Friday, December 31, 2021

ନଵଵର୍ଷ ରହସ୍ୟ(ଫକୀରମୋହନ ସେନାପତି)


କୈଳାସରେ ବସି ଗୌରୀ ଶିଵେ ପଚାରିଲେ ନଵଵର୍ଷ ଫଳାଫଳ କୁହ ଆହେ ଭଲେ । 

ଶଙ୍କର ଉଵାଚ
ଶୁଣ ଦେଵୀ, କହୁଅଛି ନଵଵର୍ଷ ଫଳ, ଶୁଣିଵା ମାତ୍ରକେ ଦିଵ୍ୟ ଜ୍ଞାନ ଲଭେ ନର । 

ଅସ୍ମିନଵର୍ଷେ 
ରାଜା, ସ୍ତ୍ରୀ; –

 କାରଣ ନଵଵର୍ଷ ଆରମ୍ଭରୁ ପୁରୁଷମାନଙ୍କଠାରୁ ସ୍ବାଧୀନତା ବାହାରକରି ନିଆଯାଇ ସ୍ତ୍ରୀମାନଙ୍କୁ ଦିଆ ଯାଇଅଛି ।

 ପୁରୁଷମାନେ ସେମାନଙ୍କ ଶାସନାଧୀନରେ ରହିବେ, ଫଳ ସ୍ତ୍ରୀମାନେ କଏଦରୁ ମୁକ୍ତ ହେଲେ, ଏବେ ମନମାଫିକ ଚଳିବେ – 

ପ୍ରଜା, ପୁରୁଷମାନେ । 

କାରଣ ନାକଫୋଡ଼ା’ ବଳଦର କୌଣସି କଥାରେ ପାଟି ଫିଟାଇଵାର ଅକ୍ତିଆର ନାହିଁ, ସ୍ତ୍ରୀମାନଙ୍କ ବଶୀଭୂତରେ ରହି ହୁକୁମ ତାମିଲ କରିବେ; ନ କଲେ, ଫଳ – ହୁକୁମ ଅମାନ୍ୟରେ ନଵଵର୍ଷର ସ୍ତ୍ରୀ-ଦଣ୍ଡଵିଧି-ଆଇନାନୁସାରେ ଦଣ୍ଡିତ ହେବେ ।

ଶସ୍ଯାଧିପ, ବୋମ୍ବାଇଵାସୀ ନାଖୋଦା 

କାରଣ ଧାନଚାଉଳର ଭାଉ ସେମାନଙ୍କ ହସ୍ତରେ, ଫଳ ଚାଉଳସେର ଦୁଇପଇସାରୁ ତିନି ପଇସା ଆଉ ଅଢ଼େଇ ପଇସା ଓ ଗରିବ ଲୋକମାନଙ୍କର ଓଳିଏ ପେଟପୂରା ଓଳିଏ ଉପଵାସ । 

ଚିକିତ୍ସକ, ଡିପ୍ଲୋମାପ୍ରାପ୍ତ ଡାକ୍ତର ବାବୁ, 
କାର୍ଯ୍ୟ ମୁଣ୍ଡଵ୍ୟଥା ରୋଗରେ ଏକଡୋଜ୍ ମଦ୍ୟପାନର ଵ୍ୟଵସ୍ଥା, । ରୋଗୀ ଅଚେତ ହୋଇ ପଡ଼ିଲେ ଫଳ ନିଜର ଅର୍ଥ ସାଧନ । 

ଇତିଭାଗ କଥନ । 
ସତ୍ୟ ପନ୍ଦରପଣ ଉଣାଇଶ ଗଣ୍ଡା ତିନିକଡ଼ା ଇନିସ୍ପେକ୍ଟିଂ ପଣ୍ଡିତଙ୍କ ଡାଇରିରେ। ଫଳ ପ୍ରମୋଶନ । ବ୍ୟୟ - ଅମାପ । ଶୁଣ୍ଢି ଖାତାରେ ଦରଜ ଅଛି, ଫଳ ଗୌରୀଆ । ଶୁଣ୍ଢିପୁଅ ବଡ଼ଲୋକ ହୋଇଅଛି ।

 ଦାନ ଷୋଳଅଣା ସତ୍‌ପାତ୍ରରେ – କାରଣ ଅମୁକ ବେଶ୍ୟାଝିଅ ଖୁବ୍ କୋଠାବାଡ଼ି କରି ପ୍ରାୟ ନଅ ଦଶ ହଜାର ଟଙ୍କାର ଗହଣା ଓ ଵିଷୟ କରିଅଛି । ଫଳ ଦାନକର୍ତ୍ତାର ନାମ ।

 ଆହାର ବାରଅଣା ମଦ ଓ ମୁର୍ଗୀ, ଫଳ ମୁର୍ଗା ଗୋଟା ଦୁଇଅଣା ତିନିଅଣା ବଦଳରେ ପାଞ୍ଚଅଣା ଛଅଅଣା –
ମୁର୍ଗୀୱାଲା ଓ ମଦଵିକ୍ରେତାର ଲାଭ । ପରିଧାନ ଚାରିଭାଗରୁ ଭାଗେ । କୋଟ୍ ପେଣ୍ଟଲୁନ୍ କାର୍ଯ୍ୟ ଠିଆ ହୋଇ ପ୍ରସ୍ତାଵ କରିଵା – ପିଲା କାଳର କଥାକୁ ପୁନରାଵୃତ୍ତି କରି ଫଳ ଡବଲ ଖୁସି ହେଵା । ଶିକ୍ଷା, ଅଧାଅଧି ସ୍ତ୍ରୀ ଶିକ୍ଷା, ଵିଜାତୀୟ ରୀତି ନୀତି ଶିକ୍ଷା – ଫଳ ମେମ୍ ଓ ସାହେବ ସାଜି ବଗିଚାରେ ଯୁଗଳ ମୂର୍ତ୍ତି ବସି ହାଉଆ ଖାଇଵା ଓ ପିତାମାତା ପ୍ରଭୃତି ଗୁରୁଜନମାନଙ୍କୁ ମାଇଡିଅର ବୋଲି ନଵ୍ୟ ଆଖ୍ୟାନରେ ସମ୍ବୋଧନ । 

ପରୀକ୍ଷା ଷୋଳପଣ – କପିକରି ପାଶ୍ କରିଵାର ଫଳ ଵର୍ଷକୁ ଵର୍ଷ ପଣ ପଣ ଗାଡ଼ି ଗାଡ଼ି ପାଶ୍ କରି ଗୋଦାମଜାତ ହୋଇ ଚାକରି ଲାଗି ଦ୍ବାରେ ଦ୍ରାରେ ବୁଲି କେଵଳ ତୋଷାମଦ ଓ ପରିଶ୍ରମ ସାର 

ଜାତିଭେଦ କଣ୍ଠରୁ ମୁହଁଯାଏ କାର୍ଯ୍ୟ

– ନୀଚଜାତି ସଙ୍ଗରେ ବସି ଆହାର ଵ୍ୟଵହାର ବସା ଉଠା କରିଵା ଏଵଂ ‘‘ଜାନ ଯାଉ ମାନ ଥାଉ’’ ଏକଥାକୁ ଅଵହେଳା କରିଵା, ଫଳ – ଶେଷରେ ଉଚ୍ଚଜାତିମାନଙ୍କୁ ସ୍ଵହସ୍ତରେ ମୟଳା ସାଫ୍ କରିଵାକୁ ହେଵ ଏଵଂ ସମାଜ ବନ୍ଧନ ଶିଥିଳ । 

ପୂଝାରୀ – ଗଣ୍ଡା ଗଣ୍ଡା
 ପଣ୍ଡା ବଦଳରେ ଲଣ୍ଡା ବବୁର୍ଚି ତ ଖାନସମା, 
କାର୍ଯ୍ୟ - ମୁର୍ଗୀକବାବ ଭଲ ରାନ୍ଧି ପାରିଵ, ଫଳ ଜିହ୍ଵା ରୋଗ । 

ଅନୁକରଣ ପ୍ରିୟତା – ଚଉଦ ଅଣା ଶିକ୍ଷକ ଛାତ୍ର ଓ ଗୁରୁଶିଷ୍ୟ ସଙ୍ଗହୋଇ ଵେଶ୍ୟାଳୟକୁ ଯିଵା, ଏକସଙ୍ଗରେ ବସି ରଙ୍ଗ ତମାସା କରିଵା, ଇୟାକି ଦେବା, ଫଳ ସଭ୍ୟତାର ଵିସ୍ତାର ଓ ଗୁରୁଙ୍କ ଆଚରଣର ନମୁନା ଦେଖି ଛାତ୍ରର ଶିକ୍ଷା ଲାଭ – 

ଇତି ଶ୍ରୀ ହରପାର୍ଵତୀ ସମ୍ବାଦେ ନଵଵର୍ଷ ଫଳାଫଳ କଥନ ସମାପ୍ତ (ଭାଇ ପାଠକେ ! ଆପଣମାନେ ନଵଵର୍ଷର ଫଳାଫଳ ଶୁଣି ହୁଏତ ଵକ୍ତା ପ୍ରତି ଖଡ଼‌୍‌ଗହସ୍ତ ହୋଇପାର, ହୁଏତ ଖୁବ୍ ଖୁସି ହୋଇପାର – ସେଥିପାଇଁ ଆସେ ଯାଏ ନାହିଁ । ଯାହା ଯଥାର୍ଥ ତାହା ଵକ୍ତଵ୍ୟ –)

©ଉତ୍କଳ ଵ୍ୟାସ ଫକୀରମୋହନ ସେନାପତି

ହଜିଵାକୁ ବସିଥିଵା ନିଆରା ଓଡ଼ିଆ ଶବ୍ଦ ‘ସେକ୍‌ସେକିଆ’

ବେଳେବେଳେ ହଟାତ୍ ଗୋଟେ ଗୋଟେ ଶବ୍ଦ ମାଆଙ୍କଠାରୁ ମିଳିଯାଏ । ସତରେ ମାଆ ଆମର ପ୍ରଥମଗୁରୁ ପ୍ରଥମ ଶବ୍ଦଗୁରୁ । ମାଆ ଆମର ପ୍ରଥମ ଅଭିଧାନ ‌। ଆଜି ସେ ମୋତେ ଅଭିଧାରେ ସ୍ଥାନ ପାଇପାରିନଥିଵା ଓ ହଜିଵାକୁ ବସିଥିଵା ଆଉ ଏକ ଓଡ଼ିଆ ଶବ୍ଦ ସହିତ ପରିଚିତ କରାଇଲେ ଏଵଂ ସେହି ଶବ୍ଦଟି ହେଉଛି ‘ସେକ୍‌ସେକିଆ’ । 

ସେକ୍‌ସେକିଆ ଗୋଟିଏ ହଜିଵାକୁ ବସିଥିଵା ଓଡ଼ିଆ ଶବ୍ଦ । ଓଡ଼ିଆ ଭାଷାକୋଷ କି ସାହିତ୍ୟ ସମୂହରେ ଏହି ଶବ୍ଦ କି ଏହାର ଆଖପାଖ କୌଣସି ସମାର୍ଥକ ଶବ୍ଦ ଥିଵା ଜଣାଯାଏ ନାହିଁ । କେହି କଵି କି ଲେଖକ ଏହି ସେକ୍‌ସେକିଆ ଶବ୍ଦକୁ ନିଜ ସାହିତ୍ୟରେ ସ୍ଥାନ ଦେଇନାହିଁ କିନ୍ତୁ ଆମ କଥିତ ଓଡ଼ିଆ ଭାଷାରେ ସେକ୍‌ସେକିଆ ଶବ୍ଦ ମୁର୍ମୂଷୁପ୍ରାୟ ବଞ୍ଚି ରହିଛି ।

ତେବେ ଆମ ମାଆ ଜେଇମାନଙ୍କ ମୁଖରୁ ବେଳେ ବେଳେ ବାହାରି ପଡ଼େ ଏହି ସେକ୍‌ସେକିଆ ଶବ୍ଦ।

ଢେଙ୍କାନାଳର କଥିତ ଶୈଳୀରେ ଏହି ଶବ୍ଦ ପ୍ରୟୋଗ କରି ଲୋକେ କୁହନ୍ତି...
“ଏ ଯାଗାଟା କେତେ ସେକ୍‌ସେକିଆ,
ଘରକୁ ଯା’ହାରି”

ସେକ୍‌ସେକିଆ ପରି ନୂଆ ଶବ୍ଦଟିଏ ପାଇଲେ ଆମେ ପୁଲକିତ ହୁଅନ୍ତି  । ୟୁରେକା ୟୁରେକା ବୋଲି ଶବ୍ଦ କର୍ଣ୍ଣରେ ଗୁଞ୍ଜରିତ ହେଵାକୁ ଲାଗେ ।

କିନ୍ତୁ ହାୟ୍ !
ପୂର୍ଣ୍ଣଚନ୍ଦ୍ର ଭାଷାକୋଷଠାରୁ କୌଣସି କଥିତ ଓଡ଼ିଆ ଶବ୍ଦକୋଷ ଯାଏଁ କୋଉଠି ବି ଏଭଳି କୌଣସି ସ୍ଥାନିତ ହୋଇନାହିଁ  ।  ଅଵଶ୍ୟ ମାଆମାନଙ୍କ ପାଖକୁ ଯାଇ ପଚାରିଲେ ସେମାନେ  “ଓଦାଳିଆ ସନ୍ତସନ୍ତିଆ ସ୍ଥାନକୁ ସେକ୍‌ସେକିଆ କୁହାଯାଏ ବୋଲି କହିଥାନ୍ତି ।

ହେଲେ ଆମ ଭାଷାରେ ସେକ୍‌ସେକିଆ ଭଳି ଗୋଟିଏ ଶବ୍ଦ ଅଛି “ସେକିଵା” କିନ୍ତୁ ଏହା ପ୍ରୋକ୍ତ  ସେକ୍‌ସେକିଆ ଶବ୍ଦର ସମ୍ପୂର୍ଣ୍ଣ ଵିପରୀତ ଅର୍ଥ ଘେନି ଵ୍ୟଵହାର ହେଉଅଛି ।

ସେକିଵା କ୍ରିୟା ଶବ୍ଦ ତତ୍ସମ ଶ୍ରେଷ୍ ଧାତୁରୁ ନିଷ୍ପନ୍ନ ତଥା ଜଳାଇଵା ତତାଇଵା ଅର୍ଥରେ ପ୍ରୟୋଗ ହେଉଥିଵା ଶ୍ରେଷଣ ସହିତ ସମୋଦ୍ଧୃତ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ଅଛି ।‌  ଏହି ସେକିଵା କ୍ରିୟାଟି ସିଧାସଳଖ ଶ୍ରେଷଣ ଶବ୍ଦରୁ ନିଆଯାଇନାହିଁ ଵରଂ ଏହା ମୂଳ ପ୍ରାକୃତ ଭାଷାରୁ ତତ୍ସମ ଶ୍ରେଷ୍ ଧାତୁ ଭଳି ସମୁତ୍ପନ୍ନ ହୋଇଅଛି । ସୌରସେନୀ ପ୍ରାକୃତର *𑀲𑁂𑀓𑁆𑀓𑀤𑀺 (*sekkadi), ପୂର୍ଵୀ ପ୍ରାକୃତର *𑀲𑁂𑀓𑀢𑀺 (*sekati),ନେପାଳୀ सेक्नु (seknu), ପଞ୍ଜାବୀ  ਸੇਕਣਾ (sekṇā) / سیکݨا‎ (sekṇā), ସିନ୍ଧୀ سيڪَڻُ‎ / सेकणु, سيڪو‎ / सेको, سيڪُ‎ / सेकु, ଗୁଜରାଟୀ શેકવું (śekvũ),ମରାଠୀ शेकणे (śekṇe), ହିନ୍ଦୀ सेंकना , ବଙ୍ଗାଳୀ সেকা (śeka), ଓ ଅହମିଆ  সেকা (xeka) ଇତ୍ୟାଦି ଏ ଶବ୍ଦର ଭାରତଵର୍ଷର ଭିନ୍ନ ଭିନ୍ନ ଭାଷାରେ ଵିଭିନ୍ନ ରୂପେ ପ୍ରୟୋଗ ହେଇଥାଉଛି ।‌

ତେବେ ସେକିଵା କ୍ରିୟା ଶବ୍ଦ ସହିତ ଆମ ଢେଙ୍କାନାଳର ସେକ୍‌ସେକିଆ ଶବ୍ଦର ଵାହ୍ୟ ରୂପସାମ୍ୟ ଥିଲେ ହେଁ ଅର୍ଥଗତ ଭିନ୍ନତା ଦୃଷ୍ଟିରୁ କୌଣସି ସମ୍ପର୍କ ନଥାଇପାରେ ।

ଅସ୍ତୁ ସଂସ୍କୃତ ଭାଷାରେ ସିଚ୍ ଧାତୁ(ସିଞ୍ଚନ କରିଵା)ରୁ ନିଷ୍ପନ୍ନ ସେକ ଶବ୍ଦ ସହିତ ଏହାର ସମୋଦ୍ଧୃତଗତ ସମ୍ପର୍କ ଥିଵା ନିଶ୍ଚୟ ଅନୁମାନ କରାଯାଇପାରେ ।

ସେକିଵା କର୍ମାର୍ଥକ ଦେଶଜ ସେକ ଶବ୍ଦଠାରୁ ଭିନ୍ନ ତତ୍ସମ ସେକ ଶବ୍ଦଟି  ସେଚନ କରିଵା , ଜଳ ଆଦି ଛିଞ୍ଚିଵା ଅର୍ଥରେ ପ୍ରୟୋଗ ହୋଇଥାଏ ।

ସେଣା(ସେଚନୀ)କୁ ସେକପାତ୍ର କୁହାଯାଏ । ଏହି ପାତ୍ରଦ୍ଵାରା ଏକ ସ୍ଥାନରୁ ପାଣିକୁ ଉଠାଇ ଦୂରକୁ ପକାଇଵାକୁ ହୁଏ ଵା କ୍ଷେତକୁ ପାଣି ବୁହାଯାଏ । ସେଣାର ଅନ୍ୟ ଦୁଇଟି  ତତ୍ସମ ନାମ ସେକ ଭାଜନ ଓ ସେକ୍ତ୍ର ଅଟଇ । ସେହିପରି  ସେଚନକାରୀ ତଥା  ନିଷେକକାରୀକୁ ସେକ୍ତା କୁହାଯାଏ । ଏ ସମସ୍ତ ଶବ୍ଦର ମଧ୍ୟ ସେଚନାର୍ଥକ ତତ୍ସମ ସେକ ଶବ୍ଦ ସହିତ ସମ୍ପର୍କ ରହିଛି ‌।‌

ଜଳ ସିଞ୍ଜନ କରିଵାକୁ ସଂସ୍କୃତ ଭାଷାରେ ସେକ କୁହାଯାଏ ଏଵଂ ଯେଉଁ ସ୍ଥାନରେ ଜଳ ସିଞ୍ଜନ କରାଯାଏ ଉକ୍ତ ସ୍ଥାନ ଓଦା ହୋଇଯାଏ । ହୁଏତ ଏହି କାରଣରୁ କେହି ସେକ ଶବ୍ଦର ପ୍ରୟୋଗ କରିଥିଵ ଯାହା ପରେ ସେକ୍‌ସେକିଆ ଶବ୍ଦରୂପେ ଚଳିଵାକୁ ଲାଗିଥିଵ । ମତାନ୍ତରେ ସିକ୍ତ ଶବ୍ଦରୁ ମଧ୍ୟ ସେକ୍‌ସେକିଆ ଶବ୍ଦ ସୃଷ୍ଟି ହୋଇଥିଵା ସମ୍ଭଵ । ତତ୍ସମ ସେକ ଶବ୍ଦ ଭଳି ତତ୍ସମ ସିକ୍ତ ଶବ୍ଦ ମଧ୍ୟ ସଂସ୍କୃତ ଧାତୁଶବ୍ଦ ସିଚ୍ ଧାତୁରୁ ନିଷ୍ପନ୍ନ ହୋଇଅଛି । ସେକ୍‌ସେକିଆ ଭଳି ଆମ ଭାଷାରେ ସିକିସିକା,ସିକ୍‌ସିଗା,ସିଗ୍‌ସିଗା ,ସେଗ୍‌ସେଗା,ସିକିସିକିଆ ଆଦି ଏହି ଶବ୍ଦର ଅନେକ ରୂପ ଚଳୁଅଛି ଏଵଂ ତତ୍ସମ ସେକ ଶବ୍ଦ ଅପେକ୍ଷା ସିକ୍ତ ଶବ୍ଦ ଆଦ୍ର ଅର୍ଥରେ ସାହିତ୍ୟରେ ଅଧିକ ପରିମାଣରେ ଵ୍ୟଵହୃତ ହୋଇଥାଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଅନ୍ୟ ଏକ ଦିଗରୁ ସିକ୍ତ ଶବ୍ଦରୁ ସନ୍ତସନ୍ତିଆ ଶବ୍ଦ ମଧ୍ୟ ସୃଷ୍ଟି ହୋଇଅଛି ବୋଲି ମତ ପୋଷଣ କରାଯାଇଛି । ତେଣୁ ହୁଏତ ପୂର୍ଵେ ସିକ୍ତ ଶବ୍ଦରୁ ଏକ ଦିଗରେ ସନ୍ତସନ୍ତିଆ ଶବ୍ଦ ସୃଷ୍ଟି ହୋଇଥିଵା ବେଳେ ଅନ୍ୟ ଏକ ଦିଗରେ ସେକ୍‌ସେକା,ସେକ୍‌ସକିଆ,ସିକ୍‌ସିଗି ଓ ସିଗ୍‌ସିଗା ଆଦି ସୃଷ୍ଟି ହୋଇଅଛି ବୋଲି ଅନୁମାନ କରାଯାଇପାରେ ।‌

ସେଯାହା ହେଉ ନା କାହିଁକି ଓଡ଼ିଆ ଶବ୍ଦ ସମ୍ଭାରର ଏହି ଶବ୍ଦଟି ଏକ ଅଳ୍ପ ଆଲୋଚିତ ଓ ସାହିତ୍ୟ ତଥା ପୁସ୍ତକାଦିରେ କମ୍ ଵ୍ୟଵହୃତ ଓଡ଼ିଆ ଶବ୍ଦ । ଏହି ଶବ୍ଦକୁ କଵି ଲେଖକମାନେ ସାହିତ୍ୟରେ ସ୍ଥାନ ଦେଲେ
ଏହା ଵ୍ୟାପକ ଓ ସର୍ଵପରିଚିତ ହୋଇପାରନ୍ତା । 

Thursday, December 30, 2021

ବଡ଼ ବିଲେଇ

ସତୁରୀଦଶକ ସମୟର କଥା । ଯାହାଙ୍କ କାହାଣୀ କୁହାଯାଉଛି ସେ ଲୋକ ପୁରୀର ଏକ ଉପକୂଳଵର୍ତ୍ତୀ ଗ୍ରାମର ଅଧିଵାସୀ । ନୂଆ ନୂଆ ସମ୍ବଲପୁର ଜିଲ୍ଲାରେ ସରକାରୀ ଚାକିରୀଟିଏ ପାଇଥାନ୍ତି ‌। ସପ୍ତାହକୁ ଥରେ ଶନିଵାର ସନ୍ଧ୍ୟାରେ ସମ୍ବଲପୁରରୁ ପୁରୀ ଯାଆନ୍ତି ପୁଣି ରଵିଵାର ଦିନ ସମ୍ବଲପୁର ଫେରନ୍ତି ।

ତେବେ କେବେକେବେ ସୁଵିଧା ନହେଲେ ଗାଆଁକୁ ଯାଆନ୍ତି ନାହିଁ ଵରଂ ସମ୍ବଲପୁର ନଗରରେ ଛୁଟି କଟାଇ ଦିଅନ୍ତି । ଥରେ ସେ ବାବୁ ସମ୍ବଲପୁରରୁ ପୁରୀକୁ ରେଳ ଯୋଗେ ଯାଉଥାନ୍ତି । କୌଣସି କାରଣରୁ ସେଦିନ ଉକ୍ତ ଟ୍ରେନରେ ସେତେ ଲୋକ ଯାଉନଥିଲେ । 

ବାଟରେ ଗାଡ଼ି କ'ଣ ଅଖଞ୍ଜ ହେଲା କେଜାଣି ଗାଡି଼କୁ ଏକ ଛୋଟିଆ ଷ୍ଟେସନରେ ରଖିଵାକୁ ହେଲା । ଉକ୍ତ ଛୋଟିଆ ଷ୍ଟେସନଟି ଯେମିତି ପାଖ ହେଵାକୁ ଲାଗିଲା ରେଳଗାଡ଼ି ଧୀର ହେଵାକୁ ଲାଗିଲା । ଷ୍ଟେସନରେ ପହଞ୍ଚିଵାରୁ  ରେଳଗାଡ଼ି ଭିତରେ ଥାଇ ବାବୁଜଣକ ବାହାରକୁ ଅନାଇ ଥାଆନ୍ତି ‌।

ଦେଖିଲେ ବାହାରେ ସୁନ୍ଦରିଆ ବଡ଼ ବିଲେଇଟିଏ ଲାଙ୍ଗୁଡ଼ ହଲାଇ ହଲାଇ ବଡ଼ ସ୍ନେହମୟ ନୟନରେ ତାଙ୍କ ଆଡ଼କୁ ଅନାଉଅଛି । ବାବୁ ତ ୟା ପୂର୍ଵରୁ କେବେ ଏଡେ଼ ବଡ଼ ବିଲେଇ ଦେଖିନଥିଲେ । ତାଙ୍କୁ ବଡ଼ ଆଶ୍ଚର୍ଯ୍ୟ ଲାଗିଲା । ସେ ତାହାର ରୂପରେ ମୋହିତ ହେଲେ । ତାଙ୍କ ହୃଦୟ ସ୍ନେହ ପ୍ରେମ ରୂପ ଦୈଵୀଗୁଣରେ ପୂର୍ଣ୍ଣ ହୋଇଗଲା ‌ । ବାବୁଜଣକ ସେହି ବଡ଼ ବିଲେଇଟାକୁ ଗେଲ କରିଵାକୁ ରେଳଗାଡ଼ି କବାଟ ଖୋଲି ଦେଇ ପଦାକୁ ବାହାରିଗଲେ ।

ବଡ଼ ବିଲେଇଟି ସେତେବେଳକୁ  ଲାଙ୍ଗୁଳ ଜାକି ବସିଥାଏ ‌ । ଯେମିତି ବାବୁଙ୍କୁ ଆସୁଥିଵାର ଦେଖିଲା ଉତ୍ସାହିତ ହେଲା ଭଳି ଲାଙ୍ଗୁଡ଼କୁ ଧିରେଧିରେ ହଲାଇଵାକୁ ଲାଗିଲା ‌ । ବାବୁ ତା ପାଖରେ ପହଞ୍ଚି ତା ମୁଣ୍ଡରେ ହାତ ଦେଵାକୁ ଯାଉଥିଵା ବେଳେ ହଠାତ୍ ବଡ଼ ବିଲେଇଟି ତାଙ୍କୁ ନିଜ ତୀକ୍ଷ୍ଣ ଦାନ୍ତରେ କାମୁଡ଼ି ଦେଵାକୁ ଚେଷ୍ଟା କଲା ।

ବାବୁଙ୍କ ହୃଦୟକୁ ଵିସ୍ମୟ, ଦୁଃଖ,ଭୟ  ଆଦି ଭାଵ ଅଧିକାର କରିନେଲା । ଭୟରେ ଝଟ୍ ରେଳଗାଡ଼ି ଭିତରକୁ ପଶିଯାଇ ବାଟ କିଳିଦେଲେ ।

ବାବୁଙ୍କୁ ଉକ୍ତ ବଡ଼ ବିଲେଇଟି ଉତ୍ସୁକତାର ସହ ଅନାଇ ଥାଏ । ବାବୁ ୟେ କ'ଣ ହେଲା କିଛି ବୁଝିପାରିଲେ ନାହିଁ । ସେହି ରେଳଡବାରେ ଆଉ ଜଣେ ଲୋକ ବସି ଏସବୁ ଘଟଣା ଦେଖୁଥିଲା । ସେ ତହୁଁ ବାବୁଙ୍କ ପାଖକୁ ଆସି କହିଲା
— “ତମେ ବୋକା ନା ମୂର୍ଖ କିଓ ?”
—ମାନେ ? ଆପଣ କ'ଣ କହିଵାକୁ ଚାହୁଁଛନ୍ତି ?
— ଆହେ ! ତମେ କ'ଣ ତମ ଜୀଵନରେ କେଭେ ବାଘ ଦେଖିନା ନା କିୟଣ ଵା ?
— ନାହିଁ ଆଜ୍ଞା ! ଆମର ନିପଟ ମଫସଲ ଅଞ୍ଚଳ ! ବାଘ ନାଆଁ ଶୁଣିଛି ତା ଗପ ଛୋଟବେଳୁ ଶୁଣିଛି କିନ୍ତୁ ବାଘ କେବେ ଦେଖିନାଇଁ ତ !

ଲୋକଟି ଟିକିଏ ଗମ୍ଭୀର ହୋଇ ବାବୁଙ୍କୁ ପ୍ଲାଟଫର୍ମ ଉପରେ ବସିରହିଥିଵା ସେହି ବଡ଼ ବିଲେଇ ଆଡ଼କୁ ଆଙ୍ଗୁଠି ଦେଖେଇ କହିଲା “ହେଇ ଦେଖ ଏଇଟା ହେଉଛି ସେଇ ବାଘ,ଭାଗ୍ୟଭଲ ଆଜି ବଞ୍ଚିଗଲ ନୋହିଲେ ...”

ବାବୁ ବୁଝିଲେ ସବୁ ସୁନ୍ଦରିଆ ଆକର୍ଷଣୀୟ ଜୀଵ କି ଦରଵ ସମସ୍ତଙ୍କ ପାଇଁ ଭଲ , ଉତ୍ତମ କି ଶୁଭଙ୍କର ହୋଇନଥାଏ । ଅପରୂପା ସୁନ୍ଦରୀ ବାଘୁଣୀ ହୋଇ ଜୀଵନ ନେଇପାରେ ପୁଣି କେଶୋ ଦାସ ମାରୁ ଭଳି ସାଧୁବେଶଧାରୀ ଭଣ୍ଡଭକ୍ତ ବି ଶ୍ରୀମନ୍ଦିର ଲୁଟିପାରେ ।

ଲୁପ୍ତପ୍ରାୟ

ବ୍ରାହ୍ମଣୀ ନଦୀକୂଳରେ ଛୋଟିଆ ଗାଆଁଟିଏ ଶ୍ରୀମନ୍ତପୁ୍ର ।‌ ଗାଆଁର ନାଆଁ ସିନା ଶ୍ରୀମନ୍ତପୁର କିନ୍ତୁ ଏ ଗାଆଁରେ ଅଧିକାଂଶ ଲୋକ ଦରିଦ୍ର ଓ ଅଳ୍ପଶିକ୍ଷିତ । ଗାଆଁକୁ ଲାଗି ଗୋଟିଏ ଛୋଟିଆ ବୁଦୁବୁଦୁକିଆ ଜଙ୍ଗଲ ଏଵଂ ସେହି ଗାଆଁର ପୂର୍ଵପାର୍ଶ୍ଵରେ ବ୍ରାହ୍ମଣୀ ନଦୀ ପ୍ରଵାହିତ ହେଉଛି । ସେ ଗାଆଁର ଗୋଟିଏ ପରିଵାରରେ ଚାରିଜଣ ସଦସ୍ୟ ରହନ୍ତି । ଦିନକର ଘଟଣା । ଉକ୍ତ ପରିଵାରର ଜଣେ ସଦସ୍ୟ ରାତି ଅଧରେ ଘରଠାରୁ ତିନିଶହ ମିଟର ଦୂରରେ ଥିଵା ପାଇଖାନାକୁ ଯାଇଥାଏ । ସେ ପାଇଖାନା ଉପରେ କଙ୍କ୍ରୀଟ୍ ଛାତ ନଥିଲେ ବି ଆଜବେଷ୍ଟସ ପଡି଼ଥିଲା ଏଵଂ ପଵନ ଯାଆ ଆସ ପାଇଁ ତିନିପଟ କାନ୍ଥର ଉପରେ ଏକହାତ ଲମ୍ବ ଓ ଅଧହାତ ପ୍ରସ୍ତର ଏକ ଏକ କଣା ରହିଥିଲା । ପାଇଖାନାର କବାଟଟି ପୁରୁଣା ଶାଳକାଠରେ ତିଆରି ହୋଇ ଲଗାଯାଇଥିଲା ।

ଲୋକଟି ଉକ୍ତ ପାଇଖାନାକୁ ଝାଡା଼ଯାଇ ବସିଛି ଏତିକିବେଳେ ଗୁଡା଼ଏ କୁକୁର ଭୁକିଵା ଆରମ୍ଭ କରିଦେଲେ । ପାଇଖାନାକୁ ଝାଡା଼ଯାଇଥିଵା ଲୋକଟି ଅସମୟରେ ବାଡି଼ପଟେ କୁକୁର ଭୁକିଵା ଶୁଣି ଭୟଭୀତ ହେଲା । ସେ ଗାଆଁରେ ରାତିଅଧରେ ଦାଣ୍ଡପଟେ କୁକୁର ଭୁକିଵା ଆଦୌ ନୂଆକଥା ନଥିଲା କିନ୍ତୁ ବାଡି଼ପଟରେ କୁକୁର ଭୁକିଵା ତାପାଇଁ ନୂଆ ଥିଲା ।

କିନ୍ତୁ ହଠାତ୍ କୁକୁରମାନଙ୍କ ଭୁକା ବନ୍ଦ ହୋଇଗଲା ଏଵଂ
କୁକୁରମାନେ କାଉଁ କାଉଁ ଶବ୍ଦକରି ପଳାଇଯାଉଥିଵାର ମଧ୍ୟ ଲୋକଟି ଶୁଣିଵାକୁ ପାଇଲା  ।

ସମ୍ଭଵତଃ ପ୍ରଧାନ ଘରର କେହି ଲୋକ ଉଠି କୁକୁରମାନଙ୍କୁ ଘଉଡି଼ ଦେଇଥିଵ ଏହା ମନରେ ଵିଚାରକରି ସେ ଲୋକଟି ନିଶ୍ଚିତ ହୋଇ ଝାଡ଼ା ବସିଲା ।

ଲୋକଟା ପାଇଖାନା ଭିତରେ ଝାଡା଼ ବସିଥାଏ ଏଣେ ମୋବାଇଲରେ ଫେସବୁକ ଖୋଲି ଦେଖୁଥାଏ । ହଁ ଏମିତି ଅନେକେ କରନ୍ତି ଖାଇଲାବେଳେ ଫୋନ୍ ଶୋଇଲାବେଳେ ଫୋନ୍ ଗାଡ଼ିରେ ଚଢ଼ି ଗଲାବେଳେ ହେଲମେଟ୍ ଭିତରେ ଫୋନ୍ ଏମିତିରେ ସେ ଲୋକଟି ଵା ଏଥିରୁ ଵାଦ୍ କେମିତି ଯାଆନ୍ତା ଯେ ?
ସେ ଯାହାହେଉ ଫୋନ୍ ଧରି ୟେ ଲୋକ ପାଇଖାନା ଭିତରେ ବସିଥାଏ । କେଇ କ୍ଷଣ ପରେ କୌଣସି ଗୋଟିଏ ଅଜଣା ଜୀଵ ଆସି ପାଇଖାନା କବାଟକୁ ନଖରେ ରାମ୍ପୁଡି଼ଵାକୁ ଲାଗିଲା ।

ଲୋକଟି କୁକୁର ଭାବି ଛେଇ ଛେଇ ଶବ୍ଦ କରି ତାକୁ ଘଉଡା଼ଇଵାକୁ ଚେଷ୍ଟା କଲା ଏଵଂ ନିଜ ମୋଵାଇଲର ଆଲୋକ ମାରି ତାକୁ ଡରାଇଵାକୁ ମଧ୍ୟ ଚେଷ୍ଟା କଲା । ତେବେ ସେ ଜୀଵଟି କୁଆଡେ଼ ନଯାଇ  ପୂର୍ଵ ଭଳି ପାଇଖାନା କବାଟକୁ ରାମ୍ପୁଡୁ଼ଥାଏ ଓ ଆପଣା ପାଦଦ୍ଵାରା ଆଘାତ କରୁଥାଏ ।

ଏବେ ସେ ଲୋକ ବହୁତ ଡରିଗଲା । ସେ ପାଇଖାନାକୁ ନେଇଥିଵା ବାଲ୍ଟିରୁ ପାଣି ଢାଳେ ନେଇ ପାଇଖାନା କବାଟ ଉପରେ ଥିଵା ଅଧ ହାତ ଫାଙ୍କା ଗଳିବାଟରେ ବାହାରକୁ ଫିଙ୍ଗିଲା କିନ୍ତୁ କୌଣସି ସୁଫଳ ମିଳିଲା ନାହିଁ ।

ଇଏ ଆଉ ସେ ମିଶ୍ରଘରର କାଳିଆକୁକୁର ଟିପୁ ନୁହେଁ ତ ? ମିଶ୍ରବାବୁଙ୍କ କୁକୁରର ବୁଦ୍ଧି ଠିକ୍ ନୁହେଁ ସେ ଲୋକଙ୍କୁ ବଡ଼ ହଇରାଣ କରେ । ବଡ଼ ଦୁଷ୍ଟ ସେଇଟା । ହେଇ ଦୁଇମାସ ତଳେ ଏଇ ମେଞ୍ଚଡ଼ କୁକୁରଟା  ରାଧା ଅପା ପଛରେ ପଡ଼ିଯାଇଥିଲା । ରାଧା ଅପାଙ୍କ ଘରେ ପସିଯିଵାରୁ ଅପା ପାହାରେ ପିଟିଦେଇଥିଲେ ‌ । ସେଦିନଠୁ ଏଇଟା ତାଙ୍କ ପଛରେ ଲାଗିଗଲା । ସେ ଯୁଆଡ଼େ ଯାଆନ୍ତି ଇଏ ପଛେ ପଛେ ଥାଏ । ସତେ ଯେମିତି ଏକେଲା ପାଇଲେ କାମୁଡ଼ି ଗୋଡା଼ନ୍ତା । ରାଧାଅପା କିନ୍ତୁ ଭାଆରି ଗାଲେଇ । ଟିପୁ କୁକୁରକୁ ପାଖରେ ଦେଖିଲେ ଦାନ୍ତ କଡମଡ କରନ୍ତି ତା ଉପରକୁ ବୋଲୁଅ ଛାଡ଼ନ୍ତି । ୟେ କୁକୁର କିନ୍ତୁ ସହଜେ ଛାଡ଼ିଵା ଜନ୍ତୁ ନୁହେଁ ‌ । ଦିନେ ରାଧାଅପା ଆଉ ପାଖ ଗାଆଁର ମୋହନ ଭାଇ ତୋଟାରେ ଲୁକି ଲୁକି କ'ଣ ସବୁ କରୁଥିଲେ । ଟିପୁଟା ଯେମିତି ଦେଖିଲା ପାଖ ବାହାଳିରେ ତା ଭାଇକି ଧରି ଆଇଁଲା । ଏମିତି କ'ଣ କୋଉ କୁକୁର କରିପାରେ ଏଇଟା ନିଶ୍ଚେ ଗୋଟେ ଯୋଗଜନ୍ମା । 

ଲୋକଜଣକ ଟିପୁକୁକୁରର ଗୁଣ ସୁମରି ପାଇଖାନାରେ ଥାଇ ମିଶ୍ରଘର ଲୋକଙ୍କୁ ଶୋଦିଲା ଏଵଂ ଟିପୁ ତୋର ଅମକ ଟିପୁ ତୋର ସମକ କହି ବହେ ଗାଳି  ମଧ୍ୟ ଦେଲା କିନ୍ତୁ କବାଟରେ ପଦାଘାତ ଓ ନଖାଘାତ ବନ୍ଦ ହେଲାନାହିଁ ।

ଲୋକଟା ଭୀଷଣ ରାଗିଗଲା । ସେ ବଡ଼ପାଟିକରି ପଡି଼ଶାଘରର ରାମ ପରିଡ଼ାପୁଅ ଚନ୍ଦକୁ ଡାକିଲା,ଶାମ  ବେହେରା ମଉସାଙ୍କୁ ବି ଡାକିଲା କିନ୍ତୁ କେହି ଉତ୍ତର ଦେଲେନି । ରାତି ଅଧରେ ତ ସବୁ ଶୋଇଯାଇଛନ୍ତି କିଏ ଵା କାହିଁକି ତା କଥା ଶୁଣିଵ ଯେ  ?

ସେଇଠୁ ଲୋକଟି ନିଜ ଫୋନରେ ତାଙ୍କ ଘର ଫୋନ୍'କୁ କଲ୍ କଲା କିନ୍ତୁ କେହି ଫୋନ୍ ଉଠାଇଲେ ନାହିଁ । ୟା ଭିତରେ  ପାଇଖାନା କବାଟରେ ନଖମରା ବନ୍ଦ ହୋଇଯାଇଥାଏ । ସିଏ ମନେ କଲା  ବୋଧହୁଏ ମିଶ୍ରବାବୁଙ୍କ କୁକୁରଟା ଚାଲିଗଲା ।  ରକ୍ଷା ହେଲା ! ଲୋକଟି ଶୌଚକର୍ମ ସାରି କବାଟ ଫାଙ୍କବାଟେ ପଦାକୁ ଅନାଇ ଦିଅନ୍ତେ ପୂର୍ଵୋକ୍ତ ଅଜ୍ଞାତ ଜୀଵଟି ସେଇ ପାଇଖାନା କବାଟ ଉପର ଫାଙ୍କବାଟ ଦେଇ ପାଇଖାନା ଭିତରକୁ ଡେଇଁଵାକୁ ଚେଷ୍ଟା କଲା ।

ଶକ୍ତ ଶାଳକାଠ ଓ ଲୁହା ଶିକୁଳି ଯୋଗୁଁ କବାଟର ସିନା କିଛି ହେଲାନାହିଁ କିନ୍ତୁ ପାଇଖାନା ଭିତରେ ଥିଵା ଲୋକଟି ସେତେବେଳକୁ ଭୟରେ ବରଡା଼ ପତ୍ରଭଳି ଥରିଵାକୁ ଲାଗିଥାଏ ।
ଏଇଟା କ'ଣ ସେଇ ଲୁପ୍ତପ୍ରାୟ ଜୀଵ? ସେ ନିଜକୁ ନିଜେ ପ୍ରଶ୍ନ କରିଵାକୁ ଲାଗିଲା ‌।

କାରଣ ଲୋକଟା ମୋବାଇଲ ଆଲୁଅରେ ସେହି ଜୀଵର ସାମାନ୍ୟ ଝଲକ ପାଇ ଜାଣି ଯାଇଥିଲା ଯେ ଆଜି ତା'ର ଜୀଵନ ଯାଇପାରେ । ଥରିଥରି ଲୋକଟା ମୋବାଇଲରେ ଟିପାଟିପି କରି କ'ଣ ସବୁ ଉଣ୍ଡିଵାକୁ ଲାଗିଲା । ବହୁତ ଖୋଜାଖୋଜି କଲାରୁ ଗୋଟିଏ ଜୀଵର ଚିତ୍ର ବାହାରିଲା । ସେ ଜୀଵକୁ ସେ ଛୋଟବେଳେ ଟିଵିରେ ଦେଖିଥିଲା ହଁ ଆଜି ଏଇ ଜୀଵଟି ହାବୁଡ଼ରେ ସେ ପଡ଼ିଯାଇଛି ।  ମାତ୍ର ୨୦୩୦ପରେ ୟେ ଜୀଵ  ସଂସାରରୁ ଲୁପ୍ତ ସୋଇସାରିଛନ୍ତି ବୋଲି ଅନ୍ତର୍ଜାଲରେ ଲେଖା ହୋଇଛି !!! ଆଉ କ'ଣ ସାକ୍ଷାତ ଯମରାଜ ସେ ଜୀଵର ରୂପଧରି ତାର ପ୍ରାଣ ନେଇଯିଵାକୁ ଚାଲି ଆସିଛନ୍ତି କି ?

ଇତିମଧ୍ୟରେ ପାଇଖାନା ମଧ୍ୟରେ ଥିଵା ଲୋକଟିର ଫୋନ୍ ରିଙ୍ଗ୍ ହେଵାକୁ ଲାଗିଲା । ସେପଟରୁ ତା ସାନଭାଇ କ'ଣ ହେଲା ବୋଲି ଉକ୍ତ ଲୋକକୁ ପଚାରିଲା ।

ଲୋକଟି ଡରି ଡରି କହିଲା , ମୁଁ ପାଇଖାନା ଭିତରେ ଅଛି ଆଉ ଆମ ପାଇଖାନା କବାଟ ଆଗରେ ଗୋଟେ ହିଂସ୍ରଜନ୍ତୁ ମୋତେ ମାରି ଖାଇଵାକୁ ଜଗି ବସିଛି ।”

ଲୋକଟାର ସାନଭାଇ କହିଲା ମୁଁ ଯାଉଛି କିନ୍ତୁ ସେ ତାକୁ ମନାକଲା କହିଲା “ଭୁଲରେ ବି ଏକେଲା ଆସିବୁ ନାହିଁ ଏ ଜୀଵ ବଡ଼ ଶକ୍ତିଶାଳୀ ଓ ବୁଦ୍ଧିଆ  । ତୁ ଏକାକୀ ତାକୁ ପାରିବୁନିରେ !ଅନେକ ଲୋକ ନହେଲେ ଆକୁ ଏଠୁ ତଡି଼ଵା ସହଜ ନୁହେଁ ।”

ତା ସାନ ଭାଇ ପଚାରିଲା ତାହେଲେ କ'ଣ କରିଵା ?

ଲୋକଟି ତା ଭାଇକୁ କହିଲା "ଗାଆଁ ଲୋକେ କେହି ଆସିବେ ନାହିଁ । ଏକେ ତ ଶୀତରାତି ପୁଣି ରାତିଅଧ ସବୁ ଶୋଇଛନ୍ତି  ଵରଂ ତୁ ପାଖ ଚିଡି଼ଆଖାନା ଓ ପୋଲିସ ଷ୍ଟେସନକୁ ଫୋନ କରିଦେ , ସେ ପର୍ଯ୍ୟନ୍ତ ମୁଁ ପାଇଖାନା ଭିତରେ ରହିଥିଵି ।

ସକାଳ ଯାଇ ପାହାନ୍ତା ହେଲା କିନ୍ତୁ ଉକ୍ତ ହିଂସ୍ର ଜୀଵଟି ପାଇଖାନା ଛାଡ଼ି କୁଆଡେ଼ ଗଲାନାହିଁ କି ପାଇଖାନା ଭିତରେ ଥିଵା ଲୋକ ମଧ୍ୟ ବାହାରକୁ ବାହାରିଵାକୁ ସାହସ କଲା ନାହିଁ ।

ସବୁଦିନ ଚାରିଟା ସମୟରେ ପ୍ରଧାନଘର ବୁଢ଼ା ଜୟ ଶ୍ରୀରାମ ଜୟଶ୍ରୀରାମ ଡାକି ଡାକି ନିତ୍ୟକର୍ମ ସମ୍ପାଦନ କରନ୍ତି ଆଜି କିନ୍ତୁ ତାଙ୍କର ଶୋର୍ ଶବଦ ଶୁଣାଯାଉନାହିଁ । ପଡି଼ଶାଘରର ଚେମି ମାଉସୀ ରାତି ନପାହୁଣୁ ବାଡି଼ଘର ଚାରିପାଖ ପହଁରା ଧରି ଝାଟେଇଥାଏ ଆଉ ଗୀତ ବୋଲି ବୋଲି ଛରାପାଣି ପକାଏ କିନ୍ତୁ ଆଜି ତାହାର ପାଟି ମଧ୍ୟ ଶୁଣାଯାଉନାହିଁ ।  ଏସବୁ ଦେଖି ସିଏ ବୁଝିଗଲା ଯେ ଗାଆଁଟା ଯାକର ଲୋକ ତାଙ୍କ ଗାଆଁକୁ ଗୋଟେ ହିଂସ୍ର ଜନ୍ତୁ ଆସିଥିଵା କଥା ଜାଣିସାରିଲେଣି ତେଣୁ ସମସ୍ତେ ଘର ଭିତରେ ରହିଛନ୍ତି କେହି ପଦାକୁ ବାହାରୁ ନାହାଁନ୍ତି ।

ବଡି଼ଭୋରରୁ ପୋଲିସ ଦଳ ସହ ଵନରକ୍ଷୀ ଆସି ଉକ୍ତ ଜୀଵକୁ ଧରିଵାପରେ ଯାଇ ପାଇଖାନାରୁ ଲୋକଟି ବାହାରିଲା । ଲୋକଟି ଵନରକ୍ଷୀ ଓ ଆରକ୍ଷୀମାନଙ୍କୁ ଧନ୍ୟଵାଦ ଜଣାଇଲା ।‌ ପଚାରିଵାରୁ ଆରକ୍ଷୀଜଣକ କହିଲେ "ଏ ଜୀଵଟି ଲୁପ୍ତପ୍ରାୟ ବୋଲି ଆମେ ଭାବୁଥିଲୁ । ପୃଥିଵୀ ପୃଷ୍ଠରେ ଆଉ ମାତ୍ର ହାତଗଣତି କେତୋଟି ବଞ୍ଚିଯାଇଛନ୍ତି ‌। ଏ ଜୀଵଟି ପାଖ ଜଙ୍ଗଲରୁ ଏଠାକୁ ଆସିଛି ପଦଚିହ୍ନରୁ ଜଣାପଡି଼ଛି । ବୋଧହୁଏ ଆଖପାଖ ଗାଆଁର ଅନେକ ଲୋକ ଓ  ତାଙ୍କର ଗୃହପାଳିତ ପଶୁମାନଙ୍କୁ ଇଏ ମାରି ଖାଇଯାଇଛି କିନ୍ତୁ  ଲୋକେ ଏଲିଏନଙ୍କ ଯୋଗୁଁ ସେମାନେ ନିରୁଦ୍ଧିଷ୍ଟ ହେଇଛନ୍ତି ବୋଲି  ଭାବୁଥିଲେ ।”

କିଛି ଦିନ ପରେ ସମ୍ବାଦପତ୍ର ଓ ଦୂରଦର୍ଶନ କେନ୍ଦ୍ରଗୁଡି଼କରେ ସମ୍ବାଦ ବାହାରିଲା “ଶ୍ରୀମନ୍ତପୁର ଗାଆଁପାଖ ଜଙ୍ଗଲ ତଳୁ ମିଳିଲା ପାଞ୍ଚ ହଜାର ଵର୍ଷପୁରାତନ ରାଜପ୍ରସାଦ ଓ ଲୁପ୍ତପ୍ରାୟ ଜୀଵ ବାଘର ପରିଵାର” ।

🟣🟣🟣🟣🟣🟣🟣🟣🟣🟣🟣🟣🟣
(ଵି:ଦ୍ର— କଥାଵସ୍ତୁ ସମ୍ପୂର୍ଣ୍ଣ କାଳ୍ପନିକ ଏଵଂ ଢେଙ୍କାନାଳରେ ଶ୍ରୀମନ୍ତପୁର ବୋଲି କୌଣସି ଗ୍ରାମ ନାହିଁ । ଯେଉଁଭଳି ଭାବେ ବାଘଙ୍କ ସଂଖ୍ୟା ହ୍ରାସ ହୋଇ ଚାଲିଛି ୨୦୩୦ ପର୍ଯ୍ୟନ୍ତ ବାଘ ପୃଥିଵୀ ପୃଷ୍ଠରୁ ଲୁପ୍ତ ହୋଇଯାଇପାରନ୍ତି । କାହାଣୀର କଥାନକ ୨୦୩୦ ପର ସମୟର କିନ୍ତୁ ଵର୍ତ୍ତମାନ ପୃଥିଵୀ ତଥା ମାନଵଜାତିର ଯୋଉ ସ୍ଥିତି ୨୦୫୦ଯାଏଁ ମାନଵ ଓ ଵର୍ତ୍ତମାନର "Screen Age" ଥିଵ କି ନାହିଁ ତାହା ମଧ୍ୟ ସନ୍ଦେହପ୍ରଦ । ଥରେ ଡିସକଵରୀ ଚ୍ୟାନେଲରେ ଉତ୍ତର ପ୍ରଦେଶର ଵିଭିନ୍ନ ସ୍ଥାନରେ ଲୋକଙ୍କ ଉପରେ ବାଘ ଆକ୍ରମଣ ପ୍ରସଙ୍ଗରେ ଏକ ଵିଡି଼ଓ ଦେଖି ଶୋଇଵା ପରେ ପରେ ସେହି ରାତ୍ରରେ ସ୍ଵପ୍ନରେ ବାଘ ଦେଖିଲି । ତହୁଁ ରାତି ତିନିଟାରେ ପାଇଖାନାକୁ ଯାଇଥିଲି । କିଛି ସମୟପରେ ଗୋଟିଏ ଷଣ୍ଢ ଆସି ପାଇଖାନା କାନ୍ଥରେ ଦିହ ଘସିଵାକୁ ଲାଗିଲା । ମୋ ଦେହ ଶୀତେଇ ଗଲା । ଭାବିଲି ସତରେ କ'ଣ ପାହାନ୍ତିଆ ସପନ ସତ ହେଲା ?
କିଛି ସମୟପରେ ଷଣ୍ଢଟା ଚାଲିଯିଵାରୁ ମୁଁ ପାଇଖାନାରୁ ବାହାରି ଦେଖେ ତ ଖଣ୍ଡେ ଦୂରରେ ଵୃଷଭଦେଵ ଛିଡ଼ା ହୋଇ ଭୂମିକୁ ପୂରିଷ ଦାନ କରୁଅଛନ୍ତି । ସଙ୍ଗେ ସଙ୍ଗେ ଆସି ଏହା ଲେଖିପକାଇଲି କିନ୍ତୁ ସମ୍ପୂର୍ଣ୍ଣ କରିପାରିନଥିଲି । ସ୍ଵପ୍ନରେ ଦେଖିଥିଵା ବାଘର କାହାଣୀ ଆଉ କେବେ...  )
🟣🟣🟣🟣🟣🟣🟣🟣🟣🟣🟣🟣🟣

Wednesday, December 29, 2021

ଆଣ୍ଟାନି, ସନ୍ତୁଳା,ଠୁକ୍‌ଠୁକା ଓ ଚୁଟ୍‌ଚୁଟି : ଓଡ଼ିଶାର ନିଆରା ଖାଦ୍ୟ ଵିଭଵ


ଅଵିଭକ୍ତ କୋରାପୁଟର କେତେକ ଅଞ୍ଚଳରେ ଵିନା ତେଲରେ ପ୍ରସ୍ତୁତ ହେଉଥିଵା ଏକ ଜାତୀୟ ଵ୍ୟଞ୍ଜନକୁ ଆଣ୍ଟାନି କୁହାଯାଏ ବୋଲି ଦେଶିଆ ଜ୍ଞାନକୋଷରେ ଉଲ୍ଲେଖ କରାଯାଇଛି । ଆଣ୍ଟାନି ଵ୍ୟଞ୍ଜନ ଵିନା ତେଲରେ ପ୍ରସ୍ତୁତ କରାଯାଏ ‌ । ଏହାର ଵିଧି ସରଳ । ଲୁଣ, ମରିଚ, ଦେଇ ଶାଗ ଓ ପନିପରିବାକୁ ପାଣି ଦେଇ ସିଝାଯାଏ । ସିଝିଯିଵା ପରେ ଏବଂ ପାଣି ଶୁଖିଯିଵା ପରେ ଏହାକୁ ଖିଆଯାଏ । ଏହିପରି ଯେଉଁ ତୁଣ ତେଲ ନପଡ଼ି ପ୍ରସ୍ତୁତ କରାଯାଏ ତାକୁ ଖୋର୍ଦ୍ଧା ଜିଲ୍ଲାରେ ମାଖେରା ତୁଣ କହିଥାନ୍ତି ‌। 


ଆଣ୍ଟାନି ଅଵିଭକ୍ତ କୋରାପୁଟ ଜନଜାତି ସମାଜର ଏକ ସାର୍ଵଜନୀନ ପ୍ରିୟ ଖାଦ୍ୟ । ଏହି ତେଲ ଵିହୀନ ରନ୍ଧନ କଳା କୋରାପୁଟ ଜନଜାତି ସମାଜର ଅମୂଲ୍ୟ ସମ୍ପଦ କହିଲେ ଅତ୍ୟୁକ୍ତି ହେଵନାହିଁ କାରଣ ପୃଥିଵୀରେ ତୈଳ ଵିହୀନ ତୁଣ ପ୍ରକାର ଅଳ୍ପ ଦୃଶ୍ୟ ହୋଇଥାଏ । 

ସନ୍ତୁଳା ଓଡ଼ିଆମାନଙ୍କର ଆଉ ଏକ ନିଆରା ଵ୍ୟଞ୍ଜନ । ସନ୍ତୁଳା ଶବ୍ଦ ତତ୍ସମ ସନ୍ତୋଳନ ସହିତ ସମୋଦ୍ଧୃତ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଲେଖାଅଛି । ସାମାନ୍ଯ ମାତ୍ର ତୈଳ ଦ୍ବାରା ଅର୍ଦ୍ଧଭର୍ଜିତ କରାଯାଇ ଅଳ୍ପ ଜଳ ଦ୍ବାରା ଯେଉଁ ନିର୍ଜଳ ଵ୍ୟଞ୍ଜନ ସିଦ୍ଧ କରାଯାଏ ତାକୁ ସନ୍ତୁଳା କୁହାଯାଏ ‌ । ଏଭଳି ଵ୍ୟଞ୍ଜନରୁ ସମ୍ପୂର୍ଣ୍ଣ ରସପାଣି ମାରି ପ୍ରସ୍ତୁତ କଲେ ତାକୁ ଠୁକୁଠୁକା କୁହନ୍ତି ।



 ବାଇଗଣ ଓ ଆଳୁର ଚୁଟ୍‌ଚୁଟା/ଚୁଟ୍‌ଚୁଟି ଵା ଭରତା ମଧ୍ୟ ଠୁକୁଠୁକା ଜାତୀୟ ଵ୍ୟଞ୍ଜନ । ଆମ ଭାଷାରେ ଶିଘ୍ର ଅର୍ଥରେ ଚୁଟ୍‌ଚୁଟ୍ ଶବ୍ଦ ଵ୍ୟଵହାର ହୋଇଥାଏ । ଯଥା— ସେ ଚୁଟ୍‌ଚୁଟ୍ ଝାଡ଼ାଫେରି ଦଉଡ଼ିଛି । ଭରତା ମଧ୍ୟ ଶିଘ୍ର ହୋଇଯାଏ ବୋଲି ବୋଧହୁଏ ଏହାର ନାମକରଣ ଦେଵଗଡ଼ ଓ ସମ୍ବଲପୁର ଆଦି ଅଞ୍ଚଳରେ ଚୁଟ୍‌ଚୁଟ୍‌ରୁ ଚୁଟ୍‌ଚୁଟି ହୋଇଥିଵ । ମତାନ୍ତରେ 
ଜଳମିଶ୍ରିତ କୌଣସି କ୍ଷୁଦ୍ର ବସ୍ତୁକୁ ନିଆଁରେ ଭାଜିଲେ ତାହା ଚୁଟ୍‌ଚୁଟ‌୍ ଭଳି ଅନୁଚ୍ଚ ଶବ୍ଦ କରେ ।‌ ଯେହେତୁ ବାଇଗଣ କିଂଵା ଆଳୁର ଭରତା କଲାବେଳେ ତହିଁରେ ଅଳ୍ପ ଜଳ ଦେଇ ପାକସିଦ୍ଧ କରାଯାଏ ତେଣୁ ସେହିପରି ଶବ୍ଦ ସୃଷ୍ଟି ହୋଇଥାଏ । ଉତ୍ତର ଓଡ଼ିଶାରେ ଭଜାକୁ ଏହି ଆଧାରରେ ଚୁଟ୍‌ଚୁଟା କୁହାଯାଇଥାଏ । 



ଵିଭିନ୍ନ ପ୍ରକାରର ସନ୍ତୁଳା ଓଡ଼ିଶାରେ ପ୍ରସ୍ତୁତ କରାଯାଏ ଯଥା ସବୁ ପନିପରିବା ମିଶା ସନ୍ତୁଳା ଵା ସାଧାରଣ ସନ୍ତୁଳା’ ଏଥିରେ ସବୁଜାତୀୟ ପନିପରିଵା ପଡେ଼, ବଡ଼ି ସନ୍ତୁଳା, ମାଛ ସନ୍ତୁଳା, ଭଜା ସନ୍ତୁଳା,ସିଝା ସନ୍ତୁଳା, ଚୁଡ଼ା ସନ୍ତୁଳା,କ୍ଷୀର ସନ୍ତୁଳା,ପାଣି ସନ୍ତୁଳା,ଶୁଖିଲା ଵା କାଦୁଅ ସନ୍ତୁଳା,ବାଇଗଣ ସନ୍ତୁଳା ଓ ଆଳୁ ରସୁଣ ସନ୍ତୁଳା ଇତ୍ୟାଦି । 

କେତେକ ଅଞ୍ଚଳରେ ପଞ୍ଚୁଫୁଟଣରେ ଅଳ୍ପ ତେଲ ଦ୍ଵାରା ସନ୍ତୁଳା ବଘରାଯାଇଥାଏ । କେତେକ ଅଞ୍ଚଳରେ ଵିନା ତେଲରେ କେଵଳ ପଞ୍ଚୁଫୁଟଣଦ୍ଵାରା ସନ୍ତୁଳା ବଘରାଯାଉଥିଵା ମଧ୍ୟ ଶୁଣାଯାଏ । ଆଣ୍ଟାନି ଓ ସନ୍ତୁଳା ତୁଣ ଓଡ଼ିଶା ଛଡ଼ା ଅନ୍ୟତ୍ର ହେଉଥିଵା ପ୍ରାୟ ଜଣାଯାଏ ନାହିଁ । 



ସେହିପରି ଯେଉଁ ଡାଲି ଵା ତୁଣ ତେଲରେ ବଘରା ଵା ଫୁଟାଯାଏ ନାହିଁ ତାକୁ ଆମ ଓଡ଼ିଶାରେ ଅଣଫୁଟା,ଅଫୁଟା,ଅକଶା ଓ ଅବଘରା ଇତ୍ୟାଦି କହିଥାନ୍ତି । ଓଡ଼ିଶାରେ ଦଶକ୍ରିୟା ସମୟରେ ଵ୍ୟକ୍ତି ମୃତ୍ୟୁ ହେଵାର ନଅ ଦିନ ଯାଏଁ ତେଲ ଵ୍ୟଵହାର କରିଵା ବାରଣ ଥିଵାରୁ ଏକ ଜାତୀୟ ଅଫୁଟା ବିରିଡାଲି କରାଯାଏ ଯାହାକୁ ଆମ ଢେଙ୍କାନାଳସ୍ଥ ପାରିମାଳ ପ୍ରଗଣାରେ ମିଠଡାଲି କହିଥାନ୍ତି । 
ଆପଣଙ୍କ ଅଞ୍ଚଳରେ ଅଵିଭକ୍ତ କୋରାପୁଟର ଆଣ୍ଟାନି ଵ୍ୟଞ୍ଜନ ଭଳି ତୈଳହୀନ ତୁଣ ପ୍ରସ୍ତୁତ ହୁଏ କି ? ଅଳ୍ପ ତେଲରେ ପ୍ରସ୍ତୁତ ସନ୍ତୁଳାକୁ ଆପଣଙ୍କ ଅଞ୍ଚଳରେ କ'ଣ କୁହାଯାଏ ? ଆପଣଙ୍କ ଅଞ୍ଚଳରେ କେଉଁ କେଉଁ ଜାତୀୟ ସନ୍ତୁଳା ପ୍ରସ୍ତୁତ ହୋଇଥାଏ ?

Sunday, December 26, 2021

ହନୁକରଣ ~ “କେଵଳ ବୁଦ୍ଧିଜୀଵୀଙ୍କ ମଧ୍ୟରେ ସୀମିତ ଵ୍ୟଵହୃତ ଶବ୍ଦ”

ହୁଏତ ହନୁକରଣ ଶବ୍ଦ ଛୋଟବେଳେ ସଂଵାଦପତ୍ର ପତ୍ରିକାଦିରେ କେବେ କ୍ଵଚିତ୍ ପଢି଼ଥିବି ତାହା ମନେ ନାହିଁ । ତେବେ  ଏ ଶବ୍ଦ ଆଡ଼କୁ  ୨୦୧୪ କିଂଵା  ୨୦୧୫ ମସିହା ସମୟରେ ଶ୍ରୀସୁଵ୍ରତ ପୃଷ୍ଟି ମହାଶୟଙ୍କର “ଭାଷା ଓ ଜାତୀୟତା” ପୁସ୍ତକ ପାଠ କଲାପରେ ମୋହର ଧ୍ୟାନ ଯାଇଥିଲା ।

ଶ୍ରୀପୃଷ୍ଟି ତାଙ୍କର ଏହି ଜାତୀୟତାଵାଦୀ ପୁସ୍ତକରେ ଉଭୟ ଅନୁକରଣ ଓ ହନୁକରଣ ଶବ୍ଦ ଵ୍ୟଵହାରରେ ଲେଖିଛନ୍ତି ...

“ଇଂରେଜୀଭାଷା ଶିଖି ଏହା ମାଧ୍ୟମରେ କିଛି ଅର୍ଥ ରୋଜଗାର କରିଵାର ନିଶା ପ୍ରଥମେ ସ୍ୱଚ୍ଛଳଵର୍ଗ ଏଵଂ ପରେ ଏମାନଙ୍କୁ ‘ଅନୁକରଣ ନାମରେ ହନୁକରଣ’ କରୁଥିଵା କିଛି ସାଧାରଣଵର୍ଗ ଓ ତାଙ୍କ ସନ୍ତାନଙ୍କଠାରେ ଖୋଲେ । ଏବେ ଏହା ଓଡ଼ିଶାର ପ୍ରତ୍ୟେକ ଅଵିଭାଵକଙ୍କର ଏକ ସୌଖିନ ଖିଆଲରେ ପରିଣତ ହୋଇଛି ।”

କିନ୍ତୁ ଓଡ଼ିଶାରେ ଅନେକ ଲୋକ ଅଛନ୍ତି ଯୋଉମାନେ ‘ହନୁକରଣ’ ଶବ୍ଦ ସହିତ ସେତେ ପରିଚିତ ନୁହନ୍ତି । ସେମାନେ ଏ ଶବ୍ଦର ଵ୍ୟଵହାର ଦେଖିଲେ ଭାଵନ୍ତି ଵା ଅନୁମାନ କରନ୍ତି ଯେ ଏହା ସମ୍ଭଵତଃ ‘ଅନୁକରଣ’ ଶବ୍ଦ ଲେଖାଯିଵା ସମୟରେ ହୋଇଥିଵା ଏକ ଟଙ୍କଣନ ତ୍ରୁଟିର ଫଳ । ମାତ୍ର ସେମାନଙ୍କର ଏଭଳି ଧାରଣାକୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଭୁଲ୍ ପ୍ରମାଣ କରିଥାଏ ।‌

ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୮୯୩୨ତମ ପୃଷ୍ଠାରେ ହନୁକରଣ ଶବ୍ଦ ସ୍ଥାନ ଲଭିଛି । ଶବ୍ଦଗୁରୁ ଶ୍ରୀ ଗୋପାଳଚନ୍ଦ୍ର ପ୍ରହରାଜ ଏହି ଶବ୍ଦ ଵିଷୟକ ଦ୍ରଷ୍ଟଵ୍ୟରେ ଲେଖିଛନ୍ତି

“ହନୁକରଣ ହେଉଛି ଏକ ଵ୍ୟଙ୍ଗ୍ଯାତ୍ମକ(Ironical) ଆଧୁନିକ ପ୍ରୟୋଗ । ଯେଉଁମାନେ ହାସ୍ୟାସ୍ପଦ ଭାବରେ ଅନୁକରଣ କରନ୍ତି, ତାଙ୍କ କର୍ମକୁ ଵ୍ୟଙ୍ଗୋକ୍ତିରେ ହନୁକରଣ ବୋଲାଯାଏ ।”

ହନୁ ସହିତ କରଣ ଶବ୍ଦ ଯୁକ୍ତ କରାଯାଇ ସୃଷ୍ଟି ହୋଇଅଛି ହନୁକରଣ ଶବ୍ଦ । ଏହା ପ୍ରାଚୀନ ସଂସ୍କୃତ ସାହିତ୍ୟରେ  ପ୍ରାୟତଃ ଵ୍ୟଵହୃତ ହୋଇନାହିଁ ।  ଓଡ଼ିଆ ଭାଷାରେ କଳାମୁଖ ଧଵଳ ଲୋମଯୁକ୍ତ ଅପେକ୍ଷାକୃତ ଅଳ୍ପ ଉଦ୍ଧତ ହନୁମତ୍ ଵାନର ଵା ହନୁମାଙ୍କଡ଼ଙ୍କୁ କେଵଳ ହନୁ ମଧ୍ୟ କୁହାଯାଏ । ସେହିପରି କରଣ ଶବ୍ଦର ଅନେକ ଅର୍ଥ ଥିଲେ ହେଁ ହନୁକରଣ ଓ ଅନୁକରଣ ଭଳି ଶବ୍ଦରେ ଏ ଶବ୍ଦ କାର୍ଯ୍ୟ ଅର୍ଥରେ ଯୁକ୍ତ ହୋଇଅଛି ।

ଵର୍ତ୍ତମାନରେ ପ୍ରଚଳିତ କଥିତ ଓଡ଼ିଆ ଭାଷାରେ ହନୁ ଶବ୍ଦର ଵ୍ୟଵହାର ହୋଇଥାଉଛି ପୁଣି ପ୍ରାଚୀନ ଓଡ଼ିଆ ସାହିତ୍ୟରେ ମଧ୍ୟ ଏ ଶବ୍ଦର ପ୍ରୟୋଗ ହୋଇଥିଵା ଦୃଶ୍ୟ ହୋଇଥାଏ । ବିଶି ରାମାୟଣରେ ହନୁ ଶବ୍ଦର ଵ୍ୟଵହାର ହନୁମାନଙ୍କ ପାଇଁ ହୋଇଅଛି...

ହନୁ ! ତୁ କାହିଁ ଅଇଲୁ,
ଶ୍ରୀରାମ ନାମ ଧଇଲୁ।
(ବିଶି ରାମାୟଣ)

ସେହିପରି ଓଡ଼ିଆ ଭାଗଵତର ପଞ୍ଚମ ସ୍କନ୍ଧରେ ମଧ୍ୟ ହନୁ ଶବ୍ଦଟି ହନୁମାନଙ୍କ ପାଇଁ ଵ୍ୟଵହାର ହୋଇଛି...

“ସୀତାରମଣ ପ୍ରଭୁ ରାମ ।
ତାହାଙ୍କ କନିଷ୍ଠ ଲକ୍ଷ୍ମଣ ॥
ପରମ ପ୍ରଭୁ ଯେ ଈଶ୍ୱର ।
ତାହାଙ୍କୁ ହନୁ ମହାଵୀର ॥
ପରମ ଭାଗଵତ ସେହି ।
ନିଶ୍ଚଳେ ଭକ୍ତିଯୋଗ ଲଇଁ ॥”

ହନୁମାନଙ୍କ ପରି ଦେଖାଯାଆନ୍ତି ବୋଲି କିଂଵା ଏମାନଙ୍କର ହନୁହାଡ଼ ଥିଵାରୁ ଏହି  କଳା ମୁଖ ମର୍କଟମାନଙ୍କୁ ହନୁମାଙ୍କଡ଼ କୁହାଯାଏ ।

ହନୁମାଙ୍କଡ଼ ଓ ପାତିମାଙ୍କଡ଼ମାନେ ଅନୁକରଣପ୍ରିୟ
ଵସ୍ତୁତଃ ମହାଵାନର କୁଟୁମ୍ବର ସବୁ ଜାତୀୟ ଜୀଵଙ୍କର ଏହି ଗୁଣ ଅଳ୍ପ ବହୁତେ ରହିଛି ‌।

ତେଣୁ କେହି ଆଗ ପଛ ଵିଚାର ନକରି ଅନ୍ଧ ଭଳି କାହାର ଅନୁକରଣ କଲେ ଵ୍ୟଙ୍ଗୋକ୍ତି ପ୍ରୟୋଗ କରି କୁହାଯାଏ ଅମୁକ ଵା ସମୁକ ତାହାର ହନୁକରଣ କରୁଛି ।

କେଵଳ ହନୁକରଣ ହିଁ ନୁହେଁ ଆମ ଭାଷାରେ ହନୁମାନ ଶବ୍ଦଟି ମଧ୍ୟ ଲୋକେ ଵ୍ୟଙ୍ଗାର୍ଥକ ପ୍ରୟୋଗ କରନ୍ତି । ସାଧାରଣତଃ ହନୁମାଙ୍କଡ଼ ପରି ଅସୁନ୍ଦରମୁହାଁ ଵ୍ୟକ୍ତିପ୍ରତି ଏହି ହନୁମାନ ଶବ୍ଦ କେଵଳ ଓଡ଼ିଆ ଭାଷାରେ ଵ୍ୟଵହାର କରାଯାଏ ।

ଓଡ଼ିଆ ଛଡ଼ା ବଙ୍ଗାଳୀରେ ମଧ୍ୟ ଆଜିକାଲି ଏ ଶବ୍ଦ ଵ୍ୟଵହାର ହେଉଛି କିନ୍ତୁ ସଂସ୍କୃତ, ହିନ୍ଦୀ,ମରାଠୀ କିଂଵା ଅନ୍ୟ କୌଣସି ଉତ୍ତର ଭାରତୀୟ ଭାଷାରେ ଏହାର ଵ୍ୟଵହାର ପ୍ରାୟତଃ ହୋଇନଥିଵା ଜଣାଯାଏ । ଫଳତଃ ସ୍ପଷ୍ଟ ହୁଏ ଯେ ଏହା ଏକ ଆଧୁନିକ ପୂର୍ଵ ଭାରତୀୟ ଶବ୍ଦ ଏଵଂ କେଵଳ ଓଡ଼ିଆ ତଥା ବଙ୍ଗଳା ଭାଷାରେ ଏହାର ସୀମିତ ଵ୍ୟଙ୍ଗାର୍ଥକ ଵ୍ୟଵହାର  ହିଁ ହୋଇଥାଏ।

ହନୁକରଣ ପାଇଁ ଇଂରାଜୀରେ aping ଶବ୍ଦ ଵ୍ୟଵହାର ହେଉଥିଲା । ୧୮୫୭ରେ ଲେଖିକା Augusta Johnstone ତାଙ୍କର  “A woman's preachings for woman's practice” ପୁସ୍ତକର ୧୫୯ତମ ପୃଷ୍ଠାରେ aping ଶବ୍ଦର “foolish imitation ଵା  mimicry ଅର୍ଥରେ ପ୍ରୟୋଗ କରି ଲେଖିଥିଲେ “harmful apings' of the better, and empty-headed ' apings of the worse .”

ଅସ୍ତୁ, ଇଂରାଜୀର aping ଶବ୍ଦରୁ ପ୍ରଭାଵିତ ହୋଇ ହନୁକରଣ ଭଳି ଏକ ଭାରତୀୟ ଶବ୍ଦ ସୃଷ୍ଟି ହୋଇଥିଲା କି ନାହିଁ ତାହା ସ୍ପଷ୍ଟ ହୋଇପାରେ ନାହିଁ ।  ହନୁରୁ ହନୁକରଣ ହେଉ କି apeରୁ aping ଉଭୟ ଶବ୍ଦରେ ଅନୁକରଣର ଭାଵ ଲୁକ୍କାୟିତ ରହିଛି ।‌ ଏହି ଅନୁକରଣ  ଗୁଣ ସର୍ଵାଧିକ ଥିଵାରୁ Primates ଵର୍ଗର,Hominidae ପରିଵାରର Homo ଜାତିର ଜୀଵ ଏତେ ଉନ୍ନତି କଲେ ଯେ ଆଜି ସେମାନଙ୍କର ଵର୍ତ୍ତମାନ ଵଂଶଜ ଆମେ Homo sapiens ମାନେ ଏତେ ଵାସ୍ତୁଵାଦୀ ଓ ବୌଦ୍ଧିକ ଵିକାଶ କରିପାରିଛେ ।

ହନୁକରଣ ଵ୍ୟଙ୍ଗୋକ୍ତି ପ୍ରକାଶ ହେତୁକ ଵ୍ୟଵହୃତ ହେଉଥିଲେ ହେଁ ଏହା ଯେ ଏକ ପ୍ରକାରର ଅନୁକରଣ ଏଥିରେ କେହି ଦ୍ଵିମତ ହେଵେ ନାହିଁ । ପାରସ୍ପରିକ ଅନୁକରଣ ଯୋଗୁଁ ମନୁଷ୍ୟ ଜାତିର ଏତେଟା ଉନ୍ନତି ସାଧନ ହୋଇଅଛି । ସିଲିକନ୍ ପଥରରେ ନଡ଼ିଆ ଭାଙ୍ଗି ଖାଇଵାଠାରୁ ଆରମ୍ଭ କରି  ସେଇ ସିଲକନ୍ ପଥରର ଆଧୁନିକ ଯୁଗରେ ସଙ୍ଗଣକ ଓ ଦୂରଚଳଭାଷର ଵ୍ୟଵହାର ଯାଏଁ ସବୁଠିଁ ସବୁଠାରେ ଅନୁକରଣର କାହାଣୀ ହିଁ ଲୁଚି ରହିଛି ।

ପୁନଶ୍ଚ  ଆମ ଭାଷାରେ ହନୁକରଣ ଓ ଅନୁକରଣ ପାଇଁ ରହିଛି ଅନେକ ଶବ୍ଦ । ଅନୁକରଣ କରିଵାକୁ ଓଡ଼ିଆ ଭାଷାରେ କେଵଳ ଅନୁକରିଵା ମଧ୍ୟ କୁହାଯାଏ । କଵିଵର ରାଧାନାଥ ଲେଖିଛନ୍ତି

“ ଅନୁକରେ ଵଜ୍ରଧ୍ୱନି ଅଵିକଳ”

ଯିଏ ଅନୁସରଣ କରେ ତାକୁ ଅନୁକାରୀ ଓ  ଅନୁକାରିଣୀ କୁହାଯାଏ । ଅନୁକୃତି ମଧ୍ୟ ଅନୁକରଣ ଅର୍ଥରେ ପ୍ରୟୋଗ କରାଯାଏ । ଅନୁକରଣ କରିଵାର ଇଚ୍ଛା ଵା ଅନୁକରଣ ପ୍ରଵୃତ୍ତିକୁ  ଅନୁଚିକୀର୍ଷା କୁହନ୍ତି ।

ଅଭିନୟକରିଵା କ୍ରିୟା ଶବ୍ଦର ଏକ ଅର୍ଥ ମଧ୍ୟ ଅନ୍ୟର ଅନୁକରଣ କରିଵା ଅଟଇ ‌। ଯେଉଁ ଲୋକ ଭଲ କରି ନ ଦେଖି କାର୍ଯ୍ୟ କରେ ଵା  ଯେଉଁ ବ୍ୟକ୍ତି ଦୋଷଗୁଣ ଓ ଆଗପଛ ଉତ୍ତମରୂପେ ନ ବୁଝି କେଵଳ ଅନ୍ୟର ଦେଖାଦେଖି କାର୍ଯ୍ୟ କରେ ବା ଅନ୍ୟର ଅନୁକରଣ କରେ ତାକୁ ଅସମୀକ୍ଷ୍ୟକାରୀ ଓ ଅଵିଵେଚକ ମଧ୍ୟ କୁହାଯାଏ ।
ଯେ ନିଜେ ଆଗପଛ ବିଚାର ନ କରି ଅନ୍ଯର ଦୃଷ୍ଟାନ୍ତକୁ ଅନୁକରଣ କରେ ତାକୁ ଗତାନୁଗତିକ କୁହାଯାଏ । ସେହିପରି ଦେଖାଶିଖା ଅନୁସାରେ କାର୍ଯ୍ୟ କରିଵା ନ୍ୟାୟକୁ ଗତାନୁଗତିକ ନ୍ୟାୟ କୁହାଯାଏ ।  ନିଜେ ଆଗପଛ ଵିଚାର ନ କରି କିମ୍ବା କୌଣସି ଵିଷୟରେ ଯଥାର୍ଥ ଵିଵେଚନା ନକରି ଅନ୍ଯର ପ୍ରଵର୍ତ୍ତିତ କଥା ଵା କାର୍ଯ୍ୟ ଅନୁସାରେ ଚଳିଲେ ଏହି ନ୍ୟାୟର ଉଲ୍ଲେଖ ଦିଆଯାଏ । ଚୋରାଇଵା କ୍ରିୟାର ସାଧାରଣ ଅର୍ଥ ଚୋରି କରିଵା କିନ୍ତୁ ଏହି କ୍ରିୟା ଶବ୍ଦର ଲକ୍ଷଣାର୍ଥ ଏହା ଅନୁକରଣ କରିଵା ଅର୍ଥରେ ମଧ୍ୟ ଵ୍ୟଵହୃତ ହୋଇଅଛି । ଉଦାହରଣ ସ୍ୱରୂପ କଵିସୂର୍ଯ୍ୟ ଵଳଦେଵ ରଥ ଲେଖିଛନ୍ତି ...

“ଭଗ୍ନ ଚକ୍ର ମନମଥ ଵିଜୟୀ ମଙ୍ଗଳ
ରଥ ଗତିରୀତି ଚୋରାଇଛି ଚାଲି।”

ଛାୟା ଶବ୍ଦର ଅର୍ଥ ମଧ୍ୟ ଅନୁକରଣ ଓ  ନକଲ ବୋଲି ଵିଭିନ୍ନ ଶବ୍ଦକୋଷରେ କୁହାଯାଇଛି ।

ଗଡ଼ଜାତ ଓଡ଼ିଶାରେ ଛିନି ଆନଵା, ଛିନିନେଵା ଆଦି କ୍ରିୟା ଶବ୍ଦର ସାଧାରଣ ଅର୍ଥ ଉପରୁ ପିଙ୍ଗାଯିଵା କୌଣସି ଵସ୍ତୁକୁ ଶୂନ୍ୟେ ଶୂନ୍ୟେ ଧରିନେଵା ତେବେ ଏହି କ୍ରିୟା ଶବ୍ଦର  ଲକ୍ଷଣାର୍ଥ ଵ୍ୟଵହାର ମଧ୍ୟ ପ୍ରଚଳିତ ।  ଜଣେ ଗାଉଥିବା ସଙ୍ଗୀତକୁ ଶୁଣିଵା  ସଙ୍ଗେ ସଙ୍ଗେ ଅଵିକଳ ଗାଇଵା  ତଥା କୌଣସି ଵ୍ୟକ୍ତିର ଵାକ୍ ଚାତୁରୀ ଵା ଵଚନଭଙ୍ଗୀକୁ ପୂର୍ଣ୍ଣରୂପେ ଅନୁକରଣ କରିଵାକୁ ବି ଛିନିଆନଵା ଓ ଛିନିନେଵା କୁହାଯାଏ ।

ପୂର୍ଵାଞ୍ଚଳରେ ପୂର୍ଵେ ଧରିନେଵା ଶବ୍ଦ ଅନୁକରଣ କରିଵା ଭାବରେ ଵ୍ୟଵହାର ହେଉଥିଲା ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ ‌ । ଭାଷାକୋଷରେ ଧରି ନେଵା କ୍ରିୟାର — ବିବେଚନା କରିଵା,ସ୍ଥିର କରିଵା,କଳ୍ପନା କରିଵା, ଅନୁମାନରେ ସ୍ଥିର କରିଵା,କୌଣସି ଜୀଵା ମନୁଷ୍ଯକୁ ଆୟତ୍ତ ଵା ଗିରଫ କରି କୌଣସି ସ୍ଥାନକୁ ଜବରଦସ୍ତି ନେଵା ଆଦି ଅର୍ଥ ଲେଖାଅଛି । ତେବେ ଧରିନେଵାର ଅନ୍ୟତମ ଅର୍ଥ ଅନୁକରଣ କରିଵା ଵା ଅନୁକରଣ କରିଵାରେ କୃତକାର୍ଯ୍ୟ ହେଵା ଅର୍ଥଟି ସବା ଶେଷରେ ଏକ ଵାକ୍ୟ ଉଦାହରଣ ସହ ଦିଆଯାଇଛି

“ସେ ଥରେ ମାତ୍ର ଶୁଣିକରି ଗୀତ ପଦକ ଧରି ନେଲା।”

ଦେଖାଦେଖି ଶବ୍ଦଟି ଜଣକର କାର୍ଯ୍ୟକୁ ଅନୁକରଣ କରିଵା ଅର୍ଥରେ ପ୍ରାଚୀନ ଶ୍ରୀ ଗୁରୁଭକ୍ତି ଗୀତାରେ ଅର୍ଥରେ ପ୍ରୟୋଗ କରାଯାଇଛି

“ତୁମ୍ଭ ଦେଖାଦେଖି ଥୋକେ ଶିଖିବେ ଯେ ନର।”

ଓଡ଼ିଶାରେ ଅଧୁନା ବହୁ ପ୍ରଚଳିତ
ଦେଖାଶିଖା ଶବ୍ଦ ମଧ୍ୟ ଏହିଧରଣର ଶବ୍ଦ ।
ତେବେ ଦେଖାଶିଖା ଏକ ସହଚର ଵିଶେଷଣ ଶବ୍ଦ ଏଵଂ ଯେ ଅନ୍ଯର ଅନୁକରଣକାରୀ ଵା ଅନ୍ୟ ବ୍ୟକ୍ତିର କାର୍ଯ୍ୟକଳାପ ଦେଖି ଯେ ତାହା ଅନୁକରଣ କରେ ତାକୁ ଦେଖାଶିଖା କୁହାଯାଏ । ଏଥିପାଇଁ ଆମ ଓଡ଼ିଶାରେ ଏହି ଶବ୍ଦ ଆଧାରରେ ଦେଖାଶିଖା ଓଡ଼ିଶା ଢଗ ଚଳୁଅଛି ।

ନକ୍ସା ଏକ ଵୈଦେଶିକ ଶବ୍ଦ କିନ୍ତୁ ଏ ଶବ୍ଦ ସହିତ କାଢି଼ଵା ତଥା କରିଵା କ୍ରିୟାକୁ ଯୁକ୍ତ କରି ଲୋକମୁଖରେ ନକସା କାଢିଵା ଓ ନକ୍ସା କରିଵା ଶବ୍ଦ ସୃଷ୍ଟି ହୋଇଅଛି ।  କାହାର ଗତିଵିଧି ଓ କଥାଵାର୍ତ୍ତାର ରୀତିକୁ ଅନୁକରଣ କରି ଉପହାସ କରିଵା ଵା ଛଇ ବାହାର କରିଵାକୁ ନକ୍ସା କାଢି଼ଵା ତଥା ନକ୍ସା କରିଵା କୁହାଯାଏ ।

ବିଡ଼ମ୍ବିଵା କ୍ରିୟା ଶବ୍ଦଟି ତତ୍ସମ ଵିଡ଼ମ୍ବନ ଓ ଵିଡ଼ମ୍ଵ ସହିତ ସମୋଦ୍ଧୃତ । ଏହାକୁ ଅନୁକରଣ କରିଵା ଅର୍ଥରେ କଵିଵର ରାଧାନାଥ ରାୟ ଵ୍ୟଵହାର କରି ଉର୍ଵଶୀ କାଵ୍ୟରେ ଲେଖିଛନ୍ତି

“ପ୍ରତି ଶୃଙ୍ଗ ବିଡ଼ମ୍ବିଲା ମାହେଶ୍ବରୀ ଅର୍ଦ୍ଧ ନାରୀଶ୍ବର ଛବି”

ରବେଇ ଖବେଇ ହେଵା କ୍ରିୟା ଶବ୍ଦର ଅନେକ ଅର୍ଥ ଥିଵା ଦେଖାଯାଏ ତେବେ ଏହାର ଏକ ଅର୍ଥ ଅନ୍ଯର ଅନୁକରଣ କରିବାର ବଳଵତୀ ଇଚ୍ଛା ବୋଲି ଭାଷାକୋଷରେ କୁହାଯାଇଛି । ଏହି ଅର୍ଥରେ ଆମ ଭାଷାରେ ଢଗଟିଏ ଚଳୁଥିଵା ମଧ୍ୟ ସେଠାରେ କହିଦିଆଯାଇଛି

“ପଡ଼ଶୁଣୀ ଘର ପିଠା ଦେଖି ମନ ରବେଇ ଖବେଇ
ଘସି ଫଡ଼ାକରେ ଗୁଡ଼ ଲଗେଇ ଭଡ଼ ଭଡ଼ ଚୋବେଇ”

ଏହିପରି ଉଣ୍ଡିଲେ ଓଡ଼ିଆ ଭାଷାରେ ଅନୁକରଣ ଓ ହନୁକରଣ ଅର୍ଥଜ ଆହୁରି ଅନେକ ଶବ୍ଦ ମିଳିଯାଇପାରେ । ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ଅନୁକରଣ ଭଳି ହନୁକରଣ ଶବ୍ଦ ଓ ଏହିପରି ଅନ୍ୟ ଅନେକ ଶବ୍ଦ ଆମ ଭାଷାରେ ଚଳୁଅଛି ଏମନ୍ତ କି ପ୍ରାଚୀନ ସାହିତ୍ୟରେ ମଧ୍ୟ ପ୍ରୟୋଗ ହୋଇଛି ।
🟦🟦🟦🟦🟦🟦🟦🟦🟦🟦🟦🟦🟦

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...