନୁପାତରେ ପାଗଳ ଯେତିକି ଅନ୍ୟ ମାନେ ଅଟନ୍ତି ।

Sunday, March 25, 2018

ଜୟ ଜୟ ଜଗନ୍ନାଥ

ଜୟ ଜୟ ଜଗନ୍ନାଥ ଜଗତ ଜୀଵନ ।
ଜୟ ଜୟ ଜଗନ୍ନାଥ ପରମ କାରଣ ।।■୧■

ଜୟ ଜୟ ଜଗନ୍ନାଥ ତୁ ପରମାନନ୍ଦ ।
ଜୟ ଜୟ ଜଗନ୍ନାଥ ତୁହି ଆଦିକନ୍ଦ ।।■୨■

ଜୟ ଜୟ ଜଗନ୍ନାଥ ଦୀନଜନ ବନ୍ଧୁ ।
ଜୟ ଜୟ ଜଗନ୍ନାଥ କୃପାଜଳ ସିନ୍ଧୁ ।।■୩■

ଜୟ ଜୟ ଜଗନ୍ନାଥ କରୁଣା ଵାରିଧି ।
ଜୟ ଜୟ ଜଗନ୍ନାଥ ଅନାଦି ତୁ ଆଦି ।।■୪■

ଜୟ ଜୟ ଜଗନ୍ନାଥ ପରମ ପୁରୁଷ ।
ଜୟ ଜୟ ଜଗନ୍ନାଥ କମଳା ଵିଳାସ ।।■୫■

ଜୟ ଜୟ ଜଗନ୍ନାଥ ନୀଳଗିରିଵାସୀ ।
ଜୟ ଜୟ ଜଗନ୍ନାଥ ପରଂବ୍ରହ୍ମରାଶି ।।■୬■

ଜୟ ଜୟ ଜଗନ୍ନାଥ ଚତୁର୍ଧା ମୂରତି ।
ଦୀନ ଅଚ୍ୟୁତ ତୋ ଦାସ ସଦା ଦିନରାତି ।।■୭■

କଵି:-ଶ୍ରୀ ଅଚ୍ୟୁତାନନ୍ଦ ଦାସ

Friday, March 23, 2018

କାଞ୍ଜି


କାଞ୍ଜି ସମସ୍ତ ଏସିଆରେ ଲୋକପ୍ରିୟ ହୋଇଥିବା ଏକ ଖାଦ୍ୟ ଦ୍ରବ୍ୟ । ଏହା ପଖାଳ ଵା ଅନ୍ନର  ଵାସି ତୋରାଣି ରୁ ତିଆରି କରାଯାଇଥାଏ । ବହୁତ ସମ୍ଭବ ଏ ଶବ୍ଦଟି ଦକ୍ଷିଣ ଭାରତୀୟ କିମ୍ବା ପୂର୍ଵଭାରତୀୟ ଦ୍ରାଵିଡ ଭାଷା ପରିଵାରର ଶବ୍ଦ । ଦ୍ରାଵିଡ ଭାଷାପରିବାରର ସବୁଠାରୁ ଶକ୍ତିଶାଳୀ ଭାଷା ତାମିଳରେ କାଞ୍ଜି ର ଅର୍ଥ ଉଭୟ ପଖାଳ ଏବଂ କାଞ୍ଜି ଅଟେ ।
ଵିଶ୍ଵର ଵିଭିନ୍ନ ଭାଷାରେ କାଞ୍ଜି/ପଖାଳର ନାମ →hsan pyok(ବର୍ମୀ ଭାଷା)
→kanji(ତାମିଳ/ତୁଲୁ)
→kaṇhji(ମଲାୟଲମ)
→ganji(କନ୍ନଡ/ତେଲୁଗୁ)
→baw baw(ଖମେର)
→juk(ହକ୍କା,କାଣ୍ଟୋନୀଜ,କୋରିଆନ୍)
→muay(ହୁକ୍କୀନ,ତେଉଚେଉ)
→zhōu(ମାଣ୍ଡାରିନ୍)
→cháo(ଭୀଏତନାମୀ)
→deythuk(ତିବ୍ବତ)
→chokorkhao tom(ଥାଇ)
→kayu(ଜାପାନୀ)
→lúgaw(ତଗାଲଗ)
→Bubur,kanji(ମାଳୟ,ଭାଷା ଇଣ୍ଡୋନେସିଆ)
→jaulo(ନେପାଳୀ)
→jaou(ବଙ୍ଗାଳୀ)
→କାଞ୍ଜିକା(ସଂସ୍କୃତ)
→canja(Portuguese)

ଚୀନଦେଶର ଐତିହାସିକ ଙ୍କ ମତରେ 
ଜାଉ ଶବ୍ଦ ଟା ତାଙ୍କର....
ସେମାନଙ୍କ ଅନୁସାରେ
ଏହାର ମୂଳ ଶବ୍ଦ ହେଉଛି zhōu ଯାହାର ଗୋଟିଏ ଅର୍ଥ  ଆମ ଭାଷା ପରି ଚୀନରେ ଖୀରିସା-ଖୀରି ଵା gruel) ଅଟେ ।
ଚୀନ ଦେଶୀୟ ଏକ ପୁସ୍ତକ
“The Book of Zhou” ଅନୁସାରେ
"ସମ୍ରାଟ ହ୍ଵାଙ୍ଗୁଦୀ (Huangdi) ପ୍ରଥମେ ଯଵରୁ କାଞ୍ଜି ବା ଖିରି ତିଆରି କରିଥିଲେ ।

ଏ ତଥ୍ୟକୁ ଧରି ସେଠାର ଲୋକେ
କହନ୍ତି ଜାଉ ଶବ୍ଦ ଟା ଆମର ।
ଏଠାରେ ଜାଣିରଖିବାକୁ ହେବ ଯେ କାଞ୍ଜି ଓ ଖିରି ଦୁଇଟି ଭିନ୍ନ ଖାଦ୍ୟ ଦ୍ରଵ୍ୟ ଏବଂ ଏ ଉଭୟକୁ ତିଆରି କରିବାର ବିଧି ମଧ୍ୟ ଭିନ୍ନ ।
ଏଇଥି ଯୋଗୁଁ
କାଞ୍ଜି ଏବଂ ଜାଉ ଦୁଇଟି ଭିନ୍ନ ଭିନ୍ନ ଅର୍ଥ ସହିତ ଆମ ଭାଷାରେ ଵ୍ୟଵହାର ହୋଇଥାଏ ।
ଭାରତୀୟ ନିରୁକ୍ତୀ ଶାସ୍ତ୍ର ଅନୁସାରେ
ଜାଉ ଶବ୍ଦ ଟି ହୁଏତ ଭାରତୀୟ ଶବ୍ଦ ହୋଇଥିବ
କାରଣ ଏହାର ମାନକ ସଂସ୍କୃତ ପ୍ରତିଶବ୍ଦ
ହେଉଛି ଯବାଗୂ ଯାହାର ନିରୁକ୍ତୀ ହେଲା

ଯୁ ଧାତୁ+ କର୍ମ.ଆଗୂ

ଏହି
ଯୁ ଧାତୁର ଅନେକ ଅର୍ଥ ଅଛି
୧.ମିଶ୍ରଣ କରିବା
୨.ଯୋଡି଼ବା
୩.ବାନ୍ଧିବା
୪.ପୃଥକ କରିବା

ଏ ଯୁ ଧାତଟି
ଯୁଜ୍ ଧାତୁର ମୂଳ ।
ଯୁଜ୍ ଧାତୁ ରୁ ଯୁକ୍ତ,ଯୁକ୍ତି,ଶବ୍ଦ ନିଷ୍ପନ୍ନ ହୋଇଥିଲା ବେଳେ ଯୁ ଧାତୁରୁ ଯୁଗ ପରି ଅନେକ  ଶବ୍ଦର ନିରୁକ୍ତୀ ନିର୍ଣ୍ଣୟ ହୋଇଅଛି । ଏ ଧାତୁ ଶବ୍ଦର ଵ୍ୟଵହାର ମଧ୍ୟ ବିସ୍ତୃତ । ତେଣୁ ବହୁତ ସମ୍ଭବ ଭାରତୀୟ ମାନଙ୍କର ମୂଳ ଶବ୍ଦ ଜାଉ ଇତ୍ୟାଦି ଚୀନ ଯାଇ ସେଠାରେ ଯ୍ହାଉ ହୋଇଛି ଯେହେତୁ ଟି ଚୀନ ଦେଶ 2000 ଵର୍ଷ ତଳେ ଭାରତ ଠାରୁ ଶର୍କରା ତିଆରି ଜ୍ଞାନ କୌଶଳ ପାଇଥିଲା ଆଉ ବିନା ଶର୍କରା ରେ ଜାଉ ତିଆରି କଷ୍ଟକର ବ୍ୟାପାର । ତା ଛଡ଼ା ଧାନ ତଥା ଯବଧାନର ଜନ୍ମସ୍ଥଳୀ ହେଉଛି ଭାରତ । ଭାରତରେ ସେଇଥିପାଇଁ ଧାନ ର ଚାଉଳରୁ ତିଆରି ନାନାଵିଧ ଦ୍ରଵ୍ୟ ଵ୍ୟଵହାର କରାଯାଇଥାଏ । ତେଣୁ ବୋଧହୁଏ ଓଡ଼ିଆ ମାନଙ୍କ ଯୋଗୁଁ ଜାଉ ଶବ୍ଦ ଟି ଏସିଆ ମହାଦେଶରେ ଲୋକପ୍ରିୟ ହୋଇଥିଲା ଏବଂ ସେତିକି ପ୍ରଶିଦ୍ଧ ହୋଇଥିଲା କାଞ୍ଜି ଶବ୍ଦ ।

ଓଡ଼ିଶାର ଦକ୍ଷିଣାଞ୍ଚଳରେ ଲୋକେ ସର୍ବାଧିକ କାଞ୍ଜି ତିଆରି କରି ଖାଇଥାନ୍ତି । ତହିଁ ରେ ପୁଣି ବ୍ରାହ୍ମଣ ସମାଜରେ କାଞ୍ଜି ର ଆଦାର ବହୁତ ଅଧିକ । କାହିଁକି ଅଧିକ ?
ଏ ଵିଷୟରେ ଏକ କୌତୁକିଆ ଗୀତଟିଏ ଅଛି ଯାହାକୁ ଏକଦା ଅକ୍ଷୟ ମହାନ୍ତି ତାଙ୍କ ଦୈବୀଦତ୍ତ କଣ୍ଠରେ ଗାଇଥିଲେ ।

ଗୀତଟି ଏଇଭଳି:-
■■■■■■■■■■■■■■■■■■■■■
କାର୍ତ୍ତିକ ମାସରେ ଆସିଲା କାଞ୍ଜି
କାଞ୍ଜି କି କଲେ ନାୟକ ପୁଞ୍ଜି
ପାଞ୍ଜି ରେ ଦେଲେ ଅକ୍ଷତ ଦୂବ
କାଞ୍ଜି କି କହିଲେ ଦେଶକୁ ଯିବ କି ଦେଶକୁ ଯିବ-2

ତହୁଁ କାଞ୍ଜି ଗଲା ଖରେ
ଯାଇ ପସିଲା କମାର ଘରେ
ଏଣେ କମାରୁଣୀ ତେଣେ କମାର-2
କାଞ୍ଜି କି କହିଲେ ହାତୁଡି଼ ଧର କି ହାତୁଡି଼ ଧର-2

ତହୁଁ କାଞ୍ଜି ଗଲା ଖରେ
ଯାଇ ପସିଲା ଭଣ୍ଡାରୀ ଘରେ
ଏଣେ ଭଣ୍ଡାରୁଣୀ ତେଣେ ଭଣ୍ଡାରୀ-2
କାଞ୍ଜି କି ଦେଲେ ଖିଅର କରି କି ଖିଅର କରି-2

ତହୁଁ କାଞ୍ଜି ଗଲା ଖରେ
ଯାଇ ପସିଲା ଗଉଡ଼ ଘରେ
ଏଣେ ଗଉଡୁଣୀ ତେଣେ ଗଉଡ଼-2
କାଞ୍ଜି କି ଦେଲେ ବାହୁଙ୍ଗି ମାଡ଼ କି ବାହୁଙ୍ଗି ମାଡ଼-2

ତହୁଁ କାଞ୍ଜି ଗଲା ଖରେ
ଯାଇ ପସିଲା କରଣ ଘରେ
କରଣ ଘରେ ଦେଖି ପଲମ
ଆମ୍ଵିଳି ପାଣିରେ ରହିଲା ମନ କି ରହିଲା ମନ-2

ତହୁଁ କାଞ୍ଜି ଗଲା ଖରେ
ଯାଇ ପସିଲା ବାହ୍ମଣ ଘରେ
ଏଣେ ବାହ୍ମୁଣୀ କି ତେଣେ ବାହ୍ମୁଣ-2
କାଞ୍ଜି କି କଲେ ବଡ଼ ତିଅଣ କି ବଡ଼ ତିଅଣ-2

■■■■■■■■■■■■■■■■■■■■■

Tuesday, March 20, 2018

●ଓଡ଼ିଆ ଭାଷାରେ ପାର୍ସୀ ତୁର୍କୀ ଶବ୍ଦ●

ଭାରତୀୟଭାଷା ଗୁଡ଼ିକରେ ଅନେକ ପାର୍ସୀ ଶବ୍ଦ ମିଶିଥିଲା ବେଳେ ଏ ସବୁ ଶବ୍ଦ ଦ୍ଵାରା ସବୁଠାରୁ କମ୍ ପ୍ରଭାବିତ ଭାରତୀୟ ଆର୍ଯ୍ୟ ଭାଷା ହେଉଛି ମୌଳିକ ଓଡ଼ିଆ ଭାଷା । ଓଡ଼ିଆ ଭାଷାକୁ ମୌଳିକ ଭାଷାର ପାହ୍ୟା ମିଳିଲାପରେ
ଏ ଭାଷାରେ ଜାଣିଶୁଣି ଅନେକ ଵୈଦେଶିକ ଶବ୍ଦ ମିଶାଯାଉଛି । ଏସବୁ ଵୈଦେଶିକ ଶବ୍ଦ ମିଶେଇବାର ସବୁଠାରୁ ସହଜ ଉପାୟ ହେଉଛି ଉକ୍ତ ଶବ୍ଦ ସବୁକୁ ସମ୍ବାଦପତ୍ର,ଦୂରଦର୍ଶନ,ଚଳଚ୍ଚିତ୍ର ଓ ଅନ୍ୟ ଗଣମାଧ୍ୟମ ଦ୍ଵାରା ଲୋକଙ୍କୁ ପରଶିବା । ଫଳରେ ଲୋକେ ସେହି ଶବ୍ଦ ସବୁ ତାଙ୍କ ନିତିଦିନିଆ କଥୋପକଥନ ସମୟରେ ଵ୍ୟଵହାର କରିବେ ଏବଂ ଏହିପରି ଭାବରେ ଓଡ଼ିଆ ଭାଷା ଦୂଷିତ ହୋଇ ତାର ମୌଳିକତା ଓ ମୌଳିକ ପାହ୍ୟା ହରାଇବ । ଓଡ଼ିଆ ଭାଷାକୁ ଦୂଷିତ କରିବା ହେତୁ ତେଣୁ ରାଷ୍ଟ୍ରୀୟ ସ୍ଥରରେ ଚାଲିଛି ଷଡଯନ୍ତ୍ର । ଵିଭିନ୍ନ ହିନ୍ଦୀଭାଷୀ ବଣିକ ଏହି ହେତୁରୁ ଅନେକ ଓଡ଼ିଆ ଦୂରଦର୍ଶନ ଓ ସମ୍ବାଦପତ୍ର ପରିଚାଳନା କରୁଛନ୍ତି ଓ ତହିଁର ଲେଖକ,କବି,ଉଦଘୋଷକ,ପ୍ରଯୋଜକ,ଅଭିନେତା ଓ ପରିଚାଳକ ମାନଙ୍କୁ ଵୈଦେଶିକ ଶବ୍ଦ ଵ୍ୟଵହାର ପାଇଁ ପ୍ରୋତ୍ସାହିତ କରୁଅଛନ୍ତି ।

ଅଗଲବଗଲ(ଏକାନିସେକାନି,ଏପାଖସେପାଖ),ଅଞ୍ଜାମ(ପରିଣାମ),ଅନ୍ଦାଜ(ଅନୁମାନ), ଅନିଶା(ଦୃଷ୍ଟି ଢାଳିବା,ଆଖି ପକେଇବା),ଅଵକାଶ(ଛୁଟି,ଅବସର),ଅରଜି,ଅଲବିଦା(ଵିଦାୟ),ଆଖର(ଅନ୍ତିମ),ଆଵାଜ(ଆହ୍ଵାନ, ଡାକିବା,ଶବ୍ଦ),ଆଵହାଓ୍ଵା(ପରିବେଶ),ଆରାମ,ଆଜାଦ(ସ୍ଵାଧୀନ),ଆସମାନ(ଆକାଶ),ଅନାର୍(ଡାଳିମ୍ଵ),ଅନ୍ଦର(ଭିତର,ମଧ୍ୟର),ଅଙ୍ଗୁର(ଦ୍ରାକ୍ଷା),ଇସ୍ତ୍ରୀ,ଉସ୍ତାଦ(ଗୁରୁ),କାବୁ(ଅକ୍ତିଆର),କଵାବ୍,କଓ୍ଵାଲି,କମ୍(ଅଳ୍ପ,ସ୍ଵଳ୍ପ,ସାମାନ୍ୟ,ଟିକିଏ,)କାମିଜ୍,କମର୍(ଅଣ୍ଟା),କମରବନ୍ଦ,କାରିଗର(କାରିକର), କରଜ(ଋଣ),କଲମ,କଲମି(ଅଗ୍ରଵୀଜ),କାଗଜ,କୁନୋନଗୋ,କାରଵାର(ଵ୍ୟାପାର),କିନାରା(କୂଳ),କିସମିସ୍,କୁର୍ତ୍ତା, କୁସ୍ତି(ମଲ୍ଲଯୁଦ୍ଧ),କୈଫିୟତ, ଖଜାଞ୍ଚି(କୋଷାଧ୍ୟକ୍ଷ),ଖଜଣା(କର),ଖାତା(,ଖାକୀ,ଖପା,ଖୟାଲ(ସଂଗୀତ ସୁର ଵିଶେଷ),ଖରିଦ(କିଣା କିଣି),ଖରଚ(ଵ୍ୟୟ),ଖାନସାମା(ପାଚକ),ଖାନା(ଖାଦ୍ୟ),ଖାନଦାନ୍(ଵଂଶ),ଖାଉନ୍ଦ(ସ୍ଵାମୀ,କର୍ତ୍ତା,ପ୍ରଭୁ),ଖିସ୍ ରା(,ଖୋଦି,ଖୁଦା,ଖୁରାକ,ଖୁରୁମା,ଖୁସ୍,ଖୁସବୁ,ଖୁନ୍,ଖୁବ୍,ଗାଲିଚା,ଗୁଜୁରାଣ,ଗଜା(ଖଜା),ଗଞ୍ଜି,ଗଫ୍,ଗରମ(ମୂ ସଂ-ଘର୍ମ),ଗାଜର(ମାଟିଆ ମୂଳା),ଗର୍ଦ୍ଦନ(ବେକ),ଗିରଫ,ଗୁମାସ୍ତା, ଗମ୍ବୁଜ,ଗସ୍ତ,ଗୋଲାପ(କସ୍ତୁରୀ ପୁଷ୍ପ),ଚପରାଶୀ,ଚରଖା(ଅରଟ),ଚର୍ବି, ଚଷମା(ଆଖିଆପଣ-ଦ.ଓ),ଚାକର(ଭୃତ୍ୟ),ଚାବୁକ୍,ଚା(ଲକ୍ଷଣା),ଚାଦର,ଚାଲାକ(ବୁଦ୍ଧିମାନ),ଚିଲମ,ଚିଜ(ପଦାର୍ଥ,ବସ୍ତୁ),ଚୁଗୁଲି,ଚୁମକି,ଚୋସ୍ତ,ଚେହେରା(ମୁଖମଣ୍ଡଳ),ଚାମଚ,ଜଖମ(ଖଣ୍ଡିଆ,କ୍ଷତ),ଜଵାହର,ଜମାନା(,ଜରି,ଜଲେବି,ଜାଗିର,ଜାନ୍,ଜିନ୍,ଜିନ୍ଦାଵାଦ,ଜିନ୍ଦେଗୀ,ଜୋର(ବଳପ୍ରୟୋଗ କରି),ଡେକଚି,ତକିଆ(ମାଣ୍ଡି),ତକତପୋଷ,ତର୍କାରୀ(ତିଅଣ,ତୁଣ),ତାରିଖ(ଦିନାଙ୍କ),ତରାଜୁ(ତୁଳା),ତସଲା,ତାନପୁରା,ତବଲା,ତାଜା(ସଜ,ତଟକା,ସଦ୍ୟ,ସତେଜ),ତୈୟାର(ପ୍ରସ୍ତୁତ),ଦଗା(ପ୍ରଵଞ୍ଚନା,ଶଠତା,ଠକିବା,ଵିଶ୍ଵାସଘାତକତା),ଦମ୍,ଦର,ଦରଜୀ,ଦରଖାସ୍ତ, ଦରକାର(ଲୋଡା଼),ଦରବାର,ଦରିଆ,ଦରଓ୍ଵାଜା(ଓ-ଦରଯା=କବାଟ),ଦିସ୍ତା,ଦସ୍ତୁର,ଦାଗ(ଚିହ୍ନ),ଦାଗୀ(ଦୋଷୀ),ଦିମାକ(ମୁଣ୍ଡ,ବୁଦ୍ଧି),ଦିଲ(ହୃଦୟ),ଦେଵାନ୍,ଦୁସମନ୍(ଶତୃ),ଦୋସ୍ତ(ମିତ୍ର, ବନ୍ଧୁ, ସାଙ୍ଗ),ଦରୁଆନ୍,ଦଫାଦାର,ଦିଓ୍ଵାନା,ଦିଓ୍ଵାଲି,ନିମକ,ନମୁନା,ନରମ(କୋମଳ,କଅଁଳ),ନାରଙ୍ଗୀ, ନାମା,ନାଲିସ୍,ନାସପାତି,ନାସ୍ତା(ଜଳଖିଆ),ନୌକର(ଭୃତ୍ୟ),ନିଘା(ଧ୍ୟାନ, ଅନେଇବା) ,ନବସନ୍ଧା,ପର(ପକ୍ଷ),ପରୀ,ପରଦା,ପରଓ୍ବାନା,ପାଜି(ଠକ),ପରଗଣା(ଵିଷ,ଵିଷୟ),ପାସଙ୍ଗ,ପୋଖତ,ପାଇଜାମା, ପରୁଆ,ପସନ୍ଦ, ପଶମ,ପହିଲମାନ,ପିଆଜ(ଓଲି),ପିଆଦା,ପିଆଲା,ପୀର,ପେସ୍କାର,ପେଶବା,ପେଶା,ପୋଷାକ(ଵସ୍ତ୍ର),ପଲାଉ,ପଲା(ତରାଜୁର ଓଜନପାତ୍ର),ପହ୍ଲବୀ,ପୈଦା,ପେଶକସ୍,ଫରମାସ୍,, ବାଦାମ(ଭୂଇଁଚଣା), ବେଦାନା,ବନ୍ଦର(ପୋତାଶ୍ରୟ),
ବନ୍ଦୋବସ୍ତ, ବୈଠକ, ବାଦଶାହା,ବରଫ,ବରଜ,ବାଜି,ବାଜୁ,ବାସିନ୍ଦା(ଅଧିଵାସୀ),ବାଗ(ସୁଵିଧା),ବଗିଚା(ଉପଵନ),ବକସିସ୍,ବକ୍ସି, ବଦ୍,ବଦଳ(ପରିଵର୍ତ୍ତନ),ବଦନାମ, ଵିରାଦର,ବରଵାଦ,ବୁକୁଚା,ଵକେୟା,ବୁଲବୁଲ୍,ବୁନିଆଦି,ଵାହାଦୁର(ବାହୁ ଭାରତୀୟ ଶବ୍ଦ ମୂଳ),
ଵାହାନା,ଵାହେଲୀ,ଵାଲୁସାଇ(ମିଷ୍ଟାନ୍ନ),ଵୀମା,ଵିଚାରା,ଵସ୍ତା,ବିଵି,ଵେମାର,ବୁଖାର,ଵେକାର,ବେଗମ୍,ବେଶୀ, ଵେସନ,ମଜଦୁର,ମରାମତ୍,ମରଦ,ମଲିହା,ମଲାଇ,ମାଲିସ, ମାଲଗୁଜୁରୀ,ମହଲା,ମିସ୍ତିରୀ,ମିନା,ମୀର,ମକଦ୍ଦମା, ମୁର୍ଗା,ମୁର୍ଦ୍ଦାର,ମସ୍ତ,ମେଖ,ମେଵା,ମେହେମାନ୍,ମେହେର,ମେହେରଵାନ୍,ମେଜ,ମୈଦାନ, ମୋଜା,ମହମ,ମୋହର,ରଓ୍ଵାନା,ରସଦ,ରସିଦ,ରାସ୍ତା,ରିଆୟତ୍,ରିସଵତ୍,ରୁମାଇ,ରୁବକାର,ରେଶମ,ରୋଜ,ରୋଜଗାର, ରୋଶଣି,ଲଗାମ,ଲସ୍କର,ଲେଙ୍ଗେଡା଼,ଲଙ୍ଗର,ଓ୍ଵାପସ୍,ସରମ,ସହନସାହା,ସାହନାଇ,ସହର,ଶାଦୀ,ସାଵାସ,ସାମିଆନା,ସାଲ,ଶାହା,ଶାହାଜାଦା,ଶିକାର, ଶିରଣୀ(ମିଷ୍ଟାନ୍ନ),ସିରା,ସୀସା,ସୁମାରି,ସୋରୁଆ(ଝୋଳ),ସଜ୍ଜା,ସଫେଦ,ସରକାର, ସରପଞ୍ଚ, ସର୍ଦ୍ଦାର, ସର୍ଦ୍ଦି,ସରଵରାହ,ସଵାରି,ସାଦା,ସବଜି,ସାମାନ୍,ସାୟା(ଛାୟା-ସମ୍ଭବତଃ ଛ ଟା ସ ହୋଇଛି),ସାଲ୍,ସାହିବଜାଦା,ସିତାର,ସିପାହୀ, ସୁପାରିଶ, ସିନା(ଛାତିଭାଗ),ସିର୍କ୍କା,ସିରସ୍ତା,ସୁଜି,ସୁରମା,ସୁଧ,ସଉଦା,ସୌଦାଗର, ସଙ୍ଗୀନ,ହଜାର, ହମେଶା,ହର୍,ହରେକ୍,ହାଲୁଆ,ହାଉଦା,ହୋସ୍,ହୁସିଆର, ହଙ୍ଗାମା,ହେମଦସ୍ତା ।

ତୁର୍କୀ ଶବ୍ଦ:-କୁଲି,କଇଞ୍ଚି(କତୁରୀ),ଚାକୁ,ଚପାତି,ତୋପ,ବନ୍ଧୁକ,ବାରୁଦ,ବାଵର୍ଚି,ଲାସ,ସୁରାକ,ଅରମାନ୍,କାବୁ,କେରମା,ଖାଁ,ଗାଲିଚା,ଚକମକି,ଚିକ,ତୁରୁଖ,ଦାରୋଗା,ମୁଚଲାମା ଵା ମୁଚାଲିକା,ଠାକୁର ଇତ୍ୟାଦି....

ବି:ଦ୍ର:-ପାରସିକ ଭାଷା ଭାରତୀୟ ଭାଷା ପରିବାର ଅନ୍ତର୍ଗତ ହୋଇଥିବା ହେତୁରୁ ଏଥିରେ ଅନେକ ଭାରତୀୟ ଶବ୍ଦ ସହ ସାମଜସ୍ୟ ଥିବା ଶବ୍ଦ ରହିଅଛି
ଯେମିତିକି
★ଅବଶୋଷ-ଅବସୋସ
→ସଂସ୍କୃତ ଅବ ପ୍ରତ୍ୟୟ ଵ୍ୟଵହାର କରି ଶୋଷ ସହ ଏହାର ତର୍ଜମା କଲେ ଅବଶୋଷ ଶବ୍ଦ ଵ୍ୟାଖ୍ୟା କଲେ ତାହା ଭାରତୀୟ ଶବ୍ଦ ବୋଲି ବୋଧହୁଏ ।
★ଘର୍ମ(ଘିମିରୀ,ତବତ)-ଗରମ
→ଭାରତୀୟ ଶବ୍ଦ ଘର୍ମ ବା ଘରମ ବଦଳରେ ଆଜିକାଲି ଗରମ ଶବ୍ଦର ବହୁଳ ବ୍ୟବହାର ହେଉଅଛି । ମହାପ୍ରାଣ ଵର୍ଣ୍ଣ ର ନିମ୍ନପ୍ରାଣରେ ପରିଵର୍ତ୍ତିତ ମୋଇଯିବା ଟା ଭାରତୀୟ ଭାଷା ମାନଙ୍କରେ ବିରଳ ନୁହେଁ ।
ବିଦାୟ-ଅଲବିଦା
→ବିଦା ଶବ୍ଦ ରେ ଅଲ୍ ଯୋଗ ହେବା ହେତୁ ଶବ୍ଦଟି ଏମନ୍ତ ଭିନ୍ନ ଜଣାପଡୁଛି ।
★କାରିକର-କାରିଗର
→ଆରାମ-ଆରାମ(ଏହା ଭାରତୀୟ ଭାଷାଗୁଡିକ ଓ ପାର୍ସୀ ଉଭୟରେ ଏକା ଅର୍ଥରେ ଚଳୁଥିଲେ ହେଁ ପାର୍ସୀ ଅପେକ୍ଷା ଭାରତୀୟ ଭାଷା ବିଶେଷ କରି ଓଡ଼ିଆ ଓ ସଂସ୍କୃତରେ ଏହାର ଅର୍ଥ ବ୍ୟାପକ ।
★ଫାଶୀ-ଫାସୀ
ଭାରତୀୟ ଶବ୍ଦ ପାଶ ଓ ଫାଶ ଅଛି ଏବଂ ଏ ଶବ୍ଦ ପାରସ୍ୟରେ ମଧ୍ୟ ଚଳୁଅଛି । ତେଣୁ ଏହା ଉଭୟ ଅଞ୍ଚଳର ଶବ୍ଦ ହୋଇଥିବା ସମ୍ଭବ ।

    :-----: ଓଡ଼ିଆ କିମ୍ଵଦନ୍ତୀରେ ପଖାଳ:-----:

    

ଜନସୃତି ଅଛି ରାଜା ସୁଵର୍ଣ୍ଣକେଶରୀଙ୍କ ପତ୍ନୀ ଥରେ ଏକ ଅଚିହ୍ନା ରୋଗରେ ପଡି଼ ଶଯ୍ୟାଶାୟୀ ହେଲାରୁ ରାଜା ଗୁଡାଏ ବଇଦ ଦେଖାଇ ନିଷ୍ଫଳ ହେଲାରୁ ଶେଷକୁ ଦେଶରେ ଘୋଷଣା କଲେ ଯିଏ ତାଙ୍କ ସ୍ତ୍ରୀ ଙ୍କ ସ୍ଵାସ୍ଥ୍ୟ ଭଲ କରିଦେବେ ସେ ତାଙ୍କୁ ଅନେକାନେକ ଧନ ସମ୍ପତ୍ତି ପ୍ରଦାନ କରିବେ । ଜଣେ ମୁନି ଦୈବାତ୍ ରାଜନଵର ଆସିଥାନ୍ତି । ରାଜା ତାଙ୍କୁ ଆପଣା ରାଣୀର ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ଦୂରାଵସ୍ଥା ଜଣେଇବାରୁ ସେ ବୋଇଲେ

“ରାଜନ୍ ! ରାଣୀଙ୍କୁ ଯେଉଁ ଅସାଧ୍ୟ ରୋଗ ହୋଇଛି ତହିଁର ଏକମାତ୍ର ଔଷଧ ହେଉଛି ଅମୃତ । ତେବେ ଆମ୍ଭେ ଆଶିର୍ବାଦ ଦେଉଅଛୁ ଆପଣ ରାଣୀଙ୍କୁ ନେଇ ଏ ପଵିତ୍ର ଉତ୍କଳଦେଶ ଭ୍ରମଣ କରନ୍ତୁ । ନିଶ୍ଚିତ ସୁଫଳ ମିଳିବ ।”

ସୁବର୍ଣ୍ଣ କେଶରୀ ଓ ରାଣୀ  ସାଧାରଣ ଲୋକଙ୍କ ବେଶ ଧାରଣ ପୂର୍ଵକ ଦେଶ ଭ୍ରମଣରେ ବାହାରିଗଲେ । ବାଟରେ ଯାଉ ଯାଉ ରାଜା ରାଣୀଙ୍କୁ ପ୍ରଵଳ ଭୋକ ଲାଗିଲା । କିଛି ଦୂର ଆଗେଇଲାରୁ ରାଜା ଦେଖିଲେ କୃଷକ ଜଣେ ବିଲରରେ ହଳ କରୁଛି । ରାଜା ତାକୁ ଯାଇ ପାଣି ମାଗନ୍ତେ ସେ ମନାକଲା କିନ୍ତୁ ରାଜା ବହୁତ କହିଲାରୁ କୃଷକ କଂସାଏ ପାଣିମିଶା ଭାତ ଆଣି ରାଜାଙ୍କ ହାତକୁ ବଢାଇଦେଲା । ରାଜା ସେହି ପାଣିମିଶା ପାଖଳ ନେଇ ରାଣୀଙ୍କୁ ଖାଇବାକୁ ଦେଲେ ଏବଂ ଆପେ କିଛି ଖାଇଲେ । ସେ ପଖାଳ ଖାଇ ଜାଣିଲେ ଏହା ଅମୃତ । ସୁଵର୍ଣ୍ଣକେଶରୀ କୃଷକ କୁ ଯାଇ ପଚାରିଲେ
“ଆଜ୍ଞା ଏ ଅମୃତ ଆପଣ କେଉଁଠୁ ପାଇଲେ ?”
କୃଷକ କହିଲା
“ଏ ତ ଆମେ ନିଇତି ଦିନକୁ ଦିଓଳି ଖାଉଚୁ,ଏହା ପଖାଳ”
କୁହାଯାଏ ସେଦିନ ପଖାଳ ଖାଇ ରାଣୀ ଧିରେ ଧିରେ ସୁସ୍ଥ ହୋଇଯାଇଥିଲେ ।
ଛତିଶଗଡ ଅଞ୍ଚଳରେ ପଖାଳ ଓ ନାରଦଙ୍କୁ ନେଇ ଏହି ଜନସୃତି ସହ ସାମଜସ୍ୟ ଥିବା ଅନ୍ୟ ଏକ ଲୋକକଥା ପ୍ରଚଳିତ ଅଛି .............

......….....

Monday, March 19, 2018

●ଆସ ଜୀଵନଧନ ମୋର ପଖାଳ କଂସା●

ଆସ ଜୀଵନଧନ ମୋର ପଖାଳ କଂସା-3
ସଜନୀରେ ତୋ ବିହୁନେ ବୁଡି଼ଲା ହଂସା....
ଆସ ଜୀଵନଧନ ମୋର ପଖାଳ କଂସା
ଆସ ଜୀଵନଧନ....

‛ବହିଲାଣି ଅନା ସଖୀ ଝାଞ୍ଜି ପଵନ
ଅଠା ମାରିଗଲା ତୁଣ୍ଡୁ ଯାଏ ଜୀବନ’-2

ତୋ ବିନେ ପଖାଳ ଗୋ
ଫାଟିଲା କପାଳ ଗୋ-2

ତୋରାଣୀ ସଖୀରେ ମିଶି ହର ମୋ ତୃଷା
ଆସ ଜୀଵନଧନ ମୋର ପଖାଳ କଂସା
ଆସ ଜୀଵନଧନ....

ସଙ୍ଘା ଠାକୁରାଣୀ ପିତା ଶୁଖୁଆ ରାଣୀ
ତୋ ଲାଗି ନିଆଁରେ ସତୀ ଝାସ ଦେଲାଣି

ପିଆଜ ଥରି ଡରେ ଛାଲ ଛଡାଇ ମରେ...2

ମରିଚ କହୁଛି ମୋତେ ତୋ ତୁଲେ ମିଶା....

ଆସ ଜୀଵନଧନ ମୋର ପଖାଳ କଂସା
ଆସ ଜୀଵନଧନ....
ସଜଘୋଳ ଦହି  ଆମ୍ଵ ଛେଚା ସହିତେ
ଝୁରି ହେଉଥିବେ ସତେ ଦେଵତା ଯେତେ-2

ବଡି଼ ଚଟଣୀ ଥାଇ ଗୁମାନେ ରହେ ଚାହିଁ-2
ଅନାମନା ଶାଗ କହେ ଚୂଲିରେ ବସା

ଆସ ଜୀଵନଧନ ମୋର ପଖାଳ କଂସା
ଆସ ଜୀଵନଧନ....

ଓଡ଼ିଆ ଜୀବନ ଧୁଆ ଶାଗ ପଖାଳ
ଜଗନ୍ନାଥ ରସି ଖାଏ ମନେ ତୁ ଭାଳ-2

ଚାଖିନାହିଁ ଯେ ଥରେ ଧିକ ତା ଜନମରେ-2
ମଣିଷ ଯାକରେ ସେ ତ ଅଣପୁରୁଷା

ଆସ ଜୀଵନଧନ ମୋର ପଖାଳ କଂସା
ଆସ ଜୀଵନଧନ ମୋର ପଖାଳ କଂସା
ଆସ ଜୀଵନଧନ.............


Sunday, March 18, 2018

ଉଡ୍ରୀ :-ଓଡ଼ିଆ ଭାଷାର ମୂଳ


କୁହାଯାଏ ଉଡ୍ରୀ ହେଉଛି ଓଡ଼ିଆ ଭାଷାର ପ୍ରାଚୀନ ରୂପ ।
ଔଡ୍ରୀ ବା ଉଡ୍ରୀ ମତଵାଦ ପକ୍ଷରେ କେତେକ ପ୍ରମୁଖ ପ୍ରମାଣ ଦିଆଯାଇଥାଏ ।

1. ପ୍ରାଚୀନ ପାଲି ଭାଷାର ଦକ୍ଷିଣ ପୂର୍ବ ଅପଭ୍ରଂଶକୁ ଔଡ୍ରୀ ଅପଭ୍ରଂଶ କୁହାଯାଉଥିବାର ଅନେକ ପ୍ରମାଣ ମିଳେ ।
ଭରତଙ୍କ ନାଟ୍ୟଶାସ୍ତ୍ରରେ ଉଡ୍ରଜା ଵା ଉଡ୍ର ଵିଭାଷାର ଉଲ୍ଲେଖ ଅଛି
ଯଥା:-
“ଶକରାଭୀର ଚାଣ୍ଡାଳ ଶଵର ଦ୍ରାଵିଡୋ଼ଡ୍ରଜାଃ
ହୀନାବନେଚରାଣାଂ ଚ ଵିଭାଷାଃ ସପ୍ତକୀର୍ତ୍ତିତାଃ  ।” ୬
**********
ଆଵନ୍ତୀ ଦାକ୍ଷିଣାତ୍ୟାଚ ତଥା ଚୈବୋଡ୍ରମାଗଧୀ
ପାଞ୍ଚାଳୀ ମଧ୍ଯମି ଚେତି ଵିଜ୍ଞେୟାସ୍ତୁ ପ୍ରବୃତ୍ତୟଃ ।। ୭

୨.ପାଲି ଭାଷାରେ ଅନ୍ୟ ଭାରତୀୟ ପ୍ରାକୃତ ତଥା ଅଷ୍ଟ୍ରିକ ଆଦି ଭାଷାର ଶବ୍ଦ ଓ ଶୈଳୀ ମିଶ୍ରଣରେ ଖ୍ରୀଷ୍ଟାବ୍ଦ ଦ୍ଵିତୀୟ ଶତାବ୍ଦୀ ବେଳକୁ ଉଡ୍ର ଵିଭାଷା ସୃଷ୍ଟି ହୋଇଥିଲା ।

୩.ସପ୍ତମ ଶତାବ୍ଦୀ ବେଳକୁ ପଶ୍ଚିମ ଓଡିଶାରେ ଇନ୍ଦ୍ରଭୁତିଙ୍କ ଦ୍ଵାରା ଉଡ୍ଡିୟାନ ରାଜ୍ୟ ସ୍ଥାପନ ବେଳକୁ ଆଧୁନିକ ଓଡ଼ିଆ ଭାଷା ଵିକଶିତ ହେବାକୁ ଲାଗିଥିଲା ଏବଂ ସେହି ଵିକଶିତ ଭାଷାରେ କାହ୍ନୁପା ଲୁଇପା ଆଦି କବିମାନେ ଚର୍ଯ୍ୟାଗୀତି ରଚନା କରି ବୌଦ୍ଧ ଧର୍ମ ପ୍ରଚାର କରିଥିଲେ ।

୪.ସପ୍ତମ ଶତାବ୍ଦୀରେ ଚୀନ ପରିବ୍ରାଜକ ହୁଏନ ସାଂ ଭାରତ ଭ୍ରମଣ ରେ ଆସିଥିଲେ । ସେ ଏହି ଆଧୁନିକ ଭାଷାକୁ ‛ଉ-ଚ’ ଭାବରେ ଉଲ୍ଲେଖ କରିଅଛନ୍ତି । ଏହା ଉଡ୍ର ଶବ୍ଦ ର ବିକୃତି ଉଦାହରଣ ମାତ୍ର ।

୫.ଷୋଡ଼ଶ ଶତାବ୍ଦୀରେ  ବ୍ୟାକରଣାକାର ମାର୍କଣ୍ଡେୟ ଉଡ୍ରୀ ଅପଭ୍ରଂଶର ଲକ୍ଷଣ ଉଲ୍ଲେଖ କରିବାକୁ ଯାଇ ତାଙ୍କ ପ୍ରାକୃତ ସର୍ଵସ୍ଵରେ ଲେଖିଛନ୍ତି
“ଶବର୍ଯ୍ୟାମେବୈଡ୍ରୀ ଯୋଗାତ୍ତଦ୍ଦେଶ୍ୟ ଶୌରସେନ୍ୟାଦେଃ ।”
ତାଙ୍କ ମତରେ ଉଡ୍ର ଦେଶର କଥିତ ଭାଷାରେ ଶୌରସେନୀ ଓ ଶଵର ଭାଷାର ପ୍ରଭାବ ଫଳରେ ଉଡ୍ରୀ ଅପଭ୍ରଂଶର ସୃଷ୍ଟି ।
ଉଡ୍ରୀ ଅପଭ୍ରଂଶର ନିମ୍ନଲିଖିତ ଉଦାହରଣ ସେ ଦେଇଛନ୍ତି

“ଦେବ ଜସୋଆ ଣନ୍ଦଣ କର ମଇ କରୁଣା ଲେସ
ଏତ୍ତିକେ ଜମଉ ଅଚ୍ଛ (ଉ) ଇ ପିଟ୍ଟଇ ସବ୍ବ କିଳେସ”
। ଇତ୍ୟୋଡ୍ରୀ ।(୧୦)
ଏହାର ସଂସ୍କୃତ ରୂପ ଏଇଭଳି

“ଦେବ ଯଶୋଦା ନନ୍ଦନ କୁରୁ ମୟି କରୁଣା ଲେଶମ୍
ଇହତ୍ୟଃ ଜନ୍ମତଃ ଅସ୍ମି ଇତି ପୀଡ଼ୟତି ସର୍ଵ କ୍ଲେଶଃ ।”

ପଦଟିର ସମୟକାଳ ସମ୍ଭବତଃ ଦଶମ ଶତାବ୍ଦୀ ।

ତେବେ ବୈୟାକରଣୀକ ମାର୍କଣ୍ଡେୟ ଅନ୍ୟ ଏକ ସ୍ଥାନରେ ଭାରତର ୨୭ଟି ଅପଭ୍ରଂଶର ନାମୋଲ୍ଲେଖ କରିଅଛନ୍ତି ।

“ଗୌଡୌଡ୍ର ଚୈବ ପାଶ୍ଚାତ୍ୟ ପାଣ୍ଡ୍ୟ କୌନ୍ତକ ସିଂହଳା
କାଳିଙ୍ଗ୍ୟ ପ୍ରାଚ୍ୟ କର୍ଣ୍ଣାଟକାଞ୍ଚ୍ୟ ଦ୍ରାଵିଡ଼ ଗୌର୍ଜରା ।
ଏଠାରେ ସେ କଳିଙ୍ଗ ଦେଶରେ କେବଳ ଉଡ୍ର ଅପଭ୍ରଂଶ ନୁହେଁ ବରଂ କାଳିଙ୍ଗ୍ୟ ଓ ଉତ୍କଳୀ ଅପଭ୍ରଂଶ ଚଳୁଥିବା ଉଲ୍ଲେଖ କରିଛନ୍ତି ।

୬.ଦଶମ ଶତାବ୍ଦୀର ବିଖ୍ୟାତ ପ୍ରାକୃତ ବ୍ୟାକରଣାକାର ପୁରୁଷୋତ୍ତମ  ତାଙ୍କର ପ୍ରାକୃତାନୁଶାସନ ଗ୍ରନ୍ଥରେ ଔଡ୍ରୀ ଅପଭ୍ରଂଶର ଉଲ୍ଲେଖ କରିଛନ୍ତି ଓ ଏହାକୁ ଇ ଏବଂ ଓ ପ୍ରତ୍ୟୟ ବହୁଳ ଭାଷା(ଇକାରୌକାର ପ୍ରାୟ୍ୟୋଡ୍ରୀ) ବୋଲି ମତ ଦେଇଛନ୍ତି ।

୭.ଦ୍ଵାଦଶ ଶତାବ୍ଦୀରେ ଅନିରୁଦ୍ଧ ଭଟ୍ଟ ତାଙ୍କର ପ୍ରାକୃତ କଳ୍ପତରୁ ଗ୍ରନ୍ଥରେ ଓଡ୍ରୀ ଅପଭ୍ରଂଶ ଛଡା଼ ଉତ୍କଳୀ ନାମକ ଆଉ ଏକ ଅପଭ୍ରଂଶର ଉଲ୍ଲେଖ କରିଛନ୍ତି ।
ଯଥା...
“ଆଭୀରକା ଦ୍ରାଵିଡି଼କୋତ୍କଳୀନ ବନୌକସୀ ମାଣ୍ଡୂରିକେତ ନାମ୍ନା ଶାକର ଓଡ୍ର ଦ୍ରାଵିଡାଦି ବାଚୋପଭ୍ରଂଶତାମ୍ ।”

ଔଡ୍ରୀ ଵିଭାଷା ସମର୍ଥନରେ କିଛି ଭାଷାଵିଦ କୁହନ୍ତି ଭରତଙ୍କ ନାଟ୍ୟଶାସ୍ତ୍ରରେ ଯେହେତୁ ଉଡ୍ରୀ ଵିଭାଷା ର ଉଲ୍ଲେଖ ଅଛି ତେଣୁ ବହୁତ ସମ୍ଭବ ଔଡ୍ରୀ ଵିଭାଷା ହିଁ ପରଵର୍ତ୍ତୀ କାଳରେ ଔଡ୍ରୀ ଅପଭ୍ରଂଶରେ ପରିଵର୍ତ୍ତିତ ହୋଇଅଛି । ଉଡ୍ରୀ ଵିଭାଷାକୁ ସେମାନେ ଓଡ଼ିଆ ଭାଷାର ମୂଳ ବୋଲି ମତ ଦେଇଥାନ୍ତି ତେବେ ଏଇଠି ତାଙ୍କ ଆଗରେ ଵଡ଼ ପ୍ରଶ୍ନଟିଏ ମୁଣ୍ଡ ଟେକି ଠିଆ ହୋଇଯାଏ  ଯେ
“ଯଦି ଓଡ଼ିଆ ଭାଷାର ମୂଳ ଉଡ୍ର ଵିଭାଷା ତେବେ ବୈୟାକରଣିକ ମାର୍କଣ୍ଡେୟ ଓ ଅନିରୁଦ୍ଧ ଭଟ୍ଟ ଙ୍କ ଦ୍ଵାରା ଉଲ୍ଲେଖିତ କାଳିଙ୍ଗ୍ୟ ଓ ଉତ୍କଳୀ ଅପଭ୍ରଂଶର ମୂଳ କେଉଁ ଵିଭାଷା ଅଟେ ? ”

ତେବେ କ’ଣ ଓଡ଼ିଆ ଭାଷାର ମୂଳ ଉଡ୍ର ଵିଭାଷା ନୁହେଁ ଵରଂ “ପାଲି ପ୍ରାକୃତ ତଥା ପ୍ରାଚୀନ ଭାରତୀୟ ଆର୍ଯ୍ୟଭାଷା ” ଯହିଁରୁ ଗୋଟିଏ ପଟରେ ଉଡ୍ର ଵିଭାଷା ସୃଷ୍ଟି ହୋଇଥିଲା ବେଳେ ଅନ୍ୟପଟେ ଆଉ କୌଣସି ଵିଭାଷା ରୁ କାଳିଙ୍ଗ୍ୟ ତଥା ଉତ୍କଳୀ ଅପଭ୍ରଂଶର ଉଦଭଵ ହୋଇଥିଲା ? କିମ୍ବା
ହୁଏତ ଏମିତି ମଧ୍ଯ ହୋଇପାରେ ଯେ
ଉଡ୍ର ଵିଭାଷା ରୁ ତିନୋଟି ଅପଭ୍ରଂଶ ସୃଷ୍ଟି ହୋଇ ଭିନ୍ନ ଭିନ୍ନ ଅଞ୍ଚଳରେ ପ୍ରଚଳିତ ହୋଇ ପରେ ତହିଁର ସ୍ଵତଃ ତଥା ସାହିତ୍ୟିକ ମାନକୀକରଣ ଘଟି ଆଧୁନିକ ଓଡ଼ିଆ ଭାଷାର ଅଭ୍ୟୁଦୟ ହୋଇଥିଲା ?

Saturday, March 17, 2018

ଦୁଇସାଙ୍ଗ

ଦୁଇଜଣ ଅଭିନ୍ନ ମିତ୍ର ଜଙ୍ଗଲରେ ଯାଉଥିଲେ । କିଛି ବାଟ ଗଲାରୁ ତାଙ୍କର ବିପରୀତ ଦିଗରୁ ତାଙ୍କ ଆଡ଼କୁ ଭାଲୁଟାଏ ଆସୁଥିବା ସେମାନେ ଦେଖିବାକୁ ପାଇଲେ ।
ତହୁଁ ସେମାନଙ୍କ ମଧ୍ୟରୁ ଜଣେ ସାଙ୍ଗ ତଳେ ଆଣ୍ଠେଇ ଶ୍ରୀକୃଷ୍ଣଙ୍କୁ ଏ ବିପଦରୁ ରକ୍ଷା ପାଇଁ  ପ୍ରାଥନା କଲା ଏବଂ ଆରସାଙ୍ଗ ଜଣକ ତଳେ ବସି ଆପଣା ଯୋକ୍ତ୍ରର ଦଉଡି଼କୁ ଶକ୍ତ କରି ବାନ୍ଧିବାକୁ ଲାଗିଲା । ଦ୍ଵିତୀୟ ସାଙ୍ଗର ଯୋକ୍ତ୍ର ବନ୍ଧା ଦେଖି ତାକୁ ପ୍ରଥମ ସାଙ୍ଗଟି ପଚାରିଲା “ମିତ୍ର ତମେ କ’ଣ ଭାବୁଛ ଯେ ଭାଲୁଠାରୁ ଅଧିକ ଦୃତଗତିରେ ଏଠାରୁ ଦଉଡି଼ ତାଠାରୁ ମୁକୁଳି ପାରିବ ?”
ଏହା ଶୁଣି ଦ୍ଵିତୀୟ ସାଙ୍ଗ ଜଣକ ପ୍ରଥମ ସାଙ୍ଗକୁ କହିଲା
“ବନ୍ଧୁ,ମୋତେ ଭାଲୁଠାରୁ ଦୃତ ଦୌଡିବା ର କୌଣସି ଆଵଶ୍ୟକତା ନାହିଁ ମୋତେ ତୁମଠାରୁ ଅଧିକ ଦୃତ ଦୌଡି଼ବାର ଅଛି”

(ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି ହେ ମନୁଷ୍ୟ ମାନେ ତୁମେ ମୋର ହସ୍ତ, ତୁମ ମାନଙ୍କ ଦ୍ଵାରା ମୁଁ ମୋର କାର୍ଯ୍ୟ ସାଧନ କରେ । ତେଣୁ ଆପଣାର ରକ୍ଷା ସ୍ବହସ୍ତରେ ଥାଏ । ନିଜେ ସ୍ଵରକ୍ଷା ନକରିପାରେ ତାକୁ ଈଶ୍ୱର ମଧ୍ଯ ବଞ୍ଚାଇପାରିବେ ନାହିଁ)

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...