Sunday, January 9, 2022

ସ୍ଵର୍ଣ୍ଣଗର୍ତ୍ତର କାହାଣୀ

ପିଙ୍ଗଳପ୍ରିୟ ନାମରେ ଜଣେ ରାଜା କନକଦେଶରେ ରାଜତ୍ଵ କରୁଥିଲେ ଏଵଂ ତାଙ୍କର ସବୁଠାରୁ ପ୍ରିୟ ରଙ୍ଗ ଥିଲା ହଳଦିଆ ରଙ୍ଗ । ତାଙ୍କ ରାଜପ୍ରସାଦ ପିଙ୍ଗଳଵର୍ଣ୍ଣ, ତାଙ୍କ ଶରୀର ମଧ୍ୟ ପିଙ୍ଗଳଵର୍ଣ୍ଣର ଥିଲା । ସେ ହଳଦିଆ ରଙ୍ଗର ଖାଦ୍ୟ ଖାଉଥିଲେ, ହଳଦିପାଣିରେ ଗାଧୋଉଥିଲେ, ହଳଦିଆ ଵସ୍ତ୍ରାଭୂଷଣ ପିନ୍ଧୁଥିଲେ,ହଳଦୀ ରଙ୍ଗର ପୁଷ୍ପମାଳା  ଧାରଣ କରୁଥିଲେ ଆଉ ହଳଦିଆ ରଙ୍ଗର ସୁନା ତାଙ୍କର ଅତି ପ୍ରିୟ ଥିଲା ।

କଥିତ ଅଛି ଯେ ସେ ଏତେ ମାତ୍ରାରେ ହଳଦିଆ ଦ୍ରବ୍ୟର ସେଵନ କଲେ ଯେ ତାଙ୍କ ଵିଷ୍ଠା,କେଶ,ଶରୀର ସବୁ ପିଙ୍ଗଳ ଵା ହଳଦି ରଙ୍ଗର ହୋଇଯାଇଥିଲା ।

ରାଜାଙ୍କ ସେଵକମାନେ ରାଜାଙ୍କର ଯାଵତୀୟ ଵର୍ଜ୍ୟଵସ୍ତୁ ଏକଠାଁରେ ବଡ଼ ଗର୍ତ୍ତ ଖୋଳି ପକାଇ ଦିଅନ୍ତି । ରାଜାଙ୍କ ଦିହର ହଳଦୀ ଧୁଆ ପାଣିଠାରୁ ରାଜାଙ୍କ ଵିଷ୍ଠାଯାଏଁ ସବୁକିଛି ସେହି ଗର୍ତ୍ତରେ ପକେଇ ଦିଆଯାଏ ।

ଉକ୍ତ ରାଜାଙ୍କର ରାଜସେଵକମାନେ ଵର୍ଜ୍ୟଵସ୍ତୁ ଫିଙ୍ଗାଯିଵା ଗର୍ତ୍ତଟି ଵିଷୟରେ ବାହାର ଲୋକଙ୍କ ଆଗରେ କହିଵା ବେଳେ ଅତିରଞ୍ଜିତ କରି ଵର୍ଣ୍ଣନା କଲେ । କେହି କେହି ରାଜସେଵକ ଗପୁ ଗପୁ କହିଦେଲେ ରାଜାଙ୍କର ଯୋଉ ସୁନାରୁ ମନ ଛାଡି଼ଯାଏ ତାକୁ ମଧ୍ୟ ଆମେ ସେହି ଗର୍ତ୍ତରେ ପକାଇ ଦେଉ ‌। ସେ ଗର୍ତ୍ତରେ ତ ଗଦା ଗଦା ସ୍ଵର୍ଣ୍ଣାଳଙ୍କାର ପଡି଼ଛି । ରାଜଦଣ୍ଡ ଭୟରେ କେହି ଗୋଟାନ୍ତି ନାହିଁ ‌।

କାଳକ୍ରମେ ସେହି ରାଜାଙ୍କ ଦେହାଵସାନ ହୋଇଗଲା କିନ୍ତୁ ଉକ୍ତ ଦେଶରେ ରାଜାଙ୍କର ଵର୍ଜ୍ୟଵସ୍ତୁ ପଡୁ଼ଥିଵା ଗର୍ତ୍ତଟି ଗୋଟିଏ କିମ୍ବଦନ୍ତୀରେ ଜୀଵନ୍ତ ହୋଇ ରହିଲା ।

ଫଳତଃ କେତେକ ଵର୍ଷ ମଧ୍ୟରେ ସେଇ ରାଜ୍ୟରେ ଗୋଟିଏ କିମ୍ବଦନ୍ତୀ ସୃଷ୍ଟି ହୋଇଗଲା । କିମ୍ବଦନ୍ତୀ ଅନୁସାରେ ପିଙ୍ଗଳପ୍ରିୟ ରାଜାଙ୍କ ପାଖରେ ଅମାପ ସ୍ଵର୍ଣ୍ଣ ସମ୍ପତ୍ତି ଥିଲା ଏଵଂ ଯେତେବେଳେ ରାଜାଙ୍କର କୌଣସି ସ୍ଵର୍ଣ୍ଣ ସମ୍ବନ୍ଧିତ ଵସ୍ତୁ ପ୍ରତି ଆସକ୍ତି କମିଯାଉଥିଲା ସେ ଉକ୍ତ ସ୍ଵର୍ଣ୍ଣଦରଵକୁ ନଵର ମଧ୍ୟରେ ଏକ ଗର୍ତ୍ତରେ ପକାଇ ଦେଇ ଦେଉଥିଲେ ।

ଶହ ଶହ ଵର୍ଷ ଧରି ଏହି ଜନସୃତି ଲୋକ ମୁଖରେ ବଞ୍ଚି ରହିଥିଲା । ପଚାଶ ଦଶକରେ ପିଙ୍ଗଳପ୍ରିୟ ଓ ତାଙ୍କର ସ୍ଵର୍ଣ୍ଣପ୍ରେମକୁ ନେଇ ଵିଭିନ୍ନ କଵିତା ଗଳ୍ପ ଲେଖାଗଲା । ଫଳତଃ ଅନେକ ଗଵେଷକ ସେହି ଗର୍ତ୍ତ ଉଣ୍ଡିଵାରେ ଲାଗିପଡି଼ଲେ । ତେବେ ପଚାଶଵର୍ଷ ବିତିଗଲେ ହେଁ ଗର୍ତ୍ତ ସମ୍ବନ୍ଧରେ କୌଣସି ଆଖିଦୃଶିଆ ତଥ୍ୟ ମିଳିଲା ନାହିଁ ।

କନକ ଦେଶକୁ ଲାଗି ସମ୍ବଳଦେଶ । ସେଠାକାର କିଛି ଲୋକେ ନିଜକୁ ମନେ ମନେ କନକଦେଶଵାସୀ ଭାବୁଥାନ୍ତି କାରଣ ପିଙ୍ଗଳପ୍ରିୟଙ୍କ ଶାସନକାଳରେ ତାଙ୍କ ଅଞ୍ଚଳର କିଛି ଅଂଶ କନକଦେଶରେ ଥିଲା । ସେମାନେ ମନେକଲେ ହୁଏତ ସେହି ଗର୍ତ୍ତଟି ତାଙ୍କ ଅଞ୍ଚଳରେ କୋଉଠି ଅଛି ‌ । ବହୁତ ଯାଗାରେ ଖୋଳାଖୋଳି ହେଲା । ରାଷ୍ଟ୍ରୀୟ ଇତିହାସ ଗଵେଷଣା ସଂସ୍ଥାନକୁ ଚିଠି ଲେଖି ସେମାନେ ଏଥିରେ ସାହାଯ୍ୟ କରିଵାକୁ ଅନୁରୋଧ କଲେ । ଫଳତଃ ରାଷ୍ଟ୍ରୀୟ ଗଵେଷଣା ସଂସ୍ଥା ସେମାନଙ୍କୁ ଉତ୍ତରରେ ଜଣେଇ ଦେଲେ ଯେ ସମ୍ବଳଦେଶରେ କନକ ଦେଶର ଗର୍ତ୍ତ ଥିଵାର କୌଣସି ପ୍ରମାଣ ମିଳିଵ ନାହିଁ । କନକ ଦେଶ , ପିଙ୍ଗଳପ୍ରିୟ ରାଜାଙ୍କ ସ୍ଵର୍ଣ୍ଣଗର୍ତ୍ତ କିମ୍ବଦନ୍ତୀ ମାତ୍ର ।   ସେ ଵା ତାଙ୍କ ବଂଶଜ ସମ୍ବଳଦେଶର ଶାସକ ଥିଲେ କି ନାହିଁ ସେ ସମ୍ବନ୍ଧରେ କୌଣସି ନିର୍ଭରଯୋଗ୍ୟ ପ୍ରମାଣ ମିଳେ ନାହିଁ ।

ଏହାର କିଛି ଵର୍ଷପରେ କଳକପ୍ରଦେଶରେ ହିଁ ଗୋଟିଏ ଭଙ୍ଗା ରାଜ ଉଆସ ଭିତରେ ପୋତା ପଡି଼ଥିଵା ଏକ ବଡ଼ ଗାତ ମିଳିଲା କିନ୍ତୁ ସେଥିରେ ସୁନା କି ରୂପା କିଛି ନଥିଲା । ଵୈଜ୍ଞାନିକମାନେ ଗାତ ଭିତରର ମାଟିକୁ ପରୀକ୍ଷା କରି ଜାଣିଲେ ତାହା ରାଜପୁରୁଷମାନଙ୍କର ମଳମୂତ୍ରାଦି ଫିଙ୍ଗାଯାଉଥିଵା ଗୋଟିଏ ବଡ଼ ଗାଡ଼ ମାତ୍ର ଥିଲା ।

ଆମ ଓଡ଼ିଶାରେ ଦଳେ ଵିଚ୍ଛନ୍ନତାଵାଦୀ ଏହିପରି ଗୋଟିଏ କିମ୍ବଦନ୍ତୀଙ୍କୁ ଧରି ଵିଭାଜନର ଗୀତ ଗାନ କରୁଛନ୍ତି । ଏମାନଙ୍କର ପରିଣତି ମଧ୍ୟ ଶେଷରେ ଵିଷ୍ଠାଗର୍ତ୍ତ ଲାଭ ଛଡ଼ା ଆଉ କିଛି ହେଵ ନାହିଁ ‌ ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...