Wednesday, January 19, 2022

ଵିଡିଓରୁ ଵେଦ ଯାଏଁ ଏକ ଶବ୍ଦର ଯାତ୍ରା...


ଅଶି - ନବେ ଦଶକରେ ଗାଆଁ ଗଣ୍ଡାରେ ଏତେ
TV ନଥିଲା କି ଅନ୍ତର୍ଜାଲ ଓ ସିଡି ତଥା ଆଇପଡ୍‌ ଆଦି ବାହାରି ନଥିଲା । ରେଡ଼ିଓ ଵା ବେତାର ସେ ଯୁଗର ଲୋକପ୍ରିୟ ମନୋରଞ୍ଜନ ସାଧନ ଥିଲା । ଦୂରଦର୍ଶନ କେନ୍ଦ୍ର
ନାଆଁରେ ସେତେବେଳେ କେଵଳ ଜାତୀୟ ଦୂରଦର୍ଶନ କେନ୍ଦ୍ର DD National ପ୍ରାସାରିତ ହେଉଥିଲା ଏଵଂ ପରେ DD metro ପ୍ରସାରଣ ହେଵାକୁ ଲାଗିଲା ।

ଅଶି ନବେ ଦଶକର ଲୋକେ ଅଧିକ ଚଳଚ୍ଚିତ୍ର ଦେଖିଵାକୁ ପାଉନଥିଲେ । ସପ୍ତାହକୁ ଗୋଟିଏ ଦିନ ରଵିଵାର ଚାରିଟା ବେଳେ  ଓଡ଼ିଆ ଚଳଚ୍ଚିତ୍ର ଦେଖିଵାକୁ ମିଳୁଥାଇ ଓ ଶୁକ୍ର ତଥା ଶନିଵାର ଦିନ ରାତିରେ ଦୂରଦର୍ଶନ କେନ୍ଦ୍ରରେ ହିନ୍ଦୀ ଚଳଚ୍ଚିତ୍ରର ପ୍ରସାରଣ ହେଉଥିଲା ।

ତେଣୁ ଲୋକେ ବଡ଼ ବଡ଼ କଳାଧଳା କିଂଵା ରଙ୍ଗିନ୍ ପରଦାର tv ତଥା VCR ଵା VCP ଯୋଗାଡ଼ କରି ପ୍ରାୟତଃ ରାତିରେ ଓ ବେଳେବେଳେ ଦିନରେ ଗାଆଁ ଦାଣ୍ଡରେ ଅଥଵା କୌଣସି ଘରର ବଡ଼ପିଣ୍ଡା ଅଵା ହଲ୍ ମଧ୍ୟରେ ଚଳଚ୍ଚିତ୍ର ଲଗାଉଥିଲେ ।

ସେ ଯୁଗରେ ଏହାକୁ ଵିଡିଓ ,ଭିଡିଓ ଵା ଭିଡୁ଼ଅ କୁହାଯାଉଥିଲା ‌ । ଆଗେ ଲୋକେ ଏହିସବୁ ଶବ୍ଦର ପ୍ରୟୋଗରେ କୁହକୁହି ହେଉଥିଲେ...

“ଅମୁକ ଘର ଆଜି ଭିଡି଼ଅ/ଭିଡୁ଼ଓ/ଵିଡି଼ଓ କରୁଛନ୍ତି ଦେଖିଵାକୁ ଯିଵନି କି ?”

କାହାର ବାହାଘର ହେଲେ କିଂଵା ପିଲାପିଲି ହେଲେ ଲୋକଙ୍କୁ ଖୁସି କରିଵାକୁ ହେଉ ଵା ନିଜ ମନର ଖୁସି ଵ୍ୟକ୍ତ କରିଵାକୁ ଭିଡି଼ଅ/ଭିଡୁ଼ଓ/ଵିଡିଓ କରାଯାଉଥିଲା । କେହି କେହି ନିଜର ପ୍ରତିପତ୍ତି ଦେଖାଇଵାକୁ ମଧ୍ୟ ଵିଡିଓ କରାଉଥିଲେ । ଖୁଦୁରୁକୁଣୀ ଓଷା ଓ ଅଷ୍ଟ୍ରପ୍ରହରୀ ଆଦି ଆୟୋଜନରେ ବଞ୍ଚିଯାଇଥିଵା ଟଙ୍କାରେ ହିନ୍ଦୀ ଭାଷାର ମହାଭାରତ ରାମାୟଣ ଆଦି ଲଗାଯାଉଥିଲା । ଅଶି ନବେ ଦଶକରେ ବାହାଘରର ରେକର୍ଡିଙ୍ଗ୍ ହେଵା ଆରମ୍ଭ ହୋଇଥିଲା ତେଣୁ କେହି କେହି ନିଜର ଵା ନିଜ ବନ୍ଧୁବାନ୍ଧଵଙ୍କର ବାହାଘର ରେକର୍ଡ଼ VCP କିଂଵା VCD ମଧ୍ୟ ଚଳାଇ ଲୋକଙ୍କୁ ଦେଖାଉଥିଲେ । କ୍ରିକେଟ୍ ଖେଳ
ଅଶି ଦଶକରେ ଭାରତର ଵିଶ୍ଵକପ୍ ଵିଜୟ ପର ପରେ ବହୁତ ଲୋକପ୍ରିୟ ହୋଇଗଲା ତେଣୁ ଖେଳ ଦେଖିଵାକୁ ଗୋଟିଏ TV ପାଖରେ ଅନେକ ଲୋକ ରୁଣ୍ଢ ହୋଇ ଦେଖୁଥିଲେ । ନବେ ଦଶକର ଶେଷ ଯାଏଁ  ଗାଆଁ ଗହଳିରେ ଏହିପରି ଵିଡି଼ଓ ହେଉଥିଲା ‌।  ସେ ସମୟର ଵିଡି଼ଓ କହିଲେ ବହୁତ ଲୋକ ଏକାଠି ବସି TV ଯୋଗେ ଚଳଚ୍ଚିତ୍ର ଦେଖିଵାକୁ ହିଁ ବୁଝାଯାଉଥିଲା ।

ସମୟ ବଦଳିଲା । VCR ଓ VCPର ସ୍ଥାନ କ୍ରମଶଃ VCD ଓ CD ନେଵାକୁ ଲାଗିଲା ‌ । ଅନେକେ TV କିଣିଲେ ଏଵଂ ଦୋକାନ ହାଟ ବଜାର ସବୁଠିଁ CD କ୍ୟାସେଟ୍ ମିଳିଵାକୁ ଲାଗିଲା । ଏଣିକି ଯା ଘରେ TV ଥିଲା ସେ ଘରକୁ CD ଆଣି ଚଳାଇଲା ‌ଏଵଂ ଯା ଘରେ TV ନଥିଲା ସେ ତାହାର ପଡୋଶୀର ଘରେ ଦେଖୁଥିଲେ । ଗାଆଁ ଗଣ୍ଡାରେ କେବୁଲ୍ TV ଆସିଵା ପରେ ଏହି ଵିଡି଼ଓ ଦେଖା ପରମ୍ପରା କ୍ରମଶଃ ଲୋପ ପାଇଯାଇଛି ।
ଆଧୁନିକ ଯୁଗର ଅୟମାରମ୍ଭରେ ଏହି ପରମ୍ପରାଟି ଆରମ୍ଭ ହୋଇ ଏକବିଂଶ ଶତାବ୍ଦୀର ଆଗମନ ସହିତ ଲୁପ୍ତ ହୋଇଯାଇଅଛି ‌ ।

୨୦୦୫ପରେ ଭାରତରେ ଇଣ୍ଟରନେଟ ଵ୍ୟଵହାରକାରୀଙ୍କ ସଂଖ୍ୟା ବଢି଼ଲା । ୨୦୦୭ରେ Facebook ଓ ଏହାପରେ YouTube ଆସିଵା ଯୋଗୁଁ ଲୋକେ Video ଶବ୍ଦର ଅନ୍ୟ ଏକ ଅର୍ଥ “short film clip” ସହିତ ପରିଚିତ ହେଲେ ।

ତେବେ କେଵଳ ଓଡ଼ିଶା କିଂଵା ଭାରତରେ ହିଁ ଅନେକ ଲୋକ ଏକତ୍ରିତ ହୋଇ ଚଳଚ୍ଚିତ୍ର ଦେଖିଵାକୁ ଵିଡଓ କହୁନଥିଲେ ଵରଂ ଏହା ଵିଶ୍ଵର ଅନେକ ସ୍ଥାନରେ  ସମ ଅର୍ଥରେ କଥିତ ହେଉଥିଲା । ସେଥିପାଇଁ ଇଂରାଜୀ ଅଭିଧାନଗୁଡି଼କରେ Video ଶବ୍ଦର ଅର୍ଥ
ଦୂରଦର୍ଶନ(Television), ଦୂରଦର୍ଶନ କାର୍ଯ୍ୟକ୍ରମ (television show) ଓ  ଚଳଚ୍ଚିତ୍ର(movie) ଆଦି ଲେଖାଥିଵା ଦେଖାଯାଏ ।  ୟୁରୋପ ଆମେରିକାଦି ଅଞ୍ଚଳରେ ସୁଦ୍ଧା ଏଭଳି କଥିତ ହେଉଥିଲା ଏଵଂ VHS ଓ ଅନ୍ୟାନ୍ୟ Motion picture formatକୁ ଵିଡିଓ କୁହାଯାଉଥିଲା ।

ପ୍ରକୃତରେ video ଶବ୍ଦଟି ମୂଳତଃ ଏକ  ଲାଟିନ ଶବ୍ଦ । ଏହି ଲାଟିନ ଶବ୍ଦ
videō ଟି ପ୍ରୋଟୋ ଇଟାଲିକ୍ widēō ରୁ ଆସିଛି ଏଵଂ ପାଶ୍ଚାତ୍ୟ ଭାଷାଵିଦମାନଙ୍କ ଦ୍ଵାରା ନିର୍ଦ୍ଧାରିତ ଏହାର ମୂଳ ପ୍ରାକ୍ ଭାରୋପୀୟ ଶବ୍ଦ  ରୂପ ହେଲା weyd(ଜାଣିଵା,ଦେଖିଵା) ।

ଏହି  P.I.E. root– weyd ସହ  ଭାରତୀୟ ଧାତୁରୂପ ଵିଦ୍ ଧାତୁ ସମ୍ପର୍କିତ  । ସେହିପରି
ଇଂରାଜୀ Video ଶବ୍ଦ ସହ ପ୍ରାଚୀନ ଗ୍ରୀକ୍ εἴδω(eídō),ସଂସ୍କୃତର ଵେତ୍ତି(vétti),ରୁଷୀୟ ви́деть(vídetʹ),ପ୍ରାଚୀନ ଇଂରାଜୀର witan(ଆଧୁନିକ ଇଂରାଜୀ-wit),ଜର୍ମାନ୍ wissen,ମାସିଡୋନିଆନ୍ види(vidi) ଓ ସ୍ଵେଡିଶ୍ vetaର ସଗୋତ୍ରୀୟ ସମ୍ପର୍କ ରହିଛି ।

ଵିଦ୍ ଧାତୁ ଏକ ପ୍ରାଚୀନ ଭାରତୀୟ ଧାତୁ ଶବ୍ଦ ଏଥିରୁ ଜାଣିଵା ଅର୍ଥରେ ଵେଦ ,ଵିଦ୍ଵାନ ଓ ଵେତ୍ତା
ଭଳି ଶବ୍ଦ ନିଷ୍ପନ୍ନ ହୋଇଛି ପୁଣି ଲାଭ କରିଵା ଅର୍ଥରେ ଵିତ୍ତ ଶବ୍ଦ ମଧ୍ୟ ଵିଦ୍ ଧାତୁରୁ ହିଁ ନିଷ୍ପନ୍ନ କରାଯାଇଛି ।

ତେବେ ପ୍ରଶ୍ନ ଆସେ ଭାରୋପୀୟ ମୂଳ ଧାତୁ weyd ର ଦୁଇଟି ଭିନ୍ନ ଅର୍ଥ ଦେଖିଵା ଓ ଜାଣିଵା ମଧ୍ୟରେ କୌଣସି ଭାଵଗତ ସମ୍ବନ୍ଧ ଅଛି କି ?
କ'ଣ ସତରେ ଭାରତୀୟ ଵିଦ୍ ଧାତୁ ସହିତ ଭାରୋପୀୟ ମୂଳ ଶବ୍ଦ weydର କୌଣସି ସମ୍ପର୍କ ଅଛି ?

ଥରେ ଭାବନ୍ତୁ ତ ଆପଣ ଜାଣନ୍ତି କେମିତି ?
ଆପଣଙ୍କ ଆଖି, କାନ,ନାକ ଆଦି ଇନ୍ଦ୍ରିୟମାନ ସକ୍ରିୟ ହୋଇ ଆପଣଙ୍କର ମସ୍ତିଷ୍କକୁ ଯେଉଁ ତଥ୍ୟ ପହଞ୍ଚାଅନ୍ତି ତହିଁର ତର୍ଜମାରୁ ମସ୍ତିଷ୍କ ଠାରୁ ଆପଣ ଜାଣନ୍ତି । ଏହି ଜାଣିଵା କାର୍ଯ୍ୟରେ ସର୍ଵାଧିକ ଯୋଗଦାନ ଚକ୍ଷୁ ର ଥାଏ କିନ୍ତୁ କେଵଳ ଚକ୍ଷୁ ଯୋଗୁଁ ଆପଣ ଯେ ସବୁ ଜାଣିନିଅନ୍ତି ତା’ ନୁହେଁ । କୌଣସି ଦୃଶ୍ୟ କୁ ଦେଖି ତାହାର ଠିକ୍ ଆକଳନ କରି ଜାଣିଵା ପାଇଁ ଗୋଟାଏ ସୁସ୍ଥ ମସ୍ତିଷ୍କର ନିତାନ୍ତ ଆଵଶ୍ୟକତା ରହିଛି । ତେଣୁ ଭାରତୀୟ ଭାଷା ର ନିରୁକ୍ତି ଶାସ୍ତ୍ରରେ ମୂଳ  PIE root -weyd(ଵିଦ୍ ଧାତୁ)ର  ଅର୍ଥ “ଦେଖିଵା”କୁ ତ୍ୟାଗ କରି ତତ୍ ପରିଵର୍ତ୍ତେର “ଜାଣିବା” ଅର୍ଥର ଵହୁଳ ଵ୍ୟଵହାର ଭାରତଵର୍ଷରେ ହୋଇଅଛି ।  ମୂଳ ଵିଦ୍ ଧାତୁରୁ ବିଦ୍ ଶବ୍ଦ ଜ୍ଞାତ ଅର୍ଥରେ ସିଧାସଳଖ ଵ୍ୟଵହାର ହୁଏ ଉଦାହରଣ ସ୍ୱରୂପ ଭାଷାଵିଦ୍ ଇତ୍ୟାଦି । ଏହି ଵିଦ୍ ଧାତୁରୁ ଵେଦ ଭଳି ଶବ୍ଦ ସୃଷ୍ଟି ହୋଇଛି । ବୋଧହୁଏ ଆଗକାଳରେ ଵେଦର ଜ୍ଞାନ ରୂପି ଚକ୍ଷୁରେ ଆମ ପୂର୍ଵଜ ଏ ସଂସାରର ଆକଳନ କରୁଥିଲେ ବୋଲି ଏ ଧାତୁରୂପର ଜାଣିଵା ଅର୍ଥରେ ଏତେ ବହୁଳ ଵ୍ୟଵହାର ହେଲା ଯେ ତା ଆଗରେ ଅନ୍ୟ ଅର୍ଥଟି ଲୁଚିଗଲା,ହଜିଗଲା ଵା ଅନାଵଶ୍ୟକ ହେଇ ଅଵ୍ୟଵହୃତ ରହିଗଲା ।  ସମୟ ସହ ଵିଦ୍ ଧାତୁରୁ ଲାଭ କରିଵା ଆଦି ଆହୁରି ଅନେକ ଅର୍ଥରେ ଗୁଡା଼ଏ ଶବ୍ଦ ନିଷ୍ପନ୍ନ ହୋଇଛି ଏଵଂ ଭାରତୀୟ ଭାଷାମାନ ସେହିସବୁ ଶବ୍ଦ ସମ୍ଭାର ଗ୍ରହଣକରି ରୁଦ୍ଧିମନ୍ତ ହୋଇଛନ୍ତି ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...