Saturday, January 8, 2022

Chipmunkଠାରୁ ଗୁଣ୍ଡୁଚି ଯାଏଁ...


Chipmunk  ଲୁପ୍ତ ହେଵାକୁ ବସିଥିଵା ଏକ ଆମେରିକୀୟ ଇଂରାଜୀ ଶବ୍ଦ ।  Tamias ପ୍ରଜାତିର ଗୁଣ୍ଡୁଚିମୂଷାଙ୍କୁ  ଆମେରିକାରେ Chipmunk କୁହାଯାଏ ଏଵଂ ଏହି ଜାତୀୟ ଗୁଣ୍ଡୁଚି ମୂଳତଃ ଉତ୍ତର ଆମେରିକାରେ ଦେଖାଯାଆନ୍ତି । Hollywood ଚଳଚ୍ଚିତ୍ର ତଥା ଆମେରକୀୟ ଇଂରାଜୀ ସାହିତ୍ୟରେ ଏ ଶବ୍ଦକୁ ଵ୍ୟଵହାର କରି ଅଧୁନା ଆମେରିକାର ଲୋକେ ଏହାକୁ ବଞ୍ଚାଇ ରଖିଵାକୁ ଚେଷ୍ଟା କରୁଛନ୍ତି ।

ମୂଳ ଆମେରିକୀୟ ଜନଜାତୀୟ  Odawa ଭାଷାର  jidmoonh( /t͡ʃɪtmő/) ଶବ୍ଦଟି ଇଂରାଜୀରେ chitmunk ହୋଇ ପ୍ରଚଳିତ ହେଲା ଏଵଂ କେତେକ ଵର୍ଷ ପରେ ଉକ୍ତ ଶବ୍ଦ Chipmunk ହୋଇ ଚଳିଵାକୁ ଲାଗିଲା ।
Chipmunk ଶବ୍ଦଟି Ojibwe ଭାଷାର ajidamoo(nh) ଶବ୍ଦରୁ ନିଆଯାଇଥିଲା ଏଵଂ ମୂଳ ଶବ୍ଦର ଅର୍ଥ ଥିଲା  "ନାଲି ଗୁଣ୍ଡୁଚି” ।
ପ୍ରାଚୀନ Ojibwe ଭାଷାରେ  ačitamo˙nˀ ଶବ୍ଦଟି ଗୁଣ୍ଡୁଚି ଅର୍ଥରେ ଚଳୁଥିଲା ଯାହାର ଵର୍ତ୍ତମାନ ଆଧୁନିକ Ojibwe ରୂପ ajidamoog ଏଵଂ ଆକ୍ଷରିକ ଅର୍ଥ “ଯେ ମୁଣ୍ଡ ନୁଆଇଁ ଓହ୍ଲାଏ” ଏଵଂ ଏହି ପ୍ରାଚୀନ ajidamoog ଶବ୍ଦର ମୂଳ ଶବ୍ଦରୂପ ହେଉଛି  ačit ଯାହାର ଅର୍ଥ “ମଥାନତ କରି ପଡି଼ଵା”  ।

ଆଧୁନିକ Ojibwe ଭାଷାରେ Chipmunk ଶବ୍ଦ ସହିତ ସମ୍ପର୍କିତ ଅନ୍ୟ ଏକ ଶବ୍ଦ ହେଉଛି
ajijibizo ଏଵଂ ଏହାର ଆକ୍ଷରିକ ଅର୍ଥ “ଯେ ମୁଣ୍ଡ ନୁଆଇଁ ପଡ଼େ” ।
ୟୁରୋପୀୟ ଇଂରାଜୀରେ ଗୁଣ୍ଡୁଚି ପାଇଁ Squirrel ଏଵଂ ଆମେରିକୀୟ ଇଂରାଜୀରେ Chipmunk ଶବ୍ଦ ଅଛି । ଏପଟେ ଭାରତରେ ଵିଭିନ୍ନ ଭାଷାରେ ଗୁଣ୍ଡୁଚିକୁ ନାନା ନାମରେ ଜଣାଯାଏ ।

ଅହମିଆରେ কেৰ্কেটুৱা
ଏହା ଏକ onomatopoeic(ଅନୁରଣନାତ୍ମକ ଵା ଧ୍ଵନ୍ୟାନୁକରଣ) ଶବ୍ଦ ।   কেৰ্কেট (kerket, “their call”) ଓ  -উৱা (-ua, “-er”)ପ୍ରତ୍ୟୟ ଯୁକ୍ତ ହୋଇ কেৰ্কেটুৱা ଶବ୍ଦ ସୃଷ୍ଟି ହୋଇଛି । ସୈଲହଟୀର ꠇꠐ (xoṭ, “squirrel, wildcat”) ଓ  Haryanvi किरकाटी (kirkāṭī) ଏହି ଧରଣର ଶବ୍ଦ ।

ଭୋଜପୁରୀରେ ଗୁଣ୍ଡୁଚିମୂଷାକୁ रुखी,ମଗହୀରେ 𑂩𑂳𑂎𑂲(ରୁଖୀ) ଏଵଂ ମୈଥିଳୀରେ लुक्खी କୁହାଯାଏ ଏଵଂ ଏ ସମସ୍ତ ଶବ୍ଦ  𑂩𑂳𑂎 (ରୁଖ =ଗଛ) ସହିତ ସମୋଦ୍ଧୃତ ‌।  ଗୁଜରାଟୀରେ ଗୁଣ୍ଡୁଚି ମୂଷାଙ୍କୁ ખિસકોલી  (khiskolī) କୁହାଯାଏ । ପଞ୍ଜାବଵାସୀ ଗୁଣ୍ଡୁଚି ମୂଷାକୁ ਕਾਟੋ f (kāṭo) ଓ ਗਾਲ੍ਹੜ (gālhaṛ) କହିଥାନ୍ତି ।
ହିନ୍ଦୀର गिलहरी ଓ କଶ୍ମୀରୀ گِلۂرؠ‎ (gilhạr') ଶବ୍ଦ ମଧ୍ୟ ଗୁଣ୍ଡୁଚି ଅର୍ଥରେ ଚଳୁଅଛି ଏଵଂ ଏ ଉଭୟ ଶବ୍ଦ ପାର୍ସୀ ମୂଳର   گلهری‎
(galahri) ଵା کلهری‎ (kalahri) ଶବ୍ଦରୁ ନିଆଯାଇଛି । ପୁଣି ପାର୍ସୀରେ ଗୁଣ୍ଡୁଚିକୁ سنجاب‎  (sanjâb) ଓ وروره‎ (varvare) ମଧ୍ୟ କୁହାଯାଇଥାଏ । ମରାଠୀ ଭାଷାରେ ଗୁଣ୍ଡୁଚିକୁ खार  କହୁଥିଵାବେଳେ ନେଵାରୀ ଭାଷାରେ थ्वाच्चा (thwāccā) କୁହାଯାଏ ‌ । ଉତ୍ତର ଭାରତର କେତେକ ଅଞ୍ଚଳରେ ଗୁଣ୍ଡୁଚି ମୂଷାକୁ चिखुरी(ସଂ—ଚିକ୍କର) ଓ गिलाइ ମଧ୍ୟ କହିଥାନ୍ତି ।
ପୁନଶ୍ଚ ଦକ୍ଷିଣ ଭାରତରେ ପ୍ରଚଳିତ ଵିଭିନ୍ନ ଭାଷାରେ ଗୁଣ୍ଡୁଚିର ଭିନ୍ନ ଭିନ୍ନ ନାମ ଚଳୁଅଛି ‌ । କନ୍ନଡ଼ ଭାଷାରେ ଗୁଣ୍ଡୁଚିକୁ ಅಳಿಲು (aḷilu),
ମଳୟାଳମରେ അണ്ണാൻ (ml) (aṇṇān) ଓ അണ്ണാരക്കണ്ണൻ (aṇṇārakkaṇṇan), ତାମିଳରେ அணில்(aṇil) ଏଵଂ ତେଲୁଗୁରେ
ఉడుత (uḍuta) କୁହାଯାଏ । ସେହିପରି ମୂଳତଃ ଏକ ଆର୍ଯ୍ୟଭାଷା ଭାବେ ଵିଦିତ ପାଲୀଭାଷା ମୂଳର ସିଂହଳୀ ଭାଷାରେ ଗୁଣ୍ଡୁଚି ମୂଷାକୁ ලේනා(lēnā) କହିଥାନ୍ତି । ତବ୍ବତ୍ତି ଭାଷା ମୂଳତଃ ସିନୋ ତିବ୍ବତୀୟ ଭାଷାପରିଵାରର ଭାଷା ଏଵଂ ଏହି ଭାଷାରେ ଗୁଣ୍ଡୁଚି ମୂଷାର ནགས་བྱི། (nags byi) ନାମ ପ୍ରଚଳିତ ।
ପାଲିରେ ଗୁଣ୍ଡୁଚିକୁ କଳନ୍ଦକ କୁହାଯାଉଥିଲା ଏଵଂ ଏ ଶବ୍ଦ ସଂସ୍କୃତରେ ମଧ୍ୟ ପ୍ରଚଳିତ । ଵିଭିନ୍ନ ସଂସ୍କୃତ ଅଭିଧାନରେ ଉଣ୍ଡିଵାରୁ ଗୁଣ୍ଡୁଚି ମୂଷାର କେଵଳ ଚିକ୍ରୋଡ଼,ରେମଶୀ,ଶାଖାମୃଗ,କଳନ୍ଦକ,ଵୃକ୍ଷଶାୟିକା,କାଷ୍ଠବିଡା଼ଳ ,ଵୃକ୍ଷତକ୍ଷକ ଓ ଵୃକ୍ଷମର୍କଟିକା ନାମ ହିଁ ମିଳିଲା ।

ଓଡ଼ିଶାର ଵିଭିନ୍ନ ଜନଜାତୀୟ ଭାଷାରେ ଗୁଣ୍ଡୁଚିର ନାନା ନାମ ଚଳୁଅଛି । ଯଥା କୁଇରେ ଗୁଣ୍ଡୁଚି ମୂଷାକୁ ସିରୁଡି ,ଖରିଆରେ ଚିଡ୍‌ରା ଓ ମୁଣ୍ଡାଭାଷାରେ ତୁଉ୍‌ହ’ କୁହାଯାଏ । ସିରୁଡି଼ ଓ ଚିଡ୍ରା ଶବ୍ଦ ଏହି ଜୀଵର ଚିପ୍ ଚିପ୍ ଉଚ୍ଚାରିତ ଶବ୍ଦର ଧ୍ଵନ୍ୟାନୁକରଣରୁ ସୃଷ୍ଟି ହୋଇଥିଵା ସହଜେ ଅନୁମେୟ ।

ଗୁଣ୍ଡୁଚି ପାଇଁ ଭାରତଵର୍ଷରେ ଯେତେସବୁ ନାମ ଚଳୁଅଛି ତନ୍ମଧ୍ୟରେ ଅନେକ ଶବ୍ଦ  ମୌଳିକ ଶବ୍ଦ ।  ‌ଓଡି଼ଆ ଭାଷାରେ ସେହିପରି ଏ ଜୀଵର ଗୁଣ୍ଡୁଚି ନାଆଁଟି ଚଳୁଅଛି । କେତେକ ଗଵେଷକ ଗୁଣ୍ଡିଚା ଓ ଗୁଣ୍ଡୁଚି ଏ ଉଭୟ ଶବ୍ଦକୁ କ୍ଷୁଦ୍ର ଅର୍ଥଜ ଗୁଣ୍ଡ ଶବ୍ଦ ମୂଳର ବୋଲି  ମତ ଦିଅନ୍ତି । କ୍ଷୁଦ୍ରାର୍ଥରେ ଆମ ଭାଷାରେ ଗୁଣ୍ଡ,ଗୁଣ୍ଡି , ଗୁଣ୍ତିଆ , ଗୁଣ୍ଡୁଚି, ଗୁଣ୍ତିଚା , ଗୁଣ୍ତୁରି ,ଗୁଡୁରି , ଘୁଡୁରି , ଗୁଣ୍ତକେରି, ଇତ୍ୟାଦି ଶବ୍ଦ ସୃଷ୍ଟି ହୋଇଛି ବୋଲି ସେମାନଙ୍କର ମତ । ତେବେ ଆକାର ଦୃଷ୍ଟିରୁ ଘର ମୂଷାଠାରୁ ଗୁଣ୍ଡୁଚି ମୂଷା ବଡ଼ ହୋଇଥାଏ ଵିଶେଷତଃ ଏହାର ଲାଞ୍ଜକୁ ଵିଚାରକୁ  ନେଲେ ଗୁଣ୍ଡୁଚି ମୂଷା ଘର ମୂଷାଠାରୁ ବଡ଼ ଆକାରର ହୋଇଥାଏ । ଏଣୁ ଗୁଣ୍ଡୁଚିର ଆକାର ଦୃଷ୍ଟିରୁ ନୁହେଁ ଵରଂ ଏହାର ଗୁଣ୍ଡକରିଵା ଗୁଣରୁ ଗୁଣ୍ଡୁଚି ନାମକରଣ ହୋଇଥାଇପାରେ । ଗୁଣ୍ଡୁଚି ମୂଷା ଖାଇଵା ବେଳେ ଦାନ୍ତରେ ଗୁଣ୍ଡ କରି କରି ଖାଇଥାଏ । ତେବେ ଓଡ଼ିଆ ଭାଷାରେ “ଗୁଣ୍ଡୁଚି ମୂଷା” ଓ “ଗୁଣ୍ଡୁଚି ମୂଷାର କାମ” ଆଦି ପଦର ଵିଶେଷ ପ୍ରଚଳନ ରହିଛି । ଲଙ୍କା ଗଡ଼କୁ ସେତୁ ନିର୍ମାଣ ସମୟରେ ଗୁଣ୍ଡୁଚି ମୂଷାମାନେ ମଧ୍ୟ
ଶ୍ରୀରାମଙ୍କୁ ସାହାଯ୍ୟ କରିଥିଲେ । ଏହି ପୌରାଣିକ କଥନ ଆଧାରରେ ଏହି ଦୁଇ ପଦର ପ୍ରୟୋଗ କରାଯାଏ ।
ଓଡି଼ଶାରେ Funambulus  ଜାତୀୟ ଗୁଣ୍ଡୁଚି ଵିଶେଷ ଭାବରେ ଦେଖାଯାଆନ୍ତି ଏଵଂ ସେମାନେ
ଚିପ୍ ଚିପ୍ ଚିପ୍ ଶବ୍ଦ କରିଥାନ୍ତି । ଏମାନଙ୍କର ଏହି ଚିପ୍ ଚିପ୍ ଶବ୍ଦ କରିଵାର ଧ୍ଵନ୍ୟାନୁକରଣରୁ କୁଇରେ  ସିରୁଡି  ଓ କିସାନ୍ ତଥା ଖରିଆ ଭାଷାରେ ଚିଡ୍‌ରା  ଶବ୍ଦ ସୃଷ୍ଟି ହୋଇଛି ।
ସମ୍ଭଵତଃ ବାରମ୍ବାର ଚିପ୍ ଚିପ୍ ଶବ୍ଦ ଗୁଣ୍ ଗୁଣାଉଥିଵାରୁ ଓଡ଼ିଆ ଭାଷାରେ ତହିଁର ଧ୍ଵନ୍ୟାନୁକରଣରେ “ଗୁଣ୍‌ ଗୁଣାଏ ଚି ଚି = ଗୁଣ୍‌ଚି ଓ ଗୁଣ୍ ଗୁଣ୍ ଶବ୍ଦର ଦୃତ୍ତ ଉଚ୍ଚାରଣରୁ ଗୁଣ୍ଡୁଚି ଶବ୍ଦ ସୃଷ୍ଟି ହୋଇଥିଵା ସମ୍ଭଵ ।  ମତାନ୍ତରରେ ସଂସ୍କୃତ ଭାଷାରେ କମରପଟାକୁ କାଞ୍ଚୀ ତଥା ସମ୍ବଲପୁରୀ ଓଡ଼ିଆରେ ଗୁଣ୍ସି କୁହାଯାଏ । ଗୁଣ୍ଡୁଚି ମୂଷାର ପିଠାରେ କମରପଟାପରି ଚିହ୍ନ ଥିଵାରୁ ହୁଏତ ଏ ଜୀଵର ନାମକରଣ ଗୁଣ୍‌ଚି ଓ ଗୁଣ୍ଡୁଚି ହୋଇଥାଇପାରେ । ଗୁଣ୍ଡୁଚି ଶବ୍ଦର ଵ୍ୟୁତ୍ପତ୍ତିକୁ ନେଇ ଏହିପରି ଅନେକ ମତ ଥିଲେ ହେଁ ଆଜିଯାଏଁ ଭାଷାଵିଦମାନେ କୌଣସି ମତରେ ଏକମତ ହୋଇପାରିନାହାନ୍ତି ।

ତେବେ ଆମେରିକୀୟ ଗୁଣ୍ଡୁଚି Chipmunk ଓ ଭାରତୀୟ ଗୁଣ୍ଡୁଚିଙ୍କ ମଧ୍ୟରେ ସମ୍ପର୍କ କ'ଣ ?
ପ୍ରକୃତରେ ଏ ଉଭୟ ଜାତୀୟ ଗୁଣ୍ଡୁଚି  Sciuridae ଶାଖାମୃଗ ପରିଵାରର ଅନ୍ତର୍ଭୁକ୍ତ ।

Sciuridae ଶାଖାମୃଗ ପରିଵାରର
Callosciurinae ଉପପରିଵାରରେ
Funambulini ଵର୍ଗର Funambulus ପ୍ରଜାତିର ଜୀଵ ହେଉଛନ୍ତି ଭାରତୀୟ ଗୁଣ୍ଡୁଚି ସେହିପରି ଆମେରିକୀୟ ଗୁଣ୍ଡୁଚି Chipmunk
Sciuridae ଶାଖାମୃଗ ପରିଵାରର
Xerinae ଉପପରିଵାର ଅନ୍ତର୍ଗତ ଵର୍ଗୀକୃତ
Marmotini ଵର୍ଗର Tamias ପ୍ରଜାତିର ଜୀଵ ।
ଆମେରିକାଠାରୁ ଏସିଆ ଯାଏଁ ଆଫ୍ରିକାଠାରୁ ଅଷ୍ଟ୍ରେଲିଆ ଯାଏଁ ସବୁଆଡେ଼ ଗୁଣ୍ଡୁଚି ମୂଷା ଦେଖାଯାଆନ୍ତି । ତାହେଲେ କେଉଁ ଅଞ୍ଚଳରେ ପ୍ରଥମେ ଏମାନଙ୍କର ସୃଷ୍ଟି ପ୍ରଥମେ ହୋଇଥିଲା ?

ଭାରତୀୟ ଗୁଣ୍ଡୁଚି ମୂଷାଙ୍କଠାରୁ ଆମେରିକୀୟ ଗୁଣ୍ଡୁଚି ଜାତ ହୋଇଥିଲେ ନା ମଣିଷ ଭଳି ଆଫ୍ରିକାରୁ ସବୁ ଜାତୀୟ ଗୁଣ୍ଡୁଚି ସୃଷ୍ଟି ହୋଇଥିଲେ ?

ଗଵେଷକ କୁହନ୍ତି  Late Eocene Epoch (41.3 millionରୁ  33.7 million ଵର୍ଷ ପୂର୍ଵେ ) ଉତ୍ତର ଆମେରିକୀୟ ଗୁଣ୍ଡୁଚିମାନେ  ତଥା  Miocene Epoch (23.8 million ରୁ 5.3 million ଵର୍ଷ ପୂର୍ଵେ) ସମୟ କାଳରେ ଆଫ୍ରିକା ତଥା ୟୁରେସିଆର ଗୁଣ୍ଡୁଚିମାନେ ଭିନ୍ନ ଭିନ୍ନ ରୂପେ ସୃଷ୍ଟି ହୋଇଥିଲେ ।

ଭାଷା କ୍ଷେତ୍ରରେ ମଧ୍ୟ ସମାନ ପ୍ରାକୃତିକ ନିୟମ କାର୍ଯ୍ୟ କରିଥାଏ ।  Nahuatl ଭଳି ମୂଳ ଆମେରିକୀୟ ଭାଷାଠାରୁ ଦକ୍ଷିଣ ଆଫ୍ରିକାର Zulu ଭାଷା ଯାଏଁ ଚୀନ ଦେଶର ମାଣ୍ଡାରିନଠାରୁ ଅଷ୍ଟ୍ରେଲିଆର ମୂଳ ଜନଜାତୀୟ ଭାଷା Tiwi ଯାଏଁ ପୃଥିଵୀର ସବୁ ଭାଷାର ଉତ୍ପତ୍ତି କାହାଣୀ ସ୍ଵତନ୍ତ୍ର । ଆରବୀ, ମାଣ୍ଡାରିନ, ସଂସ୍କୃତ,ତୁଲୁ,ମୁଣ୍ଡାରୀ ସବୁ ଭିନ୍ନ ଭିନ୍ନ ଭାଷାପରିଵାରର ଭାଷା । ମାନଵ ଜାତି ଏକ ଜୀଵଜାତି କିନ୍ତୁ ସେମାନେ ଵିଭିନ୍ନ ଅଞ୍ଚଳରେ ଵସଵାସ କରି ଭିନ୍ନ ଭିନ୍ନ ସଂସ୍କୃତି ଓ ସଂସ୍କୃତି ଆଧାରିତ ଜୀଵନଶୈଳୀ ଵିକଶିତ କରିଛନ୍ତି ଏଵଂ ସେମାନଙ୍କ ସଂସ୍କୃତି ଆଧାରରେ ତାଙ୍କ ଭାଷା ମଧ୍ୟ ଵିକଶିତ ହୋଇଅଛି । ଆରବୀ,ତାମିଳ,ଲାଟିନ୍,ସଂସ୍କୃତ, ମାଣ୍ଡାରିନ କେହି ବି ପୃଥିଵୀର ସବୁ ଭାଷାର ଜନନୀ ନୁହନ୍ତି ।
ଯଦି ଏମନ୍ତ ହୋଇଥାନ୍ତା ତେବେ ପୃଥିଵୀରେ ପ୍ରଚଳିତ ସବୁ ଭାଷାର ପ୍ରାଚୀନ ଅଵ୍ୟୟ ପ୍ରତ୍ୟୟ ସର୍ଵନାମ କ୍ରିୟା ଓ କ୍ରିୟା ଵିଶେଷଣ ମଧ୍ୟରେ ସଗୋତ୍ରୀୟ ସମ୍ପର୍କ ଥାଆନ୍ତା ଓ ଵାହ୍ୟ ସାଦୃଶ୍ୟ ମଧ୍ୟ ରହିଥାନ୍ତା ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...