Wednesday, April 20, 2022

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ : ଓଡ଼ିଆ ଭାଷାର ଭାଷାକୋଷ

ଓଡ଼ିଶାରେ ଅଧୁନା କେତେଜଣ କଵି, ଲେଖକ ଓ ତଥାକଥିତ ସାହିତ୍ୟ ସାଧକମାନେ ଜାତ ହୋଇଛନ୍ତି ଯେଉଁମାନେ ନାନା ଉପାୟରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ତଥା ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଅପମାନ କରିଵାର ଵ୍ରତ ଧାରଣ କରିନେଇଛନ୍ତି । କିଛିଦିନ ତଳେ ଜଣେ ସ୍ଵଘୋଷିତ ପଣ୍ଡିତ ଲେଖିଥିଲେ

“ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ 'ଭାଷାକୋଷ' ଶବ୍ଦଟି ନାହିଁ ତେଣୁ ଭାଷାକୋଷରେ ଯେଉଁ ଶବ୍ଦ ନାହିଁ ତାକୁ ଓଡ଼ିଆ ଶବ୍ଦ ନୁହେଁ ବୋଲି ଭାବିଵା ଠିକ୍ ନୁହେଁ”

ଆମର ମଧ୍ୟ ସେଇ ମତ ଯେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଥିଵା ଶବ୍ଦଠାରୁ ସହସ୍ରାଧିକ ଗୁଣ ଅଧିକ ଶବ୍ଦ ଆମ ଓଡି଼ଆ ଭାଷାରେ ଅଛି କିନ୍ତୁ ଏହା ମଧ୍ୟ ସତ୍ୟ ଯେ ଯେତିକି ଶବ୍ଦ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସ୍ଥାନ ପାଇଛି ସେସବୁ ଓଡ଼ିଆ ଭାଷାର ଶବ୍ଦ ।

ପୁଣି ଏହା ବି ସତ ଯେ ସ୍ଵତନ୍ତ୍ର ଭାବରେ "ଭାଷାକୋଷ" ଶବ୍ଦ ନାହିଁ କିନ୍ତୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଵିଭିନ୍ନ ପୃଷ୍ଠାରେ ପୂର୍ଣ୍ଣଚନ୍ଦ୍ର ୭୫ଥର ଭାଷାକୋଷ ଶବ୍ଦ ପ୍ରୟୋଗ କରାଯାଇଛି ।‌

ତନ୍ମଧ୍ୟରେ ଡାକନାମ ଶବ୍ଦ ତଳେ ଥିଵା ଦ୍ରଷ୍ଟଵ୍ୟରେ କେମିତି ଶ୍ରୀଗୋପାଳଚନ୍ଦ୍ର ପ୍ରହରାଜ 'ଭାଷାକୋଷ' ଶବ୍ଦ ପ୍ରୟୋଗ କରିଛନ୍ତି ତହିଁର ଉଦାହରଣ ପ୍ରଦତ୍ତ ହେଲା...

“ସମ୍ବାଦପତ୍ର ଓ ସାମୟିକ ପତ୍ରର ଲେଖକମାନେ ଵ୍ୟଙ୍ଗ ଵିଦ୍ରୂପ ପୂର୍ଣ୍ଣ ଵା ଗୁରୁତର ଅଭିଯୋଗ ଵା ସମାଲୋଚନା ୟୁକ୍ତ ଵିଷୟ କୌଣସି ପ୍ରବନ୍ଧ ଲେଖି ସେହି କାରଣରୁ ଵା ଅନ୍ୟ କିଛି କାରଣରୁ ତହିଁରେ ନିଜର ପ୍ରକୃତ ନାମ ନ ଲେଖି ଗୋଟିଏ କାଳ୍ପନିକ ଵା ଆକ୍ଷରିକ ଅର୍ଥଵିଶିଷ୍ଟ ନାମ ଦିଅନ୍ତି। ଫକୀରମୋହନ ସେନାପତି କେତେକ ଲେଖାରେ ତାଙ୍କ ନାମ ଧୂର୍ଜଟି ରଖିଥିଲେ। ପଣ୍ଡିତ କୁଳମଣି ଦାସ ଉଦ୍ଭଟ୍ଟ ଶ୍ଲୋକମାନଙ୍କ ପଦ୍ୟାନୁଵାଦରେ ଉତ୍କଳ ସାହିତ୍ଯ ପତ୍ରିକାରେ ଆପଣାର ନାମ ବାଚସ୍ପତି ଶର୍ମା ଓ ସମ୍ମର୍ଜନୀଶୀର୍ଷକ ପ୍ରବନ୍ଧମାନଙ୍କରେ ଵିଷ୍ଣୁଶର୍ମା ରଖିଅଛନ୍ତି। ଏ "ଭାଷାକୋଷ"ର ସଂଗ୍ରାହକ ଭାଗଵତ ଟୁଙ୍ଗି ଆଦି ପ୍ରବନ୍ଧରେ ଆପଣା ନାମ ଦୁର୍ମୁଖ ଶର୍ମା ରଖିଥିଲେ।”

ଏହା ମଧ୍ୟ ସତ୍ୟ ଯେ ଭାଷାକୋଷରେ ସବୁ ଓଡ଼ିଆ ଶବ୍ଦ ନାହିଁ କାରଣ ଵିଭିନ୍ନ କାରଣରୁ ଏକ ଭାଷାର ପ୍ରତ୍ୟେକ ଶବ୍ଦ ଗୋଟିଏ ଭାଷାକୋଷରେ ଦେଇ ହୁଏ ନାହିଁ ।

କିନ୍ତୁ

“ଶହେ ଵର୍ଷ ତଳେ ଯେତେବେଳେ ଆଜିଭଳି ଏତେ ଵୈଷୟିକ ଵୃଦ୍ଧି ଘଟିନଥିଲା ସେତେବେଳେ ଜଣେ ଲୋକ ନିଜର ପେଶାକୁ ଗୌଣକରି ଶବ୍ଦ ସଂଗ୍ରହ ନିଶା ପଛରେ ଦୌଡି଼ ଶହ ଶହ ଶବ୍ଦକୋଷ ତଥା ହଜାର ହଜାର ଗାଆଁ ଗଣ୍ଡା ବୁଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଭଳି ଏକ ଵିଶାଳ ଜ୍ଞାନକୋଷ ସଂକଳନ କରିଵାରେ ସଫଳ ହୋଇଥିଲା”

ଏହି କଥାଟି ଆଦୌ ଛୋଟିଆ କଥା ନୁହେଁ ।

ଘୃଣ୍ବିଲୋକ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ମହତ୍ଵ କେବେ ବି ହୃଦୟଙ୍ଗମ କରିପାରିବେ ନାହିଁ କିନ୍ତୁ ଆମେ ଏହା ମଧ୍ୟ ଦେଖୁ ଯେ ସେହି ଲୋକମାନେ ହିଁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଯେକୌଣସି ଶବ୍ଦର ଅର୍ଥ ଜାଣିଵା  ତଥା ଅର୍ଥ ଉତ୍ତାରି ଆଣି ଥୋଇଵାରେ ବଡ଼ ସିଦ୍ଧହସ୍ତ । କୃତଘ୍ନ ମାନଵ ଭଳି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ପ୍ରଶଂସା ପରିଵର୍ତ୍ତେ ଏହି ଶବ୍ଦକୋଣାର୍କର ନିନ୍ଦା ରଟନା କରି ଏମାନେ କେଵଳ ନିଜର ହୃଦୟ କେତେ କ୍ଷୁଦ୍ର ତାହା ପ୍ରମାଣ କରୁଅଛନ୍ତି ।

ଓଡ଼ିଆ ଜାତି ପ୍ରତି ଥିଵା ଦ୍ଵେଷ କାରଣରୁ ହେଉ ଵା ନିଜକୁ ପଣ୍ଡିତ ବୋଲି ମନେ ରି ଗର୍ଵ କରୁଥିଵା ଯୋଗୁଁ ହେଉ କିଛି ବଙ୍ଗାଳୀ ବିହାରୀ ବଂଶୋଦ୍ଭଵ ତଥା ଅହଙ୍କାରୀ ଓଡ଼ିଶାଵାସୀ ଆଜିକାଲି ଓଡ଼ିଆ ଭାଷାର ଶବ୍ଦକୋଣାର୍କ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ନିନ୍ଦା କରୁଛନ୍ତି କିନ୍ତୁ ଏଠି ଏମିତି ବି ଲୋକ ଅଛନ୍ତି ଯେଉଁମାନେ ତାଙ୍କ ଜୀଵନରେ କେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଦେଖିନାହାନ୍ତି କି ପଢ଼ି ନାହାନ୍ତି ତଥାପି ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଵିଷୟରେ ଅଵାଞ୍ଛିତ ଜ୍ଞାନ ଦେଉଛନ୍ତି ।

ଯଥା—
କିଛି ଲୋକ କହୁଛନ୍ତି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଅଯଥା ଆରବୀ ପାର୍ସୀ ଶବ୍ଦ ଅଛି ଆଉ ହିନ୍ଦୀ ଓ ବଙ୍ଗାଳୀ ଭାଷାରେ ଲେଖା ହୋଇଛି । ବଙ୍ଗାଳୀ ଓ ହିନ୍ଦୀମାନେ ଓଡ଼ିଆ ଶବ୍ଦ ଚୋରେଇ ନେଇପାରନ୍ତି  ଇତ୍ୟାଦି ।

ଆଉ ଜଣେ ଅଧେ ଏମନ୍ତ ବି କୁହନ୍ତି ଯେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଅଯଥା ହିନ୍ଦୀ ଓ ବଙ୍ଗାଳୀ ଶବ୍ଦ ଲେଖା ହୋଇଛି ଏସବୁ ଲେଖିଵାର କିଛି ଆଵଶ୍ୟକତା ନଥିଲା ।

କିଛି ଦିନ ତଳେ ଜଣେ କହୁ କହୁ କହିଦେଲେ 

“ପୂର୍ଣ୍ଣଚନ୍ଦ୍ର ତିନିଟା ଲିପିରେ କରି ନ ଥିଲେ କଳେବର ସାତ ଖଣ୍ଡରୁ ଦି ଖଣ୍ଡରେ ହେଇ ପାରିଥାଆନ୍ତା। ନ ହଜାର ଜାଗାରେ ତିନିହଜାରରେ ମିଳୁଥାଆନ୍ତା। ବହୁତ ବହୁତ ବହୁତ ଆବଶ୍ୟକୀୟ ଶବ୍ଦ ବି ନାହିଁ
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ  ସବୁ ଶବ୍ଦ ତଳେ ଶବ୍ଦର ଅର୍ଥ  ଇଂରାଜୀ ଓ ଓଡ଼ିଆରେ ଲେଖା ହୋଇଛି ।”

କେତେକ ଲୋକ ସାମାନ୍ୟ କିଛି ତ୍ରୁଟି ଵିଚ୍ୟୁତି ରହିଯାଇଥିଵାରୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ ପାଳକୋଷ ମଧ୍ୟ କହି ତାଚ୍ଛଲ୍ୟ କରନ୍ତି ।

ଵର୍ତ୍ତମାନକାଳରେ ମହାନକାର୍ଯ୍ୟର, ମହାନଵ୍ୟକ୍ତିର ତତ୍କାଳିନ ସମ୍ମାନ ହୁଏନାହିଁ
କିନ୍ତୁ ସମୟ ଗଡ଼ିଯିବା ସହ ସମାଜ ଉପଲବ୍ଧି କରେ ସେହି ମହାନାତ୍ମା ଓ ତାଙ୍କର କୃତିର ଉପାଦେୟତା....

ସାତଖଣ୍ଡିଆ ଵିଶାଳ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
ଯେତେବେଳେ ଲେଖାହୋଇ ଛପାଗଲା ସେହି ଦାମିକା ଗ୍ରନ୍ଥର ଓଡ଼ିଶାରେ ହାତଗଣତି କେତେ ଜଣ ଲୋକ ମାତ୍ର ଗ୍ରାହକ ଥିଲେ । ତେବେ ଓଡ଼ିଆ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ସଂକଳନ କରି ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜ ମହାଶୟ ଯେତିକି ପ୍ରଶଂସା ପାଇଛନ୍ତି ତତୋଧିକ ସମାଲୋଚନା ଓ ନିନ୍ଦା ରୂପକ ଵିଷପାନ ମଧ୍ଯ କରିଅଛନ୍ତି ।

ତତ୍କାଳୀନ ତଥାକଥିତ ଓଡ଼ିଆ ଵର୍ଣ୍ଣଵିଲୋପକାରୀ ଦଳ ତାଙ୍କ ଵିରୋଧରେ ନାନାଦି ସମାଲୋଚନା ମାନ ଲେଖି ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରିଅଛନ୍ତି । ବଡ଼ ଦୁଃଖର ସହିତ କହିବାକୁ ପଡୁ଼ଛି ଯେ ତନ୍ମଧ୍ୟରୁ ଜଣେ ହେଉଛନ୍ତି “ଗୋଦାବରୀଶ ମହାପାତ୍ର” !

ଏ ବାବୁ ଥରେ ସହକାର କିମ୍ଵା ନଵଭାରତ ପତ୍ରିକାରେ ଆପଣାର ମୂର୍ଖତାର ପରିଚୟ ଦେବାକୁ ଯାଇ ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ ପାଳକୋଷ ଆଖ୍ୟା ଦେଇଥିଲେ ।
ସମାଲୋଚନା ଦ୍ଵାରା ପ୍ରହରାଜଙ୍କୁ ତାଙ୍କର ପ୍ରଧାନ ପ୍ରଶ୍ନ ଥିଲା ଯେ ଗୋଟିଏ ଭାଷାକୋଷରେ ଏକ ମାନକ ଶବ୍ଦର ଅନେକ ଆଞ୍ଚଳିକ ରୂପକୁ କାହିଁକି ସ୍ଥାନିତ କରି ଅଯଥା ତାହାର କଳେଵର ବୃଦ୍ଧି କରାଯାଇଛି ?

ଉଦାହରଣ ସ୍ୱରୂପ ଏଇକ୍ଷଣି,ଏକ୍ଷଣି,ଏଖୁଣିକା,ଅଇଛୁଣି ଓ ଅଇଛୁଣିକା
ତଥା
କଣ୍,କିୟଣ,କିସ,କିରା,କି,କେନ୍ତା,କେମ୍ତା,କେନ ଇତ୍ୟାଦି........

ବାବୁ କେଵଳ ଵୈଚାରିକ ଭିନ୍ନତାରୁ ସୃଷ୍ଟ ପାରସ୍ପରିକ ଘୃଣା,ଦ୍ଵେଷ ଯୋଗୁଁ ଏତେ ମାତ୍ରାରେ ଅନ୍ଧ ହୋଇଯାଇଥିଲେ ଯେ ତାଙ୍କ ମୁଣ୍ଡରେ ଏତିକି ମାତ୍ର କଥା ପଶିପାରିନଥିଲା କି ୟେ ସମସ୍ତ ଶବ୍ଦ ଗୋଟିଏ ଭାଷାର ଅଵିଚ୍ଛେଦ୍ୟ ଅଙ୍ଗ ଅଟନ୍ତି । ଆଞ୍ଚଳିକ ଶବ୍ଦ ଗୁଡ଼ିକ ଵିନା ଓଡ଼ିଆ ଭାଷା ଅପୂର୍ଣ୍ଣ ଓ ସୌନ୍ଦର୍ଯ୍ୟହୀନ । ଗୋଟିଏ ଉପଵନରେ ଯେମନ୍ତ ଏକପ୍ରକାରର ପୁଷ୍ପଵୃକ୍ଷ ରଖିଲେ ତାହା ମନୋହର ଲାଗେ ନାହିଁ ଠିକ୍ ସେଇମିତି ଆଞ୍ଚଳିକ ଶବ୍ଦଭଣ୍ଡାର ଵିନା କୌଣସି ଭାଷା ମଧ୍ଯ ସୌନ୍ଦର୍ଯ୍ୟଶାଳୀ ହୋଇନପାରେ ।

ତାଛଡ଼ା ଯୋଉ ମାନେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ ପାଳକୋଷ କହୁଛନ୍ତି ସେମାନେ କେବେ ଉପଲବ୍ଧି କରିଛନ୍ତି ଯେ
ଵିଭିନ୍ନ ଅଞ୍ଚଳରେ ପ୍ରଚଳିତ ଓଡ଼ିଆ ଭାଷାର ଵିଶାଳ ଶବ୍ଦଭଣ୍ଡାରକୁ ଏକାଠି କରି ତାକୁ ଗୋଟାଏ ଗ୍ରନ୍ଥ ଆକାର ଦେଵା ୧୦୦ ଵର୍ଷ ତଳେ କେତେ ବଡ଼ ଦୂରହ କାର୍ଯ୍ୟ ଥିଲା  ?

ଯେଉଁ ପଣ୍ଡିତ ମାନେ ଏବେ ବି ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ ପାଳକୋଷ ମାନୁଅଛନ୍ତି ସେମାନେ ସେହି ମୌଳିଵାଦୀ ଲୋକ ଯାହାଙ୍କ ମନରେ ଜ୍ଞାନର ଅହଂକାର ମାତ୍ରାଧିକ ବଢିଯାଇଛି । ସେମାନେ ନିଜେ ତ କେବେ ଏଡେ଼ ବଡ଼ ଗ୍ରନ୍ଥ ସଂକଳନ କରିପାରିବେ ନାହିଁ କିନ୍ତୁ ଏହି ଭାଷାକୋଷ କୁ ଯେତେବେଳେ ଯୋଉଠି ଚାହିଁଲେ ହୀନ ପ୍ରମାଣ କରିବାକୁ ଆଦୌ ପଛେଇବେ ନାହିଁ ।

ତେବେ ଓଡ଼ିଆ ଭାଷାର କୋଣାର୍କ ସଦୃଶ ଏହି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଅତୀତ ଵର୍ତ୍ତମାନ ଓ ଭଵିଷ୍ୟତ ବଡ଼ ସଂଘର୍ଷମୟ କହିଲେ ଅତ୍ୟୁକ୍ତି ହେବନାହିଁ ।

ଗୋପାଳ ଚନ୍ଦ୍ର ପ୍ରହରାଜଙ୍କର ବହୁଵର୍ଷର ଅକ୍ଲାନ୍ତ ପରିଶ୍ରମ ପରେ ଯେତେବେଳେ ୧୯୩୧ ରୁ ୧୯୪୦ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପ୍ରକାଶିତ ହେଲା ତାହା ଅଳ୍ପ ଦିନ ମଧ୍ୟରେ ଵିଜ୍ଞଜନଙ୍କ ଦ୍ଵାରା ଆଦୃତ ହୋଇଯାଇଥିଲା ବେଳେ ଜ୍ଞାନ ଅପେକ୍ଷା ମାନ,ଧନ ଓ ସାଂସାରିକ ସୁଖ ସୁଵିଧା ପାଇଁ ଲାଳାୟିତ ସାଧାରଣ ଜନଙ୍କ ପାଇଁ ତଥାପି ଦୃଷ୍ପ୍ରାପ୍ୟ ହୋଇ ରହିଲା ।

ସାଧାରଣ ଲୋକେ ସେମିତି ବି ବଡ଼ ବଡ଼ ଗ୍ରନ୍ଥ ଦେଖିଲେ ହତୋତ୍ସାହିତ ହୋଇ ତାକୁ ପାଠ କରିଵାଟା ଦୁଷ୍କର ଓ ସମୟସାପେକ୍ଷ କହି ପେଡି଼ରେ ସାଇତି ରଖିଦିଅନ୍ତି ।

ଭାଷାକୋଷ ପ୍ରକାଶନର କିଛି ଵର୍ଷ ପରେ ୧୯୪୫ରେ ପ୍ରହରାଜଙ୍କ ମୃତ୍ୟୁ/ହତ୍ୟାହେଲାରୁ କେହି ଏ ଗ୍ରନ୍ଥର ତତ୍ତ୍ୱ ନେଲେ ନାହିଁ ଏଵଂ ଏହା ପୁସ୍ତକାଗାରରେ ସହଜରେ ମିଳୁନଥିଲା । ଉତ୍କଳ ସାହିତ୍ୟ ପ୍ରେସ୍ ରେ ଭାଷାକୋଷର ଛପା ଫର୍ମା ପଡି଼ରହିଥିଲା ଓ କେହି କେହି ଏହି ଅବନ୍ଧା କାଗଜକୁ ନେଇ ଠୁଙ୍ଗା କରୁଥିଲେ କିମ୍ଵା ବନ୍ଧାଇଵା ଉଦ୍ଦେଶ୍ୟରେ ଵିକ୍ରି କରୁଥିଲେ ।

ବହୁତ ଅଳ୍ପ ଲୋକ ଜାଣିଥିବେ
ଷାଠିଏ ଦଶକରେ ଉତ୍କଳ ସାହିତ୍ୟ ପ୍ରେସ୍ ର ତତ୍କାଳୀନ ସତ୍ତ୍ଵାଧିକାରୀ ଶ୍ରୀଵିଶ୍ଵନାଥ କରଙ୍କ ପୌତ୍ର ସୁନନ୍ଦ କର ଘର ଘର ବୁଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ସେହି ଅବନ୍ଧା ଅଵୟଵକୁ ଵିକ୍ରି କରିବାକୁ ଚେଷ୍ଟା କରିଥିଲେ ।

ତଥାପି ଭାଷାକୋଷ ବହୁଦିନ ଯାଏଁ ଓଡ଼ିଶାର ଗୌରବ କଳାର କୋଣାର୍କ ପରି ପଡି଼ରହିଥିଲା ।

ଶେଷରେ ଲାର୍କ ବୁକ୍ସ ଟ୍ରଷ୍ଟ ଦ୍ଵାରା ଏହାକୁ ଗ୍ରନ୍ଥାକାରରେ ଏବଂ ଇ-ସଂସ୍କରଣ ଆକାରରେ ସୃଜନିକା ସଂଗଠନ ଦ୍ଵାରା ଛପାଗଲା । ଫଳରେ ମୁର୍ମୂଷୁ ପ୍ରାୟ ପଡି଼ରହିଥିଵା ଧୂଳିଧୂସରିତ
ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପୁର୍ନଃଜୀଵନ ଲାଭ କଲା ।

ଓଡ଼ିଆ ଭାଷାର ଏହି ଅମୂଲ୍ୟ ଗ୍ରନ୍ଥଟିକୁ ଏଵଂ ଏହିଭଳି ଅନେକ ପ୍ରାଚୀନ ପୁସ୍ତକ ଗୁଡି଼କୁ ଉଦ୍ଧାର କରିଥିବା ହେତୁରୁ ଏ ଅକିଞ୍ଚନ ଅନୁଷ୍ଠାନର ଶ୍ରୀ ମହେନ୍ଦ୍ର ମିଶ୍ର,ଶ୍ରୀ ନିଖିଳ ମୋହନ ପଟ୍ଟନାୟକ ତଥା ତାଙ୍କର ଅନ୍ୟ ସହଯୋଗୀ ମାନଙ୍କୁ ସସମ୍ମାନ ଧନ୍ୟଵାଦ ଜ୍ଞାପନ କରୁଅଛି ।

ଯେଉଁମାନେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଵିଷୟରେ ପୂର୍ଵେ କଥିତ କିମ୍ଭୁତକିମାକାର ମତମାନ ଦିଅନ୍ତି ସେମାନେ ଆଖି ଥିଵା ଅନ୍ଧ କି ଵଣମଣିଷ ଠିକ୍ କରିପାରୁନି !

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ କୌଣସି ସାଧାରଣ ଶବ୍ଦକୋଷ ନୁହେଁ ବୋଲି ପ୍ରଥମେ ବୁଝିଵାକୁ ହେଵ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ କେଵଳ ଏକdictionary ନୁହେଁ ଏହା ଏକ ଵିଶ୍ଵକୋଷ(encyclopedia) ମଧ୍ୟ !

Dictionaryରେ କୌଣସି ଏକ ଵା ଏକାଧିକ ଭାଷାର ଶବ୍ଦ ସୂଚୀ କେଵଳ ରହିଥାଏ କିନ୍ତୁ lexiconରେ କୌଣସି ଏକ ଭାଷାରେ ଗୋଟିଏ ଶବ୍ଦର ଅର୍ଥ ସହିତ ତହିଁର ପ୍ରୟୋଗ ଓ ନିରୁକ୍ତି ଆଦି ଉଲ୍ଲେଖ କରାଯାଇଥାଏ । ସେଥିପାଇଁ ଓଡ଼ିଶାର ଏହି ଶବ୍ଦକୋଣାର୍କକୁ  ପୂର୍ଣ୍ଣଚନ୍ଦ୍ର ଭାଷାକୋଷ କୁହାଯାଇଛି ପୂର୍ଣ୍ଣଚନ୍ଦ୍ର ଶବ୍ଦକୋଷ ନୁହେଁ । ଯେଉଁମାନଙ୍କର ଦିଖଣ୍ଡିଆ କଳେଵର ଯୁକ୍ତ ସାଧାରଣ ଅଭିଧାନରେ କାମ ଚଳିଯାଉଛି ଵା ଯେଉଁମାନେ ସାଧାରଣତଃ କେଵଳ କେତେକ ବହୁପ୍ରଚଳିତ ଓଡ଼ିଆ ଶବ୍ଦ ଜାଣିଵାକୁ ଚାହାନ୍ତି ସେମାନେ ଅନ୍ୟ ଅଭିଧାନ କିଣି ପାରନ୍ତି । ଏଭଳି ଲୋକ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପଠନ ପାଠନ କରିଵା ଯୋଗ୍ୟ ନୁହନ୍ତି । ଯେଉଁମାନେ ଓଡ଼ିଆ ଭାଷାକୁ ଜାଣିଵାକୁ ଚାହୁଁଛନ୍ତି , ଯେଉଁମାନେ ଉତ୍କଳୀୟ ସଂସ୍କୃତି ସହିତ ପରିଚିତ ହେଵାକୁ ଚାହୁଁଛନ୍ତି ,ଯେଉଁମାନେ ଓଡ଼ିଆ ଜାତିକୁ ଭଲ ଭାବରେ ଜାଣିଵାକୁ ଚାହୁଁଛନ୍ତି ଏଵଂ ଯେଉଁମାନେ ଅନିସନ୍ଧିତ୍ସୁ ଵା ଗଵେଷକ ସେହିମାନେ ନିଶ୍ଚୟ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ମହତ୍ତ୍ଵ କ'ଣ ତାହା ହୃଦୟଙ୍ଗମ କରିଥିବେ । ଆଉ ରହିଲା ତ୍ରୁଟି ଵିଚ୍ୟୁତି କଥା, ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଶହେ ଵର୍ଷ ତଳେ ଛପିଥିଲା ଏଵଂ ଏହାର ନୂତନ ସଂସ୍କରଣ ମଧ୍ୟ ବାହାରିଵାର ଜଣାଯାଏ ନାହିଁ ‌ ।

କିନ୍ତୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ କ'ଣ ସତରେ ଏକ ଭାଷାକୋଷ ଵା encyclopaediaକି ?

ପ୍ରଥମେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଯେଉଁ ସବୁ ଉପାଦାନ ରହିଛି ତହିଁର ଏକ ସୂଚୀ କରାଯାଉ
...

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କ'ଣ ଅଛି ?

✓ଅଧିକାଂଶ ଓଡ଼ିଆ ଶବ୍ଦର
ହିନ୍ଦୀ ଓ ବଙ୍ଗାଳୀ synonym ଯଥାକ୍ରମେ ଦେଵନାଗରୀ ଓ କାମରୂପୀ ଲିପିରେ ଲେଖାଯାଇଛି ।

✓କେତେକଓଡ଼ିଆ ଶବ୍ଦର ତେଲୁଗୁ, ତାମିଲ ,ମରାଠୀ ଗୁଜରାଟୀ ଓ କ୍ଵଚିତ୍ ଅହମିଆ ପ୍ରତିଶବ୍ଦ ମଧ୍ୟ ଦିଆଯାଇଛି ।‌

✓ଗଛ ଓ ଜୀଵଙ୍କର ଵୈଜ୍ଞାନିକ ଲାଟିନ୍
ନାମ ଦିଆଯାଇଛି ।

✓ଅଧିକାଂଶ ଓଡ଼ିଆ ଶବ୍ଦର ଵ୍ୟୁତ୍ପତ୍ତି ମୂଳ ଦିଆଯାଇଛି।

✓ଅଧିକାଂଶ ସଂସ୍କୃତ ଶବ୍ଦର ନିରୁକ୍ତି ପ୍ରଦାନ କରାଯାଇଛି

✓ଅନେକ ଶବ୍ଦ ସମ୍ବନ୍ଧରେ ଵିସ୍ତୃତ ଵର୍ଣ୍ଣନା କରାଯାଇଛି

✓ଅନେକ ସଂସ୍କୃତ ଶବ୍ଦର ଦୁଇ ଵା ତତୋଽଧିକ ପର୍ଯ୍ୟାୟଵାଚୀ ଶବ୍ଦର ଉଲ୍ଲେଖ କରାଯାଇଛି

✓ଅଧିକାଂଶ ଶବ୍ଦ ତଳେ ଉକ୍ତ ଶବ୍ଦର ସାହିତ୍ୟରେ ପ୍ରୟୋଗର ଉଦାହରଣ ଦିଆଯାଇଛି

✓କେତେକ ଶବ୍ଦର କେମିତି ଵାକ୍ୟଗଠନ କରି ପ୍ରୟୋଗ କରାଯାଏ ତାହା ମଧ୍ୟ ଉଲ୍ଲେଖ କରାଯାଇଛି

✓କୌଣସି କୌଣସି ଶବ୍ଦ ତଳେ ସେହି ଶବ୍ଦର ପ୍ରୟୋଗ କେମିତି ପ୍ରଵଚନ,ଢଗଢମାଳି,ପ୍ରହେଳିକା ଆଦିରେ ହୋଇଛି ତାହା ମଧ୍ୟ ଦର୍ଶାଯାଇଛି

✓କେତୋଟି ଓଡ଼ିଆ ଲୋକକଥା ଓ କିଂଵଦନ୍ତୀ ମଧ୍ୟ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସ୍ଥାନ ପାଇଛି ।

✓ଜଣେ ଜଣେ ମହାପୁରୁଷଙ୍କ ସଂକ୍ଷିପ୍ତ ଓ କେତେକଙ୍କ ଵିସ୍ତୃମ ଜୀଵନୀ ମଧ୍ୟ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସ୍ଥାନ ଲଭିଛି ।

✓ହଜାର ହଜାର ସମ୍ବଲପୁରୀ,କଟକୀ,ଗଞ୍ଜାମୀ,ଯାଜପୁରୀ,ଦେଶିଆ, ବାଲେଶ୍ଵରୀ ଶବ୍ଦ ମଧ୍ୟ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସ୍ଥାନ ପାଇଛି ।

ଏଭଳି ତଥ୍ୟପୂର୍ଣ୍ଣ କୋଷକୁ କେଵଳ ଜ୍ଞାନକୋଷ ଵା encyclopaedia ହିଁ ଅଭିହିତ କରାଯାଇପାରେ ।

ତେବେ ଶବ୍ଦଗୁରୁ ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜ ତାଙ୍କର ଓଡ଼ିଆ ଶବ୍ଦକୋଣାର୍କକୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ନାମ ଦେଇ ଯାଇଛନ୍ତି ‌ । ଏହା ଓଡ଼ିଆ ଭାଷାର ଜ୍ଞାନକୋଷ ତେଣୁ ଏହାକୁ ଓଡ଼ିଆ ଭାଷାକୋଷ ମଧ୍ୟ କୁହାଯାଏ ‌ ।

ଜଣେ ଗଵେଷକ ପାଇଁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅମୂଲ୍ୟ ସମ୍ପଦ । ବଡ଼ ମନ ଯାହାର ସେ ବଡ଼ କାମ କରେ । ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜ ବଡ଼ କାମଟିଏ କରିଯାଇଛନ୍ତି । ଗୁଜରାଟର ଭଗୋବତ୍ ମଣ୍ଡଳ ଅଭିଧାନ ହେଉ କି ହିନ୍ଦୀ ଶବ୍ଦ ସାଗର ଵା ତାମିଳ ଲେକ୍ସିକନ୍ ତତ୍କାଳୀନ ସମୟରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ସବୁ ଭାଷାକୋଷ ମଧ୍ୟରେ ଶ୍ରେଷ୍ଠ ପରିଗଣିତ ହେଉଥିଲା ଏଵଂ ମଧ୍ୟ ଓଡ଼ିଶାରେ ଓଡ଼ିଆ ଭାଷାରେ ଅନେକ ଶବ୍ଦକୋଷ ସଂକଳିତ ହୋଇଥିଲେ ହେଁ ପୂର୍ଣ୍ଣଚନ୍ଦ୍ର ପରି ଏହାର ପୂର୍ଣ୍ଣାଙ୍ଗ ସ୍ଵୟଂ ସମ୍ପୂର୍ଣ୍ଣ ସମସ୍ତ ଗୁଣ ଥିଲା ଭଳି କୌଣସି ଶବ୍ଦକୋଷ ଵା ଭାଷାକୋଷ କେଉଁଠି ଦୃଶ୍ୟ ହୁଏନାହିଁ ।

ପ୍ରହରାଜଙ୍କର ଦୁର୍ଭାଗ୍ୟ ସେ ଏହିପରି ଏକ ଜ୍ଞାନକୋଷ ଵା encyclopaedia ଓଡ଼ିଆ ଭାଷାରେ କଲେ ଯଦି ହିନ୍ଦୀ କି ବଙ୍ଗାଳୀରେ ସେ ଏହି କାମ କରିଥାନ୍ତେ ତେବେ ହିନ୍ଦିଆ ଓ ବଙ୍ଗାଳୀ ତାଙ୍କୁ ଏଇଲେଁ ମୁଣ୍ଡରେ ବସେଇ ବୁଲୁଥାନ୍ତେ ...

ଆମ ଓଡ଼ିଆ ଜାତି, ଶବ୍ଦଗୁରୁ ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜ ଓ ତାଙ୍କର ଶବ୍ଦକୋଣାର୍କ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ମହତ୍ଵ ଆଉ କେତେ ଶହ ଵର୍ଷ ଅତିଵାହିତ ହେଲାପରେ ହୃଦୟଙ୍ଗମ କରିଵ ?

ଧିକ୍କାର ସେମାନଙ୍କୁ ଯେଉଁମାନେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର କେଵଳ ଦୋଷ ତ୍ରୁଟି ଲକ୍ଷ୍ୟ କରିଛନ୍ତି ଆଉ ଏହାର ଉପାଦେୟତାକୁ ହେୟଜ୍ଞାନ କରୁଛନ୍ତି ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...