Wednesday, February 9, 2022

ଚକୋଲେଟ୍‌ର କାହାଣୀ

ଇଂରାଜୀ ଭାଷାରୁ Chocolate ଶବ୍ଦ ଓଡ଼ିଆ ଭାଷାରେ ଚକଲେଟେ,ଚକଲଟି,ଚକେଲେଟି ଆଦି ରୂପରେ ଚଳୁଅଛି । ଆଗେ ଓଡ଼ିଆ ଭାଷୀ ଶୁଷ୍କ ଚକୋଲେଟ୍'କୁ ଖଜା ଓ ବିଲାତିଖଜା କହୁଥିଲେ ।
ଓଡ଼ିଶାର ଖରିଆ ଭାଷୀ ଚକୋଲେଟକୁ ଲେମ୍‌ଚୁସ୍‌ କହୁଥିଵାବେଳେ କୁଈଭାଷୀ ସକ୍‍ଲେଟ କହିଥାନ୍ତି ।

ତେବେ Chocolate ଶବ୍ଦ ମୂଳତଃ ଏକ ଇଂରାଜୀ ଶବ୍ଦ ନୁହେଁ ଵରଂ ପ୍ରକୃତରେ ଏହା ମୂଳ ଆମେରକୀୟ ଭାଷା Nahuatlରୁ ନିଆଯାଇଛି ।

ପ୍ରଥମେ ସ୍ପେନଵାସୀମାନେ Nahuatl ଭାଷାର ଶବ୍ଦ chocolātl(xocolatl) କୁ ନେଇ chocolate ରୂପେ ପରିଵର୍ତ୍ତିତ କରି ଵ୍ୟଵହାର କଲେ ଏଵଂ ପରେ ଏହା ଲୋକପ୍ରିୟ ହେଵାରୁ ଇଂରାଜୀ ଭାଷାରେ ସ୍ଥାନ ପାଇଥିଲା । ସୂଚନା ଯୋଗ୍ୟ ଯେ Nahuatl ଭାଷାରେ  chocolātl(xocolatl) ଶବ୍ଦ
ʃoˈkolaːtɬ ପରି ଉଚ୍ଚାରିତ ହୋଇଥାଏ ।

କେତେକ ଗଵେଷକଙ୍କ ମତରେ
xocolatl ଶବ୍ଦ chocolātl ଏଵଂ ପରେ
Chocolate ହୋଇଅଛି । xocolatl ଶବ୍ଦରେ
"xococ"ର ଅର୍ଥ ଖଟା ଵା କଡ଼ା ଏଵଂ  "atl"ର ଅର୍ଥ ପାଣି,ଜଳ ଵା ପାନୀୟ ।

ହେଲେ William Bright  "chocolatl" ଶବ୍ଦ ଵିଷୟରେ ଲେଖିଛନ୍ତି ଯେ ଏହି ଶବ୍ଦର ପ୍ରାରମ୍ଭିକ ମଧ୍ୟ ମେକ୍ସିକୀୟୋ ଭାଷା ଓ ସଂସ୍କୃତି ସହିତ କୌଣସି ସମ୍ପର୍କ ନଥିଵାରୁ ଏହା ଏକ ଅସମ୍ଭାଵିତ ଵ୍ୟୁତ୍ପତ୍ତି ବୋଧ ହୋଇଥାଏ ।

ପୁଣି Karttunenଙ୍କ ଅନୁସାରେ
୧୮ଶହ ଶତାବ୍ଦୀ ପୂର୍ବରୁ Nahuatlରେ chocolātl ବୋଲି କୌଣସି ଶବ୍ଦ ନଥିଲା ।

ଭାଷାଵିଦ William Bright କୁହନ୍ତି
Chocolateଶବ୍ଦର ମୂଳ ଶବ୍ଦ ଉତ୍ସ cacaua atl ହୋଇଥାଇପାରେ ଯାହାର ଆକ୍ଷରୀକ ଅର୍ଥ "cacaoର ପାନୀୟ "। ସେ ଆହୁରି ଲେଖିଥିଲେ ଯେ xocolatl ଶବ୍ଦରୁ chocolate ଶବ୍ଦ ସୃଷ୍ଟି ହୋଇଥିଵା ପ୍ରାମାଣିକ ନୁହେଁ କାରଣ Nahuatlରେ xocoatl ଶବ୍ଦର ଅର୍ଥ maize ଵା ମକାରେ ତିଆରି ପାନୀୟ ଅଟଇ ।

“DE FRANCISCO JAVIER SANTAMARÍA” (1889-1963) ତାଙ୍କର
“EL DICCIONARIO DE MEJICANISMOS” (1959) ନାମକ ଅଭିଧାନରେ  Yucatec Maya ଭାଷାର chokol(ତପ୍ତ,ଉଷୁମ,ଗରମ) ଓ  Nahuatl ଶବ୍ଦ atl(ଜଳ,ଝୋଳ,ପାନୀୟ) ଯୁକ୍ତ ହୋଇ chocolate ଶବ୍ଦ ସୃଷ୍ଟି ହୋଇଅଛି ବୋଲି ମତ ଦେଇଛନ୍ତି ।

ଭାଷାଵିଦ୍  Dakin ଓ Wichmann କୁହନ୍ତି ମୂଳ ଶବ୍ଦଟି chicolātl ଥିଲା ଯାହା ପରିଵର୍ତ୍ତିତ ହୋଇ Nahuatlରେ ଅଠରଶହ ଶତାବ୍ଦୀ ବେଳକୁ chocolātl ହୋଇଯାଇଥିଲା । କିନ୍ତୁ
Dakin ଓ Wichmannଙ୍କ ଅନୁସାରେ chicolātl ଶବ୍ଦରେ ଥିଵା chicol ଶବ୍ଦର ଉତ୍ତପ୍ତ ଅର୍ଥରେ ଵ୍ୟଵହୃତ chocol ସହିତ କୌଣସି ସମ୍ପର୍କ ନାହିଁ ଵରଂ chicol ଏକ ଵିଶେଷ ପ୍ରକାରର କାଠିକୁ କୁହାଯାଉଥିଲା ।
Dakin ଓ Wichmannଙ୍କ ମତରେ chicol ଶବ୍ଦର ଅର୍ଥ ଫେଣ,ଫେଣିଵା ପାଇଁ ଵ୍ୟଵହୃତ କାଠି ଏଵଂ ଚକୋଲେଟ୍ ପାନୀୟରେ କାଠିଟିଏ ପୁରାଇ ତାକୁ ଫେଣା ଯାଉଥିଵାରୁ ଏଭଳି ନାମକରଣ ହୋଇଅଛି ।

ଭାଷାଵିଦ Kaufman ଓ Justeson ପ୍ରୋକ୍ତ ସମସ୍ତ ନିରୁକ୍ତିକୁ କପୋଳକଳ୍ପିତ ବୋଲି ମତ ଦେଇଛନ୍ତି ଏଵଂ chocolate ଶବ୍ଦର ମୂଳ ଅଜ୍ଞାତ କିନ୍ତୁ chicolatl ଶବ୍ଦରୂପ ଏହାର ପ୍ରାରମ୍ଭିକ ଶବ୍ଦରୂପ ବୋଲି ମତ ଦେଇଛନ୍ତି ।
ତେବେ ଅଧିକାଂଶ ଭାଷାଵିଦ ମାନନ୍ତି ଯେ chocolate ଶବ୍ଦଟି Nahuatl ଭାଷା ମୂଳର ଶବ୍ଦ ଅଟଇ ।

ଆଗେ ମୂଳ ଆମେରିକୀୟ ରେଡ୍ ଇଣ୍ଡିୟନମାନେ ୟୁରୋପୀୟମାନଙ୍କର ଆମେରିକାରେ ପଦାର୍ପଣ ପୂର୍ଵରୁ hot chocolate ପ୍ରସ୍ତୁତ କରି ପାନ କରୁଥିଲେ । Olmec ସଭ୍ୟତା,maya ସଭ୍ୟତା  ଓ Aztec ସଭ୍ୟତାର ଲୋକେ cocoa ମଞ୍ଜିରୁ ପାନୀୟ ପ୍ରସ୍ତୁତ କରି ପାନ କରୁଥିଲେ ।

ଷୋହଳଶହ ଶତାବ୍ଦୀ ପୂର୍ଵରୁ ୟୁରୋପୀୟମାନେ
cocoa, chocolate drink ଵିଷୟରେ କିଛି ବି ଜାଣିନଥିଲେ । କଲମ୍ବସ୍ ଆମେରିକାରେ ତାଙ୍କର ଚତୁର୍ଥ ଅଭିଯାନ ସମୟରେ ଖ୍ରୀଷ୍ଟାବ୍ଦ ୧୫୦୨ ଅଗଷ୍ଟ ୧୫ ତାରିଖରେ ପ୍ରଥମେ ଏ ଫଳ ଓ ଏହାର ମଞ୍ଜି ଵିଷୟରେ ଶୁଣିଵାକୁ ପାଇଥିଲେ ଓ ଏ ଵିଷୟରେ ଲେଖିଥିଲେ ।

Spanish ଅନ୍ଵେଷକ Hernán Cortés ପ୍ରଥମେ ଚକୋଲେଟ୍'କୁ ଆଜଟେକ୍ ସମ୍ରାଟ୍ Moctezuma Xocoyotzinଙ୍କ ଦରବାରରେ ୧୫୧୯ରେ ଦେଖିଵାକୁ ପାଇଥିଲେ । ୧୫୬୮ରେ ଆଜଟେକ୍ ସାମ୍ରାଜ୍ୟକୁ ସ୍ପେନଵାସୀଙ୍କ ଦ୍ଵାରା ଲୁଣ୍ଠନ ଓ ଧ୍ଵଂସ କରିଵା ପରେ ଜଣେ ସ୍ପେନଵାସୀ Bernal Díaz ତରଳ ଚକୋଲେଟ୍ ଦ୍ରଵଣ ପାନ କରିଥିଵା ଏହିପରି ଲେଖିଥିଲେ ...

“From time to time they served him [Montezuma] in cups of pure gold a certain drink made from cacao. It was said that it gave one power over women, but this I never saw. I did see them bring in more than fifty large pitchers of cacao with froth in it, and he drank some of it, the women serving with great reverence.”

ୟୁରୋପୀୟମାନଙ୍କର ଆମେରିକାରେ ପଦାର୍ପଣ ପୂର୍ଵରୁ cocoa ମଞ୍ଜି ଆଜଟେକ୍ ସଭ୍ୟତାରେ ଟଙ୍କା ଭଳି ଵ୍ୟଵହାର ହେଉଥିଲା । ସ୍ପେନଵାସୀଙ୍କ ଦ୍ଵାରା ମୂଳ ଆମେରିକୀୟମାନଙ୍କର ସମ୍ପତ୍ତି ଲୁଣ୍ଠନ ଏଵଂ ଗଣହତ୍ୟା ତଥା ସେମାନଙ୍କର ସଭ୍ୟତାକୁ ଧ୍ଵଂସକଲାପରେ ୟୁରୋପରେ ସେହି cocoa ଓ ଚକୋଲେଟ୍ ପାନୀୟ ଆସି ପହଞ୍ଚିଲା ।

ଆଜିକାଲି valentine  ପ୍ରେମ ସପ୍ତାହ ପାଳନ କରିଵାକୁ ଯାଇ ଗୋଟିଏ ଦିନ ଅର୍ଥାତ୍ 9 ଫେବୃଆରୀରେ chocolateଦିଵସ ପାଳନ କରାଯାଉଛି ।

Saint valentineଙ୍କ ସ୍ମୃତିରେ ଯେଉଁ ତଥାକଥିତ valentine day ପାଳିତ ହେଉଛି ସେଥିରେ chocolateକୁ ଯୋଡି଼ଵାର କୌଣସି ଐତିହାସିକ କି ଧାର୍ମିକ ଔଚିତ୍ୟ ଆଦୌ ନାହିଁ ।

Saint valentine ତୃତୀୟ ଶତାବ୍ଦୀର ଲୋକ ଏଵଂ ୟୁରୋପରେ ଚକୋଲେଟ୍ ଷୋହଳଶହ ଶତାବ୍ଦୀର ଶେଷ ଆଡ଼କୁ ଆସି ପହଞ୍ଚିଥିଲା ।

“Pope Gelasius ପ୍ରଥମ” ୪୯୬ ଖ୍ରୀଷ୍ଟାବ୍ଦରେ ପ୍ରଥମେ  Saint Valentine(ମୃତ୍ୟୁ-୨୬୯)ଙ୍କ ସ୍ମରଣାର୍ଥେ ୨୪ ଫେବୃଆରୀରେ feast ପାଳନ କରାଇଥିଲେ ।

ଚତୁର୍ଦ୍ଦଶ ଓ ପଞ୍ଚଦଶ ଶତାବ୍ଦୀରେ ୟୁରୋପର ପ୍ରେମୀ ଯୁଗଳ ଵସନ୍ତ ଋତୁର ଆଗମନ କାଳ ହୋଇଥିଵାରୁ ଏହି ଋତୁରେ ଏହି ଦିନଟିକୁ ପ୍ରେମ ଦିଵସ ପାଇଁ ଏକ ଉତ୍କୃଷ୍ଟ ଦିଵସ ବୋଲି ମନେ କରି ପାଳିଵାକୁ ଲାଗିଲେ । କିନ୍ତୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଏଥିରେ ଫୁଲ ଦିଆ, ଚକୋଲେଟ୍ ଦିଆ, କୁଣ୍ଢାକୁଣ୍ଢି ଆଦି ସବୁ ନଥିଲା । ଅଠରଶହ ଶତାବ୍ଦୀ ବେଳକୁ ୟୁରୋପରେ valentine ଦିଵସରେ ଫୁଲ ଓ ଗ୍ରୀଟିଙ୍ଗ୍ସ୍ କାର୍ଡ଼୍ ଦିଆନିଆ ହେଵାକୁ ଲାଗିଲା ଏଵଂ ଧୀରେ ଧୀରେ ଗୋଲାପ, ଚକୋଲେଟ୍,ଚୁମ୍ବନ, ଆଲିଙ୍ଗନ ଆଦି ସବୁ ତତ୍ତ୍ବ ଯୋଡ଼ି ହୋଇ ହୋଇ ଆଧୁନିକ valentine ଦିଵସ ଆଜି ନିଜର ଵର୍ତ୍ତମାନ ସ୍ଵରୂପରେ ପହଞ୍ଚି ଅଛି ।

୧୮୪୭ରେ ପ୍ରଥମେ ଶୁଖିଲା ଚକୋଲେଟ୍ ତିଆରି ହୋଇଥିଲା ଏଵଂ ୧୮୯୪ରେ Hershey factory ଖୋଲିଵା ପରଠୁ ପୃଥିଵୀରେ ଆଧୁନିକ ଚକୋଲେଟ୍' ଯୁଗର ଅୟମାରମ୍ଭ ହୋଇଯାଇଥିଲା ‌ ।



No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...