Friday, April 22, 2022

କେଵଳ କ୍ଷୀରି ଓ ପିଠା ନୁହେଁ; ଆମ ଲୁପ୍ତ ପରମ୍ପରାର ଅନ୍ୟନାମ କ୍ଷୀରିପିଠା


କ୍ଷିରୀ ଓ ପିଠା ଏହି ଦୁଇଟି ଖାଦ୍ୟ ଦରଵ ଓଡ଼ିଆ ଜାତିର ଅତି ପ୍ରିୟ । ଏମିତି କେହି ଓଡ଼ିଆ ନଥିଵ ଯିଏ କ୍ଷିରୀ ଆଉ ପିଠା ଖାଇଵାକୁ ଅମଙ୍ଗ କରିଵ । ସେଥିପାଇଁ ପ୍ରାଚୀନ ଓଡ଼ିଆ ସାହିତ୍ୟରେ କ୍ଷିରୀ ଓ ପିଠାର ଅନେକ ସ୍ଥାନରେ ଉଲ୍ଲେଖ ଥିଵା ଦୃଶ୍ୟ ହୋଇଥାଏ ।

ଏଇ ଯେମିତି କଵି ସାରଳା ଦାସ ତାଙ୍କର ସାରଳା ମହାଭାରତରେ ଲେଖିଛନ୍ତି...

“ସଂକୋଚେଣ ମୁଣୋହି ଛାଡି଼ ଉଠିଲେ ବେଗ ହୋଇ
ଵୃଷଭ ଗୁଆଣିରେ ଲୁଚାଇଲେ ନେଇ ॥

ପିଠା ଖିରି ଶାକର ପୂରୋଇଲେ କାଞ୍ଚୋଲାରେ ଆଞ୍ଚୋବନ ସାରି ଦେଵୀ ହୋଇଲେ ବାହାରେ ॥”

ସେହିପରି ଵଳରାମ ଦାସ ତାଙ୍କ  ଜଗମୋହନ ରାମାୟଣରେ କ୍ଷିରୀ ଓ ପିଠା ସହ ଅନ୍ୟ ଅନେକ ଓଡ଼ିଆ ମିଠା ତଥା ପିଠାର ନାଆଁ ଏମନ୍ତ ଲେଖିଦେଇ ଯାଇଛନ୍ତି...

“କ୍ଷୀରି କ୍ଷୀରିଷା ଶାକର ପରସନ୍ତି ଆଣି । ଏମନ୍ତେ ଅନେକ ଦ୍ରଵ୍ୟ କେ ପାରେ ବଖାଣି ॥
ନାଡୀ ସରପୁଳି ଯେ ଆରିଷା ଛେନାପୁରି । କାକରା ଛେନା ଲଡୁ ଯେ ମାଲପୁଆ ପୁରି ॥
ସଜମର ଘିଅ ଆଣି ଦ୍ୟନ୍ତି ବଢ଼ା ବଢ଼ା । ଗଜା କଚୁରି ପଣସ ଖୋସା ବିରିବରା ॥
କୋରା ରସଗୋଲା ଯେ ଅମୃତ ରସାବଳୀ । ମଣ୍ତା ନାନମାନ ଅମୃତପାଣି କଦଳୀ ॥
ଝୁମ୍ପା ଝରିରେ ଭରି ନାନାତିର୍ଥ-ଜଳ । ତହିରେ ଦେଇ ସୁଵାସ ଦ୍ରଵ୍ୟ ଯେ ସକଳ ॥
ପଣସିଆ ମଣ୍ଡା ଯେ ଲଵଣୀ ପାଣି ପଣା । କେ ଘୃତରେ ଭଜା କେହି ଘୃତରେ ଯେ ଛଣା ॥
ଫେଣା ଖୁଡୁମୁଆଁ ସର ନାନାଵର୍ନେ ପିଠା । ଖାଇ ଖାଇ ଲୋକଙ୍କୁ ଯେ ମାଡିଲାକ ଚିଟା ॥”

ହେଲେ କ୍ଷିରିପିଠା ,କ୍ଷିରୀପୁଳି ତଥା କ୍ଷିରିପୂରି  ଶବ୍ଦ ତିନୋଟି ହଠାତ୍ ଶୁଣିଲେ ଵର୍ତ୍ତମାନ ଓଡ଼ିଶାର  ଅନେକ ଯୁଵକ ଯୁଵତୀ ଭାବିବେ କ୍ଷିରୀ ଓ ପିଠା ତଥା କ୍ଷିରୀ ସହ ପୁଳି ଵା ପୂରି ।

କିନ୍ତୁ କ୍ଷିରିପିଠା ,କ୍ଷିରୀପୁଳି ତଥା କ୍ଷିରିପୂରି ଏହି ତିନୋଟି ଓଡ଼ିଶାର ସଂସ୍କୃତି ସହିତ ଜଡ଼ିତ ସାଂସ୍କୃତିକ ଶବ୍ଦ ବୋଲି ଅନେକେ ଓଡ଼ିଆ ଅଧୁନା ଜାଣିନାହାନ୍ତି ।

ଆମ ସଂସ୍କୃତିର ଅନେକ ଲୁପ୍ତ ପର୍ଵ-ପରମ୍ପରାର ଉଲ୍ଲେଖ ଆମେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ପାଇଥାଉ ।ଭାଷାକୋଷରେ କ୍ଷିରୀପିଠା ଓ କ୍ଷିରୀପୁଳି ଦ୍ଵୟର ଅର୍ଥକୁ ପାଠକଲେ ଆମେ ଜାଣିପାରିଵା ଯେ ଗତ ୧୦୦ ଵର୍ଷ ମଧ୍ୟରେ ଆମ ଓଡ଼ିଶାର ପରମ୍ପରାରେ କେମିତି ଏକ ବଡ଼ ପରିଵର୍ତ୍ତନ ହୋଇଯାଇଛି ।

କ୍ଷିରୀପିଠାର ଅର୍ଥ କେଵଳ କ୍ଷିରୀ ଆଉ ପିଠା ନୁହେଁ ବୋଲି ଆମେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ହିଁ ଜାଣିପାରିଵା ।

ଶହେ ବର୍ଷ ତଳର ଓଡ଼ିଶାରେ ଗୃହସ୍ଥର ଜାତିଭୋଜନରେ ଭାତ ଡ଼ାଲି ଇତ୍ୟାଦି ଖାଇ ସାରିଵା ସଙ୍ଗେ ସଙ୍ଗେ ଦୁଧରେ ଆଉଟା ହୋଇ ସିଦ୍ଧ ହୋଇଥିଵା ଚାଉଳଚୂନା ଵା କ୍ଷିରି ଓ ଗୁଡ଼ରେ ତିଆରି ହୋଇଥିଵା ଘୃତପକ୍ବ ମିଷ୍ଟାନ୍ନ ଵା ପିଠା ଦିଆଯାଉଥିଲା । ସେଥିପାଇଁ ତାକୁ କ୍ଷିରୀପିଠା କୁହାଯାଉଥିଲା । ଵିଵାହାଦି ଶୁଭାନୁଷ୍ଠାନମାନଙ୍କରେ ନିମନ୍ତ୍ରିତ ଵ୍ୟକ୍ତିମାନଙ୍କୁ ଦିଆ ୟିବା ଭୋଜନକୁ ଏହି କାରଣରୁ କ୍ଷିରୀପିଠା କୁହାଯାଉଥିଲା ।

ଶୁଣିଲେ ଜାଣିଲେ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଆଜକୁ ପ୍ରାୟ ପଚାଶ ଶହେ ଵର୍ଷେ ତଳେ "କ୍ଷିରୀପିଠା" ଶବ୍ଦଟି  “ଭୋଜି” ଶବ୍ଦର ଏକ ପର୍ଯ୍ୟାୟଵାଚୀ ଶବ୍ଦ ଥିଲା ।

ଆଗକାଳର ଓଡ଼ିଆ ଭୋଜିରେ କ୍ଷିରି ଓ ପିଠା ପ୍ରଧାନ ଉଲ୍ଲେଖ ଯୋଗ୍ୟ ଉପକରଣ ଥିଵାରୁ ଆମ ଓଡ଼ିଶାରେ ଭୋଜିକୁ କ୍ଷିରୀପିଠା କୁହାଯାଉଥିଲା । ଯେକୌଣସି ପାରିଵାରିକ ମଙ୍ଗୋଳତ୍ସଵରେ କ୍ଷିରୀପିଠା ହେଉଥିଵାରୁ କୌଣସି ବି ମଙ୍ଗଳୋତ୍ସଵକୁ କ୍ଷିରୀପିଠା ବୋଲି ସ୍ଥଳଵିଶେଷରେ ଉଲ୍ଲେଖ କରାଯାଉଥିଲା ।

ବାହାଘରକୁ ଯିଵାକୁ ଵିଶେଷତଃ ଭୋଜି ଖାଇଵାକୁ ଯିଵା ପାଇଁ ଆଗେ ଓଡ଼ିଶାରେ ଘରେ ଘରେ ଡକା ଯାଉଥିଲା "ଆସ କ୍ଷୀରିପିଠା ଖାଇଵାକୁ ଯିଵ ହୋ”

ଏହି ଧରଣର ଅନ୍ୟ ଏକ ଶବ୍ଦ  କ୍ଷିରିପୁଳି ଅଟଇ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏ ଶବ୍ଦ ସ୍ଥାନିତ ହୋଇଛି ।  କ୍ଷିରି ଓ ବିରି ମିଶା ଚାଉଳବଟାରେ ତିଆରି ହେଇଥିବା ମିଠା ଦିଆଯାଇ ନଥିବା ଏକ ଜାତୀୟ ପିଠା ପୁଳିମିଳୁଥିଵାରୁ ଏହାକୁ କ୍ଷିରୀପୁଳି କୁହାଯାଉଥିଲା ।

କ୍ଷିରୀପୁଳି ଶବ୍ଦଟି ପୁରୀ ଜିଲ୍ଲାରେ ଵ୍ୟଵହାର ହେଉଥିଵା ଭାଷାକୋଷରେ କୁହାଯାଇଛି ।  ଵିଵାହ ଉତ୍ସଵରେ ପୁଅ ଵିଭା ହେଵାକୁ କନ୍ଯାଘରକୁ ଗଲା ପରେ ପୁତ୍ରର ଜନନୀ ଆତ୍ମୀୟସ୍ବଜନରମଣୀ ମାନଙ୍କୁ ଓ ପ୍ରତିଵେଶିନୀମାନଙ୍କୁ ନିମନ୍ତ୍ରଣ କରି ଦେଵା ଭୋଜୀକୁ ପୁରୀ ଅଞ୍ଚଳରେ ଆଗେ  କ୍ଷିରୀପୁଳି କୁହାଯାଉଥିଲା ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କଥିତ ଅଛି ।

ସମ୍ଭଵତଃ ଅଶି ନବେ ଦଶ ଯାଏଁ ଭୋଜି ଶବ୍ଦର ଏକ ପ୍ରତିଶବ୍ଦ ରୂପରେ କ୍ଷିରୀପୁଳି ତଥା କ୍ଷୀରିପିଠା ଶବ୍ଦଦ୍ଵୟ ପ୍ରଚଳିତ ଥିଲା ।  ମାତ୍ର ପରଵର୍ତ୍ତୀ ପିଢ଼ି କ୍ଷିରୀ ଓ ପିଠା ସହିତ ଓଡ଼ିଆ ଭୋଜିର କ'ଣ ସମ୍ପର୍କ ତାହା ହୃଦୟଙ୍ଗମ କରିପାରିନଥିଵାରୁ ଏଵଂ ଭୋଜିରେ କ୍ଷୀରିପିଠା ପରିଶିଵାର ପରମ୍ପରା ସର୍ଵତ୍ର ଅପ୍ରଚଳିତ ହୋଇଯିଵାରୁ ଧୀରେ ଧୀରେ ଏ ଶବ୍ଦଦ୍ଵୟ କଥିତ ଭାଷାରୁ ଲୁପ୍ତ ହୋଇ କେଵଳ ଊନଵିଂଶ ଶତାବ୍ଦୀରେ ଜନ୍ମଲଭିଥିଵା ଲୋକଙ୍କ ସ୍ମତିରେ ତଥା ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଭଳି ପୁରାତନ encyclopaedia ଭିତରେ ବଞ୍ଚି ରହିଗଲା ।

ଓଡ଼ିଶାର ସାଧାରଣ ଭୋଜି ମଧ୍ୟରେ ମୁଖ୍ୟତଃ ଚାରିଗୋଟି ଖାଦ୍ୟ ଦରଵ ପ୍ରସ୍ତୁତ ହେଉଥିଲା ଏଵଂ ଏବେ ବି ଗ୍ରାମାଞ୍ଚଳରେ ପ୍ରାୟତଃ  କାନିକା,ପାୟସ,ଘାଣ୍ଟତୁଣ ଓ ପାଚଳ(ଖଟା ତୁଣ) ଏହି ଚାରୋଟି ମୁଖ୍ୟ ଖାଦ୍ୟ ଭାବରେ ପ୍ରସ୍ତୁତ କରାଯାଏ । ପ୍ରକାଶ ଥାଉ କି କାନିକା ଵା ଓରିଆ ଭାତ, ପାୟସ  ଓ ଘାଣ୍ଟତିଅଣ ଏହି ଚାରୋଟି ଵ୍ୟଞ୍ଜନ ଶ୍ରୀଜଗନ୍ନାଥଙ୍କୁ ଅର୍ପିତ ହୋଇଥାଏ । କାନିକା,ପାୟସ ଓ ଘାଣ୍ଟତିଅଣ ଆଦିର ଆୟୋଜନ କଲାବେଳେ ଅଧିକ ଅର୍ଥ ଵ୍ୟୟ ହେଉଥିଵା ଯୋଗୁଁ ହେଉ ଵା କ୍ଷିରୀପିଠାରେ ଵିଶେଷ ଅତିରିକ୍ତ ଶ୍ରମ ମଧ୍ୟ ଵ୍ୟୟ ହେଉଥିଵା କାରଣରୁ ହୁଏତ ଭୋଜି ଶେଷରେ କ୍ଷିରୀପିଠା ପରିଶିଵାର ପରମ୍ପରା ଲୁପ୍ତ ହୋଇଯାଇଅଛି ।

Thursday, April 21, 2022

ଟ୍ରେକର ଓ ଟ୍ରେକର ଗାଡ଼ିର କାହାଣୀ

ନବେ ଦଶକ ଯାଏଁ ଗାଡ଼ି କହିଲେ ଗାଉଁଲି ଲୋକେ trekkerକୁ ବୁଝୁଥିଲେ ଏଵଂ ସେ ଗାଡି଼କୁ ଟ୍ରେକର୍ ନକହି ସରଳେଇକି #ଟେକର ଗାଡ଼ି କହୁଥିଲେ । 

ଗ୍ରାମାଞ୍ଚଳରୁ ଦୂର ସ୍ଥାନକୁ ଯିଵା ପାଇଁ ଲୋକେ ଟ୍ରେକର୍ ଗାଡ଼ି ଭଡ଼ା କରୁଥିଲେ । ନବେ ଦଶକ ଯାଏଁ ଏହି ଟ୍ରେକର ଗାଡି଼ ବଡ଼ ଲୋକପ୍ରିୟ ଥିଲା ।

Trekker ଏଇ ଇଂରାଜୀ ଶବ୍ଦ ।‌
୧୮୪୯/୧୮୫୦ ବେଳକୁ  ବଳଦ ଗାଡି଼ରେ ଦୂର  ଅଞ୍ଚଳକୁ ଯାତ୍ରା କରିଵାକୁ trek କୁହାଯାଉଥିଲା ।

ଟ୍ରେକ୍ ଶବ୍ଦର ସୃଷ୍ଟି ଦକ୍ଷିଣ ଆଫ୍ରିକାର great trek  ଘଟଣାରୁ ହୋଇଥିଲା ।

୧୯୩୬ପରଠାରୁ ୧୯୩୮ ଯାଏଁ ଦକ୍ଷିଣ ଆଫ୍ରିକାର ତତ୍କାଳୀନ କେପ୍ କଲୋନୀରୁ ଦକ୍ଷିଣ ଆଫ୍ରିକାର ଆଭ୍ୟନ୍ତରୀଣ ଭାଗକୁ ବଳଦଗାଡି଼ ଯୋଗେ ସେଠାରେ ଉପନିଵେଶ ସ୍ଥାପନ କରି ଵସଵାସ କରୁଥିଵା Boer ନାମକ ଡଚ୍ ଭାଷାଭାଷୀ ବାସିନ୍ଦାମାନେ ଯାତ୍ରା କରିଥିଲେ । ଏହାକୁ ସେତେବେଳେ ଇଂରେଜମାନଙ୍କ ଦ୍ଵାରା the great trek ଓ Boer migration କୁହାଗଲା । Trek ମୂଳତଃ ଜର୍ମାନ୍ ଶବ୍ଦ ଏଵଂ ଡଚ୍ ରୁ ଆଫ୍ରିକାନ୍ସ(ଦକ୍ଷିଣ ଆଫ୍ରିକୀୟ ଭାଷା) ଦେଇ ଶବ୍ଦଟି ଇଂରାଜୀରେ ଯାତ୍ରା ଵିଶେଷତଃ ନଗରାଞ୍ଚଳରୁ ଦୁର୍ଗମ ଗ୍ରାମାଞ୍ଚଳକୁ କଷ୍ଟକର ବିପଦ ସଙ୍କୁଳ ଯାତ୍ରା କରିଵା ଅର୍ଥରେ ଚଳିଵାକୁ ଲାଗିଲା ।

ଦ୍ଵିତୀୟ ଵିଶ୍ଵଯୁଦ୍ଧ ସମୟରେ ହଠାତ୍ trekker ଶବ୍ଦ ୟୁରୋପରେ ଵିଶେଷତଃ U.k.ରେ ବହୁ ପ୍ରଚଳିତ ହୋଇଗଲା ।

୧୯୪୦ ବେଳକୁ "ବୋମା ଵିସ୍ଫୋରଣ ସମୟରେ ନିଜ ଘର ଅପେକ୍ଷା ଗ୍ରାମାଞ୍ଚଳରେ ରାତି କଟାଇଥିଵା ଵ୍ୟକ୍ତିକୁ
ଇଂଲଣ୍ଡରେ trekker କୁହାଯାଉଥିଲା ।

ଦ୍ଵିତୀୟ ଵିଶ୍ଵଯୁଦ୍ଧ ଶେଷ ହେଵାର ଅନେକ ଵର୍ଷ ପରେ ଦୁର୍ଗମ ଗ୍ରାମାଞ୍ଚଳର ଯାତ୍ରୀଵାହକ ଗାଡି଼କୁ trekker କୁହାଗଲା ଯାହା କ୍ରମଶଃ କଥିତ ଓଡ଼ିଆ ଭାଷାରେ ଟେକର ରୂପେ ପ୍ରଚଳିତ ବି ହେଲା ।

ଆଜି ଟ୍ରେକ୍ କହିଲେ ଲୋକେ ବୁଝନ୍ତି ଦୁର୍ଗମ ସ୍ଥାନକୁ ଯାତ୍ରା ଏଵଂ ଯିଏ ଟ୍ରେକ୍ ଵା ଦୁର୍ଗମସ୍ଥଳକୁ ଯାତ୍ରା କରେ ତାକୁ ଲୋକେ ଟ୍ରେକର୍ ଵା ହାଇକର୍ କହିଥାନ୍ତି ।‌

ନବେ ଦଶକରେ ଦୁର୍ଗମ ସ୍ଥାନକୁ ନେଇ ଯାଉଥିଵାରୁ ଟ୍ରେକର୍ ଗାଡ଼ିର ଆଦର ଅଧିକ ଥିଲା କିନ୍ତୁ ପରଵର୍ତ୍ତୀ କାଳରେ ଦୁଇଚକିଆ,ତିନିଚକିଆ ଓ ଚାରିଚକିଆ ଯାନର ଆଧିକ୍ୟ ଯୋଗୁଁ କାଁ ଭାଁ ଟ୍ରେକର ଗାଡ଼ି ସଡ଼କ ପଥରେ ଦେଖିଵାକୁ ମିଳୁଛି ।

Wednesday, April 20, 2022

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ : ଓଡ଼ିଆ ଭାଷାର ଭାଷାକୋଷ

ଓଡ଼ିଶାରେ ଅଧୁନା କେତେଜଣ କଵି, ଲେଖକ ଓ ତଥାକଥିତ ସାହିତ୍ୟ ସାଧକମାନେ ଜାତ ହୋଇଛନ୍ତି ଯେଉଁମାନେ ନାନା ଉପାୟରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ତଥା ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଅପମାନ କରିଵାର ଵ୍ରତ ଧାରଣ କରିନେଇଛନ୍ତି । କିଛିଦିନ ତଳେ ଜଣେ ସ୍ଵଘୋଷିତ ପଣ୍ଡିତ ଲେଖିଥିଲେ

“ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ 'ଭାଷାକୋଷ' ଶବ୍ଦଟି ନାହିଁ ତେଣୁ ଭାଷାକୋଷରେ ଯେଉଁ ଶବ୍ଦ ନାହିଁ ତାକୁ ଓଡ଼ିଆ ଶବ୍ଦ ନୁହେଁ ବୋଲି ଭାବିଵା ଠିକ୍ ନୁହେଁ”

ଆମର ମଧ୍ୟ ସେଇ ମତ ଯେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଥିଵା ଶବ୍ଦଠାରୁ ସହସ୍ରାଧିକ ଗୁଣ ଅଧିକ ଶବ୍ଦ ଆମ ଓଡି଼ଆ ଭାଷାରେ ଅଛି କିନ୍ତୁ ଏହା ମଧ୍ୟ ସତ୍ୟ ଯେ ଯେତିକି ଶବ୍ଦ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସ୍ଥାନ ପାଇଛି ସେସବୁ ଓଡ଼ିଆ ଭାଷାର ଶବ୍ଦ ।

ପୁଣି ଏହା ବି ସତ ଯେ ସ୍ଵତନ୍ତ୍ର ଭାବରେ "ଭାଷାକୋଷ" ଶବ୍ଦ ନାହିଁ କିନ୍ତୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଵିଭିନ୍ନ ପୃଷ୍ଠାରେ ପୂର୍ଣ୍ଣଚନ୍ଦ୍ର ୭୫ଥର ଭାଷାକୋଷ ଶବ୍ଦ ପ୍ରୟୋଗ କରାଯାଇଛି ।‌

ତନ୍ମଧ୍ୟରେ ଡାକନାମ ଶବ୍ଦ ତଳେ ଥିଵା ଦ୍ରଷ୍ଟଵ୍ୟରେ କେମିତି ଶ୍ରୀଗୋପାଳଚନ୍ଦ୍ର ପ୍ରହରାଜ 'ଭାଷାକୋଷ' ଶବ୍ଦ ପ୍ରୟୋଗ କରିଛନ୍ତି ତହିଁର ଉଦାହରଣ ପ୍ରଦତ୍ତ ହେଲା...

“ସମ୍ବାଦପତ୍ର ଓ ସାମୟିକ ପତ୍ରର ଲେଖକମାନେ ଵ୍ୟଙ୍ଗ ଵିଦ୍ରୂପ ପୂର୍ଣ୍ଣ ଵା ଗୁରୁତର ଅଭିଯୋଗ ଵା ସମାଲୋଚନା ୟୁକ୍ତ ଵିଷୟ କୌଣସି ପ୍ରବନ୍ଧ ଲେଖି ସେହି କାରଣରୁ ଵା ଅନ୍ୟ କିଛି କାରଣରୁ ତହିଁରେ ନିଜର ପ୍ରକୃତ ନାମ ନ ଲେଖି ଗୋଟିଏ କାଳ୍ପନିକ ଵା ଆକ୍ଷରିକ ଅର୍ଥଵିଶିଷ୍ଟ ନାମ ଦିଅନ୍ତି। ଫକୀରମୋହନ ସେନାପତି କେତେକ ଲେଖାରେ ତାଙ୍କ ନାମ ଧୂର୍ଜଟି ରଖିଥିଲେ। ପଣ୍ଡିତ କୁଳମଣି ଦାସ ଉଦ୍ଭଟ୍ଟ ଶ୍ଲୋକମାନଙ୍କ ପଦ୍ୟାନୁଵାଦରେ ଉତ୍କଳ ସାହିତ୍ଯ ପତ୍ରିକାରେ ଆପଣାର ନାମ ବାଚସ୍ପତି ଶର୍ମା ଓ ସମ୍ମର୍ଜନୀଶୀର୍ଷକ ପ୍ରବନ୍ଧମାନଙ୍କରେ ଵିଷ୍ଣୁଶର୍ମା ରଖିଅଛନ୍ତି। ଏ "ଭାଷାକୋଷ"ର ସଂଗ୍ରାହକ ଭାଗଵତ ଟୁଙ୍ଗି ଆଦି ପ୍ରବନ୍ଧରେ ଆପଣା ନାମ ଦୁର୍ମୁଖ ଶର୍ମା ରଖିଥିଲେ।”

ଏହା ମଧ୍ୟ ସତ୍ୟ ଯେ ଭାଷାକୋଷରେ ସବୁ ଓଡ଼ିଆ ଶବ୍ଦ ନାହିଁ କାରଣ ଵିଭିନ୍ନ କାରଣରୁ ଏକ ଭାଷାର ପ୍ରତ୍ୟେକ ଶବ୍ଦ ଗୋଟିଏ ଭାଷାକୋଷରେ ଦେଇ ହୁଏ ନାହିଁ ।

କିନ୍ତୁ

“ଶହେ ଵର୍ଷ ତଳେ ଯେତେବେଳେ ଆଜିଭଳି ଏତେ ଵୈଷୟିକ ଵୃଦ୍ଧି ଘଟିନଥିଲା ସେତେବେଳେ ଜଣେ ଲୋକ ନିଜର ପେଶାକୁ ଗୌଣକରି ଶବ୍ଦ ସଂଗ୍ରହ ନିଶା ପଛରେ ଦୌଡି଼ ଶହ ଶହ ଶବ୍ଦକୋଷ ତଥା ହଜାର ହଜାର ଗାଆଁ ଗଣ୍ଡା ବୁଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଭଳି ଏକ ଵିଶାଳ ଜ୍ଞାନକୋଷ ସଂକଳନ କରିଵାରେ ସଫଳ ହୋଇଥିଲା”

ଏହି କଥାଟି ଆଦୌ ଛୋଟିଆ କଥା ନୁହେଁ ।

ଘୃଣ୍ବିଲୋକ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ମହତ୍ଵ କେବେ ବି ହୃଦୟଙ୍ଗମ କରିପାରିବେ ନାହିଁ କିନ୍ତୁ ଆମେ ଏହା ମଧ୍ୟ ଦେଖୁ ଯେ ସେହି ଲୋକମାନେ ହିଁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଯେକୌଣସି ଶବ୍ଦର ଅର୍ଥ ଜାଣିଵା  ତଥା ଅର୍ଥ ଉତ୍ତାରି ଆଣି ଥୋଇଵାରେ ବଡ଼ ସିଦ୍ଧହସ୍ତ । କୃତଘ୍ନ ମାନଵ ଭଳି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ପ୍ରଶଂସା ପରିଵର୍ତ୍ତେ ଏହି ଶବ୍ଦକୋଣାର୍କର ନିନ୍ଦା ରଟନା କରି ଏମାନେ କେଵଳ ନିଜର ହୃଦୟ କେତେ କ୍ଷୁଦ୍ର ତାହା ପ୍ରମାଣ କରୁଅଛନ୍ତି ।

ଓଡ଼ିଆ ଜାତି ପ୍ରତି ଥିଵା ଦ୍ଵେଷ କାରଣରୁ ହେଉ ଵା ନିଜକୁ ପଣ୍ଡିତ ବୋଲି ମନେ ରି ଗର୍ଵ କରୁଥିଵା ଯୋଗୁଁ ହେଉ କିଛି ବଙ୍ଗାଳୀ ବିହାରୀ ବଂଶୋଦ୍ଭଵ ତଥା ଅହଙ୍କାରୀ ଓଡ଼ିଶାଵାସୀ ଆଜିକାଲି ଓଡ଼ିଆ ଭାଷାର ଶବ୍ଦକୋଣାର୍କ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ନିନ୍ଦା କରୁଛନ୍ତି କିନ୍ତୁ ଏଠି ଏମିତି ବି ଲୋକ ଅଛନ୍ତି ଯେଉଁମାନେ ତାଙ୍କ ଜୀଵନରେ କେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଦେଖିନାହାନ୍ତି କି ପଢ଼ି ନାହାନ୍ତି ତଥାପି ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଵିଷୟରେ ଅଵାଞ୍ଛିତ ଜ୍ଞାନ ଦେଉଛନ୍ତି ।

ଯଥା—
କିଛି ଲୋକ କହୁଛନ୍ତି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଅଯଥା ଆରବୀ ପାର୍ସୀ ଶବ୍ଦ ଅଛି ଆଉ ହିନ୍ଦୀ ଓ ବଙ୍ଗାଳୀ ଭାଷାରେ ଲେଖା ହୋଇଛି । ବଙ୍ଗାଳୀ ଓ ହିନ୍ଦୀମାନେ ଓଡ଼ିଆ ଶବ୍ଦ ଚୋରେଇ ନେଇପାରନ୍ତି  ଇତ୍ୟାଦି ।

ଆଉ ଜଣେ ଅଧେ ଏମନ୍ତ ବି କୁହନ୍ତି ଯେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଅଯଥା ହିନ୍ଦୀ ଓ ବଙ୍ଗାଳୀ ଶବ୍ଦ ଲେଖା ହୋଇଛି ଏସବୁ ଲେଖିଵାର କିଛି ଆଵଶ୍ୟକତା ନଥିଲା ।

କିଛି ଦିନ ତଳେ ଜଣେ କହୁ କହୁ କହିଦେଲେ 

“ପୂର୍ଣ୍ଣଚନ୍ଦ୍ର ତିନିଟା ଲିପିରେ କରି ନ ଥିଲେ କଳେବର ସାତ ଖଣ୍ଡରୁ ଦି ଖଣ୍ଡରେ ହେଇ ପାରିଥାଆନ୍ତା। ନ ହଜାର ଜାଗାରେ ତିନିହଜାରରେ ମିଳୁଥାଆନ୍ତା। ବହୁତ ବହୁତ ବହୁତ ଆବଶ୍ୟକୀୟ ଶବ୍ଦ ବି ନାହିଁ
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ  ସବୁ ଶବ୍ଦ ତଳେ ଶବ୍ଦର ଅର୍ଥ  ଇଂରାଜୀ ଓ ଓଡ଼ିଆରେ ଲେଖା ହୋଇଛି ।”

କେତେକ ଲୋକ ସାମାନ୍ୟ କିଛି ତ୍ରୁଟି ଵିଚ୍ୟୁତି ରହିଯାଇଥିଵାରୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ ପାଳକୋଷ ମଧ୍ୟ କହି ତାଚ୍ଛଲ୍ୟ କରନ୍ତି ।

ଵର୍ତ୍ତମାନକାଳରେ ମହାନକାର୍ଯ୍ୟର, ମହାନଵ୍ୟକ୍ତିର ତତ୍କାଳିନ ସମ୍ମାନ ହୁଏନାହିଁ
କିନ୍ତୁ ସମୟ ଗଡ଼ିଯିବା ସହ ସମାଜ ଉପଲବ୍ଧି କରେ ସେହି ମହାନାତ୍ମା ଓ ତାଙ୍କର କୃତିର ଉପାଦେୟତା....

ସାତଖଣ୍ଡିଆ ଵିଶାଳ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
ଯେତେବେଳେ ଲେଖାହୋଇ ଛପାଗଲା ସେହି ଦାମିକା ଗ୍ରନ୍ଥର ଓଡ଼ିଶାରେ ହାତଗଣତି କେତେ ଜଣ ଲୋକ ମାତ୍ର ଗ୍ରାହକ ଥିଲେ । ତେବେ ଓଡ଼ିଆ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ସଂକଳନ କରି ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜ ମହାଶୟ ଯେତିକି ପ୍ରଶଂସା ପାଇଛନ୍ତି ତତୋଧିକ ସମାଲୋଚନା ଓ ନିନ୍ଦା ରୂପକ ଵିଷପାନ ମଧ୍ଯ କରିଅଛନ୍ତି ।

ତତ୍କାଳୀନ ତଥାକଥିତ ଓଡ଼ିଆ ଵର୍ଣ୍ଣଵିଲୋପକାରୀ ଦଳ ତାଙ୍କ ଵିରୋଧରେ ନାନାଦି ସମାଲୋଚନା ମାନ ଲେଖି ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରିଅଛନ୍ତି । ବଡ଼ ଦୁଃଖର ସହିତ କହିବାକୁ ପଡୁ଼ଛି ଯେ ତନ୍ମଧ୍ୟରୁ ଜଣେ ହେଉଛନ୍ତି “ଗୋଦାବରୀଶ ମହାପାତ୍ର” !

ଏ ବାବୁ ଥରେ ସହକାର କିମ୍ଵା ନଵଭାରତ ପତ୍ରିକାରେ ଆପଣାର ମୂର୍ଖତାର ପରିଚୟ ଦେବାକୁ ଯାଇ ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ ପାଳକୋଷ ଆଖ୍ୟା ଦେଇଥିଲେ ।
ସମାଲୋଚନା ଦ୍ଵାରା ପ୍ରହରାଜଙ୍କୁ ତାଙ୍କର ପ୍ରଧାନ ପ୍ରଶ୍ନ ଥିଲା ଯେ ଗୋଟିଏ ଭାଷାକୋଷରେ ଏକ ମାନକ ଶବ୍ଦର ଅନେକ ଆଞ୍ଚଳିକ ରୂପକୁ କାହିଁକି ସ୍ଥାନିତ କରି ଅଯଥା ତାହାର କଳେଵର ବୃଦ୍ଧି କରାଯାଇଛି ?

ଉଦାହରଣ ସ୍ୱରୂପ ଏଇକ୍ଷଣି,ଏକ୍ଷଣି,ଏଖୁଣିକା,ଅଇଛୁଣି ଓ ଅଇଛୁଣିକା
ତଥା
କଣ୍,କିୟଣ,କିସ,କିରା,କି,କେନ୍ତା,କେମ୍ତା,କେନ ଇତ୍ୟାଦି........

ବାବୁ କେଵଳ ଵୈଚାରିକ ଭିନ୍ନତାରୁ ସୃଷ୍ଟ ପାରସ୍ପରିକ ଘୃଣା,ଦ୍ଵେଷ ଯୋଗୁଁ ଏତେ ମାତ୍ରାରେ ଅନ୍ଧ ହୋଇଯାଇଥିଲେ ଯେ ତାଙ୍କ ମୁଣ୍ଡରେ ଏତିକି ମାତ୍ର କଥା ପଶିପାରିନଥିଲା କି ୟେ ସମସ୍ତ ଶବ୍ଦ ଗୋଟିଏ ଭାଷାର ଅଵିଚ୍ଛେଦ୍ୟ ଅଙ୍ଗ ଅଟନ୍ତି । ଆଞ୍ଚଳିକ ଶବ୍ଦ ଗୁଡ଼ିକ ଵିନା ଓଡ଼ିଆ ଭାଷା ଅପୂର୍ଣ୍ଣ ଓ ସୌନ୍ଦର୍ଯ୍ୟହୀନ । ଗୋଟିଏ ଉପଵନରେ ଯେମନ୍ତ ଏକପ୍ରକାରର ପୁଷ୍ପଵୃକ୍ଷ ରଖିଲେ ତାହା ମନୋହର ଲାଗେ ନାହିଁ ଠିକ୍ ସେଇମିତି ଆଞ୍ଚଳିକ ଶବ୍ଦଭଣ୍ଡାର ଵିନା କୌଣସି ଭାଷା ମଧ୍ଯ ସୌନ୍ଦର୍ଯ୍ୟଶାଳୀ ହୋଇନପାରେ ।

ତାଛଡ଼ା ଯୋଉ ମାନେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ ପାଳକୋଷ କହୁଛନ୍ତି ସେମାନେ କେବେ ଉପଲବ୍ଧି କରିଛନ୍ତି ଯେ
ଵିଭିନ୍ନ ଅଞ୍ଚଳରେ ପ୍ରଚଳିତ ଓଡ଼ିଆ ଭାଷାର ଵିଶାଳ ଶବ୍ଦଭଣ୍ଡାରକୁ ଏକାଠି କରି ତାକୁ ଗୋଟାଏ ଗ୍ରନ୍ଥ ଆକାର ଦେଵା ୧୦୦ ଵର୍ଷ ତଳେ କେତେ ବଡ଼ ଦୂରହ କାର୍ଯ୍ୟ ଥିଲା  ?

ଯେଉଁ ପଣ୍ଡିତ ମାନେ ଏବେ ବି ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ ପାଳକୋଷ ମାନୁଅଛନ୍ତି ସେମାନେ ସେହି ମୌଳିଵାଦୀ ଲୋକ ଯାହାଙ୍କ ମନରେ ଜ୍ଞାନର ଅହଂକାର ମାତ୍ରାଧିକ ବଢିଯାଇଛି । ସେମାନେ ନିଜେ ତ କେବେ ଏଡେ଼ ବଡ଼ ଗ୍ରନ୍ଥ ସଂକଳନ କରିପାରିବେ ନାହିଁ କିନ୍ତୁ ଏହି ଭାଷାକୋଷ କୁ ଯେତେବେଳେ ଯୋଉଠି ଚାହିଁଲେ ହୀନ ପ୍ରମାଣ କରିବାକୁ ଆଦୌ ପଛେଇବେ ନାହିଁ ।

ତେବେ ଓଡ଼ିଆ ଭାଷାର କୋଣାର୍କ ସଦୃଶ ଏହି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଅତୀତ ଵର୍ତ୍ତମାନ ଓ ଭଵିଷ୍ୟତ ବଡ଼ ସଂଘର୍ଷମୟ କହିଲେ ଅତ୍ୟୁକ୍ତି ହେବନାହିଁ ।

ଗୋପାଳ ଚନ୍ଦ୍ର ପ୍ରହରାଜଙ୍କର ବହୁଵର୍ଷର ଅକ୍ଲାନ୍ତ ପରିଶ୍ରମ ପରେ ଯେତେବେଳେ ୧୯୩୧ ରୁ ୧୯୪୦ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପ୍ରକାଶିତ ହେଲା ତାହା ଅଳ୍ପ ଦିନ ମଧ୍ୟରେ ଵିଜ୍ଞଜନଙ୍କ ଦ୍ଵାରା ଆଦୃତ ହୋଇଯାଇଥିଲା ବେଳେ ଜ୍ଞାନ ଅପେକ୍ଷା ମାନ,ଧନ ଓ ସାଂସାରିକ ସୁଖ ସୁଵିଧା ପାଇଁ ଲାଳାୟିତ ସାଧାରଣ ଜନଙ୍କ ପାଇଁ ତଥାପି ଦୃଷ୍ପ୍ରାପ୍ୟ ହୋଇ ରହିଲା ।

ସାଧାରଣ ଲୋକେ ସେମିତି ବି ବଡ଼ ବଡ଼ ଗ୍ରନ୍ଥ ଦେଖିଲେ ହତୋତ୍ସାହିତ ହୋଇ ତାକୁ ପାଠ କରିଵାଟା ଦୁଷ୍କର ଓ ସମୟସାପେକ୍ଷ କହି ପେଡି଼ରେ ସାଇତି ରଖିଦିଅନ୍ତି ।

ଭାଷାକୋଷ ପ୍ରକାଶନର କିଛି ଵର୍ଷ ପରେ ୧୯୪୫ରେ ପ୍ରହରାଜଙ୍କ ମୃତ୍ୟୁ/ହତ୍ୟାହେଲାରୁ କେହି ଏ ଗ୍ରନ୍ଥର ତତ୍ତ୍ୱ ନେଲେ ନାହିଁ ଏଵଂ ଏହା ପୁସ୍ତକାଗାରରେ ସହଜରେ ମିଳୁନଥିଲା । ଉତ୍କଳ ସାହିତ୍ୟ ପ୍ରେସ୍ ରେ ଭାଷାକୋଷର ଛପା ଫର୍ମା ପଡି଼ରହିଥିଲା ଓ କେହି କେହି ଏହି ଅବନ୍ଧା କାଗଜକୁ ନେଇ ଠୁଙ୍ଗା କରୁଥିଲେ କିମ୍ଵା ବନ୍ଧାଇଵା ଉଦ୍ଦେଶ୍ୟରେ ଵିକ୍ରି କରୁଥିଲେ ।

ବହୁତ ଅଳ୍ପ ଲୋକ ଜାଣିଥିବେ
ଷାଠିଏ ଦଶକରେ ଉତ୍କଳ ସାହିତ୍ୟ ପ୍ରେସ୍ ର ତତ୍କାଳୀନ ସତ୍ତ୍ଵାଧିକାରୀ ଶ୍ରୀଵିଶ୍ଵନାଥ କରଙ୍କ ପୌତ୍ର ସୁନନ୍ଦ କର ଘର ଘର ବୁଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ସେହି ଅବନ୍ଧା ଅଵୟଵକୁ ଵିକ୍ରି କରିବାକୁ ଚେଷ୍ଟା କରିଥିଲେ ।

ତଥାପି ଭାଷାକୋଷ ବହୁଦିନ ଯାଏଁ ଓଡ଼ିଶାର ଗୌରବ କଳାର କୋଣାର୍କ ପରି ପଡି଼ରହିଥିଲା ।

ଶେଷରେ ଲାର୍କ ବୁକ୍ସ ଟ୍ରଷ୍ଟ ଦ୍ଵାରା ଏହାକୁ ଗ୍ରନ୍ଥାକାରରେ ଏବଂ ଇ-ସଂସ୍କରଣ ଆକାରରେ ସୃଜନିକା ସଂଗଠନ ଦ୍ଵାରା ଛପାଗଲା । ଫଳରେ ମୁର୍ମୂଷୁ ପ୍ରାୟ ପଡି଼ରହିଥିଵା ଧୂଳିଧୂସରିତ
ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପୁର୍ନଃଜୀଵନ ଲାଭ କଲା ।

ଓଡ଼ିଆ ଭାଷାର ଏହି ଅମୂଲ୍ୟ ଗ୍ରନ୍ଥଟିକୁ ଏଵଂ ଏହିଭଳି ଅନେକ ପ୍ରାଚୀନ ପୁସ୍ତକ ଗୁଡି଼କୁ ଉଦ୍ଧାର କରିଥିବା ହେତୁରୁ ଏ ଅକିଞ୍ଚନ ଅନୁଷ୍ଠାନର ଶ୍ରୀ ମହେନ୍ଦ୍ର ମିଶ୍ର,ଶ୍ରୀ ନିଖିଳ ମୋହନ ପଟ୍ଟନାୟକ ତଥା ତାଙ୍କର ଅନ୍ୟ ସହଯୋଗୀ ମାନଙ୍କୁ ସସମ୍ମାନ ଧନ୍ୟଵାଦ ଜ୍ଞାପନ କରୁଅଛି ।

ଯେଉଁମାନେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଵିଷୟରେ ପୂର୍ଵେ କଥିତ କିମ୍ଭୁତକିମାକାର ମତମାନ ଦିଅନ୍ତି ସେମାନେ ଆଖି ଥିଵା ଅନ୍ଧ କି ଵଣମଣିଷ ଠିକ୍ କରିପାରୁନି !

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ କୌଣସି ସାଧାରଣ ଶବ୍ଦକୋଷ ନୁହେଁ ବୋଲି ପ୍ରଥମେ ବୁଝିଵାକୁ ହେଵ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ କେଵଳ ଏକdictionary ନୁହେଁ ଏହା ଏକ ଵିଶ୍ଵକୋଷ(encyclopedia) ମଧ୍ୟ !

Dictionaryରେ କୌଣସି ଏକ ଵା ଏକାଧିକ ଭାଷାର ଶବ୍ଦ ସୂଚୀ କେଵଳ ରହିଥାଏ କିନ୍ତୁ lexiconରେ କୌଣସି ଏକ ଭାଷାରେ ଗୋଟିଏ ଶବ୍ଦର ଅର୍ଥ ସହିତ ତହିଁର ପ୍ରୟୋଗ ଓ ନିରୁକ୍ତି ଆଦି ଉଲ୍ଲେଖ କରାଯାଇଥାଏ । ସେଥିପାଇଁ ଓଡ଼ିଶାର ଏହି ଶବ୍ଦକୋଣାର୍କକୁ  ପୂର୍ଣ୍ଣଚନ୍ଦ୍ର ଭାଷାକୋଷ କୁହାଯାଇଛି ପୂର୍ଣ୍ଣଚନ୍ଦ୍ର ଶବ୍ଦକୋଷ ନୁହେଁ । ଯେଉଁମାନଙ୍କର ଦିଖଣ୍ଡିଆ କଳେଵର ଯୁକ୍ତ ସାଧାରଣ ଅଭିଧାନରେ କାମ ଚଳିଯାଉଛି ଵା ଯେଉଁମାନେ ସାଧାରଣତଃ କେଵଳ କେତେକ ବହୁପ୍ରଚଳିତ ଓଡ଼ିଆ ଶବ୍ଦ ଜାଣିଵାକୁ ଚାହାନ୍ତି ସେମାନେ ଅନ୍ୟ ଅଭିଧାନ କିଣି ପାରନ୍ତି । ଏଭଳି ଲୋକ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପଠନ ପାଠନ କରିଵା ଯୋଗ୍ୟ ନୁହନ୍ତି । ଯେଉଁମାନେ ଓଡ଼ିଆ ଭାଷାକୁ ଜାଣିଵାକୁ ଚାହୁଁଛନ୍ତି , ଯେଉଁମାନେ ଉତ୍କଳୀୟ ସଂସ୍କୃତି ସହିତ ପରିଚିତ ହେଵାକୁ ଚାହୁଁଛନ୍ତି ,ଯେଉଁମାନେ ଓଡ଼ିଆ ଜାତିକୁ ଭଲ ଭାବରେ ଜାଣିଵାକୁ ଚାହୁଁଛନ୍ତି ଏଵଂ ଯେଉଁମାନେ ଅନିସନ୍ଧିତ୍ସୁ ଵା ଗଵେଷକ ସେହିମାନେ ନିଶ୍ଚୟ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ମହତ୍ତ୍ଵ କ'ଣ ତାହା ହୃଦୟଙ୍ଗମ କରିଥିବେ । ଆଉ ରହିଲା ତ୍ରୁଟି ଵିଚ୍ୟୁତି କଥା, ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଶହେ ଵର୍ଷ ତଳେ ଛପିଥିଲା ଏଵଂ ଏହାର ନୂତନ ସଂସ୍କରଣ ମଧ୍ୟ ବାହାରିଵାର ଜଣାଯାଏ ନାହିଁ ‌ ।

କିନ୍ତୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ କ'ଣ ସତରେ ଏକ ଭାଷାକୋଷ ଵା encyclopaediaକି ?

ପ୍ରଥମେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଯେଉଁ ସବୁ ଉପାଦାନ ରହିଛି ତହିଁର ଏକ ସୂଚୀ କରାଯାଉ
...

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କ'ଣ ଅଛି ?

✓ଅଧିକାଂଶ ଓଡ଼ିଆ ଶବ୍ଦର
ହିନ୍ଦୀ ଓ ବଙ୍ଗାଳୀ synonym ଯଥାକ୍ରମେ ଦେଵନାଗରୀ ଓ କାମରୂପୀ ଲିପିରେ ଲେଖାଯାଇଛି ।

✓କେତେକଓଡ଼ିଆ ଶବ୍ଦର ତେଲୁଗୁ, ତାମିଲ ,ମରାଠୀ ଗୁଜରାଟୀ ଓ କ୍ଵଚିତ୍ ଅହମିଆ ପ୍ରତିଶବ୍ଦ ମଧ୍ୟ ଦିଆଯାଇଛି ।‌

✓ଗଛ ଓ ଜୀଵଙ୍କର ଵୈଜ୍ଞାନିକ ଲାଟିନ୍
ନାମ ଦିଆଯାଇଛି ।

✓ଅଧିକାଂଶ ଓଡ଼ିଆ ଶବ୍ଦର ଵ୍ୟୁତ୍ପତ୍ତି ମୂଳ ଦିଆଯାଇଛି।

✓ଅଧିକାଂଶ ସଂସ୍କୃତ ଶବ୍ଦର ନିରୁକ୍ତି ପ୍ରଦାନ କରାଯାଇଛି

✓ଅନେକ ଶବ୍ଦ ସମ୍ବନ୍ଧରେ ଵିସ୍ତୃତ ଵର୍ଣ୍ଣନା କରାଯାଇଛି

✓ଅନେକ ସଂସ୍କୃତ ଶବ୍ଦର ଦୁଇ ଵା ତତୋଽଧିକ ପର୍ଯ୍ୟାୟଵାଚୀ ଶବ୍ଦର ଉଲ୍ଲେଖ କରାଯାଇଛି

✓ଅଧିକାଂଶ ଶବ୍ଦ ତଳେ ଉକ୍ତ ଶବ୍ଦର ସାହିତ୍ୟରେ ପ୍ରୟୋଗର ଉଦାହରଣ ଦିଆଯାଇଛି

✓କେତେକ ଶବ୍ଦର କେମିତି ଵାକ୍ୟଗଠନ କରି ପ୍ରୟୋଗ କରାଯାଏ ତାହା ମଧ୍ୟ ଉଲ୍ଲେଖ କରାଯାଇଛି

✓କୌଣସି କୌଣସି ଶବ୍ଦ ତଳେ ସେହି ଶବ୍ଦର ପ୍ରୟୋଗ କେମିତି ପ୍ରଵଚନ,ଢଗଢମାଳି,ପ୍ରହେଳିକା ଆଦିରେ ହୋଇଛି ତାହା ମଧ୍ୟ ଦର୍ଶାଯାଇଛି

✓କେତୋଟି ଓଡ଼ିଆ ଲୋକକଥା ଓ କିଂଵଦନ୍ତୀ ମଧ୍ୟ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସ୍ଥାନ ପାଇଛି ।

✓ଜଣେ ଜଣେ ମହାପୁରୁଷଙ୍କ ସଂକ୍ଷିପ୍ତ ଓ କେତେକଙ୍କ ଵିସ୍ତୃମ ଜୀଵନୀ ମଧ୍ୟ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସ୍ଥାନ ଲଭିଛି ।

✓ହଜାର ହଜାର ସମ୍ବଲପୁରୀ,କଟକୀ,ଗଞ୍ଜାମୀ,ଯାଜପୁରୀ,ଦେଶିଆ, ବାଲେଶ୍ଵରୀ ଶବ୍ଦ ମଧ୍ୟ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସ୍ଥାନ ପାଇଛି ।

ଏଭଳି ତଥ୍ୟପୂର୍ଣ୍ଣ କୋଷକୁ କେଵଳ ଜ୍ଞାନକୋଷ ଵା encyclopaedia ହିଁ ଅଭିହିତ କରାଯାଇପାରେ ।

ତେବେ ଶବ୍ଦଗୁରୁ ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜ ତାଙ୍କର ଓଡ଼ିଆ ଶବ୍ଦକୋଣାର୍କକୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ନାମ ଦେଇ ଯାଇଛନ୍ତି ‌ । ଏହା ଓଡ଼ିଆ ଭାଷାର ଜ୍ଞାନକୋଷ ତେଣୁ ଏହାକୁ ଓଡ଼ିଆ ଭାଷାକୋଷ ମଧ୍ୟ କୁହାଯାଏ ‌ ।

ଜଣେ ଗଵେଷକ ପାଇଁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅମୂଲ୍ୟ ସମ୍ପଦ । ବଡ଼ ମନ ଯାହାର ସେ ବଡ଼ କାମ କରେ । ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜ ବଡ଼ କାମଟିଏ କରିଯାଇଛନ୍ତି । ଗୁଜରାଟର ଭଗୋବତ୍ ମଣ୍ଡଳ ଅଭିଧାନ ହେଉ କି ହିନ୍ଦୀ ଶବ୍ଦ ସାଗର ଵା ତାମିଳ ଲେକ୍ସିକନ୍ ତତ୍କାଳୀନ ସମୟରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ସବୁ ଭାଷାକୋଷ ମଧ୍ୟରେ ଶ୍ରେଷ୍ଠ ପରିଗଣିତ ହେଉଥିଲା ଏଵଂ ମଧ୍ୟ ଓଡ଼ିଶାରେ ଓଡ଼ିଆ ଭାଷାରେ ଅନେକ ଶବ୍ଦକୋଷ ସଂକଳିତ ହୋଇଥିଲେ ହେଁ ପୂର୍ଣ୍ଣଚନ୍ଦ୍ର ପରି ଏହାର ପୂର୍ଣ୍ଣାଙ୍ଗ ସ୍ଵୟଂ ସମ୍ପୂର୍ଣ୍ଣ ସମସ୍ତ ଗୁଣ ଥିଲା ଭଳି କୌଣସି ଶବ୍ଦକୋଷ ଵା ଭାଷାକୋଷ କେଉଁଠି ଦୃଶ୍ୟ ହୁଏନାହିଁ ।

ପ୍ରହରାଜଙ୍କର ଦୁର୍ଭାଗ୍ୟ ସେ ଏହିପରି ଏକ ଜ୍ଞାନକୋଷ ଵା encyclopaedia ଓଡ଼ିଆ ଭାଷାରେ କଲେ ଯଦି ହିନ୍ଦୀ କି ବଙ୍ଗାଳୀରେ ସେ ଏହି କାମ କରିଥାନ୍ତେ ତେବେ ହିନ୍ଦିଆ ଓ ବଙ୍ଗାଳୀ ତାଙ୍କୁ ଏଇଲେଁ ମୁଣ୍ଡରେ ବସେଇ ବୁଲୁଥାନ୍ତେ ...

ଆମ ଓଡ଼ିଆ ଜାତି, ଶବ୍ଦଗୁରୁ ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜ ଓ ତାଙ୍କର ଶବ୍ଦକୋଣାର୍କ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ମହତ୍ଵ ଆଉ କେତେ ଶହ ଵର୍ଷ ଅତିଵାହିତ ହେଲାପରେ ହୃଦୟଙ୍ଗମ କରିଵ ?

ଧିକ୍କାର ସେମାନଙ୍କୁ ଯେଉଁମାନେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର କେଵଳ ଦୋଷ ତ୍ରୁଟି ଲକ୍ଷ୍ୟ କରିଛନ୍ତି ଆଉ ଏହାର ଉପାଦେୟତାକୁ ହେୟଜ୍ଞାନ କରୁଛନ୍ତି ।

Tuesday, April 19, 2022

ପାର୍ସୀ ଭାଷାର ଖୁଦା(ଈଶ୍ଵର),ଖାତୁନ୍(ମହିଳା, ସମ୍ମାନନୀୟା ମହିଳା) ସହିତ ଵୈଦିକ ସ୍ବଧା ଶବ୍ଦର କ'ଣ ସମ୍ପର୍କ ଅଛି ଜାଣିଛନ୍ତି କି ?


କଠୋରପନ୍ଥୀ ମୁସଲମାନମାନେ ସନାତନ ଧର୍ମର ଶାସ୍ତ୍ର ପୁରାଣ ଲେଖାଯାଇଥିଵାରୁ ସଂସ୍କୃତ ଭାଷା ଓ ଏହାର ଶବ୍ଦାଵଳୀକୁ ଘୃଣା କରନ୍ତି ।  କିନ୍ତୁ ଭାରତ ,ପାକିସ୍ତାନ, ଆଫଗାନିସ୍ତାନ ଓ ଇରାନର ମୁସଲମାନମାନେ ସର୍ଵଶକ୍ତିମାନ ନିରାକାର ଈଶ୍ଵରଙ୍କୁ ଯେଉଁ ଖୁଦା ସମ୍ବୋଧନ କରି ସ୍ମରଣ କରିଥାନ୍ତି ତାହାର ସମ୍ପର୍କ ସଂସ୍କୃତ ସହିତ ରହିଛି ବୋଲି ସେମାନେ ଜାଣିନାହାନ୍ତି ।

ଆଧୁନିକ ଖୁଦା ଶବ୍ଦଟି ପୂର୍ଵେ خدای‎ (xodây) ଥିଲା ଏଵଂ ତହିଁ ପୂର୍ଵରୁ  𐫑𐫇𐫅𐫀𐫏‎ (xwadāy) ରୂପରେ ଇରାନରେ ପ୍ରଚଳିତ ଥିଲା ।

ପାଶ୍ଚାତ୍ୟ ଭାଷାଵିଦମାନେ ଖୁଦା ଶବ୍ଦର ଵିଭିନ୍ନ ଅଞ୍ଚଳରେ ତଥା ଭିନ୍ନ ଭିନ୍ନ କାଳଖଣ୍ଡରେ ପ୍ରଚଳିତ ରୂପକୁ ଆଧାର କରି ଏହାର ପ୍ରାକ୍ ଇରାନୀ ରୂପ  *hwatā́wā (“lord, god”) ଅନୁମାନ କରିଛନ୍ତି ।

ପ୍ରାକ୍ ଇରାନୀୟ ଶବ୍ଦ  hwatā́wā ରେ ଦୁଇଟି ଶବ୍ଦ ଅଛି
*hwá (“ସ୍ଵୟଂ”) ଓ  *tā́wā(ଶକ୍ତିଶାଳୀ ଵା ଶକ୍ତିମାନ) । ଏହାର ସବୁଠାରୁ ନିକଟତର ସଂସ୍କୃତ ଶବ୍ଦ ହେଉଛି “ସ୍ଵତଵସ” ଯାହାର ଅର୍ଥ ମଧ୍ୟ ଵୀର ଓ ଶକ୍ତିଶାଳୀ ଅଟେ ।

ପାଶ୍ଚାତ୍ୟ ଭାଷାଵିଦମାନଙ୍କ ଅନୁସାରେ

•ଆଵେସ୍ତୀୟ 𐬓𐬀𐬜𐬀𐬙𐬀‎ (xᵛaδata, “ସ୍ଵନିର୍ଦ୍ଧାରିତ”) (କୌଣସି ପରିସ୍ଥିତିରେ କା ପାଖରେ ନିର୍ଭର କି ପରାଧୀନ ନହେଵା ଅଵସ୍ଥା ")

•ବ୍ୟାକ୍ଟ୍ରିୟ χοαδηο (xoadēo, “ପ୍ରଭୁ,ମାଲିକ”)

• କୁର୍ଦ୍ଦସ୍  xwedê ଓ خوا‎ (xwa)

•ସଂସ୍କୃତ ସ୍ବଧା(svádhā)

ଇତ୍ୟାଦି ଶବ୍ଦ ସହିତ ପାର୍ସୀ ଖୁଦା ଶବ୍ଦ ସମୋଦ୍ଧୃତ ।

ପାର୍ସୀରେ ଖୁଦା ଶବ୍ଦ ସହିତ ମଧ୍ୟ ଅନେକ ସମୋଦ୍ଧୃତ ଶବ୍ଦ ମଧ୍ୟ ପ୍ରଚଳିତ ଯଥା—   خود‎ (xod, “ସ୍ଵୟଂ”; ଏହି ଖୁଦ୍ ଶବ୍ଦ ସଂସ୍କୃତ ସ୍ଵୟଂ ସହିତ ସମୋଦ୍ଧୃତ), خدیو‎ (xadiv, “ପ୍ରଭୁ, ମାଲିକ”), خاتون‎ (xâtun, “ମହିଳା, ସମ୍ମାନୀୟା ମହିଳା”).

ପାଶ୍ଚାତ୍ୟ ଭାଷାଵିଦମାନେ ଖୁଦା ଓ ସ୍ବଧା ଶବ୍ଦର ପ୍ରାକ୍ ଭାରତୀୟ ରୂପ   *swádʰaH, ପ୍ରାକ୍ ଭାରୋ ଇରାନୀୟ ରୂପ  *swádʰaH ଏଵଂ ପ୍ରାକ୍ ଭାରୋପୀୟ ରୂପ  *swe-dʰh₁- ଅନୁମାନ କରିଛନ୍ତି ।

ବହୁ ପ୍ରାଚୀନ କାଳରେ ସ୍ବଧା ଶବ୍ଦ ପାରସ୍ୟ ଦେଶରେ ପ୍ରଚଳିତ ଥିଲା ଯାହା ପ୍ରମାଣ କରେ ଯେ ଆଜିର ଇରାନର ଲୋକେ ଆଗେ ସନାତନୀ ହିଁ ଥିଲେ ।

ପୁନଶ୍ଚ ସ୍ବଧା କୌଣସି ସାଧାରଣ ଶବ୍ଦ ନୁହେଁ ଵରଂ ଏହା ଏକ ପୁରାତନ ଓ ଵେଦ ତଥା ପୁରାଣାଦିରେ ବହୁଧା ଵ୍ୟଵହୃତ ଭାରତୀୟ
ଶବ୍ଦ ଅଟେ ।

ପ୍ରାଚୀନ ଭାରତୀୟ ଭାଷାଵିଦମାନେ ସ୍ବଧା ଶବ୍ଦକୁ ସ୍ବଦ୍ ଧାତୁରୁ ନିଷ୍ପନ୍ନ କରିଯାଇଛନ୍ତି ।

ସ୍ବଦ୍ ଧାତୁରୁ  ଆସ୍ବାଦନକରିଵା ଵା ଚାଖିଵା,ଅନୁଭଵ କରିଵା,ଛେଦନ କରିଵା ଓ ଵଧ କରିଵା ଆଦି ଅର୍ଥ ଘେନି ଶବ୍ଦ ନିଷ୍ପନ୍ନ ହୋଇଥାଏ ।

ପିତୃସମ୍ପ୍ରଦାନ ମନ୍ତ୍ରରେ ସ୍ବାଧା ଶବ୍ଦ ପ୍ରୟୋଗ କରାଯାଏ ...
“ଦୈତ୍ଯେଭ୍ଯୋଽଳଂ ହରିଃ ପୂଷ୍ଣେ ଵଷଟ୍ ସଦ୍ଭ୍ଯୋ ହିତଂ ସୁଖମ୍ । ସ୍ଵାହାଗ୍ନୟେ ସ୍ଵଧା ପିତ୍ରେ ସ୍ଵସ୍ତି ଧାତ୍ରେ ନମଃ ସତେ ॥ ”

ଦେଵତାଙ୍କୁ ହବିର୍ଦାନ କରିଵା ବେଳେ ଉଚ୍ଚାରିତ ମନ୍ତ୍ର  ଯଥା ସ୍ଵାହା, ଶ୍ରୌଷଟ୍, ବୌଷଟ୍, ବଷଟ୍ ଓ ସ୍ବଧା, ସ୍ଥାନଵିଶେଷରେ ଵ୍ୟଵହୃତ ହୁଏ।

ଏହାର ଅର୍ଥ— "ହେ ଦେବ! ଏହା ଆପଣ ଗ୍ରହଣ ବା ଆସ୍ବାଦନ କର"। ଏହି ଶବ୍ଦମାନଙ୍କ ଯୋଗରେ ସଂସ୍କୃତରେ ଚତୁର୍ଥୀ ଵିଭକ୍ତି ହୁଏ ।

ସେହିପରି ପିତୃପୁରୁଷଙ୍କୁ ପିଣ୍ଡ ଓ ତିଳଜଳ ଦେଵା ସମୟରେ ଉଚ୍ଚାରିତ ମନ୍ତ୍ରକୁ ସ୍ବଧା କୁହାଯାଏ । କାରଣ ଭାରତୀୟ ପୁରାଣ ଶାସ୍ତ୍ର ଅନୁଯାୟୀ ସ୍ବଧା ହେଉଛନ୍ତି ଶ୍ରାଦ୍ଧର ଅଧିଷ୍ଠାତ୍ରୀ ଦେଵୀ । ଦେଵୀ ସ୍ଵଧା ହେଲେ ବ୍ରହ୍ମାଙ୍କ ମାନସୀ କନ୍ୟା ।ଦେଵୀ ସ୍ବଧା ସୁସ୍ଥିରଯୌଵନା, ଶ୍ବେତଚମ୍ପକଵର୍ଣ୍ଣା, ଗୁଣଵତୀ, ଵିଦ୍ଯାଵତୀ ଓ ରୂପଵତୀ ହୋଇଥିଵା ଭାରତୀୟ ପୁରାଣ ଶାସ୍ତ୍ରର ମତ । ଏହାଙ୍କ ନାମ ଉଚ୍ଚାରଣ କଲେ ପିତୃଲୋକେ ପିଣ୍ଡ ପାଆନ୍ତି ବୋଲି ଵିଶ୍ଵାସ ରହିଛି। ଏହାଙ୍କୁ ପ୍ରଥମେ ଅର୍ଜନ ନ କରି ଶ୍ରାଦ୍ଧ କଲେ ଉକ୍ତ ପିଣ୍ଡକୁ ପିତୃଲୋକେ ପାଆନ୍ତି ନାହିଁ ବୋଲି ମଧ୍ୟ କଥିତ ହୁଏ ।

କଳ୍ପଦ୍ରୁମ ସଂସ୍କୃତ ଅଭିଧାନରେ ଏହି ଦେଵୀ ସ୍ଵଧାଙ୍କର ନାମର ନିରୁକ୍ତି ଏମନ୍ତ ଉଲ୍ଲେଖ ଅଛି...
“ସ୍ଵାନ୍ ଦଧାତୀତି । ଧା + କ୍ଵିପ୍ ।”

ବ୍ରହ୍ମଵୈଵର୍ତ୍ତ ପୁରାଣର ପ୍ରକୃତିଖଣ୍ଡରେ ଦେଵୀ ସ୍ଵଧାଙ୍କ ଵିଷୟରେ ଶ୍ରୀ ଭଗଵାନ ଦେଵଋଷି ନାରଦଙ୍କୁ ବ୍ରହ୍ମାଙ୍କର ମାନସୀ ପୁତ୍ରୀ ଦେଵୀ ସ୍ଵଧାଙ୍କ ଵିଷୟରେ ଯାହା କହି ଅଛନ୍ତି ତାହା ଏଠାରେ ପ୍ରଦତ୍ତ ହେଲା...

ଶ୍ରୀନାରାୟଣ ଉଵାଚ ।
“ଶୃଣୁ ନାରଦ ଵକ୍ଷ୍ଯାମି ସ୍ଵଧୋପାଖ୍ଯାନମୁତ୍ତମମ୍ ।
ପିତୃ଼ଣାଞ୍ଚ ତୃପ୍ତିକରଂ ଶ୍ରାଦ୍ଧାନାଂ ଫଳଵର୍ଦ୍ଧନମ୍ ॥
ସୃଷ୍ଟେରାଦୌ ପିତୃଗଣାନ୍ ସସର୍ଜ୍ଜ ଜଗତାଂ ଵିଧିଃ ।
ଚତୁରଶ୍ଚତୁର୍ମ୍ମୂର୍ତ୍ତିମତସ୍ତ୍ରୀଂଶ୍ଚ ତେଜଃସ୍ଵରୂପିଣଃ ॥
ଦୃଷ୍ଟ୍ଵା ସପ୍ତ ପିତୃଗଣାନ୍ ସିଦ୍ଧରୂପାନ୍ମନୋହରାନ୍ ।
ଆହାରଂ ସଂସୃଜେ ତେଷାଂ ଶ୍ରାଦ୍ଧଂ ତର୍ପଣପୂର୍ବ୍ବକମ୍ ॥
ସ୍ନାନଂ ତର୍ପଣପର୍ଯ୍ଯନ୍ତଂ ଶ୍ରାଦ୍ଧାନ୍ତଂ ଦେଵପୂଜନମ୍ ।
ଆହ୍ନିକଞ୍ଚ ତ୍ରିସନ୍ଧ୍ଯାନ୍ତଂ ଵିପ୍ରାଣାଞ୍ଚ ଶ୍ରୁତୌ ଶ୍ରୁତମ୍ ॥
ନିତ୍ଯଂ ନ କୁର୍ଯ୍ଯାଦ୍ଯୋ ଵିପ୍ରସ୍ତ୍ରିସନ୍ଧ୍ଯଂ ଶ୍ରାଦ୍ଧତର୍ପଣମ୍ ।
ବଳିଂ ଵେଦଧ୍ଵନିଂ ସୋଽପି ଵିଷହୀନୋ ଯଥୋରଗଃ ॥
ହରିସେଵାଵିହୀନଶ୍ଚ ଶ୍ରୀହରେରନୈଵେଦ୍ଯଭୁକ୍ ।
ଭସ୍ମାନ୍ତଂ ସୂତକଂ ତସ୍ଯ ନ କର୍ମ୍ମାର୍ହଃ ସ ନାରଦ ॥
ବ୍ରହ୍ମା ଶ୍ରାଦ୍ଧାଦିକଂ ସୃଷ୍ଟ୍ଵା ଜଗାମ ପିତୃହେତଵେ ।
ନ ପ୍ରାପ୍ନୁଵନ୍ତି ପିତରୋ ଦଦତି ବ୍ରାହ୍ମଣାଦୟଃ ॥
ସର୍ଵ୍ଵେ ପ୍ରଜଗ୍ମୁଃ କ୍ଷୁଭିତା ଵିଷଣ୍ଣା ବ୍ରହ୍ମଣଃ ସଭାମ୍ ।
ସର୍ଵ୍ଵଂ ନିଵେଦନଂ ଚକ୍ରୁସ୍ତମେଵ ଜଗତାଂ ଵିଧିମ୍ ॥
ବ୍ରହ୍ମା ଚ ମାନସୀଂ କନ୍ଯାଂ ସସୃଜେ ତାଂ ମନୋହରାମ୍ ।
ରୂପଯୌଵନସମ୍ପନ୍ନାଂ ଶତଚନ୍ଦ୍ରସମପ୍ରଭାମ୍ ॥
ଵିଦ୍ଯାଵତୀଂ ଗୁଣଵତୀମତିରୂପଵତୀଂ ସତୀମ୍ ।
ଶ୍ଵେତଚମ୍ପକଵର୍ଣାଭାଂ ରତ୍ନଭୂଷଣଭୂଷିତାମ୍ ॥
ଵିଶୁଦ୍ଧାଂ ପ୍ରକୃତେରଂଶାଂ ସମ୍ମିତାଂ ଵରଦାଂ ଶୁଭାମ୍ ।
ସ୍ଵଧାଭିଧାନାଂ ସୁଦତୀଂ ଲକ୍ଷ୍ମୀଲକ୍ଷଣସଂଯୁତାମ୍ ॥ ଶତପଦ୍ମଦଳନ୍ଯସ୍ତପାଦପଦ୍ମଞ୍ଚ ବିଭ୍ରତୀମ୍ । ପତ୍ନୀଂ ପିତୃ଼ଣାଂ ପଦ୍ମାସ୍ଯାଂ ପଦ୍ମଜାଂ ପଦ୍ମଲୋଚନାମ୍ ॥
ପିତୃଭ୍ଯସ୍ତାଂ ଦଦୌ ବ୍ରହ୍ମା ତୁଷ୍ଟେଭ୍ଯସ୍ତୁଷ୍ଟିରୂପିଣୀମ୍ । ବ୍ରାହ୍ମଣାଂଶ୍ଚୋପଦେଶଞ୍ଚ ଚକାର ଗୋପନୀୟକମ୍ ॥
ସ୍ଵଧାନ୍ତଂ ମନ୍ତ୍ରମୁଚ୍ଚାର୍ଯ୍ଯ ପିତୃଭ୍ଯୋ ଦେହି ଚେତି ଚ ।
କ୍ରମେଣ ତେନ ଵିପ୍ରାଶ୍ଚ ପିତ୍ରେ ଦାନଂ ଦଦୁଃ ପୁରା ॥
ସ୍ଵାହା ଶସ୍ତା ଦେଵଦାନେ ପିତୃଦାନେ ସ୍ଵଧା ପରା ।
ସର୍ଵ୍ଵତ୍ର ଦକ୍ଷିଣା ଶସ୍ତା ହତଯଜ୍ଞମଦକ୍ଷିଣମ୍ ॥ ପିତରୋ ଦେଵତା ଵିପ୍ରା ମୁନୟୋ ମନଵସ୍ତଥା ।
ପୂଜାଂ ଚକ୍ରୁଃ ସ୍ଵଧାଂ ଶାନ୍ତାଂ ତୁଷ୍ଟାଵ ପରମାଦରମ୍ ॥
ଦେଵାଦୟଶ୍ଚ ସନ୍ତୁଷ୍ଟାଃ ପରିପୂର୍ଣ୍ଣମନୋରଥାଃ ।
ଵିପ୍ରାଦୟଶ୍ଚ ପିତରଃ ସ୍ଵଧାଦେଵୀଵରେଣ ଚ ॥
ଇତ୍ଯେଵଂ କଥିତଂ ସର୍ଵ୍ଵଂ ସ୍ଵଧୋପାଖ୍ଯାନମୁତ୍ତମମ୍ ।
ସର୍ଵ୍ଵେଷାଞ୍ଚ ତୁଷ୍ଟିକରଂ କିଂ ଭୂୟଃ ଶ୍ରୋତୁମିଚ୍ଛସି ॥”

ନାରଦ ଉଵାଚ ।

“ସ୍ଵଧାପୂଜାଵିଧାନଞ୍ଚ ଧ୍ଯାନଂ ସ୍ତୋତ୍ରଂ ତଥା ମୁନେ ।
ଶ୍ରୋତୁମିଚ୍ଛାମି ଯତ୍ନେନ ଵଦ ଵେଦଵିଦାଂଵର ॥”

ଶ୍ରୀନାରାୟଣ ଉଵାଚ ।

“ତଦ୍ଧ୍ଯାନଂ ସ୍ତଵନଂ ବ୍ରହ୍ମନ୍ ଵେଦୋକ୍ତଂ ସର୍ଵ୍ଵସମ୍ମତମ୍ ।
ସର୍ଵ୍ଵଂ ଜାନାସି ଚ କଥଂ ଜ୍ଞାତୁମିଚ୍ଛସି ଵୃଦ୍ଧୟେ ॥
ଶରତ୍କୃଷ୍ଣତ୍ରୟୋଦଶ୍ଯାଂ ମଘାୟାଂ ଶ୍ରାଦ୍ଧଵାସରେ ।
ସ୍ଵଧାଂ ସଂପୂଜ୍ଯ ଯତ୍ନେନ ତତଃ ଶ୍ରାଦ୍ଧଂ ସମାଚରେତ୍ ॥
ସ୍ଵଧାଂ ନାଭ୍ଯର୍ଚ୍ଚ୍ଯ ଯୋ ଵିପ୍ରଃ ଶ୍ରାଦ୍ଧଂ କୁର୍ଯ୍ଯାଦହମ୍ମତିଃ ।
ନ ଭଵେତ୍ ଫଳଭାକ୍ ସତ୍ଯଂ ଶ୍ରାଦ୍ଧସ୍ଯ ତର୍ପଣସ୍ଯ ଚ ॥
ବ୍ରହ୍ମଣୋ ମାନସୀଂ କନ୍ଯାଂ ଶଶ୍ଵତ୍ ସୁସ୍ଥିରଯୌଵନାମ୍ ।
ପୂଜ୍ଯାଂ ପିତୃ଼ଣାଂ ଦେଵାନାଂ ଶ୍ରାଦ୍ଧାନାଂ ଫଳଦାଂ ଭଜେ ॥
ଇତି ଧ୍ଯାତ୍ଵା ଶାଳଗ୍ରାମେଽପ୍ଯଥଵା ମଙ୍ଗଳେ ଘଟେ ।
ଦଦ୍ଯାତ୍ ପାଦ୍ଯାଦିକଂ ତସ୍ଯୈ ମୂଳେନେତି ଶ୍ରୁତୌ ଶ୍ରୁତମ୍ ॥

ଓଁ ହ୍ରୀଁ ଶ୍ରୀଁ କ୍ଲୀଁ ସ୍ଵଧାଦେଵ୍ଯୈ ସ୍ଵାହେତି ଚ ମହା- ମନୁମ୍ ।
ସସୁଚ୍ଚାର୍ଯ୍ଯ ଚ ସଂପୂଜ୍ଯ ସ୍ତୁତ୍ଵା ତାଂ ପ୍ରଣମେଦ୍ଦ୍ଵିଜଃ ॥ * ॥

ସ୍ତୋତ୍ରଂ ଶୃଣୁ ମୁନିଶ୍ରେଷ୍ଠ ବ୍ରହ୍ମପୁତ୍ତ୍ର ଵିଶାରଦ । ସର୍ଵ୍ଵଵାଞ୍ଛାପ୍ରଦଂ ନୃ଼ଣାଂ ବ୍ରହ୍ମଣା ଯତ୍ କୃତଂ ପୁରା ॥ ବ୍ରହ୍ମୋଵାଚ ।

“ସ୍ଵଧୋଚ୍ଚାରଣମାତ୍ରେଣ ତୀର୍ଥସ୍ନାୟୀ ଭଵେନ୍ନରଃ ।
ମୁଚ୍ଯତେ ସର୍ଵ୍ଵପାପେଭ୍ଯୋ ଵାଜପେୟଫଳଂ ଲଭେତ୍ ॥
ସ୍ଵଧା ସ୍ଵଧା ସ୍ଵଧେତ୍ଯେଵଂ ଯଦି ଵାରତ୍ରୟଂ ସ୍ମରେତ୍ ।
ଶ୍ରାଦ୍ଧସ୍ଯ ଫଳମାପ୍ନୋତି ଵଳେଶ୍ଚ ତର୍ପଣସ୍ଯ ଚ ॥
ଶ୍ରାଦ୍ଧକାଳେ ସ୍ଵଧାସ୍ତୋତ୍ରଂ ଯଃ ଶୃଣୋତି ସମାହିତଃ ।
ଲଭେତ୍ ଶ୍ରାଦ୍ଧଶତାନାଞ୍ଚ ପୁଣ୍ଯମେଵ ନ ସଂଶୟଃ ॥
ସ୍ଵଧା ସ୍ଵଧା ସ୍ଵଧେତ୍ଯେଵଂ ତ୍ରିସନ୍ଧ୍ଯଂ ଯଃ ପଠେନ୍ନରଃ ।
ପ୍ରିୟାଂ ଵିନୀତାଂ ସ ଲଭେତ୍ ସାଧ୍ଵୀଂ ପୁତ୍ତ୍ରଂ ଗୁଣାନ୍ଵିତମ୍ ॥
ପିତୃ଼ଣାଂ ପ୍ରାଣତୁଲ୍ଯା ତ୍ଵଂ ଦ୍ଵିଜଜୀଵନରୂପିଣୀ ।
ଶ୍ରାଦ୍ଧାଧିଷ୍ଠାତୃଦେଵୀ ଚ ଶ୍ରାଦ୍ଧାଦୀନାଂ ଫଳପ୍ରଦା ॥
ଵହିର୍ଗଚ୍ଛ ମନ୍ମନସଃ ପିତୃ଼ଣାଂ ତୁଷ୍ଟିହେତଵେ ।
ସଂପ୍ରୀତୟେ ଦ୍ଵିଜାତୀନାଂ ଗୃହିଣାଂ ଵୃଦ୍ଧିହେତଵେ ॥
ନିତ୍ଯା ତ୍ଵଂ ନିତ୍ଯରୂପାସି ପୁଣ୍ଯରୂପାସି ସୁଵ୍ରତେ ।
ଆଵିର୍ଭାଵତିରୋଭାଵୀ ସୃଷ୍ଟୌ ଚ ପ୍ରଳୟେ ତଵ ॥
ଓଁ ସ୍ଵସ୍ତି ଚ ନମଃ ସ୍ଵାହା ସ୍ଵଧା ତ୍ଵଂ ଦକ୍ଷିଣା ତଥା ।
ନିରୂପିତାଶ୍ଚତୁର୍ଵ୍ଵେଦେ ଷଟ୍ ପ୍ରଶସ୍ତାଶ୍ଚ କର୍ମ୍ମଣାମ୍ ॥
ପୁରାସୀସ୍ତ୍ଵଂ ସ୍ଵଧା ଗୋପୀ ଗୋଲୋକେ ରାଧିକାସଖୀ ।
ଧୃତୋରସି ସ୍ଵମାତ୍ମାନଂ କୃଷ୍ଣତ୍ଵେନ ସ୍ଵଧା ସ୍ମୃତା ॥
ଧ୍ଵସ୍ତା ତ୍ଵଂରାଧିକାଶାପାତ୍ ଗୋଲୋକାଦ୍ଵିଶ୍ଵମାଗତା ।
କୃଷ୍ଣଶ୍ଲିଷ୍ଟା ତୟା ଦୃଷ୍ଟା ପୁରା ଵୃନ୍ଦାଵନେ ଵନେ ॥
କୃଷ୍ଣାଲିଙ୍ଗନପୁଣ୍ଯେନ ଭୂତା ମେ ମାନସୀ ସୁତା ।
ଅତୃପ୍ତା ସୁରତୌ ତେନ ଚତୁର୍ଣ୍ଣାଂ ସ୍ଵାମିନାଂ ପ୍ରିୟା ॥
ସ୍ଵାହା ଚ ସୁନ୍ଦରୀ ଗୋପୀ ପୁରାସୀଦ୍ରାଧିକାସଖୀ ।
ସ୍ଵଂ କୃଷ୍ଣମାହ ରତୟେ ତେନ ସ୍ଵାହା ପ୍ରକୀର୍ତ୍ତିତା ॥
କୃଷ୍ଣେନ ସାର୍ଦ୍ଧଂ ସୁଚିରଂ ରମତେ ରାସମଣ୍ଡଳେ ।
ପ୍ରମତ୍ତା ସୁରତୌ ଶ୍ଲିଷ୍ଟା ଦୃଷ୍ଟା ସା ରାଧୟା ପୁରା ॥
ତସ୍ଯାଃ ଶାପେନ ପ୍ରଧ୍ଵସ୍ତା ଗୋଲୋକାଦ୍ବିଶ୍ଵମାଗତା ।
କୃଷ୍ଣାଲିଙ୍ଗନପୁଣ୍ଯେନ ବଭୂଵ ଵହ୍ନିକାମିନୀ ॥
ପଵିତ୍ରରୂପା ପରମା ଦେଵାନାଂ ଵନ୍ଦିତା ନୃଣାମ୍ ।
ଯନ୍ନାମୋଚ୍ଚାରଣେନୈଵ ନରୋ ମୁଚ୍ଯେତ ପାତକାତ୍ ॥
ସା ସୁଶୀଳାଭିଧାଗୋପୀ ପୁରାସୋଦ୍ରାଧିକାସଖୀ ।
ଉଵାସ ଦକ୍ଷିଣେ କ୍ରୋଡେ କୃଷ୍ଣସ୍ଯ ରାଧିକାଗ୍ରତଃ ॥
ପ୍ରଧ୍ବସ୍ତା ସା ଚ ତତ୍ଶାପାତ୍ ଗୋଲୋକାଦ୍ଵିଶ୍ଵମାଗତା । କୃଷ୍ଣାଲିଙ୍ଗନପୁଣ୍ଯେନ ସା ବଭୂଵ ଚ ଦକ୍ଷିଣା ॥
ପ୍ରେୟସୀ ସୁରତୌ ଦକ୍ଷା ପ୍ରଶସ୍ତା ସଵ୍ଵକର୍ମ୍ମସୁ ।
ଉଵାସ ଦକ୍ଷିଣେ ଭର୍ତ୍ତୁର୍ଦ୍ଦକ୍ଷିଣା ତେନ କୀର୍ତ୍ତିତା ॥
ବଭୂଵୁସ୍ତିସ୍ରୋ ଗୋପ୍ଯଶ୍ଚ ସ୍ଵଧା ଚ ଦକ୍ଷିଣା ତଥା ।
କର୍ମ୍ମିଣାଂ କର୍ମ୍ମପୂର୍ଣାର୍ଥଂ ପୁରା ଚୈଵେଶ୍ଵରେଚ୍ଛୟା ॥
ଇତ୍ଯେଵମୁକ୍ତ୍ଵା ସ ବ୍ରହ୍ମା ବ୍ରହ୍ମଲୋକେ ସ୍ଵସଂସଦି ।
ତସ୍ଥୌ ଚ ସହସାମାତ୍ଯଃ ସ୍ଵଧା ସାଵିର୍ବ୍ବଭୂଵ ହ ॥
ତଦା ପିତୃଭ୍ଯଃ ପ୍ରଦଦୌ ତାମେଵ କମଳାଳୟାମ୍ ।
ତାଂ ସଂପ୍ରାପ୍ଯ ଯତସ୍ତେ ଚ ପିତରଶ୍ଚ ସହର୍ଷିତାଃ ॥
ସ୍ଵଧାସ୍ତୋତ୍ରମିଦଂ ପୁଣ୍ଯଂ ଯଃ ଶୃଣୋତି ସମାହିତଃ ।
ସ ସ୍ନାତଃ ସର୍ଵ୍ଵତୋର୍ଥେଷୁ ଵେଦପାଠଫଳଂ ଲଭେତ୍ ॥”

(ଇତି ବ୍ରହ୍ମଵୈଵର୍ତ୍ତେ ପ୍ରକୃତିଖଣ୍ଡେ ୪୧ ଅଧ୍ଯାୟଃ ॥)

ଏହି ଦେଵୀ ସ୍ଵଧା ଏତେ ଲୋକପ୍ରିୟ ଥିଲେ ଯେ ଏହାଙ୍କ ନାମ ସହିତ ସମୋଦ୍ଧୃତ ଏକ ପାର୍ସୀ ଶବ୍ଦ "خاتون‎/ଖାତୁନ୍" ମଧ୍ୟ ପ୍ରାଚ୍ୟର ଵିଭିନ୍ନ ଭାଷାରେ ପାର୍ସୀ ଭାଷାର ପ୍ରଭାଵ ଯୋଗୁଁ ଭିନ୍ନ ଭିନ୍ନ ଅର୍ଥରେ ପ୍ରଚଳିତ ।

ପାର୍ସୀରେ خاتون‎/ଖାତୁନ୍ ଶବ୍ଦ ସମ୍ମାନନୀୟ ମହିଳା ଅର୍ଥରେ ପ୍ରୟୋଗ ହୋଇଥାଏ ।‌ ଅନ୍ୟ ଏକ ଇରାନୀୟ ଭାଷା sogadianରେ 𐼶𐼴𐽂𐼰𐼷𐼻𐼳‎‎(γwtʾynh /xwatēn, xutēn/) ରାଣୀଙ୍କୁ ସମ୍ବୋଧନାର୍ଥ ପ୍ରୟୋଗ ହେଉଥିଲା ।

ପ୍ରାଚୀନ ତୁର୍କ ଭାଷାରେ ମଧ୍ୟ   𐰴𐱃𐰆𐰣‎ (qatun) ଶବ୍ଦ ରାଣୀଙ୍କୁ ସମ୍ବୋଧନାର୍ଥ ପ୍ରୟୋଗ କରାଯାଇଥିଵା ଜଣାଯାଏ ।‌
ଵର୍ତ୍ତମାନର ତୁର୍କ ଭାଷାରେ ପ୍ରଚଳିତ kadın (“ମହିଳା”) ଓ hatun (“ନାରୀ ଵା ସ୍ତ୍ରୀ, ପତ୍ନୀ”) ଓ Karakhanid ଶବ୍ଦ قاتُونْ‎ (qātūn, “ସମ୍ମାନନୀୟା ମହିଳା”), ଇତ୍ୟାଦି ଶବ୍ଦ ମୂଳତଃ ପାର୍ସୀ ଶବ୍ଦ خاتون‎/ଖାତୁନ୍‌ର ପରିଵର୍ତ୍ତିତ ରୂପ । ପୁଣି ପାର୍ସୀ ଭାଷାର ଖାତୁନ୍ ଶବ୍ଦର ମହିଳା ତଥା ସମ୍ମାନନୀୟା ମହିଳା ଅର୍ଥ କ'ଣ ପ୍ରମାଣ କରେ ?

ଏହି ଖାତୁନ୍ ଶବ୍ଦ ଓ ଏହାର ଅର୍ଥ ହିଁ କହିଦିଏ ଯେ ପ୍ରାଚୀନ କାଳରେ ଇରାନ ଦେଶରେ ସନାତନୀମାନେ ହିଁ ନିଵାସ କରୁଥିଲେ କିନ୍ତୁ ସମୟ ସହ ମୁସଲମାନ ଆକ୍ରମଣକାରୀମାନେ ସେମାନଙ୍କର ଧର୍ମାନ୍ତରୀକରଣ କରି ଦେଇଛନ୍ତି । ହେଲେ ଆକ୍ରାନ୍ତାମାନେ ସଂସ୍କୃତି ଓ ପରମ୍ପରାକୁ ମାରିଦେଇଥିଲେ ବି ପାର୍ସୀ ଭାଷାର ଭାରୋପୀୟ ଶବ୍ଦ ମଧ୍ୟରେ ଅନେକ ଆଜି ମଧ୍ୟ ବଞ୍ଚି ରହିଛି ‌ ଭାରତଵର୍ଷର ଲୋକଙ୍କୁ ନିଜର ପୂର୍ଵଜଙ୍କ ଇତିହାସ ଜଣାଇଦେଵାକୁ...

ତଥ୍ୟ
© ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
© କଳ୍ପଦ୍ରୁମ ସଂସ୍କୃତ ଅଭିଧାନ
© ବ୍ରହ୍ମଵୈଵର୍ତ୍ତ ପୁରାଣ
©ଉଇକିଶବ୍ଦକୋଷ



ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...