Saturday, March 10, 2018

-:କନ୍ତିଓ:-ଢେଙ୍କାନାଳ ରାଜ୍ୟର ରାଜଗୁରୁଙ୍କ ଗାଆଁ

ଢେଙ୍କାନାଳ ମଣ୍ଡଳ(ଖଣ୍ଡ,ଜିଲ୍ଲା) ଅନ୍ତର୍ଗତ କାମାକ୍ଷାନଗର ଉପଖଣ୍ଡ(ବ୍ଲକ)ର ଏକ ଜଣାଶୁଣା ଗ୍ରାମ ହେଉଛି କନ୍ତିଓ । ଏ ଗାଆଁର ଵିଶିଷ୍ଠତା ଓ ଲୋକପ୍ରିୟତା କୌଣସି ମହାନ ଵ୍ୟକ୍ତି ଯୋଗୁଁ ନୁହେଁ ବରଂ କେତେକ ଐତିହାସିକ ଘଟଣା ପାଇଁ ହୋଇଅଛି । ଏକଦା ଭୀମନଗରୀ ଦଣ୍ଡପାଟ ନାମରେ ପ୍ରଶିଦ୍ଧ ଥିବା ଢେଙ୍କାନାଳର ସମସ୍ତ ଭୂଭାଗରେ ସମତଳ ଅଞ୍ଚଳର ଲୋକେ ଅଧିଵାସ କରିବାର ବହୁ ପୂର୍ବରୁ ଏଠାରେ ରହିଆସୁଥିଲେ ଶଵର/ସଅର ଜାତିର ଲୋକ ।
କନ୍ତିଓ ଗାଆଁର ଅଧିକାଂଶ ଭାଗରେ ମଧ୍ଯ ଏଇ ମାତ୍ର 400 ଵର୍ଷ ତଳେ ଥିଲା ଏହି ଜାତିର ଲୋକଙ୍କ ସମ୍ପୂର୍ଣ୍ଣ ଅଧିକାର । ଢେଙ୍କାନାଳ ଅଞ୍ଚଳର ଢେଙ୍କୁ ଶଵର ରାଜାଙ୍କ ପରାଜୟ ଵରଣପରେ ପରେ ଏଠାରେ ସମତଳ ଅଞ୍ଚଳର ଲୋକଙ୍କ ଜନଵସତି ଦିନ ପ୍ରତିଦିନ ବଢି ବଢି ଚାଲିଲା ।

ତତକାଳୀନ ଢେଙ୍କାନାଳ ରାଜାଙ୍କ ଗୁରୁ ସର୍ଵାନନ୍ଦ ଗୋସ୍ଵାମୀ ପୁରୀରେ ରହୁଥାନ୍ତି ।  ସେଦିନିଆ ପୁରୀରୁ ଢେଙ୍କାନାଳକୁ ସଦାବେଳେ ଯା ଆସ କରିବା ଆଜି ଭଳି ଏତେଟା ସହଜସାଧ୍ୟ ନଥିଲା । ତେଣୁ ରାଜା ତାଙ୍କ ଗୁରୁଙ୍କୁ ଅନୁରୋଧ କଲେ ଯେ ଆସି ଢେଙ୍କାନାଳରେ ଏକ ଉପଯୁକ୍ତ ସ୍ଥାନ ଦେଖି ଏଠାରେ ଆଶ୍ରମ ନିର୍ମାଣ କରି ରହିବେ ଫଳରେ ଗୁରୁ ସେବା,ଗୁରୁଦର୍ଶନ କରିବାରେ ରାଜାଙ୍କୁ ସେତେଟା ଅସୁବିଧା ଭୋଗ କରିବାକୁ ପଡି଼ବ ନାହିଁ । ଗୁରୁ, ଶିଷ୍ୟ ଙ୍କ ସ୍ନେହ ଓ ଆଦର ଦେଖି  ଢେଙ୍କାନାଳ ଆସିବାକୁ ସମ୍ମତିପ୍ରକାଶ କରନ୍ତେ ରାଜା ଗୁରୁଙ୍କ ସୁଵିଧା ହେତୁ ନାନାଦି ପ
ଯତ୍ନ ଆରମ୍ଭ କରିଦେଲେ । ସର୍ଵାନନ୍ଦ ବାବା ଆସି ବ୍ରାହ୍ମଣୀ ନଦୀର ପଶ୍ଚିମ ପାର୍ଶ୍ଵରେ ପରିମଳ ଵିଷ(ପ୍ରଗଣା) ର ମଧ୍ୟ ଭାଗରେ ଜଙ୍ଗଲ ଅଞ୍ଚଳକୁ ଯୋଗ୍ୟ ମନେକରି ବାଛିଲେ ।
ସେଠାରେ ପରେ ଗୁରୁଙ୍କ ନିର୍ଦ୍ଦେଶରେ ରାଜା ଏକ ବୈଷ୍ଣବ ମଠ ଓ ମନ୍ଦିର ପ୍ରତିଷ୍ଠା କରିଥିଲେ ଯାହା ସେ ସମୟରେ ଶ୍ରୀବୃନ୍ଦାଵନଚନ୍ଦ୍ର ମନ୍ଦିର ନାମରେ ଜଣା ଯାଉଥିଲା । କନ୍ତିୟୋରେ ମଠ ସ୍ଥାପନପରେ ଏଠାର ମଠାଧିଶ ଭାବରେ ଵିଦ୍ଧିଵଧ ଭାବେ ସର୍ଵାନନ୍ଦ ଗୋସ୍ଵାମୀଙ୍କୁ ରାଜଗୁରୁ ଶ୍ରୀବ୍ରହ୍ମଚାରୀ ଉପାଧି ପ୍ରଦାନ ସହିତ ପାରିମାଳ ବିଷର କେତେକ ଭୂଭାଗ ମଧ୍ଯ କନ୍ତିଓ ବୈଷ୍ଣବମଠକୁ ଦାନ କରାଗଲା । ବ୍ରହ୍ମଚାରୀ ସର୍ଵାନନ୍ଦ ଗୋସ୍ଵାମୀ ମୂଳତଃ ପୁରୀ ଅଞ୍ଚଳର ଵାସିନ୍ଦା । ସେ ମନ୍ଦିର-ମଠର ସେଵା ଓ ସୁଵିଧା ହେତୁରୁ ତାଙ୍କ ଅଞ୍ଚଳର ଅନେକ ଲୋକଙ୍କୁ କନ୍ତିଓକୁ ଆଣି ଭୂସମ୍ପତି ତଥା କିଛି ଅର୍ଥ ଦେଇ ରଖାଇଲେ । ପରେ ପରେ ଯାଜପୁରରୁ,ଖୋର୍ଦ୍ଧା ଓ କଟକ ଆଦି ଅଞ୍ଚଳର କେତେକ ପରିଵାର ଆସି ଏ ଗାଆଁରେ ରହିବାକୁ ଲାଗିଲେ ।

ଏମିତିରେ କିଛି ଵର୍ଷ ଗତ ହେଲା। ତହୁଁ ଦେଶରେ ଵୈଦେଶିକ ଶକ୍ତିର ଆଵିର୍ଭାଵ ଓ ଅଧିକାର ହୋଇଗଲା । ଢେଙ୍କାନାଳ ରାଜ୍ୟ ଯେହେତୁ ମୋଗଲ ତଥା ମରହଟ୍ଟା ଶାସନକାଳରେ ଗଡ଼ଜାତ ଅଞ୍ଚଳରେ ଥିଲା ତେଣୁ ଇଂରେଜମାନେ ସେହି ଵ୍ୟଵସ୍ଥା ଵଳଵତ୍ତର ରଖି ରାଜାଙ୍କ ହାତରେ ଏହାକୁ ପରୋକ୍ଷରେ ଶାସନ କଲେ । ଢେଙ୍କାନାଳ ରାଜା ଵେଠୀ ନିୟମ ଅନୁଯାୟୀ ପ୍ରତିଦିନ ଏ ରାଜ୍ୟର ଗୋଟିଏ ଗୋଟିଏ ଗ୍ରାମର ଲୋକଙ୍କ ଠାରୁ ନିଃଶୁଳ୍କ କାର୍ଯ୍ୟ କରାଉଥାନ୍ତି । ଥରେ କନ୍ତିଓ ଗାଆଁ ପାଳି ପଡି଼ଥିଲା ଯେ ଆଜ୍ଞା ହୋଇଥାଏ ଜଙ୍ଗଲରୁ ହାତୀ ଧରି ଆଣି ରାଜାଙ୍କ ଲୋକଙ୍କୁ ଦିଆଯିବ । ଏଣେ କୌଣସି ମତେ  ସର୍ଵାନନ୍ଦ ଗୋସ୍ୱାମୀଙ୍କୁ ଏ ସମସ୍ତ କଥା ଜାଣିବାକୁ ମିଳିଲା । ସେ କନ୍ତିଓ ଗ୍ରାମାଧିଵାସୀଙ୍କୁ ବୋଇଲେ ତେବେ ଆମ୍ଭେ ମଧ୍ଯ ତୁମ୍ଭମାନଙ୍କ ସହିତ ହାତୀ ଧରିବାକୁ ଜଙ୍ଗଲ କୁ ଯିବୁ । ଗାଆଁ ଲୋକେ ଅନେକ ନେହୁରା ହେଲେ ସୁଦ୍ଧା ବ୍ରହ୍ମଚାରୀ ଗୋସେଇଁ ଅମଙ୍ଗ ହୋଇ ସେମାନଙ୍କ ସହିତେ ବଣକୁ ହାତୀ ଧରିବାକୁ ଗଲେ । ହାତୀ ଧରିବାରେ ନିୟୋଜିତ ପରିଚାଳକ ରାଜକର୍ମଚାରୀ ଯେବେ ଜାଣିଲେ ଯେ ଢେଙ୍କାନାଳ ରାଜ୍ୟର ରାଜଗୁରୁ ସ୍ଵୟଂ ହାତୀ ଧରିବାକୁ ଆସିଛନ୍ତି ସେ ଏକଥା ଯାଇ ଶ୍ରୀଛାମୁରେ ଜଣାଇଲେ । ରାଜା ଏକଥା ଶୁଣିଲା କ୍ଷଣି କନ୍ତିଓ ଗାଆଁକୁ ଧାଇଁଲେ । ରାଜଗୁରୁଙ୍କୁ ଆପଣା ଦୋଷ ପାଇଁ ରାଜା କ୍ଷମା ମାଗନ୍ତେ ବ୍ରହ୍ମଚାରୀ ଗୋସେଇଁ ବୋଇଲେ

“ଵତ୍ସ ତୁମ୍ଭେ ଆଗ୍ରହ କଲାରୁ ଆମ୍ଭେ ଆମ୍ଭ ଅଞ୍ଚଳର କେତେକ ଲୋକ ଆଣି ଏଠାରେ ରଖାଇଲୁ । ସେମାନଙ୍କ ଭଲମନ୍ଦ ଦାୟିତ୍ୱ ସବୁ ଆମ୍ଭର । ସେମାନେ ଯେମିତି ଦୁଃଖ ନପାଅନ୍ତି ସେଥିପ୍ରତି ଆମ୍ଭର ସଦାସର୍ଵଦା ନିଘା ଥାଏ । ତୁମ୍ଭେ ଯେବେ ଉଚିତ ମଣିବ ତେବେ ଆଜିଠାରୁ ଆମ୍ଭର ଏକଥା ରଖିବ ଯେ ଏ ଗାଆଁର ଗୋଟାଏ ଵି ଲୋକ ଯେମିତି ଵେଠୀ ଖଟିବାକୁ ନଯାଏ,ଅନ୍ୟଥା ଆମ୍ଭେ ମଧ୍ଯ ତାଙ୍କ ସହିତ କୃଷ୍ଟି କରିବାକୁ ଯିବୁ”

ରାଜା ଗୁରୁଙ୍କ ଏ କଥାରେ ସହମତ ହୁଅନ୍ତେ
ସେଇଦିନ ଠାରୁ କନ୍ତିଓ ହୋଇଗଲା ପରାଧୀନ ଭାରତର ଏକ ପରୋକ୍ଷ ଶାସନାଧୀନ ଗଡ଼ଜାତ ଅଞ୍ଚଳର ସ୍ଵାଧୀନ ଗ୍ରାମ । କନ୍ତିଓ ଗାଆଁର ଲୋକ ଇଂରାଜୀ ସାମ୍ରାଜ୍ୟଵାଦକାଳରେ କି ରାଜା କି ଫିରିଙ୍ଗି ଉଭୟ ଶାସକଙ୍କ ଠାରୁ କୌଣସି ପ୍ରକାରର ପ୍ରତ୍ୟକ୍ଷ ଅତ୍ୟାଚାର ପାଇନାହାନ୍ତି ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...