Saturday, January 28, 2017

ଜୀବନ

ଜୀବନ
ସତେ ଯେମିତି
ଏକ ଦିଆସିଲି କାଠି ।
କିଛି କ୍ଷଣ ଜଳି
ପୁଣି ଲିଭିଯାଏ ।।

ଜୀବନ
ସେତ ଏମିତି ଏକ ପ୍ରଶ୍ନ
ଉତ୍ତର ଖୋଜୁ ଖୋଜୁ ଏଣେ
ସମୟ ସରିଯାଏ ।।

ଜୀବନ
ଅବା ସରବତର ଏକ ଗିଲାସ
କେତେ କ୍ଷଣେ
ଖାଲି ହୋଇଯାଏ ।।

ଜୀବନ
ଏକ ଗୋଲାପ ଗଛ
ଦେହଟି ଯାକ କଣ୍ଟକିତ
କିନ୍ତୁ ଏକ ପୁଷ୍ପର ବାସ
ପ୍ରତି ଡାଳରେ ଥାଏ ।।

ଜୀବନ
ଏକ ପର୍ଣ୍ଣମୋଚୀ ବୃକ୍ଷ ଭଳି
କେବେ ନବପତ୍ରାଚ୍ଛାଦିତ
ପୁଣି କେବେ ପତ୍ରଝଡା ଦେଉଥାଏ ।।

ଜୀବନ
  ଦିନର କୋଳାହଳ ପରି
ସେ ଯେ
ରାତ୍ରିର ଶାନ୍ତିରେ ସଦା ପାଇଁ ଲୁପ୍ତ ହୁଏ

ଜୀବନ
ଦୁଃଖ ର ଏକ ବଡ଼ ସାଗର
ସୁଖ ର ଖଣ୍ଡେ ଖଣ୍ଡେ ଟାପୁ ପାଇଁ
ଆମେ ଚେଷ୍ଟା ସଦା କରୁଥାଏ ।

Wednesday, January 25, 2017

---------------ଭତରି-------------

#ଭତରି #ଓଡ଼ିଆ ର ଏକ dialect...
ଏହା #ବସ୍ତର ଅଞ୍ଚଳରେ ବୋଲାଯାଇଥାଏ ।

ଗୋପାଳ ଚନ୍ଦ୍ର ପ୍ରହରାଜ
ଭାଷାକୋଷ ଲେଖିଲାବେଳେ
ମାତ୍ର 20000 ଲୋକଙ୍କର ଭତରି ମାତୃଭାଷା ଥିଲା ବର୍ତ୍ତମାନ ଏ ସଂଖ୍ଯା 220000 ରେ ପହଞ୍ଚିଲାଣି ।

ବସ୍ତରରେ ବାସକରୁଥିବା ଏକ କୃଷକ ଜାତି #ଭତର/#ଭତଡ଼ ଙ୍କ ଦ୍ଵାରା ବୋଲାଯାଉଥିବାରୁ ଏହାର ନାମ ଭତରି ହୋଇଅଛି ।
ଏଇ କୃଷକଜାତି ବିଂଶ ଶତାବ୍ଦୀର ପ୍ରାରମ୍ଭିକ କାଳରେ
ବସ୍ତର ଛଡ଼ା #ଭିଜାଗ୍ ଏବଂ #ଜୟପୁର ରାଜ୍ୟ ରେ ରେ ମଧ୍ଯ ରହୁଥିବା କଥା ଭାଷାକୋଷରେ ଲିପିବଦ୍ଧ ହୋଇଛି ।

ତେବେ
ପାଶ୍ଚାତ୍ୟ ପଣ୍ଡିତ ମାନେ
ଭତରି କୁ #Halbic ଭାଷାଶ୍ରେଣୀରେ ଗଣିଛନ୍ତି ।
ଏହି ଶ୍ରେଣୀୟ ଭାଷା ମଧ୍ଯରେ
ଥିବା ଶବ୍ଦ ,ଉଚ୍ଚାରଣ
ଏବଂ ବ୍ଯାକରଣଗତ ନିୟମ
ଓଡ଼ିଆ, #ମରାଠି ତଥା #ହିନ୍ଦୀ ଭାଷାର ଫେଣ୍ଟାଫେଣ୍ଟି କହିଲେ ଠିକ ହେବ ।
#ବଙ୍ଗଳା ଯେହେତୁ 300 ବର୍ଷତଳେ
ସ୍ବୟଂ ଏକ ଉପଭାଷା ଥିଲା ଏହାର
ଭତରି ସହ କୌଣସି ପ୍ରତ୍ଯକ୍ଷ ସମ୍ପର୍କ ଥିବା କହିଲେ ତାହା ନିତାନ୍ତ ଅଯୁକ୍ତିଯୁକ୍ତ ହେବ ।
କେତେକ ଗବେଷକ ଭତରି ଉପଭାଷା ଉପରେ #ଅହମିଆ ଭାଷା ର ପ୍ରଭାବ କଥା କହୁଥିଲେ ହେଁ
ଯେହେତୁ ବସ୍ତର ଏବଂ #ଆସାମ ମଧ୍ଯରେ ଦୂରତା ଅଧିକ ତେଣୁ ଏହି ଯୁକ୍ତି ଟି ମଧ୍ଯ ଦୋଷଯୁକ୍ତ ଲାଗୁଅଛି ।

ତେବେ
#ହଲବିକ୍ ଭାଷା ଶ୍ରେଶୀରେ
i.ହଳବି-halbi
ii.ଭତରି-Bhatri
iii.କମର-kamar
iv.ମିରିଗା-Mirgan
V.ନହରି-Nahari
ଆଦି
ଉପଭାଷା ବା dialect ଅର୍ନ୍ତଭୁକ୍ତ ।

ଏ ସବୁ ଉପଭାଷା ମଧ୍ଯରେ ସାମାନ୍ଯ ଫରକ୍  ଦେଖାଯାଉଥିବାରୁ
ଅଧିକାଂଶ ଗବେଷକ ଏସବୁ ଉପଭାଷା ଗୁଡ଼ିକୁ ସାଧାରଣତଃ
ହଲବି/ହଳବି କହିଥାଅନ୍ତି ....
ହଳବିକୁ 2001 ଜନଗଣନା ଅନୁଯାୟୀ
ମୋଟ 500000 ଲୋକ ମାତୃଭାଷା ରୂପେ ବ୍ଯବହାର କରିଥାଅନ୍ତି ।
ଭାଷାକୋଷ ଲେଖକ ଏ ଭାଷା ବିଷୟରେ ଏକ ମନ୍ତବ୍ଯ ଦେଇଛନ୍ତି ତାହା ଏଠାରେ ଅବିକଳ
ଉଦ୍ଧାର କରାଗଲା ......

*ଭତରି*
"ଏହା #ମଧ୍ଯପ୍ରଦେଶର ଓଡ଼ିଆ ରାଜ୍ଯ ବସ୍ତରର
ଉତ୍ତରପୂର୍ବ କୋଣ(ପ୍ରାଚୀନ ଦକ୍ଷିଣ କୋଶଳ)
ପ୍ରାୟ କୋଡିଏ ହଜାର ଲୋକଙ୍କ କଥିତ ଭାଷା । ଆଶ୍ଚର୍ଯ୍ୟର କଥା, ଏହା ଓଡ଼ିଆ ଅକ୍ଷରରେ ନ ଲେଖାଯାଇ #ଦେବନାଗରୀ ଅକ୍ଷରରେ ଲେଖାଯାଏ । ଏ ଭାଷା #ମରହଟୀ ଭାଷା ଦ୍ଵାରା ପ୍ରଭାବିତ ହୋଇଅଛି ।"

କିନ୍ତୁ ବର୍ତ୍ତମାନ ରିପୋର୍ଟ ଅନୁଯାୟୀ
ସେଠାକାର ଲୋକେ ଉଭୟ ଓଡ଼ିଆ ତଥା ଦେବନାଗରୀ ଲିପିର ବ୍ଯବହାର କରନ୍ତି ।

ଏଥିରୁ ଜଣାଯାଏ ବିଂଶ ଶତାବ୍ଦୀର ପ୍ରାରମ୍ଭିକ କାଳରେ ଯେଣୁ
ବସ୍ତର ଅଞ୍ଚଳ ମଧ୍ଯପ୍ରଦେଶ ଅର୍ନ୍ତଭୁକ୍ତ ଥିଲା ତେଣୁ ହିନ୍ଦୀ ଭାଷା ତଥା ଦେବନାଗରୀର ପ୍ରଚଳନ ଏ ଅଞ୍ଚଳରେ ବଢିଥିଲା ।
ବହୁତ ସମ୍ଭବ #ଓଡ଼ିଶା #ଛତିଶଗଡ଼ #ଝାଡ଼ଖଣ୍ଡ ରେ
#କୋଶଳୀ ଭାଷା କୁ ଅଧିକ ଗୁରୁତ୍ୱ ଦିଆଯିବାରୁ ଏସବୁ ଅଞ୍ଚଳର ଶିକ୍ଷିତ ଲୋକେ ଆଜି
ଓଡ଼ିଆ ଲିପି ର ବ୍ୟବହାର କରିବା ପୁନଃ ଆରମ୍ଭ କରିଦେଇଛନ୍ତି ଯାହାକି ଏକ ଉଲ୍ଲେଖଯୋଗ୍ୟ ଘଟଣା .....

Tuesday, January 24, 2017

---------------ପଙ୍ଖା-----------------

ବୁଢା ବାପ ଆରପାରିକୁ ଚାଲି ଗଲାରୁ
ହାକିମ ବାବୁ ତାଙ୍କ ମାଆ କୁ ଓଲ୍ଡ ଏଜ୍ ହୋମ୍ ରେ
ଛାଡି ଆସିଲେ ।

କିଛି ବର୍ଷ ପରେ
ସେଇ ବୃଦ୍ଧାଶ୍ରମରୁ ଫୋନ ଆସିଲା
ଯେ ତୁମ୍ଭ ମାଆ ମରଣାସନ୍ନ
ଜଲ୍ଦି ଆସି ତାଙ୍କୁ ଦେଖି ଯାଅ ।
ହାକିମ
ବାବୁ ଫିରିଙ୍ଗି ଦେଶରୁ ଆସି
ମାଆ କୁ ଭେଟି କହିଲେ

"ବୋଉ କହ କଣ କରିବି ତୋ ପାଇଁ ?
ଆଜି ମୁଁ ବଡ଼ ଧନୀ
ଯାହା ଚାହିଁବୁ ଗୋଡ଼ ତଳେ ଆଣି ଅଜାଡି ଦେବି ।"

ବୁଢ଼ୀ ମା କହିଲା

"ବେଶି କିଛି ନାହିଁ ଯଦି ଦବୁ
ଏଇ ରୁମ୍ ରେ ଗୋଟାଏ ଫ୍ୟାନ୍ ଲଗେଇ ଦେ ....."

ବଡ଼ ହାକିମବାବୁ ମାଆ କଥା ଶୁଣି
ସାମାନ୍ୟ ଆଶ୍ଚର୍ଯ୍ୟ ହେଇ ମାଆ କୁ ପଚାରିଲେ

"ବୋଉ କାହିଁ ଏତେ ଦିନ ଏଠି ରହି ସୁଦ୍ଧା ତୁ ମୋତେ ଫ୍ୟାନ୍ ଲଗାଇ ଦେବା କଥା କହି ନ ଥିଲୁ ଆଜି ତୋର ଏ ଶେଷରେ
ପଙ୍ଖା ଲଗାଇବାକୁ କାହିଁକି କହୁଛୁ ଯେ" ?

ବୁଢ଼ୀ ମାଆ ଥରଥର କଣ୍ଠରେ ପୁଅକୁ
ଜଓ୍ଵାବ ଦେଲା ...

"ବାପରେ ମୁଁ ତ ଏଠି କଷ୍ଟେମଷ୍ଟେ ଚଳିଯାଉଥିଲି
ହେଲେ ଯେତେବେଳେ ତୋ ପୁଅ ତୋତେ
ଏଇଠିକି ପଠେଇବ ତୋତେ ତ
ବିନା ପଙ୍ଖାରେ ନିଦ ହେବନି ......

Monday, January 23, 2017

●ବୀର ସୁରେନ୍ଦ୍ର ସାଏ●

ଖିଣ୍ଡା ଗାଁ ର ଖଣ୍ଡାଧାରୀ ତୁମେ
ବୀର ସୁରେନ୍ଦ୍ର ସାଏ ।
ସମ୍ବଲପୁର ବୀର ପୁଅ ଆହେ
ସବୁବେଳେ ଜଏ ଜଏ ।
ମାଆ ମାଟି ଲାଗି ଲଢିଲ ଲଢୁଆ
ମନେ ସାହସ କୁ ବାନ୍ଧି ।
ଏକଜୁଟ ହେଇ ସ୍ବାଧୀନ ସଂଗ୍ରାମେ
ଇଂରେଜ ଙ୍କୁ ଦେଲ ଛନ୍ଦି ।
ଜଣା ଥିଲା ତୁମ୍ଭକୁ ଯୁଦ୍ଧ ବିଦ୍ୟା ଯେତେ
ସେଥିପାଇଁ ବଡବୀର ।
ମାତାର ଲୋତକ ପୋଛିବା ପାଇଁ ହେ
କାରାଗାର ଗଲ ବାରମ୍ବାର ।
ଡରୁଥିଲେ ଗୋରା ତୁମ ନାମ ଶୁଣି
ସେ ଯୋଗୁଁ କପଟ କଲେ ।
ସରଳ ବିଶ୍ବାସୀ ସୁରେନ୍ଦ୍ର ସାଏଙ୍କୁ
ମାରିବା ଯୋଜନା କଲେ ।
ଲୋଭ ଦେଖାଇଲେ ଧନ ସମ୍ପତ୍ତି ର
ସୁରେନ୍ଦ୍ର ନ ଗଲେ ଟି ଭୂଲି ।
ମାଆ ମାଟି ପାଇଁ ତ୍ଯାଗ କରି ଅଛି ଯିଏ
ସେ କେମିତି ଯିବ ବା ଭୂଲି ।
ସପଥ ନେଲ ଯେ ସମଲେଇ ପୀଠେ
ମାତାକୁ ଉଧାର କରିବି ।
ତା ପାଇଁ ଜୀବନ ଯିବ ଯଦି ଯାଉ
ହସି ହସି ତେବେ ମରିବି ।
ବିନା ଦୋଷେ ଦୋଷୀ କରିଲେ
ଅପନ୍ତରା ଇଂରେଜ ମାନେ ।
ଆଜୀବନ ସଜା ଦେଇଦେଲେ ତୁମକୁ
ଦୟା ନଥିଲା ତାଙ୍କ ମନେ ।
ହାରି ନାହଁ କେଭେ ତୁମେ ଗୋ ସୁରେନ୍ଦ୍ର
ହାରିବାର ନାଆଁ ନୁହଁ ତୁମ ।
ସମ୍ବଲପୁରିଆ ଜମିଦାର ପୁଅ
କାଳ କାଳ ଗାଇବୁ ନାମ ।

ମୂଳରଚନା:- (କୋଶଳୀ)
ଚନ୍ଦ୍ରାବତୀ ପାଣ୍ଡେ ....

Saturday, January 21, 2017

ଅନୁଭୂତି(ଖଗେଶ୍ବର ଶେଠଙ୍କ କବିତା)

କଇଁଫୁଲ ଦିଶେ ଧଳା ଲୋ ଭଉଣି
                         କାଇଁଚ ର ଅଧା କଳା
କହି ପାରିବକି ମନ୍ଦାରକୁ କିଏ
                        ଲାଲ ଟହଟହ କଲା ??
କୋଇଲି କୁ ପୋଷେ କୁଆ ଲୋ ଭଉଣି
                          କେ ବୁଦ୍ଧିଆ କେ ଭକୁଆ କାହିଁକି କୁକୁଡ଼ା ମାଈ କି ଦଇବ
                        ଦେଇଛି ଗୁଡାଏ ଛୁଆ ??
କେଉଁ ରସେ ନାହିଁ ଫଳଲୋ ଭଉଣି
                          କିପରି ଲାଗେ ଖଜୁର
                ନିମ୍ବ କୟାଁ ଲଙ୍କା
କେ ଚାଖିଛ କହ
                        ସୁଆଦ କଷି କେନ୍ଦୁର ।
କିଆଫୁଲ ଯଦି ଫୁଟେ ଲୋ ଭଉଣି
                                 ଚଉଦିଗ ବାସିଉଠେ
କାହାର କହର ପାଇଲେ ଭଁଅର
                         ପୋଖରୀ ଆଡ଼କୁ ଛୁଟେଁ
କିଏ କାନ୍ଦେ କେଏଁ କେଏଁ ଲୋ ଭଉଣି
                              କାହାର ସନ୍ତୁଳା ଚେଏଁ
କେତୋଟି ତା ଗୋଡ଼
                         ଆଖି କାନ କେତେ
ଯିଏ କରେ ମେଏଁ ମେଏଁ
                   କାରତିକ ମାସ ଶୀତଲୋ ଭଉଣି
କା ଦେହକୁ ଲାଗେ ହିତ
                 କେଉଁ ମାସେ କହ ଶୀତଳ ପବନ
ଲୋଡ଼ା କରେ ଆମ ଚିତ୍ତ ??

©କବି ଖଗେଶ୍ବର ଶେଠ

---------ଓଲୁଅ-----------

ଆଜି ଘରେ ଓଲୁଅ ପିଠା ତିଆରି ହେଉଛି ।

ଅଦା ସୋରିଷ ହଳଦୀ ଲଙ୍କା ଲୁଣ ଆଦି ବାଟି ମସଲା କରି ସେହି ମସଲା କୁ ଓଲୁଅ ସିଝାଇ ତହିଁରେ ମିଶାଇ ଏହି ପିଠା ପ୍ରସ୍ତୁତ କରାଯାଏ ।

ଆମ ଓଲୁଅ ଶବ୍ଦ ଟି ବୈଦିକ ଓଲ୍ବ ଶବ୍ଦରୁ ଆସିଅଛି ।
ବଙ୍ଗଳା ରେ ପ୍ରଚଳିତ ଓଲ ଶବ୍ଦ ଓଡିଶାରେ ମଧ୍ଯ ପ୍ରଚଳିତ ...
ଏହି ଓଲ ଶବ୍ଦଟି ଓଲ୍ଲ ବୈଦିକ ପ୍ରତିଶବ୍ଦରୁ ଆସିଥିବା ଅନୁମାନ କରାଯାଏ ।

ଓଲୁଅର ଅନ୍ଯ ଏକ ସଂସ୍କୃତ ପ୍ରତିଶବ୍ଦ ଶୂରଣ
ହିନ୍ଦୀରେ ସାମାନ୍ଯ ପରିବର୍ତ୍ତନ ସହ ସୂରନ୍ ଭାବେ ପ୍ରଚଳିତ ।
ହିନ୍ଦୀଭାଷୀ ଆଜିକାଲି ଏହାକୁ ଜୀମିକକନ୍ଦ ମଧ୍ଯ କହୁଛନ୍ତି  ।
ଯଦା ସଂଭବ ଓଲୁଅର ସଂସ୍କୃତ ପ୍ରତିଶବ୍ଦ କନ୍ଦକରେ ଜୀମି ଶବ୍ଦ ଯୋଡ଼ା ଯାଇ ଏ ଶବ୍ଦକୁ ସୃଷ୍ଟି କରାଯାଇଛି ।

ଓଲୁଅ ଏକ କଚୁବର୍ଗର ଖାଦ୍ୟକନ୍ଦ ବିଶିଷ୍ଟ ଗୁଳ୍ମ । ବଣ ଓଲୁଅ କୁ ଖାଇଲେ ତଣ୍ଟି ଗଲୁ କରେ ତେଣୁ ଲୋକେ ଆଗେ ଉଷୁଁଆ ଧାନରେ ପୋତି ,କାଞ୍ଜିପାଣିରେ ସିଞ୍ଜାଇ ତା ଗଲୁ ମାରୁଥିଲେ ।
ଆଜିକାଲି ବାଡି ପଛପଟରେ ବିନା ରକ୍ଷଣାବେକ୍ଷଣ ରେ ମଧ୍ଯ ବର୍ଷାଦିନେ ଏ ଗଛ ଉଠୁଥିବା ଦେଖାଯାଏ । ମହରଗିଆ ଯୁଗକୁ ଦେଖି
ଲୋକ ଓଲୁଅ ଚାଷ ମଧ୍ଯ କଲେଣି ।ଏହାର ବୈଜ୍ଞାନିକ ନାମ
Amorphophallus paeoniifolius
ସାଧାରଣ ଇଂରାଜୀରେ
ହାତିପାଦ ଆଳୁ the elephant foot yam ,
ଧଳାଦାଗିଆ ରାକ୍ଷସ ସାରୁ whitespot giant arum, ଗନ୍ଧୁରା କଇଁ
stink lily,  ଆଦି ଗୋରା ସାହେବ ମାନେ ନାମ ଦେଇଛନ୍ତି ।
ଗୋଟାଏ ବି ନାମରେ ବାଗବରଗ ନାହିଁ
ହଉ ବା ମାଙ୍କଡମାନେ କାହୁଁ ଜାଣିବେ ଅଦାର ସ୍ବାଦ 😂😂😂😂 ।

ଓଲୁଅ ଟି ଏକ ଗ୍ରୀଷ୍ମପ୍ରଧାନ ଅଞ୍ଚଳରେ ଜନ୍ମୁ ଥିବା ଗୁଳ୍ମ ତେଣୁ
ଆଫ୍ରିକା, ଦକ୍ଷିଣ ଏସିଆ, ଦକ୍ଷିଣ ପୂର୍ବ ଏସିଆ ତଥା ଗ୍ରୀଷ୍ମପ୍ରଧାନ ପ୍ରଶାନ୍ତ ସାଗରୀୟ ଦ୍ବୀପ ଗୁଡିକରେ ଦେଖାଯାଇଥାଏ ।
ଚାରିଆଡେ ହେଉଥିଲେ ହେଁ ଏହାର ଜନ୍ମସ୍ଥଳୀ ଦକ୍ଷିଣ ପୂର୍ବ ଏସିଆରେ ଏକଥା ଅଧିକାଂଶ ଗବେଷକ ମତ ଦିଅନ୍ତି ।
ଓଲୁଅଟା ଗୋଟାଏ ଔଷଧୀୟ ଗଛ ବୋଲି ଆମ ଆର୍ୟୁବେଦ ତଥା ଅନ୍ଯ ପ୍ରାଚୀନ ବୈଦଗ୍ରନ୍ଥ ରେ ଲେଖା ଅଛି ।
ବାବାସିରରୋଗୀଙ୍କ ପାଇଁ ଫଳଟି ଅମୃତ ତୁଲ୍ୟ କିନ୍ତୁ ସୁଗାର ଡାଇବେଟିସ୍ ରୋଗୀଙ୍କୁ
ଏ ମାଟି ଜାତୀୟ ଫଳ ହୋଇଥିବାରୁ ଡ଼ାକ୍ତର ଖାଇବାକୁ ବାରଣ କରିଥାଅନ୍ତି ।
ଆମ ବାଡିରେ ପ୍ରତବର୍ଷ ଓଲୁଅ ଖୋଳାଯାଇ ପୁଣି ଛୋଟ ପୁଆ ପୋତା ଯାଇଥାଏ ।

ଏବର୍ଷ ମାଆଙ୍କ ସ୍ବାସ୍ଥ୍ୟ ଭଲ ନଥିବାରୁ  ମାସେ କାଳ ଢେଙ୍କାନାଳ ସହରରେ ଆମ ମାମୁଁଙ୍କ ଘରେ
ଆମପରିବାର ଲୋକେ ରହିଥିବା ରୁ
ଏପଟେ ଓଲୁଅ ଗଛ ସବୁ ହଜିଗଲା ।

ଦି ଦିନ ତଳେ ବାପା ଗାଁ ର ଜଣକ ଘରୁ ଓଲୁଅ କେଜିଏ ଆଣିଥିଲେ ସେଇଥିରେ
ତେଣୁ ଓଲୁଅ ପିଠା ହେଲା ....

Thursday, January 19, 2017

●●●ପଣ୍ଡିତେଙ୍କ ଗାମୁଛା●●●

ମୋଗଲକାଳ କଥା । ପୁରୀର ଏକ ଅକ୍ଷାତ ପଲ୍ଲୀରେ ଜଣେ ନିରୀହ, ନିଷ୍ପାପ ହୃଦୟ ପଣ୍ଡିତ ମହାତ୍ମା ରହୁଥିଲେ ।
ଅଳ୍ପରେ କହିଲେ ପଣ୍ଡିତେ ବଡ଼ ଗରିବ ଥିଲେ ।
ଦିନେ ପଣ୍ଡିତଙ୍କ ଗାମୁଛା ନଦୀରେ ଗାଧୋଇବା ସମୟରେ ଦୂରକୁ ଭାସି ଗଲା । କୌଣସି ଜିନିଷ ହଜିଗଲେ ସାଧାରଣତଃ ଆମେ ମଣିଷମାନେ ଦୁଃଖୀ ହୋଇଯାଅନ୍ତି ।
ପଣ୍ଡିତେ ମନେ ମନେ ସାମାନ୍ୟ ଦୁଃଖୀ ହେଲେ
ହିସାବ କିତାବ କଲେ କେତେ ଟଙ୍କା ଆଗପଛକରି ଖରଚ କଲେ ନୁଆ ଗାମୁଛା ଟାଏ କିଣିହେବ ।
ତାଙ୍କ ମୁଣ୍ଡ଼କୁ ଏକ ଉପାୟ ଆସିଲା
ପଣ୍ଡିତେ ଠିକ କଲେ ସେ ସେତେ ଦିନ ଯାଏଁ ଦାଢୀ ବନାଇବେ ନାହିଁ ଯେତେଦିନ ଯାଏ ଗାମୁଛା ର ମୂଲ୍ଯର ଟଙ୍କା ଜମା ନ ହୋଇଯାଇଛି ।

କିଛି ଦିନ ବିତିଯାଅନ୍ତେ ଦିନେ
ପଣ୍ଡିତେ ଗାଁରୁ କଟକ ନଗର କୌଣସି କାମ ରେ ଯାଇ ଥାଅନ୍ତି ।

ଦୂରରୁ ଜଣେ ମୌଲବୀ କୁ ଆସୁଥିବାର ଦେଖିଲେ ପଣ୍ଡିତେ...
ମୌଲବୀଙ୍କର ଲମ୍ବା ଦାଢୀ ଥିଲା
ପଣ୍ଡିତେ ଆଗରୁ କେବେ ମୁସଲମାନ ଲୋକଙ୍କୁ ଦେଖି ନଥିଲେ କି  ସେ ଜାତି ବିଷୟରେ ତାଙ୍କର ସେତିକି ଜ୍ଞାନ ନଥିଲା ।
ତହୁଁ ପଣ୍ଡିତେ ମୌଲବୀ ସାହେବଙ୍କ ନିକଟକୁ
ଯାଇ କହିଲେ
"ଏ କଥା ଜାଣି ବହୁତ ଦୁଃଖ ହେଲା ତେବେ ଆପଣଙ୍କର ଚଦର ହଜିଯାଇଛି ନା କମ୍ବଳ ଭାଇ"

😂😁😀😜😝

           

*****ଶତ୍ରୁ-ମିତ୍ର******

ଆମେରିକାର ସିଭିଲ୍ ଓ୍ବାର ସମୟରେ ଆମେରିକାନ୍ ରାଷ୍ଟ୍ରପତି ଲିଙ୍କନ୍ ଦକ୍ଷିଣ ଆମେରିକା ର ଲୋକଙ୍କୁ ଶତ୍ରୁ ନ କହି
ବିପଥରେ ଭ୍ରମିତ ହୋଇ ଚାଲୁଥିବା ଲୋକ କହି ସମ୍ଭୋଧନ କରୁଥିଲେ ।

ଜଣେ ବୟସ୍କ ଉଗ୍ର ଦେଶଭକ୍ତ ମହିଳା
ଲିଙ୍କନଙ୍କୁ କଡ଼ା ବିରୋଧ କରିବା ସହ
ତାଙ୍କୁ ଆକ୍ଷେପ କଲେ ଯେ
ରାଷ୍ଟ୍ରପତି
ଶତ୍ରୁ ମାନଙ୍କୁ ନ ମାରି ସେମାନଙ୍କ ପ୍ରତି ନରମ ବ୍ଯବହାର ପଦର୍ଶନ କରୁ ଅଛନ୍ତି ।

ଲିଙ୍କନ ସେ ମହିଳାଙ୍କୁ ଜବାବରେ ଉତ୍ତର ଦେବାକୁ ଯାଇ
କହିଥିଲେ

"ମ୍ଯାଡମ୍ ! କଣ୍ ମୁଁ ନିଜ ଶତ୍ରୁ ମାନଙ୍କୁ ସେତେବେଳେ ଧ୍ବଂସ କରୁନାହିଁ କି ଯେତେବେଳେ ମୁଁ ମିତ୍ର କରିନେଉଛି ????"

ଏ କଥା ପଦକରେ କି ଯାଦୁ ଥିଲା କେଜାଣି
ମହିଳା ଜଣକ ସେଦିନ ଏତେ ପ୍ରଭାବିତ
ହୋଇଯାଇଥିଲେ ଯେ ଆଜୀବନ ଲିଙ୍କନଙ୍କ ପ୍ରଶଂସକ ହୋଇଗଲେ  !

Wednesday, January 18, 2017

●●●ତାରାସୂର୍ଯ୍ୟ●●●

ହେ ତାରକାଗଣ
କିମ୍ପା ଦିଶ ସାନ ସାନ ।

ତୁମ୍ଭେ ପରା ଅଛ କେତେ ରବି ରଶ୍ମି ମାନ ।।

ଦିବସେ ନ ଦିଶି କିଁପା  ରଜନୀରେ ଦିଶ ।

ପ୍ରଭାକର ହୋଇ ତୁମ୍ଭେ
ମନେ ଭୟ କିସ ?

ତୁମ୍ଭକୁ ଯେ ବୋଲିଥାନ୍ତି ଚନ୍ଦ୍ର ଜାୟା ଜନେ ।

ସେ କଥାରେ ନ ହୁଏ କି ଲଜ୍ଯା ତୁମ୍ଭ ମନେ ।।

ଜାଣିଲି ଶୁଣିଲି ତୁମ୍ଭେ ସୂର୍ଯ୍ୟ ଅଟ ସତ ।

ଆଲୋକିତ କରୁଅଛ ନିଜର ଜଗତ ।।

ଆମ୍ଭ ଭାସ୍କରକୁ ତୁମ୍ଭ ରାଜ୍ଯଲୋକ ସାରା ।

ବୋଲୁଛନ୍ତି ଗଗନର କ୍ଷୁଦ୍ର ଏକ ତାରା ।।

ତୁମ୍ଭ ରାଜ୍ଯେ  ତୁମ୍ଭ ଆଗେ ଆମ୍ଭର ଭାସ୍କର ।

ନ ଦିଶନ୍ତି ଦିନେ ତେଣୁ ନ ହୁଅ ଭାସ୍ବର ।।

ଯାହାକୁ ଯେମନ୍ତ ଦିଶେ ସେମନ୍ତ ସେ ଭାଷେ ।

ସେ କଥାରେ ମହତଙ୍କ କି ଯାଏ କି ଆସେ ?

କେତେ ଚନ୍ଦ୍ର ଖଟୁଛନ୍ତି ତୁମ୍ଭର ଚରଣେ ।

ଆମ ଚନ୍ଦ୍ରେ ପତି ବୋଲି ତୁମ୍ଭର କେ ଗଣେ ?

ତୁମ୍ଭ ରାଜ୍ୟେ ଦିଅ ତୁମ୍ଭେ ପ୍ରଚୁର କିରଣ ।

ତେଣୁ ସେହିଠାରେ ଥିବ ତୁମ୍ଭ ରବିପଣ ।।

ଆମ୍ଭ ରାଜ୍ଯେ ଆମ୍ଭ ରବି କରେ ତମ କ୍ଷୟ

ଏଣୁ ଆମ୍ଭେ ଚାହୁଁ ଥାଉଁ ତାଙ୍କର ଉଦୟ ।।

ତୁମ୍ଭେ ଯେତେ ବଡ଼ ହେଲେ ଆମ୍ଭର କି ଲାଭ ।

ଆମ୍ଭ ତମ ନାଶିବାକୁ ନାହିଁ ତ ପ୍ରଭାବ ।।

ଯେ ଯାହାର ହିତ କରେ ନହେଲେ ତା ନାମ,

ଆମ୍ଭ ଦେଶେ କହୁଁ ତାକୁ ନିମକହରାମ ।।

°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°
°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°

ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଏହି
କବିତାଟିରେ ଆମେ ତାଙ୍କର ଦେଶମାତୃକା ପ୍ରତି ଥିବା ଭକ୍ତି କୁ ସହଜେ ଅନୁଭବ କରିପାରିବା ।
ତାଙ୍କର ଏହି କବିତା ସେ ସମୟେ ଅନେକ ବିପ୍ଲବୀଙ୍କ ଧ୍ଯାନ ଆକର୍ଷଣ କରିଥିଲା ... ଏଠାରେ  କବି ଯେ ଇଂରେଜ ମାନଙ୍କୁ ତାରା ଉପଲକ୍ଷ କରି କବିତା ରଚନା କରିଥିଲେ ତାହା ସାହିତ୍ୟ ଜଗତରେ ସର୍ବଦୌ ସଭିଏଁ ଜାଣିପାରିଥିଲେ ।

●●ସଙ୍ଗଫଳ【ସ୍ବଭାବକବିଗଙ୍ଗାଧର ମେହରଙ୍କ ରଚନା】

ସ୍ବର୍ଣ୍ଣ ବର୍ଣ୍ଣ କନିଅର ପୁଷ୍ପ ମନୋରମ ।

କିନ୍ତୁ ତାର ଫଳ ବିଷ ଭିଷଣ ବିଷମ ।।

ଶିବ ପାଶେ ରହିବାରୁ ସଙ୍ଗର କି ଫଳ ।

ଗଉରୀ ଗଉର କାନ୍ତି ଭୁଜଙ୍ଗ ଗରଳ ।।

ସେରୂପେ ଧୁସ୍ତୂର ଫୁଲ ଜାହ୍ନବୀବରଣ ।

ଫଳ କରି ଅଛି ସର୍ପ ବିଷ ଆକର୍ଷଣ ।।

ଏହିରୂପେ କେତେ ଲୋକ ଶାସ୍ତ୍ର ସଙ୍ଗ ଗୁଣ ।

ଘେନି ହୋଇଥାନ୍ତି ହିତ ଭାଷଣେ ନିପୁଣ ।।

କିନ୍ତୁ କର୍ମେ କରିଥାନ୍ତି ଅତ୍ଯନ୍ତ ଅହିତ ।

ବଦ୍ଧ ହୋଇ ନୀଚ ଦୁଷ୍ଟ ପ୍ରବୃତ୍ତି ସହିତ ।।

★★★★★★ଯମଙ୍କ କାଗଜ★★★★★

ଜଣେ ବ୍ଯକ୍ତିକୁ ରାସ୍ତାରେ ଯମରାଜ ମିଳିଗଲେ ।
ଯମରାଜ ବ୍ଯକ୍ତି ଜଣଙ୍କୁ ପିଇବା ପାଇଁ ପାଣି ମାଗିଲେ ।
ସେହି ବ୍ଯକ୍ତି ଜଣକ ଯମରାଜଙ୍କୁ ପିଇବାକୁ ଗଙ୍ଗାନଦୀରୁ ଆଣିଥିବା ପବିତ୍ର ପାଣିଦେଲା ।

ପାଣି ପିଇସାରିଲା ପରେ ଯମରାଜ ବ୍ଯକ୍ତିଜଣକୁ କହିଲେ

"ହେ ମାନବ ମୁଁ ତୁମ୍ଭ ପ୍ରାଣ ନେବାକୁ ଆସିଥିଲି
କିନ୍ତୁ ଯେହେତୁ ତୁମ୍ଭେ ଗଙ୍ଗା ଜଳ ଦ୍ବାରା ମୋର ଶୋଷ ମେଣ୍ଟାଇଛ
ତେଣୁ ତୁମ୍ଭକୁ ତୁମ ଭାଗ୍ଯ ବଦଳାଇବା ହେତୁ ଶେଷ ମଉକା ଟାଏ ଦେଉଅଛି ।
ଏତିକି କହି ଯମରାଜ ସେହି ବ୍ଯକ୍ତି ଜଣକକୁ
ଖଣ୍ଡେ କାଗଜ ଦେଲେ
ଏବଂ  ପୁନଃ କହିଲେ ଶୁଣ ତୁମ୍ଭ ପାଖରେ ମାତ୍ର ପାଞ୍ଚ ମିନିଟ ସମୟ ଅଛି
ଏହି କାଗଜ ଉପରେ ତୁମେ ଯାହା ଲେଖିବ ତାହା ହିଁ ହେବ ।
କିନ୍ତୁ ମନେ ରଖ କେବଳ ପାଞ୍ଚ ମିନିଟ ହିଁ ମିଳିବ

ସେହି ବ୍ଯକ୍ତି ଜଣକ କାଗଜ ଉପରେ ଲେଖିଲା

ପ୍ରଥମେ ଲେଖିଲା
•••••••ମୋ ପଡୋଶୀ ନୂଆ ଘରଟାଏ କିଣିବାକୁ ଯାଉଛି
ସେ ଯେମିତି ସେଭଳି କରିନପାରୁ

°°°°°°°ପୁନଃ ସେ ଲେଖିଲା....
ମୋର ଜଣେ ଚିହ୍ନାଲୋକ ଏଥର ସରପଞ୍ଚ ନିର୍ବାଚନ ରେ ଛିଡ଼ା ହେଉଛି
ଏମିତି ହେଉ ଯେମିତି ସେ ନିର୍ବାଚନରେ ହାରିଯାଉ ।
ଏହିଭଳି ସେ ଲୋକଜଣକ ଯମ ପ୍ରଦତ୍ତ କାଗଜରେ ତା ଆଖପାଖ ରେ ରହୁଥିବା ଲୋକଙ୍କ ବିରୋଧରେ ତାର ଇଛା ସବୁ ଲେଖି ଚାଲିଲା ।
ଶେଷରେ ଯେତେବେଳେ ସେ ନିଜପାଇଁ କିଛି ଲେଖିବାକୁ ଚାହିଁ କଲମ ଉଠାଏ
ଯମରାଜ ଲୋକଟା ହାତରୁ କାଗଜ ଟାଣିନେଇ କହିଲେ
ବତ୍ସ !! ତୁମ୍ଭକୁ ଦିଆଯାଇଥିବା ପାଞ୍ଚ ମିନିଟ ସମୟ ଶେଷ ହୋଇଯାଇଛି ,ଏବେ ଆଉ କିଛି ହୋଇପାରିବ ନାହିଁ ।
ତୁମକୁ ଯେଉଁ ସମୟ ମିଳିଥିଲା ତୁମେ ତାହାର ସଦୁପଯୋଗ କରିପାରିଲନି ଏବେ ଚାଲ ଯମପୁର ........

ଅନ୍ଯକୁ ଇର୍ଷ୍ବା ଦ୍ବେଷ କରି ଆମେ ଆମ ଅମୂଲ୍ଯ ସମୟ ନଷ୍ଟ ନକରି ଚାଲ କାନ୍ଧ ରେ କାନ୍ଧ ମିଶାଇ ନିଜ ଜାତି ଦେଶ ମାତୃକା କୁ ସୁନ୍ଦର କରି ଗଢି ତୋଳିବା

Monday, January 16, 2017

ଗୁଡ଼ର ଉପକାରିତା

ଗୁଡ଼(Jaggery)...

ଶୀତ ଦିନରେ ଗୁଡ଼ ର ଉପକାରିତା

1.ଗୁଡ଼ ଖାଇଲେ ପେଟରେ ଗ୍ଯାସ୍ ହେବନାହିଁ ।
2.ଖାଦ୍ୟ ଖାଇଲା ପରେ କିଛି ମିଠା ଖାଇବାକୁ ଇଛା ହେଲେ ଗୁଡ଼ ଖାଅନ୍ତୁ ଏହା ଚିନି ଏବଂ ଚିନିରୁ ତିଆରି ମିଠା ଅପେକ୍ଷା ଅଧିକ ସ୍ବାସ୍ଥ୍ୟକର ।
3.ଗୁଡ଼ ଖାଇଲେ ପାଚନ କ୍ରିୟା ଠିକ ରହେ ।
4.ଗୁଡ଼ ଶରୀରର ରକ୍ତ ସଫା ରଖିବା ସହ
ମେଟାବୋଲିଜମ୍ ଠିକ କରିଦେଇଥାଏ ।
ପ୍ରତିଦିନ ଏକ ଗ୍ଲାସ୍ ପାଣି କିମ୍ବା କ୍ଷୀର ସହିତ
ଗୁଡ଼ ସେବନ କଲେ
ପେଟ ଥଣ୍ଡା ରହେ ।
ଗ୍ଯାସ୍ ପାଇଁ ଏହା ଅତି ଉପକାରୀ ,
ଯେଉଁ ମାନେ ଗ୍ଯାସ ଯୋଗୁଁ
କଷ୍ଟ ଭୋଗୁଛନ୍ତି ସେମାନେ ପ୍ରତିଦିନ
ଲଂଚ୍ ଏବଂ ଡିନର ପରେ
କିଛି ମାତ୍ରାରେ ଗୁଡ଼ ଖାଇବା ଉଚିତ ।

5 -ଗୁଡ଼ ଆଇରନ୍ ର ଏକ ମୂଳ ଉତ୍ସ ।
ଏଥିପାଇଁ ଏହା ଆମୋନିଆ ବିରୋଧ ରେ
ବହୁତ ଲାଭ ଦେଇଥାଏ ।
  ମହିଳା ମାନଙ୍କ ଦ୍ବାରା ଏହାର ସେବନ ଫଳରେ ସେମାନଙ୍କ ସ୍ବାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ ।

6 -ଚର୍ମ ପାଇଁ ମଧ୍ଯ ଗୁଡ଼ ହିତକାରୀ ।
ଗୁଡ଼ ରକ୍ତରୁ ଖରାପ ଟୋକ୍ସିନ୍ ଦୂରକରିଥାଏ ।
ଯା ଫଳରେ ତ୍ବଚା ଶୁଭ୍ର ଦେଖାଯିବା ସହ
ଚର୍ମରୋଗ ମଧ୍ଯ ହୁଏ ନାହିଁ ।

7 -ଗୁଡ଼ର ଗୁଣ ଗରମ ହୋଇଥିବାରୁ
ଏହା ଥଣ୍ଡା ଏବଂ କାଶ ହୋଇଥିଲା ସମୟେ ପ୍ରୟୋଗ କଲେ ଆରାମ ମିଳେ ।
ଥଣ୍ଡା ହୋଇଥିଲେ ଯଦି କଞ୍ଚା ଗୁଡ଼ ଖାଇବାକୁ ଚାହୁଁ ନଥାନ୍ତି
ତେବେ ଏହାକୁ ଚା କିମ୍ବା ଲଡ୍ଡୁ ଆଦିରେ ଖାଇପାରିବେ ।

Friday, January 13, 2017

ଶିକାରୀ

ଅଶି ବୟସ୍କ ଜଣେ ବୃଦ୍ଧ ବିବାହ କଲା ।
କିଛି ଦିନ ଗଲାରୁ ସେ ନିଜର ଫୈମିଲି ଡକ୍ଟର ସହ ଦେଖା କରିବାକୁ ତାଙ୍କ ଘରକୁ ଯାଇ କହିଲା କି ବୋଧହୁଏ ସେ ବାପା ହେବାକୁ ଯାଉଛି ।

ଏକଥା ଶୁଣି ଡାକ୍ତର ତାକୁ ଗୋଟାଏ କାହାଣୀ କହି ଶୁଣାଇଲେ .....

ଥରେ
ଜଣେ ଶିକାରୀ ଶିକାର କରିବାକୁ ଜଙ୍ଗଲକୁ ଗଲା ।
ଘନ ଘଞ୍ଚ ବନ ଅରଣ୍ଯ ମଧ୍ଯରେ ଯାଉଥିବା ସମୟରେ ହଟାତ୍ ଏକ ବାଘ ତା'ର ବାଟ ଓଗାଳିଲା ।
ଭୟରେ ଶିକାରୀ ନିଜର ବନ୍ଦୁକ କାଢ଼ିଲା ବେଳକୁ
ଜାଣିଲା ଭୂଲ ବଶତଃ ରାୟଫଲ୍ ବଦଳରେ
ସେ ଘରୁ ଭଙ୍ଗାଛତାଟାଏ ନେଇ ଆସିଛି ।

କିନ୍ତୁ କିଛି ନକରିପାରିବା ଅବସ୍ଥାରେ ପଡ଼ି ଯାଇଥିବାରୁ
ସେଇ ଛତାକୁ ହିଁ ବାଘ ଆଡ଼କୁ ମୁଁହ କରି
ବଟନ୍ ଚିପି ଦେଲାରୁ 'ଠାୟ' କରି ଏକ ଶବ୍ଦ ହେଲାଏବଂ ବାଘ ଟା ସେଇଠି ଟଳି ପଡ଼ିଲା ।

କାହାଣୀ ଶୁଣି ବୃଦ୍ଧ ଜଣକ କହିଲା
ଅସମ୍ଭବ ! ନିଶ୍ଚୟଁ ଶିକାରୀ ର ଦୁଇ ପାର୍ଶ୍ବରୁ କି ପଶ୍ଚାତ୍ ଭାଗରୁ କେହି ଚଳାଇଥିବ ନା ....

ଏହା ଶୁଣି ଡାକ୍ତର ଜଣକ ଅଳ୍ପ ହସି କହିଲେ
ହଁ ଠିକ କଥା ।।
😝😝😝😜😜

Thursday, January 12, 2017

●●●ଶାଳିଆପତନି●●●

ଶାଳିଆପତନୀ ମାର୍ଜାର ଭଳି ଦେଖାଯାଉଥିବା ସିଭେଟ୍ ଜାତୀୟ ଏକ ପ୍ରକାର ର ସ୍ତନ୍ୟପାୟୀ ଜୀବ
ଏହା ଶରୀରରୁ କସ୍ତୁରୀ ଭଳି ଗନ୍ଧ ବାହରୁଥିବାରୁ ଏହାର ସଂସ୍କୃତ ନାମ ଗନ୍ଧ ମାର୍ଜାର ହୋଇ ଅଛି ।
ସଂସ୍କୃତ ଶାଳାବୃକ ଶବ୍ଦରୁ ସମ୍ଭବତଃ ଶାଳିଆପତନୀ ହୋଇଥିବା ଅନୁମାନ କରାଯାଏ ।  ଏହାର ବୈଜ୍ଞାନିକ ନାମ
Viverricula indica  ।
ଶାଳିଆ ପତନି ଏବଂ ଖଟ୍ଟାଶ ଅଲଗା ପ୍ରକାର ର ଜୀବ ।
ଶାଳିଆପତନି ଖଟ୍ଟାଶ ଠାରୁ ଅପେକ୍ଷାକୃତ ଛୋଟ ଏବଂ ଦେଖିବାକୁ ନକୁଳ,ମାର୍ଜାର ଏବଂ ଖଟ୍ଟାଶ ଆଦିର ମିଶ୍ରିତ ରୂପ ।
ଶାଳିଆପତନି କୁ ଇଂରାଜୀରେ କ୍ଷୁଦ୍ର ଭାରତୀୟ ଖଟ୍ଟାଶ ବା small indian civet ତଥା the civet cat ମଧ୍ଯ କୁହାଯାଏ ।
ଆଫ୍ରିକାନ୍ ଲିନ୍ସାଙ୍ଗ African linsangs ସହ ଶାଳିଆପତନୀର ଅନେକ ସାମଜସ୍ଯ ଦେଖାଯାଏ ଏଥିପାଇଁ କେହି କେହି ଏହାକୁ ଗନ୍ଧ ନକୁଳ ମଧ୍ଯ କହିଥାଅନ୍ତି । ଆଗେ ଲୋକେ ଏହାର ଅଣ୍ଡକୋଷକୁ କାଟି ଘରେ ରଖୁଥିଲେ ଏବଂ ବ୍ରଣ ର ଔଷଧରୂପେ ବ୍ଯବହାର କରୁଥିଲେ ।
ଏମାନେ ଓଧ ଜାତୀୟ କିନ୍ତୁ ବିରାଡୀ ଠାରୁ ବଡ ।
ଲୋମ କୃଷ୍ଣ ଏବଂ ପାଣ୍ଡୁର ।
ମୁହଁ କୋକିଶିଆଳ ପରି ଗୋଜିଆ ।
ଲାଞ୍ଜ 1ରୁ 2ହାତ ପର୍ଯ୍ୟନ୍ତ ଲମ୍ ହୋଇଥାଏ । ଏମାନଙ୍କ ଲାଞ୍ଜରେ କଳା ଧଳା ଶଙ୍ଖାମୁଣ୍ଡିଆ ପଟି ଚିହ୍ନ ଥାଏ । ଶାଳିଆପତନି ଫଳମୂଳ ଖାଉଥିବାରୁ ଜଙ୍ଗଲ ତଥା ଫଳ ଉଦ୍ଯାନ ଗୁଡିକରେ ରହିବା ପସନ୍ଦ କରେ ।
ଆଜିକାଲି ମାନବ ମାନଙ୍କ ଦୌରାତ୍ମ୍ୟ ଯୋଗୁଁ  ଜଙ୍ଗଲ କମି କମି ଯାଉଅଛି ,
ଫଳରେ
ଶାଳିଆପତନି  ଢେ଼ଙ୍କାନାଳର କେତେକ ଗାଁ ରେ ଅମୃତଭଣ୍ଡା ଖାଇ ଯାଉଥିବା ମୋ ନଜରକୁ ଆସିଥିଲା  !
ଶାଳିଆପତନି... ବାଙ୍ଗଲାଦେଶ,ଭୂଟାନ,କାମ୍ବୋଡିଆ,ଚୀନ,ଭାରତ,ଇଣ୍ଡୋନେସିଆ,ମାଲେସିଆ,ମିଆଁମାର,ନେପାଳ, ପାକିସ୍ତାନ, ଶ୍ରୀଲଙ୍କା,ପାକିସ୍ତାନ, ତାଇଓ୍ବାନ୍,ଭିଏତନାମ୍,ଥାଇଲାଣ୍ଡ଼ ଆଦି ଉତ୍ତରପୂର୍ବ ଏବଂ ଉତ୍ତରପଶ୍ଚିମ ଏସିଆର ଜଙ୍ଗଲଗୁଡିକରେ ଆଗେ ବହୁଳଭାବେ ଦେଖାଯାଉଥିଲେ ହେଁ ଆଜି ଏମାନଙ୍କ ବାସଭୂମିର ଅଭାବ ଯୋଗୁଁ ବିଲୁପ୍ତି ଆଡ଼କୁ ମୁଁହାଇଛନ୍ତି ।

Friday, January 6, 2017

■■■■ସ୍ମୃତି■■■■

ବାକି ଜୀବନକୁ
ଲୋଡା ହୋଇଥାଏ
କିଛି ସ୍ମୃତି ,
ଖୁବ ସୁନ୍ଦର
ହୋଇଥାଏ ...

ଓଠ ଯେବେ ଚୁପ୍ ଥାଏ
ଲୋତକ ଯେ ଝରୁଥାଏ
କଥା ଯାକ ବହିଯାଏ
ସେ କ୍ଷଣ ସବୁ କହିଯାଏ

କୌଣସି ଏକ କ୍ଷଣରେ
ଆଖି ସ୍ଥିର ହୋଇଯାଏ
ପୁଣି ତାକୁ
ଖୋଜି ଖୋଜି
ଦିନକାଳ ସରିଯାଏ....

କେବେ ନଷ୍ଟ ନ ହେଉ
ଭଲ ଭଲ ସ୍ମୃତି
ଶେଷ ଦିନ ଯାଏଁ
ମନେ ରହୁ
ସପଥ ଏବଂ ସଦ୍ଇଚ୍ଛା କିଛି...

Thursday, January 5, 2017

ଲେଡିକେନୀ- ଦେଶୀ ମିଠା ବିଦେଶୀ ନାମ


ବ୍ରିଟିଶ
ଭାରତର ଜଣେ ଭୂତପୂର୍ବ ବଡଲାଟ ଲର୍ଡ କେନିଙ୍ଗ Lord canning ଙ୍କ ପତ୍ନୀ ଲେଡୀ କେନିଙ୍ଗ Lady Canning ଙ୍କୁ ଏଇ ମିଠା ବଡ ପ୍ରିୟ ଥିଲା ! 1861 ନଭେମ୍ବର ମାସରେ ତାଙ୍କର ଜ୍ଵରରୋଗରେ ମୃତ୍ୟୁ ହେବାପରେ ଏଇ ମିଠାର ଲେଡିକେନୀ ନାମ ହୋଇଥିବା କଥା ସର୍ବ ସାଧାରଣରେ ପ୍ରଶିଦ୍ଧ ।

ଲେଡିକେନୀ କୁ ଲୋକେ ବଙ୍ଗଳା ମିଠା କହୁଥିଲେ ହେଁ ଏହା ସେ ସମୟେ ପୂର୍ବଭାରତରେ ପ୍ରସିଦ୍ଧ ହୋଇଯାଇଥିଲା ।

ପୂର୍ଣଚନ୍ଦ୍ର ଭାଷାକୋଷ ଅନୁଯାୟୀ

ଲେଡିକେନୀ ମୂଖ୍ଯତଃ କ୍ଷୀର ,ଛେନା ଓ ଚିନିରେ ତିଆରି ହୋଇ ଘିଅରେ ପୁଆ ହୋଇ ଶିରାରେ ବତୁରା ଯାଇଥାଏ ।

ଛୋଟ ଆକୃତି ବିଶିଷ୍ଟ ଗୋଲକକୁ ଗୋଲାପ ଜାମୁ ବା ପନ୍ତୁଆ କୁହାଯାଏ ଓ ଦୁଇ ଇଞ୍ଚ ବ୍ଯାସ ବିଶିଷ୍ଟ ଗୋଲକକୁ ଲେଡିକେନୀ କୁହନ୍ତି ।

ଏଇ ପଦ୍ଧତିରେ ରସଗୋଲା ମଧ୍ଯ ପ୍ରସ୍ତୁତ କରାଯାଏ ତେବେ ରସଗୋଲାକୁ ଘିଅ ରେ ଭାଜନ୍ତି ନାହିଁ ।

ଆମ ରାଜ୍ୟ ରେ ଆଗେ ବଡ ଆକରର ରସଗୋଲା ତିଆରି କରୁଥିଲେ ଯାହାକୁ କ୍ଷୀରମୋହନ କୁହାଯାଉଥିଲା ।

ପରବର୍ତ୍ତୀ କାଳରେ ଏଇ କ୍ଷୀରମୋହନ ତିଆରି ପଦ୍ଧତି ରୁ ହିଁ ରସଗୋଲା ପ୍ରଭୃତି ମିଠା ସବୁ ର ସୂତ୍ର ଜନ୍ମ ନେଇଥିବା କେତେକ ଐତିହାସିକ ମତ ଦିଅନ୍ତି ।

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...