Thursday, December 23, 2021

ବଡ଼ଦିନ(ଫକୀରମୋହନ ସେନାପତି)

(ଦୁଇଜଣ ବନ୍ଧୁଙ୍କର କଥୋପକଥନ)

ପ୍ରଥମବନ୍ଧୁ – ସେଦିନ ଆମ୍ଭର ଗୋଟିଏ Grand feast (ବଡ଼ଖାନା) ହୋଇଥିଲା, ସମସ୍ତ ବନ୍ଧୁମାନେ ଉପସ୍ଥିତ ଥିଲେ, ତୁମ୍ଭଙ୍କୁ ଆମନ୍ତ୍ରଣ କରା ଯାଇଥିଲା, ଆସିଲେ ନାହିଁ କାହିଁକି ? ବନ୍ଧୁର ନିମନ୍ତ୍ରଣ କି ଏହିପରି ଅଵହେଳା କରିବାକୁ ହୁଏ ?

ଦ୍ବିତୀୟ ବନ୍ଧୁ – ଭାଇ ! ବଡ଼ ଦୁଃଖର ଵିଷୟ ଯେ, ମୁଁ ସେଦିନ ତୁମ୍ଭମାନଙ୍କ ସଙ୍ଗରେ ଯୋଗ ଦେଇ ପାରିନାହିଁ, ମଧ୍ୟ ବୁଝିଲି, ସେଦିନ ଆମ୍ଭର କିଛି ପୂଜାପର୍ଵ ନ ଥିଲା, ତେବେ ନିମନ୍ତ୍ରଣ କାହିଁକି ? ମନରେ ସନ୍ଦେହ ଜାତ ହେଵାରୁ ଯାଇ ପାରିନାହିଁ । ସେ ଗଏର ହାଜରି’ ଦୋଷ ମାଫ୍ କରିବେ ।

ପ୍ରଥମବନ୍ଧୁ – କିଛି ପୂଜାପର୍ଵ ନ ଥିଲେ କି ଖାଲି ଆମୋଦ ପ୍ରମୋଦ କରିଵା ନିମନ୍ତେ ଖୁଆଇଵା ପିଆଇଵା ହୁଏ ନାହିଁ ? ସେ ଯାହାହେଉ, ସେହିଦିନ ଆମ୍ଭର X Mas holiday (ବଡ଼ଦିନ) ଥିଲା, ତୁମ୍ଭ ଯିଵିରେ କି ଆପତ୍ତି ଥିଲା ?

ଦ୍ବିତୀୟ ବନ୍ଧୁ – ହିନ୍ଦୁଘରେ ବଡ଼ଦିନ, ଏକଥାତ ମୁଁ  ଆଜି ନୂଆ ଶୁଣିଲି ! ! ସେତ ଇଂରେଜମାନଙ୍କର ପର୍ଵ,ସେଥିରେ ଆମ୍ଭର କି ?

ପ୍ରଥମ ବନ୍ଧୁ – ଆଜି ନାଇଣ୍ଟିନାଇନଥ୍ ସେନ୍‌ଚୁରିରେ (ଊନବିଂଶ ଶତାବ୍ଦୀରେ) ତୁମ୍ଭର କି ନିଦ ଭାଙ୍ଗିନାହିଁ; ତୁମେ କି ଏପରି କଥା କହୁଛ ? ନଵ୍ୟ ସମାଜରେ ନଵ୍ୟ  ଯୁଵକମାନଙ୍କର ବଡ଼ଦିନ ଯେ ପ୍ରଧାନ ହିନ୍ଦୁପର୍ଵ ହୋଇଅଛି  ଇହାକି ତୁମ୍ଭଙ୍କୁ ଆଜିଯାଏଁ ଜଣାନାହିଁ ? ଏମନ୍ତ କଥା କହିଲେ ନଵ୍ୟ ସମାଜ ତୁମ୍ଭଙ୍କୁ ଅସଭ୍ୟ ମନେକରି ପାଖରେ  ବସାଇ ଦେବେ ନାହିଁ; ଏପରି କଥା ପୁଣି ଆଉଦିନେ କହିଵ ନାହିଁ ।

ଦ୍ବିତୀୟବନ୍ଧୁ – ହିନ୍ଦୁମାନଙ୍କର ଦୋଳ ଦୁର୍ଗୋତ୍ସଵଠାରୁ କି ବଡ଼ଦିନ ଭଲ ? ସେହିତା କୁହ ଯେ ହିନ୍ଦୁ ପର୍ଵରେ  ମଦମାଂସର ଵ୍ୟଵହାର ନାହିଁ, ଏହିପରି ବଡ଼ଦିନର ଦୋହାଇ ଦେଇ ଖୁବ୍ ମଦମାଂସ ଖାଇବୁଁ ଓ ଆମୋଦପ୍ରମୋଦ କରିବୁଁ ।

ପ୍ରଥମ ବନ୍ଧୁ – ଆମେ ସେହି ନେଷ୍ଟି’, ଡେମ" ହିନ୍ଦୁପର୍ଵ ସବୁ observe କରୁ ନା କି ମାନୁନା । ଆମ୍ଭେ ସେ କାଳର | orthodox (ଗୌଡ଼ା)* ହିନ୍ଦୁ ନୋହୁଁ ଯେ ସେ ସବୁ ମାନିବୁଁ।

ଦ୍ୱିତୀୟବନ୍ଧୁ – କାହିଁକି ମାନିଵ, ତୁମ୍ଭେ ତ ଏଣିକି ବେଶି ପଢ଼ାଶୁଣା କରି ବୁଝିସୁଝି ପାରିଲ, ତୁମ୍ଭର ପିତୃପିତାମହ ଯେଉଁ ଦୋଳ ଦୁର୍ଗୋତ୍ସଵ କରୁଥିଲେ, ତାହା – ବଦଳରେ ତୁମ୍ଭେ ବଡ଼ଦିନ ନ କରି ଆଉ କଅଣ କରିଵ ? ଅନେକ ବାବୁମାନେ ତ ଇଂରେଜୀରେ ଖୁବ ନଵସିନ୍ଧା ? ସେମାନଙ୍କ ଆଗରେ ଏମ୍, ବି.ଏ ଗ୍ରସ୍ତ ବାବୁମାନେ କଲମ ଧରି ପାରିବେ ନାହିଁ; ସେମାନେତ ବେଶ୍ ହିନ୍ଦୁପର୍ଵ ଏବଂ ହିନ୍ଦୁ ସମାଜର ରୀତି, ନୀତି ଅନୁସାରେ ଚଳନ୍ତି ।  ସେମାନେ କି ତୁମ୍ଭ ଲେଖାରେ ତେବେ ଅସଭ୍ୟ ?

ପ୍ରଥମ ବନ୍ଧୁ – ହେଲେ କଅଣ ହେଵ, ଆଜି କାଲିକାର ନଵ୍ୟସମାଜ ଆଗରେ ସେମାନେ ଅସଭ୍ୟ ଓ ପାଗଳ ନୁହନ୍ତି ଆଉ କଅଣ ?

ଦ୍ଵିତୀୟ ବନ୍ଧୁ – ସେହି ପରି ବଡ଼ଦିନ ମାନି ଵିଜାତୀୟଙ୍କ ଅଇଣ୍ଠା ଖାଇ ନଵ୍ୟସମାଜରେ ସଭ୍ୟ ବୋଲାଇଵା ଅପେକ୍ଷା ହିନ୍ଦୁଆନିରେ ରହି ଦଶ ପାଞ୍ଚଜଣ ନଵ୍ୟ ଯୁଵକଙ୍କଠାରେ ଅସଭ୍ୟ ବୋଲାଇଵାରୁ ସହସ୍ର ଗୁଣେ ଭଲ ।

ପ୍ରଥମ ବନ୍ଧୁ – ତୁମ୍ଭେ ଏପରି କହିଲେ ଆମ୍ଭ ସଙ୍ଗରେ ତୁମ୍ଭର ଘନିଷ୍ଠ ବନ୍ଧୁତା ହୋଇ ପାରିଵ ନାହିଁ । ତୁମ୍ଭର ଆଜିଯାଏଁ ତ Prejudice (ଭ୍ରମ) ଯାଇନାହିଁ, ତୁମ ସାଙ୍ଗରେ କି ବନ୍ଧୁତା ?

ଦ୍ବିତୀୟବନ୍ଧୁ – ସେପରି ଵିଜାତୀୟ ଅଇଣ୍ଠା ଖାଇଵା ବନ୍ଧୁତାରେ ଆମ୍ଭର ଆଵଶ୍ୟକ ନାହିଁ । ତୁମ୍ଭର ସେହି ଵିଜାତୀୟ ତାମସିକ ଖାଦ୍ୟ ଫାଉଲ କରିଵାଠାରୁ ଆମ୍ଭର ଏହି ସାତ୍ତ୍ଵିକ ଖାଦ୍ୟ ଡାଲି ଭାତ ଭଲ, ମଧ୍ୟ ସେପରି ଲୁଚାଇ ଵିଭା ଚୋରାଇ ଯଉତୁକରେ ଆମ୍ଭର ପ୍ରୟୋଜନ ନାହିଁ ।

ପ୍ରଥମ ବନ୍ଧୁ – ତୁମ୍ଭେ କୁସଙ୍ଗୀ; ଆଜିଠାରୁ ତୁମ୍ଭ ନାମ ଆମ୍ଭର ସଭ୍ୟ ଲିଷ୍ଟରୁ କାଟି ଦିଆଗଲା । ତୁମ୍ଭଦ୍ୱାରା ସମାଜର ଅବନତି ହେଵ ।

(ଭାଇ ପାଠକେ ! ଏପରି ବନ୍ଧୁତା ଭାଙ୍ଗିଯିଵାରେ କିଛି ଦୋଷ ହୋଇପାରେ କି ନା ?)

© ଫକୀରମୋହନ ସେନାପତିଙ୍କ ଗ୍ରନ୍ଥାଵଳୀରୁ ସଂଗୃହୀତ

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...