Monday, January 24, 2022

ଶବ୍ଦଭେଦୀର ଜୀଵନ ଭାଗ -୩ (ପାର୍ଥୁକ ଓ ପାର୍ଥକ୍ୟ)


ମାଆ ବେଳେ ବେଳେ ଏମିତି କିଛି ଶବ୍ଦ ପ୍ରୟୋଗ କରନ୍ତି ଯେ ମୁଁ ଅଭିଧାନ ଆଡ଼େଇଵାକୁ ଵାଧ୍ୟ ହୁଏ ।

ଦିନେ କଥା ପ୍ରସଙ୍ଗରେ ମୋତେ କହିଲେ

“ମଅର କ'ଣ ଆଉ ଆଗ ଭଳି ପାର୍ଥୁକ ଅଛି ...”

ହଠାତ୍ ତାଙ୍କ ମୁଖରୁ ପାର୍ଥୁକ ଭଳି ଏକ ଶବ୍ଦ ଶୁଣି ଆଶ୍ଚର୍ଯ୍ୟ ହୋଇଗଲି ! ଆହା ମୋ ପାଇଁ ଇଏତ ନୂଆ ଶବ୍ଦଟିଏ କିନ୍ତୁ ମାଆ ବୁଝେଇଦେଲେ ବଳବହପ ଅର୍ଥରେ ଏ ଶବ୍ଦଟି ପ୍ରୟୋଗ କରାଯାଏ ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଦେଖି ସୁଖ ପାଇଲି । ଯାହା ହେଉ ପାର୍ଥୁକ ଶବ୍ଦଟି ଭାଷାକୋଷର ୪୭୯୪ତମ ପୃଷ୍ଠାରେ ଶ୍ରୀଗୋପାଳଚନ୍ଦ୍ର ପ୍ରହରାଜ ଯୋଡ଼ିଛନ୍ତି ।

ପାର୍ଥୁକ ଶବ୍ଦ ଆମ ଭାଷାରେ ଉଭୟ ଵିଶେଷ୍ୟ ଓ ଵିଶେଷଣ ଶବ୍ଦ ରୂପରେ ପ୍ରୟୋଗ କରାଯାଏ ।
ପାର୍ଥୁକର ଵିଶେଷ୍ୟ ଅର୍ଥ  କ୍ଷମତା, ସାମର୍ଥ୍ୟ ଓ ବଳ ।

୧୯୨୯ ମସିହା ନଭେମ୍ବର ମାସ ୧୫ ତାରିଖରେ ପାର୍ଥୁକ ଶବ୍ଦଟି ବଳ , କ୍ଷମତା ଅର୍ଥରେ ଦୈନିକ ଆଶା ପତ୍ରିକାରେ ଵ୍ୟଵହାର କରାଯାଇଥିଲା ବୋଲି ଭାଷାକୋଷରେ ଏକ ଵାକ୍ୟ ଉଦାହରଣ ସହ ଦ୍ରଷ୍ଟଵ୍ୟ ମଧ୍ୟ ଅଛି ।

“ମୋର ଏ ଵିଷୟରେ ପାର୍ଥୁକ ସରିଗଲାଣି”

ତେବେ ପାର୍ଥୁକର ଵିଶେଷଣ ଅର୍ଥ ହେଉଛି ପାର୍ଥକ୍ୟ ।  ଵିଶେଷଣ ପାର୍ଥୁକ ଶବ୍ଦଟି ତତ୍ସମ ପାର୍ଥକ୍ୟର ଓଡ଼ିଆ ତଦ୍ଭଵ ରୂପ ଅଟଇ ବୋଲି ଭାଷାକୋଷରେ କୁହାଯାଇଛି ।

କିନ୍ତୁ  ପାର୍ଥକ୍ୟ ଶବ୍ଦଟି ଏକ ଵିଶେଷ୍ୟ ଶବ୍ଦ ଏଵଂ
ଵିଚ୍ଛେଦ, ଵିଭିନ୍ନତା,ଵ୍ୟକ୍ତିତ୍ବ, ପ୍ରଭେଦ ଓ ଏକାକିତା ଆଦି ଏହାର ଅନେକ ଅର୍ଥ ଥିଲେ ହେଁ ଓଡ଼ିଆ ଭାଷାରେ ସାଧାରଣତଃ ପ୍ରଭେଦ ଅର୍ଥରେ ଏ ଶବ୍ଦର ବହୁଳ ଵ୍ୟଵହାର ହୋଇଥାଏ ।

ଆଜିକାଲି ଅଵଶ୍ୟ ଅନେକ ଓଡ଼ିଆ ଵୈଦେଶିକ ତଫାତ୍ ଓ ଫରକ ଶବ୍ଦର ପ୍ରୟୋଗ ପାର୍ଥକ୍ୟ ଅର୍ଥରେ କରୁଥିଵା ଦୃଶ୍ୟ ହୋଇଥାଏ କିନ୍ତୁ ପାର୍ଥକ୍ୟ,ପ୍ରଭେଦ ଶବ୍ଦଦ୍ଵୟ  ତଥାପି ଓଡ଼ିଆ ଭାଷାରେ ଚଳୁଅଛି ।

ହିନ୍ଦୀଭାଷୀ फ़र्क़,इख्तिलाफ,तफात ଓ तनहा ଭଳି ଵୈଦେଶିକ ଶବ୍ଦଗୁଡି଼କର
ଵ୍ୟଵହାର ଅଧିକ କରନ୍ତି ଏଵଂ अंतर ତଥା भेद ଶବ୍ଦ କେତେକ ନିର୍ଦ୍ଦିଷ୍ଟ ଵାକ୍ଯଗଠନ କାଳରେ ହିନ୍ଦୀରେ ଵ୍ୟଵହୃତ ହୁଏ । ହିନ୍ଦୀଭାଷାରେ ପାର୍ଥକ୍ୟ ଓ ପ୍ରଭେଦ ଶବ୍ଦର ପ୍ରୟୋଗ ସେତେ ହୁଏ ନାହିଁ ।

ମାତ୍ର ଓଡ଼ିଆମାନେ ପାର୍ଥକ୍ୟ ଭଳି ଅନେକ ଶବ୍ଦକୁ ଆଜିଯାଏଁ ଵ୍ୟଵହାର କରି  ସଂସ୍କୃତଭାଷାର ସମ୍ମାନ ବଞ୍ଚାଇ ରଖିଛନ୍ତି ।  କେତେକ କ୍ଷେତ୍ରରେ ଆଵଶ୍ୟକ ହେଵାରୁ ଓଡ଼ିଆ ଭାଷାରେ ପାର୍ଥକ୍ୟ ଶବ୍ଦଟି ଵିଶେଷଣ ରୂପେ ପ୍ରଚଳିତ ହେଵାରୁ ପାର୍ଥୁକରେ ପରିଣତ ହୋଇଥିଲା ।

ତେବେ ବହୁତ ଉଣ୍ଡାଉଣ୍ଡି ପରେ ମଧ୍ୟ ବଳ,କ୍ଷମତା ଓ ସାମର୍ଥ୍ୟ ଅର୍ଥରେ ଏକ ଵିଶେଷ୍ୟ ଶବ୍ଦ ରୂପରେ ପ୍ରୟୋଗ କରାଯାଉଥିଵା ପାର୍ଥୁକ ଶବ୍ଦର ସମୋଦ୍ଧୃତ ତତ୍ସମ ଶବ୍ଦରୂପ ମିଳିଲା ନାହିଁ ।‌

ସମ୍ଭଵତଃ ପାର୍ଥକ୍ୟ ଶବ୍ଦର ଏକ ଗୌଣ ଵା ଅଳ୍ପ ଵ୍ୟଵହୃତ ଅର୍ଥ  ‘ଵ୍ୟକ୍ତିତ୍ଵ’ ଓଡ଼ିଆ ଭାଷାରେ ଭାଵଗତ ଆଧାରରେ ସାମର୍ଥ୍ୟ ,ବଳ ଓ କ୍ଷମତା ଆଦି ଅର୍ଥରେ ପ୍ରୟୋଗ କରାଯାଉଥିଲା ଏଵଂ ତାହା ପରେ ପାର୍ଥୁକରେ ପରିଵୃତ୍ତ ହୋଇଥିଲା ।

ସୁପ୍ରାଧାନ୍ଯ ଵା ଵ୍ୟକ୍ତି ଵିଶେଷର ସ୍ବତନ୍ତ୍ର୍ୟ,ଵିଶିଷ୍ଟତା ଓ ଵିଶେଷତ୍ବକୁ ଵ୍ୟକ୍ତିତ୍ଵ କୁହାଯାଏ । ଜଣେ ଲୋକର ବଳବହପ, ସାମର୍ଥ୍ୟ ଓ କ୍ଷମତା ଆଦି ହ୍ରାସ ଘଟିଲେ ସମାଜରେ ତାହାର ପ୍ରାଧାନ୍ୟ ହ୍ରାସ ହୋଇଥାଏ । ପ୍ରାଧାନ୍ୟ ହ୍ରାସଘଟିଥିଵା ଓ ବଳ,କ୍ଷମତା ତଥା ସାମର୍ଥ୍ୟ  ହରାଇଥିଵା ଵ୍ୟକ୍ତିର ଵିଶିଷ୍ଟତା ମଧ୍ୟ ରହିନଥାଏ ।

ଅତଏଵ୍ ବଳ ବହପ,କ୍ଷମତା ଓ ସାମର୍ଥ୍ୟ ଅର୍ଥରେ ଵ୍ୟଵହୃତ ଓଡ଼ିଆ ପାର୍ଥୁକ ଶବ୍ଦଟି ପାର୍ଥକ୍ୟ ଶବ୍ଦର  ପରିଵୃତ୍ତ ରୂପ ହୋଇଥାଇପାରେ ।  ସମୟକ୍ରମେ ପାର୍ଥକ୍ୟ ଶବ୍ଦର ଗୌଣ ଅର୍ଥ ‘ଵ୍ୟକ୍ତିତ୍ଵ’କୁ ପ୍ରାଧାନ୍ୟ ଦେଇ ପାର୍ଥୁକ ରୂପେ ବଳ ବହପ ,କ୍ଷମତା ଓ ସାମର୍ଥ୍ୟ ଅର୍ଥରେ ଚଳିଵାକୁ ଲାଗିଛି ।

ଅଵଶ୍ୟ ଓଡ଼ିଆ ତଥା ସଂସ୍କୃତ ଭାଷାରେ Difference ଅର୍ଥରେ ଅନେକ ଶବ୍ଦ ପ୍ରୟୋଗ କରାଯାଏ । ସଂସ୍କୃତରେ ପ୍ରଭେଦ,ଵିଭେଦ, ପାର୍ଥକ୍ୟ,ଭେଦ,ଭିନ୍ନ,ତାରତମ୍ୟ,ଅନ୍ତର,ଅମେଳ,ପ୍ରକରଣ,ପ୍ରକାର,ପରତା,ପରତ୍ଵ,ଦ୍ଵୈଧ,ପୃଥକ୍ତା,ଵିଭିନ୍ନତା,ଵିଭିନ୍ନତ୍ଵ,ବୈଲକ୍ଷଣ୍ୟ,ଵୈଲକ୍ଷ୍ୟ,ବ୍ୟତିରେକ,ଭିତ୍ତି,ଭିଦା,  ମଧ୍ୟ ଓ ମହସ ଇତ୍ୟାଦି ଶବ୍ଦଗୁଡ଼ିକ ପାର୍ଥକ୍ୟ ଶବ୍ଦର ପର୍ଯ୍ୟାୟଵାଚୀ ଶବ୍ଦ ହୋଇଥିଵାବେଳେ ଓଡ଼ିଆ ଭାଷାରେ ପ୍ରୋକ୍ତ ତତ୍ସମ ଶବ୍ଦ ଛଡ଼ା
ଫାଙ୍ଗ,ତାରତମ,ଭିନ୍ନ,ଵିଭେଦ, ପାର୍ଥକ୍ୟ,ପାର୍ଥୁକ,ପାର୍ଥୁକ୍ୟ,ପ୍ରକାର,ଅମେଳ,ପରାଭିନ୍ନ,ପାରଥୁକ,ପାରଥୁକ୍ୟ,ଵିଭିନ୍ନତା ଓ ହେଜ ଭିନ୍ନାଭିନ୍ନ ଓ ଭେଦାଭେଦ ଆଦି ଶବ୍ଦଗୁଡ଼ିକୁ ପାର୍ଥକ୍ୟ ଅର୍ଥରେ ପ୍ରୟୋଗ କରାଯାଇଥାଏ ।

ଆମ ଭାଷାରେ ପାର୍ଥକ୍ୟ ଶବ୍ଦ ବହୁ ପ୍ରଚଳିତ ଥିଵାବେଳେ ଏଵଂ ପାର୍ଥକ୍ୟର ଗଣ୍ଡା ଗଣ୍ଡା ପର୍ଯ୍ୟାୟଵାଚକ ତତ୍ସମ ,ତଦ୍ଭଵ ଓ ଦେଶଜ ଶବ୍ଦ ଥାଉ ଥାଉ  ଆଧୁନିକ ଯୁଗର ଓଡ଼ିଆମାନେ ଉତ୍ତର ଭାରତୀୟଙ୍କ ଦେଖାଦେଖି ଵୈଦେଶିକ ତଫାତ୍ ଓ ଫରକ ଏହି ଦୁଇଗୋଟି ଶବ୍ଦ ପ୍ରୟୋଗ କରିଵାରୁ ଏ ସମସ୍ତ ଶବ୍ଦଗୁଡି଼କ ଅଧୁନା ଅଳ୍ପ ଵ୍ୟଵହୃତ ହେଉଅଛି । ନିଜ ଭାଷାରେ ଶବ୍ଦ ଥିଵାବେଳେ ଅନ୍ୟ ଭାଷାରୁ ଶବ୍ଦ ଆହରଣ କରି ଵ୍ୟଵହାର କଲେ ଭାଷାର କେମିତି କିପରି ଲାଭ ହେଵ ?





Saturday, January 22, 2022

କଳିଗୋଳ, ହାଣମାର , ଭୂକମ୍ପ ଓ ଭୀଷଣ ଘରପୋଡ଼ି ଇତ୍ୟାଦିକୁ ଲଙ୍କାକାଣ୍ଡ କୁହାଯିଵାର କାରଣ କ'ଣ ?

ଆଜିକାଲି ସମ୍ବାଦପତ୍ରରେ ଶୀର୍ଷକ ରହୁଛି

ପାଣି ପାଇଁ ଲଙ୍କାକାଣ୍ଡ !
ମଦ ଦୋକାନକୁ ନେଇ ଲଙ୍କା କାଣ୍ଡ !

କିଛି ମୌଳିଵାଦୀ ଲଙ୍କାକାଣ୍ଡ ଶବ୍ଦ ପ୍ରୟୋଗ ଯୋଗୁଁ ରାମାୟଣ ତଥା ଶ୍ରୀରାମ ଓ ଶିଵଭକ୍ତ ରାଵଣଙ୍କର ଅପମାନ ହେଉଛି ବୋଲି ଭାବନ୍ତି ଏଵଂ ଏଭଳି ଏକ ଶବ୍ଦ ପ୍ରୟୋଗ ଅନୁଚିତ୍ ବୋଲି ମତ ଦେଉଛନ୍ତି ।

ତେବେ କ'ଣ ସତରେ ଲଙ୍କାକାଣ୍ଡ ଶବ୍ଦ ବି ଗୋଟିଏ ଵିଵାଦୀୟ ଶବ୍ଦ ଏଵଂ ଏହି ଶବ୍ଦର ପ୍ରୟୋଗ ଯୋଗୁଁ ଶ୍ରୀରାମ ଓ ରାମାୟଣ ଗ୍ରନ୍ଥର ଅପମାନ ହେଉଛି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ
ଲଙ୍କାକାଣ୍ଡ ଶବ୍ଦଟି ସ୍ଥାନିତ ହୋଇଅଛି ଏଵଂ ଏହାର ତିନି ଚାରୋଟି ଅର୍ଥ ମଧ୍ୟ ଉଲ୍ଲେଖ କରାଯାଇଛି ।

ବାଲ୍ମୀକି ରାମାୟଣ ଗ୍ରନ୍ଥର ସାତ କାଣ୍ଡ ମଧ୍ୟରୁ ଷଷ୍ଠକାଣ୍ଡ ଵା ଯୁଦ୍ଧକାଣ୍ଡକୁ ଲଙ୍କାକାଣ୍ଡ ବି କୁହାଯାଏ ।ରାମଚନ୍ଦ୍ର ଲଙ୍କାରେ ପ୍ରଵେଶ କରି ଅସୁରଙ୍କ ସଙ୍ଗେ ଯୁଦ୍ଧ କରି ରାଵଣାଦି ରାକ୍ଷସମାନଙ୍କୁ ଵଧ କରିଥିଵା କଥା ଏହି କାଣ୍ଡରେ ଵର୍ଣ୍ଣିତ ହୋଇଅଛି।

ଲଙ୍କା ସମ୍ବନ୍ଧୀୟ କାଣ୍ଡ  ଅର୍ଥାତ୍ ଲଙ୍କାରେ ଘଟିତ ଘଟଣାଵଳୀ ଆଧାରିତ କାହାଣୀକୁ ନେଇ ରାମାୟଣର ଷଷ୍ଠକାଣ୍ଡ ଯୁଦ୍ଧକାଣ୍ଡର ଵର୍ଣ୍ଣିତ ହୋଇଥିଵାରୁ  ଏହାକୁ ଲଙ୍କାକାଣ୍ଡ କୁହାଯାଏ ‌ ।

ପରେ ଲଙ୍କାକାଣ୍ଡ ଶବ୍ଦଟି ଓଡ଼ିଆ ଭାଷାରେ ଲକ୍ଷଣାର୍ଥ ପ୍ରୟୋଗ ହେଵାକୁ ଲାଗିଲା । ଆମ ଭାଷାରେ ତୁମୁଳ ସଂଘର୍ଷ ଓ ଭୟଙ୍କର ଅଗ୍ନ୍ଯତ୍ପାତକୁ ଲଙ୍କାକାଣ୍ଡ କୁହାଯାଏ ‌ । ଝଗଡ଼ା, ମାରକାଟ, ହାଣକାଟ, ଘର ପୋଡ଼ି, ଭୁମିକମ୍ଫ, ଯୁଦ୍ଧ ଇତ୍ୟାଦିକୁ ଓଡ଼ିଆ ଭାଷାରେ ଶୁଭଵାଚନର ସାମାଜିକ ନିୟମ ଘେନି ଲକ୍ଷଣାର୍ଥ ଲଙ୍କାକାଣ୍ଡ କୁହାଯାଇଥାଏ ‌ ।

କିନ୍ତୁ ତୁମୁଳ ସଂଘର୍ଷ ଓ ଭୟଙ୍କର ଅଗ୍ନ୍ଯତ୍ପାତ ଆଦି ଅର୍ଥରେ ଲଙ୍କାକାଣ୍ଡ ଶବ୍ଦର ଲକ୍ଷଣାର୍ଥ ପ୍ରୟୋଗ ଯୁକ୍ତିଯୁକ୍ତ କି ?

ପ୍ରଥମତଃ ରାମାୟଣର ଯୁଦ୍ଧକାଣ୍ଡକୁ ଲଙ୍କାକାଣ୍ଡ କୁହାଯାଏ ଏଵଂ ଏହି କାଣ୍ଡରେ ଲଙ୍କାନଗର ମଧ୍ୟରେ ମାନଵ ତଥା ଵାନରମାନଙ୍କର ଲଙ୍କାନିଵାସୀ ରାକ୍ଷସମାନଙ୍କ ସହିତ କେମିତି ତୁମୁଳ ସଂଘର୍ଷ ଘଟିଥିଲା ତହିଁର ଉଲ୍ଲେଖ ଅଛି  । ଫଳତଃ ହାଣକାଟ,ମାରିପିଟି ଓ ଭୀଷଣ ଝଗଡ଼ାକୁ ଲଙ୍କାର ଯୁଦ୍ଧ ସଙ୍ଗେ ତୁଳନା କରାଗଲା । ଅଵଶ୍ୟ ଏହା ଅନେକ ମାନନ୍ତି ଯେ ଲଙ୍କାଯୁଦ୍ଧ ପରି ଭୀଷଣ ଯୁଦ୍ଧ ଆଉ କେବେ ହୋଇନାହିଁ ଏମନ୍ତକି ମହାଭାରତ ଯୁଦ୍ଧ ମଧ୍ୟ ଲଙ୍କାର ଯୁଦ୍ଧ ସହ ତୁଳନୀୟ ନୁହେଁ ବୋଲି ଅନେକେ କୁହନ୍ତି ‌ ।

କିନ୍ତୁ ଭୟଙ୍କର ଅଗ୍ନ୍ଯତ୍ପାତ ଅର୍ଥରେ ଲଙ୍କାକାଣ୍ଡ ଶବ୍ଦ ମଧ୍ୟ କାହିଁକି ପ୍ରୟୋଗ ହୋଇଥାଏ ?

ଏହାର ସମ୍ପର୍କ ହନୁମାନ'ଙ୍କର ଲଙ୍କାଦହନ ପ୍ରସଙ୍ଗ ସହିତ ରହିଛି । ସୀତାଙ୍କୁ ଠାବ କରିଵାକୁ ଯାଇଥିଵା ଉପଲକ୍ଷରେ ହନୁମାନଙ୍କଦ୍ବାରା ଲଙ୍କାଦହନରୂପ ଭୟାଵହ ଘଟନାକୁ ରାମାୟଣରେ ଲଙ୍କା ଦହନ କୁହାଯାଇଛି ।
ହନୁମାନଙ୍କଦ୍ବାରା ସ୍ଵର୍ଣ୍ଣମୟ ଲଙ୍କା ନଗରୀ ଜଳି ପୋଡ଼ି  ଧ୍ବଂସ ହୋଇଯାଇଥିଲା । ସୀତାଙ୍କୁ ଠାବ କରିସାରି ହନୁମାନ ରାଵଣର ଉଦ୍ଯାନ ଜୁର କରିଵାରୁ ତାଙ୍କୁ ରାଵଣ ଧରାଇ ନେଲା। ସେ ରାବଣକୁ ଫୁସୁଲାଇଲେ ଯେ, ମୋ ଲାଙ୍ଗୁଡ଼ରେ ଗୁଡ଼ିଏ କନା ତହିଁରେ ତେଲ ଢାଳି ସେଥିରେ ନିଆଁ ଲଗାଇଦେଲେ ମୁଁ ପୋଡ଼ିହୋଇ ମରିଯିବି। ରାଵଣ ଏହା ଵିଶ୍ବାସ କରି ହନୁମାନ'ଙ୍କର ଲାଙ୍ଗୁଡ଼ରେ କନା ଗୁଡ଼ାଇ ତହିଁରେ ତୈଳାଦି ଢାଳି ନିଆଁ ଲଗାଇ ଦେଵାରୁ ହନୁମାନ ସେହି ଜଳନ୍ତା ଲାଙ୍ଗୁଡ଼କୁ ହଲାଇ ଲଙ୍କା ନଗରୀର ଘରଗୁଡି଼କ ଉପରେ ଡ଼େଇଁଲେ ଓ ଲଙ୍କାନଗରୀ ପୋଡ଼ି ଭସ୍ମସାତ୍ ହୋଇଗଲା। ଏହି ରାମାୟଣ କଥା ଆଧାରରେ ଭୀଷଣ ଅଗ୍ନି ଉତ୍ପାତକୁ ଲଙ୍କାଦହନ ସହିତ ତୁଳନା କରି ଲଙ୍କାକାଣ୍ଡ କୁହାଯାଏ ।

ହନୁମାନ ଲଙ୍କାଦହନ କରିଥିଵାରୁ ଓଡ଼ିଶାରେ ତାଙ୍କର ଏକ ଦେଶଜ ନାମ “ଲଙ୍କାପୋଡ଼ା” ଚଳୁଥିଲା ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କୁହାଯାଇଛି । କଥିତ ଅଛି ,ଲଙ୍କା ପୋଡ଼ିଯିଵା ପରେ ହନୁମାନ ଆପଣା ଲାଙ୍ଗୁଡ଼ରେ ଜଳୁଥିଵା ଅଗ୍ନିକୁ ଲିଭାଇ ଦେଇ ହାତରେ ସେ ପାଉଁଶକୁ ମଳି, ମୁହଁରେ ମାରିହୋଇ ଲଙ୍କାରୁ ଫେରି ଆସିଲେ। ହନୁ ମାଙ୍କଡ଼ଙ୍କ ମୁହଁ ଓ ଲେଡ଼ି (କରତଳ) ଓ ପାଦତଳ କଳା ଥିବା ଦେଖି ଲୋକେ କହନ୍ତି ଯେ, ଲଙ୍କାପୋଡ଼ି କାଳରେ ପାଉଁଶବୋଳାର ଏହି ଚିହ୍ନ ହନୁମାନ'ଙ୍କର ବଂଶଧରମାନଙ୍କଠାରେ  ରହିଯାଇଅଛି।

ମାତ୍ର ଗଣମାଧ୍ୟମରେ ଲଙ୍କାକାଣ୍ଡ ଶବ୍ଦର ଝଗଡ଼ା, ମାରକାଟ, ହାଣକାଟ, ଘର ପୋଡ଼ି, ଭୁମିକମ୍ଫ, ଯୁଦ୍ଧ ଇତ୍ୟାଦି ଲକ୍ଷଣାର୍ଥ ପ୍ରୟୋଗ ନୂଆ ନୁହେଁ ।
ମଧୁସୂଦନ ରାଓ ତାଙ୍କର ଏକ ଵ୍ୟଙ୍ଗ୍ଯ କଵିତାରେ ଏ ଶବ୍ଦ ପ୍ରୟୋଗ କରିଥିଵା ଭାଷାକୋଷରେ କୁହାଯାଇଛି ‌ ।‌

“ଆରେ ଲାଲରାୟ ଚେଲା !
ହୁଅ ସାବଧାନ, ନୋହିଲେ ହୋଇବ
ଲଙ୍କାକାଣ୍ଡର ଵିଧାନ ।।”

ସେହିପରି ଓଡ଼ିଆ ଭାଷାରେ ରାମାୟଣ ଗ୍ରନ୍ଥ ଓ ଲକ୍ଷଣାର୍ଥ ବହୁତ ବଡ଼ ଗ୍ରନ୍ଥକୁ ଲଙ୍କାପୋଥା ତଥା ଲଙ୍କା ପୋଥି ମଧ୍ୟ କୁହାଯାଇଥାଏ ।‌

କଵି ବ୍ରଜନାଥ ବଡ଼ଜେନା ସମରତରଙ୍ଗରେ ବଡ଼ ଆକାରର ପୋଥି ଅର୍ଥରେ ଲଙ୍କାପୋଥି ଶବ୍ଦ ଵ୍ୟଵହାର କରି ଲେଖିଛନ୍ତି

“କେତେ ଏହି ମତେ କେ ତା କହିବ,
କହିଲେତ ଲଙ୍କା ପୋଥି ହୋଇବ ।”

ସେ ଯାହାହେଉ ଲଙ୍କାକାଣ୍ଡ ଶବ୍ଦ ପ୍ରୟୋଗ ଦ୍ଵାରା ରାମାୟଣ କି ଶ୍ରୀରାମଙ୍କର ଅପମାନ ହେଲା ଭଳି ଲାଗୁନାହିଁ । ଲଙ୍କାକାଣ୍ଡ ଶବ୍ଦର ପ୍ରୟୋଗ ନୂଆ ନୁହେଁ ତେଣୁ  ସ୍ପଷ୍ଟ ଯେ ଏହା ଅର୍ଵାଚୀନ ପ୍ରୟୋଗ ନୁହେଁ ଏଣୁ ଏ ଶବ୍ଦ ଵ୍ୟଵହାରରେ ଦୋଷ ଥିଲା ପରି ହୃଦବୋଧ ହୁଏନାହିଁ ।

Wednesday, January 19, 2022

ଵିଡିଓରୁ ଵେଦ ଯାଏଁ ଏକ ଶବ୍ଦର ଯାତ୍ରା...


ଅଶି - ନବେ ଦଶକରେ ଗାଆଁ ଗଣ୍ଡାରେ ଏତେ
TV ନଥିଲା କି ଅନ୍ତର୍ଜାଲ ଓ ସିଡି ତଥା ଆଇପଡ୍‌ ଆଦି ବାହାରି ନଥିଲା । ରେଡ଼ିଓ ଵା ବେତାର ସେ ଯୁଗର ଲୋକପ୍ରିୟ ମନୋରଞ୍ଜନ ସାଧନ ଥିଲା । ଦୂରଦର୍ଶନ କେନ୍ଦ୍ର
ନାଆଁରେ ସେତେବେଳେ କେଵଳ ଜାତୀୟ ଦୂରଦର୍ଶନ କେନ୍ଦ୍ର DD National ପ୍ରାସାରିତ ହେଉଥିଲା ଏଵଂ ପରେ DD metro ପ୍ରସାରଣ ହେଵାକୁ ଲାଗିଲା ।

ଅଶି ନବେ ଦଶକର ଲୋକେ ଅଧିକ ଚଳଚ୍ଚିତ୍ର ଦେଖିଵାକୁ ପାଉନଥିଲେ । ସପ୍ତାହକୁ ଗୋଟିଏ ଦିନ ରଵିଵାର ଚାରିଟା ବେଳେ  ଓଡ଼ିଆ ଚଳଚ୍ଚିତ୍ର ଦେଖିଵାକୁ ମିଳୁଥାଇ ଓ ଶୁକ୍ର ତଥା ଶନିଵାର ଦିନ ରାତିରେ ଦୂରଦର୍ଶନ କେନ୍ଦ୍ରରେ ହିନ୍ଦୀ ଚଳଚ୍ଚିତ୍ରର ପ୍ରସାରଣ ହେଉଥିଲା ।

ତେଣୁ ଲୋକେ ବଡ଼ ବଡ଼ କଳାଧଳା କିଂଵା ରଙ୍ଗିନ୍ ପରଦାର tv ତଥା VCR ଵା VCP ଯୋଗାଡ଼ କରି ପ୍ରାୟତଃ ରାତିରେ ଓ ବେଳେବେଳେ ଦିନରେ ଗାଆଁ ଦାଣ୍ଡରେ ଅଥଵା କୌଣସି ଘରର ବଡ଼ପିଣ୍ଡା ଅଵା ହଲ୍ ମଧ୍ୟରେ ଚଳଚ୍ଚିତ୍ର ଲଗାଉଥିଲେ ।

ସେ ଯୁଗରେ ଏହାକୁ ଵିଡିଓ ,ଭିଡିଓ ଵା ଭିଡୁ଼ଅ କୁହାଯାଉଥିଲା ‌ । ଆଗେ ଲୋକେ ଏହିସବୁ ଶବ୍ଦର ପ୍ରୟୋଗରେ କୁହକୁହି ହେଉଥିଲେ...

“ଅମୁକ ଘର ଆଜି ଭିଡି଼ଅ/ଭିଡୁ଼ଓ/ଵିଡି଼ଓ କରୁଛନ୍ତି ଦେଖିଵାକୁ ଯିଵନି କି ?”

କାହାର ବାହାଘର ହେଲେ କିଂଵା ପିଲାପିଲି ହେଲେ ଲୋକଙ୍କୁ ଖୁସି କରିଵାକୁ ହେଉ ଵା ନିଜ ମନର ଖୁସି ଵ୍ୟକ୍ତ କରିଵାକୁ ଭିଡି଼ଅ/ଭିଡୁ଼ଓ/ଵିଡିଓ କରାଯାଉଥିଲା । କେହି କେହି ନିଜର ପ୍ରତିପତ୍ତି ଦେଖାଇଵାକୁ ମଧ୍ୟ ଵିଡିଓ କରାଉଥିଲେ । ଖୁଦୁରୁକୁଣୀ ଓଷା ଓ ଅଷ୍ଟ୍ରପ୍ରହରୀ ଆଦି ଆୟୋଜନରେ ବଞ୍ଚିଯାଇଥିଵା ଟଙ୍କାରେ ହିନ୍ଦୀ ଭାଷାର ମହାଭାରତ ରାମାୟଣ ଆଦି ଲଗାଯାଉଥିଲା । ଅଶି ନବେ ଦଶକରେ ବାହାଘରର ରେକର୍ଡିଙ୍ଗ୍ ହେଵା ଆରମ୍ଭ ହୋଇଥିଲା ତେଣୁ କେହି କେହି ନିଜର ଵା ନିଜ ବନ୍ଧୁବାନ୍ଧଵଙ୍କର ବାହାଘର ରେକର୍ଡ଼ VCP କିଂଵା VCD ମଧ୍ୟ ଚଳାଇ ଲୋକଙ୍କୁ ଦେଖାଉଥିଲେ । କ୍ରିକେଟ୍ ଖେଳ
ଅଶି ଦଶକରେ ଭାରତର ଵିଶ୍ଵକପ୍ ଵିଜୟ ପର ପରେ ବହୁତ ଲୋକପ୍ରିୟ ହୋଇଗଲା ତେଣୁ ଖେଳ ଦେଖିଵାକୁ ଗୋଟିଏ TV ପାଖରେ ଅନେକ ଲୋକ ରୁଣ୍ଢ ହୋଇ ଦେଖୁଥିଲେ । ନବେ ଦଶକର ଶେଷ ଯାଏଁ  ଗାଆଁ ଗହଳିରେ ଏହିପରି ଵିଡି଼ଓ ହେଉଥିଲା ‌।  ସେ ସମୟର ଵିଡି଼ଓ କହିଲେ ବହୁତ ଲୋକ ଏକାଠି ବସି TV ଯୋଗେ ଚଳଚ୍ଚିତ୍ର ଦେଖିଵାକୁ ହିଁ ବୁଝାଯାଉଥିଲା ।

ସମୟ ବଦଳିଲା । VCR ଓ VCPର ସ୍ଥାନ କ୍ରମଶଃ VCD ଓ CD ନେଵାକୁ ଲାଗିଲା ‌ । ଅନେକେ TV କିଣିଲେ ଏଵଂ ଦୋକାନ ହାଟ ବଜାର ସବୁଠିଁ CD କ୍ୟାସେଟ୍ ମିଳିଵାକୁ ଲାଗିଲା । ଏଣିକି ଯା ଘରେ TV ଥିଲା ସେ ଘରକୁ CD ଆଣି ଚଳାଇଲା ‌ଏଵଂ ଯା ଘରେ TV ନଥିଲା ସେ ତାହାର ପଡୋଶୀର ଘରେ ଦେଖୁଥିଲେ । ଗାଆଁ ଗଣ୍ଡାରେ କେବୁଲ୍ TV ଆସିଵା ପରେ ଏହି ଵିଡି଼ଓ ଦେଖା ପରମ୍ପରା କ୍ରମଶଃ ଲୋପ ପାଇଯାଇଛି ।
ଆଧୁନିକ ଯୁଗର ଅୟମାରମ୍ଭରେ ଏହି ପରମ୍ପରାଟି ଆରମ୍ଭ ହୋଇ ଏକବିଂଶ ଶତାବ୍ଦୀର ଆଗମନ ସହିତ ଲୁପ୍ତ ହୋଇଯାଇଅଛି ‌ ।

୨୦୦୫ପରେ ଭାରତରେ ଇଣ୍ଟରନେଟ ଵ୍ୟଵହାରକାରୀଙ୍କ ସଂଖ୍ୟା ବଢି଼ଲା । ୨୦୦୭ରେ Facebook ଓ ଏହାପରେ YouTube ଆସିଵା ଯୋଗୁଁ ଲୋକେ Video ଶବ୍ଦର ଅନ୍ୟ ଏକ ଅର୍ଥ “short film clip” ସହିତ ପରିଚିତ ହେଲେ ।

ତେବେ କେଵଳ ଓଡ଼ିଶା କିଂଵା ଭାରତରେ ହିଁ ଅନେକ ଲୋକ ଏକତ୍ରିତ ହୋଇ ଚଳଚ୍ଚିତ୍ର ଦେଖିଵାକୁ ଵିଡଓ କହୁନଥିଲେ ଵରଂ ଏହା ଵିଶ୍ଵର ଅନେକ ସ୍ଥାନରେ  ସମ ଅର୍ଥରେ କଥିତ ହେଉଥିଲା । ସେଥିପାଇଁ ଇଂରାଜୀ ଅଭିଧାନଗୁଡି଼କରେ Video ଶବ୍ଦର ଅର୍ଥ
ଦୂରଦର୍ଶନ(Television), ଦୂରଦର୍ଶନ କାର୍ଯ୍ୟକ୍ରମ (television show) ଓ  ଚଳଚ୍ଚିତ୍ର(movie) ଆଦି ଲେଖାଥିଵା ଦେଖାଯାଏ ।  ୟୁରୋପ ଆମେରିକାଦି ଅଞ୍ଚଳରେ ସୁଦ୍ଧା ଏଭଳି କଥିତ ହେଉଥିଲା ଏଵଂ VHS ଓ ଅନ୍ୟାନ୍ୟ Motion picture formatକୁ ଵିଡିଓ କୁହାଯାଉଥିଲା ।

ପ୍ରକୃତରେ video ଶବ୍ଦଟି ମୂଳତଃ ଏକ  ଲାଟିନ ଶବ୍ଦ । ଏହି ଲାଟିନ ଶବ୍ଦ
videō ଟି ପ୍ରୋଟୋ ଇଟାଲିକ୍ widēō ରୁ ଆସିଛି ଏଵଂ ପାଶ୍ଚାତ୍ୟ ଭାଷାଵିଦମାନଙ୍କ ଦ୍ଵାରା ନିର୍ଦ୍ଧାରିତ ଏହାର ମୂଳ ପ୍ରାକ୍ ଭାରୋପୀୟ ଶବ୍ଦ  ରୂପ ହେଲା weyd(ଜାଣିଵା,ଦେଖିଵା) ।

ଏହି  P.I.E. root– weyd ସହ  ଭାରତୀୟ ଧାତୁରୂପ ଵିଦ୍ ଧାତୁ ସମ୍ପର୍କିତ  । ସେହିପରି
ଇଂରାଜୀ Video ଶବ୍ଦ ସହ ପ୍ରାଚୀନ ଗ୍ରୀକ୍ εἴδω(eídō),ସଂସ୍କୃତର ଵେତ୍ତି(vétti),ରୁଷୀୟ ви́деть(vídetʹ),ପ୍ରାଚୀନ ଇଂରାଜୀର witan(ଆଧୁନିକ ଇଂରାଜୀ-wit),ଜର୍ମାନ୍ wissen,ମାସିଡୋନିଆନ୍ види(vidi) ଓ ସ୍ଵେଡିଶ୍ vetaର ସଗୋତ୍ରୀୟ ସମ୍ପର୍କ ରହିଛି ।

ଵିଦ୍ ଧାତୁ ଏକ ପ୍ରାଚୀନ ଭାରତୀୟ ଧାତୁ ଶବ୍ଦ ଏଥିରୁ ଜାଣିଵା ଅର୍ଥରେ ଵେଦ ,ଵିଦ୍ଵାନ ଓ ଵେତ୍ତା
ଭଳି ଶବ୍ଦ ନିଷ୍ପନ୍ନ ହୋଇଛି ପୁଣି ଲାଭ କରିଵା ଅର୍ଥରେ ଵିତ୍ତ ଶବ୍ଦ ମଧ୍ୟ ଵିଦ୍ ଧାତୁରୁ ହିଁ ନିଷ୍ପନ୍ନ କରାଯାଇଛି ।

ତେବେ ପ୍ରଶ୍ନ ଆସେ ଭାରୋପୀୟ ମୂଳ ଧାତୁ weyd ର ଦୁଇଟି ଭିନ୍ନ ଅର୍ଥ ଦେଖିଵା ଓ ଜାଣିଵା ମଧ୍ୟରେ କୌଣସି ଭାଵଗତ ସମ୍ବନ୍ଧ ଅଛି କି ?
କ'ଣ ସତରେ ଭାରତୀୟ ଵିଦ୍ ଧାତୁ ସହିତ ଭାରୋପୀୟ ମୂଳ ଶବ୍ଦ weydର କୌଣସି ସମ୍ପର୍କ ଅଛି ?

ଥରେ ଭାବନ୍ତୁ ତ ଆପଣ ଜାଣନ୍ତି କେମିତି ?
ଆପଣଙ୍କ ଆଖି, କାନ,ନାକ ଆଦି ଇନ୍ଦ୍ରିୟମାନ ସକ୍ରିୟ ହୋଇ ଆପଣଙ୍କର ମସ୍ତିଷ୍କକୁ ଯେଉଁ ତଥ୍ୟ ପହଞ୍ଚାଅନ୍ତି ତହିଁର ତର୍ଜମାରୁ ମସ୍ତିଷ୍କ ଠାରୁ ଆପଣ ଜାଣନ୍ତି । ଏହି ଜାଣିଵା କାର୍ଯ୍ୟରେ ସର୍ଵାଧିକ ଯୋଗଦାନ ଚକ୍ଷୁ ର ଥାଏ କିନ୍ତୁ କେଵଳ ଚକ୍ଷୁ ଯୋଗୁଁ ଆପଣ ଯେ ସବୁ ଜାଣିନିଅନ୍ତି ତା’ ନୁହେଁ । କୌଣସି ଦୃଶ୍ୟ କୁ ଦେଖି ତାହାର ଠିକ୍ ଆକଳନ କରି ଜାଣିଵା ପାଇଁ ଗୋଟାଏ ସୁସ୍ଥ ମସ୍ତିଷ୍କର ନିତାନ୍ତ ଆଵଶ୍ୟକତା ରହିଛି । ତେଣୁ ଭାରତୀୟ ଭାଷା ର ନିରୁକ୍ତି ଶାସ୍ତ୍ରରେ ମୂଳ  PIE root -weyd(ଵିଦ୍ ଧାତୁ)ର  ଅର୍ଥ “ଦେଖିଵା”କୁ ତ୍ୟାଗ କରି ତତ୍ ପରିଵର୍ତ୍ତେର “ଜାଣିବା” ଅର୍ଥର ଵହୁଳ ଵ୍ୟଵହାର ଭାରତଵର୍ଷରେ ହୋଇଅଛି ।  ମୂଳ ଵିଦ୍ ଧାତୁରୁ ବିଦ୍ ଶବ୍ଦ ଜ୍ଞାତ ଅର୍ଥରେ ସିଧାସଳଖ ଵ୍ୟଵହାର ହୁଏ ଉଦାହରଣ ସ୍ୱରୂପ ଭାଷାଵିଦ୍ ଇତ୍ୟାଦି । ଏହି ଵିଦ୍ ଧାତୁରୁ ଵେଦ ଭଳି ଶବ୍ଦ ସୃଷ୍ଟି ହୋଇଛି । ବୋଧହୁଏ ଆଗକାଳରେ ଵେଦର ଜ୍ଞାନ ରୂପି ଚକ୍ଷୁରେ ଆମ ପୂର୍ଵଜ ଏ ସଂସାରର ଆକଳନ କରୁଥିଲେ ବୋଲି ଏ ଧାତୁରୂପର ଜାଣିଵା ଅର୍ଥରେ ଏତେ ବହୁଳ ଵ୍ୟଵହାର ହେଲା ଯେ ତା ଆଗରେ ଅନ୍ୟ ଅର୍ଥଟି ଲୁଚିଗଲା,ହଜିଗଲା ଵା ଅନାଵଶ୍ୟକ ହେଇ ଅଵ୍ୟଵହୃତ ରହିଗଲା ।  ସମୟ ସହ ଵିଦ୍ ଧାତୁରୁ ଲାଭ କରିଵା ଆଦି ଆହୁରି ଅନେକ ଅର୍ଥରେ ଗୁଡା଼ଏ ଶବ୍ଦ ନିଷ୍ପନ୍ନ ହୋଇଛି ଏଵଂ ଭାରତୀୟ ଭାଷାମାନ ସେହିସବୁ ଶବ୍ଦ ସମ୍ଭାର ଗ୍ରହଣକରି ରୁଦ୍ଧିମନ୍ତ ହୋଇଛନ୍ତି ।

Saturday, January 15, 2022

ଧ୍ବନ୍ୟନୁକରଣ ଓ ଧ୍ବନ୍ୟନୁକାରୀ ଶବ୍ଦ

ଧ୍ବନ୍ୟନୁକରଣ କ'ଣ ?

କୌଣସି ପ୍ରାକୃତିକ ଧ୍ବନିର ଅନୁକରଣରେ ସୃଷ୍ଟି ହୋଇଥିଵା ଶବ୍ଦକୁ ଧ୍ବନ୍ୟନୁକାରୀ ଶବ୍ଦ କୁହାଯାଏ । ଆଧୁନିକ ଯୁଗରେ ଯନ୍ତ୍ରାଦିର ଧ୍ଵନିରୁ ମଧ୍ୟ କେତେକ ଧ୍ଵନ୍ୟନୁକରଣ ଶବ୍ଦ ସୃଷ୍ଟି ହୋଇଛି (ଯଥା tik tik,beep,boom ଇତ୍ୟାଦି)।

ଭାଷାଵିଜ୍ଞାନରେ ଏହି ପ୍ରକ୍ରିୟାକୁ  Onomatopoeia  ଏଵଂ ଧ୍ଵନ୍ୟନୁକରଣ ଶବ୍ଦଗୁଡି଼କୁ onomatopoeic ଵା onomatopoetic ଶବ୍ଦ କୁହାଯାଏ ।
ଭାଷାଵିଦମାନେ କୁହନ୍ତି ପ୍ରଥମେ ମନୁଷ୍ୟମାନେ ହସ୍ତମୁଖାଦି ଭାଵଭଙ୍ଗୀର ଠାରଦ୍ଵାରା ଭାଵଵିନିମୟ କରୁଥିଲେ । କ୍ରମେ ଏହାର ସ୍ଥାନ କେତେକ ନିର୍ଦ୍ଦିଷ୍ଟ ଶବ୍ଦ ନେଇଥିଲା ‌ । ସେହିସବୁ ପ୍ରାରମ୍ଭିକ ଶବ୍ଦ ମଧ୍ୟରେ ଅନେକ ଶବ୍ଦ ଧ୍ଵନ୍ୟନୁକାରୀ ଶବ୍ଦ ଥିଲା । ମାନଵସଭ୍ୟତାର ଦୃତ
ସମ୍ପ୍ରସାରଣ ତଥା ଅଭିଵୃଦ୍ଧି ସହିତ ଵିଭିନ୍ନ ଅଞ୍ଚଳର ଭାଷା ଵିକଶିତ ହେଵାରୁ  ତହିଁର ଶବ୍ଦଗଠନ ମଧ୍ୟ ଜଟିଳରୁ ଜଟିଳତର ହେଵାକୁ ଲାଗିଲା । ମାତ୍ର ପୃଥିଵୀର ଅନେକ ଭାଷାରେ ଧ୍ଵନ୍ୟନୁକରଣରୁ ସବୁ ସମୟରେ ନୂଆ ନୂଆ ଶବ୍ଦ ସୃଷ୍ଟି ହେଵା ବନ୍ଦ ହୋଇନଥିଲା । ଫଳରେ ଆଜି ମଧ୍ୟ ପ୍ରାୟ ପ୍ରତ୍ୟେକ ଭାଷାରେ ଧ୍ଵନ୍ୟନୁକାରୀ ଶବ୍ଦ ଦୃଶ୍ୟ ହୋଇଥାଏ ।

ଵିଭିନ୍ନ ଭାଷାରେ ଧ୍ଵନ୍ୟନୁକରଣ...

ଧ୍ବନି ଅନୁସାରେ ଶବ୍ଦର ଗଠନ ଅତି ପ୍ରାଚୀନ । ସଂସ୍କୃତ ଭାଷା ଗୋଟିଏ ପ୍ରାଚୀନ ଶାସ୍ତ୍ରୀୟ ଭାଷା ତେବେ ଏହି ଭାଷାର ମୂଳ ଧାତୁଗୁଡି଼କର ସୃଷ୍ଟି ଧ୍ଵନ୍ୟନୁକରଣରୁ ହୋଇଥିଵା ଅନେକ ଗଵେଷକ ମତ ଦେଇଛନ୍ତି । ଉଦାହରଣ ସ୍ୱରୂପ ପତ୍ରର ପତ୍ ପତ୍ ଶବ୍ଦରୁ ପତ୍ ଧାତୁ(ପଡି଼ଵା) ଓ ଜଳର କଳ କଳ ଧ୍ଵନିରୁ କଳ୍ ଧାତୁ(ଧ୍ଵନିକରିଵା,ଗମନ କରିଵା) ସୃଷ୍ଟି ହୋଇଛି । ସଂସ୍କୃତର ଅନେକ ମୂଳ ଧାତୁ ଧ୍ବନ୍ୟନୁକରଣ ଆଧାରରେ ସୃଷ୍ଟି କରାଯାଇ ସେହି ସବୁ ଧାତୁ ଶବ୍ଦରୁ ପୁଣି ସହସ୍ର ସହସ୍ର ଶବ୍ଦ ସୃଷ୍ଟି ହୋଇଛି ।

ଧ୍ବନ୍ୟନୁକରଣ ଏକ ସ୍ଵାଭାଵିକ ପ୍ରାକୃତିକ ପ୍ରକ୍ରିୟା ଏଵଂ  ଧ୍ଵନ୍ୟନୁକରଣରୁ ପୃଥିଵୀର ପ୍ରାୟ ସମସ୍ତ ଭାଷାରେ ଧ୍ଵନ୍ୟନୁକାରୀ ଶବ୍ଦ ମିଳିଥାଏ । ତେବେ ସଂସ୍କୃତ ଭାଷାରେ ମୂଳ ଧ୍ଵନ୍ୟନୁକରଣ ଶବ୍ଦକୁ √root ଵା ଧାତୁ ରୂପେ ଗ୍ରହଣ କରାଯାଇଛି ।

ଇଂରାଜୀରେ କୁକୁଡ଼ାକୁ cock କୁହାଯାଏ । ଏହି cock ଶବ୍ଦଟି ପ୍ରାକ୍ ଜର୍ମାନିକ୍ kukkaz ଶବ୍ଦ ସହିତ ସମୋଦ୍ଧୃତ କିନ୍ତୁ kukkaz ଶବ୍ଦଟି କୁଆଡୁ଼ ଆସିଲା ?

କୁକୁଡ଼ାର କକ୍ କକ୍ ଶବ୍ଦ  ପ୍ରାକ୍ ଜର୍ମାନିକ୍ ଭାଷାରେ ଏହି ପକ୍ଷୀର ଏକ ନାମ keukô ରୂପେ ଗ୍ରହଣୀୟ ହୋଇଥିଲା ଏଵଂ ଆଜି ଏହା ଅନେକାଂଶରେ ପରିଵର୍ତ୍ତିତ ହୋଇ ଇଂରାଜୀରେ cock ହୋଇଅଛି ।

ଓଡ଼ିଆ ଭାଷାର କୁକୁଡ଼ା ଶବ୍ଦଟି ସଂସ୍କୃତର କୁକ୍କୁଟ ସହିତ ସମୋଦ୍ଧୃତ ବୋଲି ଅନେକେ ମାନନ୍ତି । କଳ୍ପଦ୍ରୁମ ଅଭିଧାନ ଅନୁସାରେ “କୁକ୍ + ସମ୍ପଦାଦିତ୍ଵାତ୍ କ୍ଵିପ୍ । କୁକା ଆଦାନେନ କୁଟତୀତି । କୁଟ + କଃ ।” ଆଧାରରେ କୁକ୍କୁଟ ଶବ୍ଦର ସୃଷ୍ଟି । ଅର୍ଥାତ୍ କୁକ୍କୁଟ ଶବ୍ଦର ମୂଳ ମଧ୍ୟ କୁକୁଡ଼ା ଶବ୍ଦର ଧ୍ଵନ୍ୟନୁକରଣ କୁକ୍ ଶବ୍ଦ ଅଟେ ‌ । କାକ ଓ କାଉ ମଧ୍ୟ କୁଆର କା କା ଧ୍ଵନ୍ୟନୁକରଣର ସୃଷ୍ଟି ହୋଇଛି ।

ଏହିପରି ବିଲେଇର ମିଆଁଉ ମିଆଁଉ ଶବ୍ଦକୁ ନେଇ ଵିଭିନ୍ନ ଭାଷାରେ ସୃଷ୍ଟି ହୋଇଥିଵା କେତେକ ଧ୍ବନ୍ୟନୁକରଣ ଶବ୍ଦ ସମ୍ବନ୍ଧରେ ଆଲୋଚନା କରାଯାଉ ।  ଅହମିଆରେ ବିଲେଇକୁ  বিৰালী (birali) ଓ মেকুৰী (mekuri) କୁହାଯାଏ । মেকুৰী (mekuri) ଶବ୍ଦଟି ବିଲେଇର ମିଆଁଉ ମିଆଁଉ ଶବ୍ଦର ଧ୍ଵନ୍ୟନୁକରଣରୁ ସୃଷ୍ଟି ହୋଇଛି ବୋଲି ଅନୁମାନ କରାଯାଏ । ସେହିପରି ବଙ୍ଗଳା
ରେ মেকুর (mekura) ତଥା ଉତ୍ତର ଓଡ଼ିଆ ଶୈଳୀରେ ଏହି ଧ୍ଵନ୍ୟନୁକରଣ ଆଧାରରେ ବିଲେଇର ନାମ ମେଇଁ ରଖାଯାଇଥିଲା ‌ । ଚୀନ ଦେଶୀୟ ଭାଷାଗୁଡି଼କରେ ସାଧାରଣତଃ ଧ୍ଵନ୍ୟନୁକରଣ ଶବ୍ଦ ଅଧିକ ଦୃଶ୍ୟ ହୋଇଥାଏ । ଫଳତଃ ସେଠାକାର  Dungan ଭାଷାରେ ବିଲେଇକୁ мо (mo), мор (mor), мимо (mimo) ଓ мимор (mimor) କୁହାଯାଏ ।  ଚୀନ ଦେଶୀୟ Hakka ଭାଷାରେ ବିରାଡ଼ିକୁ  貓仔, 猫仔 (meu-é) ଓ
Mandarin ଭାଷାରେ 貓 /猫  (māo), 貓兒/ 猫儿  (māor) କୁହାଯାଏ ।‌ ଇଜିପ୍ଟର ପ୍ରାଚୀନ ଚିତ୍ରଲିପିରେ ମଧ୍ୟ ଧ୍ବନ୍ୟନୁକରଣର ପ୍ରଭାବ ସ୍ପଷ୍ଟ ଭାବରେ ପଡି଼ଥିଲା ଫଳତଃ ସେଠାରେ ବିଲେଇକୁ mi w E13(mjw) କୁହାଯାଉଥିଲା। ଓଡ଼ିଶାର ଜନଜାତୀୟ ଭାଷା ସଉରାର “ରେମେଙ୍” ଓ କୁଈଭାଷାର ”ମେଅ” ମଧ୍ୟ ଧ୍ବନ୍ୟନୁକରଣ ଶବ୍ଦ। ଏଵଂ ବିରାଡି଼ର ଏହି ମିଆଁଉ ମିଆଁଉ ଶବ୍ଦର ଅନୁକରଣରେ ବିଲେଇ ଅର୍ଥରେ ପ୍ରୟୋଗ ହୋଇଥାଏ । ସେହିପରି କନ୍ଧମାଳର କଥିତ ଓଡ଼ିଆ ଭାଷାରେ ମିଅଁ ଶବ୍ଦ ବିରାଡ଼ି ଅର୍ଥରେ ଚଳୁଥିଵା କଥିତ ଓଡ଼ିଆ ଶବ୍ଦକୋଷରେ କୁହାଯାଇଛି ।  ପୁନଶ୍ଚ ଛେଳି  ମେଁ ମେଁ ଶବ୍ଦ କରିଥାଏ । ଏହାର ଧ୍ବନ୍ୟନୁକରଣରୁ ସାନ୍ତାଳରେ  ᱢᱮᱨᱳᱢ (merom), ସଉରାରେ କିମମେଡ଼୍ ଓ କୁମେ,ଖରିଆ ତଥା ମୁଣ୍ଡାଭାଷାରେ ମେରମ୍ ଶବ୍ଦ ଛେଳିର ପ୍ରତିଶବ୍ଦ ଭାବେ ଚଳୁଅଛି ।‌ ମୁଣ୍ଡା ଭାଷାରୁ ମେରିମ୍  ରୂପେ ଏହି ଶବ୍ଦଟି ଓଡ଼ିଆ ଭାଷାର ଗଦ୍ୟ ସାହିତ୍ୟରେ ପ୍ରଚଳିତ ଥିଵା କଥିତ ଓଡ଼ିଆ ଶବ୍ଦକୋଷରେ ଉଲ୍ଲେଖ କରାଯାଇଛି ।
ଓଡ଼ିଶାରେ ଛେଳି ଛୁଆକୁ ମିଇଁଛୁଆ ମଧ୍ୟ କୁହାଯାଏ ।‌

ଇଂରାଜୀରେ କେତେକ  ଶବ୍ଦ ଧ୍ବନ୍ୟନୁକରଣରୁ ସୃଷ୍ଟି ହୋଇଛି ବୋଲି ଭାଷାଵିଦ ମତ ଦିଅନ୍ତି । ଇଂରାଜୀର ଧ୍ବନ୍ୟନୁକାରୀ ଶବ୍ଦଗୁଡି଼କ ମଧ୍ୟରେ Achoo, Atishoo,Chomp,Cough
,Hiccup,Hum,beep,boom,Clatter,clink,Knock, murmuring, Tweeter,Curlew,Dickcissel,
Dik-dik,Hoopoe,Kea,Killdeer,Pobblebonk,Poorwill,Weero,Willet,Bark,Meow,roar,Woof ଓ moo ଆଦି ଉଲ୍ଲେଖଯୋଗ୍ୟ ।

ସେହିପରି ସଂସ୍କୃତରେ ଉଲୁଧ୍ବନି(ହୁଳହୁଳି),ଗରଲ୍ଲି(ଗଳା ଭିତରର ଘଡ଼ ଘଡ଼ ଶବ୍ଦ),ଘର୍ଘର(ଚକର ଘର୍ଷଣ ଶବ୍ଦରୁ),ଘୁଙ୍ଗୁର,ଘୁକ(ପେଚା),ଝଙ୍କାର,ଝଞ୍ଜନା(ବିଜୁଳି),ମେକ(ଛେଳି;ମେଁ ଧ୍ଵନ୍ୟନୁକରଣରୁ),ଲଲଲ୍ଲ(ଅସ୍ପଷ୍ଟ ଵା ଦରୋଟି ଉଚ୍ଚାରଣ) ଓ ମର୍ମର(ଧୀର ପବନ ଯୋଗୁଁ ଗଛ ପତ୍ର ଆଦିର ଧ୍ଵନି; ଇଂରାଜୀରେ Murmuring) ଆଦି ସହସ୍ରାଧିକ ଶବ୍ଦ ମୂଳତଃ ଧ୍ଵନ୍ୟନୁକରଣ ଶବ୍ଦରୁ ସୃଷ୍ଟି ହୋଇଛି ଏଵଂ ପରେ ଏ ସବୁ ଶବ୍ଦକୁ ଧାତୁ ପ୍ରତ୍ୟୟ ଦ୍ଵାରା ନିଷ୍ପନ୍ନ କରାଯାଇଛି ।

ଓଡ଼ିଆ ଭାଷାରେ ଧ୍ବନ୍ୟନୁକାରୀ ଶବ୍ଦ:

ତେବେ ପ୍ରାକୃତିକ ଵା କୃତ୍ରିମ ଧ୍ବନିର ଅନୁକରଣରୁ ଅନୁସାରେ ସୃଷ୍ଟି ହୋଇଥିଵା ଏହିପରି ଧ୍ବନ୍ଯନୁକରଣ ଵା ଧ୍ବନ୍ଯନୁକାରୀ ଶବ୍ଦ ଆମ ଓଡ଼ିଆ ଭାଷାରେ ଅଛି କି ?

ହଁ ଅଛି !  ନିଶ୍ଚୟ ଅଛି ଏଵଂ ଇଂରାଜୀ ଭାଷାଠାରୁ ଶତଗୁଣ ଅଧିକ ଧ୍ବନ୍ୟନୁକାରୀ ଶବ୍ଦ ଓଡ଼ିଆ ଭାଷାରେ ଚଳୁଅଛି ।

ନିମ୍ନରେ ସେହିପରି କେତୋଟି ଜଣାଅଜଣା ଓଡ଼ିଆ ଧ୍ଵନ୍ୟନୁକାରୀ ଶବ୍ଦର ସୂଚୀ ପ୍ରଦାନ କରାଗଲା ।

🟠ଅଇ;ଐ = ବାନ୍ତି
ଵାନ୍ତି କରିଵା ସମୟରେ ସ୍ଵତଃ ସୃଷ୍ଟି ହୋଇଥାଏ ଅଇ ଵା ଐ ଶବ୍ଦ ତେଣୁ ତାହା ଵାନ୍ତିର ପ୍ରତିଶବ୍ଦ ହୋଇ ଚଳୁଛି

🟠ଉଦୁଉଦୁମା = ବିଧା ମାରିଵାରୁ ସୃଷ୍ଟ ଶବ୍ଦ
ବିଧା ମାରିଵା ବେଳେ ଜାତ ଦୁମ୍ ଦୁମ୍ ଶବ୍ଦର ଧ୍ବନ୍ଯନୁକରଣରୁ ସୃଷ୍ଟି ହୋଇଛି ଉଦୁଉଦୁମା ଶବ୍ଦ ।
ଆମ ଭାଷାର ଲୋକଗୀତରେ ଏ ଶବ୍ଦ ସୀମିତ ଭାବେ ପ୍ରଚଳିତ ।

“ଉଦୁମୁ ଦୁମା, ତାଳ ଗୋଟମା,
ନୂଆ ପାହୁରାଣୀ ପିତଳସମା,
ହରଚଣ୍ଡିଙ୍କର ଭାଇ ମଲା,
ରକତ ପିଣ୍ଡୋଳେ ଭାସିଗଲା॥
ଆମ୍ବଟିଏ ଖାଉଁ ଖାଉଁ
କୋଇଲିଟିଏ କଷା,
କି ମାଡ଼ ମାଇଲୁ ଭାଇ
  ଚାରିକୁଣିଆ ବସା ॥”
 
🟠କଇଁକଇଁ
କାନ୍ଦିଵା ବେଳର ଧ୍ଵନ୍ୟନୁକରଣରୁ ଏ ଶବ୍ଦର ସୃଷ୍ଟି

🟠କଚ୍ କଚ୍,କଚ୍ କାଚ୍,କଚର୍ କଚର୍
କାଟିଵା ସମୟର ଧ୍ଵନ୍ୟନୁକରଣରୁ ଏସବୁ ଶବ୍ଦ ସୃଷ୍ଟି ହୋଇଅଛି

🟠କଟାତ୍ = ହଟାତ୍
କେହି କେହି କଟାତ୍ ଶବ୍ଦକୁ ହଟାତ୍ ଶବ୍ଦର ଏକ ରୂପ ମନେ କରନ୍ତି । ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହାକୁ ଏକ ଧ୍ଵନ୍ୟନୁକାରୀ ଶବ୍ଦ ଅଭିହିତ କରାଯାଇଛି । ଭାଷାକୋଷ ଅନୁସାରେ କୌଣସି ଗୋଟିଏ ପଦାର୍ଥ ହଠାତ୍ ପଡ଼ି ଯିଵାର ଅନୁକରଣ ଶବ୍ଦରୁ କଟାତ୍ ଶବ୍ଦ ସୃଷ୍ଟି ହୋଇଅଛି

🟠କାଚକାଚୁଆ
କର୍ଦ୍ଦମାକ୍ତ,ଚୋବାଇବାକୁ କଠିନ ଵା ଖାସ୍ଖାସୁଆ, ପିଚ୍ଛିଳ ଵା ଖସଡ଼ା ସନ୍ତସନ୍ତିଆ ସ୍ଥାନକୁ କାଚକାଚୁଆ କୁହାଯାଏ । ଏହା କଚ୍ କଚ୍ ଶବ୍ଦର ଧ୍ଵନ୍ୟନୁକରଣରୁ ସୃଷ୍ଟି ହୋଇଛି ।

🟠କେଇଁଵା
ସକେଇ ହୋଇ କାନ୍ଦିଵାକୁ କେଇଁଵା କୁହାଯାଏ । ଏହା କଇଁ କଇଁ କାନ୍ଦିଵା ଧ୍ଵନ୍ୟନୁକରଣରୁ ସୃଷ୍ଟ । 

🟠ଖେଙ୍କା
ଓଡ଼ିଶାର କେତେକ ଅଞ୍ଚଳରେ  ହନୁମାଙ୍କଡ଼ଙ୍କୁ ଖେଙ୍କା କୁହାଯାଏ । ହନୁମାଙ୍କଡ଼ମାନଙ୍କର ଖେଁ ଖେଁ ଧ୍ଵନ୍ୟନୁକରଣରେ ଖେଙ୍କା ଶବ୍ଦ ସୃଷ୍ଟି ହୋଇଥିଵା ସ୍ପଷ୍ଟ ।

🟠ଖାଙ୍କିଵା
ମାଙ୍କଡ଼ ପରି ଖେଙ୍କିବା ଵା ଖିଙ୍କିଵା ଆଦିର ଧ୍ଵନ୍ୟନୁକରଣରୁ ଏ ଶବ୍ଦ ସୃଷ୍ଟ । ଦାନ୍ତ ଦେଖାଇ ଖତାଇହେଵାକୁ ଖାଙ୍କିଵା କୁହାଯାଏ ।

🟠ଖିଖି
କୋକିଶିଆଳିକୁ ଓଡ଼ିଶାର କିଛି ଅଞ୍ଚଳରେ ଖିଖି କୁହାଯାଏ । କୋକିଶିଆଳିଙ୍କ ଖିଖି ଧ୍ଵନ୍ୟନୁକରଣରୁ ଖିଖି ଶବ୍ଦ ଆସିଅଛି ।

🟠ଘୁମୁରା
ଘୁମୁରା ଆନଦ୍ଧ ଵାଦ୍ଯ ଵିଶେଷ । ଘୁମୁଘୁମୁ ଶବ୍ଦରଧ୍ଵନ୍ୟନୁକରଣରୁ ଏ ଶବ୍ଦର ସୃଷ୍ଟି ।

🟠ଚଡ଼କ/ଚଡ଼ଚଡ଼ି
ଚଡ଼ ଚଡ଼ ଶବ୍ଦର ଧ୍ଵନ୍ୟନୁକରଣରୁ ଚଡ଼କ ଓ ଚଡ଼ଚଡି଼ ଶବ୍ଦ ସୃଷ୍ଟି ହୋଇଛି ।

🟠ଠାକରା— ଏକ ଜାତୀୟ ଆମ୍ବ ଖଟାକୁ ଠାକରା ଵା ଠାକେରା କୁହାଯାଏ । ଏହା ଚାଟି ଖାଇଲାବେଳେ ଠକ୍ ଠକ୍ ଶବ୍ଦ ସୃଷ୍ଟି ହୁଏ । ଏହି ଧ୍ଵନିର ଅନୁକରଣରେ ଠାକରା ଶବ୍ଦ ସୃଷ୍ଟି ହୋଇଅଛି ।

🟠ଧକଧକୀ/ଦୁକ୍ଦୁକୀ
ହୃଦୟ ଵା ହୃତପିଣ୍ଡ ଧକଧକ ହୋଇଥାଏ ବୋଲି ଏହାର ଅନୁକରଣରେ ଓଡ଼ିଆ ଭାଷାରେ ତାହାର ଦୁଇଗୋଟି ଧ୍ଵନ୍ୟନୁକରୀ ଶବ୍ଦ ସୃଷ୍ଟି ହୋଇ ପ୍ରଚଳିତ ।

🟠ପେଏଁକାଳ/ପେହେଁକାଳ /ପେଙ୍କାଳୀ
ହାତୀର ରଡ଼ି ଵା ଶବ୍ଦକୁ ପେଙ୍କାଳ କୁହାଯାଏ ଏଵଂ ସେହି ସଦୃଶ ଶବ୍ଦଯୁକ୍ତ ଵାଦ୍ୟକୁ ପେଙ୍କାଳୀ କହିଥାନ୍ତି ।

🟠ବୁକ୍କ/ବୁକ/ବୋକ
ଚୁମ୍ବନ ବେଳେ ଉତ୍ପନ୍ନ ଧ୍ବନିର କାଳ୍ପନିକ ଅନୁକରଣ ଜନିତ ଶଦ୍ଦ ହେଉଛି ବୁକ୍କ ଵା ବୋକ । ଏହା ଏକ ଧ୍ବନ୍ଯନୁକରୀ ଶବ୍ଦ ଏଵଂ ଓଡ଼ିଆ ଭାଷାରେ ଚୁମ୍ବନ ଅର୍ଥରେ ପ୍ରୟୋଗ ହୋଇଥାଏ “ଆଉଁସିଲା କୁକୁର ମୁହଁରେ ବୁକ।” ତେବେ  ବକ୍ଷଃ ଵା ବୁକ୍କମ ସହିତ ବୁକ୍କ ଵା ବୁକ ଶବ୍ଦଟିଏ ବି ଆମ ଭାଷାରେ ଅଛି ଏଵଂ ଏହା ଛାତି,ହୃଦୟ,ଵକ୍ଷସ୍ଥଳ ଓ  ସାହସ ଅର୍ଥରେ ଵ୍ୟଵହାର ହୋଇଥାଏ । ଳ

🟠ଭଡ଼କା
  ଭଡ଼କା ଅନ୍ୟତମ ଓଡ଼ିଆ  ଧ୍ବନ୍ଯନୁକାରୀ ଶବ୍ଦ ।ବୁଦ୍ବୁଦ୍(Bubble) ଓ  ଶିଙ୍ଘାଣିର ମେଞ୍ଚାକୁ ଭଡ଼କା କୁହାଯାଏ ‌ ।

🟠ମୁଡୁ଼କି
ମୁଡ଼କି ଏକ ଜାତୀୟ ଖାଦ୍ୟ ଦ୍ରଵ୍ୟ ‌।ମଡ଼ ମଡ଼ କରି ଖିଆଯାଇଥାଏ ବୋଲି ତହିଁର ଧ୍ଵନ୍ୟନୁକରଣରୁ ମୁଡ଼କି ଶବ୍ଦ ସୃଷ୍ଟି ହୋଇଛି ।

🟠ମେଇଁ
ଉତ୍ତର ଓଡ଼ିଶାରେ ବିଲେଇକୁ ମେଇଁ ତଥା ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ମିଅଁ କୁହାଯାଏ ।
ବିଲେଇର ମିଆଁଉ ମିଆଁଉ ଶବ୍ଦର ଧ୍ଵନ୍ୟନୁକରଣରୁ ମେଇଁ ଶବ୍ଦଟି ସୃଷ୍ଟି ହୋଇଛି ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି ।

🟠ରଚ୍କା
ଝିଙ୍କିଵା ଵା ଟାଣିଵାକୁ ଉତ୍ତର ଓଡ଼ିଶାରେ ରଚ୍କା କୁହାଯାଏ । ଏହା ମଧ୍ୟ ଧ୍ବନ୍ୟନୁକରଣ ଶବ୍ଦ । ଟାଣିଵାବେଳେ ରଚ୍ ରଚ୍ ଶବ୍ଦ ହୋଇଥାଏ । ସେହିପରି ପଡି଼ଲାବେଳେ ରଝୌ ଶବ୍ଦ ହୁଏ ଫଳତଃ ଭୀଷଣ ଵର୍ଷାକୁ ରଝୌ ରଝୌ ଵର୍ଷା କୁହାଯାଏ ।

🟠ଶକେଇବା
ନିଶ୍ବାସରୋଧ ପୂର୍ବକ କ୍ରନ୍ଦନର ଧାରାକୁ ମଝିରେ ମଝିରେ ବନ୍ଦ କରି କାନ୍ଦିଵାକୁ ଶକେଇଵା କୁହାଯାଏ । ଏଭଳି କାନ୍ଦିଵା ସମୟରେ ସୃଷ୍ଟି ହେଉଥିଵା ଶବ୍ଦର ଧ୍ଵନ୍ୟନୁକରଣରୁ ଏହି ଓଡ଼ିଆ କ୍ରିୟାଟି ସୃଷ୍ଟି ହୋଇଛି ।

🟠ସୁଉସିଵା
କୌଣସି ଵ୍ୟକ୍ତିକୁ ମାରିଵା ପାଇଁ ଅତି ଜୋର୍ରେ ଦଉଡ଼ି ଆସିଵାକୁ ଆମ ଭାଷାରେ ସୁଆସିଵା କୁହାଯାଏ । ସାଧାରଣତଃ ବେଗରେ ଗତି କଲାବେଳେ ସୁ ସୁ ଶବ୍ଦ ହୋଇଥାଏ । ଏହି ସୁ ସୁ ଶବ୍ଦର ଅନୁକରଣରେ ସୁଉସିଵା ଶବ୍ଦ ସୃଷ୍ଟି କରାଯାଇଛି ।

🟠ସୁଡ଼କିବା/ସୋଡ଼କିବା
ସୁଡ଼ ସୁଡ଼ ଶବ୍ଦ କରି ଜଳୀୟ ଵା ଜଳମିଶ୍ରିତ ଵସ୍ତୁ ଖାଇଵାରୁ ଏହାର ଧ୍ଵନ୍ୟନୁକରଣରୁ ସୁଡ଼କିଵା ଵା ସୋଡ଼କିଵା କ୍ରିୟା ସୃଷ୍ଟ

🟠ଏଉଡି଼/ହାଉଡ଼ି/ଵାଉଡି଼
ହାକୁଟି ସମୟରେ ହେଉଥିଵା ଶବ୍ଦର ଅନୁକରଣରେ ଏଉ,ହାଉ,ଵାଉ ଆଦି ଶବ୍ଦ ସୃଷ୍ଟି ହୁଏ ତହିଁର ଧ୍ଵନ୍ୟନୁକରଣରୁ ଏଉଡି଼,ହାଉଡ଼ି,ଵାଉଡି଼ ଓ ହାକୁଟି ଆଦି ଶବ୍ଦ ସୃଷ୍ଟି କରାଯାଇଛି ।

🟠ହାଁପଣ
ଓଡ଼ିଶାର କେତେକ ଅଞ୍ଚଳରେ କୁଲାକୁ ହାଁପଣ କୁହାଯାଏ । ଏହା ମଧ୍ୟ ଏକ ଧ୍ବନ୍ଯନୁକରଣ ଶବ୍ଦ ।  କୁଲାକୁ ଚଳାଇଲେ ଵା ଭୂମିରେ ଆଘାତ କଲେ ହପ ହପ ଶବ୍ଦ ହୁଏ ବୋଲି ଏହି ନାମକରଣ ।

🟠ହାପୁଡ଼ିଵା/ହାମ୍ପୁଡି଼ଵା/ସମ୍ପୁଡି଼ଵା
ପାଣିଆ ଖାଦ୍ଯକୁ ସଶବ୍ଦ ଶୋଷଣ କରି ଖାଇଵା ସମୟରେ ହମ୍ପ ହମ୍ପ ଓ ବେଳେ ବେଳେ ସମ୍ପ୍ ସମ୍ପ୍ ଶବ୍ଦ  ହୋଇଥାଏ ‌ତାହାର ଅନୁକରଣରେ ହାପୁଡ଼ିଵା,ହାମ୍ପୁଡି଼ଵା ଓ ସମ୍ପୁଡି଼ଵା ଆଦି ଶବ୍ଦ ସୃଷ୍ଟି ହୋଇଛି ।

🟠ହୁଳହୁଳି
ଆମ ଦେଶରେ ଆନନ୍ଦ ଉତ୍ସଵରେ ପୁରୁଷମାନେ 'ହରିବୋଲ' ଓ ସ୍ତ୍ରୀମାନେ ହୁଳହୁଳୀ ଦିଅନ୍ତି । ହୁଳହୁଳି ସ୍ତ୍ରୀମାନଙ୍କର ମୁଖଵାଦ୍ୟ ଵା ଉଲୁଧ୍ଵନି ଅଟେ ‌ । ହୁଳ ହୁଳୁ ଵା ଉଳୁ ଉଳୁ ଶବ୍ଦର ଅନୁକରଣରେ ହୁଳହୁଳି ଶବ୍ଦଟି ସୃଷ୍ଟି କରାଯାଇଛି ‌ ।

ଓଡ଼ିଆ ଭାଷାରେ ଏହିପରି ସହସ୍ରାଧିକ ଧ୍ଵନ୍ୟନୁକରଣ ଜନିତ ଶବ୍ଦ ପ୍ରଚଳିତ ଏଵଂ ମାତ୍ରାଧିକ ତତ୍ସମ ତଥା ଵୈଦେଶିକ ପ୍ରୟୋଗ ଯୋଗୁଁ କେତେକ ଧ୍ଵନ୍ୟନୁକାରୀ ଶବ୍ଦ କ୍ରମଶଃ ଲୁପ୍ତପ୍ରାୟ ହୋଇଯାଉଥିଵାବେଳେ ଆଉ କେତେକ ଧ୍ବନ୍ୟନୁକରଣ ଶବ୍ଦ ନିତ୍ୟ ଵ୍ୟଵହାର୍ଯ୍ୟ ଶବ୍ଦ ଭାବେ କଥିତ ଓ ଲିଖିତ ଓଡ଼ିଆ ଭାଷାରେ ପ୍ରଚଳିତ । ଧ୍ଵନ୍ୟନୁକରଣ ଶବ୍ଦ ପ୍ରତ୍ୟେକ ଭାଷାର ମୌଳିକ ଶବ୍ଦ । ଯେଉଁ ଭାଷାରେ ଯେତେ ଧ୍ବନ୍ୟନୁକାରୀ ଶବ୍ଦ ଥାଏ ସେ ଭାଷାର ଶବ୍ଦ ଭଣ୍ଡାର ସେତିକି ମୌଳିକ ଓ ସମୃଦ୍ଧ ବୋଲି ଜଣାଯାଏ ‌ । ଓଡ଼ିଆ ଭାଷାରେ ଝାଇଁ ଝାଇଁ,ଧଡ଼ପଡ଼,ଚୁଟ୍‌ଚୁଟି(ଭରତା), ଚଡ଼ଚଡି଼ ଓ ଘଡ଼ଘଡ଼ି ଆଦି ସହସ୍ରାଧିକ ଧ୍ଵନ୍ୟନୁକାରୀ ଶବ୍ଦ ଏବେ ମଧ୍ୟ ପ୍ରଚଳିତ । ଏହି ସବୁ ଶବ୍ଦ କୌଣସି ନା କୌଣସି ପ୍ରାକୃତିକ ଵା କୃତ୍ରିମ ଧ୍ବନିର ଅନୁକରଣରୁ ସୃଷ୍ଟି ହୋଇଛି ।  ଆମ ଭାଷାର ଏହିପରି ମୌଳିକ ଧ୍ଵନ୍ୟନୁକାରୀ ଶବ୍ଦକୁ ଛାଡ଼ି ଆମେ ଵୈଦେଶିକ ଶବ୍ଦ ପ୍ରୟୋଗ ଦ୍ଵାରା ଆମ ଭାଷାର କ୍ଷତି ହିଁ ହୋଇଥାଏ ।

ଓଡ଼ିଶାର ସବୁ ଅଞ୍ଚଳରେ ଏହିପରି ଆହୁରି ଅନେକ ଧ୍ଵନ୍ୟନୁକାରୀ ଶବ୍ଦ ନିଶ୍ଚୟ ଚଳୁଥିଵ ‌।  ଆପଣଙ୍କ ଅଞ୍ଚଳରେ ଏମିତି କୌଣସି ଧ୍ବନ୍ୟନୁକାରୀ ଶବ୍ଦ ଚଳୁଥିଲେ ଜଣାଇଵାକୁ ଅନୁରୋଧ ।

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...