Friday, February 25, 2022

‘ବୁଆ’(ପିତା, ‘ବୋଉ’(ମାତା) ସମ୍ବୋଧନକୁ ତାତ୍ସଲ୍ୟ କାହିଁକି?

ଓଡ଼ିଶାରେ ଵର୍ଗ୍ୟ ❝ବ❞ ଆଦ୍ୟର ଅନେକ ସମ୍ବନ୍ଧଵାଚକକ ସମ୍ବୋଧନାର୍ଥକ ଶବ୍ଦ ପ୍ରଚଳିତ ଯଥା—

•ବବା/ବାବା— ବଡ଼ବାପା(ଗଡ଼ଜାତ)
•ବୋଉମାଆ— ଦେଠେଇ,ଜେଠେଇ(ଗଞ୍ଜ,ଗଜ)
•ବଡ଼ମାଆ— ବଡ଼ବାପା ଵା ବବାଙ୍କ ସ୍ତ୍ରୀ
••ବଚା—ପୁଅ,ଛୋଟ ପିଲାକୁ ସମ୍ବୋଧନ (ଗଡ଼ଜାତ)
ଓଡ଼ିଆରେ ଢଗ ଅଛି...

“ଆଇଲେ ବାବା ଅମିନ ବଚା
କର ଚରଚା ଦେ ଖରଚା ନେ ପାରଚା।
ଅଇଲେ ଅମିନ ମାଇଲେ ମେଖ
ବାରହାଣ୍ଡିଆଙ୍କୁ କରୁଛି ଭୋକ।
ଅମିନ ଗାଆଁରେ ମାଇଲେ ମେଖ
ପୋଲା ଖିଆଙ୍କର ମଲାଟି ଭେକ।”

ବଚା ଶବ୍ଦ ହିନ୍ଦୀରେ ବଚ୍ଚା ରୂପେ ପ୍ରଚଳିତ ଏଵଂ ଏହା ମୂଳତଃ ତତ୍ସମ ଵତ୍ସ ସହିତ ସମୋଦ୍ଧୃତ। ସୀମାନ୍ତ ଗଡ଼ଜାତ ଅଞ୍ଚଳରେ ବଚା ଶବ୍ଦ ପ୍ରୟୋଗ କରାଯାଏ ତେବେ ଉପକୂଳରେ କେତେକ ନିର୍ଦ୍ଦିଷ୍ଟ ଜାତି ଓ ଵିଶେଷ ପରିସ୍ଥିତିରେ ଏହା ପ୍ରୟୋଗହେଉଥିଵା ଦେଖାଯାଏ ।

•ବଡ଼୍‌ମା—ମାଆଙ୍କ ବଡ଼ ଭଉଣୀ(ଦ.ପ. ଓ.)
•ବଡ଼ପା— ବଡ଼ବାପା/ବବା(ଗଞ୍ଜାମ)
•ବଡ଼ଦା— ବଡ଼ ଭାଇ(ନୂଆପଡ଼ା)
•ବଡ଼ବା— ଦଦେଇ,ବଡ଼ବାପା(କୋ)
•ବଡ଼ବୋଉ— ବଡ଼ମାଆ(ଗଞ୍ଜାମ)
•ବଡୁ—ବଡ଼ବାପା,ଦଦେଇ,ମଉସା,ସାନ ଭାଇର ପୁଅ,ପିଉସା(ଭିନ୍ନ ଭିନ୍ନ ଅଞ୍ଚଳରେ ଵିଭିନ୍ନ ଅର୍ଥରେ ପ୍ରଚଳିତ)
•ବଡୁ଼ପୁଅ— ସାନଭାଇର ପୁଅ(ବୌଦ୍ଧ)
•ବଡ଼େଇ—ବଡ଼ବାପାଙ୍କ ପତ୍ନୀ
•ବପା— ବାପା(ସୁ), ବାପାଙ୍କ ସାନଭାଇ(ନୂଆ)
•ବପ୍ପା— ବାପା(ମାଲକାନଗିରି)
•ବଫା—ବାପା(କଳାହାଣ୍ଡି)
•ବବା—ବାବାର ବଡ଼ ଭାଇ, ବାପାଙ୍କ ବଡ଼ଭାଇ,ଦଦେଇ(କ, ଢେ, ଗଡ଼ଜାତ)
•ବହନି— ଭଉଣୀ(ଗଡ଼ଜାତ)
•ବହିନ— ଭଉଣୀ(ସୁ,ମ)
•ବହ/ବହୂ(ବୋହୂ)—ପୁଅର ସ୍ତ୍ରୀ(ଗଡ଼ଜାତ)
•ବହେନ୍—ଭଉଣୀ(ଗଡ଼ଜାତ)
•ବାଆ/ବା— ବାପା
•ବାଇ— ବଡ଼ଭଉଣୀ,ଜେଜେମାଆ(ଗଡ଼ଜାତ),ଅଳ୍ପଵୟସ୍କା ବାଳିକା ଓ କନ୍ଯାସ୍ଥାନୀୟା ସ୍ତ୍ରୀଙ୍କୁ ଗୁରୁଜନଙ୍କର ସ୍ନେହ ସମ୍ବୋଧନ ଭାବେ ବାଇ ଶବ୍ଦ ପ୍ରୟୋଗ ହୁଏ ଏଵଂ ଏହା ଓଡ଼ିଶା ତଥା ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ ଓ ରାଜସ୍ଥାନରେ ସ୍ତ୍ରୀଜାତିକୁ ଵିଭିନ୍ନ ଅର୍ଥରେ ସମ୍ବୋଧନ କରାଯାଉଥିଵା ଶବ୍ଦ ଅଟଇ ।

•ବାଵା— ବାପା(କଟକ)
•ବାୱା—ଭେଣୋଇ(ରାୟଗଡ଼ା; କଥିତ ଓଡ଼ିଆ ଶବ୍ଦକୋଷ)
•ବାପା—ପିତା, ଜେଜେବାପା(କେତେକ ଅଞ୍ଚଳରେ ପ୍ରଚଳିତ), ଗଞ୍ଜାମ ଜିଲ୍ଲାରେ ଵୟସ୍କ ଵୃଦ୍ଧଙ୍କୁ ସମ୍ମାନାର୍ଥେ ମଉସା ପରିଵର୍ତ୍ତେ ବାପା ସମ୍ବୋଧନ କରାଯାଏ,ପୁଅ ତଥା ଅଳ୍ପଵୟସ୍କ ବାଳକକୁ ସ୍ନେହ ସମ୍ବୋଧନ
•ବାବା—ବଡ଼ବାପା,ପୁଅକୁ ସ୍ନେହ ସମ୍ବୋଧନ
•ବାବୁ—ଅଳ୍ପଵୟସ୍କ ବାଳକ ତଥା ପୁଅଙ୍କୁ ସମ୍ବୋଧନ କରାଯାଇଥାଏ
ଯଥା— “ଆରେ ବାବୁ ଶ୍ୟାମଘନ” ...
•ବୁଆ— ବାପା,ଛୋଟ ବାଳକ ଓ ପୁତ୍ରକୁ କରାଯିଵା ସମ୍ବୋଧନ ‌।
•ବୁଆରି— ଵୋହୂ,ଵଧୂ(କୋରାପୁଟ, ନଵରଙ୍ଗପୁର)
•ବୁଇ— ସାନଝିଅକୁ ସମ୍ବୋଧନ (ଗଡ଼ଜାତ)
•ବୁଢ଼ା/ବୁଢ଼ୀ—ସାନପୁଅ ଓ ଝିଅମାନଙ୍କୁ କରାଯିଵା ସ୍ନେହ ସମ୍ବୋଧନ (ଉତ୍ତର ଓଡ଼ିଶା ତଥା ଉପାନ୍ତ ଓଡ଼ିଶାରେ ସାନପୁଅ ତଥା ସାନଝିଅମାନଙ୍କୁ ଲୋକେ ସ୍ନେହରେ ଯଥାକ୍ରମେ ବୁଢ଼ା ଓ ବୁଢ଼ୀ ସମ୍ବୋଧନ କରିଥାନ୍ତି)
•ବୁପା— ବାପା(ଢେଙ୍କାନାଳ; କ୍ଵଚିତ୍ ସମ୍ବୋଧନାର୍ଥ ପ୍ରୟୋଗ କରାଯାଏ)
•ବୁବା— ବାପା(କେନ୍ଦୁ),ବଡ଼ବାପା(କନ୍ଧ)
•ବୁହାରି—ଵୋହୂ(କନ୍ଧମାଳ, ସୁଵର୍ଣ୍ଣପୁର)
•ବୁହିନ୍—ଭଉଣୀ(ଗଡ଼ଜାତ)
•ବୁହେନ—ଭଉଣୀ(ଗଡ଼ଜାତ)
•ବେଈ—ଜେଜେମାଆ,ଆଈ,ବଡ଼ଭଉଣୀ(ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଏହି ବେଈ ଶବ୍ଦଟି ଵିଭିନ୍ନ ଅର୍ଥରେ ପ୍ରଚଳିତ । କଥିତ ଓଡ଼ିଆ ଶବ୍ଦକୋଷରେ ବେଈ ଶବ୍ଦ କଳାହାଣ୍ଡି ଜିଲ୍ଲାରେ ଚଳୁଥିଵା ଉଲ୍ଲେଖ ଅଛି)
•ବେଟା— କେହି କେହି କୁହନ୍ତି ଵର୍ତ୍ତମାନ ଯୁଗରେ ହିନ୍ଦୀ ପ୍ରଭାଵିତ  ନଗରଵାସୀ ଓଡ଼ିଆମାନେ ପୁଅ ,ଛୋଟ ବାଳକମାନଙ୍କୁ ବେଟା ସମ୍ବୋଧନ କରୁଛନ୍ତି । କିନ୍ତୁ ପ୍ରାଚୀନ ଓଡ଼ିଆ ସାହିତ୍ୟ ତଥା ଢଗରେ ମଧ୍ୟ ବେଟା ଶବ୍ଦର ପ୍ରୟୋଗ ଦେଖାଯାଏ ।
ଯଥା
“ଘରେ ନ ଥାଏ ଭୁର୍ଭୁଜା
ବେଟା କରୁଥାଏ ଦୁର୍ଗାପୂଜା ॥”

କଵି କୃଷ୍ଣ ସିଂହ ତାଙ୍କ କୃଷ୍ଣ ମହାଭାରତରେ
ବେଟା ଶବ୍ଦ ପ୍ରୟୋଗ କରିଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଗଳାମେଲିଵା ଶବ୍ଦ ତଳେ ଉଲ୍ଲେଖ କରାଯାଇଛି ...

“ଆନ ଧନୁ ଧରିଣ ଦ୍ରୁପଦଙ୍କ ବେଟା
ରହ ରହ ବୋଇଲେ ମେଲିଣ ଗଳାଟା” ।

ଭାଷାକୋଷ ଅନୁସାରେ ବେଟା ଶବ୍ଦ ତତ୍ସମ ବଟୁ ଶବ୍ଦର ତଦ୍ଭଵ ରୂପ ଏଵଂ ବଟୁ ଶବ୍ଦର ଏକ ଅର୍ଥ ବାଳକ ।

•ବୋଉ— ଓଡ଼ିଶାର କେତେକ ପରିଵାରରେ ଵିଶେଷତଃ ବ୍ରାହ୍ମଣ ଓ ଖଣ୍ଡାୟତ ପରିଵାରରେ ମାଆଙ୍କୁ ବୋଉ ତଥା ଜେଜେମାଆଙ୍କୁ ମାଆ ଡାକିଵାର ପରମ୍ପରା ପ୍ରଚଳିତ । ଗଡ଼ଜାତରେ  ଓଡ଼ିଆ ଭାଉଜ ଓ ଵଧୂ ଅର୍ଥଜ ଵୋହୂ ଶବ୍ଦ ପରିଵୃତ୍ତ ହୋଇ ଵହୂ,ଵଉ ଓ ଵୋଉ ରୂପେ ପ୍ରଚଳିତ । ଓଡ଼ିଆ ଭାଷାରୁ ଅଵର୍ଗ୍ୟ ‘ଵ’ର ଉଚ୍ଚାରଣ ଓ ଲିଖନ ଉଠିଯାଇଥିଵାରୁ ଵଧୂ ସହିତ ସମୋଦ୍ଧୃତ ଵୋହୂ ଅର୍ଥଜ ନୂଆଵୋଉ,ଵଉ,ଵୋଉ
ଆଦି ଶବ୍ଦଗୁଡ଼ିକୁ ନୂଆବୋଉ,ବଉ ଓ ବୋଉ ଲେଖାଯିଵାରୁ ମାତା ଅର୍ଥରେ ସମ୍ବୋଧନ ହେଉଥିଵା ଵର୍ଗ୍ୟ ବ ଯୁକ୍ତ ବୋଉ ଶବ୍ଦକୁ ନେଇ ଦ୍ଵନ୍ଦ୍ଵ ସୃଷ୍ଟି ହୋଇଥାଏ । ଅହମିଆ ଭାଷାର ଚନ୍ଦ୍ରକାନ୍ତା ଅଭିଧାନରେ ‘ବୌ’ ଶବ୍ଦର ଏକ ଅର୍ଥ ମାତା ବୋଲି ଉଲ୍ଲେଖ ଅଛି(ବୋଉ ଶବ୍ଦ ସମ୍ବନ୍ଧୀୟ ଵିସ୍ତୃତ ଆଲେଖ୍ୟ ଆଗକୁ ଉପସ୍ଥାପନ କରାଯିଵ) ।

•ବୋପା—ବାପା(ଏ ଶବ୍ଦର ସମ୍ବୋଧନଵାଚକ ଶବ୍ଦରୂପରେ ପ୍ରୟୋଗ କେଵଳ ଅତି ସ୍ନେହ କିଂଵା କ୍ରୋଧାନ୍ୱିତ କାଳରେ ହୋଇଥାଏ । ବେଳେ ବେଳେ କେତେକ ଲୋକ ଛୋଟବାଳକଙ୍କୁ ସମ୍ବୋଧନାର୍ଥ ବୋପା  ଶବ୍ଦ ପ୍ରୟୋଗ କରିଥାନ୍ତି)
ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ପିତାଙ୍କୁ ବୁଆ, ଦୁହିତା ଵା କନ୍ୟାକୁ ବୁଇ, ମାଁଙ୍କୁ ବୋଉ ଏଵଂ ଜେଜେମା ଆଈମାଆଙ୍କୁ ବେଈ ସମ୍ବୋଧନ ଏବେ ମଧ୍ୟ ପ୍ରଚଳିତ । ଏହି ଶବ୍ଦଗୁଡ଼ିକର ପ୍ରଥମ ଅକ୍ଷର 'ବ' ଅଟେ ଏଵଂ ଦ୍ୱିତୀୟ ଅକ୍ଷରଟି ସ୍ୱରଵର୍ଣ୍ଣ ଅଟେ l

ଓଷ୍ଠ୍ୟ ଵର୍ଗର ଘୋଷ, ଅଳ୍ପପ୍ରାଣ ଅକ୍ଷରଟି 'ବ' ଅଟେ, ଏହି ଵର୍ଗର ଅଧିକ ପ୍ରାଣ ଵା ନିଶ୍ୱାସ ଆଵଶ୍ୟକ କରୁଥିଵା ମହାପ୍ରାଣ 'ଭ' ଓ ଅନୁନାସିକ ଵର୍ଣ୍ଣ 'ମ' ଅଟେ, ପୁନଶ୍ଚ ପିତା ଶବ୍ଦର 'ତ' ଅକ୍ଷରଟି ଦନ୍ତ୍ୟ ଵର୍ଗର ହୋଇଥିଵାରୁ 'ବ' ଅକ୍ଷରରେ ଆରମ୍ଭ ହେଉଥିଵା ଉପରୋକ୍ତ ଓଡ଼ିଆ ସମ୍ବୋଧନଗୁଡ଼ିକରେ  ଧ୍ୱନିତାତ୍ତ୍ୱିକ ମୌଳିକତା ଅଧିକ ରହିଛି ‌।

ତେଵେ, ଓଡ଼ିଆରେ ସମ୍ପର୍କଗୁଡ଼ିକର ନାମ ସଂସ୍କୃତ ପରି ହୋଇଥାଏ ଯଥା: ପିତା, ମାଁ/ମାଆ, ଦୁହିତା, ପୁଅ ଇତ୍ୟାଦି । କେଵଳ, ସମ୍ବୋଧନରେ ଉପରୋକ୍ତ ଧ୍ୱନିଵିଜ୍ଞାନ ଅନୁସାରେ ବ ଆରମ୍ଭରେ ରହେ ।

ଓଡ଼ିଆ ସମ୍ବୋଧନର ପ୍ରଥମ ଅକ୍ଷର ‘ବ’ ହେଵାର  କାରଣ ରହିଛି ।  ଶିଶୁଟିଏ ପିଇଵା ପାଇଁ ଓଠକୁ ସଞ୍ଚାଳନ କରେ; ତେଣୁ ଓଷ୍ଠ୍ୟ ଵର୍ଗର ‘ବ’ ଅକ୍ଷର ସହ ସ୍ଵରଵର୍ଣ୍ଣର ପ୍ରୟୋଗରେ, ପରିବାର ସଦସ୍ୟଙ୍କୁ ଡାକେ । ପାଶ୍ଚାତ୍ୟ ଭାଷାଵିଦମାନେ ଏହାକୁ child babbling ଆଖ୍ୟା ଦେଇଛନ୍ତି । ଏହି ‘ବ’ ଅକ୍ଷରଟି ଅନୁନାସିକ ହେଲେ ‘ମ’ ଓ ‘ନ’ ଉତ୍ପନ୍ନ ହୁଏ । ଏଣୁ, ଧ୍ବନିତତ୍ତ୍ବରେ ‘ବୁଆ’, ‘ବୋଉ’ ଶବ୍ଦ ‘ପିତା’, ‘ମାଆ’ ତୁଳନାରେ ମୌଳିକ ଅଟେ । ଓଡ଼ିଆରେ ମାଁ ଓ ବୋଉ ଉଭୟ ଶବ୍ଦର ପ୍ରୟୋଗ ହୁଏ ପିତା, ମାତାଙ୍କ ସମ୍ବୋଧନର ଧ୍ବନିତତ୍ତ୍ବକୁ ନ ବୁଝି, ବୁଆ ଓ ବୋଉ ଶବ୍ଦକୁ ତାତ୍ସଲ୍ୟ କରିବା ଉଚିତ କି ?

•••••••••••••••••••••••••••
ମୂଳ ତଥ୍ୟ ଓ ଚିତ୍ର
ଡାକ୍ତର ଦେଵାଶିଷ ଜ୍ୟେଷ୍ଠୀ
ସମ୍ପାଦନା ଓ ଶବ୍ଦ ସଂଗ୍ରହ
ଶିଶିର ସାହୁ ମନୋଜ
ଶବ୍ଦ ସମ୍ବନ୍ଧୀୟ ତଥ୍ୟ ଉତ୍ସ
#ପୂର୍ଣ୍ଣଚନ୍ଦ୍ରଭାଷାକୋଷ
#କଥିତଓଡ଼ିଆଶବ୍ଦକୋଷ

Wednesday, February 23, 2022

ଓଡ଼ିଆ ଲିପି ସଂହାର ଓ ଅକ୍ଷର ଵିଲୋପନ(ଡାକ୍ତର ଦେଵାଶିଷ ଜ୍ୟୈଷ୍ଠୀ ଓ ଶିଶିର ସାହୁ ମନୋଜ)


ଜନ୍ମରୁ କହି ଶୁଣି ପଢ଼ି ଲେଖି ମଧ୍ଯ କିଛି ଭୁଷ୍ ପଣ୍ଡିତଙ୍କୁ ତାଙ୍କ ମାତୃଭାଷା ବୋଧଗମ୍ୟ ହେଲା ନାହିଁ ବୋଲି ସେମାନେ ଇଂରାଜୀ, ହିନ୍ଦୀ, ବଙ୍ଗଳାକୁ ‘ହନୁକରଣ’ କରି ଶାସ୍ତ୍ରୀୟ ଭାଷା ଓଡ଼ିଆର ସରଳୀକରଣ ନାମରେ ଆମର  ସାହିତ୍ୟରେ ଥିବା ଅକ୍ଷରକୁ ବଳି ଦେବାକୁ ଷଡ଼ଯନ୍ତ୍ର କଲେ । ଵର୍ଣ୍ଣହତ୍ୟାକାରୀମାନେ
ଏହି ଷଡ଼ଯନ୍ତ୍ରକୁ ଲିପି ସଂସ୍କାର ନାଆଁ ଦେଲେ ।
ପରାଧିନ ଭାରତରେ ଛପୁଥିଵା ଆଶା ପତ୍ରିକାର ଏକ ଆହ୍ଵାନରୁ ଲିପିସଂହାର ଷଡ଼ଯନ୍ତ୍ରର ଅୟମାରମ୍ଭ ହୁଏ । ଏ ଵିଷୟରେ ରାମଶଙ୍କର ରାୟ ତାଙ୍କ ଲିପି ସଂସ୍କାର ପ୍ରବନ୍ଧରେ ଏମନ୍ତ ଲେଖିଛନ୍ତି ...

❝ଆଜିକାଲି ଚତୁର୍ଦ୍ଦିଗରେ ସଂସ୍କାରର ହୁରି ପଡ଼ି ଯାଇଥିଵା ସମୟରେ ଗଞ୍ଜାମର ନଵୀନା ‘ ଆଶା’ ମଧ୍ୟ ଗୋଟିଏ ସଂସ୍କାର ଘେନି ଉପସ୍ଥିତ।
× × × × × × × × × × × × × × × × × ×
‘ଆଶା’ର ଲିପିସଂସ୍କାର ‘ ସ୍ଵାଧୀନତା' ଉପରେ ସ୍ଥାପିତ ହୋଇଅଛି । ‘ପଞ୍ଚମ’ ଇତ୍ୟାଦିକି ‘ ପଂଚମ’ ଇତ୍ୟାଦି ଛାପା କରିଵାରେ ମୁଁ ସ୍ଵଭାଵତଃ ମନେ କରିଥିଲି ଯେ ‘ଆଶା’ର ନୂତନ ପ୍ରେସରେ ବୋଧହୁଏ ଯୁକ୍ତାକ୍ଷର ନ ଥିଵାରୁ ଏପରି ଘଟିଅଛି; ମାତ୍ର ବାଲେଶ୍ଵରର ସମ୍ବାଦଵାହିକା ଟିପି ଦେଵାରୁ କଥାଟା ବାହାରିପଡ଼ିଲା- ଖାଲି ‘ ଆଶା’ର କଥା ନୁହେଁ, ତାଙ୍କ ପୃଷ୍ଠପୋଷକ ମଧ୍ଯ ବାହାରି ପଡ଼ିଲେ।❞

ସେହି “ଲିପିସଂସ୍କାର”ପ୍ରବନ୍ଧରେ ନାନା ଆଲୋଚନା କରିଵା ପରେ ପୁଣିଥରେ ରାମଶଙ୍କର ରାୟ ଲିପି ସଂସ୍କାର ଵିଷୟରେ ଯାହା ଲେଖିଛନ୍ତି ତାହା ଏଠାରେ ଉଦ୍ଧାର କରାଗଲା ..

❝ଆଶା’ର ସମ୍ପାଦକ ଓ ଲେଖକମାନେ ଦେଶ ଲୋକଙ୍କୁ ତାଙ୍କ ଲିପିସଂସ୍କାରର ଅନୁଵର୍ତ୍ତୀ ହୋଇ ଲେଖିଵାକୁ ପ୍ରାର୍ଥନା କରିଅଛନ୍ତି। କେହି ମାନିବେ, ଏହା ମୋତେ ଲାଗୁନାହିଁ। ମୁଁ ତାହା ପଢ଼ିଲା ମାତ୍ରକେ ଲାଙ୍ଗୁଳହୀନ ଶୃଗାଳର କଥା ମନରେ ପଡ଼ିଗଲା ।
× × × × × ×× × × × × ×× × × × × ×
ଆଶା'ର ପ୍ରତ୍ୟାଶ ଆକାଶକୁସୁମରେ ପରିଣତ ହେଵାରେ ସନ୍ଦେହ ନାହିଁ। ଏହା ଲିପି ସଂସ୍କାର ଵା ଭାଷା ସଂସ୍କାର ନୁହେଁ- ଏହାକୁ ଲିପି ଵିଭ୍ରାଟ୍ ଵା ଭାଷା ଵିଭ୍ରାଟ୍ ବୋଲାଯିଵ।❞

ଵର୍ଣ୍ଣହତ୍ୟାକାରୀମାନେ ❝ଛପା ସମସ୍ୟା ତଥା ଲିପି ସରଳୀକରଣ❞ର ଯେତେ ଦ୍ଵାହି ଦେଲେ ମଧ୍ୟ ସେମାନେ ଯେ ହିନ୍ଦୀ, ବଙ୍ଗାଳୀ ତଥା ହିନ୍ଦୀଦ୍ଵାରା ପ୍ରଭାଵିତ ହୋଇ ସେହି ସବୁ ଭାଷାର ହନୁକରଣରେ ଓଡ଼ିଆ ଲିପିରୁ ଅକ୍ଷର ,ଦ୍ଵିତକରଣ ତଥା ଯୁକ୍ତାକ୍ଷର ପରମ୍ପରା ଇତ୍ୟାଦି ଉଠାଇଦେଵାକୁ ଚେଷ୍ଟା କରୁଥିଲେ ତାହା ଜଣାପଡି଼ଯାଇଥିଲା ।

ଓଡ଼ିଶାରେ ଆଧୁନିକ ଯୁଗର କଵି ଲେଖକମାନେ ସାଧାରଣତଃ ହିନ୍ଦୀ,ଇଂରାଜୀ ଓ ବଙ୍ଗାଳୀ ଭାଷାଦ୍ଵାରା ପ୍ରଭାଵିତ ହୋଇଥିଲେ । ଓଡ଼ିଆ ଭାଷାରେ ଥିଵା ମୌଳିକତାକୁ ସେମାନେ ଏହି ତିନୋଟି ଭାଷାରେ ନପାଇ ସେସବୁ ମୌଳିକଗୁଣ ଓଡ଼ିଆ ଭାଷାର ଦୁର୍ଗୁଣ ମନେ କରି କଳେ ବଳେ କୌଶଳେ ଲିପିସଂହାରକୁ ଲିପି ସଂସ୍କାର ନାମ ଦେଇ ଚକ୍ରାନ୍ତ କଲେ  ।‌

ଇଂରାଜୀ ଦ୍ଵାରା ପ୍ରଭାଵିତ ଓଡ଼ିଆମାନେ ଯୁକ୍ତିକଲେ ❝ଆମ ଅକ୍ଷର ସଂଖ୍ୟା ପଚାଶ ଟପୁଛି ତାକୁ ଇଂରାଜୀ ଭଳି ଛବିଶ କରିଦେଵାକୁ ହେଵ❞ ...

କିନ୍ତୁ ଇଂରାଜୀରେ ମଧ୍ୟ ଛୋଟ ଓ ବଡ଼ ଅକ୍ଷର (small/capital, lower/upper case) ମିଶାଇଲେ ୨୬×୨= ୫୨ ହୁଏ ! ଗଣିତ ଓ ଵିଜ୍ଞାନ ଶାସ୍ତ୍ରାଦି ଲେଖିବାକୁ ଇଂରାଜୀ ଅକ୍ଷର ନିଅଣ୍ଟ ପଡ଼େ ବୋଲି ଗ୍ରୀକ ଅକ୍ଷର ଯଥା→ ଆଲ୍ଫା (alpha-α),ବିଟା (Beta~β),
ଗାମା(Gamma-Γ,γ)
ଇତ୍ୟାଦି ଆହୁରି ଅନେକ ବର୍ଣ୍ଣ
ଆଵଶ୍ୟକ ପଡ଼େ । ଅର୍ଥାତ୍ ଇଂରାଜୀ ଅକ୍ଷର ବଢ଼େଇ ଲିପିକୁ ଵୈଜ୍ଞାନିକୀକରଣ କରିବା ବେଳେ ଆମ ଭୁଷପଣ୍ଡିତେ ସେଥିକୁ ନିଘା ନଦେଇ ଓଡ଼ିଆ ଅକ୍ଷର ମାରିବାରେ ଵ୍ୟସ୍ତ ହୋଇଗଲେ ।

ପୁଣି ଦଳେ ବାହାରିପଡି଼ଲେ କହିଲେ ❝ଇଂରାଜୀରେ ତ ଗୋଟିଏ S , ଆମର କାହିଁକି ତିନୋଟି ? ଚାଲ ତିନୋଟି ସ/ଶ/ଷ କୁ ମିଶାଇ ଗୋଟିଏ କରିଦେଵା❞

କିନ୍ତୁ ଇଂରାଜୀରେ ମଧ୍ୟ s, sh, ss, sc, c, ti ଇତ୍ୟାଦି ଅନ୍ୟୁନ ଛଅଟି ପ୍ରକାରେ ଶ,ଷ,ସ ଲେଖାଯାଏ । ଇଂରାଜୀରେ ତ କେବେ ସବୁ ମିଶାଇ କେଵଳ ଗୋଟିଏ ‘S’ କରିବାକୁ ଚାହିଁନାହାନ୍ତି  । ଆମେ କାହିଁକି ଶ,ଷ,ସ କୁ କେଵଳ ସ କରିଦେଇ ଆମ ଭାଷାକୁ ଓ ତାହାର ଲିପିକୁ ଅଵୈଜ୍ଞାନିକ କରିଦେଵାକୁ ତତ୍ପର ?

ଇଂରାଜୀରେ ❝a, e, i, o, u❞ କୁ ଦେଖି ସେମାନେ ପୁଣି ମତ ଦେଲେ ❝ଵିଶ୍ଵଭାଷା ଇଂରାଜୀକୁ ଦେଖ ହୋ ସେଥିରେ ମାତ୍ର ପାଞ୍ଚଟି ସ୍ଵର ତେଣୁ ସେ ଭାଷା ସରଳ ଏବେ ଆମକୁ ମଧ୍ୟ ସ୍ୱରଵର୍ଣ୍ଣରେ ଥିବା ହ୍ରସ୍ୱ ଓ ଦୀର୍ଘ (ଇ,ଈ ଉ,ଊ) ଉଚ୍ଚାରଣକୁ ମିଶାଇ ଦେଵାକୁ ହେଵ ।ଅ❞

ଇଂରାଜୀରେ ସ୍ଵରତତ୍ତ୍ୱକୁ ଗଵେଷଣା କରି a, e, i, o, u ସହ ee, oo, ae, au, ou, oe, oa ଇତ୍ୟାଦି ଅନେକ ଦୀର୍ଘ ସ୍ୱର ଓ ସଂଯୁକ୍ତ ସ୍ୱର ଵ୍ୟଵହାର କରନ୍ତି କିନ୍ତୁ ଆମ ଭୁଷପଣ୍ଡିତେ ସ୍ୱରଵର୍ଣ୍ଣ ମାରିବାରେ ଵ୍ୟସ୍ତ !

ତେବେ ଓଡ଼ିଆ ଲୋକେ ଇଂରାଜୀ ଅପେକ୍ଷା ହିନ୍ଦୀ ଅନୁକରଣରେ ସବା ଆଗରେ ! ଇଂରାଜୀ ଶାସନ ଯୁଗରେ ଆମ ଓଡ଼ିଶାର କେତେଟା କଵି ଲେଖକ ବିହାର ଇତ୍ୟାଦି ହିନ୍ଦୀଭାଷୀ ଅଞ୍ଚଳ ବୁଲି ଆସି ଓଡ଼ିଶାରେ ଜ୍ଞାନ ଦେଵାକୁ ଲାଗିଲେ ଓଡ଼ିଆ ଭାଷାରୁ ଯୁକ୍ତାକ୍ଷର ହଟାଇ ଦିଅ ,ଵର୍ଣ୍ଣଦ୍ଵିତକରଣ ହଟାଇ ଦିଅ କାରଣ ହିନ୍ଦୀରେ ନାହିଁ । ସେହିପରି ଓଡ଼ିଆରେ ‛ଜ’ ଓ ‛ଯ’କୁ ମିଶାଇ ଗୋଟିଏ କରିଦେଵାକୁ ସେତେବେଳେ ଅନେକେ ଚେଷ୍ଟା କରିଥିଲେ । ହିନ୍ଦୀରେ ଗୋଟିଏ ଜ ରହିଛି ବୋଲି ଏହି ଵିଜାତୀୟ ଭୁଷପଣ୍ଡିତେ ଭାବନ୍ତି କିନ୍ତୁ ପ୍ରକୃତରେ ହିନ୍ଦୀରେ ମଧ୍ୟ ଜ ତଳେ ବିନ୍ଦୁ ଵା ନୁଖ୍ତା ଦେଇ ଏହାର ସମସ୍ୱନିମକୁ ପ୍ରକାଶ କରାଯାଏ ଯଥା :-
ग़ज़ल, फ़र्ज़, फ़िज़ा ଇତ୍ୟାଦି l ଇଂରାଜୀରେ ମଧ୍ୟ G, J, S, Z, Scz ଇତ୍ୟାଦିର ସମସ୍ୱନିମ ଭାଵରେ ଵ୍ୟଵହାର ରହିଛି l  ଓଡ଼ିଆରେ ଵର୍ଗ୍ୟ ‛ଜ’ ଓ ଅଵର୍ଗ୍ୟ ‛ଯ’ ଦୁଇଟି ସହ ‘ୟ’ ମଧ୍ୟ ଵ୍ୟଵହାର ହୁଏ ଯାହା ଏହାକୁ ହିନ୍ଦୀ, ସଂସ୍କୃତ ଓ ଅନ୍ୟ ଭାରତୀୟ ଭାଷା ସମୂହଠାରୁ ଭିନ୍ନ ପରିଚୟ ପ୍ରଦାନ କରେ କିନ୍ତୁ ଆମ ଭୁଷପଣ୍ଡିତେ ଏ ମୌଳିକ ଓଡ଼ିଆ ଵୈଶିଷ୍ଟ୍ୟକୁ ମାରିବା ଷଡ଼ଯନ୍ତ୍ରରେ ନିମଗ୍ନ l

ବଙ୍ଗାଳୀ ଅନୁକରଣରେ ମଧ୍ୟ ଓଡ଼ିଆ ଭାଷା ଓ ଲିପିକୁ ଅଵୈଜ୍ଞାନିକ କରିଦେଵାକୁ ଚକ୍ରାନ୍ତ ହୋଇଥିଲା । ❝‘ବ’ ଓ ‘ଵ’ କୁ ମିଶାଇ ଓଡ଼ିଆରେ ମଧ୍ୟ ଏକ କରିଦେଵା❞ ଥିଲା ଆମ ପୂର୍ଵ ଦୁଇ ଵା ତିନି ପିଢ଼ିଙ୍କର ଦ୍ୱାରା ବଙ୍ଗାଳୀ ଲିପିର ହନୁକରଣ ।ଏ ଚକ୍ରାନ୍ତର ପ୍ରଭାଵ ଯୋଗୁଁ  ଆଜି ଅଧିକାଂଶ ଓଡ଼ିଆ   ‛ଵ’ କୁ ଅନାଵଶ୍ୟକ ମନେ କରନ୍ତି ।
ବଙ୍ଗଳାରେ ଉଭୟ ‘ବ’ ଓ ‘ଵ’ ପାଇଁ ଗୋଟିଏ ଅକ୍ଷର ‘ব’ ରହିଛି l ବଙ୍ଗଳା ର ହନୁକରଣ ଯୋଗୁଁ  ଓଡ଼ିଆଙ୍କର ଇଂରାଜୀ ଓ ସଂସ୍କୃତ ଉଚ୍ଚାରଣ ଵିକୃତ ଓ ହାସ୍ୟାସ୍ପଦ ହୋଇପଡ଼ିଲା ଯଥା: ଟେଲିଵିଜନ କୁ ପଢ଼ିଲେ ଟେଲିଭିଜନ ତଥା ‘ଵୋଡ଼ା’ ଫୋନ୍ କୁ କହିଲେ ‘ଭୋଡ଼ା’ ଫୋନ୍, ‘ଭଲ’ (bhala) କୁ ଲେଖିଲେ ‘ଵଲ’ (vala) l

ଲିପିସଂହାରକମାନେ ଓଡ଼ିଆ ଭାଷା ଓ ଲିପିକୁ ଅଵୈଜ୍ଞାନିକ ଓ ଶକ୍ତିହୀନ କରିଦେଵା ପ୍ରୟାସରେ ଆଜି ବି ଚେଷ୍ଟିତ । କୌଣସି ଭାଷାକୁ ମାରିବାକୁ ହେଲେ ପ୍ରଥମେ କିଛି ଅକ୍ଷରକୁ ମାରିଦିଆଯାଏ ଼ ଲିପି ପଙ୍ଗୁ ହୋଇଗଲେ ଶବ୍ଦର ବୈଜ୍ଞାନିକତା ନଷ୍ଟ ହେବ ଆଉ ତାପରେ ଭାଷା ଆପେ ଆପେ ମରିଯିବ l ଏକଥା ଲିପିସଂହାରକମାନେ ହୃଦବୋଧ କରିନାହାନ୍ତି । ଦୁର୍ଭାଗ୍ୟର ଵିଷୟ ଓଡ଼ିଶାରେ ଆଜି ନିଜକ ଓଡ଼ିଆ ରକ୍ଷକ କହୁଥିଵା ବୁଦ୍ଧିଜୀଵୀମାନେ ହିଁ ନିଜର ଅଦୂରଦର୍ଷିତା ଯୋଗୁଁ ଲିପିସଂହାର ରୂପ ଲିପି ସଂସ୍କାରକୁ ସମର୍ଥନ କରି ଭକ୍ଷକ ସାଜିଛନ୍ତି l ଯେଉଁମାନେ ଭାଷା ପାଇଁ ବାଟ ଦେଖାଇବା କଥା, ସେମାନେ ନିଜେ ବାଟ ହୁଡ଼ି ଅବାଟରେ ଚାଲିଛନ୍ତି । ସମସ୍ୱନିମ ମଧ୍ୟରେ ଥିବା ପାର୍ଥକ୍ୟ ଦର୍ଶାଇଵା ଲୋକ ହିଁ ଅନ୍ଧ ହୋଇଛନ୍ତି , ମାତୃଭାଷାକୁ ଟାଣି ଅନ୍ଧାରକୁ ନେଉଛନ୍ତି  l ଓଡ଼ିଶାର ବୁଦ୍ଧିଜୀଵିମାନେ ବୁଝିଵା କଥା ଯେ ପ୍ରତ୍ୟେକ ଭାଷାରେ କିଛି ଭଲ, କିଛି ଦୁର୍ଵଳତା ଥାଏ ଯାହା ସେହି ଭାଷାର ପରିଚାୟକ ଓ ଵୈଶିଷ୍ଟ୍ୟ l ଆମେ ଅନ୍ୟର ଭଲକୁ ଗ୍ରହଣ ନ କରି ଯଦି ଏମିତି କେଵଳ ଦୁର୍ବଳତାକୁ ଅନୁକରଣ କରିଚାଲିଵା ତେବେ ଆମ ଭାଷା ନିଜର ମୌଳିକତା ହରାଇଵା ସହ ଏକ ହାସ୍ୟାସ୍ପଦ ଭାଷାରେ ପରିଣତ ହେବ l

🟢🟢🟢🟢🟢🟢🟢🟢
ତଥ୍ୟ ସଂଗ୍ରହ — ଶିଶିର ସାହୁ ମନୋଜ  ଓ ଡାକ୍ତର ଦେଵାଶିଷ ଜ୍ୟେଷ୍ଠୀ
ସମ୍ପାଦନା — ଶିଶିର ସାହୁ ମନୋଜ
🟢🟢🟢🟢🟢🟢🟢🟢

Friday, February 18, 2022

ଲାଵଣ୍ୟଵତୀ କାଵ୍ୟରେ ଦେଶଵର୍ଣ୍ଣନା

କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ ତାଙ୍କ
ଲାଵଣ୍ୟଵତୀ କାଵ୍ୟରେ ଭାରତ ଵର୍ଷର ଵିଭିନ୍ନ ଦେଶର ଵର୍ଣ୍ଣନା କରିଛନ୍ତି।
ଲାଵଣ୍ୟଵତୀର ପ୍ରଥମ ଭାଗ ଅଷ୍ଟମ ଛାନ୍ଦରେ କେମିତି
ସିଂହଳଦେଶର ରାଜା ନିଜ ଵିଵାହଯୋଗ୍ୟା କନ୍ୟା ଲାବଣ୍ୟଵତୀର ଚିତ୍ରପଟଟିଏ ପ୍ରସ୍ତୁତ କରାଇ ଜ୍ଞାନାନନ୍ଦ ନାମକ ସନ୍ୟାସୀ ହସ୍ତରେ
ଦେଶରୁ ଦେଶ ବୁଲାଇ ପ୍ରଦର୍ଶିତ କରାଇଲେ ତାହା ଏହିପରି ଵର୍ଣ୍ଣନା କରାଯାଇଛି...

“କୁନ୍ତଳ କୁନ୍ତଳଵର୍ଣ୍ଣେ ସାରିଲେ ଦିନ ।
ମତ୍ସ୍ୟଜନ ମତ୍ସ୍ୟପୁରି ନିମିଷ ହୀନ ॥
ନିଷେଧେ ନିଷେଧି ଆନ ଲୋକନ କଲେ ।
ମାଳଵରେ ମାଳା କରି ତାହା ଜପିଲେ ॥
ମଘରେ ମଘଵାପଦ ପାଇଲା ପରି  ।
ଵିଦେହ ଵିଦେହଶରେ ହୋଇଲେ ଘାରି ॥
କନାଉଜ କନ୍ୟା ଉଜ ଶୁଭିଲା ବାଣୀ ।
ମରୁ ଦେଶ ମରୁ ରମ୍ଭା ଏମନ୍ତେ ଭଣି ॥
ଅଙ୍ଗରେ ଅଙ୍ଗନା ଅଙ୍ଗ ପ୍ରଶଂସା କଲେ ।
ଏହି ରମ୍ଭା ବୋଲି କଳି କଳିଙ୍ଗେ ହେଲେ ॥
ଧାତା ହଟ ଏହି ମରହଟ୍ଟ ଵିଚାର ।
ସଉରାଷ୍ଟ୍ରେ ଭାଷି ସଉଦାମିନୀ ସ୍ଥିର ॥
ଚୋଳେ ନିଚୋଳ ଘୋଡାଇ ରଖିଵା ଚିନ୍ତା ।
ଦ୍ରାଵିଡ଼େ ନିଵିଡ଼େ ଆଲିଙ୍ଗନେ ମମତା ॥
ଗୁଜୁରାତି ରାତିଦିନେ ଦେଖିଵା ଇଛା ।
ଵିଦର୍ଭରେ ଦରହାସୀ ଦର୍ଶନ ଵାଞ୍ଚା ॥
ଉତ୍କଳେ ଉତ୍କଳ ହୋଇ ଵିରହ ଭାରୀ ।
ଗଉରିଏ ଗଉରଵ ଗଉଡ଼େ କରି ॥
ନେପାଳେ କପାଳେ ଥିଲେ ପାଇଵା ଭାବି ।
ମାଗଧେ ମାଗଧମୁଖେ ଵର୍ଣ୍ଣାଇ ଛବି ॥
କୁଞ୍ଜ ଗଳେ ଗଳେ ବାନ୍ଧି ବୁଲିକା ସ୍ନେହୀ ।
ବଙ୍ଗାଳୀ ଗାଳି ଉପମାବଳୀକି ଦେଇ ॥
ଲୋମଶ ଲୋମହର୍ଷିତ ଦେଖି ତ୍ଵରିତ ।
କଳେଵରେ କଳେଵରେ ଆନନ୍ଦ ଜାତ ॥
କେରଳେ କେରଳମାୟା ହୋଇବ ।
ଯମନ ମନରୁ ଭିନ୍ନ ନୋହେ ଏ ଭାବ ॥
ସିନ୍ଧୁ ରେ ଭାଷିଲେ ସିନ୍ଧୁରେ ଯେ ଝାସିବ ।
ସିନ୍ଧୁରଗମନା ପ୍ରତି ଅଙ୍ଗେ  ମିଶିବ  ॥”

ପ୍ରୋକ୍ତ ପଦଗୁଡି଼କରେ ଅଖଣ୍ଡଭାରତର କେଉଁ କେଉଁ ରାଜ୍ୟର ନାମ ରହିଛି...

•କୁନ୍ତଳ = ଭାରତରେ ଦୁଇଟି କୁନ୍ତଳ ଦେଶ ଥିଲା । ଗୋଟିଏ କୁନ୍ତଳ ଦେଶ ଉତ୍ତରରେ କାଶୀ ଓ ଚୁନାର୍ ନିକଟରେ ଥିଲାବେଳେ ଅନ୍ୟଟି କୃଷ୍ଣାନଦୀ କୂଳରେ ଦକ୍ଷିଣ ଭାରତରେ ଅଵସ୍ଥିତ ଥିଲା । କର୍ଣ୍ଣାଟକର ପୂର୍ଵନାମ କୁନ୍ତଳ ବୋଲି ଅନେକେ ଵିଶ୍ଵାସ କରନ୍ତି ।‌

•ମତ୍ସ୍ୟପୁରୀ ଵା ମତ୍ସ୍ୟଦେଶ = କେହି କେହି ଓଡ଼ିଶାରେ ମତ୍ସ୍ୟଦେଶ ଥିଵା ଅନୁମାନ କରନ୍ତି ତେବେ ମତ୍ସ୍ୟଦେଶ ରାଜସ୍ଥାନର ଅଲଵର ଅଞ୍ଚଳରେ ଥିଵା ଅନେକ ଗଵେଷକ ମତ ଦିଅନ୍ତି ।

•ନିଷେଧ = ଗ୍ଵାଲିୟର ନିକଟସ୍ଥ ନଳଵର ଅଞ୍ଚଳକୁ ପୂର୍ଵେ ନିଷେଧ ଦେଶ କୁହାଯାଉଥିଲା ବୋଲି ଗଵେଷକମାନେ କୁହନ୍ତି

•ମାଳଵ = ମଧ୍ୟପ୍ରଦେଶର ମାଳଵାଞ୍ଚଳକୁ ଆଗେ ମାଳଵ ଦେଶ କୁହାଯାଉଥିଲା ।

•ମଘ = ପୌରାଣିକ ଭୂଗୋଳ ଅନୁସାରେ ମ୍ଳେଚ୍ଛାଧିଷ୍ଠିତ ଦ୍ବୀପଵିଶେଷ ଓ ତଦ୍ଦେଶବାସୀ ଵ୍ୟକ୍ତିଗଣକୁ ମଘ କୁହାଯାଉଥିଲା । ବ୍ରହ୍ମଦେଶ ଵା ବର୍ମାର ଆରାକାନ ପ୍ରଦେଶ ଓ ଦଦ୍ଦେଶବାସୀ ଵ୍ୟକ୍ତିଗଣଙ୍କୁ ମଧ୍ୟ ମଘ କୁହାଯାଉଥିଲା । କଵି ଏଠାରେ ବ୍ରହ୍ମଦେଶକୁ ମଘ ଭାବରେ ଉଲ୍ଲେଖ କରିଛନ୍ତି ।
•ଵିଦେହ = ଆଧୁନିକ ବିହାର ପ୍ରଦେଶ ତଥା ନେପାଳର କେତେକ ଅଂଶକୁ ନେଇ ଆଗେ ଵିଦେହ ଦେଶ ଗଢ଼ା ହୋଇଥିଲା । ଏହାର ରାଜଧାନୀ ମିଥିଳା ଓ ଭାଷା ମୈଥିଳୀ ଥିଵା ଜଣାଯାଏ ‌।

•କୌନ୍ନଜ = ଉତ୍ତର ପ୍ରଦେଶର ଆଧୁନିକ କୌନ୍ନଜ ଜିଲ୍ଲା ଏଵଂ ଏହାର ପ୍ରାଚୀନ ନାମ ଥିଲା କାନ୍ୟକୁବ୍ଜ ।

•ମରୁଦେଶ = ରାଜପୁତନା ଅନ୍ତର୍ଗତ ମରୁମୟ ମାରବାର୍ ପ୍ରଦେଶକୁ ଆଗେ ମରୁଦେଶ କୁହାଯାଉଥିଲା

•ଅଙ୍ଗ = ଵର୍ତ୍ତମାନ ବିହାରର ଭାଗଲପୁର ଓ ମୁଙ୍ଗେର୍ ଜିଲ୍ଲା ସମଵର୍ତ୍ତୀ ଅଞ୍ଚଳରେ ଆଗେ ଅଙ୍ଗ ଦେଶ ଅଵସ୍ଥିତ ଥିଲା

•କଳିଙ୍ଗ = ଆଧୁନିକ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ରାଜ୍ୟର ଓଡ଼ିଆ ଵିଚ୍ଛିନ୍ନାଞ୍ଚଳ ଗଞ୍ଜାମ,ଗଜପତି,ପୁରୀ, ରାୟଗଡ଼ା, କନ୍ଧମାଳ,ଅଵିଭକ୍ତ କୋରାପୁଟ, କନ୍ଧମାଳ ଆଦି ଅଞ୍ଚଳକୁ ନେଇ ପ୍ରାଚୀନ କଳିଙ୍ଗ ଦେଶ ଗଠିତ ହୋଇଥିଲା । କଳିଙ୍ଗ ଦେଶର ସୀମା ପୌରାଣିକ ଯୁଗରେ ଆଗଙ୍ଗା ଗୋଦାଵରୀ ଥିଵା ଵର୍ଣିତ ହୋଇଛି । ଉତ୍କଳ ଓ ଉଡ୍ରଦେଶ ଏହାର ଅଂଶ ହୋଇ ଵିଶାଳ କଳିଙ୍ଗ ସାମ୍ରାଜ୍ୟ ମଧ୍ୟ ଗଠିତ ହୋଇଛି ।

•ମରହଟ୍ଟ =ଆଧୁନିକ ମହାରାଷ୍ଟ୍ର
•ସୌରାଷ୍ଟ୍ର = ଆଧୁନିକ ସୌରାଷ୍ଟ୍ର ଅଞ୍ଚଳ ଏଵଂ ଏହା ଵର୍ତ୍ତମାନ ଗୁଜରାଟର ଦକ୍ଷିଣ ଭାଗ ।  ସୁରଟ ନଗର ଏହି ଅଞ୍ଚଳର ମୁଖ୍ୟ ନଗରୀ ଅଟେ ।‌

•ଚୋଳ = ଆଧୁନିକ ତାମିଲନାଡୁର ଦକ୍ଷିଣ ଭାଗରେ ପ୍ରଥମେ ସ୍ଥାପିତ ରାଜ୍ୟ

•ଦ୍ରାଵିଡ଼ = ତାମିଲନାଡୁର କେତେକ ଅଞ୍ଚଳ

•ଗୁଜରାଟ = ଆଧୁନିକ ଗୁଜରାଟ ଓ ରାଜସ୍ଥାନର କେତେକ ଅଞ୍ଚଳକୁ ନେଇ ଗୁଜ୍ଜରମାନଙ୍କ ପ୍ରଦେଶ ଗଠିତ ହୋଇଥିଲା । ଆଧୁନିକ ଗୁଜରାଟ ରାଜ୍ୟର ନାମ ଏହି ପ୍ରାଚୀନ ପ୍ରଦେଶ ନାମରେ ନାମିତ କରାଯାଇଛି ।

•ଵିଦର୍ଭ = ଆଧୁନିକ ମହାରାଷ୍ଟ୍ରର ପୂର୍ଵଭାଗକୁ ଆଗେ ଵିଦର୍ଭ ଦେଶ କୁହାଯାଉଥିଲା । ଏହା ମହାରାଷ୍ଟ୍ରର ଏକ ଉପକ୍ଷେତ୍ର ଏଵଂ ଏଥିରେ ୧୨ଟି ଜିଲ୍ଲା ରହିଛି ‌ ।

•ଉତ୍କଳ = ପଶ୍ଚିମ ଓଡ଼ିଆ ଵିଚ୍ଛିନ୍ନାଞ୍ଚଳ(ଆଧୁନିକ ଛତିଶଗଡ଼), ଆଧୁନିକ ଓଡ଼ିଶାର ପଶ୍ଚିମ, ମଧ୍ୟ ଓ ଉତ୍ତରାଞ୍ଚଳର କେତେକ ଅଂଶକୁ ପ୍ରଥମେ ଉତ୍କଳ ଦେଶ ଭାବେ ନାମିତ କରାଯାଇଥିଲା । ଉତ୍ତର ଭାରତରୁ ଆସି ଓଡ଼ିଶାର ପଶ୍ଚିମ ଵିଚ୍ଛିନ୍ନାଞ୍ଚଳ(ଆଧୁନିକ ଛତିଶଗଡ଼)ରେ ଶାସନ କରୁଥିଵା ନନ୍ଦବଂଶୀରାଜାମାନେ ସେଠାରେ ସତୁରୀ ଵର୍ଷ ଶାସନ କଲାପରେ ପଶ୍ଚିମ ଓଡ଼ିଶା ତଥା ମଧ୍ୟ ଓଡ଼ିଶାର କେତେକ ଅଞ୍ଚଳ ଜୟକରି ନିଜ ରାଜ୍ୟର ନାମ ଉତ୍କଳ ତଥା ନିଜକୁ ସୋମବଂଶୀ ଘୋଷଣା କରିଥିଲେ । ସୋମବଂଶୀ ରାଜାମାନେ ପରେ ନିଜ ଉତ୍କଳ ଦେଶର ରାଜଧାନୀ ଯାଜପୁରକୁ କରିଥିଲେ ଏଵଂ ଏହି ବଂଶର ଯଯାତି କେଶରୀ ଵିଖ୍ୟାତ ହୋଇଥିଲେ ।‌
କଳିଙ୍ଗ ଦେଶ ପରି ଉତ୍କଳ ଦେଶର ସୀମା ସମୟେ ସମୟେ ଛୋଟ ବଡ଼ ହେଉଥିଲା ।

•ଗୌଡ଼ଦେଶ = ଆଧୁନିକ ପଶ୍ଚିମବଙ୍ଗ ଓ ବଙ୍ଗଦେଶର ମଝାମଝି ଉତ୍ତର ଭାଗରେ ଏ ଦେଶ ଅଵସ୍ଥିତ ଥିଲା ।

•ନେପାଳ = ଆଧୁନିକ ନେପାଳ ଦେଶର ଅଧିକାଂଶ ଅଞ୍ଚଳ

•ମଗଧ = ଆଧୁନିକ ବିହାରର ପ୍ରାଚୀନ ନାମ ଥିଲା ମଗଧ । କଳିଙ୍ଗ ଦେଶ ପରି ମଗଧର ଆକାର ଵା ଆୟତନ ସମୟ ସମୟରେ ଛୋଟ ବଡ଼ ହେଉଥିଲା ।

•ବଙ୍ଗ = ଆଧୁନିକ ବଙ୍ଗଳାଦେଶକୁ ଆଗେ ବଙ୍ଗ କୁହାଯାଉଥିଲା ଏଵଂ ଏହାର ପଶ୍ଚିମକୁ ଆଧୁନିକ ପଶ୍ଚିମବଙ୍ଗର ସମୁଦ୍ରକୂଳସ୍ଥ ଭୂଭାଗକୁ ରାଢ଼ ଦେଶ କୁହାଯାଉଥିଲା ।

•କେରଳ = ଆଧୁନିକ କେରଳ ରାଜ୍ୟର କେତେକ ଅଂଶକୁ ନେଇ କେରଳ ରାଜ୍ୟର ଗଠନ କରାଯାଇଥିଲା ।
•ଯମନ ଵା ଯବନ ଦେଶ = ଆଫଗାନିସ୍ତାନ ଓ ପାକିସ୍ତାନର କେତେକ ଅଞ୍ଚଳକୁ ଆଗେ ଯବନ ଦେଶ କୁହାଯାଉଥିଲା । ଏଠାରେ ଵିଭିନ୍ନ ସମୟରେ ଭାରତ ଆକ୍ରମଣ କରୁଥିଵା ଵୈଦେଶିକ ଜାତିମାନେ ଵାସ କରୁଥିଲେ ।

•ସିନ୍ଧୁ ଦେଶ = ବଲୁଚିସ୍ଥାନର ପୂର୍ଵରେ ଗୁଜରାଟର ଉତ୍ତରରେ ଵର୍ତ୍ତମାନର ସିନ୍ଧୁପ୍ରଦେଶ ଆଗେ ସିନ୍ଧୁଦେଶ ଭାବରେ ଜଣାଯାଉଥିଲା । ବଲୁଚିସ୍ଥାନ ପରି ପାକିସ୍ତାନରୁ ସିନ୍ଧୁଦେଶକୁ ଏକ ସ୍ଵତନ୍ତ୍ର ଦେଶ ଭାବେ ଭିନ୍ନ କରିଵାକୁ ପାକିସ୍ତାନରେ ସମୟ ସମୟରେ ଆନ୍ଦୋଳନ ହେଉଅଛି ।

                   -:ଶବ୍ଦାର୍ଥ:-
   

*ମଘଵାପଦ = ଇନ୍ଦ୍ରପଦ(ମଘଵା= ଇନ୍ଦ୍ର)
*କୁନ୍ତଳବର୍ଣ୍ଣ =କେଶର ରଙ୍ଗ ପରି କଳା
*ନିଷେଧେ = ନୈଷେଧ ଦେଶରେ
*ନିଷେଧି = ମନା କରି
*ବିଦେହଶର =କନ୍ଦର୍ପ ଵାଣ
*ଉଜ = ଶ୍ରେଷ୍ଠ
*ଅଙ୍ଗନା ଅଙ୍ଗ = (ଲାବଣ୍ୟଵତୀର) ଶରୀର
*ହଟ = କୌତୁକ
*ନିଚୋଳେ = କାଞ୍ଚଲାରେ
*ମମତା = (ଏଠାରେ)ଇଛା
*ଦରହାସୀ = ମୃଦୁହାସୀ
*ଉତ୍କଳ = ଉତ୍କଣ୍ଠିତ
*ଗଉରୀ = ଗୌରଵର୍ଣ୍ଣର ସ୍ତ୍ରୀ
*ମାଗଧମୁଖେ = ଭାଟମାନଙ୍କର ମୁଖରେ
*କେରଳମାୟା = କେଳାର କୁହୁକ
*ଯମନ = ଯବନ

Friday, February 11, 2022

ଘଇତାବୁକୁଠାରୁ Promise ଯାଏଁ

ଓଡ଼ିଆରେ ଢଗ ଅଛି...

“ଯେବେ ପାଇଥାଏ ଘଇତାବୁକୁ
ସଜ ହେଉଥାଏ ବାପ ଘରକୁ।”

ଘଇତାବୁକୁ ମାନେ କ'ଣ ?

ସ୍ବାମୀଠାରୁ ଉତ୍ସାହ ଵା ଅଙ୍ଗୀକାର ଵଚନକୁ ଘଇତାବୁକୁ କୁହାଯାଏ । ଘଇତା ଓ ବୁକୁ ଶବ୍ଦର ଏହା ଲକ୍ଷଣାର୍ଥ ପ୍ରୟୋଗ ।

ଯାହାକୁ ଆଜିକାଲିର ଓଡ଼ିଆ promise ବୋଲି ଜାଣନ୍ତି ଆଗେ ଓଡ଼ିଶାରେ ତାକୁ କଥା ଦେଵା,ଅଙ୍ଗୀକାର, ପ୍ରତିଶ୍ରୁତି,ଅଚକାର,ଦମ୍ଭ ଦେଵା,ହଁ କରିଵା,ଉଁ କରିଵା,ଵଚନ ଦେଵା, ପ୍ରତିଜ୍ଞା କରିଵା,ସତ୍ୟ କରିଵା,ବୋଲ,ଭରସା ଦେଵା,ରାଣ ଖାଇଵା,ସାହସ ଦେବା ଇତ୍ୟାଦି ଇତ୍ୟାଦି କୁହାଯାଉଥିଲା ।‌

ସେହିପରି ସ୍ଵାମୀ ତା ସ୍ତ୍ରୀକୁ ଦେଉଥିଵା ଦୃଢ଼ ପ୍ରତିଶ୍ରୁତିକୁ ଘଇତାବୁକୁ କୁହାଯାଉଥିଲା । କିନ୍ତୁ କେଉଁ ଆଧାରରେ ଘଇତା ଶବ୍ଦ ସହ ବୁକୁ ଶବ୍ଦ ଲାଗି ଘଇତାବୁକୁର ଏଭଳି ଲକ୍ଷଣାର୍ଥକ ପ୍ରୟୋଗ ହୋଇପାରେ ?

ଆମେ ଜାଣନ୍ତି ଭର୍ତ୍ତା,ପତି ଵା ସ୍ଵାମୀକୁ ଓଡ଼ିଆ ଭାଷାରେ ଘଇତା କୁହନ୍ତି ଯାହା ଗ୍ରହୀତା ଶବ୍ଦ ସହିତ ସମୋଦ୍ଧୃତ । ସେହିପରି ବୁକୁ ଶବ୍ଦଟି ଆମ ଭାଷାରେ ଛାତି,ଵକ୍ଷସ୍ଥଳ,ହୃଦୟ,ଦମ୍ଭ, ଧୈର୍ଯ୍ୟ ଓ ସାହସ ଆଦି ଅର୍ଥରେ ଵ୍ୟଵହାର ହୋଇଥାଏ ।
ଯାଆ ଛାତି ଟାଣୁଆ ,ଯାଆ ହୃଦୟ ଭୟଭୀତ ହେଲେ ଥରେ ନାହିଁ ସେ ସାହସୀ ଓ ଧୈର୍ଯ୍ୟଵାନ ଅଭିହିତ ହୋଇଥାଏ ।

ତେଣୁ ବୁକୁ ଶବ୍ଦର ଏହି ଅର୍ଥ ଘେନି ସ୍ତ୍ରୀକୁ ସ୍ଵାମୀର ପ୍ରତିଶ୍ରୁତି ଵାକ୍ୟକୁ ଦମ୍ଭ ଦେଵା, ଧୈର୍ଯ୍ୟ ଦେଵା ଓ ସାହସ ଦେଵା ଅର୍ଥରେ ଲକ୍ଷଣାର୍ଥ ଘଇତାବୁକୁ ଶବ୍ଦ ପ୍ରୟୋଗ କରାଯାଇଥିଲା ।

କଥିତ ଓଡ଼ିଆ ଭାଷାରେ କଥା ଦେଵା ଭଳି ଶବ୍ଦ ଆଜି ବି ପ୍ରୟୋଗ କରାଯାଏ ସେହିପରି ଓଡ଼ିଆରେ ପ୍ରତିଶ୍ରୁତି, ଅଙ୍ଗୀକାର ଭଳି ଶବ୍ଦ ମଧ୍ୟ ଵ୍ୟଵହାର କରାଯାଉଥିଲା ।

ତାପରେ ଧସେଇ ପଶି ଆସିଲା ଵୈଦେଶିକ ଆରବୀ ମୂଳର ଶବ୍ଦଟିଏ “ଜବାବ୍”  ! ଏହି ଶବ୍ଦଟି ଏତେ ଲୋକପ୍ରିୟ ହୋଇଗଲା ଯେ ଅନେକ ଓଡ଼ିଆ ଶବ୍ଦ ବଳି ପଡି଼ଗଲେ !

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଇଂରାଜୀ ଭାଷା ସହିତ ମଧ୍ୟ ସମାନ କଥା ଘଟିଥିଲା ।

promise ପ୍ରକୃତରେ ଏକ ମୂଳ ଇଂରାଜୀ ଶବ୍ଦ ନୁହେଁ । ଫ୍ରେଞ୍ଚ୍ ଭାଷାର promesse ଶବ୍ଦ ଇଂରାଜୀ ଭାଷାରେ ଆସି promis ଓ  promisse ହୋଇ ଶେଷରେ promise ରୂପେ ଚଳୁଅଛି ।

ପ୍ରାଚୀନ ଇଂରାଜୀରେ promise ବୋଲି କୌଣସି ଶବ୍ଦ ଚଳୁନଥିଲା  ଵରଂ
ସାକ୍ସନ୍ ଶବ୍ଦ gihêtan, ପ୍ରାଚୀନ ଜର୍ମାନ୍ giheizan ଓ ଗୋଥିକ୍ 𐌲𐌰𐌷𐌰𐌹𐍄𐌰𐌽 (gahaitan) ସହିତ ସମୋଦ୍ଧୃତ ପୁରୁଣା ଇଂରାଜୀ ଶବ୍ଦ
ġehātan (“ପ୍ରତିଶ୍ରୁତି ଦେଵା”) ଓ ġehāt (“ପ୍ରତିଶ୍ରୁତି”) ଶବ୍ଦଦ୍ଵୟ କଥା ଦେଵା ଓ ଅଙ୍ଗୀକାର ଅର୍ଥରେ ପ୍ରୟୋଗ ହେଉଥିଲା ।

ଫ୍ରେଞ୍ଚ ଲୋକଙ୍କ ଦ୍ଵାରା ଅନେକ ଵର୍ଷ ଧରି ପରାଧୀନ ହେଵାରୁ ଲାଟିନ୍ ଭାଷା ମୂଳର ଶତ ଶତଭାରୋପୀୟ ଶବ୍ଦ ଜର୍ମାନ୍ ଭାଷା ଶାଖାର ଇଂରାଜୀ ଭାଷାରେ ଚଳିଵାକୁ ଲାଗିଲା । ଏହିଧରଣର ଗୋଟିଏ ଶବ୍ଦ ହେଉଛି ଏହି Promise ଶବ୍ଦ ଏଵଂ ଲାଟିନ୍ ଭାଷାର prōmissa ଓ  prōmissum ଓ  prōmittō ଆଦି ସହିତ ଏହାର ସଗୋତ୍ରୀୟ ସମ୍ପର୍କ ରହିଛି । ପରେ ଇଂରାଜୀରେ prōmittō ଶବ୍ଦର ମୂଳରୁ  admit, commit ଓ permit ଆଦି ଶବ୍ଦ ମଧ୍ୟ ଆସି ଚଳିଛି ।
ଗୋଥିକ୍ ମୂଳର ପ୍ରାଚୀନ ଇଂରାଜୀ ଶବ୍ଦ ġehāt ଓ ଫ୍ରେଞ୍ଚ ଭାଷା ମୂଳର ଆଧୁନିକ ଇଂରାଜୀ ଶବ୍ଦ promise ଶବ୍ଦର କାହାଣୀରୁ ଆମେ କ'ଣ ଜାଣିଲେ ?

ଯେତେବେଳେ ଗୋଟିଏ ଭାଷା ଅନ୍ୟ ଏକ ଭାଷାରୁ ଆପଣା ପାଖରେ ଶବ୍ଦ ଥାଇ ମଧ୍ୟ ଶବ୍ଦଗ୍ରହଣ କରେ ସେ ତାହାର ନିଜସ୍ଵ ଶବ୍ଦଟିକୁ ହରାଇଥାଏ ।‌

Thursday, February 10, 2022

ଓଡ଼ିଶା ଓ ଅଥର୍ଵଵେଦ

   

ଆଗେ ତିନୋଟି ଵେଦ(ଋକ,ସାମ,ଯର୍ଦୁ)ହିଁ ମିଳିଥିଲା ! ଵିଶ୍ବ ଅଥର୍ଵଵେଦର ନାମ ସୁଦ୍ଧା ଜାଣିନଥିଲା ! ଜଣେ ସଂସ୍କୃତପ୍ରେମୀ ୟୁରୋପୀୟଙ୍କ ଠାରୁ ଵିଶ୍ବ ପ୍ରଥମେ ଏ ଵେଦର ପରିଚୟ ପାଇଥିଲା ଏଵଂ ଜଣେ ଭାରତୀୟ ଗଵେଷକ ତହିଁର ଶୁଦ୍ଧପାଠ ଓଡ଼ିଶାରୁ ଆଵିଷ୍କାର କରି କଳିଙ୍ଗଦେଶକୁ ଗୌରଵାନ୍ବିତ କରିଥିଲେ !

ସଂକ୍ଷେପରେ ଅଥର୍ଵଵେଦର କାହାଣୀ ଏହିପରି...

୧୮୫୪ରେ ବର୍ଲିନ୍‌ଠାରେ ୟୁରୋପର ସଂସ୍କୃତ ଵିଦ୍ୱାନ ରୁଡଲଫ୍ ରୋଥ ପ୍ରଥମେ ଅଥର୍ଵଵେଦର ଶୌନକ ସଂହିତା ପାଇ ଜଣାଇଥିଲେ !

ତେବେ ଉକ୍ତ ପାଠଟି ଅତ୍ଯନ୍ତ ଭ୍ରମାତ୍ମକ ପ୍ରମାଦପୂର୍ଣ୍ଣ ଥିଲା ଏଣୁ ରୋଥ ପ୍ରାମାଣିକ ପାଠ ଉଣ୍ଡିଵାରେ ଵ୍ରତୀ ହେଇ ଇଂରେଜ ଶାସକଙ୍କୁ ଭାରତଵର୍ଷରେ ଏହା ଡଗରେଇଵାକୁ ପ୍ରଵର୍ତ୍ତାଇଲେ ! 

ପ୍ରଵଳ ଉଦ୍ଯମ ଫଳରେ ୧୮୭୫ରେ ରୁଡଲଫ୍ ରୋଥଙ୍କୁ କାଶ୍ମୀରରୁ ଅଥର୍ଵଵେଦର ପୈପ୍ପଳାଦ ସଂହିତା ଲାଭ ହୋଇଥିଲା ।

କାଶ୍ମୀରରୁ ମିଳିଥିଵା ଏହି ଵେଦ ପାଠ ବି ପ୍ରାମାଣିକ ନଥିଲା ଏଵଂ ଏହା ଅତ୍ଯନ୍ତ ଦୟନୀୟ ଅବସ୍ଥାରେ ପ୍ରାପ୍ତ ହୋଇଥିଲା ! ଫଳରେ ଗଵେଷକଙ୍କୁ ସେତେବେଳେ ଵୈଶ୍ବିକ ପଣ୍ଡିତଵର୍ଗଙ୍କ ଵ୍ୟଙ୍ଗର ଶିକାର ହେଵାକୁ ପଡ଼ିଥିଲା ।

କାଶ୍ମୀରରୁ ଅଥର୍ଵଵେଦର ଲୁପ୍ତ ଅଂଶ ଉଦ୍ଧାର ହେଲାରୁ ଲୋକ ତତ୍ ଆଧାରରେ କାଶ୍ମୀରକୁ ଭାରତୀୟ ସଂସ୍କୃତର ମୂଳ କେନ୍ଦ୍ର ଓ ଉତ୍ତର ପଶ୍ଚିମ ଭାରତକୁ ଵୈଦିକ ସଂସ୍କୃତିର ଆଦିଭୂମି ମନେକରିଥିଲେ କିନ୍ତୁ ପରେ ଗଵେଷଣାରୁ ଜଣାଗଲା ଯେ ଦକ୍ଷିଣଭାରତ ଆଡ଼ୁ ଉକ୍ତ ଵେଦ ପାଠ ଜଣେ ପଣ୍ଡିତଙ୍କ ଦ୍ବାରା କାଶ୍ମୀର ଯାଇଥିଲା ! ଏକଥା ଜଣାପଡ଼ିଲାରୁ ଦାକ୍ଷିଣାତ୍ଯର ପଣ୍ଡିତଵର୍ଗ ଆପଣା ଭୂଖଣ୍ଡକୁ ହିଁ ସଂସ୍କୃତର ମୂଳଭୂମି ଏଵଂ ସଂସ୍କୃତର ସବୁ ଶବ୍ଦ ତାମିଳରୁ ନିଆଯାଇଥିଵା ମତ ଦେଵାକୁ ଲାଗିଲେ ।

ସ୍ବାଧିନତାପରେ ୧୯୫୪ରେ ସଂସ୍କୃତ କମିସନ୍ ଗଠନ ହେଲା ଏଵଂ ସାରା ଭାରତରେ ଏମନ୍ତକି ପଡ଼ୋଶୀ ରାଷ୍ଟ୍ରମାନଙ୍କରେ ଅଥର୍ଵଵେଦକୁ ଅନ୍ବେଷଣ କରାଗଲା ।

୧୯୬୩ ଖ୍ରୀଷ୍ଟାବ୍ଦରେ କଲିକତା ସଂସ୍କୃତଵେଦାଧ୍ଯାପକ ପଣ୍ଡିତ ଦୁର୍ଗାମୋହନ ଭଟ୍ଟାଚାର୍ଯ୍ଯଙ୍କୁ ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲା ଓ ବଙ୍ଗ ଅନ୍ତର୍ଭୁକ୍ତ ଓଡ଼ିଆ ଅଞ୍ଚଳରୁ ଅଥର୍ଵବେଦର ଅଧିକାଂଶ ସଂହିତାର ପ୍ରାମାଣିକ ପାଠ ମିଳିପାରିଥିଲା ।

ଓଡ଼ିଶାର ପଣ୍ଡିତ ଵଳଦେଵ ଵିଦ୍ଯାଭୂଷଣଙ୍କ(୧୭ଶ) ଗୋପାଳ ତାପନୀ ଉପନିଷଦ ଭାଷ୍ଯରୁ ଭଟ୍ଟାଚାର୍ଯ୍ଯ ଜାଣିପାରିଥିଲେ ଯେ ଓଡ଼ିଶାର ଏହି ପନ୍ଥୀମାନେ ଅଥର୍ଵଵୈଦର ପୈପ୍ପଳାଦ ସଂପ୍ରଦାୟ ଭୁକ୍ତ ଅଟନ୍ତି ।

ପଣ୍ଡିତ ଭଟ୍ଟାଚାର୍ଯ୍ଯ ତେଣୁ ମୟୁରଭଞ୍ଜ ଓ ଏହାର ଉପାନ୍ତ ଅଞ୍ଚଳରେ ବହୁ ପୈପ୍ପଳାଦୀମାନଙ୍କୁ ଭେଟି ତାଙ୍କଠାରୁ ଓଡ଼ିଆଲିପିରେ ଅଥର୍ଵଵେଦର ଅଧିକାଂଶ ସଂହିତାର ଶୁଦ୍ଧ ଓ ପ୍ରାମାଣିକ ପାଠ ପାଇଥିଲେ ।

ଆଜିଯାଏଁ ଅଥର୍ବବେଦର ନଅଟି ଶାଖା ମିଳିଛି ଯଥା-ଗୌଡ଼,ମୌଡ଼,ଜାଳଜ,ଜଳଦ,ବ୍ରହ୍ମଵାଦ,ଚରଣବୈଦ୍ଯ,ପୈପ୍ପଳାଦ ଓ ଶୌନକ ।

ତେବେ ଭାରତୀୟ ପଣ୍ଡିତଙ୍କ ଅନୁସାରେ ଅଥର୍ଵଵେଦର ସଂଖ୍ଯା ଏହାର ପାଞ୍ଚ ଵା ଦଶଗୁଣ ଅଧିକ ଅଟେ ! କାରଣ ସ୍କନ୍ଦପୁରାଣରେ(ନାଗର ଖଣ୍ଡ,୧୭୪ତମ ଅଧ୍ଯାୟ)ରେ ଅଥର୍ଵଵେଦର ଶହେଟି ଶାଖା ଥିଵା ଉଲ୍ଲେଖ ଥିଲା ବେଳେ ମୁକ୍ତି କୋପନିଷଦର ୧୧୩ତମ ଅଧ୍ଯାୟରେ ଏହାର ମୁଖ୍ଯ ସଂଖ୍ଯା ପଚାଶ ବୋଲି କୁହାଯାଇଛି ।

(ସଚ୍ଚି ରାଉତରାୟଙ୍କ “ଓଡ଼ିଶାରେ ଅଥର୍ଵଵେଦ” ପ୍ରବନ୍ଧରୁ ପ୍ରୋକ୍ତ ତଥ୍ଯ ସଂଗୃହୀତ)

Wednesday, February 9, 2022

ଚକୋଲେଟ୍‌ର କାହାଣୀ

ଇଂରାଜୀ ଭାଷାରୁ Chocolate ଶବ୍ଦ ଓଡ଼ିଆ ଭାଷାରେ ଚକଲେଟେ,ଚକଲଟି,ଚକେଲେଟି ଆଦି ରୂପରେ ଚଳୁଅଛି । ଆଗେ ଓଡ଼ିଆ ଭାଷୀ ଶୁଷ୍କ ଚକୋଲେଟ୍'କୁ ଖଜା ଓ ବିଲାତିଖଜା କହୁଥିଲେ ।
ଓଡ଼ିଶାର ଖରିଆ ଭାଷୀ ଚକୋଲେଟକୁ ଲେମ୍‌ଚୁସ୍‌ କହୁଥିଵାବେଳେ କୁଈଭାଷୀ ସକ୍‍ଲେଟ କହିଥାନ୍ତି ।

ତେବେ Chocolate ଶବ୍ଦ ମୂଳତଃ ଏକ ଇଂରାଜୀ ଶବ୍ଦ ନୁହେଁ ଵରଂ ପ୍ରକୃତରେ ଏହା ମୂଳ ଆମେରକୀୟ ଭାଷା Nahuatlରୁ ନିଆଯାଇଛି ।

ପ୍ରଥମେ ସ୍ପେନଵାସୀମାନେ Nahuatl ଭାଷାର ଶବ୍ଦ chocolātl(xocolatl) କୁ ନେଇ chocolate ରୂପେ ପରିଵର୍ତ୍ତିତ କରି ଵ୍ୟଵହାର କଲେ ଏଵଂ ପରେ ଏହା ଲୋକପ୍ରିୟ ହେଵାରୁ ଇଂରାଜୀ ଭାଷାରେ ସ୍ଥାନ ପାଇଥିଲା । ସୂଚନା ଯୋଗ୍ୟ ଯେ Nahuatl ଭାଷାରେ  chocolātl(xocolatl) ଶବ୍ଦ
ʃoˈkolaːtɬ ପରି ଉଚ୍ଚାରିତ ହୋଇଥାଏ ।

କେତେକ ଗଵେଷକଙ୍କ ମତରେ
xocolatl ଶବ୍ଦ chocolātl ଏଵଂ ପରେ
Chocolate ହୋଇଅଛି । xocolatl ଶବ୍ଦରେ
"xococ"ର ଅର୍ଥ ଖଟା ଵା କଡ଼ା ଏଵଂ  "atl"ର ଅର୍ଥ ପାଣି,ଜଳ ଵା ପାନୀୟ ।

ହେଲେ William Bright  "chocolatl" ଶବ୍ଦ ଵିଷୟରେ ଲେଖିଛନ୍ତି ଯେ ଏହି ଶବ୍ଦର ପ୍ରାରମ୍ଭିକ ମଧ୍ୟ ମେକ୍ସିକୀୟୋ ଭାଷା ଓ ସଂସ୍କୃତି ସହିତ କୌଣସି ସମ୍ପର୍କ ନଥିଵାରୁ ଏହା ଏକ ଅସମ୍ଭାଵିତ ଵ୍ୟୁତ୍ପତ୍ତି ବୋଧ ହୋଇଥାଏ ।

ପୁଣି Karttunenଙ୍କ ଅନୁସାରେ
୧୮ଶହ ଶତାବ୍ଦୀ ପୂର୍ବରୁ Nahuatlରେ chocolātl ବୋଲି କୌଣସି ଶବ୍ଦ ନଥିଲା ।

ଭାଷାଵିଦ William Bright କୁହନ୍ତି
Chocolateଶବ୍ଦର ମୂଳ ଶବ୍ଦ ଉତ୍ସ cacaua atl ହୋଇଥାଇପାରେ ଯାହାର ଆକ୍ଷରୀକ ଅର୍ଥ "cacaoର ପାନୀୟ "। ସେ ଆହୁରି ଲେଖିଥିଲେ ଯେ xocolatl ଶବ୍ଦରୁ chocolate ଶବ୍ଦ ସୃଷ୍ଟି ହୋଇଥିଵା ପ୍ରାମାଣିକ ନୁହେଁ କାରଣ Nahuatlରେ xocoatl ଶବ୍ଦର ଅର୍ଥ maize ଵା ମକାରେ ତିଆରି ପାନୀୟ ଅଟଇ ।

“DE FRANCISCO JAVIER SANTAMARÍA” (1889-1963) ତାଙ୍କର
“EL DICCIONARIO DE MEJICANISMOS” (1959) ନାମକ ଅଭିଧାନରେ  Yucatec Maya ଭାଷାର chokol(ତପ୍ତ,ଉଷୁମ,ଗରମ) ଓ  Nahuatl ଶବ୍ଦ atl(ଜଳ,ଝୋଳ,ପାନୀୟ) ଯୁକ୍ତ ହୋଇ chocolate ଶବ୍ଦ ସୃଷ୍ଟି ହୋଇଅଛି ବୋଲି ମତ ଦେଇଛନ୍ତି ।

ଭାଷାଵିଦ୍  Dakin ଓ Wichmann କୁହନ୍ତି ମୂଳ ଶବ୍ଦଟି chicolātl ଥିଲା ଯାହା ପରିଵର୍ତ୍ତିତ ହୋଇ Nahuatlରେ ଅଠରଶହ ଶତାବ୍ଦୀ ବେଳକୁ chocolātl ହୋଇଯାଇଥିଲା । କିନ୍ତୁ
Dakin ଓ Wichmannଙ୍କ ଅନୁସାରେ chicolātl ଶବ୍ଦରେ ଥିଵା chicol ଶବ୍ଦର ଉତ୍ତପ୍ତ ଅର୍ଥରେ ଵ୍ୟଵହୃତ chocol ସହିତ କୌଣସି ସମ୍ପର୍କ ନାହିଁ ଵରଂ chicol ଏକ ଵିଶେଷ ପ୍ରକାରର କାଠିକୁ କୁହାଯାଉଥିଲା ।
Dakin ଓ Wichmannଙ୍କ ମତରେ chicol ଶବ୍ଦର ଅର୍ଥ ଫେଣ,ଫେଣିଵା ପାଇଁ ଵ୍ୟଵହୃତ କାଠି ଏଵଂ ଚକୋଲେଟ୍ ପାନୀୟରେ କାଠିଟିଏ ପୁରାଇ ତାକୁ ଫେଣା ଯାଉଥିଵାରୁ ଏଭଳି ନାମକରଣ ହୋଇଅଛି ।

ଭାଷାଵିଦ Kaufman ଓ Justeson ପ୍ରୋକ୍ତ ସମସ୍ତ ନିରୁକ୍ତିକୁ କପୋଳକଳ୍ପିତ ବୋଲି ମତ ଦେଇଛନ୍ତି ଏଵଂ chocolate ଶବ୍ଦର ମୂଳ ଅଜ୍ଞାତ କିନ୍ତୁ chicolatl ଶବ୍ଦରୂପ ଏହାର ପ୍ରାରମ୍ଭିକ ଶବ୍ଦରୂପ ବୋଲି ମତ ଦେଇଛନ୍ତି ।
ତେବେ ଅଧିକାଂଶ ଭାଷାଵିଦ ମାନନ୍ତି ଯେ chocolate ଶବ୍ଦଟି Nahuatl ଭାଷା ମୂଳର ଶବ୍ଦ ଅଟଇ ।

ଆଗେ ମୂଳ ଆମେରିକୀୟ ରେଡ୍ ଇଣ୍ଡିୟନମାନେ ୟୁରୋପୀୟମାନଙ୍କର ଆମେରିକାରେ ପଦାର୍ପଣ ପୂର୍ଵରୁ hot chocolate ପ୍ରସ୍ତୁତ କରି ପାନ କରୁଥିଲେ । Olmec ସଭ୍ୟତା,maya ସଭ୍ୟତା  ଓ Aztec ସଭ୍ୟତାର ଲୋକେ cocoa ମଞ୍ଜିରୁ ପାନୀୟ ପ୍ରସ୍ତୁତ କରି ପାନ କରୁଥିଲେ ।

ଷୋହଳଶହ ଶତାବ୍ଦୀ ପୂର୍ଵରୁ ୟୁରୋପୀୟମାନେ
cocoa, chocolate drink ଵିଷୟରେ କିଛି ବି ଜାଣିନଥିଲେ । କଲମ୍ବସ୍ ଆମେରିକାରେ ତାଙ୍କର ଚତୁର୍ଥ ଅଭିଯାନ ସମୟରେ ଖ୍ରୀଷ୍ଟାବ୍ଦ ୧୫୦୨ ଅଗଷ୍ଟ ୧୫ ତାରିଖରେ ପ୍ରଥମେ ଏ ଫଳ ଓ ଏହାର ମଞ୍ଜି ଵିଷୟରେ ଶୁଣିଵାକୁ ପାଇଥିଲେ ଓ ଏ ଵିଷୟରେ ଲେଖିଥିଲେ ।

Spanish ଅନ୍ଵେଷକ Hernán Cortés ପ୍ରଥମେ ଚକୋଲେଟ୍'କୁ ଆଜଟେକ୍ ସମ୍ରାଟ୍ Moctezuma Xocoyotzinଙ୍କ ଦରବାରରେ ୧୫୧୯ରେ ଦେଖିଵାକୁ ପାଇଥିଲେ । ୧୫୬୮ରେ ଆଜଟେକ୍ ସାମ୍ରାଜ୍ୟକୁ ସ୍ପେନଵାସୀଙ୍କ ଦ୍ଵାରା ଲୁଣ୍ଠନ ଓ ଧ୍ଵଂସ କରିଵା ପରେ ଜଣେ ସ୍ପେନଵାସୀ Bernal Díaz ତରଳ ଚକୋଲେଟ୍ ଦ୍ରଵଣ ପାନ କରିଥିଵା ଏହିପରି ଲେଖିଥିଲେ ...

“From time to time they served him [Montezuma] in cups of pure gold a certain drink made from cacao. It was said that it gave one power over women, but this I never saw. I did see them bring in more than fifty large pitchers of cacao with froth in it, and he drank some of it, the women serving with great reverence.”

ୟୁରୋପୀୟମାନଙ୍କର ଆମେରିକାରେ ପଦାର୍ପଣ ପୂର୍ଵରୁ cocoa ମଞ୍ଜି ଆଜଟେକ୍ ସଭ୍ୟତାରେ ଟଙ୍କା ଭଳି ଵ୍ୟଵହାର ହେଉଥିଲା । ସ୍ପେନଵାସୀଙ୍କ ଦ୍ଵାରା ମୂଳ ଆମେରିକୀୟମାନଙ୍କର ସମ୍ପତ୍ତି ଲୁଣ୍ଠନ ଏଵଂ ଗଣହତ୍ୟା ତଥା ସେମାନଙ୍କର ସଭ୍ୟତାକୁ ଧ୍ଵଂସକଲାପରେ ୟୁରୋପରେ ସେହି cocoa ଓ ଚକୋଲେଟ୍ ପାନୀୟ ଆସି ପହଞ୍ଚିଲା ।

ଆଜିକାଲି valentine  ପ୍ରେମ ସପ୍ତାହ ପାଳନ କରିଵାକୁ ଯାଇ ଗୋଟିଏ ଦିନ ଅର୍ଥାତ୍ 9 ଫେବୃଆରୀରେ chocolateଦିଵସ ପାଳନ କରାଯାଉଛି ।

Saint valentineଙ୍କ ସ୍ମୃତିରେ ଯେଉଁ ତଥାକଥିତ valentine day ପାଳିତ ହେଉଛି ସେଥିରେ chocolateକୁ ଯୋଡି଼ଵାର କୌଣସି ଐତିହାସିକ କି ଧାର୍ମିକ ଔଚିତ୍ୟ ଆଦୌ ନାହିଁ ।

Saint valentine ତୃତୀୟ ଶତାବ୍ଦୀର ଲୋକ ଏଵଂ ୟୁରୋପରେ ଚକୋଲେଟ୍ ଷୋହଳଶହ ଶତାବ୍ଦୀର ଶେଷ ଆଡ଼କୁ ଆସି ପହଞ୍ଚିଥିଲା ।

“Pope Gelasius ପ୍ରଥମ” ୪୯୬ ଖ୍ରୀଷ୍ଟାବ୍ଦରେ ପ୍ରଥମେ  Saint Valentine(ମୃତ୍ୟୁ-୨୬୯)ଙ୍କ ସ୍ମରଣାର୍ଥେ ୨୪ ଫେବୃଆରୀରେ feast ପାଳନ କରାଇଥିଲେ ।

ଚତୁର୍ଦ୍ଦଶ ଓ ପଞ୍ଚଦଶ ଶତାବ୍ଦୀରେ ୟୁରୋପର ପ୍ରେମୀ ଯୁଗଳ ଵସନ୍ତ ଋତୁର ଆଗମନ କାଳ ହୋଇଥିଵାରୁ ଏହି ଋତୁରେ ଏହି ଦିନଟିକୁ ପ୍ରେମ ଦିଵସ ପାଇଁ ଏକ ଉତ୍କୃଷ୍ଟ ଦିଵସ ବୋଲି ମନେ କରି ପାଳିଵାକୁ ଲାଗିଲେ । କିନ୍ତୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଏଥିରେ ଫୁଲ ଦିଆ, ଚକୋଲେଟ୍ ଦିଆ, କୁଣ୍ଢାକୁଣ୍ଢି ଆଦି ସବୁ ନଥିଲା । ଅଠରଶହ ଶତାବ୍ଦୀ ବେଳକୁ ୟୁରୋପରେ valentine ଦିଵସରେ ଫୁଲ ଓ ଗ୍ରୀଟିଙ୍ଗ୍ସ୍ କାର୍ଡ଼୍ ଦିଆନିଆ ହେଵାକୁ ଲାଗିଲା ଏଵଂ ଧୀରେ ଧୀରେ ଗୋଲାପ, ଚକୋଲେଟ୍,ଚୁମ୍ବନ, ଆଲିଙ୍ଗନ ଆଦି ସବୁ ତତ୍ତ୍ବ ଯୋଡ଼ି ହୋଇ ହୋଇ ଆଧୁନିକ valentine ଦିଵସ ଆଜି ନିଜର ଵର୍ତ୍ତମାନ ସ୍ଵରୂପରେ ପହଞ୍ଚି ଅଛି ।

୧୮୪୭ରେ ପ୍ରଥମେ ଶୁଖିଲା ଚକୋଲେଟ୍ ତିଆରି ହୋଇଥିଲା ଏଵଂ ୧୮୯୪ରେ Hershey factory ଖୋଲିଵା ପରଠୁ ପୃଥିଵୀରେ ଆଧୁନିକ ଚକୋଲେଟ୍' ଯୁଗର ଅୟମାରମ୍ଭ ହୋଇଯାଇଥିଲା ‌ ।



ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...