ଜଣେ ଉଦାର ସ୍ଵଭାଵ ବୃଦ୍ଧ ବ୍ରାହ୍ମଣ ଦୂରବସ୍ଥାପନ୍ନ ହୋଇ ନିଜର ଗୋଟିଏ ଗାଭିକୁ ପ୍ରତି ହାଟ ପାଳି ବିକ୍ରୟ ହେତୁ ନେଇଯାଅନ୍ତି ।
କଥାରେ ଅଛି 
“ଅଜାତି କି ବଣିଜ ଅଡୁଆ”.........! 
ବ୍ରାହ୍ମଣ ଙ୍କ ମନରେ ଏକ ବଡ଼ ଭ୍ରମଧାରଣା ଥାଏ 
ଯେ ‛ସମାଜରେ ଯେମିତି ମନୁଷ୍ୟର ବୟସ ଅଧିକ ହେଲେ ତାକୁ ଆଦର ସତ୍କାର ମିଳେ ସେହିପରି ଗାଈର ବୟସାଧିକ୍ୟ କହିଲେ ଲୋକେ ତାକୁ 
ନିଶ୍ଚିତ କିଣିବେ ହିଁ କିଣିବେ ।
ଏଣୁ ସେ ଏମନ୍ତ ମନରେ ଭାବି 
କ୍ରେତାମାନଙ୍କୁ କୁହନ୍ତି
“ଏ ଗାଈଟି ଆମ୍ଭର ପୈତୃକ ଗୋରୁ ଓ ଅତିପ୍ରାଚୀନା” କେବଳ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇ ଆମ୍ଭେ ଏହାକୁ ବିକ୍ରି କରିବାକୁ ଆଣିଅଛୁ! !”
ହେଲେ
ବ୍ରାହ୍ମଣଙ୍କ କଥା ଶୁଣି କ୍ରେତାମାନେ ଫେରିଯାଅନ୍ତି । 
ତେବେ ବ୍ରାହ୍ମଣ କିନ୍ତୁ ପ୍ରତି ହାଟପାଳି 
ଗାଈଟିକୁ ନେଇ ହାଟକୁ ଆସନ୍ତି .....
ଜଣେ ଲୋକ ବ୍ରାହ୍ମଣଙ୍କୁ ସବୁବେଳେ ଏକା ଗାଈଟିଏ ନେଇ ଆସୁଥିବାର ଦେଖୁଥାନ୍ତି ।
ଦିନେ ସେ ଲୋକ ବ୍ରାହ୍ମଣଙ୍କୁ ପଚାରିଲେ,
“ଆପଣ ତ ପ୍ରତି ହାଟପାଳି ଗୋରୁ ଆଣନ୍ତି 
ତାକୁ ବିକନ୍ତି ନାହିଁ କାହିଁକି ?”
ବ୍ରାହ୍ମଣ ତାଙ୍କ ମନୋଗତ ଭାବ ବ୍ୟକ୍ତ କରନ୍ତେ 
ସେ ଲୋକ କହିଲେ, 
“ଆଜ୍ଞା' ଆପଣ ଏହାକୁ ପୁରୁଣା ଗୋରୁ ନକହି ଏକ ଫଳର ଗାଈ ଏବଂ ବହୁତ ଦୁଧ ଦିଏ, କହିଲେ ଲୋକେ ଆଗ୍ରହରେ କିଣି ନେବେ ।”
ଏହା ଶୁଣି ବ୍ରାହ୍ମଣ ଭାବିଲେ 
ମୁଁ ତ ପ୍ରଥମେ ଏହାକୁ ପ୍ରାଚୀନା 
କହିଛି ଏବେ କେମନ୍ତେ ତରୁଣୀ ବୋଲିବି ? 
ଏପରି ହୋଇପାରେ ଯେ ଏ ଗାଈଟି 
ଆତ୍ମାଂଶରେ ପ୍ରାଚୀନ କିନ୍ତୁ ଶରୀରାଂଶରେ ତରୁଣୀ !
ଏଣୁ ଏ ଗାଭିକୁ ଜରତୀ ବା ଅତି ବୃଦ୍ଧା ନକହି ଅର୍ଦ୍ଧଜାରତୀ କହିବା ସମୀଚିନ ହେବ ।
ପରେ ଜଣେ କ୍ରେତା ଆସିଲାରୁ
ବ୍ରାହ୍ମଣ ତାକୁ କହିଲେ
“ଏଇ ଗାଈଟି ଅର୍ଦ୍ଧ ଜରତୀ ଓ ଅର୍ଦ୍ଧ ତରୁଣୀ ।”
କ୍ରେତା ବ୍ରାହ୍ମଣ ଙ୍କୁ ବିଷୟମୂର୍ଖ ମନେକରି
ହସି ହସି ଗାଈଟି କିଣି ନେଲେ ।
ଯେତେବେଳେ ବିଚାରକ ,ବାଦୀ ଓ ପ୍ରତିବାଦୀର
କଥାରୁ କିଛି କିଛି ଅଂଶ ଗ୍ରହଣ କରି ଅନ୍ୟ ଅଂଶ 
ପରିତ୍ୟାଗ କରନ୍ତି ପଣ୍ଡିତ ମାନେ ସେତେବେଳେ ଏହି ନ୍ୟାୟ ର ଉଦାହରଣ ଦିଅନ୍ତି ।
 
 
No comments:
Post a Comment