Saturday, November 18, 2017

ଗାଈଘିଅକୁ ଗୁଆଘିଅ କାହିଁକି କୁହାଯାଏ ?

ଗାଈଘିଅକୁ ସଂସ୍କୃତରେ ଗବ୍ୟଘୃତ କୁହାଯାଉଥିଲା ।
ପଞ୍ଚଗବ୍ୟର ମିଶ୍ରଣରେ ଔଷଧ ତିଆରି ହେଉଥିଲା । ସେହି ପଞ୍ଚଗବ୍ୟର ନାମ
ଦୁଗ୍ଧ(କ୍ଷୀର),ଦଧି(ଦହି),ଘୃତ(ଘିଅ),ଗୋମୁତ୍ର,ଗୋବର !
ଆମିକ୍ଷା ବା ଛେନା ଯେହେତୁ ଏକ ଯୌଗିକ(ଦହିରେ କ୍ଷୀର ମିଶାଇ କରାଯାଏ) ତେଣୁ ଏହାକୁ ପଞ୍ଚଗବ୍ୟର ଅନ୍ତର୍ଭୁକ୍ତ କରାଯାଇନାହିଁ ।

ତେବେ ଏହି ଗବ୍ୟ ଶବ୍ଦର ମୂଳରେ ଅଛି
‛ଗୋ’ ଶବ୍ଦ ଏବଂ
ସଂସ୍କୃତ ବ୍ୟାକରଣ ଅନୁଯାୟୀ
“ଗୋ+ସମ୍ବନ୍ଧାର୍ଥେ,ଭବାର୍ଥେ,ହିତାର୍ଥେ ଯଃ ତସ୍ୟ ଗବ୍ୟ”

ତେବେ ଭାଷାକୋଷରେ ‛ଗବ୍ୟ’ ଶବ୍ଦର ମୂଳରେ
ଥିବା ‛ଗୋ’ ଶବ୍ଦର
33 ଟି ଅର୍ଥ ଲିପିବଦ୍ଧ ହୋଇଅଛି
ସେଗୁଡ଼ିକ ହେଲା:-

ଧେନୁ,ବୃଷ,ଗାଈଠାରୁ ଉତ୍ପନ୍ନ ଦ୍ରବ୍ୟ,ପଶୁ,ପୃଥିବୀ,ମାତା,ଦିଗ,ଗାୟତ୍ରୀ,ବାକ୍ୟ,ସ୍ଵର୍ଗ,ଚକ୍ଷୁ,ଇନ୍ଦ୍ରିୟ,ଦୃଷ୍ଟି,ବିଦିଗ,କେଶ,କିରଣ,ଜଳ,ବାଣ;ଶର,ସୂର୍ଯ୍ୟ,ନକ୍ଷତ୍ର,ଚନ୍ଦ୍ର,ଯାଗବିଶେଷ,ବଜ୍ର,ହୀରକ,“ଗୁଆ”,ଲୋମ,ବୃଷରାଶି,ଦଶକୋଟି ବା ଏକ ନିୟୁତ ସଂଖ୍ୟା,ନଅ ସଂଖ୍ୟା,ଗାୟକ,ଗୋମେଧ ଯଜ୍ଞ ଓ ଗୃହ......
‛ଗୋ’ ଶବ୍ଦର ସେହି 33ଟି ଅର୍ଥ ମଧ୍ୟରୁ ଗୋଟିଏ ହେଉଛି ଗୁଆ !

ଏଣୁ ,
“ଗୁଆ ଓ ଗବ୍ୟ ଶବ୍ଦ ମଧ୍ୟରେ ସାମଜସ୍ୟତା ଥିବାରୁ ତଥା ‛ଗୋ’ ଶବ୍ଦର ଏକ ଅର୍ଥ
ଗୁଆ ହୋଇଥିବାରୁ ଓଡ଼ିଆ ରେ ଗାଈଘିଅକୁ
ଗୁଆଘିଅ କୁହାଯାଉଛି !

Friday, November 17, 2017

ପ୍ରତିବେଶୀ →←ପଡୋ଼ଶୀ

ପଡୋଶୀ ଓ ପଡି଼ଶା ଶବ୍ଦଦ୍ଵୟ ସଂସ୍କୃତ ଶବ୍ଦ
ପ୍ରତିବେଶୀ ର ଦେଶୀୟ ପ୍ରତିଶବ୍ଦ ।
ପ୍ରତିବେଶୀ =
ପ୍ରତି+ବିଶ୍ ଧାତୁ+କର୍ତ୍ତୁ. ଇନ ପ୍ରତ୍ଯୟ

ଏଠାରେ ଆମେ
ଯେଉଁ ଯେଉଁ ଶବ୍ଦ ମିଶି
ପ୍ରତିବେଶୀ ଶବ୍ଦ ଟି ହୋଇଛି
ତାହାର ବ୍ୟାଖ୍ୟା କରିବା ......

1●.ପ୍ରତି
ଏହା ଏକ ଉପସର୍ଗ
ଏ ଶବ୍ଦର କେତେକ ଅର୍ଥ
ଦିଆଗଲା :-
ପ୍ରଶସ୍ତି, ବିସ୍ତାର, ପୁନଃ ପୁନଃ,ପ୍ରତ୍ୟେକ,ପରସ୍ପର, ସମୀପ,ସମ୍ଵନ୍ଧ,ଆଭିମୁଖ୍ୟ,ମମତ୍ବ,ଅଂଶ,କ୍ଷୁଦ୍ର,ନକଲ,ବୈପରୀତ୍ୟ,ଲକ୍ଷ୍ୟ,ସାଦୃଶ୍ୟ,ବିରୋଧ,ନିଶ୍ଚୟ,
ନିନ୍ଦା,ମନ୍ଦ,ସ୍ଵଭାବ,ପ୍ରଥମ,ସର୍ବଦା

2●.ବିଶ୍ ଧାତୁ = ଅଧିକାର କରିନେବା
                      =ପ୍ରବେଶ କରିବା

ଅର୍ଥାତ୍ ପଡୋ଼ଶୀ ସିଏ ଯିଏ
ନିଜ ପଡି଼ଶା ରେ ଥିବା ସମସ୍ତ ମୂଲ୍ୟବାନ ଜିନିଷ କୁ ପୁନଃ ପୁନଃ ବାରମ୍ବାର ପ୍ରତ୍ୟେକ ଥର (ପ୍ରବେଶ କରି) ଅଧିକାର କରିନିଏ ।
ନିଜ ପଡୋଶୀ ପ୍ରତି ତା’ର ମମତ୍ବ ଥାଏ
ସତ କିନ୍ତୁ ନିଜ ପଡୋଶୀ ର
ବୈପରୀତ୍ୟ ହୋଇ ରହିବା ,ନିନ୍ଦା କରିବା, ନକଲ କରିବା,ସାଦୃଶ୍ୟ କରିବା, ପଡୋ଼ଶୀ ଠାରୁ ସ୍ଵୟଂ ଆଗେ ପ୍ରଥମ ହେବାକୁ ଚେଷ୍ଟା କରିବା ତଥା ପଡୋ଼ଶୀ ଘରେ ଥିବାସମସ୍ତ ଜିନିଷ ରେ ନିଜର ଏକମାତ୍ର ଅଧିକାର ତା’ର ଲକ୍ଷ୍ୟ ଥାଏ ।
ପଡୋ଼ଶୀ ର ପ୍ରାକୃତିକ ସ୍ଵଭାବ ହେଲା
ସେ ନିଜ ପଡି଼ଶା ଘରେ ପ୍ରବେଶ କରି
ସବୁ ଚୋରେଇ ନେଇ ନିଜର ବୋଲି
ପ୍ରମାଣ କରି ଦେଖେଇବ ଏବଂ ଏହି ମହାନ କାର୍ଯ୍ୟରେ ସଦା ସର୍ବଦା ଲିପ୍ତ ରହିଥିବ !!!!!

ଧନ୍ୟ ପଡୋ଼ଶୀ ଧନ୍ୟ ....
ଧନ୍ୟ ତୁମ ମହିମା......

😂😂😂😂😂😂😀😁

Thursday, November 16, 2017

ଢେଙ୍କାନାଳ ର ମଠ

ଢେଙ୍କାନାଳର 13ଟି ପ୍ରଶିଦ୍ଧ ପ୍ରାଚୀନ ବୈଷ୍ଣବ ମଠ ଅଛି

1.ଯାଉଁଳି ପୋଖାରୀ ମଠ(ନିଜଗଡ଼)
2.ଜୟଗୋପାଳ ମଠ
3.ଶମ୍ଭୁଗୋପାଳ ମଠ
4.ଖୁଣ୍ଟଝରୀ ମଠ
5.କନ୍ତିଓ ମଠ
6.ଅଘିରାଗୁଡା଼ ମଠ
7.ଜିରିଡା଼ମାଳୀ ମଠ
8.ଖୋକସା ମଠ
9.ବାଲିବୋ ମଠ
10.ରିଆ ମଠ
11.ଜକିୟା ମଠ
12.ତେନ୍ତୁଳିଆ ମଠ
13.କୁଞ୍ଜବିହାରୀ ମଠ

Tuesday, November 14, 2017

Children day special;କେମିତି ପିଲାଏ ହୋଇଗଲେ ଡଲଫିନ୍......

କାଲିଫର୍ଣ୍ଣିଆ ର ସୁମାସ ଜନଜାତୀୟ ଲୋକଙ୍କ
ମଧ୍ୟରେ ଏକ ଜନସୃତି ଅଛି ।
ସେଠାର ସ୍ଥାନୀୟ ଅଧିବାସୀ କୁହନ୍ତି
ବହୁତ ବହୁତ ବର୍ଷ ତଳେ
ସେମାନଙ୍କ ପୂର୍ବଜ ଦ୍ବୀପବାସୀ ଥିଲେ ।
ସେମାନେ ସେହି ଦ୍ବୀପରେ
ଅନେକ ଅସୁବିଧା ର ସମ୍ମୁଖୀନ ହେଲାରୁ
ତାଙ୍କ ଆରାଧ୍ୟ ଦେବୀ ତାଙ୍କୁ
ମୂଳ ଭୂଖଣ୍ଡ କୁ ଚାଲିଯିବାକୁ ନିର୍ଦ୍ଦେଶ ଦେଲେ ।

ଏତେ ବଡ଼ ସାଗରକୁ ମଣିଷ ମାନେ ବା କାହୁଁ
ଲଙ୍ଗିପାରିବେ
ତେଣୁ ଦେବୀ ନିଜେ ସେମାନଙ୍କ ପାଇଁ ଇନ୍ଦ୍ରରନୁରେ ଗୋଟିଏ ପୋଲ ଗଢିଦେଲେ  ।

ସମସ୍ତେ ନୂଆ ଭୂଖଣ୍ଡ କୁ ଯିବା ପାଇଁ ଉତ୍କଣ୍ଠିତ ଥିଲେ ।
ତାଙ୍କ ପିଲାଏ ନାଚିକୁଦି
ଆନନ୍ଦ ଉପଭୋଗ କରୁଥାନ୍ତି ।
ପୋଲ ତିଆରି ହୋଇଗଲାରୁ
ସେ ଦୁଷ୍ଟ ପିଲାଏ ଆଗ ସେ ପୋଲରେ ଚଢିଗଲେ ଆଉ ନାଚି ନାଚି ଆଗକୁ ଆହୁରି
ଆଗକୁ ଚାଲିଲେ ।
ତାଙ୍କ ପଛେ ପଛେ ତାଙ୍କ ଅବିଭାବକ ମାନେ
ଚାଲିଲେ ।
ଧିରେ ଧିରେ ପିଲାଏ ଆହୁରି ଅଧିକ ଦୁଷ୍ଟ ହେଲେ
ଏତେ ଦୁଷ୍ଟ ହେଲେ ଯେ ପରସ୍ପରକୁ ଠେଲାପେଲା ର ବିପଦଜନକ ଖେଳ ଖେଳିବାକୁ ଲାଗିଲେ ।
ସେ ଯୁଗରେ ମାତାପିତା ପିଲାଙ୍କୁ ଆକଟ କରୁନଥିଲେ ଏଣୁ ପିଲାଏ
ଆହୁରି ଉଦ୍ଧତ ହେଲେ ।
ପିଲାମାନେ ବେଶୀ ଦୁଷ୍ଟାମୀ କଲାରୁ
ପରସ୍ପର ରେ ଠେଲାପେଲା ହୋଇ ସମୁଦ୍ରରେ
ପଡିବାକୁ ଲାଗିଲେ ....

ହେଲେ
ସେମାନଙ୍କୁ ବଞ୍ଚେଇବାକୁ
କେହି ବି ବଡ଼ ଲୋକ ଆଗକୁ ଆସିଲେନି
କାରଣ ସେମାନେ ଡରି ଯାଇଥିଲେ କି କାଳେ
ଏମିତି କଲେ ଦେବୀ ତାଙ୍କ ଉପରେ ରୁଷ୍ଟ ହୋଇଯିବେ ।

କିନ୍ତୁ
ଦେବୀ ହୁତାସ୍  ପିଲାମାନଙ୍କୁ ବଞ୍ଚାଇ ଦେଲେ ।
ପିଲାଙ୍କ ଏଇଭଳି ଖେଳକୁଦ ତାଙ୍କ ମନକୁ
ପାଇଗଲା ।
ତେଣୁ
ଯେଉଁ ସମୟରେ ପିଲାଏ
ପାଣିରେ ପଡି଼ଲେ
ଦେବୀ ହୁତାସ୍ ସେମାନଙ୍କୁ
ଡଲଫିନ୍ କରିଦେଲେ କାରଣ ଦେବୀ ଚାହୁଁଥିଲେ ପିଲାମାନେ ଏଇମିତି ଖେଳୁଥାନ୍ତୁ
ନିର୍ବିକାର ଚିତ୍ତରେ .....

ଆମ ଢେଙ୍କାନାଳର କଥା~1

ଢେଙ୍କାନାଳର ଅଧିକାଂଶ ଅଞ୍ଚଳ ଆଗେ ଶବରରାଜ୍ୟର ଅନ୍ତର୍ଗତ ଥିଲା ଏବଂ ଏଠାରେ ଜଣେ ଢେଙ୍କା ଶବର ଶାସନ କରୁଥିଲେ ବୋଲି ତାଙ୍କ ନାମରେ ଏ ଅଞ୍ଚଳର ନାମକରଣ ଢେଙ୍କାନାଳ ହୋଇଛି । ଏକ ସମୟରେ ଢେଙ୍କାନାଳକୁ ଭୀମନଗରୀ ଦଣ୍ଡପାଟ ମଧ୍ୟ କୁହାଯାଉଥିଲା ।
ଆଗେ ଏହାକୁ 24 ପ୍ରଗଣା ରେ ବିଭକ୍ତ କରାଯାଇଥିଲା ।
ସେ ସମୟରେ ତହିଁର ମୁଖ୍ୟ ମୁଖ୍ୟ ଗ୍ରାମ ଗୁଡିକର
ନାମ ଦିଆଗଲା ।

1.●ନିଜଗଡ଼●

★→ନିଜଗଡ(ରାଜଭବନ ଥିଲା)
★→ମୁକ୍ତାଦେଈପୁରଶାସନ(ସୋମନାଥେଶ୍ବର)
★→ବଳଭଦ୍ରପୁର
★→ମଙ୍ଗଳପୁର(ଢେଙ୍କୀମଙ୍ଗଳପୁର)
ଏଠାରେ ଲୁହା ଢେଙ୍କୀରେ ଅପରାଧୀଙ୍କ ମୁଣ୍ଡ ଛେଚା ହେଉଥିଲା ।
★→କଙ୍କଡାହାଡ଼
★→ଲକ୍ଷ୍ମୀପୁରା
★→ବେଶାଳିଆ(ଭଞ୍ଜ ରାଜାଙ୍କ ଦୁର୍ଗ ଥିଲା)
★→ରଞ୍ଜା
★→କଙ୍କଡା଼ପାଳ

2.●ପୂର୍ବଖଣ୍ଡିଆଡେଣୀ●

★→ଗୋବିନ୍ଦପୁର(ତଳାଁଗଡ଼ ଦୂର୍ଗ ଥିଲା)
★→ଆଚ୍ଛନ୍ଦ
★→କୁରୁମଟାଙ୍ଗର
★→ଲୋଚାପଲ୍ଲି

3.●ଲକ୍ଷ୍ମୀପ୍ରସାଦ●

★→ବଳଦିଆବନ୍ଧ
★→ନଡି଼ଆଳି (ଲଡୁକେଶ୍ଵର ମହାଦେବ)
★→ତାଳବରକୋଟ( ତାଳବରଗଡ଼ ଦୂର୍ଗ ଥିଲା)
★→ଦେପଡା଼ (ଶ୍ରୀକୁମ୍ଭଶ୍ଵର ମହାଦେବ)
★→ମାଣିପୁର
★→ରେଗଡା଼
★→ପଦ୍ମନାଭପୁର
★→ପାତ୍ରାଭାଗ
★→ବଡ଼ଗିଲା
★→ଶିଆରିଆ

4.●ଛଦେଶ●

★→ଭାଉପୁର(ଶ୍ରୀରଘୁନାଥ ଜୀଉ)
★→ଅଉଖମା (କଂସାବାସନ ପାଇଁ ପ୍ରଶିଦ୍ଧ)
★→ଚଷାପଡା଼ (ଶ୍ରୀ ପଶ୍ଚିମେଶ୍ଵର ଙ୍କ ପୀଠ)
★→ଶଙ୍କରପୁର
★→ପର୍ବତିଆ
★→ପାମାଳ
★→ଚନ୍ଦ୍ରଶେଖରପୁର
★→ବାଲିଆମ୍ବା ମୋଟରି (ଯୁଦ୍ଧ ଭୂମି)
★→ସରକପାଟଣା (ପ୍ରାଚୀନ ବାଣିଜ୍ୟ କେନ୍ଦ୍ର)
★→ଗୋବିନ୍ଦପ୍ରସାଦ( ଏକ ପାୟକାନ ଦୂର୍ଗ ଥିଲା)
★→ଘିଟିପିରି(ଘଟିପିରୀ)(ଆଗେ ଏହାମୁସ୍ଲିମ ବସ୍ତୀ ଥିଲା ବୋଲି ଏପରି ନାମକରଣ)
★→ବୃନ୍ଦାବନପୁର ଶାସନ
★→ବିଷ୍ଣୁପୁର ଶାସନ
★→କାକୁଡ଼ିଭାଗ
★→ଅଶ୍ଵତ୍ଥିପାଳ

5.●ବଳରାମପୁର●
★→ବଳରାମପୁର ( ଏକ ପାୟକାନ ଦୂର୍ଗ ଥିଲା)
★→ଇନ୍ଦୁପୁର (କଂସାବାସନ ଓ ଟସରଲୁଗା)
★→ସାରିଆପଦା (ବନ୍ଧୁକ କାରଖାନା ଥିଲା)
★→ସିମିନଈ(ସିମ୍ଵଲଈ)(ଲୁଗା ଓ ଲୌହାସ୍ତ୍ର ପାଇଁ ପ୍ରଶିଦ୍ଧ ଥିଲା)
★→ନୀଳାମ୍ବରପୁର
★→କାଣ୍ଡବିନ୍ଧା
★→କାଶୀଆଡିହ
★→ଖୁଣ୍ଟଝରୀ
★→ଡେଙ୍ଗବୋରେଇ
★→ଚାଇଁପୁର
★→ଗଧାଶୀଳା

6.●କୁଳକାଶୀଆ●
★→ସଦାଶିବପୁର
★→ଭୋଜଦେଇପୁର
★→ବଉଳପୁର(ପ୍ରଧାନ ଓ ପ୍ରାଚୀନ ବାଣିଜ୍ୟ ସ୍ଥଳୀ)
★→ଗେଙ୍ଗୁଟିଆ
★→ବାରଦା (ଢେଙ୍କାନାଳ ରଜାଙ୍କ ଖମାର ଥିଲା)
★→ବେଲପଡା଼
★→ମହାଦିଆ
★→ଗୁଣଦେଈ
★→ରସାସିଂହ
★→ପସାସିଂହ
★→କାଉଁରିଆପାଳ

7.●ପାରିମାଳ●
★→ରାୟନୃସିଂହପୁର
★→କମଗରା*(ହଦଗଡ଼ ଦୂର୍ଗ ଥିଲା)
★→ସୁଗର(ସୋଗର)
★→କନ୍ତିଓ(କନ୍ତିୟୋ) (ପ୍ରଶିଦ୍ଧ କନ୍ତିଓ ମଠ
ଓ ଶ୍ରୀ ବୃନ୍ଦାବନଚନ୍ଦ୍ରଙ୍କର ମନ୍ଦିର)
ଏ ଗ୍ରାମ ନିକଟରେ ମହିମା ଧର୍ମର ପଞ୍ଚମ ପୀଠ
ଜକା ଅଛି । କୁହାଯାଏ ଏଠାରେ ମହିମା ଧର୍ମର
ଆଦ୍ୟ ପ୍ରଚାରକ ସମାଧିସ୍ଥ ହୋଇଥିଲେ ।
ଏ ଗ୍ରାମରେ ଢେଙ୍କାନାଳ ରଜାଙ୍କ ଗୁରୁ ଆଶ୍ରମ ଥିବାରୁ ଏହା ସେବେ ଶିକ୍ଷିତ ଲୋକଙ୍କ ମଧ୍ୟରେ ଗୁରୁଗ୍ରାମ ନାମରେ ଲୋକପ୍ରିୟ ଥିଲା ।

★→କାଟେଣୀ
★→କୁସୁମଯୋଡୀ଼
★→ଅଁଳାବେରେଣୀ
★→ତୁମୁସିଙ୍ଗା(ତୁମୁସିଂହା)
★→ଶିରୀମୂଳା(ଶ୍ରୀମୂଳା)
★→କଣ୍ଟାପାଳ

8.●ଉପରଦେଶ●

★→କୁଞ୍ଜବିହାରୀପୁର
ପ୍ରାଚୀନ *ଭୀମନଗରୀ* ଦୂର୍ଗର ଭଗ୍ନାବଶେଷ ଅଛି । ରାମଚଣ୍ଡି ଦେବୀ,ରଣେଶ୍ୱର ମହାଦେବଙ୍କ ପୀଠ ଅଛି ।
★→ବ୍ରଜବିହାରୀପୁର
★→ନୟାଭାଗୀରଥପୁର (ପ୍ରା.ନା.-ଧଳପୁର)
★→ବଳରାମପ୍ରସାଦ(ପ୍ରାଚୀନ ପାୟକାନ ଦୂର୍ଗ ଥିଲା)
★→ବାଙ୍ଗରସିଂହ(ହିନ୍ଦୋଳ ରେଳ ଷ୍ଟେସନ)
★→ନାଧରା (ଶ୍ରୀରାମଚଣ୍ଡି ଠାକୁରାଣୀ ଓ କନକେଶ୍ଵର ମହାଦେଙ୍କ ପୀଠ )
★→ପନେଇଲୋ ( ଏକ ସରକାରୀ ବିଶ୍ରାମାଗାର ଥିଲା)
★→ଏକଘରିଆ (୰ଦୀନକୃଷ୍ଣ ଦାସଙ୍କ ବାସସ୍ଥାନ)
★→ଓଡ଼ପଡା଼ (ଆଧୁନିକ ସହର)
★→ପୋଡା଼ପଡା଼
★→ନିମିଧା
★→ବଦାଳୋ
★→ମେଢାମୁଣ୍ଡୋଳୀ (ରେଳ ଷ୍ଟେସନ)
★→ବିଡୋ଼
★→ରୋଡୋ଼
★→କୁମୁସୀ
★→ସା(ଆ)ନ୍ଦା(ପ୍ରଶିଦ୍ଧ ତାମ୍ର ବ୍ରାହ୍ମଣ ଶାସନ)
★→ଚାନ୍ଦପୁର
★→ବତାସିଂହ
★→ପାଣିଗେଙ୍ଗୁଟିଆ
★→ବୁଢା଼ପଙ୍କ
★→ହଳଦିଆବାହାଳ
★→ଚିନ୍ତାପୋଖରୀ

9.●ଗୋତ୍ରମରା●
★→ଖଡ୍ଗପ୍ରସାଦ(ପ୍ରାଚୀନ ଦୂର୍ଗ ଥିଲା ଏବଂ ଏହା ସାଧବ ମାନଙ୍କର ଏକ ପ୍ରଧାନ ବାଣିଜ୍ୟ କେନ୍ଦ୍ର ତଥା *ପାଟଣାବନ୍ଦର* ଥିଲା !
★→ମୋଟଙ୍ଗା (ପୋଲିସ ଷ୍ଟେସନ)
★→କୁରୁଣ୍ଟି
★→କୁଶପଙ୍ଗା
★→ନଗାରୀ
★→ଶିବପୁର
★→ସୁରଭୀ
★→କୋଚିଲାମଡା଼
★→କଙ୍ଗେଇଲପାଳ

10.●ପରଜଙ୍ଗ●

★→ଗଡ଼ ପରଜଙ୍ଗ (ଏଠାରେ ଏକ ପାୟକାନ ଗଡ଼ ଥିଲା । ଇଂରେଜ ଅମଳରୁ ପୋଲିସ ଆଉଟପୋଷ୍ଟ ଥିଲା)
★→କମାଳଙ୍ଗ(ଏହା ଏକ ପାୟକାନ ଗଡ଼, କମଳେଶ୍ଵର ମହାଦେବ ଙ୍କର ପୀଠ ଅଛି)
★→ଡାମୋଳ(ଏହା ଏକ ପାୟକାନ ଗଡ଼,ଡା଼ମଳ ଜାତୀୟ ଗଉଡ଼ ମାନଙ୍କ ନାମରେ ଏହାର ନାମ ହୋଇଛି ଡାମୋଳ)
★→କୁଆଳୋ(ଏ ଗ୍ରାମ ପୂର୍ବ କାଳରେ ପ୍ରଶିଦ୍ଧ ପଶ୍ଚିମ କେଦାଳ ନାମକ ସମୃଦ୍ଧିଶାଳୀ ନଗର ଥିଲା । ଏଠାରେ ଚାଲୁକ୍ୟ ବଂଶୀୟ ସ୍ତମ୍ଭୋପାଧିକ
ରାଜା ମାନଙ୍କର ରାଜଧାନୀ ଥିଲା ।)
★→ସାରଙ୍ଗ(ଏକ ପାୟକାନ ଗଡ଼ ଏଠାରେ ପ୍ରାଚୀନ ଦୂର୍ଗର ଭଗ୍ନାବଶେଷ ଅଛି)

★→ଜଟୀଆ (ଏଠାରେ ବ୍ରାହ୍ମଣୀ ନଦୀଗର୍ଭରେ ଏକ ଭୟଙ୍କର ଘାଟୀ ଥିବା ଶୁଣାଯାଏ)
★→ମୁଣ୍ଡେଇଲବଭଦ୍ରପୁର
★→ଖାଲପାଳ(ଏହା ପାୟକାନ ଗଡ଼ ,ତାଳଚେର ଗଡ଼ ର ଉତ୍ତର ପାର୍ଶ୍ଵରେ ଅବସ୍ଥିତ ଥିବାରୁ ରାଜ୍ୟ ରକ୍ଷାର୍ଥେ ଏଠାରେ ତାଳଚେର ରାଜା ଏକ ଦୂର୍ଗ ଗଢିଥିଲେ)
★→କୁଲେଈ (ଏକ ପାୟକାନ ଗଡ଼,ଏଠାରେ ତାଳେଶ୍ଵର ମହାଦେବଙ୍କ ମନ୍ଦିର ଅଛି)
★→ବଶୁଲେଈ(ଏହା ଏକ ପାୟକାନ ଗଡ଼ ଏଠାରେ ଏକ ପ୍ରାଚୀନ ଦୂର୍ଗ ର ଭଗ୍ନାବଶେଷ ଅଛି)
★→ମାଣିକ୍ୟମରା(ଏକ ପୟକାନ ଗଡ଼ ଏଠାରେ ଏକ ଦୂର୍ଗ ଥିଲା)
★→ଜକା(କାମାକ୍ଷାନଗରର କନ୍ତିଓ ଜକା ଏକ ପ୍ରଶିଦ୍ଧ ମହିମା ପୀଠ କିନ୍ତୁ ଏ ଜକା ଗାଆଁ ପରଜଙ୍ଗ ସବ୍ ଡିଭିଜନରେ ଅବସ୍ଥିତ )
★→ଶରକେଶରୀପାଳ
★→ଦୋମୁହାଣୀ
★→ରଙ୍ଗସ୍ଥଳୀ (ଲୌହ କାମ ପାଇଁ ଏ ଅଞ୍ଚଳ ଲୋକପ୍ରିୟ ଥିଲା । କୁହାଯାଏ ଏଠାରୁ ଲୁହାକଡି଼ ମାନ କୋଣାର୍କ ମନ୍ଦିର ନିର୍ମାଣ ପାଇଁ ଯାଇଥିଲା)
★→କଲଦା
★→ସିଂହଡା(ଡାଳିମ୍ବା ପ୍ରସ୍ତର ଓ ଚନ୍ଦନ ପେଡି଼ ଯୋଗୁଁ ପ୍ରଶିଦ୍ଧ)
★→ବାଲିସାହି
★→ଆମ୍ବପଳାଶ
★→କନ୍ତୋର
★→ଚାନ୍ଦପୁର
★→କଙ୍କଣାସୋହୋଡା଼
★→ବାରିହାପୁର
★→ଡିହଡୋଳ
★→କନ୍ଦରସିଙ୍ଗା(ପ୍ରା:ନା:-କନ୍ଦରସିଂହା)
★→ପାଳସାହୀ
★→କମର
★→ଲୋଧଣୀ
★→ପାଟରପଦା
★→କୁନ୍ଦନଦେଇପୁର
★→କଟାବାହାଳ (ଚକ୍ ଖଡି ତିଆରି ପାଇଁ ଲୋଡା଼ ହେଉଥିବା କଞ୍ଚାମାଲ୍ ର ଖଣି ପାଇଁ ପ୍ରଶିଦ୍ଧ)
★→ବସନ୍ତପଡା଼
★→ବଶୋଈ(ଏକ ବଡ଼ କୃଷକ ଗାଆଁ ଏକଦା ଉତ୍କୃଷ୍ଟ ଗୁଡ଼ ପାଇଁ ଲୋକପ୍ରିୟ ଥିଲା)
★→ବଡ଼ଝରା
★→କଙ୍କିଳୀ
★→କାମରଦା
★→କଟରାପଡା଼
★→ବେଲବସନ୍ତ
★→ଜହ୍ନିପଡା଼
★→ମଙ୍ଗଳପୁର (ଏକ ପାୟକାନ ଗଡ଼)

(କ୍ରମଶଃ......)

Sunday, November 12, 2017

ଭୁଜ ଓ ଭୁଜା

ଉଇକିପିଡ଼ିଆ ରେ ଦେଖିଲି ମୁଢି଼ ଶବ୍ଦ ପାଇଁ ସଂସ୍କୃତ ଶବ୍ଦ ଯୋଡା଼ ଯାଇଛି भ्रष्टतण्डुलः ....
ଭ୍ରଷ୍ଟର ଅର୍ଥ ଖୋଜୁ ଖୋଜୁ
କେତୋଟି ଅର୍ଥ ମିଳିଲା
1.ଅଧଃପତିତ;ଚ୍ୟୁତ
2.ସ୍ଥାନଚ୍ୟୁତ
3.ଭଣ୍ଡୋର;ନଷ୍ଟ
4.ଅଧାର୍ମିକ;ଅସତ୍*
5.ଦୂଷିତ, ଦୋଷଯୁକ୍ତ *
6.ଦୂରାଚାର
7.ଲଂଘିତ
ବୋଧହୁଏ ଚତୁର୍ଥ ଓ ପଞ୍ଚମ ଅର୍ଥରେ
ମୁଢି଼ କୂ ଭ୍ରଷ୍ଟତଣ୍ଡୁଳ କୁହାଯାଇଥିବ
କିନ୍ତୁ ଭ୍ରଷ୍ଟ ପରି ଆଉ ଏକ ଶବ୍ଦ ମଧ୍ୟ ଅଛି
ଭୃଷ୍ଟ ଏହାର ଅର୍ଥ ଭର୍ଜିତ/ଭଜା ହୋଇଥିବା ।
ଚାଉଳକୁ  ଭଜାଯାଇ ମୁଢି଼ ହୋଇଥାଏ ।

ଆମଭାଷାରେ ମୁଢି଼ କୁ ଭୁଜା ମଧ୍ୟ କୁହାଯାଏ ।
ଢେଙ୍କାନାଳ ଅଞ୍ଚଳରେ ଏଇ ଭୁଜା ଶବ୍ଦଟି
ମୁଢି଼ ଆପେକ୍ଷା ବେଶି ଚଳେ ।

ଭୁଜା ଶବ୍ଦକୁ ଦେଖିଲେ କେହି କେହି
ପଣ୍ଡିତ ଭାବନ୍ତି ଏହି ଶବ୍ଦଟି ବୋଧହୁଏ
ଜୁଜ୍ ଧାତୁ ରୁ ଆସିଥିବ
ତେବେ ଏମିତି ବି ହୋଇପାରେ ଯେ
ଭୁଜ ବା ଧାନ କୁ ଭାଜି puffed rice
ହେଉଥିବାରୁ ସ୍ଥାନୀୟ ଲୋକେ ଏହାକୁ
ଭୁଜା କହିଥିବେ !
ଭୁଜା ଶବ୍ଦଟି ପ୍ରାଚୀନ କାଳରେ
ଏତେ ଲୋକପ୍ରିୟ ହୋଇଥିଲା ଯେ ଆଜି ବି ସିଂହଭୂମି ଓ ଝାଡ଼ଖଣ୍ଡ ରେ ଚଳୁଅଛି ବସ୍ତର ଆଦି ଅଞ୍ଚଳରେ ମଧ୍ୟ ଭୁଜା ଶବ୍ଦ ଚଳୁଅଛି ।

ମୁଢି଼ ବା ଭୁଜା ଖାଇଲେ ଭୋକ ମରିଯାଏ
ପୁଣି କେତେ ସମୟ ପରେ ଭୋକ ଲାଗେ
ବୋଲି ଓଡ଼ିଆ ଭାଷାରେ ଢଗଟିଏ ଅଛି

“ଭୁଜା ବୋଲ , ପିଠା ବୋଲ, ଭାତ ତଳ,
ଭାଇ ବୋଲ, ଭାଇ ଵୋଲ, ବାପ ବୋଲ, କାଚ ତଳ ।।”

ଏ କଥା ଆଜି ଅଧିକାଂଶ ଐତିହାସିକ ମାନନ୍ତି ଯେ ଧାନକୁ ବିଭିନ୍ନ ପ୍ରକ୍ରିୟା ଦ୍ବାରା ଭାତ କରି ଖାଉଥିବା ଯୋଗୁଁ ପୂର୍ବ ଭାରତୀୟ ମାନଙ୍କୁ
ଉଡ୍ର କୁହାଗଲା ଓ ପରବର୍ତ୍ତୀ କାଳରେ ତାହା ଓଡ଼ିଆ ହୋଇଛି ।
ଏ ପୂର୍ବ ଭାରତ ଧାନର ଆଦି ଚାଷଭୂମି ।
ଏଇଠୁ ଧାନର ଜନ୍ମ ହେଉ କି ନ ହେଉ
ବୋଧହୁଏ ଏହି ଅଞ୍ଚଳରେ ହିଁ ପ୍ରଥମେ ଧାନ ଚାଷ ହୋଇଥିଲା ଆଉ ତାହା ଖିଆଯାଉଥିଲା ।

ସେଇ କଥାକୁ ଜଣେଇଦେବାକୁ
ଓଡ଼ିଆ ଭାଷାର ଗୋଟିଏ ଶବ୍ଦ ଅଛି
ଭୁଜ.......
ଆଜି ବି ଆମ ରାଜ୍ୟର ମଫସଲ ଅଞ୍ଚଳରେ
ଧାନକୁ ଭୁଜ କୁହାଯାଏ ।
ଭାରତର ଅନ୍ୟ ଅଞ୍ଚଳରେ ଧାନକୁ ଭୁଜ କୁହାଯିବା ବିରଳ
କିନ୍ତୁ ଓଡି଼ଶାର ଗ୍ରାମାଞ୍ଚଳରେ ଆଜି ବି ପ୍ରଚଳିତ ଅଛି ।
ବହୁତ ସମ୍ଭବ ଆମ ପୂର୍ବଜମାନେ ପ୍ରଥମେ
ଧାନଗଛ ଲଗାଇ ଚାଷ କରିବା ଆରମ୍ଭ କରିଥିବେ ଆଉ ସେ ସମୟର ଭାରତ ତାଙ୍କର ଅନୁକରଣରେ ଧାନଚାଷ କରିବା ଶିଖିଥିବ ।

ଭୁଜକୁ ଖିଆଯାଉଥିଲା ବୋଲି
ଏହି ଶବ୍ଦକୁ ମୂଳ ଧାତୁଶବ୍ଦ ହେଲା ~ଭୁଜ୍ ଧାତୁ
ଓ ସଂସ୍କୃତରେ ଅନେକ ଶବ୍ଦ ସୃଷ୍ଟି କରାଗଲା ....
ଭୁଜ୍ ଧାତୁ ର ଦୁଇଟି ଅର୍ଥ
ଖାଇବା, ଭୋଗ କରିବା
ଏ ଧାତୁ ଶବ୍ଦରୁ
ଗୋଟିଏ ପଟେ ଭୋଜନ ଶବ୍ଦ
ହେଲା
ଅନ୍ୟ ପଟେ ଭୋଗ ଭଳି ଶବ୍ଦ ସୃଷ୍ଟି ହେଲା ।

Saturday, November 11, 2017

●●●●●ଦେଵାନ ହରିବଂଶ ରାୟଙ୍କ ଚତୁରତା●●●●●


ଓଡ଼ିଶାର ପଶ୍ଚିମ ଭାଗର ଅଧିକାଂଶ ଅଞ୍ଚଳ ସେତେବେଳେ ମରାଠୀଶାସକଙ୍କ 
ହସ୍ତରେ ପରାଧୀନ ଥାଏ ।
ସେ ସମସ୍ତ ଅଞ୍ଚଳର ଏକାଧିକବାର 
ତତ୍କାଳୀନ ନାଗପୁର ବର୍ଗୀରାଜା
ରଘୁଜୀ ଭୋଁସଲେଙ୍କ ଅଧୀନରେ ଥିଲା ।
ଶୁଣାଅଛି ଯେ ଯେଉଁ ପ୍ରାର୍ଥୀ ଭୋଁସଲେଙ୍କୁ 
ବେଶି ଟଙ୍କା ଭେଟି ଦେଉଥିଲା  ସେ ତାକୁ ଦେଵାନ ପଦରେ ମୁକ଼ରର କରୁଥିଲେ ! 
ନୂଆ ବ୍ୟକ୍ତି ଦେଵାନୀ ପଦ ପାଇ 
ଓଡ଼ିଶାରେ ଆସି ପହଞ୍ଚିବାର 
ମାସେ ଦୁଇ ମାସ ପରେ ଆଉଜଣେ ପ୍ରାର୍ଥୀ 
ଭେଟି ନେଇ ପହୁଞ୍ଚିଲେ ନୂତନ ଲୋକକୁ 
ଦେଵାନୀ ସନନ୍ଦ ମିଳୁଥିଲା ।
ହରିବଂଶ ରାୟ ନାମକ ଜନୈକ ବ୍ୟକ୍ତି ନାଗପୁର ଗଲେ । ସେ ରଘୁଜୀ ଭୋଁସଲେଙ୍କୁ ଯାଇ ଭେଟିଲେ ଏବଂ ତାଙ୍କୁ ଭେଟି ଦେଇ ଓଡ଼ିଶାର 
ଦେଵାନୀ ପଦ ଲାଭ କଲେ ।
ହରିବଂଶ ରାୟ ଦେଵାନ ହୋଇ ନାଗପୁରରୁ 
ଫେରୁଥିଲା ବେଳେ ରଘୁଜୀ ଭୋଁସଲେ ତାଙ୍କୁ 
ଗୋଟିଏ ଭଲ ଘୋଡା଼ ଉପହାର ସ୍ଵରୂପ ପ୍ରଦାନ କଲେ ।
ହରିବଂଶ ରାୟ କ’ଣ କଲେ ନା 
ସେ ଘୋଡା଼ରେ ଲାଙ୍ଗୁଡ଼ ଆଡ଼କୁ ମୁହଁ କରି ଚଢି଼ଲେ ।
ରାଜାକର୍ମଚାରୀ ମାନେ ଏଭଳି ଅଭାବନୀୟ ଘଟଣା ଘଟିବା ଦେଖି 
ସେ ସମସ୍ତ ବୃତ୍ତାନ୍ତ ରଘୁଜୀ ଭୋଁସଲେଙ୍କୁ 
ଯାଇ ତତ୍କ୍ଷଣ ଜଣାଇଲେ ।
ରଘୁଜୀ ଭୋଁସଲେ ଆସି 
ଏମନ୍ତ ବେଭାରର କାରଣ ଜିଜ୍ଞାସା କରନ୍ତେ 
ହରିବଂଶ ରାୟ କହିଲେ 
“ଘୋଡା଼ର ପଛ ଆଡ଼କୁ ମୁହଁ କରି ବସିବାର 
ତାତ୍ପର୍ଯ୍ୟ ଏହି ଯେ, ମୋ ପଛେ ପଛେ 
ଆପଣ ଯେଉଁ ବ୍ୟକ୍ତିଙ୍କୁ ଦେଵାନ କରି ପଠେଇବେ ମୁଁ ତାକୁ ଦେଖି ପାରିବି”
କୁହାଯାଏ, ରଘୁଜୀ ଭୋଁସଲେ ଏଥିରେ ମୁଗ୍ଧ ହୋଇ ଦେଵାନ ହରିବଂଶ ରାୟଙ୍କୁ କେତେକ ବର୍ଷ ନିମନ୍ତେ ଓଡ଼ିଶାର ସ୍ଥାୟୀ ସନନ୍ଦ ଦେଇଥିଲେ ।

Friday, November 10, 2017

●●●ଇଏସ୍ ସାର୍ ●●●

ଜଣେ ଭଲ ଲେଖକ ଥିଲେ ।
ସେ ରାଜଧାନୀ ଗଲେ । ଏକ ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ଭେଟ ହୋଇଗଲା । ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ପୂର୍ବରୁ
ଭଲ ପରିଚୟ ଥିଲା । ମୁଖ୍ୟମନ୍ତ୍ରୀ ତାଙ୍କୁ
କହିଲେ
“ ଆଉ ସବୁ ଭଲ ତ ! କିଛି ଅସୁବିଧା ଥିଲେ କୁହନ୍ତୁ ସମାଧାନ କରିଦେବି ଯେ”

ଲେଖକ କହିଦେଲେ
“ମୋ କଷ୍ଟ ବହୁତ ମାମୁଲି ! ନବଗୃହ ନିର୍ମାଣ ର କଷ୍ଟ ! ଭଲ ଘରଟିଏ ମିଳିଯାନ୍ତା ଯଦି ଭଲରେ କିଛି ଲେଖାଲୁଖି ହୋଇପାରନ୍ତା ।

ମୁଖ୍ୟମନ୍ତ୍ରୀ କହିଲେ
ମୁଁ ଚିଫ୍ ସେକ୍ରେଟାରୀ ଙ୍କୁ ଜଣେଇ ଦେଉଛି
ଆପଣଙ୍କ ଘର ଏଲାଟ୍ ହୋଇଯିବ ।

ମୁଖ୍ୟମନ୍ତ୍ରୀ ଚିଫ୍ ସେକ୍ରେଟାରୀଙ୍କ କହିଦେଲେ
ଅମୁକ ଲେଖକଙ୍କ ଘର ଏଲାଟ୍ କରିଦିଅ ।
ଚିଫ୍ ସେକ୍ରେଟାରୀ କହିଲେ
“ଇଏସ୍ ସାର୍”....!

ଚିଫ୍ ସେକ୍ରେଟାରୀ ତାପରେ କମିଶନରଙ୍କୁ
କହିଦେଲେ ।
କମିଶନର କହିଲେ “ଇଏସ୍ ସାର୍” !

କମିଶନର ଜଣକ କଲେକ୍ଟର ଙ୍କୁ କହିଲେ

ଅମୁକେଇ ଲେଖକ ମୁଖ୍ୟ ମନ୍ତ୍ରୀ ଙ୍କର ଖାସ୍ ଲୋକ ତା’ ଘର ଏଲାଟ୍ କରିଦିଅ ।

କଲେକ୍ଟର କହିଲା “ଇଏସ୍ ସାର୍” !

କଲେକ୍ଟର ଆଉ ଜଣେ ରେଣ୍ଟ କଣ୍ଟ୍ରାକ୍ଟର କୁ କହିଦେଲା
ସେ କହିଲା “ଇଏସ୍ ସାର୍” !

ରେଣ୍ଟ କଣ୍ଟ୍ରାକ୍ଟର ଜନୈକ ରେଣ୍ଟ ଇସ୍ପେକ୍ଟରକୁ
କହିଲା ସେ ବି କହିଦେଲା “ଇଏସ୍ ସାର୍” !

ସବୁ ଆଦେଶର ପାଳନ ଏଇଭଳି ହେଲା ।
ପ୍ରଶାସନ ଗୋଟାପଣେ ଘର ଦେବା କାମରେ ଲାଗିଗଲା ....

ଦେଢ ଦୁଇବର୍ଷ ପରେ ପୁଣି ମୁଖ୍ୟମନ୍ତ୍ରୀଙ୍କ ସହ ଲେଖକଙ୍କର ଭେଟ ହେଲା ।
ମୁଖ୍ୟମନ୍ତ୍ରୀଙ୍କର ମନେପଡିଲା
ୟାଙ୍କର କିଛି କାମ ହେବାର ଥିଲା ....
“ ହଁ ହଁ !!! ଘର ଏଲାଟ୍ ହେବାର ଥିଲା”

ସେ ପଚାରିଲେ
“କୁହନ୍ତୁ, ଏବେ ତ ଘର ଏଲାଟ୍ ହୋଇଯାଇଥିବ ଆପଣଙ୍କର ?”

ଲେଖକ କହିଲେ- ମିଳିନାହିଁ !!!!!

ମୁଖ୍ୟମନ୍ତ୍ରୀ ସାମାନ୍ୟ ଆଶ୍ଚର୍ଯ୍ୟ ହୋଇ କହିଲେ -

“ଇଏ କି କଥା ! ମୁଁ ତ ତା ପର ଦିନ କହିଦେଇଥିଲି” !

ଲେଖକ ଜଣକ କହିଲେ-
“ହଁ ଆଜ୍ଞା !
ଖାଲି ଉପରୁ ତଳୁ “ଇଏସ୍ ସାର୍” ହୋଇଗଲା !”

(ହିନ୍ଦୀ ର ସୁପ୍ରଶିଦ୍ଧ ସାହିତ୍ୟିକ ଶ୍ରୀ ହରିଶଙ୍କର ପରସାଇଙ୍କର ଏକ ବ୍ୟଙ୍ଗ ଲଘୁକଥା यस सर् ର ଓଡ଼ିଆ ଅନୁବାଦ)

●ଆୟୁର୍ବେଦ ରେ ଉଲ୍ଲେଖଥିବା ‛ଅ’ ଆଦ୍ୟ ଯୁକ୍ତ ପାଦପ●

ଅହିପର୍ଯ୍ୟପୀ(अहिपर्ण्यपि)- Uraria picta
ଅସୁରୀ(असुरी) - Brassica juncea
ଅସ୍ଫୋଟ(अस्फॊटः) - Calotropis
ଅସନ(असनः) - Pterocarpus
ଅସୃଗ(असृग् )- Anisomeles
ଅଷ୍କର(अष्करः) - Semecarpus
ଅଶୋକ(अशॊका)- Picrorhiza kurroa
ଅଶ୍ଵମାରକ(अश्वमारकः) - Nerium
ଅଶ୍ଵତ୍ଥ(अश्वत्थः) - Ficus religiosa
ଅଶ୍ଵଗନ୍ଧା(अश्वगन्धा) - Withania
ଅଶ୍ଵକର୍ଣ୍ଣକ(अश्वकर्णकः) - Shorea
ଅଶ୍ମନ୍ତକ(अश्मन्तकः)- Bauhinia
ଅଶୁମତିଫଳ(अशुमतीफला)-Musa paradisiaca
ଅଶୁମତୀ(अशुमती) -Desmodium gangeticum
ଅଶ୍ମଘ୍ନ(अश्मघ्नः)- Aerva lanata
ଅଵିପ୍ରିୟ(अविप्रियः)- Echinochloa crus-galli
ଅଵଲ୍ଗୁଜ(अवल्गुजः)- Psoralea corylifolia
ଅବ୍ୟତ୍ଥ(अव्यथा) - Hibiscus mutabilis
ଅଲିବଲ୍ଲଭା(अलिवल्लभा)-Stereospermum suaveolens
ଅଳମ୍ବୁଷା(अलंबुषा)- Biophytum sensitivum
ଅଳ୍ପମାରିଷ(अल्पमारिष:) - Amaranthus
spinosus
ଅରିଷ୍ଟ(अरिष्टः) - Allium sativum
ଅରିମର୍ଦ୍ଦ(अरिमर्दः) - Cassia occidentalis
ଅରୁଷ୍କ(अरुष्कः )- Semecarpus anacardium
ଅରଳୁ(अरलुः) - Oroxylum indicum
ଅଦ୍ରିକା(अर्द्रिका) - Zingiber
officinale
ଅର୍ଥସାଧକ(अर्थसाधकः) - Putranjiva
roxburghii
ଅରୁଣା(अरुणा) - Aconitum
heterophyllum
ଅରୁଣହଳଦୀ(अरण्यहलदी) -
Curcuma aromatica
ଅର୍ଜୁନନାମାକ୍ଷ୍ୟ(अर्जुननामाख्यः) - Terminalia
arjuna
ଅର୍କପର୍ଣ୍ଣ(अर्कपर्णः) - Calotropis
procera
ଅର୍କନାମା(अर्कनामा)- Calotropis
procera
ଅମୋଘା(अमॊघा) - Embelia ribes
ଅମିତଦ୍ରୁମ(अमितद्रुमः) - Cinnamomum
tamala
ଅମ୍ଳୀ(अम्ली) -
Tamarindus indica
ଅମ୍ଳିକା(अम्लिका)- Tamarindus
indica
ଅମ୍ଳା(अम्ला)- Tamarindus indica
(ଅମ୍ଳବେତସଃ)अम्लवॆतसः - Rheum emodi
ଅମ୍ଳବୃକ୍ଷମ୍(अम्लवृक्षकम्) - Garcinia
indica
ଅମ୍ଳଲୋଣିକା(अम्ललॊणिका) - Oxalis
corniculata
ଅମଲକୀ(अमलकी) - Emblica
officinalis
ଅମରଵଲ୍ଲରୀ(अमरवल्लरी) -
Cassytha filiformis
ଅମ୍ରଗନ୍ଧା(अम्रगन्धा) - Curcuma
amada
ଅମ୍ବୁସାରା(अम्बुसारा) - Musa
paradisiaca
ଅମ୍ବଷ୍ଠା(अम्बष्ठा) - Cissampelos
pareira
ଅମ୍ବଷ୍ଠକୀ(अम्बष्ठकी) -
Cissampelos pareira
ଅମ୍ବୁଜଃ(अम्बुजः) - Barringtonia
acutangula
ଅମୃତା(अमृता) - Terminalia
chebula
ଅମୃତଵଲ୍ଲରୀ(अमृतवल्लरी) -
Basella rubra
ଅମୃତଫଳ(अमृतफलः) - Trichosanthes
dioica
ଅମୃତଫଳ(अमृतफलं) - Emblica
officinalis
ଅମୃଣାଳମ୍(अमृणालम्)- Vetiveria
zizanioides
ଅଭୟା(अभया) - Terminalia
chebula
ଅପାମାର୍ଗ(अपामार्गः) - Achyranthes
aspera
ଅପରାଜିତା(अपराजिता) - Clitoria ternatea
ଅପେତରାକ୍ଷାସୀ(अपॆतराक्षसी)-
Ocimum sanctum
ଅନାର୍ଯ୍ୟତିକ୍ତ(अनार्यतिक्तः)- Swertia
chirata
ଅନାର୍ଯ୍ୟକମ୍(अनार्यकम्)- Aquilaria
agallocha
ଅନଳ(अनल) - Plumbago
zeylanica
ଅନନ୍ତା(अनन्ता)- Cynodon
dactylon
ଅନ୍ଧଶଲ୍ୟ(अधःशल्यः) - Achyranthes
aspera
ଅତିସୌରଭ(अतिसौरभः)- Mangifera
indica
ଅତିବିଷା(अतिविषा)- Aconitum
heterophyllum
ଅତିଲମ୍ବୀ(अतिलम्बी)-
Anethum sowa
ଅତିରୁହା(अतिरुहा)- Soymida
febrifuga
ଅତିବୃହତ୍ଫଳ(अतिबृहत्फलः)- Artocarpus
integrifolius
ଅତିବଳା(अतिबला) - Abutilon
indicum
ଅତିଚରା(अतिचरा) - Hibiscus
mutabilis
ଅତସୀ(अतसी) - Linum
usitatissimum
ଅଟରୁଷକ(अटरूषकः)- Adhatoda
vasica
ଅଟରୁଷ(अटरूषः) - Adhatoda vasica
ଅଜାଜୀ(अजाजी)-Cuminum cyminum
ଅଜଶୃଙ୍ଗିକା(अजश्रृङ्गिका)- Gymnema sylvestre
ଅଜମୋଦା(अजमॊदा)- Apium graveolens
ଅଜଡା଼(अजडा)- Mucuna pruriens
ଅଜଟା(अजटा)- Phyllanthus niruri
ଅଜଗନ୍ଧିକା(अजगन्धिका)- Ocimum
basilicum
ଅଜକର୍ଣ୍ଣ(अजकर्णः)- Vateria indica
ଅଙ୍ଗାରଵଲ୍ଲରୀ(अङ्गारवल्लरी) -
Clerodendrum serratum
ଅଙ୍ଗାରକ(अङ्गारकः) - Eclipta alba
ଅଙ୍ଗନାପ୍ରିୟ(अङ्गनाप्रिय) - Aglaia
roxburghiana
ଅଗସ୍ତି କୁସୁମ(अगस्तिकुसुमं)- Sesbania
grandiflora
ଅଗସ୍ତ୍ୟ(अगस्त्यः) - Sesbania
grandiflora
ଅଗରୁ(अगरु) - Aquilaria agallocha
ଅଗ୍ନିଶିଖା(अग्निशिखा) - Gloriosa
superba
ଅଗ୍ନିମନ୍ଥ(अग्निमन्थः) - Clerodendrum
phlomidis
ଅଗ୍ନିମୁଖୀ(अग्निमुखी)-
Semecarpus anacardium
ଅଗ୍ନିକ(अग्निकः) - Semecarpus
anacardium
ଅକୋଳ(अकॊलः) - Alangium
salvifolium
ଅଙ୍କୋଟ(अंकॊटः) - Alangium
salvifolium
ଅକ୍ଷ(अक्षः) - Terminalia bellirica

Wednesday, November 8, 2017

★★★ଅର୍ଦ୍ଧ ଜାରତୀୟ ନ୍ୟାୟ କଥା★★★

ଜଣେ ଉଦାର ସ୍ଵଭାଵ ବୃଦ୍ଧ ବ୍ରାହ୍ମଣ ଦୂରବସ୍ଥାପନ୍ନ ହୋଇ ନିଜର ଗୋଟିଏ ଗାଭିକୁ ପ୍ରତି ହାଟ ପାଳି ବିକ୍ରୟ ହେତୁ ନେଇଯାଅନ୍ତି ।
କଥାରେ ଅଛି
“ଅଜାତି କି ବଣିଜ ଅଡୁଆ”.........!
ବ୍ରାହ୍ମଣ ଙ୍କ ମନରେ ଏକ ବଡ଼ ଭ୍ରମଧାରଣା ଥାଏ
ଯେ ‛ସମାଜରେ ଯେମିତି ମନୁଷ୍ୟର ବୟସ ଅଧିକ ହେଲେ ତାକୁ ଆଦର ସତ୍କାର ମିଳେ ସେହିପରି ଗାଈର ବୟସାଧିକ୍ୟ କହିଲେ ଲୋକେ ତାକୁ
ନିଶ୍ଚିତ କିଣିବେ ହିଁ କିଣିବେ ।
ଏଣୁ ସେ ଏମନ୍ତ ମନରେ ଭାବି
କ୍ରେତାମାନଙ୍କୁ କୁହନ୍ତି

“ଏ ଗାଈଟି ଆମ୍ଭର ପୈତୃକ ଗୋରୁ ଓ ଅତିପ୍ରାଚୀନା” କେବଳ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇ ଆମ୍ଭେ ଏହାକୁ ବିକ୍ରି କରିବାକୁ ଆଣିଅଛୁ! !”

ହେଲେ
ବ୍ରାହ୍ମଣଙ୍କ କଥା ଶୁଣି କ୍ରେତାମାନେ ଫେରିଯାଅନ୍ତି ।
ତେବେ ବ୍ରାହ୍ମଣ କିନ୍ତୁ ପ୍ରତି ହାଟପାଳି
ଗାଈଟିକୁ ନେଇ ହାଟକୁ ଆସନ୍ତି .....

ଜଣେ ଲୋକ ବ୍ରାହ୍ମଣଙ୍କୁ ସବୁବେଳେ ଏକା ଗାଈଟିଏ ନେଇ ଆସୁଥିବାର ଦେଖୁଥାନ୍ତି ।
ଦିନେ ସେ ଲୋକ ବ୍ରାହ୍ମଣଙ୍କୁ ପଚାରିଲେ,

“ଆପଣ ତ ପ୍ରତି ହାଟପାଳି ଗୋରୁ ଆଣନ୍ତି
ତାକୁ ବିକନ୍ତି ନାହିଁ କାହିଁକି ?”

ବ୍ରାହ୍ମଣ ତାଙ୍କ ମନୋଗତ ଭାବ ବ୍ୟକ୍ତ କରନ୍ତେ
ସେ ଲୋକ କହିଲେ,

“ଆଜ୍ଞା' ଆପଣ ଏହାକୁ ପୁରୁଣା ଗୋରୁ ନକହି ଏକ ଫଳର ଗାଈ ଏବଂ ବହୁତ ଦୁଧ ଦିଏ, କହିଲେ ଲୋକେ ଆଗ୍ରହରେ କିଣି ନେବେ ।”

ଏହା ଶୁଣି ବ୍ରାହ୍ମଣ ଭାବିଲେ
ମୁଁ ତ ପ୍ରଥମେ ଏହାକୁ ପ୍ରାଚୀନା
କହିଛି ଏବେ କେମନ୍ତେ ତରୁଣୀ ବୋଲିବି ?

ଏପରି ହୋଇପାରେ ଯେ ଏ ଗାଈଟି
ଆତ୍ମାଂଶରେ ପ୍ରାଚୀନ କିନ୍ତୁ ଶରୀରାଂଶରେ ତରୁଣୀ !

ଏଣୁ ଏ ଗାଭିକୁ ଜରତୀ ବା ଅତି ବୃଦ୍ଧା ନକହି ଅର୍ଦ୍ଧଜାରତୀ କହିବା ସମୀଚିନ ହେବ ।

ପରେ ଜଣେ କ୍ରେତା ଆସିଲାରୁ
ବ୍ରାହ୍ମଣ ତାକୁ କହିଲେ

“ଏଇ ଗାଈଟି ଅର୍ଦ୍ଧ ଜରତୀ ଓ ଅର୍ଦ୍ଧ ତରୁଣୀ ।”
କ୍ରେତା ବ୍ରାହ୍ମଣ ଙ୍କୁ ବିଷୟମୂର୍ଖ ମନେକରି
ହସି ହସି ଗାଈଟି କିଣି ନେଲେ ।

ଯେତେବେଳେ ବିଚାରକ ,ବାଦୀ ଓ ପ୍ରତିବାଦୀର
କଥାରୁ କିଛି କିଛି ଅଂଶ ଗ୍ରହଣ କରି ଅନ୍ୟ ଅଂଶ
ପରିତ୍ୟାଗ କରନ୍ତି ପଣ୍ଡିତ ମାନେ ସେତେବେଳେ ଏହି ନ୍ୟାୟ ର ଉଦାହରଣ ଦିଅନ୍ତି ।

Monday, November 6, 2017

★★★■■କ୍ରାନ୍ତିକାରୀ ର କଥା■■★★★

କ୍ରାନ୍ତିକାରୀ ସେ ଉପନାମ ରଖିଥିଲା । ଖୁବ ପାଠ ପଢିଥିବା ଶିକ୍ଷିତ ଯୁବକ । ସ୍ଵାସ୍ଥ୍ୟବାନ୍,ସୁନ୍ଦର । ଭଲ  ଚାକିରୀଟିଏ ବି ପାଇଛି । କିନ୍ତୁ ବିଦ୍ରୋହୀ !
କଥା କଥାକେ ମାର୍କ୍ସ-ଲେନିନ୍ ର ଉଦାହରଣ ଦିଏ । ଚେ-ଗୁଆରାଙ୍କର ଖାସ୍ ଭକ୍ତ ସେ.... !

କଫି ହାଉସରେ ବହୁ ସମୟ ଯାଏଁ ବସେ । ବହୁତ ବଢବ ବଡ଼ କଥା କହେ । ତା କଥାରେ ଥାଏ କ୍ରାନ୍ତିକାରିତାର ଭାବନା ।
“ସବୁ ଉଲଟେଇ ପଲଟେଇ ଦେବାକୁ ହେବ । ସବୁ ବଦଳେଇ ଦେବାକୁ ହେବ”

ସଉକରେ
ଲମ୍ଵା ଲମ୍ଵା ବାଳ ରଖିବା ସହ ଦାଢି ସାମାନ୍ୟ ରଖିଥାଏ ।

ସବୁକଥା ରେ ବିଦ୍ରୋହ ଘୋଷଣା କରେ ।
କିଛି କରିବାକୁ ସଦା ବାଟ ଖୋଜିବୁଲୁଥାଏ ।
କୁହେ’
“ମୋ ପିତାଙ୍କ ପିଢ଼ି କୁ ଶିଘ୍ର ମରିଯିବା ଦରକାର । ମୋ ପିତା ଅତି ଋଢିବାଦୀ,ଜାତିବାଦୀ ଓ ପ୍ରତିକ୍ରିୟାବାଦୀ ଲୋକ । ବଡ଼ ମରହଟିଆ ।
ସେ ଯେବେ ମରିବେ ମୁଁ ଲଣ୍ଡା ହେବିନି କି ଶ୍ରାଦ୍ଧ ବି କରିବିନି । ମୁଁ ସବୁ ପୁରୁଣାକାଳିଆ ପରମ୍ପରା ଗୁଡିକୁ ନାଶ କରଦେବି । ଚେ-ଗୁଆରା ଜିନ୍ଦାବାଦ୍ ”

ତା’ର କେହି ସାଙ୍ଗ ଯଦି କହେ’
“ହେଲେ ତୁମ ବାପା ତୁମକୁ ବହୁତ ଭଲ ପାଅନ୍ତି” ?

କ୍ରାନ୍ତିକାରୀ କୁହିଉଠେ’
“ଭଲ ପାଅନ୍ତି ?”
“ହଁ !!!!! ପ୍ରତ୍ୟେକ ବୟସ୍କ ଲୋକ କ୍ରାନ୍ତିକାରିତାକୁ ମାରିଦେବା ପାଇଁ ଲୋକ ଦେଖାଣିଆ ଭଲ ପାଅନ୍ତି । ଏ ଭଲପାଇବା ନୁହେଁ ଷଡ଼ତନ୍ତ୍ର ।
ତୁମେ ମାନେ ବୁଝିବନି । ଆଜିକାଲି ମୋ ବୋପା
ଜଣେ ବ୍ରାହ୍ମଣ କୁ ଖୋଜୁଛି ଆଉ ତା’ଠାରୁ କୋଡ଼ିଏ ପଚିଶ ହଜାର ନେଇ ତା’ ଝିଅ ସହ ମୋ ବିହା କରିଦେବାର ଯୋଜନା କରୁଛି ।
କିନ୍ତୁ ହେବାକୁ ଦେଲେ ତ....!
ମୁଁ ଜାତିରେ ବିହା କରିବି ନାହିଁ । ମୁଁ ଅନ୍ୟ ଜାତିର କୌଣସି ଛୋଟ ଜାତିର ଝିଅକୁ ବାହା ହୋଇଯିବି ଆଉ ମୋ ବୋପା ମୁଣ୍ଡ ବାଡେ଼ଇ ବାଡେ଼ଇ ରହିବ ।”
ଆଉ ଜଣେ ସାଙ୍ଗ କହିଲା’
“ଯଦି ତୁମର ପ୍ରେମ ଜଣେ କନ୍ୟା ସହ ହୋଇଯାଏ
ଭାଗ୍ୟକୁ ସେ ବ୍ରାହ୍ମଣ କୁଳର ହୋଇଥାଏ ତେବେ
ତୁମେ ତାକୁ ବିବାହ କରିବ ନା” ?

ସେ କହିଲା’

“ମୋଟେ ନୁହେଁ ! ମୁଁ ତାକୁ ଛାଡିଦେବି ।
କେହି ବି କ୍ରାନ୍ତିକାରୀ  ନିଜ ଜାତିରେ ବିବାହ କରେନାହିଁ ନା ପ୍ରେମକରେ । ମୁଁ ଏକ କାୟସ୍ଥ ଝିଅକୁ ଭଲପାଏ ।
ମୁଁ ତାକୁ ହିଁ ବିହା ହେବି”

ଦିନେ ସେ କୋର୍ଟରେ ସେହି କାୟସ୍ଥ କନ୍ୟାକୁ ବିବାହ କରିନେଲା । ତାକୁ ନେଇ ଆସି ନିଜ ସହରରେ ଜଣେ ବନ୍ଧୁଙ୍କ ଘରେ ରହିବାକୁ ଲାଗିଲା ।

ସେ ଏବେ ବଡ଼ ଉତ୍କଣ୍ଠିତ ଜଣାପଡୁଥିଲା ।
କହୁଥାଏ,
“ଆଇ ବ୍ରୋକ୍ ଦେଆର୍ ନେକ୍”
ଏଭେ ଯାଇ ଦେଖ ମୋ ବୋପା ମୁଣ୍ଡ ବାଡଉଥିବ ଆଉ ମାଆ କାନ୍ଦବୋବାଳି ଛାଡୁଥିବ । ଆଖ ପାଖର ପଡୋଶୀଙ୍କୁ ଡାକି ମୋ ବୋପା କହୁଥିବ,‛ଆଜିଠାରୁ ମୋ ପୁଅ ମୋ ପାଇଁ ମରିଗଲା’ ! ସେ ମୋତେ ତେଜ୍ୟପୁତ୍ର କରିଦେବ । ତା ସମ୍ପତ୍ତି ରୁ ହତାଦର କରିଦେବ । ଆଇ ଡୋଣ୍ଟ୍ କେୟାର । ମୁଁ କିଛି ବି ବଳିଦାନ ଦେବାକୁ ତିଆର୍ ଅଛି । ସ ଘର ମୋ ପାଇଁ ଶତୃର ଘର ହୋଇସାରିଛି । ବଟ୍ ଆଇ ୱିଲ୍ ଫାଇଟ୍ ଟୁ ଦି ଏଂଡ୍ ଟୁ ଦି ଏଂଡ୍ ।”

ସେ ସଗର୍ବେ ବାରଣ୍ଡାରେ ବୁଲୁଥାଏ । ପୁଣି ବସି ପଡେ଼ ଆଉ ମନକୁ ମନ କହୁଥାଏ
“ବାସ୍ -ଏଇ ତ ସଂଘର୍ଷ ଆସିଲାଣି” !!!!!

ଜଣେ ସାଙ୍ଗ ଆସି ତାକୁ କହିଲା’

“ତୁମ ଫାଦର କହୁଥିଲେ ତୁମେ ନିଜ ପତ୍ନୀ କୁ ନେଇ ସିଧା ଘରକୁ କାହିଁକି ଗଲନାହିଁ । ସେ ତ ବଡ଼ ଶାନ୍ତ ଥିଲେ । ମୋତେ କହୁଥିଲେ ମୋ ପୁଅ ବୋହୂ କୁ ଦେଖିଲେ ଘରକୁ ନେଇ ଆସନ୍ତନି ?”

କ୍ରାନ୍ତିକାରୀ ଉତ୍ତେଜିତ ହୋଇଗଲା-
ହୁଁ ! ମରହଟିଆ ହିପୋକ୍ରେସୀ ! ମୁଁ ସବୁ ବୁଝୁଛି ।
ଏହା ଏକ ଷଡ଼ଯନ୍ତ୍ର । ସେ ମୋତେ ଘରକୁ ଡାକି
ଗୁଡାଏ ହୋ ହାଲ୍ଲା କରି ଅପମାନିତ କରି ପୁଣି ଘରୁ ନିକାଲି ଦେବାର ଯୋଜନା କରିଛନ୍ତି । ଯଦି ସେ ମୋତେ ତ୍ୟାଗ କରିସାରିଛନ୍ତି ତେବେ ମୁଁ କାହିଁକି ଫେରିବି ? ବରଂ ମୁଁ ଘରଭଡା଼ ନେଇକି ରହିଯିବି !"

ତା ସାଙ୍ଗ ପୁଣି କହିଲା
“ହେଲେ ତୁମ ପିତା ତୁମକୁ କେବେ
ତ୍ୟାଗ କଲେ କି ?”

ସେ କହିଲା
“ମୋତେ ସବୁ ଜଣା ଅଛି -ଆଇ ଵିଲ୍ ଫାଇଟ୍ !”

ସାଙ୍ଗ କହିଲା’
ଯେବେ ଯୁଦ୍ଧ ହିଁ ନାହିଁ ତ ଫାଇଟ କ’ଣ ଆଉ କରିବ କିହୋ ?”

କ୍ରାନ୍ତିକାରୀ କଳ୍ପନାରେ ବୁଡି଼ଥାଏ ।
ମନେ ମନେ ହତିଆର ତିକ୍ଷ୍ଣ କରୁଥାଏ ।
ବାରୁଦ ଶୁଖାଉଥାଏ । କ୍ରାନ୍ତିର ନିର୍ଣ୍ଣାୟକ କ୍ଷଣ ଆସିଗଲାଣି । ମୁଁ ବୀର ଭଳି ଲଢିବି ଦରକାର ହେଲେ ଜୀବନ ବି ଦେଇ ଦେବି..........

ତୃତୀୟ ଦିନ ତା’ର ଜଣେ ଖାସ୍ ସାଙ୍ଗ ଆସିଲା
ଆଉ କହିଲା,
“ତୁମର ମାତାପିତା ଟ୍ୟାକ୍ସି ନେଇ
ତୁମକୁ ଘରକୁ ଫେରେଇନେବାକୁ  ଆସୁଅଛନ୍ତି ।
ରବିବାର ଦିନ ତୁମ ବିବାହ ଉପଲକ୍ଷେ
ଭୋଜିର ଆୟୋଜନ ଅଛି ।  ନିମନ୍ତ୍ରଣ ପତ୍ର ବଣ୍ଟା ଯାଉଛି”

କ୍ରାନ୍ତିକାରୀ ର ପାଦ ତଳୁ ସତେ ଯେମିତି
ମାଟି ଖସିଗଲା ! ସେ ମୁଣ୍ଡରେ ହାତ ଦେଇ ବସିଗଲା । ତା ଦେହ ହଳଦିଆ ପଡିଗଲା ଆଉ ଦିହରୁ ଝାଳ ବୋହି ଯାଉଥାଏ ।
କହୁଥାଏ,

“ହାୟ ! ସବୁ ଚାଲି ଗଲା । ଜୀବନଯାକର ସଂଘର୍ଷ ସାଧନା ଶେଷ ହୋଇଗଲା ।
ନୋ ଷ୍ଟ୍ରଗଲ୍ .....!
ନୋ ରେଭେଲ୍ୟୁସନ୍......! 
ମୁଁ ହାରିଗଲି ......
ସେମାନେ ମୋତେ ନେବାକୁ ଆସୁଛନ୍ତି
ମୁଁ ପରାଧୀନ ହୋଇଗଲି.....!
ମୁଁ ଯୁଦ୍ଧ କରିବାକୁ ଚାହୁଁଥିଲି ....
ହାୟ....! ମୋ କ୍ରାନ୍ତିକାରିତା....
ମୋ କ୍ରାନ୍ତିକାରିତା....!
ଦେବୀ...! ତୁ ମୋ ପିତାଠାରୁ ମୋର
ତିରଷ୍କାର କରେଇ ଦେ ....
ଚେ-ଗୁଆରା...! ଡିଅର୍ ଚେ”

ତା’ର ସ୍ତ୍ରୀ ବଡ଼ ଚାଲାକ ଥିଲା ।
ଦି ତିନି ଦିନ ହେବ କ୍ରାନ୍ତିକାରିତା ଦେଖୁଥିଲା ।
ତେଣୁ କହିଲା
“ଡିଅର୍ ଗୋଟାଏ କଥା କହିବି....
ପ୍ରକୃତରେ ତୁମେ ଜଣେ କ୍ରାନ୍ତିକାରୀ ନୁହେଁ ....”

ସେ ଆଶ୍ଚର୍ଯ୍ୟ ହୋଇଗଲା
ପଚାରିଲା
“କ୍ରାନ୍ତିକାରୀ ନୁହେଁ ! ତେବେ ମୁଁ କ’ଣ ?

ତା’ ପତ୍ନୀ କହିଲା’
“ତୁମେ ଜଣେ ବୟସ୍କ ବାଳକ ! କିନ୍ତୁ ମୁଁ ତୁମକୁ ବହୁତ ଭଲପାଏ”

(ହିନ୍ଦୀର ପ୍ରସିଦ୍ଧ ବ୍ୟଙ୍ଗକାର, ଲେଖକ,କବି
ଶ୍ରୀ ହରିଶଙ୍କର ପରସାଇଙ୍କ ରଚିତ “क्रांतिकारी कि कथा” ର ଓଡ଼ିଆ ଭାଷାନ୍ତର )

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...